ମକ୍ତୁମ୍ବେ ଏମ୍‌.ଡି ଯିଏ ରାସେନାହାଲ୍ଲିର ଏକ ବସ୍ତି ଅଞ୍ଚଳରେ ବାସ କରନ୍ତି, କୋଭିଡ୍‌- ୧୯ ତାଲାବନ୍ଦ ସମୟରେ ନିଜ ପରିବାରକୁ କିପରି ଖାଇବା ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ ସେନେଇ ଚିନ୍ତିତ ଅଛନ୍ତି । “ମୋର ସ୍ୱାମୀ କାମ କରି ସପ୍ତାହରେ ଥରେ ପଇସା ପାଉଥିଲେ । ସେହି ସମୟରେ ଆମେ ଖାଦ୍ୟ ସାମଗ୍ରୀ କିଣିବାକୁ ଯାଉଥିଲୁ । ଗତ ଦୁଇ ସପ୍ତାହ ହେବ କାହାକୁ ମଧ୍ୟ ପଇସା ମିଳିନି ଓ ଆମେ କିଛି ରାସନ୍‌ ମଧ୍ୟ କିଣି ପାରିନାହୁଁ,’’ ବୋଲି ୩୭ ବର୍ଷ ବୟସ୍କ ଗୃହିଣୀଙ୍କ ସହିତ ୧୦ଦିନ ପୂର୍ବେ ଯେତେବେଳେ ବେଙ୍ଗାଲୁରୁ ସହର ସଟ୍‌ଡାଉନ୍‌ ହୋଇଥିବା ବେଳେ ଦେଖା ହୋଇଥିଲା, ସେତେବେଳେ ସେ ମତେ କହିଥିଲେ । ତାଙ୍କର ସ୍ୱାମୀ ଜଣେ କମର୍ସିଆଲ୍‌ ପେଣ୍ଟର । ସେ ସପ୍ତାହକୁ ପ୍ରାୟ ୩,୫୦୦ଟଙ୍କା ରୋଜଗାର କରୁଥିଲେ କିନ୍ତୁ ମାର୍ଚ୍ଚ ୨୫ରେ ତାଲାବନ୍ଦ ଆରମ୍ଭ ହେବା ପରଠାରୁ ସେ ଆଉ କିଛି କାମ ପାଇନାହାନ୍ତି ।

ଏହି ଦମ୍ପତି, ଯାହାର ତିନିଟି ସନ୍ତାନ ଅଛନ୍ତି, ପ୍ରାୟ ୧୦ବର୍ଷ ପୂର୍ବେ କାମ ଅନ୍ୱେଷଣରେ ଏଠାକୁ ଆସିଥିଲେ । ସେମାନେ କର୍ଣ୍ଣାଟକର ବିଜୟପୁରାର (ପୂର୍ବର ବିଜାପୁର) ତଳିକୋଟା ଜିଲ୍ଲାର (ସ୍ଥାନୀୟ ଭାଷାରେ ତାଲିକୋଟ ବୋଲି କୁହାଯାଏ) ସହରରୁ ଆସିଥିଲେ । ଏହି ପରିବାର ନିଜର ଆବଶ୍ୟକତା ପୂରଣ କରିବା ପାଇଁ ମକ୍ତୁମ୍ବେଙ୍କ ସ୍ୱାମୀ ମୌଳାସବ ଡୋଡାମଣି ପ୍ରତି ରବିବାରେ ପାଉଥିବା ପାରିଶ୍ରମିକ ଉପରେ ନିର୍ଭର କରିଥାଏ । “ଆମେ ସପ୍ତାହରେ ଗୋଟିଏ ଥର ଖାଦ୍ୟ ସାମଗ୍ରୀ କିଣିଥାଉ – ପାଞ୍ଚ କେଜି ଚାଉଳ, ଏକ କେଜି ତେଲ, ଡାଲ୍‌ ଓ ଅନ୍ୟାନ୍ୟ – ଓ ଏତିକିରେ ଚଳିବାକୁ ଚେଷ୍ଟା କରୁ। ତାହା ଏବେ ବନ୍ଦ ହୋଇଯାଇଛି । ଆମକୁ କୁଆଡେ ମଧ୍ୟ ଯିବାକୁ ଅନୁମତି ନାହିଁ । ଆମେ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଚାହୁଁଛୁ।’’

ଏପ୍ରିଲ ୪ରେ ଯେତେବେଳେ ଆମର ଦେଖା ହୋଇଥିଲା, ସେତେବେଳେ ଉତ୍ତର ବେଙ୍ଗାଲୁରୁର ପ୍ରବାସୀ ଦିନ ମଜୁରିଆ ବାସ କରୁଥିବା ଏହି କଲୋନୀର ନିବାସୀ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ବିଷୟରେ କହିଥିଲେ । ସେମାନଙ୍କ ମଧ୍ୟରୁ କେହି ମଧ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ରିଲିଫ୍‌ ପ୍ୟାକେଜ୍‌ ଅଧିନରେ ସରକାରଙ୍କ ଦ୍ୱାରା ସବ୍‌ସିଡି ମୂଲ୍ୟରେ ଦିଆ ଯାଉଥିବା ଖାଦ୍ୟଶସ୍ୟ ପାଇବା ପାଇଁ ଯୋଗ୍ୟ ନୁହନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ରାସନ୍‌ କାର୍ଡ ନାହିଁ । କିଛି ଲୋକଙ୍କ ପାଖରେ ଅଛି କିନ୍ତୁ ଏଥିରେ ସେମାନଙ୍କ ଗ୍ରାମରେ ଥିବା ସେମାନଙ୍କ ଘରର ଠିକଣା ପଞ୍ଜିକୃତ ହୋଇଛି ବୋଲି ଉତ୍ତର କର୍ଣ୍ଣାଟକର ରାଇଚୁର ମୂଳ ନିବାସୀ ମାଣିକ୍ୟାମ୍ମା, ୩୦, କୁହନ୍ତି । “ସେହି କାର୍ଡଗୁଡିକ ବେଙ୍ଗାଲୁରୁରେ କାମ କରୁନାହିଁ,” ବୋଲି ସେ କହିଲେ ।

“କୌଣସି କାମଧନ୍ଦା ନଥିବାରୁ ଆମକୁ ସଂଘର୍ଷ କରିବାକୁ ପଡୁଛି ।  ଆମକୁ ବହୁତଗୁଡିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆମର ପିଲାମାନେ ଅଛନ୍ତି. ଆମକୁ ଭଡା ଦେବାକୁ ପଡୁଛି, ଆମେ ସେସସବୁ କିଭଳି କରିପାରିବୁ?” ବୋଲି ସେ ପଚାରନ୍ତି । ତାଲାବନ୍ଦ ପୂର୍ବରୁ ମଣିକ୍ୟାମ୍ମା ଓ ତାଙ୍କ ସ୍ୱାମୀ ହେମନ୍ତ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ; ସେମାନେ ପ୍ରାୟ ସାତ ବର୍ଷ ପୂର୍ବେ ବେଙ୍ଗାଲୁରୁ ଆସିଥିଲେ ଓ ତାଙ୍କର ଚାରିଟି ସନ୍ତାନ ଅଛନ୍ତି ।

ଲକ୍ଷ୍ମୀ ଏନ୍‌. ୨୭ ମଧ୍ୟ ରାଇଚୁର୍‌ର, ସେ ମଣିକ୍ୟମ୍ମା ଯେତେବେଳେ ଆସିଥିଲେ ପ୍ରାୟ ସେହି ସମୟରେ ଆସିଥିଲେ । ସେ ତାଲାବନ୍ଦ ଆରମ୍ଭ ହେବା ପର୍ଯ୍ୟନ୍ତ ଉତ୍ତର ବେଙ୍ଗାଲୁରୁର ବିଭିନ୍ନ ନିର୍ମାଣ ସ୍ଥଳିଗୁଡିକରେ କାମ କରୁଥିଲେ । “ଆମେ ସିମେଣ୍ଟ ତିଆରି କରୁ ଓ ପଥର ଭାଙ୍ଗୁ । ଏହି କାମ ପାଇଁ ଆମକୁ ଦିନକୁ ୩୦୦ଟଙ୍କା ମଜୁରି ମିଳେ,” ବୋଲି ସେ ମତେ କହିଲେ । ସେ ରାସେନ୍‌ହାଲ୍ଲିରେ ଗୋଟିଏ ବଖରା ବିଶିଷ୍ଟ ଅସ୍ଥାୟୀ ଘର, ଯେଉଁଠାରେ ସେ ଏକଲା ରୁହନ୍ତି, ସେଥିପାଇଁ ୫୦୦ଟଙ୍କା ଭଡା ଦିଅନ୍ତି।

ପ୍ରବାସୀ ଶ୍ରମିକମାନେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ବିଷୟରେ କହିଲେ । ସେମାନଙ୍କ ମଧ୍ୟରୁ କେହି ମଧ୍ୟ ସରକାର ସବ୍‌ସିଡି ମୂଲ୍ୟରେ ଦେଉଥିବା ଖାଦ୍ୟଶସ୍ୟ ପାଇବାକୁ ଯୋଗ୍ୟ ନୁହନ୍ତି । ଅନେକଙ୍କ ପାଖରେ ରାସନ୍‌ କାର୍ଡ ନାହିଁ

ଭିଡିଓ ଦେଖନ୍ତୁ:‘ ଏପରି ଅନୁଭବ ହେଉଛି ଯେପରିକି ଆମର ହାତ ଓ ଗୋଡ  ସବୁ ଭାଙ୍ଗିଯାଇଛି ।

ଭଡା ବ୍ୟତୀତ, ଏଠାରେ ସମସ୍ତେ ତାଲାବନ୍ଦ ସମୟରେ ଖାଦ୍ୟ ପଦାର୍ଥର ଦର ଯେପରି ବୃଦ୍ଧି ପାଉଛି ସେ ନେଇ ମଧ୍ୟ ଚିନ୍ତିତ ଅଛନ୍ତି। “ଆଉ ଯଦି ଆମ ପାଖରେ ପଇସା ନଥିବ ତାହାହେଲେ ଆମେ ସେସବୁ କିପରି ପାଇବୁ? ଆମେ କିଛି ସଞ୍ଚୟ କରିପାରିନୁ। ଆମେ ଯେତେବେଳେ କାମ କରୁଥିଲୁ ସେତେବେଳେ ଭଲରେ ଥିଲୁ, କିନ୍ତୁ ସେମାନେ ଆମଠାରୁ ତାହା ମଧ୍ୟ ଛଡାଇ ନେଇଗଲେ,” ବୋଲି ୩୩ ବର୍ଷ ବୟସ୍କ ସୋନି ଦେବୀ କୁହନ୍ତି । ସେ ରାସେନାହାଲ୍ଲି ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ହାଉସ୍‌କିପିଂ କର୍ମଚାରୀ ଭାବେ କାମ କରନ୍ତି ।

ସୋନି ମାସକୁ ୯,୦୦୦ଟଙ୍କା ଉପାର୍ଜନ କରନ୍ତି ଓ ଚଳିତ ମାସରେ (ମେ) ସେ ପୁଣି କାମ ଆରମ୍ଭ କରିଥିଲେ ମଧ୍ୟ ମାର୍ଚ୍ଚ ମାସ ପାଇଁ ତାଙ୍କୁ ମାତ୍ର ୫୦୦୦ଟଙ୍କା ପାରିଶ୍ରମିକ ମିଳିଛି ଓ ଏପ୍ରିଲ୍‌ରେ କାମକୁ ଯାଇ ପାରି ନଥିବାରୁ ତାଙ୍କୁ କିଛି ପଇସା ମିଳିନି । ଏଣୁ ଏପ୍ରିଲ୍‌ ମାସରେ ତାଙ୍କ ପରିବାରକୁ, ଯେଉଁଥିରେ ୧୧ ବର୍ଷରୁ କମ୍‌ ବୟସର ତିନି ଜଣ ପିଲା ଅଛନ୍ତି,  ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ତାଙ୍କର ସ୍ୱାମୀ ଲଖନ ସିଂ ବେଳେବେଳେ ନିର୍ମାଣ ଶ୍ରମିକ ଭାବେ କରନ୍ତି । କାମ ମିଳିଲେ ସେ ଦିନକୁ ୪୫୦ଟଙ୍କା ଉପାର୍ଜନ କରନ୍ତି; ହୃଦ୍‌ରୋଗ ସମସ୍ୟା ଥିବା କାରଣରୁ ସେ ଅଧିକ କାମ କରିପାରନ୍ତିନାହିଁ । ମକ୍ତୁମ୍ବେଙ୍କ ଭଳି ତାଙ୍କ ପରିବାର ମଧ୍ୟ ଗୋଟିଏ ବଖରାରେ ରହୁଛି, ମକ୍ତୁମ୍ବେ ଯେତିକି ଭଡା ଦିଅନ୍ତି ସେ ମଧ୍ୟ ସେତିକି ଭଡା ଦିଅନ୍ତି, ମାସକୁ ୨,୦୦୦ଟଙ୍କା ଭଡା ଦିଅନ୍ତି । ସୋନି ସାତ ବର୍ଷ ପୂର୍ବେ ତାଙ୍କର ୧୩ ବର୍ଷ ବୟସ୍କ ଝିଅକୁ ସମ୍ପର୍କୀୟଙ୍କ ପାଖରେ ଛାଡି ସପରିବାର ଝାଡଖଣ୍ଡରୁ ଗିରିଡିହରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଥିଲେ ।

ଏପ୍ରିଲ୍‌ ଆରମ୍ଭରେ ଯେତେବେଳେ ଆମର ସାକ୍ଷାତ ହୋଇଥିଲା, ସେତେବେଳେ ସୋନି ପନିପରିବାର ବଢୁଥିବା ମୂଲ୍ୟ ନେଇ ଚିନ୍ତିତ ଥିଲେ । “ଏକ କିଲୋ ପିଆଜ ୨୫ଟଙ୍କାରେ ମିଳୁଥିଲା; ବର୍ତ୍ତମାନ ଏହା ୫୦ଟଙ୍କା ହୋଇଗଲାଣି । ଏହି ରୋଗ ଆସିବା ଠାରୁ ଆମେ ଆମ ଘରେ ପରିବା ରାନ୍ଧିବା ବନ୍ଦ କରିଦେଇଛୁ” । କିଛି ସମୟ ପାଇଁ ଜଣେ ଦାନକର୍ତ୍ତା ଏହି କଲୋନୀବାସୀଙ୍କ ପାଇଁ  ପାଇଁ ଭୋଜନ ପଠାଉଥିଲେ । “ଆମେ ଦିନକୁ ଗୋଟିଏ ଥର ରନ୍ଧା ଭୋଜନ ପାଉଥିଲୁ,” ବୋଲି ସୋନି ଦେବୀ କୁହନ୍ତି ।

“ପରିବା କ’ଣ ତାହା ଆମେ ଭୁଲିଗଲୁଣି!” ବୋଲି ମକ୍ତୁମ୍ବେ କହିଲେ । “ଆମକୁ ଯେଉଁ ଚାଉଳ ଦିଆଯାଉଛି [ସିଟିଜେନ୍‌ ଗ୍ରୁପ୍‌ ଦ୍ୱାରା] ସେଥିରେ ଆମକୁ କାମ ଚଳାଇବାକୁ ହେଉଛି” । ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁଖିଲା ରାସନ୍‌ କିଟ୍‌ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଥିଲା କିନ୍ତୁ ତାହା ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ନଥିଲା । “କିଛି ଲୋକ ପାଇଲେ । କିଛି ଲୋକ ପାଇଲେ ନାହିଁ । ଏଣୁ ଦିନକୁ ଦିନ ଅସୁବିଧା ବଢିବାରେ ଲାଗିଛି,” ବୋଲି ସେ କହିଲେ ।

“ଯଦି କେହି ଖାଦ୍ୟ ଆଣିବାକୁ ଚାହୁଁଛନ୍ତି, ତାହାହେଲେ ସମସ୍ତଙ୍କ ପାଇଁ ଆଣନ୍ତୁ ନଚେତ୍‌ କାହାପାଇଁ ନୁହେଁ” ବୋଲି ନିରାଶ ମଣିକ୍ୟାମ୍ମା କୁହନ୍ତି । ଏଠାରେ ଆମେ ପ୍ରାୟ ୧୦୦ରୁ ଅଧିକ ଲୋକ ରହୁଛୁ । ଏହି କାରଣରୁ ଆମେ ପରସ୍ପର ମଧ୍ୟରେ ଲଢେଇ କରିବା ପରିସ୍ଥିତି ନଉପୁଜିବା ଉଚିତ” ।

ଏପ୍ରିଲ ୧୪ରେ ମୁଁ ଯେତେବେଳେ ରାସେନାହାଲ୍ଲି ଯାଇଥିଲି, ସେତେବେଳେ ଜଣେ ମହିଳା ଏପ୍ରିଲ୍‌ ୪ରେ ତାଙ୍କ ସହିତ ମୁଁ ସାକ୍ଷାତ କରିବାର କିଛି ଘଣ୍ଟା ପରେ ଘଟିଥିବା ଏକ ଘଟଣା ବିଷୟରେ ଜଣାଇଥିଲେ ।

‘ଯଦି କେହି ଖାଦ୍ୟ ଆଣିବାକୁ ଚାହୁଁଛନ୍ତି, ତେବେ ଏହା ସମସ୍ତଙ୍କ ପାଇଁ ହେବା ଉଚିତ, ନଚେତ୍‌ କାହା ପାଇଁ ନୁହେଁ । ଏହି କାରଣରୁ ଆମେ ପରସ୍ପର ସହିତ ଲଢେଇ କରିବା ପରିସ୍ଥିତି ନଉପୁଜିବା ଉଚିତ’

ଭିଡିଓ ଦେଖନ୍ତୁ: ‘ଏହା ଲଢେଇ କରିବା ସମୟ ନୁହେଁ’

ସେଦିନ ସନ୍ଧ୍ୟାରେ ଏହି ବସ୍ତିର ଲୋକମାନଙ୍କୁ କଲୋନୀ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଅମୃଥାହାଲ୍ଲୀରେ ଥିବା ଜରୀନ୍‌ ତାଜ୍‌ ନାମକ ଜଣେ ସ୍ଥାନୀୟ ସମାଜସେବୀଙ୍କ ଘରକୁ ଯାଇ ରାସନ୍‌ କିଟ୍‌ଗୁଡିକ ସଂଗ୍ରହ କରିବାକୁ କୁହାଯାଇଥିଲା । “ସେ ଆମକୁ କହିଲେ ଯେ ଯେଉଁମାନଙ୍କର ରାସନ୍‌ କାର୍ଡ ନାହିଁ ସେମାନଙ୍କୁ ରାସନ୍‌ ଦିଆଯିବ । ଏଣୁ ଆମେ ସେଠାକୁ ଯାଇଥିଲୁ ଓ ଧାଡିରେ ଠିଆ ହୋଇଥିଲୁ,” ବୋଲି ଲକ୍ଷ୍ମୀ ମନେପକାନ୍ତି ।

ତାପରେ ଯାହା ହେଲା ତାହା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । “ଆମେ ଆମର ପାଳି ପାଇଁ ଅପେକ୍ଷା କରିଥିବା ବେଳେ କେହି ଜଣେ ଆସିଲେ ଓ ପାଟି କରିବାକୁ ଲାଗିଲେ । ସେମାନେ କହିଲେ ଯେ ଯଦି କେହି ଖାଦ୍ୟ ନେଇଛି ତେବେ ସେ ଆହତ ହେବା ସମ୍ଭାବନା ରହିଛି । ଆମେ ଡରିଗଲୁ ଓ କିଛି ନନେଇ ସେଠାରୁ ଚାଲିଆସିଲୁ,” ବୋଲି ଲକ୍ଷ୍ମୀ କହିଲେ ।

ଜରୀନ୍‌ କୁହନ୍ତି ଯେ ତାଙ୍କ ଘର ସାମନାରେ ୧୫-୨୦ ଲୋକ ଜମା ହୋଇଗଲେ ଓ ତାଙ୍କ ବିରୋଧରେ ଅପମାନଜନକ କଥା କହିବାକୁ ଆରମ୍ଭ କଲେ । “ଆମେ ଖାଦ୍ୟ ଦେଉଥିବାରୁ ସେମାନେ ରାଗିଯାଇଥିଲେ । ସେମାନେ ଚିତ୍କାର କରି ଆମକୁ ଧମକ ଦେବାକୁ ଆରମ୍ଭ କଲେ ଓ କହିବାକୁ ଲାଗିଲେ ଯେ – ‘ସେମାନେ ଆତଙ୍କବାଦୀ ଅଟନ୍ତି। ସେମାନେ ନିଜାମୁଦ୍ଦିନ୍‌ରୁ ଆସିଛନ୍ତି, ସେମାନଙ୍କ ଖାଦ୍ୟ ଖାଅନାହିଁ , ତୁମେମାନେ ସଂକ୍ରମିତ ହେବା ସମ୍ଭାବନା ରହିଛି’’ ।

ତାପରେ, ଏପ୍ରିଲ ୬ରେ ଯେତେବେଳେ ଜରୀନ୍‌ ଓ ତାଙ୍କର ରିଲିଫ୍‌ ଟିମ୍‌ ନିକଟସ୍ଥ ଦଶରାହାଲ୍ଲୀରେ ଖାଦ୍ୟ ବାଣ୍ଟୁଥିଲେ, ସେତେବେଳେ ସେମାନଙ୍କୁ ଏକ ଦଳ ଆକ୍ରମଣ କରିଥିଲେ ଯେଉଁମାନେ ସେମାନଙ୍କ ପାଇଁ ଅପମାନଜନକ କଥା କହୁଥିଲେ ତଥା ସେମାନଙ୍କୁ ଧମକାଉଥିଲେ ମଧ୍ୟ । “ଆମମାନଙ୍କୁ ହାତରେ କ୍ରିକେଟ ବ୍ୟାଟ୍‌ ଧରିଥିବା ଲୋକମାନେ ଘେରି ଯାଉଥିଲେ ଓ ମୋର ପୁଅ ଗମ୍ଭୀର ଭାବେ ଆଘାତ ପ୍ରାପ୍ତ ହୋଇଥିଲା,” ବୋଲି ସେ କୁହନ୍ତି ।

ଶେଷରେ ଏପ୍ରିଲ ୧୬ରେ ଜରୀନଙ୍କ ଟିମ୍‌ ରାସେନାହାଲ୍ଲିର ଦିନ ମଜୁରିଆମାନଙ୍କ ପାଖରେ ଶୁଖିଲା ରାସନ୍‌ କିଟ୍‌ ପହଞ୍ଚାଇବାରେ ସଫଳ ହୋଇଥିଲେ । “କିଟ୍‌ ବାଣ୍ଟିବାରେ ସହାୟତା କରିବା ପାଇଁ ସ୍ଥାନୀୟ କର୍ପୋରେଟର୍‌ ଏକ ବିବିଏମ୍‌ପି [ମ୍ୟୁନିସିପାଲ୍‌ କର୍ପୋରେସନ୍‌]ର ବ୍ୟବସ୍ଥା କରିଦେଲେ,” ବୋଲି ଜରୀନ୍‌ ଓ ତାଙ୍କ ଟିମ୍‌ ସହିତ କାମ କରୁଥିବା ଜଣେ ସ୍ୱେଚ୍ଛାସେବୀ କୁହନ୍ତି ।

“ଆମ ପାଖରେ ଏସବୁ ପାଇଁ ସମୟ ନାହିଁ । ଆମକୁ ଆମ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ହେବ !” ମକ୍ତୁମ୍ବେ ପରେ ମତେ ଏକଥା କହିଲେ । ଏହି ଘଟଣା ଯୋଗୁଁ ସେମାନଙ୍କ ମନର ଶାନ୍ତି ହଜି ଯାଇଛି । “ମୁଁ ଜଣେ ହିନ୍ଦୁ ଓ ସେ ମୁସଲ୍‌ମାନ,” ବୋଲି ସୋନି ଦେବୀ ମକ୍ତୁମ୍ବେଙ୍କ ଆଡକୁ ଇସାରା କରି କହିଲେ । “ଏଥିରେ କଣ ଫରକ୍‌ ପଡୁଛି? ଆମେ ପଡୋଶୀ ଭାବେ ରହୁଛୁ । ଆମର ପିଲାମାନେ ସମସ୍ତେ ଏକ ମାତୃ ଗର୍ଭରୁ ଜନ୍ମ ହୋଇଛନ୍ତି, ନୁହେଁ କି? ଆମେ ମଝିରେ ରହି ହଇରାଣ ହେବା ପରିବର୍ତ୍ତେ (ସାମ୍ପ୍ରଦାୟିକ ରାଜନୀତି) ଭୋକରେ ରହିବାକୁ ପସନ୍ଦ କରିବୁ”।

“ଆମକୁ ମଝିରେ ରଖାଯାଉଛି ଓ ଚଟଣି କରାଯାଉଛି,” ବୋଲି ମକ୍ତୁମ୍ବେ ମଧ୍ୟ କହିଲେ । “ଗରିବ ଲୋକଙ୍କ ସହିତ ସବୁବେଳେ ଏପରି ହୁଏ । ଆମମାନଙ୍କୁ ସବୁବେଳେ ମରିବାକୁ ପଡେ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sweta Daga

ଶ୍ଵେତା ଡାଗା ବାଙ୍ଗାଲୋରର ଜଣେ ଲେଖକ ଓ ଫଟୋଗ୍ରାଫର । ସେ, ପିପୁଲ୍ସ ଆର୍କାଇଭ୍ଅଫ୍ରୁରାଲ ଇଣ୍ଡିଆ ଏବଂ ସେଣ୍ଟର୍ଫର୍ସାଇନ୍ସ୍ଆଣ୍ଡ୍ଏନ୍ଭାଇରନ୍ମେଣ୍ଟ୍ରେ ଫେଲୋସିପ୍ସମେତ ବିଭିନ୍ନ ମଲ୍ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ।

Other stories by Sweta Daga