୫୫ ବର୍ଷୀୟ ଦଳିତ ଚାଷୀ ତୁରକା ବାବୁରାଓ ପଚାରିଲେ, ‘‘ଆମକୁ କ’ଣ ପାଇଁ ପଟ୍ଟା (ଶିରୋନାମା) ଥିବା ଜମି ମାଲିକଙ୍କଠାରୁ ଭିନ୍ନ କ୍ଷତିପୂରଣ ଦିଆଯାଉଛି?’’ ବାବୁରାଓ ଗୁଣ୍ଟୁର ଜିଲ୍ଲାର ରାୟପୁଡି ଗାଁର ବାସିନ୍ଦା । ରାୟପୁଡିରେ ପ୍ରାୟ ୪୮୦୦ ଲୋକ ରହୁଥିବାବେଳେ ତାଙ୍କର ଗୋଟିଏ ଏକରରୁ କମ୍ ଜମି ଅଛି । ସେ ନୂଆ ‘ବିଶ୍ୱସ୍ତରୀୟ’ ରାଜଧାନୀ ଅମରାବତୀ ପ୍ରତିଷ୍ଠା ଲାଗି ଆନ୍ଧ୍ରପ୍ରଦେଶ ସରକାର ଚାଷୀଙ୍କ ଠାରୁ ଜମି ଅଧିଗ୍ରହଣ  ବଦଳରେ ଦେଉଥିବା କ୍ଷତିପୂରଣ ସଂପର୍କରେ କହୁଛନ୍ତି । ସେ ଆହୁରି କହିଲେ, ‘‘ଆମର ଜମି ପଟ୍ଟା ଥିବା ଜମି ଅପେକ୍ଷା ଅଧିକ ଉର୍ବର କାରଣ ସେଗୁଡ଼ିକ କ୍ରିଷ୍ଣା ନଦୀକୁ ଲାଗି ରହିଛି ।’’

ଅନ୍ୟ ୮୦୦ ଚାଷୀଙ୍କ ସହିତ ବାବୁରାଓ ରାୟପୁଡ଼ିର ଆସାଇନଡ ଲ୍ୟାଣ୍ଡ ଫାର୍ମସ ୱେଲଫେୟାର ଆସୋସିଏସନ୍‌ର ସଦସ୍ୟ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅନୁସୂଚିତ ଜାତି (ଏସସି) ଏବଂ ଅନ୍ୟାନ୍ୟ ପଛୁଆ ଜାତି (ଓବିସି)ବର୍ଗର । ରାଜ୍ୟ ସରକାର ଯେତେବେଳେ ଆନ୍ଧ୍ରପ୍ରଦେଶ ଭୂମି ସଂସ୍କାର ଆଇନ, (Ceilings on Agricultural Holdings )୧୯୭୩ ଅନୁସାରେ ଜମି ବଣ୍ଟନ କଲେ ଏହି ଚାଷୀମାନଙ୍କୁ  କ୍ରିଷ୍ଣା ଓ ତାର ଟାପୁର କୂଳରେ ରାୟପୁଡ଼ିରେ ପ୍ରାୟ ୨୦୦୦ ଏକର (ସେମାନଙ୍କର ନିଜସ୍ୱ ଆକଳନ ଅନୁସାରେ)  ଜମି ଦିଆଯାଇଥିଲା । ଯେଉଁମାନେ ଏହି ଜମି ପାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଓ ଓବିସି ବର୍ଗର ଥିଲେ ।

ବାବୁରାଓ କହନ୍ତି, ‘‘ଆମେ ୩ ପିଢି ହେଲା ଏହି ଜମିକୁ ଚାଷ କରି ଆସୁଛୁ । ଏପରିକି ସେତେବେଳକୁ ଆମ ଦେଶ ସ୍ୱାଧୀନତା ପାଇନଥିଲା । ଇନ୍ଦିରା ଗାନ୍ଧୀ ଆମକୁ ପଟ୍ଟା ଦେଇ ଜମିର ମାଲିକାନା ସତ୍ତ୍ୱ ଦେଲେ ।’’ ଆନ୍ଧ୍ରପ୍ରଦେଶ ଆସାଇନ୍‌ଡ ଲ୍ୟାଣ୍ଡ (ହସ୍ତାନ୍ତର ବିରୋଧୀ ) ଆକ୍ଟ, ୧୯୭୭ ଅନୁସାରେ ଏହି ବଣ୍ଟନ ହୋଇଥିବା ଜମିକୁ କୌଣସି ଲୋକ କିଣି ପାରିବେ ନାହିଁ କିମ୍ବା ବିକ୍ରି କରାଯାଇପାରିବ ନାହିଁ । କେବଳ ଜଣେ ପରିବାର ସଦସ୍ୟଙ୍କଠାରୁ ଅନ୍ୟଜଣଙ୍କୁ ହସ୍ତାନ୍ତର କରାଯାଇପାରିବ ।

ରାଜ୍ୟ ସରକାର କିନ୍ତୁ  ତାଙ୍କର ‘ସବୁଜିମା’ ରାଜଧାନୀର ନିର୍ମାଣର ପ୍ରଥମ ପର୍ଯ୍ୟାୟ ପାଇଁ ୩୩ ହଜାର ଏକର ଜମି ଅଧିଗ୍ରହଣ କରୁଛନ୍ତି । ସ୍ଥାନୀୟ ସମାଜସେବୀଙ୍କ ଆକଳନ ଅନୁସାରେ ସେଥିମଧ୍ୟରୁ ପ୍ରାୟ ୧୦ ହଜାର ଏକର ହେଉଛି ଦିଆଯାଇଥିବା ଜମି । ବାକି ସବୁ ହେଉଛି ପଟ୍ଟାଜମି । ଉଚ୍ଚ ଜାତିର କମ୍ମା, କାପୁ ଏବଂ ରେଡ୍ଡି ଚାଷୀମାନେ ତାକୁ ଚାଷ କରନ୍ତି ।

Turaka Baburao
PHOTO • Rahul Maganti

ରାୟପୁଡି ଗାଁର ତୁରକା ବାବୁରାଓ କହନ୍ତି,  ‘‘ଆମେ ୩ ପିଢି ହେଲା ଏହି ଜମିକୁ ଚାଷ କରି ଆସୁଛୁ । ଏପରିକି ସେତେବେଳକୁ ଆମ ଦେଶ ସ୍ୱାଧୀନତା ପାଇନଥିଲା । ‘ଦିଆଯାଇଥିବା’ ଜମି ମଧ୍ୟରୁ ୧୦ ହଜାର ଏକରକୁ ସରକାର ଅଧିଗ୍ରହଣ କରୁଛନ୍ତି ।

୨୦୧୩ରେ କେନ୍ଦ୍ର ସରକାର ଭୂମି ଅଧିଗ୍ରହଣ, ପୁର୍ନବାସ ଏବଂ ପୁନଃବସତି ସ୍ଥାପନରେ ଉଚିତ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଅଧିକାର ଆଇନ(ଏଲଏଏଆର) ପାସ୍ କରିଥିବାବେଳେ ରାଜ୍ୟ ସରକାର ନୂଆ ରାଜଧାନୀ ପାଇଁ ଭୂମି ଅଧିଗ୍ରହଣ କରିବା ଲାଗି ତାଙ୍କର ନିଜସ୍ୱ ଭୂମି ଅଧିଗ୍ରହଣ ଯୋଜନା(ଲ୍ୟାଣ୍ଡ ପୁଲିଂ ସ୍କିମ୍ ବା ଏଲପିଏସ) ଆଣିଲେ । ଏଲଏଏଆରରେ ରହିଥିବା ନିରାପତ୍ତା ଓ ଯାଞ୍ଚ ବ୍ୟବସ୍ଥାକୁ ଏଲପିଏସରେ ଅବଜ୍ଞା କରାଯାଇଛି । ସେଥିମଧ୍ୟରେ ସାମାଜିକ ଏବଂ ପରିବେଶଭିତ୍ତିକ ପ୍ରଭାବକୁ ଆକଳନ କରିବା, ପ୍ରଭାବିତ ଲୋକଙ୍କ ମଧ୍ୟରୁ ଅତି କମ୍‌ରେ ୭୦ ପ୍ରତିଶତ ଲୋକଙ୍କର ଅନୁମତି ନେବା ଏବଂ ପୁନର୍ବାସ ଓ  ପୁନଃବସତିସ୍ଥାପନ ପ୍ୟାକେଜ୍ ପ୍ରଭୃତି ସାମିଲ। ଜାନୁଆରୀ ୨୦୧୫ରେ ଅଣାଯାଇଥିବା ଏଲପିଏସ୍‌ରେ କେବଳ ଯେଉଁମାନେ ଜମିର ମାଲିକ ସେମାନଙ୍କଠାରୁ ଅନୁମତି ନିଆଯାଇଛି ଏବଂ କୃଷିଶ୍ରମିକଙ୍କ ଭଳି ଜମି ଉପରେ ନିର୍ଭର କରୁଥିବା ଅନ୍ୟ ଲୋକଙ୍କୁ ବାଦ୍ ଦିଆଯାଇଛି । ଜମି ମାଲିକମାନେ ‘ସ୍ୱେଚ୍ଛାକୃତ’ ଭାବେ ସେମାନଙ୍କର ଜମିକୁ ରାଜ୍ୟକୁ ଦେଇ ପାରିବେ ଏବଂ ଆର୍ଥିକ କ୍ଷତିପୂରଣ ବଦଳରେ ନୂଆ ରାଜଧାନୀରେ ‘ପୁନଃନିର୍ମିତ ବିକଶିତ’ ପ୍ଲଟ୍ ପାଇପାରିବେ ।

୨୦୧୬ ମସିହା ଫେବୃୟାରୀ, ୧୭ ତାରିଖରେ ଆନ୍ଧ୍ରପ୍ରଦେଶର ପୌର ପ୍ରଶାସନ ଏବଂ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ।  ଯେଉଁଥିରେ ଦର୍ଶାଯାଇଥିଲା ଯେ, ଜମି ମାଲିକମାନେ ସ୍ୱେଚ୍ଛାକୃତ ଭାବେ ଦେଇଥିବା ପଟ୍ଟା ଜମିର ପ୍ରତି ଏକର ପିଛା ନୂଆ ରାଜଧାନୀରେ ୧୦୦୦ ବର୍ଗ ୟାର୍ଡର ଆବାସିକ ପ୍ଲଟ୍ ଏବଂ ୪୫୦ ବର୍ଗ ୟାର୍ଡର ବ୍ୟାବସାୟିକ ପ୍ଲଟ୍ ପାଇବେ, ଯେଉଁଠାରେ ଏକ ଦୋକାନ ବା ବ୍ୟବସାୟ କରିହେବ । ଜମିକୁ ପ୍ଲଟିଂ କରୁଥିବା ପ୍ରାଧିକରଣ ବା ଆନ୍ଧ୍ରପ୍ରଦେଶ ରାଜଧାନୀ ଅଞ୍ଚଳ ବିକାଶ ପ୍ରାଧିକରଣ(ଏପିସିଆରଡିଏ) ଅବଶିଷ୍ଟ ଜମିକୁ ରଖିବ ଏବଂ ତାକୁ ରାସ୍ତା ତିଆରି କରିବା, ସର୍ବସାଧାରଣ ବିଲ୍ଡିଂ, କାରଖାନା ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସୁବିଧା ନିର୍ମାଣ ପାଇଁ ବ୍ୟବହାର କରିବ ।

ଦିଆଯାଇଥିବା ଜମିର ପ୍ରତି ଏକର ପିଛା ଏପିସିଆରଡିଏ ୮୦୦ ବର୍ଗ ୟାର୍ଡର ଆବାସିକ ପ୍ଲଟ୍ ଏବଂ ୨୫୦ ବର୍ଗ ୟାର୍ଡର ବ୍ୟାବସାୟିକ ପ୍ଲଟ୍ କ୍ଷତିପୂରଣ ଭାବେ ଦେବାକୁ ସ୍ଥିର କରିଛି । କ୍ରିଷ୍ଣା ନଦୀରେ ଥିବା ଟାପୁରେ ରହିଥିବା ଦିଆଯାଇଥିବା ଜମି ପାଇଁ ସେହି କ୍ଷତିପୂରଣ ଆହୁରି କମ୍ । ସେଠାରେ ଜମି ଥିବା ଲୋକଙ୍କୁ ୫୦୦ ବର୍ଗ ୟାର୍ଡର ଆବାସିକ ପ୍ଲଟ୍ ଏବଂ ୧୦୦ ବର୍ଗ ୟାର୍ଡର ବ୍ୟାବସାୟିକ ପ୍ଲଟ୍ ମିଳିବ ।

PHOTO • Sri Lakshmi Anumolu
Field of maize. The fertile fields of Uddandarayunipalem, Lingayapalem and Venkatapalem villages in November 2014, before the whole land pooling exercise for the capital region has started.
PHOTO • Sri Lakshmi Anumolu

2014ରେ କ୍ରିଷ୍ଣା ନଦୀର ଉତ୍ତର କୂଳରେ ଥିବା ଗାଁଗୁଡ଼ିକରେ ‘ଦିଆଯାଇଥିବା’ ଜମିରେ ଫସଲରେ ଭରା କ୍ଷେତ, ରାଜଧାନୀ ଅଞ୍ଚଳରେ ଜମି ଏକତ୍ରିକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ

ଅବଶ୍ୟ ଅଧିକାଂଶ ପଟ୍ଟା ଜମିଧାରୀ ଅଲଗା ଅଲଗା  କ୍ଷତିପୂରଣକୁ ଠିକ୍ ବୋଲି ମନେ କରନ୍ତି । ନାମ ଗୋପନ ରଖିବା ସୂତ୍ରରେ ରାୟପୁଡିର ଜଣେ କମ୍ମା ଚାଷୀ କହନ୍ତି, ‘‘ଆମେ କଠିନ ପରିଶ୍ରମ କରି ଚାଷ କରୁଥିବା ଜମିକୁ ଉପାର୍ଜନ କରିଛୁ । ସେମାନେ (ଦିଆଯାଇଥିବା ଜମିର ମାଲିକମାନେ) ତାକୁ ସରକାରଙ୍କଠାରୁ ମାଗଣାରେ ପାଇଛନ୍ତି କାରଣ ସେମାନେ ଗରିବ । ଆମ ଉଭୟଙ୍କୁ କିଭଳି ସମାନ ଭାବେ ବ୍ୟବହାର କରାଯାଇପାରିବ?’’ ରାୟପୁଡିରୁ ୫ କିମି ଦୂରରେ ଉଦଣ୍ଡରୟୁନିପାଲେମରେ ପଟ୍ଟା ଜମିର ଅଧିକାରୀ ଆନୁମୋଲୁ ଗାନ୍ଧୀ ଜଣେ ପରିବେଶକର୍ମୀ ଯିଏକି କ୍ରିଷ୍ଣା ନଦୀର ଆର୍ଦ୍ରଭୂମିରେ ବିଶାଳ ରାଜଧାନୀର ପରିବେଶ ଉପରେ ପ୍ରଭାବ ସଂପର୍କରେ ଆଲୋକପାତ କରିଛନ୍ତି । ସେ କହନ୍ତି, ‘‘କ୍ଷତିପୂରଣରେ ବିବିଧତା ଜମି ଅଧିଗ୍ରହଣ ପାଇଁ ପଟ୍ଟା ଜମି ମାଲିକମାନଙ୍କୁ  ବୁଝାଇବା ଲାଗି (ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ) ନାଇଡୁଙ୍କ ଦ୍ୱାରା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା । ଯଦି କ୍ଷତିପୂରଣ ସମାନ ଥାନ୍ତା, ପଟ୍ଟା ଜମି ମାଲିକମାନେ କେବେହେଲେ ସେମାନଙ୍କର ଜମି ଦେଇନଥାନ୍ତେ କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିଆଯାଇଥିବା ଜମିକୁ ସରକାରଙ୍କ ଦ୍ୱାରା ଗରିବଙ୍କୁ ଦିଆଯାଇଥିବା ଟୁକୁଡ଼ା ବୋଲି ମନେ କରନ୍ତି ।’’

ଅବଶ୍ୟ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଓକିଲ ରବି କୁମାର ଯିଏକି ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ବିଭିନ୍ନ ଅଞ୍ଚଳରେ ଜବରଦସ୍ତ ଭୂମି ଅଧିଗ୍ରହଣ ଯୋଗୁ ବାସଚ୍ୟୁତ ହୋଇଥିବା ଲୋକଙ୍କ ପକ୍ଷ ଉପସ୍ଥାପନ କରିସାରିଛନ୍ତି  କହନ୍ତି ଯେ, ‘‘ସରକାରୀ ନିୟମ (କ୍ଷତିପୂରଣରେ ବିଭିନ୍ନତା)ର କୋର୍ଟ ଅଫ ଲ’ରେ କୌଣସି ଆଇନଗତ ସ୍ଥାନ ନାହିଁ ଏବଂ ତାହା ଅସାମ୍ବିଧାନିକ ।  ୨୦୦୪ର ଏକ ମାମଲାରେ ହାଇଦ୍ରାବାଦର ଚେଭେଲ୍ଲା ଡିଭିଜନ୍‌ର ଜମି ଅଧିଗ୍ରହଣ ଅଧିକାରୀ ବନାମ ମେକଳା ପାଣ୍ଡୁ ମାମଲାରେ ହାଇକୋର୍ଟ ଏକ ରାୟରେ କହିଥିଲେ ଯେ, ଉଭୟ ଦିଆଯାଇଥିବା ଜମି ଓ ପଟ୍ଟା ଜମି ପାଇଁ ଗୋଟିଏ ପ୍ରକାର କ୍ଷତିପୂରଣ ମିଳିବା କଥା ।’’

ଏଭଳି କୋର୍ଟଙ୍କ ରାୟ ଏବଂ ଏଲଏଏଆର ଆଇନ ଛଡ଼ା ଆନ୍ଧ୍ରପ୍ରଦେଶ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଜୁନ୍ ୨୦୧୬ରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା (ଜିଓ ନମ୍ବର-୨୫୯) । ସେଥିରେ କୁହାଯାଇଥିଲା ଯେ ଦିଆଯାଇଥିବା ଜମି ମାଲିକଙ୍କୁ ପଟ୍ଟା ଜମି ମାଲିକଙ୍କ ଭଳି ସମାନ କ୍ଷତିପୂରଣ ମିଳିବା କଥା । ‘‘ଯେତେବେଳେ କୌଣସି ସର୍ବସାଧାରଣ ଆବଶ୍ୟକତା ପାଇଁ ପ୍ରକଳ୍ପ ବା ସରକାରୀ ବିଭାଗ କିମ୍ବା କର୍ପୋରେସନ୍ ପାଇଁ ଦିଆଯାଇଥିବା ଜମି ଆବଶ୍ୟକ ପଡ଼ିବ ତାକୁ ପଟ୍ଟା (ଜମି) ଭଳି ନିଆଯାଇପାରିବ ବୋଲି ସେଥିରେ କୁହାଗଲା।’’

Thokala Pulla Rao
PHOTO • Rahul Maganti
PHOTO • Rahul Maganti

ବାମ: ଚିନ୍ତିତ ଥିବା ଥୋକଲା ପୁଲ୍ଲାରାଓ ତାଙ୍କର ଉର୍ବର ଜମିକୁ ପ୍ରାୟ ୬ ଲକ୍ଷ ଟଙ୍କାରେ ୨୦୧୬ରେ ବିକ୍ରି କରିଦେଲେ । ବର୍ତ୍ତମାନ ବଜାର ମୂଲ୍ୟ ଅନୁସାରେ ତାର ଦାମ୍ ଏକର ପିଛା ୫ କୋଟି ।  ଡାହାଣ: ପୁଲି ଚିନା ଲାଜାରସ୍ ତାଙ୍କର ପଟ୍ଟା ପାସବୁକ୍ ସହିତ

ରାୟପୁଡି ଗାଁର ବାବୁରାଓଙ୍କ ସହିତ ପଟ୍ଟା ଓ ଆସାଇନ୍ଡ ଜମିର ପ୍ରାୟ ୪୦୦୦ ମାଲିକ ଏଲପିଏସ୍‌କୁ ବିରୋଧ କରି ରାଜ୍ୟ ସରକାରଙ୍କୁ ସେମାନଙ୍କର ଜମିକୁ ଦେବାକୁ ମନା କରିଥିଲେ ।  ସେମାନେ ବୈଠକ ଓ ବିକ୍ଷୋଭର ଆୟୋଜନ କଲେ । ଅନୁସୂଚିତ ଜାତିଙ୍କ ପାଇଁ ଥିବା ଜାତୀୟ କମିଶନଙ୍କୁ ଲେଖିଲେ । କୌଣସି ବିକଳ୍ପ ନ ପାଇ ସରକାର ଏଲଏଏଆର ଆଇନକୁ ପ୍ରତ୍ୟାହାର କରି ନେଲେ । ଏହାପରେ ବିଭିନ୍ନ ଗାଁର ଚାଷୀମାନଙ୍କର ଭିନ୍ନ ଭିନ୍ନ ଗ୍ରୁପ୍ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆବେଦନ କଲେ । ସେମାନେ ଏଲଏଏଆର ଅଧୀନରେ ଭୂମି ଅଧିଗ୍ରହଣ ଉପରେ ଜୁନ୍ ୨୦୧୭ରୁ ରହିତାଦେଶ ପାଇଗଲେ ।

କ୍ରିଷ୍ଣା ନଦୀର ଉତ୍ତର କୂଳ ଓ ନଦୀର ଟାପୁରେ ଥିବା  ରାୟପୁଡି, ଉଦଣ୍ଡରୟୁନିପାଲେମ୍ ଏବଂ ଭେଙ୍କଟପାଲେମ୍ ଗାଁରେ ଥିବା ଦିଆଯାଇଥିବା ଜମି ରାଜ୍ୟର ଭବିଷ୍ୟତର ନଦୀକୂଳିଆ ରାଜଧାନୀ ପାଇଁ ଗୁରୁତ୍ୱପୂର୍ଣ୍ଣ । ଅମରାବତୀ ପାଇଁ ସିଙ୍ଗାପୁରର କିଛି କନଷ୍ଟ୍ରକ୍ସନ୍ କଂପାନିଙ୍କ ସମୂହ ଦ୍ୱାରା ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଥିବାବେଳେ ସେଥିରେ ଏକ ‘ସିଡ୍ କ୍ୟାପିଟାଲ’-୧୬୦୦ ଏକର ଜମିରେ ଏକ ମୁଖ୍ୟ ଅଞ୍ଚଳ ବିକଶିତ କରିବାକୁ ପ୍ରସ୍ତାବ ରହିଛି । ଏହାଛଡ଼ା ଏକ ଶିଳ୍ପ ଜୋନ୍, ଏକ ଐତିହ୍ୟ ଓ ପର୍ଯ୍ୟଟନ୍ ହବ୍ ଏବଂ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରାଯିବ । ସେଥିରେ ସମୁଦ୍ରକୂଳରେ ୱାଟର ପାର୍କ, ଆଡଭେଞ୍ଚର ଓ ଥିମ୍ ପାର୍କ ଏବଂ ଗଲଫ୍ କୋର୍ସ ବିକଶିତ କରାଯିବ ।

ବିଭିନ୍ନ ନ୍ୟୁଜ ରିପୋର୍ଟ ଅନୁସାରେ ରାଜଧାନୀର ଡିଜାଇନ୍ ଓ ନିର୍ମାଣରେ ସାମିଲ ଥିବା କଂପାନିମାନେ ସେମାନଙ୍କର ବ୍ୟବସାୟ ପାଇଁ ୬୦୦୦ରୁ ୧୦୦୦୦ ଏକର ଜମି ପାଇବେ । ସେମାନେ ପ୍ରକୃତରେ କେତେ ଜମି ପାଇବେ ସେ ନେଇ ନିର୍ଦ୍ଦିଷ୍ଟ ସୂଚନା ଜଣାନାହିଁ । କାରଣ କଂପାନି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା (ଏମଓୟୁ)କୁ ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ ।

ବାବୁରାଓଙ୍କ ବନ୍ଧୁ ଓ ଚାଷୀ ଥୋକଲା ପୁଲ୍ଲାରାଓ, ୬୦ଙ୍କ ନିକଟରେ ୦.୭୭ ଏକର ଜମି ଥିଲା, ସେ ରାୟପୁଡ଼ିରେ ଆସାଇନଡ ଲ୍ୟାଣ୍ଡ ଫାର୍ମସ ୱେଲଫେୟାର ଆସୋସିଏସନର ସଦସ୍ୟ ମଧ୍ୟ ଅଛନ୍ତି  । ପୁଲ୍ଲାରାଓ ତାଙ୍କର ଉର୍ବର ଜମିକୁ ୨୦୧୬ରେ ରିଅଲ ଇଷ୍ଟେଟ୍ ଦଲାଲଙ୍କୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ (ଯଦିଓ ଏହି କାରବାର ପାଇଁ ଅନୁମତି ନାହିଁ ।) ବର୍ତ୍ତମାନ ପରିସ୍ଥିତିରେ ବଜାରରେ ସେହି ଜମିର ମୂଲ୍ୟ ଏକର ପିଛା ଅତି କମ୍‌ରେ ୫ କୋଟି ଟଙ୍କା ।

A signboard showing the directions to the yet to be constructed Ambedkar Smriti Vanam
PHOTO • Rahul Maganti

ବାମ- ଜମି ଅଧିଗ୍ରହଣକୁ ବିରୋଧ କରି ରାଜନୈତିକ ଦଳ ଓ କର୍ମୀମାନେ ବିକ୍ଷୋଭ କରୁଛନ୍ତି । ଡାହାଣ -  ପ୍ରସ୍ତାବିତ ଆମ୍ବେଦକର ସ୍ମାରକୀ ଓ ପାର୍କ ଉଲ୍ଲେଖ ଥିବା ଏକ ସାଇନ୍‌ ବୋର୍ଡ

ପୁଲ୍ଲାରାଓ କହିଲେ ‘‘ମୁଁ ଭୟ କରୁଥିଲି ଯେ ବୋଧହୁଏ ମୁଁ କ୍ଷତିପୂରଣ ପାଇବି ନାହିଁ, କାରଣ ସରକାର ଏହା ତାଙ୍କ ଜମି ବୋଲି କହିଆସୁଥିଲେ । ରାଜସ୍ଵ ଅଧିକାରୀମାନେ ଆମକୁ କହିଲେ ଯେ ଯେହେତୁ ସରକାର ହିଁ ଆମକୁ ଜମି ଦେଇଥିଲେ, ଆବଶ୍ୟକସ୍ଥଳେ ସରକାର ତାକୁ ନେଇଯାଇପାରିବେ । ଯେହେତୁ ଆମକୁ ଆଇନ ବାବଦରେ କିଛି ଜଣା ନ ଥିଲା, ଆମେ ଏହାକୁ ସତ ବୋଲି ଭାବିନେଲୁ ।’’ ପୁଲ୍ଲାରାଓଙ୍କ ଭଳି ଜମି ମାଲିକଙ୍କର ଭୟ କାରଣରୁ ଦଲାଲ୍‌ମାନେ ଏହା ଉପରେ ଟଙ୍କା ଆୟ କଲେ । କୃଷକ ଓ ସ୍ଥାନୀୟ ଗଣମାଧ୍ୟମର ଦାବି ଅନୁସାରେ ଅଧିକାଂଶ ଦଲାଲ୍‌ମାନେ ହେଉଛନ୍ତି ଶାସକ ତେଲଗୁ ଦେଶମ ପାର୍ଟିର ବେନାମି(କର୍ମୀ) ଏବଂ କେତେକ ନେତାମାନେ ନିଜେ ମଧ୍ୟ ଏହି କାମ କରୁଥାନ୍ତି ।

ନ୍ୟାସନାଲ୍‌ ଆଲାଏନ୍ସ ଅଫ୍‌ ପିପୁଲ୍ସ ମୁଭମେଣ୍ଟ(ଏନ୍‌ଏପିଏମ୍‌)ର ଗୋଟିଏ ୨୦୧୪ ମସିହାର ଫ୍ୟାକ୍ଟ ଫାଇଡିଂ କମିଟି ଉଲ୍ଲେଖ କରିଥିଲା ଯେ ଦିଆଯାଇଥିବା ପ୍ରାୟ ୩,୫୦୦ ଏକର ଜମି ୨୦୧୪ ନଭେମ୍ବରେ କିଣାବିକା ହୋଇଥିଲା ଏବଂ ଗୋଟିଏ ମାସ ଭିତରେ ୪,୦୦୦ କୋଟି ଟଙ୍କା ଏହାତରୁ ସେ ହାତ ହୋଇଥିଲା । ରିପୋର୍ଟ ଅନୁସାରେ ରାଜସ୍ଵ କର୍ତ୍ତୃପକ୍ଷ ଏବଂ ରିୟଲ୍‌ ଇଷ୍ଟେଟ୍‌ ଦଲାଲ୍‌ମାନେ ହାତ ମିଳାଇ ଏହି କାରବାର କରିଥିଲେ ।

ପୁଲ୍ଲାରାଓ ଭାବନ୍ତି ଯେ ଯେତେବେଳେ ଅମରାବତୀ ସମ୍ପୂର୍ଣ୍ଣ ହୋଇଯିବ, ଏହା ଘୋଟୋମାନଙ୍କର ଏକ ସହର ହୋଇଯିବ । ସେ କହନ୍ତି, ‘‘ନୂଆ ରାଜଧାନୀରେ ବି ଜାତି ଭିତ୍ତିରେ ଭେଦଭାବ ରହିବ । ଦିଆଯାଇଥିବା ଜମିର ସବୁ ମାଲିକଙ୍କୁ ଗୋଟିଏ ସ୍ଥାନରେ ପ୍ଲଟ୍‌ ଦିଆଯାଉଛି ଏବଂ ପଟ୍ଟା ଥିବା ଜମି ମାଲିକଙ୍କୁ ଅନ୍ୟ ସ୍ଥାନରେ ଜମି ଦିଆଯାଉଛି । ଏହା ପୁଣି ଥରେ ଏକ ଗାଁ ସୃଷ୍ଟି କରିବ ଯେଉଁଠାରେ ଜାତି ଜାତି ମଧ୍ୟରେ ପାଚେରୀ ସ୍ପଷ୍ଟ ଭାବେ ଚିହ୍ନିତ ହୋଇଥିବ ।’’

୨୦୧୭ ଏପ୍ରିଲ୍‌ ୧୪ ତାରିଖରେ, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନୂଆ ରାଜଧାନୀରେ ଡକ୍ଟର ବି ଆର୍‌ ଆମ୍ବେଦକରଙ୍କର ୧୨୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତିର ଶିଳାନ୍ୟାସ କରିଛନ୍ତି । ୨୦ ଏକରର ସେହି ପ୍ଲଟ୍‌କୁ ଆମ୍ବେଦକର ସ୍ମୃତି ବନ ବୋଲି କୁହାଯିବ । ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ ବଗିଚା ଏବଂ ପ୍ରତିମୂର୍ତ୍ତି ପାଇଁ ୧୦୦ କୋଟି ଟଙ୍କା ବରାଦ କରାଯାଇଛି । ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅମରାବତୀ ଦ୍ଵିତୀୟ ଶତାବ୍ଦୀର ଡେକାନ ଅଞ୍ଚଳର ବୌଦ୍ଧଧର୍ମାବଲମ୍ବୀ ସାତବାହାନଙ୍କ ସାମ୍ରାଜ୍ୟ ଦ୍ଵାରା ଅନୁପ୍ରାଣିତ ଯାହାକି ଅମରାବତୀ ବୋଲି କୁହାଯାଉଥିଲା ।

କିନ୍ତୁ ବାବୁରାଓ ପଚାରିଲେ, ‘‘ଯେତେବେଳେ ତୁମେ ଆମ୍ବେଦକରଙ୍କ ବିଚାରଧାରାକୁ ଅନୁକରଣ କରୁନାହଁ ଏବଂ ଗରିବ ଓ ଦଳିତଙ୍କୁ ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବେ ବ୍ୟବହାର କରୁଛ ସେତେବେଳେ ଆମ୍ବେଦକରଙ୍କ ନାଁରେ ଅଟ୍ଟାଳିକା, ପ୍ରତିମା ଏବଂ ବଗିଚା ତିଆରି କରିବାର ମୂଲ୍ୟ କ’ଣ? ’’

କଭର ଫଟୋ -  ଶ୍ରୀ ଲକ୍ଷ୍ମୀ ଆନୁମୋଲୁ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti