“ତାଲାବନ୍ଦ ସମୟରେ ଅତ୍ୟଧିକ ଚାପ ଭିତରେ ମଧ୍ୟ ଆମକୁ କାମ କରିବାକୁ ପଡିଛି । କୋଭିଡ୍‌- ୧୯ ବ୍ୟତୀତ,  କେବଳ ଏପ୍ରିଲ ରୁ ଜୁଲାଇ ମଧ୍ୟରେ ମୁଁ ୨୭ ଟି ଶିଶୁଜନ୍ମ ପରିଚାଳନା କରିଛି । ମା’ର ସ୍ୱାସ୍ଥ୍ୟ ଯାଞ୍ଚ ଠାରୁ ଆରମ୍ଭ କରି ତାକୁ ପ୍ରସବ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପର୍ଯ୍ୟନ୍ତ, ମୁଁ ସବୁ କାମରେ ସେମାନଙ୍କ ପାଖରେ ରହିଛି,” ବୋଲି ଓସ୍‌ମାନାବାଦ୍‌ ଜିଲ୍ଲାର ନିଲେଗାଓଁର ଜଣେ ଆଶା କର୍ମୀ –ଅନୁମୋଦିତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ- ତନୁଜା ୱାଘୋଲ୍‌ କୁହନ୍ତି ।

ମାର୍ଚ୍ଚ ଶେଷଭାଗରେ ତାଲାବନ୍ଦ ଘୋଷଣା କରାଯିବା ପରେ, ତନୁଜା ପ୍ରତିଦିନ କାମକୁ ଯିବା ପୂର୍ବରୁ ନିଜ ଘରକାମ କରିବାକୁ ଓ ତାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ରଖିବାକୁ ସକାଳ ୪ଟା ( ସାଧାରଣତଃ ସେ ସକାଳ ୭.୩୦ରେ ଉଠନ୍ତି) ବେଳେ ଉଠିବାକୁ ଲାଗିଲେ । “ଯଦି ମୁଁ ୭.୩୦ରେ କାମ ଆରମ୍ଭ କରିବିନି, ତାହାହେଲେ ମୁଁ ସମସ୍ତଙ୍କୁ ଭେଟି ପାରିବିନାହିଁ । ବେଳେବେଳେ, ଆମକୁ ଏବଂ ଆମର ନିର୍ଦ୍ଦେଶକୁ ଏଡାଇବା ପାଇଁ ଲୋକମାନେ ଶୀଘ୍ର ନିଜ ଘର ଛାଡିଥାନ୍ତି ବୋଲି ସେ କୁହନ୍ତି।

ଆଉ, ଆଶାମାନେ ସାଧାରଣତଃ ଦିନକୁ ୩-୪ ଘଣ୍ଟା ହିସାବରେ ମାସକୁ ୧୫ -୨୦ ଦିନ କାମ କରୁଥିବାବେଳେ ,୪୦ ବର୍ଷ ବୟସ୍କ ତନୁଜା, ଯିଏ ୨୦୧୦ରୁ ଆଶା ଭାବେ କାମ କରିଆସୁଛନ୍ତି, ବର୍ତ୍ତମାନ ପ୍ରାୟ ସବୁଦିନ ଦିନକୁ ଛଅ ଘଣ୍ଟା ପର୍ଯ୍ୟନ୍ତ ଚାରିଆଡେ ବୁଲି ହାଲଚାଲ ବୁଝୁଛନ୍ତି ।

ତୁଲ୍‌ଜାପୁର ତାଲୁକାର ନିଳେଗାଓଁରେ କୋଭିଡ୍‌- ୧୯ ସର୍ବେକ୍ଷଣ ଏପ୍ରିଲ ୭ରେ ଆରମ୍ଭ ହୋଇଥିଲା । ତନୁଜା ଓ ତାଙ୍କର ଜଣେ ଆଶା ସହକର୍ମୀ ଅଳକା ମୁଳୟ, ଦୁଇ ଜଣ ମିଶି ପ୍ରତିଦିନ ସେମାନଙ୍କ ଗ୍ରାମର ପ୍ରାୟ ୩୦-୩୫ ଘରକୁ ପରିଦର୍ଶନରେ ଯାଉଛନ୍ତି । “ଆମେ ଘର ଘର ବୁଲୁଛୁ ଓ କାହା ପାଖରେ ଜ୍ୱର ବା କରୋନାଭୂତାଣୁର ଅନ୍ୟ ଲକ୍ଷଣ ରହିଛି କି ନାହିଁ ତାହା ଯାଞ୍ଚ କରୁଛୁ,” ବୋଲି ସେ କୁହନ୍ତି । ଯଦି କାହାକୁ ଜ୍ୱର ହୋଇଥାଏ, ତାହାହେଲେ ତାକୁ ପାରାସିଟମଲ୍‌ ଟାବ୍‌ଲେଟ୍‌ ଦିଆଯାଉଛି । ଯଦି କାହା ପାଖରେ କରୋନା ଭୂତାଣୁର କୌଣସି ଲକ୍ଷଣ ରହିଥିବା ନଜରକୁ ଆସେ, ତାହାହେଲେ ଏ ସମ୍ୱନ୍ଧରେ ଏଠାରୁ ୨୫କିଲୋମିଟର ଦୂରରେ ଅବସ୍ଥିତ ଅନ୍ଦୁର ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୂଚୀତ କରାଯାଏ । (ତା’ପରେ କୋଭିଡ୍‌ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରିବାକୁ ଏହି ପିଏଚ୍‌ସିରୁ ଜଣଙ୍କୁ ଗ୍ରାମକୁ ପଠାଯାଏ ; ଯଦି ଯାଞ୍ଚ ରିପୋର୍ଟ ପଜିଟିଭ୍‌ ଆସେ, ତାହାହେଲେ ସଂଗରୋଧରେ ରହିବା ପାଇଁ ଓ ଚିକିତ୍ସା ପାଇଁ ସଂପୃକ୍ତ ବ୍ୟକ୍ତିକୁ ତୁଲ୍‌ଜାପୁରରେ ଥିବା ଗ୍ରାମ୍ୟ ଡାକ୍ତରଖାନାକୁ ପଠାଯାଏ । 

ଗ୍ରାମର ସମସ୍ତ ଘର ବୁଲିବା ପାଇଁ ଆଶା କର୍ମୀମାନଙ୍କୁ ପନ୍ଦର ଦିନ ସମୟ ଲାଗିଥାଏ – ତାପରେ ସେମାନେ ପୁଣି ଆରମ୍ଭ କରନ୍ତି । ନିଲେଗାଓଁ ଚାରିପାଖରେ ଦୁଇଟି ତଣ୍ଡା  ରହିଛି ଯାହା ହେଉଛି ଏକଦା ଯାଯାବର ଭାବେ ବୁଲୁଥିବା ଏକ ଅନୁସୂଚୀତ ଜାତି ଲମନ ସମ୍ପ୍ରଦାୟର ବସତି । କେନ୍ଦ୍ର ଗ୍ରାମ ଓ ତଣ୍ଡାର ସମୁଦାୟ ଜନସଂଖ୍ୟା ପ୍ରାୟ ୩,୦୦୦ ହେବ ବୋଲି ତନୁଜା ଆକଳନ କରନ୍ତି । (୨୦୧୧ ଜନଗଣନା ମୁତାବକ ନିଲେଗାଓଁର ସମୁଦାୟ ପରିବାର ସଂଖ୍ୟା ହେଉଛି ୪୫୨) ।

Anita Kadam (in red saree): 'ASHAs do their tasks without complaining.' Right: Tanuja Waghole (third from right) has been out on Covid surveys every day
PHOTO • Satish Kadam
In Maharashtra’s Osmanabad district, ASHA workers have been working overtime to monitor the spread of Covid-19 despite poor safety gear and delayed payments – along with their usual load as frontline health workers
PHOTO • Omkar Waghole

ଅନୀତା କଦମ (ଲାଲ୍‌ ଶାଢୀରେ): ‘କୌଣସି ଅଭିଯୋଗ ନକରି ଆଶାମାନେ ସେମାନଙ୍କ କାମ କରିଥାନ୍ତି । ‘ଡାହାଣ: ତନୁଜା ୱାଘୋଲ୍‌ (ଡାହାଣରୁ ତୃତୀୟ) ପ୍ରତିଦିନ କୋଭିଡ୍‌ ସର୍ବେକ୍ଷଣ ପାଇଁ ଯାଆନ୍ତି

ସେମାନଙ୍କ ନିତିଦିନିଆ କାର୍ଯ୍ୟ ଅନ୍ତର୍ଗତ, ତନୁଜା ଓ ତାଙ୍କର ସହକର୍ମୀମାନେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖନ୍ତି.  ଶୁଶୁ ଜନ୍ମ ହେବାରେ ସହାୟତା କରନ୍ତି ଓ ନିୟମିତ ଭାବେ ନବଜାତକର ଓଜନ ଓ ଶରୀରର ତାପମାତ୍ରା ମାପ କରନ୍ତି । ବୟସ୍କ ବ୍ୟକ୍ତିଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି ବୋଲି ମଧ୍ୟ ତନୁଜା କୁହନ୍ତି । “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ଆମକୁ ସରକାରଙ୍କ ଠାରୁ କ’ଣ ମିଳୁଛି ନା କେବଳ କନାରେ ତିଆରି ଏକ ମାସ୍କ, ଏକ ବୋତଲ୍‌ ସାନିଟାଇଜର ଓ ୧୦୦୦ଟଙ୍କା” ବୋଲି ସେ କୁହନ୍ତି । ଏପ୍ରିଲ୍‌ ୬ରେ ତାଙ୍କ ପାଖରେ ମାସ୍କ ପହଞ୍ଚିଲା, ସେ ସର୍ବେକ୍ଷଣ ଆରମ୍ଭ କରିବାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଓ ସର୍ବେକ୍ଷଣ ପାଇଁ ମିଳୁଥିବା ପ୍ରୋତ୍ସାହନ ରାଶି କେବଳ ଗୋଟିଏ ଥର ମିଳିଛି (ଏପ୍ରିଲ୍‌ରେ)। 

ସହରର ଡାକ୍ତରଖାନାଗୁଡିକର ଆଗଧାଡିର କର୍ମୀ – ଆଶା ବା ‘ଗୋଷ୍ଠୀ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀ - ସମସ୍ତଙ୍କ ଠାରୁ ଭିନ୍ନ, ଏମାନେ ବ୍ୟକ୍ତିଗତ ସୁରକ୍ଷା ପାଇଁ ଆବଶ୍ୟକ ଅନ୍ୟ କୌଣସି ପ୍ରକାର ଉପକରଣ ପାଇନାହାନ୍ତି । ଏପରିକି ଆଉ ଗୋଟିଏ ଅଧିକ ମାସ୍କ ମଧ୍ୟ ନୁହେଁ, ବୋଲି ତନୁଜା କୁହନ୍ତି । “୪୦୦ଟଙ୍କା ଦେଇ ମତେ କିଛି ମାସ୍କ କିଣିବାକୁ ପଡିଲା । “ସେ ମାସକୁ ୧,୫୦୦ଟଙ୍କା ପାରିତୋଷିକ ରାଶି ପାଆନ୍ତି – ଯାହା ଓସ୍‌ମାନାବାଦ୍‌ର ଆଶା କର୍ମୀମାନଙ୍କ ପାଇଁ ୨୦୧୪ରୁ ଅପରିବର୍ତ୍ତୀତ ରହିଛି । ଆଉ, ସେ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ “ପର୍‌ଫର୍ମାନ୍ସ-ବେସ୍‌ଡ ଇନ୍‌ସେଣ୍ଟିଭ୍‌ସ” ବାବଦକୁ ଆଉ ଅଧିକ ୧,୫୦୦ଟଙ୍କା ଉପାର୍ଜନ କରନ୍ତି । ଏହି ମୂଲ୍ୟ ମଧ୍ୟ ୨୦୧୪ ଠାରୁ ଅପରିବର୍ତ୍ତିତ ରହିଛି ।

ଆଶାମାନେ କିନ୍ତୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସହାୟତା ପ୍ରଦାନରେ ମୂଖ୍ୟ ଭୂମିକା ଗ୍ରହଣ କରିଥାନ୍ତି- ବିଶେଷକରି ମହିଳା, ପିଲା ଓ ଦୁର୍ବଳ ସମ୍ପ୍ରଦାୟଗୁଡିକର – ସେମାନଙ୍କ ପାଖକୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ। ସେମାନେ ସ୍ୱାସ୍ଥ୍ୟ, ପୋଷଣ, ଟୀକା ଓ ସରକାରୀ ସ୍ୱାସ୍ଥ୍ୟ ସ୍କିମ ବିଷୟରେ ଲୋକମାନଙ୍କୁ ସଚେତନ କରିଥାନ୍ତି ।

କୋଭିଡ୍‌ - ୧୯ ସର୍ବେକ୍ଷଣ କରିବାବେଳେ ବିଭିନ୍ନ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି । “ମୁଁ ପ୍ରତିଦିନ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥାଏ । ସେମାନେ ପଜିଟିଭ୍‌ କି ନୁହନ୍ତି, ତାହା କିଏ ଜାଣେ? କେବଳ ଗୋଟିଏ କପଡା ମାସ୍କ ପର୍ଯ୍ୟାପ୍ତ ଅଟେ?” ବୋଲି ତୁଲିଜାପୁର ତାଲୁକାର ଦହିତାନା ଗ୍ରାମର ସୁର୍ବାସେ ନାମକ ଜଣେ ୪୨ବର୍ଷ ବୟସ୍କ ଆଶା କର୍ମୀ କୁହନ୍ତି । ତାଙ୍କ ତାଲୁକାର ଆଶା କର୍ମୀମାନଙ୍କୁ ବିଳମ୍ବରେ ଜୁଲାଇ ମଧ୍ୟଭାଗରେ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଗନ୍‌ ଓ ପଲ୍‌ସ ଅକ୍ସିମିଟର ଦିଆଯାଇଛି ।

ମାର୍ଚ୍ଚ ୨୪ରେ ସରକାର ତାଲାବନ୍ଦ ଘୋଷଣା କରିବା ପରେ, ଓସ୍‌ମାନାବାଦ୍‌ରେ ଥିବା ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀ ଶ୍ରମିକମାନଙ୍କର ପରିଚାଳନା ମଧ୍ୟ ଆଶା କର୍ମୀମାନଙ୍କ ଚିନ୍ତାର ବିଷୟ ପାଲଟିଥିଲା । “ଏପ୍ରିଲ୍‌ ଓ ଜୁନ୍‌ରେ ପ୍ରାୟ ୩୦୦ ପ୍ରବାସୀ ଆମ ଗ୍ରାମକୁ ଫେରିଥିଲେ । ଏହି ସଂଖ୍ୟା କ୍ରମଶଃ ଖସିବାକୁ ଲାଗିଲା ଓ ତାପରେ ଧିରେ ଧିରେ ଜୁନ୍‌ ମାସ ଶେଷ ବେଳକୁ ବନ୍ଦ ହୋଇଗଲା,” ତନୁଜା କୁହନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଯଥାକ୍ରମେ ଏଠାରୁ ୨୮୦ ଓ ୪୧୦ କିଲୋମିଟର ଦୂରରେ ଅବସ୍ଥିତ  ପୁନା ଓ ମୁମ୍ବାଇରୁ ଆସିଥିଲେ, ଯେଉଁଠାରେ କରୋନା ଭୂତାଣୁ ସଂକ୍ରମଣ ହାର ଦେଶରେ ସର୍ବାଧିକ ଅଟେ । “ହେଲେ, ସେମାନଙ୍କୁ ୧୪ଦିନ ଗୃହ ସଂଗରୋଧରେ ରହିବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ, ସେମାନଙ୍କ ମଧ୍ୟରୁ ଅନେକ ବାହାରେ ବୁଲୁଥିଲେ’’। 

'I come in contact with many people everyday... Is a mere cloth mask sufficient?' asks Nagini Survase (in a white saree in both photos)
PHOTO • Ira Deulgaonkar
'I come in contact with many people everyday... Is a mere cloth mask sufficient?' asks Nagini Survase (in a white saree in both photos)
PHOTO • Courtesy: Archive of HALO Medical Foundation

‘ପ୍ରତିଦିନ ମୁଁ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସେ… କ’ଣ କେବଳ ଗୋଟିଏ କପଡା ମାସ୍କ ପର୍ଯ୍ୟାପ୍ତ ଅଟେ?’ ବୋଲି ନାଗିନି ସୁର୍ଭାସେ କୁହନ୍ତି (ଉଭୟ ଫଟୋରେ ଧଳା ରଙ୍ଗର ଶାଢୀ ପିନ୍ଧିଛନ୍ତି) 

ତୁଲିଜାପୁର ତାଲୁକାର ଫୁଲ୍‌ୱାଡି ଗ୍ରାମ ପଞ୍ଚାୟତରେ, ଯାହା ନିଳେଗାଓଁଠାରୁ ପ୍ରାୟ ୨୧କିଲୋମିଟର ଦୂରତାରେ ଅବସ୍ଥିତ, ମାର୍ଚ୍ଚ ମଧ୍ୟ ଭାଗରୁ ଏପ୍ରିଲ୍‌ ୭ ମଧ୍ୟରେ ପ୍ରଥମ କୋଭିଡ୍‌ ସର୍ବେକ୍ଷଣ କରାଯାଇଥିଲା । “ସେହି ସମୟରେ ଫୁଲ୍‌ୱାଡିୁକୁ ୧୮୨ଜଣ ପ୍ରବାସୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଅନେକ ମୁମ୍ବାଇ ଓ ପୁନାରୁ ଚାଲିଚାଲି ଆସିଥିଲେ । କିଛି ଲୋକ ମଧ୍ୟରାତ୍ରିର ଶୂନ୍‌ଶାନ୍‌ ପରିବେଶ ମଧ୍ୟରେ ଯେତେବେଳେ କେହି ତାଙ୍କ ଉପରେ ନଜର ରଖିବାକୁ ନଥାନ୍ତି. ସେତେବେଳେ ପ୍ରବେଶ କରିଥିଲେ,” ବୋଲି ଶକୁନ୍ତଳା ଲଙ୍ଗଡା ନାମକ ଜଣେ ୪୨ବର୍ଷ ବୟସ୍କ ଆଶା କର୍ମୀ କୁହନ୍ତି । ଏହି ପଞ୍ଚାୟତରେ ୩୧୫ ପରିବାର ଓ ପ୍ରାୟ ୧୫୦୦ ଲୋକ ବସବାସ କରନ୍ତି ବୋଲି ସେ କୁହନ୍ତି । “ଏପ୍ରିଲ୍‌ ୬ ପୂର୍ବରୁ ସର୍ବେକ୍ଷଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ମୁଁ ସୁରକ୍ଷା ପାଇଁ ଆବଶ୍ୟକ କୌଣସି ଜିନିଷ ପାଇନଥିଲି – ମାସ୍କ, ଗ୍ଲୋଭ୍‌ସ କିମ୍ବା ଅନ୍ୟ କୌଣସି ଜିନିଷ ପାଇନଥିଲି,” ବୋଲି ଶକୁନ୍ତଳା କହିଲେ ।

ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ଖବର ରଖିବା ଓ ସେମାନେ ନିଜ ଘରେ ସଂଗରୋଧରେ ଅଛନ୍ତି କି ନାହିଁ ତାହା ଯାଞ୍ଚ କରିବା ଜଣେ ଆଶା କର୍ମୀଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ଅଟେ ବୋଲି ଓସ୍‌ମାନାବାଦ୍‌ ଜିଲ୍ଲାର ଲୋହରା ତାଲୁକାର କାନେଗାଓଁ ପିଏଚ୍‌ସିରେ କାମ କରୁଥିବା ଆଶା ଫେସିଲିଟେଟର୍‌ ଅନୀତା କଦମ୍‌, କୁହନ୍ତି । “ଅଥଚ ଆମର ଆଶାମାନେ କୌଣସି ଅଭିଯୋଗ ନକରି ସେମାନଙ୍କ କାମ କରି ଚାଲିଛନ୍ତି,” ବୋଲି ସେ କୁହନ୍ତି । ଅନୀତା, ୪୦, ଏହି ପିଏଚ୍‌ସିରେ ରିପୋର୍ଟ କରୁଥିବା ସମସ୍ତ ୩୨ଜଣ ଆଶାଙ୍କ କାମ ତଦାରଖ କରନ୍ତି । ଏହି କାମ ପାଇଁ ତାଙ୍କୁ ମାସକୁ ୮, ୨୨୫ଟଙ୍କା ବେତନ ମିଳେ (ସମସ୍ତ ଭତ୍ତା ସହିତ)।

ମାର୍ଚ୍ଚ ଶେଷଭାଗରେ, ଓସ୍‌ମାନାବାଦ୍‌ର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ‘କରୋନା ସହାୟତା କକ୍ଷ’ (ସହାୟତା କେନ୍ଦ୍ର) ଖୋଲାଗଲା । ଏହା ଗ୍ରାମ ସେବକ, ପଞ୍ଚାୟତ କର୍ମଚାରୀ, ସ୍ଥାନୀୟ ସରକାରୀ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଲା । ପରିଚାଳନାରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ମଧ୍ୟ ଅଂଶଗ୍ରହଣ କଲେ । “ଆମର ଆଶା ଟିମ୍‌ ହେଉଛି କରୋନା ସହାୟତା କକ୍ଷର ପ୍ରମୁଖ ସହାୟକ ଗୋଷ୍ଠୀ । ସେମାନେ ପ୍ରତ୍ୟେକ ଗ୍ରାମ ଭିତରକୁ ଯାଇ ସେଠାର ଦୈନିକ ସ୍ଥିତି ବିଷୟରେ ଆମକୁ ଅବଗତ କରାନ୍ତି,” ବୋଲି ତୁଲ୍‌ଜାପୁର୍‌ ବ୍ଲକ୍‌ ଉନ୍ନୟନ ଅଧିକାରୀ ପ୍ରଶାନ୍ତ ସିଂ ମାରୋଦ କୁହନ୍ତି । 

ପ୍ରଥମ କଥା ଏହା ଯେ ଓସ୍‌ମାନାବାଦ୍‌ର ୧,୧୬୧ ଆଶା କର୍ମୀ (ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ମହାରାଷ୍ଟ୍ର ସାଇଟ୍‌ – ଜିଲ୍ଲାରେ କାର୍ଯ୍ୟ କରୁଥିବା ଏକ ସଂଗଠନ କହିବା ମୁତାବକ ସେମାନଙ୍କ ବର୍ତ୍ତମାନ ସଂଖ୍ୟା ହେଉଛି ୧୨୦୭) ଏହି ମହାମାରୀ ସ୍ଥିତିର ପରିଚାଳନା ପାଇଁ କୌଣସି ଔପଚାରିକ ପ୍ରଶିକ୍ଷଣ ଗ୍ରହଣ କରିନାହାନ୍ତି । ବଦଳରେ, ସେମାନେ କେବଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତ ହୋଇଥିବା କରୋନାଭୂତାଣୁ ସମ୍ୱନ୍ଧୀୟ ଏକ ପୁସ୍ତିକା ପାଇଛନ୍ତି । ଏଥିରେ ସାମାଜିକ ଦୂରତା ଓ ଗୃହରେ ସଂଗରୋଧରେ କିଭଳି ରହିବେ, ସେ ସମ୍ବନ୍ଧୀୟ ନିର୍ଦ୍ଦେଶାବଳି ରହିଛି । ମେ ୧୧ରେ ଆଶା କର୍ମୀମାନଙ୍କୁ ଏହି ମହାମାରୀ ଓ ସହରରୁ ଫେରୁଥିବା ପ୍ରବାସୀଙ୍କ ପରିଚାଳନା ପାଇଁ ପ୍ରସ୍ତୁତ କରିବାପାଇଁ ଏକ ୱୋବ୍‌ନେୟାର୍‌ ଆୟୋଜନ କରାଯାଇଥିଲା, ଯେଉଁଥିରେ ସମସ୍ତ ଆଶା କର୍ମୀକୁ ଉପସ୍ଥିତ ରହିବା ଜରୁରୀ ଥିଲା ।  

'Before April 6...I didn’t receive any no masks, gloves...' says Shakuntala Devi (standing third from left, and sitting with the green mask)
PHOTO • Satish Kadam
'Before April 6...I didn’t receive any no masks, gloves...' says Shakuntala Devi (standing third from left, and sitting with the green mask)
PHOTO • Sanjeevani Langade

‘ଏପ୍ରିଲ୍‌ ୬ ପୂର୍ବରୁ … ମତେ କୌଣସି ମାସ୍କ, ଗ୍ଲୋଭ୍‌ସ ମିଳିନଥିଲା … ’ ବୋଲି ଶକୁନ୍ତଳା ଦେବୀ କୁହନ୍ତି( ବାମରୁ ତୃତୀୟରେ ଠିଆ ହୋଇଥିବା ଓ ସବୁଜ ମାସ୍କ ପିନ୍ଧି ବସିଥିଲେ)

ଏହା ଆଶା ଫେସିଲିଟେଟର୍‌ଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ଓ ଏଥିରେ କୋଭିଡ୍‌-୧୯ର ବିଭିନ୍ନ ଲକ୍ଷଣ ଓ ଘରେ ସଂଗରୋଧର ବିଭିନ୍ନ ପର୍ଯ୍ୟାୟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ଆଶାମାନଙ୍କ ଗ୍ରାମକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିର ରେକର୍ଡ ପ୍ରସ୍ତୁତ କରିବାକୁ ଓ କୌଣସି ସମସ୍ୟା ଦେଖାଦେଲେ ପୋଲିସ୍‌କୁ ଜଣେଇବାକୁ ଆଶାମାନଙ୍କୁ କୁହାଯାଇଥିଲା । “ଆମକୁ କଡା ନିର୍ଦ୍ଦେଶ ରହିଥିଲା ଯେ ଯଦି କୌଣସି ବ୍ୟକ୍ତି ପାଖରେ କୋଭିଡ୍‌-୧୯ର ଲକ୍ଷଣ ରହିଥିବା ଜଣାପଡୁଛି, ତାହାହେଲେ ତାଙ୍କୁ ପିଏଚ୍‌ସିକୁ ନେବାକୁ ହେବ,” ବୋଲି ତନୁଜା କୁହନ୍ତି । ଏହି ଅଧିବେଶନରେ କୋଭିଡ୍‌-୧୯ ପରି ଏକ ମହାମାରୀ ସମୟରେ ଗର୍ଭବତୀମାନଙ୍କର ସଠିକ୍‌ ଦେଖାରଖା କିଭଳି କରାଯିବ, ସେ ବିଷୟରେ ଆଲୋଚନା କରାଯାଇଥିଲା, ଏହାସହିତ ପିଲା ଓ ବୟସ୍କମାନଙ୍କର ସ୍ୱାସ୍ଥ୍ୟର ଯତ୍ନ କିଭଳି ନିଆଯିବ, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ହେଲେ, ଆଶାମାନେ ସେହି ସମୟର ସବୁଠାରୁ ଜରୁରୀ ବିଷୟଗୁଡିକ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ । “ଫେସିଲିଟେଟର୍‌ମାନେ ପିଏଚ୍‌ସିରେ ଆମର ଦାବି ଉପସ୍ଥାପିତ କରିବା ଆଶାରେ ଆମେ ଉନ୍ନତ ମେଡିକାଲ୍‌ କିଟ୍‌ କଥା କହିଥିଲୁ,” ବୋଲି ତନୁଜା କହିଥିଲେ । ସେମାନେ ଅନ୍ୟ ପ୍ରମୁଖ ସମସ୍ୟାଗୁଡିକ ବିଷୟରେ କହିଥିଲେ, ଯେପରିକି ରୋଗୀମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଯାନର ଅଭାବ । “ନିକଟସ୍ଥ ପିଏଚ୍‌ସିଗୁଡିକରେ ଜରୁରୀକାଳୀନ ପରିବହନ ବ୍ୟବସ୍ଥା ଉପଲବ୍ଧ ନାହିଁ [ ଅନ୍ଦୁର ଓ ନାଳଦୁର୍ଗ] । ଏଣୁ ସେଠାକୁ ରୋଗୀମାନଙ୍କୁ ନେବା ଆମ ପାଇଁ କଷ୍ଟକର ହୋଇପଡୁଛି,” ବୋଲି ତନୁଜା କୁହନ୍ତି ।   

ଦହିତାନା ଗ୍ରାମର ଜଣେ ମହିଳାଙ୍କ ବିଷୟରେ ନାଗିନି ଆମକୁ ଜଣାଇଲେ, ଯିଏ ସାତ ମାସର ଗର୍ଭବତୀ ଥିଲେ ଓ ତାଙ୍କ ସ୍ୱାମୀଙ୍କ ସହିତ ପୁନାରୁ ଫେରିଥିଲେ । ସେ ଏକ ନିର୍ମାଣସ୍ଥଳିରେ କାମ କରୁଥିଲେ ଓ ତାଲାବନ୍ଦ ସମୟରେ କାମ ହରାଇଥିଲେ । “ ଏହା ହେଉଛି ମେ ପ୍ରଥମ ସପ୍ତାହର କଥା । ଯେତେବେଳେ ମୁଁ ଗୃହ ସଂଗରୋଧ ବିଷୟରେ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲି, ମୁଁ ଲକ୍ଷ୍ୟ କଲି ଯେ ତାଙ୍କର ଆଖି ଦୁଇଟି ଭିତରକୁ ପଶି ଯାଇଛି ଓ ସେ ସେଥା ଓ ଦୁର୍ବଳ ଦେଖାଯାଉଛନ୍ତି । ସେ ଠିକ୍‌ ଭାବେ ଠିଆ ହୋଇ ପାରୁନଥିଲେ ମଧ୍ୟ ।’’ ନାଗିନି ତାଙ୍କୁ ସେଇ ମୁହୂର୍ତ୍ତରେ ପିଏଚ୍‌ସିକୁ ନେବାକୁ ଚାହିଁଲେ । “ଯେତେବେଳେ ମୁଁ ଆମ୍ବୁଲାନ୍ସ ପାଇଁ ପିଏଚ୍‌ସିକୁ ଫୋନ୍‌ କଲି, ସେତେବେଳେ କୌଣସି ଆମ୍ବୂଲାନ୍ସ ଉପଲବ୍ଧ ନଥିଲା । ଚାରିଟି ତାଲୁକା ପାଇଁ ରହିଥିବା ଏହି ପିଏଚ୍‌ସି ରେ ଦୁଇଟି ଯାନ ରହିଛି । ଆମେ କୌଣସି ପ୍ରକାରେ ତାଙ୍କ ପାଇଁ ଏକ ଅଟୋରିକ୍ସାର ବ୍ୟବସ୍ଥା କରିପାରିଲୁ’’। 

ନାଲ୍‌ଦୁର୍ଗ ପିଏଚ୍‌ସିରେ କରାଯାଇଥିବା ଯାଞ୍ଚରୁ ତାଙ୍କର ହେମଗ୍ଲୋବିନ୍‌ ସ୍ତର ଅତି ନିମ୍ନକୁ ଖସି ଯାଇଥିବା ଜଣାପଡିଲା। ଏଠାରେ ମହିଳାମାନେ ରକ୍ତହୀନତାର ଶିକାର ହେବା ଅତିସାଧାରଣ ଅଟେ, ବୋଲି ନାଗିନି କୁହନ୍ତି, ହେଲେ ଏହା ହେଉଛି ଗର୍ଭଧାରଣ ସମୟର ଗମ୍ଭୀର ରକ୍ତହୀନତା ସ୍ଥିତି । “ଆମକୁ ଆଉ ଏକ ଅଟୋରିକ୍ସାର ବ୍ୟବସ୍ଥା କରିବାକୁ ପଡିଲା ଓ ତା’ପରେ ରକ୍ତ ଚଢେଇବା ପାଇଁ ଆମେ ତାଙ୍କୁ ଦହିତାନାଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ତୁଲ୍‌ଜାପୁରର ଗ୍ରାମ୍ୟ ଡାକ୍ତରଖାନାକୁ ନେଇଗଲୁ । ଏଥିପାଇଁ ଅଟୋରିକ୍ସାବାଲାକୁ ପରିବହନ ଖର୍ଚ୍ଚ ବାବଦକୁ ୧,୫୦୦ଟଙ୍କା ଦେବାକୁ ପଡିଲା । ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା । ଏଣୁ ଆମେ କରୋନା ସହାୟତା କକ୍ଷର ସଦସ୍ୟଙ୍କଠାରୁ ଏଥିପାଇଁ ଅର୍ଥ ସଂଗ୍ରହ କଲୁ । ଏସବୁ ପରିସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଆମ୍ବୂଲାନ୍ସର ବ୍ୟବସ୍ଥା କରିବା କ’ଣ ସରକାରଙ୍କ ପ୍ରମୁଖ ଦାୟିତ୍ୱ ନୁହେଁ କି?”

ଅନେକ ସମୟରେ, ଏପରି ପରିସ୍ଥିତିରେ ଆଶା କର୍ମୀମାନେ ସେମାନଙ୍କ ନିଜ ପଇସା ମଧ୍ୟ ଖର୍ଚ୍ଚ କରିଥାନ୍ତି – ଯଦିଓ ସେମାନେ ଏପରି ବ୍ୟୟ କରିବା ପାଇଁ ସମର୍ଥ ନୁହନ୍ତି । ୧୦ବର୍ଷ ପୂର୍ବେ କୌଣସି ଏକ ରୋଗରେ ନାଗିନିଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବର୍ତ୍ତମାନ ସେ ହେଉଛନ୍ତି ତାଙ୍କ ପରିବାରର ଜଣେ ମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି; ତାଙ୍କର ପୁଅ ଓ ଶାଶୁ ତାଙ୍କ ଉପାର୍ଜନ ଉପରେ ନିର୍ଭର କରନ୍ତି । 

Like other ASHAs, Shakuntala has been monitoring the health of pregnant women and newborns during the lockdown
PHOTO • Sanjeevani Langade
Like other ASHAs, Shakuntala has been monitoring the health of pregnant women and newborns during the lockdown
PHOTO • Sanjeevani Langade

ଅନ୍ୟ ଆଶାମାନଙ୍କ ପରି, ଶକୁନ୍ତଳା ମଧ୍ୟ ତାଲାବନ୍ଦ ସମୟରେ ଗର୍ଭବତୀ ମହିଳା ଓ ନବଜାତକଙ୍କ  ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖି ଆସୁଛନ୍ତି 

ଫୁଲ୍‌ୱାଡିରେ, ଶଙ୍କୁନ୍ତଳାଙ୍କୁ ତାଲାବନ୍ଦ ସମୟରେ ଉପାର୍ଜନ ପାଇଁ ଅନ୍ୟ ପନ୍ଥା ଆପଣେଇବାକୁ ପଡୁଛି (ଓ ସେ ଜୁନ୍‌ ଓ ଜୁଲାଇର ବକେୟା ଟଙ୍କା ଏ ପର୍ଯ୍ୟନ୍ତ ପାଇନାହାନ୍ତି) । “ମୋର ସ୍ୱାମୀ, ଗୂରୁଦେବ ଲଙ୍ଗାଡେ ହେଉଛନ୍ତି ଜଣେ କୃଷି ଶ୍ରମିକ । ସେ ଦିନକୁ ପ୍ରାୟ ୨୫୦ଟଙ୍କା ରୋଜଗାର କରନ୍ତି, ହେଲେ ଚଳିତ ଗ୍ରୀଷ୍ମଋତୁରେ ସେ ବହୁତ ଅଳ୍ପ କାମ ପାଇଛନ୍ତି । ଜୁନ୍‌ ରୁ ଅକ୍ଟୋବର୍‌ ମାସ ମଧ୍ୟବର୍ତ୍ତୀ ସମୟ ହେଉଛି ସେହି ସମୟ ଯେତେବେଳେ ସେ ସର୍ବାଧିକ କର୍ମନିଯୁକ୍ତି ପାଇଥାନ୍ତି,’’ ବୋଲି ସେ କୁହନ୍ତି । ଏହି ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି, ଯାହାଙ୍କ ବୟସ ଯଥାକ୍ରମେ ୧୭ ଓ ୨ ବର୍ଷ ଅଟେ ଓ ଗୁରୁଦେବଙ୍କର ବାପା ମା ମଧ୍ୟ ତାଙ୍କ ସହିତ ରୁହନ୍ତି । 

ମେ ରୁ ଜୁଲାଇ ପର୍ଯ୍ୟନ୍ତ ଶକୁନ୍ତଳା ଅନ୍ଦୁର ସ୍ଥିତ ହାଲୋ ମେଡିକାଲ୍‌ ଫାଉଣ୍ଡେସନ୍‌ ଦ୍ୱାରା ତାଙ୍କ ଗ୍ରାମରେ ଚାଲିଥିବା ଏକ ପ୍ରକଳ୍ପରେ ଖାଦ୍ୟ ରାନ୍ଧି ଅଳ୍ପ କିଛି ଅତିରିକ୍ତ ଅର୍ଥ ଉପାର୍ଜନ କରିଛନ୍ତି। ଏହି ସ୍ୱେଚ୍ଛାସେବୀ ସଂସ୍ଥା ପାରିଶ୍ରମିକ ବଦଳରେ ଖାଦ୍ୟ ପ୍ରସ୍ତୁତ କରିବାକୁ ଇଚ୍ଛା କରୁଥିବା ଅଙ୍ଗନୱାଡି  କର୍ମଚାରୀ ଓ ଆଶାମାନଙ୍କ ସହିତ ଯୋଗାଯୋଗ କରିଥିଲେ। ସେମାନଙ୍କୁ ସମସ୍ତ ଗ୍ରୋସରି ସାମଗ୍ରୀ ଯୋଗାଇ ଦେଇଥିଲେ । “ଆମେ ଲୋହରା ଓ ତୁଲ୍‌ଜାପୁର ତାଲୁକାର ଏହିପରି ୩୦୦ ବ୍ୟକ୍ତିଙ୍କୁ ଚିହ୍ନଟ କଲୁ, ଯେଉଁମାନଙ୍କୁ ସହାୟତା କରାଯିବା ନିତାନ୍ତ ଆବଶ୍ୟକ ଥିଲା । ଆମେ ମେ ୧୫ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଖାଦ୍ୟ ବିତରଣ କରିଥିଲୁ” ବୋଲି ହାଲୋର ଜଣେ ସଦସ୍ୟ ବଶ୍ୱାରାଜ କହିଲେ ।  

“ଏହା ମୋ ପରି ଆଶାମାନେ, ଯେଉଁମାନେ ସ୍ୱଳ୍ପ ପରିମାଣର ତଥା ଅପର୍ଯ୍ୟାପ୍ତ ଦରମା ପାଆନ୍ତି, ସେମାନଙ୍କର ବହୁତ ସହାୟତା କରିଛି । ମୁଁ ଦିନକୁ ଦୁଇଟି ଭୋଜନ ଓ ଗୋଟିଏ କପ୍‌ ଚା’ [ଜଣେ ବ୍ୟକ୍ତି ପାଇଁ] କରି ପହଞ୍ଚାଇବା ପାଇଁ ଦିନକୁ ୬୦ଟଙ୍କା ପାଇଲି । ମୁଁ ଛଅ ଜଣ ଲୋକଙ୍କ ପାଇଁ ରାନ୍ଧୁଥିଲି ଓ ଏଥିରେ ମୋର ଦିନକୁ ୩୬୦ଟଙ୍କା ରୋଜଗାର ହେଉଥିଲା,” ବୋଲି ଶକୁନ୍ତଳା କୁହନ୍ତି । ୨୦୧୯ରେ ସେ ତାଙ୍କର ୨୦ ବର୍ଷର ଝିଅ ସଙ୍ଗୀତାର ବିବାହ ପାଇଁ ଜଣେ ଘରୋଇ ଋଣଦାତାଙ୍କ ଠାରୁ ୩ ପ୍ରତିଶତ ସୁଧରେ ୩ ଲକ୍ଷ ଟଙ୍କା ଋଣ କରିଥିଲେ । ସେ ତାଲାବନ୍ଦ ସମୟରେ ମଧ୍ୟ କୌଣସି ମାସରେ ଋଣକିସ୍ତି ପଇଠ କରିବାରେ ବିଫଳ ହୋଇନାହାନ୍ତି, ଏ ଭିତରେ ସେ ୮୦,୦୦୦ ଟଙ୍କା ପରିଶୋଧ କରିସାରିଲେଣି । 

“ମୋର ଶାଶୁ ଏ ନେଇ ଚିନ୍ତିତ ଥିଲେ କାରଣ ମୁଁ ଏହି ମହାମାରୀ ସମୟରେ ମଧ୍ୟ କାମ କରୁଛି । ‘ତୁ ଏହି ରୋଗକୁ ଘରକୁ ଡାକି ଆଣିବୁ’, ସେ କହିଲେ । ହେଲେ ସେ ଏକଥା ବୁଝିପାରିଲେନି ଯେ ମୁଁ ଯଦି ଗ୍ରାମର ବିଷୟ ବୁଝିବି ନାହିଁ, ତାହାହେଲେ ମୋର ପରିବାରକୁ ଭୋକଉପାସରେ ରହିବାକୁ ହେବ,” ବୋଲି ଶକୁନ୍ତଳା କୁହନ୍ତି । 

ତନୁଜା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ଭୋଜନ ପ୍ରସ୍ତୁତ କରି ଦିନକୁ ୩୬୦ଟଙ୍କା ଉପାର୍ଜନ କରୁଥିଲେ । ପ୍ରତିଦିନ, ସେ ତାଙ୍କର ଆଶା କାମ ଶେଷ କରି ଘରକୁ ଫେରିବା ପରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ ଓ ଛଅଟା ଟିଫିନ୍‌ ପହଞ୍ଚାଉଥିଲେ । “ସେମାନଙ୍କୁ ଅପରାହ୍ନ ୪ଟା ବେଳକୁ ଚା’ ଦେଇ ସାରିବା ପରେ, ମୁଁ କରୋନା ସହାୟତା କେନ୍ଦ୍ରର ଦୈନିକ ସଭାରେ ଯୋଗ ଦେବାକୁ ଯାଉଥିଲି’’ ବୋଲି ସେ କୁହନ୍ତି।

ASHAs – like Suvarna Bhoj (left) and Tanuja Waghole (holding the tiffin) – are the 'first repsonders' in a heath crisis in rural areas
PHOTO • Courtesy: Archive of HALO Medical Foundation
ASHAs – like Suvarna Bhoj (left) and Tanuja Waghole (holding the tiffin) – are the 'first repsonders' in a heath crisis in rural areas
PHOTO • Omkar Waghole

ଆଶାମାନେ – ଯେପରିକି ସୁବର୍ଣ୍ଣା ଭୋଜ (ବାମ) ଓ ତନୁଜା ୱାଘୋଲ୍‌ (ଟିଫିନ୍‌ ଧରି) – ହେଉଛନ୍ତି ଗ୍ରାମାଞ୍ଚଳରେ ଉପୁଜୁଥିବା ସ୍ୱାସ୍ଥ୍ୟ ସଂକଟ ସମୟରେ  ‘ପ୍ରାରମ୍ଭିକ ଦାୟିତ୍ୱ’ ତୁଲାଉଥିବା ବ୍ୟକ୍ତି

ଅଗଷ୍ଟ ୧୩  ସୁଦ୍ଧା ତୁଲ୍‌ଜାପୁର ତାଲୁକାରେ ୪୪୭ ଓ ଲୋହରାରେ ୬୫ଟି କୋଭିଡ୍‌-ପଜିଟିଭ୍‌ କେସ୍‌ ରହିଥିବା ଜଣାପଡିଛି । ଦହିତାନାରେ ୪ଟି ରିପୋର୍ଟ ହୋଇଥିବା ବେଳେ ନିଳେଗାଓଁ ଓ ଫୂଲ୍‌ୱାଡିରେ ଏ ପର୍ଯ୍ୟନ୍ତ କୌଣସି ପଜିଟିଭ୍‌ କେସ୍‌ ବାହାରି ନଥିବା ଆଶା କର୍ମୀମାନେ କୁହନ୍ତି ।   

ଜୁନ୍‌ ୨୫ରେ, ମହାରାଷ୍ଟ୍ର ସରକାର ପାରିତୋଷିକ ରାଶି ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ – ଆଶା କର୍ମୀଙ୍କ ପାଇଁ ୨,୦୦୦ ଟଙ୍କା ଓ ଆଶା ଫେସିଲିଟେଟର୍‌ଙ୍କ ପାଇଁ ୩,୦୦୦ଟଙ୍କା – ଯାହା ଜୁଲାଇ ମାସରୁ ଲାଗୁ ହେବ । ଗ୍ରାମାଞ୍ଚଳରେ କୋଭିଡ୍‌- ୧୯ ସର୍ବେକ୍ଷଣରେ ଆଶା କର୍ମୀମାନଙ୍କ ଭୂମିକାକୁ ଉଲ୍ଲେଖ କରି, ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ରାଜ୍ୟର ୬୫,୦୦୦ ଆଶା କର୍ମୀଙ୍କୁ “ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ସୁଦୃଢ ସ୍ତମ୍ଭ” ବୋଲି କହିଛନ୍ତି । 

ଅଗଷ୍ଟ ୧୦ ପର୍ଯ୍ୟନ୍ତ, ଆମେ ଯେଉଁ ଆଶା କର୍ମୀମାନଙ୍କ ସହିତ କଥା ହୋଇଥିଲୁ, ସେମାନେ ସେମାନଙ୍କର ଜୁଲାଇମାସର ପ୍ରୋତ୍ସାହନ ବା ପାରିତୋଷିକ ରାଶି ପାଇନଥିଲେ ।

ତଥାପି ସେମାନେ କାମ କରିଚାଲିଛନ୍ତି । “ଆମେ ଆମ ଲୋକମାନଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛୁ,” ବୋଲି ତନୁଜା କୁହନ୍ତି । “ଏହା ଉତ୍କଟ ମରୁଡି ହେଉ ବା ଭାରି ବର୍ଷା, କୁଆପଥର ବୃଷ୍ଟି ବା କରୋନା ଭୂତାଣୁ ହେଉ, ଯେକୌଣସି ପରିସ୍ଥିତିରେ ଆମେ ସର୍ବପ୍ରଥମେ ଲୋକଙ୍କ ପାଖରେ ଉପସ୍ଥିତ ହେଉ । ସାବିତ୍ରୀବାଇ ଫୁଲେ ହେଉଛନ୍ତି ଆମର ପ୍ରେରଣାର ଉତ୍ସ, ଯିଏ ୧୮୯୭ର ପ୍ଲେଗ୍‌ ମହାମାରୀ ମସୟରେ ଜନସାଧାରଣଙ୍କୁ ସହାୟତା କରିବା ପାଇଁ ନିସ୍ୱାର୍ଥପର ଭାବେ ନିଜକୁ ଉତ୍ସର୍ଗ କରିଦେଇଥିଲେ’’। 

ପରବର୍ତ୍ତୀ ଲେଖ: ଅଗଷ୍ଟ ୭-୮ରେ ସମଗ୍ର ଦେଶର ୟୁନିୟନ୍‌ଗୁଡିକ ଦ୍ୱାରା ଯେଉଁ ଆନ୍ଦୋଳନ କରାଯାଇଥିଲା, ତାହାକୁ ଓସ୍‌ମାନାବାଦ୍‌ର ଆଶା କର୍ମୀ ଓ ଫେସିଲିଟେଟର୍‌ମାନେ ସମର୍ଥନ ପ୍ରଦାନ କରିଥିଲେ । ଦୀର୍ଘଦିନ ଧରି ସେମାନେ କରିଆସୁଥିବା ବିଭିନ୍ନ ଦାବି ଯେପରିକି ଆଶାମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ନିୟମିତ କରିବା, ଉଚିତ ଦରମା ( ଓ ଠିକ୍‌ ସମୟରେ) ପ୍ରଦାନ, ପ୍ରୋତ୍ସାହନ ରାଶି ବୃଦ୍ଧି ଓ ପରିବହନ ସୁବିଧା ଯୋଗାଇବା ଆଦି ପୂରଣ କରିବାକୁ କହିବା ସହିତ ସହିତ ସୁରକ୍ଷା ପୋଷାକ, କୋଭିଡ୍‌-୧୯ କାମ କରିବାକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ, ଆଗଧାଡିର କର୍ମୀଙ୍କର ନିୟମିତ ଯାଞ୍ଚ କରାଯିବା ଓ ମହାମାରୀ ସମୟରେ ବୀମା ଯୋଗାଇବାକୁ ମଧ୍ୟ ଦାବି କରାଯାଇଛି ।


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ira Deulgaonkar

ଇରା ଦେଉଲଗାଓଁକର ୨୦୨୦ର ଜଣେ PARI ପ୍ରଶିକ୍ଷାର୍ଥୀ; ସେ ପୁଣେର ସିମ୍ବିଓସିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମର ଦ୍ଵିତୀୟ ବର୍ଷ ଛାତ୍ରୀ ।

Other stories by Ira Deulgaonkar