“ବର୍ଷା ପୁଣି ବନ୍ଦ ହୋଇଗଲା,” ବୋଲି ଧର୍ମା ଗାରେଲ୍‌ ଏକ ବାଉଁଶ ବାଡି ସହାୟତାରେ ତାଙ୍କ ଚାଷଜମି ଆଡକୁ ଚାଲିଚାଲି ଯିବାବେଳେ କହିଲେ । “ଜୁନ୍‌ ଏବେ ଏକ ଅଦ୍ଭୁତ ମାସରେ ପରିଣତ ହୋଇଗଲାଣି । କେବଳ ୨-୩ ଘଣ୍ଟା ବର୍ଷା ହେବ । ବେଳେବେଳେ ବିଜୁଳି ଚମକେ ଆଉ ବେଳେବେଳେ ଭାରି ବର୍ଷା ହୁଏ । ହେଲେ, କିଛି ଘଣ୍ଟା ପରେ ତାତି ପୁଣି ଥରେ ଅସହ୍ୟ ହୋଇଯାଏ । ମାଟିର ସମସ୍ତ ଆର୍ଦ୍ରତା ଶୋଷିନିଏ । ତାପରେ ମାଟି ପୁଣି ଶୁଷ୍କ ହୋଇଯାଏ । ଏମିତିରେ ଚାରାଗୁଡିକ ବଢିବେ କେମିତି?”

ଅଶୀ ବର୍ଷୀୟ ଗାରେଲ୍‌ ଓ ତାଙ୍କ ପରିବାର ଥାନେ ଜିଲ୍ଲାର ସାହାପୁର ତାଲୁକାରେ  ଅବସ୍ଥିତ ୧୫ ୱାର୍ଲି ପରିବାର ରହୁଥିବା ଏକ ଛୋଟିଆ ଆଦିବାସୀ ପଲ୍ଲୀ ଗାରେଲପଡାରେ ଥିବା ସେମାନଙ୍କ ଏକ ଏକର ଜମିରେ ଧାନ ଚାଷ କରନ୍ତି । ଜୁନ୍‌ ୨୦୧୯ରେ ସେମାନେ ବୁଣିଥିବା ଧାନ ଶସ୍ୟ ସମ୍ପୂର୍ଣ୍ଣ ଭାବେ ଶୁଖିଗଲା । ସେହି ମାସରେ ୧୧ ଦିନରେ କେବଳ ୩୯୩ ମିମି ବର୍ଷା ହୋଇଥିଲା (ଯାହା ହାରାହାରି ପରିମାଣ ୪୨୧. ୯ ମିମି ଠାରୁ ମଧ୍ୟ କମ୍‌) ।

ସେମାନେ ରୋପଣ କରିଥିବା ଧାନ ଗଜା ମଧ୍ୟ ହେଲାନି – ଓ ସେମାନେ ବୀଜ, ସାର, ଭଡାରେ ଆଣିଥିବା ଟ୍ରାକ୍ଟର ଓ ଚାଷକାମ ପାଇଁ କରିଥିବା ଅନ୍ୟାନ୍ୟ ବ୍ୟୟ ବାବଦକୁ ୧୦,୦୦୦ଟଙ୍କା ଖର୍ଚ୍ଚ କରିଥିଲେ ଯାହା ବୁଡିଗଲା ।

“ଅଗଷ୍ଟ ମାସରେ ଯାଇ ନିୟମିତ ବର୍ଷା ହେବାରୁ ଜମି ଥଣ୍ଡା ହେବାକୁ ଆରମ୍ଭ ହେଲା । ମୁଁ ନିଶ୍ଚିତ ଥିଲି ଯେ ଦ୍ୱିତୀୟ ଥର ବୁଣିବାର ବିପଦ ଉଠାଇଲେ ଯାଇ ଆମେ କିଛି ଭଲ ଅମଳ କରିପାରିବୁ, କିଛି ଲାଭ ପାଇପାରିବୁ,” ବୋଲି ୩୮ ବର୍ଷ ବୟସ୍କ ରାଜୁ, ଧର୍ମାଙ୍କ ପୁଅ କହିଲେ ।

ଜୁନ୍‌ରେ  ଅଭାବି ବର୍ଷା ହେବାପରେ, ଜୁଲାଇରେ ତାଲୁକାରେ ବହୁତ ବର୍ଷା ହେଲା – ୧୫୮୬.୮ ମିମି, ଯେତେବେଳେକି ସାଧାରଣ ବୃଷ୍ଟିପାତ ହାର ୯୪୭. ୩ ମିମି ଅଟେ । ଏଣୁ ଗାରେଲ୍‌ ପରିବାର ଦ୍ୱିତୀୟଥର ବୁଣା ହୋଇଥିବା ଶସ୍ୟ ଉପରେ ଭରସା ରଖିଥିଲେ । ହେଲେ, ଅଗଷ୍ଟ ବେଳକୁ ଅତି ପ୍ରବଳ ବର୍ଷା ହେଲା – ଓ ଏପରି ଅକ୍ଟୋବର ପର୍ଯ୍ୟନ୍ତ ଚାଲିଲା । ଏହି ବର୍ଷା ଯୋଗୁଁ ଥାନେ ଜିଲ୍ଲାର ସମସ୍ତ ସାତଟି ତାଲୁକାରେ  ୧୧୬ ଦିନରେ ପ୍ରାୟ ୧,୨୦୦ ମିମି ଅତିରିକ୍ତ ବୃଷ୍ଟିପାତ ହୋଇଛି ।

“ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାହା ବର୍ଷା ହୋଇଥିଲା ତାହା ଗଛର ବୃଦ୍ଧି ପାଇଁ ଯଥେଷ୍ଟ ଥିଲା । ଆମେ ମନୁଷ୍ୟମାନେ ଆମ ପେଟ ଫାଟିବା ପର୍ଯ୍ୟନ୍ତ ଖାଦ୍ୟ ଖାଉନେ, ତାହାହେଲେ ଏକ ଛୋଟ ଗଛ କାହିଁକି ଖାଇବ?” ବୋଲି ରାଜୁ ପ୍ରଶ୍ନ କଲେ । ଅକ୍ଟୋବର ବର୍ଷାରେ ଗାରେଲ୍‌ଙ୍କ ଜମି ଜଳରେ ବୁଡିଗଲା । “ଆମେ ସେପ୍ଟେମ୍ବର ଶେଷ ସପ୍ତାହରେ ଧାନ କାଟିଲୁ ଓ ସେଗୁଡିକୁ ବିଡା ବାନ୍ଧି ଥାକ କରି ରଖିବାକୁ ଆରମ୍ଭ କଲୁ,” ବୋଲି ୩୫ ବର୍ଷ ବୟସ୍କ ସବିତା, ଚାଷୀ ଓ ରାଜୁଙ୍କ ସ୍ତ୍ରୀ ମନେପକାନ୍ତି । “ଆମେ ବଳକା ଫସଲ ସବୁ ଅମଳ କରିବା ବାକି ଥିଲା । ଅକ୍ଟୋବର ୫ ପରେ, ହଠାତ୍‌ ମୂଷଳଧାରାରେ ବର୍ଷା ହେବା ଆରମ୍ଭ ହେଲା । ଆମେ ଥାକ ମାରି ରଖିଥିବା ଶସ୍ୟ ବିଡ଼ାଗୁଡିକୁ ଯେତିକି ସମ୍ଭବ ସେତିକ ଘର ଭିତରକୁ ନେଇଯିବାକୁ ଚେଷ୍ଟାକଲୁ, ହେଲେ କିଛି ସମୟ ମଧ୍ୟରେ ଆମ ଜମି ଜଳାର୍ଣ୍ଣବ ହୋଇଗଲା…”

ଅଗଷ୍ଟରେ ଯାହା କିଛି ବୁଣା ହୋଇଥିଲା, ସେଥିରୁ ଗାରେଲ୍‌ ପରିବାର କୌଣସି ପ୍ରକାରେ ୩ କ୍ୱିଣ୍ଟାଲ୍‌ ଚାଉଳ ଉଦ୍ଧାର କରିପାରିଲେ – ଯେତେବେଳେକି ପୂର୍ବେ ସେମାନେ ଗୋଟିଏ ଥର ବୁଣିଲେ ପ୍ରାୟ ୮-୯ କ୍ୱିଣ୍ଟାଲ୍‌ ଅମଳ କରୁଥିଲେ ।
Paddy farmers Dharma Garel (left) and his son Raju: 'The rain has not increased or decreased, it is more uneven – and the heat has increased a lot'
PHOTO • Jyoti Shinoli
Paddy farmers Dharma Garel (left) and his son Raju: 'The rain has not increased or decreased, it is more uneven – and the heat has increased a lot'
PHOTO • Jyoti Shinoli

ଧାନ ଚାଷୀ ଧର୍ମା ଗାରେଲ୍‌ (ବାମ) ଓ ତାଙ୍କ ପୁଅ ରାଜୁ । ‘ବର୍ଷା ବଢିନି କିମ୍ବା କମିନି, ଏହା ଅସମତୁଲ ହୋଇଯାଇଛି ଓ ତାତି ବହୁତ ପରିମାଣରେ ବୃଦ୍ଧି ପାଇଛି

“ଏପରି ପରିସ୍ଥିତି ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ହେବ ଲାଗି ରହିଛି, ବୋଲି ଧର୍ମା କୁହନ୍ତି । “ବର୍ଷା କମିନି କିମ୍ବା ବଢିନି – ଓ ତାତି ବହୁ ପରିମାଣରେ ବୃଦ୍ଧି ପାଇଛି ।’’୨୦୧୮ରେ ମଧ୍ୟ ହାରାହାରି ପରିମାଣ ଠାରୁ କମ୍‌ ବର୍ଷା ହେବା ଯୋଗୁଁ ଏହି ପରିବାର କେବଳ ଚାରି କ୍ୱିଣ୍ଟାଲ୍‌ ଶସ୍ୟ ଅମଳ କରିପାରିଥିଲା । ୨୦୧୭ ରେ ମଧ୍ୟ ଅକ୍ଟୋବର୍‌ରେ ଅସମୟ ବର୍ଷା ହେବା କାରଣରୁ ସେମାନଙ୍କ ଧାନ ଫସଲ ପ୍ରଭାବିତ ହୋଇଥିଲା ।

ଏହା ପରିବର୍ତ୍ତେ, ଯେପରି ଧର୍ମା ଅନୁଭବ କରିଛନ୍ତି, ତାତିର ତୀବ୍ରତା ନିୟମିତ ବୃଦ୍ଧି ହେଉଥିବା ଜଣାପଡୁଛି ଓ ଏହା କ୍ରମଶଃ “ଅସହ୍ୟ” ହୋଇଗଲାଣି । ନିଉ- ୟର୍କ ଟାଇମ୍‌ସର ଜଳବାୟୁ ଓ ବିଶ୍ୱ ଉତ୍ତାପନ ସମ୍ବନ୍ଧିତ ଏକ ଇଣ୍ଟର୍‌ଆକ୍ଟିଭ୍‌ ପୋର୍ଟାଲ୍‌ରୁ ପ୍ରାପ୍ତ ତଥ୍ୟ ମୁତାବକ, ୧୯୬୦ରେ ଯେତେବେଳେ ଧର୍ମାଙ୍କୁ ୨୦ ବର୍ଷ ବୟସ ହୋଇଥିଲା, ସେତେବେଳେ ଥାନେରେ ୧୭୫ ଦିନ ଏପରି ଥିଲା ଯେଉଁ ସମୟରେ ଦିନର ତାପମାତ୍ରା ୩୨ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚୁଥିଲା । ହେଲେ, ବର୍ତ୍ତମାନ ସେହି ସଂଖ୍ୟା ୨୭୫ ଦିନରେ ପହଞ୍ଚିଲାଣି ଯେଉଁଦିନଗୁଡିକରେ ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ହୋଇଯାଏ ।

ସାହାପୁର ତାଲୁକାର ସମସ୍ତ ଆଦିବାସୀ ପଲ୍ଲୀରେ, ଅନ୍ୟାନ୍ୟ ପରିବାରଗୁଡିକ ମଧ୍ୟ ସେମାନଙ୍କର ଧାନ ଉତ୍ପାଦନ ହ୍ରାସ ପାଉଥିବା ବିଷୟରେ କହୁଛନ୍ତି । ଏହି ଜିଲ୍ଲାରେ କଟ୍‌କରି, ମହ୍ଲାର କୋଲି, ମା ଠାକୁର, ୱାର୍ଲି ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି – ଥାନେର ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା ପ୍ରାୟ ୧.୧୫ ଲକ୍ଷ ଅଟେ (୨୦୧୧ ଜନଗଣନା), ଯାହା ସମୁଦାୟ ଜନସଂଖ୍ୟାର ପ୍ରାୟ ୧୪ ପ୍ରତିଶତ ହେବ ।

“ବର୍ଷାଜଳ ଉପରେ ନିର୍ଭରଶୀଳ ଧାନ ଚାଷ ପାଇଁ ନିୟମିତ ଅନ୍ତରାଳରେ ଜଳ ଯୋଗାଯିବା ଆବଶ୍ୟକ ହେଉଥିବାରୁ ସଠିକ୍‌ ସମୟରେ ଉଚିତ୍‌ ପରିମାଣର ବର୍ଷା ହେବା ଆବଶ୍ୟକ । ଫସଲ ଚକ୍ରର କୌଣସି ସମୟରେ ଯଦି ଜଳ କମ୍‌ ବା ବେଶୀ ହୋଇଯାଏ, ତାହାହେଲେ ଉତ୍ପାଦନ ହ୍ରାସ ପାଏ” ବୋଲି ପୁନା ସ୍ଥିତ ବିଏଆଇଏଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଭ୍‌ଲିହୁଡ୍‌ସ ଓ ଡେଭଲପ୍‌ମ୍ୟାଣ୍ଟ ର ପ୍ରୋଗ୍ରାମ ମ୍ୟାନେଜର ସୋମନାଥ ଚୌଧୁରୀ କୁହନ୍ତି ।

ଅନିୟମିତ ମୌସୁମୀ ଯୋଗୁଁ ଧାନ ଉତ୍ପାଦନ ହ୍ରାସ ପାଉଥିଲେ ମଧ୍ୟ ଅନେକ ଆଦିବାସୀ ପରିବାର ଏହିପରି ଅନିଶ୍ଚିତ ବାର୍ଷିକ ଆବର୍ତ୍ତନ ଉପରେ ନିର୍ଭର କରି କୌଣସି ପ୍ରକାରେ ଖରିଫ୍‌ ଋତୁରେ ନିଜର ଛୋଟ ଛୋଟ ଜମିଖଣ୍ଡରେ ଧାନ ଚାଷ କରୁଛନ୍ତି ଓ ତାପରେ ବର୍ଷର ଆଉ ଅଧା ସମୟରେ ଇଟା ଭାଟି, ଆଖୁ କିଆରି ଓ ଅନ୍ୟ କାର୍ଯ୍ୟସ୍ଥଳରେ କାମ କରିବାକୁ ପ୍ରବାସରେ ଯାଉଛନ୍ତି । ଏହା ଛଡା ସେମାନଙ୍କ ପାଖରେ ଆଉ କ’ଣ ଉପାୟ ଅଛି?

ଖରିଫ୍‌ ଋତୁରେ ସମଗ୍ର ଜିଲ୍ଲାରେ ପ୍ରାୟ ୧୩୬,୦୦୦ ହେକ୍ଟର ଜମିରେ ବର୍ଷା ଜଳ ଉପରେ ନିର୍ଭରଶୀଳ ଧାନ ଚାଷ କରାଯାଏ ଓ ରବି ଋତୁରେ ୩,୦୦୦ ହେକ୍ଟର ଜଳସେଚିତ ଜମିରେ (ମୁଖ୍ୟତଃ ଖୋଲା କୂଅ ଓ ନଳକୂପ) କରାଯାଏ (ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡ୍ରାଇଲ୍ୟାଣ୍ଡ ଏଗ୍ରିକଲ୍‌ଚର୍‌ରୁ ପ୍ରାପ୍ତ ୨୦୦୯- ୧୦ର ତଥ୍ୟ ମୁତାବକ) । ଏହାବ୍ୟତୀତ, ଏଠାରେ ଚାଷ କରାଯାଉଥିବା ଅନ୍ୟାନ୍ୟ ପ୍ରମୁଖ ଶସ୍ୟ ହେଉଛି ମାଣ୍ଡିଆ, ଡାଲି ଓ ଚିନାବାଦାମ୍‌ ।
Savita Garel and Raju migrate every year to work in sufarcane fields: We don’t get water even to drink, how are we going to give life to our crops?'
PHOTO • Jyoti Shinoli

ସବିତା ଗାରେଲ୍‌ ଓ ରାଜୁ ପ୍ରତିବର୍ଷ ଆଖୁ କିଆରିରେ କାମ କରିବାକୁ ପ୍ରବାସରେ ଯାଆନ୍ତି: ‘ଆମକୁ ପିଇବାକୁ ମଧ୍ୟ ପାଣି ମିଳୁନାହିଁ, ଏ ପରିସ୍ଥିତିରେ ଆମେ ଆମ ଫସଲକୁ କିଭଳି ଜୀବନଦାନ ଦେବୁ?’

ଯଦିଓ ଥାନେ ଜିଲ୍ଲାରେ ଦୁଇଟି ପ୍ରମୁଖ ନଦୀ, ଉଲ୍ଲାସ ଓ ବୈତର୍ଣ୍ଣ, ପ୍ରବାହିତ ହେଉଛି ଓ ପ୍ରତ୍ୟେକ ନଦୀର ଅନେକ ଉପନଦୀ ରହିଛି ଓ ସାହାପୁର୍‌ ତାଲୁକାରେ  ଚାରିଟି ବଡ ଡ୍ୟାମ୍‌ – ଭତ୍‌ସା, ମୋଦକ ସାଗର, ତନ୍‌ସା ଓ ଉପର ବୈତର୍ଣ୍ଣା- ରହିଛି, ତଥାପି ଆଦିବାସୀ ପଲ୍ଲୀଗୁଡିକରେ ଚାଷକାମ ମୁଖ୍ୟତଃ ବର୍ଷା ଜଳ ଉପରେ ନିର୍ଭରଶୀଳ ଅଟେ ।

“ଏହି ଚାରିଟିଯାକ ଡ୍ୟାମ୍‌ର ଜଳ ମୁମ୍ବାଇ ସହରକୁ ଯୋଗାଇ ଦିଆଯାଏ । ଏଠାର ଲୋକମାନେ ଡିସେମ୍ବରରୁ ମେ ପର୍ଯ୍ୟନ୍ତ, ମୌସୁମୀ ଆସିବା ପର୍ଯ୍ୟନ୍ତ ଜଳ ସଂକଟର ସମ୍ମୁଖୀନ ହୁଅନ୍ତି । ଏଣୁ ଗ୍ରୀଷ୍ମ ଋତୁରେ ଟ୍ୟାଙ୍କରଗୁଡିକ ଜଳର ପ୍ରମୁଖ ଉତ୍ସ ପାଲଟିଥାଏ,” ବୋଲି ସାହାପୁରରେ କାର୍ଯ୍ୟରତ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଓ ଭତ୍‌ସା ଜଳସେଚନ ପ୍ରକଳ୍ପ ଥଇଥାନ କମିଟିର ସମନ୍ୱୟକାରୀ ବାବନ ହରାନେ କୁହନ୍ତି ।

“ସାହାପୁରରେ ନଳକୂପର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,” ବୋଲି ମଧ୍ୟ ସେ କୁହନ୍ତି । “ଜଳ ବିଭାଗ ଦ୍ୱାରା କୂଅ ଖୋଳାଯିବା ପରେ ଘରୋଇ ଠିକାଦାରମାନେ ୭୦୦ମିଟରରୁ ଅଧିକ ଗଭୀରତା ପର୍ଯ୍ୟନ୍ତ ଅବୈଧ ଭାବେ ଖୋଳନ୍ତି । “ଭୂ-ତଳ ଜଳ ସର୍ବେକ୍ଷଣ ଓ ଉନ୍ନୟନ ଏଜେନ୍ସିର ପ୍ରୋବାବଲ୍‌ ୱାଟର୍‌ ସ୍କାର୍ସିଟି ରିପୋର୍ଟ, ୨୦୧୮ରୁ ଜଣାପଡେ ଯେ ସାହାପୁର ସମେତ ଥାନେର ତିନିଟି ତାଲୁକାର ୪୧ଟି ଗ୍ରାମରେ ଭୂତଳ ଜଳ ପରିମାଣ ବହୁତ ହ୍ରାସ ପାଇଲାଣି ।

 “ ଆମେ ଜଳ ପିଇବାକୁ ମଧ୍ୟ ପାଉନୁ, ଏ ପରିସ୍ଥିତିରେ ଆମେ କିଭଳି ଆମ ଫସଲକୁ ଜୀବନଦାନ ଦେଇପାରିବୁ? ବଡ ଚାଷୀମାନଙ୍କର କୌଣସି ଅସୁବିଧା ହୁଏନି କାରଣ ସେମାନେ ଆବଶ୍ୟକ ଅର୍ଥ ପ୍ରଦାନ କରି ଡ୍ୟାମ ପାଣି ଆଣିବାକୁ ସମର୍ଥ ଅଟନ୍ତି ବା ସେମାନଙ୍କର କୂଅ ଓ ପମ୍ପ ଆଦି ରହିଛି,” ବୋଲି ରାଜୁ କୁହନ୍ତି । 

ପ୍ରତିବର୍ଷ ନଭେମ୍ବରରୁ ମେ ମାସ ମଧ୍ୟରେ ସାହାପୁରର ଆଦିବାସୀ ପଲ୍ଲୀରୁ ଅନେକ ଲୋକ କାର୍ଯ୍ୟ ସନ୍ଧାନରେ ଦେଶାନ୍ତର ଗମନ କରିବାର ଏକ ପ୍ରମୂଖ କାରଣ ହେଉଛି ଜଳ ସଂକଟ । ଅକ୍ଟୋବର୍‌ରେ ଖରିଫ୍‌ ଫସଲ ଅମଳ ହେବାପରେ ସେମାନେ ମହାରାଷ୍ଟ୍ର ଓ ଗୁଜୁରାଟର ବିଭିନ୍ନ ଇଟାଭାଟି ବା ରାଜ୍ୟ ମଧ୍ୟରେ ବିଭିନ୍ନ ଆଖୁ କିଆରିରେ କାମ କରିବାକୁ ଯାଇଥାନ୍ତି । ସେମାନେ ଖରିଫ୍‌ ଋତୁରେ ବୁଣା କାମ ଆରମ୍ଭ ହେବା ବେଳକୁ ଫେରନ୍ତି, ନିଜର ସ୍ୱଳ୍ପ ଅର୍ଜିତ ଅର୍ଥ ସହିତ, ଯାହା କିଛି ମାସ ପର୍ଯ୍ୟନ୍ତ ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇଥାଏ ।

ରାଜୁ ଓ ସବିତା ଗାରେଲ ମଧ୍ୟ ତାଙ୍କ ଗ୍ରାମଠାରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ନନ୍ଦୁର୍‌ବାର୍‌ ଜିଲ୍ଲାର ସହାଡେ ତାଲୁକାର ପ୍ରକାଶା ଗ୍ରାମରେ ଥିବା ଆଖୁ କିଆରିରେ କାମ କରିବାକୁ ଯାଆନ୍ତି । ୨୦୧୯ରେ ସେମାନେ ଟିକେ ବିଳମ୍ବରେ, ଡିସେମ୍ବରରେ, ଧର୍ମା ଓ ସେମାନଙ୍କ ୧୨ବର୍ଷର ପୁଅ ଅଜୟକୁ ଗାରେଲ୍‌ପଡାରେ ଛାଡି ସେଠାକୁ ଯାଇଥିଲେ । ଚାରିଜଣ ସଦସ୍ୟ ବିଶିଷ୍ଟ ଏହି ପରିବାର ପାଖରେ ଜୁନ୍‌ ପର୍ଯ୍ୟନ୍ତ ବଞ୍ଚି ରହିବା ପାଇଁ କେବଳ ତିନି କ୍ୱିଣ୍ଟାଲ ଚାଉଳ ଅଛି । “ଆମେ ନିକଟବର୍ତ୍ତୀ ଅଘାଈ ଗ୍ରାମର ଚାଷୀଙ୍କୁ କିଛି ଚାଉଳ ଦେଇ ତାହା ବିନିମୟରେ ସେମାନେ ଚାଷ କରୁଥିବା ତୁଅର୍‌ ଦାଲ୍‌ ଆଣିଥାଉ । ହେଲେ, ଚଳିତଥର ଏହା ସମ୍ଭବ ହେବନାହିଁ…” ରାଜୁ ମତେ କହିଥିଲେ, ସେ ଏଥିପାଇଁ ଖରାପ ଅମଳକୁ ଦାୟୀ କରିଥିଲେ ।
Many in Shahapur speak of falling paddy yields. Right: '...the rain is not trustworthy,' says Malu Wagh, with his wife Nakula (left), daughter-in-law Lata and her nieces
PHOTO • Jyoti Shinoli
Many in Shahapur speak of falling paddy yields. Right: '...the rain is not trustworthy,' says Malu Wagh, with his wife Nakula (left), daughter-in-law Lata and her nieces
PHOTO • Jyoti Shinoli

ସାହାପୁରରେ ଅନେକ ଲୋକ ଧାନ ଉତ୍ପାଦନ ହ୍ରାସ ପାଉଥିବା ବିଷୟରେ କହୁଛନ୍ତି । ଡାହାଣ : ‘ବର୍ଷା ଉପରେ ବିଶ୍ୱାସ କରିହେବନି,’ ବୋଲି ମାଲୁ ୱାଘ କୁହନ୍ତି ,ତାଙ୍କ ସ୍ତ୍ରୀ ନକୁଳ (ବାମ), ଭାଇବୋହୁ ଲତା ଓ ତାଙ୍କ ଝିଆରୀ ସହିତ

ଆଖୁ କିଆରିରେ ପ୍ରାୟ ସାତ ମାସ ପର୍ଯ୍ୟନ୍ତ କାମ କରିବା ପରେ ସେ ଓ ସବିତା ମିଳିତ ଭାବେ ପାଖାପାଖି ୭୦,୦୦୦ଟଙ୍କା ଉପାର୍ଜନ କରନ୍ତି । ଜୁନ୍‌ ଓ ସେପ୍ଟେମ୍ବର ମଝିରେ ରାଜୁ ସାହାପୁରଠାରୁ ୫୦କିଲୋମିଟର ଦୂରରେ ଅବସ୍ଥିତ ଭିୱାଣ୍ଡି ତାଲୁକା ସ୍ଥିତ ଏକ ଅନ୍‌ଲାଇନ୍‌ ସପିଂ ଗୋଦାମରେ ବୋଝ ଲଦିବା କାମ କରନ୍ତି – ସାଧାରଣତଃ ଦିନକୁ ୩୦୦ ଟଙ୍କା ମଜୁରୀରେ ୫୦ଦିନ କାମ କରନ୍ତି ।

ଗାରେଲ୍‌ପଡାଠାରୁ ପ୍ରାୟ ୪୦କିଲୋମିଟର ଦୂରରେ, ବେର୍ସିଂପଡା ପଲ୍ଲୀରେ, ମାଲୁ ୱାଘଙ୍କ ପରିବାରକୁ ମଧ୍ୟ ହ୍ରାସ ପାଉଥିବା ଧାନ ଉତ୍ପାଦନକୁ ନେଇ ଅନେକ ସଂଘର୍ଷ କରିବାକୁ ପଡୁଛି । ତାଙ୍କର ଝାଟିମାଟିର ଚାଳଘରର ଗୋଟିଏ କୋଣରେ ଧାନରେ କୀଟପତଙ୍ଗ ନଲାଗିବା ପାଇଁ ନିମ ପତ୍ର ମଝିରେ ଗାଇଗୋବର ଓ ବାଉଁଶରୁ ନିର୍ମିତ ଏକ ପାତ୍ର  କନାଗି ରେ ଭର୍ତ୍ତି କରି ଦୁଇ କ୍ୱିଣ୍ଟାଲ ଧାନ ସାଇତି ରଖାଯାଇଛି । “ବର୍ତ୍ତମାନ ତାହା ହେଉଛି ଘରେ ଥିବା ସବୁଠାରୁ ମୂଲ୍ୟବାନ ଜିନିଷ,” ବୋଲି ମାଲୁ ମତେ ଗତ ନଭେମ୍ବରରେ କହିଥିଲେ । “ଆମେ ଆମର ଫସଲକୁ ଭାବିଚିନ୍ତି ବ୍ୟବହାର କରିବାକୁ ହେବ କାରଣ ବର୍ଷା ଉପରେ ଭରସା କରିହେବ ନାହିଁ । ଏହା ଭାରି ମନୁଆ, କାହା କଥା ଶୁଣେ ନାହିଁ, ଆମ କଥା ମଧ୍ୟ ଶୁଣେ ନାହିଁ’’।

ଅଧ୍ୟୟନରେ ମଧ୍ୟ ଏହା ସତ୍ୟ ବୋଲି ଜଣାପଡିଛି – ବର୍ଷା ଉପରେ ଆଉ ବିଶ୍ୱାସ କରିହେବନି । “ଆମେ ମହାରାଷ୍ଟ୍ରରେ ଗତ ୧୦୦ବର୍ଷରୁ ଅଧିକ ସମୟର ବର୍ଷା ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣ କରିଛୁ,” ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଦ୍ୱାରା ୨୦୧୩ରେ କରାଯାଇଥିବା ଅଧ୍ୟୟନର ଲେଖକ ଡ. ପୁଲକ୍‌ ଗୁହାଥକୁର୍ତ୍ତା କୁହନ୍ତି । ଡିଟେକ୍ଟିଂ ଚେଞ୍ଜେସ୍‌ ଇନ୍‌ ରେନ୍‌ଫଲ୍‌ ପ୍ୟାଟର୍ଣ୍ଣ ଏଣ୍ଡ ସିଜନାଲିଟି ଭିସ୍‌-ଏ-ଭିସ୍‌ ଇନ୍‌କ୍ରିଜିଂ ୱାଟର୍‌ ସ୍କାରସିଟି ଇନ୍‌ ମହାରାଷ୍ଟ୍ର ଶୀର୍ଷକ ଥିବା ଏହି ଅଧ୍ୟୟନରେ ରାଜ୍ୟର ସମସ୍ତ ୩୫ଟି ଜିଲ୍ଲାରେ ୧୯୦୧ -୨୦୦୬ ମଧ୍ୟରେ ହୋଇଥିବା ମାସିକ ବୃଷ୍ଟିପାତର ବିଶ୍ଳେଷଣ କରାଯାଇଛି। ଏହି ବିଶ୍ଳେଷଣରେ  “ଅସ୍ଥାୟୀ ଓ ସ୍ଥାନିକ ଢାଞ୍ଚା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଛୋଟ ଅଞ୍ଚଳରେ ସ୍ପଷ୍ଟ ପରିଲକ୍ଷିତ ହେଉଛି । ବଦଳୁଥିବା ଏହି ଢାଞ୍ଚା ଚାଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ବିଶେଷକରି ଯେଉଁ ଅଞ୍ଚଳରେ ଚାଷ ବର୍ଷା ଉପରେ ନିର୍ଭରଶୀଳ ହୋଇଥାଏ, ବୋଲି ମଧ୍ୟ  ଜଳବାୟୁ ଗବେଷଣା ଓ ସେବା କାର୍ଯ୍ୟାଳୟ, ଆଇଏମ୍‌ଡିରେ କାର୍ଯ୍ୟରତ ଡ. ଗୁହାଥକୁର୍ତ୍ତା କୁହନ୍ତି ।

ଆଉ ବଦଳୁଥିବା ଏହି ଢାଞ୍ଚାଗୁଡିକ ପ୍ରକୃତପକ୍ଷେ ଭୂମି ଉପରେ ପ୍ରଭାବ ପକାଇଥାଏ । ଏଣୁ ଯେତେବେଳେ ୫୬ ବର୍ଷ ବୟସ୍କ ମାଲୁ ୱାଘ ଓ ତାଙ୍କର ପରିବାର – ଯେଉଁମାନେ କଟ୍‌କାରୀ ସମ୍ପ୍ରଦାୟ ଅଟନ୍ତି- ନଭେମ୍ବର ୨୦୧୯ରେ ଗୁଜୁରାଟର ଭାଲ୍‌ସଦ୍‌ ଜିଲ୍ଲାର ଭାପି ସହରରେ ଥିବା ଏକ ଇଟା ଭାଟିରେ କାମ କରିବାକୁ ବାହାରିଲେ - ସେମାନଙ୍କ ପରି ସେହି ପଲ୍ଲୀରେ ରହୁଥିବା ଅନ୍ୟ ୨୭ ଆଦିବାସୀ ପରିବାର ମଧ୍ୟରୁ ଅଧିକାଂଶ ମଧ୍ୟ ଯାଇଥିଲେ । ଏମାନେ ସମସ୍ତେ ନିଜ ସହିତ ୫୦କେଜି ଚାଉଳ ନେଇ ଯାଇଥିବା ବେଳେ ବଳକା ମାତ୍ର ଦୁଇ କ୍ୱିଣ୍ଟାଲ ଚାଉଳ ସେମାନଙ୍କ ବନ୍ଦ କୁଡିଆରେ ଛାଡି ଯାଇଛନ୍ତି, ଯାହାକୁ ସେମାନେ ଯେତେବେଳେ ମେ-ଜୁନ୍‌ ଠାରୁ ଅକ୍ଟୋବର୍‌ ମଧ୍ୟରେ ପୁଣି ବେର୍ସିଂପଡାରେ ରହିବାକୁ ଆସିବେ, ସେତେବେଳେ ବ୍ୟବହାର କରିବେ ।

ପ୍ରାୟ ୫-୧୦ ବର୍ଷ ପୂର୍ବେ ଆମେ ୮-୧୦ କ୍ୱିଣ୍ଟାଲ୍‌ ଚାଉଳ ଉତ୍ପାଦନ କରୁଥିବାବେଳେ ୪-୫ କ୍ୱିଣ୍ଟାଲ ଚାଉଳ ଘରେ ସବୁବେଳେ ପଡି ରହୁଥିଲା । ଯେତେବେଳେ ଆବଶ୍ୟକ ହେଉଥିଲା, ସେତେବେଳେ ଆମେ ଅନ୍ୟ ଚାଷୀଙ୍କୁ ଏଥିରୁ କିଛି ଦେଉଥିଲୁ ଓ ତା ବଦଳରେ ସେମାନଙ୍କ ଠାରୁ ତୁଅର୍‌ ଡାଲ୍‌, ନାଗ୍‌ଲି [ରାଗି], ୱାରାଇ [ମିଲେଟ୍‌] ଓ ହର୍ଭରା [ଛୋଲା ବୁଟ] ଆଣୁଥିଲୁ, ବୋଲି ୫୦ ବର୍ଷ ବୟସ୍କ ମାଲୁଙ୍କ ସ୍ତ୍ରୀ ନକୁଳ କୁହନ୍ତି । ଏଥିରେ ଏକ ପାଞ୍ଚ ଜଣିଆ ପରିବାର ବର୍ଷ ଯାକ ବଞ୍ଚି ପାରୁଥିଲା । “ହେଲେ ଗତ ପାଞ୍ଚ ବର୍ଷ ହେବ ଆମେ ଆଉ ୬-୭ କ୍ୱିଣ୍ଟାଲରୁ ଅଧିକ ଧାନ ଅମଳ କରିପାରିନୁ ।

“ପ୍ରତିବର୍ଷ ଉତ୍ପାଦନ ହାର କମିବାରେ ଲାଗିଛି,” ବୋଲି ମଧ୍ୟ ମାଲୁ କହିଲେ ।
In one corner of Malu Wagh's hut, paddy is stored amid neem leaves in a kanagi: 'That’s the most precious thing in the house now'
PHOTO • Jyoti Shinoli
In one corner of Malu Wagh's hut, paddy is stored amid neem leaves in a kanagi: 'That’s the most precious thing in the house now'
PHOTO • Jyoti Shinoli

ମାଲୁ ୱାଘଙ୍କ ଘରର ଗୋଟିଏ କୋଣରେ ଏକ କନାଗିରେ ନିମ ପତ୍ର ମଝିରେ ଧାନ ସାଇତି ରଖାଯାଇଛି: ତାହା ହେଉଛି ବର୍ତ୍ତମାନ ଘରର ସବୁଠାରୁ ମୂଲ୍ୟବାନ ଜିନିଷ

ଗତବର୍ଷ ଅଗଷ୍ଟରେ, ବର୍ଷାର ପରିମାଣ କ୍ରମଶଃ ବଢିବା ସହିତ ସେମାନଙ୍କ ଆଶା ମଧ୍ୟ ବଢିବାକୁ ଲାଗିଲା । ହେଲେ ଅକ୍ଟୋବର ମାସର ଅସମୟ ଓ ପ୍ରବଳ ବର୍ଷା (୧୧ ଦିନରେ ୧୦୨ ମିମି)ରେ ପରିବାରର ଏକ ଏକର ଜମି ସମ୍ପୂର୍ଣ୍ଣ ଭାବେ ଜଳାର୍ଣ୍ଣବ ହୋଇଗଲା । ଅମଳ ହୋଇଥିବା ସମସ୍ତ ଧାନ ଫସଲ ଓଦା ହୋଇଗଲା – କେବଳ ତିନି କ୍ୱିଣ୍ଟାଲ ଉଦ୍ଧାର କରିହେଲା । “ଅସମୟ ବର୍ଷା ଯୋଗୁଁ ବୀଜ, ସାର ଓ ଭଡ଼ାରେ ବଳଦ ଆଣିବା ପାଇଁ ଆମେ ଖର୍ଚ୍ଚ କରିଥିବା ୧୦,୦୦୦ଟଙ୍କା ମଧ୍ୟ ନଷ୍ଟ ହୋଇଗଲା,” ବୋଲି ମାଲୁ କୁହନ୍ତି ।

ସାହାପୁର ତାଲୁକାର ଏହି ପଲ୍ଲୀରେ ବାସ କରୁଥିବା ୧୨ କଟ୍‌କରି ଓ ୧୫ ମହ୍ଲାର କୋଲି ପରିବାର ମଧ୍ୟରୁ ଅନେକଙ୍କୁ ଏହିପରି କ୍ଷତି ସହିବାକୁ ପଡିଛି ।

“ମୌସୁମୀ ଏବେ ଅତ୍ୟନ୍ତ ଅନିୟମିତ ହୋଇଯାଇଛି । ଏହି ଅନିୟମିତତା ଜଳବାୟୁ ପରିବର୍ତ୍ତନ କାରଣରୁ ଆହୁରି ଅଧିକ ଉଗ୍ର ରୂପ ଧାରଣ କରିଛି, ଯେଉଁ କାରଣରୁ ଚାଷୀମାନେ ସେମାନଙ୍କ ଫସଲ ଚକ୍ର ଓ ପସନ୍ଦର ଫସଲ ଶୈଳୀକୁ ବଜାୟ ରଖିବାରେ ଅସମର୍ଥ ହେଉଛନ୍ତି,” ବୋଲି  ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି, ବମ୍ବେଠାରେ ଆୟୋଜିତ କ୍ଲାଇମେଟ୍‌ ଷ୍ଟଡିଜ୍‌ ଇଣ୍ଟର୍‌ଡିସିପ୍ଲିନାରୀ ପ୍ରୋଗ୍ରାମର ସଂଯୋଜକ ପ୍ରଫେସର୍ ଡ. ପାର୍ଥସାରଥୀ କୁହନ୍ତି । ତାଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ମହାରାଷ୍ଟ୍ରର କୋଙ୍କଣ ଓ ନାସିକ ଜିଲ୍ଲାରେ ଆର୍ଦ୍ର ଦିନ ସଂଖ୍ୟା (ବୃଷ୍ଟିପାତର ତୀବ୍ରତା) ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ଯେତେବେଳେକି ଥାନେ ଜିଲ୍ଲାରେ ୧୯୭୬-୭୭ ପରଠାରୁ ସର୍ବାଧିକ ବୃଷ୍ଟିପାତ ହେଉଥିବା ଦିନ ସଂଖ୍ୟାରେ ବହୁତ ତାରତମ୍ୟ (ବୃଷ୍ଟିପାତର ପୁନଃପୌନିକତା) ରହୁଛି ।

ଜଳବାୟୁ ପରିବର୍ତ୍ତନର ଚାଷ ଉପରେ ପ୍ରଭାବ ବିଷୟରେ ଏହି ଅଧ୍ୟୟନ କରାଯାଇଛି ଓ ଏଥିରେ ମହାରାଷ୍ଟ୍ରର ୩୪ଜିଲ୍ଲାରେ ୧୯୫୧-୨୦୧୩ ମଧ୍ୟରେ ୬୨ବର୍ଷରେ ହୋଇଥିବା ବୃଷ୍ଟିପାତର ତଥ୍ୟ ସଂଗ୍ରହ କରାଯାଇ ବିଶ୍ଳେଷଣ କରାଯାଇଛି । “ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷଣ [ ବୃଷ୍ଟିପାତ] ଶୈଳୀ ପ୍ରଭାବିତ ହୋଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ବର୍ଷା ଋୁତୁ ଆରମ୍ଭ ଓ ମୌସୁମୀର ପ୍ରସ୍ଥାନ, ଆର୍ଦ୍ରତା ଓ ଶୁଷ୍କତା ଓ ମୋଟ ବୃଷ୍ଟିପାତ ପରିମାଣ – ସବୁକିଛି ବଦଳିବାରେ ଲାଗିଛି ଯାହା ବୁଣିବା ତାରିଖ, ଅଙ୍କୁରୋଦ୍‌ଗମ ହାର ଓ ସମୁଦାୟ ଉତ୍ପାଦନ ଉପରେ ବିପରୀତ ପ୍ରଭାବ ପକାଉଛି ଯାହାଦ୍ୱାରା ବ୍ୟାପକ ଫସଲ ହାନି ହେଉଛି,” ବୋଲି ପ୍ରଫେସର୍ ପାର୍ଥସାରଥୀ କୁହନ୍ତି ।

ବେର୍ସିଂପଡାଠାରୁ ୧୨୪ କିମି ଦୂରରେ ଅବସ୍ଥିତ ନେହରୋଲି ଗ୍ରାମରେ ମା ଠାକୁର ସମ୍ପ୍ରଦାୟର ୬୦ ବର୍ଷ ବୟସ୍କ ଇନ୍ଦୁ ଅଗିୱାଲେ ମଧ୍ୟ ଏହି ପରିବର୍ତ୍ତୀତ ଢାଞ୍ଚା ବିଷୟରେ କୁହନ୍ତି । “ଆମେ ରୋହିଣୀ ନକ୍ଷତ୍ରରେ  ମଞ୍ଜି ବୁଣୁଥିଲୁ [ମେ ୨୫ ରୁ ଜୁନ୍‌ ୭] । ପୁଷ୍ୟା [ ଜୁଲାଇ ୨୦ ରୁ ଅଗଷ୍ଟ ୨] ଆସିବାବେଳକୁ ଆମ ତଳିସବୁ ଅନ୍ୟ ସ୍ଥାନରେ ରୋଇବା ଯୋଗ୍ୟ ହୋଇଯାଏ । ଚୈତ୍ର ନକ୍ଷତ୍ର [ଅକ୍ଟୋବର ୧୦ ରୁ ଅକ୍ଟୋବର ୨୩]ରେ ଆମେ କାଟିବା ଓ କାଣ୍ଡିବା କାମ ଆରମ୍ଭ କରିଦେଉ । ବର୍ତ୍ତମାନ କିନ୍ତୁ ଏହି ସବୁ [ଧାନ ଚାଷ ପ୍ରକ୍ରିୟା] ବିଳମ୍ବ ହୋଇଯାଉଛି । ବହୁଦିନ ହେଲାଣି ବର୍ଷା ଆଉ ନକ୍ଷତ୍ର  ମୁତାବକ ହେଉନାହିଁ । ମୁଁ ବୁଝି ପାରୁନି କାହିଁକି?”

ଇନ୍ଦୁ କ୍ରମଶଃ ବୃଦ୍ଧି ପାଉଥିବା ତାତି ବିଷୟରେ ମଧ୍ୟ କୁହନ୍ତି । “ମୋର ପୂରା ଜୀବନରେ ଏପରି ତାତି କେବେ ମଧ୍ୟ ଦେଖିନଥିଲି । ମୁଁ ପିଲା ଥିବାବେଳେ, ରୋହିଣୀ ନକ୍ଷେତ୍ରରେ ପ୍ରବଳ ବର୍ଷା ହେଉଥିଲା । ଲଗାଣ ବର୍ଷା ଲାଗି ରହୁଥିବାରୁ ଗ୍ରୀଷ୍ମରେ ଉତ୍ତପ୍ତ ହୋଇଯାଇଥିବା ଜମିସବୁ ଧୀରେ ଧୀରେ ଶୀତଳ ହୋଇଯାଉଥିଲା । ଓଦା ମାଟିର ଗନ୍ଧ ବାତାବରଣରେ ସ୍ପଷ୍ଟ ବାରି ହେଉଥିଲା । ଏବେ କିନ୍ତୁ ସେହି ଗନ୍ଧ ଆଉ ପ୍ରାୟତଃ ନାହିଁ …” ବୋଲି ସେ ତାଙ୍କର ଦୁଇ ଏକର ଜମି ଚାରିପାଖେ ବାଡ ତିଆରି କରିବାକୁ ଗାତ ଖୋଳୁଖୋଳୁ କହିଲେ ।
Top row: 'For a long time now, the rainfall is not according to the nakshatras,' says Indu Agiwale. Botttom row: Kisan Hilam blames hybrid seeds for the decreasing soil fertility
PHOTO • Jyoti Shinoli

ଉପର ଧାଡି :  ‘ବହୁଦିନ ହେଲାଣି ବର୍ଷା ଆଉ ନକ୍ଷତ୍ର ମୁତାବକ ହେଉନାହିଁ ’ ବୋଲି ଇନ୍ଦୁ ଅଗିୱାଲେ କୁହନ୍ତି । ତଳ ଧାଡି : କିସାନ ହିଲାମ ଜମିର ଉର୍ବରତା ନଷ୍ଟ ହେବାପାଇଁ ଶଙ୍କର ବୀଜକୁ ଦାୟୀ କରନ୍ତି

ଅନିୟମିତ ବର୍ଷା, ଉତ୍ପାଦନ ହ୍ରାସ ଓ କ୍ରମଶଃ ବୃଦ୍ଧି ପାଉଥିବା ତାପମାତ୍ରା ସହିତ ସାହାପୁରର ଜିମିର ଉର୍ବରତା ମଧ୍ୟ କମିବାରେ ଲାଗିଛି ବୋଲି ଚାଷୀମାନେ କହୁଛନ୍ତି । ଆଉ ନେହରୋଲି ଗ୍ରାମର କିସନ ହିଲମ, ୬୮, ଏଥିପାଇଁ ସଙ୍କର ଜାତୀୟ ବୀଜ ଓ ରାସାୟନିକ ସାରକୁ ଦାୟୀ କରନ୍ତି । “ମସୁରୀ, ଚିକନ୍ଦର, ପୋଶି, ଡାଙ୍ଗେ… ଏସବୁ [ପାରମ୍ପରିକ] ବୀଜ ଏବେ ଆଉ କାହା ପାଖରେ ଅଛି? କାହାପାଖରେ ନାହିଁ । ସମସ୍ତେ ପାରମ୍ପରିକ ବୀଜ ବଦଳରେ ଔଷଧୱାଲେ [ସଙ୍କର ବୀଜ] ବ୍ୟବହାର କରୁଛନ୍ତି । ଏବେ ଏହି ବୀଜଗୁଡିକୁ କେହି ସଂରକ୍ଷିତ କରି ମଧ୍ୟ ରଖୁନାହାନ୍ତି…” ବୋଲି ସେ କୁହନ୍ତି ।

ଆମର ସାକ୍ଷାତ ହେବାବେଳକୁ, ସେ ଏକ ସଙ୍କର ଜାତୀୟ ବୀଜକୁ ଏକ ଖେଳୁଆ ସାହାଯ୍ୟରେ ମାଟିରେ ମିଶାଉଥିଲେ । “ମୁଁ ଏହାର ବ୍ୟବହାରକୁ ବିରୋଧ କରୁଥିଲି । ପାରମ୍ପରିକ ବୀଜର ଉତ୍ପାଦନ ହ୍ରାସ ପାଏ, ହେଲେ ତାହା ପରିବେଶ ଅନୁକୂଳ ଅଟେ । ଏହି  ନୂଆ ବୀଜଗୁଡିକରେ ଔଷଧ [ସାର] ପ୍ରୟୋଗ ନକଲେ ଏହା ବଢେ ନାହିଁ । ବର୍ଷା ଅଧିକ ହେଉ ବା କମ୍‌, ଏହା ମାଟିର ଶୁଦ୍ଧତା [ଉର୍ବରତା] ହ୍ରାସ କରିଦିଏ ।

“ ଚାଷୀମାନେ ସେମାନଙ୍କ ନିଜସ୍ୱ ପାରମ୍ପରିକ ବୀଜ ଭଣ୍ଡାରକୁ ସଂରକ୍ଷିତ କରିବା ପରିବର୍ତ୍ତେ କ୍ରମଶଃ ଅଧିକରୁ ଅଧିକ ପରିମାଣରେ ବୀଜ କମ୍ପାନି ଉପରେ ନିର୍ଭର କରୁଛନ୍ତି । ହେଲେ, ଏହି ସଙ୍କର ଜାତୀୟ ବୀଜଗୁଡିକ ପାଇଁ  କିଛି ଦିନ ପରେ ଅଧିକ ପରିମାଣର ସାର, କୀଟ ନାଶକ ଓ ପାଣି ଆବଶ୍ୟକ ହେବ । ଯଦି ଏସବୁ ଜିନିଷ ଯୋଗାଇ ନଦିଆଯାଏ, ତାହାହେଲେ ଉତ୍ପାଦନ ନେଇ କୌଣସି ଗ୍ୟାରେଣ୍ଟି ଦେଇ ହେବ ନାହିଁ । ଏହାର ଅର୍ଥ ହେଉଛି ପରିବର୍ତ୍ତିତ ଜଳବାୟୁରେ ସଙ୍କର କିଷମ ବଞ୍ଚି ରହିପାରିବ ନାହିଁ,” ବୋଲି ବିଏଆଇଏଫ୍‌, ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସଷ୍ଟେନେବଲ୍‌ ଲାଇଭ୍‌ଲିହୁଡ୍‌ ଓ ଡେଭେଲପ୍‌ମେଣ୍ଟ, ପୁନାରେ ଆସିଷ୍ଟାଣ୍ଟ ପ୍ରୋଗ୍ରାମ କୋଅର୍ଡିନେଟର ଭାବେ କାମ କରୁଥିବା ସଞ୍ଜୟ ପାଟିଲ୍‌ କୁହନ୍ତି । "ବିଶ୍ୱ ଉତ୍ତାପନ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ତ୍ତମାନ ପୂର୍ବଭଳି ବର୍ଷାର ପୂର୍ବାନୁମାନ କରିବା କ୍ୱଚିତ୍‌ ସମ୍ଭବ ହୋଇପାରୁଛି । ଏଣୁ, କୌଣସି ଅଞ୍ଚଳର ମୂଖ୍ୟ ଶସ୍ୟ ଏପରି ହେବା ଆବଶ୍ୟକ ଯାହା ବଦଳୁଥିବା ପରିସ୍ଥିତି ସହିତ ନିଜକୁ ଖାପ୍‌ ଖୁଆଇ ପାରିବ ।"

“ସେହି ଅଞ୍ଚଳରେ ବ୍ୟବହାର ହୋଇ ଆସୁଥିବା ସେହି ପାରମ୍ପରିକ ଚାଉଳ ବୀଜଗୁଡିକ ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ କିଛି ଭଲ ଫଳ ଦେଇପାରିବେ” ବୋଲି ବିଆଇଏଏଫ୍‌ର ସୋମନାଥ ଚୌଧୁରୀ କୁହନ୍ତି । 

ସଙ୍କର ଜାତୀୟ ବୀଜ ସାଧାରଣତଃ ଅଧିକ ଜଳ ଆବଶ୍ୟକ କରିଥାଏ ଓ ବର୍ଷା ଜଳ ଉପରେ ନିର୍ଭର କରୁଥିବା ଗ୍ରାମଗୁଡିକରେ ଯଦି ବର୍ଷାରେ ଅନିୟମିତତା ଦେଖାଦିଏ, ତାହାହେଲେ ଫସଲ ହାନି ହେବା ଆଶଙ୍କା ବଢିଯାଏ ।

ଇତିମଧ୍ୟରେ, ଚଳିତ ବର୍ଷ ଆରମ୍ଭରେ ଯେତେବେଳେ ମୁଁ ସେମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲି ସେତେବେଳେ  ଭାଟିରେ ଥିବା ଏକ ଇଟା ଭାଟିଠାରେ ମାଲୁ, ନକୂଳା, ସେମାନଙ୍କ ପୁଅ ରାଜେଶ, ବୋହୁ ଲତା ଓ ୧୦ ବର୍ଷର ନାତୁଣୀ ସୁବିଧା ସେମାନଙ୍କ ଅସ୍ଥାୟୀ କୁଡିଆରେ ବସି ଖାଉଥିଲେ । ସେମାନେ ସେତେବେଳେ ନିଜର ଭୋଜନ ସିମୀତ କରିଦେଇଥିଲେ – କିଛି ବାଇଗଣ, ଆଳୁ ବା ବେଳେବେଳେ କିଛି ଟମାଟ ରସା ସହିତ ଭାତ –ଦିନରେ ଗୋଟିଏ ଥର ।
Along with uneven rainfall, falling yields and rising temperatures, the fertility of the soil is also decreasing, farmers in Shahapur taluka say
PHOTO • Jyoti Shinoli
Along with uneven rainfall, falling yields and rising temperatures, the fertility of the soil is also decreasing, farmers in Shahapur taluka say
PHOTO • Jyoti Shinoli

ଅନିୟମିତ ବର୍ଷା, ଉତ୍ପାଦନ ହ୍ରାସ ଓ କ୍ରମ ବର୍ଦ୍ଧିଷ୍ଣୁ ତାପମାତ୍ରା ସହିତ ମାଟିର ଉର୍ବରତା ମଧ୍ୟ ହ୍ରାସ ପାଇବାରେ ଲାଗିଛି ବୋଲି ସାହାପୁର ତାଲୁକାର ଚାଷୀମାନେ କୁହନ୍ତି

“ଇଟା ତିଆରି କରିବା ସହଜ କାମ ନୁହେଁ । କାଦୁଅରେ ମାଟି ମିଶିବା ପରି ଏଥିରେ ଆମର ଝାଳ ମିଶିଛି । ଏଣୁ ଆମେ କାମ ଜାରି ରଖିବା ପାଇଁ ସଠିକ୍‌ ଖାଦ୍ୟ ଖାଇବା ଉଚିତ୍‌ । ଚଳିତଥର, ଉତ୍ପାଦନ କମ୍‌ ହୋଇଥିବାରୁ ଆମେମାନେ ଦିନରେ କେବଳ ଥରେ ଖାଉଛୁ । ଆମ ପାଖରେ ମହଜୁଦ୍‌ ଭଣ୍ଡାର [ଚାଉଳ]କୁ ଆମେ ଆସନ୍ତା ବୁଣିବା ଋତୁ ମାନେ ଜୁନ୍‌ ପୂର୍ବରୁ ସାରି ପାରିବୁନି ।

ଇଟା ନିର୍ମାଣ ଋୁତୁ ଶେଷରେ, ପ୍ରାୟ ମେ ମାସ ସୁଦ୍ଧା ସେମାନେ ସାଧାରଣତଃ ବେର୍ସିଂପଡାକୁ ଫେରନ୍ତି – ଚାରିଜଣଙ୍କ ମିଳିତ ଉପାର୍ଜନ ୮୦,୦୦୦ – ୯୦,୦୦୦ ଟଙ୍କା ସହିତ- ଯେଉଁଥିରେ ସେମାନଙ୍କୁ ସେମାନଙ୍କ ଚାଷ, ବିଦ୍ୟୁତ୍‌ ବିଲ୍‌, ଔଷଧ ଓ ରାସନ୍‌ ଯେପରିକି ଲୁଣ, ଲଙ୍କା ଗୁଣ୍ଡ, ପନିପରିବା ବାବଦକୁ ହେଉଥିବା ଖର୍ଚ୍ଚ ବହନ କରିବାକୁ ହୁଏ ଓ ବାକି ବଳକା ଟଙ୍କା ବର୍ଷର ଅବଶିଷ୍ଟ ସମୟ ପାଇଁ ରଖନ୍ତି ।

ମାଲୁ ୱାଘ ଅନ୍ୟତ୍ର ଚାଲିଗଲା : ଅନିୟମିତ ବର୍ଷା ଓ ଏହାର ଅସମ ବଣ୍ଟନ; ଭୟାନକ ଭାବେ ତାତି ବୃଦ୍ଧି; ନଳକୂଅକୁ ଧାଇଁ ଧାଇଁ ଯିବା । ସାହାପୁରର ଏକ ପଲ୍ଲୀରେ ରହୁଥିବା ଧର୍ମା ଗାରେଲ୍‌ ଓ ଅନ୍ୟମାନେ ‘ଜଳବାୟୁ ପରିବର୍ତ୍ତନ’ ଭଳି ଏକ ଶବ୍ଦ ସହିତ ପରିଚିତ ନଥାଇ ପାରନ୍ତି, ହେଲେ ସେମାନେ ଏହି ପରିବର୍ତ୍ତନ ବିଷୟରେ ଜାଣନ୍ତି ଓ ପ୍ରତିଦିନ ସେମାନେ ପ୍ରତ୍ୟକ୍ଷ ଭାବେ ଏହାର ପ୍ରଭାବର ମୁକାବିଲା କରୁଛନ୍ତି । ସେମାନେ ଜଳବାୟୁ ପରିବର୍ତ୍ତନର ଜଳ ଉତ୍ସ ଉପରେ ପଡୁଥିବା ପ୍ରଭାବ ଓ ଏହା ଫଳରେ ଭୂମି, ଶସ୍ୟ ଓ କୃଷି ଉପରେ ପଡୁଥିବା ପ୍ରଭାବ ବିଷୟରେ ସ୍ପଷ୍ଟ ଭାବେ କୁହନ୍ତି; ବୀଜ ବଦଳି ଓ ତାହାର ଉତ୍ପାଦନ ଉପରେ ପ୍ରଭାବ; ଖାଦ୍ୟ ସୁରକ୍ଷା ଅଧିକ ଖରାପ ଅବସ୍ଥା ଆଡକୁ ଗତି କରିବା ଯାହା ବିଷୟରେ ଜଳବାୟୁ ବିଜ୍ଞାନୀମାନେ ସତର୍କ କରି ଆସୁଛନ୍ତି ।

ସେମାନଙ୍କ ପାଇଁ ଏହା ହେଉଛି ଏକ ପ୍ରତ୍ୟକ୍ଷ ଅନୁଭବ । ସେମାନଙ୍କ ପର୍ଯ୍ୟବେକ୍ଷଣଗୁଡିକ ଏତେ ପରିମାଣରେ ବୈଜ୍ଞାନିକମାନେ କହୁଥିବା କଥାର  ସମକକ୍ଷ ହୋଇପାରିଛି ଯାହା ବାସ୍ତବରେ ଉଲ୍ଲେଖନୀୟ ଅଟେ – ହେଲେ ତାହା ଏକ ଭିନ୍ନ ଭାଷାରେ ପ୍ରକାଶିତ। ଆଉ ସେମାନଙ୍କୁ ଅଧିକାରୀମାନଙ୍କ ସହିତ ମଧ୍ୟ ସଂଘର୍ଷ କରିବାକୁ ପଡୁଛି – ଏହି ପଲ୍ଲୀରେ, ଯାହା ସାଧାରଣତଃ ବନ ବିଭାଗ ସହିତ ହୋଇଥାଏ । 

ଯେପରି ମାଲୁ କୁହନ୍ତି : “ଏହା କେବଳ ବର୍ଷା ନୁହେଁ । ଆମକୁ ବହୁ ଜିନିଷ ବିପକ୍ଷରେ ଲଢିବାକୁ ପଡୁଛି । ବନ ବିଭାଗ ଅଧିକାରୀ [ଜମି ଅଧିକାର ପାଇଁ], ରାସନ୍‌ ଅଧିକାରୀଙ୍କ ସହିତ । ତାହାହେଲେ ବର୍ଷା ଆମକୁ କାହିଁକି ଛାଡିବ?”

ଆଉ, ଗାରେଲ୍‌ପଡାରେ ୮୦ ବର୍ଷ ବୟସ୍କ ଧର୍ମା ତାଙ୍କ ଜମିରେ ଠିଆ ହୋଇ କୁହନ୍ତି ଯେ,” ପାଣିପାଗ ବଦଳିଗଲାଣି । ତାତି ବଢିଗଲାଣି । ପୂର୍ବଭଳି ବର୍ଷା ଆଉ ଠିକ୍‌ ସମୟରେ ହେଉନି । ଯଦି ପ୍ରଜା [ଲୋକମାନେ] ପୂର୍ବ ସମୟପରି ଆଉ ଭଲ ନାହାନ୍ତି, ତାହାହେଲେ ନିସର୍ଗ [ ପ୍ରକୃତି] ଯେପରି ଥିଲା ସେପରି କିଭଳି ରହିପାରିବ? ଏହା ମଧ୍ୟ ବଦଳୁଛି…” ।

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପରୀର ଦେଶବ୍ୟାପୀ ରିପୋର୍ଟିଂ ହେଉଛି  ୟୁଏନ୍‌ଡିପି ସହାୟତାରେ ସତ୍ୟ ଘଟଣାଗୁଡିକୁ ସାଧାରଣ ଲୋକଙ୍କ ସ୍ୱର ଓ ଅନୁଭୂତି ଜରିଆରେ ପ୍ରକାଶ କରିବାର ଏକ ପ୍ରୟାସ । 

ଏହି ଆଲେଖ୍ୟକୁ ପୁନଃ ପ୍ରକାଶ କରିବାକୁ ଚାହୁଁଛନ୍ତି କି ? ଦୟାକରି [email protected] ଠିକଣାରେ ଲେଖନ୍ତୁ ଓ ଏହା ସହିତ [email protected] ରେ ଏସିସି କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସୋନାଲି ପିପୁଲ୍ସ ଆର୍କାଇବ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ବାଦଦାତା; ସେ ପୂର୍ବରୁ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର୧’ ପରି ସମ୍ବାଦ ଚ୍ୟାନେଲଗୁଡ଼ିକରେ କାମ କରିଛନ୍ତି ।

Other stories by Jyoti Shinoli