“ଗ୍ରାମବାସୀ ସେମାନଙ୍କ ଦ୍ୱାର ପାଖକୁ ଗଲେ ସେଠାକୁ ନଯିବା ପାଇଁ ଆମ ଉପରେ ପାଟି କରୁଛନ୍ତି । ସେମାନେ କହୁଛନ୍ତି ଯେ କିଛି ବିମାରୀ  ଆସିଛି । କେହି ମଧ୍ୟ ଆମକୁ ସେହି ବିମାରୀ ବିଷୟରେ ଜଣାଉନାହାନ୍ତି। ମୋତେ କିଛି ରୋଗ ହେଇନି। ସେମାନେ ମୋତେ କାହିଁକି ରହିବାକୁ କହୁଛନ୍ତି?”

ଗୀତାବାଇ କାଲେ, ଜଣେ ଫନ୍‌ସେ ପର୍ଧି ଆଦିବାସୀ, ଗତ ଏକ ସପ୍ତାହ ହେବ କିଛି ମଧ୍ୟ ଖାଇବାକୁ ପାଇନାହାନ୍ତି । କାରଣ, ଏହି ଭୋକିଲା ୭୮ବର୍ଷୀୟ ବୃଦ୍ଧାଙ୍କ ପାଇଁ ଖାଦ୍ୟ ପାଇବାର ଗୋଟିଏ ମାତ୍ର ରାସ୍ତା ହେଉଛି ଭିକ୍ଷାବୃତ୍ତି, ଯେକୌଣସି ସାଧାରଣ ଦିନରେ ମଧ୍ୟ । ହେଲେ ତାଲାବନ୍ଦ ଯୋଗୁଁ ଏହି ଉତ୍ସ ଶୁଷ୍କ ହୋଇଯାଇଛି । କୋଭିଡ୍‌- ୧୯ କ’ଣ ସେ ବିଷୟରେ ତାଙ୍କ ପାଖରେ ସମ୍ୟକ୍‌ ସୂଚନା ମଧ୍ୟ ନାହିଁ କିନ୍ତୁ ସେ ଓ ତାଙ୍କ ଭଳି ଅନ୍ୟ ପର୍ଧିମାନେ ପ୍ରତିଦିନ ଏହାର ଜ୍ୱାଳା ଅନୁଭବ କରିପାରୁଛନ୍ତି- ସେମାନଙ୍କ ଖାଲି ପେଟରେ ।

ମାର୍ଚ୍ଚ ୨୫ରେ ଶେଷଥର ପାଇଁ ତାଙ୍କୁ ବାସୀ ବାଜରା ଭାକ୍ରି ଖାଇବାକୁ ଦିଆଯାଇଥିବା କଥା ସେ ମନେପକାନ୍ତି । “କେତେକ ବାଳକ – ଯାହାକୁ ମୁଁ ଚିହ୍ନିନି- ସେମାନେ ଇତ୍‌ୱାର୍‌ [ରବିବାର, ମାର୍ଚ୍ଚ ୨୨ରେ]କୁ ଆସିଥିଲେ ଓ ମତେ ଚାରିଟି ଭାକ୍ରି  ଖାଇବାକୁ ଦେଇଥିଲେ।’’ ଚାରିଦିନ ପର୍ଯ୍ୟନ୍ତ ମୁଁ ସେଗୁଡିକୁ ଖାଇଲି । ତା’ ପରଠାରୁ ସେ ନିଜ ଭୋକକୁ ଚାପି ଆସୁଛନ୍ତି । “ତା’ପରେ କେହି ମଧ୍ୟ ଆସିନାହାନ୍ତି ଓ ଗ୍ରାମବାସୀମାନେ ମଧ୍ୟ ମତେ ପ୍ରବେଶ କରିବାକୁ ଦେଉନାହାନ୍ତି’’।

ଗୀତାବାଇ ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ଶିରୁର୍‌ର ମୂଖ୍ୟ ରାସ୍ତା ପାଖରେ ଏକ ଟିଣ ଘରେ ଏକଲା ରୁହନ୍ତି ଓ ଏଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଚୱନ୍‌ୱାଡି ଗ୍ରାମକୁ ଭିକ ମାଗିବାକୁ ଯାଆନ୍ତି । “ଲୋକମାନେ ସେମାନଙ୍କ ଯାହା ବଳକା ଖାଦ୍ୟ ଥାଏ ଆମକୁ ଦିଅନ୍ତି, ଆମେ ତାହା ଖାଉ,” ବୋଲି ସେ କୁହନ୍ତି । “ମୁଁ କେହି ଜଣେ କହୁଥିବା ଶୁଣିଲି ଯେ ସରକାର ମାଗଣାରେ ଖାଦ୍ୟଶସ୍ୟ ଦେଉଛନ୍ତି – କିନ୍ତୁ ତାହା କେବଳ ସେମାନଙ୍କ ପାଇଁ ଯେଉଁମାନଙ୍କ ପାଖରେ ରାସନ୍‌ କାର୍ଡ ଅଛି । ମୋ ପାଖରେ ତାହା ନାହିଁ’’।

ଅନୁସୂଚୀତ ଜନଜାତି ତାଲିକାଭୁକ୍ତ ଫନ୍‌ସେ ପର୍ଧିମାନେ ହେଉଛନ୍ତି ଗରିବମାନଙ୍କ ମଧ୍ୟରେ ସବୁଠାରୁ ନିମ୍ନଶ୍ରେଣୀର ଓ ବଞ୍ଚିତ ବର୍ଗର ଆଦିବାସୀ ଗୋଷ୍ଠୀ । ପର୍ଧିମାନଙ୍କୁ ସ୍ୱାଧୀନତାର ୭୦ ବର୍ଷ ପରେ ଆଜି ମଧ୍ୟ ନୃଶଂସ ଔପନିବେଶିକ ବିଧାନର ବୋଝ ମୁଣ୍ଡାଇଛନ୍ତି ଓ ପରମ୍ପରା ନିର୍ବାହ କରୁଛନ୍ତି । ୧୮୭୧ରେ ଅନେକ ଆଦିବାସୀ ଓ ପଶୁଚାରଣକାରୀ ଯାଯାବର ଗୋଷ୍ଠୀ ଯେଉଁମାନେ ବିଦ୍ରୋହ କରିଥିଲେ ଓ ସେମାନଙ୍କ ସାର୍ବଭୋମତ୍ୱକୁ ଚାଲେଞ୍ଜ କରିଥିଲେ, ବ୍ରିଟିଶ ସରକାର ସେମାନଙ୍କୁ ଦଣ୍ଡିତ ତଥା ଦମନ କରିବା ପାଇଁ ଅପରାଧ ପ୍ରବଣ ଜନଜାତି  ଆକ୍ଟ ପ୍ରବର୍ତ୍ତନ କରି ପ୍ରାୟ ୨୦୦ ସମ୍ପ୍ରଦାୟକୁ ଆଜନ୍ମ ‘ଅପରାଧୀ’ ବୋଲି ଘୋଷଣା କରିଥିଲେ । ଏହି ଗୋଷ୍ଠୀଗୁଡିକ ପାଇଁ ଏହାର ପରିଣତି ବିଧ୍ୱଂସକାରୀ ପ୍ରମାଣିତ ହେଲା ଓ ବାକି ସମାଜ ଠାରୁ ସେମାନଙ୍କୁ ପୃଥକ୍‌ କରିଦେଲା ।

ସ୍ୱାଧୀନ ଭାରତରେ ୧୯୫୨ରେ ଏହି ଆକ୍ଟକୁ ଉଠାଇ ଦିଆଗଲା ଓ ‘ଅପରାଧ ପ୍ରବଣ ଜନଜାତି’ ତାଲିକାକୁ ରଦ୍ଦ କରିଦିଆଗଲା । ହେଲେ, ଏହା ସହିତ ଜଡିତ କଳଙ୍କ, ଘୃଣା ଭାବ ଓ ବାକି ସମାଜ ଦ୍ୱାରା ଦିଆଯାଉଥିବା ମାନସିକ ଯନ୍ତ୍ରଣା ଆଜି ମଧ୍ୟ ସେପରି କଠୋର ହୋଇ ରହିଛି । ଆଜି ମଧ୍ୟ ଏହି ସମ୍ପ୍ରଦାୟଗୁଡିକ ମଧ୍ୟରୁ ଅନେକ ସମ୍ପ୍ରଦାୟ କ୍ଷେତ୍ରରେ ମୁଖ୍ୟ ଗ୍ରାମ ଭିତରକୁ ପ୍ରବେଶ କରିବା ବା ଏହାର କୂଅରୁ ପାଣି କାଢିବା ସମ୍ଭବ ନୁହେଁ । ସେମାନେ ଏଠାରୁ ପ୍ରାୟତଃ ୨-୩ କିଲୋମିଟର ଦୂରରେ ରୁହନ୍ତି । ସେମାନଙ୍କୁ କୌଣସି କାମରେ ନିୟୋଜିତ କରାଯାଏ ନାହିଁ, ଯେହେତୁ ସେମାନଙ୍କ ଶିକ୍ଷାଗତ ସ୍ତର ଅତ୍ୟନ୍ତ ନିମ୍ନ, ସେମାନଙ୍କ ମଧ୍ୟରୁ ଅନେକ ଛୋଟ ଛୋଟ ଅପରାଧ ଅଭିଯୋଗରେ ଜେଲ୍‌ରେ ଅଛନ୍ତି । ଅନ୍ୟ କୌଣସି ବିକଳ୍ପ ନଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ବଞ୍ଚିବା ପାଇଁ ବାଧ୍ୟ ହୋଇ ଭିକ୍ଷାବୃତ୍ତି କରୁଛନ୍ତି ।
Shantabai and Dhulya Kale with their son Sandeep, at their one-room home on the outskirts of Karade village (file photo)
PHOTO • Jyoti Shinoli

ଶାନ୍ତାବାଇ ଓ ଧୁଲ୍ୟା କାଲେ ସେମାନଙ୍କ ପୁଅ ସନ୍ଦୀପ ସହିତ କରାଡ଼ି ଗ୍ରାମର ଉପାନ୍ତରେ ଥିବା ସେମାନଙ୍କ ଗୋଟିଏ ବଖରାର ଘରେ (ଫାଇଲ୍‌ ଫଟୋ)

ଗୀତାବାଇ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଯାହା ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଶାନ୍ତାବାଇ, ୭୫, ମଧ୍ୟ ଏହିପରି, ଯିଏ ପୁନା ଜିଲ୍ଲାର ଶିରୁର୍‌ ତାଲୁକାର  କରାଡେ ଗ୍ରାମର ଉପାନ୍ତରେ ଥିବା ତାଙ୍କର ଏକ-ବଖରାର ଅଧା-ପକ୍କା ଘରେ ରୁହନ୍ତି । ସେ ମଧ୍ୟ ଜଣେ ଫାନ୍‌ସେ ପର୍ଧି, ତାଙ୍କର ଘର ଗୀତାବାଇଙ୍କ ଘର ଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରିବା ହେଉଛି ଶାନ୍ତାବାଇ, ତାଙ୍କ ସ୍ୱାମୀ ଓ ୨୦୧୦ରେ ଏକ ସଡକ ଦୁର୍ଘଟଣାରେ ଅକ୍ଷମ ହୋଇଯାଇଥିବା ସେମାନଙ୍କ ୪୪ ବର୍ଷ-ବୟସ୍କ ପୁଅ ପାଇଁ ଜୀବନ ଧାରଣ କରିବାର ଏକମାତ୍ର ପନ୍ଥା । 

ଗୀତାବାଇଙ୍କ ଉଭୟ ପୁଅ, ସନ୍ତୋଷ, ୪୫ ଓ ମନୋଜ, ୫୦, ସଫେଇ କର୍ମଚାରୀ ଭାବେ କାମ କରନ୍ତି ଓ ସେମାନେ ଏଠାରୁ ୭୭ କିଲୋମିଟର ଦୂରରେ ଅବସ୍ଥିତ ପିମ୍ପ୍ରିଚିଞ୍ଚଚୱାଡ୍‌ରେ ରୁହନ୍ତି । ସେ ସେମାନଙ୍କଠାରୁ ମଧ୍ୟ ଶୁଣିନାହାନ୍ତି । “ମୋର ପୁଅମାନେ ମୋତେ ଦେଖିବାକୁ ଆସିନାହାନ୍ତି । ସେମାନେ ସବୁବେଳେ ମାସରେ ଗୋଟିଏ ଥର ଆସନ୍ତି ।’’ ମାର୍ଚ୍ଚ ୨୩ର ରାଜ୍ୟବ୍ୟାପି କର୍ଫ୍ୟୁ ଓ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା ଯୋଗୁଁ ନିଜ ପାଇଁ କିଛି ଖାଦ୍ୟ ଯୋଗାଡ଼ କରିବାକୁ ତାଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଗଲା । ଭୋକର ଜ୍ୱାଳା ଅସହ୍ୟ ହେବାରୁ ସେ ବାଧ୍ୟହୋଇ ପୁଣିଥରେ ମାର୍ଚ୍ଚ୨୮ରେ ଚୱନୱାଡ଼ିରେ ଯାଇ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଦିଆଗଲା ।

ଶାନ୍ତାବାଇ ମଧ୍ୟ କରାଡେରେ ଏହିପରି ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହୋଇଛନ୍ତି। ଅଗଣିତ ଅନ୍ୟ ପର୍ଧି ପରିବାର ମଧ୍ୟ ଏହିଭଳି ଫସି ରହିଛନ୍ତି । ଫାନ୍‌ସେ ପର୍ଧିମାନେ କେବଳ ଏହା ଜାଣିପାରିଛନ୍ତି ଯେ କୋଭିଡ୍‌- ୧୯ ଯୋଗୁଁ ଭିକ୍ଷାବୃତ୍ତିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଯାଇଛି ।

“ଆମେ ସେମାନଙ୍କ ଦ୍ୱାର ପାଖକୁ ନଯିବା ପାଇଁ ଗ୍ରାମବାସୀମାନେ ଆମ ଉପରେ ଖାଲିରେ ଚିତ୍କାର କରୁଛନ୍ତି । କିଛି ନ ହେଲେ ମଧ୍ୟ ମତେ ମୋ ପୁଅକୁ ଖୁଆଇବାକୁ ହେବ ।’’ ସନ୍ଦୀପର ଅଣ୍ଟା ଠାରୁ ତଳକୁ ଥିବା ଅଂଶ ପକ୍ଷାଘାତର ଶିକାର ହୋଇଯାଇଛି । “ଯଦି ଭିକ ମାଗି ମୁଁ ଖାଦ୍ୟ ଯୋଗାଡ଼ କରିପାରିବିନି ତାହାହେଲେ କ’ଣ କରିବି?” ଶାନ୍ତାବାଇ କାଲେ ମତେ ଫୋନ୍‌ରେ ଏ କଥା ପଚାରିଲେ । “ମୋର ପୁଅ ଶଯ୍ୟାଶାୟୀ ଅଟେ ।’’

ସେ ଓ ତାଙ୍କ ସ୍ୱାମୀ ଧୁଲ୍ୟା, ୭୯, ଘରର ଦୈନନ୍ଦିନ କାମ ସବୁ କରନ୍ତି ଓ ତାଙ୍କର ଯତ୍ନ ନିଅନ୍ତି । “ସେ ତିନି ବର୍ଷ ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ରହିଥିଲା । ସେଠାରେ ଥିବା ଡାକ୍ତରମାନେ କହିଲେ ଯେ ତାଙ୍କ ମସ୍ତିଷ୍କର ସ୍ନାୟୁ ନଷ୍ଟ ହୋଇଯାଇଥିବାରୁ ସେ ନିଜ ଶରୀରକୁ ଗତିଶୀଳ କରି ପାରିବନାହିଁ,” ବୋଲି ଶାନ୍ତାବାଇ ମତେ ତାଙ୍କର ଏକ-ବଖରା ବିଶିଷ୍ଟ ଘରେ ମାର୍ଚ୍ଚ ୨୦୧୮ରେ କହିଥିଲେ । ସନ୍ଦୀପ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ଓ ତାଙ୍କର ଏହି ଦୁର୍ଘଟଣା ହେବା ପୂର୍ବରୁ ସେ ଯେଉଁ କାମ କରିବାକୁ ସୁଯୋଗ ପାଉଥିଲେ ତାହା କରୁଥିଲେ: ଝାଡୁମାରିବା, ରାସ୍ତା ଖୋଳିବା, ଜିନିଷ ଟ୍ରକ୍‌ରେ ଲଦିବା ଓ ଓହ୍ଲାଇବା, ପୁନା ସହରରେ ଥିବା ହୋଟେଲ୍‌ଗୁଡିକରେ ପ୍ଲେଟ୍‌ ଓ ଡିସ୍‌ ଧୋଇବା ଓ ପରିଷ୍କାର କରିବା ଆଦି ସବୁ କାମ ।
The stale ragi, bajra and jowar bhakris that Shantabai used to collect by begging. She hasn't got even this since March 22 (file photo)
PHOTO • Jyoti Shinoli

ବାସି ମାଣ୍ଡିଆ, ବାଜରା ଓ ଜୱାର ଭାକ୍ରି ଆଦି ସବୁ ଶାନ୍ତାବାଇ ଭିକ ମାଗି ସଂଗ୍ରହ କରୁଥିଲେ । ହେଲେ ମାର୍ଚ୍ଚ ୨୨ ଠାରୁ ସେ ଏଗୁଡିକ ମଧ୍ୟ ପାଇନାହାନ୍ତି  (ଫାଇଲ୍‌ ଫଟୋ)

ତାଙ୍କ ପରିବାର ତାଙ୍କର ମାସିକ ଉପାର୍ଜନ ଯାହା ୬୦୦୦-୭୦୦୦ଟଙ୍କା ମଧ୍ୟରେ ହେଉଥିଲା, ସେଥିରେ ଯେନତେନ ପ୍ରକାରେ ଚଳିଯାଉଥିଲେ । “ଆମେ ଆମର ସମ୍ପୂର୍ଣ୍ଣ ବାଲ୍ୟାବସ୍ଥା ଓ ଯୁବାବସ୍ଥାରେ ଭିକ ମାଗିଛୁ। ଆମର ପୁଅମାନେ ଉପାର୍ଜନକ୍ଷମ ହେବା ପରେ ଆମେ ଏହି କାର୍ଯ୍ୟ କରିବା ଠାରୁ ଓହରି ଯାଇଥିଲୁ କିନ୍ତୁ ତା’ର ଦୁର୍ଘଟଣା ହେବାପରେ, ଆମେ ପୁଣିଥରେ ଭିକ ମାଗୁଛୁ,” ବୋଲି ଶାନ୍ତାବାଇ ମତେ ୨୦୧୮ରେ କହିଥିଲେ। ତାଙ୍କ ଘର ବାହାରେ ଥିବା ଏକ ସ୍ଥାନରେ ସେ ବାସି ଭାକ୍ରିଗୁଡିକ ଶୁଖାନ୍ତି-ଯାହା ମାଣ୍ଡିଆ ଓ ବାଜରା ବା ଜୱାରରୁ ପ୍ରସ୍ତୁତ ହୋଇଥାଏ- ଯାହା ହେଉଛି ସେହି ବାକି ଖାଦ୍ୟ ଯାହା ସେ କରାଡେରେ ସଂଗ୍ରହ କରିଥିଲେ । “ଆମେ ସେଗୁଡିକୁ ବାହାରେ ସୂର୍ଯ୍ୟ କିରଣରେ ଶୁଖାଇଥାଉ। ତା’ପରେ ଖାଇବା ପୂର୍ବରୁ ସେଗୁଡିକୁ ଗରମ ପାଣିରେ ଫୁଟେଇ ଥାଉ । ଆମେ ଏହିସବୁ କିଛି ଖାଇଥାଉ – ସକାଳେ, ଦ୍ୱିପହରରେ ଓ ରାତିରେ। ଏହା ହେଉଛି ଆମର ଖାଦ୍ୟ ।

ଭାକ୍ରି ସହିତ ବେଳେ ବେଳେ ସେ କିଛି ପରିମାଣର ଚାଉଳ ମଧ୍ୟ ପାଇଥାନ୍ତି । ବର୍ତ୍ତମାନ ତାଙ୍କ ପାଖରେ କେବଳ ଦୁଇ କିଲୋଗ୍ରାମ ଚାଉଳ ଅଛି । ସେ, ଧୁଲ୍ୟା ଓ ସନ୍ଦୀପ ଦିନରେ କେବଳ ଗୋଟିଏ ଥର ଖାଉଛନ୍ତି –  ଟିକିଏ ଲଙ୍କା ଗୁଣ୍ଡ ଓ ଲୁଣ ସହିତ ଅଳ୍ପ ତେଲରେ ଭଜା ହୋଇଥିବା ଭାତ । “ମାର୍ଚ୍ଚ ୨୨ ଠାରୁ ମତେ କିଛି ମଧ୍ୟ ମିଳିନି,” ବୋଲି ସେ କୁହନ୍ତି, “ଏପରିକି ବାସି ଭାକ୍ରି ମଧ୍ୟ ନୁହେଁ । ଏହି ଚାଉଳ ଯଦି ସରିଯାଏ, ତାହାହେଲେ ଆମକୁ ଭୋକ ଉପାସରେ ରହିବାକୁ ହେବ’’।

ଏଠାରେ ଗ୍ରାମର ଚାରିପାଖରେ ଗଛର ଶାଖାପ୍ରଶାଖା ପକାଇ ହଠାତ୍‌ ବାଡ ଘେରା ଯାଇଥିବାରୁ -–ଯେହେତୁ ଲୋକମାନେ ଏହି ‘ଭୂତାଣୁ’ ସଂସ୍ପର୍ଶରେ ଆସିବାକୁ ଚାହୁନାହାନ୍ତି- “ଶାନ୍ତାବାଇ ଓ ଧୁଲ୍ୟା କେବଳ ଉପାନ୍ତ ଅଞ୍ଚଳରେ କାଳେ କେହି ଭାକ୍ରି ବା ଅନ୍ୟ ଖାଦ୍ୟପଦାର୍ଥ ଫୋପାଡିଥିବେ, ତାହା ଖୋଜି ଖୋଜି ଏଣେତେଣେ ବୁଲିପାରିବେ’’।

ଧୁଲ୍ୟା ପୁନା ସହର ଯାହା ଏଠାରୁ ୬୬ କିଲୋମିଟର ଦୂରରେ ଅବସ୍ଥିତ, ସେଠାକୁ ମଧ୍ୟ ଯାଇ ସମ୍ଭବ ହେଲେ ଭିକ ମାଗିବା ବା ରାସ୍ତା ଖୋଳିବା କାମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ କୁହନ୍ତି, “ଶନିବାର ଦିନ ମୁଁ ପୁନା ଆଡକୁ ଚାଲିଚାଲି ଯାଉଥିବା ବେଳେ ପୋଲିସ୍‌ ମତେ ଶିକ୍ରାପୁର ଗ୍ରାମ ନିକଟରେ ଅଟକାଇ ଦେଲା । ସେମାନେ କିଛି ଭୂତାଣୁ ବିଷୟରେ ଜଣାଇଲେ ଓ ମତେ ମୋର ମୁହଁ ଘୋଡାଇ ରଖିବାକୁ କହିଲେ । ମଁ ଡରିଗଲି ଓ ଘରକୁ ଫେରିଗଲି ।’’

ଶାନ୍ତାବାଇଙ୍କ ସମେତ ତାଙ୍କ ବସତିର ଅନ୍ୟ ଦଶ ଜଣଙ୍କୁ ଯଦି ଗ୍ରାମ ଭିତରକୁ ପ୍ରବେଶ କରିବାକୁ ନଦିଆଯାଏ ତେବେ ସେମାନେ ମଧ୍ୟ ଭୋକଉପାସରେ କାଳାତିପାତ କରିବାକୁ ବାଧ୍ୟ ହେବେ। ଏହିପରି ସାମାଜିକ ଅପବାଦିତ ଗୋଷ୍ଠୀଗୁଡିକ ପାଇଁ ଦୀର୍ଘଦିନ ହେବ ଭିକ୍ଷାବୃତ୍ତି ସେମାନଙ୍କର ଜୀବନଧାରଣର ପନ୍ଥା ହୋଇ ରହିଆସିଛି । ଗୋଟିଏ ସବୁବେଳେ ଅନ୍ୟ ବିପଦ ସହିତ ସଂଶ୍ଳିଷ୍ଟ ହୋଇ ରହିଥାଏ ।

Sandeep is bedridden, paralysed from the waist down. Shantabai is worried about finding food to feed him (file photo)
PHOTO • Jyoti Shinoli

ସନ୍ଦୀପ ଶଯ୍ୟାଶାୟୀ ହୋଇଯାଇଛନ୍ତି, ତାଙ୍କର ଅଣ୍ଟା ଠାରୁ ତଳ ଅଂଶ ପକ୍ଷାଘାତର ଶିକାର ହୋଇଛି । ଶାନ୍ତିବାଇ ତାଙ୍କୁ ଖୁଆଇବା ପାଇଁ ଖାଦ୍ୟ କିପରି ପାଇବେ ସେ ନେଇ ଚିନ୍ତିତ ଅଛନ୍ତି (ଫାଇଲ୍‌ ଫଟୋ)

ବମ୍ବେ ପ୍ରିଭେନ୍‌ସନ୍‌ ଅଫ୍‌ ବେଗିଂଗ ଆକ୍ଟ, ୧୯୫୯, ଅନ୍ତର୍ଗତ ମହାରାଷ୍ଟ୍ରରେ ଭିକ ମାଗିବା ଅପରାଧ ଅଟେ । ଏହି ଆକ୍ଟ ପ୍ରବର୍ତ୍ତନ ଏଜେନ୍ସିଗୁଡିକୁ ଯେଉଁ ଲୋକମାନେ ଭିକ ମାଗୁଥିବା ଦେଖାଯିବେ ସେମାନଙ୍କୁ ବିନା ୱାରେଣ୍ଟରେ ଗିରଫ୍‌ କରିବାକୁ ଓ ସେମାନଙ୍କୁ ଯେକୌଣସି ଏକ ସ୍ୱିକୃତି ପ୍ରାପ୍ତ ଅନୁଷ୍ଠାନରେ ୧-୩ ବର୍ଷ ପର୍ଯ୍ୟନ୍ତ ରଖିବା ପାଇଁ କ୍ଷମତା ପ୍ରଦାନ କରିଛି । ଭିକ୍ଷାବୃତ୍ତି ଓ ଦୁଃସ୍ଥତା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ କୌଣସି ନିୟମ ନଥିବାରୁ ଅନେକ ରାଜ୍ୟ ଏହି ଆକ୍ଟକୁ ବା ଏହାର ବ୍ୟୁତ୍ପାଦିତ ରୂପକୁ ଗ୍ରହଣ କରିଛନ୍ତି ।

ଅଗଷ୍ଟ ୨୦୧୮ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏହା ଅନୁଭବ କରିଛନ୍ତି ଯେ ଏହି ଆକ୍ଟର ପ୍ରାବଧାନଗୁଡିକର ବୈଧତା ସାମ୍ବିଧାନିକ ସମୀକ୍ଷାର ସମର୍ଥନ ଲାଭ କରିପାରିବ ନାହିଁ  ଓ ଏଣୁ ଏହା ବର୍ଜନୀୟ। (ମହାରାଷ୍ଟ୍ରରେ ସେପରି ହୋଇନାହିଁ)

“ଭିକ୍ଷା ବୃତ୍ତି,” କୋର୍ଟ ଉଲ୍ଲେଖ କରିଛନ୍ତି ଯେ, “ହେଉଛି ଏକ ରୋଗର ଲକ୍ଷଣ ଯାହାର ବାସ୍ତବତା ଏହା ଯେ ବ୍ୟକ୍ତି ସାମାଜିକ ସ୍ତରରେ ସୃଷ୍ଟି ହୋଇଥିବା ଜାଲରେ ନିଜ ପାଇଁ କିଛି କରିବାକୁ ସମର୍ଥ ହୋଇପାରି ନାହିଁ । ସମସ୍ତଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା, ପ୍ରତ୍ୟେକ ନାଗରିକଙ୍କୁ ମୌଳିକ ସୁବିଧାର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ସରକାରଙ୍କ ପାଖରେ ଜନାଦେଶ ରହିଛି ଓ ଭିକ୍ଷୁକମାନଙ୍କ  ଉପସ୍ଥିତି ଏହା ପ୍ରମାଣିତ କରୁଛି ଯେ ରାଜ୍ୟ ଏହାର ସମସ୍ତ ନାଗରିକଙ୍କୁ ଏସବୁ ଯୋଗାଇବାରେ ସଫଳ ହୋଇପାରିନାହିଁ’’।

ଅର୍ଥ ମନ୍ତ୍ରୀଙ୍କ ‘ପ୍ୟାକେଜ’ରେ (ମାର୍ଚ୍ଚ ୨୬ରେ, କୋଭିଡ୍‌- ୧୯ଜନିତ ସଂକଟ ଦୂର କରିବା ପାଇଁ) କରାଯାଇଥିବା ଅନେକ ଘୋଷଣା ଆମର ଏହି ନାଗରିକମାନଙ୍କ ପାଇଁ ଫଳପ୍ରଦ ହେବ ନାହିଁ । ସେମାନଙ୍କ ପାଖରେ ରାସନ୍‌ କାର୍ଡ, ବ୍ୟାଙ୍କ ଆକାଉଣ୍ଟ କିମ୍ବା ଏମ୍‌ଜିଏନ୍‌ଆର୍‌ଇଜିଏ ବୃତ୍ତି କାର୍ଡ ନାହିଁ । ତା‘ହେଲେ ସେମାନେ କିଭଳି ଭାବେ ପାଞ୍ଚ କିଲୋଗ୍ରାମ ‘ମାଗଣା ଖାଦ୍ୟଶସ୍ୟ’ ପାଇପାରିବେ  କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଡାଇରେକ୍ଟ କ୍ୟାସ୍‌ ଟ୍ରାନ୍ସଫରର ଲାଭ ଉଠାଇପାରିବେ ? ଏହା ମଧ୍ୟରୁ କେଉଁଟି ଗୀତାବାଇ ଓ ଶାନ୍ତାବାଇଙ୍କ ପାଖରେ ପହଞ୍ଚିପାରିବ? ଅଧିକନ୍ତୁ, କୋଭିଡ୍‌- ୧୯ ମହାମାରୀ ବିଷୟରେ ଏହି ସମ୍ପ୍ରଦାୟର ବିଶେଷ କିଛି ଜାଣି ନଥିବା ବେଳେ ଏହାଠାରୁ ସୁରକ୍ଷିତ ରହିବା ପାଇଁ କ’ଣ ସବୁ ସତର୍କତା ଅବଲମ୍ବନ କରିବାକୁ ହେବ ସେ ବିଷୟରେ ସେମାନଙ୍କର କୌଣସି ଧାରଣା ନାହିଁ କହିଲେ ଚଳିବ ।

ଏହି ସମ୍ପ୍ରଦାୟ ସହିତ କାମ କରୁଥିବା ପୁନାର ସମାଜସେବୀ ସୁନୀତା ଭୋସାଲେ ଯିଏ ନିଜେ ଜଣେ ଫାନ୍‌ସେ ପର୍ଧି ଅଟନ୍ତି, କୁହନ୍ତି ଯେ: “ଲୋକମାନେ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ପାଇଁ ଖାଇବାକୁ ଖାଦ୍ୟ ନାହିଁ ….. ଆପଣ ଘୋଷଣା କରିଥିବା ଯୋଜନାର ଲାଭ ଆମ ପାଖରେ କିଭଳି ପହଞ୍ଚି ପାରିବ?”

ଯେଉଁଠି ଭଲ ସମୟରେ କାମ ମିଳିବାରେ କଷ୍ଟ ହେଉଛି, ସେଠାରେ ତାଲାବନ୍ଦ ସମୟରେ ଏ ବିଷୟରେ କିପରି ଭାବିହେବ ବୋଲି ଧୁଲ୍ୟା କୁହନ୍ତି । “ଆମେମାନେ ପାର୍ଧି ହୋଇଥିବାରୁ ଲୋକମାନେ ଆମକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଯଦି ଏହି ଭିକ୍ଷା ବୃତ୍ତି କରିବା ମଧ୍ୟ ବନ୍ଦ ହୋଇଯିବ, ତେବେ ମୃତ୍ୟୁ ବ୍ୟତୀତ ଆମ ପାଇଁ ଅନ୍ୟ କୌଣସି ରାସ୍ତା ରହିବ ନାହିଁ ’’।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସୋନାଲି ପିପୁଲ୍ସ ଆର୍କାଇବ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ବାଦଦାତା; ସେ ପୂର୍ବରୁ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର୧’ ପରି ସମ୍ବାଦ ଚ୍ୟାନେଲଗୁଡ଼ିକରେ କାମ କରିଛନ୍ତି ।

Other stories by Jyoti Shinoli