“ମୋର ମୋବାଇଲ୍‌ ଫୋନ୍‌ ନାହିଁ, ମୁଁ କିଭଳି ଭାବେ ସରକାରଙ୍କ ପାଖରେ ପଞ୍ଜିକରଣ କରିପାରିବି?” ବୋଲି କୁନି ତମାଳିଆ ନାମକ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାର ଆନ୍ନାରାମ ଗ୍ରାମରେ କାମ କରୁଥିବା ଜଣେ ଇଟାଭାଟି ଶ୍ରମିକ ପଚାରିଲେ। ସେ ଭାବିଥିଲେ ଯେ ବୋଧହୁଏ ଆମେମାନେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ତାଙ୍କ ନାମ ପଞ୍ଜିକରଣ କରିବାରୁ ସେଠାକୁ ଆସିଛୁ ଯାହା ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ଓଡିଶାରେ ପହଞ୍ଚାଇବ ।

ତେଲେଙ୍ଗାନା ସରକାରଙ୍କ ୱେବ୍‌ସାଇଟ୍‌ରେ ଟ୍ରାନ୍ସପୋର୍ଟ ପାଇଁ ଅନୁରୋଧ କରିବାକୁ ହେଲେ ପ୍ରବାସୀ ଶ୍ରମିକମାନଙ୍କୁ ଏକ ଫୋନ୍‌ ନମ୍ବର ଦେବା ବାଧ୍ୟତାମୂଳକ ଅଟେ – ଓଡିଶା ସରକାର ମଧ୍ୟ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଖରେ ସମାନ ଦାବି ରଖିଛନ୍ତି।

“ଆଉ ମୁଁ ସେମାନଙ୍କ ଆଧାର କାର୍ଡ ଗାଁ’ରେ ଛାଡି ଦେଇଛି । ସେମାନଙ୍କୁ କ’ଣ ଟ୍ରେନ୍‌ରେ ଚଢିବାକୁ ଅନୁମତି ମିଳିବ?" ତାଙ୍କର ଦୁଇ ପୁଅ- ଭକ୍ତ (୧୫) ଓ ଜଗନ୍ନାଥ (୯)ଙ୍କ ଆଡକୁ ଉଦ୍‌ବିଗ୍ନତା ସହିତ ଦେଖି ସେ ପଚାରିଲେ । କୁନି କହିଲେ ଯେ ତାଙ୍କର ବୟସ ପ୍ରାୟ ୪୦ ବର୍ଷ ହେବ ଯଦିଓ ଆଧାର କାର୍ଡରେ ତାଙ୍କର ବୟସ ୬୪ ବର୍ଷ ବୋଲି ଉଲ୍ଲେଖ କରାଯାଇଛି । “କାର୍ଡରେ କଣ ଲେଖାଯାଇଛି ତାହା ମୁଁ ଜାଣେନାହିଁ; ସେମାନେ କେବଳ କମ୍ପ୍ୟୁଟରରେ ଏହାକୁ ଲେଖିଦେଲେ ।

ସେ ନଭେମ୍ବର ୨୦୧୯ରେ ଏକ ଭାଟିରେ କାମ ଆରମ୍ଭ କରିଥିଲେ ଓ ମେ ମାସ ଶେଷରେ ତାଙ୍କ କାର୍ଯ୍ୟ ଅବଧି ଶେଷ ହେବା ପରେ ସେ ଓଡିଶାକୁ ଫେରିଯିବା କାର୍ଯ୍ୟକ୍ରମ ଥିଲା । ହେଲେ ତାଲାବନ୍ଦ କାରଣରୁ କୁନି, ଜଣେ ବିଧବା ମହିଳା ଯିଏ ପ୍ରଥମ ଥର ପାଇଁ ଇଟା ଭାଟିରେ କାମ କରୁଛନ୍ତି, ପାଇଁ ସବୁକିଛି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ସେ ଓ ତାଙ୍କ ପିଲାମାନଙ୍କୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ଦୋମୁହାଣି ଗ୍ରାମରୁ ଟ୍ରକ୍‌ ରେ ଗୁମ୍ମାଡିଡଲା ମଣ୍ଡଳର ଅନ୍ନାରମ୍‌କୁ ଅଣାଯାଇଥିଲେ।

କୁନି ତାଙ୍କ ପିଲାମାନଙ୍କ ସହିତ ଆନ୍ନାରାମ ଆସିବାର କିଛି ସପ୍ତାହ ପରେ , ସେଠାକୁ ଓଡିଶାରୁ ସୁମିତ୍ରା ପ୍ରଧାନ ,୪୨, ମଧ୍ୟ ଆସି ପହଞ୍ଚିଥିଲେ – ତାଙ୍କର ସ୍ୱାମୀ ଗୋପାଳ ରାଉତ, ୪୦, ଓ ତାଙ୍କର ପାଞ୍ଚଟି ସନ୍ତାନଙ୍କ ସହିତ । ସେମାନେ ଗତ ୭-୮ ବର୍ଷ ହେବ ବଲାଙ୍ଗିର ଜିଲ୍ଲାର ଟିଟ୍‌ଲାଗଡ ବ୍ଲକ୍‌ ଅନ୍ତର୍ଗତ ଶଗଡଘାଟ ଗ୍ରାମରୁ ଭାଟିରେ କାମ କରିବାକୁ ଆସୁଛନ୍ତି । ତାଙ୍କର ବଡ ପୁଅ ୨୦ ବର୍ଷ ବୟସ୍କ ରାଜୁ ମଧ୍ୟ ତାଙ୍କ ବାପାମାଙ୍କ ସହିତ ମିଶି କାମ କରନ୍ତି । ସେମାନେ ଘର ଛାଡିବା ପୂର୍ବରୁ, ଇଟା ବୁହାଳି ଭାବେ କାମ କରିବାକୁ ଠିକାଦାର ଏହି ତିନି ଜଣଙ୍କୁ ଅଗ୍ରୀମ ଭାବେ ମୋଟ ୭୫, ୦୦୦ ଟଙ୍କା ଦେଇଛନ୍ତି ।
Left: Kuni Tamalia and son Jagannadh near their small home made with loosely stacked bricks. Right: Sumitra Pradhan, Gopal Raut and daughter Rinki
Left: Kuni Tamalia and son Jagannadh near their small home made with loosely stacked bricks. Right: Sumitra Pradhan, Gopal Raut and daughter Rinki
PHOTO • Varsha Bhargavi

ବାମ : କୁନି ତମାଳିଆ ଓ ପୁଅ ଜଗନ୍ନାଥ ଇଟା ଉପରେ ଇଟା ଥୋଇ ନିର୍ମାଣ କରାଯାଇଥିବା ଘର ପାଖରେ । ଡାହାଣ: ସୁମିତ୍ରା ପ୍ରଧାନ, ଗୋପାଳ ରାଉତ ଓ ଝିଅ ରିଙ୍କି

ଚଳିତ ଋତୁରେ କିଛି ମାସ ଭାଟିରେ ରହିବା ପରେ, ପ୍ରାୟ ମାର୍ଚ୍ଚ ବେଳକୁ ଯେତେବେଳେ କୋଭିଡ୍‌- ୧୯ ସମ୍ବନ୍ଧିତ ଖବର ପ୍ରକାଶ ପାଇବାକୁ ଲାଗିଲା ସେତେବେଳେ ସୁମିତ୍ରା ଭୂତାଣୁ ନେଇ ଚିନ୍ତିତ ହୋଇପଡିଲେ । ତାଙ୍କର ଛୋଟ ପିଲାମାନେ – ଯୁଗଳ ୯, ରିଙ୍କି ୭ ଓ ରୂପା ୪ କାଳେ ସଂକ୍ରମିତ ହୋଇଯିବେ, ସେଥିପାଇଁ ସେ ଭୟଭୀତ ହୋଇଗଲେ । “ଆମେ ଶୁଣିବାକୁ ପାଇଛୁ ଯେ ୧୦ ବର୍ଷରୁ କମ୍‌ ବୟସ୍କ ପିଲାମାନେ କରୋନା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି । ଆମେମାନେ ଫେରି ଯିବାକୁ ଚାହୁଁଛୁ, ହେଲେ ଓଡିଶାକୁ ଯିବାକୁ ବାହାରିବା ପୂର୍ବରୁ ଆମକୁ ବାକି ଥିବା ଏକ ସପ୍ତାହର କାମ ଶେଷ କରିବାକୁ ହେବ ବୋଲି ମାଲିକ କହୁଛନ୍ତି । ବର୍ତ୍ତମାନ ଆମେ ଏହି ସ୍ଥାନ ଛାଡି ଯାଇ ପାରିବୁନି କାରଣ ଏଥିପାଇଁ ଆମକୁ ତେଲେଙ୍ଗାନା ସରକାରଙ୍କ ପାଖରେ ଟ୍ରେନ୍‌ ପାଇଁ ପଞ୍ଜିକରଣ କରିବାକୁ ହେବ ବୋଲି ଆମେ ଶୁଣିବାକୁ ପାଇଛୁ,” ବୋଲି ସେ କହିଲେ ।

ମେ ୨୨ରେ ଆମେ ଯେତେବେଳେ ଶ୍ରମିକମାନଙ୍କ ସହ ସାକ୍ଷାତ କରିଥିଲୁ, ସେତେବେଳେ ଆନ୍ନାରାମର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିଅସ୍‌ ଥିଲା । କୁନି ସେତେବେଳେ ଇଟା ବୋହିବା କାମରୁ ଏକ ଘଣ୍ଟା ବ୍ୟାପି ବିରତି ନେଇଥିଲେ । ସେ ଖାଲି ଇଟା ଉପରେ ଇଟା ଥୋଇ କରିଥିବା ତାଙ୍କର ଛୋଟ କୁଡିଆଘର ଭିତରକୁ ଆମକୁ ନେଇଥିଲେ – ଯାହା ଭିତରେ ବୋଧହୁଏ  କୌଣସି ବଖରା ନଥିଲା । କୁଡିଆର ଅଧା ଛାତ ଆଜ୍‌ବେଷ୍ଟସ୍‌ରେ ଢାଙ୍କି ହୋଇ ରହିଥିବା ବେଳେ ବଳକା ଅଧାକୁ ପ୍ଲାଷ୍ଟିକ୍‌ ସିଟ୍‌ରେ ଘୋଡା ଯାଇଛି ଯାହାକୁ ପଥର ସହାୟତାରେ ସ୍ଥାନିତ କରାଯାଇଛି । ହେଲେ ଏହା ଦ୍ୱାରା ତାତିରୁ ରକ୍ଷା ମିଳି ପାରୁନି । ଆମ ସହିତ କଥା ହେବାବେଳେ କୁନି ବଳକି ଯାଇଥିବା ଭାତ ଘାଣ୍ଟୁ ଥିଲେ, ଯାହା ଏବେ ମଧ୍ୟ ମାଟି ଚଟାଣ ଉପରେ ନିର୍ମିତ ଅସ୍ଥାୟୀ ଚୁଲ୍ଲାରେ ଥିବା ଜ୍ୱଳନ୍ତ ଅଙ୍ଗାରର ତାତିରେ ଗରମ ହୋଇ ରହିଛି । 

ସେ ଆମକୁ କହିଲେ ଯେ ସେ ପୂର୍ବାହ୍ନ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ, ସପ୍ତାହରେ ଛଅ ଦିନ, ଭାଟିରେ କାମ କରନ୍ତି । ତାଙ୍କର କାର୍ଯ୍ୟ ଦିବସରେ ତାଙ୍କୁ ଦୁଇଥର କାର୍ଯ୍ୟ ବିରତି ମିଳିଥାଏ – ସକାଳ ବେଳା ଗୋଟିଏ ଘଣ୍ଟା ଓ ଦ୍ୱିପହରରେ ଦୁଇ ଘଣ୍ଟା – ରାନ୍ଧିବା, ଗାଧୋଇବା, ଖାଇବା ଓ କପଡା ଧୋଇବା ପାଇଁ ତଥା ବାସନ ମାଜିବା ପାଇଁ । ଭାଟିରେ ଏପରି ମଧ୍ୟ ଲୋକ ଅଛନ୍ତି ଯେଉଁମାନଙ୍କୁ କେବଳ ଗୋଟିଏ ଥର ବିରତି ମିଳିଥାଏ । “ସେମାନେ ଇଟା ତିଆରି କରନ୍ତି । ମୁଁ କେବଳ ଇଟା ବୋହି ଥାଏ । ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅହରହ କାମ କରନ୍ତି, ଇଟା ତିଆରି କରନ୍ତି । ସେମାନେ ଆମ ତୁଳନାରେ ଭଲ ପଇସା ପାଆନ୍ତି । ସେମାନଙ୍କ ତୁଳନାରେ ଆମ କାମ ସହଜ ଅଟେ,” ବୋଲି କହିଲେ ।

ଇଟା ଯେଉଁଠାରେ ଶୁଖାଯାଏ ସେଠାରୁ ଭାଟି ପର୍ଯ୍ୟନ୍ତ ଥରେ ଆସି ଯିବାକୁ ୧୦ ମିନିଟ୍‌ ସମୟ ଲାଗିଥାଏ । ସେହି ସମୟ ମଧ୍ୟରେ କୁନି ଇଟାଗୁଡିକ ଲଦି ବୋହିଥାଏ, ତାପରେ ସେଗୁଡିକୁ ଓହ୍ଲାଇ ଦେଇ ପୁଣି ଫେରି ଥାକ ମାରିଥାଏ । କୌଣସି ବିରତି ନନେଇ ଇଟା ବୁହାଳିମାନେ କ୍ଷୀପ୍ର ଗତିରେ ଆଗକୁ ବଢୁଥାନ୍ତି । “ମହିଳାମାନେ ଗୋଟିଏ ଥରକୁ ମାତ୍ର ୧୨-୧୬ ଖଣ୍ଡ ଇଟା ବୋହି ପାରନ୍ତି, ହେଲେ ପୁରୁଷମାନେ ଅଧିକ ନେଇ ପାରିବେ, ଏଣୁ ସେମାନଙ୍କୁ ଅଧିକ ପାରିଶ୍ରମିକ ମିଳିଥାଏ,” ବୋଲି କୁନି  ମୁଣ୍ଡ ଉପରେ ଏକ କାଠପଟା ରଖି ତାହା ଉପରେ ଇଟା ରଖି ଇଟା ବୋହି ନେଉଥିବା ମହିଳାମାନଙ୍କ ଆଡକୁ ଆଙ୍ଗୁଠି ଦେଖାଇ  କରି କହିଲେ ।  ଅନ୍ୟପକ୍ଷରେ ପୁରୁଷମାନେ ସେମାନଙ୍କ କାନ୍ଧରେ ଇଟା ଭାର ବୋହୁଥିବା ଆମେ ଦେଖିବାକୁ ପାଇଲୁ, ପ୍ରତ୍ୟେକ ଲୋକ ଉଭୟ ପାଖରେ ୧୭ଟି ଇଟା ରଖି ବୋହୁଥିଲେ ।

କୁନି ଯେଉଁ ଭାଟିରେ କାମ କରନ୍ତି ତାହା ଆନ୍ନାରାମରେ ଥିବା ଅନ୍ୟ ଭାଟି ତୁଳନାରେ ସାନ ଅଟେ । ଶ୍ରମିକମାନେ ସମସ୍ତେ ଭାଟି ପରିସର ମଧ୍ୟରେ ରହୁଥିବା ବେଳେ ସେମାନଙ୍କର ରହିବା ପାଇଁ କୌଣସି ସୁବିଧା ଯୋଗାଯାଇଥିବା ଭଳି ମନେ ହୁଏନି । ସେଠାରେ ଶୌଚାଳୟ ନାହିଁ ଓ ସମସ୍ତ ପ୍ରକାରର ବ୍ୟବହାର ପାଇଁ ପାଣିର ଏକମାତ୍ର ଉତ୍ସ ହେଉଛି ସିମେଣ୍ଟର ଗୋଟିଏ ଟାଙ୍କି ।  “ଆମେ ଏଠାରେ ଗାଧୋଉ ଓ ଲୁଗା ସଫା କରୁ ଓ ବାହାରେ ମୁକ୍ତରେ ମଳତ୍ୟାଗ କରୁ,” କୁନି ପାଖରେ ଥିବା ଏକ ପଡିଆ ଆଡକୁ ଦେଖାଇ କହିଲେ । “ଆମେ ଏହି ଟାଙ୍କିରୁ ପିଇବା ଓ ରାନ୍ଧିବା ପାଇଁ ପାଣି ନେଇଥାଉ’’।
The brick carriers moved swiftly despite the blazing heat. Women carried 12 to 16 bricks per trip; men carried up to 34 at a time
PHOTO • Varsha Bhargavi

ପ୍ରଚଣ୍ଡ ତାତି ସତ୍ତ୍ୱେ ଇଟା ବୁହାଳିମାନେ କ୍ଷୀପ୍ର ଗତିରେ ଯାଉଥିଲେ । ମହିଳାମାନେ ଗୋଟିଏ ଥରକୁ ୧୨-୧୬ଟି ଇଟା ବୋହିଥାନ୍ତି; ପୁରୁଷମାନେ ଗୋଟିଏ ଥରକୁ ପ୍ରାୟ ୩୪ ଇଟା ବୋହି ପାରନ୍ତି

ନଭେମ୍ବରରେ ଦୋମୁହାଁଣି ଛାଡିବା ପୂର୍ବରୁ କୁନି ଅଗ୍ରୀମ ଭାବେ ୨୫,୦୦୦ ଟଙ୍କା ପାଇବାକୁ ଥିଲା, ଯାହା ଇଟା ନିର୍ମାଣକାରୀମାନେ ପାଉଥିବା ଅଗ୍ରୀମ ଟଙ୍କା ତୁଳନାରେ ୧୦,୦୦୦ ଟଙ୍କା କମ୍‌ । “ହେଲେ ସେମାନେ ମତେ କେବଳ ୧୫,୦୦୦ଟଙ୍କା ଦେଲେ । ମେ ସାମରେ ଭାଟିରେ ମୁଁ ମୋର କାମ ଶେଷ କରିବା ପରେ ବାକି ଟଙ୍କା ମତେ ଦିଆଯିବ ବୋଲି ସର୍ଦ୍ଦାର [ ଠିକାଦାର] କହିଥିଲେ । ଏଠାରେ ସେମାନେ ମତେ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ସପ୍ତାହକୁ ୪୦୦ଟଙ୍କା ଦେଉଛନ୍ତି,” ବୋଲି ସେ କହିଲେ । ମୋର ସ୍ୱାମୀଙ୍କ ମୃତ୍ୟୁ ପରେ ମୋର ପିଲାମାନଙ୍କୁ ଖାଇବା ଯୋଗାଇବା ମୋ ପାଇଁ କଷ୍ଟକର ହୋଇଯାଇଥିଲା” । 

କିଛି ସମୟ ପର୍ଯ୍ୟନ୍ତ ଶଯ୍ୟାଶାୟୀ ହୋଇ ରହିବା ପରେ ଗତ ବର୍ଷ କୁନିଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । “ତାଙ୍କର ଆଣ୍ଠୁ ଦୁଇଟି ପ୍ରାୟତଃ ନଷ୍ଟ ହୋଇଯାଇଥିବା ଡାକ୍ତର ଆମକୁ କହିଥିଲେ । ଆବଶ୍ୟକ ଔଷଧ କିଣିବାକୁ ଆମ ପାଖରେ ସମ୍ବଳ ନଥିବା ବେଳେ ଆମେ ଡାକ୍ତରଙ୍କ ପରାମର୍ଶ ମୁତାବକ ତାଙ୍କୁ ଖାଦ୍ୟ ମଧ୍ୟ ଯୋଗାଇ ପାରିଲୁନି,” ବୋଲି ସେ ପାଣିଆ ଖେଚୁଡି ଥିବା ଏକ ପାତ୍ରକୁ ଅପେକ୍ଷାକୃତ ବଡ ଆଲୁମିନିୟମ୍‌ ପ୍ଲେଟ୍‌ରେ ଘୋଡାଉଥିବା ବେଳେ ଆମକୁ କହିଲେ ।

ନିଜ ଗ୍ରାମରେ କୁନି ଧାନ ବା କର୍ପାସ୍‌ କ୍ଷେତରେ କୃଷି ଶ୍ରମିକ ଭାବେ କାମ କରି ଦିନକୁ ୧୫୦ ଟଙ୍କା ଉପାର୍ଜନ କରୁଥିଲେ । “ହେଲେ ଏହା ନିୟମିତ ନଥିଲା । କେହି ମତେ ଡାକିଲେ ଯାଇ ମତେ କାମ ମିଳୁଥିଲା । ମତେ ଏହି ଦୁଇ ପିଲାଙ୍କୁ ଖାଇବାକୁ ଖାଦ୍ୟ ଯୋଗାଇବାକୁ ହେବ, ଏଣୁ ଏତିକିରେ ଚଳିବା ମୋ ପକ୍ଷେ କଷ୍ଟକର ଥିଲା । ସର୍ଦ୍ଦାର  ପ୍ରତି ବର୍ଷ ଇଟା ଭାଟିରେ କାମ କରିବାକୁ ଲୋକ ଯୋଗାଡ କରିବାକୁ ମୋ ଗାଁକୁ ଆସନ୍ତି,  ବୋଲି ସେ ବର୍ଣ୍ଣନା କରି କହିଲେ । “ମୁଁ ପ୍ରଥମଥର ପାଇଁ ଆସିଛି ।’’

କୁନି ଓ ତାଙ୍କ ପିଲାମାନେ ହେଉଛନ୍ତି ମହାର ସମ୍ପ୍ରଦାୟର, ଯାହା ଅନୁସୂଚିତ ଜାତି ଅନ୍ତର୍ଭୁକ୍ତ । ସେମାନେ ହେଉଛନ୍ତି ସେମାନଙ୍କ ଜିଲ୍ଲାରୁ ଗତ ଋତୁରେ ଆନ୍ନାରାମର ଭାଟିରେ କାମ କରିବାକୁ ଆସିଥିବା ଏକମାତ୍ର ପରିବାର । ଚଳିତ ଥର ଏହି ଭାଟିରେ କାମ କରିବାକୁ ଆସିଥିବା ୪୮ଟି ପରିବାର ମଧ୍ୟରୁ ଅଧିକାଂଶ ଓଡିଶାର ବଲାଙ୍ଗିର ଓ ନୂଆପଡା ଜିଲ୍ଲାରୁ ଆସିଛନ୍ତି । କିଛି ପରିବାର କଳାହାଣ୍ଡି ଓ ବରଗଡରୁ ଆସିଛନ୍ତି । ସେମାନଙ୍କ ମଧ୍ୟରେ ମୋଟ ୧୧୦ଜଣ କାର୍ଯ୍ୟ କରୁଥିବା ବୟସ୍କ ବ୍ୟକ୍ତିଙ୍କ ସହିତ ୩୭ ଜଣ ପିଲା ଅଛନ୍ତି, ସମସ୍ତେ ନଭେମ୍ବର ୨୦୧୯ରୁ ମେ ୨୦୨୦ ପର୍ଯ୍ୟନ୍ତ ଭାଟିରେ ରହିଆସୁଛନ୍ତି ।

ସୁମିତ୍ରା, ଗୋପାଳ ଓ ରାଜୁ , ଯେଉଁମାନେ ହେଉଛନ୍ତି ଝାଲ୍‌ ସମ୍ପ୍ରଦାୟର, ଏକ ଅନୁସୁଚିତ ଜାତି, ପ୍ରାୟତଃ ଜୁନ୍‌ ରୁ ନଭେମ୍ବର ପର୍ଯ୍ୟନ୍ତ ଭାଗ ସୂତ୍ରରେ ଚାଷ କରିଥାନ୍ତି । “ଆମେ କର୍ପାସ୍‌ ବା ଧାନ ଚାଷ କରିବାକୁ ୩-୪ ଏକର ଜମି ଲିଜ୍‌ରେ ନେଇଥାଉ, ଯାହା ଆମ ପାଖରେ ଉପଲବ୍ଧ ସମ୍ବଳ ଉପରେ ନିର୍ଭର କରିଥାଏ । ବେଳେବେଳେ ଆମେ ଦିନ ମଜୁରିଆ ଭାବେ ଚାଷ ଜମିରେ ଦିନକୁ ୧୫୦ ଟଙ୍କା ମଜୁରି ନେଇ କାମ କରିଥାଉ , ହେଲେ ସେମାନେ ମହିଳା ମାନଙ୍କୁ ଏହି କାମ ପାଇଁ ଅଳ୍ପ ମୂଲ୍ୟ ଦେଉଥିବାରୁ ମୋର ସ୍ତ୍ରୀ ୧୨୦ଟଙ୍କା ପାଆନ୍ତି । ତାହା [ସଂଯୁକ୍ତ ଭାବେ] ଆମ ପରିବାର ପାଇଁ ପର୍ଯ୍ୟାପ୍ତ ନୁହେଁ,” ବୋଲି ଗୋପାଳ କୁହନ୍ତି ।
Children studied at the kiln's worksite school, which was shut during the lockdown. Bottom right: Kuni at the cement tank where the workers bathed and washed clothes, and filled water for drinking and cooking too
PHOTO • Varsha Bhargavi

ପିଲାମାନେ ଭାଟି କାର୍ଯ୍ୟସ୍ଥଳରେ ଥିବା ବିଦ୍ୟାଳୟରେ ପଢୁଛନ୍ତି ଯାହା ତାଲାବନ୍ଦ ସମୟରେ ବନ୍ଦ ହୋଇଯାଇଛି । ନିମ୍ନ ଡାହାଣ : କୁନି ସିମେଣ୍ଟ ଟାଙ୍କି ପାଖରେ ଅଛନ୍ତି ଯେଉଁଠାରେ ଶ୍ରମିକମାନେ ଗାଧାନ୍ତି ଓ କପଡା ଧୁଅନ୍ତି ଓ ପିଇବା ଓ ରାନ୍ଧିବା ପାଇଁ ପାଣି ଭର୍ତ୍ତି କରନ୍ତି

କରୋନା ଭୂତାଣୁ ଯୋଗୁଁ ସୁମିତ୍ରା ଚିନ୍ତିତ ହେବା ଭଳି ଭାଟିରେ ଥିବା ଅନ୍ୟ ବାପାମା’ମାନେ ମଧ୍ୟ ଚିନ୍ତିତ ରହୁଥିବା କଥା ସୁସ୍ପଷ୍ଟ ବୋଲି ରାଜ୍ୟ ଶିକ୍ଷା ବିଭାଗ ଓ ଏକ ଏନ୍‌ଜିଓ ଦ୍ୱାରା ମିଳିତ ଭାବେ ପରିଚାଳିତ ରାସ୍ତାର ଆରପାଖରେ ଥିବା କାର୍ଯ୍ୟସ୍ଥଳ ବିଦ୍ୟାଳୟର ଶିକ୍ଷକ ଶରତ ଚନ୍ଦ୍ର ମଲିକ କହିଲେ । “ସେମାନଙ୍କର ଛୋଟ ଛୋଟ ପିଲା ଥିବାରୁ ଏହି ଭୂତାଣୁ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେମାନେ ଏହା ଶୁଣିବାକୁ ପାଇଛନ୍ତି ଯେ ଯୁବ ପିଢି ତୁଳନାରେ ପିଲା ଓ ବୟସ୍କମାନେ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି । ପ୍ରତିଦିନ ନ୍ୟୁଜ୍‌ ଦେଖୁଥିବାରୁ ତଥା ନିଜ ସମ୍ପର୍କୀୟଙ୍କ ଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସମ୍ବନ୍ଧିୟ ସୂଚନା ପାଉଥିବାରୁ ସେମାନେ ଭୟରେ କାଳାତିପାତ କରୁଛନ୍ତି” ବୋଲି ମଲିକ କହିଲେ । 

ବିଦ୍ୟାଳୟରେ ଭାଟିରେ କାମ କରୁଥିବା ଶ୍ରମିକମାନଙ୍କ ପିଲାମାନଙ୍କୁ ନୋଟ୍‌ବୁକ୍‌ ଓ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ହେଲେ, ସଟ୍‌ଡାଉନ୍‌ ଯୋଗୁଁ ଏ ସବୁ ବନ୍ଦ ଥିବାରୁ ପିଲାମାନଙ୍କ ବାପାମା’ଙ୍କୁ ସେମାନଙ୍କ ମଜୁରୀରୁ ମେ ମାସ ଶେଷ ପର୍ଯ୍ୟନ୍ତ ଦୁଇ ମାସ ହେବ ପିଲାଙ୍କ ପାଇଁ ଆବଶ୍ୟକ ଅତିରିକ୍ତ ଭୋଜନ ବ୍ୟବସ୍ଥା କରିବାକୁ ପଡିଲା ।

କୁନିଙ୍କ ପୁଅ, ଭକ୍ତ, ତାଙ୍କୁ କାମରେ ସହଯୋଗ କରିବାକୁ ତେଲେଙ୍ଗାନା ଆସିବା ପାଇଁ ୮ମ ଶ୍ରେଣୀରେ ପଢା ବନ୍ଦ କରିଦେଲେ; ତାଙ୍କର ସାନ ଭାଇ ଜଗନ୍ନାଥ ମଧ୍ୟ ତାଙ୍କ ସହିତ ଆସିବା ପାଇଁ ୩ ଶ୍ରେଣୀ ଅଧାରୁ ପାଠ ଛାଡିଦେଲେ । ଗ୍ରାମରେ ପୁଅମାନଙ୍କୁ ଛାଡି ଆସିବା ସୁବିଧା ନଥିବାରୁ ସେ ନିଜ ପିଲାଙ୍କୁ ତାଙ୍କ ସହିତ ଆଣିଛନ୍ତି । “ଏଠାରେ ମଧ୍ୟ ପିଲାମାନେ ସେମାନଙ୍କ ପାଠ ପଢା ଜାରି ରଖିପାରିବେ ବୋଲି ସର୍ଦ୍ଦାର  କହିଥିଲେ, ହେଲେ ଆମେ ଏଠାକୁ ଆସିବା ପରେ ସେମାନେ ଭକ୍ତର ନାମ ଲେଖାଇବାକୁ ବାରଣ କଲେ,” ବୋଲି ସେ କହିଲେ । କାର୍ଯ୍ୟସ୍ଥଳରେ ଥିବା ବିଦ୍ୟାଳୟଗୁଡିକରେ କେବଳ ୧୪ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କର ନାମ ଲେଖାଯାଇ ପାରିବ, ଏହା କୁନିଙ୍କୁ ଜଣା ନଥିଲା ଓ ଭକ୍ତଙ୍କ ବୟସ ୧୫ ହୋଇଯାଇଥିବାରୁ ସେ ଏଥିପାଇଁ ଯୋଗ୍ୟ ହୋଇ ପାରିଲେ ନାହିଁ । ଏଣୁ ଭକ୍ତ ମା’ଙ୍କୁ ଇଟା ବୋହିବା କାମରେ ସହଯୋଗ କଲେ, ହେଲେ ତାଙ୍କ କାମ ପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳୁନାହିଁ ।

ସୁମିତ୍ରାଙ୍କ ଦ୍ୱିତୀୟ ପୁଅ, ସୁବଳ,୧୬, ମଧ୍ୟ ବିଦ୍ୟାଳୟକୁ ଯାଇ ପାରିଲେ ନାହିଁ । “ସେ ଭାଟି ପାଖରେ ଥିବା ଏକ କୁକୁଡା ଫାର୍ମରେ କାମ କରୁଛନ୍ତି । ତାଙ୍କୁ ଏ ପର୍ଯ୍ୟନ୍ତ କିଛି ପାରିଶ୍ରମିକ ମିଳିନାହିଁ । ହେଲେ ମୁଁ ଭାବୁଛି ଯେ ଏହି ସ୍ଥାନ ଛାଡିବା ପୂର୍ବରୁ ସେ ତା‘ ମାଲିକଙ୍କ ପାଖରୁ ତା‘ର ମଜୁରି ପାଇଯିବ,” ବୋଲି ଗୋପାଳ କହିଲେ ।

ତାଲାବନ୍ଦ ସମୟରେ କୁନି ୪୦୦ଟଙ୍କାର ସାପ୍ତାହିକ ଭତ୍ତା ପାଉଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟସ୍ଥଳ ପରିସର ବାହାରେ ସବୁକିଛିର ଦରଦାମ ବୃଦ୍ଧି ପାଇଥିବାରୁ ସେମାନଙ୍କ ସୀମିତ ସମ୍ବଳ ଯୋଗୁଁ ସେମାନଙ୍କୁ ବହୁତ ହଇରାଣ ହେବାକୁ ପଡୁଛି । “ଖେଚେଡି ପ୍ରସ୍ତୁତ କରିବା ପାଇଁ ଯେଉଁ ଚାଉଳ ସେମାନ କେଜି ପ୍ରତି ୨୦ଟଙ୍କାରେ ପାଉଥିଲେ, ବର୍ତ୍ତମାନ ତାହା ଦୋକାନରେ କେଜି ପ୍ରତି ୩୫ଟଙ୍କା ଦରରେ ବିକ୍ରି ହେଉଛି,” ବୋଲି କୁନି କୁହନ୍ତି । ଏପ୍ରିଲରେ ସେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଣ୍ଟା ଯାଇଥିବା ରାଜ୍ୟ ସରକାରଙ୍କ ରିଲିଫ୍‌ ସାମଗ୍ରୀ ପାଇଥିଲେ – ୧୨ କିଲୋ ଚାଉଳ ଓ ପ୍ରତ୍ୟେକ ଶ୍ରମିକଙ୍କୁ ୫୦୦ ଟଙ୍କା । ହେଲେ, ମେ ମାସରେ କିଛି ମିଳିଲା ନାହିଁ ।
The 48 families working at the kiln lived on the premises with barely any facilities, and were waiting to return to Odisha
PHOTO • Varsha Bhargavi

ଭାଟିରେ କାମ କରୁଥିବା  ୪୮ ପରିବାର ଭାଟି ପରିସରରେ ରୁହନ୍ତି ଯେଉଁଠାରେ ସାଧାରଣ ସୁବିଧା ମଧ୍ୟ ଉପଲବ୍ଧ ହେଉନାହିଁ ଓ ସେମାନେ ଓଡିଶା ଫେରିବାକୁ ଅପେକ୍ଷା କରି ରହିଛନ୍ତି

ସାଙ୍ଗାରେଡ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଜି.ବୀରା ରେଡ୍ଡି ଆମକୁ କହିଥିଲେ ଯେ ଏପ୍ରିଲରେ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣା ଚାଉଳ ଓ ନଗଦ ବାଣ୍ଟିବା ପାଇଁ ସରକାରୀ ଆଦେଶ ଜାରି କରାଯିବା ପରେ ସେମାନେ ତେଲେଙ୍ଗାନା ସରକାରଙ୍କ ମୁଖ୍ୟ ସଚିବଙ୍କ ଠାରୁ ଏକ ସର୍କୁଲାର୍‌ ପାଇଥିଲେ । “ଏଥିରେ ଉଲ୍ଲେଖ ହୋଇଥିଲା ଯେ ଯେଉଁ ଶ୍ରମିକମାନେ ଇଟା ଭାଟିରେ କାମ କରି ସେମାନଙ୍କ ମଜୁରି ପାଉଛନ୍ତି ଏହା ସେମାନଙ୍କ କ୍ଷେତ୍ରରେ ପ୍ରୟୋଗଯୋଗ୍ୟ ହେବନାହିଁ । ମାଗଣା ରାସନ କେବଳ ତାଲାବନ୍ଦ ସମୟରେ ସ୍ଥାନଚ୍ୟୁତ ହୋଇ ଅସୁବିଧାରେ ପଡିଥିବା ବ୍ୟକ୍ତି ଯେଉଁମାନଙ୍କୁ ସେମାନଙ୍କ ନିଯୁକ୍ତିଦାତାଙ୍କ ଠାରୁ ମଜୁରି ମିଳୁନାହିଁ, ସେମାନଙ୍କ ପାଇଁ ଉଦ୍ଦିଷ୍ଟ,” ବୋଲି ସେ କହିଲେ ।

ଭାଟି ଅଞ୍ଚଳରେ ବିଷାଦପୂର୍ଣ୍ଣ ଭାବେ ରହୁଥିବା ଶ୍ରମିକମାନଙ୍କ କଥା ପଚରାଯିବାରୁ, ସେ ଉତ୍ତରରେ କହିଲେ ଯେ, “ଶ୍ରମିକ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ମଜବୁତ ସମ୍ପର୍କ ରହିଛି, ଯେଉଁଥିରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଚାହିଁବ ନାହିଁ”। 

ମେ ୨୨ରେ ଯେତେବେଳେ ଆମେ ଇଟା ଭାଟି ପରିଦର୍ଶନରେ ଯାଇଥିଲୁ, ସେତେବେଳେ ଶ୍ରମିକ ଠିକାଦାର ପ୍ରତାପ ରେଡ୍ଡି ଆମକୁ କହିଥିଲେ ଯେ ଶ୍ରମିକମାନଙ୍କ ସମସ୍ତ ପ୍ରକାର ଯତ୍ନ ନିଆଯାଉଛି । “ସେମାନେ ସେମାନଙ୍କ ଘରକୁ ଫେରିବାକୁ ଇଚ୍ଛା କରୁଥିବାରୁ  ସେମାନଙ୍କ କାମ ଶେଷ କରିବା ସଙ୍ଗେ ସଙ୍ଗେ ଆମେ ସେମାନଙ୍କୁ ପଠାଇଦେବୁ,” ବୋଲି ସେ କହିଥିଲେ ।

ହେଲେ, ଉଭୟ ସୁମିତ୍ରା ଓ କୁନି ଯେତେ ଶୀଘ୍ର ସମ୍ଭବ ସେମାନଙ୍କ ଘରେ ପହଞ୍ଚିବା ପାଇଁ ଆତୁରତା ସହିତ ଚାହିଁ ବସିଛନ୍ତି । “ଆମେମାନେ ପୁଣି ନଭେମ୍ବରରେ ଭାଟିକୁ ଆସିବୁ । ହେଲେ, କରୋନା ଦ୍ୱାରା ଆମର ପିଲାମାନେ ସଂକ୍ରମିତ ହେବା ସମ୍ଭାବନା ଥିବାରୁ ଆମେ ବର୍ତ୍ତମାନ ଆମ ଘରକୁ ଫେରି ଯିବାକୁ ଚାହୁଁଛୁ” ବୋଲି ସୁମିତ୍ରା କହିଲେ । 

ତାଲାବନ୍ଦ ସମୟରେ କୁନି ଅନ୍ୟ ଏକ ବିଷୟ ନେଇ ମଧ୍ୟ ଚିନ୍ତିତ ରହୁଛନ୍ତି । “ଆଉ ଅଳ୍ପ ଦିନରେ ବର୍ଷା ଆରମ୍ଭ ହୋଇଯିବ । ଯଦି ଆମେ ସଠିକ୍‌ ସମୟରେ ଗାଁରେ ପହଞ୍ଚି ପାରିବୁନି ତାହାହେଲେ ଆମକୁ ଚାଷ ଜମିରେ କାମ ମିଳିବନି ଓ ଆମକୁ ବିନା କାମ ତଥା ଆୟରେ ରହିବାକୁ ହେବ ।“

ପରବର୍ତ୍ତୀ ଲେଖ : ମେ ୨୩ରେ, ସେମାନଙ୍କ ସହିତ ଦେଖା ହେବାର ଗୋଟିଏ ଦିନ ପରେ, ଭାଟିରେ କାମ କରୁଥିବା ସମସ୍ତ ଶ୍ରମିକଙ୍କୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଓଡିଶା ପଠାଯାଇଥିଲା । ଜୁନ୍‌ ୨ରେ, ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି ବେଳେ ତେଲେଙ୍ଗାନା ହାଇ କୋର୍ଟ ଓଡିଶାର ସମସ୍ତ ପ୍ରବାସୀ ଶ୍ରମିକଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ ଆଦେଶ ଜାରି କରିଥିଲେ । 

ଜୁନ୍‌ ୯ରେ ତେଲେଙ୍ଗାନା ଶ୍ରମ ଅଧିକାରୀ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ ଯେଉଁଥିରେ ବିଭିନ୍ନ ଭାଟିରେ ବଳକା ୧୬,୨୫୩ ଜଣ ଶ୍ରମିକ ରହିଥିବା ଓ ସେହି ଭାଟି ମାଲିକମାନେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଉଥିବା କଥା କୁହାଯାଇଛି । ରାଜ୍ୟର ଆଡ୍‌ଭୋକେଟ୍‌ ଜେନେରାଲ୍‌ କୋର୍ଟକୁ କହିଛନ୍ତି ଯେ ଜୁନ୍‌ ୧୧ରେ ପାଞ୍ଚଟି ଶ୍ରମିକ ଟ୍ରେନ୍‌ ୯,୨୦୦ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ତେଲେଙ୍ଗାନାରୁ ଓଡିଶା ଅଭିମୁଖେ ବାହାରିବ । ସେ ଏହା ମଧ୍ୟ କହିଛନ୍ତି ଯେ  ଇଟା ଭାଟିରେ କାମ କରୁଥିବା ବାକି ଶ୍ରମିକଙ୍କୁ ସେମାନଙ୍କ ନିଜ ସ୍ଥାନରେ ପହଞ୍ଚାଇବା ପାଇଁ ଜୁନ୍‌ ୧୨ରୁ ଆଉ ଏକ ଟ୍ରେନ ବାହାରିବ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Varsha Bhargavi

ବର୍ଷା ଭାର୍ଗବୀ ହେଉଛନ୍ତି ତେଲେଙ୍ଗାନାରେ ରହୁଥିବା ଜଣେ ଶ୍ରମିକ ଓ ପିଲାଙ୍କ ଅଧିକାର ପାଇଁ ଲଢୁଥିବା ସାମାଜିକ କର୍ମୀ ଓ ଲିଙ୍ଗଗତ ସଚେତନତା ପ୍ରଶିକ୍ଷକ ।

Other stories by Varsha Bhargavi