ଏପ୍ରିଲ ମଧ୍ୟଭାଗରେ ସୁରେଶ ବାହାଦୁର ମୋତେ କହିଥିଲେ, “ଔଷଧ ଶେଷ ହୋଇଛି, ଟଙ୍କା ଶେଷ ହୋଇଛି ଏବଂ ଗ୍ୟାସ ମଧ୍ୟ ଶେଷ ହୋଇଛି’’।

ଚାରି ବର୍ଷ ଧରି ଗୋଟିଏ ସୀତି ଏବଂ ଲାଠି ନେଇ ସୁରେଶ ସାଇକେଲରେ ବୁଲି ଘର ଏବଂ ଦୋକାନଗୁଡ଼ିକ ଜଗିବାରେ ରାତି କଟାଇଛନ୍ତି । ସେ ଏବଂ ତାଙ୍କ ପିତା ରାମ ବାହାଦୁର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭୀମବରମ ସହରରେ ଆଞ୍ଚଳିକ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।

ମାର୍ଚ୍ଚ ୨୨ ପରେ, ଲକଡାଉନ୍ ଆରମ୍ଭ ହୋଇଯିବା ପରେ ସାଇକେଲ୍‌ ଅଲଗା ହୋଇ ରହିଗଲା ଏବଂ ସୁରେଶ ତାଙ୍କ ଫୋନ ସ୍କ୍ରୋଲ୍ କରି କୋଭିଡ୍ -୧୯ର ଖବର ଖୋଜିବା ଏବଂ ଖାଦ୍ୟ, ରୋଷେଇ ଗ୍ୟାସ୍ ଏବଂ ପାଣି କ୍ରୟ କରିବାରେ ଲାଗିଲେ ।

୨୩ ବର୍ଷ ବୟସ୍କ ସୁରେଶ, ତାମି ରାଜୁ ନାଗର ଅଞ୍ଚଳରେ ଏକ ଭଡା କୋଠରୀରେ ପ୍ରାୟ ୪୩ ବର୍ଷ ବୟସ୍କ ଶୁଭମ୍ ବାହାଦୂର, ଏବଂ ୨୧ ବର୍ଷ ବୟସ୍କ ରାଜେନ୍ଦ୍ର ବାହାଦୂରଙ୍କ ସହ ରହୁଥିଲେ । ସେମାନେ ସମସ୍ତେ ନେପାଳର ବଜହାଙ୍ଗ ଜିଲ୍ଲାର ଦିକ୍‌ଲା ଗ୍ରାମରୁ ଆସିଛନ୍ତି । ଭୀମାବରମର ଅନ୍ୟ ଏକ ଅଂଶରେ ଗୋଟିଏ କୋଠରୀ ଭଡା ଦେଇଥିବା ରାମ ବାହାଦୁର ଲକ୍‌ଡାଉନ୍‌ ପରେ ସେମାନଙ୍କ ପାଖକୁ ଚାଲି ଆସିଥିଲେ ।

ସେପର୍ଯ୍ୟନ୍ତ, ପ୍ରତ୍ୟେକ ମାସର ପ୍ରଥମ ଦୁଇ ସପ୍ତାହରେ, ରାମ ଏବଂ ସୁରେଶ ପ୍ରତି ଘରୁ ଟ. ୧୦-୨୦ ଏବଂ ଦୋକାନମାନଙ୍କରୁ ଟ. ୩୦-୪୦ ପାଉଣା ଭାବରେ ଆଦାୟ କରୁଥିଲେ । ଉଭୟେ ୭୦୦୦ ଏବଂ ୯୦୦୦ ମଧ୍ୟରେ ରୋଜଗାର କରୁଥିଲେ ।  ଏହା ଏକ ଅନୌପଚାରିକ ବ୍ୟବସ୍ଥା ହୋଇଥିବା କାରଣରୁ ସେମାନଙ୍କର ଆୟ ପରିବର୍ତ୍ତତ ହେଉଥିଲା ।  ଯେତେବେଳେ ଆମେ ଏପ୍ରିଲରେ କଥା ହୋଇଥିଲୁ ସେତେବେଳେ ରାମ ବାହାଦୂର କହିଥିଲେ, ‘‘ବେଳେବେଳେ ଏହା ଟ. ୫୦୦୦ ଯାଏଁ କମ୍‌ ହୋଇଯାଏ , ଏବେ ଏହା ବନ୍ଦ ହୋଇଯାଇଛି।”
Suresh Bahadur's work required making rounds on a bicycle at night; he used wood as cooking fuel during the lockdown
PHOTO • Rajendra Bahadur
Suresh Bahadur's work required making rounds on a bicycle at night; he used wood as cooking fuel during the lockdown
PHOTO • Rajendra Bahadur

ସୁରେଶ ବାହାଦୁରଙ୍କ କାମ ରାତିରେ ସାଇକେଲରେ ବୁଲିବା ଆବଶ୍ୟକ କରେ; ସେ ଲକ୍‌ ଡାଉନ୍‌ ସମୟରେ କାଠକୁ ଜାଳେଣୀ ଭାବରେ ବ୍ୟବହାର କରୁଥିଲେ

ସୁରେଶ ଏ କଥା ମଧ୍ୟ କହିଥିଲେ , ‘‘ଲକ୍‌ ଡାଉନ୍‌ ପୂର୍ବରୁ ଆମେ କେବେ ପ୍ରତିଦିନ ଚାରି ଜଣଙ୍କ ପାଇଁ ତିନିଥର ରାନ୍ଧୁ ନଥିଲୁ ।’’ ସେ ସାଧାରଣତଃ ରାସ୍ତା କଡ଼ ଷ୍ଟଲ ଏବଂ ଦୋକାନରୁ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ କରୁଥିଲୁ । ଏସବୁ ଭୋଜନରେ ସେ ମାସକୁ ପ୍ରାୟ ଟ. ୧୫୦୦ ଖର୍ଚ୍ଚ କରୁଥିଲେ।  ସେ ଏବଂ ତାଙ୍କ ସହ କୋଠରୀରେ ରହୁଥିବା ବନ୍ଧୁମାନେ ଲକ୍‌ଡାଉନ୍‌ ପୂର୍ବରୁ ବଜାରରୁ ଗ୍ୟାସ୍ ସିଲିଣ୍ଡର କିଣିଥିଲେ ଏବଂ କେବଳ ପ୍ରାତଃଭୋଜନ ରାନ୍ଧିବା ପାଇଁ ବ୍ୟବହାର କରୁଥିଲେ । କିନ୍ତୁ ମାର୍ଚ୍ଚ ୨୨ ପରେ, ସେମାନେ ନିଜ କୋଠରୀରେ ନିଜର ସମସ୍ତ ଭୋଜନ ରାନ୍ଧିବା ଆରମ୍ଭ କଲେ । 

ସୁରେଶ କହିଥିଲେ, ‘‘ଏପ୍ରିଲର ଦ୍ୱିତୀୟ ସପ୍ତାହ ସୁଦ୍ଧା ଆମର ଉଭୟ ଗ୍ୟାସ୍ ଏବଂ ଖାଦ୍ୟ ସରିଯାଇଥିଲା ।’’  ଏପ୍ରିଲ୍ ୧୨ ରେ, ନିକଟସ୍ଥ ତେଜରାତି ଦୋକାନରୁ କିଣାଯାଇଥିବା ଖାଦ୍ୟ ମାତ୍ର ୨ରୁ ୩ ଦିନ ପାଇଁ ବାକି ଥିବା ବେଳେ  ସେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଏକତ୍ର ହୋଇଥିବା ଗୋଷ୍ଠୀ ଓ କର୍ମକର୍ତ୍ତାଙ୍କ ଦ୍ୱାରା ପରିଚାଳିତ ଏକ ହେଲ୍‌ପ ଲାଇନ୍‌ ସହିତ ଯୋଗାଯୋଗ କଲେ । ସେଠାରେ ଥିବା ସ୍ୱେଚ୍ଛାସେବୀମାନେ ଏପ୍ରିଲ୍‌ ୧୨ରୁ ମେ ୨ ତାରିଖ ମଧ୍ୟରେ ସୁରେଶ ଏବଂ ତାଙ୍କ କୋଠରୀରେ ରହୁଥିବା ଅନ୍ୟମାନଙ୍କୁ ଅଟା, ଡାଲି, ପନିପରିବା, ତେଲ, ଚିନି, ସାବୁନ୍, ୱାଶିଂ ପାଉଡର ଏବଂ ଔଷଧ ପାଇବା ପାଇଁ ତିନିଥର ସାହାଯ୍ୟ କରିଥିଲେ । 

ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ହୋଇ ଆସିବାକୁ ମେ ୨ ହୋଇଗଲା । ସେ ମଧ୍ୟରେ ସୁରେଶ ଏବଂ ଅନ୍ୟମାନେ କାଠକୁ ଜାଳେଣୀ ଭାବରେ ବ୍ୟବହାର କରିଥିଲେ, ସିଲିଣ୍ଡର୍‌ ପାଇବା ପରେ ମଧ୍ୟ ଆଖ ପାଖ ଅଞ୍ଚଳରୁ ଏହା ସଂଗ୍ରହ କରିଥିଲେ କାରଣ ସେମାନେ କେତେ ଦିନ ପର୍ଯ୍ୟନ୍ତ ସାହାଯ୍ୟ ପାଇବେ ସେ ନେଇ ଅନିଶ୍ଚିତ ଥିଲେ ।  ସୁରେଶ କହିଥିଲେ, ‘‘ ଏ ଦେଶ ଆମର ନୁହେଁ । ଅନ୍ୟ କିଛି ଆମର କେମିତି ହେବ (ଆମ ଇଚ୍ଛାରେ କେମିତି ହେବ)।?’’

ଲକ୍‌ ଡାଉନ୍‌ ପୂର୍ବରୁ, ସେମାନେ ପ୍ରତ୍ୟେକ ଦିନ ଅପରାହ୍ନରେ ନିଜ ଘର ପାଖରେ ରହିଥିବା ଏକ ମ୍ୟୁନିସିପାଲିଟି କର୍ପୋରେସନ୍ ୱାଟର ଟ୍ୟାଙ୍କର୍‌ରୁ ୮-୧୦ ବାଲ୍ଟି ପାଣି ଆଣୁଥିଲେ, ଏହି ଜଳ ସ୍ଥାନୀୟ ବାସିନ୍ଦାଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିଲା- ଏହା ଲକ୍‌ ଡାଉନ୍‌ରେ ମଧ୍ୟ ଜାରୀ ରହିଥିଲା।  ପ୍ରତିଦିନ ସେମାନେ ନିକଟସ୍ଥ କର୍ପୋରେସନ୍‌ ଅଫିସ୍‌ରୁ ଦୁଇଟି ୧୦-୧୫ ଲିଟର କ୍ୟାନ୍‌ ପାନୀୟ ଜଳ କିଣୁଥିଲେ, ଲକ୍‌ ଡାଉନ୍ ସମୟରେ, ଏହି କ୍ୟାନ୍‌ଗୁଡିକ ମାଗଣାରେ ଉପଲବ୍ଧ କରାଗଲା । 

ନେପାଳର ଜନସଂଖ୍ୟା ସମ୍ପର୍କିତ ବିଶେଷ ଅଧ୍ୟୟନ ଅନୁଯାୟୀ, ୨୦୧୧ ମସିହାରେ ଭାରତରେ ୭ ଲକ୍ଷ ନେପାଳୀ ପ୍ରବାସୀ ଅଛନ୍ତି- ଯାହା ନେପାଳର ‘ସମୁଦାୟ ଅନୁପସ୍ଥିତ ଜନସଂଖ୍ୟା’ର ୩୭.୬ ପ୍ରତିଶତ । ନେପାଳ ସରକାରଙ୍କ ୨୦୧୮-୨୦୧୯ ଅର୍ଥନୈତିକ ସର୍ବେକ୍ଷଣ ଆକଳନ କରିଛି ଯେ ନେପାଳର ସାମଗ୍ରୀକ ଘରୋଇ ଉତ୍ପାଦର ଏକ ଚତୁର୍ଥାଂଶରୁ ଅଧିକ ‘ବାହାରୁ ଆସୁଥିବା ଆୟ’ ।
Rajendra (left), Ram (centre), Suresh (right) and Shubham Bahadur ran out of rations by April 12
PHOTO • Shubham Bahadur

ଏପ୍ରିଲ୍ ୧୨ ସୁଦ୍ଧା ରାଜେନ୍ଦ୍ର (ବାମ), ରାମ (କେନ୍ଦ୍ର), ସୁରେଶ (ଡାହାଣ) ଏବଂ ଶୁଭମ୍ ବାହାଦୂରଙ୍କ ରାସନ୍‌ ଶେଷ ହୋଇ ଯାଇଥିଲା

୨୦୧୬ ରେ ଭାରତ ଆସିବା ପାଇଁ କଲେଜ ଛାଡିଥିବା ସୁରେଶ କହିଥିଲେ, “ମୁଁ ମୋ ପରିବାର ପାଇଁ ରୋଜଗାର କରିବାକୁ ଚାହୁଁଥିଲି । ଖାଇବାକୁ ପାଇବା ମଧ୍ୟ ଏକ ସଂଘର୍ଷ ଥିଲା ।” ରାମ ଏବଂ ସୁରେଶ ବାହାଦୁର ସେମାନଙ୍କ ଛ’ ଜଣିଆ ପରିବାରର ରୋଜଗାରକାରୀ ସଦସ୍ୟ ଅଟନ୍ତି । ସୁରେଶ ତାଙ୍କ ମାଆ ନନ୍ଦା ଦେବୀ, ଯିଏ କି ଜଣେ ଗୃହିଣୀ, ତାଙ୍କୁ ଦେଖିବା ଏପ୍ରିଲ ମାସରେ ପ୍ରାୟ ନଅ ମାସ ହୋଇ ଯାଇଥିଲା । ତାଙ୍କର ସାନ ଭାଇ - ୧୮ ବର୍ଷୀୟ ରବୀନ୍ଦ୍ର ବାହାଦୂର ଏବଂ ୧୬ ବର୍ଷୀୟ କମଲ ବାହାଦୁର,, ଉଭୟ ଡିକ୍‌ଲା ଗାଁର ଛାତ୍ର । ଭାରତକୁ ଆସିବାର କିଛି ସମୟ ପୂର୍ବରୁ ସୁରେଶ ତାଙ୍କର ପୂର୍ବତନ ସହପାଠିନୀ ସୁସ୍ମିତା ଦେବୀଙ୍କୁ ବିବାହ କରିଥିଲେ। ସେ ମନେପକାଇ କହିଥଲେ “ଯେତେବେଳେ ଆମେ ୧୬ କିମ୍ବା ୧୭ ବର୍ଷର ହୋଇଥିଲୁ ସେତେବେଳେ ଆମେ ପ୍ରେମରେ ପଡିଥିଲୁ । ଲକ୍‌ ଡାଉନ୍‌ ପୂର୍ବରୁ ସୁରେଶ ପ୍ରତି ମାସରେ ଘରକୁ ଟ. ୨୦୦୦ ରୁ ଟ. ୩୦୦୦ ମଧ୍ୟରେ ପଠାଉଥିଲେ । 

ରାମ ବାହାଦୂର ମୋତେ କହିଥିଲେ, ‘‘ଲକ୍‌ ଡାଉନ୍‌ ସମୟରେ ଯେ ସେ [ତାଙ୍କ ପତ୍ନୀ] ଏବେ ଟଙ୍କା ମାଗୁ ନାହାଁନ୍ତି । ’’ ଲକ୍‌ ଡାଉନ୍‌ରେ ନେପାଳରେ ଥିବା ତାଙ୍କ ପରିବାର ଲକ୍‌ଡାଉନ୍ ପୂର୍ବରୁ ରାମ ଏବଂ ସୁରେଶ ପଠାଇଥିବା ଅର୍ଥରେ ଏବଂ ନେପାଳ ସରକାର ବେଳେବେଳେ ଦେଉଥିବା ରାସନରେ ଚଳୁଛନ୍ତି ।

୧୯୫୦ ମସିହାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଏବଂ ବନ୍ଧୁତା ଚୁକ୍ତିନାମା କରିବା ପରେ ଭାରତ ଏବଂ ନେପାଳର ସୀମା ଅତ୍ୟନ୍ତ ଖୋଲା ହୋଇଯାଇଥିଲା । କୋଭିଡ -୧୯ ର ସଂକ୍ରମଣ ରୋକିବା ପାଇଁ ନେପାଳ ସରକାର ୨୨ ମାର୍ଚ୍ଚ ୨୦୨୦ ରେ ଏହି ସୀମାକୁ ସିଲ୍ କରିଥିଲେ । ବିଭିନ୍ନ ସମ୍ବାଦର ରିପୋର୍ଟ ଅନୁଯାୟୀ ଲକ୍‌ ଡାଉନ୍‌ ଆରମ୍ଭ ହେବା ପରଠାରୁ ନେପାଳର ବହୁ ପ୍ରବାସୀ ଶ୍ରମିକ ନିଜ ଦେଶକୁ ଯିବା ପାଇଁ ଭାରତର ବିଭିନ୍ନ ସୀମା ଆଉଟପୋଷ୍ଟରେ ଏକାଠି ହୋଇଥିଲେ ।

ରାମ ବାହାଦୁର ପ୍ରଥମେ ୧୧ ବର୍ଷ ବୟସରେ ନେପାଳ-ଭାରତ ସୀମା ଅତିକ୍ରମ କରିଥିଲେ - ସେ କାମର ସନ୍ଧାନରେ ଡିକ୍‌ଲା ଗାଁରୁ ଚାଲି ଆସିଥିଲେ। ସେ ଅନେକ ଚାକିରି କରିଥିଲେ - ଦିଲ୍ଲୀର ତିଲକ ନଗରରେ ଘରୋଇ ସହାୟକ ଭାବରେ ଏବଂ ଏହା ପରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ କହିଲେ, ‘‘ଯଦି ତୁମର ବୟସ ମାତ୍ର ୧୧ ବର୍ଷ ତେବେ ତୁମେ ସମସ୍ୟା ଏବଂ ଅସୁବିଧା କ’ଣ ତାହା କିପରି ଜାଣିବ ? କୌଣସି ମତେ ମୁଁ ରୋଜଗାର କଲି। ’’

ଏପ୍ରିଲରେ ସୁରେଶ ମୋତେ କହିଥିଲେ, “ଆମେ ଏହି ମାସରେ ଘରକୁ ଯିବାକୁ ଯୋଜନା କରୁଥିଲୁ।’’ ସେ ଏବଂ ତାଙ୍କ ପିତା ପ୍ରତ୍ୟେକ ଗ୍ରୀଷ୍ମରେ ପାହାଡରେ ଥିବା ସେମାନଙ୍କ ଗ୍ରାମକୁ ଦେଢ଼ ମାସ ପାଇଁ ଯାଆନ୍ତି । ସେଥିପାଇଁ ସେମାନଙ୍କୁ ଟ୍ରେନ୍‌ ଏବଂ ୩-୪ ଦିନ ଯାତ୍ରା କରିବାକୁ ହୋଇଥାଏ ।  ଚଳିତ ବର୍ଷ ଏପ୍ରିଲରେ ସେମାନେ କେବେ ଏବଂ କିପରି ନିଜ ଗାଁକୁ ଫେରିବେ ତାହାର କୌଣସି ଉପାୟ ନଥିଲା। ସୁରେଶଙ୍କ ପାଇଁ ଚିନ୍ତାର ଯଥେଷ୍ଟ କାରଣ ଥିଲା: “ମୁଁ ଅସୁସ୍ଥ, ଯଦି ମୁଁ ବାହାରକୁ ଯିବି ତେବେ କ’ଣ ହେବ?”

ସେ ଫେବୃଆରୀ ୨୦୧୯ ଦୁର୍ଘଟଣାର ଦୀର୍ଘ ପ୍ରଭାବ ବିଷୟରେ କହୁଥିଲେ। ସେଦିନ ସେ ପାଉଣା ସଂଗ୍ରହ କରିବା ପରେ ଘରକୁ ସାଇକେଲରେ ଫେରୁଥିବା ବେଳେ ମଧ୍ୟାହ୍ନରେ ଏକ ଲରୀ ତାଙ୍କୁ ଧକ୍କା ଦେଇଥିଲା। ଲରି ଡ୍ରାଇଭର ତାଙ୍କୁ ଭୀମାବରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତୁରନ୍ତ ଯକୃତ ଅସ୍ତ୍ରୋପଚାର ଆବଶ୍ୟକ ଥିଲା । ସୁରେଶ ଏବଂ ରାମ ଟ୍ୟାକ୍ସି ଦ୍ୱାରା ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ଏଲୁରୁ ସହରର ଏକ ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତରଖାନାରେ ଅପରେସନ୍ ପାଇଁ ସୁବିଧା ନାହିଁ ତାଙ୍କୁ କୁହାଗଲା । ଶେଷରେ ସେମାନେ ବିଜୟୱାଡାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିଥିଲେ। ସୁରେଶ ନିଜର ବନ୍ଧୁ, ଆନ୍ଧ୍ରପ୍ରଦେଶରେ ଥିବା ଅନ୍ୟ ପ୍ରବାସୀ ନେପାଳୀମାନଙ୍କ ସହାୟତାରେ ଡାକ୍ତରଖାନାର ବିଲ୍ ପୈଠ କରିଥିଲେ: “କାକିନାଡାରୁ, ଭୀମାବରମରୁ, ମୋ ଲୋକମାନେ ସମସ୍ତେ ମୋତେ ଦେଖା କରିବାକୁ ଆସିଥିଲେ ଏବଂ ସେମାନଙ୍କ ପାଖରେ ଯାହା ଥିଲା ତାହା ଆଣିଥିଲେ । ’’
'This country is not ours', said Suresh. 'How can anything else be [in our control]?'
PHOTO • Rajendra Bahadur

 ‘ସୁରେଶ କହିଲେ ‘ ଏ ଦେଶ ଆମର ନୁହେଁ ‘। “ଆଉ କିଛି କିପରି ହୋଇ ପାରିବ [ଆମ ଇଚ୍ଛାରେ]’’

ଗୋଟିଏ ବର୍ଷ ପରେ ବି ସୁରେଶ ଏ ଯାଏଁ ଋଣରେ ଅଛନ୍ତି । ସେ କହିଲେ, ‘‘ଲକ୍ଷ ଲକ୍ଷ ଟଙ୍କା ’’ ଏବଂ ପ୍ରତି ମାସରେ ଡାକ୍ତରୀ ପରୀକ୍ଷା ଏବଂ ଔଷଧ ପାଇଁ ସେ ପ୍ରାୟ ଟ. ୫୦୦୦ ଦରକାର କରନ୍ତି । ଲକ୍‌ଡାଉନ୍‌ ଜାରୀ ଥିବାରୁ ସେ ଏପ୍ରିଲ୍‌ ସୁଦ୍ଧା ଅଧିକ ଚିନ୍ତିତ ହୋଇ ଯାଇଥିଲେ: “ଏବେ ମୋ ଲୋକମାନେ [ତାଙ୍କ ନେପାଳୀ ବନ୍ଧୁମାନେ] ମଧ୍ୟ ଏଠାରେ ଅର୍ଥ ପାଇଁ ସଂଘର୍ଷ କରୁଛନ୍ତି । ସେମାନେ ଭାରତରେ ଅନେକ ପ୍ରକାର କାମ କରିଛନ୍ତି, ଯାହା ସେମାନେ ପାଆନ୍ତି – ସିଗାରେଟ୍‌ ବିକ୍ରୀ କରିବା ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ଏବଂ ହୋଟେଲ୍‌ରେ କାମ କରିବା ପର୍ଯ୍ୟନ୍ତ । ମୋ ଦୁର୍ଘଟଣା ପରେ, ମୁଁ  ଭାବୁଥିଲି – ମୁଁ ରକ୍ଷା ପାଇଗଲି, କିନ୍ତୁ ଆମର କୌଣସି ସଞ୍ଚୟ ବଞ୍ଚି ନଥିଲା ।’’

ଏପ୍ରିଲ୍‌ ୧୩ରୁ ମେ’ ୧୦ ମଧ୍ୟରେ ମୁଁ ପାଞ୍ଚ ଥର ସୁରେଶ ବାହାଦୁରଙ୍କୁ ଫୋନ୍‌ କରିଥିଲି- ପ୍ରତ୍ୟେକ ଥର ସେ କହିଥିଲେ ଯେ ସେ ଦୁର୍ଘଟଣା ପରଠାରୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ନାହାଁନ୍ତି । ସୁରେଶ ମାର୍ଚ୍ଚ ୨୫ରେ ବିଜୟଓ୍ୱାଡ଼ାରେ ତାଙ୍କ ଡାକ୍ତରଙ୍କୁ ଭେଟିବା ପାଇଁ ସମୟ ନେଇଥିଲେ ମାତ୍ର ଲକ୍‌ଡାଉନ୍‌ କାରଣରୁ ଯାତ୍ରା କରିବାକୁ ସମର୍ଥ ହୋଇ ନଥିଲେ ।

ସୁରେଶ ମୋତେ କହିଥିଲେ, ‘‘ଆମେ କୌଣସି ମତେ ଚଳେଇ ନେଉଥିଲୁ, କିନ୍ତୁ ଆମେ ବଡ଼ ଅସୁବିଧାରେ ଅଛୁ । କାମ ନାହିଁ [ଚାକିରୀ], ଆମେ ଭାଷା ଜାଣିନୁ କିମ୍ବା ଲୋକମାନେ ବି ନାହାଁନ୍ତି [ନେପାଳର ଲୋକମାନେ, ଏହି ସହରରେ]- ଭଗବାନ ଜାଣନ୍ତି ଏହା କେମିତି ଜାରୀ ରହିବ । ’’ ସୁରେଶ ମାର୍ଚ୍ଚ ମାସରେ ତାଙ୍କ କେଠରୀ ପାଇଁ ଭଡ଼ା ପୈଠ କରି ସାରିଛନ୍ତି, ଏବଂ ଘର ମାଲିକଙ୍କୁ ଏପ୍ରିଲ୍‌ ଏବଂ ମେ’ ମାସରେ ଘର ଭଡ଼ା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।

ମେ’ ୧୦ରେ ହୋଇଥିବା ଆମର ଶେଷ ବାର୍ତ୍ତାଳାପରେ, ସୁରେଶ ମୋତେ କହିଥିଲେ ଯେ ଭର୍ତ୍ତି ହୋଇଥିବା ଗ୍ୟାସ୍‌ ସିଲିଣ୍ଡର୍‌ ମାତ୍ର ମାସେ ଚାଲିବ । ହେଲପ୍‌ ଲାଇନ୍‌ ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଜଣାଇ ଥିଲେ ଯେ ସେମାନେ ମେ’ ୧୦ ତାରିଖ ପରେ ସାହାଯ୍ୟ ପାଇଁ ନୂତନ ଅନୁରୋଧ ନେବା ବନ୍ଦ କରିଦେବେ ଏବଂ ମାସ ଶେଷ ସୁଦ୍ଧା ହେଲ୍‌ପ ଲାଇନ୍‌ ଔପଚାରିକ ଭାବରେ ବନ୍ଦ କରିଦେବେ ।  ସୁରେଶ ଜାଣନ୍ତି ଏହା ପରେ ଗ୍ୟାସ୍‌, ଖାଦ୍ୟ କିମ୍ବା ଔଷଧ ପାଇବା ଆହୁରି କଷ୍କର ହୋଇଯିବ । ସେ ଏକଥା ମଧ୍ୟ ଜଣାଇଥିଲେ ଯେ ସେମାନଙ୍କ ପାଖରେ ଥିବା ତିନୋଟି ଯାକ ଫୋନ୍‌ର ବାଲାନ୍ସ ଶେଷ ହେବାକୁ ଯାଉଛି ।

ସୁରେଶ ଏବଂ ରାମ ବାହାଦୁରଙ୍କ ମୋବାଇଲ୍‌ ଫୋନ୍‌ ମେ’ ୩୦ ତାରିଖରୁ ସୁଇଚ୍‌ ଅଫ୍ ହୋଇଯାଇଛି । ସେମାନଙ୍କୁ ଲକ୍‌ ଡାଉନ୍‌ ସମୟରେ ରାସନ୍‌ ଏବଂ ଔଷଧ ବିକ୍ରୀ କରୁଥିବା ଜଣେ ଦୋକାନୀ ମଣିକାନ୍ତ ଆମକୁ କହିଥିଲେ, ‘‘କେଇ ଦିନ ପୂର୍ବେ ମୁଁ ଦେଖିଥିଲି ଅନେକ ନେପାଳୀ ଲୋକ ସେମାନଙ୍କ ଜିନିଷ ପତ୍ର ପ୍ୟାକ୍‌ କରୁଛନ୍ତି ଏବଂ ଚାଲି ଯାଉଛନ୍ତି ।’’ ସେ ପୁଷ୍ଟି କରିଥିଲେ ଯେ ସୁରେଶ ବାହାଦୁରଙ୍କ ରୁମ୍‌ ବନ୍ଦ ହୋଇଛି ।

ସମ୍ବାଦଦାତା ଜଣକ ଆନ୍ଧ୍ର ପ୍ରଦେଶ କୋଭିଡ୍‌ ଲକ୍‌ଡାଉନ୍‌ ରିଲିଫ୍ ଆଣ୍ଡ ଆକ୍ସନ୍‌ କଲେକ୍ଟିଭ୍‌ରେ ଏପ୍ରିଲ୍‌ ଏବଂ ମେ’ ୨୦୨୦ରେ ସ୍ୱେଚ୍ଛାସେବୀ ଥିଲେ , ଏହି କାହାଣୀରେ ଉଲ୍ଲେଖ କରାଯାଇଥିବା ହେଲ୍‌ପ ଲାଇନ୍‌  ଏହାକୁ ଚଳାଉଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Riya Behl

ରିୟା ବେହଲ୍‌ ସୋନପତ୍‌ର ଅଶୋକା ବିଶ୍ୱବିଦ୍ୟାଳୟର ଜଣେ ମଦର୍‌ ଟେରେସା ଫେଲୋ (୨୦୧୯-୨୦୨୦) । ସେ ମୁମ୍ବାଇରେ ରୁହନ୍ତି ।

Other stories by Riya Behl