“ମଦଦୋକାନଗୁଡ଼ିକ ଚା' କଡ୍ଡା[ଦୋକାନ] ପରି ଖେଳାଇ ହୋଇ ରହିଛି। ଆଗରୁ ସେଗୁଡ଼ିକ ଦୂରରେ ଥିଲା ତେଣୁ ସେଠାକୁ ଚାଲିକରି ଯିବା ଲୋକଙ୍କ ପକ୍ଷେ ସହଜ ନଥିଲା। ଏବେ ଏଠାରୁ ତିନି କିଲୋମିଟର ଦୂରରେ ଗୋଟେ ଦୋକାନ ଅଛି, ଯଦି ଆପଣ ସେଠାକୁ ଚାଲିକରି ଯାଇପାରିବେ ନାହିଁ, ତେବେ ଅଟୋ ଡ୍ରାଇଭର୍‌ ଏହା ଆପଣଙ୍କ ଘରେ ପହଞ୍ଚାଇ ଦେବ। ’’

ତେଣୁ ଆଜି ଏପ୍ରିଲ୍‌ ୧୮ ତାରିଖରେ ଯେତେବେଳେ ୩୨ ବର୍ଷ ବୟସ୍କା କଟ୍ଟୁନାୟକନ୍‌ ଆଦିବାସୀ ଏମ୍‌.ଭି. ଶାନ୍ତିନି ନିଜ ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ସରକାରୀ ସ୍କୁଲ୍‌କୁ ନିକାଞ୍ଚନ ମାଟି ରାସ୍ତାରେ ଚାଲି ଚାଲି ଯାଇ ଲୋକସଭା ନିର୍ବାଚନ ପାଇଁ ନିଜର ଭୋଟ ଦେବେ, ସେତେବେଳେ ଏହି ଅନୁରୋଧ ସହିତ: ‘‘ଆଗାମୀ ସରକାର ଯାହାର ବି ହେଉ ତାଙ୍କ ପ୍ରତି, ଦୟାକରି ଆମ ଘରକୁ ଶାନ୍ତି ଫେରାଇ ଆଣ ଯାହା ବୋତଲ ଦ୍ୱାରା ଭାଙ୍ଗି ଯାଇଛି।’’

ଶାନ୍ତିନି, ଯେ ୧୫-୧୭ ଘର ବିଶିଷ୍ଟ ଏକ ପଡ଼ା ମାଛିକୋଲିରେ ରୁହନ୍ତି କୁହନ୍ତି ଯେ  ନିର୍ବାଚନରେ କିଏ ପ୍ରାର୍ଥୀ ସେକଥା ସେଜାଣନ୍ତି ନାହିଁ। ତାଙ୍କର ପଡ଼ା ଗୁଦାଲୁର ବ୍ଲକ୍‌ର ଦେବରଶୋଲା ସହର ପଞ୍ଚାୟତରେ ଅଛି ଯାହାକି ତାମିଲନାଡୁର ନୀଳଗିରି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଅଛି। ୨୦୧୪ରେ ଏହି ଆସନ ପାଇଁ ନିର୍ବାଚକ (ପଞ୍ଜିକୃତ ଭୋଟର)ଙ୍କ ସମୁଦାୟ ସଂଖ୍ୟା ଥିଲା ୧୨.୭୦ ଲକ୍ଷ।

କିନ୍ତୁ ଶାନ୍ତିନି ସ୍ପଷ୍ଟଭାବରେ ଜାଣନ୍ତି ତାଙ୍କ ଜୀବନକୁ ଉନ୍ନତ କରିବା ପାଇଁ ବିଜେତା କ’ଣ କରିପାରିବେ। ରାଜ୍ୟର ନିମ୍ନ ଆୟ ପରିବାରରୁ ଆସିଥିବା ଅନ୍ୟ ମହିଳାଙ୍କ ପରି ଶାନ୍ତିନି ଛତୁ ଫୁଟିଲା ପରି ସରକାରୀ ମଦଦୋକାନଗୁଡ଼ିକ ଦ୍ୱାରା ବିବ୍ରତ। ଏହି ଦୋକାନଗୁଡ଼ିକୁ ତାମିଲନାଡ଼ୁ ଷ୍ଟେଟ୍‌ ମାର୍କେଟିଂ କର୍ପୋରେସନ୍‌ ଅନୁଯାୟୀ ସ୍ଥାନୀୟ ଭାବରେ କୁହାଯାଏ ଟାସମାକ୍ସ(ଟିଏଏସ୍ଏମ୍ଏସି)। ୨୦୦୨ ମସିହାଠାରୁ ମଦର ହୋଲ୍‌ସେଲ୍‌ ଏବଂ ଖୁଦୁରା ମଦ ବିକ୍ରୟ ଉପରେ ଏହାର ଏକଚାଟିଆ ଅଧିକାର ରହିଛି।

ଦୁଃଖିତ ଶାନ୍ତିନି କୁହନ୍ତି, ‘‘ ଆମ ସ୍ୱାମୀମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଶ୍ରମିକ। ସେମାନେ ନିଜ ମଜୁରି ପିଇବାରେ ସାରି ଦିଅନ୍ତି। ସେମାନେ ଦିନକୁ ଯେଉଁ ୨୫୦ ଟଙ୍କା ରୋଜଗାର କରନ୍ତି ତାହା ମଦ କିଣିବା ଏବଂ ପରିବାର ପାଇଁ ଖାଦ୍ୟ ଯୋଗାଇବାକୁ ଯଥେଷ୍ଟ ହୁଏନି। ଏହି ଅବସ୍ଥାରେ ହିଁ ଘରେ ପରିସ୍ଥିତି ହିଂସ୍ର ହୋଇଯାଏ।’’ ଶାନ୍ତିନି ନିଜ ତିନି ପିଲାଙ୍କ ଦେଖାଶୁଣାରେ ସମୟ କାଟନ୍ତି । ତାଙ୍କର ଜ୍ୟେଷ୍ଠ ସନ୍ତାନର ବୟସ ୧୦ ବର୍ଷ।

Like many lower income women in the state, Shantini is aggrieved by the mushrooming of  government owned liquor stores or TASMACs, as they are popularly called in Tamil Nadu
PHOTO • Vishaka George
Shantini, 32 (left), is a Kattunayakan adivasi who lives with her relatives in Machikoli, a village in Devarshala taluk right next to the Mudumalai Tiger Reserve in Tamil Nadu’s mountainous Nilgiris district.
PHOTO • Vishaka George

ଜଣେ କୁଟ୍ଟୁନାୟକନ୍ ଆଦିବାସୀ ଶାନ୍ତିନି କୁହନ୍ତି:  ‘ଦୟାକରି ବୋତଲ ଦ୍ୱାରା ଭାଙ୍ଗି ଯାଇଥିବା ଘରର ଶାନ୍ତି ଫେରାଇ ଆଣନ୍ତୁ’

‘‘ଆଦିବାସୀ ସମ୍ପ୍ରଦାୟମାନେ ସେମାନଙ୍କର ନିଜସ୍ୱ ମଦ  ଶସ୍ୟ, ଚାଉଳ ଏବଂ ଫଳରୁ ପ୍ରସ୍ତୁତ କରିବାରେ ଅଭ୍ୟସ୍ତ । କିନ୍ତୁ ସରକାର ବେଆଇନ ମଦ ଉପରେ ଚଢାଉ କରିବା କାରଣରୁ ଆଦିବାସୀ ପୁରୁଷମାନେ ଟାସମାକ୍‌ ଉପରେ ନିର୍ଭର କରିବା ଆରମ୍ଭ କଲେ। ତାମିଲନାଡୁରେ ଗତ ୧୫ବର୍ଷ ଧରି ମଦ ଏବଂ ନିଶାଦ୍ରବ୍ୟ ଦୂରୁପଯୋଗ ସମ୍ପର୍କିତ ମାମଲାରେ କାର୍ଯ୍ୟ କରୁଥିବା ବିକାଶ କର୍ମୀ ଚେନ୍ନାଇ ବାସିନ୍ଦା ଏ.ନାରାୟଣନ୍‌ କୁହନ୍ତି, ‘‘ଏବେ ଆଭ୍ୟନ୍ତରୀଣ ଅଞ୍ଚଳ ଯେଉଁଗୁଡ଼ିକ ଆଦିବାସୀ ଅଞ୍ଚଳ ନିକଟସ୍ଥ ସେଠାରେ ମଧ୍ୟ ଟାସମାକ୍‌ ଅଛି ।’’

ଇଣ୍ଟରନେଟ୍‌ରେ ଟାସମାକ୍‌ ସାଇଟ୍‌ଗୁଡ଼ିକର ସୂଚନା ଅନୁଯାୟୀ ଏସବୁ ଦୋକାନରୁ ୨୦୧୬-୨୦୧୭ ଆର୍ଥିକ ବର୍ଷର ସମୁଦାୟ ରାଜସ୍ୱ ୩୧,୪୧୮ କୋଟି ଟଙ୍କା ଥିଲା । ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ନ୍ୟାୟାଧୀଶ କେ. ଚନ୍ଦ୍ରୁ କୁହନ୍ତି, ‘‘ରାଜ୍ୟର ଆୟ ଦୃଷ୍ଟିରୁ ଏହା ଏକ ବୃହତ୍ତ ପରିମାଣ। ମୁଁ ଭାବିପାରୁନି କ୍ଷମତାକୁ ଆସୁଥିବା କୌଣସି ଦଳ ଏହା ଉପରେ ସମୁଦାୟ କଟକଣା ଜାରି କରିବେ । ଅତିବେଶିରେ ଖୁଚୁରା ଦୋକାନରେ ବ୍ୟବସାୟର ନିର୍ଘଣ୍ଟ ହ୍ରାସ ହୋଇପାରେ।’’

ତାମିଲନାଡୁରେ ଟାସମାକ୍‌ଗୁଡ଼ିକ ଏକୁଟିଆ ଦୋକାନ ନଚେତ୍‌ ଘରୋଇ ମାଲିକଙ୍କୁ ସରକାରଙ୍କ ଦ୍ୱାରା ନିଲାମ ହୋଇଥିବା ବାର୍‌ ନିକଟରେ ରହିଛି । ନ୍ୟାୟାଧୀଶ ଚନ୍ଦ୍ରୁ କୁହନ୍ତି, ‘‘ବାର୍‌ ପରିଚାଳନା ପାଇଁ ଅନୁମୋଦନ ପ୍ରଦାନ କ୍ଷେତ୍ରରେ ଅନେକ ଧରାଧରି ହୁଏ ଏବଂ ଅଧିକାଂଶ ବାର୍‌ଗୁଡ଼ିକ ପ୍ରଭାବଶାଳୀ ରାଜନେତାଙ୍କ ଦ୍ୱାରା ପରିଚାଳିତ ।’’

ନାରାୟଣନ୍‌ କୁହନ୍ତି, ‘‘ଆଜି ପର୍ଯ୍ୟନ୍ତ ନିଶା ଅଭ୍ୟାସ ଏବଂ ଦୁରୂପଯୋଗ ବ୍ୟାପ୍ତିକୁ ଅଟକାଇବା ପାଇଁ କୌଣସି ପ୍ରତିକାରାତ୍ମକ ପଦକ୍ଷେପ ନିଆଯାଇନାହିଁ । ଟାସମାକ୍‌ ଦ୍ୱାରା ଆଦାୟ ହେଉଥିବା ରାଜସ୍ୱ କାରଣରୁ ଏହା ସରକାର ବାଘକୁ ଲାଞ୍ଚରୁ ଧରିଥିବା ପରି ଅବସ୍ଥା । ମଦ ଅପବ୍ୟବହାର ଏକ ମୁଖ୍ୟ ବିକାଶ ପ୍ରସଙ୍ଗ ହୋଇଥିବା ସତ୍ତ୍ୱେ ସରକାର ଏହାକୁ ଛାଡ଼ି ପାରିବେ ନାହିଁ ।’’

ବର୍ତ୍ତମାନ ତାମିଲନାଡୁରେ ୫୧୯୮ଟି ଟାସମାକ୍‌ ଅଛି ବୋଲି ୨୦୧୯-୨୦୨୦ ନିମନ୍ତେ ରାଜ୍ୟ ବଜେଟ୍‌ରୁ ଜଣାପଡିଛି । ପୂର୍ବରୁ ଆଇଏଫ୍‌ଏମ୍‌ଏଲ୍‌-ଭାରତରେ ପ୍ରସ୍ତୁତ ବିଦେଶୀ ମଦ ବିକ୍ରୟ କରୁଥିବା  ଖୁଚୁରା ଟାସମାକ୍‌ ଦୋକାନର ସଂଖ୍ୟା ୭,୮୯୬ ଥିଲା । ସରକାରଙ୍କର ସଫେଇ ଯେ, ଏଗୁଡ଼ିକ ବନ୍ଦ କରିବା ରାଜ୍ୟରେ ମଦ ସମସ୍ୟା ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କରାଯାଇଛି । ନ୍ୟାୟାଧୀଶ ଚନ୍ଦ୍ରୁ ଅନ୍ୟ କାରଣ ମଧ୍ୟ ଦର୍ଶାନ୍ତି । ଏ ମଧ୍ୟରୁ ଗୋଟିଏ ହେଉଛି ୨୦୧୭ର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ। ଏହା ରାଜ୍ୟ କିମ୍ବା ଜାତୀୟ ରାଜପଥଠାରୁ ୫୦୦ ମିଟର ମଧ୍ୟରେ କୌଣସି ବାର୍‌କୁ ନିଷେଧ କରିଛି । ପୂର୍ବତନ ବିଚାରପତି କୁହନ୍ତି, ‘‘ତଥାପି ରାଜ୍ୟ ଏହା ମଧ୍ୟରେ ଗୋଟିଏ ରାସ୍ତା ବାହାର କରିପାରିଛି  କେତେକ ରାଜପଥକୁ ପୁନଃନାମିତ କରି । ତେଣୁ ବାସ୍ତୁବରେ ଏହି ହ୍ରାସ ମାତ୍ର ୧୦ ପ୍ରତିଶତ । କାରଣ ଏହିମଧ୍ୟରୁ ଅନେକଗୁଡ଼ିଏ ଗଳିଆ ବାଟ କାରଣରୁ ପୁନଃ ଖୋଲା ହେଲାଣି ।’’

କେତେକ କ୍ଷେତ୍ରରେ ଟାସମାକ୍‌ଗୁଡ଼ିକ ସ୍କୁଲ, କଲେଜ ଏବଂ ଆରାଧନା ସ୍ଥଳର ଖୁବ୍‌ ନିକଟରେ ରହିଛି । ନାରାୟଣ କୁହନ୍ତି, ‘‘ଏଗୁଡ଼ିକ ବନ୍ଦ ହୋଇଯିବା ଦରକାର କାରଣ ଏହା ଆଇନ ବିପକ୍ଷରେ ଯାଉଛି।’’

Shantini, 32, is a Kattunayakan adivasi who lives in Machikoli, a village in Devarshala taluk right next to the Mudumalai Tiger Reserve in Tamil Nadu’s mountainous Nilgiris district.  The route to her home is a narrow, steep and winding mud road that runs for two kilometers.
PHOTO • Vishaka George
Shantini, 32 (left), is a Kattunayakan adivasi who lives with her relatives in Machikoli, a village in Devarshala taluk right next to the Mudumalai Tiger Reserve in Tamil Nadu’s mountainous Nilgiris district.
PHOTO • Vishaka George

ବାମ: ମାଛିକୁଲିପଡ଼ାକୁ ନିର୍ଜନ ତୀଖ ମାଟି ରାସ୍ତା। କୁଲି କୁହନ୍ତି, ‘‘ଆମର ଜୀବନ ଆମର ବଞ୍ଚି ରହିବାକୁ ନେଇ। ଆମେ ଭୋକିଲା ରହିବାକୁ ଚାହୁଁନୁ।

ବାସ୍ତବରେ, ଶାନ୍ତିନିଙ୍କ ପରି ଗ୍ରାମବାସୀଙ୍କ ନିମନ୍ତେ ମଦ ଦୁରୂପଯୋଗ ସଂକ୍ରାନ୍ତ ଦୁର୍ବଳ ପ୍ରସଙ୍ଗ ଏହି ଲୋକସଭା ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କ ପାଇଁ ପ୍ରସଙ୍ଗ ନୁହେଁ । ୨ଜି ସ୍ପେକ୍ଟ୍ରମ ଦୁର୍ନୀତିରେ ଅଭିଯୁକ୍ତ ହୋଇ ଏବଂ ଏହା ପରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ର ଟେଲିକମ ମନ୍ତ୍ରୀ ଏ ରାଜା ନୀଳଗିରିରୁ ଦ୍ରାବିଡ଼ ମୁନେତ୍ରା କାଝାଗମ (ଡିଏମ୍‌କେ)ଦଳର ପ୍ରାର୍ଥୀ।  ଏମ୍‌ ଥିଆଗରାଜନ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝଗମ (ଏଆଇଏଡିଏମ୍‌କେ)ର ପ୍ରାର୍ଥୀ । ଅଶୋକ କୁମାର ଆର୍‌ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ।

ସମ୍ବାଦପତ୍ରଗୁଡ଼ିକର ସୂଚନା ଅନୁଯାୟୀ ଡିଏମ୍‌କେର ଘୋଷଣାପତ୍ର ଅନେକ ପ୍ରତିଶ୍ରୁତି ଦେଇଛି । ଏ ମଧ୍ୟରେ ରହିଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଏକ ବ୍ୟବସାୟ ଆରମ୍ଭ କରିବା ନିମନ୍ତେ ୫୦ହଜାର ଟଙ୍କା ପ୍ରଦାନ କରାଯିବ; ପ୍ରାୟ ୫୦ଲକ୍ଷ ଲୋକଙ୍କୁ ଘରୋଇ କମ୍ପାନୀଗୁଡ଼ିକରେ ମାସିକ ୧୦,୦୦୦ ଟଙ୍କା ଦରମାରେ କାମ ଯୋଗାଇ ଦିଆଯିବ; ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନରେ କର୍ମଦିବସର ସଂଖ୍ୟା ବର୍ଷକୁ ୧୫୦କୁ ବୃଦ୍ଧି କରାଯିବ ।

ସମ୍ବାଦପତ୍ରର ସୂଚନା ଅନୁଯାୟୀ ଏଆଇଏଡିଏମ୍‌କେ ଏକ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଆରମ୍ଭ କରିବାକୁ ଯାଉଛି, ଯାହା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ମାସିକ ୧୫୦୦ଟଙ୍କା ପ୍ରତ୍ୟେକ୍ଷ ଭାବରେ ହସ୍ତାନ୍ତର କରିବ, ନିରାଶ୍ରୟ ମହିଳା, ରୋଜଗାରହୀନ ବିଧବା, ଭିନ୍ନକ୍ଷମ ବ୍ୟକ୍ତି, ଭୂମିହୀନ କୃଷି ଶ୍ରମିକ, ଗ୍ରାମୀଣ ଏବଂ ସହରାଞ୍ଚଳ ଶ୍ରମିକ, ନିରାଶ୍ରୟ, ବରିଷ୍ଠ ନାଗରିକ ଏବଂ ଅନ୍ୟମାନଙ୍କୁ ଏହା ପ୍ରଦାନ କରାଯିବ ।

ବିଚାରପତି ଚନ୍ଦ୍ରୁ କୁହନ୍ତି, ‘‘ଲୋକସଭା ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ କିମ୍ବା ବିଧାନସଭା ଉପ ନିର୍ବାଚନ ନିମନ୍ତେ କୌଣସି ପ୍ରାର୍ଥୀ [ନୀଳଗିରିରେ ନୁହେଁ, ରାଜ୍ୟର ଅନ୍ୟ ଅଂଶରେ ୨୨ଟି ଆସନରେ] କଟକଣା ସମ୍ପର୍କରେ କିଛି ବି କହିନାହାନ୍ତି । ପ୍ରକୃତରେ ନିର୍ବାଚନରେ ଏହା ଏକ ଅଣପ୍ରସଙ୍ଗ। ଏପରି ହୋଇପାରେ ନିର୍ବାଚିତ ହେବା ପରେ ସେମାନଙ୍କ ମଧ୍ୟରୁ କେଇଜଣ ସାର୍ବଜନୀନ ଭାବରେ ଏବଂ କଦବା କ୍ୱଚିତ ଗୃହରେ ଚିନ୍ତାବ୍ୟକ୍ତ  କରିପାରନ୍ତି।’’

କିନ୍ତୁ ଯେଉଁମାନେ  ପ୍ରତିଦିନ ମଦ ଅପବ୍ୟବହାରର ଜ୍ୱାଳାକୁ ସାମ୍ନା କରୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ସମସ୍ୟା, ଯାହା ସେମାନଙ୍କୁ ପ୍ରତିଦିନ ହତାଶ କରୁଛି । ଅସହାୟ ଶାନ୍ତିନୀ କୁହନ୍ତି, ‘‘ଆମ ପିଲାମାନଙ୍କ ପାଇଁ ଖାଦ୍ୟ କିଣିବାକୁ ଅର୍ଥ ଯଥେଷ୍ଟ ହୁଏନାହିଁ , ସେମାନେ ବାରମ୍ବାର ଅସୁସ୍ଥ ହୁଅନ୍ତି ଏବଂ ଏହା ପରେ ଆମେ ସେମାନଙ୍କୁ ଡାକ୍ତରଖାନାକୁ ନେଇପାରିବୁ ନାହିଁ କାରଣ କିଏ ସେହି ଖର୍ଚ୍ଚ ବହନ କରିପାରିବ ।’’

ଶାନ୍ତିନୀଙ୍କ ପରି ଗ୍ରାମବାସୀଙ୍କ ନିମନ୍ତେ ମଦ ଅପବ୍ୟବହାରର ଦୁର୍ବଳ ପ୍ରସଙ୍ଗ ଏହି ଲୋକସଭା ନିର୍ବାଚନର ପ୍ରାର୍ଥୀମାନଙ୍କ ପାଇଁ ଏକ ଅଣପ୍ରସଙ୍ଗ

ଭିଡିଓ ଦେଖନ୍ତୁ: ‘କେବଳ ଭୋଟ୍‌ ଦେବା ହିଁ ଆମ ନିୟନ୍ତ୍ରଣରେ ଅଛି’

ତାଙ୍କ ଗାଁଆଠାରୁ ୧୫କିଲୋମିଟର ଦୂରରେ ଗୁଦାଲୁର ସହରରେ ସରକାରୀ ସାହାଯ୍ୟପ୍ରାପ୍ତ ଘରୋଇ ପରିଚାଳିତ ଅଶ୍ୱିନୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଦିବାସୀମାନଙ୍କୁ କମ୍‌ ମୂଲ୍ୟରେ ସେବା ଯୋଗାଇ ଥାଏ । ଏହାର ସଂସ୍ଥାପକ ଡ. ଶୈଳଜା ଦେବୀ ଶାନ୍ତିନୀଙ୍କ ଅସହାୟତାକୁ ସ୍ୱୀକାର କରନ୍ତି: ‘‘ବିଗତ କେଇ ବର୍ଷ ମଧ୍ୟରେ ମଦ ସମ୍ପର୍କିତ ଦୁରୂପଯୋଗଜନିତ ରୋଗୀଙ୍କ ସଂଖ୍ୟା ଆଖି ଦୃଶିଆ ଭାବରେ ବୃଦ୍ଧି ପାଇଛି ।’’ ତାଙ୍କ କହିବା ଅନୁଯାୟୀ, ପ୍ରତି ୩ଜଣରେ ଜଣେ ମହିଳା ପରିବାରରେ ମଦ ଦୁରୂପଯୋଗ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ଆସନ୍ତି । ଏ ମଧ୍ୟରେ ଅବସାଦ ଏବଂ ଚାପ ମଧ୍ୟ ସାମିଲ । ଏପରି ମାମଲା ବୃଦ୍ଧି କାରଣରୁ ଡାକ୍ତରଖାନା ଆଦିବାସୀ ସମ୍ପ୍ରଦାୟ ଗୁଡ଼ିକରେ ପିତାଙ୍କର ମଦ ପିଇବା ଘଟଣା ସହ ଏହାର ସମ୍ପର୍କ, ମାଆ ମାନଙ୍କର ଅବସାଦ ଏବଂ ପିଲାମାନଙ୍କର ଅପପୁଷ୍ଟି ବିଷୟରେ ଏକ ଅଧ୍ୟୟନ ଆରମ୍ଭ କରିଥିଲା ।   ଡଃ ଦେବୀ କୁହନ୍ତି, କେତେଜଣ ମହିଳା ମଧ୍ୟ ମଦ ପିଅନ୍ତି, କିନ୍ତୁ ସେମାନଙ୍କ ସଂଖ୍ୟା ଖୁବ୍‌ କମ୍‌ ।

ସେ କହିଥିଲେ, ‘‘ଟାସମାକ୍‌ ସବୁଠାରେ ଛତୁଫୁଟିଲା ପରି ଖୋଲୁଛି, ଏହାପ୍ରତି ଅନେକ ବିରୋଧ ମଧ୍ୟ ହେଉଛି । କିନ୍ତୁ ଆମ ତୁଳନାରେ ଶତ୍ରୁ ଖୁବ୍‌ ଶକ୍ତିଶାଳୀ ।’’

ମାଛିକୋଲିରେ ଶାନ୍ତିନୀଙ୍କ ଖୁଡ଼ୀ କୁଲି ତାଙ୍କ ଦୁଇବଖୁରିଆ ଘରେ ତାଙ୍କ କଡ଼ରେ ବସିଥିଲେ ଏବଂ କହିଲେ, ‘‘ଯେଉଁଠି ଟାସମାକ୍‌ ଅଛି, ସେଠାରେ ମହିଳାମାନେ ଶାନ୍ତିରେ ରାସ୍ତାରେ ଚାଲି ଯାଇପାରିବେ ନାହିଁ, ପିଲାମାନେ ମଧ୍ୟ ନୁହେଁ, ସେମାନଙ୍କୁ ହଇରାଣ କରାଯିବ ଏବଂ ପିଛା କରାଯିବ ।’’  ଯଦି ସରକାର ଆଦିବାସୀ ମହିଳାମାନଙ୍କ ଜୀବନକୁ ସହଜ କରିବା ପାଇଁ କିଛି କରିବାକୁ ଚାହାଁନ୍ତି, ତେବେ ଏହାର ରାସ୍ତା ହେଉଛି ଟାସମାକ୍‌ର ବୃଦ୍ଧିକୁ ଅଟକାଇବା । ଏହି ଦୋକାନଗୁଡ଼ିକର ବୃଦ୍ଧି ବନ୍ଦ କରିବା, ଏହାର ପ୍ରଥମ ପାହାଚ ।

ଯେତେବେଳେ ସେମାନଙ୍କୁ କ୍ଷମତାସୀନ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ତାଙ୍କର ମନୋଭାବ ପଚରା ଯାଇଥିଲା, କୁଲି କହିଲେ, ‘‘ଆମେ ଜଙ୍ଗଲରେ ରହୁଛୁ, ଆମ ପାଖରେ ଟିଭି ନାହିଁ, କିମ୍ବା କୌଣସି ଖବରକାଗଜ ଏଠାକୁ ପହଞ୍ଚେ ନାହିଁ । ଆମେ ସେମାନଙ୍କ ବିଷୟରେ କ’ଣ ଜାଣିବୁ ? ଆମ ଜୀବନ ଆମ ବଞ୍ଚିବା ଉପରେ କୈନ୍ଦ୍ରିତ । ଆମେ ଭୋକିଲା ନ ରହିବା ପାଇଁ ଚେଷ୍ଟା କରୁଛୁ।’’

ଏହି ନିର୍ଜନପଡ଼ା ଏ ପର୍ଯ୍ୟନ୍ତ କୌଣସି ସ୍ଥାନୀୟ ଦଳର ପ୍ରଚାର ଦେଖିନାହିଁ (ଏପ୍ରିଲ୍‌ ୧୦ ତାରଖ ପର୍ଯ୍ୟନ୍ତ, ଯେତେବେଳେ ଏହି କାହାଣୀଟି ରିପୋର୍ଟ କରାଯାଇଥିଲା) । କୁଲି କୁହନ୍ତି, ‘‘ ଏପର୍ଯ୍ୟନ୍ତ ଏଠାକୁ କେହି ଆସିନାହାନ୍ତି । ସେମାନେ ଏଠାକୁ ଆସିବା ଉଚିତ୍‌ ଏବଂ ଯେତେବେଳେ ସେମାନେ ଆସିବେ ଆମେ କିଛି ଚା ଓ ବିସ୍କୁଟ୍‌ ପାଇବୁ । ଏହା କାହାକୁ ସାହାଯ୍ୟ କରିପାରେ ।’’

ସରକାରଙ୍କ ଉପରେ ତାଙ୍କର ଭଙ୍ଗୁର ଆଶା ସତ୍ତ୍ୱେ ଆଜି ଏପ୍ରିଲ୍‌ ୧୮ ତାରିଖରେ ଶାନ୍ତିନୀ ଭୋଟ୍‌ ଦେବେ (କୁଲି ଭୋଟ୍‌ ନଦେବାକୁ ନିଷ୍ପତ୍ତି ନେଇଛନ୍ତି)। ଯେତେବେଳେ ତାଙ୍କୁ ପଚରାଗଲା କାହିଁକି, ଶାନ୍ତିନୀ ଅଟକିଗଲେ ଏବଂ କହିଲେ, ‘‘ଆମେ ଆଦିବାସୀମାନେ ପ୍ରକୃତରେ ଜାଣିନୁ ଉତ୍ତମ ଭୋଟ୍‌ ଦାନ ଆମ ପାଇଁ କ’ଣ କରେ, କିନ୍ତୁ ବର୍ଷ ପରେ ବର୍ଷ ଆମେ ଏହା କରିଚାଲିଛୁ, ତେଣୁ ଆମେ ଏହା କରିବୁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Vishaka George

ଲେଖକ ପରିଚୟ: ବିଶାଖା ଜର୍ଜ ବେଙ୍ଗାଲୁରୁର ଜଣେ ସାମ୍ବାଦିକା। ସେ ବ୍ୟବସାୟ ପ୍ରତିନିଧି ଭାବରେ ରଏଟର୍ ସହ କାର୍ଯ୍ୟ କରିଥିଲେ। ସେ ଚେନ୍ନାଇସ୍ଥ ଏସିଆନ୍ କଲେଜ୍ ଅଫ୍ ଜର୍ଣ୍ଣାଲିଜିମରୁ ଗ୍ରାଜୁଏସନ୍ କରିଛନ୍ତି। ସେ ଗ୍ରମୀଣ ଭାରତ ସହ ଶିଶୁ ଓ ମହିଳା ବିଷୟ ପ୍ରତି ବିଶେଷ ଆଗ୍ରହୀ।

Other stories by Vishaka George