ଯେତେବେଳେ ଜାନୁୟାରୀ ମାସର ଶେଷଆଡକୁ ଦୁଇମାସର ମଇଁଷି ଛୁଆ ମରିଗଲା, ସାରିକା ସାୱନ୍ତ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ । ମହସ୍ୱାଦ ସହରରେ ଥିବା ଏକ ପଶୁ କ୍ୟାମ୍ପରେ ଆମେ ତାଙ୍କୁ ଭେଟିବା ପରେ ସେ କହିଲେ, “ମୁଁ ଚିନ୍ତା କଲି କି ମକାରେ ଏକ ବଡ଼ ପୋକ ଥିଲା । ମଇଁଷିଛୁଆ ହୁଏତ ତାକୁ ଖାଇଦେଇଛି... ତେଣୁ ଗତକାଲିଠାରୁ ମଇଁଷି ଆଉ କ୍ଷୀର ଦେଉନାହିଁ ।’’

ସାରିକା ଏବଂ ତାଙ୍କର ସ୍ୱାମୀ ଅନୀଲ ସାୱନ୍ତ ଗତବର୍ଷ ପ୍ରାୟ ଦୀପାବଳୀ ବେଳକୁ ସେମାନଙ୍କର ଦୁଇଟି ଗାଈ ବିକ୍ରି କରିବାକୁ ବାଧ୍ୟ ହେବା ପରେ ଏହି କ୍ଷତି ଘଟିଲା। ଏହି ପରିବାର ନିକଟରେ ଏବେ ୪ଟି ଜର୍ସି ଗାଈ, ୩ଟି ମଇଁଷି ଏବଂ ଦୁଇଟି ବାଛୁରୀ ଅଛି । ସେମାନଙ୍କର ରୋଜଗାରର ମୁଖ୍ୟ ଉତ୍ସ ହେଲା କ୍ଷୀର । କିନ୍ତୁ, ସାରିକା କହିଲେ, “ ଗତ ଦୁଇବର୍ଷ ହେଲା ଭଲ ବର୍ଷା ହୋଇନାହିଁ । ଗାଁରେ ଥିବା କୂଅଗୁଡ଼ିକ ଶୁଖିଯିବା ପରେ ଆମେ ଦୀପାବଳୀ (ଅକ୍ଟୋବର-ନଭେମ୍ବର ୨୦୧୮)ଠାରୁ ଜଳସଙ୍କଟର ସାମ୍ନା କରୁଛୁ । ପଶୁଙ୍କ ପାଇଁ ଦାନା ନାହିଁ, ସବୁଜ ଘାସ ନାହିଁ, ଆମେ ଆମର ପଶୁମାନଙ୍କୁ କିଭଳି ଖୁଆଇଥାନ୍ତୁ? ଏବଂ ଋଣ ମଧ୍ୟ ବଢୁଥିଲା... ।’’

ମରୁଡ଼ିର ଚାପ ସହିନପାରି ୨୪ ବର୍ଷୀୟା ସାରିକା ଏବଂ  ଅନୀଲ (୩୨) ଯେଉଁମାନେ କି ମରାଠା ସଂପ୍ରଦାୟର ବାସିନ୍ଦା ସେମାନେ ହୱାଲଦରୱାଡିଠାରୁ ପ୍ରାୟ ୧୫ କିମି ଦୂର ମହସ୍ୱାଦରେ ଥିବା ପଶୁ କ୍ୟାମ୍ପକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି । ସେମାନଙ୍କର ଗାଁ ହୱାଲଦରୱାଡି ମହାରାଷ୍ଟ୍ରର ସତାରା ଜିଲ୍ଲାର ମାନ୍ ବ୍ଲକ୍‌ରେ ରହିଥିବା ବେଳେ ସେଠାରେ ୯୯୪ ଜଣ ଲୋକ ବସବାସ କରନ୍ତି ।

ଅକ୍ଟୋବର ୩୧, ୨୦୧୮ରେ ମହାରାଷ୍ଟ୍ରର ୨୬ଟି ଜିଲ୍ଲାର ୧୫୧ଟି ବ୍ଲକ୍‌ରେ ମରୁଡ଼ି ଘୋଷଣା କରାଗଲା । ସେଥିମଧ୍ୟରୁ ୧୧୨ଟି ବ୍ଲକ୍ ଗୁରୁତର ମରୁଡ଼ିର ସାମ୍ନା କରୁଛନ୍ତି । ମାନ୍ଦେଶ ଅଞ୍ଚଳର ସମସ୍ତ ବ୍ଲକ୍ – ସତାରା ଜିଲ୍ଲାର ମାନ୍ ଏବଂ ଖାତଭ ତାଲୁକା, ସାଙ୍ଗଲିର ଜାଟ, ଅଟପଦି ଏବଂ କାଭଥେମାହଙ୍କଲ ତାଲୁକା, ସୋଲାପୁରର ସାଙ୍ଗୋଲ ଏବଂ ମାଲସିରା ଏହି ତାଲିକାରେ ଥିଲେ । ମାନ ଦେଶୀ ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପଶୁ କ୍ୟାମ୍ପରେ ଏବେ ମାନ୍ଦେଶ ଅଞ୍ଚଳର ୬୪ଟି ଗ୍ରାମର ପ୍ରାୟ ୨,୫୦୦ ଲୋକ ସେମାନଙ୍କର ୮୦୦୦ରୁ ଉର୍ଦ୍ଧ୍ୱ ପଶୁଙ୍କୁ ନେଇ ରହୁଛନ୍ତି । (ଗୋଖାଦ୍ୟ ସନ୍ଧାନରେ ବିଚ୍ଛିନ୍ନ ପରିବାର ଏବଂ ଅନ୍ୟ ୮୦୦୦ଙ୍କ ସହ ଶେଷରେ ଚିମନାବାଇ ଖାଇବାକୁ ପାଇଲା ଦେଖନ୍ତୁ ।)

Anil Sawant working at the cattle camps
PHOTO • Binaifer Bharucha
Sarika Sawant working at the cattle camp
PHOTO • Binaifer Bharucha

‘କିଛି ଗୋଖାଦ୍ୟ ନାହିଁ, ସବୁଜ ଘାସ ନାହିଁ, ଆମେ କିଭଳି ଆମର ପଶୁଙ୍କୁ ଖୁଆଇବୁ?’ କ୍ୟାମ୍ପରେ ସାରିକା ଏହା କହିଲେ ଯେଉଁଠାରେ ସେ ଏବଂ ଅନୀଲ ଆଖୁଗଛକୁ ଗୋଖାଦ୍ୟ ଭାବେ ପାଇପାରିବେ ।

ଶିବପ୍ପା ଯିଏକି ସାରିକାଙ୍କ ଭାଇଙ୍କ ସହ ତାଙ୍କ ମାଲିକାନାରେ ଦିଘଞ୍ଚି ଗାଁରେ ଥିବା ଇଟା ଭାଟିରେ କାମ କରନ୍ତି ସେ ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି। କ୍ୟାମ୍ପରେ ୱାର୍ଡ ନଂ ୧୯ରେ ଥିବା ସେମାନଙ୍କର ତମ୍ବୁ ଏଠାକାର ଅନ୍ୟ ବହୁଜଣଙ୍କର  ବାସସ୍ଥାନ ଭଳି ନୁହେଁ । ତାହା ବହୁତ ଯତ୍ନର ସହ ତିଆରି ହୋଇଥିବା ବେଳେ ଅନ୍ୟ ତମ୍ବୁଗୁଡ଼ିକ ଅପେକ୍ଷା ଏଠାରେ ଅଧିକ ଜିନିଷପତ୍ର-ଗୋଟିଏ ଗ୍ୟାସ ଷ୍ଟୋଭ ଏବଂ ସିଲିଣ୍ଡର, ଏକ ମସଲା କୁଟା ଯାଉଥିବା ଖଲ, ଫୋଲ୍ଡିଂ ହେଉଥିବା ପ୍ଲାଷ୍ଟିକ୍ ସପ ଏବଂ ବେଡସିଟ୍ ରହିଛି । ସେମାନଙ୍କର ଛୋଟ କୁକୁର ଏହି ନୂଆ ‘ଘର’କୁ ତାର ସାଧ୍ୟମତେ ଜଗୁଛି ।

ସାୱନ୍ତମାନେ ନିଶ୍ଚିତ ଭାବେ କ୍ଷୁଦ୍ର ଚାଷୀ ନୁହନ୍ତି । କିନ୍ତୁ ଏହି ଭୟଙ୍କର ମରୁଡ଼ି ମହାରାଷ୍ଟ୍ରର ଅନେକ ଗାଁରେ ଥିବା ସବୁ ଲୋକଙ୍କୁ- କି ଧନୀ କି ଗରିବ, ଜମିଦାର ବା ଭୂମିହୀନ, ଦଳିତ ବା ଉଚ୍ଚଜାତିର ଲୋକ ସମସ୍ତଙ୍କୁ ଗୋଟିଏ ଅବସ୍ଥା ନିରାଶାଜନକ ସ୍ଥିତିକୁ ନେଇ ଆସିଛି ।

ସାୱନ୍ତଙ୍କ ଟେଣ୍ଟ ବାହାରେ ସେମାନଙ୍କର ଜର୍ସି ଗାଈ ଏବଂ ମଇଁଷିଗୁଡ଼ିକ ଗୋଟିଏ ଧାଡ଼ିରେ ସବୁଜ ରଙ୍ଗର ଜାଲ ଏବଂ ଶାଢି ଘୋଡାଯାଇଥିବା ଏକ ଛାତତଳେ ଛିଡ଼ା ହୋଇଛନ୍ତି। ସାରିକା ଗଣନା କଲେ, “ଏମାନେ କ୍ଷୀର ଦେଉଥିବା ପଶୁ । ତେଣୁ ସେମାନଙ୍କୁ ଅଧିକ ଖାଦ୍ୟ ଦରକାର । ଆମକୁ ମଧ୍ୟ ସେମାନଙ୍କୁ ସ୍ୱତନ୍ତ୍ର ମକା ଖାଦ୍ୟ ଦେବାକୁ ପଡ଼ିବ। ଏଠାକୁ ଆସିବା ପୂର୍ବରୁ ୧୨୦୦ ଟଙ୍କା ମୂଲ୍ୟର ଏକ ଗୋଖାଦ୍ୟ ବ୍ୟାଗ୍ ସପ୍ତାହେ ଯାଉନଥିଲା । ଗୋଟିଏ ବ୍ୟାଗ୍ ତେଲପିଡ଼ିଆ ୧୨୬୦ ଟଙ୍କା ପଡୁଛି । ମକା ଦାନା ପାଇଁ ଆଉ ୯୦୦ ଟଙ୍କା ଯାଉଛି । ଆମେ ୭୦୦୦ ଟଙ୍କାର ତେଲପିଡ଼ିଆକୁ (ଦୋକାନୀମାନଙ୍କଠାରୁ)ଧାରରେ ଆଣିଛୁ । ସେହି ଟଙ୍କାକୁ ଏବେ ମଧ୍ୟ ଦେବାର ଆବଶ୍ୟକତା ରହିଛି । ଏବଂ ମୁଁ ପାଣି ସଂପର୍କିତ ଖର୍ଚ୍ଚକୁ ହିସାବ କରିନାହିଁ ।’’

cattle camp
PHOTO • Binaifer Bharucha
Cattle camp
PHOTO • Binaifer Bharucha

ସାୱନ୍ତମାନେ ସେମାନଙ୍କର ୨ଟି ଗାଈକୁ ଗତବର୍ଷ ପ୍ରାୟ ଦୀପାବଳି ସମୟରେ ବିକ୍ରି କରିବାକୁ ବାଧ୍ୟ ହେଲେ। ଏବେ ଏହି ପରିବାରର ୪ଟି ଜର୍ସି ଗାଈ, ୩ଟି ମଇଁଷି ଏବଂ ୨ଟି ବାଛୁରୀ ରହିଛନ୍ତି ।

ଦୀପାବଳି ସମୟରେ ଦୁଇଟି ଗାଈକୁ ବିକ୍ରି କରିବା ପରେ ମଧ୍ୟ ସାରିକା ଏବଂ ଅନୀଲଙ୍କର କେବଳ ପଶୁଖାଦ୍ୟ ଓ ପାଣି ବାବଦକୁ ୭୦ ହଜାର ଟଙ୍କାର ଋଣ ରହିଛି । ସାରିକା ଆହୁରି କହିଲେ, “ଆମେ ବୁଲଧାନା ଅର୍ବାନ୍ ବ୍ୟାଙ୍କ୍‌ରୁ ୪୨ ହଜାର ଟଙ୍କାର ଋଣ ନେଇଛୁ, ଯାହାକୁ କି ୨ ବର୍ଷ ମଧ୍ୟରେ ପରିଶୋଧ କରିବାକୁ ପଡ଼ିବ। ଏଥିପାଇଁ ମାସିକ ୨,୨୨୨ ଟଙ୍କାର କିସ୍ତି ଦେବାକୁ ହେବ ।’’ “ଏହାଛଡ଼ା ଜଣେ ଘରୋଇ ମହାଜନଙ୍କଠାରୁ ମାସିକ ୩ ଟଙ୍କାର ସୁଧ ହାରରେ ୧୫ ହଜାର ଟଙ୍କା ଏବଂ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରୁ ମାସିକ ୨ଟଙ୍କା ସୁଧ ହାରରେ ୧୦, ୦୦୦ ଟଙ୍କାର ଋଣ ପଇଠ କରିବାକୁ ପଡ଼ିବ। ଏହି ଋଣର ବୋଝ ଆମର ମୁଣ୍ଡ ଉପରେ ରହିଛି ।’’

ପରିବାରର ରୋଜଗାର ବଢାଇବା ପାଇଁ ଅନୀଲ ଅତୀତରେ ବହୁ ଚାକିରି କରିବାକୁ ଉଦ୍ୟମ କରିଥିଲେ । ପୁନେର ଏକ ମୋଟର ପାର୍ଟସ କଂପାନିରେ ୩-୪ ବର୍ଷ ଧରି ସହାୟକ ଭାବେ କାମ କରିବାକୁ ସେ ତାଙ୍କର ବିଏ ପାଠପଢାକୁ ଅଧାରୁ ଛାଡ଼ିଦେଲେ । ପରେ ସେ ହୱାଲଦରୱାଡ଼ିକୁ ଫେରି ଆସିଲେ ଏବଂ ଆକୋଲାସ୍ଥିତ ଏକ କଂପାନିରୁ ଟଙ୍କା ନେଇ ଏକ କୁକୁଡ଼ାପାଳନ କେନ୍ଦ୍ର ଖୋଲିଲେ। କିନ୍ତୁ ଜଳସଙ୍କଟ ବୃଦ୍ଧି ଯୋଗୁ ସେହି ବ୍ୟବସାୟରେ ତିଷ୍ଠିବା କଷ୍ଟକର ହୋଇପଡ଼ିଛି। ତାଙ୍କର କୁକୁଡ଼ା ସଂଖ୍ୟା କମି ୩୫୦୦ ହୋଇଗଲା, ଏହାପରେ ଆହୁରି କମିଲା। ଏପ୍ରିଲ ମାସରେ ଅନୀଲ ବଳକା ଥିବା ଆଉ ସବୁ କୁକଡ଼ାଙ୍କୁ ବିକ୍ରି କରିଦେଲେ ଏବଂ ଏବେ ସେମାନଙ୍କର ସେଡକୁ ପରିଷ୍କାର କରୁଛନ୍ତି । ଏହି ବ୍ୟବସାୟ ପାଇଁ ସେ କରିଥିବା ୭ ଲକ୍ଷ ଟଙ୍କାର ଋଣରୁ ଆହୁରି ୧ ଲକ୍ଷ ଟଙ୍କା ଶୁଝିବାକୁ ବାକି ଅଛି ।

ସେ କହିଲେ, “ଦୀପାବଳୀ ପୂର୍ବରୁ କୌଣସି କୂଅରେ ପାଣିନଥିଲା ।’’ “ତେଣୁ ଆମକୁ ଟ୍ୟାଙ୍କର ଆଣିବାକୁ ପଡ଼ିଲା । ୫୦୦୦ ଲିଟର ଟ୍ୟାଙ୍କରକୁ ୧୨୦୦ ଟଙ୍କା ପଡ଼େ। ଆମେ କ୍ୟାମ୍ପକୁ ସିଫ୍ଟ ହେବା ପୂର୍ବରୁ ପ୍ରତି ସପ୍ତାହରେ ଆମକୁ ଦୁଇଟି ଟ୍ୟାଙ୍କର ଆବଶ୍ୟକ ପଡୁଥିଲା । ପଶୁ ଓ ପକ୍ଷୀ ଉଭୟଙ୍କୁ ପ୍ରଚୁର ପାଣି ଆବଶ୍ୟକ ହୋଇଥାଏ ।’’

ସାରିକା ମଧ୍ୟ କିଛି ରୋଜଗାର କରି ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରିବାକୁ ପ୍ରୟାସ କରିଥିଲେ । ସେ କହିଲେ “ଖୁବ୍ ଛୋଟ ବେଳୁ ମୋର ବିବାହ ହୋଇଯାଇଥିଲା । ମୁଁ ସେତେବେଳକୁ ମୋର ଶିକ୍ଷା ମଧ୍ୟ ସମାପ୍ତ କରିନଥିଲି । କିନ୍ତୁ ମୋର ସ୍ୱାମୀ ମୋତେ ସମର୍ଥନ କଲେ ଏବଂ ମୁଁ ଏଚ୍ଏସସି ଶିକ୍ଷା ସମାପ୍ତ କଲି । ମୁଁ କୌଣସି ଦକ୍ଷତା ବିକାଶ ପାଠ୍ୟକ୍ରମରେ ଯୋଗ ଦେଇ ଖଣ୍ଡେ ଚାକିରି କରିବାକୁ ଚାହୁଁଥିଲି, କିନ୍ତୁ ମୋର ପିଲାମାନେ ଖୁବ୍ ସାନ ଥିଲେ । ମୁଁ ସେମାନଙ୍କୁ ଛାଡ଼ି ବାହାରକୁ କାମ ପାଇଁ ଯାଇପାରିଲି ନାହିଁ ।’’ “ଏବଂ ମହସ୍ୱାଦକୁ ସିଧାସଳଖ ଭାବେ କୌଣସି ବସ୍ ସଂଯୋଗ ନାହିଁ। ଏହି ରାସ୍ତା ଧୂଳିପୂର୍ଣ୍ଣ ଯେଉଁଥିପାଇଁ ପ୍ରତିଦିନ ଏହି ରାସ୍ତାରେ ଯାଇ ଚାକିରି କରିବା କଷ୍ଟକର ।’


Sarika's new home at the cattle camp is in a poor state
PHOTO • Binaifer Bharucha
Sarika Sawant at the cattle camp
PHOTO • Binaifer Bharucha

ପଶୁକ୍ୟାମ୍ପରେ ସାୱନ୍ତଙ୍କର ନୂଆ ‘ଘର’: ‘ମରୁଡ଼ି ସମସ୍ତଙ୍କ ଜୀବନକୁ କଷ୍ଟକର କରିଦେଇଛି’

ଏବଂ ଦୁଇବର୍ଷ ଧରି ମରୁଡ଼ି ହେବାଯୋଗୁ ପରିବାରର ୧.୫ ଏକର ଚାଷଜମିକୁ ଏହ ଶୁଖିଲା କରିଦେଇଛି । ଅନୀଲ କହିଲେ, “ଯଦି ଭଲ ବର୍ଷା ହୁଏ, ଆମେ ୫-୬ କ୍ୱିଣ୍ଟାଲ ଯଅ ଓ ୮-୧୦ କ୍ୱିଣ୍ଟାଲ ବାଜରା ପାଇଥାଉ। ତେଣୁ ଆମକୁ ଏବଂ ଆମର ପଶୁମାନଙ୍କୁ ଖୋଇବା ପାଇଁ ଆମେ ଯଥେଷ୍ଟ ଶସ୍ୟ ପାଇଯାଉ।’’ “କିନ୍ତୁ ଆମେ ସଂପୂର୍ଣ୍ଣ ଚାଷ ଋତୁକୁ ହରାଇ ଦେଇଛୁ (ଜୁନ୍‌ରୁ ଅକ୍ଟୋବର ୨୦୧୮ ଯାଏ ଖରିଫ୍ ଋତୁକୁ) । ଆମେ କିଛି ଯଅ ବା ବାଜରା ପାଇନାହୁଁ । ଆମେ କେବଳ କିଛି ଗୋଖାଦ୍ୟ ପାଇଛୁ । ଏପରିକି ଆମେ ରବି ବୁଣା (ଅକ୍ଟୋବରରୁ –ମାର୍ଚ୍ଚ ଯାଏ) ବିଲକୁଲ କରିନାହୁଁ ।’’

ସାୱନ୍ତ ପରିବାର ସେମାନଙ୍କର ଗାଈ କ୍ଷୀରକୁ ମାନ୍ ବ୍ଲକ୍‌ରେ ପୁଲକୋଟି ଗାଁରେ ଥିବା ଏକ କ୍ଷୀର କେନ୍ଦ୍ରକୁ ବିକ୍ରି କରିଥାନ୍ତି । ସାରିକା କହିଲେ “ଆମେ ଦିନକୁ ୩-୪ ଲିଟର କ୍ଷୀର ପାଇଥାଉ ଏବଂ ସେଥିମଧ୍ୟରୁ କିଛିକୁ ଲିଟର ପିଛା ୨୩ ଟଙ୍କାରେ ବିକ୍ରି କରୁ (ବଳକା କ୍ଷୀରକୁ ଆମେ ନିଜେ ବ୍ୟବହାର କରିଥାଉ)।’’  “ମୋର ସ୍ୱାମୀ ମହାସ୍ୱାଦ ସହରରେ ମଇଁଷି କ୍ଷୀରକୁ ଲିଟର ପିଛା ୪୦ ଟଙ୍କାରେ ବିକ୍ରି କରିଥାନ୍ତି । ସବୁ ମିଶାଇ, ଆମେ ମାସକୁ ପ୍ରାୟ ୪୦୦୦ ଟଙ୍କା ପାଇଥାଉ (କ୍ଷୀରରୁ)। ସବୁ ପଶୁଙ୍କ ବାବଦରେ ମାସିକ ପ୍ରାୟ ୨୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏଠାରେ ମୁଖ୍ୟ ପ୍ରଶ୍ନ ହେଲା: କିଭଳି ଋଣ ଶୁଝିବୁ? ମୋ ଭାଇ ମୋର ଦୁଇଝିଅଙ୍କର ପାଠପଢା ଖର୍ଚ୍ଚ ବୁଝୁଛନ୍ତି । ତେଣୁ ଅତି କମ୍‌ରେ ସେ କଥା ବୁଝି ହୋଇଯାଉଛି ।’’

ସାରିକା ଏବଂ ଅନୀଲଙ୍କର ସାନଝିଅ ୪ ବର୍ଷୀୟା ସ୍ୱରା ସେମାନଙ୍କ ସହ କ୍ୟାମ୍ପରେ ଅଛନ୍ତି । ବଡ଼ ଦୁଇ ଝିଅ ତନିସ୍କା ଏବଂ ଶ୍ରଦ୍ଧା ନିକଟବର୍ତ୍ତୀ ସାଙ୍ଗଲି ଜିଲ୍ଲାର ଅଟପଦି ବ୍ଲକ୍‌ର ଦିଘଞ୍ଚିରେ ଥିବା ଏକ ସ୍କୁଲରେ ପଢୁଛନ୍ତି, ସେଠାରେ ସେମାନେ ସାରିକାଙ୍କର ମା’ ଏବଂ ଭାଈଙ୍କ ସହ ରହୁଛନ୍ତି । ସାରିକା କହିଲେ, “ଆମର ତିନିଟି ଝିଅ ଅଛନ୍ତି, ତେଣୁ ମୋର ସ୍ୱାମୀ ସରକାରୀ ଚାକିରି ପାଇଁ ଉଦ୍ୟମ ମଧ୍ୟ କରିପାରିବେ ନାହିଁ ।’’ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଏକ ନିୟମ ଯାହା ଅନୁସାରେ ୨ରୁ ଅଧିକ ପିଲା ଥିବା କେହି ବ୍ୟକ୍ତି ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ, ସରକାରୀ ଯୋଜନାର ସୁବିଧା ପାଇପାରିବେ ନାହିଁ ଏବଂ ସ୍ଥାନୀୟ ସରକାରୀ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରିବେ ନାହିଁ ତାକୁ ଉଦ୍ଧାର କରି ସେ ଏହା କହିଲେ ।

“ଏସବୁ ମୁଖ୍ୟ ସମସ୍ୟା । କିନ୍ତୁ ମୁଁ କ୍ଷୀର ବ୍ୟବସାୟକୁ ପସନ୍ଦ କରେ । ମୋତେ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ ଏବଂ ପ୍ରତି ୧୦ ଦିନରେ ରୋଜଗାରର ସୁନିଶ୍ଚିତତା ଅଛି । ଏବଂ ଯେତେବେଳେ ଆପଣ ପଶୁମାନଙ୍କ ଗହଣରେ ଥିବେ ସେତେବେଳେ ସମୟ କିଭଳି ବିତିଯବ ତାହା ଜାଣିପାରିବେ ନାହିଁ... ।’’ ଏହାପରେ ସେ ନିରାଶାର ସହ ଆହୁରି କହିଲେ, “କିନ୍ତୁ ମରୁଡ଼ି ଆମର ଜୀବନକୁ ଦୁର୍ବିସହ କରି ପକାଇଛି ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

Other stories by Medha Kale