ଏମାନେ ହେଉଛନ୍ତି ଲୁଙ୍ଗି ଏବଂ ସାର୍ଟ ପରିହିତ ପୁରୁଷ, ସେମାନଙ୍କ ସାଇକେଲରେ ଗାମୁଚ୍ଛା (ଏକ ପତଳା ଟାଓ୍ୱେଲ୍‌) ସାହାଯ୍ୟରେ ବଡ଼ ବଡ଼ ଆଲୁମିନିୟମ ହାଣ୍ଡି ବନ୍ଧା ହୋଇଥାଏ । ଚଟଣି ଏବଂ ସମ୍ବର ଥିବା ଛୋଟ ଛୋଟ ଷ୍ଟେନଲେସ୍‌ ଷ୍ଟିଲ୍‌ ପାତ୍ର ଏବଂ କେଇବିଡା କାଗଜ ପ୍ଲେଟ ଏକ ପୁରୁଣା ସାଇକେଲ ଟ୍ୟୁବରେ ଏକାଠି ବନ୍ଧା ହୋଇଥାଏ ।

ସକାଳ ୭ଟା ସୁଦ୍ଧା ସେମାନେ ମହାନଗରର ହଜାର ହଜାର ଲୋକଙ୍କ ଜିହ୍ୱାକୁ ସନ୍ତୁଷ୍ଟ କରିବା ପାଇଁ ବାହାରି ଆସନ୍ତି । ଏମାନେ ହେଉଛନ୍ତି ମୁମ୍ବାଇର ନିଜସ୍ୱ ଇଡ୍‌ଲିଓ୍ୱାଲା। ସେମାନଙ୍କର ନିର୍ଦ୍ଦିଷ୍ଟ ଡାକରା ହେଉଛି ‘‘ପମ୍‌-ପମ୍‌’’, ଯାହାକି ଅନେକ ଦୂରରୁ ଶୁଣାଯାଇପାରେ। ଏହି ଅନନ୍ୟ ରବର ହର୍ନର ଶବ୍ଦ ମୁମ୍ବାଇର ଆଖପାଖ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଇଡ୍‌ଲି ଆଣିଥିବା ଲୋକ ପହଞ୍ଚିଯାଇଥିବାର ସଙ୍କେତ ।

ଏହି ସାଇକେଲରେ ଆସୁଥିବା ବିକ୍ରେତାମାନେ ତାମିଲନାଡୁର ମଦୁରାଇରୁ ଆସିଥିବା ଏକ ପ୍ରବାସୀ ସମୂହ – ଏହି ସମୂହର ପ୍ରାୟ ୫୦୦-୭୦୦ ପରିବାର ଏସିଆର ବୃହତ୍ତମ ବସ୍ତି ଧରାଭିରେ ବାସ କରନ୍ତି। ସେମାନେ ଦକ୍ଷିଣ ଭାରତର ଲୋକପ୍ରିୟ ପ୍ରାତଃ ଭୋଜନ ତିଆରି ଏବଂ ବିକ୍ରି କରି ନିଜର ଜୀବିକା ନିର୍ବାହ କରନ୍ତି ଏବଂ  ଇଡ୍‌ଲି-ବରାକୁ ମୁମ୍ବାଇର ଅନ୍ୟତମ ସବୁଠାରୁ ପ୍ରିୟ ଜଳଖିଆରେ ପରିଣତ କରିଛନ୍ତି।  ଚାଉଳରେ ତିଆରି ଏହି ପିଠା ଏସବୁ ଘରମାନଙ୍କରେ ପ୍ରତିଦିନ ଅତିକମ୍‌ରେ ୪୦୦ଟି ଲେଖାଏଁ ତିଆରି ହୁଏ, ଯାହାକି ସେମାନଙ୍କୁ ଦୈନିକ ପ୍ରାୟ ଟ. ୪୦୦-୫୦୦ ଲାଭ ଦେଇଥାଏ। ଦୁଇ ବା ତିନୋଟି ପୁରୁଷ ଥିବା ଗୋଟିଏ ଗୋଟିଏ ପରିବାର ଦିନକୁ ଟ. ୧୦୦୦ ଲେଖାଏଁ ଆୟ କରନ୍ତି ।

ପ୍ରତିଦିନ ଏହି ଛୋଟ ତାମିଲନାଡୁରୁ ୩,୦୦,୦୦୦ରୁ ଅଧିକ ଇଡ୍‌ଲି ଏବଂ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ସାରା ମୁମ୍ବାଇକୁ ଯାଇଥାଏ। ଏହି ସମୂହ ବାସ କରୁଥିବା ପକ୍କା ବସ୍ତି ଘରଗୁଡ଼ିକରେ ସିଓନ୍‌ ଏବଂ ମହିମ୍‌ ଭିତରେ ରହିଛି, ଯାହାକି ସେଣ୍ଟ୍ରାଲ, ଓ୍ୱେଷ୍ଟର୍ଣ୍ଣ ଏବଂ ହାର୍ବର ରେଳ ଲାଇନ୍‌ର ମିଳନ ସ୍ଥଳରେ ଅଛି । ଏହିଠାରୁ ଏହି ଇଡ୍‌ଲିଓ୍ୱାଲାମାନେ ସାରା ମହାନଗରକୁ ସହଜରେ ସେମାନଙ୍କ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବାକୁ ଯାଇପାରନ୍ତି ।

PHOTO • Prarthana Uppal

ଇଡିଲିବାଲାମାନେ ସେମାନଙ୍କର ଅନେକ ଗ୍ରାହକଙ୍କ ପାଇଁ ସ୍ୱାଦିଷ୍ଟ ଜଳଖିଆରେ ପୂର୍ଣ୍ଣ ଏକ ପାତ୍ର ନେଉଛନ୍ତି

ଧରାଭିର ଯେଉଁ ଗଳିଗୁଡ଼ିକ ଦେଇ ଏହି ଲୋକମାନେ ଯିବା ଆସିବା କରନ୍ତି ତାହା ବାହାର ଲୋକଙ୍କ ପାଇଁ ଏକ ପହେଳି ହୋଇପାରେ, କିନ୍ତୁ ଏହି ଲୋକମାନେ ଏହା ମଧ୍ୟ ଦେଇ ଶିଉଳି ଲାଗିଥିବା ଓଦା ଟାଇଲ୍‌ ଏବଂ ନର୍ଦ୍ଦମା କଡ଼ ଦେଇ ସେମାନଙ୍କର ଓଜନିଆ ପାତ୍ରକୁ ଠିକ୍‌ ସନ୍ତୁଳନରେ ଧରି ରଖି ଆଗେଇ ଚାଲନ୍ତି।

ସେମାନଙ୍କ ଘରଗୁଡ଼ିକ ଆମକୁ ପୃଥିବୀର ଅନ୍ୟତମ ସର୍ବାଧିକ ଖର୍ଚ୍ଚ ବହୁଳ ମହାନଗରରେ ନିଜକୁ ତିଷ୍ଠି ରଖିବା ପାଇଁ ହୋଇଥିବା ଦୀର୍ଘ ସଂଗ୍ରାମ ଏବଂ ଏହି ସହରକୁ ସବୁଠାରୁ ଶସ୍ତା ଜଳଖିଆ ପରିବେଷଣ କରିବାର କାହାଣୀ କହିଥାଏ। ଏସବୁ ଘର ଭିତର ହେଉଛନ୍ତି ଏକ ବଡ଼ କାରଖାନା, ଯେଉଁଠାରେ ମହିଳା ଓ ପୁରୁଷମାନେ ସୂର୍ଯ୍ୟ ଉଇଁବା ପୂର୍ବରୁ ସେମାନଙ୍କର ଚୁଲି ଲଗାନ୍ତି ଏବଂ କମ୍‌ ସମୟ ମଧ୍ୟରେ ବଡ଼ ବଡ଼ ଛାଞ୍ଚ ଯଥେଷ୍ଟ ଇଡ୍‌ଲି ତିଆରି କରିଥାଏ।

ସକାଳ ପ୍ରାୟ ୪ଟା ବେଳକୁ ସେମାନେ ଚୁଲି ଲଗାଇ ପୂର୍ବ ରାତିରୁ ବଟା ଯାଇଥିବା ଚାଉଳ ଏବଂ ବିରିଡାଲିର ଏହି ସୋଦୁଅକୁ ଇଡ୍‌ଲି ଛାଞ୍ଚରେ ଭରନ୍ତି। ଏହି ଛାଞ୍ଚ ଉପରେ ପ୍ଲାଷ୍ଟିକ ସିଟ୍‌ ଦିଆଯାଇଥାଏ, ଯାହାକି ଇଡ୍‌ଲିକୁ ତଳେ ଲାଗିଯିବାରୁ ରୋକିଥାଏ। ପ୍ରତ୍ୟେକଟି ଅଥାରରେ ପ୍ରାୟ ୩ଟି ଥାକ ଟ୍ରେ ଥାଏ । ଯେଉଁଥିରୁ ଥରକେ ପ୍ରାୟ ୧୦୦ଟି ସିଝା ହୋଇଥିବା ଇଡ୍‌ଲି ବାହାରେ । ଇଡ୍‌ଲି ଶିଝିବା ପାଇଁ ବସିଥିବା ବେଳେ ସ୍ୱାଦିଷ୍ଟ ନଡ଼ିଆ ଚଟଣି, ଟମାଟୋ ଚଟଣି ଏବଂ ସମ୍ବର ମଧ୍ୟ ପ୍ରସ୍ତୁତ ହୋଇଯାଏ।

୨୦ ବର୍ଷରୁ ଅଧିକ ସମୟ ହେବ ମଣି ସୁବ୍ରମଣ୍ୟମ୍‌ ପ୍ରତିଦିନ କେନ୍ଦ୍ର ମୁମ୍ବାଇରେ ଥିବା ଭାଟିଆ ହସ୍ପିଟାଲ ଏବଂ ସୋଫିଆ କଲେଜ ନିକଟରେ ଇଡ୍‌ଲି ବିକ୍ରୟ କରିଆସୁଛନ୍ତି। ସେ ମନେପକାଇ କୁହନ୍ତି: ‘‘ମୋତେ ୨୦ ବର୍ଷ ହୋଇଥିବା ବେଳେ ମୋର କକା ମୋତେ ମଦୁରାଇରୁ ଏହି ମହାନଗରକୁ ଆଣିଥିଲେ। ମୁଁ ରଜନୀକାନ୍ତଙ୍କ ଭଳି ଅଭିନେତା ହେବାକୁ ଚାହୁଁଥିଲି କିନ୍ତୁ ମୋତେ କୌଣସି ସୁଯୋଗ ମିଳିନଥିଲା। ଏହା ବ୍ୟତୀତ ମୁଁ କେବଳ ଇଡ୍‌ଲି ତିଆରି କରିବାର କୌଶଳ ଜାଣିଥିଲି ।’’

PHOTO • Prarthana Uppal

ଜଣେ ପୁରୁଖା ଇଡଲି ବିକ୍ରେତା ମଣି ମଦୁରାଇରୁ ଦୁଇଦଶକରୁ ଅଧିକ ସମୟ ତଳେ ଜଣେ ଅଭିନେତା ହେବାର ଆଶା ନେଇ ମଦୁରାଇରୁ ମୁମ୍ବାଇ ଆସିଥିଲେ

ମଣି ଶୂନ୍ୟରୁ ଆରମ୍ଭ କରିଥିଲେ ଏବଂ ଏବେ ଇଡଲି ଉଦ୍ୟୋଗରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ଦିନକୁ ପ୍ରାୟ ୬୦୦ ଇଡ୍‌ଲି ବିକ୍ରି କରନ୍ତି। ସେ ଏବଂ ତାଙ୍କ ପତ୍ନୀ ଭୋର୍‌ ସମୟରୁ ଏକାଠି କାମ କରିବା ଆରମ୍ଭ କରନ୍ତି । ସେମାନେ ଭୋକିଲା କଲେଜ ଛାତ୍ରଛାତ୍ରୀମାନଙ୍କୁ ଡାଲ ବରା ସହିତ ପରିଚିତ କରାଇଥିଲେ। ତାଙ୍କର ଜଣେ ନିୟମିତ ଗ୍ରାହକ ଆଫ୍ରିନ୍‌ ଅନସାରୀ କୁହନ୍ତି, ‘‘ଆନ୍ନା (ବଡ଼ଭାଇ) ସବୁଠାରୁ ସ୍ୱାଦିଷ୍ଟ ଇଡ୍‌ଲି ତିଆରି କରନ୍ତି, ସେଗୁଡ଼ିକ ଏତେ ହାଲକା ଏବଂ ଲୋଭନୀୟ। ମୁଁ ଅଧିକାଂଶ ସମୟରେ ତାହା ଘରକୁ ନିଏ।’’

ଆଉ ଜଣେ ନିୟମିତ ଗ୍ରାହକ ୟେତିନ୍‌ ରାଠୋର୍‌ ଗତ ୧୫ବର୍ଷ ହେବ ମଣିଙ୍କ ଇଡ୍‌ଲି ଖାଉଛନ୍ତି । ସେ କୁହନ୍ତି, ‘‘ଯେତେବେଳେ ମୁଁ ଖାଇବା ଆରମ୍ଭ କଲି ସେତେବେଳେ ମୋତେ ପାଞ୍ଚ କି ଛଅ ବର୍ଷ ହୋଇଥିବ। ସେବେଠାରୁ ସେହି ସ୍ୱାଦ ରହିଛି ଏବଂ ଆନ୍ନା ମୋ ଚଟଣିର ପସନ୍ଦକୁ ମନେରଖିଛନ୍ତି ।’’

ମଣି କୁହନ୍ତି, ‘‘ମୁଁ ଖୁସି ଯେ ମୁଁ ମୁମ୍ବାଇରେ ପ୍ରତିଦିନ ସକାଳେ ଏତେ ଜଣଙ୍କ ପେଟ ପୁରାଇ ପାରୁଛନ୍ତି। ଏ ମହାନଗର ମୋତେ ଅନେକ କିଛି ଦେଇଛି। ମୋ ଝିଅମାନେ ସୁଜିତା ଏବଂ ଅଜିତା ପାଠ ପଢ଼ୁଛନ୍ତି ଏବଂ ମୁଁ ମୋ ବ୍ୟବସାୟକୁ କିପରି ନୂଆ ଉଚ୍ଚତାକୁ ନେଇପାରିବି ତାହା ମୋତେ ଶିଖାଉଛନ୍ତି ।’’

ମଣିଙ୍କ ପରି ଏହି ବ୍ୟବସାୟକୁ ଆସିଥିବା ଅନ୍ୟମାନେ ମଧ୍ୟ ଅନ୍ୟ କାମ ପାଇବାରେ ସେମାନଙ୍କ ଉଦ୍ୟମରେ ବିଫଳ ହେବା ପରେ ଏହି ବ୍ୟବସାୟକୁ ଆସିଥିଲେ। ୩୫ବର୍ଷ ବୟସ୍କ କେ ପାଣ୍ଡି ମୁମ୍ବାଇକୁ ଚାକିରି ସନ୍ଧାନରେ ଆସିଥିଲେ କିନ୍ତୁ ସେ ଇଡ୍‌ଲି ବ୍ୟବସାୟ ଜାରି ରଖିବାର ନିଷ୍ପତ୍ତି ନେଲେ। ସେ ମନେପକାଇ କୁହନ୍ତି, ‘‘ମୋ ପାଖରେ ମୋ ପରିବାରର ଦାୟିତ୍ୱ ଥିଲା ଏବଂ ଖୁବ୍‌ କମ୍‌ ପଇସା ବଳିଥିଲା। ମୁଁ ଗୋଟିଏ ଛୋଟ କୋଠରୀରେ ଅନ୍ୟ କେଇଜଣ ସାଥୀଙ୍କ ସହ ରହିବା ଆରମ୍ଭ କଲି, ଯେଉଁଠାରେ ଆମେ ରୋଷେଇ କରୁଥିଲୁ। ’’

ସେ କୁହନ୍ତି, ‘‘ମୋତେ ଇଡଲି, ମେଦୁ ବରା ଏବଂ ଛୋଟ ଦୋସା ବିକ୍ରି କରିବାକୁ ଦିଆଯାଉଥିଲା। ମୁଁ ରୋଷେଇ ପାଇଁ ବେଳେ ବେଳେ ପନିପରିବା କାଟିବା ପାଇଁ ଭୋର୍‌ ୩ଟା ବେଳକୁ ଉଠିଯାଉଥିଲି। ମୁଁ ସବୁକିଛି ଶିଖିବାକୁ ଆଗ୍ରହୀ ଥିଲି ଯେମିତିକି ଦିନେ ମୋତେ ଆଉ କାହା ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ। ’’

PHOTO • Prarthana Uppal

ପାଣ୍ଡି କୁହନ୍ତି, ‘‘ମୋର ଏକମାତ୍ର ଶିକ୍ଷା ଥିଲା ସମସ୍ତ ଇଡ୍‌ଲି ବିକ୍ରି କରିବା ଏବଂ କିଛି ବି ଫେରେଇ ନ ଆଣିବା’’

ସକାଳ ୭ଟା ବେଳକୁ ସେ ବିକ୍ରାନ୍ତ ସର୍କଲ ପାଇଁ ଏକ ଖୁନ୍ଦାଖୁନ୍ଦି ହୋଇଥିବା ଟ୍ରେନରେ ଯାଆନ୍ତି । ଉତ୍ତର ମୁମ୍ବାଇର ଘଟକୋପରାରେ ଥିବା ଏହି ଅଞ୍ଚଳରେ ବହୁ ସଂଖ୍ୟକ ଗୁଜୁରାଟି ପରିବାର ବାସ କରନ୍ତି। ଆରମ୍ଭରେ ବଡ଼ ବଡ଼ ପାତ୍ର ବୋହିବା ଏବଂ ଇଡଲି ବିକ୍ରି କରିବା ପାଣ୍ଡିଙ୍କ ପାଇଁ ଖୁବ୍‌ କଷ୍ଟକର ଥିଲା। ସେ କୁହନ୍ତି, ‘‘କିନ୍ତୁ ସମୟକ୍ରମେ ମୁଁ ଜଣେ ପରିଚିତ ଚେହେରା ପାଲଟିଗଲି । ମା’ ମାନେ ମୋ ପାଇଁ ଆଗ୍ରହର ସହ ଅପେକ୍ଷା କରନ୍ତି କାରଣ ସେମାନେ ସେମାନଙ୍କ ପିଲାଙ୍କୁ ପ୍ରାତଃ ଭୋଜନରେ ଇଡଲି ଦେବାକୁ ଚାହାଁନ୍ତି । ସେମାନେ କୁହନ୍ତି, ଏହି ଛୋଟ ମୁଦ୍ରା ଆକାରର ଇଡ୍‌ଲିକୁ ସେମାନେ ପସନ୍ଦ କରନ୍ତି, କାରଣ ସେମାନଙ୍କ ପିଲାମାନେ ଏହାକୁ କେବେ ନଷ୍ଟ କରନ୍ତି ନାହିଁ । ଏହା ମଧ୍ୟ ସେମାନଙ୍କୁ ଟିଫିନ୍‌ ଦେବା ପାଇଁ ସୁବିଧା ହୁଏ। ’’

ପାଣ୍ଡି ଟଙ୍କାକରେ ଚାରୋଟି ଇଡ୍‌ଲି ଏବଂ ୫୦ ପଇସାରେ ଗୋଟିଏ ଦୋସା ବିକ୍ରି କରିବାକୁ ଆରମ୍ଭ କରିଥିଲେ- ଏହା ଥିଲା ସେ ସମୟରେ ଉପଲବ୍ଧ ହେଉଥିବା ସବୁଠାରୁ ଶସ୍ତା ଜଳଖିଆ। ସମୟକ୍ରମେ ସେ ନିଜର ବାଇସାଇକେଲ କିଣିଲେ। ସେ ବର୍ଜ୍ୟ ଜିନିଷ ବୋହି ଆଣିବା ପାଇଁ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ ନିଅନ୍ତି ଏବଂ ରାସ୍ତାରେ କେହି ଅଳିଆ ନ ପକାନ୍ତି ସେ ନେଇ ଖୁବ୍‌ ସତର୍କ । ସେ କୁହନ୍ତି, ‘‘ଲୋକମାନେ କାର୍‌ରେ ଆସନ୍ତି ଏବଂ ମୋ ପାଖରୁ ଇଡଲି କିଣିବା ପାଇଁ ଅଟକନ୍ତି । ମୁଁ ଗୋଲେଇ ପାଖରେ ବସେ ଏବଂ ଅନେକ ଧନୀ ଗୁଜରାଟି ପରିବାର ପାଇଁ ଖାଇବା ଯୋଗାଇଛି।’’

ପାଣ୍ଡି ଧୀରେ ଧୀରେ ସ୍ଥାୟୀ ହୋଇଗଲେ; ତାଙ୍କର ୩ଜଣ ସନ୍ତାନ ଯେଉଁମାନେ କି ଧରାଭିରେ ଥିବା ଶ୍ରମିକ ଶିବିର ଅଞ୍ଚଳରେ ଏକ ମ୍ୟୁନିସିପାଲଟି ସ୍କୁଲରେ ନାଆଁ ଲେଖାଇଛନ୍ତି । ସେ କୁହନ୍ତି, ‘‘ମୋର ଏକମାତ୍ର ଶିକ୍ଷା ହେଉଛି ସବୁ ଇଡ୍‌ଲି ବିକ୍ରି କରିବା ଏବଂ କିଛି ମଧ୍ୟ ଫେରାଇ ନ ଆଣିବା । ମୋ ପିଲାମାନେ ପାଠ ପଢ଼ୁଛନ୍ତି ଏହା ଦେଖି ମୁଁ ବହୁତ ଖୁସି।  ସେମାନଙ୍କଠାରୁ ଅନେକ କିଛି ଶିଖିବାକୁ ଅଛି ।’’

ଯଦିଓ ଅଧିକାଂଶ ଇଡ୍‌ଲିଓ୍ୱାଲା ହେଉଛନ୍ତି ପୁରୁଷ ଏବଂ ମହିଳାମାନେ ଘରୁ କାମ କରି ବ୍ୟବସାୟରେ ସାହାଯ୍ୟ କରନ୍ତି, ଆଲାଗୁ ଥାଇଙ୍କ ପରି କେଇଜଣ ମହିଳା ମଧ୍ୟ ବିକ୍ରି କରନ୍ତି। ତାଙ୍କର ସ୍ୱର୍ଗତ ସ୍ୱାମୀ ଆରମ୍ଭ କରିଥିବା ବ୍ୟବସାୟକୁ ଚଳାଇବା ପାଇଁ ସେ କଠିନ ପରିଶ୍ରମ କରନ୍ତି। ୩୬ ବର୍ଷ ବୟସ୍କ ଆଲାଗୁ କେବଳ ତାମିଲ କୁହନ୍ତି, କିନ୍ତୁ ବହୁଭାଷୀ ମୁମ୍ବାଇରେ ସେ ନିଜେ ତିଆରି କରିଥିବା ସମସ୍ତ ଖାଦ୍ୟ ବିକ୍ରି କରିପାରନ୍ତି ।

PHOTO • Prarthana Uppal

ଧରାବିରେ ଥିବା ଅଳ୍ପ କେଇଜଣ ମହିଳା ଇଡଲି ବିକ୍ରେତାଙ୍କ ମଧ୍ୟରୁ ଆଲାଗୁ ଅନ୍ୟତମ

ଅନ୍ୟମାନଙ୍କ ପରି ସେ ମଧ୍ୟ ଖୁବ୍‌ ସକାଳୁ ବାଇକୁଲା ଷ୍ଟେସନରେ ପହଞ୍ଚିବା ପାଇଁ ଭାଇ ମଲାଇ ରମଣ ଏବଂ ୩୦୦-୪୦୦ ଇଡଲି, ୨୫୦ ବରା ଏବଂ ୪୦-୫୦ ଦୋଷା ନେଇ ଘର ଛାଡ଼ନ୍ତି । ଆଲାଗୁଙ୍କର ଆଶା ତାଙ୍କର ୧୯ବର୍ଷର ପୁଅ ଦିନେ ଏହାକୁ ବଡ଼ କରିବ। ସେ କୁହନ୍ତି, ‘‘ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ଜାଣିନଥିଲି ମୋତେ କେମିତି ରୋଜଗାର କରିବାକୁ ହେବ ଏବଂ ମୋ ପିଲାମାନଙ୍କର ଆବଶ୍ୟକତା ପୂରଣ କରିବାକୁ ହେବ । ମୋର ଆଶା ମୁଁ ଯାହା କରୁଛି ସେଥିରେ ମୋ ପୁଅକୁ ଅସୁବିଧା ହେବନି । ସେ ଯାହା ଚାହିଁବ ପଢ଼ିପାରିବ ।’’ ତାଙ୍କ ଭାଇ ତାଙ୍କର କଥାକୁ ତାମିଲରୁ ଅନୁବାଦ କରି କହିଥିଲେ ।

ଆଲାଗୁ ପାଣ୍ଡି ଏବଂ ମଣି ଏମାନେ ସେହି ନିୟୁତ ନିୟୁତଙ୍କ ମଧ୍ୟରେ ଅନ୍ୟତମ । ଯେଉଁମାନେ ମୁମ୍ବାଇରେ ନୂତନ ସ୍ୱପ୍ନକୁ ହରାଇଛନ୍ତି ଏବଂ ଏକ ଜୀବିକା ମଧ୍ୟ ପାଇଛନ୍ତି । ଅନ୍ୟ ପ୍ରବାସୀମାନଙ୍କ ପରି ଏହି ‘ପମ୍‌-ପମ୍‌ ବାଲାମାନେ’ ଏହି ମହାନଗରରେ କିଛି ଯୋଡ଼ିଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Prarthana Uppal

Prarthana Uppal is on a two-year Teach For India fellowship programme, working with children from low-income backgrounds in Mumbai. She also writes for Harmony, a Mumbai-based magazine.

Other stories by Prarthana Uppal
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE