ଶ୍ରୀନଗରର ଲାଲ୍‌ ଚୌକ୍‌ରେ ଥିବା ତାଙ୍କ ଦୋକାନରେ ନିଆଜ୍‌ ଅହମଦ୍‌ କହିଲେ, “କିଛି ବର୍ଷ ତଳେ ଏହା ସଂପୂର୍ଣ୍ଣ ଭିନ୍ନ ଥିଲା”। ପଶ୍ମିନା ଶାଲର ଚାହିଦା ଖୁବ୍‌ ଅଧିକ ଥିଲା, ଏବଂ ସାରା ଭାରତରେ ତଥା ବିଦେଶରେ ଏହି ଶାଲ୍‌ ବିକି ନିଆଜ୍‌ ଓ ଅନ୍ୟ ଦୋକାନ ମାଲିକମାନେ ବେଶ୍‌ ଲାଭ କରୁଥିଲେ |

ଏ କଥା ୨୦୧୬ ଫେବ୍ରୁଆରୀର, ଯେତେବେଳେ ମୁଁ ଚାଙ୍ଗ୍‌ଥାଙ୍ଗ୍‌ର ଛେଳିରୁ ଆରମ୍ଭ କରି ଖୁଚୁରା ଦୋକାନ ଯାଏ ପଶ୍ମିନା ଶାଲ୍‌ର ସନ୍ଧାନ ନେବା ଆରମ୍ଭ କଲି; ଭାରତ ଓ ମଧ୍ୟ ଏସିଆକୁ ସଂଯୋଗ କରୁଥିବା ପ୍ରାଚୀନ ଭାରତୀୟ ବାଣିଜ୍ୟ ପଥ ସମୂହର ଇତିହାସ ଜାଣିବାରେ ମୁଁ ଆଗ୍ରହୀ । ଏହି ବାଣିଜ୍ୟ ପଥରେ ପଶ୍ମିନା ଓ ରେଶମ ଥିଲା ବେଶ୍‌ ମୂଲ୍ୟବାନ ସାମଗ୍ରୀ ।

ଭାରତ-ଚୀନ୍‌ ସୀମା ନିକଟବର୍ତ୍ତୀ ପୂର୍ବ ଲଦାଖରେ, ପଶ୍ଚିମକୁ ସଂପ୍ରସାରିତ ତିବ୍ବତୀୟ ମାଳଭୂମିର ଚାଙ୍ଗ୍‌ଥାଙ୍ଗ ଅଞ୍ଚଳରେ ଯାଯାବର ସଂପ୍ରଦାୟର ପଶୁପାଳକ ଚାଙ୍ଗ୍‌ପାମାନେ ଚାଙ୍ଗ୍‌ଥାଙ୍ଗି ଛେଳି ପାଳନ କରନ୍ତି। ପ୍ରାୟ ୪,୦୦୦ରୁ ୫,୦୦୦ ମିଟର ଉଚ୍ଚ ଏହି ପାର୍ବତ୍ୟାଞ୍ଚଳରେ ବସବାସ କରିବା ଖୁବ୍‌ କଷ୍ଟକର। ମେଣ୍ଢା, ପଶ୍ମିନା ଛେଳି ଏବଂ ଅଳ୍ପ କେତେକ ଚମରୀ ଗାଈଙ୍କ ଭଳି ସେମାନଙ୍କ ପାଳିତ ପଶୁମାନଙ୍କ ପାଇଁ ଚାରଣଭୂମିର ସନ୍ଧାନ ଏବଂ ସେପ୍ଟେମ୍ବର ଶେଷଭାଗରୁ ମେ ମାସ ପର୍ଯ୍ୟନ୍ତ ସୁଦୀର୍ଘ ଶୀତଋତୁ ଯୋଗୁଁ ଏଠାରେ ଜୀବନଯାପନ କରିବା କଷ୍ଟକର । ଜାଳେଣି ସଂଗ୍ରହ, ଶିଶୁମାନଙ୍କ ଯତ୍ନ, ରୋଷେଇ, ପଶ୍ମିନା ସୂତା ବୁଣା ଭଳି କାର୍ଯ୍ୟ ସହ ଦିନଗୁଡ଼ିକ ଲମ୍ବି ଯାଏ ।

ପ୍ରତି ଚାଙ୍ଗ୍‌ପା ପରିବାର ପାଖରେ ଅତି କମ୍‌ରେ ୮୦-୧୦୦ଟି ପାଳିତ ପଶୁ ଥାଆନ୍ତି, ଅନେକଙ୍କ ପାଖରେ ୧୦୦-୧୫୦ଟି  ଏବଂ କେତେକଙ୍କ ପାଖରେ ୩୦୦ରୁ ଅଧିକ ପଶୁ ବି ଥାଆନ୍ତି । ସାଧାରଣତଃ ଛେଳି ଓ ମେଣ୍ଢାଙ୍କ ସଂଖ୍ୟା ସମାନ ଥାଏ । ଗୋଟିଏ ପରିବାର ଗୋଟିଏ ଚାଙ୍ଗ୍‌ଥାଙ୍ଗି ଛେଳିରୁ ବର୍ଷକୁ ପ୍ରାୟ ୨୦୦-୩୦୦ ଗ୍ରାମ୍‌ ଅଶୋଧିତ ପଶ୍ମିନା ପାଇପାରେ ।

୨୦୧୬ ମାର୍ଚ୍ଚ ମାସର ଏକ ଶୀତୁଆ ସକାଳରେ, ହାନ୍‌ଲେ ଏବଂ ଚୁମୁର ସହର ମଧ୍ୟବର୍ତ୍ତୀ ଦକ୍ଷିଣପୂର୍ବ ଚାଙ୍ଗ୍‌ଥାଙ୍ଗ୍‌ରେ ପଶୁପଲ ନେଇ ଯାଉଥିବା ବେନ୍‌ସନ୍‌ ସେରିଂଙ୍କ ସହ ମୋର ଦେଖା ହେଲା। ସେ ମୋତେ କହିଲେ ଯେ,ସରକାରଙ୍କ ଦ୍ୱାରା ପରିଚାଳିତ ଲଦାଖ ହିଲ୍‌ ଡେଭଲପ୍‌ମେଣ୍ଟ୍‌ କାଉନ୍‌ସିଲ ସହ ଅନୁବନ୍ଧିତ ଲେହର ଅଲ୍‌ ଚାଙ୍ଗ୍‌ଥାଙ୍ଗ୍‌ ପଶ୍ମିନା ଗ୍ରୋଅର୍‌ସ କୋଅପରେଟିଭ୍‌ ମାର୍କେଟିଂ ସୋସାଇଟି ନାମକ ସମବାୟ ସମିତି ଏକ ସ୍ଥିରୀକୃତ ଦରରେ ସିଧାସଳଖ ପଶୁପାଳକମାନଙ୍କଠାରୁ ଅଶୋଧିତ ପଶ୍ମିନା କିଣିଥାଏ। ଅତୀତରେ ମଧ୍ୟସ୍ଥମାନେ ପ୍ରାୟତଃ ଉଚିତ ଦର ଦେଉ ନଥିଲେ। ଏବେ ସମବାୟ ସମିତି ଏକ କିଲୋ ଅଶୋଧିତ ପଶ୍ମିନା ପିଛା ୨,୫୦୦ରୁ ୨,୭୦୦ ଟଙ୍କା ଦେଉଛି। ଚାହିଦା କମିବା କାରଣରୁ ଗତ ୪-୫ ବର୍ଷ ହେଲା ଏହାର ଦର ସେତେ ବେଶୀ ବଢ଼ିନାହିଁ । ପଞ୍ଜାବ ଓ ଅନ୍ୟ ରାଜ୍ୟରୁ ବଜାରକୁ ଆସୁଥିବା ଅଣ-ପଶ୍ମିନା ଶାଲ୍‌ ଓ ଉଲ୍‌ ପୋଷାକପତ୍ର ମଧ୍ୟ ଏହି କାରବାରକୁ ପ୍ରଭାବିତ କରିଛି ।

ହାନ୍‌ଲେରୁ ପ୍ରାୟ ୪୦ କିଲୋମିଟର ଦୂରରେ ମୁଁ ପେମା ଚୋକେଟଙ୍କୁ ମଧ୍ୟ ଭେଟିଲି । ପେମାଙ୍କ ଛ’ ଜଣ ସନ୍ତାନଙ୍କ ମଧ୍ୟରୁ କେବଳ ୨୩ ବର୍ଷୀୟା ବଡ଼ ଝିଅ ଡେଚେନ୍‌ ପରିବାରର ଜୀବନଯାପନ ଧାରା ଜାରି ରଖିବାକୁ ଚାହାଁନ୍ତି । ପେମା କହିଲେ, “ସେ ହିଁ ଆମର ପଥ ପ୍ରଦର୍ଶକ।” ଗୃହପାଳିତ ପ୍ରାଣୀ ଏବଂ ପଶୁପାଳକ ଜୀବନକୁ ସେ ଖୁବ୍‌ ଭଲ ପାଏ ।

 Changthangi goats
PHOTO • Prabir Mitra

କିନ୍ତୁ ଅନେକ ଚାଙ୍ଗ୍‌ପା ସେମାନଙ୍କ ତମ୍ବୁ ଓ ପଶୁଧନକୁ ଧୀରେ ଧୀରେ ବିକିବାରେ ଲାଗିଛନ୍ତି ଏବଂ ଅନ୍ୟ ଜୀବିକା ଅବଲମ୍ବନ ପାଇଁ ଲେହକୁ ଚାଲିଯାଉଛନ୍ତି। ପେମାଙ୍କ ବଡ଼ପୁଅ ଜଣେ ଟ୍ରକ୍‌ ଡ୍ରାଇଭର, ଆଉ ଜଣେ ପୁଅ ରାସ୍ତା ନିର୍ମାଣସ୍ଥଳୀରେ ଭାରବାହକ, ଜଣେ ଝିଅ ଲେହର ଏକ ଅଫିସ୍‌ରେ କାମ କରନ୍ତି। ସେ କହନ୍ତି, “ସହରରେ ରହୁଥିବା ତାଙ୍କ ପରିବାରର ସବୁ ସଦସ୍ୟ ସହଜରେ ଜୀବନଯାପନ କରନ୍ତି।”

ଲେହ ରେ, କିଲୋ ପ୍ରତି ୮,୦୦୦-୯,୦୦୦ଟଙ୍କା, ଏମିତିକି ଚାହିଦା ଓ ଗୁଣମାନ ଉପରେ ନିର୍ଭର କରି ବେଳେବେଳେ ୨୦,୦୦୦ ଟଙ୍କା ଦରରେ ସମବାୟ ସମିତିରୁ ଅଶୋଧିତ ପଶ୍ମିନା କିଣୁଥିବା କାଶ୍ମୀରର କେତେକ ବ୍ୟବସାୟୀଙ୍କୁ ମୁଁ ଭେଟିଲି। ପଶ୍ମିନା ଗୁଚ୍ଛ ଯେତେ ଲମ୍ବା ହୋଇଥିବ ଏବଂ ଗୋଲେଇ ଯେତେ ଛୋଟ ହୋଇଥିବ ଗୁଣମାନ ସେତେ ଭଲ। ପୂର୍ବ ଲଦାଖର ପଶ୍ମିନା ସର୍ବୋତ୍ତମ ମଧ୍ୟରେ ଅନ୍ୟତମ ବୋଲି ସେମାନେ ମତେ କହିଲେ ।

ଲେହ ରେ ମୁଁ ଷ୍ଟାନ୍‌ଜିନ୍‌ ଡୋଲ୍‌ମାଙ୍କୁ ମଧ୍ୟ ଭେଟିଲି। ସେ ହାତବୁଣା କାମ ବନ୍ଦ କରିଦେଇଥିଲେ। ଦୀର୍ଘଶ୍ୱାସ ଛାଡ଼ି ସେ କହିଲେ, “ବିଦ୍ୟୁତଚାଳିତ କଳତନ୍ତ (ଯାହାକି ଘୂରାଇବା ମେସିନ୍‌) ଯୋଗୁଁ ଆମ କାମ ଧୀରେ ଧୀରେ ବନ୍ଦ ହେବା ଉପରେ।” ମେସିନ୍‌ ସହ ତାଳ ଦେଲା ଭଳି ଗତିରେ ତାଙ୍କ ହାତ କାମ କରୁନାହିଁ ବୋଲି ସେ ଅନୁଭବ କଲେ। ଅଶୋଧିତ ପଶ୍ମିନାକୁ ସୂତାରେ ପରିଣତ କରୁଥିବା ପାରମ୍ପରିକ ଅରଟ ଚକ (ସ୍ଥାନୀୟ ଭାଷାରେ ୟେଣ୍ଡର୍‌)କୁ ଏବେ ମେସିନ୍‌ ତନ୍ତ ସହିତ ପ୍ରତିଯୋଗିତା କରିବାକୁ ପଡୁଛି। ସ୍ୱଳ୍ପ ଖର୍ଚ୍ଚରେ କାମ ତୁଲାଇ ପାରୁଥିବା ଏହି ମେସିନ୍‌ ସେହି ସବୁ ପରିବାର ପାଖରେ ଅଛି। ଯେଉଁମାନେ ଏହାକୁ କିଣିପାରୁଛନ୍ତି। ପୁରୁଣା ଶ୍ରୀନଗରର ଅଣ ଓସାରିଆ ଗଳିରେ (ମୁଖ୍ୟତଃ ନୱହାତା ଏବଂ ରୈନାୱାଡ଼ି ଅଞ୍ଚଳରେ) ଏହି ମେସିନ୍‌ଗୁଡ଼ିକ ଚାଲିବାର ଶବ୍ଦ ମୁଁ ନିୟମିତ ଶୁଣିପାରେ।

ଥରେ ବୁଣା କାମ ସରିବା ପରେ, ପଶ୍ମିନା ଶାଲ୍‌ଗୁଡ଼ିକୁ ଶ୍ରୀନଗରର କାରଖାନାଗୁଡ଼ିକରେ ହାତରେ ରଙ୍ଗ ଦିଆଯାଉଥିଲା। ରଞ୍ଜକମାନେ ପ୍ରତି ଶାଲ୍‌ ପିଛା ୧୫୦-୨୦୦ ଟଙ୍କା (ଅନ୍ୟ ଉଲ୍‌ ପୋଷାକରେ ରଙ୍ଗ ଦେଇ ମାସିକ ୧୫,୦୦୦-୨୦,୦୦୦ ଟଙ୍କା) ରୋଜଗାର କରୁଥିଲେ। କାରଖାନାରୁ ରଙ୍ଗ ଦିଆଯାଇଥିବା ଶାଲ୍‌ଗୁଡ଼ିକୁ ଧୋଇବା ପାଇଁ ଝେଲମ୍‌ ନଦୀପଠାକୁ ପଠାଇ ଦିଆଯାଉଥିଲା।

ଏହାପରେ, ସାଧାରଣତଃ ଶାଲ୍‌ଗୁଡ଼ିକୁ ହାତରେ ଡିଜାଇନ୍‌ କରାଯାଉଥିଲା। ଯେଉଁ କଳା କାରିଗରୀ ପିଢ଼ି ପରେ ପିଢ଼ି ଧରି ରହିଆସିଛି। ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରୁ ଶ୍ରୀନଗର ଜିଲ୍ଲାର ଗଣ୍ଡେରବାଲ ବ୍ଲକ୍‌ରେ ଏବଂ ବାରମୂଳା ଜିଲ୍ଲାର ବାନ୍ଦିପୋର ଓ ସୋପୋର ତହସିଲ୍‌ ଅଞ୍ଚଳରେ ପଶ୍ମିନା ଶାଲ୍‌ ଉପରେ ଛୁଞ୍ଚିକାମ କରିବା ହିଁ ବହୁ କାରିଗରଙ୍କ ଜୀବିକା ଅର୍ଜନର ପନ୍ଥା। ସେମାନେ ଉଲ୍‌ ସୂତା ବ୍ୟବହାର କରି ଜଟିଳ ଢାଞ୍ଚା ପ୍ରସ୍ତୁତ କରନ୍ତି। ଛୁଞ୍ଚିକାମରେ କ୍ୱଚିତ୍‌ ରେଶମ ସୂତା ବ୍ୟବହୃତ ହୁଏ ଏବଂ ଏଭଳି ଶାଲ୍‌ର ଦର ବି ଅଧିକ ହୋଇଥାଏ।

“ଆମେ ଦିନକୁ ୪-୫ ଘଣ୍ଟାରୁ ଅଧିକ କାମ କରିପାରୁନାହିଁ, ଏହା ଆମ ଆଖିକୁ କଷ୍ଟ ଦିଏ,” ଗଣ୍ଡେରବାଲ୍‌ରେ ମତେ ଏହା କହିଲେ ୫୦ରୁ ଅଧିକ ବର୍ଷ ବୟସ୍କ କାରିଗର ନାଜିର୍‌ ଅହମଦ। ଯେହେତୁ ଛୁଞ୍ଚିକାମ ଦିନ ସାରା କରିହେବ ନାହିଁ, ତେଣୁ ବହୁ କାରିଗର କୃଷି ଶ୍ରମିକ ଭାବେ ମଧ୍ୟ କାମ କରିଥାଆନ୍ତି। ଅହମଦ କହିଲେ ଯେ ଡିଜାଇନ୍‌ ଅନୁସାରେ, ପଶ୍ମିନା ଶାଲ୍‌ ପାଇକାରୀ ବିକ୍ରେତାଙ୍କ ନିକଟରୁ ସେ ଦିନକୁ ୨୦୦-୩୦୦ ଟଙ୍କା ରୋଜଗାର କରନ୍ତି। ସେ କହିଲେ, “ଏହା ଆମ ପାଇଁ ପ୍ରକୃତିଦତ୍ତ। ଆମେ କମ୍ପ୍ୟୁଟରକୁ ବି ଟପି ଯାଇପାରୁ...।”

ଏହା ପରେ ଛୁଞ୍ଚିକାମ ହୋଇଥିବା କିମ୍ବା ହାତ ତିଆରି ବ୍ଲକ୍‌ରେ ଛପା ହୋଇଥିବା ଶାଲ୍‌ଗୁଡ଼ିକୁ ଶ୍ରୀନଗରର ପାଇକାରୀ ବିକ୍ରେତାମାନଙ୍କ ନିକଟକୁ ନିଆଯାଏ। ସେମାନେ ଏହାକୁ ଶ୍ରୀନଗରର ଖୁଚୁରା ବିକ୍ରେତାଙ୍କୁ ବିକି ଦିଅନ୍ତି, ଭାରତ ଓ ବିଦେଶର ଅନ୍ୟାନ୍ୟ ସହରକୁ ମଧ୍ୟ ପଠାନ୍ତି ।

୨୦୧୮ ନଭେମ୍ବରରେ ମୁଁ ପୁଣି ଥରେ ନିଆଜ ଅହମଦ୍‌ଙ୍କୁ ତାଙ୍କ ଲାଲ ଚୌକ ଦୋକାନରେ ଦେଖା କରିଥିଲି। ସେ ମତେ କହିଲେ, “ଶାଲ୍‌ଗୁଡ଼ିକ ଯେତେ ଦୂରକୁ ଯାଏ ସେତେ ଅଧିକ ଦର ହୁଏ । ଅଧିକ ଡିଜାଇନ୍‌ (ଶାଲ ଉପରେ)ମାନେ ଅଧିକ ସମୟ ଏବଂ ଅଧିକ ମୂଲ୍ୟ । ସଂପୂର୍ଣ୍ଣ ଡିଜାଇନ୍‌ କରାଯାଇଥିବା ଗୋଟିଏ ଶାଲ୍‌ର ମୂଲ୍ୟ ୧ ଲକ୍ଷରୁ ୫-୬ ଲକ୍ଷ ଟଙ୍କା ହୋଇଥିବା ବେଳେ ସାଧା ଶାଲ୍‌ଗୁଡ଼ିକ ୧୦,୦୦୦ ଟଙ୍କା ଏବଂ ବର୍ଡର ଥିବା ଶାଲ୍‌ଗୁଡ଼ିକ ୩୦,୦୦୦-୪୦,୦୦୦ ଟଙ୍କା ମୂଲ୍ୟର ହୋଇପାରେ ।”

PHOTO • Prabir Mitra

ହାନ୍‌ଲେର ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୮୦କିଲୋମିଟର ଦୂର ଚାଙ୍ଗ୍‌ଥାଙ୍ଗରେ ଚାଙ୍ଗ୍‌ପା ପଶୁପାଳକମାନଙ୍କର ଏକ ପରିବାର- ଜାମ୍ପା ଚୋକେ, ସେରିଂ ଡୋଲ୍‌ମା ଏବଂ ସେମାନଙ୍କ ଝିଅ ସୋନମ ନିଡ଼ନ୍‌।

PHOTO • Prabir Mitra

ଦକ୍ଷିଣପୂର୍ବ ଚାଙ୍ଗ୍‌ଥାଙ୍ଗର ଦୁର୍ଗମ ଅଞ୍ଚଳରେ ଥିବା ଖୋଲା ଭୂମି, ବଡ଼ବଡ଼ ପଥରଖଣ୍ଡ ଏବଂ ତୀଖ ଗଡ଼ାଣିଆ ରାସ୍ତାରେ ତାଙ୍କ ଛେଳିଗୁଡ଼ିକୁ ଚରାଇବାକୁ ନେଉଛନ୍ତି ବେନ୍‌ସନ୍‌ ସେରିଂ। ଘାସ ମିଳିବା ଉପରେ ନିର୍ଭର କରି ଗୋଟିଏ ଦିନର ପଶୁଚାରଣ କାମ୬-୮ ଘଣ୍ଟାର ହୋଇଥାଏ। ଅଧିକାଂଶ ପଶୁପାଳକ ପରିବାର ପାଖରେ ପ୍ରାୟ ୧୦୦-୧୫୦ ପାଳିତ ପଶୁ ଥାଆନ୍ତି ଏବଂ ସମସ୍ତଙ୍କୁ ଗୋଟିଏ ସମୟରେ ଚରିବା ପାଇଁ ନିଆଯାଏ।

Dechen watches over a two-day old lamb as it clings to its mother in early spring, March 2016
PHOTO • Prabir Mitra
All the members of the pastoralist families take the utmost care to ensure that the newborns can survive in these harsh surroundings, and not succumb to steep drops in temperature, icy winds, or frost.
PHOTO • Prabir Mitra

ପ୍ରାକ୍‌ ବସନ୍ତରେ (ମାର୍ଚ୍ଚ, ୨୦୧୬) ଗୋଟିଏ ଦୁଇଦିନର ମେଣ୍ଢା ଛୁଆ ତା’ର ମାଆକୁ ଲାଗି ରହିଥିବା ବେଳେ ପେମା ଚୋକେଟ୍‌ଙ୍କ ଝିଅ ଡେଚେନ୍‌ ଚାହିଁ ରହିଛନ୍ତି। ଭୂତଳ ଗାତକୁ ପଥରରେ ଢାଙ୍କି ଏବଂ ଉଲ୍‌ ଓ କାଠ ଫ୍ରେମ୍‌ରେ ତିଆରି ଘୋଡ଼ଣି ଦେଇ ମେଣ୍ଢାଛୁଆ ପାଇଁ ସେ ଗୋଟିଏ ଉଷ୍ମ ଆଶ୍ରୟସ୍ଥଳୀ ତିଆରି କରନ୍ତି । ନବଜାତ ଛୁଆଟି ଯେମିତି ଏହି କଠିନ ପରିବେଶରେ ବଞ୍ଚିପାରିବ ଏବଂ ହଠାତ୍‌ ତାପମାନ ହ୍ରାସ ପାଇଲେ, ଥଣ୍ଡା ପବନ ଏବଂ ବରଫପାତରେ ପ୍ରାଣ ନ ହରାଇବ ସେ ଦିଗରେ ପଶୁପାଳକ ପରିବାରର ସମସ୍ତେ ଅତି ଯତ୍ନବାନ୍‌ ।

PHOTO • Prabir Mitra

ପ୍ରାୟ ସବୁଦିନ ଏବଂ ସମସ୍ତ ଋତୁରେ ଏଠାକାର ମହିଳାମାନେ ହାତରେ ପଶ୍ମିନା କାଟନ୍ତି ଏବଂ ବୁଣନ୍ତି

In Korzok village, Tsering Norzom and Sanoh Dolkar are unperturbed by the freezing winds blowing over the frozen Tso Moriri lake. They are busy making a carpet and sweater with wool from their own herd of goats and sheep
PHOTO • Prabir Mitra
Tsering Dondap and his wife Yama chat as she weaves a carpet on the bank of Pangong lake in Spangmik village, around 60 kilometres southeast of Tangste town
PHOTO • Prabir Mitra

ବାମ: କୋରଜୋକ୍‌ ଗାଁରେ ବରଫରେ ପରିଣତ ସୋ ମୋରିରି ହ୍ରଦ ଉପର ଦେଇ ବହିଯାଉଥିବା ଅତି ଥଣ୍ଡା ପବନରେ ବି ଅବିଚଳିତ ସେରିଙ୍ଗ ନୋର୍‌ଜୋମ ଏବଂ ସାନୋ ଡୋଲକର । ସେମାନେ ନିଜ ଛେଳି ଓ ମେଣ୍ଢାପଲରୁ ମିଳିଥିବା ଉଲ୍‌ରେ ଏକ ଗାଲିଚା ଏବଂ ସ୍ୱେଟର୍‌ ତିଆରିରେ ବ୍ୟସ୍ତ । ଡାହାଣ: ତାଗ୍‌ସ୍ତେ ସହରରୁ ପ୍ରାୟ ୬୦ କିଲୋମିଟର ଦୂର ସ୍ପାଙ୍ଗମିକ୍‌ ଗାଁରେ ଥିବା ପାଙ୍ଗଙ୍ଗ୍‌ ହ୍ରଦ କୂଳରେ ଗୋଟିଏ ଗାଲିଚା ବୁଣିବା ବେଳେ ୟାମାଙ୍କ ସହ ଗପସପ କରୁଛନ୍ତି ସେରିଂ ଡୋଣ୍ଡପ୍‌ ।

PHOTO • Prabir Mitra

ଘରପଛ ଅଗଣାରେ ଗୋଟିଏ ୟେଣ୍ଡର୍‌ ଏବଂ ଧାର୍‌ କରି ଆଣିଥିବା ଏକ ସୂତାକଟା ଯନ୍ତ୍ରରେ ସୂତା କାଟୁଛନ୍ତି ଷ୍ଟାନ୍‌ଜିନ୍‌ ଡୋଲ୍‌ମା ଏବଂ ତାଙ୍କ ଝିଅ । ଅଶୋଧିତ ପଶ୍ମିନାକୁ ସୂତାରେ ପରିଣତ କରିବା ଲାଗି ପାରମ୍ପରିକ ଅରଟ ଚକ ବ୍ୟବହାରକୁ ବହୁ ପରିବାର ପସନ୍ଦ କରନ୍ତି । ସେମାନେ ଏହା ସହିତ ଅଭ୍ୟସ୍ତ ଏବଂ ଏହା ମରାମତି କରିବା ସହଜ ।

PHOTO • Prabir Mitra

ଲେହର କେତେକ ଅଞ୍ଚଳରେ ଲଦାଖି ମହିଳା ଗୋଷ୍ଠୀ (ଚାଙ୍ଗ୍‌ପା ସଂପ୍ରଦାୟର ନୁହଁନ୍ତି) ସୂତାକଟା ଯନ୍ତ୍ର ରହିଥିବା ଛୋଟ କାରଖାନାଟିଏ ବସାଇଛନ୍ତି କିମ୍ବା ସେଥିରେ ନିଯୁକ୍ତି ପାଇଛନ୍ତି । ସେମାନେ କହନ୍ତି ଏହା ଦ୍ୱାରା କାମ ତ୍ୱରାନ୍ୱିତ ହୁଏ ଏବଂ ଲାଭ ଅଧିକ ହୁଏ ।

PHOTO • Prabir Mitra

ଲେହରେ, ସାଇମା ଦର କହନ୍ତି ଯେ ସେ ମେସିନ୍‌ରେ ବୁଣିବାକୁ ପସନ୍ଦ କରନ୍ତି କାରଣ ଏହା ଦ୍ୱାରା କାମ ଶୀଘ୍ର ହୁଏ ଏବଂ ତାଙ୍କ ଶିଶୁର ଯତ୍ନ ନେବାକୁ ସମୟ ମିଳେ। ତାଙ୍କ ସ୍ୱାମୀ ଶ୍ରୀନଗରର ଏକ ହୋଟେଲ୍‌ରେ କାମ କରନ୍ତି ।

Mohammed Sidiq Kotha and his son Irshad Ahmed Kotha have been hand-weaving pashmina shawls on the charka for decades. They that the speed of machine-woven shawls is hard to compete with
PHOTO • Prabir Mitra
Mohammed Sidiq Kotha and his son Irshad Ahmed Kotha have been hand-weaving pashmina shawls  on the charka for decades. They that the speed of machine-woven shawls is hard to compete with
PHOTO • Prabir Mitra

ବହୁ ଦଶନ୍ଧି ଧରି ହାତ ତନ୍ତରେ ବୁଣି ପଶ୍ମିନା ଶାଲ୍‌ କରୁଛନ୍ତି ମୋହମ୍ମଦ ସିଦିକ୍‌ କୋଠା ଏବଂ ତାଙ୍କ ପୁଅ ଇର୍‌ଶାଦ୍‌ ଅହମଦ କୋଠା। ସେମାନେ କହନ୍ତି ଯେ, ମେସିନ୍‌ ବୁଣା ଶାଲ୍‌ର ଗତି ସହ ତାଳ ଦେବା କଷ୍ଟକର ।

PHOTO • Prabir Mitra

ଶ୍ରୀନଗରର ନୱହତା ଅଞ୍ଚଳର ଏକ କାରଖାନାରେ ପାରମ୍ପରିକ ରଞ୍ଜକ କାମ କରନ୍ତି ସବ୍‌ଜାର ଅହମଦ ଏବଂ ଜୁବେର ୱାନି । ରାସାୟନିକ ଦ୍ରବ୍ୟରୁ ବାହାରୁଥିବା ନିଆଁ ଓ ଧୂଆଁ ସହ ସେମାନେ କାମ କରନ୍ତି, କିନ୍ତୁ କେବେ କେମିତି ସେମାନଙ୍କ ନିଯୁକ୍ତିଦାତା ସୁରକ୍ଷା ପୋଷାକପତ୍ର ଦେଇଥାଆନ୍ତି ।

Once ready, the pashmina shawls are washed on the banks of the Jhelum in several areas of Old Srinagar
PHOTO • Prabir Mitra
Once ready, the pashmina shawls are washed on the banks of the Jhelum in several areas of Old Srinagar
PHOTO • Prabir Mitra

ଥରେ ପ୍ରସ୍ତୁତ ହୋଇଗଲା ପରେ ପୁରୁଣା ଶ୍ରୀନଗରର ଝେଲମ ତଟବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ପଶ୍ମିନା ଶାଲ୍‌ଗୁଡ଼ିକ ଧୁଆ ହୁଏ ।

Shabir Butt, now in his mid-30s, learnt to make designs on pashmina shawls from his father, and has been in the trade since he was 15. Though the drawings are now computerised in many places, he prefers to continue drawing by hand.
PHOTO • Prabir Mitra
Hand-carved wooden blocks are used to make borders on pashmina shawls, and artisans like Bilal Maqsood in Old Srinagar take pride in transforming a plain cloth into an attractive shawl
PHOTO • Prabir Mitra

ବାମ:୩୦ରୁ ଅଧିକ ବର୍ଷର ଶବିର ବଟ୍ଟ୍‌ତାଙ୍କ ବାପାଙ୍କ ନିକଟରୁ ପଶ୍ମିନା ଶାଲ୍‌ ଡିଜାଇନ କରିବା ଶିଖିଥିଲେ ଏବଂ ୧୫ ବର୍ଷ ବୟସରୁ ହିଁ ସେ ଏହି ବ୍ୟବସାୟରେ ରହିଆସିଛନ୍ତି । ଯଦିଚ ଆଜିକାଲି ଅନେକ ସ୍ଥାନରେ କମ୍ପ୍ୟୁଟରରେ ଡିଜାଇନ୍‌ ଅଙ୍କନ କରାଯାଉଛି, ସେ କିନ୍ତୁ ହାତରେ ଆଙ୍କିବାକୁ ପସନ୍ଦ କରନ୍ତି । ଡାହାଣ: ପଶ୍ମିନା ଶାଲ୍‌ର ବର୍ଡର ତିଆରି କରିବାକୁ ହାତରେ ଖୋଦେଇ ହୋଇଥିବା କାଠ ବ୍ଲକ୍‌ଗୁଡ଼ିକ ବ୍ୟବହୃତ ହୁଏ ଏବଂ ପୁରୁଣା ଶ୍ରୀନଗରର ବିଲାଲ ମକ୍‌ସୁଦଙ୍କ ଭଳି କାରିଗର ଏକ ସାଧା କପଡ଼ାକୁ ଆକର୍ଷଣୀୟ ଶାଲ୍‌ର ରୂପ ଦେଇ ଗର୍ବ ଅନୁଭବ କରନ୍ତି ।

Nazir Ahmed, a master artisan, embroidering a pashmina shawl with his sui-dhaga  in Ganderbal.  A shawl fully covered with designs can take even up to 6-8 months, while a plain one with an ornate border might take a month at most.
PHOTO • Prabir Mitra
Niaz Ahmed, the owner of a pashmina shawls shop in Lal Chowk, Srinagar,  has been in pashmina trade for decades and says he has seen good times when the demand of pashmina was good as were his profits. Mashqoor Sheikh, now 44 has been in family’ pashmina business since his teens, and shifted from weaving to wholesale to try and earn more
PHOTO • Prabir Mitra

ବାମ: ଗଣ୍ଡେରବାଲ୍‌ରେ ଏକ ପଶ୍ମିନା ଶାଲ୍‌ ଉପରେ ଛୁଞ୍ଚିକାମ କରୁଛନ୍ତି ପୁରୁଖା କାରିଗର ନାଜିର୍‌ ଅହମଦ । ଗୋଟିଏ ଶାଲ୍‌କୁ ସଂପୂର୍ଣ୍ଣ ରୂପେ ଡିଜାଇନ୍‌ କରିବାକୁ ୬-୮ ମାସ ଲାଗିପାରେ, କିନ୍ତୁ ଅଳଙ୍କୃତ ବର୍ଡର ଥିବା ସାଧାରଣ ଶାଲ୍‌ ପାଇଁ ହୁଏତ ଅତି ବେଶୀରେ ଏକ ମାସ ଲାଗେ । ଡାହାଣ: ବହୁ ଦଶନ୍ଧି ଧରି ପଶ୍ମିନା ବ୍ୟବସାୟ କରୁଥିବା ଶ୍ରୀନଗର ଲାଲ ଚୌକ୍‌ର ପଶ୍ମିନା ଶାଲ୍‌ ଦୋକାନ ମାଲିକ ନିଆଜ ଅହମଦ କହନ୍ତି ଯେ, ସେ ଏଥିରେ ବେଶ୍‌ ଭଲ କାରବାରର ସମୟ ଦେଖିଛନ୍ତି, ଯେତେବେଳେ ପଶ୍ମିନାର ଚାହିଦା ଭଳି ତାଙ୍କର ଫାଇଦା ମଧ୍ୟ ଅଧିକ ଥିଲା । କିଶୋରାବସ୍ଥାରୁ ତାଙ୍କ ପରିବାରର ପଶ୍ମିନା ବ୍ୟବସାୟରେ ଥିବା ମଶକୁର୍‌ ଶେଖ୍‌ଙ୍କୁ ଏବେ ୪୪ ବର୍ଷ ଏବଂ ଅଧିକ ରୋଜଗାର ଲାଗି ପ୍ରୟାସ କରିବାକୁ ସେ ବୁଣାବୁଣି ଛାଡ଼ି ପାଇକାରୀ ବ୍ୟବସାୟକୁ ଆଦରି ନେଇଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Prabir Mitra

Prabir Mitra is a general physician and Fellow of The Royal College of Physicians, London, UK. He is an associate of the Royal Photographic Society and a documentary photographer with an interest in rural Indian cultural heritage.

Other stories by Prabir Mitra