ଏହା ହୃଦାଘାତ ହେବାର ବୟସ ବି ନଥିଲା। କେ.ବୀରାମଣିଙ୍କ ବୟସ ୩୫ ବି ହୋଇନଥିଲା ଯେତେବେଳେ ତାଙ୍କର ଶେଷ ଆସିଲା।

ତାଙ୍କର ବିଧବା ପତ୍ନୀ କବିତା କାଡାମାଙ୍କୁଡ଼ି ଗାଁ’ରେ ତାଙ୍କ ଘରେ ଆମକୁ କହିଲେ, ‘‘ଆମେ କ୍ଷେତରେ ଥିଲୁ, ସେ କେବଳ ପଡ଼ିଗଲେ…’’। ସେ ବିସ୍ମିତ ହେଉଥିଲେ ତାଙ୍କ ସ୍ୱାମୀ କେମିତି ଏତେ କମ୍‌ ବୟସରେ ହୃଦାଘାତରେ ମୃତ୍ୟୁବରଣ କରିବେ। ସେ ଏକଦମ ସୁସ୍ଥ ଥିଲେ, କିନ୍ତୁ ଅନେକ ଚାପ ଓ ଚିନ୍ତାରେ ଥିଲେ ବୋଲି ସେ କୁହନ୍ତି।

୨୦୧୬ ଡିସେମ୍ବର ୩୦ ତାରିଖରେ ସେ ଦୁହେଁ ସେମାନଙ୍କ ଜମିକୁ ଯାଇଥିଲେ- ଅନ୍ୟ ଜଣେ ଗ୍ରାମବାସୀଙ୍କଠାରୁ ଏହି ଭୂମିହୀନ ଦଳିତ ପରିବାର ପ୍ରଥମ କରି ୧.୨୫ ଏକର ଜମି ଭାଗରେ ପାଇଥିଲେ। ଏହି ଜମିରେ ସେମାନେ ଧାନ, କିମ୍ବା ଆଉ କିଛି ଚାଷ କରିଥାନ୍ତେ।

ପ୍ରାୟ ଅପରାହ୍ନ ୪ଟା ବେଳକୁ ସେ ଦେଖିଲେ, ତାଙ୍କ ସ୍ୱାମୀ ପଡ଼ିଯାଉଛନ୍ତି। ସେ କୁହନ୍ତି, ‘‘ଯେତେବେଳେ ମୁଁ ଘଟଣା କ’ଣ ଜାଣିବା ପାଇଁ ଦୌଡ଼ିଲି ସେତେବେଳକୁ ସେ କୌଣସି ଉତ୍ତର ଦେଉନଥିଲେ। ‘‘କବିତା ସାହାଯ୍ୟ ପାଇଁ ଚିତ୍କାର କଲେ ଏବଂ ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ନେଇଗଲେ। ଡାକ୍ତର ତାଙ୍କୁ କହିଲେ ସେ ହୃଦାଘାତ କାରଣରୁ ସେହି ସମୟରେ ହିଁ ପ୍ରାଣତ୍ୟାଗ କରିଛନ୍ତି। ସେମାନେ କହିଲେ ଏହା ମାନସିକ ଆଘାତ କାରଣଜନିତ ମୃତ୍ୟୁ।

ବର୍ତ୍ତମାନ କବିତା ସେମାନଙ୍କର ଦୁଇ ସନ୍ତାନ, ୫ବର୍ଷ ବୟସ୍କା ଦିବ୍ୟଦର୍ଶିନୀ ଏବଂ ଅଢ଼େଇ ବର୍ଷ ବୟସ ନିତ୍ୟଶ୍ରୀଙ୍କର ଯତ୍ନ ନେବା ପାଇଁ ଏକୁଟିଆ। ସେ ଏପର୍ଯ୍ୟନ୍ତ ବି କ’ଣ ହେଲା ତାହା ବୁଝିବାକୁ ଚେଷ୍ଟା କରୁଛନ୍ତି। କବିତା କହିଲେ, ‘‘ବର୍ଷା ହେଲାନାହିଁ [୨୦୧୬ରେ]; ଏହା ଆମର ଦୁର୍ଭାଗ୍ୟ।’’ “ଏହା ହିଁ ପ୍ରଥମ ବର୍ଷ ଥିଲା ଯେତେବେଳେ ଆମେ ବଞ୍ଚିବା ପାଇଁ ଜମି ଭାଗ ନେବାକୁ ନିଷ୍ପତ୍ତି ନେଲୁ ଏବଂ ଏହା ହିଁ ଚାଷ ପାଇଁ ସବୁଠାରୁ ଖରାପ ବର୍ଷ ପାଲଟିଥିଲା।’’

In Kadamankudi village, Kavitha, K. Veeramani's widow, is still trying to fathom what happened, and how he could suddenly die of a heart attack at the age of 35
PHOTO • Jaideep Hardikar

କାଡାମାଙ୍କୁଡ଼ି ଗାଁ’ରେ କେ.ବୀରାମଣିଙ୍କ ବିଧବା ପତ୍ନୀ କବିତା କ’ଣ ହେଲା ଏବଂ ସେ କିପରି ୩୫ବର୍ଷ ବୟସରେ ହୃଦାଘାତରେ ହଠାତ ମୃତ୍ୟୁବରଣ କଲେ, ତାହା ବୁଝିବାକୁ ଏ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି

ବୀରାମଣି ଏବଂ କବିତା ପ୍ରତିବର୍ଷ ଅନ୍ୟମାନଙ୍କ ଜମିରେ ଝାଳ ବୁହାନ୍ତି, ଏବଂ ଜୀବନ ନିର୍ବାହ ପାଇଁ ମଜୁରୀ ପାଆନ୍ତି, କିନ୍ତୁ ସେମାନେ ସବୁବେଳେ ଏମିତି ଏକ ଅଞ୍ଚଳରେ ନିଜର ଏକ ଜମିର ସ୍ୱପ୍ନ ଦେଖୁଥିଲେ ଯାହାକି ୩ଟି ଫସଲ ଦେଉଥିବା ସ୍ଥାନ ଭାବରେ ଜଣାଶୁଣା ଥିଲା।

୨୦୧୬ ମସିହାରେ ଉଭୟ ଗ୍ରୀଷ୍ମ ଏବଂ ଶୀତ ବୁଣାବୁଣି ଋତୁ ମରୁଡ଼ି କାରଣରୁ ଅସଫଳ ହୋଇଥିଲା। ଏହା କେବଳ କାବେରୀ ଡେଲଟାର ଦୂରନ୍ତ ପୂର୍ବଭାଗରେ ଥିବା ନାଗାପଟ୍ଟିନମ ଜିଲ୍ଲାର କାଡାମାଙ୍କୁଡ଼ି ଗାଁ’ରେ ନୁହେଁ ବରଂ ସମଗ୍ର ତାମିଲନାଡୁରେ।

ବୀରାମଣି ଏହି ଅଞ୍ଚଳର ଏକମାତ୍ର ଚାଷୀ ନଥିଲେ ଯିଏକି ହଠାତ୍‌ ମୃତ୍ୟୁବରଣ କରିଥିଲେ। ପ୍ରାୟ ୪୦ କିଲୋମିଟର ଦୂରରେ  ତିରୁବରୁର ଜିଲ୍ଲାରେ ଅଧିଚାପୁରମ ଗାଁ’ରେ ଆରୋକ୍ୟମାରି ସମାନ ଏକ କାହାଣୀ ବର୍ଣ୍ଣନା କରିଥିଲେ।

ତାଙ୍କ ପରିବାରର କେହି ଭାବିନଥିଲେ ତାଙ୍କ ସ୍ୱାମୀ ଟି.ଆଜାଗେସାନ ହୃଦଘାତରେ ମୃତ୍ୟୁବରଣ କରିବେ। ଆରୋକ୍ୟମାରୀ ଘଟଣାଗୁଡ଼ିକୁ ମନେପକାଇ ଲୁହଭରା ଆଖିରେ କୁହନ୍ତି ତାଙ୍କୁ ମାତ୍ର ୩୬ବର୍ଷ ହୋଇଥିଲା। ୨୦୧୬ ନଭେମ୍ବର ୪ ତାରିଖରେ ସେ ଅପରାହ୍ନରେ ତାଙ୍କ ଜମିକୁ ଗଲେ ଏବଂ ନଷ୍ଟ ହୋଇଥିବା ଫସଲ ମଝିରେ ପଡ଼ିଗଲେ। ସେମାନେ ତାଙ୍କୁ ତିରୁବରୁରରେ ଥିବା ଏକ ଡାକ୍ତରଖାନାକୁ ନେବା ବେଳକୁ ସେ ମୃତ୍ୟୁବରଣ କରିସାରିଥିଲେ।

After T. Azhagesan's unexpected heart attack at the age of 36, his wife Arokyamary and his family have been pitchforked into a financial and emotional quagmire
PHOTO • Jaideep Hardikar

୩୬ବର୍ଷ ବୟସରେ ଟି.ଆଜାଗେସାନଙ୍କ ଅପ୍ରତ୍ୟାଶିତ ହୃଦଘାତ ପରେ ତାଙ୍କ ପତ୍ନୀ ଆରୋକ୍ୟମାରୀ ଏବଂ ତାଙ୍କ ପରିବାର ଏକ ଆର୍ଥକ ଏବଂ ଭାବନାତ୍ମକ ପଙ୍କକୁ ଖସିପଡ଼ିଛନ୍ତି

ଆଜାଗେସାନ ଜଣେ ଭୂମିହୀନ ଅନୁସୂଚିତ ଜନଜାତି (ଏସ୍‌ଟି) କୃଷକ। ସେ ୨୦୧୬-୧୭ରେ  ଦୁଇ ଏକର ଭାଗ ନେବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଏହା ଏହି ଅଞ୍ଚଳରେ ଗତ ଏକ ଶତକର ସବୁଠାରୁ ଖରାପ ମରୁଡ଼ି ପ୍ରଭାବିତ ସମୟ ହୋଇଗଲା।

ତାଙ୍କର ମୃତ୍ୟୁ ତାଙ୍କ ପରିବାରକୁ ଏକ ଆର୍ଥିକ ଏବଂ ଭାବନାତ୍ମକ ପଙ୍କରେ ଘାଣ୍ଟି ଦେଇଛି। ଆଜାଗେସନଙ୍କ ମାଆ ୭୦ବର୍ଷ ବୟସ୍କା ଅମୃତାବଳୀ ବର୍ତ୍ତମାନ ପରିବାରର ରୋଜଗାର  ଥିବା ସଦସ୍ୟ- ସେ ନିକଟସ୍ଥ ଗୋଟିଏ ସ୍କୁଲରେ ମାସିକ ଟ. ୩୦୦୦ରେ ସଫେଇ କର୍ମଚାରୀ ଭାବରେ କାମ କରୁଛନ୍ତି। ଏବଂ ସେ ତାଙ୍କ ନାତିନାତୁଣୀଙ୍କ ଭରଣପୋଷଣ କରିବା ପାଇଁ କାମ କରିବା ଅବ୍ୟାହତ ରଖିବେ। ଆଜାଗେସାନ ଏବଂ ଆରୋକ୍ୟମାରୀଙ୍କ  ଦୁଇ ଝିଅ ଏବଂ ଗୋଟିଏ ପୁଅ ଏବେ କିଶୋରାବସ୍ଥାରେ ଏବଂ ସେମାନେ ପାଠ ପଢ଼ୁଛନ୍ତି।

ଆଜାଗେସାନ କେବେ ବି ଆରୋକ୍ୟମାରୀଙ୍କୁ ଜମିରେ କାମ କରିବାକୁ ଦେଉନଥିଲେ। ବର୍ତ୍ତମାନ, ସେ ଚାହୁଁଛନ୍ତି ଯଦି କେହି ତାଙ୍କୁ କାମ ପାଇବା ପାଇଁ ସାହାଯ୍ୟ କରନ୍ତି ତେବେ ସେ ଜଣେ ଅଙ୍ଗନବାଡି ସହାୟିକା ଭାବରେ କାମ କରିବେ। ତାଙ୍କ ବାପା ଥେନଗେୟା ମଧ୍ୟ ଜଣେ କୃଷିଶ୍ରମିକ, ସେ ଅନେକଦିନ ଆଗରୁ କାମ କରିବା ବନ୍ଦ କରିଦେଇଛନ୍ତି।

ଏହି ପରିବାର ସରକାରଙ୍କଠାରୁ କୌଣସି କ୍ଷତିପୂରଣ ପାଇନାହାନ୍ତି ଏବଂ ସେମାନଙ୍କୁ ଦୁଇଟି ମାଇକ୍ରୋକେଡିଟ ଅନୁଷ୍ଠାନରୁ ଟ. ୪୦,୦୦୦ ଲେଖାଏଁ ଋଣ ପରିଶୋଧ କରିବାକୁ ହେବ। ଏହି ଋଣଗୁଡ଼ିକୁ ଆଜାଗେସାନଙ୍କ ପତ୍ନୀ ଏବଂ ମା’ଙ୍କ ନାଁରେ ନିଆଯାଇଛି। ଆରୋକ୍ୟମାରୀ କୁହନ୍ତି, ‘‘ଆମେ ମଧ୍ୟ ମୋର ସମସ୍ତ ଗହଣା ବନ୍ଧା ପକାଇଛୁ ଏବଂ ସମ୍ପର୍କୀୟମାନଙ୍କଠାରୁ ହାତ ଉଧାରି [ଛୋଟ ଅନୌପଚାରିକ ଋଣ] ନେଇଛୁ।’’

Arokyamary and her mother-in-law
PHOTO • Jaideep Hardikar
The passbooks of the microcredit institutions
PHOTO • Jaideep Hardikar

ଆରୋକ୍ୟମାରୀ ଏବଂ ତାଙ୍କ ଶାଶୁ (ଆଜାଗେସାନଙ୍କ ପିତା ମଧ୍ୟ ଫଟୋରେ ଦେଖାଯାଉଛନ୍ତି)ଙ୍କୁ ବର୍ତ୍ତମାନ ପରିବାରର ଋଣଗୁଡ଼ିକୁ ପରିଶୋଧ କରିବାକୁ ହେବ। ଡାହାଣ: ମାଇକ୍ରୋ କେଡିଟ୍‌ ଅନୁଷ୍ଠାନଗୁଡ଼ିକର ଜମାଖାତା

ଏହି ଅଞ୍ଚଳରେ କୃଷି ବିପର୍ଯ୍ୟୟ ଏବଂ ଏହାର ଦୁଃଖଦାୟକ ପରିଣାମ ସମ୍ପର୍କରେ କ୍ରମବର୍ଦ୍ଧିଷ୍ଣୁ ଖବର କାରଣରୁ ୨୦୧୭ ଜାନୁଆରୀରେ କୃଷି, କର୍ମୀ, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଡାକ୍ତର ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ପିପୁଲ୍ସ ୟୁନିୟନ ଅଫ୍‌ ସିଭିଲ ଲିବର୍ଟିଜର ଏକ ଦଳ ଏହି ତ୍ରିକୋଣଭୂମିରେ ଏସବୁ ମୃତ୍ୟୁର କାରଣ ଯାଞ୍ଚ କରିଥିଲେ।

ତିରୁବରୁର ଜିଲ୍ଲାର ମାନାରଗୁଡ଼ିକ ସହରର ଜଣେ ହୃଦ୍‌ରୋଗ ବିଶେଷଜ୍ଞ ଏବଂ ସାମାଜିକ କର୍ମୀ ଡକ୍ଟର ଭାରତୀ ସେଲ୍‌ଭାନ କହିଥିଲେ, ‘‘ଆମେ ହଠାତ୍‌ ମୃତ୍ୟୁର ୫୦ଟି କାରଣ ଏବଂ ଆତ୍ମହତ୍ୟା ଓ ତ୍ରିକୋଣଭୂମିର ତିନୋଟି ଜିଲ୍ଲା ନାଗାପଟ୍ଟିନମ, ତିରୁବରୁର ଏବଂ ତାଞ୍ଜାଭୁରର ରହିଥିବା ପରିସ୍ଥିତି ଅଧ୍ୟୟନ କରିଥିଲୁ।’’

ଡକ୍ଟର ସେଲଭାନ କୁହନ୍ତି, ଏହି ତ୍ରିକୋଣଭୂମିରେ ଆଗରୁ କେବେ ଏହି ଘଟଣା ଦେଖିନଥିଲେ। ସେ କୁହନ୍ତି, ‘‘ମୃତ୍ୟୁବରଣ କରିଥିବା ଅଧିକାଂଶଙ୍କ ମଧ୍ୟରୁ କାହାର ହୃଦ୍‌ ସମସ୍ୟାର ଇତିହାସ ନଥିଲା; ଅନେକ ଯୁବକ ଥିଲେ। ଆମେ ଚାଷ ଜମି ଏବଂ ପରିବାର ଉପରେ ଏହି ବିପର୍ଯ୍ୟୟକୁ ସଂଯୁକ୍ତ କରିପାରିବା। ଯଦିଓ ସରକାର ଏହା ଗ୍ରହଣ କରନ୍ତି ନାହିଁ, ତଥାପି ହଠାତ୍‌ ଭାବନାତ୍ମକ ଚାପ ଏବଂ ଆର୍ଥିକ ବିପର୍ଯ୍ୟୟ ଏସବୁ ମୃତ୍ୟୁର କାରଣ ବୋଲି ବିଶ୍ୱାସ କରିବା ପାଇଁ ଆମ ପାଖରେ କାରଣ ରହିଛି।’’ ସେ କୁହନ୍ତି, ‘‘ଏହି ସମସ୍ୟା ଉତ୍କଟ ହେଉଛି ଏବଂ ସରକାରଙ୍କ ଉଦାସୀନତା ମଧ୍ୟ ଜଣାପଡୁଛି।’’

ତାମିଲନାଡୁ ସରକାର ଯଦିଓ କୁହନ୍ତି ଏସବୁ ଘଟଣା ମରୁଡ଼ି ଏବଂ କୃଷି ବିପର୍ଯ୍ୟୟ ସହ ସମ୍ପର୍କିତ ନୁହେଁ, ସରକାର ଏହାକୁ ଘରୋଇ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଥିବା ଦର୍ଶାନ୍ତି କିମ୍ବା ସେଗୁଡ଼ିକୁ ଏକ ଆକସ୍ମିକ ମୃତ୍ୟୁ ଭାବରେ ଦେଖନ୍ତି। ସ୍ଥାନୀୟ କୃଷକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ ୨୦୧୭ ଜାନୁଆରୀରୁ ଜୁନ୍‌ ମଧ୍ୟରେ ହୃଦଘାତ କାରଣରୁ ୨୦୦ରୁ ଅଧିକ ହଠାତ୍‌ ମୃତ୍ୟୁ ଘଟିଥିବା ସରକାର ଏହା କହୁଛନ୍ତି।

ଏବଂ ଏଗୁଡ଼ିକ କୃଷକଙ୍କ ଦ୍ୱାରା ହୋଇଥିବା ଆତ୍ମହତ୍ୟା ସହ ହେଉଛି। ୨୦୧୭ ଜାନୁଆରୀ ୫ ତାରିଖରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜାରି କରାଯାଇଥିବା ଏକ ନୋଟିସ ଅନୁଯାୟୀ କେବଳ ୨୦୧୬ ଡିସେମ୍ବର, ଗୋଟିଏ ମାସରେ ୧୦୬ଜଣ କୃଷକ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଏନ୍‌ଏଚ୍‌ଆର୍‌ସି ସୂଚିତ କରୁଛି ଯେ, ଏସବୁ ମୃତ୍ୟୁ ମଧ୍ୟରୁ ମୁଖ୍ୟ ଭାଗ କାବେରୀ ତ୍ରିକୋଣଭୂମିର ୮ଟି ଜିଲ୍ଲାରେ ମୁଖ୍ୟ ଭାବରେ ହୋଇଛି ଯାହାର ସମୁଦାୟ ଜନସଂଖ୍ୟା ପ୍ରାୟ ୮ ନିୟୁତ (୨୦୧୧ ଜନଗଣନା)।

ଯଦିଓ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଏହାକୁ ଅସ୍ୱୀକାର କରୁଛନ୍ତି, ତଥାପି ଏହି ଅଞ୍ଚଳରେ ଏହି ଏମିତି ଏକ କମ୍‌ ସମୟ ମଧ୍ୟରେ ମାନସିକ ଆଘାତଜନିତ ମୃତ୍ୟୁ ଘଟଣାଗୁଡ଼ିକ ପଛରେ ଦୁର୍ଭିକ୍ଷ ମୁଖ୍ୟ କାରଣ ହୋଇଥିବା ପରି ମନେହେଉଛି। ୨୦୧୭ ମାର୍ଚ୍ଚରେ ସରକାର  ନିଜେ ତାମିଲନାଡୁର ୩୨ଟି ଜିଲ୍ଲା ମଧ୍ୟରୁ ୨୧ଟିକୁ ମରୁଡ଼ି ପ୍ରଭାବିତ ବୋଲି ଘୋଷଣା କରିଥିଲେ।

ସ୍ୱାଭାବିକ ଉତ୍ତରପୂର୍ବ ବା ପ୍ରତ୍ୟାବର୍ତ୍ତନ ମୌସୁମୀ ଯାହାକି ତାମିଲନାଡୁ ଉପକୂଳ ଆନ୍ଧ୍ରପ୍ରଦେଶ, ଦକ୍ଷିଣ କର୍ଣ୍ଣାଟକ ଏବଂ କେରଳ ଦେଇ ଅକ୍ଟୋବର ଏବଂ ଡିସେମ୍ବର ମାସରେ ଫେରିଥାଏ, ୨୦୧୬ରେ ଅସଫଳ ହୋଇଥିଲା। ଏହି ମୌସୁମୀ ସାଧାରଣତଃ ଆଠଟି ଜିଲ୍ଲାରେ କାବେରୀ ତ୍ରିକୋଣଭୂମିର ଚାଷୀମାନଙ୍କୁ ଧାନ, ଫସଲ କରିବାରେ ସାହାଯ୍ୟ କରିଥାଏ। ସମୁଦାୟ ତାମିଲନାଡୁ ଭାରତର ଅନ୍ୟ ଯେକୌଣସି ରାଜ୍ୟ ଅପେକ୍ଷା ଶୀତ ଫସଲ ପାଇଁ ଉତ୍ତରପୂର୍ବ ମୌସୁମୀ ଉପରେ ଅଧିକ ନିର୍ଭର କରେ।

ଏହି ଅଞ୍ଚଳର କେତେକ ଜିଲ୍ଲା ବର୍ତ୍ତମାନ ଜୁଲାଇରୁ ସେପ୍ଟେମ୍ବର ମାସରେ ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ପାଇଛି। କିନ୍ତୁ ୨୦୧୬ରେ ରାଜ୍ୟ ଦକ୍ଷିଣପଶ୍ଚିମ ଏବଂ ଉତ୍ତର ପୂର୍ବ ମୌସୁମୀରେ ୬୦ ପ୍ରତିଶତ ହ୍ରାସ ରେକର୍ଡ କରିଥିଲା। ଉଭୟ ମୌସୁମୀରେ ନିଅଣ୍ଟ କାରଣରୁ ତାମିଲନାଡୁ ଶୀତଦିନିଆ ୨୦୧୬ ଧାନଫସଲ ବୁଣାରେ ୩୦ ପ୍ରତିଶତ ହ୍ରାସ ଏବଂ ଅମଳରେ ୬୦ ପ୍ରତିଶତ ହ୍ରାସକୁ ସାମ୍ନା କରିଥିଲା। ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଥିଲା।

A dry tank in in Kadamankudi village
PHOTO • Jaideep Hardikar

କାଡାମାଙ୍କୁଡ଼ି ଗାଁ’ରେ ଏକ ଶୁଖିଲା ପୋଖରୀ। ଏକଦା ଅଞ୍ଚଳର ଜଳବଳକା ଅଞ୍ଚଳ ଭାବରେ ପରିଗଣିତ କାବେରୀ ତ୍ରିକୋଣଭୂମି ଅଞ୍ଚଳରେ ୨୦୧୬-୧୭ ମରୁଡ଼ିରେ ହଜାର ହଜାର ସଂଖ୍ୟାରେ ପୋଖରୀ ଶୁଖିଯାଇଥିଲା

କାଡାମାଙ୍କୁଡ଼ି ଗାଁ’ରେ ଏକ ଶୁଖିଲା ପୋଖରୀ। ଏକଦା ଅଞ୍ଚଳର ଜଳବଳକା ଅଞ୍ଚଳ ଭାବରେ ପରିଗଣିତ କାବେରୀ ତ୍ରିକୋଣଭୂମି ଅଞ୍ଚଳରେ ୨୦୧୬-୧୭ ମରୁଡ଼ିରେ ହଜାର ହଜାର ସଂଖ୍ୟାରେ ପୋଖରୀ ଶୁଖିଯାଇଥିଲା

୨୦୧୬ ଅକ୍ଟୋବରରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ଯାଇଥିବା କୃଷି ଋତୁରେ ତାମିଲନାଡୁରେ ୩୫ଲକ୍ଷ ହେକ୍ଟର ଗୁରୁତରରୁ ମଧ୍ୟମ ମରୁଡ଼ି ପରିସ୍ଥିତି ଅଧୀନରେ ଆସିଛି ବୋଲି ସମନ୍ୱିତ ମରୁଡ଼ି ଗୁରୁତରତା ସୂଚକାଙ୍କ (ଆଇଡିଏସ୍‌ଆଇ)ରୁ ଜଣାପଡିଛି। ଏହା ତାମିଲନାଡୁର ସମୁଦାୟ ଅଞ୍ଚଳରେ ପ୍ରାୟ ୩୦ ପ୍ରତିଶତ।

ଏହା କାବେରୀ ତ୍ରିକୋଣଭୂମିର ଏକଦା ଉର୍ବର ଥିବା ଅଞ୍ଚଳ, ଗତ ଦୁଇଦଶକ ପର୍ଯ୍ୟନ୍ତ ଏଠାରେ ତିନୋଟି ଫସଲ ହେଉଥିଲା।  ଗତ ୨୦ବର୍ଷରେ ଜଳର ଉପଲବ୍ଧତାରେ ହ୍ରାସ କାରଣରୁ ଏହା ଦୁଇଟି ଫସଲକୁ ଖସି ଆସିଥିଲା। ୨୦୧୬-୧୭ କୃଷି ବର୍ଷରେ ଶତାବ୍ଦୀରେ ପ୍ରଥମ ଥର ପାଇଁ ଏକଦା ଜଳ-ପ୍ରାଚୁଯ୍ୟ ଥିବା ଅଞ୍ଚଳର କୃଷକମାନେ ଗୋଟିଏ ମଧ୍ୟ ଧାନ ଫସଲ ରୋପଣ କରିପାରିନଥିଲେ କିମ୍ବା ଅମଳ କରିପାରିନଥିଲେ। ବିଫଳ ମୌସୁମୀ ସହିତ ନଦୀ ଅବବାହିକାର ସେହି ପାର୍ଶ୍ୱରେ ମଧ୍ୟ ମରୁଡ଼ି କାରଣରୁ କର୍ଣ୍ଣାଟକ ଦ୍ୱାରା ତାମିଲନାଡୁକୁ ଏହାର କାବେରୀ ଜଳଭାଗ ମଧ୍ୟ ମିଳିନଥିଲା।

ଫସଲର ସମ୍ମିଳିତ କ୍ଷତି ହତାଶ କରିଦେଇଛି।

କାଡାମାଙ୍କୁଡ଼ି ଗାଁ’ରେ ଗୋଟିଏ ଛୋଟ ଚାଳଘରେ ବିରାମଣିଙ୍କ ଫଟୋ ଏବେ କାନ୍ଥର ଗୋଟିଏ କଣରେ କବାଟର ବାମକୁ ଝୁଲୁଛି। କବିତା ବୀରାମଣି ଏବଂ ଜମି ମାଲିକଙ୍କ ମଧ୍ୟରେ ଯେଉଁ ବୁଝାମଣାର ନକଲ ଆମକୁ ଦେଖାଇଥିଲେ ସେଥିରୁ ଜଣାପଡ଼ିଛି ଏହା ଏକ ଉପ-ଭାଗ।  ଏହି ଜମି ପ୍ରକୃତରେ ଏକ ଧାର୍ମିକ ଅନୁଷ୍ଠାନର ଦେବୋତ୍ତର ଟ୍ରଷ୍ଟ ଅଧୀନରେ ଅଛି; ବୀରାମଣି ଯାହାଙ୍କଠାରୁ ସେ ଏହି ଜମି ଭାଗ ନେଇଛନ୍ତି ସେ ଜଣେ ଏଜେଣ୍ଟ। ଏହି ବୁଝାମଣା ଦର୍ଶାଉଛି ଏହି ଭାଗର ଅବଧି ବର୍ଷକୁ ଟ. ୨୫,୦୦୦ ମୂଲ୍ୟରେ ଦୁଇବର୍ଷ ପାଇଁ। ଆଜାଗେସାନଙ୍କ ପାଇଁ ମଧ୍ୟ ଠିକ୍‌ ଏହି ବ୍ୟବସ୍ଥା ଥିଲା।

ଏହାର ଅର୍ଥ ହେଉଛି ବୀରାମଣି ଏବଂ ଆଜାଗେସାନ ବ୍ୟାଙ୍କଗୁଡ଼ିକରୁ ନିମ୍ନ ସୁଧ ହାରରେ ଋଣ ନେଇପାରିବେ ନାହିଁ କାରଣ ଏହି ଚାଷଜମି ସେମାନଙ୍କ ନାଁରେ ନଥିଲା- ଯାହାକି ଫସଲ ଋଣ ପାଇଁ ଏକ ମୁଖ୍ୟ ଆବଶ୍ୟକତା।

କବିତା କୁହନ୍ତି, ‘‘ଆମେ କେବେ ସ୍କୁଲ ଯାଇନଥିଲ, ଆମେ ଚାହୁଁଥିଲୁ ଆମ ପିଲାମାନେ ସ୍କୁଲକୁ ଯିବେ, ତେଣୁ ଆମେ ଜମି ଲିଜ୍‌ରେ ଆଣିବାକୁ ଏବଂ ସେମାନଙ୍କ ପାଠପଢ଼ା ପାଇଁ ଖର୍ଚ୍ଚ କରିବାର ନିମନ୍ତେ ଏକ ଭଲ ଆୟ କରିବାକୁ ନିଷ୍ପତ୍ତି ନେଲୁ’’। କିନ୍ତୁ ଏହା ଆମକୁ ପଛକୁ ପକାଇଦେଲା।

କବିତା ରାଜ୍ୟ ସରକାରଙ୍କଠାରୁ ଟ. ୩ଲକ୍ଷ କ୍ଷତିପୂରଣ ଗ୍ରହଣ କରିଛନ୍ତି, ଯାହାକି ରାଜନୀତି ଚାପ ଯୋଗୁଁ କେତେକ କୃଷକଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଦାନ କରାଯାଇଛି। ସେ ମାଇକ୍ରୋ ଫାଇନାନ୍ସ ଫାର୍ମ ପ୍ରତି ଥିବା ପରିବାରର ଟ. ୫୦,୦୦୦ ଋଣ ଏବଂ ସମ୍ପର୍କୀୟମାନଙ୍କଠାରୁ ନିଆଯାଇଥିବା ଅନ୍ୟ ଛୋଟ ଋଣଗୁଡ଼ିକ ପରିଶୋଧ କରିଛନ୍ତି।

ସେ ବିଳାପ କରି କୁହନ୍ତି, ‘‘ଯଦି ଏହି ଅର୍ଥ ଆଗୁଆ ରକ୍ଷା କରିବା ପାଇଁ ଆସିଥାନ୍ତା, ତେବେ ମୋ ସ୍ୱାମୀ ମୃତ୍ୟୁବରଣ କରିନଥାନ୍ତେ।’’

ଅନୁବାଦ: ଓଡ଼ିଶାଲାଇଭ୍‍

At a '100-day' site, the elderly battle drought
• Thanjavur district, Tamil Nadu

ଗୋଟିଏ ‘୧୦୦ଦିନ’ ସ୍ଥଳରେ, ବୟସ୍କମାନେ ମରୁଡ଼ି ସହ ସଂଘର୍ଷ କରୁଛନ୍ତି

ଏକଦା ଉର୍ବର ଥିବା ତାମିଲନାଡୁର କାବେରୀ ତ୍ରିକୋଣଭୂମିରେ ଏକ ଦୀର୍ଘ ଏବଂ ଭୀଷଣ ମରୁଡ଼ି କୃଷିକୁ ଚୁରମାର କରିଦେଇଛି। ଅନେକ ଗ୍ରାମରେ ଯୁବପିଢ଼ି କାମ ପାଇଁ ପ୍ରବାସକୁ ଚାଲିଯାଇଛନ୍ତି ଏବଂ ବୟସ୍କମାନେ କିଛି ଅର୍ଥ ରୋଜଗାର କରିବା ପାଇଁ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି

Between life and death – a drought
• Tiruchchirappalli, Tamil Nadu

ଜୀବନ ଏବଂ ମୃତ୍ୟୁ ମଧ୍ୟରେ- ଗୋଟିଏ ମରୁଡ଼ି

ତାମିଲନାଡୁର ଥାୟାନୁର ଗ୍ରାମର କୃଷକମାନେ ଏକ ବୃହତ ବିପର୍ଯ୍ୟୟକୁ ସାମ୍ନା କରୁଛନ୍ତି ଯାହା ମରୁଡ଼ିକୁ ଆହୁରି ଅଧିକ କରୁଛି- କାବେରୀ ତ୍ରିକୋଣଭୂମି ଅଞ୍ଚଳରେ ସଂକଟ ଗଭୀର ହେବା କାରଣରୁ କେତେଜଣ ଆଘାତରେ ମୃତ୍ୟୁବରଣ କରିଛନ୍ତି ଏବଂ ଅନେକ ଆତ୍ମହତ୍ୟା କରିଛନ୍ତି।

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar