ଲୋକମାନେ ଗଛର ଗଣ୍ଡିଗୁଡ଼ିକୁ କାଟି ରାସ୍ତା ଉପରେ ରଖିଥିଲେ। ସେମାନେ ଥିଲେ ପ୍ରାୟ ୭୦-୮୦ ଜଣ। ଉତ୍ତର ପ୍ରଦେଶ ଲଲିତପୁର ଜିଲ୍ଲାର ସେମାନଙ୍କ ଗାଁ ଭେଲୋନିଲୋଧରୁ ଲଲିତପୁର ସହରକୁ (ପ୍ରାୟ ୪୦ କିଲୋମିଟର ଦକ୍ଷିଣକୁ) ଏବଂ ଝାନ୍ସି ସହରକୁ (ପ୍ରାୟ୯୦ କିଲୋମିଟର ଉତ୍ତରକୁ) ସଂଯୋଗ କରୁଥିବା ଏହି ଭଙ୍ଗାଦଦରା ଏବଂ ଖାଲଖମା ଭରା ରାସ୍ତା ବିରୋଧରେ ପ୍ରତିବାଦ କରିବା ପାଇଁ ସେମାନେ ପୂର୍ବ ରାତିରେ ଏକାଠି ହୋଇ ସ୍ଥିର କରିଥିଲେ । ଏହା ପୂର୍ବରୁ ସେମାନେ ଚିଠି ଲେଖି, ସରକାରୀ ଅଧିକାରୀମାନଙ୍କୁ ସାକ୍ଷାତ କରି ଏହାର ପ୍ରତିବାଦ କରିଥିଲେ । କିନ୍ତୁ, ପ୍ରଥମ ଥର ପାଇଁ ସେମାନେ ରାସ୍ତା ଅବରୋଧ କରୁଥିଲେ।

ପୂର୍ବ ସନ୍ଧ୍ୟାରେ ଗାଁର ଅନ୍ୟ ମହିଳାମାନଙ୍କଠାରୁ ଏହି ପ୍ରତିବାଦ ବିଷୟରେ ଶୁଣିଥିଲେ ୨୫ ବର୍ଷୀୟା ରାଜବେଟୀ ବଂଶକର। ସକାଳଟା ଯାକ ପାଟିତୁଣ୍ଡ ଶୁଣିବା ଲାଗି ସେ କାନପାତି ରହିଥିଲେ, କିନ୍ତୁ ବେଶୀ କିଛି ଶୁଣି ନଥିଲେ। ୧,୯୦୦ ଲୋକଙ୍କ ଏହି ଗାଁରେ ଅଧିକାଂଶ ଲୋକ ଲୋଧି (ଏକ ଅନ୍ୟାନ୍ୟ ପଛୁଆ ଜାତି)। ସେମାନଙ୍କଠାରୁ କିଛି ଦୂରରେ ରହୁଥିବା ରାଜବେଟୀ, ଏକ ଅଧିସୂଚିତ ଜାତି, ବସୋର ସଂପ୍ରଦାୟର । ୧୨ ବର୍ଷ ତଳେ ସେ ସିଦ୍ଧାର୍ଥନଗର ଜିଲ୍ଲାର ଜାମ୍ଲା ଜୋଟ୍ଗାଁରୁ ଭେଲୋନିଲୋଧକୁ ଆସିଥିଲେ । ବାଉଁଶ ଟୋକେଇ ବୁଣି ସେ ପରିବାର ପାଇଁ ମାସକୁ ପ୍ରାୟ ୧,୦୦୦ ଟଙ୍କା ରୋଜଗାର କରନ୍ତି ।

ସେ ଦିନ, ତାଙ୍କ ଆଠ ବର୍ଷର ପୁଅ ଏବଂ ପାଞ୍ଚ ବର୍ଷର ଝିଅ ସ୍କୁଲକୁ ଏବଂ ସ୍ୱାମୀ କ୍ଷେତ କାମ ପାଇଁ ଯାଇଥିଲେ । ଏହାର ବହୁ ସମୟ ପରେ ସେ କିଛି ପାଟିତୁଣ୍ଡ ଶୁଣିଲେ । ସେଦିନର କଥା ମନେ ପକାଇ ରାଜବେଟୀ କହନ୍ତି, “ଦିନ ପ୍ରାୟ ୧୧-୧୨ଟା ବେଳକୁ ମୁଁ ବିଜୟ ଉଲ୍ଲାସର ଚିତ୍କାର ଏବଂ ଜିନ୍ଦାବାଦ ଧ୍ୱନି ଶୁଣିଲି । ପରେ ଅପରାହ୍ଣରେ ମୁଁ ଯେତେବେଳେ ନଳକୂଅ ପାଖରେ ଅନ୍ୟ ମହିଳାମାନଙ୍କୁ ଭେଟିଲି, ତାଈ(ମୀରା ଦେବୀ)ଙ୍କ ନିକଟରୁ ଜାଣିଲି ଯେ କ’ଣ ଘଟିଥିଲା। ଉପ-ଜିଲ୍ଲାପାଳ ସାହେବା ପ୍ରତିଶ୍ରୁତି ଦେଇଥିଲେ ଯେ ଦୁଇ ଦିନ ଭିତରେ ରାସ୍ତା ତିଆରି ହୋଇଯିବ”।

Rajabeti sitting near the broken roads
PHOTO • Apekshita Varshney
Sandhya doing household chores
PHOTO • Apekshita Varshney

ରାଜବେଟୀ (ବାମ) ଏବଂ ସନ୍ଧ୍ୟା (ଡାହାଣ) ପ୍ରତିବାଦ କରିବାକୁ ବାହାରକୁ ଯାଇ ନଥିଲେ, କିନ୍ତୁ ଆଶା କରନ୍ତି ଯେ ଶେଷରେ ତାଙ୍କ ଗାଁ ଦେଇ ଏକ ପିଚୁ ରାସ୍ତା ଯିବ 

ଲୋଧି ଘରଗୁଡ଼ିକର ଧାଡ଼ି ଶେଷରୁ ପ୍ରାୟ ୧୦୦ ମିଟର ଦୂରରେ ଗାଁର ପ୍ରଥମ ବସୋର ସଂପ୍ରଦାୟର ଘର ମୀରା ଦେବୀ ବଂଶକରଙ୍କର । ତାଙ୍କ ଘରର କେତେକ ଝରକା ବାଟ ଦେଇ ଗାଁ ମଝି ଦେଖାଯାଏ, ଯେଉଁଠି ଲୋକେ ପ୍ରତିବାଦ କରିବାକୁ ରୁଣ୍ଡ ହୋଇଥିଲେ । ସେ ତାଙ୍କ ରୋଷେଇ ଘର ଝରକା ଦେଇ ଉଙ୍କି ମାରିଲେ । ୫୧ ବର୍ଷ ବୟସ୍କା ମୀରା ଦେବୀ କହନ୍ତି, “ଲୋକମାନେ ରାସ୍ତା ଉପରେ ବସି ରହିଥିଲେ । ରାସ୍ତା ଦେଇ କୌଣସି ଗାଡ଼ିକୁ ଛାଡୁ ନ ଥିଲେ ଏବଂ ପରେ ମ୍ୟାଡାମ୍ ଆସିଲେ। ସେଠି କିଛି କଥାବାର୍ତ୍ତା ହେଲା ଏବଂ ତା’ପରେ ସେ ପଳାଇଲେ। ମୁଁ ମୋର ଦୁଆରକୁ ଆସିଲି ଏବଂ ବାହାରେ ଥିବା ପିଲାମାନେ ମତେ କହିଲେ ଯେ, ପ୍ରତିବାଦ ପ୍ରତ୍ୟାହାର କରି ନିଆଗଲା, କାରଣ ଦୁଇ ଦିନ ଭିତରେ ରାସ୍ତା ତିଆରି ହେବ । ମୁଁ ଆଶା କଲି ଯେ, ସେଇଆ ହିଁ ସତ ।”

ବେକାର ସେ ବେକାର ଗାଓଁ ସୁଧର ଗୟେ (ସବୁଠୁ ଖରାପ ଗାଁ ବି ଏବେ ଭଲ ହୋଇଗଲାଣି),” କହନ୍ତି ୨୩ ବର୍ଷୀୟା ସନ୍ଧ୍ୟା ବଂଶକର, “କିନ୍ତୁ ଆମ ଗାଁକୁ ଦେଖ । ମୁଁ ବାହାରେ ଲୁଗା ସଫା କରେ ଏବଂ ଧୂଳି ଆସି ସେଥିରେ ଜମିଯାଏ । ଧୂଳି ପାଇଁ ମତେ ପରଦାଟିଏ ଲଗାଇବାକୁ ପଡ଼େ । ଆମେ ଏଠି ତିଆରି କରୁଥିବା ବାଉଁଶ ଟୋକେଇରେ ବି ଧୂଳି ଜମିଯାଏ ।” ସନ୍ଧ୍ୟାଙ୍କର ବାପା ଓ ଦୁଇ ଭାଇ ଶ୍ରମିକ, ସେ ଓ ତାଙ୍କ ମା’ ଘରର ଦେଖାରଖା କରନ୍ତି ଏବଂ ବାଉଁଶ ଟୋକେଇ ବୁଣି କିଛି ରୋଜଗାର କରନ୍ତି ।

ରାସ୍ତା ତିଆରି ହେଇଯାଉ ବୋଲି ଉଦ୍ବିଗ୍ନ ହୋଇ ଚାହାଁନ୍ତି ଏହି ତିନି ଜଣ ମହିଳା। ଏଥିପାଇଁ ନୁହେଁ ଯେ ଆବୁଡ଼ାଖାବୁଡ଼ା ରାସ୍ତାରେ ଉଠାପକା ହୋଇ ଯାତ୍ରା କରିବା (ସାଧାରଣତଃ ସେମାନେ କେବଳ ପାଦରେ ଚାଲନ୍ତି) ସେମାନଙ୍କୁ ଚିନ୍ତିତ କରେ, କିନ୍ତୁ ଏଥିପାଇଁ ଯେ କଚ୍ଚା ରାସ୍ତାରୁ ଉଡୁଥିବା ଧୂଳିରେ ସେମାନେ ନୟାନ୍ତ ହେଲେଣି ।

Kehar Singh and Nanhibai Lodhi at their house.
PHOTO • Apekshita Varshney

କେହର ସିଂହ ଏବଂ ନହ୍ନିବାଇ ଲୋଧି ରାସ୍ତା ପାଖରେ ରହନ୍ତି ଏବଂ ଧୂଳିଜନିତ ସ୍ୱାସ୍ଥ୍ୟ ସମସ୍ୟା ସହ ଯୁଝୁଛନ୍ତି

ପ୍ରତିବାଦ ପ୍ରତ୍ୟାହୃତ ହେବା ପରେ, କିଛି ଲୋକ ବାହାରେ ରହି ଗପସପ କରୁଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କ ସ୍ୱାମୀ ୬୦ବର୍ଷୀୟ କେହର ସିଂହଙ୍କୁ ଡାକିବାକୁ ୫୩ ବର୍ଷୀୟା ନହ୍ନିବାଇ ଲୋଧି ତାଙ୍କ ଦୁଆରମୁହଁକୁ ଆସିଲେ । କିଛି ମାସ ତଳେ, କେହର ସିଂହ ରାସ୍ତାରେ ଚାଲୁଥିବା ବେଳେ, ଗାଡ଼ି ଚକରୁ ଛିଟିକିଥିବା ଭଙ୍ଗାଦଦରା ରାସ୍ତାରଗେଟି (ଗୋଡ଼ି ବା ପଥର ଖଣ୍ଡ) ତାଙ୍କ ଦେହରେ ବାଜିଥିଲା । ନହ୍ନିବାଇ କହନ୍ତି, “ସେବେଠାରୁ ସତର୍କ ରହିବାକୁ ମୁଁ ତାଙ୍କୁ କହିଥିଲି।” ତାଙ୍କ ଦେହରେ କୌଣସି କ୍ଷତଚିହ୍ନ ନ ଥିଲା ସତ, ହେଲେ ବେଳେବେଳେ ପୀଡ଼ା ହୁଏ ବୋଲି କହନ୍ତି କେହର ସିଂହ। କଥା ଆଗକୁ ବଢାନ୍ତି ନହ୍ନିବାଇ, “ଏଠି ଚାରିଆଡ଼େ ଖାଲି ଧୂଳି। ପାଣିରେ, ଖାଦ୍ୟରେ। କାର୍ଯ୍ୟତଃ ଆମ ଦାଣ୍ଡଘର (ଯାହାର ସାମନାପଟରେ ରାସ୍ତା) ବ୍ୟବହାର ଅନୁପଯୋଗୀ । ଆଖି ଭିତରେ ଧୂଳି (ମଇଳା) ପଶିଯାଏ, ମୋ ଆଖିରୁ ପାଣି ବାହାରେ। ମୋର ଛିଙ୍କ ହୁଏ। ଉଭୟ, ମୋର ଓ ମୋ ସ୍ୱାମୀଙ୍କର ଶ୍ୱାସକ୍ରିୟାରେ ସମସ୍ୟା ରହିଛି ।” ସେମାନଙ୍କର ଦୁଇ ଝିଅ ବାହା ହୋଇଯାଇଛନ୍ତି ଏବଂ ୩୦ ଏବଂ ୩୨ ବର୍ଷର ଦୁଇଟି ପୁଅ ଦିଲ୍ଲୀରେ ରହି କାମ କରନ୍ତି, “ଯେଉଁଠି କି ପରିସ୍ଥିତି ସେତେ ଭଲ ନୁହେଁ” ବୋଲି ନହ୍ନିବାଇ ଶୁଣିଛନ୍ତି । “କିନ୍ତୁ ସେଇଟା ତ ଗୋଟିଏ ବଡ଼ ସହର, ଆମ ଗାଁ କାହିଁକି ଏତେ ପ୍ରଦୂଷିତ ହେବ ?”

ଏତେ ଯନ୍ତ୍ରଣା ଭୋଗୁଥିଲେ ହେଁ, ଲୋକେ ଯେତେବେଳେ ପ୍ରତିବାଦ କରୁଥିଲେ ନହ୍ନିବାଇ ବାହାରକୁ ଯାଇ ନଥିଲେ । ସେ କହନ୍ତି, “ମହିଳାମାନେ ସେମାନଙ୍କ ଘର ବାହାରକୁ ଯାଆନ୍ତି ନାହିଁ । ଯାହା ହେଲେ ବି ଆମେ ସମସ୍ତେ ସେଇ ଗୋଟିଏ କଥା ଚାହୁଁ, ନୂଆ ରାସ୍ତାଟିଏ।” ସେ ମଧ୍ୟ ଶୁଣିଥିଲେ କି ଉପ-ଜିଲ୍ଲାପାଳ ପହଞ୍ଚିବାରୁ ପ୍ରତିବାଦ ଶେଷ ହୋଇଥିଲା । ସେ କହନ୍ତି, “ସେ କଥା ଦେଇଛନ୍ତି କି ରାସ୍ତା ତିଆରି କରିଦେବେ ଏବଂ ବୋଧହୁଏ ସେ କରିଦେବେ। କାରଣ, ତାଙ୍କୁ ଦେଖିଲେ ଲାଗୁଥିଲା ଯେ ସେ ଜଣେ ସଚ୍ଚୋଟ ଅଧିକାରୀ । ଯଦି ଏ ସମସ୍ୟା ଲାଗି ରହେ, PWD(ପୂର୍ତ୍ତ ବିଭାଗ)କୁ ଲେଖିବା ପାଇଁ ମୁଁ ସେମାନଙ୍କୁ କହିବି । ସବୁ ଗାଁର ଉନ୍ନତି ହୋଇପାରିବ, ଆମ ଗାଁ କାହିଁକି ଉନ୍ନତି ନ କରିବ ? ହୁଏତ ମୁଁ ବି ଘରୁ ବାହାରି ରାସ୍ତାକୁ ଯିବି.... ।”

କିନ୍ତୁ ଘରୁ ବାହାରି ବେଶୀ ଦୂର ଯାଏ ଯାଇ ହେବ ବୋଲି ସନ୍ଧ୍ୟା ନିଶ୍ଚିତ ନୁହନ୍ତି: “ବଡ଼େ ଆଦମୀ (ବଡ଼ଲୋକ, ବୟସ୍କ ଲୋକମାନେ) ଅଥଇରେ (ଗାଁ ମଝିରେ) ବସନ୍ତି । ଆମେ ସେଠାକୁ ଯାଉନାହିଁ ।” ରାଜବେଟୀ କଥା ଯୋଡ଼ନ୍ତି, “ମୁଁ ଜାଣିନି, ଯଦି ଆମେ ସେଠାକୁ ଯାଉ ଆମକୁ କେହି ରୋକିବେ ବୋଲି, କିନ୍ତୁ ଆମେ କେବେ ଚେଷ୍ଟା କରିନୁ। ଆମେ କେବଳ ଏତିକି ଚାହୁଁ”, ଦୀର୍ଘଶ୍ୱାସ ନିଅନ୍ତି ସେ, “ଏହି ଧୂଳିରୁ ମୁକ୍ତି ।”

୨୦୧୮ ଡିସେମ୍ବରର ଏକ ରବିବାର ସକାଳେ ଏହି ପ୍ରତିବାଦ ହୋଇଥିଲା । ରାସ୍ତା ଏ ପର୍ଯ୍ୟନ୍ତ ତିଆରି ହୋଇନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍

The first blockade in Bhelonilodh village to demand a proper road
PHOTO • Apekshita Varshney
Bockade in Bhelonilodh village to demanding a proper road
PHOTO • Apekshita Varshney

ଭଲ ରାସ୍ତାଟିଏ ଦାବିରେ ଭେଲୋନିଲୋଧ ଗାଁରେ ଏହା ଥିଲା ପ୍ରଥମ ରାସ୍ତା ଅବରୋଧ

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Apekshita Varshney

ଲେଖକ ପରିଚିତି: ଆପେକ୍ଷିତା ବର୍ଷନେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଲେଖିକା।

Other stories by Apekshita Varshney