“ଆମେ ଏକ ଗୁପ୍ତ ମାର୍ଗରେ ବାହାରିଛୁ । କିନ୍ତୁ ଆମେ କ’ଣ କରିପାରିବୁ? ଯଦି ଆମ ପାଖରେ କଞ୍ଚାମାଲ ଥାଆନ୍ତା, ଆମେ ଘରେ ବସିପାରିଥାନ୍ତୁ, ଝୁଡ଼ି ବୁଣିଥାଆନ୍ତୁ ଏବଂ ସେଗୁଡ଼ିକୁ ପ୍ରସ୍ତୁତ ରଖିଥାଆନ୍ତୁ,” କୁହନ୍ତି ଝୁଡ଼ି ତିଆରି କରୁଥିବା ତେଲଙ୍ଗାନାର କଙ୍ଗଲ ଗ୍ରାମର ଏକ ଦଳ। ସେମାନଙ୍କର ଗୁପ୍ତ ମାର୍ଗ? ଏମିତି ଏକ ରାସ୍ତା ଅଛି ଯେଉଁଠି ନା ପୋଲିସ ବ୍ୟାରିକେଡ ଅଛି ନା ଅଛି ଗ୍ରାମବାସୀଙ୍କ ଦ୍ୱାରା ରଖାଯାଇଥିବା କଣ୍ଟା ଗଛର ବାଡ଼।

ଏପ୍ରିଲ ୪ ତାରିଖରେ, ନେଲିଗୁନ୍ଦାରଶୀ ରାମୁଲାମ୍ମାଙ୍କ ସହିତ ୪ ଜଣ ମହିଳା ଓ ଜଣେ ପୁରୁଷ ସକାଳ ପ୍ରାୟ ୯ଟା ସମୟରେ କଙ୍ଗଲଠାରୁ ୭ କିମି ଦୂର ଭେଲିଦାନ୍ଦୁପାଡୁ ପଡ଼ାକୁ ତାଳ ବରଡ଼ା ସଂଗ୍ରହ କରିବାକୁ ବାହାରିଥିଲେ। ଏସବୁଥିରେ ସେମାନେ ଝୁଡ଼ି ବୁଣିଥାଆନ୍ତି । ସେମାନେ ସାଧାରଣତଃ ସରକାରୀ ଜମିରୁ ଏସବୁ ବରଡ଼ା ସଂଗ୍ରହ କରିଥାନ୍ତି, କିମ୍ବା ଚାଷ ଜମିରୁ ସଂଗ୍ରହ କରିଥାନ୍ତି ଓ ଏହାର ବଦଳରେ ଚାଷୀଙ୍କୁ କିଛି ଝୁଡ଼ି ଦେଇଥାନ୍ତି ।

କଙ୍ଗଲର ଝୁଡ଼ି ପ୍ରସ୍ତୁତକାରୀଙ୍କ ପାଇଁ ଝୁଡ଼ି ବିକ୍ରି କରିବା ଲାଗି ମାର୍ଚ୍ଚରୁ ମେ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ । ଏମାନେ ୟେରୁକୁଲା ସମୁଦାୟର ଏବଂ ଏମାନଙ୍କୁ ତେଲଙ୍ଗାନାରେ ତଫସିଲଭୁକ୍ତ ଜନଜାତିର ମାନ୍ୟତା ମିଳିଛି । ବରଡ଼ା ଶୁଖିବା ପାଇଁ ଖରା ଦିନ ଅତ୍ୟନ୍ତ ଉପଯୋଗୀ ସମୟ।

ବର୍ଷର ଅବଶିଷ୍ଟ ସମୟ, ସେମାନେ କୃଷି ଶ୍ରମିକଭାବେ କାମ କରିଥାନ୍ତି, ଦୈନିକ ୨୦୦ ଟଙ୍କା ମଜୁରି ପାଇଥାନ୍ତି । କପା ଅମଳ ସମୟ, ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ସେମାନେ ଦିନକୁ ୭୦୦ରୁ ୮୦୦ ଟଙ୍କା ରୋଜଗାର କରିଥାନ୍ତି । କାମର ପରିମାଣକୁ ଆଧାର କରି ପାଖାପାଖି ୧ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଏପରି ସୁଯୋଗ ମିଳିଥାଏ।

ଚଳିତ ବର୍ଷ, କୋଭିଡ-୧୯ ଲକ୍‌ଡାଉନ କାରଣରୁ ସେମାନଙ୍କର ଝୁଡ଼ି ବିକ୍ରିରୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। “ଯେଉଁମାନଙ୍କର ଟଙ୍କା ଅଛି ସେମାନେ ଖାଉଛନ୍ତି। କିନ୍ତୁ ଆମ ପାଖରେ ନାହିଁ। ସେଥିପାଇଁ ଆମେ ବାହାରକୁ ଆସିଛୁ (ବରଡ଼ା ସଂଗ୍ରହ ପାଇଁ)। ନହେଲେ ଆମେ କ’ଣ କରିବୁ ? ପ୍ରଶ୍ନ କରନ୍ତି ୭୦ ବର୍ଷ ବୟସ୍କା ରାମୁଲାମ୍ମା।

The baskets Ramulamma (left), Ramulu (right) and others make are mainly used at large gatherings like weddings to keep cooked rice and other edible items. From March 15, the Telangana government imposed a ban on such events
PHOTO • Harinath Rao Nagulavancha
The baskets Ramulamma (left), Ramulu (right) and others make are mainly used at large gatherings like weddings to keep cooked rice and other edible items. From March 15, the Telangana government imposed a ban on such events
PHOTO • Harinath Rao Nagulavancha

ରାମୁଲାମ୍ମା (ବାମ), ରାମୁଲୁ (ଡାହାଣ) ଏବଂ ଅନ୍ୟମାନେ ଯେଉଁ ଝୁଡ଼ି ତିଆରି କରିଥାନ୍ତି ତାହା ସାଧାରଣତଃ ବିବାହ ଭଳି ସମାରୋହରେ ଭାତ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରଖିବା ଲାଗି ବ୍ୟବହୃତ ହୋଇଥାଏ । ମାର୍ଚ୍ଚ ୧୫ ତାରିଖ ଠାରୁ ତେଲଙ୍ଗାନା ସରକାର ଏପରି ସମାରୋହ ଉପରେ ଅଙ୍କୁଶ ଲଗାଇଛନ୍ତି ।

ଦୁଇ ତିନି ଦିନ ଧରି ଦୈନିକ ୫-୬ ଘଣ୍ଟା କାମ କରିବା ପରେ ରାମୁଲାମ୍ମା ଓ ଅନ୍ୟମାନେ ୩୦-୩୫ଟି ଝୁଡ଼ି ତିଆରି କରିଥାନ୍ତି । ପରିବାର ସଦସ୍ୟମାନେ ମିଳିମିଶି କାମ କରିଥାନ୍ତି- ରାମୁଲାମ୍ମା ଅନୁମାନ କରି କୁହନ୍ତି ଯେ କଙ୍ଗଲରେ ଏଭଳି ପାଖାପାଖି ୧୦ଟି ଦଳ ରହିଛନ୍ତି । ନାଲଗୋଣ୍ଡା ଜିଲ୍ଲାର କଙ୍ଗଲ ମଣ୍ଡଳରେ ଥିବା ଏହି ଗ୍ରାମରେ ପାଖାପାଖି ୭ହଜାର ଲୋକ ରୁହନ୍ତି, ସେମାନଙ୍କ ମଧ୍ୟରୁ ୨୦୦ ଲୋକ ତଫସିଲଭୁକ୍ତ ଜନଜାତି ସମ୍ପ୍ରଦାୟର ।

“ପ୍ରଥମେ ଆମକୁ ବରଡ଼ା ଉପରେ ଥିବା କଣ୍ଟାକୁ ବାହାର କରିବାକୁ ହୋଇଥାଏ । ପରେ ଆମ ଏହାକୁ ଭିଜାଇ, ଶୁଖାଇ ଓ ବରଡ଼ାକୁ ଚିରି ସେଥିରୁ ପତଳା ଓ ନମନୀୟ ପାତିଆ ତିଆରି କରିଥାଉ । ଏହାପରେ ସେଥିରେ ଝୁଡ଼ି ବୁଣିଥାଉ (ଅନ୍ୟ ସାମଗ୍ରୀ ମିଶାଇ)”, ରାମୁଲାମ୍ମା କୁହନ୍ତି । “ଏବଂ ଏସବୁ କରିସାରିବା ପରେ ଆମେ ଏବେ ସେଗୁଡ଼ିକୁ ବିକ୍ରି କରିପାରୁନାହୁଁ (ଲକଡାଉନ କାରଣରୁ) ।”

ପ୍ରତି ୭ରୁ ୧୦ ଦିନ ଭିତରେ ଜଣେ ବ୍ୟବସାୟୀ ଝୁଡ଼ି ନେବା ପାଇଁ ହାଇଦ୍ରାବାଦରୁ ଆସିଥାନ୍ତି । ଝୁଡ଼ି ବୁଣାକାର ପ୍ରତ୍ୟେକ ଝୁଡ଼ିକୁ ୫୦ ଟଙ୍କାରେ ବିକ୍ରି କରିଥାନ୍ତି - ଏବଂ ସେମାନେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଦୈନିକ ଏଥିରୁ ୧୦୦-୧୫୦ ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ୨୮ ବର୍ଷୀୟା ନେଲିଗୁନ୍ଦାରଶୀ ସୁମତୀ କୁହନ୍ତି, “କେବଳ ଝୁଡ଼ି ବିକ୍ରି ହେଲେ ହିଁ ଆମକୁ ଟଙ୍କା ମିଳିଥାଏ” ।

ତେଲଙ୍ଗାନାରେ ମାର୍ଚ୍ଚ ୨୩ ତାରିଖଠାରୁ ଲକଡାଉନ ଜାରି ହେବା କାରଣରୁ ବ୍ୟବସାୟୀମାନେ କଙ୍ଗଲକୁ ଆସୁନାହାନ୍ତି । “ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଥରେ ଆସିଲେ ସେ ଆମଠାରୁ ଏବଂ ଅନ୍ୟମାନଙ୍କଠାରୁ (ନିକଟସ୍ଥ ଗ୍ରାମ) ଟ୍ରକ ଭର୍ତ୍ତି ଝୁଡ଼ି ନେଇଯାଉଥିଲେ”, ଲକଡାଉନ ପୂର୍ବର ସ୍ଥିତି ବିଷୟରେ ଉଲ୍ଲେଖ କରି ନେଲିଗୁନ୍ଦାରଶୀ ରାମୁଲୁ କୁହନ୍ତି ।

ରାମୁଲୁ ଓ ଅନ୍ୟମାନେ ତିଆରି କରୁଥିବା ଝୁଡ଼ି ସାଧାରଣତଃ ବାହାଘର ଭଳି ସମାରୋହରେ ଭାତରୁ ପେଜ ଗାଳିବା ପାଇଁ କିମ୍ବା ତୈଳଯୁକ୍ତ ବ୍ୟଞ୍ଜନରୁ ତେଲ ବାହାର କରିବା ପାଇଁ ବ୍ୟବହୃତ ହୋଇଥାଏ । ଏଭଳି ସମାରୋହ ଉପରେ ମାର୍ଚ୍ଚ ୧୫ ତାରିଖଠାରୁ ତେଲଙ୍ଗାନା ସରକାର କଟକଣା ଲାଗୁ କରିଛନ୍ତି ।

ମାର୍ଚ୍ଚ ୨୫ରେ ତେଲୁଗୁ ନବବର୍ଷ ଉଗାଦିର ଗୋଟିଏ ସପ୍ତାହ ପୂର୍ବରୁ ସ୍ଥାନୀୟ ବ୍ୟବସାୟୀମାନେ ନେଇଥିବା ଝୁଡ଼ି ବିକ୍ରି ହୋଇନପାରି ପଡ଼ିରହିଛି। ତେଣୁ ଲକଡାଉନ କୋହଳ ହେଲେ କିମ୍ବା ଉଚ୍ଛେଦ କରାଗଲେ ମଧ୍ୟ ସମାରୋହସ୍ଥଳୀ ଖୋଲିଲେ ଯାଇ ବ୍ୟବସାୟୀମାନେ କଙ୍ଗଲକୁ ଆସିବେ ।

Clearing thorns from the silver date palm fronds: Neligundharashi Ramulamma (top left); Neligundharashi Yadamma (top right); Neligundharashi Sumathi  (bottom left), and Ramulu (bottom right)
PHOTO • Harinath Rao Nagulavancha

ତାଳ ବରଡ଼ାରୁ କଣ୍ଟା କାଢ଼ୁଛନ୍ତି : ନେଲିଗୁନ୍ଦାରଶୀ ରାମୁଲାମ୍ମା (ଉପରେ ବାମ); ନେଲିଗୁନ୍ଦାରଶୀ ୟାଦମ୍ମା (ଉପରେ ଡାହାଣ); ନେଲିଗୁନ୍ଦାରଶୀ ସୁମତୀ (ତଳେ ବାମ), ଏବଂ ରାମୁଲୁ (ତଳେ ଡାହାଣ)

“ଲକଡାଉନ ପରେ ଆମଠାରୁ ସବୁ ଝୁଡ଼ି କିଣିନେବ ବୋଲି ସେ ଆମକୁ (ଫୋନ୍‌)ରେ ଆଶ୍ୱାସନା ଦେଇଥିଲା”, କୁହନ୍ତି ସୁମତୀ । ଏହି ଉତ୍ପାଦଗୁଡ଼ିକ ନଷ୍ଟ ହେଉନଥିବାରୁ ସେ ଓ ଅନ୍ୟ ବୁଣାକାରମାନେ କିଛି ନଷ୍ଟ ହେବ ନାହିଁ ବୋଲି ଆଶା ବାନ୍ଧିଛନ୍ତି । କିନ୍ତୁ କଙ୍ଗଲର ସବୁ ଘରେ ଝୁଡ଼ି ଭର୍ତ୍ତି ହୋଇ ରହିଥିବାରୁ ଲକଡାଉନ ପରେ କେତେ ଟଙ୍କାରେ ଏସବୁ ବିକ୍ରି ହେବ ତା’କୁ ନେଇ ସନ୍ଦେହ ରହିଛି ।

ଲକଡାଉନ ପୂର୍ବରୁ, ଉଗାଦିର ଗୋଟିଏ ସପ୍ତାହ ପୂର୍ବରୁ, ବ୍ୟବସାୟୀଙ୍କୁ ଝୁଡ଼ି ବିକ୍ରି କରି ସେମାନେ ଯେଉଁ ଟଙ୍କା ରୋଜଗାର କରିଥିଲେ, ସେଥିରେ ରାମୁଲୁଙ୍କ ସ୍ତ୍ରୀ ନେଲିଗୁନ୍ଦାରଶୀ ୟାଦମ୍ମା ୧୦ ଦିନ ପାଇଁ ବିଭିନ୍ନ ସାମଗ୍ରୀ କିଣି ଦେଇଥିଲେ। ଝୁଡ଼ି ବୁଣାକାରମାନେ ସାଧାରଣତଃ କଙ୍ଗଲରେ ଥିବା ସ୍ଥାନୀୟ ବଜାର ଓ ପିଡିଏସ (ସାଧାରଣ ବଣ୍ଟନ ବ୍ୟବସ୍ଥା) କେନ୍ଦ୍ରରୁ ଚାଉଳ, ଡାଲି, ଚିନି, ଲଙ୍କାଗୁଣ୍ଡ ଏବଂ ତେଲ ଭଳି ଜରୁରୀ ସାମଗ୍ରୀ ନିୟମିତ ଓ ସୀମିତ ପରିମାଣରେ କିଣିଥାନ୍ତି। ଏପ୍ରିଲ ୪ ତାରିଖ ଦିନ ମୁଁ ଯେତେବେଳେ ୟାଦମ୍ମାଙ୍କୁ ଭେଟିଲି ତାଙ୍କ ପାଖରେ ବଜାରରୁ ଆଣିଥିବା ଚାଉଳ ସରିଯାଇଥିଲା ଏବଂ ସେ ଗତମାସରୁ ବଳକା ଥିବା ପିଡିଏସ ଚାଉଳ ରାନ୍ଧୁଥିଲେ । ତେଲଙ୍ଗାନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ମାସିକ ୬ କିଗ୍ରା ଲେଖାଏଁ ଚାଉଳ କିଲୋପ୍ରତି ୧ ଟଙ୍କା ଦରରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏଠାକାର ବଜାରରୁ ଚାଉଳ କିଣିଲେ କିଲୋପ୍ରତି ୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ତେବେ, ଲକଡାଉନର କିଛି ଦିନ ପୂର୍ବରୁ ୟାଦମ୍ମା ଓ ଅନ୍ୟମାନେ ପିଡିଏସ କେନ୍ଦ୍ରରୁ ଆଣିଥିବା ଚାଉଳ ଖାଇବା ଯୋଗ୍ୟ ନଥିଲା-ରନ୍ଧା ହେଲେ ପେଜୁଆ ହୋଇଯାଉଥିଲା ଏବଂ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା। ୟାଦମ୍ମା ବ୍ୟଙ୍ଗାତ୍ମକ ଶୈଳୀରେ କହିଥିଲେ, “ଏହା ସୁଆଦିଆ ଭାତ, ଖାଇ, ଖାଇ ମରିଯାଅ”।

ତଥାପି, ସେମାନେ ନିୟମିତ ଭାବେ ଘରକୁ ପିଡିଏସ ଚାଉଳ ଆଣୁଥିଲେ, କାରଣ ଯଦି ସେମାନେ ନିୟମିତ ସଂଗ୍ରହ କରିବେ ନାହିଁ ତା’ ହେଲେ ସେମାନଙ୍କର ରାସନ କାର୍ଡ କଟିଯିବାର ଭୟ ରହିଛି । ୟାଦମ୍ମା ସେହି ଚାଉଳକୁ ଆଣି ଗୁଣ୍ଡ କରିଦିଅନ୍ତି ଏବଂ ସେଥିରେ ନିଜ ପାଇଁ, ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ପାଇଁ ରାତିରେ ଖାଇବା ପାଇଁ ରୁଟି ପ୍ରସ୍ତୁତ କରିଥାନ୍ତି । ଲକ୍‌ଡାଉନ୍‌ ପୂର୍ବରୁ, ସେମାନେ ବଜାରରୁ ଆଣିଥିବା ଅଧିକ ଦାମୀ ଚାଉଳ ଓ ପନିପରିବାରେ ସକାଳ ଓ ଦ୍ୱିପ୍ରହରର ଖାଦ୍ୟ ପ୍ରସ୍ତୁତ କରୁଥିଲେ । ଏପରି ଭଲ ଚାଉଳ ଓ ପନିପରିବା କିଣିବାକୁ ହେଲେ ଝୁଡ଼ି ବୁଣାକାରଙ୍କ ପାଇଁ ନିୟମିତ ରୋଜଗାର ଦରକାର । “ଏସବୁ ହିଁ ଏହି ଦୁର୍ବଳ ଜାତିର ସମସ୍ୟା”, କୁହନ୍ତି ରାମୁଲାମ୍ମା ।

ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ପଣ୍ୟାଗାରରେ ମହଜୁଦ ହୋଇ ରହିଥିବା ଖାଦ୍ୟଶସ୍ୟ ରାଜ୍ୟ ସରକାର ବଣ୍ଟନ କରିଥାନ୍ତି । ଏଫସିଆଇର ଗୁଣବତ୍ତା ନିୟନ୍ତ୍ରଣ ମାନୁଆଲରେ ଉଲ୍ଲେଖ ରହିଛି ଯେ ଚଢ଼େଇ ମଳ, ଘରଚଟିଆର ପର, ମୂଷାଙ୍କ ମୂତ୍ର, ପୋକ, କୀଟ ଆଦିର ସଂକ୍ରମଣ, ଖାଦ୍ୟଶସ୍ୟକୁ ନଷ୍ଟ କରିଦେଇପାରେ । ତେଣୁ ବେଳେ ବେଳେ, ପଚା ରସୁଣ ଭଳି ଗନ୍ଧ ହେଉଥିବା ମିଥାଇଲ ବ୍ରୋମାଇଡ ଓ ଫସଫାଇନ ଭଳି ରାସାୟନିକକୁ ଏଥିରେ ଧୂମବିଶୋଧକ ଭାବେ ବ୍ୟବହାର କରାଯାଇଥାଏ । କଙ୍ଗଲର ଲୋକମାନେ ନିମ୍ନମାନର ପିଡିଏସ ଚାଉଳ ପାଇବା ପଛରେ ବୋଧହୁଏ ଏଗୁଡ଼ିକ କାରଣ ହୋଇଥାଇପାରେ । “ଆମ ପିଲାମାନେ ଏ ଚାଉଳ ଖାଉନାହାନ୍ତି”, କୁହନ୍ତି ଆଉ ଜଣେ ଝୁଡ଼ି ବୁଣାକାର ନେଲିଗୁନ୍ଦାରଶୀ ଭେଙ୍କଟାମ୍ମା ।

'Some are eating relief rice mixed with rice bought in the market', says Ramulu; while with unsold baskets piling, it is not clear if their prices will remain the same
PHOTO • Harinath Rao Nagulavancha
'Some are eating relief rice mixed with rice bought in the market', says Ramulu; while with unsold baskets piling, it is not clear if their prices will remain the same
PHOTO • Harinath Rao Nagulavancha

‘କିଛି ଲୋକ ରିଲିଫ ଚାଉଳ ସହିତ ବଜାରରୁ କିଣି ଆଣିଥିବା ଚାଉଳ ମିଶାଇ ଖାଉଛନ୍ତି’, କୁହନ୍ତି ରାମୁଲୁ; ବିକ୍ରି ହୋଇନଥିବା ଝୁଡ଼ି ମହଜୁଦ ହୋଇ ରହିଥିବାରୁ ସେଗୁଡ଼ିକର  ଦର ଆଗ ଭଳି ସମାନ ରହିବ କି ନାହିଁ ସନ୍ଦେହ ।

ଯଦିଓ ବର୍ତ୍ତମାନ ପାଇଁ ଗୁଣବତ୍ତା ସମସ୍ୟା କିଛି ମାତ୍ରାରେ ଦୂର ହୋଇଛି । ରାମୁଲୁ ଓ ତାଙ୍କ ପରିବାର ଏବଂ କଙ୍ଗଲର ଅନ୍ୟ ବାସିନ୍ଦା ରାଜ୍ୟ ସରକାରଙ୍କ କୋଭିଡ-୧୯ ରିଲିଫ ପ୍ୟାକେଜର ଅଂଶବିଶେଷ ସ୍ୱରୂପ ଜଣେ ଲୋକ ପିଛା ୧୨ କିଗ୍ରା ଲେଖାଏଁ ଚାଉଳ ଓ ପରିବାର ପିଛା ୧୫୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏପ୍ରିଲ ଓ ମେ ଦୁଇ ମାସ ପାଇଁ ସେମାନଙ୍କୁ ଏହି ସହାୟତା ମିଳିଛି । ଆମେ ପିଡିଏସରୁ ପାଉଥିବା ଚାଉଳଠାରୁ ଏହା ଉନ୍ନତ ମାନର ବୋଲି ରାମୁଲୁ କହିଥିଲେ । କିନ୍ତୁ ମେ ୬ ତାରିଖରେ ସେ ମୋତେ ଫୋନରେ କହିଲେ ଯେ “ରିଲିଫ ପ୍ୟାକେଜରେ ମିଳିଥିବା ଚାଉଳ ଭଲ ନୁହେଁ । କିଛି ଭଲ ଚାଉଳ ଅଛି ଏବଂ କିଛି ଭଲ ନାହିଁ । ଆମେ ଏବେ ଏହାକୁ ଖାଉଛୁ । କିଛି ଲୋକ ରିଲିଫ ଚାଉଳ ସହିତ ବଜାରରୁ କିଣି ଆଣିଥିବା ଚାଉଳ ମିଶାଇ ଖାଉଛନ୍ତି ।”

ଏପ୍ରିଲ ୧୫ ତାରିଖରେ ମୁଁ ଯେତେବେଳେ ରାମୁଲୁଙ୍କୁ ଭେଟିଲି ସେ କଙ୍ଗଲରେ ଥିବା ସରକାରୀ ଧାନ ସଂଗ୍ରହ କେନ୍ଦ୍ରରେ ଦିନ ମଜୁରିଆ ଭାବେ କାମ ପାଇଥିଲେ । ଏପ୍ରିଲ ଓ ମେ ମାସରେ ଏହି କାମ ସାଧାରଣତଃ ମିଳିଥାଏ । ତେବେ ଏହି କାମ ପାଇଁ ଅଧିକ ଲୋକ ଆଗ୍ରହୀ ଥିବାରୁ ତାଙ୍କୁ ଦିନେ ଛଡ଼ା ଦିନେ କାମ ମିଳୁଛି ଏବଂ ଦିନକୁ ୫୦୦ଟଙ୍କା ମଜୁରି ମିଳୁଛି । ଏହି ଅନିୟମିତ କାମ ମେ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ମିଳିବ, ସେତେବେଳକୁ ଧାନ ସଂଗ୍ରହ ଶେଷ ହୋଇସାରିଥିବ ।

ରାମୁଲାମ୍ମା, ୟାଦମ୍ମା ଏବଂ ଦଳର ଅନ୍ୟ ମହିଳାମାନେ ମଧ୍ୟ ମଝିରେ ମଝିରେ କାମ ପାଉଛନ୍ତି, ଦିନକୁ ୨୦୦-୩୦୦ ଟଙ୍କା ମଜୁରି ମିଳୁଛି । “ଆମେ କପା ଫସଲର ଅବଶେଷ (ଡାଳପତ୍ର ଏବଂ ଅମଳର ଅନ୍ୟ ବର୍ଜ୍ୟବସ୍ତୁ) ସଂଗ୍ରହ କରିବାକୁ ଯାଉଛୁ”, ମେ ୧୨ ତାରିଖ ସକାଳେ ମୋତେ ଫୋନଯୋଗେ କହିଥିଲେ ୟାଦମ୍ମା ।

ସେ ଓ ତାଙ୍କ ପରିବାର ଆଗାମୀ ମାସଗୁଡ଼ିକରେ କ’ଣ ଖାଇବେ ତାହା ସେମାନେ ପାଉଥିବା ପିଡିଏସ କିମ୍ବା ରିଲିଫ ଚାଉଳର ଗୁଣବତ୍ତା, ଏବଂ ସେମାନଙ୍କର ଝୁଡ଼ି ବିକ୍ରି ଓ କୃଷି କାମରୁ ସମ୍ଭାବ୍ୟ ଆୟ ଉପରେ ନିର୍ଭର କରିଥାଏ ।

ଇତ୍ୟବସରରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ମେ ୧ ତାରିଖରେ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ ବିବାହ ଭଳି ସମାରୋହରେ ସର୍ବାଧିକ ୫୦ ଜଣ ଲୋକ ଏକତ୍ରିତ ହୋଇପାରିବେ- ଯଦି ତେଲଙ୍ଗାନାରେ ତାହା ହୁଏ ତେବେ ଝୁଡ଼ି ବିକ୍ରି ପୁଣିଥରେ ଆରମ୍ଭ ହୋଇଯିବ । କିନ୍ତୁ ରାମୁଲୁ କୁହନ୍ତି, “ଆମେ ଏବେ ସୁଦ୍ଧା ଝୁଡ଼ି ବ୍ୟବସାୟୀଙ୍କ ଠାରୁ କୌଣସି ଫୋନ କଲ୍‌ ପାଇନାହୁଁ । ଆମେ ଅପେକ୍ଷା କରିଛୁ” ।

ରାମୁଲାମ୍ମା କହିଥିଲେ, “ଅତିକମରେ ୫-୬ ମାସ ପାଇଁ ଝୁଡ଼ିଗୁଡ଼ିକ ନଷ୍ଟ ହୋଇଯିବ ନାହିଁ, କିନ୍ତୁ ସେ (କ୍ରେତା) ଆମକୁ  ଏବେ ବି କଲ୍‌ କରିନାହିଁ । କରୋନା ଯାଇନାହିଁ ”।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Other stories by Harinath Rao Nagulavancha