ପୁତ୍ତାନା କହନ୍ତି, “ରାଜନେତାମାନେ ଯେତେବେଳେ ଆମ ସହରକୁ ଆସନ୍ତି, ସେମାନେ ଅଟକନ୍ତି ବି ନାହିଁ। ସେମାନେ କେବଳ ହାତ ହଲାଇ ନିଜ କାର୍‌ରେ ପଳାଇ ଯାଆନ୍ତି । ସେମାନଙ୍କ ପାଖରୁ ୫୦ ଫୁଟ୍‌ ଭିତରେ ବି ଆମକୁ ରହିବାକୁ ଦିଆଯାଏନି ।”

କର୍ଣ୍ଣାଟକର ତୁମକୁର ଜିଲ୍ଲାରେ ଥିବା ମଧୁଗିରି ସହରରେ, ହାତରେ ମଇଳା ଉଠାଉଥିବା ଜଣେ ମେହେନ୍ତର ଭାବେ ପୁତ୍ତାନା କାମ କରିବାର ୧୧ବର୍ଷ ଭିତରେ ଦୁଇଟି ଜାତୀୟ ନିର୍ବାଚନ ଆସିଛି ଆଉ ଯାଇଛି, ଏବଂ ତୃତୀୟଟି ଏବେ ପାଖେଇ ଆସିଲାଣି । ଏଇ ସପ୍ତାହରେ, ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହେବା ସହିତ ଏପ୍ରିଲ୍‌୧୮ ତାରିଖ ଦିନ ତୁମକୁରରେ ଭୋଟ୍‌ ନିଆଯିବ ।

ଏହି ନିର୍ବାଚନମଣ୍ଡଳୀରେ ଦୁଇ ମହାରଥୀଙ୍କ ମଧ୍ୟରେ ଲଢ଼େଇ ହେବ: ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଏବଂ ଚାରି ଥର ସାଂସଦ ରହିଥିବା ୭୭ ବର୍ଷୀୟ ଜି.ଏସ୍‌. ବାସବରାଜ ଏବଂ କଂଗ୍ରେସ-ଜନତା ଦଳ (ସେକୁଲାର) ଶାସକ ମେଣ୍ଟର ପ୍ରାର୍ଥୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ୮୬ ବର୍ଷ ବୟସ୍କ ଏଚ୍‌.ଡି.ଦେବେ ଗୌଡ଼ା ।

ହେଲେ ଏମାନଙ୍କ ମଧ୍ୟରୁ କିଏ ଜିତିଲେ ଭଲ ହେବ ବୋଲି ମଧୁଗିରିର ସଫେଇ କର୍ମଚାରୀମାନଙ୍କୁ ପଚାରନ୍ତୁ ଏବଂ ଆପଣଙ୍କୁ ମିଳିଯିବ ଠୋସ୍‌ ଉତ୍ତର । ୪୫ ବର୍ଷ ବୟସ୍କ ପୁତ୍ତାନାଙ୍କ ଭଳି, ସେମାନଙ୍କ ମଧ୍ୟରୁ ଅନେକ ମାଡ଼ିଗା ଦଳିତ ସଂପ୍ରଦାୟର, ଯାହାକି ଏକ ଶୋଷିତ ଉପଜାତି ଏବଂ ଯେଉଁମାନଙ୍କର କାମ ପ୍ରାୟତଃ ହାତରେ ମଇଳା ଉଠାଇବାରେ ହିଁ ସୀମିତ । (ଏହି ରିପୋର୍ଟ ପାଇଁ ଯେଉଁ କର୍ମଚାରୀମାନଙ୍କର ସାକ୍ଷାତ୍‌କାର ନିଆଯାଇଥିଲା, ସେମାନେ ସମସ୍ତେ ଚାହିଁଥିଲେ ଯେ, ସେମାନଙ୍କର ପ୍ରଥମ ନାମ ହିଁ ବ୍ୟବହାର କରାଯାଉ।) କର୍ଣ୍ଣାଟକ ରାଜ୍ୟ ସଫେଇ କର୍ମଚାରୀ କମିଶନଙ୍କ ପକ୍ଷରୁ୨୦୧୭ ମସିହା ଅଗଷ୍ଟରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ କର୍ଣ୍ଣାଟକରେ ହାତରେ ମଇଳା ସଫା କରୁଥିବା ମେହେନ୍ତରଙ୍କ ସଂଖ୍ୟା ତୁମକୁରରେ ସର୍ବାଧିକ। ରାଜନୈତିକ ନେତାଙ୍କ ଉପରୁ ସେମାନେ ଆସ୍ଥା ହରାଇବାର ମାତ୍ର କେଇଟି କାରଣ ହେଉଛି-ଅମାନବୀୟ କାମ, ଅତି କମ୍‌ ବେତନ ଏବଂ ବର୍ଷ ବର୍ଷ ଧରି ଘର ଖଣ୍ଡିଏରୁ ବଞ୍ଚିତ ରହିବା।

Puttanna (left) and Manjunath (right) standing next to their waste disposal pickup truck. The two men also drive a jetting machine to clean open drains and septic tanks. Often, they must immerse themselves in  these pits to stir the waste and make it more soluble for the technological incompetent machine to do the job
PHOTO • Priti David

ମଧୁଗିରିରେ ସେମାନଙ୍କ ଆବର୍ଜନା ବୁହା ଗାଡ଼ି ପାଖରେ ପୁତ୍ତାନା (ବାମ) ଏବଂ ମଞ୍ଜୁନାଥ (ଡାହାଣ): “ରାଜନେତାମାନେ ଯେତେବେଳେ ଆମ ସହରକୁ ଆସନ୍ତି, ସେମାନେ ଅଟକନ୍ତି ବି ନାହିଁ... ।

ଦଳିତ ସଂପ୍ରଦାୟର ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ତୁମକୁରର ଏକ ସଂସ୍ଥା, ଥାମେଟ୍‌: ସେଣ୍ଟର ଫର୍‌ ରୁରାଲ ଏମ୍ପାୱାର୍‌ମେଣ୍ଟ୍‌ର ସଂସ୍ଥାପକ କେ.ବି.ଓବ୍‌ଲେଶ କହନ୍ତି, “ଜାତୀୟ ନିର୍ବାଚନର ପ୍ରାର୍ଥୀମାନଙ୍କ ପାଇଁ ହାତରେ ମଇଳା ଉଠାଇବା ଏକ ଯଥାର୍ଥ ପ୍ରସଙ୍ଗ ନୁହେଁ।’’ ‘‘୨୦୧୧ର ସାମାଜିକ-ଅର୍ଥନୈତିକ ଓ ଜାତିଭିତ୍ତିକ ଜନଗଣନା ଅନୁସାରେ ତୁମକୁରରେ ରହୁଥିବା (ସଫେଇ) କର୍ମଚାରୀଙ୍କ ସଂଖ୍ୟା ହେଉଛି ୩,୩୭୩ - ଯାହା ସେମାନଙ୍କ ଭୋଟ୍‌କୁ ପ୍ରଭାବିତ କରିବା ଭଳି ବଡ଼ ସଂଖ୍ୟା ନୁହେଁ ।” ଓବ୍‌ଲେଶ ଆହୁରି କହନ୍ତି ଯେ, ହାତରେ ମଇଳା ଉଠାଉଥିବା ମେହେନ୍ତରଙ୍କ ସଂଖ୍ୟା, ନିର୍ବାଚନମଣ୍ଡଳୀର ମୋଟ ୨୬. ୭୮ ଲକ୍ଷ ଜନସଂଖ୍ୟାର ୧ ପ୍ରତିଶତରୁ ବି କମ୍‌ ହୋଇଥିବାରୁ, କୌଣସି ସାଂସଦ ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ଏହା କର୍ମଚାରୀମାନଙ୍କୁ ବେଶୀ ହତାଶ କରେ ।

ଏତେ ବର୍ଷ ହେଲା ନିଷ୍ଠାପର ଭାବେ ଭୋଟ୍‌ ଦେଉଥିଲେ ହେଁ ପୁତ୍ତାନାଙ୍କ ଭଳି ଲୋକଙ୍କର ଜୀବନଧାରା ବଦଳି ନାହିଁ । ସେ ଏବଂ ଅନ୍ୟ କେତେକ ସଫେଇ କର୍ମଚାରୀ କହନ୍ତି ଯେ, ପ୍ରାୟ ସାତ ବର୍ଷ ତଳେ ଏହି ଜିଲ୍ଲାରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା, କିନ୍ତୁ ତାହା ବେଶୀ ଦିନ ରହିଲା ନାହିଁ । ଅନ୍ୟ ଜଣେ ହାତରେ ମଇଳା ସଫା କରୁଥିବା ମେହେନ୍ତର ମଞ୍ଜୁନାଥ କହନ୍ତି, “୨୦୧୨ରେ ଆମେ ଏଭଳି କାମ କରିବାକୁ ସୁରକ୍ଷା ଉପକରଣ ପାଇଲୁ – କିନ୍ତୁ ସରକାରଙ୍କ ପାଖରୁ ନୁହେଁ, ଥାମେଟ୍‌ ପାଖରୁ।” କର୍ମଚାରୀମାନଙ୍କୁ ମାସ୍କ୍‌, ଗ୍ଲୋବ୍‌ସ ଏବଂ ଗମ୍‌ବୁଟ୍‌ ଭଳି ସୁରକ୍ଷା ଉପକରଣ ଯୋଗାଣ ଦିଗରେ ଥାମେଟ୍‌ ଚେଷ୍ଟା କରିଥିଲା, କିନ୍ତୁ ଶେଷରେ ତାହା ବି ବନ୍ଦ ହୋଇଗଲା । ପୁତ୍ତାନା ପଚାରନ୍ତି, “ଗୋଟିଏ ବେସରକାରୀ ସଂସ୍ଥା ହଜାର ହଜାର କର୍ମଚାରୀମାନଙ୍କ ପାଇଁ ଏଭଳି ସାମଗ୍ରୀ ଯୋଗାଣ ଆଉ କେତେ ଦିନ ବା କରିପାରିବ ?”

ଏପ୍ରିଲ୍‌ ୪ ତାରିଖ ଦିନ, ହାତରେ ମଇଳା ଉଠାଇବା ପ୍ରଥା ବିଲୋପ ଦିଗରେ ସାରା ଦେଶରେ ଚାଲିଥିବା ଏକ ଆନ୍ଦୋଳନ, ସଫେଇ କର୍ମଚାରୀ ଆନ୍ଦୋଳନ ପକ୍ଷରୁ ଏହାର ସର୍ବପ୍ରଥମ ଘୋଷଣାପତ୍ର ନୂଆଦିଲ୍ଲୀରେ ପ୍ରକାଶିତ ହୋଇଥିଲା। ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ସମସ୍ତ ନାଗରିକଙ୍କୁ ପ୍ରଦତ୍ତ ମୌଳିକ ଅଧିକାର ଭିତ୍ତିରେ ସମସ୍ତ ସଫେଇ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରତ୍ୟକ୍ଷ ଏବଂ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ସେବା, ସମ୍ମାନଜନକ ନିଯୁକ୍ତି ଏବଂ ଜୀବିକା ନିର୍ବାହ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସହିତ ସରକାରୀ ଯୋଜନାରେ ସାମିଲ କରିବା ଦିଗରେ ଏକ ‘ଜୀବନ ପ୍ରତି ଅଧିକାର’ କାର୍ଡ ପ୍ରଦାନ କରିବା, ଏଥିରେ ଥିବା ଦାବିଗୁଡ଼ିକ ମଧ୍ୟରେ ସମ୍ମିଳିତ ହୋଇଥିଲା। ହାତରେ ମଇଳା ଉଠାଉଥିବା ମେହେନ୍ତରମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ବଜେଟ୍‌ର ୧ ପ୍ରତିଶତ ବ୍ୟୟବରାଦ ସହିତ ସେମାନଙ୍କୁ ଏହି କାର୍ଯ୍ୟରୁ ମୁକ୍ତି ଦେବା ଏବଂ ଥଇଥାନ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠନ ପାଇଁ ମଧ୍ୟ ଏଥିରେ ଦାବି କରାଯାଇଥିଲା ।

୨୦୧୩ରେ ପ୍ରଣୀତ ହାତରେ ମଇଳା ଉଠାଉଥିବା ମେହେନ୍ତର ରୂପେ ନିଯୁକ୍ତିର ପ୍ରତିରୋଧ ଏବଂ ସେମାନଙ୍କ ଥଇଥାନ ଆଇନ ଅନୁସାରେ, ହାତରେ ମଇଳା ଉଠାଉଥିବା ମେହେନ୍ତରଙ୍କ ନିଯୁକ୍ତି ବେଆଇନ ଏବଂ ଯେଉଁମାନେ ଏଭଳି କରିବେ, ସେମାନଙ୍କୁ ଦୁଇ ବର୍ଷ ଯାଏ କାରାଦଣ୍ଡ ଦିଆଯାଇପାରିବ। ଏଥିରେ ଆହୁରି କୁହାଯାଇଛି ଯେ, କର୍ମଚାରୀମାନେ ଖାଲି ହାତରେ ସେପ୍‌ଟିକ୍‌ ପାଇଖାନା ଟାଙ୍କି ଓ ନର୍ଦ୍ଦମା ସଫା କରିବା ନିଷେଧ । ତଥାପି, ୨୦୧୧ର ସାମାଜିକ-ଅର୍ଥନୈତିକ ଓ ଜାତିଭିତ୍ତିକ ଜନଗଣନା ଅନୁସାରେ ସାରା ଦେଶର ଗ୍ରାମାଞ୍ଚଳରେ ୧.୮୨ ଲକ୍ଷରୁ ଅଧିକ ହାତରେ ମଇଳା ଉଠାଉଥିବା ମେହେନ୍ତର ରହିଥିଲେ ଏବଂ କର୍ଣ୍ଣାଟକରେ ଏଭଳି ଶ୍ରମିକଙ୍କ ସଂଖ୍ୟା ଦକ୍ଷିଣ ଭାରତରେ ସର୍ବାଧିକ ଥିଲା ।

Sarojamma, a pourakarmika, says that local party leaders go as far as touching their feet before elections, but disappear soon after.
PHOTO • Vishaka George
Puttana has worked as a manual scavenger for 11 years. In that time 2 national elections and three state elections have passed, but none have made a difference to his life.
PHOTO • Vishaka George

ଜଣେ ପୌରକର୍ମିକା ସରୋଜାମ୍ମା (ବାମ) କହନ୍ତି ଯେ, ନିର୍ବାଚନ ପୂର୍ବରୁ ସ୍ଥାନୀୟ ନେତାମାନେ ସେମାନଙ୍କ ପାଦ ବି ଛୁଅଁନ୍ତି, କିନ୍ତୁ ଠିକ୍‌ ତା ପରେ ଗାଏବ୍‌ ହୋଇଯାଆନ୍ତି । ପୁତ୍ତାନା (ଡାହାଣ) କହନ୍ତି, ୧୧ ବର୍ଷ କାମ କରିବା ଭିତରେ, କୌଣସିଟି ନିର୍ବାଚନ ତାଙ୍କ ଜୀବନଧାରାକୁ ବଦଳାଇ ପାରିନାହିଁ ।

“ନିର୍ବାଚନ ସମୟରେ ସମସ୍ତେ ଲାଞ୍ଚ ଦେବାକୁ ଆସନ୍ତି, ଭୋଟ୍‌ କିଣିବାକୁ ଚେଷ୍ଟା କରନ୍ତି । ନିର୍ବାଚନ ପୂର୍ବରୁ ରାଜନେତାମାନେ ଆମ ପାଦ ଛୁଇଁବାକୁ ବି ପଛେଇ ଯାଆନ୍ତିନି, କିନ୍ତୁ ଠିକ୍‌ ତା ପରେ ପରେ ଗାଏବ୍‌ ହୋଇଯାଆନ୍ତି।” ଏହା କହନ୍ତି ୩୯ ବର୍ଷୀୟା ପୌରକର୍ମିକା (ସଫେଇ କର୍ମଚାରୀ) ସରୋଜାମ୍ମା। ପୁତ୍ତାନା କହନ୍ତି, “ଦଳର କର୍ମୀମାନେ ଏବଂ ସ୍ଥାନୀୟ ନେତାମାନେ ଆମ ପାଖକୁ ଆସନ୍ତି ଏବଂ କିଛି ଟଙ୍କା ଦିଅନ୍ତି । ପରିବାର ପିଛା ପ୍ରାୟ୧୦୦ ଟଙ୍କା। ପ୍ରତ୍ୟେକ ମହିଳା ଗୋଟିଏ ଲେଖାଏଁ ଶାଢ଼ି ପାଆନ୍ତି ଏବଂ ପୁରୁଷମାନେ ଚଉଠେ ବୋତଲ ଲେଖାଏଁ ମଦ ପାଆନ୍ତି ।”

ହେଲେ ମଦ ତ କାମରେ ଲାଗେ, ଖାସ୍‌ କରି ପୁତ୍ତାନା ଯେତେବେଳେ କାମକୁ ଯାଆନ୍ତି । ସେ କହନ୍ତି, “ଏମିତି ଅନେକ ଦିନ ଥାଏ, ଯେବେ ମୁଁ ନର୍ଦ୍ଦମାରେ ପଶିଲା ପୂର୍ବରୁ ସକାଳୁ ମଦ ପିଇବା ନିହାତି ଦରକାର ହୁଏ।” ମଧୁଗିରିର ପ୍ରାୟ ୪୦୦ ଘରର ଲୋକେ ଅଳିଆ ଆବର୍ଜନା ସଫା ପାଇଁ ତାଙ୍କ ଉପରେ ନିର୍ଭର କରନ୍ତି। ପୌର ସଂସ୍ଥା ରେକର୍ଡରେ ତାଙ୍କ କାମ ହେଲା ଅଳିଆ ଆବର୍ଜନା ସଂଗ୍ରହ କରିବା। କିନ୍ତୁ ବାସ୍ତବ କ୍ଷେତ୍ରରେ ତାଙ୍କ କାମ ଆଇନର ପରିସୀମା ବାହାରେ ।

ଖୋଲା ନର୍ଦ୍ଦମା ଏବଂ ସେପ୍‌ଟିକ୍‌ ଟାଙ୍କିରୁ ଅବରୋଧ ହଟାଇବା ପାଇଁ ତାଙ୍କୁ ମଧ୍ୟ ଏକ ସିୱର ‘ଜେଟିଂ’ ମେସିନ୍‌ ଚଳାଇବାକୁ ପଡ଼ିଥାଏ । ଅନେକ ସମୟରେ ମେସିନ୍‌ର ପାଇପ୍‌ ଅର୍ଦ୍ଧ-କଠିନ ବସ୍ତୁକୁ ଶୋଷି ବାହାର କରିପାରେ ନାହିଁ। ତେଣୁ ପୁତ୍ତାନାଙ୍କୁ ନର୍ଦ୍ଦମାର ଗାତ ଭିତରେ ପଶିନିଜ ହାତଗୋଡ଼ ଦ୍ୱାରା ସେ ସବୁକୁ ଫେଣ୍ଟିବାକୁ ପଡ଼େ, ଯାହା ଫଳରେ ଆବର୍ଜନା ପାଣିରେ ମିଶି ମେସିନ୍‌ ଦ୍ୱାରା ନିଷ୍କାସିତ ହୋଇପାରିବ। ପୁତ୍ତାନା ଓ ମଞ୍ଜୁନାଥ ଏଭଳି କାମ ଆରମ୍ଭ କରିବା ପୂର୍ବରୁ, ମଦ ହିଁ ସାହାଯ୍ୟ କରେ । ପୁତ୍ତାନା କହନ୍ତି, “ଆଜି ସକାଳ ୬ଟାରୁ ମୁଁ ପିଇବା ଆରମ୍ଭ କଲି । ଥରେ ନିଶା ଚଢ଼ିଗଲା ପରେ ମୁଁ ଯାହା କିଛି ବି ସହିପାରିବି ।”

ତାହେଲେ କ’ଣ ସ୍ୱଚ୍ଛ ଭାରତ ଅଭିଯାନ, ଗତ ପାଞ୍ଚ ବର୍ଷ ଭିତରେ ତାଙ୍କ ଭଳି ଶ୍ରମିକମାନଙ୍କୁ କୌଣସି ଭାବରେ ସାହାଯ୍ୟ କରିଛି ? ମଞ୍ଜୁନାଥ କହନ୍ତି, “ସ୍ୱଚ୍ଛ ଭାରତ, ଆମ ସହରର ସାଧାରଣ ପରିଚ୍ଛନ୍ନତା କ୍ଷେତ୍ରରେ ଉନ୍ନତି ଆଣିଛି।” ତାଙ୍କ ଚାରିପଟେ ରୁଣ୍ଡ ହୋଇଥିବା ଅନ୍ୟ ଶ୍ରମିକମାନେ ଏଥିରେ ସମ୍ମତ ହୁଅନ୍ତି। “ପାଞ୍ଚ ବର୍ଷ ତଳର ଜୋରଦାର ପ୍ରଚାର ଯୋଗୁଁ ଆଜି ଲୋକେ ଅଧିକ ସଚେତନ ହୋଇଛନ୍ତି । ସେମାନେ ଅଳିଆକୁ ଅଲଗା ଅଲଗା ରଖୁଛନ୍ତି ଏବଂ ଏହା ଆମ କାମକୁ ସହଜ କରୁଛି ।”

Madhugiri sanitation workers assembled to talk about the upcoming national elections. Sarojamma (front row right).
PHOTO • Priti David
Puttanna and Ravikumar, another pourakarmika in Madhugiri
PHOTO • Priti David

ବାମ: ନିର୍ବାଚନ ସଂପର୍କରେ ଆଲୋଚନା ଲାଗି ମଧୁଗିରିରେ ଏକାଠି ହୋଇଛନ୍ତି ସରୋଜାମ୍ମା ଏବଂ ଅନ୍ୟ ସଫେଇ କର୍ମଚାରୀମାନେ। ଡାହାଣ: ପୁତ୍ତାନା ଏବଂ ଅନ୍ୟ ଜଣେ ପୌରକର୍ମିକା ରବି କୁମାର

ଏହି ଯୋଜନାର ସଫଳତା ଲାଗି ସେମାନେ ଜଣେ ବ୍ୟକ୍ତିଙ୍କୁ ଶ୍ରେୟ ଦିଅନ୍ତି । ମଞ୍ଜୁନାଥ କହନ୍ତି, “ମୋଦି ହିଁ ସର୍ବଶ୍ରେଷ୍ଠ । ସେ ଭାରତର ଏକ ନମ୍ବର ପ୍ରଧାନମନ୍ତ୍ରୀ ଏବଂ ସବୁଦିନ ପାଇଁ ସେ କ୍ଷମତାରେ ରହିବା ଉଚିତ ।’’ ‘‘ସତକଥା ହେଉଛି ମୋଦି ଆମ ପାଇଁ ଅବିଶ୍ରାନ୍ତ ଭାବେ କାମ କରୁଛନ୍ତି, କିନ୍ତୁ ସମସ୍ୟା ଏଇଆ ଯେ, ଅନେକ ଭାରତୀୟ ଏହା ବୁଝୁଥିବା ଭଳି ମନେହେଉ ନାହିଁ । ”

ଯଦିଓ ଗତ ପାଞ୍ଚ ବର୍ଷ ଭିତରେ ତୁମକୁରର ସଫେଇ ଶ୍ରମିକମାନଙ୍କ ଜୀବନରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ, ତଥାପି ସେମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା ରଖିଛନ୍ତି । ସରୋଜାମ୍ମା କହନ୍ତି, “ଯଦି ମୋଦି ସଫେଇ କର୍ମଚାରୀଙ୍କ ପ୍ରତି ଆଉ ଟିକେ ଅଧିକ ଧ୍ୟାନ ଦିଅନ୍ତି, ତେବେ ସେ ଆଦର୍ଶ ହୋଇ ରହିବେ । ତଥାପି ତାଙ୍କ କାମରେ ଆମେ ଖୁସି ।”

ଏ ବର୍ଷ ଫେବ୍ରୁଆରୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସେ ସଫେଇ କର୍ମଚାରୀଙ୍କ ପାଦ ଧୋଉଥିବା ଫଟୋ ପ୍ରକାଶ ପାଇଥିଲା, ଯାହାର ଶୀର୍ଷକ ଥିଲା, “ସାରା ଜୀବନ ପାଇଁ ସଯତ୍ନେ ସାଇତି ରଖିବା ଭଳି ମୁହୂର୍ତ୍ତ” ଏବଂ “ଏକ ସ୍ୱଚ୍ଛ ଭାରତ ନିମନ୍ତେ ଯୋଗଦାନକାରୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ପ୍ରଣାମ କରେ ।”

କିନ୍ତୁ ତଥ୍ୟ ନାଟକବାଜିକୁ ଖଣ୍ଡନ କରେ । ୨୦୧୮ ମାର୍ଚ୍ଚରେ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ହାତରେ ମଇଳା ଉଠାଉଥିବା ମେହେନ୍ତରମାନଙ୍କ ଥଇଥାନ ସକାଶେ ଆତ୍ମନିଯୁକ୍ତି ଯୋଜନା ପାଇଁ ବ୍ୟୟବରାଦ ହ୍ରାସ ପାଇଛି। ଏହି ଯୋଜନାକୁ ୨୦୧୪-୧୫ରେ ୪୪୮ କୋଟି ଟଙ୍କା ଏବଂ ୨୦୧୫-୧୬ରେ ୪୭୦ କୋଟି ଟଙ୍କା ମିଳିଥିଲା। କିନ୍ତୁ ୨୦୧୬-୧୭ରେ ମାତ୍ର ୧୦ କୋଟି ଟଙ୍କା ଏବଂ ୨୦୧୭-୧୮ରେ ୫ କୋଟି ଟଙ୍କା ମିଳିଥିଲା । ମନ୍ତ୍ରାଳୟ ଅନୁସାରେ, ଏହି ଯୋଜନା ପରିଚାଳନା କରୁଥିବା ଜାତୀୟ ସଫେଇ କର୍ମଚାରୀ ଅର୍ଥଲଗାଣ ଓ ଉନ୍ନୟନ ନିଗମ ପାଖରେ “ପୂର୍ବରୁ ଥିବା (ଏବେ ବି ଉପଲବ୍‌ଧ) କର୍ପସ୍‌ ପାଣ୍ଠି”କାରଣରୁ ଏହି ବଜେଟ୍‌ କାଟ୍‌ କରାଯାଇଛି । ସେଇ ଏକା ମନ୍ତ୍ରାଳୟ ଅଧୀନରେ ଥିବା ଏହି ନିଗମ ଏକ ଅଣ-ଲାଭକାରୀସଂସ୍ଥା ।

Puttanna (left) and Manjunath (middle) have been working as manual scavengers, an illegal occupation, for 11 years now. In this photo, they are standing next to Siddhagangaiah (right), a coordinator at Dalit rights group, Thamate.
PHOTO • Priti David

ବର୍ତ୍ତମାନ ସମୟରେ ଏକ ବେଆଇନ ଜୀବିକା ହୋଇଥିଲେ ହେଁ ହାତରେ ମଇଳା ଉଠାଉଥିବା ମେହେନ୍ତର ଭାବେ ନିଯୁକ୍ତି ପାଇଥିବା ପୁତ୍ତାନା (ବାମ) ଏବଂ ମଞ୍ଜୁନାଥ (ମଝି): ସେମାନଙ୍କ ସହ ଅଛନ୍ତି ଦଳିତ ଅଧିକାର ସଂଗଠନ ଥାମେଟ୍‌ର ସିଦ୍ଧାଗଙ୍ଗାୟା (ଡାହାଣ)

ତୁମକୁରରେ ବିଜେପିର ଜି.ଏସ୍‌. ବାସବରାଜ ଏବଂ କଂଗ୍ରେସ-ଜେଡିୟୁର ଦେବେ ଗୌଡ଼ାଙ୍କ ମଧ୍ୟରେ ହେଉଥିବା ଏହି ନିର୍ବାଚନୀ ଲଢ଼େଇରେ ସଫେଇ କର୍ମଚାରୀଙ୍କ କଥା ଉଲ୍ଲେଖ କରାଯାଇନାହିଁ । ଏହା କେନ୍ଦ୍ରୀଭୂତ ହୋଇଛି କାବେରୀ ନଦୀର ଏକ ଉପନଦୀ ହେମାବତୀକୁ ନେଇ ବିବାଦ ଉପରେ... । ତଥାପି, ସଫେଇ କର୍ମଚାରୀମାନଙ୍କ ଜୀବନଯାତ୍ରା ଆଉ ଟିକେ ସୁଧୁରିବ ବୋଲି ସେମାନେ ଆଶା ରଖିଛନ୍ତି।

ବେଙ୍ଗାଲୁରୁର ରାମାୟା ପବ୍ଲିକ୍‌ ପଲିସି ସେଣ୍ଟରର ସହକାରୀ ନିର୍ଦ୍ଦେଶକ ଚେତନ ସିଂଘାଇ କହନ୍ତି, “ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି ପାଇଁ ଅନେକ ଯୋଜନା (ସ୍ୱଚ୍ଛ ଭାରତ ଅଭିଯାନ ଭଳି) କରାଯାଇଛି ।’’ ‘‘ୟୁପିଏ (ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଆନ୍‌ସ) ଅମଳରେ ଯାହା ଥିଲା ତା’ଠାରୁ ଅଧିକ । କିନ୍ତୁ ଥଇଥାନ ପାଇଁ ପ୍ରଦାନ କରାଯାଉଥିବା ପାଣ୍ଠିର ପ୍ରକୃତ ଖର୍ଚ୍ଚ ସେତିକି ନୁହେଁ । ହାତରେ ମଇଳା ଉଠାଉଥିବା ମେହେନ୍ତରଙ୍କ ଥଇଥାନ ପାଇଁ ରୂପରେଖ ପ୍ରସ୍ତୁତି କିମ୍ବା ବାସ୍ତବ ଖର୍ଚ୍ଚ ଦୃଷ୍ଟିରୁ, ଏନ୍‌ଡିଏ (ନ୍ୟାସ୍‌ନାଲ ଡେମୋକ୍ରେଟିକ୍‌ ଆଲିଆନ୍‌ସ) ଖୁବ୍‌ କମ୍‌ ଖର୍ଚ୍ଚ କରିଛି ।”

ତୁମକୁରରେ ବିଜେପିର ଜି.ଏସ୍‌. ବାସବରାଜ ଏବଂ କଂଗ୍ରେସ-ଜେଡିୟୁର ଦେବେ ଗୌଡ଼ାଙ୍କ ମଧ୍ୟରେ ହେଉଥିବା ଏହି ନିର୍ବାଚନୀ ଲଢ଼େଇରେ ସଫେଇ କର୍ମଚାରୀଙ୍କ କଥା ଉଲ୍ଲେଖ କରାଯାଇନାହିଁ । କାବେରୀ ନଦୀର ଏକ ଉପନଦୀ ହେମାବତୀକୁ ନେଇ ଲାଗିଥିବା ବିବାଦ ଉପରେ ଏହା କେନ୍ଦ୍ରୀଭୂତ ହୋଇଛି। (ସଫେଇ କର୍ମଚାରୀମାନଙ୍କୁ ଲାଗେ ଯେ, ତୁମକୁରକୁ ପାଣି ନ ଦେବା ପାଇଁ ଦେବେ ଗୌଡ଼ା ହିଁ ଦାୟୀ, ଯିଏ ପଡ଼ୋଶୀ ନିର୍ବାଚନମଣ୍ଡଳୀ ହସନ୍‌ରୁ ସାଂସଦ ଥିଲେ ଏବଂ ହାସନ୍‌ ବି ଏହି ଉପନଦୀ ଉପରେ ନିର୍ଭର କରେ।) ଏହା ସହିତ, ରାଜନୈତିକ ପ୍ରତିନିଧିତ୍ୱ ସକାଶେ ଦୁଇ ବିରୋଧୀ ସଂପ୍ରଦାୟ- ଲିଙ୍ଗାୟତ ଏବଂ ଭୋକାଲିଗାଙ୍କ ମଧ୍ୟରେ ଏହା ଏକ ଲଢ଼େଇ । ବାସବରାଜ, ଲିଙ୍ଗାୟତ ଏବଂ ଦେବେ ଗୌଡ଼ା, ଭୋକାଲିଗା ସଂପ୍ରଦାୟର।

ବାସବରାଜ ଓ ଗୌଡ଼ାଙ୍କ ମଧ୍ୟରେ ନିର୍ବାଚନୀ ବିବାଦର କୌଣସି ପ୍ରସଙ୍ଗରେ ନଥାଇ ବି ସଫେଇ କର୍ମଚାରୀମାନେ ଏକ ଉତ୍ତମ ଜୀବନଧାରାର ଆଶା ରଖିଛନ୍ତି, ଯେଉଁଥିରେ ଥିବ ଆତ୍ମମର୍ଯ୍ୟାଦାସଂପନ୍ନ ସ୍ଥାୟୀ ଚାକିରି, ବର୍ଦ୍ଧିତ ମଜୁରି, ସେମାନଙ୍କ ନିଜ ଘର ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା । ଦିନେ ନା ଦିନେ ସରକାର ଏହି ସବୁ ଦାବି ପୂରଣ କରିବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ହୁଏତ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ଉପରେ ସେମାନଙ୍କର ଦୃଢ଼ ବିଶ୍ୱାସ ହିଁ ଏପ୍ରିଲ୍‌୧୮ରେ ସେମାନଙ୍କ ଭୋଟଦାନକୁ ପ୍ରଭାବିତ କରିବ ।

ପୁତ୍ତାନା କହନ୍ତି, “ଏମିତି ହୁଏତ ଲାଗିପାରେ ଯେ କିଛି ବଦଳିନାହିଁ, କିନ୍ତୁ ଏହା ସମ୍ଭବ, ତେଣୁ ଆମେ ନିଶ୍ଚୟ ଭୋଟ୍‌ ଦେବା । ଭୋଟ ଦେବା ମୋର ଅଧିକାର । ମୁଁ କାହିଁକି ଏହାକୁ ନଷ୍ଟ କରିବି ?”

ପ୍ରୀତି ଡେଭିଡ୍‌ଙ୍କୁ ତାଙ୍କ ସହାୟତା ପାଇଁ ଏବଂ ନବୀନ ତେଜସ୍ୱୀଙ୍କୁ ଅନୁବାଦରେ ସାହାଯ୍ୟ ପାଇଁ ଏହି ଲେଖକ ଧନ୍ୟବାଦ ଦେବାକୁ ଚାହିଁବେ ।

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Vishaka George

ଲେଖକ ପରିଚୟ: ବିଶାଖା ଜର୍ଜ ବେଙ୍ଗାଲୁରୁର ଜଣେ ସାମ୍ବାଦିକା। ସେ ବ୍ୟବସାୟ ପ୍ରତିନିଧି ଭାବରେ ରଏଟର୍ ସହ କାର୍ଯ୍ୟ କରିଥିଲେ। ସେ ଚେନ୍ନାଇସ୍ଥ ଏସିଆନ୍ କଲେଜ୍ ଅଫ୍ ଜର୍ଣ୍ଣାଲିଜିମରୁ ଗ୍ରାଜୁଏସନ୍ କରିଛନ୍ତି। ସେ ଗ୍ରମୀଣ ଭାରତ ସହ ଶିଶୁ ଓ ମହିଳା ବିଷୟ ପ୍ରତି ବିଶେଷ ଆଗ୍ରହୀ।

Other stories by Vishaka George