ପ୍ରାୟ ଏକ ବର୍ଷ ପୂର୍ବେ କାଠ ଏବଂ କରତ ଗୁଣ୍ଡ ଦ୍ୱାରା ଚାଲୁଥିବା କୁମ୍ଭାର ଚୁଲା ସବୁ ଭାଙ୍ଗିଦେବା ପାଇଁ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଆଦେଶକୁ ଦର୍ଶାଇ ପଶ୍ଚିମ ଦିଲ୍ଲୀର ଉତ୍ତମନଗର ବାସୀ କୁମ୍ଭକାର ଜଗମୋହନ କହନ୍ତି, "ଆମର ବ୍ୟବସାୟ ପ୍ରଥମରୁ କ୍ଷତିରେ ଚାଲିଛି’’ । “ଏହା ଯୋଗୁଁ କେତେକ କୁମ୍ଭାର ଅଳ୍ପ ଉତ୍ପାଦନ କରୁଛନ୍ତି । କେତେକ ବିକ୍ରେତା ହୋଇଛନ୍ତି ଏବଂ ଅନ୍ୟମାନେ ଏ କାମକୁ ଛାଡିଦେଲେଣି । ବର୍ତ୍ତମାନ ଏହି ବ୍ୟାପକ ମହାମାରୀ ଏବଂ ତାଲାବନ୍ଦ, ଆମର ସର୍ବୋଚ୍ଚ ବିକ୍ରି ସମୟ (ମାର୍ଚ୍ଚ ରୁ ଜୁଲାଇ ) ର ବାଧକ ହୋଇଛି’’।

ଜଗମୋହନଙ୍କର,( ପ୍ରଚ୍ଛଦ ପୃଷ୍ଠାର ଉପରେ ଥିବା ଫୋଟୋ ; ତାଙ୍କର ପ୍ରଥମ ନାମକୁ ବ୍ୟବହାର କରନ୍ତି ) ବୟସ ୪୮, ଏବଂ ସେ ଗତ ତିନି ଦଶନ୍ଧି ଧରି ଜଣେ କୁମ୍ଭକାର । "ଭଲ କଥା ହେଲା ଯେ, (କୋଭିଡ-୧୯ ଚିନ୍ତା ଯୋଗୁଁ ) ଲୋକମାନଙ୍କର ଫ୍ରିଜର ଥଣ୍ଡା ପାଣି ପିଇବା ଠାରୁ ଦୂରରେ ରହିବା ପାଇଁ ମଟକା (ମାଟି ହାଣ୍ଡି ) ର ଚାହିଦା ଏବର୍ଷ ଅଧିକ। କିନ୍ତୁ ତାଲାବନ୍ଦ ଯୋଗୁଁ ଆବଶ୍ୟକ ପରିମାଣର ମାଟି ସଂଗ୍ରହ କରି ନପାରିବାରୁ ପର୍ଯ୍ୟାପ୍ତ ପରିମାଣର ମଟକା ଆମେ କରି ପାରିଲୁ ନାହିଁ ’’। ପ୍ରାୟତଃ, ଜଣେ କୁମ୍ଭାର ଏବଂ ତାର ପରିବାର ମିଶି ୨/୩ ଦିନରେ ୧୫୦ ରୁ ୨୦୦ ମଟକା ତିଆରି କରିପାରିବେ ।

ରାସ୍ତାକଡ଼େ କଡ଼େ ଦେଖାଯାଉଛି କେବଳ ମାଟିର ଗଦା... ଏବଂ ବ୍ୟସ୍ତବହୁଳ ସମୟରେ କୁମ୍ଭାର ଚକ ଘୁରିବାର ଏବଂ କବାଟ ପଛପଟୁ ମାଠିଆକୁ ପିଟିବାର ଶବ୍ଦ ଶୁଭୁଛି, ଶହ ଶହ ହାତ ତିଆରି ମାଠିଆ, ଦୀପ, ମୂର୍ତ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଅଗଣାରେ ଏବଂ ଚାଳିଆରେ ଶୁଖୁଛି। ତାହା ପରେ ଏଗୁଡ଼ିକ  ଭାଟିରେ ପୋଡ଼ାଯିବା ପୂର୍ବରୁ ଗେରୁଆ ରଙ୍ଗରେ (ଟେରାକୋଟା ସାମଗ୍ରୀକୁ ନାଲି ଚିକ୍କଣ ମାଟି ଦେଉଥିବା ପ୍ରାକୃତିକ ରଙ୍ଗ)ରଙ୍ଗାଇ ଦିଆଯିବ। ବାହାରେ ଆଗନ୍ତୁକମାନଙ୍କ ପାଇଁ ପ୍ରଦର୍ଶନ ନିମନ୍ତେ ଓ କ୍ରେତାମାନଙ୍କ ପାଇଁ ଓ ବିକ୍ରୟ ନିମନ୍ତେ ବହୁ ସାମଗ୍ରୀ ପ୍ରସ୍ତୁତ କରାଯାଇ ରଖାଯାଇଛି। 

ପଡୋଶୀ ଏବଂ ସ୍ଥାନୀୟ ଭାଷାରେ ଯାହାକୁ ପ୍ରଜାପତି କଲୋନୀ କହନ୍ତି, ଏହାର ମୁଖିଆ ହରକିଶନ ପ୍ରଜାପତିଙ୍କ ହିସାବ ଅନୁସାରେ ସେଠାରେ ୪୦୦ ରୁ ୫୦୦ ପରିବାର ରହନ୍ତି । ୧୯୯୦ ରେ ରାଷ୍ଟ୍ରୀୟ ପୁରସ୍କାର ଏବଂ ୨୦୧୨ ରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଶିଳ୍ପଗୁରୁ ପୁରସ୍କାର ପାଇଥିବା ଏହି ୬୩ ବର୍ଷୀୟ ବ୍ୟକ୍ତି କହନ୍ତି, "ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ଅନେକ କୁମ୍ଭାର ଏବଂ ତାଙ୍କ ସହାୟକ କାମ ନ ଥିବାରୁ ନିଜ ଗାଁକୁ ଚାଲିଗଲେଣି।"

Narendra Prajapati (left): "...this virus has hit our work hard'. In Uttam Nagar, Ramrati and Rekha (right) have have been working on diyas but 'the joy is missing'
PHOTO • Courtesy: Narendra Prajapati
Narendra Prajapati (left): "...this virus has hit our work hard'. In Uttam Nagar, Ramrati and Rekha (right) have have been working on diyas but 'the joy is missing'
PHOTO • Srishti Verma
Narendra Prajapati (left): "...this virus has hit our work hard'. In Uttam Nagar, Ramrati and Rekha (right) have have been working on diyas but 'the joy is missing'
PHOTO • Srishti Verma

ନରେନ୍ଦ୍ର ପ୍ରଜାପତି (ବାମ) କହନ୍ତି, "...... ଏହି ଭୂତାଣୁ ଆମର ଜୀବିକାକୁ ପ୍ରଚଣ୍ଡ ଆଘାତ ଦେଇଛି । ଉତ୍ତମନଗରର ରାମରତି ଏବଂ ରେଖା (ଡାହାଣ) ଦୀପ ତିଆରି କାମ କରି ଆସୁଛନ୍ତି, କିନ୍ତୁ ଆନନ୍ଦ ହଜିଯାଇଛି"

ସେ ମଧ୍ୟ କୁହନ୍ତି ,"ବର୍ତ୍ତମାନ ଗଣେଶ ଚତୁର୍ଥୀ ସମୟ ଏବଂ ଯେତେବେଳେ ଦୀପାବଳି ପାଇଁ କାମ ଆରମ୍ଭ ହେବ, ସମସ୍ତେ କାର୍ଯ୍ୟ ବ୍ୟସ୍ତ ରହିବେ ।" “ଚଳିତ ବର୍ଷ ବ୍ୟବସାୟ ନେଇ ସମସ୍ତେ ସନ୍ଦିହାନ ଏବଂ ଲୋକମାନେ ସେମାନଙ୍କ ଜିନିଷ କିଣିବେ କି ନାହିଁ , ନିଶ୍ଚିତ ନୁହନ୍ତି । ବହୁ ଅର୍ଥ ବ୍ୟୟ କରି ସମ୍ଭାବ୍ୟ ବିପଦକୁ ବରଣ କରିବାକୁ ସେମାନେ ଚାହୁଁନାହାନ୍ତି (ପ୍ରତିମା ଏବଂ ଅନ୍ୟାନ୍ୟ ଜିନିଷ ଗଢିବାରେ) । ମୁଁ ଦେଖୁଛି କୁମ୍ଭାରମାନେ କାମ କରୁଛନ୍ତି ମାତ୍ର ସେମାନେ ସମ୍ପୂର୍ଣ୍ଣ ଭାବେ ହତାଶ’’।

ପ୍ରଜାପତିଙ୍କ ସ୍ତ୍ରୀ ରାମରତି ୫୮, ଏବଂ ସେମାନଙ୍କ ଝିଅ ରେଖା ୨୮, ଦୀପ ତିଆରି କାମ କରି ଆସୁଛନ୍ତି, “କିନ୍ତୁ’’ ସେ କହନ୍ତି “ଆନନ୍ଦ ହଜିଯାଉଛି’’ । ଉତ୍ତମନଗରର କୁମ୍ଭାର ପରିବାରର ମହିଳାମାନେ ସାଧାରଣତଃ ମାଟି ଏବଂ ମାଟି ନିର୍ମିତ ଛାଞ୍ଚ ମୂର୍ତ୍ତି ,ଦୀପ ତିଆରି କରନ୍ତି ଏବଂ ବନ୍ଦରଗୁଡ଼ିକୁ ରଙ୍ଗ ଏବଂ ଖୋଦନ ସହିତ ସଜାନ୍ତି ।

୪୪ ବର୍ଷୀୟା ଶୀଲା ଦେବୀ କହନ୍ତି, "ତାଲାବନ୍ଦ ପ୍ରାରମ୍ଭିକ ( ମାର୍ଚ୍ଚ - ଏପ୍ରିଲ ) ସମୟରେ କିଛି କାମ ନଥିଲା । କାରଣ ଆମେ ମାଟି ପାଉ ନଥିଲୁ । ଆମ ପାଖରେ  ଥିବା ସଞ୍ଚିତ ଅର୍ଥରେ କୌଣସି ପ୍ରକାରେ ଘର ଖର୍ଚ୍ଚ ଚଳାଇଥିଲୁ ।" ତାଙ୍କ କାମ ଥିଲା ମାଟିକୁ ସୂକ୍ଷ୍ମ ପାଉଡର କରିବା, ଚାଲୁଣୀରେ ଚଲାଇବା, ଚକଟିବା ଇତ୍ୟାଦି । ସବୁ କାମ ସେ ହାତରେ କରନ୍ତି । 

ତାଙ୍କ ପରିବାରର ମାସିକ ଆୟ ୧୦,୦୦୦ ରୁ ୨୦,୦୦୦ ଥିଲା । ତାହା ଅପ୍ରେଲ ରୁ ଜୁନ ମଧ୍ୟରେ ସ୍ପଷ୍ଟ ରୂପେ ୩,୦୦୦ ରୁ ୪,୦୦୦ କୁ ଖସି ଆସିଛି । ତା ପରଠାରୁ ତାଲାବନ୍ଦ ପ୍ରତିବନ୍ଧ କୋହଳ ହେବା ଦ୍ୱାରା ବିକ୍ରେତାମାନେ ଉତ୍ପନ୍ନ ଦ୍ରବ୍ୟ କିଣିବା ପାଇଁ ଧୀରେ ଧୀରେ କଲୋନୀକୁ ଆସିବା ଆରମ୍ଭ କରିଛନ୍ତି । 

କିନ୍ତୁ ତାଲାବନ୍ଦର ପ୍ରଭାବକୁ ନେଇ ଶିଲା ଦେବୀଙ୍କର ଚିନ୍ତାଧାରା ସମଗ୍ର କଲୋନୀରେ କୁମ୍ଭାର ଚକର ଶବ୍ଦଠାରୁ ଅଧିକ ପ୍ରତିଧ୍ଵନିତ ହେଉଛି । ୨୯ ବର୍ଷୀୟ କୁମ୍ଭକାର ନରେନ୍ଦ୍ର ପ୍ରଜାପତି କହନ୍ତି "ଗଣେଶ ଚତୁର୍ଥୀ ଅଗଷ୍ଟ ୨୨’’ ରେ “କିନ୍ତୁ ଏହି ଭୁତାଣୁ ଆମ କାମକୁ ପ୍ରଚଣ୍ଡ ଆଘାତ ଦେଇଛି । ଉଦାହରଣ ସ୍ୱରୂପ ପ୍ରତିବର୍ଷ ୧୦୦ ଟି ଗଣେଶ ମୂର୍ତ୍ତି ବିକ୍ରି କରୁଥିଲୁ, ଏ ବର୍ଷ ମାତ୍ର ୩୦ ଟି । ତାଲାବନ୍ଦ ସମୟରେ ମାଟି ଓ ଇନ୍ଧନ (ବର୍ଜ୍ୟ କାଠ ଏବଂ କରତଗୁଣ୍ଡ ) ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଟ୍ରଲି (ଟ୍ରାକ୍ଟର ସାଇଜ) ମାଟି ଯାହାର ଦାମ ୬,୦୦୦ ଟଙ୍କା ଥିଲା ଏବେ ତାହା ୯,୦୦୦ ଟଙ୍କା’’ । (ଉତ୍ତମନଗରରେ ପ୍ରତିମା ଓ ଅନ୍ୟାନ୍ୟ ଜିନିଷ ତିଆରି ପାଇଁ ମାଟି ହରିୟାଣାର ଝାଜ୍ଜର  ଜିଲ୍ଲାରୁ ଆସିଥାଏ)।

'Many potters and helpers from UP and Bihar have gone back to their villages...,' says Harkishan Prajapati (left), the  colony's pradhan
PHOTO • Srishti Verma
'Many potters and helpers from UP and Bihar have gone back to their villages...,' says Harkishan Prajapati (left), the  colony's pradhan
PHOTO • Rekha Prajapati

କଲୋନୀର ମୁଖିଆ ହରକିଶନ ପ୍ରଜାପତି (ବାମ) କହନ୍ତି, "ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା କୁମ୍ଭାର ଏବଂ ସହାୟକମାନେ ସେମାନଙ୍କର ଗ୍ରାମକୁ ଫେରି ଯାଇଛନ୍ତି 

ନରେନ୍ଦ୍ର କହନ୍ତି, "ସରକାର ସ୍ଥାନୀୟ ବ୍ୟବସାୟର ବିକାଶ କଥା କହନ୍ତି, କିନ୍ତୁ ଘରେ ଆମର ଚୁଲା ବନ୍ଦ କରିବାକୁ କହନ୍ତି । ଗୋଟିଏ ଚୁଲା ବିନା କାମ କରିବା ସମ୍ଭବ କି ? ୟୁନିଟଗୁଡିକ ବନ୍ଦ କରିବା ଏବଂ ଆମମାନଙ୍କ ଆୟରୁ କୋଣସି ପନ୍ଥା ନ ବାହାରିବା କ’ଣ ସମସ୍ୟାର ସମାଧାନ କି ?" ବର୍ତ୍ତମାନ ବିବାଦୀୟ ପାରମ୍ପରିକ କାଦୁଅ ଚୁଲାର ମୂଲ୍ୟ ପ୍ରାୟ ୨୦,୦୦୦ ରୁ ୨୫,୦୦୦ ଟଙ୍କା । ମାତ୍ର ଏହାର ବିକଳ୍ପ ଗ୍ୟାସ ଚୁଲାର ମୂଲ୍ୟ ପ୍ରାୟ ଏକଲକ୍ଷ । ପ୍ରଜାପତି କଲୋନୀର ଅନେକ କୁମ୍ଭକାର ଏତେ ଟଙ୍କା ଦେବାପାଇଁ ସକ୍ଷମ ନୁହନ୍ତି ।

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଆଦେଶ (ଏପ୍ରିଲ ୨୦୧୯) ବିରୁଦ୍ଧରେ ଆବେଦନ କରିବାକୁ ଜଣେ ଓକିଲ ନିଯୁକ୍ତି ପାଇଁ ପ୍ରତି କୁମ୍ଭକାର ପିଛା ୨୫୦ ଟଙ୍କା ଆଦାୟ କରିବାକୁ ସ୍ଥିର କରିଥିବା ଏକ ସାମୂହିକ ପଦକ୍ଷେପ ନେଇଥିବା ହରକିଶନ ପ୍ରଜାପତି କହନ୍ତି, "ସେମାନେ ସର୍ବନିମ୍ନ ଅବଦାନ ମଧ୍ୟ ଦେଇପାରିବେ ନାହିଁ ’’। କାଠଚୁଲା ମାମଲା ନେଇ ପ୍ରକୃତ ତଥ୍ୟ ଦେବା ପାଇଁ ଟ୍ରିବ୍ୟୁନାଲ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ କହିଛନ୍ତି । ଏହାକୁ ଭିତ୍ତି କରି କମିଟି ଜୁଲାଇ ୨୦୧୯ ରେ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ ଚୁଲାଗୁଡିକ ଭାଙ୍ଗିବାକୁ ହେବ । କୁମ୍ଭକାରମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଅର୍ଜ୍ଜି ଦାଖଲ କରିଥିଲେ ।

ତାଲାବନ୍ଦ ଦ୍ୱାରା ଏହି ଅନିଶ୍ଚିତତା ଆହୁରି ଦୃଢ ହେଲା ଏବଂ ଉତ୍ତମ ନଗରରେ ଏହି ଆକସ୍ମିକ ଦର ହ୍ରାସର ପ୍ରଭାବ ଦେଶର ଅନ୍ୟ କୁମ୍ଭାର କଲୋନୀରେ ପ୍ରତିଫଳିତ ହୋଇଛି ।

"କିଛି ସପ୍ତାହ ପୂର୍ବେ କୁମ୍ଭାର ରାମଜୁ ଅଲି ମତେ କହୁଥିଲେ "ପ୍ରତି ବର୍ଷ ଏହି ସମୟରେ (ମାର୍ଚ୍ଚ ରୁ ଜୁନ, ମୌସୁମୀ ପୂର୍ବରୁ) ଆମକୁ ଆମର ଗାଲେ, ଗମଲା, ପାଣି ମାଠିଆ ଏବଂ ତାୱା ଗଛିତ କରି ରଖିବାକୁ ହେବ । “କିନ୍ତୁ ତାଲାବନ୍ଦ ପରେ ଏସବୁ ଜିନିଷ ନିମିତ୍ତ ଖର୍ଚ୍ଚ କରିବା ପାଇଁ ସମସ୍ତେ କୁଣ୍ଠାବୋଧ କରୁଛନ୍ତି ପୁଣି ବିକ୍ରେତା ମାନେ ମଧ୍ୟ ସେସବୁକୁ ଅଧିକ ଚାହୁଁ ନାହାନ୍ତି । ପ୍ରତି ବର୍ଷ ରମଜାନ ମାସରେ ଆମେମାନେ ଦିନରେ ବିଶ୍ରାମ ନେଉ ଏବଂ ରାତିରେ କାମ କରୁ । ତୁମେ ରାତି ସାରା ପାତ୍ର ଗୁଡିକୁ ପିଟାଯାଉଥିବାର ଶବ୍ଦ ଶୁଣି ପାରୁଥିଲ କିନ୍ତୁ ଏବର୍ଷ ରମଜାନରେ ( ଏପ୍ରିଲ ୨୪ ରୁ ମେ ୨୪ ) ସେପରି ଶବ୍ଦ ନଥିଲା......"

Potter Ramju Ali Kumbhar and son Amad Kumbhar (top left) say: '...getting clay for our work is not so easy now'. Business has slumped for Kachchh's potters, including Kumbhar Alarakha Sumar (top centre) and Hurbai Mamad Kumbhar (top right)
PHOTO • Srishti Verma

କୁମ୍ଭକାର ରାମଜୁ ଅଲ୍ଲୀ କୁମ୍ଭାର ଏବଂ ପୁଅ ଅମଦ କୁମ୍ଭାର (ଉପର ବାମ ) କହନ୍ତି ".......... ଆମର କାମ ପାଇଁ ମାଟି ପାଇବା ବର୍ତ୍ତମାନ ଏତେ ସହଜ ନୁହେଁ’। କୁମ୍ଭକାର ଅଲ୍ଲାରଖ ସୁମର  (ଉପର କେନ୍ଦ୍ର) ଏବଂ ହୁରବାଇ ମାମଦ କୁମ୍ଭାରଙ୍କ (ଉପର ଡାହାଣ ) ସହିତ କଚ୍ଛ’ର କୁମ୍ଭକାରମାନଙ୍କ ବ୍ୟବସାୟ ହ୍ରାସ ପାଇଛି 

ରାମଜୁ ଭାଇ ୫୬, ଗୁଜୁରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ଭୁଜରେ ରହନ୍ତି ଏବଂ କାମ କରନ୍ତି । ଚୈତ୍ର (ଏପ୍ରିଲ) ମାସର ପ୍ରଥମ ସୋମବାର ଦିନ କଚ୍ଛର ବାଣି ରେ ଆୟୋଜିତ ହାଜିପୁର ବାର୍ଷିକ ମେଳା ରେ ସେ ୨୫,୦୦୦ ଟଙ୍କାର ମାଟି ନିର୍ମିତ ଦ୍ରବ୍ୟ ବିକ୍ରେତାମାନଙ୍କୁ ବିକିଥିବାର ମନେ ପକାନ୍ତି। କିନ୍ତୁ ଚଳିତ ବର୍ଷ, ତାଲାବନ୍ଦ ଥିବାରୁ ମେଳା ବାତିଲ ହୋଇଯାଇଥିଲା ।

ତାଙ୍କ ପୁଅ କୁମ୍ଭାର ଅମଦ ୨୭, ମଧ୍ୟ କୁହନ୍ତି " କୁଲ୍ହାଡ଼ (କପ୍) ଏବଂ ବଡକି (ପାତ୍ର ) ପ୍ରଭୃତି ଟେରାକୋଟା ମୃଣ୍ମୟ ପାତ୍ରର ଚାହିଦା ତଥା ତାଲାବନ୍ଦ ଯୋଗୁଁ ହୋଟେଲ, ଖାଦ୍ୟ ବ୍ୟବସାୟ ବନ୍ଦ ଯୋଗୁଁ ବ୍ୟବସାୟରେ ମନ୍ଥର ଗତି ହୋଇଛି । ଗ୍ରାମାଞ୍ଚଳର ଅନେକ କୁମ୍ଭାର କୁଲ୍ହାଡ଼ ତିଆରି କରି ସେହି ରୋଜଗାରରେ ବଞ୍ଚୁଛନ୍ତି ।

ଅନ୍ୟ ଏକ ବଢୁଥିବା ଚିନ୍ତାର ସ୍ୱର ଉତ୍ତୋଳନ କରି ରାମଜୁ ଅଲି କୁହନ୍ତି, "ଆମ କାମ ପାଇଁ ମାଟି ପାଇବା ଏତେ ସହଜ ନୁହେଁ ଇଟା ଶିଳ୍ପ ଆମ ପାଇଁ ସବୁଠୁ ବଡ଼ ବିପଦ କାରଣ, ସେମାନେ ସବୁ ମାଟି ଖୋଳି ନିଅନ୍ତି (ମୁଖ୍ୟତଃ, ନିକଟସ୍ଥ ହରିପୁର ଅଞ୍ଚଳରୁ) ଏବଂ ଆମ ହାତ ମୁଠା ପ୍ରାୟ ଶୂନ୍ୟ ହିଁ ରହିଯାଏ’’।

ଭୁଜର ଲଖୁରାଇ ଅଞ୍ଚଳର ରାମଜୁ ଭାଇଙ୍କ ଘର ଠାରୁ କିଛି ଘର ଛାଡ଼ି ରହୁଥିବା କୁମ୍ଭାର, ୬୨ ବର୍ଷ ବୟସ୍କ ଅଲ୍ଲାରଖା ସୁମର, ଯିଏ କି ଆଂଶିକ ରୂପେ ଦୃଷ୍ଟିହୀନ," ସେ ମତେ କହିଲେ, ମୁଁ ଏକ ସ୍ଥାନୀୟ ବ୍ୟାଙ୍କରେ ବନ୍ଧକ ଉପରେ ସୁନା ଚେନ ରଖିଥିଲି ଏବଂ ରାସନ ଦୋକାନ ଦେବା ଓ ଅନ୍ୟାନ୍ୟ ଖର୍ଚ୍ଚ ପରିଚାଳନା (ତାଲାବନ୍ଦ ସମୟରେ) କରିବା ପାଇଁ କିଛି ଟଙ୍କା ଋଣ କରିଥିଲି। ମୋ ପୁଅମାନେ କାମ ପାଇଁ ବାହାରକୁ ଯିବା ପରେ ମୁଁ ଧୀରେ ଧୀରେ ଏହି ରାଶି ଫେରସ୍ତ କରିବାକୁ ଲାଗିଲି ।" ତାଙ୍କର ତିନୋଟି ପୁଅ ଅଛନ୍ତି ; ଦୁଇଜଣ ନିର୍ମାଣ ଶ୍ରମିକ ଏବଂ ଜଣେ କୁମ୍ଭକାର । "ଲକଡାଉନର ପ୍ରଥମ ମାସ ଗୁଡିକରେ (ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ) ମୁଁ ଗାଲେ ତିଆରି କରୁଥିଲି, କିନ୍ତୁ ସମୟ ଅତିବାହିତ ହେଲା ପରେ ମଧ୍ୟ ଯେତବେଳେ ସମସ୍ତ ମାଲ ପଡି ରହିଲା ଏବଂ ଘରେ ଗଛିତ ରଖିବା ପାଇଁ ଆଉ ଖାଲି ସ୍ଥାନ ନଥିଲା, ମୋର ବେକାର ବସିବା ଛଡା ଅନ୍ୟ କୋଣସି ବିକଳ୍ପ ନଥିଲା ।

ଲୋଡ଼ାଇ ଗ୍ରାମ ଭୁଜରୁ ପ୍ରାୟ ୩୫ କିଲୋମିଟର ହେବ, ଯେଉଁଠାରେ କି ୫୬ ବର୍ଷୀୟ କୁମ୍ଭାର ଇସ୍ମାଇଲ ହୁସେନଙ୍କ ଘର । ସେ କହିଛନ୍ତି, "ଆମେ ସାଧାରଣତଃ (ପରିବାରର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା) ଆମର ପାରମ୍ପରିକ କଚ୍ଛି ଶୈଳୀରେ ସଜ୍ଜିତ ହୋଇଥିବା ରନ୍ଧନ ଓ ପରିବେଷଣ ପାତ୍ର ତିଆରି କରିଥାଉ । ଆମ କାମ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ଆମେ କାମ ପାଇଥାଉ କିନ୍ତୁ ତାଲାବନ୍ଦ ଯୋଗୁଁ ଗତ ତିନିମାସ ହେବ ଗାଁକୁ କେହି ଆସିନାହାନ୍ତି ।" ଇସ୍ମାଇଲ ଭାଇ କହିଛନ୍ତି ଯେ, ସେ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ କୌଣସି ବିକ୍ରୟ ଦେଖି ନାହାନ୍ତି ; ଯେଉଁ ସମୟରେ କି ସେ ମାସକୁ ହାରାହାରି ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ । ପାରିବାରିକ କିଛି ସମସ୍ୟା ହେତୁ ସେ ଏ ପର୍ଯ୍ୟନ୍ତ ବ୍ୟବସାୟକୁ ଫେରି ନାହାନ୍ତି ବୋଲି ସେ କହିଛନ୍ତି ।

In the potter's colony in West Bengal's Panchmura village, local Adivasi communities were the only buyers during the lockdown for traditional votive horses (right)
PHOTO • Srishti Verma
In the potter's colony in West Bengal's Panchmura village, local Adivasi communities were the only buyers during the lockdown for traditional votive horses (right)
PHOTO • Srishti Verma

ପଶ୍ଚିମବଙ୍ଗର ପଞ୍ଚମୁରାରେ ଥିବା କୁମ୍ଭାର ସାହିରେ କେବଳ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଗୁଡିକ (ଡ଼ାହାଣ) ପାରମ୍ପରିକ ବ୍ରତ ନିମିତ୍ତ ଆବଶ୍ୟକ ଅଶ୍ୱର ଏକମାତ୍ର କ୍ରେତା ଥିଲେ 

ଚଳିତ ବର୍ଷ ତାଙ୍କ ପରିବାର ପାଇଁ କିପରି ଅନୁକୂଳ ନଥିଲା, ସେ ବିଷୟରେ ଲୋଡ଼ାଇ ନିବାସୀ ୩୧ ବର୍ଷୀୟ କୁମ୍ଭାର ସାଲେହ ମାମ୍ମଦ କୁହନ୍ତି," ଲକଡାଉନ ଆରମ୍ଭରେ ଆମେ କର୍କଟ କାରଣରୁ ଆମ ଭଉଣୀକୁ ହରାଇଥିଲୁ ଏବଂ ଅମ୍ମୀ ଏକ ଅନ୍ତନଳୀ ଅସ୍ତ୍ରୋପଚାର କରିଥିଲେ କିନ୍ତୁ ବଞ୍ଚି ପରି ନଥିଲେ ..... ଗତ ପାଞ୍ଚ ମାସ ହେଲା ପରିବାରରେ କୌଣସି କାମ ହୋଇନାହିଁ ।"

ତାଙ୍କ ମା, ଷାଠିଏ ବର୍ଷୀୟା ହର୍ବାଇ ମାମ୍ମଦ କୁମ୍ଭାର ପାରମ୍ପରିକ କଚ୍ଛି ମୋଟିଫ୍ ର ଅସାଧାରଣ ଦକ୍ଷତା ଏବଂ ଜ୍ଞାନର ଏକ କୁମ୍ଭକାର ଥିଲେ । ଗତବର୍ଷ ତାଙ୍କ ସ୍ୱାମୀ ମାମଦ କାକାଙ୍କର ହୃଦଘାତ ଯୋଗୁଁ ପାରାଲିସିସ ହୋଇଥିବାରୁ ସେ ପାରିବାରିକ ସ୍ତମ୍ଭ ହୋଇ ଆସୁଥିଲେ ।

ଏବଂ ଦେଶବ୍ୟାପୀ ଅନ୍ୟ ସମସ୍ତ କୁମ୍ଭାର ବସ୍ତି ଭଳି ଏହି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ୫୫ ବର୍ଷୀୟ ବଉଳଦାସ କୁମ୍ଭକାର ମତେ କହିଲେ, "ଗତ କିଛିମାସ ଧରି ଏହି ଗାଁଟି ନିଛାଟିଆ ହୋଇଯାଉଛି । କୌଣସି ଦର୍ଶକ ଏଠାକୁ ଆସିପାରିବେ ନାହିଁ କିମ୍ବା ତାଲାବନ୍ଦ ହେତୁ ଆମେ ବାହାରକୁ ଯାଇପାରିବୁ ନାହିଁ । ଅନେକ ଲୋକ ଆମର କାମ ଦେଖିବାକୁ, ଉତ୍ପାଦ କିଣିବା ଏବଂ ଅର୍ଡର ଦେବାକୁ ଆସୁଥିଲେ କିନ୍ତୁ ଏ ବର୍ଷ ମୁଁ ଭାବୁନାହିଁ ଯେ କେହି ଆସିବେ ।" ପଞ୍ଚମୁରା ମ୍ରିତଶିଳ୍ପୀ ସମବାୟ ସମିତିରେ ବିପଣନ ଏବଂ ବିକ୍ରୟ କୁମ୍ଭାରମାନଙ୍କ ଦ୍ୱାରା ହୋଇଥାଏ, ଯାହାକି ୨୦୦ ସଭ୍ୟବିଶିଷ୍ଟ ଏବଂ ସେମାନଙ୍କ ମଧ୍ୟରେ ବଉଳଦାସ ଅନ୍ୟତମ ।

ତାଳଦଂଗ୍ରା ତାଲୁକା ଅନ୍ତର୍ଗତ ସେହି ସମାନ ଗ୍ରାମର ୨୮ ବର୍ଷୀୟ ଜଗନ୍ନାଥ କୁମ୍ଭକାର କହିଲେ, "ଆମେ ମୁଖ୍ୟତଃ ମୂର୍ତ୍ତି, ୱାଲ ଟାଇଲସ ଏବଂ ଆଭ୍ୟନ୍ତରୀଣ ସାଜସଜ୍ଜା ସାମଗ୍ରୀଗୁଡିକ ତିଆରି କରିଥାଉ । ତାଲାବନ୍ଦ ହେବାର ପ୍ରଥମ ଦୁଇ ମାସରେ କୌଣସି ଅର୍ଡ଼ର ନ ଥିଲା ଏବଂ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଥିଲେ ଆମର ଏକମାତ୍ର କ୍ରେତା, ଯେଉଁମାନେ ଆମକୁ ହାଣ୍ଡି, ଘୋଡ଼ା ଏବଂ ମନ୍ନତ ହାତୀ ପାଇଁ ବ୍ୟକ୍ତିଗତ ଭାବେ ନିର୍ଦ୍ଦେଶ ଦେଇଥିଲେ । ଅନେକ କୁମ୍ଭକାର ଏପ୍ରିଲ ପରେ କାମ ଆରମ୍ଭ କରିଥିଲେ ଏବଂ ଆଗାମୀ ଉତ୍ସବରେ ବିକ୍ରୟ ଆଶା କରି କିଛି ଷ୍ଟକ ପ୍ରସ୍ତୁତ ରଖିଥିଲେ । କିନ୍ତୁ ଏଥର ଦେବୀ ମନସାଚଲୀ ଏବଂ (ବାର୍ଷିକ ଦୁର୍ଗାପୂଜା) ଦୁର୍ଗା ଠାକୁର ପୂଜା ପାଇଁ ମୂର୍ତିମାନଙ୍କୁ ଗଢିବା ପାଇଁ ଆମର ବହୁତ ସୀମିତ ଅର୍ଡର ଅଛି । ଏଥର କୋଲକାତା ଏବଂ ଅନ୍ୟାନ୍ୟ ସ୍ଥାନରେ ଉତ୍ସବ ପ୍ରତିବର୍ଷ ଭଳି ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ ।"

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Srishti Verma

ସୃଷ୍ଟି ବର୍ମା ହେଉଛନ୍ତି ନୂଆଦିଲ୍ଲୀରେ ଅବସ୍ଥିତ କାରିଗର ଡିଜାଇନର ଗବେଷିକା । ସେ ଏନଜିଓ ଏବଂ ଅନୁଷ୍ଠାନଗୁଡିକ ସହିତ ଭୌତିକ ବା ବାସ୍ତୁ ସଂସ୍କୃତି ; ସାମାଜିକ ଡିଜାଇନ ଏବଂ ସ୍ଥିରତା ତଥା ଗ୍ରାମୀଣ ହସ୍ତଶିଳ୍ପ ଏବଂ ଜୀବିକା ଉପରେ ଦଲିଲ କରିବା ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି।

Other stories by Srishti Verma