ସେମାନେ ଆସିଲେ । ସେମାନେ ପଦଯାତ୍ରା କଲେ । ସେମାନେ ସ୍ଲୋଗାନ୍ ଦେଲେ । ପ୍ରାୟତଃ ଦେଶର ସଂସଦର ଦ୍ୱାରଦେଶରେ ସେମାନେ ଏପରି କଲେ । ସେମାନଙ୍କୁ ସମ୍ବୋଧନ କରିବାକୁ ସେମାନେ ରାଜନୈତିକ ନେତୃତ୍ୱମାନଙ୍କୁ ବାଧ୍ୟ କଲେ । ଏବଂ ଶେଷରେ ସେମାନେ ଫେରିଗଲେ । ସେମାନେ ଗର୍ବର ସହ ଫେରିଥିଲେ ।

କିନ୍ତୁ ଏହା ସହଜ ନଥିଲା । ନଭେମ୍ବର ୩୦ ତାରିଖର ଶୀତୁଆ ସକାଳରେ ତାରା ଦେବୀ ଉଠିବାବେଳକୁ ତାଙ୍କର ହାଡ଼ ଥରୁଥିଲା । ସେ କହିଲେ, ‘‘ଖୋଲା ଆକାଶ ତଳେ ମାଟି ଉପରେ ଶୋଇବା(ରାମଲୀଳା ମୈଦାନରେ) ଯୋଗୁ ମୋର ଶରୀର କାଲୁଆ ହୋଇଯାଇଥିଲା ।’’ ସେହି ରାତି ପୂର୍ବରୁ ତାରା ଦେବୀ ବାରାଣସୀରୁ ଆସୁଥିବା ଏକ ଟ୍ରେନ୍‌ରେ ପ୍ରାୟ ୧୪ ଘଣ୍ଟାରୁ ଅଧିକ ସମୟ ବିତାଇ ସାରିଥିଲେ । ସେ କହିଲେ, ‘‘ମୋର ସ୍ୱେଟର ଚିରା । ମୋ ପାଖରେ ଖଣ୍ଡେ ମୋଟା କମ୍ବଳ ବି ନାହିଁ ।’’ ସକାଳ ୮ଟାରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରିବେଷିତ ଖେଚୁଡ଼ି ଜଳଖିଆ ଖାଇବା ପରେ ସେ ରାମଲୀଳା ମୈଦାନର ସବୁଠୁ ବ୍ୟସ୍ତବହୁଳ ଡାକ୍ତରମାନଙ୍କ ଷ୍ଟଲ ଆଡକୁ ଗଲେ । ଯେଉଁଠାରେ ସ୍ୱେଚ୍ଛାସେବୀ ଡାକ୍ତରମାନଙ୍କର ଏକ ଟିମ୍ ରୋଗ ସଂପର୍କରେ ଅଭିଯୋଗ କରୁଥିବା ସବୁ ଲୋକଙ୍କର ଚିକିତ୍ସା କରୁଥିଲେ ।

କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ମୈଦାନରେ ରହୁଥିବା ହଜାର ହଜାର ଚାଷୀଙ୍କ ମଧ୍ୟରୁ ଅନେକ ଔଷଧ ପାଇଁ ଡାକ୍ତରମାନଙ୍କ ପାଖକୁ ଯାଇଥିଲେ । ନଭେମ୍ବର ୨୮ ତାରିଖ ରାତିରେ ଯେତେବେଳେ ସେଠାକାର ତମ୍ବୁରେ କୌଣସି ଲାଇଟ୍ ନ ଥିଲା, କିଛି ଚାଷୀ ମେଡିକାଲ ଷ୍ଟଲ ନିକଟରେ ଦୁଇଟି ମୋଟରବାଇକକୁ ପାର୍କ କଲେ ଏବଂ ତାର ହେଡଲାଇଟ୍ ଜଳାଇଦେଲେ । ଚାଷୀମାନଙ୍କ ଉପରୁ ନିଜର ଆଖି ନ ହଟାଇ ସେମାନେ ଭୋଗୁଥିବା ସମସ୍ୟା ସଂପର୍କରେ ଡାକ୍ତର କେ.କେ. ମିତ୍ତଲ କହିଲେ, “ସେମାନଙ୍କ ମଧ୍ୟରୁ ଅଧିକାଂଶ କଫ, ଥଣ୍ଡା ଏବଂ ଯନ୍ତ୍ରଣା ନେଇ ଅଭିଯୋଗ କରୁଛନ୍ତି । ସେମାନେ ତାଙ୍କର କ୍ଷେତରୁ ଦିଲ୍ଲୀର ପ୍ରଦୂଷିତ ଜଳବାୟୁକୁ ଆସିଯାଇଛନ୍ତି ।’’

PHOTO • Shrirang Swarge
PHOTO • Shrirang Swarge
PHOTO • Shrirang Swarge

ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରିବେଶିତ ଜଳଖିଆ ଖାଇବା ପରେ ତାରା ଦେବୀ(ବାମ)ଙ୍କୁ ରାମଲୀଳା ମୈଦାନର ଡାକ୍ତରମାନଙ୍କ ଷ୍ଟଲ୍‌କୁ ଯିବାକୁ ପଡ଼ିଲା

ତାରା ଦେବୀ  କହିଲେ ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି, ପେଟରେ ଯନ୍ତ୍ରଣା ହେଉଛି ଏବଂ ତାଙ୍କୁ ବାନ୍ତି ଆସିବା ଭଳି ଲାଗୁଛି । ଡାକ୍ତର ମିତ୍ତଲ ତାଙ୍କ କଥା ଶୁଣିବା ପରେ କିଛି ଔଷଧ ଲେଖିଲେ ଏବଂ ତାଙ୍କୁ ଏକ ପ୍ୟାକେଟ୍ ଧରାଇଦେଲେ । ତାରା ଦେବୀ କହିଲେ, “ମୋତେ ଅବଶିଷ୍ଟ ଦିନ ପାଇଁ ଫିଟ୍ ରହିବାକୁ ପଡ଼ିବ ।’’

ଇତିମଧ୍ୟରେ, ରାମଲୀଳା ମୈଦାନରେ ଆହୁରି ଅଧିକ ଚାଷୀ ଏକତ୍ରିତ ହୋଇଗଲେ । ସେମାନଙ୍କ ମଧ୍ୟରୁ କିଛି ଡ୍ରମବାଦନ କରୁଥିଲେ, ଗୀତ ଗାଉଥିଲେ ଏବଂ ଲୋକନୃତ୍ୟ ପରିବେଷଣ କରୁଥିଲେ । ଆୟୋଜକମାନେ ସମବେତ ଜନସଂଖ୍ୟା ୫୦ ହଜାର ହୋଇଗଲା ବୋଲି କହିଲେ ଏବଂ ପରିବେଶ ଉଷ୍ମ ଥିଲା ।

୧୫୦-୨୦୦  କୃଷକ ସଂଘର ଏକ ଶାଖା ଦ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ସାରା ଦେଶର ଚାଷୀମାନଙ୍କୁ ସଂସଦ ଆଡକୁ ଅଗ୍ରସର ହେବା ଲାଗି ଉଦବୁଦ୍ଧ କରାଯାଇଥିଲା । ଦେଶର କୃଷି ସମସ୍ୟା ଉପରେ ଗୁରୁତ୍ୱାରୋପ କରିବା ଲାଗି ଏକ ସ୍ୱତନ୍ତ୍ର ୨୧ ଦିନିଆ ଅଧିବେଶନ ପାଇଁ ସେମାନେ ଦାବି କରିଥିଲେ ।  ଏହି ସମସ୍ୟା ଯୋଗୁ ୧୯୯୫-୨୦୧୫ ମଧ୍ୟରେ ଭାରତର ୩ ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି ।

ବିଭିନ୍ନ ରଙ୍ଗରୂପ ବିଶିଷ୍ଟ ଭାରତର ପ୍ରାୟ ୧୦୦ଟି ଜିଲ୍ଲାର ଚାଷୀମାନେ ଏଠାରେ ଅଛନ୍ତି । ମହାରାଷ୍ଟ୍ରର ଚାଷୀମାନେ ନାଲି ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି, ଉତ୍ତରପ୍ରଦେଶର ଚାଷୀମାନେ ହଳଦିଆ ପତାକା ଧରିଛନ୍ତି, ମଧ୍ୟପ୍ରଦେଶରୁ ଆସିଥିବା ଚାଷୀମାନେ ବାଇଗଣୀ ରଙ୍ଗର ଟି ସାର୍ଟ ପରିଧାନ କରିଛନ୍ତି ଯେତେବେଳେ କି ତାମିଲନାଡୁର ଚାଷୀମାନେ ସବୁଜ ରଙ୍ଗ ପରିଧାନ କରିଛନ୍ତି । ରାମଲୀଳା ମୈଦାନ ବିଶ୍ୱାସର ଇନ୍ଦ୍ରଧନୁ ପାଲଟିଯାଇଛି ।

PHOTO • Shrirang Swarge
PHOTO • Shrirang Swarge

ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା ଏବଂ ଋଣଛାଡ଼ ସେମାନଙ୍କର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଚାଷୀମାନଙ୍କର ସମସ୍ୟା ଓ ପ୍ରାଥମିକତା ଅଞ୍ଚଳ ଭିତ୍ତିରେ ଭିନ୍ନ ରହିଛି ।

ପଶ୍ଚିମ ମହାରାଷ୍ଟ୍ରର କିଛି ଚାଷୀ ମଧ୍ୟ ଜଳସେଚନ ସୁବିଧାର ଅଭାବ, ପାଣି ଅଭାବ ଏବଂ ଅନୁଚିତ ଫସଲବୀମା ଯୋଜନା ନେଇ ଅଭିଯୋଗ କରିଛନ୍ତି । ରାଜ୍ୟର ଆଦିବାସୀ ଚାଷୀମାନେ ଜଙ୍ଗଲ ଅଧିକାର ଆଇନ, ୨୦୦୬କୁ ଲାଗୁ କରିବା ପାଇଁ ଦାବି କରୁଛନ୍ତି ଯାହାକି ସେମାନଙ୍କୁ ସେମାନେ ଦୀର୍ଘ ଦିନ ହେଲା ଚାଷ କରୁଥିବା ଜମିର ଅଧିକାର ପ୍ରଦାନ କରିବ ।

ପଞ୍ଜାବରୁ ଆସିଥିବା ଚାଷୀମାନଙ୍କ ପାଇଁ ଧାନ ଏବଂ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ହେଉଛି ପ୍ରାଥମିକତା । ପଟିଆଲା ସହରର ବାସିନ୍ଦା ଜିଲତର ସିଂହ କହିଲେ ବର୍ଦ୍ଧିଷ୍ଣୁ ଡିଜେଲ, ସାର ଓ କୀଟନାଶକର ଦାମ୍ ସହିତ ବିନିଯୋଗ ଖର୍ଚ୍ଚ ବଢିଯାଇଛି, କିନ୍ତୁ ସେହି ଅନୁପାତରେ ଫସଲର ଦାମ୍ ବଢିନାହିଁ ।  ସକାଳ ପ୍ରାୟ ୧୦ଟା ସମୟରେ ପଦଯାତ୍ରା ଦିଲ୍ଲୀର ରାଜରାସ୍ତା ଦେଇ ରାମଲୀଳା ମୈଦାନରୁ ୪ କିମି ଦୂର ସଂସଦ ମାର୍ଗ(ପାର୍ଲିଆମେଣ୍ଟ ଷ୍ଟ୍ରିଟ୍) ଆଡକୁ ଯାଉଥିବା ବେଳେ ସେ ପ୍ରଶ୍ନ କରନ୍ତି, “ଗତ ୨୦ ବର୍ଷ ମଧ୍ୟରେ ଚାଷୀମାନଙ୍କର ଜୀବନଧାରଣର ସ୍ତର ଦେଶର ଅନ୍ୟ ବର୍ଗଙ୍କ ସହିତ ତାଳ ଦେଇ ବଢୁଛି କି?’’ ମୋଦି ସରକାର ଋଣଛାଡ଼ ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା ହୋଇନାହିଁ । ଏପରିକି ପଞ୍ଜାବରେ କଂଗ୍ରେସ ମଧ୍ୟ ଏହାକୁ ପାଳନ କରୁନାହିଁ ।’’

PHOTO • Shrirang Swarge

ଦିଆଯାଇଥିବା ବ୍ୟାରିକେଡ୍‌ ଡେଇଁ ଏବଂ ସୁରକ୍ଷା କର୍ମୀଙ୍କୁ ଅତିକ୍ରମ କରି ବିକ୍ଷୋଭକାରୀମାନେ ଆଗକୁ ବଢ଼ିଥିଲେ, ସେମାନଙ୍କ ଦ୍ୱାରା ଅଣାଯାଇଥିବା ପତାକା ଏବଂ ବ୍ୟାନରଗୁଡ଼ିକ ଏବେ ରାସ୍ତାର ଗୋଟିଏ ପଟ କବ୍‌ଜା କରିନେଇଥିଲା । କେତେକ ମହିଳା କୃଷକ ସାଙ୍ଗରେ ନିଜ ସ୍ୱାମୀଙ୍କର ଫଟୋ ଆଣିଥିଲେ, ଯେଉଁମାନେ ଆତ୍ମହତ୍ୟା କରିଥିଲେ । ନାରା ଓ ସ୍ଲୋଗାନ୍‌ ଜାରି ରହିଥିଲା, ବେଳେ ବେଳେ ଜୋରରେ ହେଉଥିଲା ଏବଂ ବାରମ୍ବାର ଶୁଣାଯାଉଥିଲା । ମଧ୍ୟାହ୍ନ ୧୨ଟା ସୁଦ୍ଧା, କୃଷକମାନେ ସଂସଦ ମାର୍ଗରେ ପହଞ୍ଚିଲେ, ଯେଉଁଠାରେ କୃଷକ ନେତାମାନେ କୃଷକମାନଙ୍କୁ ସମ୍ବୋଧନ କରିବା ପାଇଁ ଷ୍ଟେଜ୍‌ ନିର୍ମିତ ହୋଇଥିଲା । 

କେତେକ କୃଷକ ପତଳା ପାଲ ଉପରେ ବସିଥିଲେ, ଅନ୍ୟମାନେ ମାଟିରେ ବସିବା ପାଇଁ କାଗଜ ବିଛାଇଥିଲେ । ରାସ୍ତାର ଶେଷ ଯାଏଁ ସେମାନେ ପୂରଣ କରିଦେଇଥିଲେ । ଯେଉଁମାନେ ସକାଳେ ପହଞ୍ଚିଥିଲେ, ସେମାନେ ସାଙ୍ଗରେ ଖବରକାଗଜରେ ଗୁଡ଼ାଇ ଭାକରୀ ଓ ଚଟନୀ ଆଣିଥିଲେ । ଅନ୍ୟ ଯେଉଁମାନେ ଦିଲ୍ଲୀକୁ ଗୋଟିଏ ଦିନରୁ ଅଧିକ ସମୟ ହେଲା ଆସିଲେଣି, ସେମାନେ କିଛି ଖାଦ୍ୟ ଖାଇବା ପାଇଁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା  ରାସ୍ତାକଡ଼ ଖାଦ୍ୟ ଷ୍ଟଲ୍‌ଗୁଡ଼ିକୁ ଯାଇଥିଲେ । 

ଅପରାହ୍ନ ୪.୩୦ ଯାଏଁ ଭାଷଣ ଜାରି ରହିଲା । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କେତେକ ପ୍ରତିଷ୍ଠିତ କୃଷକ ନେତା କୃଷକମାନଙ୍କୁ ସମ୍ବୋଧନ କଲେ । ସମୟ ଗଡ଼ିବା ସହ, ଧୀରେ ଧୀରେ ଷ୍ଟେଜ୍‌ ବିଭିନ୍ନ ବିରୋଧୀ ରାଜନୈତିକ ଦଳର ନେତାଙ୍କ ଦ୍ୱାରା ପୂରଣ ହେବାରେ ଲାଗିଲା । ଏମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌, ନ୍ୟାସନାଲ୍‌ କରନଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା, ସମାଜବାଦୀ ପାର୍ଟି ନେତା ଶରଦ ଯାଦବ ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ସଭାପତି ଶରଦ ପାୱାର । ଏମାନେ ସମସ୍ତେ କୃଷିକ୍ଷେତ୍ରରେ ଦୂରାବସ୍ଥା ପାଇଁ ବର୍ତ୍ତମାନର ସରକାରଙ୍କୁ ଦାୟୀ କଲେ ଏବଂ ଖୋଲା ମଞ୍ଚରୁ କୃଷକମାନଙ୍କୁ ସମର୍ଥନ ପାଇଁ ପ୍ରତିଜ୍ଞା କଲେ । 

PHOTO • Shrirang Swarge
PHOTO • Shrirang Swarge

ସଂସଦ ମାର୍ଗରେ - କୃଷକମାନେ ଭାବନ୍ତି  ଯେ ଦିଲ୍ଲୀ ଆସିବା ନେଇ ସେମାନଙ୍କ ଶ୍ରମ ଯଥାର୍ଥ ଥିଲା । ଯାତ୍ରା ପରେ ବିହାରରୁ ଆସିଥିବା କୌଶଲ୍ୟା ଦେବୀ ଗୋଟିଏ ଚକୋଲେଟ୍‌ ଆଇସକ୍ରିମ୍‌ ଖାଉଛନ୍ତି ।

କେତେକ କୃଷକ ଧ୍ୟାନର ସହ ଶୁଣୁଥାନ୍ତି, ଅନ୍ୟମାନେ ତିନି ଦିନର କଷ୍ଟକର ଯାତ୍ରା ପରେ ଅପରାହ୍ନରେ ବିଶ୍ରାମ କରୁଥାନ୍ତି । ସଂଧ୍ୟା ସୁଦ୍ଧା, ସବୁ କାର୍ଯ୍ୟକ୍ରମ ଶେଷ ହେବା ଆରମ୍ଭ ହେଲା । କୃଷକମାନେ ସେମାନଙ୍କ ଜିନିଷ ପତ୍ର ଆଣିଥିବା କପଡ଼ା ବ୍ୟାଗ୍‌ ବା ଅନ୍ୟ ସାମଗ୍ରୀ ଉଠାଇଲେ, ଦେଶର ବିଭିନ୍ନ ସ୍ଥାନରେ ଥିବା ସେମାନଙ୍କ ଘରକୁ ଫେରିବାର ଆଉ ଏକ କଷ୍ଟକର ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଲେ । 

ସେଠାରେ ଥିବା କେତେକ ରିପୋର୍ଟର ପଚାରିଲେ ‘‘ଏତିକିରେ କଣ ସରିଲା? ଏହା ପରେ କ’ଣ ?’’ କିନ୍ତୁ କୃଷକମାନେ ଭାବୁଥିଲେ ଯେ ଦିଲ୍ଲୀ ଆସିବା ନେଇ ସେମାନଙ୍କ ଶ୍ରମ ଯଥାର୍ଥ ଥିଲା । ବିହାର ନୂଆୱା ଗାଁର ସରପଞ୍ଚ କୌଶଲ୍ୟା ଦେବୀ ଏହି ଶୋଭାଯାତ୍ରାରୁ ଆଶା ନେଇ ଫେରୁଛନ୍ତି । ଶୋଭାଯାତ୍ରା ପରେ ଗୋଟିଏ ଆଇସକ୍ରିମ୍‌ ଖାଉ ଖାଉ ସେ କହିଲେ, ‘ରାଜନେତାମାନେ ଆମକୁ ସମର୍ଥନ କଲେ, ସାମ୍ବାଦିକମାନେ ଆମ ରାଲି ବାବଦରେ ଖବର ପ୍ରସାରଣ କଲେ, ଏବଂ ବହୁ ସଂଖ୍ୟାରେ କୃଷକ ଆସିଲେ।’ ସେ ଆହୁରି ମଧ୍ୟ କହିଲେ, ‘‘ଏଠାକୁ ଆସି ଆହୁରି ଆଶ୍ୱସ୍ତି ମିଳିଲା ଯେ ତୁମେ କେବଳ ଏକୁଟିଆ ନୁହଁ ଯିଏ କଷ୍ଟ ସହୁଛି ଏବଂ ହଜାର ହଜାର ଅନ୍ୟ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ସମାନ ଯନ୍ତ୍ରଣା ଅନୁଭବ କରୁଛନ୍ତି ।’’ 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.