ତାଙ୍କ ଘରଠାରୁ କିଛି ବାଟ ଦୂରରୁ ସେ କିଣିଥିବା ପାଣି ଭର୍ତ୍ତି ଛ’ଟି ପ୍ଲାଷ୍ଟିକ୍‌ ମାଠିଆକୁ ସ୍ୱତନ୍ତ୍ର ଭାବେ ନିର୍ମିତ ନିଜ ଟ୍ରଲିରେ ରଖି ତରବର ହୋଇ ରାସ୍ତା ପାର କରୁଥିବା ସି. ସୁବ୍ବୁଲକ୍ଷ୍ମୀଙ୍କ ମନରେ ନିର୍ବାଚନ ଓ ଭୋଟ ଗ୍ରହଣର ପ୍ରାସଙ୍ଗିକତା ନିହାତି କମ୍‌ । ସେ ଜଣେ କୃଷି ଶ୍ରମିକ ଏବଂ ଟ୍ରଲିଟି ଥିବାରୁ ତାଙ୍କୁ ପାଣି ବୋହି ନେବାକୁ ପଡୁନାହିଁ । କୁମାରେଡ୍ଡିୟାପୁରମ୍‌ର ଗାଁର ଏହି ବାସିନ୍ଦା କହନ୍ତି, “ଏହା ବିଲକୁଲ ଠିକ୍‌ ଯେ ଆମେ ଏକ ଝାମେଲାରେ ଫସିଯାଇଛୁ।”

ଭୋଟଦାନ ଅପେକ୍ଷା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ଶ୍ରେୟ ମଣନ୍ତି ୪୮ ବର୍ଷୀୟା ସୁବ୍ବୁଲକ୍ଷ୍ମୀ । କିନ୍ତୁ ତାଙ୍କ ଗାଁ ରହିଛି ଥୁଥୁକୁଡ଼ି ଲୋକସଭା ନିର୍ବାଚନ ମଣ୍ଡଳୀରେ, ଯେଉଁଠି ସମଗ୍ର ତାମିଲନାଡୁର ଏକ ବହୁଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଦ୍ରାବିଡ଼ ମୁନ୍ନେତ୍ରା କାଜାଗମ୍‌ (ଡିଏମ୍‌କେ)ର ପ୍ରାର୍ଥୀ ତଥା ବିଖ୍ୟାତ ଡିଏମ୍‌କେ ନେତା ସ୍ୱର୍ଗତ ଏମ. କରୁଣାନିଧିଙ୍କ ଝିଅ ଏମ୍‌.କାନିମୋଝିଙ୍କ ମୁକାବିଲା ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ତାମିଲିସାଇ ସୌନ୍ଦରାରାଜନ୍‌ଙ୍କ ସହିତ । ୨୦୧୪ରେ ଡିଏମ୍‌କେ ପ୍ରତିଦ୍ୱନ୍ଦ୍ୱୀ ଜେଗନ୍‌ ପି.ଙ୍କୁ ପରାସ୍ତ କରି ଏହି ଆସନରୁ ବିଜୟଲାଭ କରିଥିଲେ ଏଆଇଏଡିଏମ୍‌କେର ଜୟସିଂହ ଥିୟାଗରାଜ ।

୧୩ ଲକ୍ଷରୁ ଅଧିକ ଭୋଟଦାତାଙ୍କର ଏହି ନିର୍ବାଚନମଣ୍ଡଳୀକୁ ଅନ୍ୟ ଯେଉଁ ପ୍ରସଙ୍ଗଟି ଗୁରୁତ୍ୱ ପ୍ରଦାନ କରୁଛି, ତାହା ହେଲା ଗତ ବର୍ଷ ଥୁଥୁକୁଡ଼ି ସହରକୁ ଦୋହଲାଇ ଦେଇଥିବା ଦୁଃଖଦ ହିଂସାକାଣ୍ଡ। ଯେଉଁ ଘଟଣା ୨୪ କିଲୋମିଟର ଦୂର କୁମାରେଡ୍ଡିୟାପୁରମ୍‌ର ଅନେକ ଲୋକଙ୍କୁ ପ୍ରଭାବିତ କରିଥିଲା ।

୨୦୧୮ ଫେବ୍ରୁଆରୀ ୧୨ ତାରିଖ ଦିନ, ଷ୍ଟେର୍‌ଲାଇଟ୍‌ କପର ପ୍ଲାଣ୍ଟ୍‌ (ବେଦାନ୍ତ ଲିମିଟେଡ୍‌ର ଏକ ବ୍ୟାବସାୟିକ ସଂସ୍ଥା) ସଂପ୍ରସାରଣ ଯୋଜନା ବିରୋଧରେ ପ୍ରତିବାଦ କରିବା ପାଇଁ ଏହି ଗାଁର ପ୍ରାୟ ୩୦୦ ଲୋକ ଥୁଥୁକୁଡ଼ି ସହର କେନ୍ଦ୍ରରେ ବସି ରହିଥିଲେ। ଅନୁମତିପ୍ରାପ୍ତ ସମୟ ଅତିକ୍ରାନ୍ତ ହେବା ପରେ ବି ଆନ୍ଦୋଳନକାରୀମାନେ ସେହି ସ୍ଥାନ ଛାଡ଼ିବାକୁ ମନା କରିଦେଇଥିଲେ ଏବଂ ଶେଷରେ ଗିରଫ ହୋଇଥିଲେ। ଏହି ଗିରଫଦାରି ଯୋଗୁଁ ଗଢ଼ି ଉଠିଥିଲା ଏକ ବଡ଼ ଧରଣର ଆନ୍ଦୋଳନ, ଯେଉଁଥିରେ ଯୋଗ ଦେଇଥିବା ପ୍ରାୟ ୨ ଲକ୍ଷ ଲୋକ ୨୦୧୮ ମାର୍ଚ୍ଚ ୨୪ ତାରିଖ ଦିନ ଥୁଥୁକୁଡ଼ି ସହରର ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ବିବିଧ ପୃଷ୍ଠଭୂମି ଓ ପେସାର ଲୋକେ, ଏ ଅଞ୍ଚଳରେ ଷ୍ଟେର୍‌ଲାଇଟ୍‌ର ନୂଆ କପର୍‌ ସ୍ମେଲ୍‌ଟର୍‌ କଂପ୍ଲେକ୍‌ସ ନିର୍ମାଣକୁ ବନ୍ଦ କରିବା ଲାଗି ଦାବି କରିଥିଲେ । ବର୍ତ୍ତମାନ ଥିବା ଷ୍ଟେର୍‌ଲାଇଟ୍‌ ପ୍ଲାଣ୍ଟ୍‌ ସେମାନଙ୍କ ପାଣି ଓ ପରିବେଶକୁ ବିଷାକ୍ତ କରିଦେଇଛି ଏବଂ ସେମାନଙ୍କ ଜୀବିକା ନଷ୍ଟ କରିଦେଇଛି ବୋଲି ସେମାନେ କହିଲେ ।

Sterlite protest within the Kumareddiahpuram village which started in February 2018. The first photo has a black board which says 35th day of the protest on March 18, 2018
PHOTO • Kavitha Muralidharan

୨୦୧୮ ଫେବ୍ରୁଆରୀରେ କୁମାରେଡ୍ଡିୟାପୁରମ୍‌ରେ ଆରମ୍ଭ ହୋଇଥିବା ଷ୍ଟେର୍‌ଲାଇଟ୍‌ ପ୍ଲାଣ୍ଟ ବିରୋଧୀ ଆନ୍ଦୋଳନ ଥୁଥୁକୁଡ଼ି ସହରରେ ବିଶାଳ ପ୍ରତିବାଦ ସଭାର ରୂପ ନେଲା

ପ୍ରତିବାଦର ୧୦୦ତମ ଦିବସ, ମେ ୨୨ ତାରିଖ ଦିନ ପ୍ରତିବାଦକାରୀଙ୍କ ଉପରେ ପୋଲିସର ଆଖିବୁଜା ଗୁଳିମାଡ଼ ଯୋଗୁଁ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହେଲା । ୧୦୦ରୁ ଅଧିକ ଅନ୍ୟ ଲୋକ ଆହତ ହେଲେ । ମେ ୨୮ ତାରିଖ ଦିନ ରାଜ୍ୟ ସରକାର ଷ୍ଟେର୍‌ଲାଇଟ୍‌ର କପର୍‌ ପ୍ଳାଣ୍ଟ ବନ୍ଦ କରିଦେଲେ, କିନ୍ତୁ ଏହାକୁ ପୁଣି ଖୋଲିବା ପାଇଁ ଷ୍ଟେର୍‌ଲାଇଟ୍‌ ଅଦାଲତଙ୍କ ଦ୍ୱାରସ୍ଥ ହେଲା ।

ଥୁଥୁକୁଡ଼ି ଜିଲ୍ଲା ଓଟ୍ଟିପିଡ଼ାରାମ ବ୍ଲକ୍‌ ପରିସରଭୁକ୍ତ କୁମାରେଡ୍ଡିୟାପୁରମରେ ସୁବ୍ବୁଲକ୍ଷ୍ମୀ ଆମକୁ କହିଲେ, “କାରଖାନା ସବୁଦିନ ପାଇଁ ବନ୍ଦ ନ ହେବା ପର୍ଯ୍ୟନ୍ତ ଆମେ ଏମିତି ଝାମେଲା ଭିତରେ ରହିଥିବୁ ଏବଂ ଆମ ପାଇଁ ନିର୍ବାଚନର ମାନେ କିଛି ନୁହଁ ।” ଆଶ୍ଚର୍ଯ୍ୟର କଥା ଯେ, ଏହି ଗାଁର କେହି ହେଲେ ଆହତ ହୋଇ ନଥିଲେ । କାରଣ ମେ ୨୧ ରାତିରେ ଯେଉଁ ତିନିଟି ଗାଁକୁ ଆନ୍ଦୋଳନରୁ ଦୂରେଇ ରଖିବା ପାଇଁ ପୋଲିସ ‘ଅବରୋଧ’ କରିଥିଲା ସେଥିରୁ ଏହି ଗାଁ ଗୋଟିଏ । କିନ୍ତୁ ଏହା ସେମାନଙ୍କୁ ଆତଙ୍କିତ କରିଦେଇଥିଲା ।

ଏକା ସମୟରେ ତାମିଲନାଡୁରେ ଏକ ଛୋଟକାଟର ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ କରାଯାଉଛି । ଏପ୍ରିଲ ୧୮ (ଏକା ଦିନରେ ଲୋକସଭା ପାଇଁ ଭୋଟଗ୍ରହଣ) ଏବଂ ମେ ୧୯ ତାରିଖ ଦିନ ରାଜ୍ୟର ୨୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପ ନିର୍ବାଚନରେ ମଧ୍ୟ ଲୋକେ ଭୋଟ ଦେଉଛନ୍ତି । ୨୩୪ ଜଣ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାର ଏହା ପ୍ରାୟ ୧୦ ପ୍ରତିଶତ। କୁମାରେଡ୍ଡିୟାପୁରମ୍‌ ଗାଁ ରହିଥିବା ଓଟ୍ଟାପିଡ଼ାରାମ୍‌ (ଅଧିସୂଚିତ ଜନଜାତି ପାଇଁ ସଂରକ୍ଷିତ) ନିର୍ବାଚନ ମଣ୍ଡଳୀରେ ମେ୧୯ ତାରିଖ ଦିନ ଭୋଟ୍‌ ନିଆଯିବ । ଓଟ୍ଟାପିଡ଼ାରାମ୍‌ର ବର୍ତ୍ତମାନର ବିଧାୟକ ଏଆଇଏଡିଏମ୍‌କେର ଏ.ଆର୍‌. ସୁନ୍ଦରରାଜ୍‌ ଦଳବଦଳ ଆଇନ ଅନୁସାରେ ଅଯୋଗ୍ୟ ଘୋଷିତ ହେବା କାରଣରୁ ଏଠାରେ ଉପ ନିର୍ବାଚନ ହେଉଛି। ଏ ପର୍ଯ୍ୟନ୍ତ ଏହି ଆସନ ପାଇଁ କେବଳ ଡିଏମ୍‌କେ ଏମ୍‌.ସି. ଶନ୍‌ମୁଗାୟାଙ୍କୁ ଏହାର ପ୍ରାର୍ଥୀ ରୂପେ ଘୋଷଣା କରିଛି ।

ଏହି ୨୨ଟି ଆସନର ଫଳାଫଳ ହୁଏତ ବିଧାନସଭାରେ ଭାରସାମ୍ୟ ଦୋହଲାଇ ଦେଇପାରେ. ଯେଉଁଠି ଏବେ ଶାସନ କ୍ଷମତାରେ ଥିବା ଏଆଇଏଡିଏମ୍‌କେର ଆସନ ସଂଖ୍ୟା ସଂଖ୍ୟାଗରିଷ୍ଠତାଠାରୁ ଦୁଇଟି କମ୍‌ ରହିଛି ।

କୁମ୍ମାରେଡିୟାପୁରମ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଉତ୍କଟ ଜଳାଭାବ ଯୋଗୁଁ ସୁବ୍ବୁଲକ୍ଷ୍ମୀ (ସବା ଉପର ଆବରଣ ଚିତ୍ରରେ) ଏବଂ ତାଙ୍କ ଭଳି ଅନେକ ଲୋକଙ୍କର ଦିନର ଅଧିକାଂଶ ସମୟ,ଯେଉଁଠାରୁ ମିଳେ ସେଠାରୁ, ପାଣି ଆଣିବାରେ କଟିଯାଏ । ପ୍ରସଙ୍ଗ କ୍ରମେ ଉଲ୍ଲେଖନୀୟ ଯେ, ଗୋଟିଏ ମାଠିଆ ‘ଭଲ ପିଇବା ପାଣି’ ପାଇଁ ୧୦ ଟଙ୍କା ଖର୍ଚ୍ଚ କରୁଥିବା ଏହି ମହିଳାମାନଙ୍କ ତୁଳନାରେ ଷ୍ଟେର୍‌ଲାଇଟ୍‌ ବହୁ କମ୍‌ ଦରରେ ପାଣି କିଣୁଥିଲା । ଗୋଟିଏ ପ୍ଲାଷ୍ଟିକ୍‌ ମାଠିଆରେ ପ୍ରାୟ ୨୫ ଲିଟର ପାଣି ଧରେ । ପି.ପ୍ରଭୁ କହନ୍ତି, “ନିୟମିତ ଭାବେ ନ ହେଲେ ବି, ଷ୍ଟେର୍‌ଲାଇଟ୍‌ ବନ୍ଦ ହୋଇଯିବା ପରେ ହିଁ କୁମାରେଡ୍ଡିୟାପୁରମ୍‌ର ମହିଳାମାନେ ଭଲ ପିଇବା ପାଣି ପାଇପାରୁଛନ୍ତି । ବିଡ଼ମ୍ବନାର ବିଷୟ ଯେ, ବନ୍ଦ ନ ହେବା ପର୍ଯ୍ୟନ୍ତ ଷ୍ଟେର୍‌ଲାଇଟ୍‌କୁ ୧,୦୦୦ ଲିଟର ପିଛା ୧୦ ଟଙ୍କା ହିସାବରେ ପାଣି ଦିଆଯାଉଥିଲା।” ଆନ୍ଦୋଳନକାରୀ ଏବଂ ଥୁଥୁକୁଡ଼ିର ସ୍ଥାନୀୟ ବ୍ୟବସାୟୀ ପ୍ରଭୁ, ଏହି ରିପୋର୍ଟରଙ୍କ ସାଙ୍ଗରେ ଗାଁକୁ ଯାଇଥିଲେ ।

Details of water procured by Sterlite
PHOTO • Kavitha Muralidharan
Details of water procured by Sterlite
PHOTO • Kavitha Muralidharan

ଷ୍ଟେରଲାଇଟ ଦ୍ୱାରା ସଂଗୃହୀତ ପାଣିର ବିବରଣୀ: ୨୫ ଲିଟର ମାଠିଆରେ ପାଣି ପାଇଁ ଗାଁ ଲୋକେ ୧୦ ଟଙ୍କା ଖର୍ଚ୍ଚ କରନ୍ତି, ଷ୍ଟେରଲାଇଟ୍‌ ୧,୦୦୦ ଲିଟର ପାଣି ପିଛା ୧୦ ଟଙ୍କା ହିସାବରେ ପାଉଥିଲା

ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ ରୂପେ ଜଣାଶୁଣା ଥୁଥୁକୁଡ଼ିରେ ତାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀ ଏବଂ ଚିନାବାଦାମ କ୍ୟାଣ୍ଡି ଭଳି ବହୁ କୁଟୀର ଶିଳ୍ପ ବି ରହିଛି । ଅତି ବେଶୀରେ ୩୦୦ ପରିବାର ରହୁଥିବା କୁମାରେଡ୍ଡିୟାପୁରମ୍‌ ବିବାଦୀୟ ଷ୍ଟେର୍‌ଲାଇଟ୍‌ କପର୍‌ ପ୍ଲାଣ୍ଟ୍‌ ନିକଟରେ ଅବସ୍ଥିତ। ଏହା ହିଁ ଷ୍ଟେର୍‌ଲାଇଟ୍‌ ବିରୋଧୀ ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ରୂପେ ଅଭିହିତ। ୧୯୯୮ରେ ଏହି ଶିଳ୍ପ ପ୍ରତିଷ୍ଠା ହୋଇଥିଲା ଏବଂ ପରିବେଶ ପ୍ରଦୂଷଣ ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜାଉ ଥିବାରୁ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲା । ସାମାଜିକ କର୍ମୀମାନେ ଅଭିଯୋଗ କରନ୍ତି ଯେ, ଷ୍ଟେର୍‌ଲାଇଟ୍‌ ସଂଚାଳନ ପାଇଁ ବିଭିନ୍ନ ସ୍ଥାପିତ ମାନର କ୍ରମାଗତ ଉଲ୍ଲଂଘନ କରିବା ସହିତ ଏକାଧିକ ସଂପ୍ରସାରଣ ଅବଧିରେ ୨୦୧୧ ମସିହା ପର୍ଯ୍ୟନ୍ତ ବିନା ଲାଇସେନ୍‌ସ ନବୀକରଣରେ ଚାଲୁଥିଲା। ଜାତୀୟ ପରିବେଶ ଗବେଷଣା ସଂସ୍ଥା ଏବଂ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଧ୍ୟାନରୁ ମଧ୍ୟ ଏହା ଜଣାପଡ଼ିଥିଲା ଯେ ଷ୍ଟେର୍‌ଲାଇଟ୍‌ରୁ ନିର୍ଗତ ବର୍ଜ୍ୟବସ୍ତୁ ଦ୍ୱାରା ଭୂତଳ ଜଳ, ବାୟୁ ଓ ମାଟି ସଂକ୍ରମିତ ହୋଇଥିଲା ।

କପର୍‌ ପ୍ଲାଣ୍ଟର ସଂପ୍ରସାରଣ ଯୋଜନା ବିଷୟ ଜାଣିବା ପରେ ହିଁ କୁମାରେଡ୍ଡିୟାପୁରମ୍‌ ଗାଁ ଲୋକେ ୨୦୧୮ ମସିହାରେ ଆନ୍ଦୋଳନର ସର୍ବଶେଷ ପର୍ଯ୍ୟାୟରେ ଯୋଗ ଦେଲେ । ସେମାନେ ଅଭିଯୋଗ କରନ୍ତି ଯେ ଏହି ଶିଳ୍ପ ସେମାନଙ୍କ ଗାଁକୁ ପ୍ରଦୂଷିତ କରୁଛି ଏବଂ ଏହା ଯୋଗୁଁ ଉତ୍ପନ୍ନ ବିଭିନ୍ନ ରୋଗର ପ୍ରକୋପ ବଢୁଛି । ୫୫ ବର୍ଷୀୟା ଗୃହିଣୀ ଭେଲ୍ଲାଇ ଥାଇ କହନ୍ତି, “ବିଗତ ବର୍ଷଗୁଡ଼ିକରେ ଆମ ଜୀବନଧାରଣର ଗୁଣମାନରେ ଅବନତି ଦେଖାଦେଇଛି। ଲୋକେ କହନ୍ତି ଯେ ଗ୍ରାମାଞ୍ଚଳରେ ରହିବା ଭଲକଥା। ପ୍ରକୃତରେ ଏହା କେତେ ଭଲ ତାହା ଜାଣିବାକୁ ହେଲେ ଆପଣ କୁମାରେଡ୍ଡିୟାପୁରମ୍‌କୁ ଆସି ରହିବା ଉଚିତ୍ ।”

ଏଠାକାର ବାସିନ୍ଦାମାନେ କହନ୍ତି ଯେ ଷ୍ଟେର୍‌ଲାଇଟ୍‌ ଆଖପାଖ ଅଞ୍ଚଳରେ ରହୁଥିବାରୁ ଏଠାରେ କ୍ୟାନ୍‌ସର ଓ ପ୍ରଜନନ ସମ୍ବନ୍ଧିତ ସମସ୍ୟା ବଢ଼ିବାରେ ଲାଗିଛି । ୧୭ ବର୍ଷୀୟା ଛାତ୍ରୀ ପି.ମହାଲକ୍ଷ୍ମୀ କହନ୍ତି, “ଏଠି ଆପଣ ଏମିତି ଗୋଟିଏ ହେଲେ ଘର ପାଇବେନି ଯେଉଁଠି ଜଣେ ରୋଗୀ ନଥିବେ। ମୋ ବାପା-ମାଆ ସେମାନଙ୍କ ବୟସ ବୃଦ୍ଧି ହାର ତୁଳନାରେ ଖୁବ୍‌ ଶୀଘ୍ର ବାର୍ଦ୍ଧକ୍ୟଗ୍ରସ୍ତ ହୋଇଯାଇଥିବା ମୁଁ ଦେଖିଛି।”

ଏଠାକାର ଗୁରୁତର ସମସ୍ୟା ମଧ୍ୟରୁ ଗୋଟିଏ ହୋଇ ରହିଛି ଜଳାଭାବ। ଯେ କୌଣସି ଦିନରେ ବି ମହିଳାମାନେ ପ୍ଲାଷ୍ଟିକ୍‌ ପାଣି ମାଠିଆଗୁଡ଼ିକୁ ସ୍ୱତନ୍ତ୍ର ଭାବେ ନିର୍ମିତ ଟ୍ରଲିରେ ରଖି ରାସ୍ତାରେ ଚକ୍କର କାଟୁଥିବା ଦୃଶ୍ୟ ଦେଖିବାକୁ ମିଳେ। ୫୦ ବର୍ଷ ବୟସ୍କା କୃଷି ଶ୍ରମିକ କ୍ରିଷ୍ଣା ଲୀଲାବତୀ କହନ୍ତି, “ଭଲ ପାଣି ପାଇବାକୁ ଆମକୁ ୧୦ରୁ ୧୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ। ଏହା ଆଣିବା ପାଇଁ ଆମକୁ କିଛି ବାଟ- ଏକ କିଲୋମିଟର ବା ତା’ଠାରୁ ଅଧିକ- ଯା’ଆସ କରିବାକୁ ପଡ଼େ । ଉପର-ତଳ ହୋଇ ଛ’ ଥର ଯା’ଆସ କରିବା ଆମ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଏହି ଟ୍ରଲି ଦରକାର ହୁଏ।”

ରାଜ୍ୟର କେବଳ ଏହି ଭାଗରେ ଦେଖାଯାଉଥିବା ଭଳି ମନେ ହେଉଥିବା ଏହି ସ୍ୱତନ୍ତ୍ର ଧରଣର ଟ୍ରଲିଗୁଡ଼ିକୁ ଥୁଥୁକୁଡ଼ି ସହରରେ ନିର୍ମାଣ କରାଯାଇ ବିଭିନ୍ନ ଗାଁକୁ ଅଣାଯାଏ । ଲୀଲାବତୀ ଗରଗର ହୋଇ କହନ୍ତି, “ସେଗୁଡ଼ିକ ଗୋଟିକୁ ୨,୫୦୦ ଟଙ୍କା ପଡେ । ତା’ ଛଡ଼ା କୁମାରେଡ୍ଡିୟାପୁରମ୍‌କୁ ଆଣି ଦେବା ପାଇଁ ଆମକୁ ୩୦୦ ଟଙ୍କା ଦେବାକୁ ପଡ଼େ ।”

Krishna Leelavathi, resident of Kumareddiahpuram
PHOTO • Kavitha Muralidharan
Akila, a villager with the trolley
PHOTO • Kavitha Muralidharan

କୃଷି ଶ୍ରମିକ କ୍ରିଷ୍ଣା ଲୀଲାବତୀ (ବାମ) ଏବଂ ଆକିଲା (ଡାହାଣ): “ଉପର-ତଳ ହୋଇ ଛ’ ଥର ଯା’ଆସ କରିବା ଆମ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଏହି ଟ୍ରଲି ଦରକାର ହୁଏ”

ଅନତି ଦୂରରେ ଥିବା ଥୁଥୁକୁଡ଼ିର ଯୋଗିଶ୍ୱର କଲୋନିର ମହିଳାମାନେ କେବଳ ପାଣି ଆଣିବା ପାଇଁ ହିଁ କେଇ ବର୍ଷ ହେଲା ସାଇକେଲ ଚଲାଇବା ଶିଖିଛନ୍ତି । ଥୁଥୁକୁଡ଼ି ବାସିନ୍ଦା ତଥା ୪୦ ବର୍ଷୀୟା ଶ୍ରମିକ ଏ. ସରସ୍ୱତୀ କହନ୍ତି, “ଏ ଅଞ୍ଚଳରେ ପ୍ରାୟ ୧୦୦ ପରିବାର ଅଛନ୍ତି ଏବଂ ଆଜିକୁ ଅତି କମ୍‌ରେ ୫୦ ବର୍ଷ ହେଲା ଆମେ ପିଇବା ପାଣି ସମସ୍ୟାର ସମ୍ମୁଖୀନ ହୋଇଆସୁଛୁ । ଆପଣ ଆମ ଭିତରୁ ଏମିତି ଜଣେ ମହିଳା ପାଇବେନି ଯିଏ ସାଇକେଲ ଚଲାଇ ପାରିବନି । ପାଣି ଆଣିବା ପାଇଁ ଆମକୁ ପ୍ରାୟ ଦୁଇ କିଲୋମିଟର ଯିବାକୁ ପଡ଼େ ଏବଂ ସହରରେ ଅଧିକ ଟ୍ରାଫିକ୍‌ ରହୁଥିବାରୁ କେବଳ ସାଇକେଲରେ ହିଁ ଯିବା ସମ୍ଭବ ହୁଏ । ତଥାପି, ଏତେ ପାଣି ବୋହିବା କାରଣରୁ ଆମମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଛି ।”

ଇତିମଧ୍ୟରେ, ସରକାରଙ୍କ ଦ୍ୱାରା ଷ୍ଟେର୍‌ଲାଇଟ୍‌ କାରଖାନା ବନ୍ଦ ହେବାର ବର୍ଷକ ପରେ ବି, କୁମାରେଡ୍ଡିୟାପୁରମ୍‌ର ଲୋକେ ଭୟ ଓ ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି । ଭେଲାଇ ଥାଇ କହନ୍ତି, “ଆମେ ବହୁତ ସହିଲୁଣି । ଏବେ ଯେ କୌଣସି ମୂଲ୍ୟ ବଦଳରେ ବି ଏହା ଖୋଲୁ ବୋଲି ଆମେ ଚାହୁଁନାହୁଁ ।” ଗାଁ ଲୋକେ ଜାଣନ୍ତି ଯେ ପୁଣି କାରଖାନା ଖୋଲିବାକୁ ଅନୁମତି ପାଇବା ପାଇଁ ଷ୍ଟେର୍‌ଲାଇଟ୍‌ ଅଦାଲତରେ ଚେଷ୍ଟା ଚଳାଇଛି ।

ଏହା ସ୍ପଷ୍ଟ ଯେ, ନିର୍ବାଚନ ପ୍ରତି ଉତ୍ସାହ ଅପେକ୍ଷା ଷ୍ଟେର୍‌ଲାଇଟ୍‌ ପୁଣି ଖୋଲିବାର ଆଶଙ୍କା ଲୋକଙ୍କ ମନକୁ ଘାରିଛି । ଭେଲ୍ଲାଇ ଥାଇ କହନ୍ତି, “ନିର୍ବାଚନ ହେଉ କି ନ ହେଉ, ଆମର ଏକମାତ୍ର ଦାବି ହେଲା ସବୁଦିନ ପାଇଁ ଷ୍ଟେର୍‌ଲାଇଟ୍‌କୁ ବନ୍ଦ କର।”

କୁମାରେଡ୍ଡିୟାପୁରମ୍‌ରେ ପୁଲୱାମା, ବାଲାକୋଟ୍‌ କିମ୍ବା ଅଗଷ୍ଟା କି ରାଫେଲ୍‌ କିଣାବିକା ତୁଳନାରେ ଷ୍ଟେର୍‌ଲାଇଟ୍‌ ପ୍ରସଙ୍ଗର ହିଁ ପ୍ରାଧାନ୍ୟ ରହିଛି । ଲୀଲାବତୀ କହନ୍ତି, “ଆମକୁ ଭୋଟ ମାଗିବା ପାଇଁ କେହି ଏଠାକୁ ଆସିନାହାନ୍ତି, କିନ୍ତୁ, ଷ୍ଟେର୍‌ଲାଇଟ୍‌ ସବୁଦିନ ପାଇଁ ବନ୍ଦ ହେବ ବୋଲି ନ ଜାଣିଲା ପର୍ଯ୍ୟନ୍ତ ଆମେ ଭୋଟ ଦେବାକୁ ବି ଯିବୁନାହିଁ ।”

ନିର୍ବାଚନ ବର୍ଜନ ପ୍ରସ୍ତାବରୁ ଆରମ୍ଭ କରି ଷ୍ଟେର୍‌ଲାଇଟ୍‌ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଉଥିବା କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପର୍ଯ୍ୟନ୍ତ, ଏହି ଛୋଟ ଗାଁଟିରେ ଅନେକ ବିକଳ୍ପକୁ ନେଇ ଆଲୋଚନା ହୋଇଆସୁଛି । ଭେଲାଇ ଥାଇଙ୍କ ମତ କିନ୍ତୁ ବେଶ୍‌ ସ୍ପଷ୍ଟ । “ମୋଦି ପୁଣି ଫେରନ୍ତୁ ବୋଲି ଆମେ ଚାହୁଁ ନାହୁଁ । ”

୫୫ ବର୍ଷ ବୟସ୍କ କୃଷି ଶ୍ରମିକ ପି.ପୋନ୍‌ରାଜ କହନ୍ତି, “ଯେତେବେଳେ ୧୪ ଜଣ ଲୋକ ଗୁଳିମାଡ଼ରେ ପ୍ରାଣ ହରାଇଲେ, ସେତେବେଳେ ବି ସେ ଆମ ସଂପର୍କରେ ମୁହଁ ଖୋଲି ନଥିଲେ । ଅନ୍ତତଃ ଷ୍ଟେର୍‌ଲାଇଟ୍‌ ତ ଧୀରେ ଧୀରେ ଆମ ପ୍ରାଣ ନେଲା ।”

ପ୍ରାୟ ୨୫ ବର୍ଷ ଧରି ଏହି ପ୍ରସଙ୍ଗ ସେମାନଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ବିସ୍ତାର କରିବା ସତ୍ତ୍ୱେ ଏବଂ “ସେ ସବୁ ଘଟଣା ଘଟିଯିବା ପରେ,” ସୁବ୍ବୁଲକ୍ଷ୍ମୀ କହନ୍ତି, “ମନେ ହେଉଛି, ଆମେ ସେମାନଙ୍କୁ ଭୋଟ ଦେବୁ ବୋଲି ରାଜନେତାମାନେ ଭାବି ପାରୁଛନ୍ତି। କିନ୍ତୁ ଆମ ପାଇଁ ନ ହେଉ ପଛକେ, ଅନ୍ତତଃ ଆମ ଭବିଷ୍ୟତ ପିଢ଼ି ପାଇଁ ଆମେ ଏହି ଲଢ଼େଇ ଜାରି ରଖିବୁ ।”

୪୬ ବର୍ଷୀୟ କୃଷି ଶ୍ରମିକ ଭେଲୁ ଥାଇ ପଚାରନ୍ତି, “କେମିତି ସେମାନେ ଏଠାକୁ ଆସିବେ ଆଉ ଭୋଟ ମାଗିବେ ? ଯଦି ସେମାନେ ଭାବୁଛନ୍ତି ଯେ ଆମ ଜୀବନ ଓ ଜୀବିକା ତୁଳନାରେ ଷ୍ଟେର୍‌ଲାଇଟ୍‌ ଅଧିକ ଗୁରୁତ୍ୱପୂର୍ଣ୍ଣ, ତେବେ ସେମାନେ ଆମକୁ ମଣିଷ ବୋଲି କେମିତି ମନେ କରିବେ ଏବଂ ଏଠାରେ ନିର୍ବାଚନ କରାଇବେ ?”

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Kavitha Muralidharan

କବିତା ମୁରଲୀଧରନ୍ ହେଉଛନ୍ତି ଚେନ୍ନାଇସ୍ଥିତ ଜଣେ ମୁକ୍ତବୃତ୍ତି ସାମ୍ବାଦିକା ଏବଂ ଅନୁବାଦିକା । ସେ ପୂର୍ବରୁ ‘ଇଣ୍ଡିଆ ଟୁଡେ’ (ତାମିଲ)ର ଜଣେ ସଂପାଦିକା ଥିଲେ ଏବଂ ତା’ ପୂର୍ବରୁ ‘ଦ ହିନ୍ଦୁ’(ତାମିଲ)ର ରିପୋର୍ଟିଂ ବିଭାଗର ମୁଖ୍ୟ ଥିଲେ । ସେ ଜଣେ ପରୀ ସ୍ୱେଚ୍ଛାସେବୀ ।

Other stories by Kavitha Muralidharan