“ତାଲାବନ୍ଦ ଯୋଗୁଁ ଇଟାଭାଟିଗୁଡିକ ବନ୍ଦ ହୋଇନି। ଆମେମାନେ ସବୁଦିନ ଭଳି ଏଠାରେ ଆମ କାମ ଜାରି ରଖିଛୁ,” ବୋଲି ଏପ୍ରିଲ ୫ରେ ହୃଦୟ ପରାଭୁଏଙ୍କୁ ମୁଁ ଯେତେବେଳେ ସାକ୍ଷାତ କରିଥିଲି ସେତେବେଳେ ସେ କହିଥିଲେ । “ଏଠାରେ କେବଳ ଗୋଟିଏ ପରିବର୍ତ୍ତନ ଘଟିଛି ଯାହା ହେଉଛି ଏଠାରେ ବସୁଥିବା ସାପ୍ତାହିକ ହାଟ ବନ୍ଦ ହୋଇଯାଇଛି, ଯାହା ଫଳରେ ନିଯୁକ୍ତିଦାତାଙ୍କ ଠାରୁ ଆମକୁ ମିଳୁଥିବା ସାପ୍ତାହିକ ଭତ୍ତା ରାଶିରେ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ଜିନିଷ ସବୁ କିଣିବାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି’’ । 

ଗତ ତିନି ବର୍ଷ ହେବ ହୃଦୟ ତେଲେଙ୍ଗାନାର ଏକ ଭାଟିରେ କାମ କରି ଆସୁଛନ୍ତି – ଋଣ ଚାପ ଯୋଗୁଁ ସେ ବାଧ୍ୟ ହୋଇ ଏହି କାମ ଆପଣେଇଛନ୍ତି । ପ୍ରତିବର୍ଷ ସେ ତାଙ୍କ ସ୍ତ୍ରୀଙ୍କୁ ଓଡିଶାର ବଲାଙ୍ଗୀର ଜିଲ୍ଲାର ତୁରେକେଲା ତାଲୁକା ଅନ୍ତର୍ଗତ ତାଙ୍କ ଗ୍ରାମ ଖୁଟୁଲୁମୁଣ୍ଡାରେ ଛାଡି ଏଠାକୁ ଆସନ୍ତି । “ମୁଁ ମୋର ଗ୍ରାମରେ ଲୋହାକାର [କମାର] ଭାବେ କାମ କରି ଭଲ ଉପାର୍ଜନ କରୁଥିଲି କିନ୍ତୁ ମୋର ଘର ତିଆରି କରିବା ପାଇଁ ମୋତେ ଋଣ ନେବାକୁ ପଡିଲା । ତାପରେ ନୋଟ୍‌ବନ୍ଦି [ବିମୁଦ୍ରାକରଣ] ହୋଇଗଲା,” ବୋଲି ସେ ମିଶାମିଶି ହିଡ଼୍ଧଈରେ କହିଲେ । “ମୋ ଗ୍ରାମରେ କାମଧନ୍ଦା ବିଶେଷ ମିଳେନି ଓ ସେପଟେ ମୋର ଋଣ ଭାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମୁଁ ବାଧ୍ୟ ହୋଇ ମୁଁ ଏଠାକୁ ଇଟା ତିଆରି କରିବାକୁ ଆସିଲି । ଏଠାରେ ସମସ୍ତେ ଋଣଗ୍ରସ୍ତ ଅଟନ୍ତି [ଭାଟିରେ]।’’ 

ମାର୍ଚ୍ଚ ୨୫ରେ ଅପ୍ରତ୍ୟାଶିତ ଭାବେ ଆରମ୍ଭ ହୋଇଥିବା ତାଲାବନ୍ଦ ଯୋଗୁଁ ସଙ୍ଗାରେଡ୍ଡୀ ଜିଲ୍ଲାର ଜିନ୍ନାରାମ ମଣ୍ଡଳର ଗଦ୍ଦିପୋଥରାମ୍‌ ଗ୍ରାମରେ ହୃଦୟ କାମ କରୁଥିବା ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ଦ୍ୱନ୍ଦରେ ପଡିଯାଇଛନ୍ତି ତଥା ସେମାନେ ଅନିଶ୍ଚିତା ଦେଇ ଗତି କରୁଛନ୍ତି । “ପ୍ରତି ଶୁକ୍ରବାର ଦିନ ଆମେ ଏଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ଗ୍ରାମ୍ୟ ବଜାରକୁ ଆମର ସାପ୍ତାହିକ ଭତ୍ତା ନେଇ ପନିପରିବା, ଖାଦ୍ୟଶସ୍ୟ କିଣିବା ପାଇଁ ଯାଉଥିଲୁ” ବୋଲି ଜୟନ୍ତି ପରାଭୁଏ, ସେହି ଭାଟିରେ କାମ କରୁଥିବା ହୃଦୟଙ୍କ ଜଣେ ଦୂର ସମ୍ପର୍କୀୟ କୁହନ୍ତି । “କିଛି ଲୋକ ମଦ ମଧ୍ୟ କିଣନ୍ତି । ବର୍ତ୍ତମାନ ତାଲାବନ୍ଦ କାରଣରୁ ବଜାର ବନ୍ଦ ହୋଇଯାଇଥିବାରୁ ସେସବୁ ବନ୍ଦ ହୋଇଯାଇଛି’’।

ଯଦିଓ ତାଲାବନ୍ଦ ଆରମ୍ଭ ହେବାର ଦୁଇଦିନ ପରେ କିଛି ଶ୍ରମିକ ଶୁକ୍ରବାର ବଜାରରୁ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ସମର୍ଥ ହୋଇପାରିଲେ, ହେଲେ ପରବର୍ତ୍ତୀ ଶୁକ୍ରବାର ଦିନ ବଜାର ପୂରା ବନ୍ଦ ହୋଇଯିବାରୁ ସେମାନେ ଅସୁବିଧାରେ ପଡିଗଲେ। “ବର୍ତ୍ତମାନ ଖାଦ୍ୟ ଯୋଗାଡ କରିବାକୁ କଷ୍ଟ ହେଉଛି,” ବୋଲି ହୃଦୟ କହିଥିଲେ। “ଆମେ ଦୋକାନ ଖୋଜି ଖୋଜି ଯେତେବେଳେ ଗ୍ରାମ ଭିତରକୁ ଟିକିଏ ଅଧିକ ଦୂର ପର୍ଯନ୍ତ ସାହସ ସହିତ ପଶିବାକୁ ଆରମ୍ଭ କଲୁ ସେତେବେଳେ ଆମେମାନେ ସେମାନଙ୍କ ଭାଷା [ତେଲୁଗୁ] କହୁନଥିବା କାରଣରୁ ପୋଲିସ୍‌ ଆମକୁ ସେଠାରୁ ଘଉଡାଇ ଦେଲା।’’

PHOTO • Varsha Bhargavi

ହୃଦୟ ପରାଭୁଏ (ଶୀର୍ଷ ବାମ, ଧଳା ସାର୍ଟ ପିନ୍ଧି) ଓ ଅନ୍ୟ ଶ୍ରମିକମାନେ ଗଦ୍ଦିପୋଥରାମ ଭାଟିରେ । ତେଲେଙ୍ଗାନାର ବିଭିନ୍ନ ଇଟା ଭାଟିରେ ତାଲାବନ୍ଦି ସମୟରେ କାମ ଜାରି ରହିଥିଲା

ତାଲାବନ୍ଦ ଘୋଷଣା କରାଯାଇଥିଲେ ମଧ୍ୟ ତେଲେଙ୍ଗାନାର ବିଭିନ୍ନ ଅଂଶରେ ମାର୍ଚ୍ଚ ୨୫ପରେ ଇଟାଭାଟିଗୁଡିକରେ କାମ ଜାରି ରହିଥିଲା । ୨୦୧୯ର ଶେଷ ଭାଗରେ ଭାଟିରେ ଶ୍ରମିକମାନେ ପହଞ୍ଚିବା ପୂର୍ବରୁ ଶ୍ରମିକମାନେ ସେମାନଙ୍କ ମଜୁରି ପାଇଯାଇଥିଲେ। “ଭାଟିରେ କାମ କରିବାକୁ ଆସିବା ପୂର୍ବରୁ ଆମେ ସମସ୍ତେ ଅଗ୍ରୀମ ଭାବେ ୩୫୦୦୦ ହଜାର ଟଙ୍କା ପାଇଛୁ,’’ ବୋଲି ଜୟନ୍ତି କହିଲେ ।  ସେ ଓ ଅନ୍ୟମାନେ ପରିବାର ପିଛା ଖାଦ୍ୟ ବାବଦକୁ ସପ୍ତାହକୁ ୪୦୦ଟଙ୍କା ଭତ୍ତା ପାଇଥଆନ୍ତି । (ଅଥଚ, ଶ୍ରମିକମାନେ ଏକଥା ବାରମ୍ବାର କହୁଛନ୍ତି ଯେ ଏହା ଜଣେ ବ୍ୟକ୍ତି ପାଇଁ  ଅଟେ – ସମ୍ଭବତଃ ଏହା ଏଥିପାଇଁ ବିଶ୍ୱାସଯୋଗ୍ୟ ଯେ ସେମାନଙ୍କ ସହିତ ଆମର ଏହି ଆଲୋଚନା ଚାଲିଥିବା ବେଳେ ଭାଟିର ମାଲିକ ଓ ମଣ୍ଡଳ ରେଭେନ୍ୟୁ ଅଧିକାରୀ ଆମ ସହିତ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କ ଉପସ୍ଥିତିରେ ଶ୍ରମିକମାନେ ଏହା ମଧ୍ୟ କହିଲେ ଯେ –  ବହୁଳ ଭାବେ ଶୋଷଣ କରାଯାଉଥିବା ଏପରି ଏକ ଶିଳ୍ପରେ ପୁଣି ସବୁବେଳେ ସେମାନଙ୍କ ପ୍ରତି ଭଲ ଆରଚଣ ପ୍ରଦର୍ଶନ କରାଯାଉଛି!)

ଶ୍ରମିକମାନଙ୍କୁ ସେମାନଙ୍କୁ ପ୍ରତିଦିନର ଇଟା ନିର୍ମାଣ ଲକ୍ଷ୍ୟ ହାସଲ କରିବାକୁ ହୋଇଥାଏ – ପରିବାର ପିଛା ୩୦୦୦-୪୦୦୦- କାର୍ଯ୍ୟସ୍ଥଳିରେ ସେମାନଙ୍କ ସାତ ମାସର କାର୍ଯ୍ୟ ସମୟ ମଧ୍ୟରେ । ପ୍ରତିବର୍ଷ ନଭେମ୍ବର ଶେଷ ଭାଗରେ ବା ଡିସେମ୍ବର ଆରମ୍ଭରେ, ଓଡିଶାରୁ ଶ୍ରମିକମାନେ ଆସି ପହଞ୍ଚିବା ପରେ ଇଟା ଭାଟିଗୁଡିକରେ କାମ ଆରମ୍ଭ ହୋଇଥାଏ । ଏହା ପ୍ରାୟ ମେ ମାସ ଶେଷ ବା ଜୁନ୍‌ ଆରମ୍ଭ ପର୍ଯ୍ୟନ୍ତ ଚାଲିଥାଏ ।

ଗଦ୍ଦିପୋଥରମ୍‌ ଭାଟିରେ କାମ କରୁଥିବା ସମସ୍ତ ଶ୍ରମିକ ଓଡିଶାରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ- ହୃଦୟ ଓ ଜୟନ୍ତିଙ୍କ ପରି ଲୁହୁରା ସମ୍ପ୍ରଦାୟର, ଯେଉଁମାନେ ରାଜ୍ୟର ଓବିସି ତାଲିକା ଭୂକ୍ତ ଅଟନ୍ତି । ଜଣେ ସର୍ଦ୍ଦାର ବା ଠିକାଦାର ସାଧାରଣତଃ ପ୍ରତ୍ୟେକ ଋତୁରେ ତେଲେଙ୍ଗାନାର ବିଭିନ୍ନ ଭାଟିକୁ ୧୦୦୦ ଶ୍ରମିକଙ୍କ ଗୋଟିଏ ଦଳ ଆଣିଥାନ୍ତି, ବୋଲି ହୃଦୟ ବର୍ଣ୍ଣନା କରି କହିଲେ । “ଏହିପରି ଅନେକ ଠାକାଦାର ଅଛନ୍ତି ଯେଉଁମାନେ ସାରା ଓଡିଶାରେ ବୁଲନ୍ତି ତଥା ଆମ ଭଳି ଶ୍ରମିକମାନଙ୍କୁ ଏକତ୍ରିତ କରନ୍ତି । ମୁଁ ଜଣେ ଛୋଟ ଠାକାଦାରଙ୍କ ସହିତ ଆସିଥିଲି । ଜଣେ ବଡ ଠିକାଦାର ୨୦୦୦ରୁ ଅଧିକ ଶ୍ରମିକ ମଧ୍ୟ ଆଣିପାରିବେ’’ ।

ଚଳିତ ଥର ହୃଦୟ ତାଙ୍କର କିଶୋରୀ ଝିଅକୁ ତାଙ୍କ ସହିତ କାମ କରିବାକୁ ଆଣିଛନ୍ତି । “କିର୍‌ମଣିର ବୟସ ୧୬ କି ୧୭ ବର୍ଷ ହେବ । ସେ ଆଉ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉନଥିବାରୁ ମୋ ସହିତ କାମରେ ମିଶିବା ପାଇଁ ଏଠାକୁ ଆସିଛି । ଇଟା ତିଆରି କରିବା ପାଇଁ ଅତିରିକ୍ତ ଦୁଇଟି ହାତର ଉପସ୍ଥିତି ସବୁବେଳେ ଭଲ ଓ ତା’ର ବାହାଘର ପାଇଁ ମଧ୍ୟ ଆମର ଟଙ୍କା ଦରକାର ଅଛି,” ବୋଲି ୫୫ ବର୍ଷ ବୟସ୍କ ବାପା କହିଲେ । ବର୍ତ୍ତମାନ କରୋନାଭୂତାଣୁ ଓ ତାଲାବନ୍ଦ ଅବଧି ବୃଦ୍ଧିର ଅନିର୍ଦ୍ଦିଷ୍ଟତା ଯୋଗୁଁ ଭୟଭୀତ ହୋଇ ପଡିଥିବା ଏହି ଲୋକମାନେ କେବଳ ନିଜ ଗ୍ରାମକୁ କିଭଳି ଫେରିଯିବେ ସେଥିପାଇଁ ବିହ୍ୱଳ ହୋଇ ଅପେକ୍ଷା କରି ରହିଛନ୍ତି ।

The kiln workers' makeshift huts – around 75 families from Balangir district are staying at the kiln where Hruday works
PHOTO • Varsha Bhargavi
The kiln workers' makeshift huts – around 75 families from Balangir district are staying at the kiln where Hruday works
PHOTO • Varsha Bhargavi

ଭାଟି ଶ୍ରମିକମାନେ ଅସ୍ଥାୟୀ କୁଡିଆ ନିର୍ମାଣ କରିଥାନ୍ତି – ହୃଦୟ ଯେଉଁ ଭାଟିରେ କାମ କରନ୍ତି ସେଠାରେ ବଲାଙ୍ଗୀର ଜିଲ୍ଲାର ପ୍ରାୟ ୭୫ ପରିବାର ରୁହନ୍ତି

ବର୍ତ୍ତମାନ, ଓଡିଶାର ପ୍ରାୟ ୪,୮୦୦ ପ୍ରବାସୀ ଶ୍ରମିକ ସଙ୍ଗାରେଡ୍ଡୀ ଜିଲ୍ଲାର ଜିନ୍ନାରାମ ଓ ଗୁମ୍ମାଦିଦଳା ମଣ୍ଡଳର ବିଭିନ୍ନ ଇଟା ଭାଟିରେ କାମ କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ଥାନୀୟ ଶିକ୍ଷା କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି । ଏହାସହିତ ଏହି କାର୍ଯ୍ୟସ୍ଥଳ ପରିସରରେ ୭-୧୪ ବର୍ଷ ମଧ୍ୟରେ ରହୁଥିବା ପ୍ରାୟ ୩୧୬ ଜଣ ବାଳକବାଳିକା ପ୍ରବାସୀ ପିଲା ଯେଉଁମାନେ ଶିକ୍ଷା ବିଭାଗ ଦ୍ୱାରା ପ୍ରବାସୀ ପିଲାଙ୍କ ପାଇଁ ପରିଚାଳିତ ବିଦ୍ୟାଳୟରେ ପଢନ୍ତି, ସେମାନେ ମଧ୍ୟ ଏହି ଇଟା ଭାଟି ପରିସରରେ ରୁହନ୍ତି । (ଛଅ ବର୍ଷ ଠାରୁ ଛୋଟ ଶିଶୁଙ୍କ ସଂଖ୍ୟା ଜଣାନାହିଁ) । ହୃଦୟ ଓ କିର୍‌ମଣି ଯେଉଁ ଭାଟିରେ କାମ କରନ୍ତି ସେଠାରେ ପ୍ରାୟ ୭୫ ପରିବାର ରୁହନ୍ତି- ସମସ୍ତେ ବଲାଙ୍ଗୀରର –  ସେଥିରେ ୧୩୦ ବୟସ୍କ ଓ ୭-୧୪ ବର୍ଷ ବର୍ଗର ୨୪ ଜଣ ପିଲାଙ୍କ ସମେତ ଛୋଟ ଛୋଟ ପିଲାମାନେ ମଧ୍ୟ ଅଛନ୍ତି ।  

“ ଆମେ ପୂର୍ବାହ୍ନ ୩ଟାରୁ ଇଟା ତିଆରି କାମ ଆରମ୍ଭ କରୁ ଓ ୧୦ରୁ୧୧ଟା ମଧ୍ୟରେ କାମ ଶେଷ କରିଦେଉ । ଆମେ ସକାଳବେଳା କାମ ସାରି କିଛି ସମୟ ବିରତି ନେଇଥାଉ । ମହିଳାମାନେ ଦ୍ୱିପହର ଗୋଟାଏ ସୁଦ୍ଧା ଜାଳିଣିକାଠ ସଂଗ୍ରହ କରନ୍ତି, ରୋଷେଇ କାମ ଶେଷ କରନ୍ତି ଓ ପିଲାମାନଙ୍କୁ ଗାଧୋଇ ଦେଇ ଖାଇ ଦିଅନ୍ତି ଓ ତା’ପରେ କିଛି ସମୟ ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତି ବୋଲି,” ତିନି ସନ୍ତାନଙ୍କ ମାଆ ୩୧ବର୍ଷ ବୟସ୍କ ଜୟନ୍ତି କୁହନ୍ତି । ତାଙ୍କ ସ୍ୱାମୀ ଯେତେ ଘଣ୍ଟା ଭାଟିରେ କାମ କରନ୍ତି ସେ ମଧ୍ୟ ସେତେ ଘଣ୍ଟା କାମ କରନ୍ତି । ଚାରିଜଣ ମିଶି ଗୋଟିଏ ଦଳ କରି କାମ କରନ୍ତି । ଆମେ ପୁଣି ଅପରାହ୍ଣ ୪ଟା ବେଳେ କାମ ଆରମ୍ଭ କରୁ ଓ ରାତି ୧୦ଟା ପର୍ଯ୍ୟନ୍ତ ଇଟା ତିଆରି କରୁ । ଆମେ ରାତ୍ରି ଭୋଜନ କରିବା ବେଳକୁ ପ୍ରାୟତଃ ମଧ୍ୟରାତ୍ରି ହୋଇଯାଏ ବା ବେଳେବେଳେ ରାତି ଗୋଟାଏ ହୋଇଯାଏ ।

ଜୟନ୍ତି ବିବାହ କରିବା ବେଳକୁ ତାଙ୍କୁ ୧୪ ରୁ ୧୫ ବର୍ଷ ହୋଇଥିଲା – ସଠିକ୍‌ ବୟସ ସେ ମନେ ପକାଇ ପାରୁନାହାନ୍ତି । ଏପ୍ରିଲ ୫ରେ ଆମ ଦୁଇଜଣଙ୍କ ସାକ୍ଷାତ ହେବା ବେଳକୁ ସେ ତାଙ୍କର ଦୁଇ ବର୍ଷର ପୁଅ ବସନ୍ତକୁ ଧରିଥିଲେ ଓ ତାଙ୍କର ଛଅ ବର୍ଷର ଝିଅ ଅଞ୍ଜଳିକୁ ଏକ ଟାଲ୍‌କମ୍‌ ପାଉଡର୍‌ ଡବାକୁ ଖାଲି କରିବା ଠାରୁ ବାରଣ କରୁଥିଲେ, ଯାହା ସେ ନିଜ ମୁହଁରେ ଲଗାଇ ଏକ ଫଟୋଗ୍ରାଫ୍‌ ପାଇଁ ପୋଜ୍‌ ଦେବାକୁ ନିଜକୁ ପ୍ରସ୍ତୁତ କରୁଥିଲେ । ଜୟନ୍ତିଙ୍କର ବଡ ପୁଅ, ୧୧, ଏଠାରୁ ଅଳ୍ପ ଦୂରରେ ଥିବା ଅନ୍ୟ ଏକ ଭାଟିରେ ଅବସ୍ଥିତ ଏକ କାର୍ଯ୍ୟସ୍ଥଳି ବିଦ୍ୟାଳୟରେ ପାଠ ପଢନ୍ତି କିନ୍ତୁ ତାଲାବନ୍ଦ ଯୋଗୁଁ ଏହି ବିଦ୍ୟାଳୟ ବର୍ତ୍ତମାନ ବନ୍ଦ ଅଛି । ଜୟନ୍ତି ନିଜେ କେବେ ମଧ୍ୟ ବିଦ୍ୟାଳୟକୁ ଯାଇନାହାନ୍ତି; ତାଙ୍କ ବୟସ କେତେ ଆମକୁ କହିବା ପାଇଁ ସେ ଆମକୁ ତାଙ୍କର ଆଧାର କାର୍ଡ ଦେଖାଇଲେ ।

ଖୁଟୁଲୁମୁଣ୍ଡାରେ ଜୟନ୍ତିଙ୍କ ସ୍ୱାମୀଙ୍କ ପରିବାର ପାଖରେ ଦୁଇ ଏକର ଜମି ଅଛି । “ସେ ମଧ୍ୟରୁ କେବଳ ଗୋଟିଏ ଏକର ହେଉଛି ଚାଷୋପଯୋଗୀ ଜମି,” ବୋଲି ସେ କହିଲେ । “ବୀଜଠାରୁ ଆରମ୍ଭ କରି କୀଟନାଶକ ପର୍ଯ୍ୟନ୍ତ ସବୁକିଛି କମ୍ପାନି ଏଜେଣ୍ଟମାନେ ଆମ ପାଖରେ ପହଞ୍ଚାଇ ଦିଅନ୍ତି, ଏଣୁ ଆମେ ସେଥିରେ କର୍ପାସ୍‌ ଚାଷ କରୁଛୁ ବୋଲି ସେ କୁହନ୍ତି । । ସେମାନେ ପୁଣି ଆମ ପାଖକୁ ଅମଳ ହୋଇଥିବା କର୍ପାସ୍‌ କିଣିବାକୁ ଆସନ୍ତି । ଆମେ ଜୁନ୍‌ରେ ଯେତେବେଳେ ବର୍ଷା ହୁଏ ସେତେବେଳେ ବୁଣିଦେଉ ଓ ନଭେମ୍ବର ଶେଷରେ ବା ଡିସେମ୍ବର ଆରମ୍ଭରେ ଅମଳ କରିଥାଉ । ଅମଳ ହୋଇଥିବା କର୍ପାସ୍‌ ପାଇଁ ସେମାନେ ପ୍ରତିବର୍ଷ ଆମକୁ ୧୦,୦୦୦ ଟଙ୍କା ଦିଅନ୍ତି ।

Left: Joyanti Parabhue (standing) with other workers. Right: Kirmani (in blue), Joyanti, Anjoli and Bosanth (in background), in the cooking area of Joyanti's hut
PHOTO • Varsha Bhargavi
Left: Joyanti Parabhue (standing) with other workers. Right: Kirmani (in blue), Joyanti, Anjoli and Bosanth (in background), in the cooking area of Joyanti's hut
PHOTO • Varsha Bhargavi

ବାମ: ଜୟନ୍ତି ପରାଭୂଏ (ଠିଆ ହୋଇଛନ୍ତି) ଅନ୍ୟ ଶ୍ରମିକମାନଙ୍କ ସହିତ । ଡାହାଣ: କିର୍‌ମଣି (ନୀଳ ପୋଷାକରେ), ଜୟନ୍ତି, ଅଞ୍ଜଳି ଓ ବୋସନ୍ତ (ପୃଷ୍ଠଭୂମିରେ) ଜୟନ୍ତିଙ୍କ କୁଡିଆରେ ରନ୍ଧା ଯାଉଥିବା ସ୍ଥାନରେ

ସେମାନଙ୍କ ଗ୍ରାମର କୌଣସି ବ୍ୟକ୍ତି କିମ୍ବା କ୍ରେତା, କେହି ମଧ୍ୟ କମ୍ପାନିକୁ ବିକ୍ରି କରାଯାଉଥିବା କର୍ପାସ୍‌ ଓଜନ କରନ୍ତିନି । “ସେମାନେ ଆମକୁ ବୀଜ, କୀଟନାଶକ ଦେବା ସହିତ କର୍ପାସ୍‌ କିଣୁଥିବାରୁ ଆମେ ଖୁସି ଅଛୁ,” ବୋଲି ଜୟନ୍ତି କହିଲେ । “ଆମ ଭଳି ଏକ ବଡ ପରିବାର ପାଇଁ ୧୦,୦୦୦ଟଙ୍କା ଯଥେଷ୍ଟ ନୁହେଁ । ଏଣୁ ଠିକ୍‌ ଅମଳ ହୋଇ ସାରିବା ପରେ ଆମେ ଏହି ଇଟା ଭାଟିରେ କାମ କରିବାକୁ ଆସିଯାଉ’’ ।

ଭାଟିରେ ଶ୍ରମିକମାନେ ଭଙ୍ଗି ଯାଇଥିବା ଓ ନଷ୍ଟ ହୋଇଯାଇଥିବା ଇଟାରେ ଅସ୍ଥାୟୀ କୁଡିଆ ନିର୍ମାଣ କରି ସେଥିରେ ରୁହନ୍ତି । କେବଳ କେତେକ କୁଡିଆରେ କାଦୁଅ ଲେସା ହୋଇଛି । ଭାଟି ମାଲିକ ଏକ ଜଳ ବିଶୋଧକ ମେସିନ୍‌ ଲଗାଇଛନ୍ତି ଯାହା ପାନୀୟ ଜଳ ଯୋଗାଇଥାଏ – ଏହା ହେଉଛି ଏହି କାର୍ଯ୍ୟସ୍ଥଳରେ ଉପଲବ୍ଧ ଏକମାତ୍ର ସୁବିଧା ।

ଗୀତା ସେନ, ୨୭, ତାଙ୍କର ବାହୁରେ ତାଙ୍କର ଶିଶୁକୁ ଧରି ଭାଟି ପଛରେ ଥିବା ଖୋଲା ସ୍ଥାନକୁ ଦେଖାଇଲେ । “ସେଠାରେ ଥିବା ଏକ ମଇଦାନରେ[ପଡିଆ] ଆମେ ମଳ ତ୍ୟାଗ କରୁ । ଗାଧୋଇବାକୁ ଓ ଲୁଗା ଧୋଇବାକୁ ଆମକୁ ଏହି ସ୍ଥାନ ପର୍ଯ୍ୟନ୍ତ ପାଣି ବୋହି ଆଣିବାକୁ ପଡେ । ପୁରୁଷମାନେ କେଉଁଠାରେ ମଧ୍ୟ ଗାଧୋଇ ପାରିବେ । କିନ୍ତୁ ଆମେ ମହିଳାମାନେ ଏଠାରେ ଗାଧୋଉ,” ବୋଲି ସେ ସେଠାରେ ଥିବା ଏକ ଛୋଟ ସ୍ଥାନକୁ ଦେଖାଇ କହିଲେ – ଚାରିଟି ପଥରର ସ୍ଲାବ୍‌, କିଛି କାଦୁଅ ପାଣିରେ ଅଧା ଭର୍ତ୍ତି ହୋଇଥିବା ପ୍ଲାଷ୍ଟିକ ପାତ୍ର ଓ ଚାରିଟି ବାଡି ସହାୟତାରେ ଲଗାଯାଇଥିବା ଏକ ପ୍ଲାଷ୍ଟିକ୍‌ ସିଟ୍‌ । “ଅନ୍ୟମାନେ ଗାଧୋଇବା ବେଳେ ଜଣେ ଜଗୁଆଳି ହୋଇ ଜଗି ରହୁ । ଭାଟି ନିକଟରେ ଥିବା ଏକ ଷ୍ଟୋରେଜ୍‌ ଟ୍ୟାଙ୍କରୁ ଆମେ ପାଣି ନେଇଥାଉ’’ ।

ଆଉ କେତେଜଣ ମହିଳା ସେମାନଙ୍କ ଶିଶୁ ଓ ପିଲାମାନଙ୍କ ସହିତ ସକାଳ ଗାଧୁଆ ସାରି ଆମେ ଯେଉଁଠି ଥିଲୁ ସେଠାକୁ ଆସିଲେ,ଅଧା ଶୁଖିଲା ସ୍ଥିର ପାଣି କୁଣ୍ଡ ପାଖକୁ । ସେମାନେ ସମସ୍ତେ ଘରକୁ ଯିବାକୁ ଚାହୁଁଛନ୍ତି । “ତାଲାବନ୍ଦ ପରେ ଆମେ ସମସ୍ତେ କଣ ଓଡିଶା ବାହୁଡି ପାରିବୁ?” ଦ୍ୱିଧାଗ୍ରସ୍ତ ହୋଇ ଗୀତା ପଚାରିଲେ ।

PHOTO • Varsha Bhargavi

ପିଲାମାନଙ୍କ ସହିତ କିଛି ମହିଳା ଆମେ ଯେଉଁଠାରେ ଥିଲୁ ସେଠାକୁ ଆସିଲେ – ସେମାନେ ସମସ୍ତେ ଘରକୁ ଯିବାକୁ ଚାହୁଁଥିଲେ । ଡାହାଣ: ଭାଟି ପାଖରେ ଗାଧୋଇବା ପାଇଁ ଥିବା ଏକ ସ୍ଥାନ, ଯାହାକୁ ସାଧାରଣ ସୁବିଧା ବୋଲି କୁହାଯାଇନପାରେ

ମାର୍ଚ୍ଚ ୩୦ରେ ତାଲାବନ୍ଦ ସମୟରେ ଆବଶ୍ୟକ ସ୍ଥଳେ ରିଲିଫ୍‌ ପ୍ରଦାନ କାର୍ଯ୍ୟକ୍ରମର ଅଂଶ ଭାବେ ପ୍ରତ୍ୟେକ ପ୍ରବାସୀ ଶ୍ରମିକମାନଙ୍କୁ ୧୨କେଜି ଚାଉଳ ଓ ୫୦୦ଟଙ୍କା ପ୍ରଦାନ କରାଯିବା ପାଇଁ ତେଲେଙ୍ଗାନା ସରକାର ଆଦେଶ ଦେଇଥିଲେ, ଯାହାର ଅନ୍ତିମ ତାରିଖ ୧୪ ଏପ୍ରିଲ ଥିଲା । ହେଲେ ଏପ୍ରିଲ ୫ ପର୍ଯ୍ୟନ୍ତ ଏହା ଗଦ୍ଦିପୋଥରମ୍‌ରେ ଥିବା ପ୍ରବାସୀ ପରିବାରଙ୍କ ପାଖରେ ପହଞ୍ଚି ପାରିନଥିବା ବେଳେ କୌଣସି ପରିବାର ଗ୍ରାମର ବଜାରରୁ କିଛି ଜିନିଷ ମଧ୍ୟ କିଣି ପାରିନଥିଲେ । ଯେତେବେଳେ ସ୍ୱେଚ୍ଛାସେବୀମାନେ ଦୁଇ ସପ୍ତାହ ପାଇଁ ପରିବାର ପାଇଁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଥିବା ୭୫ଟି ରାସନ୍‌ କିଟ୍‌ ସେଠାରେ ପହଞ୍ଚାଇଲେ ( ଏକ ବେସରକାରୀ କମ୍ପାନି ପ୍ରଦାନ କରିଥିବା), ସେତେବେଳକୁ ସେମାନେ ଗୋଟିଏ ଦିନ ଭୋକରେ ରହିସାରିଥିଲେ ।

ସଙ୍ଗାରେଡ୍ଡୀର ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ସୂଚୀତ କରାଯିବା ପରେ, ଜିଲ୍ଲାପାଳ ଏପ୍ରିଲ୍‌ ୫ରେ ଶ୍ରମିକମାନଙ୍କ ପାଖକୁ ଚାଉଳ ଓ ପଇସା ପଠାଇଲେ । ହେଲେ ଏହା ପ୍ରତ୍ୟେକ ପରିବାରକୁ ଦିଆ ଯାଇଥିଲା  ଓ ପ୍ରତ୍ୟେକ ବ୍ୟକ୍ତିକୁ ନୁହେଁ । ଆମେ ଯେଉଁ ସବୁ ପ୍ରବାସୀ ଶ୍ରମିକମାନଙ୍କ ସହିତ କଥା ହୋଇଥିଲୁ, ସେମାନେ କୁହନ୍ତି ଯେ ରାଜ୍ୟରେ ରିଲିଫ୍‌ ବିତରଣ ଶୃଙ୍ଖଳାରେ ସେମାନଙ୍କ ସ୍ଥାନ ହେଉଛି ସବୁଠାରୁ ନିମ୍ନରେ, ରାସନ୍‌ କାର୍ଡ ଧାରକଙ୍କ ତଳେ । ସେମାନଙ୍କୁ ମିଳୁଥିବା ଭତ୍ତା ରାଶିରେ ଶ୍ରମିକମାନେ ବର୍ତ୍ତମାନ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଗ୍ରାମର ଦୋକାନରୁ କିଛି କିଛି ଜିନିଷ କିଣି ପାରୁଛନ୍ତି ।

ସେମାନେ ସମସ୍ତେ ଘରକୁ ଫେରିବା ପାଇଁ ବ୍ୟଗ୍ର ଅଛନ୍ତି । “ଆମକୁ କରୋନା ହୋଇଯାଉ, ସେ ସମୟକୁ ଅପେକ୍ଷା କରି ଆମେ ଏଠାରେ ରହିଥିବୁ, ତାହା କ’ଣ ଆପଣ ଚାହନ୍ତି?” ବୋଲି କ୍ରୋଧିତ ହୃଦୟ କୁହନ୍ତି । “ଯଦି ମୃତ୍ୟୁ ଅବଶ୍ୟମ୍ଭାବୀ, ତାହାହେଲେ ଆମେ ସମସ୍ତେ ଆମ ପରିବାର ସଦସ୍ୟଙ୍କ ମଝିରେ ନିଜ ଜନ୍ମଭୂମିରେ ମରିବାକୁ ଚାହିଁବୁ’’।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Varsha Bhargavi

ବର୍ଷା ଭାର୍ଗବୀ ହେଉଛନ୍ତି ତେଲେଙ୍ଗାନାରେ ରହୁଥିବା ଜଣେ ଶ୍ରମିକ ଓ ପିଲାଙ୍କ ଅଧିକାର ପାଇଁ ଲଢୁଥିବା ସାମାଜିକ କର୍ମୀ ଓ ଲିଙ୍ଗଗତ ସଚେତନତା ପ୍ରଶିକ୍ଷକ ।

Other stories by Varsha Bhargavi