ଗତ ସପ୍ତାହ ପର୍ଯ୍ୟନ୍ତ, ମୁଁ ନିୟମଗିରିରେ ଡଙ୍ଗରିଆ କନ୍ଧ ଜନଜାତି ଓ ସେହି ଅଞ୍ଚଳରେ ଖଣିଜ ଉତ୍ତୋଳନ କରିବା ପାଇଁ ଦୃଢ ନିଶ୍ଚୟ କରିଥିବା ବହୁ ରାଷ୍ଟ୍ରୀୟ କର୍ପୋରେସନ୍ବେଦାନ୍ତ ମଧ୍ୟରେ ହୋଇଥିବା ସେହି ବହୁ ଚର୍ଚ୍ଚିତ ଲଢେଇର ଦୃଶ୍ୟ ଦେଖିବାକୁ ଯାଇନଥିଲି । ଅତଏବ ମୁଁ ଏହାର ଶିରୋନାମା ‘ନିୟମଗିରି ପୁନଃପରିଦର୍ଶନ’ ବୋଲି କାହିଁକି ରଖିଲି? ଆଂଶିକ ଭାବେ ଏହି କାରଣରୁ ଯେ ମୁଁ ଏହା ବିଷୟରେ ଏତେ ସବୁ ପଢିଛି ତଥା ମୋର ସହକର୍ମୀମାନଙ୍କ ଠାରୁ ଏତେ କଥା ଶୁଣିଛି, ଯେ ମୋତେ ଏପରି ଲାଗୁଛି ଯେପରି ମୁଁ ଏହି ସ୍ଥାନକୁ ପୂର୍ବରୁ ମଧ୍ୟ ଆସିଛି । ଏପରି ଏକ ସଂଘର୍ଷ ଯାହାକୁ ସମଗ୍ର ବିଶ୍ୱର ଗଣମାଧ୍ୟମ ଡାଭିଡ ବନାମ ଗୋଲିଆଥ ସହିତ ଯୋଡି ଦେଖୁଛି, ଯେଉଁଠି କର୍ପୋରେସନ୍କୁ ପଛଘୁଞ୍ଚା ଦେବାକୁ ପଡିଛି -–ଏହା ହେଉଛି ସେହି ବିଖ୍ୟାତ ଘଟଣାର ସାରକଥା । କିନ୍ତୁ ବିଖ୍ୟାତ ଘଟଣାଗୁଡିକ ଛଳନାପୂର୍ଣ୍ଣ ଭାବେ ସରଳ ହେବା ସମ୍ଭାବନା ରହିଛି, ଏଣୁ ମୁଁ ଏହି ଶିରୋନାମା ବାଛିବାର ଦ୍ୱିତୀୟ କାରଣ ଏହା ଯେ ଗତ ସପ୍ତାହରେ ମୁଁ ପ୍ରକୃତରେ ନିୟମଗିରି ଯାଇଥିଲି, ଯାହାର ଉଦ୍ଦେଶ୍ୟ ଥିଲା ଖଣିଜ ଉତ୍ତୋଳନ ବିରୋଧୀ ସଂଘର୍ଷର ଲିଖିତ ବିବରଣୀ ବ୍ୟତୀତ ଅନ୍ୟ ବିଷୟ ସନ୍ଧାନ କରିବା; ସେହି ବହୁ ଚର୍ଚ୍ଚିତ ଘଟଣାର ପୁନଃପରିଦର୍ଶନ କରିବା ।

ଦକ୍ଷିଣ ଓଡିଶାର ଡଙ୍ଗରିଆ କନ୍ଧମାନେ ହେଉଛନ୍ତି ଭାରତର ତଥାକଥିତ “ନିରାଶ୍ରୟ ଜନଜାତି ସମୁଦାୟ ।” ସେମାନେ ଯୁଗ ଯୁଗ ଧରି ସେମାନଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଗୁଡିକୁ ନିଜ ପାଖରେ ସାଇତି ରଖିଛନ୍ତି ଓ ପ୍ରକୃତି ସମ୍ବନ୍ଧୀୟ ଜ୍ଞାନ ଓ ପ୍ରକୃତି ସହିତ ସମ୍ପର୍କ ଯାହା ବର୍ତ୍ତମାନର “ତଥାକଥିତ” ସଭ୍ୟ ସମାଜ ଭୂଲି ଯାଇଛି, ତାହାକୁ ବାସ୍ତବ ରୂପ ପ୍ରଦାନ କରିଛନ୍ତି । ସେମାନେ ସେହି ସବୁ ଜିନିଷର ପ୍ରତିନିଧିତ୍ୱ କରନ୍ତି ଯାହାକୁ ଭାରତ ଦେଶ ଓ ଶିକ୍ଷିତ ସହରୀମାନେ “ପଛୁଆ” ବୋଲି କହିଥାନ୍ତି ; ନିରକ୍ଷରତା, ଅତି ସରଳ ଟେକ୍ନୋଲୋଜି, ସ୍ଥାନାନ୍ତରଣ କୃଷି, ପ୍ରାକୃତିକ ପଦାର୍ଥ ଓ ଦୃଶ୍ୟମାନ ବସ୍ତୁଗୁଡିକର ଆତ୍ମା ରହିଛି ବୋଲି ବିଶ୍ୱାସ କରିବା, ବିଦ୍ୟାଳୟ ଓ ଡାକ୍ତରଖାନାର ଅଭାବ, ସେମାନଙ୍କ ଗ୍ରାମକୁ ଯାଇଥିବା କଚ୍ଚା ରାସ୍ତା, ବୈଦ୍ୟୁତିକ ଶକ୍ତିର ଅନୁପସ୍ଥିତି ଓ ଏହିପରି ଅନେକ କିଛି । ତଥାପି, ଏହି ସବୁ ଗତାନୁଗତିକ ଚରିତ୍ର ଚିତ୍ରଣକୁ ଭୂଲ୍ପ୍ରମାଣିତ କରି, ସେମାନେ – କିଛି ନ ହେଲେ ମଧ୍ୟ ବର୍ତ୍ତମାନ ପାଇଁ – ସମସ୍ତ “ଉନ୍ନତ” କ୍ଷମତାର ଅଧିକାରୀ ଏକ ଘରୋଇ କର୍ପୋରେସନ୍ଉପରେ ବିଜୟ ଲାଭ କରିପାରିଛନ୍ତି । (ଆମେ ଶୁଣିବାକୁ ପାଇଛୁ ଯେ ବେଦାନ୍ତ ଏବେ ମଧ୍ୟ ଏହାକୁ ସେହି ଅଞ୍ଚଳରେ ଖଣିଜ ଉତ୍ତୋଳନ କରିବା ଠାରୁ ବଞ୍ଚିତ କରୁଥିବା ନିଷ୍ପତ୍ତି ପୁଣି ଏହା ସପକ୍ଷରେ ହେବା ନେଇ ଆଶାବାଦୀ ଅଛି, ବିଶେଷକରି ବର୍ତ୍ତମାନ, ଯେତେବେଳେକି ଦିଲ୍ଲୀରେ କଂଗ୍ରେସ ତୁଳନାରେ କର୍ପୋରେଟ୍ସଂସ୍କୃତିକୁ ଅଧିକ ଗୁରୁତ୍ୱ ଦେଉଥିବା ସରକାର ରହିଛି)। ଡଙ୍ଗରିଆ କନ୍ଧମାନେ, ତଥାପି, ସତର୍କ ରହିଛନ୍ତି ଓ କୌଣସି କମ୍ପାନିକୁ ସେମାନଙ୍କ ଅଞ୍ଚଳରେ ଅନାଧିକାର ପ୍ରବେଶ କରିବାକୁ ଦେବେ ନାହିଁ ବୋଲି ଦୃଢ ନିଶ୍ଚିତ ଅଛନ୍ତି ।

ବିକାଶ ଓ ସନ୍ତୁଷ୍ଟ ତଥା ସୁସ୍ଥ ଜୀବନଯାପନ ନେଇ ଡଙ୍ଗରିଆମାନଙ୍କ ଦୃଷ୍ଟିଭଙ୍ଗୀ ବିଷୟରେ ଜାଣିବା ପାଇଁ ମୁଁ ମୋର କିଛି ସହକର୍ମୀଙ୍କ ସହିତ ମିଶି ନିୟମଗିରି ଯାଇଥିଲି । ସେମାନେ ଖଣିଜ ଉତ୍ତୋଳନକୁ ପ୍ରତ୍ୟାଖାନ କରିଛନ୍ତି କିନ୍ତୁ କଣ ସେମାନେ ବିକାଶର ଧାରଣାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି? କ’ଣ ସେମାନେ ଯେଭଳି ଅଛନ୍ତି, ସେହି ସ୍ଥିତିରେ ଖୁସିରେ ଅଛନ୍ତି ବୋଲି କହୁଛନ୍ତି? କ’ଣ ସେମାନେ “ବାହାରୁ” ଆସୁଥିବା ସମସ୍ତ ଜିନିଷକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବା ସେମାନେ ସେଥିରୁ କିଛି ନିଜ ପାଇଁ ଚାହୁଁଛନ୍ତି – ଉଦାହରଣ ସ୍ୱରୂପ ସରକାରୀ ଯୋଜନାଗୁଡିକ? କ’ଣ ସମ୍ପ୍ରଦାୟ ମଧ୍ୟରେ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ରହିଛି?

ଏକାଧିକ ଡଙ୍ଗରିଆ କନ୍ଧ ଗ୍ରାମକୁ ଯାଇ ଓ ଏହି ଆନ୍ଦୋଳନର କେତେକ ନେତାଙ୍କ ସହିତ କଥା ହୋଇ, ଖଣିଜ ଉତ୍ତୋଳନକୁ ପ୍ରତ୍ୟାଖାନ କରିବା ପଛରେ ଶକ୍ତିଶାଳୀ ଧାର୍ମିକ ଓ ତର୍କସଂଗତ ଆଧାର ରହିଥିବା ଆମେ ଜାଣିବାକୁ ପାଇଲୁ । ନିୟମ ରାଜା, ଯିଏ ହେଉଛନ୍ତି ଏହି ଅଞ୍ଚଳରେ ଆଧ୍ୟାତ୍ମିକତାର ଉତ୍ସ, ତାଙ୍କ ଦ୍ୱାରା ତିଆରି କରାଯାଇଥିବା ନିୟମ ଅଧିନରେ ନଦୀ ଓ ଜଙ୍ଗଲଗୁଡିକର ସୁରକ୍ଷା, ବ୍ୟକ୍ତିଗତ ସମ୍ପତ୍ତି ଭାବେ ନୁହେଁ ବରଂ ପ୍ରାକୃତିକ ସମ୍ବଳଗୁଡିକ ସମସ୍ତଙ୍କ ତତ୍ତ୍ୱାବଧାନରେ ରହିବା ଓ ସମସ୍ତେ ମିଳିମିଶି ପରିଶ୍ରମ କରିବା ଓ ଏହାର ଫଳ ଭୋଗ କରିବା ଆଦି ରହିଛି । ଏହିପରି ସ୍ଥିତିରେ, ଖଣିଜ ଉତ୍ତୋଳନ ଓ ବଡ ବଡ ସଡକ ପଥ ଓ କାରଖାନା ନିର୍ମାଣ କରିବା ନିଶ୍ଚିତ ଭାବେ ବର୍ଜନୀୟ । ଲଡୁ ସିକ୍କା ଓ ଦଧି ପୁସିକାଙ୍କ ପରି ନେତାମାନେ ସ୍ପଷ୍ଟ ଭାବେ ଏହା ଜଣାଇଛନ୍ତି ଯେ ନିୟମଗିରିକୁ ସେମାନେ ମୁନିଗୁଡା ଓ ଭୁବନେଶ୍ୱର ଭଳି ସହରରେ ରୂପାନ୍ତରିତ କରିବାକୁ ଚାହୁଁନାହାନ୍ତି, ଯେଉଁଠାରେ ମଣିଷ ପାଣି ପିଇବା ଯୋଗୁଁ ଓ ଶ୍ୱାସକ୍ରିୟାରେ ବାୟୁ ଗ୍ରହଣ କରିବା ଯୋଗୁଁ ବେମାର ହେବା ଠାରୁ ନିଜକୁ ବଞ୍ଚାଇ ରଖିପାରେନାହିଁ, ଯେଉଁଠି ଲୋକମାନେ ଘରୁ ବାହାରିଲେ ଘରେ ତାଲା ପକାଇବାକୁ ପଡିଥାଏ ଓ ଯେଉଁଠି ପ୍ରତିଦିନ ମହିଳାମାନେ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି । ତାଙ୍କ ଅଞ୍ଚଳ ଦେଇ ସଡକ ପଥ ନିର୍ମାଣ କରିବା ଅର୍ଥ ହେଉଛି କେବଳ ଶୋଷଣକାରୀଙ୍କୁ ଭିତରକୁ ଆମନ୍ତ୍ରିତ କରିବା । ଏହା ସହିତ ଜଙ୍ଗଲ ଅଧିକାର ଆଇନ୍ଅନ୍ତର୍ଗତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ ଜମି ଉପରେ ଅଧିକାର ମିଳିବା ଦ୍ୱାରା ବ୍ୟକ୍ତିବାଦ ବଢିବ ଓ ଅଧିକ ଜଙ୍ଗଲ କ୍ଷୟ ହେବ ବୋଲି ଅନୁଭବ କରିପାରି ସମ୍ପୂର୍ଣ୍ଣ ସମ୍ପ୍ରଦାୟ ତରଫରୁ ଏହି ଆଇନ୍ଅଧିନରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କେବଳ ନିୟମ ରାଜା ଶିରୋନାମା ଅଧିନରେ ପ୍ରାକୃତିକ ଆବାସ ଅଧିକାର ଭାବେ ସ୍ୱିକୃତି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି ।

ବିଭିନ୍ନ ପ୍ରକାରର ଅନଧିକାର ପ୍ରବେଶ

ଦୁଃର୍ଭାଗ୍ୟବଶତଃ, ଏପରି ଅନଧିକାର ପ୍ରବେଶ ପୂର୍ବରୁ ମଧ୍ୟ ହୋଇଛି, ସେଥିରୁ କିଛି ଅଭିସନ୍ଧିମୂଳକ ହୋଇପାରେ । ଦୂରଦୃଷ୍ଟି ସମ୍ପନ୍ନ କିନ୍ତୁ ଏଥିପାଇଁ ସ୍ପଷ୍ଟଭାବେ ଅନୁପୋଯୁକ୍ତ କେତେକ “ଜନହିତକର” ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଜନଜାତିମାନଙ୍କୁ “ଉନ୍ନତ ସାମାଜିକ ବିକାଶ ପଦ୍ଧତିର” ସୁବିଧା ସବୁ ଯୋଗାଇବାକୁ ଚାହୁଁଛନ୍ତି । କେତେକ ଗ୍ରାମରେ ବିଦ୍ୟାଳୟ ଥିବାବେଳେ ବୋଧହୁଏ କେବେ କେମିତି ଏହା ନିଜର କାର୍ଯ୍ୟ ସମ୍ପାଦାନ କରୁଥିବ, ଏଣୁ ଆଦିବାସୀ ପିଲାମାନଙ୍କୁ ଆଶ୍ରମଶାଳା ବା ଆବାସିକ ବିଦ୍ୟାଳୟକୁ ଅଣାଯାଉଛି ଯେଉଁଠାରେ ଓଡିଆ ଭାଷାରେ ଶିକ୍ଷା ପ୍ରଦାନ କରାଯାଉଛି (ଡଙ୍ଗରିଆ କନ୍ଧମାନେ କୁଇ ଭାଷା କୁହନ୍ତି) । ଏହାଦ୍ୱାରା ପ୍ରଚଳିତ ମୂଖ୍ୟସ୍ରୋତର ସଂସ୍କୃତି ଆଦିବାସୀ ସଂସ୍କୃତିର ସ୍ଥାନରେ ପ୍ରତିସ୍ଥାପିତ ହେବା ସମ୍ଭାବନା ରହିଛି । ଭୁବନେଶ୍ୱରର ଏକ ଖ୍ୟାତି ସମ୍ପନ୍ନ ଶିକ୍ଷା ଅନୁଷ୍ଠାନ, ଯାହାର ପ୍ରତ୍ସୋହକ ଭାବେ ଅନେକ ଖ୍ୟାତି ସମ୍ପନ୍ନ ରାଜନେତା ଓ ବୈଜ୍ଞାନିକ ଅଛନ୍ତି, ସେହି ଅନୁଷ୍ଠାନ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ଓଡିଶାର କୋଣ ଅନୁକୋଣରୁ ସେମାନଙ୍କୁ ସେଠାକୁ ଆଣିଛି; ଏହା ସେହି ସବୁ କର୍ପୋରେସନ୍ଠାରୁ ଉଲ୍ଲେଖନୀୟ ପାଣ୍ଠି ପାଉଛି ଯାହା ଆଦିବାସୀ ଅଞ୍ଚଳରେ ଖଣିଜ ଉତ୍ତୋଳନ କରିବା ପାଇଁ ଓ କାରଖାନା ସ୍ଥାପନ କରିବା ପାଇଁ ଇଚ୍ଛା କରୁଛି, ଯାହା ଦ୍ୱାରା ଆଦିବାସୀ ସମାଜ ସୁଧାରକମାନେ ଏହା ଭାବିବାକୁ ବାଧ୍ୟ ହେଉଛନ୍ତି ଯେ ପ୍ରକୃତରେ ଏହା ଶିକ୍ଷା ପ୍ରଦାନ ପାଇଁ ଉଦ୍ଦିଷ୍ଟ ନା ଏହା ହେଉଛି ବ୍ରେନ୍ୱାସିଂର ଏକ ମାଧ୍ୟମ ।

ଏହାର ବଜାର ସ୍ଥିତି ରାଜ୍ୟରେ ସର୍ବନିମ୍ନ ସ୍ତରରେ ରହିଛି । ଆଜିପର୍ଯ୍ୟନ୍ତ, ଡଙ୍ଗରିଆ କନ୍ଧଙ୍କ ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ମୁଦ୍ରା-ବିହୀନ ଅର୍ଥନୀତି ହୋଇ ରହିଛି । ବର୍ତ୍ତମାନ କିନ୍ତୁ ଆଦିବାସୀମାନେ ଯାହା ଅଳ୍ପ କିଛି କିଣିବାକୁ ଚାହୁଛନ୍ତି ତାହା ଅଧିକ ମୂଲ୍ୟ ଯୁକ୍ତ ହୋଇଯାଇଛି, ଯେଉଁଥିପାଇଁ ସେମାନଙ୍କ ଠାରେ ଅର୍ଥର “ଆବଶ୍ୟକତା” ବୃଦ୍ଧି ପାଉଛି । ସେହି ସବୁ ଜିନିଷ ଯାହା ସେମାନେ ବିକ୍ରି କରିବାକୁ ଆଣନ୍ତି, ତାହା ପ୍ରାୟତଃ ବଜାର ମୂଲ୍ୟଠାରୁ ଯଥେଷ୍ଟ କମ୍ମୂଲ୍ୟରେ ବିକ୍ରି ହୋଇଥାଏ । ଯେପରି ଭାରତରେ ଆଦିବାସୀଙ୍କ ସହିତ ସବୁବେଳେ ଘଟି ଆସୁଛି, ବଜାରରେ ସେମାନଙ୍କୁ ଅଧିକାଂଶ ସମୟରେ କ୍ଷତି ସହିବାକୁ ପଡୁଛି ।

ଶେଷରେ, ପୋଲିସ୍ଓ ଅନ୍ୟ ସୁରକ୍ଷା ବାହିନୀଗୁଡିକ ମଧ୍ୟ ଏଠାରେ ଅନଧିକାର ପ୍ରବେଶ କରୁଛନ୍ତି । ଏହି ଅଞ୍ଚଳରେ ନକ୍ସଲ୍ମାନେ ସକ୍ରିୟ ହେବା ସମ୍ଭାବନା ଥିବାରୁ ରାଜ୍ୟ ତରଫରୁ ପର୍ଯ୍ୟାୟକ୍ରମେ ଏଠାକୁ ପାଟ୍ରୋଲିଂ ଦଳ ପଠାଯାଉଛି । ଉଭୟ ଆଦିବାସୀ ନେତା ଓ ତାଙ୍କ ସମର୍ଥକମାନଙ୍କୁ ଜେରା କରାଯାଉଛି, ତାଙ୍କ ଉପରେ ଦୋଷାରୋପ କରାଯାଉଛି, ଏପରିକି ଆତଙ୍କବାଦି ବୋଲି ମଧ୍ୟ କୁହାଯାଉଛି, ସେମାନଙ୍କ ଅନୁସନ୍ଧାନ କରାଯାଉଛି ଓ ସେମାନଙ୍କୁ ସେମାନଙ୍କ ନିଜ ଭୂମିରେ ନିଜକୁ ଅଗ୍ରହଣୀୟ ବୋଲି ଭାବିବାକୁ ବାଧ୍ୟ କରାଯାଉଛି ।

ଡଙ୍ଗରିଆ କନ୍ଧମାନେ ଏହି ସମସ୍ତ ସମସ୍ୟା ବିଷୟରେ ସଚେତନ ଅଛନ୍ତି, କିନ୍ତୁ ଏଗୁଡିକ କିପରି ଦୂର କରିବେ ସେନେଇ ସେମାନଙ୍କ ମନରେ ଦ୍ୱନ୍ଦ ରହିଛି । ସେମାନଙ୍କ ଛାତରେ ବର୍ତ୍ତମାନ ବହୁଳ ଭାବେ ବ୍ୟବହାର କରାଯାଉଥିବା ଧାତୁ ନିର୍ମିତ ଛାତ ଯାହା ଘର ସହିତ ଖାପ ଖାଏନି (ଏବେ ମଧ୍ୟ କାଦୁଅ କାନ୍ଥ ରହିଛି), ତାହା ସେମାନେ ଯେଉଁ ଗୋଳମାଳିଆ ପରିସ୍ଥିତିରେ ଅଛନ୍ତି ତାହା ସୁଚୀତ କରେ ।  ଏହିଭଳି ଛାତ ଯୋଗୁଁ ଗ୍ରୀଷ୍ମ ଦିନରେ ସେମାନଙ୍କ ଘର ଅତ୍ୟନ୍ତ ଗରମ ହୋଇଯାଉଥିବା ସେମାନେ ଅଭିଯୋଗ କରୁଛନ୍ତି । ତଥାପି ସେମାନେ କାହିଁକି ପାରମ୍ପରିକ ଛାତ ବଦଳରେ ଏହି ଛାତ ବ୍ୟବହାର କରୁଛନ୍ତି? “ଏହାର କାରଣ ହେଉଛି ସରକାର ଆମକୁ ଧାତୁର ଛାତ ଯୋଗାଉଛନ୍ତି ।’’ ଯେତେବେଳେ ସେମାନଙ୍କୁ ପଚାରାଗଲା ଯେ ସେମାନଙ୍କ ପାଖରେ ସେମାନଙ୍କ ନିଜସ୍ୱ ପୋଷକତତ୍ତ୍ୱରେ ଭରପୁର୍ସ୍ଥାନୀୟ ମାଣ୍ଡିଆ ଓ ଅନ୍ୟ ଶସ୍ୟଗୁଡିକ ଉପଲବ୍ଧ ଥିବା ବେଳେ ସେମାନେ ଧଳା ଚାଉଳ କାହିଁକି ଖାଉଛନ୍ତି, ସେତେବେଳେ ମଧ୍ୟ ଏହିପରି ଏକ ଉତ୍ତର ଶୁଣିବାକୁ ମିଳିଥିଲା । ତେବେ ଆମେ ଯେତେବେଳେ ସେମାନଙ୍କୁ ପଚାରିଲୁ ଯେ କ’ଣ ବିନିମୟର ମାଧ୍ୟମ ଭାବେ ଟଙ୍କାର ବଢୁଥିବା ବ୍ୟବହାର ଯୋଗୁଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ, ସେତେବେଳେ ଆମକୁ କୌଣସି ଉତ୍ତର ମିଳିଲାନାହିଁ । ଅନେକ ଡଙ୍ଗରିଆ କନ୍ଧ ପରିବାର ସେମାନଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ଆଶାରେ ବିହ୍ୱଳ ହୋଇ ସେମାନଙ୍କ ପିଲାମାନଙ୍କୁ ମୁଖ୍ୟଧାରାର ବିଦ୍ୟାଳୟଗୁଡିକୁ ପାଠ ପଢିବା ପାଇଁ ପଠଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅନେକଙ୍କ ମତ ଏହାଯେ, ସେମାନେ ସେମାନଙ୍କ ଗ୍ରାମରେ ଗୋଟିଏ ବିଦ୍ୟାଳୟ ଚାହାନ୍ତି, ଯେଉଁଠି ଡଙ୍ଗରିଆ କନ୍ଧ ଶିକ୍ଷକମାନେ କୁଇ ଭାଷାରେ ପାଠ ପଢେଇବେ ଓ ପାଠ୍ୟକ୍ରମରେ ଜଙ୍ଗଲ ଜମି ଆଧାରିତ ଶିକ୍ଷା ପ୍ରଦାନ କରାଯିବ ।

ସମ୍ପୂର୍ଣ୍ଣ ବର୍ଣ୍ଣନା

ଖଣିଜ ଉତ୍ତୋଳନ ବିରୋଧୀ ଆନ୍ଦୋଳନରୁ ଯେଉଁ ସକରାତ୍ମକ ବିକାଶ ହୋଇଛି ତାହା ହେଉଛି ନିୟମଗିରି ସୁରକ୍ଷା ସମିତିର ଗଠନ, ଯାହା ସମସ୍ତ ଡଙ୍ଗରିଆ କନ୍ଧ ବସତିକୁ ଏକତ୍ରୀତ କରିଥାଏ । ଏହି ସମିତି ଅନ୍ୟ ସମସ୍ୟା ଦୂର କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି, ଯେପରିକି ବେଆଇନ୍ମଦ ରାନ୍ଧିବା ବିପକ୍ଷରେ ଆନ୍ଦୋଳନ କରିବା । ଏହା ହେଉଛି ଏହି ଜନଜାତି ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧାର ସମାଧାନ ଖୋଜିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥିବା ଏକ ମଞ୍ଚ । 

ଏହି ସୀମିତ ଆଲୋଚନା ଜରିଆରେ, ଆମେ ସେମାନଙ୍କୁ ପଚାରିବା ପାଇଁ ପ୍ରସ୍ତୁତ କରିଥିବା ସମସ୍ତ ପ୍ରଶ୍ନର ସମୀଚିନ ଉତ୍ତର ଖୋଜି ବାହାର କରିବା ପାଇଁ ଆମ ପାଖରେ କୌଣସି ରାସ୍ତା ନଥିଲା । କିନ୍ତୁ ନିୟମଗିରିକୁ, ଏକ ସ୍ଥାନ ଭାବେ ଓ ଏକ ଲିଖିତ ବିବରଣୀ ଭାବେ ପୁନଃପରିଦର୍ଶନରେ ଯିବା ଆବଶ୍ୟକ ବୋଲି ଆମର ହୃଦ୍ବୋଧ ହେବା ଭଳି ଆମେ ଏଠାରେ ପର୍ଯ୍ୟାପ୍ତ ଦୃଶ୍ୟ ଦେଖିବାକୁ ପାଇଲୁ । ଡଙ୍ଗରିଆ କନ୍ଧମାନେ ସେମାନଙ୍କ ଅତୀତ ଓ ବର୍ତ୍ତମାନର ବୁଝାମଣା ଆଧାରରେ, ସେମାନଙ୍କ ଭବିଷ୍ୟତ ପାଇଁ ନିଷ୍ପତି ଗ୍ରହଣ କରିବା ପାଇଁ ସେମାନଙ୍କୁ ଯୋଗ୍ୟ କରିବାକୁ ଯଦି ବାହାରର କେହି ପ୍ରକୃତରେ ଚାହୁଁଛନ୍ତି ତେବେ ସେମାନେ ତାଙ୍କ ପ୍ରତି ଗଭୀର ଭାବେ ସମ୍ବେଦନଶୀଳ ହେବାକୁ ହେବ ଓ ସମାନଙ୍କୁ ଭଲଭାବେ ବୁଝିବାକୁ ହେବ । ଡେଭିଡ୍ବନାମ ଗୋଲିଆଥ୍ବର୍ଣ୍ଣନା ଅତ୍ୟନ୍ତ ଶକ୍ତିଶାଳୀ ଅଟେ ଓ ଏହା ସବୁବେଳେ ବଞ୍ଚି ରହିବ ଓ ଉତ୍ସାହିତ କରୁଥିବ କିନ୍ତୁ ଏହା ସମ୍ପୂର୍ଣ୍ଣ ନୁହେଁ । ବଜାର ଓ ରାଜ୍ୟ ସେମାନଙ୍କ ଜୀବନ ମଧ୍ୟକୁ ଏପରି ଭାବେ ପଶି ଆସିଛନ୍ତି, ଯାହାଠୁ ନିସ୍ତାର ପାଇବା ଅସମ୍ଭବ । ଡଙ୍ଗରିଆ କନ୍ଧମାନେ ସମ୍ମୁଖୀନ ହେବାକୁ ଥିବା କଠୋର ପରିସ୍ଥିତିରେ ସେମାନଙ୍କୁ କିଭଳି ପରିଚାଳିତ କରାଯିବ ଓ ସେମାନେ କିଭଳି ଭାବେ ପ୍ରକୃତି କୋଳରେ ରହି ଏକ ସୁଖଦ ଜୀବନ ବଞ୍ଚିବାର କଳା  ବାକି ବିଶ୍ୱକୁ ଶିଖାଇବେ ଓ ବିଶ୍ୱବାସୀଙ୍କୁ ଏଥିପାଇଁ ପ୍ରେରିତ କରିବା ଜାରି ରଖିପାରିବେ, ସେଥିପାଇଁ ଡଙ୍ଗରିଆ କନ୍ଧ, ସଭ୍ୟ ସମାଜ ସଂଗଠନ ଓ ସରକାର ଉତ୍କଣ୍ଠା ପୂର୍ଣ୍ଣ ସହଭାଗିତା ଜରିଆରେ ଯୋଜନା ପ୍ରସ୍ତୁତ କରିବାକୁ ହେବ ।


ଏହି ଆଲେଖ୍ୟ ପ୍ରଥମେ ଜାନୁୟାରୀ ୨ରେ ଦି ହନ୍ଦୁରେ ପ୍ରକାଶିତ ହୋଇଥିଲା: http://www.thehindu.com/opinion/op-ed/comment-on-niyamgiri-and-fight-between-dongria-kondh-tribal-group-and-vedanta/article6745650.ece

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।