ଦାଦା ସାହେବ ସାପିକେ କହନ୍ତି, ‘‘ଲୋକେ ଭାବନ୍ତି ଆମେ ଧନୀ ଓ ବଡ଼ ଚାଷୀ’’। ‘‘ଆମର ସବୁଜ ଗୃହ ଦେଖି ଲୋକଙ୍କର ଏହା ହିଁ ସାଧାରଣ ମତ । କିନ୍ତୁ ଆପଣ ଆମ ଫାର୍ମକୁ ଆସନ୍ତୁ ଏବଂ ଆପଣ ନିଷ୍ଠୁର ସତ ଦେଖିପାରିବେ । ଆମେ ପ୍ରଚୁର ଋଣରେ ବୁଡ଼ି ରହିଛୁ । କିନ୍ତୁ ଏଥିମଧ୍ୟରୁ କିଛି ବି ସୁଝି ପାରୁନାହୁଁ ।’’

ନାସିକରେ ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚାଷୀଙ୍କ ଶୋଭାଯାତ୍ରାରେ ଅନ୍ୟ ଚାଷୀଙ୍କ ସହ ଦାଦାସାହେବ ନିରବତାର ସହ ଚାଲୁଥିଲେ । ତାଙ୍କ ସହ ଥିଲେ ରାଜେନ୍ଦ୍ର ଭାଗବତ । ଆନ୍ଦୋଳନକାରୀଙ୍କ ମଧ୍ୟରେ ଥିବା ଅଧିକାଂଶ ଆଦିବାସୀ ଓ କ୍ଷୁଦ୍ରଚାଷୀଙ୍କଠାରୁ ଉଭୟ ଖୁବ୍‌ ଭିନ୍ନ ଥିଲେ । (ଚାଷୀମାନଙ୍କର ରହିଥିବା ସବୁ ଦାବି ପ୍ରତି ସମୟ ଅନୁସାରେ ବିଚାର କରିବେ ବୋଲି ମହାରାଷ୍ଟ୍ର ସରକାରଙ୍କର ଆଶ୍ୱସ୍ତିବାଣୀ ପରେ ଫେବ୍ରୁଆରୀ ୨୧ ତାରିଖ ମଧ୍ୟରାତ୍ରିରେ ଆନ୍ଦୋଳନ ପ୍ରତ୍ୟାହାର କରିନିଆଗଲା)

ଦାଦାସାହେବ ସାପିକେ କହନ୍ତି, ‘ଏହା ହେଉଛି ଅର୍ଥ ଅଭାବ, ପାଣିର ଅଭାବ, ବଜାରର ଅଭାବ, ଏହା ଭିତରେ ଆମେ ଫସି ରହିଛୁ’

ଅହମ୍ମଦନଗରର ଶୁଷ୍କ ଅଞ୍ଚଳ ସଙ୍ଗମନର ତାଲୁକାରେ ୫୧ ବର୍ଷୀୟ ସାପିକେ ଓ ୪୧ ବର୍ଷୀୟ ଭାଗବତ ଉଭୟ ପାଞ୍ଚ ଏକର ଜମିରେ ଚାଷ କରନ୍ତି । ପ୍ରତ୍ୟେକ ୨ ଏକର ଲେଖାଏଁ ଜମିରେ ସବୁଜ ଗୃହ ନିର୍ମାଣ କରିଛନ୍ତି । ଏହା ହେଉଛି ଚାଷ ଜମିକୁ ଆବଦ୍ଧ କରୁଥିବା ସବୁଜ ରଙ୍ଗର ଜାଲ ଯାହା କୁଆପଥର ଓ ପ୍ରବଳ ବର୍ଷା, କୀଟ ଓ ପ୍ରଚଣ୍ଡ ସୂର୍ଯ୍ୟତାପ ଭଳି ବିଭିନ୍ନ ବିପରୀତାତ୍ମକ କାରକରୁ ରକ୍ଷା କରିବା ସହ ଆଦ୍ରତା ବଜାୟ ରଖେ । ଏହା ଭିତରେ ଫସଲ ସବୁକୁ ଛିଦ୍ର ହୋଇଥିବା ପାଇପ୍‌ ସାହାଯ୍ୟରେ ବୁନ୍ଦା ଜଳସେଚନ କରାଯାଏ।

ସାପିକେ ଓ ଭାଗବତ କହିଲେ, ଏକ ଏକର ଜମିରେ ସବୁଜ ଗୃହ କରିବାକୁ ୧୫-୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ସେହିପରି ଏକ ଏକର ଜମିରେ ପଲି ହାଉସ୍‌ କରିବାକୁ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ପଲି ହାଉସ୍‌ ହେଉଛି ଷ୍ଟିଲ୍‌ ଏବଂ ପାଇପ୍‌ରେ ତିଆରି ପୂର୍ବନିର୍ମିତ ଆକୃତି, ଯାହା ଉପରେ ସ୍ୱତନ୍ତ୍ର ଭାବେ ନିର୍ମିତ ପଲିଥିନ୍‌ ସିଟ୍‌ କଭର କରାଯାଇଥାଏ । ସମଗ୍ର ଉତ୍ତର ଓ ପଶ୍ଚିମ ମହାରାଷ୍ଟ୍ରରେ ପଲିହାଉସ୍‌ ମାଧ୍ୟମରେ ରତ୍ପାନୀ ଉଦ୍ଦେଶ୍ୟରେ ଫୁଲ, ମୁଖ୍ୟତଃ ଗୋଲାପ ଓ ଜାରବେରା ଆଦି ଚାଷ କରାଯାଏ ।

ପ୍ରାୟ ଗୋଟିଏ ଦଶକ ପୂର୍ବରୁ, ରାଜ୍ୟ ସରକାର ଓ ବ୍ୟାଙ୍କଗୁଡ଼ିକ ଶୁଷ୍କ ଅଞ୍ଚଳ ଗୁଡ଼ିକରେ ଏହି ଷ୍ଟ୍ରକଚର(ଆକୃତି) ସବୁ ନିର୍ମାଣ କରିବାକୁ ବିଭିନ୍ନ ସୁବିଧା ଓ ସବ୍‌ସିଡି ମାଧ୍ୟମରେ ପ୍ରୋତ୍ସାହିତ କରିବାକୁ ଆରମ୍ଭ କରିଥିଲେ। ସଙ୍ଗମନର ହେଉଛି ଗୋଟିଏ ଜଳସଙ୍କଟ ଥିବା ତହସିଲ୍‌ ଯାହା ବୃଷ୍ଟିଛାୟା ଅଞ୍ଚଳରେ ରହିଛି । କମ୍‌ ପାଣି ବ୍ୟବହାର କରି ମୂଲ୍ୟବାନ କୃଷି ଦ୍ରବ୍ୟ ଉତ୍ପାଦନ କରିବା ଏବଂ ପାଣିପାଗ ଜନିତ ଅନିଶ୍ଚିତତାକୁ ପ୍ରତିହତ କରିବା ନେଇ ଏହି ଷ୍ଟ୍ରକଚର(ଆକୃତି)କୁ ଏକ ଟେକ୍ନୋଲୋଜି ଭାବେ ପ୍ରୋତ୍ସାହିତ କରାଗଲା ।  

Farm land.
PHOTO • Jaideep Hardikar

ଗୋଟିଏ ଦଶକ ପୂର୍ବରୁ, ଶୁଷ୍କ ଅଞ୍ଚଳ ଗୁଡ଼ିକରେ ରାଜ୍ୟ ସରକାର ଏବଂ ବ୍ୟାଙ୍କ ଗୁଡ଼ିକ ସବୁଜ ଗୃହ ଏବଂ ପଲି ହାଉସ୍ ଆଦିକୁ ପ୍ରୋତ୍ସାହିତ କରିବାକୁ ଆରମ୍ଭ କଲେ ପ୍ରାରମ୍ଭରେ ଭଲ ଲାଭ ପାଉଥିଲେ ବି ପରେ ଚାଷୀମାନେ ଖରାପ ପାଣିପାଗ ଯୋଗୁଁ ପ୍ରଭାବିତ ହେଲେ

ଦୁଇ ଜଣ ଚାଷୀ ପ୍ରାୟ ୮ ବର୍ଷ ପୂର୍ବରୁ ସବୁଜ ଗୃହ ପ୍ରତିଷ୍ଠା କରିଥିଲେ । ପ୍ରଥମ ଦୁଇ ବର୍ଷ ସେମାନେ ଲାଭ କଲେ, ଯାହା ସେମାନଙ୍କୁ ଉତ୍ସାହିତ କଲା ଏକ ଏକରରୁ ଦୁଇ ଏକରକୁ ଏହାକୁ ସଂପ୍ରସାରିତ କରିବା ପାଇଁ । ଭାଗବତ କହନ୍ତି, ‘‘୨୦୦୯-୧୦ରେ, ଯେତେବେଳେ ଆମ ଅଞ୍ଚଳରେ ସବୁଜ ଗୃହ ଏବଂ ପଲି ହାଉସ୍‌ ଅଧିକ ସଂଖ୍ୟାରେ ପ୍ରତିଷ୍ଠା ହେଲା, କ୍ୟାପ୍‌ସିକମ୍‌ ଭଳି ଦାମୀ ପରିବା ବା ଫୁଲ ଆଦିର ମୂଲ୍ୟ ଉଚ୍ଚା ହେଲା । କିନ୍ତୁ ଏବେ ମୂଲ୍ୟ ଖୁବ୍‌ ଖସିଆସିଛି (ଅତ୍ୟଧିକ ଯୋଗାଣ ଏବଂ ଅସ୍ଥିର ବଜାର ଫଳରେ) ଏବଂ ପାଣି ତ ଆଦୌ ନାହିଁ ।’’

୫ବର୍ଷ ଧରି , ସେ ଏବଂ ସାପିକେ କ୍ୟାପସିକମ୍ ଫସଲ କରି ବହୁତ କ୍ଷତି କଲେ। କିନ୍ତୁ ସେମାନେ ନିଜର ଋଣ ବିଷୟରେ କହିବା ପାଇଁ କୁଣ୍ଠାବୋଧ କରୁଥିଲେ। ଭାଗବତ କହିଲେ, "ଖୋଲାଖୋଲି ଭାବରେ ଏହା କହିବା ଭାରି କଷ୍ଟକର ଥିଲା,'' "କାରଣ ଯଦି ବନ୍ଧୁବାନ୍ଧବ ଜାଣିବେ ଯେ ଆମେ କରଜରେ ବୁଡି ରହିଛୁ ତେବେ ଆମର ସାମାଜିକ ପ୍ରତିପତ୍ତି ପ୍ରଭାବିତ  ହେବ ବୋଲି ଭୟ ଲାଗୁଥିଲା କିନ୍ତୁ ଏହି ସମୟ ଥିଲା ସରକାରଙ୍କୁ ଆମ ସମସ୍ୟା ବିଷୟରେ ଅବଗତ କରାଇବାର ସମୟ।''

ଦାଦାସାହେବ କହିଲେ, ଅହମ୍ମଦନଗର ଜିଲ୍ଲା ଓ ଅନ୍ୟ ସ୍ଥାନର ବହୁ ଅନ୍ୟ କୃଷକ, ଯେଉଁମାନେ ନିଜ କ୍ଷେତରେ ସବୁଜ ଗୃହ ବା ପଲି ହାଉସ୍‌ ପ୍ରତିଷ୍ଠା କରିଛନ୍ତି, ସେମାନେ ମଧ୍ୟ ପ୍ରଚୁର ଋଣରେ ବୁଡ଼ିଛନ୍ତି ଏବଂ ପ୍ରୋଜେକ୍ଟ ବନ୍ଦ କରିଦେଇଛନ୍ତି । ଦାଦାସାହେବ କହିଲେ, ସିରଡ଼ି ନିକଟସ୍ଥ ତାଙ୍କ ନିଜ ଗାଁ କାନକୁରିରେ, ଅନେକଙ୍କ ପାଖରେ ଆଦୌ ଅର୍ଥ ନାହିଁ ଏବଂ ଆଉ ସେମାନେ ବ୍ୟାଙ୍କରୁ ମଧ୍ୟ କୌଣସି ଋଣ ପାଇବେ ନାହିଁ । ସେ ଆହୁରି ମଧ୍ୟ କହିଲେ, ‘‘ଅର୍ଥର ଅଭାବ, ପାଣିର ଅଭାବ, ବଜାରର ଅଭାବ ରହିଛି । ଆମେ ଫସିଯାଇଛୁ । ମୋର ପେନ୍‌ସନ୍‌ ଅଛି (ସେ ଜଣେ ଅବସରପ୍ରାପ୍ତ ନୌସେନା କିରାଣୀ) ମୋ ପରିବାର ଚଳାଇବା ପାଇଁ, କିନ୍ତୁ ଅନ୍ୟମାନଙ୍କର କିଛି ବି ନାହିଁ ...।’’

Two farmers in the march.
PHOTO • Jaideep Hardikar

ସାପିକେ (ବାମ) ଏବଂ ଭାଗବତ(ଡାହାଣ) କ୍ଷୁଦ୍ର ଚାଷୀ ନୁହନ୍ତି, କିନ୍ତୁ ବହୁ ଅନ୍ୟ ସବୁଜ ଗୃହ ଚାଷୀଙ୍କ ଭଳି, ସେମାନେ ଋଣ ବୋଝ ତଳେ ଅଛନ୍ତି

ଏବେ ଚାଲିଥିବା ଆନ୍ଦୋଳନରେ ଏ ଦୁଇ ଜଣ ସେତେବେଳେ ଯୋଗଦେଲେ ଯେତେବେଳେ ଆନ୍ଦୋଳନର ଆୟୋଜକ ସର୍ବଭାରତୀୟ କିଷାନ ସଭା(ଏଆଇକେଏସ୍‌) ଫେବ୍ରୁଆରୀ ୧୩ ତାରିଖରେ ଅହମ୍ମଦନଗରରେ ସବୁଜ ଗୃହ ଏବଂ ପଲି ହାଉସ୍‌ ଚାଷୀମାନଙ୍କର ଏକ ବୈଠକର ଆୟୋଜନ କରିଥିଲେ, ଏବଂ କହିଲେ ଯେ ଏହା ମଧ୍ୟ ଗୋଟିଏ ପ୍ରସଙ୍ଗ ଯାହାକୁ ଆନ୍ଦୋଳନ ମାଧ୍ୟମରେ ସର୍ବସମ୍ମୁଖକୁ ଅଣାଯିବାକଥା ।

ସାପିକେ ଏବଂ ଭାଗବତ ପ୍ରତ୍ୟେକଙ୍କର ୨୦ରୁ ୩୦ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ରହିଛି। ସେମାନେ କହିଲେ, ସେମାନଙ୍କ ଭଳି ଅନ୍ୟ ଚାଷୀଙ୍କର ଆହୁରି ଅଧିକ ଋଣ ରହିଛି ଯେ ସେମାନେ ତାକୁ ପରିଶୋଧ କରିବାରେ ଅକ୍ଷମ। ରାଜ୍ୟ ସରକାରଙ୍କ ପାଖରେ ଏଆଇକେଏସ୍‌ ପକ୍ଷରୁ ରଖାଯାଇଥିବା ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରୁ ସବୁଜ ଗୃହ ଓ ପଲି ହାଉସ୍‌ ଚାଷୀମାନଙ୍କ ପାଇଁ ମଧ୍ୟ ଋଣ ଛାଡ଼ କରିବା ରହିଛି ।

ଫେବ୍ରୁଆରୀ ୨୧ ତାରିଖ ରାତିରେ ସରକାର ଦେଇଥିବା ପ୍ରତିଶ୍ରୁତିରେ କହିଛନ୍ତି ଯେ ଏହି ପ୍ରସଙ୍ଗର ସମାଧାନ ଦିଗରେ ମଧ୍ୟ ସରକାର ଧ୍ୟାନ ଦେବେ । ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ କହିଲେ ‘‘ଏହି ଚାଷୀମାନଙ୍କର ବୋଝ କମ୍‌ କରିବା ନେଇ ନିଷ୍ପତ୍ତି ନେବା ପୂର୍ବରୁ ଏହି ଚାଷୀମାନଙ୍କ ଉପରେ ଆମେ ଗୋଟିଏ ସର୍ଭେ କରିବୁ ।’’ ସେ ବିଳମ୍ବିତ ସଂଧ୍ୟାରେ ଏଆଇକେଏସ୍‌ ଚାଷୀମାନଙ୍କ ସହ ହୋଇଥିବା ଆଲୋଚନାର ନେତୃତ ନେଇଥିଲେ ଏବଂ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ସେ କୃଷକମାନଙ୍କୁ ସମ୍ବୋଧନ କରିଥିଲେ ।

ଦାଦାସାହେବ କହନ୍ତି, ଏବେ ଥିବା ଋଣ ଛାଡ଼ ସ୍କିମ୍‌ ଆମ ପାଇଁ କୌଣସି ମତେ ସାହାଯ୍ୟକାରୀ ନୁହେଁ। ଆମର ଋଣ ରାଶି ଖୁବ୍‌ ବେଶୀ । ଯଦି ପରିଶୋଧ କରିବାକୁ ଆମ ପାଖରେ ଟଙ୍କା ଥାଆନ୍ତା, ତେବେ ଆମେ ଦାବି ନେଇ ରାଲିରେ ଆସି ନ ଥାନ୍ତୁ ।’’ ସେ ଆହୁରି କହିଲେ, ସେମାନେ ନିଜ ଜମି ବି ବିକ୍ରି କରିଦେଲେ ଋଣ ପରିଶୋଧ କରିବାରେ ସକ୍ଷମ ହେବେ ନାହିଁ । ଦାଦା ସାହେବ କହିଲେ, ‘‘ଆମେ ଏଥିପାଇଁ କହିବାକୁ ସ୍ଥିର କଲୁ କାରଣ ଅନ୍ୟମାନେ ମଧ୍ୟ ଆମ ସହ ସାମିଲ୍‌ ହେବେ । ଯେତେବେଳେ ଆମେ ସରକାରଙ୍କ ଦ୍ବାରରେ ପହଞ୍ଚିବାକୁ ଉପାୟ ଅଛି ଆମେ ନିଜକୁ ଫାଶୀରେ ଝୁଲାଇ ଦେବାର କିଛି ଅର୍ଥ ନାହିଁ । ’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar