ପାଖ ଗ୍ରାମର ମହିଳାମାନେ ହିଁ ସେମାନଙ୍କ ସମ୍ପ୍ରଦାୟର ପ୍ରିୟ ନେତାଙ୍କୁ ଯୁଦ୍ଧଭୂମିରେ ପାଇଥିଲେ । ସେମାନେ ସେମାନଙ୍କ ପରିବାରର ଲୋକମାନଙ୍କୁ ଖୋଜିବାକୁ ସେଠାକୁ ଆସିଥିଲେ ।  ବଦଳରେ ସେମାନେ ଗମ୍ଭୀର ଭାବେ ଆଘାତ ପ୍ରାପ୍ତ ଓ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ସେମାନଙ୍କ ସମ୍ପ୍ରଦାୟର ନେତା ଉମାଇଦୁରାଇଙ୍କୁ ପାଇଥିଲେ, ଯିଏ ସେତେବେଳ ପର୍ଯ୍ୟନ୍ତ ଜୀବିତ ଥିଲେ । ସେମାନେ ତାଙ୍କୁ ସଯତ୍ନ ସେଠାରୁ ଉଠାଇ ଆଣିଲେ ଓ ତିନି ମାଇଲ୍‌ ଦୂରରେ ଅବସ୍ଥିତ ତାଙ୍କ ଗ୍ରାମକୁ ନେଇଗଲେ ।

ଠିକ୍‌ ଏହା ପରେ ସୈନିକମାନେ ସେଠାରେ ଦେଖାଗଲେ, ଯେଉଁମାନେ ‘ୱାଣ୍ଟେଡ୍‌’ ଉମାଇଦୁରାଇଙ୍କ ସନ୍ଧାନରେ ସେଠାକୁ ଆସିଥିଲେ । କାଳ ବିଳମ୍ବ ନକରି ମହିଳାମାନେ ତାଙ୍କୁ ଏକ ଧଳା କପଡାରେ ଘୋଡାଇ ଦେଇ ବିଳାପ କରିବାକୁ ଲାଗିଲେ, ଜୋର୍‌ରେ ଚିତ୍କାର କରି ବାହୁନି ବାହୁନି କାନ୍ଦିଲେ ଓ ବସନ୍ତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେମାନଙ୍କୁ କହିଲେ । ଏହା ଶୁଣି ସୈନ୍ୟ ବାହିନୀ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ସେଠାରୁ ଦୌଡି ପଳାଇଲେ, ଯେତେବେଳେ କି ଉମାଦୁରାଇଙ୍କ ସମେତ ସେଠାରେ ଥିବା ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିଲା ।

ଏହା ଏକ ମହାନ କାହାଣୀ ଓ ଏକ ସତ୍ୟ ଘଟଣା । ପ୍ରାୟ ୨୦୦ ବର୍ଷ ପୂର୍ବେ ତାମିଲନାଡୁରେ ଏହା ଘଟିଥିଲା । ୧୯ଶହ ଶତାବ୍ଦୀର ଆରମ୍ଭ କାଳରେ ବ୍ରିଟିଶମାନଙ୍କ ଦ୍ୱାରା ଲିଖିତ ଯୁଦ୍ଧ ବିବରଣୀରେ ଏହାର ସ୍ପଷ୍ଟ ଉଲ୍ଲେଖ ରହିଛି । ଆଉ ଏବେ  ବିଖ୍ୟାତ ଲେଖକ ଚୋ ଧର୍ମନଙ୍କ ଦ୍ୱାରା ତାଙ୍କର ଉଚ୍ଚକୋଟୀର ସୁନ୍ଦର ତାମିଲରେ ଏହାକୁ ବର୍ଣ୍ଣନା କରାଯାଇଛି ଯାହା ଏହାକୁ ଆହୁରି ସମୃଦ୍ଧ କରିଛି । କୋଭିଡ୍‌- ୧୯ ଜନିତ ବର୍ତ୍ତମାନର ଅନୁଭୂତି, ଭୟ ଓ ଆତଙ୍କ ପରିପ୍ରେକ୍ଷୀରେ ଏହାକୁ ସ୍ଥାନିତ କରିବା ଦ୍ୱାରା ବର୍ତ୍ତମାନ ସମୟର ଭୟାବହତା ଓ ଏହାର ପ୍ରଭାବ ଅଧିକ ଦର୍ଶାଯାଇଛି । ଆଉ ଏହା ଆମକୁ ଆମ ଗ୍ରାମଗୁଡିକ କିଭଳି ଭାବେ ଶହ ଶହ ବର୍ଷ ଧରି ବିଭିନ୍ନ ଭୂତାଣୁ, ପ୍ଲେଗ୍‌ ଓ ମହାମାରୀର ମୁକାବିଲା କରି ଆସିଛନ୍ତି ତାହାର ଏକ ଅମୂଲ୍ୟ ମୁଖ ପ୍ରଚାରିତ ଇତିହାସ ବିଷୟରେ ଧାରଣା ଦେଉଛି । 

“ଉମାଇଦୁରାଇ ବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ବୀରାପାଣ୍ଡିଆ କଟ୍ଟାବୋମ୍ମାନଙ୍କ ଭାଇ ଥିଲେ, ଯିଏ ପଞ୍ଚାଳମ୍‌କୁରୁଚି [ଦକ୍ଷିଣ ତାମିଲନାଡୁ଼]ର ପୋଲିଗର୍‌ [ମୁଖିଆ] ମଧ୍ୟ ଥିଲେ,” ବୋଲି ଧର୍ମନ୍‌ କୁହନ୍ତି । “ମୁକ ଓ ବଧିର ଉମାଦୁରାଇ ଉମି [ସ୍ଥାନୀୟ ଭାଷାରେ] ଓ ଡମ୍ବି [ ବ୍ରିଟିଶ୍‌ଙ୍କ ଦ୍ୱାରା] ନାମରେ ମଧ୍ୟ ପରିଚିତ । ତାଙ୍କ ସମ୍ପ୍ରଦାୟର ଲୋକମାନେ ତାଙ୍କର ପୂଜା କରୁଥିଲେ ଓ ଇଷ୍ଟ ଇଣ୍ଡିଆ କମ୍ପାନି ତାଙ୍କୁ ଚାରିଆଡେ ଖୋଜୁଥିଲେ, ଯେଉଁମାନେ ଏହି ‘କୁଖ୍ୟାତ ଓ ପ୍ରସିଦ୍ଧ ନେତାଙ୍କୁ ଧ୍ୱଂସ କରିବାକୁ ଚାହୁଁଥିଲେ ।  “ଆପଣ ଏହି ସବୁ ବିଷୟରେ କଲୋନେଲ ଜେମ୍‌ସ ୱେଲ୍ସଙ୍କ ପୁସ୍ତକ ମିଲିଟାରୀ ରେମିନିସେନ୍ସ,” ରେ ପଢିପାରିବେ ବୋଲି ଧର୍ମନ୍‌ କୁହନ୍ତି । 

ପଞ୍ଚାଳମ୍‌କୁରୁଚିର ଐତିହାସିକ ଯୁଦ୍ଧ ୧୭୯୯ରେ  ତାମିଲନାଡୁର ଥୋଥୁକୁଡି ଜିଲ୍ଲା ଅନ୍ତର୍ଗତ କୋଭିଲପଟ୍ଟି ଟାଉନ୍‌ରେ ଅବସ୍ଥିତ ଧର୍ମନ୍‌ଙ୍କ ଘର ଠାରୁ ପ୍ରାୟ ୫୦କିଲୋମିଟର ଦୂରରେ ହୋଇଥିଲା । ବ୍ରିଟିଶ କଲୋନେଲ୍‌ ୱେଲ୍ସ ଯିଏ ତାଙ୍କ ବିବରଣୀରେ ଉମାଇଦୁରାଇଙ୍କ ମହିଳା ରକ୍ଷାକର୍ତ୍ତାମାନଙ୍କୁ “ଘୃଣ୍ୟ ଓ ପ୍ରତୀୟମାନ ହେଉଥିବା ଅଳ୍ପ ବୁଦ୍ଧି ସମ୍ପନ୍ନ ଜନ୍ତୁ’ ବୋଲି ବର୍ଣ୍ଣନା କରିଥିବା ବେଳେ “ଧର୍ମନ୍‌ କିନ୍ତୁ ଗ୍ରାମବାସୀଙ୍କର ଏହି ଦେଶୀୟ ଜ୍ଞାନ ଓ ଉମାଇଦୁରାଇଙ୍କୁ ଯେଉଁମାନେ ଯୁଦ୍ଧଭୂମିରୁ ଘରକୁ ନେଇଯାଇଥିଲେ ସେମାନଙ୍କ ପରାକ୍ରମର ଶତ ପ୍ରଶଂସା କରନ୍ତି । ଧର୍ମନ୍‌ ପଚାରନ୍ତି ଯେ, “ମତେ କୁହ,’’ “ତାଙ୍କୁ ପୋଲିସ୍‌ ଚାରିଆଡେ ଖୋଜୁଛି, ପୋଲିସ୍‌ ସେମାନଙ୍କୁ ମଧ୍ୟ ଅନୁଧାବନ କରିପାରେ ତଥା ସେମାନଙ୍କ ଘର ନଷ୍ଟ କରାଯାଇ ପାରିବ,” ଏସବୁ ଜାଣି ମଧ୍ୟ କ’ଣ ଏହି ସାହାସୀ ମହିଳାମାନେ ଏପରି କରିନାହାନ୍ତି କି’’?
Cho Dharman: 'The Covid crisis is an ‘idiyappa sikkal’ [the tangle of rice strings in rice hoppers]. The poor are suffering, how do we help them?'
PHOTO • R. M. Muthuraj

ଚୋ ଧର୍ମନ୍‌ : ‘କୋଭିଡ୍‌ ସଂକଟ ହେଉଛି ଏକ  ‘ଇଡିୟାପ୍ପା ସିକ୍କଲ୍‌’ [ରାଇସ୍‌ ହୋପ୍ପର୍ସର ଚାଉଳ ସୂତାର ଅଡୁଆ ବିଣ୍ଡା] । ଗରିବମାନେ ଦୁଃଖରେ ଅଛନ୍ତି, ଆମେ ସେମାନଙ୍କୁ କିଭଳି ସାହାଯ୍ୟ କରିପାରିବା?’

କୋଭିଳାପଟ୍ଟିରେ ମୋର ଧର୍ମନ୍‌ଙ୍କ ସହିତ ଦେଖା ହୋଇଥିଲା । କୋଭିଳାପଟ୍ଟି ହେଉଛି ସେହି ଟାଉନ୍‌ ଯାହା ଏଠାର ପ୍ରସିଦ୍ଧ କଡଲାମିଟ୍ଟାଇ, ଏକ ଚିନାବାଦାମ୍‌ ଚକଲେଟ୍‌, କୁ ୨୦୧୫ରେ ଜିଆଇ [ଭୌଗଳିକ ସଂକେତ] ଟ୍ୟାଗ୍‌ ମିଳିବା ପରେ ଚର୍ଚ୍ଚାରେ ରହିଛି । ତାଙ୍କ ମତରେ, ଯେପରି ସେ ସେହି ସମୟରେ ଦୃଢତାର ସହିତ କହିଥିଲେ, “ଦଳିତ ଲେଖା ବୋଲି କିଛି ନାହିଁ । ମୁଁ ଦଳିତ ପରିବାରରେ ଜନ୍ମ ହୋଇଥାଇପାରେ, ହେଲେ ମୁଁ ମୋର ଲେଖାକୁ ଅନ୍ୟଠାରୁ ଅଲଗା ଭାବୁନାହିଁ ।’’ ନିକଟ ଅତୀତରେ ଆମେ ଫୋନ୍‌ରେ କଥା ହୋଇଥିଲୁ । “ମୋର ଦୈନିକ ଦିନଚର୍ଯ୍ୟାରେ ବିଶେଷ ପରିବର୍ତ୍ତନ ହୋଇନାହିଁ [ତାଲାବନ୍ଦ ଯୋଗୁ], ସେ ମୃଦୁ ହସି କହିଲେ ।’’ ନିଃସଙ୍ଗତା ମୋ ଜୀବନର ଏକ ଅଂଗ । ମୁଁ ଦିନର ପ୍ରଥମ ଅର୍ଦ୍ଧ ଭାଗରେ ଲେଖେ ଓ ଦ୍ୱିପହର ସମୟ କାନ୍‌ମାଇ [ ପୋଖରୀ] ପାଖରେ ବସି ମାଛ ଧରି ସମୟ ବିତାଏ । 

“କୋଭିଡ୍‌ ସଙ୍କଟ ହେଉଛି ଏକ ‘ଇଡିୟାପ୍ପା ସିକ୍କଲ’ [ ଚାଉଳ ସୂତାର ଅଡୁଆ ବିଣ୍ଡା ଯେଉଁଥିରେ ଇଡିୟାପ୍ପମ୍‌ ବା ହୋପ୍ପର୍‌ସ ପ୍ରସ୍ତୁତ ହୋଇଥାଏ] । ଗରିବମାନେ ଦୁଃଖରେ ଅଛନ୍ତି, ଆମେ ସେମାନଙ୍କୁ କିଭଳି ସାହାଯ୍ୟ କରିପାରିବା? ବାତ୍ୟା ଓ ଭୂମିକମ୍ପର ମୁକାବିଲା କିଭଳି କରାଯିବ ତାହା ଆମକୁ ଜଣା । ହେଲେ, ପରସ୍ପର ସହିତ ଉତ୍ତମ ଭାବେ ଯୋଡି ହୋଇ ରହିଥିବା ବିଶ୍ୱ ଯେଉଁଠାରେ ଆମେ ଗୋଟିଏ ଦିନରେ ପୃଥିବୀର ଅଧାରୁ ଅଧିକ ଅଂଶ ଯାତ୍ରା କରିପାରୁଛେ –  ବୋଧହୁଏ ଭୂତାଣୁଟି ମଧ୍ୟ ଏହି ପ୍ରକାରେ ଯାତ୍ରା କରିଥିବ - ସେଠାରେ ଆମେ ଏକ ଅଦୃଶ୍ୟ ଶତ୍ରୁର ମୁକାବିଲା କରିବାକୁ ସଂଘର୍ଷ କରୁଛେ।’’

ଐତିହାସିକ, ଦୃଷ୍ଟିକୋଣରୁ ଦେଖିଲେ ଏଠାରେ ଥିବା ଗ୍ରାମଗୁଡିକ ଏକାଧିକ ସଂକ୍ରାମକ ରୋଗର ସମ୍ମୁଖିନ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କିଛି କୋଭିଡ୍‌- ୧୯ ପରି ମାରାତ୍ମକ ମଧ୍ୟ । ଯେପରିକି ‘ପେରିୟା ଅମ୍ମାଇ’ ଯାହା ହେଉଛି ବସନ୍ତ ରୋଗର ତାମିଲନାମ ବର୍ତ୍ତମାନ ଯାହାର ମୂଳୋତ୍ପାଟନ ହୋଇଯାଇଛି । ଏହି ରୋଗରେ ସଂକ୍ରମିତ ବ୍ୟକ୍ତିର ସମ୍ପୂର୍ଣ୍ଣ ଶରୀରରେ ଛୋଟ ଛୋଟ କୋଳି ଆକାରର ଫୋଟକା ହୋଇଯାଏ, ଯାହା ଶରୀରରେ ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଫଳିଯାଏ ଓ ବେଳେବେଳେ ଆଖି ଉପରେ ମଧ୍ୟ ଉଠିଯାଏ । ଏହା ଯୋଗୁଁ ଆକ୍ରାନ୍ତ ବ୍ୟକ୍ତି ସହଜରେ ଅନ୍ଧ, ବିକଳାଙ୍ଗ ହୋଇଯାଏ, ଏପରିକି ମୃତ୍ୟୁ ମଧ୍ୟ ହୋଇଯାଏ । ଏପରି ଏକ ରୋଗ ବିଷୟରେ ଜାଣିବା ପରେ ପଦାତିକ ବ୍ରିଟିଶ୍‌ ସେନା ଭୟଭୀତ ହୋଇ ସେହି ସ୍ଥାନ ଛାଡି ଚାଲିଯିବା କ’ଣ କୌଣସି ଆଶ୍ଚର୍ଯ୍ୟ କଥା ଅଟେ? ହଇଜା ଓ ପ୍ଲେଗ୍‌ ମଧ୍ୟ ଏହିପରି ଭୟଙ୍କର ରୋଗ ଅଟେ ଯେଉଁଥିରେ ମୃତ୍ୟୁହାର ଅଧିକ ଅଟେ ।

“ମିଳିତ ଭାବେ ‘ଓଟ୍ଟୁୱାର – ଓଟ୍ଟି ନୋଇ’ ବୋଲି କୁହାଯାଉଥିବା ଏହି ତିନି ରୋଗ [ବସନ୍ତ, ହଇଜା ଓ ପ୍ଲେଗ୍‌] – ସଂକ୍ରାମକ ରୋଗ ଅଟେ ଯାହା ସ୍ପର୍ଶ, ମିଳାମିଶା ଓ ପ୍ରଦୂଷଣ କାରଣରୁ ବ୍ୟାପିଥାଏ । ଆମର ପୂର୍ବପୁରୁଷଙ୍କ ପାଖରେ କୌଣସି ପ୍ରତିଷେଧକ ଟୀକା ବା ଔଷଧ ନଥିଲା । ଏକମାତ୍ର ଉପଚାର ଯାହା ଉପଲବ୍ଧ ହେଉଥିବା ତାହା ହେଉଛି ‘ନିମ’ । ଏହା ଏକ ଶକ୍ତିଶାଳୀ ଜୀବାଣୁନାଶକ ହୋଇଥିବାରୁ ସେମାନେ କଅଁଳିଆ ନିମ ପତ୍ର ସଂଗ୍ରହ କରନ୍ତି, ସେଗୁଡିକୁ ବାଟି ଏକ ଲେପ ପ୍ରସ୍ତୁତ କରନ୍ତି ଓ ଫୋଟକା ଉପରେ ଏହାକୁ ଭଲ ଭାବେ ବୋଳି ଦିଅନ୍ତି । ବସନ୍ତ ହୋଇଥିବା ବ୍ୟକ୍ତି ସବୁଜ ରଙ୍ଗର ଦେଖାଯଆନ୍ତି’’।

A monument to legendary freedom fighter Veerapandiya Kattabomman; he and his brother Umaidurai were hanged by the British in 1799. It's in Kayatharu, around 30 km from Kovilpatti, where Dharman lives, and he tells a riveting tale about Umaidurai that speaks of the courage of local communities
PHOTO • Roy Benadict Naveen

ବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ବୀରାପାଣ୍ଡିଆ କଟ୍ଟାବୋମ୍ମନଙ୍କର ଏକ ସ୍ମାରକ ସ୍ତମ୍ଭ; ତାଙ୍କୁ ଓ ତାଙ୍କ ଭାଇ ଉମାଇଦୁରାଇଙ୍କୁ ୧୭୯୯ରେ ବ୍ରିଟିଶ୍‌ ମାନଙ୍କ ଦ୍ୱାରା ଫାଶି ଦିଆଯାଇଥିଲା । ଏହା କୟାଥରୁରେ ରହିଛି, ଯାହା କୋଭିଲ୍‌ପଟ୍ଟି – ଯେଉଁଠାରେ ଧର୍ମନ୍‌ ବାସ କରନ୍ତି- ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଧର୍ମନ ଉମାଇଦୁରାଇଙ୍କ ବିଷୟରେ ଏକ ଦୃଷ୍ଟି ଆକର୍ଷକ କାହାଣୀ ବର୍ଣ୍ଣନା କରନ୍ତି ଯାହା ସ୍ଥାନୀୟ ସମ୍ପ୍ରଦାୟର ବୀରତ୍ୱ କଥା କହିଥାଏ

ଧର୍ମନ୍‌, ୬୬, ତାଙ୍କ ଯୁବାବସ୍ଥାରେ ତାଙ୍କ ନିଜ ଗ୍ରାମ ଉରୁଲାଇକୁଡିରେ, ଯାହା ଥୂଥୁକୁଡି ଜିଲ୍ଲାର ଏଟ୍ଟାୟାପୁରମ୍‌ ତାଲୁକା ର କୋଭିଲାପଟ୍ଟି ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ, ବସନ୍ତ ରୋଗ ବିଷୟରେ ଜାଣିବାକୁ ପାଇଥିଲେ । ସେ ତାଙ୍କର କ୍ଷୁଦ୍ରଗଳ୍ପ ଓ ଉପନ୍ୟାସଗୁଡିକରେ ଏହି ଭୂମି – କରିସାଲ୍‌ ଭୂମି ବା ବର୍ଷାଶ୍ରିତ ଭୂମି ଓ ଏହାର ଦୃଶ୍ୟ ବିଷୟରେ ବିସ୍ତାରରେ ବର୍ଣ୍ଣନା କରିଛନ୍ତି, ଯେଉଁଥିପାଇଁ ସେ ଏକାଧିକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ୨୦୧୯ରେ ତାଙ୍କର ବହି ସୁଲ୍‌କୁ (ପରିବେଶ ସମ୍ବନ୍ଧୀୟ ଏକ ଉପନ୍ୟାସ, ଯାହା ତାଙ୍କ ନିଜ ଗ୍ରାମର ପୃଷ୍ଠଭୂମିରେ ଲିଖିତ) ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି ।

ବସନ୍ତ କେତେ ବ୍ୟାପିଛି ଓ ଏହା କେତେ ସାଂଘାତିକ ଅଟେ, ତାହା ଦର୍ଶାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଭାଷା ବିକଶିତ ହୋଇଥିବା ବୋଲି ଧର୍ମନ୍‌ ବର୍ଣ୍ଣନା କରି କୁହନ୍ତି । “ଥାଇ କୂଟିକିଟ୍ଟା ଶବ୍ଦର ଅର୍ଥ ହେଉଛି ଠାକୁରାଣୀ ଜଣଙ୍କୁ ଉଠାଇନେଲେ, ଯାହା ବସନ୍ତ ଯୋଗୁଁ ହୋଇଥିବା ମୃତ୍ୟୁ ସମ୍ବାଦ ଜଣାଇବା ପାଇଁ ବ୍ୟବହାର କରାଯାଏ । ଏହି ଦୁଃଖଦ ସମ୍ବାଦ ବିଷୟରେ ଜଣାଇବା ପାଇଁ ଏହା ଥିଲା ସବୁଠାରୁ ମାର୍ଜିତ ଓ ବିବେକପୂର୍ଣ୍ଣ ଭାଷା । ସେତେବେଳେ ଏପରି କେତେକ ଶବ୍ଦ ବ୍ୟବହାର କରାଯାଉଥିବା ଯାହା ଏହାର ବିସ୍ତାରକୁ ଦର୍ଶାଉଥିଲା: ଯେପରିକି, ‘ଆମ୍ମାଇ ବନ୍ଧିରୁକ୍କୁ’ ଅର୍ଥାତ୍‌ ବସନ୍ତ ଆରମ୍ଭ ହୋଇଗଲା ଯାହାର ଅର୍ଥ ହେଉଛି କିଛି ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି , ‘ଆମ୍ମାଇ ବିଲୟଦ୍ୟୁତୁ’  ଅର୍ଥାତ୍‌ ଏହା ଚାରିଆଡେ ବ୍ୟାପି ଗଲାଣି ଓ ପଲ୍ଲୀର ଅନେକ ପରିବାର ଏହା କବଳରେ ଅଛନ୍ତି ।

ସେହି ସବୁ ଶବ୍ଦର କିଛି କିଛି ସାମଞ୍ଜସ୍ୟ ବର୍ତ୍ତମାନର କୋଭିଡ୍‌-୧୯ର ଶ୍ରେଣୀ ବିଭାଜନ ସହିତ ରହିଥିବା ମନେହୁଏ : କ୍ଲଷ୍ଟର, ଗୋଷ୍ଠୀ ସଂକ୍ରମଣ ଓ ସଙ୍ଗରୋଧ ଅଞ୍ଚଳ । ଅନ୍ୟ କିଛି ଶବ୍ଦ ଯେପରିକି ‘ଆମ୍ମା ଏରାଙ୍ଗିଟ୍ଟା’ ଓ ‘ଥାନ୍ନି ଓଥିୟାଚୁ’ର ଅର୍ଥ ଆକ୍ଷରିକ ଭାବେ ଯଥାକ୍ରମେ ଠାକୁରାଣୀ ପ୍ରସ୍ଥାନ କଲେ ଓ ପାଣି ଢଳା ହେଲା ଆଦିକୁ ବୁଝାଇଥାଏ । ଇଂରାଜିରେ ଏହା ବଙ୍କା ତେଢା ଓ ଜଟିଳ ଲାଗିପାରେ – ଓ ଏହି ଶବ୍ଦର କୌଣସି ପୃଷ୍ଠଭୂମି ନଥାଇପାରେ – ହେଲେ ଏହି ବାକ୍ୟାଂଶଗୁଡିକ ସେଗୁଡିକର ପ୍ରକୃତ ବ୍ୟବହାର କ୍ଷେତ୍ରରେ ସଂକ୍ରମଣର ସମାପ୍ତିକୁ ସୂଚାଇଥାଏ । (ଏପରି କିଛି ଯେପରିକି ଆମ ସମୟର କ୍ୱାରେଣ୍ଟାଇନ୍‌ ଓ ସଂଗରୋଧ ଶେଷ ହେବା)

“ ଯେତେବେଳେ ବ୍ୟକ୍ତି ଜଣ ସମ୍ପୂର୍ଣ୍ଣ ବସନ୍ତ ମୁକ୍ତ ହୁଅନ୍ତି ଓ ତିନ ଥର ଗାଧାନ୍ତି, ସେତେବେଳେ ଯାଇ ସେ ଅନ୍ୟମାନଙ୍କ ସହିତ ମିଳାମିଶା କରିପାରନ୍ତି । ଏବେ ଆମେ କରୋନା ଭୂତାଣୁ କ୍ଷେତ୍ରରେ ଯାହା କରୁଛେ ତାହା କିଛି ଅଲଗା କଥା ନୁହେଁ – ହେଲେ ଚଳିତ ଥର,’’ ‘ଏହା ସହିତ ଆହୁରି ଅନେକ କିଛି ଯୋଡ଼ି ହୋଇଯାଇଛି – ବେଳେବେଳେ ଗଣମାଧ୍ୟମ ଯୋଗୁଁ ଉତ୍ତେଜନା ବଢୁଛି – ନାଟକ ଓ ଭୟ ।

“ ପୁରୁଣା ରୋଗଗୁଡିକର ପ୍ରତିରୋଧ କରିବା ପାଇଁ ଯେଉଁ ସଙ୍ଗରୋଧ ବ୍ୟବସ୍ଥା ଗ୍ରହଣ କରାଯାଉଥିଲା ତାହା କଡ଼ାକଡ଼ି ପାଳନ କରାଯାଉଥିଲା । ଯେଉଁ ଘରେ ସଂକ୍ରମିତ ବ୍ୟକ୍ତି ରହୁଥିଲେ, ସେହି ଘରର କବାଟରେ ନିମ ଡାଳ ଝୁଲା ଯାଉଥିଲା ଓ ଏହା ପଥିକମାନଙ୍କୁ ରୋଗ ବିଷୟରେ ସୂଚୀତ କରୁଥିଲା । ଯେତେବେଳେ ଏହା ଚାରିଆଡେ ବ୍ୟାପି ଯାଉଥିଲା, ସେତେବେଳେ ନିମକୁ ପାଳ ସହାୟତାରେ ପରସ୍ପର ସହିତ ମିଶାଇ ଗୁନ୍ଥା ଯାଉଥିବା ଓ ଭିତରେ ରୋଗର ପ୍ରକୋପ ବଢୁଥିବା ବିଷୟରେ ଆଗନ୍ତୁକ ଓ ବିକାଳିମାନଙ୍କୁ  ସତର୍କ କରିବା ପାଇଁ ଗ୍ରାମର ପ୍ରବେଶ ପଥରେ ଝୁଲାଇ ଦିଆଯାଉଥିଲା । ଦୃଶ୍ୟମାନ ଏହି ସଙ୍କେତକୁ ଦେଖି ସେମାନେ ସବୁବେଳେ ସେଠାରୁ ଚାଲିଯାଉଥିଲେ ।

ସେ ସମୟରେ ଲୋକମାନେ ସ୍ୱୟଂସମ୍ପୂର୍ଣ୍ଣ ଥିଲେ ଯାହା ସେମାନଙ୍କ ପାଇଁ ବରଦାନ ସଦୃଶ ଥିଲା, ବୋଲି ଧର୍ମନ କୁହନ୍ତି । “ପ୍ରତ୍ୟେକ ଘରେ କ୍ଷୀର ଓ ଦହି ପାଇଁ ନିଜସ୍ୱ ଯୋଗାଣ ବ୍ୟବସ୍ଥା ରହିଥିଲା । ଯଦି କାହର ସରିଯାଉଥିଲା, ତାହାହେଲେ ପଡିଶାଘର ଲୋକ ତୁମ ଘର ସାମନାରେ ଆଣି ରଖି ଦିଅନ୍ତି ଓ ଏହା ତୁମେ ନେଇ ପାରିବ । ଅଧିକାଂଶ ଲୋକ କୃଷକ ଅଟନ୍ତି ଓ ପନିପରିବା ଚାଷ କରନ୍ତି, ସେମାନଙ୍କ ପାଖରେ ସବୁବେଳେ ଚାଉଳ, ଡାଲିର ଭଣ୍ଡାର ରହିଥାଏ । ଲାଉ, କଖାରୁ, ଜହ୍ନି, ସାପୁଆ ପୋଟଳ – ତାହା ଆମକୁ ଆମ ଜମିରୁ ମିଳି ଯାଉଥିଲା । ଅଧିକନ୍ତୁ, ଏହା ଆମେ ତୁମେ କରୁଥିବା ଆଜିର ନଗଦ କାରବାର ଭଳି ନୁହେଁ – ଅଧିକାଂଶ ନେଣ ଓ ଦେଣ ପଣ୍ୟ ବିନିମୟ ଦ୍ୱାରା ହେଉଥିଲା । ଯଦି ତୁମ ପାଖରେ ଲାଲ ମରିଚ ନାହିଁ, ତାହାହେଲେ ତୁମେ ଏହାକୁ କିଛି ଧନିଆ ବୀଜ ବିନିମୟରେ ପାଇପାରିବ ।

Dharman saw smallpox as a young lad in his native village, Urulaikudi: 'What we’re doing now for the coronavirus is not very different...'The three [pox, cholera and the plague] were called ‘ottuvar-otti noi’ – infectious diseases that spread with touch, contact and contamination'
PHOTO • Roy Benadict Naveen
PHOTO • Roy Benadict Naveen
Dharman saw smallpox as a young lad in his native village, Urulaikudi: 'What we’re doing now for the coronavirus is not very different...'The three [pox, cholera and the plague] were called ‘ottuvar-otti noi’ – infectious diseases that spread with touch, contact and contamination'
PHOTO • Roy Benadict Naveen

ଧର୍ମନ୍‌ ତାଙ୍କ ଯୁବାବସ୍ଥାରେ ନିଜ ଗ୍ରାମ ଉରୁଲାଇକୁଡିରେ, ବସନ୍ତ ରୋଗ ବିଷୟରେ ଜାଣିବାକୁ ପାଇଥିଲେ । ‘ବର୍ତ୍ତମାନ ଆମେ କରୋନା ଭୂତାଣୁ କ୍ଷେତ୍ରରେ ଯାହା କିଛି କରୁଛେ ତାହା କିଛି ଅଲଗା ଜିନିଷ ନୁହେଁ... 'ଏହି ତିନୋଟି [ ବସନ୍ତ,ହଇଜା ଓ ପ୍ଲେଗ୍‌]କୁ ମିଳିତଭାବେ ‘ଓଟ୍ଟୁଭର – ଓଟ୍ଟି ନୋଇ’ ବୋଲି କୁହାଯାଏ – ଏକ ସଂକ୍ରାମକ ରୋଗ ଯାହା ସ୍ପର୍ଶ, ମିଳାମିଶା ଓ ପ୍ରଦୂଷଣ କାରଣରୁ ବ୍ୟାପିଥାଏ'

ଧର୍ମନ୍‌ କୁହନ୍ତି ଯେ ବସନ୍ତ ଗ୍ରୀଷ୍ମ ଋତୁରେ ହେଉଥିବା ଏକ ରୋଗ, ଯାହା ଅସ୍ୱସ୍ଥିକର ଉତ୍ତପ୍ତ ମାସଗୁଡିକରେ ବ୍ୟାପିଥାଏ । ହଇଜା ଓ ପ୍ଲେଗ୍‌ ପ୍ରାୟତଃ ବର୍ଷା ଋତୁରେ ହୋଇଥାଏ । ଆଉ ସମସ୍ତେ ଦାଉ ସାଧନ୍ତି । “ ମୋର ଜେଜେବାପା ମତେ ସେହି ସମୟର ଏକ କାହାଣୀ କହିଥିଲେ, ଜଣେ ବ୍ୟକ୍ତି ଯିଏ ଏହି ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଶ୍ମଶାନକୁ ନେଇଥିଲେ ସେ ଗ୍ରାମକୁ ଫେରିବା ପରେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ଜାଣିବାକୁ ପାଇଲେ । ଏକ ପଲ୍ଲୀରେ ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ରହିଥିବାରୁ ସେମାନେ ସେଗୁଡିକୁ ବୋହି ଶ୍ମଶାନକୁ ନେବାକୁ ମନା କରିପାରିଲେ ନାହିଁ । ଆଉ ଏହିପରି ଭାବେ କୌଣସି ସୁରକ୍ଷା ପୋଷାକ ନଥାଇ ମଧ୍ୟ ସେମାନେ ଶବଗୁଡିକୁ କାନ୍ଧେଇ ପୁଣି ସେହି ଶ୍ମଶାନକୁ ଫେରିଲେ’’।

ତାହା ନିଶ୍ଚିତଭାବେ ବର୍ତ୍ତମାନର  କୋଭିଡ୍‌- ୧୯ ସମୟର ନ୍ୟୁଜ୍‌ ରିପୋର୍ଟ ଠାରୁ ଭିନ୍ନ ଅଟେ ଯାହା ଆମକୁ ନିନ୍ଦାରୋପ କରାଯିବା, ଭଡ଼ା ଘରେ ରହୁଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଘରୁ ଉଠାଇଦେବା, ସମ୍ପର୍କୀୟମାନେ କୋଭିଡ୍‌- ୧୯ ପୀଡିତ ବ୍ୟକ୍ତିଙ୍କ  ମରଶରୀରକୁ ଗ୍ରହଣ ନକରିବା ଓ ନିକଟବର୍ତ୍ତୀ ସ୍ଥାନରେ ସେମାନଙ୍କ ଶବ ପୋତିବାକୁ ନାଗରିକମାନେ ବିରୋଧ କରିବା ଆଦି ଅନେକ ସୂଚନା ପ୍ରଦାନ କରିଥାଏ । ଧର୍ମନ୍‌ ତାଙ୍କ ଜିଲ୍ଲାର ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କୁହନ୍ତି ଯିଏ ମୁମ୍ବାଇରୁ ଆସିଥିବା ତାଙ୍କ ଭାଇଙ୍କୁ ଘର ଛାଡ଼ିବାକୁ କହିଥିଲେ । କାରଣ ? ଉପକୂଳବର୍ତ୍ତୀ ମେଟ୍ରୋ ଅଞ୍ଚଳରେ ସଂକ୍ରମଣ ହାର ବହୁତ ଅଧିକ ରହିଛି ଓ ସ୍ଥାନୀୟ ଲୋକମାନେ କୌଣସି ବିପଦରେ ପଡିବାକୁ ଚାହୁଁନାହାନ୍ତି ।

“ଏହା କ’ଣ ଆମ ମୂଲ୍ୟବୋଧର ଅବକ୍ଷୟ ନୁହେଁ କି, ଏପରିକି ଆମ ମାନବିକତାର?” ବୋଲି ଧର୍ମନ ପଚାରନ୍ତି । “ ଏହାକୁ ଅତୀତ ସହିତ ତୁଳନା କରନ୍ତୁ: କ’ଣ ସେହି ସାହାସୀ ମହିଳାମାନେ ନିଜ ଜୀବନ ଚାଲିଯିବା ଭୟରେ ଉମାଇଦୁରାଇଙ୍କୁ ସେଠାରେ ଛାଡ଼ି ଆସିଗଲେ ନା ବୀରତା ସହିତ ତାଙ୍କ ଜୀବନ ବଞ୍ଚାଇଲେ?”

ପ୍ରସଙ୍ଗ କ୍ରମେ ଉମାଇଦୁରାଇ, ଯେପରି କଲୋନେଲ୍‌ ୱେଲ୍‌ସ ତାଙ୍କ ବିଷୟରେ ଲେଖିଛନ୍ତି “ଡୁମ୍‌ଡ ଟୁ ଗ୍ରେଭ୍‌ ଏ ଗାଲ୍ଲୋସ୍‌” ଓ ତାଙ୍କ ଭାଇ କଟ୍ଟାବୋମ୍ମନ – ଉଭୟଙ୍କୁ ୧୭୯୯ରେ ବ୍ରିଟିଶମାନଙ୍କ ଦ୍ୱାରା ଫାଶି ଦିଆଯାଇଥିଲା ।

'My routine hasn’t changed much [with this lockdown]. Solitude is a way of life for me. I write in the first half of the day and spend the afternoons by the kanmai [pond], fishing'
PHOTO • Aparna Karthikeyan

“ମୋର ଦୈନିକ ଦିନଚର୍ଯ୍ୟାରେ ବିଶେଷ ପରିବର୍ତ୍ତନ ହୋଇନାହିଁ [ତାଲାବନ୍ଦ ଯୋଗୁଁ] । “ନିଃସଙ୍ଗତା ମୋ ଜୀବନର ଏକ ଅଂଶ । ମୁଁ ଦିନର ପ୍ରଥମ ଅର୍ଦ୍ଧ ଭାଗରେ ଲେଖେ ଓ ଦ୍ୱିପହର ସମୟ କାନ୍‌ମାଇ [ ପୋଖରୀ] ପାଖରେ ବସି ମାଛ ଧରି ସମୟ ବିତାଏ ’’

ଏହା କେବଳ ଅନ୍ୟମାନଙ୍କ ପ୍ରତି ସମ୍ବେଦନା ପ୍ରକାଶ କରିବା ଯାହା ସମୟ ସହିତ ବଦଳି ଯାଇଛି, ତାହା ନୁହେଁ, ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ । ଆଉ ଏଥିପାଇଁ ସେ ଆମର ଖାଦ୍ୟାଭ୍ୟାସକୁ ଦାୟୀ କରିଛନ୍ତି । ସେ ଆମ ଭୋଜନରୁ ମାଣ୍ଡିଆ ଉଭାନ ହୋଇଯିବା ନେଇ ଅଭିଯୋଗ କରନ୍ତି ଓ ଡାକ୍ତରମାନେ ଏଥିପାଇଁ ସବୁବେଳେ ସୁପାରିଶ କରୁଥିବା କଥା ସ୍ପଷ୍ଟ ଭାବେ କୁହନ୍ତି । “ଆମେ ଆଉ ସ୍ଥାନୀୟ ଖାଦ୍ୟ କାହିଁକି ଖାଉନାହୁଁ? ପାରମ୍ପରିକ ଫସଲ ପାଇଁ କମ୍‌ ପାଣି ଆବଶ୍ୟକ ହୋଇଥାଏ, କେବଳ ଦୁଇ ବା ତିନୋଟି ଭଲ ବର୍ଷା ହୋଇଗଲେ ମଧ୍ୟ ଭଲ ଅମଳ ହୋଇଯାଏ’’। 

“ପିଜୁଳି ମତେ ବହୁତ ଭଲ ଲାଗେ । ଏହା ଉତ୍ତପ୍ତ ଜଳବାୟୁରେ ହୋଇଥାଏ, ଏହା ହେଉଛି ମୋ ଭୂମିରେ ଫଳୁଥିବା ଏକ ଫଳ । ମୋ ପାଇଁ ସେଓର କ’ଣ ଆବଶ୍ୟକତା ରହିଛି ଯାହା ମୋ ଘର ଠାରୁ ବହୁ ଦୁରରେ ଅବସ୍ଥିତ ଥଣ୍ଡା, ପାହାଡିଆ ଅଞ୍ଚଳରେ ଫଳିଥାଏ ଓ ଯାହାକୁ ମୋ ପାଖରେ ପହଞ୍ଚିବା ପାଇଁ ଏକ ସୁଦୀର୍ଘ ଯାତ୍ରା କରିବାକୁ ପଡିଥାଏ?”

ତାଙ୍କର ଜେଜେମା ସୀନିଆମ୍ମଲ୍‌ ଆଉ ଟିକେ ଅଧିକ ଯତ୍ନବାନ ଅଟନ୍ତି । ଯେତେବେଳେ ମଧ୍ୟ ସେ କୋଭିଲପଟ୍ଟିରୁ ଉରୁଲାଇକୁଡିରେ ଥିବା ତାଙ୍କ ପୈତୃକ ଘରକୁ ଆସନ୍ତି, ସେତେବେଳେ ଯଦି ତାଙ୍କ ହାତରେ ପାଣି ବୋତଲ ଦେଖନ୍ତି ତାହାହେଲେ ତାଙ୍କୁ ଗାଳି ଦିଅନ୍ତି । “ବାସୀ ହୋଇ ଯାଇଥିବାରୁ ସେ ସେହି ପାଣିକୁ ବାହାରେ ଫୋପାଡି ଦେବାକୁ କୁହନ୍ତି । ଆଉ ତାପରେ କୂଅର ପାଣି ପିଇବାକୁ ମତେ ଆଦେଶ କରନ୍ତି’’ ।

ତାଙ୍କ ଜୀବନକାଳରେ ଧର୍ମନ କୋଭିଡ୍‌- ୧୯ ଆସିବା ପୂର୍ବରୁ ଥରେ ମାତ୍ର କର୍ଫ୍ୟୁଜନିତ ପରିସ୍ଥିତିର ସାମନା କରିଛନ୍ତି । ତାହା ୧୯୯୫ରେ ହୋଇଥିବା ଏକ ଜାତିଗତ ସଂଘର୍ଷ ପରେ ଲାଗୁ କରାଯାଇଥିବା ଆଠ-ଦିନିଆ କର୍ଫ୍ୟୁ – ଯେତେବେଳେ ଲୋକମାନେ ସେମାନଙ୍କ ଘରୁ ବାହାରିବା ମାତ୍ରେ ସେମାନଙ୍କୁ ଗିରଫ କରାଯାଉଥିଲା ।

ଉତ୍ତେଜନା ପୂର୍ଣ୍ଣ ସେହି ଦିନଗୁଡିକରେ, ଧର୍ମନଙ୍କର ଏପରି ଜଣେ ବ୍ୟକ୍ତିଙ୍କ ସହିତ ଦେଖା ହୋଇଥିଲା ଯିଏ ଏହି କ୍ଷୁଦ୍ର ଗଳ୍ପର ମୂଖ୍ୟ ଚରିତ୍ର ପାଲଟିଗଲେ: ଜଣେ ଗର୍ଭବତୀ ମହିଳା ଯାହାର ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା । ଲେଖକ ନିଜେ ଓ ତାଙ୍କ ପରିବାର ତାଙ୍କୁ ଏକ ନର୍ସିଂ ହୋମ୍‌କୁ ବିଳମ୍ବିତ ରାତ୍ରିରେ ନେଇଥିଲେ । ଯାହାପରେ ଡାକ୍ତର ଯାହା ସବୁ ଯୋଗାଇବାକୁ ଦାବି କରିଥିଲେ ସେହି ସବୁ ଜିନିଷ ପାଇବା ପାଇଁ ସାରା ସହର ଘୂରି ବୁଲିଥିଲେ । 

“ କଥା କେବଳ ଏତିକି ନୁହେଁ । ଏହି ଘଟଣାର ସବୁଠାରୁ ବିଚିତ୍ର ଅଂଶଟି ଏହା ଯେ ମୁଁ ଓ ସେହି ମହିଳା ଜଣକ ସେହି ଦୁଇଟି ଜାତି ଅନ୍ତର୍ଭୁକ୍ତ ଯାହା ମଧ୍ୟରେ ସଂଘର୍ଷ ଚାଲିଥିଲା । ଯେତେବେଳେ ଶିଶୁଟିର ଜନ୍ମ ହେଲା, ସେହି ଦମ୍ପତ୍ତି ମତେ ତାଙ୍କ ଶିଶୁକନ୍ୟାର ନାମକରଣ କରିବାକୁ ଅନୁରୋଧ କରିଥିଲେ । ମୁଁ ତାଙ୍କୁ କଳା ଦେବୀ [ ଯାହା କଳାଭରମ୍‌  ବା ସେ ସମୟରେ ଚାଲିଥିବା ହିଂସାପୂର୍ଣ୍ଣ ସଂଘର୍ଷକୁ ସୂଚାଉଛି] ନାମରେ ଡାକିଲି । ତୁମେ କ’ଣ ଜାଣ ଏହି କାହାଣୀ ମୁଁ କିଭଳି ଲେଖିବାକୁ ଆରମ୍ଭ କରିଥିଲି? ’ ସେ ସେହି ସବୁ ଘଟଣା ସମ୍ପର୍କରେ ପଚାରିଥିଲେ ଯାହାର ସେ ନାଟକୀୟ ଉପସ୍ଥାପନା କରିଥିଲେ’’। ଯେଉଁ ଲୋକମାନେ ଦଶନ୍ଧି ଦଶନ୍ଧି ଧରି ମୋର ମିତ୍ର ହୋଇ ରହିଥିଲେ ସେମାନେ ମୋର ଶତ୍ରୁ ପାଲଟିଗଲେ ଓ ମୋର ଶତ୍ରୁମାନେ ମୋର ବନ୍ଧୁ ହୋଇଗଲେ ଓ ଏ ସବୁ କିଛି କ୍ଷଣିକ ମଧ୍ୟରେ ଘଟିଗଲା…’

ଜଣାଶୁଣା ମନେ ହେଉଛି ନା? ସାମ୍ପ୍ରଦାୟିକତା, କୋଭିଡ୍‌- ୧୯ ଓ ପ୍ରବାସୀଙ୍କ ସମୂହ ବହିର୍ଗମନର ଏହି ଯୁଗରେ ଏପରି ଲାଗିପାରେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aparna Karthikeyan

ଅପର୍ଣ୍ଣା କାର୍ତ୍ତିକେୟନ ଜଣେ ସ୍ୱାଧୀନ ମଲ୍ଟିମିଡିଆ ସାମ୍ବାଦିକ। ଗ୍ରାମୀଣ ତାମିଲନାଡୁରେ ହଜି ଯାଉଥିବା ଜୀବିକା ଉପରେ ଲେଖୁଛନ୍ତି ଏବଂ ପରୀ ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି।

Other stories by Aparna Karthikeyan