ଗତ ବର୍ଷ ଡିସେମ୍ବରର ଶୀତଦିନରେ, ତମ୍ବୁ ଘେରା ଏକ ବନ୍ୟଜୀବନ ଶିବିରର ଶାନ୍ତ ପରିବେଶରେ, ଗୋଣ୍ଡ ଚିତ୍ରଶିଳ୍ପୀ ମିଥଲେଶ କୁମାର ଶ୍ୟାମ, ତାଙ୍କ ଚିକଚିକ ରଙ୍ଗଭରା ଚିତ୍ରଗୁଡ଼ିକୁ ଏକ ବଡ଼ ଟେବୁଲ ଉପରେ ମେଲାଇ ରଖିଲେ। ତାଙ୍କ ପରିବାରର ପୁରୁଣା କାର୍‌ ଚଳାଇ ପାଟଣଗଡ଼ରୁ ପ୍ରାୟ ୧୫୦ କିଲୋମିଟର ଦୂର ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ ନିକଟ ବାମନି ଗାଁର ଏହି ଶିବିରରେ ସେ ସେଦିନ ସକାଳେ ପହଞ୍ଚିଥିଲେ ।

ତାଙ୍କ ପ୍ରାଣବନ୍ତ ଓ ବିସ୍ତୃତ ଚିତ୍ରକଳାରେ ସ୍ଥାନ ପାଇଥିଲା ଗଛ, ପକ୍ଷୀ, ବାଘ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ, ଏବଂ ଗୋଣ୍ଡ ସଂପ୍ରଦାୟର ସମୃଦ୍ଧ ପୌରାଣିକ କଥାବସ୍ତୁ ସାଙ୍ଗକୁ ଆଧୁନିକତାର ବାସ୍ତବତା । ୨୭ ବର୍ଷୀୟ ମିଥଲେଶ କହନ୍ତି, “ବେଳେବେଳେ ମୁଁ ଆମ ଲୋକଗୀତର ବିଷୟକୁ ନେଇ ଚିତ୍ର କରେ । ହୁଏତ ଏମିତି ଭାବରେ ମୁଁ ଏକ ବାନା (ଏକ ତିନି ତାର ବିଶିଷ୍ଟ ବେହେଲା) ରୂପରେ ଆମର ମୁଖ୍ୟ ଆରାଧ୍ୟ ଦେବତା, ବଡ଼ ଦେବ (ମହାପ୍ରଭୁ)ଙ୍କୁ ଚିତ୍ରରେ ଉପସ୍ଥାପନ କରେ । ଅନ୍ୟ ସମୟରେ, ମୁଁ ମୋର ନିତିଦିନିଆ ଜୀବନର ବସ୍ତୁ ଏବଂ ଘଟଣା ଦ୍ୱାରା ଅନୁପ୍ରାଣିତ ହୋଇଥାଏ । ମୁଁ ମୋର କଳ୍ପନାରୁ ମଧ୍ୟ ଚିତ୍ର କରେ, ଏମିତି କି ମୋ ସ୍ୱପ୍ନରୁ ବି ।”

ଅନ୍ୟ ଅନେକ ଗୋଣ୍ଡ ଚିତ୍ରଶିଳ୍ପୀଙ୍କ ଭଳି ମିଥଲେଶଙ୍କର ମଧ୍ୟ ଚିତ୍ରର ପ୍ରତିରୂପରେ ରଙ୍ଗ ଭରିବାର ଏକ ସ୍ୱତନ୍ତ୍ର ଶୈଳୀ ରହିଛି । ଯେଉଁଥିରେ କି ସେ ଚିତ୍ରକଳାର ଏକ ବୃହତ୍‌ ଆକାରକୁ ବିନ୍ଦୁ, କ୍ଷୁଦ୍ର ରେଖା ଏବଂ ବକ୍ରରେଖାରେ ଭରି ଦିଅନ୍ତି । ସେ ମତେ କହନ୍ତି ଯେ, ପର୍ବ ପାଳନ ଅବସରରେ ଗୋଣ୍ଡମାନେ ସେମାନଙ୍କ ମାଟି ଘରର ସାମନା ପଟକୁ ପାରମ୍ପରିକ କଳାକୃତିରେ ସଜାଇ ଥାଆନ୍ତି। ଏହା ସେମାନଙ୍କ ପାଇଁ ଶୁଭଙ୍କର ବୋଲି ସେମାନେ ବିଶ୍ୱାସ କରନ୍ତି। ଘର କାନ୍ଥରେ ସେମାନଙ୍କ ଦେବଦେବୀ, ପୌରାଣିକ କଥା ଏବଂ କିମ୍ବଦନ୍ତୀକୁ ବର୍ଣ୍ଣନା କରୁଥିବା ଚିତ୍ର ଅଙ୍କନ କରାଯାଏ ଏବଂ ଏହି ପ୍ରାଚୀର କଳାକୁ ଗୋଣ୍ଡ ବିଟ୍ଟି ଚିତ୍ର କୁହାଯାଏ । “ସାଧାରଣତଃ ଏଥିରେ ଆମେ ବ୍ୟବହାର କରୁଥିବା ରଙ୍ଗ ପ୍ରକୃତିରୁ ମିଳିଥାଏ- ସେମି ଗଛର ପତ୍ରରୁ ସବୁଜ ରଙ୍ଗ, ଗେଣ୍ଡୁ ଫୁଲରୁ ନାରଙ୍ଗୀ, ସୂର୍ଯ୍ୟମୁଖୀ ଫୁଲରୁ ହଳଦିଆ, ଗୋଲାପରୁ ଗାଢ଼ ଗୋଲାପୀ, ଗାଈ ଗୋବରରୁ ବାଦାମୀ, ଚୁହି (ଧଳାମାଟି)ରୁ ଧଳା, କଳାମାଟିରୁ କଳା ରଙ୍ଗ ଏବଂ ଏମିତି ଆହୁରି ଅନେକ,” ବୁଝାଇ ଦିଅନ୍ତି ଏହି ଚିତ୍ରଶିଳ୍ପୀ ।

Mithlesh Kumar Shyam at the wildlife camp where he occasionally displays and sells his paintings. Like other Gond artists, he too has a distinctive style
PHOTO • Anne Pinto-Rodrigues
PHOTO • Mithlesh Kumar Shyam

ବନ୍ୟଜୀବ ଶିବିରରେ ମିଥଲେଶ କୁମାର ଶ୍ୟାମ, ଯେଉଁଠି ସେ ବେଳେବେଳେ ତାଙ୍କ ଚିତ୍ରକଳା ପ୍ରଦର୍ଶନ କରନ୍ତି ଏବଂ ବିକ୍ରି କରନ୍ତି । ଅନ୍ୟ ଗୋଣ୍ଡ ଚିତ୍ରଶିଳ୍ପୀଙ୍କ ଭଳି ତାଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଶୈଳୀ ରହିଛି

ତଫସିଲଭୁକ୍ତ ଉପଜାତି ରୂପେ ତାଲିକାଭୁକ୍ତ ଗୋଣ୍ଡ ଆଦିବାସୀମାନେ କେନ୍ଦ୍ରୀୟ ଭାରତର ବିଭିନ୍ନ ରାଜ୍ୟ-ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ- କିନ୍ତୁ ମୁଖ୍ୟତଃ ମଧ୍ୟପ୍ରଦେଶରେ, ବସବାସ କରନ୍ତି । ମିଥଲେଶ କହନ୍ତି, “ଆମେ ଉଭୟ ଗୋଣ୍ଡ (ଜୀବବାଦୀ) ଏବଂ ହିନ୍ଦୁ ପର୍ବ ପାଳନ କରୁ । ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିବାକୁ ଅଗଷ୍ଟରେ ହରୟାଲି, ଫସଲ ଅମଳ ଉତ୍ସବ ପାଳନ ପାଇଁ ସେପ୍ଟେମ୍ବରରେ ନବ ଖାବାୟେ, ବସନ୍ତରେ ହୋଲି ଏବଂ ବର୍ଷର ଶେଷ ଭାଗରେ ଦିୱାଲି ।”

ମିଥଲେଶ ଓ ତାଙ୍କ ପରିବାର ଗୋଣ୍ଡ ସଂପ୍ରଦାୟର ପ୍ରଧାନ ଉପ-ଗୋଷ୍ଠୀ ଅନ୍ତର୍ଭୁକ୍ତ । ସଂପ୍ରଦାୟର ଗାୟକ ରୂପେ ଏକଦା ପ୍ରଧାନ ଗୋଣ୍ଡମାନେ ଉଚ୍ଚ ସମ୍ମାନର ଅଧିକାରୀ ଥିଲେ ଏବଂ ସେମାନେ ତିନି ତାର ବିଶିଷ୍ଟ ବାନା ବଜାଇବା ସହିତ ଗୀତ ମାଧ୍ୟମରେ ଲୋକକଥା ଏବଂ ଧାର୍ମିକ ମହାକାବ୍ୟର ବର୍ଣ୍ଣନା କରୁଥିଲେ । ସେମାନେ କାହାଣୀଗୁଡ଼ିକୁ ମୌଖିକ ରୂପରେ ସାଇତି ରଖୁଥିଲେ ଏବଂ ପିଢ଼ି ପରେ ପିଢ଼ିକୁ ହସ୍ତାନ୍ତର କରୁଥିଲେ । ହେଲେ ଏବେ, ସଂପ୍ରଦାୟର ବହୁ ଯୁବକ ଯୁବତୀ ଚିତ୍ରକଳାକୁ ଆଦରି ନେଇଛନ୍ତି । ମିଥଲେଶ କହନ୍ତି, “ଆଜି ଆମେ କାଗଜ ଓ କାନଭାସ୍‌ ଉପରେ ଆକ୍ରିଲିକ୍‌ ରଙ୍ଗ ବ୍ୟବହାର କରି କାହାଣୀ ଶୁଣାଉ ।”

ଏକ ଦଶନ୍ଧିରୁ ଅଧିକ ସମୟ ହେଲା ସେ ଏଭଳି ଦୃଶ୍ୟ ଜରିଆରେ କାହାଣୀ ଶୁଣାଇ ଆସୁଛନ୍ତି । ପ୍ରାୟ ୧୪ ବର୍ଷ ବୟସରୁ ମିଥଲେଶ ଚିତ୍ରକଳା ଆରମ୍ଭ କରିଥିଲେ ଏବଂ ତାଙ୍କ ବଡ଼ ଭଉଣୀ ରାଧା ଟେକାମଙ୍କ ନିକଟରୁ ଏହାର ବିଭିନ୍ନ ସୂକ୍ଷ୍ମ ଦିଗ ସଂପର୍କରେ ଶିକ୍ଷାଲାଭ କରିଥିଲେ । ରାଧା ମଧ୍ୟ ଜଣେ ଚିତ୍ରଶିଳ୍ପୀ । ଦୁଇ ଭାଇଭଉଣୀ ସେମାନଙ୍କ ଯଶସ୍ଵୀ ଜେଜେକାକା ଜନଗଡ଼ ସିଂହ ଶ୍ୟାମ (୧୯୬୨-୨୦୦୧)ଙ୍କ ପଦାଙ୍କ ଅନୁସରଣ କରିଥିଲେ । ୧୯୮୦ ଦଶକରେ ସେ ଗୋଣ୍ଡମାନଙ୍କର ପାରମ୍ପରିକ ପ୍ରାଚୀର ଚିତ୍ରକଳାକୁ କାଗଜ ଓ କାନଭାସ୍‌ ଉପରେ ସ୍ଥାନ ଦେଇଥିଲେ । ପରେ ତାଙ୍କ ଚିତ୍ରକଳା ‘ଜନଗଡ଼ କଲମ’ ନାଁରେ ପରିଚିତ ହୋଇଥିଲା । ଏହାର ସ୍ରଷ୍ଟାଙ୍କ ନାମରୁ ‘ଜନଗଡ଼’ ଏବଂ ପ୍ରାରମ୍ଭିକ ରୂପରେଖ ପ୍ରସ୍ତୁତି ସହିତ ଏହାକୁ ଛନ୍ଦ-ବିନ୍ୟାସ ଭଳି ବିଭିନ୍ନ ଉପାଦାନରେ ଭରିବାର କଳାକୌଶଳ ପାଇଁ ବ୍ୟବହୃତ ଚିତ୍ରଶିଳ୍ପୀଙ୍କ କଲମରୁ ‘କଲମ’ ଶବ୍ଦ ନିଆଯାଇଥିଲା । ଏହା ହେଉଛି କାଗଜ ଓ କାନ୍‌ଭାସ୍‌ରେ ପ୍ରସ୍ତୁତ କଳାର ସେହି ରୂପ, ଯାହା ଏବେ ଭାରତରେ ଏବଂ ସାରା ପୃଥିବୀରେ ଗୋଣ୍ଡ ଚିତ୍ରକଳା ରୂପେ ପରିଚିତ । (ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବା ସହିତ ଏଥିରେ ସଂକଟ ମଧ୍ୟ ଘନେଇବାରେ ଲାଗିଛି- ଯେମିତି କି ଗୋଣ୍ଡ ଚିତ୍ରକଳା ନାଁରେ ଅଣ-ଗୋଣ୍ଡ ଚିତ୍ରକରମାନଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳାକୁ ସରଳ ଗ୍ରାହକମାନଙ୍କୁ ବିକ୍ରି କରାଯାଉଛି ଏବଂ ଏହା ଫଳରେ ଅସଲ ଚିତ୍ରଶିଳ୍ପର ବଜାର ନଷ୍ଟ ହେଉଛି ।)

Top row: 'Sometimes, I paint from our folklore,' Mithlesh says. 'Other times, I am inspired by things and events from my daily life. I also paint from my imagination, even my dreams'. Bottom row: Roshni Shyam's paitings; she is Mithlesh's wife and also an artist
PHOTO • Mithlesh Kumar Shyam

ଉପର ଧାଡ଼ି: ମିଥଲେଶ କହନ୍ତି, “ବେଳେବେଳେ ମୁଁ ଆମ ଲୋକଗୀତର ବିଷୟବସ୍ତୁକୁ ନେଇ ଚିତ୍ର କରେ, ଅନ୍ୟ ସମୟରେ ମୁଁ ମୋର ନିତିଦିନିଆ ଜୀବନର ବସ୍ତୁ ଏବଂ ଘଟଣା ଦ୍ଵାରା ଅନୁପ୍ରାଣିତ ହୋଇଥାଏ । ମୁଁ ମୋର କଳ୍ପନାରୁ ମଧ୍ୟ ଚିତ୍ର କରେ, ଏମିତି କି ମୋ ସ୍ଵପ୍ନରୁ ବିତଳ ଧାଡ଼ି: ରୋଶନି ଶ୍ୟାମଙ୍କ ଚିତ୍ରକଳା; ସେ ମିଥଲେଶଙ୍କ ସ୍ତ୍ରୀ ଏବଂ ଜଣେ ଚିତ୍ରଶିଳ୍ପୀ ମଧ୍ୟ

 “ଯେତେବେଳେ ମୋ ଜେଜେକକାଙ୍କ କଳାର ଲୋକପ୍ରିୟତା ବଢ଼ିଲା ଏବଂ ତାଙ୍କ କାର୍ଯ୍ୟଭାର ମଧ୍ୟ ବଢ଼ିବାରେ ଲାଗିଲା, ତାଙ୍କୁ ସହାୟତା କରିବା ଲାଗି ସେ ତାଙ୍କ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କୁ ପ୍ରଶିକ୍ଷଣ ଦେଲେ ।” ମିଥଲେଶ ବୁଝାଇ କହନ୍ତି, “ଖୁବ୍‌ ଶୀଘ୍ର ତାଙ୍କ ପ୍ରଶିକ୍ଷାର୍ଥୀମାନେ ନିଜେ ନିଜେ ଚିତ୍ରଶିଳ୍ପ କରିବାରେ ଲାଗିଲେ ଏବଂ କାଳକ୍ରମେ ସେମାନେ ଅନ୍ୟମାନଙ୍କୁ ଏହା ଶିଖାଇଲେ ।” ମିଥଲେଶଙ୍କ ଆକଳନ ଅନୁସାରେ, ଏବେ ପାଟନଗଡ଼ର ମୋଟ ୨୧୩ଟି ଘରୁ ପାଖାପାଖି ୮୦ ପ୍ରତିଶତ ଘରେ ଅନ୍ୟୂନ ଜଣେ ଲେଖାଏଁ ଚିତ୍ରଶିଳ୍ପୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ମହିଳା । ତାଙ୍କ ସ୍ତ୍ରୀ ରୋଶନି ମଧ୍ୟ ଜଣେ ଚିତ୍ରଶିଳ୍ପୀ । ମିଥଲେଶ କହନ୍ତି, “ସେ ପ୍ରଥମେ ମୋତେ ସହାୟତା କରୁଥିଲେ, କିନ୍ତୁ ଏବେ ସେ ନିଜେ ନିଜର ଚିତ୍ରକଳା କରୁଛନ୍ତି ।”

A4-ସାଇଜ୍‌ର କାଗଜ ଏବଂ କାନ୍‌ଭାସ୍‌ ଉପରେ ଅଙ୍କିତ ମିଥଲେଶଙ୍କ ଚିତ୍ରକଳା ସାଧାରଣତଃ ୨,୦୦୦ ଟଙ୍କାରେ ଏବଂ A3-ସାଇଜ୍‌ର କାଗଜର ଚିତ୍ରକଳା ୪,୦୦୦ ଟଙ୍କାରେ ବିକ୍ରି ହୋଇଥାଏ । ସେ କହନ୍ତି, “ପ୍ରତିଟି ଚିତ୍ରକଳା ସଂପୂର୍ଣ୍ଣ କରିବାକୁ ମୋତେ ଦୁଇରୁ ତିନି ଦିନ ଲାଗିଥାଏ ।” କିନ୍ତୁ କେବଳ ସାମୟିକ ଭାବେ ବିକ୍ରି ହେଉଥିବାରୁ ତାଙ୍କର ରୋଜଗାର ସ୍ଥିର ନୁହେଁ। ତାଙ୍କର ଅଧିକାଂଶ ଚିତ୍ରକଳା କାହ୍ନା ଜାତୀୟ ଉଦ୍ୟାନ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବିକ୍ରି ହୋଇଥାଏ । ଯେଉଁଭଳି ଏକ ଶିବିରରେ ସେ ତାଙ୍କ ଚିତ୍ରକଳା ପ୍ରଦର୍ଶନ କରୁଥିଲେ, ସେଇଭଳି ଅଳ୍ପ କେତେକ କ୍ଷେତ୍ରରେ ପାଟନଗଡ଼ର ଚିତ୍ରଶିଳ୍ପୀଙ୍କୁ ସେମାନଙ୍କ ଚିତ୍ରକଳା ପ୍ରଦର୍ଶନ ଓ ବିକ୍ରି ପାଇଁ ସ୍ଥାନ ଦିଆଯାଏ । କେତେକ ସମୟରେ, କେବଳ ଏହି ଉଦ୍ଦେଶ୍ୟରେ ଆସୁଥିବା ପର୍ଯ୍ୟଟକ ଓ କ୍ରେତାମାନେ ସିଧାସଳଖ “ଚିତ୍ରଶିଳ୍ପୀଙ୍କ” ଗାଁ ରୂପେ ପରିଚିତ ପାଟଣଗଡ଼କୁ ଯାଇଥାଆନ୍ତି ।

ମିଥଲେଶ ଓ ତାଙ୍କ ସାଥୀ ଚିତ୍ରଶିଳ୍ପୀମାନେ ରିସୋର୍ଟ୍‌ ବା ଅନ୍ୟ ସ୍ଥାନକୁ ଯିବା ବେଳେ ସାଙ୍ଗରେ ପ୍ରାୟ ୧୦୦-୧୫୦ ଚିତ୍ରକଳା ନେଇଯାଆନ୍ତି । ଉଭୟ ପୁରୁଷ ଓ ମହିଳା ଚିତ୍ରଶିଳ୍ପୀମାନଙ୍କର ଚିତ୍ରକଳାକୁ ଏକାଠି କରି ପର୍ଯ୍ୟଟକ ଓ ଆଗ୍ରହୀ କ୍ରେତାମାନଙ୍କ ଆଗରେ ପ୍ରଦର୍ଶନ କରାଯାଏ । କାହ୍ନା ବନ୍ୟଜୀବନ ଶିବିରରେ ଦିନଟିଏ ଶେଷ କରି ଅପରାହ୍‌ଣ ପ୍ରାୟ ୩ଟା ବେଳକୁ ମିଥଲେଶ ତାଙ୍କ ପୁରୁଣା ମାରୁତି-୮୦୦ କାର୍‌ରେ ପାଟନଗଡ଼ ଫେରି ଯାଆନ୍ତି । ହେଲେ, ପ୍ରତି ବର୍ଷ ଜୁନ୍‌ରୁ ସେପ୍‌ଟେମ୍ବର ଯାଏ ବନ୍ୟପ୍ରାଣୀ ଅଭୟାରଣ୍ୟ ବନ୍ଦ ରହେ ଏବଂ ତେଣୁ, ଏହି ସବୁ ମାସରେ ଆଖପାଖର ହୋଟେଲ୍‌ଗୁଡ଼ିକ ବି ବନ୍ଦ ରହେ ।

The wall art or bitti chitra on Gond houses in Patangarh illustrates their deities, myths and legends
PHOTO • Mithlesh Kumar Shyam
The wall art or bitti chitra on Gond houses in Patangarh illustrates their deities, myths and legends
PHOTO • Mithlesh Kumar Shyam

ପାଟଣଗଡ଼ର ଗୋଣ୍ଡ ଘରଗୁଡ଼ିକରେ ଅଙ୍କା ଯାଇଥିବା ପ୍ରାଚୀର କଳା ବା ବିଟ୍ଟି ଚିତ୍ରରେ ସେମାନଙ୍କ ଦେବଦେବୀ, ପୌରାଣିକ କାହାଣୀ ଏବଂ କିମ୍ବଦନ୍ତୀ ପ୍ରଦର୍ଶିତ ହୋଇଥାଏ 

ବରାଦି କାମ ମିଥଲେଶଙ୍କ ଆୟର ଆଉ ଏକ ସ୍ରୋତ। ବେଳେବେଳେ ସେ ଘର କାନ୍ଥରେ ପ୍ରାଚୀର ଚିତ୍ର ଅଙ୍କନ କରିଥାଆନ୍ତି । ଥରେ ସେ ଓ ଅନ୍ୟ ଦୁଇ ଜଣ ଗୋଣ୍ଡ ଚିତ୍ରଶିଳ୍ପୀ ଅହମ୍ମଦାବାଦର ଏକ ଫାର୍ମହାଉସ୍‌ର କାନ୍ଥଗୁଡ଼ିକୁ ଚିତ୍ରରେ ସଜେଇ ଥିଲେ । ଏହି କାମ ସାରିବାକୁ ସେମାନଙ୍କୁ ପ୍ରାୟ ଏକ ମାସ ଲାଗିଥିଲା ଏବଂ ସେମାନେ ସମସ୍ତେ ମିଶି ୨.୫ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ଏଭଳି କର୍ମ ନିୟୋଜନରୁ ମିଥଲେଶ ତାଙ୍କ ପାଇଁ ନିହାତି ଆବଶ୍ୟକ ହେଉଥିବା ଅତିରିକ୍ତ ରୋଜଗାର କରନ୍ତି ସତ, କିନ୍ତୁ ଏହା ବହୁତ କମ୍‌ ସମୟରେ ଏବଂ ଖୁବ୍‌ ଅଧିକ ବ୍ୟବଧାନରେ ମିଳିଥାଏ ।

କେବେ କେବେ, ଭୋପାଳର ଆଦିବାସୀ ସମବାୟ ବିପଣନ ଉନ୍ନୟନ ମହାସଂଘ କିମ୍ବା ଚଣ୍ଡୀଗଡ଼ର କଳାଗ୍ରାମ ଭଳି ଚିତ୍ରକଳାକୁ ପ୍ରୋତ୍ସାହିତ କରୁଥିବା ସଂସ୍ଥା ତାଙ୍କୁ ଚିତ୍ରକଳା ପ୍ରଦର୍ଶନ ପାଇଁ ଡାକନ୍ତି । ସରକାରଙ୍କ ଦ୍ଵାରା ପରିଚାଳିତ ନୂଆଦିଲ୍ଲୀର ଶିଳ୍ପକଳା ସଂଗ୍ରହାଳୟରେ ଆୟୋଜିତ ପ୍ରଦର୍ଶନୀ ମଧ୍ୟ ତାଙ୍କ ଚିତ୍ରକଳା ବିକ୍ରି କରିବାର ଆଉ ଏକ କ୍ଷେତ୍ର । ମିଥଲେଶ କହନ୍ତି, ହେଲେ ଏଭଳି ସୁଯୋଗ ବାରମ୍ବାର ମିଳେନାହିଁ ଏବଂ ସେମାନେ ନିଶ୍ଚିତ ବିକ୍ରିର ଭରସା ଦିଅନ୍ତି ନାହିଁ । ୨୦୧୩ ମସିହାରେ ମାତ୍ର ଥରଟିଏ ପାଇଁ ସେ ଶିଳ୍ପକଳା ସଂଗ୍ରହାଳୟରେ ତାଙ୍କ ଚିତ୍ରକଳା ପ୍ରଦର୍ଶନ ଓ ବିକ୍ରି କରିବାକୁ ନିମନ୍ତ୍ରଣ ପାଇଥିଲେ । ବିଗତ ଦିନକୁ ମନେ ପକାଇ ସେ କହନ୍ତି, “କେତେକ କ୍ଷେତ୍ରରେ ଏମିତି ବି ହୋଇଛି ଯେ ପୂରା ମାସେ କାଳ ଏକ ପ୍ରଦର୍ଶନୀରେ ବସି ରହି ମୁଁ ମାତ୍ର ଗୋଟିଏ ଚିତ୍ରକଳା ବିକିଛି ।” ୨୦୧୮ରେ ଦିଲ୍ଲୀର ଏକ ଦାମୀ ହୋଟେଲରେ ସେ ୫x୪.୫ ଆକାରର ତାଙ୍କର ସବୁଠାରୁ ବଡ଼ ଚିତ୍ରକଳାକୁ ଜଣେ ଘରୋଇ ପୃଷ୍ଠପୋଷକଙ୍କୁ ବିକ୍ରି କରିଥିଲେ । କାନ୍‌ଭାସ୍‌ରେ ସେହି ଚିତ୍ରକଳାକୁ ସାରିବା ଲାଗି ତାଙ୍କୁ ପ୍ରାୟ ଏକ ମାସ ସମୟ ଲାଗିଥିଲା ।

କେତେକ ମାସରେ, ମିଥଲେଶ ତାଙ୍କ ଚିତ୍ରକଳାରୁ ୧୫,୦୦୦ରୁ ୨୦,୦୦୦ ଯାଏ ରୋଜଗାର କରନ୍ତି । ଏହି ରାଶିର ଦୁଇ ଗୁଣ ଆୟ ହେଲେ ତାହା ଭଲ ମାସ ବୋଲି ପରିଗଣିତ ହୁଏ । ତାଙ୍କ ରୋଜଗାରର ଅଧିକାଂଶ ଭାଗ ଘର ଖର୍ଚ୍ଚ ଏବଂ ରୋଟରିଂ ପେନ୍‌, କାଳି, ଆକ୍ରିଲିକ୍‌ ଏବଂ ଫାବ୍ରିକ୍‌ ରଙ୍ଗ, ତୂଳୀ, କାଗଜ ଓ କାନ୍‌ଭାସ ଭଳି ଚିତ୍ରକଳା ପାଇଁ ଆବଶ୍ୟକ ଉପକରଣରେ ଖର୍ଚ୍ଚ ହୁଏ।

An intricate pattern of dots, dashes and curves fill the larger shapes in a Gond painting.'It takes me two to three days to complete each artwork', Mithlesh says
PHOTO • Mithlesh Kumar Shyam
An intricate pattern of dots, dashes and curves fill the larger shapes in a Gond painting.'It takes me two to three days to complete each artwork', Mithlesh says
PHOTO • Mithlesh Kumar Shyam

ଗୋଣ୍ଡ ଚିତ୍ରକଳାରେ ଏକ ବୃହତ୍‌ ଆକୃତିକୁ ବିନ୍ଦୁ, କ୍ଷୁଦ୍ର ରେଖା ଓ ବକ୍ରରେଖାର ଏକ ସଂରଚନାରେ ଭରିଦିଆଯାଏ, ମିଥଲେଶ କହନ୍ତି, ‘ପ୍ରତିଟି ଚିତ୍ରକଳାକୁ ସଂପୂର୍ଣ୍ଣ କରିବା ଲାଗି ମୋତେ ଦୁଇରୁ ତିନି ଦିନ ଲାଗେ’

ହେଲେ, ମିଥଲେଶ ଓ ପାଟନଗଡ଼ର ଅନ୍ୟ ଚିତ୍ରଶିଳ୍ପୀମାନଙ୍କ ପାଇଁ କଳାରେ ବ୍ୟବହୃତ ସାମଗ୍ରୀ ପାଇବା କଷ୍ଟକର ହୋଇଥାଏ। ପୂର୍ବ ମଧ୍ୟ ପ୍ରଦେଶର ଡିଣ୍ଡୋରି ଜିଲ୍ଲା ଅନ୍ତର୍ଗତ କରଞ୍ଜିୟା ବ୍ଲକ୍‌ରେ ଅବସ୍ଥିତ ତାଙ୍କ ଗାଁକୁ ଯୋଗାଯୋଗ ବ୍ୟବସ୍ଥା ଭଲ ନୁହେଁ (୨୦୧୧ ଜନଗଣନା ଅନୁସାରେ ଏହା ପାଟନଗଡ଼ ମଲ୍‌ ରୂପେ ତାଲିକାଭୁକ୍ତ)। ଏଠାରୁ ପ୍ରାୟ ୫୦୦ କିଲୋମିଟର ଦୂର ଭୋପାଳ ଯିବାକୁ ହେଲେ ପ୍ରଥମେ ଜବଲପୁର ଯାଏ ବସ୍‌ରେ ୪-୫ ଘଣ୍ଟା ଯିବାକୁ ହୁଏ ଏବଂ ତା ପରେ ସେଠାରୁ ୭-୮ ଘଣ୍ଟା ଯାତ୍ରା କରିବା ପରେ ଭୋପାଳରେ ପହଞ୍ଚି ହୁଏ । ମିଥଲେଶ କହନ୍ତି ଯେ, ହେଲେ କିଛି ମାସ ହେଲା ତାଙ୍କ ଗାଁରୁ ପ୍ରାୟ ୨୦୦ କିଲୋମିଟର ଦୂର ଜବଲପୁରରେ ଚିତ୍ରକଳା ପାଇଁ ଆବଶ୍ୟକ ସାମଗ୍ରୀ ଉପଲବ୍‌ଧ ହେଉଛି ।

ଖରାପ ରାସ୍ତା ଏବଂ ଅନିୟମିତ ପରିବହନ ବ୍ୟବସ୍ଥା ଯୋଗୁଁ ବିଭିନ୍ନ ପ୍ରଦର୍ଶନୀ ଏବଂ ସମାରୋହରେ ଭାଗ ନେବା ପାଇଁ ସହରକୁ ଯିବା ପାଟଣଗଡ଼ର ଚିତ୍ରଶିଳ୍ପୀମାନଙ୍କ ପାଇଁ କଷ୍ଟକର ବ୍ୟାପାର, ଏବଂ ଏଥିପାଇଁ ଅନେକ ଭୋପାଳକୁ ପଳାଇଛନ୍ତି । ଯେଉଁମାନେ ପାଟନଗଡ଼ରେ ଅଛନ୍ତି, ସେମାନେ ସାଧାରଣତଃ ଚିତ୍ରକଳା ସହିତ ଚାଷବାସ କରନ୍ତି କିମ୍ବା କୃଷି ଶ୍ରମିକ ଭାବେ କାମ କରନ୍ତି । ଅଳ୍ପ କେତେଜଣ, ଚିତ୍ରକଳାରୁ ହେଉଥିବା ରୋଜଗାର ବଢ଼ାଇବା ଲାଗି ଛୋଟମୋଟ ବ୍ୟବସାୟ କରନ୍ତି । ମିଥଲେଶ ଜଣେ ପୂର୍ଣ୍ଣକାଳୀନ ଚିତ୍ରଶିଳ୍ପୀ । ତାଙ୍କ ପରିବାରର ଚାରି ଏକର ଜମିରେ ଧାନ, ସୋୟାବିନ୍‌ ଓ ଅନ୍ୟାନ୍ୟ ଫସଲ କରିବା ଲାଗି ସେମାନେ ଜଣେ ଚାଷୀଙ୍କୁ ଲିଜ୍‌ରେ ଦେଇଛନ୍ତି ଏବଂ ଏଥିରୁ ଯାହା ଅମଳ ହୁଏ ତା’ର ଅଧା ସେମାନଙ୍କୁ ମିଳିଥାଏ ।

କିଛି ବର୍ଷ ତଳେ ରାଜ୍ୟ ସରକାରଙ୍କ ଏକ ଯୋଜନାରେ ତାଙ୍କ ମା’ଙ୍କୁ ମିଳିଥିବା ପକ୍କା ଘରେ ମିଥଲେଶ ରହୁଛନ୍ତି । ସ୍ତ୍ରୀ ରୋଶନି, ସେମାନଙ୍କର ଚାରି ବର୍ଷର ଝିଅ, ତାଙ୍କ ମାଆ ଏବଂ ଜେଜେବାପାଙ୍କ ସହିତ ସେ ସେଠାରେ ରହନ୍ତି । ଗୋଣ୍ଡ ବିଟ୍ଟି ଚିତ୍ରରେ ସଜ୍ଜିତ ତାଙ୍କ ପରିବାରର ମାଟି ଘରଟି, ତାଙ୍କ କହିବା ଅନୁସାରେ ଅତି କମ୍‌ରେ ୬୦ ବର୍ଷ ପୁରୁଣା । କିନ୍ତୁ ଏହା ଏବେ ବି ଭଲ ସ୍ଥିତିରେ ରହିଛି । ସେ କହନ୍ତି, “ଦିନେ ଏହାକୁ ମୁଁ ଏକ ସଂଗ୍ରହାଳୟରେ ପରିଣତ କରିବି ବୋଲି ଆଶା ରଖିଛି ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Anne Pinto-Rodrigues

ଆନି ପିଣ୍ଟୋ-ରୋଡ୍ରିଗ୍‌ସ ନେଦରଲାଣ୍ଡସରେ ରହୁଥିବା ଜଣେ ଲେଖକ ଓ ଫଟୋଗ୍ରାଫର । ତାଙ୍କ କୃତିକୁ www.annepintorodrigues.comରେ ଦେଖିହେବ ।

Other stories by Anne Pinto-Rodrigues