"ଏ କୋମଲ୍! କାଏ ମାଲ୍ ଆହେ!" "ଏ ଲାଲ୍, ଛାନ ଡିସ୍ତେ!" ପୁରୁଷମାନେ ଚିତ୍କାର କରୁଥିଲେ। ଷ୍ଟେଜ୍ ଉପରେ ନୃତ୍ୟ କରୁଥିବା 15 ବର୍ଷୀୟା କୋମଲ୍, ତାଙ୍କ ପୋଷାକର ରଙ୍ଗକୁ ଦେଖି ଲୋକଙ୍କର ଏମିତି ଡାକ ସହ ଅଭ୍ୟସ୍ତ ଥିଲେ। ସେ କହିଲେ "ଦର୍ଶକଙ୍କ ମଧ୍ୟରୁ କେତେକ ପୁରୁଷ  ଧ୍ୟାନ ଆକର୍ଷଣ କରିବାକୁ ପ୍ରତିଯୋଗିତା କରନ୍ତି। ଯଦି ମୁଁ ଜଣକୁ ଚାହିଁଲି, ତା ସାଙ୍ଗ ଚିତ୍କାର କରିଉଠେ,‘ତା ଆଡ଼କୁ ଚାହଁ ନାହିଁ, ତାର ଗାର୍ଲଫ୍ରେଣ୍ଡ ଅଛି! ମୋତେ ଦେଖ।"

 ମଙ୍ଗଳା ବାଂଶୋଡ଼େ ଏବଂ ନୀତୀନ କୁମାର ତମାଶା ମଣ୍ଡଳ ଉଭୟର ମହିଳା ନୃତ୍ୟାଙ୍ଗନାମାନେ ମଧ୍ୟ କିଏ ଅଧିକ ଜୋରରେ ପ୍ରଶଂସା ପାଉଛି ସେ ନେଇ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରନ୍ତି। ପ୍ରାୟ ୧୮ ବର୍ଷ ବୟସ୍କା କାଜଲ ସିନ୍ଦେ କହନ୍ତି, "ସେମାନେ ପୁରୁଷମାନଙ୍କୁ ପ୍ରେରିତ କରନ୍ତି, ଯାହା ଫଳରେ ସେମାନେ ହ୍ଵିସିଲ୍ ମାରିବେ ଏବଂ ସେମାନଙ୍କ ନାଁ ଧରି ଚିତ୍କାର କରିବେ।" ସେମାନେ ଆହୁରି ଚିଡ଼ାନ୍ତି, "ତୁମେ ଖାଇ ନାହଁ  କି... ତୁମେ ସୁସ୍ଥ ନାହଁ କି?" ସେମାନେ ତାଙ୍କ କାନକୁ ଇସାରା କରି କହନ୍ତି, "ଆମେ ତୁମକୁ ଶୁଣି ପାରୁନାହୁଁ!"

କୋମଲଙ୍କ ଭଳି କାଜଲ ଜଣେ ପ୍ରମୁଖ ନୃତ୍ୟାଙ୍ଗନା। ଉଭୟ ଅନ୍ୟ ୧୫୦ ଜଣ କଳାକାର ଓ ଶ୍ରମିକଙ୍କ ସହିତ ଭେଟେରାନ୍ ତମାଶା କଳାକାର ମଙ୍ଗଳା ବାଂଶୋଡେଙ୍କର ଫାଦ(ଟ୍ରୁପ୍)ରେ କାମ କରନ୍ତି। ତମାଶା ଏବେ ମଧ୍ୟ ମହାରାଷ୍ଟ୍ରର ଗାଁମାନଙ୍କରେ ଏକ ଜନପ୍ରିୟ ଲୋକକଳା ହୋଇ ରହିଛି। ସେପ୍ଟେମ୍ବରରୁ ମେ ମାସ ମଧ୍ୟରେ ସୋ' ଋତୁରେ ଏହି ଫାଦଗୁଡ଼ିକ ପ୍ରାୟ ପ୍ରତିଦିନ ଭିନ୍ନ ଭିନ୍ନ ଗାଁକୁ ଯାତ୍ରା କରନ୍ତି। ରାତି ୧୧ଟାରୁ ଭୋର ହେବାଯାଏ ସୋ' ଚାଲେ । ସମୟ ସମୟରେ ସୋ’ର କିଛି ଘଣ୍ଟା ପୂର୍ବରୁ ବାହାରେ ନିର୍ମିତ ହୋଇଥିବା ଷ୍ଟେଜ୍ରେ ଏହା ପରିବେଷିତ ହୋଇଥାଏ । ସୋ' ପରେ ତାକୁ ଭାଙ୍ଗି ଦିଆଯାଏ । ମଙ୍ଗଳତାଇଙ୍କ ଟ୍ରୁପ୍ ସଫଳତମ ଟ୍ରୁପ୍ମାନଙ୍କ ମଧ୍ୟରୁ ଅନ୍ୟତମ; ଅନ୍ୟ ବହୁଜଣଙ୍କର ଟ୍ରୁପର ଟିକେଟ୍ ବିକ୍ରି ଓ ଲାଭ କମୁଛି । (ଦେଖନ୍ତୁ ତମାଶା ଏକ ଜେଲ୍ ପରି ଯେଉଁଠାରେ ମୁଁ ରହିବାକୁ ଚାହିଁବି ଏବଂ ତମାଶା: ପରିବର୍ତ୍ତିତ ହୋଇଛି କିନ୍ତୁ ଏବେ ବି ଯାତ୍ରା କରୁଛି)

Audience appreciation determines a tamasha's success  – to generate it, the female dancers must perform vigorously, listen to lewd comments, pretend to like the catcalls
PHOTO • Shatakshi Gawade
Audience appreciation determines a tamasha's success  – to generate it, the female dancers must perform vigorously, listen to lewd comments, pretend to like the catcalls
PHOTO • Shatakshi Gawade

ଦର୍ଶକମାନଙ୍କର ପ୍ରଶଂସା ତମାଶାର ସଫଳତାକୁ ନିର୍ଦ୍ଧାରଣ କରିଥାଏ। ଏହି ପ୍ରଶଂସା ପାଇବା ପାଇଁ ମହିଳା ନୃତ୍ୟାଙ୍ଗନାମାନେ ଭଲଭାବେ ପ୍ରଦର୍ଶନ କରିବା ଆବଶ୍ୟକ, ଦର୍ଶକଙ୍କ ଅଶିଷ୍ଟ ଟିପ୍ପଣୀ ଶୁଣିବା, ହ୍ୱିସିଲକୁ ପସନ୍ଦ କରିବା ଦରକାର।

ମଙ୍ଗଳା ବାଂଶୋଡେଙ୍କର ସୋ' ମାନଙ୍କରେ ଷ୍ଟେଜକୁ ରଙ୍ଗୀନ ଆଲୋକରେ ସଜାଯାଇଥାଏ, ଷ୍ଟେଜର ପାଶ୍ୱର୍ଭାଗରେ ବଡ଼ ବଡ଼ ସ୍ପିକର ଲଗାଯାଇଥାଏ। ଗୀତ ଦୃଶ୍ୟର ନାଟକୀୟ ଅଂଶ ସମୟରେ ଷ୍ଟେଜର ସାମ୍ନାପଟେ ଥିବା ଅନେକଗୁଡ଼ିଏ ମେସିନ୍ ହାଲକା ନିଆଁ ବର୍ଷାଇଥାନ୍ତି। କିଛି ଗୀତରେ ମହିଳା ନୃତ୍ୟାଙ୍ଗନାମାନେ ଷ୍ଟେଜ୍ର କୋଣରେ ବନ୍ଧା ହୋଇଥିବା ଧାତବ ପୋଲ୍ ଉପରକୁ ଚଢ଼ିଯାଇଥାନ୍ତି। କୋମଲ କହନ୍ତି, "ସମୟ ସମୟରେ ପୋଲରୁ ଆମକୁ ବିଦ୍ୟୁତ ଆଘାତ ଲାଗେ। ତେଣୁ ଆମକୁ ଯତ୍ନବାନ ରହିବାକୁ ପଡ଼େ।" ଅହମ୍ମଦନଗରର ସେବଗାଓଁ ତାଲୁକାର ସେବଗାଓଁ ଗାଁରେ କୋମଲଙ୍କର ଘର।

ତମାଶା ଟ୍ରୁପର ସଫଳତା ଟିକେଟ୍ ବିକ୍ରି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଯାହାକି  ଏକ ସୋ' କେତେ ଦର୍ଶକୀୟ ପ୍ରଶଂସା ଲାଭ କରିପାରୁଛି ତା'  ଉପରେ ନିର୍ଭର କରେ। କାଜଲ କହନ୍ତି, "ଆମେ ସେମାନଙ୍କୁ ଜୋରରେ ହ୍ୱିସିଲ ମାରିବାକୁ କହୁ, କାରଣ ଯଦି ଦର୍ଶକ ଉପଭୋଗ କରନ୍ତି, ତା' ହେଲେ ଏହା ଆମର ତମାଶାକୁ ଅଧିକ ଶକ୍ତି ଦେଇଥାଏ।"

ଯେତେବେଳେ ଦର୍ଶକମାନେ ଲୋକପ୍ରିୟ ଗୀତ ଗୁଡ଼ିକୁ "ଆଉ ଥରେ" ପରିବେଷଣ କରିବାକୁ ଦାବି କରନ୍ତି, ଟ୍ରୁପ୍କୁ  ତାହା ପୂରଣ କରିବାକୁ ହୋଇଥାଏ। ବର୍ତ୍ତମାନ ୬୬ ବର୍ଷରେ ଉପନୀତ ମଙ୍ଗଳାତାଇ କହନ୍ତି, "ଆମେ ଦର୍ଶକଙ୍କ ପାଇଁ ପରିବେଷଣ କରୁଛୁ। ଆମେ ସେମାନଙ୍କୁ ହସାଉ ଏବଂ ସେମାନଙ୍କର ମନୋରଞ୍ଜନ କରୁ। ଆମେ ସେମାନଙ୍କୁ ସେମାନଙ୍କର ସମସ୍ୟା ଭୁଲିଯିବାରେ ସହାୟତା କରୁ।"

ଏଥିପାଇଁ ମୁଖ୍ୟତଃ ମହିଳା ନୃତ୍ୟାଙ୍ଗନାମାନଙ୍କୁ ଦମଦାର ପରିବେଷଣ କରିବାକୁ ପଡ଼ିଥାଏ। ଅନିଚ୍ଛା ସତ୍ତ୍ଵେ ଦର୍ଶକଙ୍କ ଅଶ୍ଳୀଳ ଟିପ୍ପଣୀ ଶୁଣିବାକୁ ହୁଏ, ଦର୍ଶକଙ୍କ ହ୍ୱିସିଲକୁ ସେମାନେ ଉପଭୋଗ କରୁଥିବା ଭଳି ଦର୍ଶାଇବାକୁ ବାଧ୍ୟ ହୁଅନ୍ତି।

A tent backstage is usually the 'green room' to get ready. Right: At 66, troupe owner and veteran artist Magalatai Bansode still performs and draws crowds
PHOTO • Shatakshi Gawade
A tent backstage is usually the 'green room' to get ready. Right: At 66, troupe owner and veteran artist Magalatai Bansode still performs and draws crowds
PHOTO • Shatakshi Gawade

ତମ୍ବୁର ପଛପଟେ ଥିବା ଏକ ଷ୍ଟେଜ ସାଧାରଣତଃ 'ଗ୍ରୀନ୍ ରୁମ୍' ଭାବେ କଳାକାରମାନଙ୍କର ପ୍ରସ୍ତୁତି ପାଇଁ ବ୍ୟବହୃତ ହୋଇଥାଏ। ଡାହାଣ: ୬୬ ବର୍ଷରେ ଉପନୀତ ହୋଇଥିଲେ ମଧ୍ୟ ଟ୍ରୁପ୍ ମାଲିକ ଓ ଭେଟେରାନ୍ କଳାକାର ମଙ୍ଗଳାତାଇ ବାଂଶୋଡେ ଏବେ ବି ପ୍ରଦର୍ଶନ କରିଥାନ୍ତି ଏବଂ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରନ୍ତି।

ଦର୍ଶକଙ୍କ ଅନୁରୋଧ ରକ୍ଷା କରି ପ୍ରଦର୍ଶନ କରିବା ସମସ୍ୟା ମଧ୍ୟ ଆଣିପାରେ। ସୋ' ପୂର୍ବରୁ ବା ପରେ ଯେତେବେଳେ ପୁରୁଷ ଲୋକମାନେ ଅଶୋଭନୀୟ ନିବେଦନ କରନ୍ତି, କୋମଲ ସେମାନଙ୍କୁ ବିବାହିତ ହୋଇଥିବା କଥା କହନ୍ତି। କୋମଲ ହସନ୍ତି, "ସମୟ ସମୟରେ ମୁଁ ମିଛ କହେ ଏବଂ ମୋର ୫ଟି ସନ୍ତାନ ଥିବା କଥା କହିଥାଏ।" କୋମଲଙ୍କର ବାପା ଫାଦ୍ରେ ମ୍ୟାନେଜର ଭାବେ କାମ କରନ୍ତି ଏବଂ ତାଙ୍କର ମା' ଟ୍ରୁପ୍ରେ ଜଣେ କଳାକାର ଥିଲେ। ଗତବର୍ଷ ସେ ଅବସର ନେଇଛନ୍ତି। ୭ ବର୍ଷର ହୋଇଥିବା ସମୟରେ କୋମଲ ଷ୍ଟେଜ୍ରେ ଭଗବାନ ଶ୍ରୀକୃଷ୍ଣଙ୍କର ଭୂମିକାରେ ଅଭିନୟ କରିଥିଲେ। ପୂର୍ଣ୍ଣକାଳୀନ ଭାବେ କାମ କରିବା ଲାଗି ସେ ୧୨ ବର୍ଷ ବୟସରେ ସ୍କୁଲ ଛାଡ଼ିଦେଲେ। ତାଙ୍କର ଭଉଣୀ ରମା (୨୮) ମଧ୍ୟ ସେହି ଟ୍ରୁପ୍ରେ ନୃତ୍ୟାଙ୍ଗନା ଭାବେ କାମ କରୁଛନ୍ତି।

କୋମଲ, ରମା ଏବଂ ଅନ୍ୟ ନୃତ୍ୟାଙ୍ଗନାମାନେ ଜାଣିଛନ୍ତି ଯେ, ଯେତେବେଳେ ଦର୍ଶକଙ୍କ ମଧ୍ୟରୁ କେହି ବ୍ୟକ୍ତି ତମାଶାର ସୂଚୀ ସଂପର୍କରେ ତଥ୍ୟ ସଂଗ୍ରହ କରି କରି ଅନେକଗୁଡ଼ିଏ ସୋ’କୁ ଆସିଥାନ୍ତି ତାହା ସମସ୍ୟାର ସଙ୍କେତ ହୋଇଥାଏ। ସମୟ ସମୟରେ ଲୋକମାନେ ତମାଶାର ଝିଅମାନଙ୍କୁ ସେଲଫି ପାଇଁ ନିବେଦନ କରିଥାନ୍ତି। ସାଧାରଣତଃ ଏହି ସମୟରେ ନୃତ୍ୟାଙ୍ଗନାମାନେ ଲୋକେ ସେମାନଙ୍କର ଶରୀରକୁ ଯେପରି ନ ଛୁଇଁବେ ସେଥିପ୍ରତି ସାବଧାନ ରହିଥାନ୍ତି। କୋମଲ କହନ୍ତି, "ଆମେ ଏଭଳି ପରିସ୍ଥିତିକୁ ଏଡ଼ାଇବାକୁ ଚେଷ୍ଟା କରୁ ଏବଂ ସେଲ୍ଫି ନେବାର ନିବେଦନକୁ ପ୍ରତ୍ୟାଖ୍ୟାନ କରିଥାଉ। ଯଦି କୌଣସି ଲୋକ ଆମକୁ ଅନୁଧାବନ କରନ୍ତି ତା’ ହେଲେ ଆମକୁ ଏ ସଂପର୍କରେ ମ୍ୟାନେଜରଙ୍କୁ ହସ୍ତକ୍ଷେପ କରିବା ଲାଗି କହିବାକୁ ପଡ଼ିଥାଏ।"

ଅସମ୍ମାନଜନକ ପେସା ନୁହେଁ

ମହିଳାମାନେ ମଧ୍ୟ ତମାଶା ପକ୍ଷରୁ ସେମାନଙ୍କୁ ମିଳିଥିବା ଆର୍ଥିକ ସ୍ୱାଧୀନତା ଓ କଳାକାର ଭାବେ ପରିଚିତି ସଂପର୍କରେ କହିଥାନ୍ତି। କାଜଲ କହନ୍ତି, ‘‘ମୋତେ ନାଚିବାକୁ ଭଲ ଲାଗେ, ମୋ ସ୍କୁଲରେ ନାଚ ପାଇଁ ଥରେ ମୋତେ ପ୍ରଥମ ପୁରସ୍କାର ମିଳିଥିଲା।" ତମାଶା ଜଗତରେ ସେ ନିଜର ସମୟ ଏବଂ କଳାକାରମାନଙ୍କୁ ସେମାନଙ୍କର କଳା ପ୍ରଦର୍ଶନ ପାଇଁ  ମିଳୁଥିବା ସୁଯୋଗକୁ ଉପଭୋଗ କରିଥିବା କଥା କହନ୍ତି।

୧୫୦ ସଦସ୍ୟ ବିଶିଷ୍ଟ ତାଙ୍କ ଟ୍ରୁପରେ ପ୍ରାୟ ୨୫ ଜଣ ମହିଳା ବା ଝିଅ ଅଛନ୍ତି। ପୁରୁଷମାନଙ୍କ ଦ୍ୱାରା ପ୍ରାର୍ଥନାରୁ ତମାଶା ଆରମ୍ଭ ହୋଇଥାଏ। ପରେ ଭଗବାନ ଶ୍ରୀକୃଷ୍ଣ ଓ ଗୋପୀମାନଙ୍କ ମଧ୍ୟରେ ଭାବ ବିନିମୟକୁ ଦର୍ଶାଉଥିବା ଏକ ନୃତ୍ୟ ଗାଭଲନ୍ ପରିବେଷିତ ହୋଇଥାଏ। ଗାଭଲନ୍ ପାଇଁ ପୂର୍ବରୁ ସିଲାଇ ହୋଇଥିବା ୯ ହାତର ଶାଢ଼ି ପିନ୍ଧିଥିବା ମହିଳାଙ୍କୁ ସେମାନଙ୍କର ପରବର୍ତ୍ତୀ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ତମ୍ବୁର ପଛପଟକୁ (ସେମାନଙ୍କର ଗ୍ରୀନ୍ ରୁମ୍) କୁ ଯିବାକୁ ପଡ଼ିଥାଏ।। ପ୍ରତି କଳାକାର ୭-୮ଟି ଗୀତରେ ପ୍ରଦର୍ଶନ କରନ୍ତି। ସେମାନେ ହୁଏତ ମୁଖ୍ୟ ନୃତ୍ୟାଙ୍ଗନା ବା ପଛରେ ରହି ନୃତ୍ୟ କରିଥାନ୍ତି। ସାଧାରଣତଃ ଗୀତଗୁଡ଼ିକ ବଲିଉଡର ହିଟ୍ ନମ୍ବର ହୋଇଥାଏ। ସେଥିମଧ୍ୟରେ କିଛି ମରାଠୀ ଚଳଚ୍ଚିତ୍ରର ଗୀତ ଏବଂ ଲୋକପ୍ରିୟ ହରିଆନୀ/ଭୋଜପୁରୀ ଗୀତର ଟ୍ରାକ୍କୁ ସାମିଲ କରାଯାଇଥାଏ।

In Nayarangaon village: tents and a stage put up a few hours before the show become work spaces, but offer the women little privacy
PHOTO • Shatakshi Gawade

ନାରାୟଣଗାଓଁ ଗାଁରେ ସୋ' ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ତମ୍ବୁ ଓ ଷ୍ଟେଜ୍ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ମହିଳାମାନଙ୍କୁ ଖୁବ୍ କମ୍ ଗୋପନୀୟତା ମିଳିଥାଏ।

ଗାଁ ମାନଙ୍କରେ  ଅଧିକାଂଶ ଲୋକ ତମାଶାର ଜୀବନଶୈଳୀକୁ ଅସମ୍ମାନଜନକ ବୋଲି ମନେ କରନ୍ତି ଏବଂ ଫାଦ୍ରେ  କାମ କରୁଥିବା ମହିଳାଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖନ୍ତି। ଶାରଦା ଖାଡ଼େ (୪୩) କହନ୍ତି, "ଯେତେବେଳେ ଦର୍ଶକମାନେ ରାଣ୍ଡି' ଏବଂ ଛିନ୍ନାଲ (ଯୌନକର୍ମୀଙ୍କ ପାଇଁ ବ୍ୟବହାର କରାଯାଉଥିବା ଶଦ୍ଦ) ଭଳି ଅପମାନଜନକ ଶବ୍ଦ ବ୍ୟବହାର କରନ୍ତି ସେତେବେଳେ ଆମକୁ ନ ରାଗି ସେମାନଙ୍କୁ ଶାନ୍ତ କରିବାକୁ ପଡ଼ିଥାଏ।" ଖାଡେ ସାଙ୍ଗଲି ଜିଲ୍ଲାର ତାସଗାଓଁ ତାଲୁକାରେ ଥିବା ଧୁଲଗାଓଁ ଗାଁର ଏକ ଟ୍ରୁପରେ ନୃତ୍ୟାଙ୍ଗନା ଏବଂ କଳାକାର ଭାବେ କାମ କରିଥାନ୍ତି। "ଆମେ ସେମାନଙ୍କୁ ପଚାରୁ, ତୁମର ମା' ଓ ଭଉଣୀମାନେ ନାହାନ୍ତି କି? ତୁମମାନେ ଆମକୁ ଏଭଳି କିପରି କହୁଛ?" ସେମାନେ କହନ୍ତି, "ଆମଘରର ମହିଳାମାନେ ତୁମ ପରି ନୁହନ୍ତି। ତୁମେ ତମାଶାରେ ଅଭିନୟ ନ କରି କ’ଣ ପାଇଁ ଏକ ସ୍ଥାୟୀ ଚାକିରି କରୁନାହଁ?" "ଏହାପରେ ଆମେ ସେମାନଙ୍କୁ ବୁଝାଇଥାଉ ଯେ, ଏହା ମଧ୍ୟ ଏକ ଚାକିରି।"

ତମାଶାର କଠିନ ସିଡ୍ୟୁଲ ଏବଂ ୮ ମାସର ବାଧ୍ୟତାମୂଳକ ପ୍ରତିବଦ୍ଧତା ମହିଳା କର୍ମଚାରୀମାନଙ୍କ ପାଇଁ ମଧ୍ୟ କଷ୍ଟକର ହୋଇଥାଏ।। ବିଶେଷ କରି ଯେଉଁମାନଙ୍କର ଛୋଟ ପିଲା ଥାନ୍ତି। ମଙ୍ଗଳାତାଇଙ୍କର ପୁଅ ଏବଂ ତାଙ୍କ ଦଳର ମ୍ୟାନେଜର ଅନୀଲ ବାଂଶୋଡ଼େ କହନ୍ତି,  "ଏତେ ଅସୁବିଧା ସତ୍ତ୍ଵେ ଯେଉଁ ମହିଳାମାନେ ଫାଦ୍ରେ ଯୋଗ ଦେଉଛନ୍ତି ସେମାନଙ୍କୁ ଆମେ ଖୁବ୍ ଅଧିକ ଦରମା ଦେବା କଥା।" ୨୦୧୭-୧୮ ତମାଶା ବର୍ଷ ପାଇଁ ମଙ୍ଗଳତାଇଙ୍କର ଟ୍ରୁପର ମହିଳା କଳାକାରମାନଙ୍କୁ ମାସିକ ୧୦ ହଜାର ଟଙ୍କାରୁ ଆରମ୍ଭ କରି ଦରମା ମିଳିଥିଲା। ପ୍ରଦର୍ଶନର ସଂଖ୍ୟା, ଅଭିଜ୍ଞତା ଏବଂ ଦକ୍ଷତାକୁ ଭିତ୍ତି କରି ଜଣେ ଅଣମୁଖ୍ୟ କଳାକାରଙ୍କ ଦରମା ଚଳିତବର୍ଷ ୧୬ ହଜାର ଟଙ୍କା ରହିଥିଲା।

Jyotsna
PHOTO • Shatakshi Gawade
Jyotsna (left) and Kajal Shinde (right, in blue) at a stop in Karavadi village of Satara district: the sisters support their family of eight with their earnings
PHOTO • Shatakshi Gawade

ସତାରା ଜିଲ୍ଲାର କାରବଡି ଗାଁରେ ଜ୍ୟୋତ୍ସ୍ନା (ବାମ) ଏବଂ କାଜଲ ସିନ୍ଦେ (ଡାହାଣ, ନୀଳ ପୋଷାକ ପରିହିତା)। ଏହି ଦୁଇ ଭଉଣୀ ସେମାନଙ୍କର ରୋଜଗାର ଦ୍ୱାରା ୮ ଜଣିଆ ପରିବାର ପୋଷଣ କରିଥାନ୍ତି।

ଅଧିକାଂଶ ସମୟରେ ଏହା ଏକମାତ୍ର ରୋଜଗାର ପାଲଟିଥାଏ ଯାହା ଉପରେ ଗୋଟିଏ ପରିବାର ନିର୍ଭର କରିପାରିବ। ମୁଖ୍ୟ ନୃତ୍ୟାଙ୍ଗନାମାନଙ୍କ ମଧ୍ୟରୁ ଅନ୍ୟତମ କାଜଲ ସିନ୍ଦେ ଏବଂ ତାଙ୍କର ଭଉଣୀ ଜ୍ୟୋତ୍ସ୍ନା (୨୮) ସେମାନଙ୍କର ତମାଶା ରୋଜଗାରରୁ ସାଙ୍ଗଲି ଜିଲ୍ଲାର ଶିରଳା ତାଲୁକାର ଶିରଳା ଗାଁରେ ରହୁଥିବା ୮ ଜଣିଆ ପରିବାର (ଭଟ୍ଟିମାନଙ୍କୁ) କୁ ଆର୍ଥିକ ସହଯୋଗ ଦେଇଥାନ୍ତି। ଛଅ ବର୍ଷ ତଳେ ୧୨ ବର୍ଷର ହୋଇଥିବା ସମୟରେ କାଜଲ ତମାଶାରେ ଯୋଗ ଦେଇଥିଲେ। କିଛି ବର୍ଷ ତଳେ ଜ୍ୟୋତ୍ସ୍ନାଙ୍କର ସ୍ୱାମୀ ଚାଲିଯିବା ପରେ ସେ ତମାଶାରେ ସାମିଲ ହେଲେ। ଜ୍ୟୋତ୍ସ୍ନାଙ୍କର ରୋଜଗାର ଯୋଗୁ ନିଜ ମା’ଙ୍କ ପାଖରେ ରହୁଥିବା ତାଙ୍କର ୧୦ ବର୍ଷୀୟ ପୁଅ ଓ ୭ ବର୍ଷୀୟ ଝିଅ ଚଳିଥାନ୍ତି।

ଜ୍ୟୋତ୍ସ୍ନା କହନ୍ତି, "ମୋ" ଝିଅ ଖୁବ୍ ଛୋଟ ଥିଲା। ମୋତେ ତାକୁ ମୋ ମା'ଙ୍କ ପାଖରେ ଛାଡ଼ି ଟ୍ରୁପରେ ଯୋଗ ଦେବାକୁ ପଡ଼ିବାବେଳକୁ ମଧ୍ୟ ମୁଁ ତାର ଦେଖାଶୁଣା କରୁଥିଲି।" କାଜଲ ତାଙ୍କ ପରିବାରର ସବୁ ସଦସ୍ୟ କୌଣସି କାମରେ ନିୟୋଜିତ ନ ହେବା ଯାଏ ବିବାହ କରିବେ ନାହିଁ ବୋଲି ସ୍ଥିର କରିଛନ୍ତି। ଯେତେବେଳେ ସେ ପ୍ରଥମ ଥର ପାଇଁ ଫାଦରେ ଯୋଗ ଦେବା ସଂପର୍କରେ ତାଙ୍କର ମା'ଙ୍କୁ କହିଲେ, ତାଙ୍କ ମା' ଏହି ଚିନ୍ତାଧାରାକୁ ବିରୋଧ କରୁଥିଲେ। କିନ୍ତୁ କାଜଲ ତାଙ୍କୁ ବୁଝାଇବାରେ ସମର୍ଥ ହେଲେ ଯେ ତମାଶାରେ ନୃତ୍ୟ କରିବା ଅସମ୍ମାନଜନକ ପେସା ନୁହେଁ।

ଗୋପନୀୟତାକୁ ଦେଖି ଯନ୍ତ୍ରଣା ଭୁଲିବା

ସେପ୍ଟେମ୍ବରରୁ ମେ ମାସ ପର୍ଯ୍ୟନ୍ତ ତମାଶା କଳାକାରମାନେ ବର୍ଷର ୨୧୦ ଦିନ ଯାତ୍ରା କରିଥାନ୍ତି। ଏହି ସମୟ ମଧ୍ୟରେ ସେମାନେ ସୁଟକେଶ ସାହାଯ୍ୟରେ ଜୀବନ ବିତାନ୍ତି ଏବଂ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବସ୍ରେ ଯିବା ସମୟରେ ଶୋଇପଡ଼ନ୍ତି। ଏପରିକି ଯଦି ସର୍ବସାଧାରଣ ଶୌଚାଳୟ ନ ମିଳେ ତା' ହେଲେ ମହିଳାମାନଙ୍କୁ ବାଧ୍ୟ ହୋଇ ଖୋଲାରେ ଗାଧୋଇବାକୁ ପଡ଼ିଥାଏ। ଶାରଦା କହନ୍ତି ଯେ ଟ୍ରୁପ୍ ହେଉଛି ଏକ ପରିବାର ପରି। ‘‘ଆମେ ଲୁଗାପଟା ବଦଳାଇବା ସମୟରେ ପୁରୁଷମାନେ ମହିଳାଙ୍କ ତମ୍ବୁ ଛାଡ଼ି ପଳାଇଥାନ୍ତି। ନ ହେଲେ ଯଦି ଆମକୁ ଖୋଲାରେ ବଦଳାଇବାକୁ ପଡ଼େ ତା’ ହେଲେ ସେମାନେ ଅନ୍ୟ ଆଡ଼କୁ ମୁହଁ କରନ୍ତି। କିନ୍ତୁ କିଛିଜଣ ଏହାକୁ ଦେଖିଥାନ୍ତି...।"

 କୋମଲ କହନ୍ତି, "ଯେତେବେଳେ ଆମେ ତମ୍ବୁରେ ପୋଷାକ ପରିବର୍ତ୍ତନ କରିଥାଉ, କିଛି ସମୟରେ ଗ୍ରାମବାସୀ ଛପି ଦେଖିବାକୁ ଉଦ୍ୟମ କରନ୍ତି।" "ଆମକୁ ଗାଳି ଦେଇ ସେମାନଙ୍କୁ ଦୂରେଇବାକୁ ପଡ଼ିଥାଏ। ଯଦି ସେମାନେ ନ ଶୁଣନ୍ତି, ତା’ ହେଲେ ମୁଁ ଚପଲ ବାହାର କରି ସେମାନଙ୍କ ଆଡକୁ ଫିଙ୍ଗିଥାଏ।" ଯଦି କଥା ଅଧିକ ବଢେ, ତା’ ହେଲେ ମହିଳାମାନେ ସେମାନଙ୍କର ପୁରୁଷ ସହକର୍ମୀ କିମ୍ବା ମ୍ୟାନେଜର କିମ୍ବା ସାଧାରଣତଃ ସୋ’ ସମୟରେ ଉପସ୍ଥିତ ଥିବା ପୁଲିସକୁ ହସ୍ତକ୍ଷେପ କରିବାକୁ ଡାକିଥାନ୍ତି।

ଶାରଦା କହନ୍ତି, "ଯେତେବେଳେ ମହିଳାମାନଙ୍କର ଋତୁସ୍ରାବ ହେଉଥାଏ, ଆମେମାନେ ଏକ ସର୍ବସାଧାରଣ ଶୌଚାଳୟ ଖୋଜି ବଦଳାଇବାକୁ ଉଦ୍ୟମ କରୁ। କୋମଲ କହନ୍ତି ପ୍ରତିଥର ଋତୁସ୍ରାବ ହେଉଥିବା ସମୟରେ ହିଁ ସେ ସବୁଠୁ ଅଧିକ ସମୟ ଘରେ ରହିଥାନ୍ତି। ସେ ଗୋପନୀୟତାକୁ ହରାଇଥାନ୍ତି କିନ୍ତୁ ଏଥିପାଇଁ ଅସୁବିଧାରେ ପଡ଼ିଥାନ୍ତି। ତାଙ୍କର ବଡ଼ ଭଉଣୀ ରମା କହନ୍ତି, "ଯଦି ତମାଶାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତା' ହେଲେ ସେମାନଙ୍କୁ ଋତୁସ୍ରାବର କଷ୍ଟ ସତ୍ତ୍ଵେ କାମ କରିବାକୁ ପଡ଼ିଥାଏ। ଯଦି ଆମର ଅନେକଗୁଡ଼ିଏ ଗୀତ ଥାଏ କିମ୍ବା  ମୁଖ୍ୟ ଭୂମିକା ଥାଏ, ତା' ହେଲେ ଋତୁସ୍ରାବର ଯନ୍ତ୍ରଣା ସତ୍ତ୍ଵେ ଆମେ ବିଶ୍ରାମ ନେଇପାରୁନା। ଯେତେ ଅସୁସ୍ଥ ହୋଇଥିଲେ ମଧ୍ୟ ଆମକୁ ଷ୍ଟେଜ୍ ଉପରକୁ ଯିବାକୁ ପଡ଼ିଥାଏ।"

The troupe travels for 210 days a year between September and May. During this time they live out of suitcases and sleep on the bus rides from one village to another
PHOTO • Shatakshi Gawade
The troupe travels for 210 days a year between September and May. During this time they live out of suitcases and sleep on the bus rides from one village to another
PHOTO • Shatakshi Gawade

ସେପ୍ଟେମ୍ବରରୁ ମେ ମାସ ମଧ୍ୟରେ ଟ୍ରୁପ୍କୁ ବର୍ଷକୁ ୨୧୦ ଦିନ ଯାତ୍ରା କରିବାକୁ ପଡ଼ିଥାଏ। ଏହି ସମୟରେ ସେମାନେ ସୁଟକେଶ ସାହାଯ୍ୟରେ ଜୀବନ ବିତାଇଥାନ୍ତି ଏବଂ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ସମୟରେ ବସ୍ ଯାତ୍ରାବେଳେ ଶୋଇପଡ଼ନ୍ତି।

ଅନ୍ୟ ଜଣେ ମୁଖ୍ୟ ନୃତ୍ୟାଙ୍ଗନା ରମାଙ୍କର ଏକ ୨ ବର୍ଷୀୟ ଝିଅ ଭକ୍ତି ଅଛି। ସେ କହନ୍ତି, "ଭକ୍ତି ପେଟରେ ଥିବା ସମୟରେ ସେ ତମାଶା ଋତୁର ଶେଷ ପର୍ଯ୍ୟନ୍ତ କାମ କରିଥିଲେ। ତମାସା ଋତୁର ବାର୍ଷିକ ବିରତି ସମୟରେ ଭକ୍ତି ଜନ୍ମ ନେଇଥିଲା। ମାତ୍ର ଦେଢ ମାସ ପରେ ସେ ପୁଣି କାର୍ଯ୍ୟକ୍ଷେତ୍ରକୁ ଫେରିଥିଲେ।" ଗତବର୍ଷ ପର୍ଯ୍ୟନ୍ତ ରମାଙ୍କର ମା' ବିମଲ ତାଙ୍କୁ ଝିଅର ଦେଖାଶୁଣା କରିବାରେ ସହାୟତା କରୁଥିଲେ। ସେତେବେଳେ ବିମଲ ମଧ୍ୟ ସେହି ଟ୍ରୁପ୍ରେ ଗୀତ ଗାଉଥିଲେ। ରମା କହନ୍ତି, "କିନ୍ତୁ ଚଳିତବର୍ଷ ଭକ୍ତିର ଦେଖାଶୁଣା କରିବାକୁ ମୋତେ ଆହୁରି ଅସୁବିଧା  ହେଉଛି, କାରଣ ମୋ ମା’ ଏବେ ଘରେ ଅଛନ୍ତି। ଯଦି ମୁଁ ଷ୍ଟେଜ୍କୁ ଯିବା ସମୟରେ ଭକ୍ତି କାନ୍ଦେ, ତା' ହେଲେ ତାକୁ ଛାଡ଼ି ଷ୍ଟେଜ୍କୁ ଯିବା ମୋ’ ପାଇଁ ପ୍ରକୃତରେ କଷ୍ଟକର ହୋଇଥାଏ। ମୋତେ ନ ଦେଖିବା ଯାଏ ସେ କାନ୍ଦ ବନ୍ଦ କରେନାହିଁ।"

ଯଦି ପିଲାର ପିତା ସେହି ଟ୍ରୁପରେ କାମ କରୁଥାନ୍ତି ତା' ହେଲେ ଶିଶୁମାନଙ୍କ ଯତ୍ନ ନେବା ଟିକିଏ ସହଜସାଧ୍ୟ ହୋଇଥାଏ। କାରଣ ବାପା ବା ମା'ଙ୍କ ମଧ୍ୟରୁ କେହି ଷ୍ଟେଜ୍ରେ ଥିଲେ ଅନ୍ୟଜଣେ ପିଲାର ଯତ୍ନ ନେଇଥାନ୍ତି।

ଟେଜ୍ରେ ଗୀତ ଓ ପିଲା ଜନ୍ମ କରିବା

ଏହା ହେଉଛି ଭେଟେରାନ୍ କଳାକାର ବିଠାବାଇ ନାରାୟଣଗାଓଁଙ୍କର ଷ୍ଟେଜ୍ ଉପରେ ସନ୍ତାନ ପ୍ରସବ କରିବାର କାହାଣୀ ଯାହାକି ତମାଶା ଭେଟେରାନମାନଙ୍କରପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ। ତାଙ୍କୁ ପ୍ରସବ ଯନ୍ତ୍ରଣା ହେଉଥିବା ସମୟରେ ସେ ତାଙ୍କ ଝିଅକୁ ନିଜର ଦୃଶ୍ୟ ମଧ୍ୟରେ ଗୀତର ସଂଖ୍ୟା ବଢାଇବାକୁ କହିଥିଲେ। ତା' ପରେ କାହାଣୀ ଜାରି ରହିଥିଲା: ଷ୍ଟେଜ୍ର ପଛପଟେ ଏକ ତମ୍ବୁରେ ସେ କାହାର ସାହାଯ୍ୟ ନ ନେଇ ପିଲା ଜନ୍ମ କରିଥିଲେ (ମଙ୍ଗଳାତାଇଙ୍କର ଭାଇ କୈଳାସ ସାୱନ୍ତ) ତାଙ୍କୁ ଏକ କମଳରେ ଗୁଡ଼ାଇ ଦେଇଥିଲେ ଏବଂ ସେ ତମାଶାର ଅବଶିଷ୍ଟ ଅଂଶ ପରିବେଷଣ କରିବାକୁ ଷ୍ଟେଜ୍ ଉପରକୁ ଯାଇଥିଲେ।

ବିଠାବାଇଙ୍କର ବଡ଼ ଝିଅ ମଙ୍ଗଳତାଇ ମଧ୍ୟ ତାଙ୍କର ସାନ ପୁଅ ନୀତୀନ ଜନ୍ମ ହେବା ସମୟରେ ୧୯୭୬ ମସିହାରେ ସମାନ ଅଭିଜ୍ଞତାର ସାମ୍ନା କରିଥିଲେ। "ଆମେ ଏକ ଐତିହାସିକ ଭାଗ ନୃତ୍ୟ (ଲୋକନୃତ୍ୟ) ପରିବେଷଣ କରୁଥିଲୁ। ଏକ ଲଢେଇ ଦୃଶ୍ୟର ମଝିରେ ମୋ' ସ୍ୱାମୀ ମୋତେ କ’ଣ ହେଉଥିଲା ସେ ନେଇ ଇଙ୍ଗିତ କରିଥିଲେ।" ମଙ୍ଗଳାତାଇଙ୍କୁ ପ୍ରସବ ଯନ୍ତ୍ରଣା ହେଉଥିଲା।

dancer Rama Dalvi's mother Vimal
PHOTO • Shatakshi Gawade
Makeshift cradles are made from sarees for babies to sleep in backstage during tour stops
PHOTO • Shatakshi Gawade

ଋତୁସ୍ରାବ, ଶିଶୁମାନଙ୍କ ଯତ୍ନ ଓ ଅସୁସ୍ଥତା-ଏସବୁକୁ ଦେଖିବାକୁ ପଡ଼େ। ବାମ: ମୁଖ୍ୟ ନୃତ୍ୟାଙ୍ଗନା ରମା ଡାଲଭିଙ୍କର ମା’ ବିମଲ (ଗତବର୍ଷ ପର୍ଯ୍ୟନ୍ତ ଫାଦରେ ଗୀତ ଗାଉଥିଲେ) ଯିଏକି ତାଙ୍କୁ ତାଙ୍କ ପିଲାର ଦେଖାଶୁଣା କରିବା ଲାଗି  ସହାୟତା କରିଛନ୍ତି। ଡାହାଣ: ଟୁର ବନ୍ଦ ଥିବା ସମୟରେ ପିଲାମାନଙ୍କର ଶୋଇବା ଳାଗି ଶାଢିରେ ଦୋଳି ପ୍ରସ୍ତୁତ କରାଯାଇଛି।

ମଙ୍ଗଳାତାଇ କହନ୍ତି, "କ'ଣ ହେଉଥିଲା ମୁଁ ସେଥିପ୍ରତି ଲକ୍ଷ୍ୟ କରିନଥିଲି କାରଣ ମୁଁ ସଂପୂର୍ଣ୍ଣ ଭାବେ ଦୃଶ୍ୟରେ ମଜ୍ଜି ଯାଇଥିଲି। ମୁଁ ଯେତେବେଳେ ଏହାକୁ ଅନୁଭବ କଲି, ଚକ୍କର ଲାଗିବା ଭଳି ମୋତେ ଲାଗିଲା। ମୁଁ ଷ୍ଟେଜ୍ରେ ପଛପଟକୁ ଗଲି ଏବଂ ଗାଁର କିଛି ମହିଳାମୋତେ ପ୍ରସବ କରିବାରେ ସହାୟତା କଲେ। ପ୍ରସବ ପରେ ମୁଁ ମୋର କଷ୍ଟ୍ୟୁମ ପିନ୍ଧିଲି ଏବଂ ପୁଣି ଷ୍ଟେଜକୁ ଫେରିଲି-କିନ୍ତୁ ଲୋକମାନେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସେଠାରୁ ପଳାଇଥିଲେ।"

ମଙ୍ଗଳତାଇଙ୍କର ସାନ ଭଉଣୀ ଭାରତୀ ସୋନାୱାନେ (୫୩) ଯିଏକି ଟ୍ରୁପକୁ ଗୀତ ଗାଆନ୍ତି କହନ୍ତି ଯେ, "ମୁଁ ମୋର ତିନି ପିଲାଙ୍କୁ ଜନ୍ମ କରିବା ପରେ ପ୍ରତିଥର ୨ ସପ୍ତାହ ମଧ୍ୟରେ ଷ୍ଟେଜ୍କୁ ଫେରିଥିଲି । ମୋ ମା’ଙ୍କ ପରି ମୁଁ ମଧ୍ୟ ମୋର ପିଲା ଜନ୍ମ ସମୟରେ ବିରତି ନେଇନାହିଁ।"

ପ୍ରତିଦିନ ଯାତ୍ରା କରିବା, ଅନିୟମିତ କାର୍ଯ୍ୟନିର୍ଘଣ୍ଟ ଏବଂ ଖାଇବା ପିଇବାରେ ଏପଟସେପଟ ହେବା ଟ୍ରୁପ୍ ସଦସ୍ୟମାନଙ୍କର ସ୍ୱାସ୍ଥ୍ୟକୁ ଖରାପ କରିପାରେ। ରମା କହନ୍ତି, "ଯଦି କେହି ଅସୁସ୍ଥ ହୁଅନ୍ତି ତା’ ହେଲେ କେବଳ ଦିନ ସମୟରେ ହିଁ ତୁମେ ହସ୍ପିଟାଲ ଯାଇପାରିବ। ରାତିରେ ଆମକୁ ଷ୍ଟେଜରେ ରହିବାକୁ ପଡ଼ିଥାଏ।" ଗତବର୍ଷ ଭକ୍ତି ଅସୁସ୍ଥ ଥିବା ସମୟରେ ତମାଶା ଦଳ ଗୋଟିଏ ଗାଁରେ ୨ ଦିନ ଧରି ଅଭିନୟ କରୁଥିଲେ। ରମା କହିଲେ "ସେ ହସ୍ପିଟାଲରେ ଥିଲା ଏବଂ ତାକୁ ସାଲାଇନ ଲାଗିବାର ଥିଲା। ମୁଁ ସାରା ଦିନ ତା' ସହିତ ରହିଲି ଏବଂ ଏହା ସତ୍ତ୍ଵେ ରାତିରେ ମୋତେ ଷ୍ଟେଜ୍ରେ ଅଭିନୟ କରିବାକୁ ପଡ଼ିଲା।"

ଭକ୍ତି ବଡ଼ ହୋଇଗଲେ ରମା ତାକୁ ଘରେ ଛାଡ଼ିବାକୁ ସିଦ୍ଧାନ୍ତ ନେଇଛନ୍ତି। "ସେ ତମାଶାରେ କାମ କରୁ ବୋଲି ମୁଁ ଚାହେନାହିଁ କାରଣ ବିଗତ କିଛି ବର୍ଷ ମଧ୍ୟରେ ଦର୍ଶକମାନେ ଖୁବ୍ ବିଶୃଙ୍ଖଳ ହୋଇପଡ଼ିଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଆହୁରି କେତେ ଖରାପ ହେବ ତାହା କିଏ କହିପାରିବ?"

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Vinaya Kurtkoti

ବିନୟା କୁର୍ତ୍ତକୋଟି ପୁନେର ଜଣେ କପି ଏଡିଟର ଏବଂ ମୁକ୍ତବୃତ୍ତି ସାମ୍ବାଦିକ। ସେ କଳା ଓ ସଂସ୍କୃତି ସଂପର୍କରେ ଲେଖିଥାନ୍ତି।

Other stories by Vinaya Kurtkoti