ପେର୍‌ମୁଡୁ ଗ୍ରାମର ଏକ ବଡ ଘରର ପ୍ରାଙ୍ଗଣରେ ଜଣେ ନର୍ତ୍ତକ କୋର୍ଡାବୁରେ ରୂପାନ୍ତରିତ ହେବା ଦେଖିବା ପାଇଁ ସମସ୍ତେ ଏକତ୍ରିତ ହୋଇଥିଲେ । ତାଙ୍କର ଆକର୍ଷକ ପୋଷାକ, ଅଳଙ୍କାର ଓ ମୁଁହରେ ଲଗାଯାଇଥିବା ଉଜ୍ଜ୍ୱଳ ହଳଦିଆ ରଙ୍ଗ ସହିତ ସେ ଖୁବ୍‌ ଚମତ୍କାର ଦେଖାଯାଉଥିଲେ, ଯାହା ବାସ୍ତବିକ ଆକର୍ଷକ ଅଟେ । 

ରୀତି ସମ୍ମତ ସ୍ନାନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ରୂପଧାରିୀଙ୍କୁ ଆୟୋଜକ, ଯିଏ ଘରର ମାଲିକ ଅଟନ୍ତି, ଆନୁଷ୍ଠାନିକ ଭାବେ ତେଲ ଦେଇଥାନ୍ତି । ତାଙ୍କ ପରିବାରର ଜଣେ ବ୍ୟକ୍ତି ପଦ୍ଦନାଗୁଡିକ  ଗାଇବା ବେଳେ ଦୈବ  ନିଜ ଶରୀରରେ, ମୁହଁରେ ବିଭିନ୍ନ ପ୍ରସାଧାନ ସାମଗ୍ରୀ ପ୍ରୟୋଗ କରିଥାନ୍ତି । ପଦ୍ଦନା  ହେଉଛି କୋର୍ଡାବୁ - ସ୍ଥାନୀୟ ଦଳିତ ସମ୍ପ୍ରଦାୟର ଜଣେ ନାୟକ- ଦୈତ୍ୟମାନଙ୍କ  ଉତ୍ପତ୍ତି ଓ ପରାକ୍ରମ ବର୍ଣ୍ଣନା କରୁଥିବା ମୌଖିକ ସ୍ତୁତି । ରାତି ପ୍ରାୟ ୧୦:୩୦ ଥିଲା।

ହାର, ଚୁଡି, ମୁକୁଟ, ବ୍ରୋଞ୍ଜ ଓ ରୂପାରେ ତିଆରି ମୁଖା, କାଠ, ଧାତୁ, କଅଁଳିଆ ନଡିଆ ପତ୍ର, ଫୁଲ, ଶିପ, ବାଉଁଶ ଓ କପଡାରେ ତିଆରି ହୋଇଥିବା ଏକ ଅଳଂକୃତ ଟାହିଆ, ହାତରେ ମଶାଲ ଓ ପାଦରେ ବ୍ରୋଞ୍ଜର ପାହୁଡ ଧାରଣ କରିବା ପରେ କୋର୍ଡାବୁ ଦୈବ ନାଚିବାକୁ ଆରମ୍ଭ କଲେ ।

ଏହା ଦକ୍ଷିଣ କନ୍ନଡ ଜିଲ୍ଲାର ମାଙ୍ଗାଲୋର ତାଲୁକରେ ପ୍ରାୟ ଏକ ଦଶନ୍ଧି ପୂର୍ବେ ଅନୁଷ୍ଠିତ ହୋଇଥିଲା ଓ ଏହାର କଳାକାରଙ୍କ ନାମ ମୋର ମନେ ପଡୁନି । ହେଲେ, ଏହି ତାଲୁକର  ଅନ୍ୟ ଏକ ଗ୍ରାମ ପାଦୁପେରାର୍‌ର ଦୟାନନ୍ଦ କଥାଲସର୍‌, ଯିଏ ଏହି ପରି ଜଣେ ରୂପଧାରୀ-କଳାକାର ଅଟନ୍ତି, ମତେ କହିଲେ ଯେ "ଯଦି ଆପଣ ଦୈବରେ ବିଶ୍ୱାସ ରଖନ୍ତି, ତାହାହେଲେ ଏହା ନିଶ୍ଚିତ ଭାବେ ଆପଣଙ୍କ ଯନ୍ତ୍ରଣା ଉପଶମ କରିବ ।

ସେହି ରାତିରେ, ପ୍ରାୟ ଏକ ଦଶନ୍ଧି ପୂର୍ବେ, ନର୍ତ୍ତକ ଜଣକ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଭୟଙ୍କର ଭାବେ ନିଜର ସମସ୍ତ ସାମର୍ଥ୍ୟ ଲଗାଇ, ଚାରିଆଡେ ଡେଇଁ ଡେଇଁ ବୁଲିଥିଲେ । ତାଙ୍କୁ କାହିଁକି ଡକାଯାଇଛି, ସେ ବିଷୟରେ ଜାଣିବା ପାଇଁ ସେ ଦାନି (ଆୟୋଜକ)ଙ୍କୁ ପ୍ରଶ୍ନ କରିଥାନ୍ତି । ରୂପଧାରୀଙ୍କ ପରିବାରର ଜଣେ ବ୍ୟକ୍ତି ହାତରେ ମଶାଲ ଧରନ୍ତି ଓ ଦୈବ ନିଜ ହାତକୁ ନିଆଁରେ ଧୋଇବା ପରି ଅଭିନୟ କରନ୍ତି । “ବେଳେବେଳେ ସେମାନେ ଜଳୁଥିବା ଅଙ୍ଗାର ଉପରେ ଚାଲି ଚାଲି ଯାଆନ୍ତି ବା ନିଆଁ ମଧ୍ୟ ଦେଇ ଦଉଡନ୍ତି ବା ଆରତିର ଶିଖାକୁ ‘ଗିଳି ଦିଅନ୍ତି‘ । ଏହି ସବୁ କିଛି ଏକ ଭୟ ଓ ବିସ୍ମୟର ବାତାବରଣ ସୃଷ୍ଟି କରିବା ପାଇଁ କରାଯାଇଥାଏ ।

In this ritual performance, dancers assume the divine form of daivas like Kordabbu Daiva (left). Dayanand Kathalsar (right) is one such performer
PHOTO • Prajna Alva
In this ritual performance, dancers assume the divine form of daivas like Kordabbu Daiva (left). Dayanand Kathalsar (right) is one such performer
PHOTO • Courtesy: Dayanand Kathalsar

ଏହି ରୀତି ସମ୍ମତ ଅଭିନୟରେ, ନର୍ତ୍ତକମାନେ ଦୈବମାନଙ୍କ ଇଶ୍ୱରୀୟ ରୂପ ଧାରଣ କରିଥାନ୍ତି ଯେପରିକି କୋର୍ଡାବୁ ଦୈବ (ବାମ)। ଦୟାନନ୍ଦ କଥାଲ୍‌ସର୍‌ (ଡାହାଣ) ହେଉଛନ୍ତି ଏହିପରି ଜଣେ କଳାକାର

ତା'ପରେ ଆୟୋଜକ ପରିବାରର ଜଣେ ବ୍ୟକ୍ତି ତାଙ୍କୁ ନଡିଆର ନାଳି, କଞ୍ଚା ଚାଉଳ, ଜୀବିତ କୁକୁଡା, ଆଖୁ ଓ ଅନ୍ୟ ଖାଦ୍ୟମାନ ଦେଇଥାଏ । ଏହିପରି ଅଭିନୟରେ, ନାଚ ଶେଷରେ ଦିଆଯାଇଥିବା ଦ୍ରବ୍ୟଗୁଡିକ ନେଇ ଦୈବ ଥରେ ସନ୍ତୁଷ୍ଟ ହୋଇଯିବା ପରେ ଏକ ହାତ ଧରା ପଙ୍ଖା ଧରି ସେ ବସି ପଡନ୍ତି । ତାପରେ ସେଠାରେ ଉପସ୍ଥିତ ଲୋକମାନେ କଙ୍କୁମ ଓ ପିଙ୍ଗରା (ଗୁଆ ) ରୁପରେ ତାଙ୍କର ଆଶୀର୍ବାଦ ପାଇବା ପାଇଁ ତାଙ୍କ ପାଖକୁ ଆସିଥାନ୍ତି ଓ ତାଙ୍କର ବିଭିନ୍ନ ସମସ୍ୟାର ସମାଧାନ ସୁତ୍ର ବିଷୟରେ ପଚାରିଥାନ୍ତି – ସେମାନଙ୍କ ପରିବାରର ଜମି ବିବାଦ, ଭଲ ଅମଳ ହେବ କି ନାହିଁ, ବିବାହ ସମ୍ବନ୍ଧୀୟ ବିଷୟ, ସ୍ୱାସ୍ଥ୍ୟ ସମସ୍ୟା ଓ ଆହୁରି ଅନେକ । ଦୈବ – ବର୍ତ୍ତମାନ ଦୈବବାଣୀର ଏକ ମାଧ୍ୟମ ଭାବେ- ଭବିଷ୍ୟତ୍‌ବାଣୀ କରନ୍ତି ଓ ଏହାର ସମାଧାନ ବିଷୟରେ କହନ୍ତି । “କୋଲାରେ ଯେଉଁମାନେ ଅଂଶଗ୍ରହଣ କରନ୍ତି, ସେହି  ଲୋକଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନର ସୂତ୍ର ଯୋଗାଇ ସେ ସେମାନଙ୍କୁ ଆଶ୍ୱସ୍ତ କରନ୍ତି [ଅଭିନୟ ବା କାର୍ଯ୍ୟକ୍ରମ]'', ବୋଲି କଥାଲସର୍‌ କୁହନ୍ତି । 

କଥାଲସର୍‌ ନିଜେ ଡିସେମ୍ବର ଓ ମେ ମଧ୍ୟରେ ପଡୁଥିବା କୋଲା ଋତୁରେ ପ୍ରାୟ ୭୫- ୧୦୦ ଥର ଅଭିନୟ କରନ୍ତି । ଏହି କାର୍ଯ୍ୟକ୍ରମଗୁଡିକ ମୁଖ୍ୟତଃ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଓ ଉଡୁପି ଜିଲ୍ଲାରେ ଅଧିକ ଜନପ୍ରିୟତା ହାସଲ କରିଛି । ଜଣେ ବରିଷ୍ଠ ରୂପଧାରୀ ଲଗାତାର୍‌ ଗୋଟିଏ ପ୍ରାଙ୍ଗଣରେ , ଗୋଟିଏ ପରିବାର ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ୨-୩ ଥର ଅଭିନୟ କରିବା ପାଇଁ ଅନ୍ୟ ଦ୍ରବ୍ୟ ସହିତ ଆୟୋଜକଙ୍କ ଠାରୁ ୧୫,୦୦୦ ଟଙ୍କା ରୁ ୫୦,୦୦୦ ଟଙ୍କା ମଧ୍ୟରେ ପାରିଶ୍ରମିକ ପାଇଥାନ୍ତି । ଏହିପରି କାର୍ଯ୍ୟକ୍ରମ ସମୟରେ ବେଳେବେଳେ ଭିନ୍ନ ଭିନ୍ନ ରୂପଧାରୀମାନେ, ଯେଉଁ ଦୈବମାନେ ପାରମ୍ପରିକ ଭାବେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ କରନ୍ତି, ଅଭିନୟ କରିଥାନ୍ତି ।

“ ମୁଁ  ମୋର ପିଜ୍ଜେରେ [ ପଣି ଜେଜେବାପା], ତା'ପରେ ମୋର ଅଜ୍ଜେରେ [ ଜେଜେବାପା] ଅଭିନୟ କରୁଥିବା ବେଳେ ସେମାନଙ୍କୁ ଦେଖୁଥିଲି ଓ ପରବର୍ତ୍ତୀ ସମୟରେ ମୋ ଅମ୍ମାରେ  [ବାପା] ଯେତେବେଳେ ଅଭିନୟ କଲେ ମୁଁ ତାଙ୍କର ସହାୟତା କରୁଥିଲି:” ବୋଲି କଥାଲସର୍‌ କହୁଛନ୍ତି । “ମୁଁ କୋଲା ଦେଖି ଦେଖି ବଡ ହୋଇଛି ଓ ମୁଁ ଏହି କଳାକୁ ବହୁତ ଭଲ ପାଏ । ମୁଁ ପ୍ରଥମେ ଗୋଟିଏ ଛୋଟ ଭୂମିକାରେ ଅଭିନୟ କଲି ଓ କାଳକ୍ରମେ ମୋ ପରିବାରରରେ ଥିବା ପ୍ରାୟ ସମସ୍ତ ଦୈବଙ୍କ ରୁପଧାରଣ କରିବାକୁ ଲାଗିଲି''।

ପ୍ରତ୍ୟେକ ପରିବାର ପାଖରେ ଅଭିନୟ କରିବା ପାଇଁ ବିଭିନ୍ନ ଦୈବମାନଙ୍କ ନିଜସ୍ୱ ଭଣ୍ଡାର ରହିଛି ଓ କେବଳ ଏହା ମଧ୍ୟରୁ ଏକ ରୂପଧାରଣ କରିହେବ ବୋଲି କର୍ଣ୍ଣାଟକ ଟୁଲୁ ସାହିତ୍ୟ ଏକାଡେମୀର ସଭାପତି ଓ ପୂର୍ବତନ ପୋଷ୍ଟମାଷ୍ଟର ତଥା  ପୂର୍ବତନ ବେତାର ଉପସ୍ଥାପକ (ଏକ ଧାର୍ମିକ କାର୍ଯ୍ୟକ୍ରମ ପାଇଁ), ୪୪ ବର୍ଷ ବୟସ୍କ କଥାଲସର୍‌ କୁହନ୍ତି । ସେ ଆହୁରି କୁହନ୍ତି ଯେ “ଏହା ବଂଶାନୁକ୍ରମେ ଚାଲିଆସିଛି, ଏଣୁ ଏହା ପରିବାର ମଧ୍ୟରେ ଅପରିବର୍ତ୍ତିତ ରହିଛି ।''

PHOTO • Rathan Barady

‘ମୁଁ ପ୍ରଥମେ ଏକ ଛୋଟ ଭୂମିକାରେ ଅଭିନୟ କଲି ଓ କ୍ରମଶଃ ମୋ ପରିବାରର ସମସ୍ତ ଦୈବମାନଙ୍କ  ରୂପଧାରଣ କଲି,’ ବୋଲି ଦୟାନନ୍ଦ କଥାଲସର୍‌ କୁହନ୍ତି

କଥାଲସର୍‌ଙ୍କ ମୁତାବକ ଦୈତ୍ୟ ଓ ଭୂତ ପରସ୍ପର ଠାରୁ ଅଲଗା ଅଟନ୍ତି, ଯଦିଓ କିଛି ଲୋକ ଏହି ଶବ୍ଦଗୁଡିକୁ ବିନିମୟ ଭାବେ ବ୍ୟବହାର କରନ୍ତି- ଯେଉଁମାନେ ପ୍ରକୃତି ଶକ୍ତି (ପ୍ରାକୃତିକ ଉତ୍ସ) ବା ଧାର୍ମିକ ତତ୍ତ୍ୱରୁ ଜାତ ହୋଇଛନ୍ତି, ସେମାନଙ୍କୁ ଦୈବ କୁହାଯାଏ ବୋଲି ସେ କୁହନ୍ତି । ଆଉ ଯେଉଁ ରୂପଗୁଡିକ ପୂର୍ବପୁରୁଷ ବା ପ୍ରାଣୀ ଉତ୍ସରୁ ଜାତ ହୁଅନ୍ତି ସେମାନଙ୍କୁ ଦୈବ ବା ଭୂତ  ମଧ୍ୟରୁ ଗୋଟିଏ କୁହାଯାଏ । 

“ ପ୍ରତ୍ୟେକ ସମ୍ପ୍ରଦାୟର ନିଜସ୍ୱ ଭୂତ  ବା ଦୈବ ଅଛନ୍ତି,” ବୋଲି ସେ କୁହନ୍ତି । “ପ୍ରାରମ୍ଭରେ ଭୂତଗୁଡିକ  ପଶୁ ସ୍ଵଭାବ ଯୁକ୍ତ ଥିଲେ – ଉଦାହରଣ ସ୍ୱରୂପ, କେତେକ ପୂରାତନ ଭୂତଗୁଡିକ ହେଉଛନ୍ତି ପଞ୍ଜୁର୍‌ଲୀ [ବଣ ଘୁଷୁରୀ] ଓ ପିଲିଚାମୁଣ୍ଡି  [ବାଘ] । ଏଗୁଡିକ ହେଉଛନ୍ତି ସେହି ପଶୁ ଯାହାକୁ ଦେଖିଲେ ପୂରାତନ କାଳର କୃଷକମାନେ ନିଶ୍ଚିତ ଭାବେ ଭୟଭୀତ ହେଉଥିବେ । ସମୟ ଅତିକ୍ରମ ହେବା ସହିତ ତୁଲୁୱା ରାଜାମାନଙ୍କର ରାଜେନ୍ଦ୍ର [ରାଜକୀୟ] ଭୂତ ରହିଲେ, ତାପରେ କିଛି ଭୂତଙ୍କ ପାଖରେ ଇଶ୍ୱରୀୟ ଗୁଣ ମଧ୍ୟ ରହିଥିଲା ଯେପରିକି ଜୁମାଡି ବା ରକ୍ତେଶ୍ୱରୀ [ଦେବୀ ଦୁର୍ଗାଙ୍କ ପରି]''।

ହେଲେ, ପ୍ରଫେସର୍‌ ବି.ଏ ବିବେକା ରାୟଙ୍କ ମୁତାବକ ଦୈବ  ଓ ଭୂତ ପରସ୍ପର ଠାରୁ ପୃଥକ୍‌ ନୁହନ୍ତି । ସେ ମାଙ୍ଗାଲୋର୍‌ ବିଶ୍ୱବିଦ୍ୟାଳୟରେ ପ୍ରଫେସର୍‌ ଏମେରିଟସ୍‌ ଅଛନ୍ତି, ଯେଉଁଠାରେ ସେ ପ୍ରଥମେ କନ୍ନଡ ସାହିତ୍ୟ ଓ ଲୋକସାହିତ୍ୟ ବିଭାଗର ପ୍ରଫେସର୍‌ ଥିଲେ । “ଏହି ଦୁଇଟି ଶବ୍ଦ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ,” ବୋଲି ସେ କୁହନ୍ତି । "ଉଭୟ ତୁଲୁଭା ସଂସ୍କୃତିରେ ପୂଜା ପାଉଥିବା ବିଭିନ୍ନ ଦେବଦେବୀଙ୍କ ପ୍ରତିନିଧିତ୍ୱ କରିଥାନ୍ତି । ଉଭୟ ଶବ୍ଦ ସଂସ୍କୃତରୁ ଆସିଛି''।

କେତେକ ତଥ୍ୟରେ  ଉପନିବେଶବାଦୀ ଓ ଉଚ୍ଚ ଜାତିର ଐତିହାସିକମାନେ ଅଣ-ବ୍ରାହ୍ମଣ ଜାତିର  ଲୋକମାନଙ୍କ ଦ୍ୱାରା ପୂଜା ପାଉଥିବା ଦେବଦେବୀମାନଙ୍କ ଗୁରୁତ୍ୱ କମ୍‌ କରିବା ପାଇଁ କିଭଳି ‘ଦୈବ’ ଶବ୍ଦକୁ ‘ଭୂତ’ ଶବ୍ଦରେ କ୍ରମଶଃ ରୁପାନ୍ତରିତ କରିଛନ୍ତି, ତାହାର ସୂଚନା ମିଳିଥାଏ । “ଟୁଲୁ ଭାଷାରେ ଦୈବ’ ଶବ୍ଦର ଅର୍ଥ ହେଉଛି ‘ସତ୍ୟ’ ଯେତେବେଳେକି ‘ଭୂତ’ ଶବ୍ଦର ଅର୍ଥ ହେଉଛି ‘ ଅତୀତ’, ‘ମୃତ’ । ଉଭୟ ଶବ୍ଦ ସଂସ୍କୃତ ଭାଷାରୁ ଆସିଛି,” ବୋଲି କର୍ଣ୍ଣାଟକ ଲୋକକଳା ବିଶ୍ୱବିଦ୍ୟାଳୟର ପୂର୍ବତନ ଭାଇସ୍‌ ଚାନ୍ସଲର୍‌ ଓ ମାଙ୍ଗାଲୋର୍‌ ବିଶ୍ୱବିଦ୍ୟାଳୟର କନ୍ନଡ ବିଭାଗର ତତ୍କାଳୀନ ପ୍ରଫେସର୍‌ ପ୍ର.ଚିନ୍ନପ୍ପା ଗୌଡ କୁହନ୍ତି । “ଯଦି ଆମେ ସାହିତ୍ୟ ଦୃଷ୍ଟିକୋଣରୁ ପବ୍ଦନାର ସମୀକ୍ଷା କରିବା, ତେବେ ଆମେ ଜାଣିପାରିବା ଯେ ଭୂତର ଉତ୍ପତ୍ତି ଜଣେ ଆସୁରିକ ଚରିତ୍ରରୁ  ନୁହେଁ ବରଂ ଜଣେ ନାୟକ ଚରିତ୍ରରୁ ହୋଇଛି । ଏଣୁ ଏହା ପ୍ରାୟତଃ ସ୍ପଷ୍ଟ ଯେ ମିସିଓନାରୀ ଓ ଔପନିବେଶବାଦୀ ତଥା ବାହ୍ମଣମାନଙ୍କ ଦ୍ୱାରା ନିଶ୍ଚିତ ଭାବେ ଭୂତ ପୂଜାର ପ୍ରାଧାନ୍ୟ ହ୍ରାସ ପାଇଛି ।

ବ୍ରାହ୍ମଣମାନଙ୍କୁ ଛାଡିଦେଲେ ଟୁଲୁ ସମ୍ପ୍ରଦାୟର ଅଧିକାଂଶ ଲୋକ ପାରମ୍ପରିକ ଭାବେ କୋଲା – ଅଭିନୟରେ ସାମିଲ୍‌ ହୋଇଥାନ୍ତି ବୋଲି ପ୍ର. ରାୟ କୁହନ୍ତି । କେତେକ ପରମ୍ପରାଗତ ଉପଖ୍ୟାନଗୁଡିକରେ ଦଳିତ ସମ୍ପ୍ରଦାୟର ସେହି ନାୟକମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଯେଉଁମାନଙ୍କର ଯୁଦ୍ଧରେ ଅତି ଶୋଚନୀୟ ମୃତ୍ୟୁ ହୋଇଛି ବା ସେମାନଙ୍କୁ ରାଜା ଓ ଉଚ୍ଚ ଜାତିର ଲୋକମାନେ ହତ୍ୟା କରିଛନ୍ତି । ହେଲେ, ଅନ୍ୟ ପରମ୍ପରାଗତ ଉପଖ୍ୟାନ ଓ କୋଲାରେ ଅନ୍ୟ ଜାତି ଓ ସମ୍ପ୍ରଦାୟକୁ ମଧ୍ୟ ସାମିଲ କରାଯାଇଛି ବୋଲି ପ୍ର. ରାୟ କୁହନ୍ତି, ଏପରିକି ମୁସଲମାନମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି । 

Various communities have their own bhuta or daiva, such as Kinnimani Daiva (left) and Rahu Guliga (right)
PHOTO • Nidhi Shetty
Various communities have their own bhuta or daiva, such as Kinnimani Daiva (left) and Rahu Guliga (right)
PHOTO • Prajna Alva

ବିଭିନ୍ନ ସମ୍ପ୍ରଦାୟର ନିଜସ୍ୱ ଭୂତ ବା  ଦୈବ  ଚରିତ୍ର ଅଛନ୍ତି, ଯେପରିକି କିନ୍ନିମଣି ଦୈବ (ବାମ) ଓ ରାହୁ ଗୁଲିଗା (ଡାହାଣ)

“ ଭୂତ  ସମ୍ବନ୍ଧୀୟ ଧାରଣା ଓ ବିଧି ସମ୍ୱଳିତ ଅଭିନୟ ପ୍ରଥା ବୋଧହୁଏ ପଞ୍ଚଦଶ ଶତାବ୍ଦୀଠାରୁ ଏହିପରି ରହି ଆସିଛି । ଟୁଲୁୱା ରାଜାମାନେ ଯେଉଁମାନେ ଟୁଲୁନାଡ୍‌ରେ ୧୪-୧୭ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରିଥିଲେ, ସେମାନେ ମୁଖ୍ୟତଃ ଜୈନ ଧର୍ମାବଲମ୍ବୀ ଥିଲେ ଓ ଏହି ଧର୍ମ ଭୂତ ପୂଜନକୁ ବିଶ୍ୱାସ କରୁନଥିଲା । ଯେଉଁ ସମ୍ପ୍ରଦାୟଗୁଡିକର ଲୋକମାନଙ୍କ ପାଖରେ ଅଧିକ ଜମି ଅଛି, ଯେପରିକି ବଣ୍ଟ ସମ୍ପ୍ରଦାୟ, ସେମାନେ ସାଧାରଣତଃଭୂତମାନଙ୍କ ପୂଜା କରୁଥିଲେ । ପରବର୍ତ୍ତୀ ସମୟରେ, ଜୈନମାନେ ମଧ୍ୟ ଯେତେବେଳେ ବହୁ ପରିମାଣର ଜମିର ଅଧିକାରୀ ହେଲେ, ସେମାନେ ମଧ୍ୟ ଏହି ଭୂତମାନଙ୍କ ପୂଜା କରିବାକୁ ଆରମ୍ଭ କଲେ । ୧୯୭୦ରେ ଯେତେବେଳେ ଭୂସଂସ୍କାର ଆଇନ୍‌ କାର୍ଯ୍ୟକାରୀ ହେଲା [କର୍ଣ୍ଣାଟକରେ ଏହି ଆଇନ୍‌ ୧୯୬୧ରେ ପାସ୍‌ ହୋଇଥିଲା] ସେତେବେଳେ ବଣ୍ଟ ସମ୍ପ୍ରଦାୟର ଅଧିକାଂଶ ଲୋକ ନିଜ ଜମି ହରାଇଲେ ଓ ଟୁଲୁୱ ସମ୍ପ୍ରଦାୟର ଯେଉଁମାନେ ଜମି ପାଇଲେ, ସେମାନେ ଏହି ପରମ୍ପରାକୁ ବଜାୟ ରଖିଲେ,” ବୋଲି ରାୟ କୁହନ୍ତି ।

“ବ୍ରାହ୍ଣଣମାନେ ଅନେକ ହିନ୍ଦୁ ମନ୍ଦିରରେ ଭୂତମାନଙ୍କୁ  ସ୍ଥାନିତ କରିବାକୁ ଆରମ୍ଭ କଲେ ଓ ଭୂତ ମନ୍ଦିରଗୁଡିକର ପୂନରୁଦ୍ଧାର କରି,  ଭୂତ ଅଭିନୟ ଆରମ୍ଭ ହେବା ପୂର୍ବରୁ କେତେକ ବିଧିବିଧାନ ସାମିଲ କରି ତଥା ଏଥିରେ କେତେକ ନିର୍ଦ୍ଦିଷ୍ଟ ଭାବେ ବ୍ରାହ୍ମଣମାନଙ୍କ ଦ୍ୱାରା ବୋଲା ଯାଉଥିବା ପ୍ରାର୍ଥନା ଓ ପ୍ରଥା ଆଦି ସାମିଲ କରି ଭୂତମାନଙ୍କ ସମ୍ବନ୍ଧିତ ବିଭିନ୍ନ କର୍ମକାଣ୍ଡରେ ନିଜକୁ ସାମିଲ୍‌ କରିବାକୁ ଲାଗିଲେ ।

କଥାଲସର୍‌ ହେଉଛନ୍ତି ପମ୍ବଦା ସମ୍ପ୍ରଦାୟର, ଏକ ତଫସିଲଭୂକ୍ତ ଜାତି । ତାଙ୍କ ପରି, କୋଲାରେ କେବଳ ପୁରୁଷମାନେ ରୂପଧାରଣ କରିଥାନ୍ତି । ସେହି ପରିବାରର ଜଣେ ମହିଳା ଆରମ୍ଭରେ ଗାୟିକାର ଭୂମିକା ନିର୍ବାହ କରିଥାଏ – ସେ ପଦ୍ଦନା ଗାଆନ୍ତି( ଯାହା ଧାନ ତୋଳିବା ବେଳେ, ଘରେ ଅବସର ସମୟରେ, ପୂଜା ସମୟରେ ଓ ପୂର୍ବ ସମୟରେ ଟୋଡି ସଂଗ୍ରହ ବେଳେ) । “ପଦ୍ଦନା ରେ ପାରମ୍ପରିକ ଭାବେ ବ୍ୟବହାର ହୋଇ ଆସୁଥିବା ସାହିତ୍ୟର ପ୍ରକୃତ ମାଲିକ ହେଉଛନ୍ତି ଦଳିତ ସମ୍ପ୍ରଦାୟର ମହିଳାମାନେ,” ବୋଲି ପ୍ର.ଗୌଡ କୁହନ୍ତି । “ପଦ୍ଦନାରେ ଭୂତ /ଦୈବମାନଙ୍କ  ଉତ୍ପତ୍ତି, ପ୍ରସାରଣ ଓ ସାହାସିକ ପ୍ରଚେଷ୍ଟା ବିଷୟରେ ବର୍ଣ୍ଣନା କରାଯାଇଛି । ମୌଖିକ ଭାବେ ପ୍ରଚାର ପ୍ରସାର ହେଉଥିବା ଏହି ପରମ୍ପରା ସମ୍ପୂର୍ଣ୍ଣ ଭାବେ ସମ୍ପାଦନ କରୁଥିବା ସମ୍ପ୍ରଦାୟର ମହିଳାମାନଙ୍କ ଦ୍ୱାରା ସଂରକ୍ଷିତ ହୋଇ ରହିଆସିଛି, ଏହି ଅଞ୍ଚଳର ଏହି ଦେଶୀୟ ଜ୍ଞାନର ଉତ୍ସ ହେଉଛନ୍ତି ମହିଳାମାନେ''। 

“ ମୋର ମା ଓ ଜେଜେମା ଚାଷ କାର୍ଯ୍ୟ ଚାଲିବା ବେଳେ କ୍ଷେତରେ କାମ କରିବା ସମୟରେ ଏହି ଗୀତସବୁ ଗାଉଥିଲେ । ହେଲେ ମୋର ସ୍ତ୍ରୀଙ୍କୁ ସେତେ ଭଲ ଭାବେ ଜଣା ନାହିଁ, ଏଣୁ ମୁଁ ସେଗୁଡିକ ଉଚ୍ଚାରଣ କରିଥାଏ” ବୋଲି କଥାଲସର୍‌ କୁହନ୍ତି । "ପୂର୍ବେ ମହିଳାମାନଙ୍କ ମନ୍ଦିର ଭିତର ଓ ଅଙ୍ଗନାକୁ ପ୍ରବେଶ କରିବା ନିଷେଧ ଥିଲା [ପଡିଆ ଯେଉଁଠାରେ କାର୍ଯ୍ୟକ୍ରମ ହେଉଥିଲା] । ସେମାନେ ଏହାର ଚାରିପାଖରେ ଜମା ହେଉଥିଲେ । ବର୍ତ୍ତମାନ କିନ୍ତୁ ସେମାନେ ସମସ୍ତ ସ୍ଥାନକୁ ଯାଇ ପାରୁଛନ୍ତି, ଯଦିଓ ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ ମହିଳାମାନେ ଭୂତ / ଦୈତ୍ୟମାନଙ୍କ ଠାରୁ ପ୍ରସାଦ ଗ୍ରହଣ କରିବାକୁ ଅନୁମତି ନାହିଁ ।

ପୂର୍ବରୁ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା କଥାଲସର୍‌ଙ୍କ ସ୍ତ୍ରୀ ବର୍ତ୍ତମାନ ଜଣେ ଗୃହିଣୀ ଅଟନ୍ତି । ସେମାନଙ୍କର ପୁଅ ଓ ଗୋଟିଏ ମାତ୍ର ସନ୍ତାନ, ୯ମ ଶ୍ରେଣୀର ଛାତ୍ର ଓ ସେ ମଧ୍ୟ ସର୍ବପ୍ରଥମେ ତିନି ବର୍ଷ ପୂର୍ବେ ରୂପଧାରଣ କରିବା ପାଇଁ ଚେଷ୍ଟା କରିଥିଲେ । 

Kathalsar (bottom; as Arasu Ullaya Daiva) learned the kola performance by observing his father Guruvappa Bangera (top-left, as Kantheri Jumadi Daiva). Kathalsar's son Keerthan is in Class 9 and attempted his first impersonation three years ago (top-right)
PHOTO • Courtesy: Dayanand Kathalsar and NV Studio

କଥାଲସର୍‌ (ନିମ୍ନ: ଆରସୁ ଉଲ୍ଲୟା ଦୈବ ଭାବେ) ନିଜ ବାପା ଗୁରୁବପ୍ପା ବଙ୍ଗେରାଙ୍କୁ (ବାମ-ଶୀର୍ଷ, କନ୍ଥାରି ଜୁମାଡି ଦୈବ ଭାବେ) ଦେଖି ଦେଖି କୋଲା ଅଭିନୟ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିଛନ୍ତି । କଥାଲସର୍‌ଙ୍କ ପୁଅ କୀର୍ତ୍ତନ ୯ମ ଶ୍ରେଣୀରେ ପଢନ୍ତି ଓ ସେ ମଧ୍ୟ ସର୍ବପ୍ରଥମେ ତିନି ବର୍ଷ ପୂର୍ବେ ରୂପଧାରଣ କରିବା ପାଇଁ ଚେଷ୍ଟା କରିଥିଲେ (ଉପର-ଶୀର୍ଷ)

ପଦ୍ଦନା ଗାନ କରାଯିବା ପରେ ଓ ଦୈବ / ଭୂତ ପ୍ରସ୍ତୁତ ହୋଇ ସାରିବା ପରେ, ଅଭିନୟ ଆରମ୍ଭ ହୁଏ । “ଏହା ହେଉଛି ଗ୍ରାମ୍ୟ ବିଧିବିଧାନ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ, ବିଧି ସମ୍ବଳିତ ଏକ ରଙ୍ଗାଳୟ ଯାହା ବହୁବିଧ ପଦାର୍ଥ ସମୂହ ଯେପରିକି ପୋଷାକ, ଶୃଙ୍ଗାର, ନୃତ୍ୟ, ସଙ୍ଗୀତ, କୋରିଓଗ୍ରାଫି, ଚମତ୍କାର ଡାଇଲଗ୍‌, ମନ୍ତ୍ରୋଚ୍ଚାରଣ, ଦାନ, ଚନ୍ଦନ, ପାଉଁଶ ଭଳି ପବିତ୍ର ଜିନିଷଗୁଡିକର ବିତରଣ ଆଦିକୁ ନେଇ ସଂଗଠିତ ହୋଇଥାଏ,” ବୋଲି ପ୍ର.ରାୟ କୁହନ୍ତି ।

“ଏହା ହେଉଛି ଏପରି ଏକ ବିଧି ସମ୍ବଳିତ ରଙ୍ଗାଳୟ ଯେଉଁଠାରେ କ୍ରୋଧ ଓ ବିରୋଧ ପ୍ରଦର୍ଶନ ସ୍ଥାନ ପାଇଥାଏ,” ବୋଲି ପ୍ରଫେସର.ଗୌଡ କୁହନ୍ତି । “ମନ୍ଦିରରେ ଥିବା ଦେବଦେବୀଙ୍କ ମୂର୍ତ୍ତି ଗୁଡିକ କିଭଳି ଶାନ୍ତ ମୁଦ୍ରାରେ ରହିଛନ୍ତି ତାହା ଅନୁଭବ କରନ୍ତୁ, ଯେତେବେଳେକି ଭୂତ  କୋଳାହଳପୂର୍ଣ୍ଣ ଓ ଉତ୍ସୃଙ୍ଖଳ ଅଟେ । ଏହା ହେଉଛି ଦୀର୍ଘଦିନ ଧରି ଦଳିତ ସମ୍ପ୍ରଦାୟଗୁଡିକ ସମ୍ମୁଖୀନ ହୋଇ ଆସିଥିବା ଦମନ ଓ ଅନ୍ୟାୟର ଇତିହାସର ପ୍ରତିଫଳନ ।

ବେଳେବେଳେ ପୋଷାକ ଓ ଅଳଙ୍କାରଗୁଡିକର ଓଜନ ମିଶି ୬୦-୭୦ କେଜିରୁ ଅଧିକ ଓଜନିଆ ହୋଇଯାଏ । ଆଉ ସୁସଜ୍ଜିତ ଟାହିଆ (ଅନି) ୧୦ଫୁଟ୍‌ ପର୍ଯ୍ୟନ୍ତ ଉଚ୍ଚ ହୋଇପାରେ । ମୁଁ ଯେତେବେଳେ କଥାଲସର୍‌ଙ୍କୁ ପଚାରିଲି ଯେ ସେ କିଭଳି ଭାବେ ଏତେ ଭାରି ଓଜନ ଉଠାଇବାକୁ ସମର୍ଥ ହୁଅନ୍ତି ଓ ସଠିକ୍‌ ଭାବେ ପଦଗତି କରି ଅଭିନୟ କରିପାରନ୍ତି ତାହା ଶୁଣି ସେ ହସିଲେ । “ଠିକ୍‌ ସେହି ଭଳି ଯେପରି ମୋର ବାପା ଶିଖିଥିଲେ – ଦେଖି ଦେଖି । ମୁଁ ତାଙ୍କୁ ଦେଖି ଶିଖିଲି ଓ ମୋର ପିଲାମାନେ ମୋତେ ଦେଖି ଶିଖିବେ । ଏପରି କୌଣସି ବିଦ୍ୟାଳୟ ନାହିଁ ଯେଉଁଠିକୁ ଯାଇ ଆମେ ଏହି କଳା ଶିକ୍ଷା ଲାଭ କରିପାରିବୁ, କେହି ଗୁରୁ ମଧ୍ୟ ନାହାନ୍ତି। ଏହା କେବଳ ଦେଖିଦେଖି ଓ ଅନୁକରଣ କରି ଶିଖିହେବ । ବାଦ୍ୟ ଯନ୍ତ୍ରର ଶବ୍ଦ, ତାତି, ପୋଷାକ – ସମସ୍ତେ ମିଳିତ ଭାବେ ଜଣେ ଅଭିନେତାଙ୍କୁ ଏକ ଦୈବ / ଭୂତରେ  ରୂପାନ୍ତରିତ କରିଥାନ୍ତି ।

ପ୍ରାୟ ଏକ ଦଶନ୍ଧି ପୂର୍ବେ କୋର୍ଡାବୁ ଦୈବଙ୍କ ସହିତ ସେ ଦିନ ରାତିରେ ରାହୁ ଗୁଲିଗା ମଧ୍ୟ ଅଭିନୟ କରିଥିଲେ । ତାଙ୍କର ଅଭିନୟର ଗୋଟିଏ ଅଂଶରେ ସେ ମୁଢି ଓ କଞ୍ଚା କୁକୁଡାକୁ ଉନ୍ମତ୍ତ ଭାବେ ଭକ୍ଷଣ କରିଥିଲେ । ସେ ବଳି ଦିଆଯାଇଥିବା କୁକୁଡାର ରକ୍ତ ପିଇଥିଲେ । ସେ କୌଣସି ଭାରି ପୋଷାକ ବା ମୁଖା ପିନ୍ଧି ନଥିଲେ ବରଂ କିଛି ଫୁଲମାଳ ପିନ୍ଧିବା ପରେ ଓ ଶରୀରରେ ଅଳ୍ପ କିଛି ରଙ୍ଗ ଲଗାଇବା ପରେ ଅଭିନୟ ଆରମ୍ଭ କରିଦେଲେ । ଅଭିନୟ ପାଇଁ କୌଣସି ମଂଚ ନଥିବାରୁ ସେ ସିଧାସଳଖ ଦର୍ଶକଙ୍କ ସମ୍ପର୍କରେ ଆସିବା ପାଇଁ ଭିଡ ମଧ୍ୟ ଦେଇ ଗତି କରିବାକୁ ଲାଗିଲେ । ବେଳେବେଳେ ସେ ସଙ୍ଗୀତଜ୍ଞଙ୍କ ଉପରେ ରାଗିବା ପରି ଅଭିନୟ କରୁଥଲେ ତ ଆଉ କେତେବେଳେ ପୁଣି "ଅସ୍ୱାଭାବିକ'' ଭାବେ ଚାରିଆଡେ ଦଉଡି ପଳାଇଯାଉଥିଲେ, ସେତେବେଳେ ଦର୍ଶକମାନେ ତାଙ୍କୁ ଗାଳି ଦେଉଥିଲେ ଓ ଶାନ୍ତ କରାଉଥିଲେ । ସେ ଘଣ୍ଟା ଘଣ୍ଟା ଧରି ନାଚୁଥିଲେ ।

କୋଲା ଶେଷରେ ଦୈବ/ ଭୂତ  ଭୂସ୍ଥାନ (ମନ୍ଦିର) ଚାରିପାଖ ପରିକ୍ରମା କରନ୍ତି ଓ ହାତ ପଙ୍ଖାକୁ ହାତରେ ଥକିପଡି ବସିଯାଆନ୍ତି । ତା'ପରେ ଲୋକମାନେ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ତାଙ୍କ ପାଖକୁ ଆସନ୍ତି । ରୂପଧାରୀ ବ୍ୟକ୍ତି ଜଣକ ଏକାଧିକ ଭୂମିକାରେ ନିଜର ଅଭିନୟ ଶେଷ କରିବା ସହିତ ସହିତ ଧିରେ ଧିରେ ରାତ୍ରି କ୍ରମଶଃ ସରିବାକୁ ଲାଗେ । ସେ ଯଥାକ୍ରମେ ଜଙ୍ଗଲ ସଂରକ୍ଷକ ଭାବେ (ସ୍ଥାନୀୟ ଦୈବ୍ୟ/ଭୂତମାନଙ୍କୁ ଦେବତାଙ୍କୁ ଅର୍ପିତ ଛୋଟ ଛୋଟ ଜଙ୍ଗଲର ଦାୟିତ୍ୱ ଦିଆଯାଇଥାଏ), ବିଭିନ୍ନ ସ୍ଥାନୀୟ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମ୍ୟ ଅଦାଲତ ଭାବେ, ମାନସିକ ଯନ୍ତ୍ରଣା ଦୂର କରିବା ପଥ ଭାବେ ଓ ଦଳିତ ସମ୍ପ୍ରଦାୟର ସେହି ସମସ୍ତ ଉପେକ୍ଷିତ ନାୟକଙ୍କ କାହାଣୀ କହିବା ଓ ସେମାନଙ୍କୁ ମନେପକାଇବାର ଉତ୍ସ ଭାବେ ନିଜ ନିଜ ଅଭିନୟ ଦାୟିତ୍ୱ ତୁଲାଇଥାନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Nidhi Shetty

ନିଧି ସେଟ୍ଟି ମୁମ୍ବାଇରେ ଗଣମାଧ୍ୟମରେ କାମ କରନ୍ତି । ସେ ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ ଓ ପଲିଟିକାଲ୍‌ ସାଇନ୍ସରୁ ମିଡିଆ ଓ କମ୍ୟୁନିକେସନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

Other stories by Nidhi Shetty