ଶାସ୍ତ୍ରୀଜୀ ରିକ୍ସାରେ ବସିଲା ବେଳେ ତାଙ୍କର ଲମ୍ବା ଲାଞ୍ଜ ଧରିପକାନ୍ତି, ଯାହାକି ଗୋଟିଏ ବାଉଁଶ ଚାରିପଟେ ଗୁଡ଼ା ହୋଇଥିବା ନଡ଼ାରୁ ତିଆରି ହୋଇଛି। ତାଙ୍କ ସହିତ ଅଛନ୍ତି ତାଙ୍କ ଦଳର ୧୯ ଜଣ ସାଥୀ, ସମସ୍ତେ ତିନୋଟି ଅଟୋରିସ୍କାରେ ବୋଝେଇ ହୋଇ ଯାଉଛନ୍ତି। ସେମାନେ ଅଯୋଧ୍ୟାରେ ବିଭିନ୍ନ ମଞ୍ଚରେ ଡିଆଁକୁଦା କରିବେ - ସମସ୍ତେ ସମ୍ପୂର୍ଣ୍ଣ ବେଶଭୂଷା ଓ ପରିପାଟିରେ ସଜ୍ଜିତ ହୋଇଛନ୍ତି। ସେମାନେ ସମସ୍ତେ ଜାଣନ୍ତି ବର୍ତ୍ତମାନର ସମୟ ହେଉଛି ସେମାନଙ୍କର ଉପାର୍ଜନର ସମୟ। ଏବେ ଦଶହରା ମାସ।

ବିନାୟକ ଶାସ୍ତ୍ରୀ ହନୁମାନଙ୍କ ଭୂମିକାରେ ଅଭିନୟ କରନ୍ତି। ସେ ହେଉଛନ୍ତି ରାମ କଥା ଗାୟକ ଦଳର ନିର୍ଦ୍ଦେଶକ- ପରିଚାଳକ। ଏହା ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ୬୦ବର୍ଷ ବୟସର ଶାସ୍ତ୍ରୀ ଯେତେବେଳେ ମଞ୍ଚକୁ ଆସିନଥିଲେ ଅଯୋଧ୍ୟାରେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସହର ଉପକଣ୍ଠରେ ତାଙ୍କ ପରିବାରର କିଛି ଚାଷଜମି ଅଛି ଏବଂ ସେ ଏହି ଜମିରୁ ଯାହା ଆୟ ହୁଏ ଗାୟକ ଦଳ ଚଳାଇବା ପାଇଁ ଖର୍ଚ୍ଚ କରନ୍ତି। ଦଶହରା ମାସରେ ଏହି ଦଳ ଅତି କମ୍‌ରେ ପ୍ରତିଦିନ ସନ୍ଧ୍ୟାରେ ସନ୍ଧ୍ୟା ୬ଟାରୁ ଭୋର୍ ୨ଟା ମଧ୍ୟରେ ତିନୋଟି ମଞ୍ଚରେ ପ୍ରଦର୍ଶନ କରନ୍ତି। ପ୍ରତିଟି ସୋ ୨ରୁ ୩ ଘଣ୍ଟାର ହୋଇଥାଏ। କିଛି ସପ୍ତାହ ପାଇଁ ଏମିତି ରାତି ସାରା କାମ କରିଥାନ୍ତି। ଜାନୁଆରୀ ଏବଂ ଫେବୃଆରୀର ଶୀତ ମାସଗୁଡ଼ିକରେ ସେମାନେ ସାଧାରଣତଃ ସପ୍ତାହରେ ୩ ଥର ପ୍ରଦର୍ଶନ କରିଥାନ୍ତି। ବାକି ବର୍ଷସାରା କୌଣସି କାମ ନ ଥାଏ କହିଲେ ଚଳେ।

ଶାସ୍ତ୍ରୀ ସ୍ଥାନୀୟ କ୍ଲବ୍ ବା ମୋହଲ୍ଲା କମିଟିଠାରୁ ସୋ ବୁକ୍‌ କରିବା ପାଇଁ ଅଗ୍ରୀମ ଭାବରେ ୩,୦୦୦ ଟଙ୍କା ଆଦାୟ କରିଥାନ୍ତି। କେହି କେହି ଆଉ ୨,୦୦୦- ୨,୫୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ସୋ’ ସରିଗଲା ପରେ କ୍ୱଚିତ ପୁରା ପାଉଣା ମିଳିଥାଏ। ଏହି ଦଳର ସଦସ୍ୟମାନଙ୍କୁ ରାତିକ ପାଇଁ ତାଙ୍କର ବରିଷ୍ଠତା ଆଧାରରେ ୨୦୦ରୁ ୩୦୦ ଟଙ୍କା ଦେଇଥାନ୍ତି। ଶାସ୍ତ୍ରୀ କିଛି ପଇସା ପରିବହନ ଏବଂ ବେଶଭୂଷା ଓ ପ୍ରୋବ୍‌ସ ପାଇଁ ପୈଠ କରିବାକୁ ବ୍ୟବହାର କରିଥାନ୍ତି। ଅଫ୍ ସିଜିନ୍‌ରେ ଏସବୁ ପ୍ୟାକ୍‌ କରିଥାନ୍ତି ଏବଂ ବଡ଼ ଧାତବ ଟ୍ରଙ୍କରେ ସ୍ଥାନୀୟ ଧର୍ମଶାଳାରେ ରଖାଯାଇଥାଏ।

ଅଯୋଧ୍ୟାର ରାମକଥା ପ୍ରଦର୍ଶନକାରୀ କେବେ କେବେ ଗୀତ ଗାଇଥାନ୍ତି ଏବଂ ଧୂଳି ଧୂସରିତ ଓ ଭଙ୍ଗା ଦଦରା ଅଡିଟୋରିୟମ୍‌ରେ ଅଭିନୟ କରିଥାନ୍ତି କିନ୍ତୁ ତାଙ୍କର ପ୍ରକୃତ ପ୍ଲାଟଫର୍ମ ହେଉଛି ପୁରୁଣା ମହଲ୍ଲାଗୁଡ଼ିକର ବଦଳୁଥିବା ମଞ୍ଚ ଯେଉଁଠାରେ ପୁରୁଣା ପରଦା, ରଙ୍ଗଛଡ଼ା ପ୍ରାକୃତିକ ଦୃଶ୍ୟର ବ୍ୟାକ୍‌ଡ୍ରପ୍‌ ରହିଥାଏ ଏବଂ ବେଳେ ବେଳେ ପାଉଡର ଉଡ଼ାଇ ଧୂଆଁ ସୃଷ୍ଟି କରାଯାଇଥାଏ।

ରାମକଥାର ବିଭିନ୍ନ ରଙ୍ଗ- ରାମାୟଣର କାହାଣୀ ଏବଂ ବିଷୟଗୁଡ଼ିକ ମହାଆଡମ୍ବରରେ ଉତ୍ସାହର ସହ ଗାଇ ଅଭିନୟ କରାଯାଇଥାଏ - ସମୟ କ୍ରମେ ଏସବୁ ବଦଳିଛି, ଅଯୋଧ୍ୟାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ବିନାୟକ ଶାସ୍ତ୍ରୀ ଜାଣନ୍ତି ଯେ ଏହି ପ୍ରଦର୍ଶନ ଏବେ ବଡ଼ ରାଜନୀତିର ଅଂଶ। ‘‘ରାମଙ୍କ ନାମ ଏବେ ସମସ୍ତଙ୍କର ନାମ ହୋଇଗଲାଣି’’ ସେ କହନ୍ତି ଏବେ ସମସ୍ତେ ରାମଙ୍କୁ ଖୋଜୁଛନ୍ତି। 

ଶାସ୍ତ୍ରୀଙ୍କ ଦଳର ସର୍ବକନିଷ୍ଠ ସଦସ୍ୟ ହେଉଛନ୍ତି ୧୨ ବର୍ଷର ବାଳକ ଅକ୍ଷୟ ପାଠକ ଯେ କି ଦଶ ବର୍ଷ ବୟସର ହେବା ଦିନଠାରୁ ସୀତା ଭୂମିକାରେ ଅଭିନୟ କରୁଛନ୍ତି। ସେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛନ୍ତି କିନ୍ତୁ ତାଙ୍କୁ ଦେଖିଲେ ମନେହୁଏ ଯେପରି ତୃତୀୟ ଶ୍ରେଣୀରେ ପଢ଼ୁଥିବେ। ତାଙ୍କର ପତଳା ନହକା ଶରୀରକୁ ଲକ୍ଷ୍ୟ କରି ଶାସ୍ତ୍ରୀ ଏହି ଭୂମିକା ଦେଇଛନ୍ତି। ଶାସ୍ତ୍ରୀ ତାଙ୍କର ବାପା ଉତ୍ତରପ୍ରଦେଶର ଫଇଜାବାଦ ତହସିଲ୍‌ର ପୁରୋହିତଙ୍କୁ ଜାଣନ୍ତି। ଶାସ୍ତ୍ରୀଙ୍କ ମତରେ ସୀତାଙ୍କୁ ପ୍ରଦର୍ଶନ ଶେଷରେ ଭୂମି ଭିତରକୁ ପ୍ରବେଶ କରିବାକୁ ପଡ଼େ ତେଣୁ ସୀତା ପତଳା ହେବା ଦରକାର।

Actors sitting in autorickshaws.
PHOTO • Joydip Mitra

ଦଶହରା ସମୟରେ, ବହୁତ କାମ ମିଳେ। ଅଭିନେତାମାନେ ଭଡ଼ା କରିଥିବା ଅଟୋରିକ୍ସାରେ ବସି ବୁଲି ବୁଲି ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରନ୍ତି। ଯିବା ଆସିବା କରିବା ସମୟରେ ମଧ୍ୟ ପୋଷାକ ପିନ୍ଧି ସମୟ ସଞ୍ଚୟ କରିଥାନ୍ତି

ସୁଦର୍ଶନ ଯୁବକ ବିଜୟ, ଯେକି ଜଣେ ଇଲେକ୍ଟ୍ରିସିଆନ୍ ଭାବେ କାମ କରନ୍ତି, ରାମଙ୍କ ଭୂମିକା ନିର୍ବାହ କରନ୍ତି। ବିଜୟଙ୍କର ବୟସ ପ୍ରାୟ ୨୪ ବର୍ଷ ଏବଂ ସେ ୨୦୧୩ ମସିହାରୁ ଏହି ଦଳରେ ଅଛନ୍ତି। ସେ ଅଯୋଧ୍ୟା ସହରରୁ ଆସିଛନ୍ତି। ସୁରେଶ ଚାନ୍ଦ ଯାହାର ବୟସ ୫୨ ବର୍ଷ ସେ ମଧ୍ୟ ଅଯୋଧ୍ୟାରୁ ଆସିଛନ୍ତି, ଉଭୟ ବାଲ୍ମିକୀ ଏବଂ ରାବଣଙ୍କ ଭୂମିକାରେ ଅଭିନୟ କରିଥାନ୍ତି। କିଛି ବର୍ଷ ତଳେ ସୁରେଶ ଅଯୋଧ୍ୟା ରେଳବାଇ ଷ୍ଟେସନ ନିକଟରେ ଏକ ଛୋଟିଆ କ୍ୟାବିନ୍‌ରେ ପାନବିଡ଼ି ବିକ୍ରି କରୁଥିଲେ, ଏବେ ରାମକଥା ହେଉଛି ତାଙ୍କର ଏକମାତ୍ର ଆୟର ଉତ୍ସ।

କଥା ଆରମ୍ଭ ହେବା ପୂର୍ବରୁ ଦୁଇ ଜଣ କିନ୍ନର - ଯେ କି ଡଲି ଏବଂ ଭାଟି ନାମରେ ଜଣାଶୁଣା - ମଞ୍ଚକୁ ଆସନ୍ତି ଏବଂ ଶ୍ରୀରାମଙ୍କର ଗୁଣଗାରିମା ଉଚ୍ଚ ସ୍ୱରରେ ଗାନ କରିଥାନ୍ତି। କାହାଳୀ, ଢ଼ୋଲ ଏବଂ ବଂଶିବାଦନ ସହିତ ତାଳ ଉଚ୍ଚକିତ ମାହୋଲ୍ ସୃଷ୍ଟି କରେ। ତାହା ପରେ ପରଦା ଉଠେ। ରାମ ଲକ୍ଷ୍ମଣ ସୀତା ଏକ ନଦୀ, ବଡ଼ ଜହ୍ନ ଓ ଏକ ନୀଳ ହରିଣ ଚିତ୍ର ଥିବା ବ୍ୟାକ୍‌ଡ୍ରପ୍‌ ସମ୍ମୁଖରେ ସୋଫାରେ ବସିଥିବାର ଦେଖାଯାଏ।

ଗଣପତି ତ୍ରିବେଦୀ, ବୟସ ୫୪ ବର୍ଷ ହେଉଛନ୍ତି ମୁଖ୍ୟ ଗାୟକ। ସେ ବାଲ୍ମିକୀ ରାମାୟଣର ପ୍ରଥମ ଶ୍ଳୋକ ପଢ଼ନ୍ତି। ସେ ବାରଣାସୀର ଏକ ଆଶ୍ରମରେ ବାସ କରନ୍ତି ଏବଂ ପ୍ରତି ବର୍ଷ ଦଶହରା ମାସରେ ବିନାୟକ ଶାସ୍ତ୍ରୀଙ୍କ ଦଳରେ ପ୍ରଦର୍ଶନ କରିବାକୁ ଆସିଥାନ୍ତି। ବାକି ବର୍ଷର ଅନ୍ୟ ସମୟରେ ସେ ଅନାଥ ଆଶ୍ରମର ପିଲାମାନଙ୍କୁ ଶ୍ଳୋକ ପାଠ ଶିଖାଇ ନିଜର ଜୀବିକା ଅର୍ଜନ କରନ୍ତି।

ମଞ୍ଚରେ ଜଳୁଥିବା ଏକ ଦୀପ ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ, ବେଳେ ବେଳେ ୨,୦୦୦ ପର୍ଯ୍ୟନ୍ତ ଦର୍ଶକ ଆସନ୍ତି। ମଞ୍ଚକୁ ଆସି ଦୀପର ଆଲୋକ ଗ୍ରହଣ କରିଥାନ୍ତି ଏବଂ ମହାନ୍‌ ତ୍ରିମୂର୍ତ୍ତିଙ୍କ ଚାରିପଟେ ଦୀପ ବୁଲାଇ ଆଳତି କରିଥାନ୍ତି। ତ୍ରିଦେବୀ ଗୀତ ଗାଇବା ଜାରି ରଖନ୍ତି। ପ୍ରଦର୍ଶନ ପୂର୍ବରୁ ଟଙ୍କା ଓ ପଇସା ପକାଯିବା ରାମକଥା ଦଳ ପାଇଁ ବହୁମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ବେଳେ ବେଳେ ଆୟୋଜକମାନେ ପ୍ରତିଶ୍ରୁତି ଦେଇଥିବା ପରିମାଣ ସମ୍ପୂର୍ଣ୍ଣ ପୈଠ କରିନଥାନ୍ତି।

ତାହା ପରେ ରାମ, ସୀତା ଏବଂ ଲକ୍ଷ୍ମଣ ମଞ୍ଚକୁ ଆସନ୍ତି। ହନୁମାନଙ୍କର ଦୀର୍ଘ ଲମ୍ପ ସୀମିତ ସ୍ଥାନକୁ ପୂର୍ଣ୍ଣ କରିଦିଏ। ରାବଣର ଅହଙ୍କାରପୂର୍ଣ୍ଣ ସଂଳାପରେ ବାୟୁମଣ୍ଡଳ ପ୍ରକମ୍ପିତ ହୁଏ।

ଏବଂ ସେତିକି ବେଳେ ସ୍ଥାନୀୟ ନେତାମାନେ ତାଙ୍କର ଅନୁଗାମୀମାନଙ୍କ ସହ ମଞ୍ଚକୁ ଆସନ୍ତି। କ୍ଲାନ୍ତ ହୋଇପଡ଼ିଥିବା ରାମଙ୍କୁ ଦୀପରେ ବନ୍ଦାପନା କରନ୍ତି। ତାଙ୍କର ଅନୁଗାମୀମାନେ ବଡ଼ ପାଟିରେ କହନ୍ତି, ‘‘ଜୟ ଶ୍ରୀରାମ, ବୋଲୋ ଜୟ ଶ୍ରୀରାମ’’ ଏବଂ ‘‘ଡର୍‌କେ ନେହି ମରେଙ୍ଗେ, ମନ୍ଦିର ଏହିଁ ବନାଏଙ୍ଗେ’’ (ଆମେ ଭୟରେ ମରିବୁ ନାହିଁ, ମନ୍ଦିର ଏଇଠି ତିଆରି କରିବୁ।) ସେମାନେ ଆଶ୍ୱାସନା ଦିଅନ୍ତି ଯେ ଅଯୋଧ୍ୟାରେ ଦୀର୍ଘ ଦିନରୁ ବିବାଦୀୟ ହୋଇରହିଥିବା ରାମ ମନ୍ଦିର ତିଆରି ହେବ।

ରାମ କଥା ପ୍ରଦର୍ଶନକାରୀମାନେ ରାତିରେ ବାଉଁଶ ଖୁଣ୍ଟରେ ବନ୍ଧା ହୋଇଥିବା ତୀବ୍ର ଆଲୋକ ତଳେ ଗୀତ ଗାଇଥାନ୍ତି। ଏହି କଠୋରତା ବର୍ତ୍ତମାନ ସମୟ ବିଷୟରେ କହେ। ଅନ୍ୟପକ୍ଷରେ ରାସ୍ତାର ଆରପଟେ - ସରୋଜ ନଦୀ ତୀରରେ ନୂଆ ଘାଟରେ ରାବଣର ଏକ ବିଶାଳ ବାଉଁଶପୁତଳିକା ଦହନ ପାଇଁ ଅପେକ୍ଷା କରୁଥାଏ।

Child artist sitting on a chair
PHOTO • Joydip Mitra

ଅକ୍ଷୟ, ବୟସ ୧୨ ବର୍ଷ ରାମ କଥାରେ ସୀତା ଭୂମିକାରେ ଅଭିନୟ କରନ୍ତି ଦଶହରା ମାସରେ ସେ ତାଙ୍କ ବାପାଙ୍କର ବନ୍ଧୁ ଟ୍ରୁପ୍ ମ୍ୟାନେଜର - ନିର୍ଦ୍ଦେଶକ ବିନାୟକ ଶାସ୍ତ୍ରୀଙ୍କ ଘରେ ରହେ ସେ ପ୍ରତି ସନ୍ଧ୍ୟାରେ ତିନୋଟି ମଞ୍ଚରେ ପ୍ରଦର୍ଶନ କରେ ରାତିକୁ ମୋଟ ୨୦୦ ଟଙ୍କା ଅର୍ଜନ କରିଥାଏ

Actors are getting ready for performance
PHOTO • Joydip Mitra
Actor while performing
PHOTO • Joydip Mitra

ବାମ: ରାମ ଭୂମିକାରେ ଅଭିନୟ କରନ୍ତି ବିଜୟ, ସେ ରାତିକୁ ୨୫୦ ଟଙ୍କା ରୋଜଗାର କରନ୍ତି, ଏବଂ ଅନ୍ୟ ସମୟରେ ଇଲେକ୍ଟ୍ରିସିଆନ୍ ଭାବରେ କାମ କରନ୍ତି ତାଙ୍କର ସ୍ୱପ୍ନ ଥିଲା ବଲିଉଡରେ କାମ କରିବା କିନ୍ତୁ ଏବେ ପେଟପାଟଣା ପାଇଁ କେରଳ ଯିବାକୁ ଭାବୁଛନ୍ତି ଡାହାଣ: ରାମକଥା ପ୍ରଦର୍ଶନ ବେଳେ ବେଳେ ହିନ୍ଦୀ ଆଧ୍ୟାତ୍ମିକ ଶିକ୍ଷା ଅଧିବେଶନର ଫିଲର ମଧ୍ୟ ରହିଥାଏ ଏଠାରେ ସୁରେଶ ଚାନ୍ଦ, ତାଙ୍କର ବୟସ ପ୍ରାୟ ୫୨ ବର୍ଷ ମଞ୍ଚକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି

Actor are getting ready
PHOTO • Joydip Mitra

ବିନାୟକ ଶାସ୍ତ୍ରୀ (ଠିଆ ହୋଇଛନ୍ତି) ଏବଂ ତାଙ୍କର କେତେକ ରାମକଥା ପ୍ରଦର୍ଶନକାରୀ ଏକ ତୀବ୍ର ଆଲୋକ ଦେଉଥିବା ଟଙ୍ଗଷ୍ଟେନ୍ବଲ୍ ତଳେ ମଞ୍ଚକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ରରେ ରହିଛନ୍ତି ଡଲି, ଜଣେ କିନ୍ନର ଯାହାକୁ କି ଶାସ୍ତ୍ରୀ ନାଟକ ଆରମ୍ଭ ହେବା ପୂର୍ବରୁ ରାମଙ୍କର ଗୁଣ ଗାନ କରିବା ପାଇଁ ନିଯୁକ୍ତ କରିଛନ୍ତି

Actor while performing on the stage
PHOTO • Joydip Mitra

ରାମକଥା ପ୍ରଦର୍ଶନ ସବୁବେଳେ ଜଣେ କିନ୍ନରଙ୍କର ନାଚ ଗୀତ ସହିତ ଆରମ୍ଭ ହୋଇଥାଏ

Actor are getting ready for performance
PHOTO • Joydip Mitra

ସୁରେଶ ବାଲ୍ମିକୀ ଭାବରେ; ସେ ମଧ୍ୟ ରାବଣ ଭୂମିକାରେ ଅଭିନୟ କରନ୍ତି

Actor are getting ready for performance
PHOTO • Joydip Mitra

ଏକ ଅସ୍ଥାୟୀ ଗ୍ରୀନ୍ରୁମ୍ରେ ମଧ୍ୟ ତୀବ୍ର ହଳଦିଆ ଆଲୁଅ ଜଳୁଛି, ଜଣେ ବାଳକ ପ୍ରସ୍ତୁତ ହେଉଛନ୍ତି ରାମକଥା ଦଳ ମେକ୍ଅପ୍ମ୍ୟାନ୍ନିଯୁକ୍ତ କରିପାରିବେ ନାହିଁ ଏବଂ ଅଭିନେତାମାନେ ନିଜେ ନିଜର ମେକ୍ଅପ୍କରିଥାନ୍ତି

Artist are performing
PHOTO • Joydip Mitra

ଗଣପତ ତ୍ରିବେଦୀ ହେଉଛନ୍ତି ରାମକଥା ଗାୟକ ଦଳର ମୁଖ୍ୟ ଗାୟକ

Artist in a role of Ravan
PHOTO • Joydip Mitra

ଅଯୋଧ୍ୟାର ସ୍ଥାନୀୟ ଅଞ୍ଚଳର ଘନ ଅନ୍ଧକାର ମଧ୍ୟରେ ରାବଣ ଏକ ଗ୍ୟାରେଜ୍ଗ୍ରୀନ୍ରୁମ୍ ମଧ୍ୟରୁ ସରୋଜ ନଦୀ ନିକଟରେ ଥିବା ନୟାଘାଟ ମଞ୍ଚ ଆଡକୁ ଯାଉଛନ୍ତି

Artist on the stage
PHOTO • Joydip Mitra

ରାମକଥା ଗାୟକ ଦଳ ପାଇଁ ଏକ ବାମନ ମଧ୍ୟ ନିଯୁକ୍ତ କରାଯାଇଛି ଅଭିନୟ ମଝିରେ ସେ ମଞ୍ଚରେ ଉପସ୍ଥିତ ରହି ରାବଣର ନକଲ କରିଥାନ୍ତି ସମସ୍ତଙ୍କ ମନରୁ ଚାପ ଦୂର କରି ଆନନ୍ଦ ଉଲ୍ଲାସ ଭରିଦେଇଥାନ୍ତି

Artist on the stage performing
PHOTO • Joydip Mitra

ମଞ୍ଚରେ ସ୍ଥାନ ଖୁବ୍ ସୀମିତ ରହିଥାଏ ଏବଂ ଗୋଟିଏ ମାଇକ୍ରୋଫୋନ୍ ରଖାଯାଇପାରିବ ଏପରିକି ଘୋର ଯୁଦ୍ଧ ସମୟରେ ମଧ୍ୟ ହନୁମାନ ଏବଂ ରାବଣକୁ ଏହା ବ୍ୟବହାର କରି ନିଜର ଧାଡ଼ି କହିବାକୁ ପଡ଼େ ମୁକ୍ତ ଭାବରେ ଗତିବିଧି କରିବାର ଏହି ସୀମିତତା ସେମାନଙ୍କର କାଠ ମଞ୍ଚରେ ଭୀଷଣ ଲଢ଼େଇ ସହିତ ପ୍ରକୃତ ଲଢ଼େଇର ପ୍ରଭାବ ସୃଷ୍ଟି କରିଥାଏ

Artist on the stage performing on the stage
PHOTO • Joydip Mitra

ଏକ କାଳ୍ପନିକ ଯୁଦ୍ଧ ବାସ୍ତବ ଜୀବନରେ ପ୍ରତିଫଳିତ ହୁଏ ଯେତେବେଳେ ଜଣେ ସ୍ଥାନୀୟ ନେତା ନାଟକ ମଝିରେ ମଞ୍ଚକୁ ଚଢ଼ିଯାଆନ୍ତି ଏବଂ ସ୍ଲୋଗାନ୍ ଦିଅନ୍ତି - ‘‘ଡର୍କେ ନେହି ମରେଙ୍ଗେ ମନ୍ଦିର ଓହି ବନାଏଙ୍ଗେ’’

Artist on the stage performing on the stage
PHOTO • Joydip Mitra

ନେତା ମଞ୍ଚରେ ପ୍ରବେଶ କଲା ମାତ୍ରେ, ନାଟକ ବନ୍ଦ ଅଭିନେତାମାନେ ସ୍ଥିର ହୋଇଯାଆନ୍ତି

People gather to watch a performance during dusserah
PHOTO • Joydip Mitra
Ravaan Dahan
PHOTO • Joydip Mitra

ବାମ: ଜଣେ ୧୦ ମୁଣ୍ଡିଆ ରାବଣ ଗଳିର ଅନ୍ୟ ମୁଣ୍ଡରେ ଠିଆ ହୋଇ ନାଟକ ଶେଷରେ ଦହନ ହେବା ପାଇଁ ଅପେକ୍ଷା କରିଛି ରାମ ମଞ୍ଚରୁ ଓହ୍ଲେଇ ଯାଆନ୍ତି, ଜମୁ ସମୁଦ୍ର ମଧ୍ୟରେ ଚାଲି ଚାଲି ଏକ ଜଳୁଥିବା ତୀରକୁ ପୁତ୍ତଳିକା ଆଡକୁ ନେଇଯାଉଛନ୍ତି ଶେଷରେ ରାବଣ ଦହନ ହୁଏ ଡାହାଣ: ରାବଣ ଦହନ ଆରମ୍ଭ ହେବା ମାତ୍ରେ ଭାବାବେଗ ଶୀର୍ଷରେ ପହଞ୍ଚେ

People are taking pictures of performance
PHOTO • Joydip Mitra

ଏହି ନିଆଁର ଆଲୁଅରେ ଶ୍ରୋତାମାନେ ଏକ ଶୂନ୍ୟ ମଞ୍ଚ ସମ୍ମୁଖରେ ଏକତ୍ରିତ ହୁଅନ୍ତି ରାମକଥାରେ ମଜ୍ଜି ଯାଇଥିବା ଶ୍ରୋତାମାନେ ଅପ୍ରତ୍ୟାଶିତ ଯାଦୁକରି ପରିବର୍ତ୍ତନ ଅପେକ୍ଷାରେ ସମୁଦାୟ ପୁରୁଣା ବସ୍ତି ରାମକଥା ମଞ୍ଚ ଲଗାଯାଇଥିବା ସ୍ଥାନରେ ଆଲୋକରେ ଶକ୍ତିରେ ଉଦ୍ଭାସିତ ହୁଏ

Artist
PHOTO • Joydip Mitra

ଗୋଟିଏ ଗ୍ୟାରେଜ୍ରେ ଯାହାକି ଅସ୍ଥାୟୀ ଗ୍ରୀନ୍ରୁମ୍ମଧ୍ୟ, ସେଠାରେ ବିନାୟକ ଶାସ୍ତ୍ରୀ ଶେଷରେ ଏକୁଟିଆ ବସିଛନ୍ତି ରାବଣ ଦହନ ହେବା ପରେ ସମସ୍ତେ ଚାଲିଯାଆନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Joydip Mitra

ଜୟଦୀପ ମିତ୍ର, କୋଲକାତାର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର, ଯିଏ ସମଗ୍ର ଭାରତର ଲୋକ, ମେଳା ଓ ଉତ୍ସବର ଲେଖାରୂପ ପ୍ରସ୍ତୁତ କରନ୍ତି । ତାଙ୍କ ଲେଖା, ‘ଜେଟ୍‌ୱିଙ୍ଗସ’, ‘ଆଉଟ୍‌ଲୁକ୍‌ ଟ୍ରାଭେଲରେ’ ଏବଂ ‘ଇଣ୍ଡିଆ ଟୁଡେ ଟ୍ରାଭେଲ୍‌ ପ୍ଲସ୍‌’ ସମେତ ବିଭିନ୍ନ ପତ୍ରିକାରେ ପ୍ରକାଶ ପାଇଛି ।

Other stories by Joydip Mitra