‘‘ମୁଁ ବାଜି ମାରୁଛି, ତମେ ଏଠି କେବଳ ଗାଈ, ଗଧ ଆଉ କିଛି ବୁଲା କୁକୁରଙ୍କୁ ଭେଟିବ,’’ ୬୨ ବର୍ଷୀୟ ଟିସେରିଙ୍ଗ ଅଙ୍ଗଚୁକ୍ ସ୍ମିତ ହସିଲେ। ମୁଁ ତାଙ୍କୁ ଡିସେମ୍ବର ୨୦୧୬ ସ୍ନିମୋ ଗାଁରେ ଭେଟିଥିଲି। ଜମ୍ମୁ କାଶ୍ମୀର ଲଦାଖର ଲେହ ଟାଉନଠାରୁ ସ୍ନିମୋ ପ୍ରାୟ ୩୫ କିଲୋମିଟର ଦୂର। 

ପ୍ରାୟ ୧,୧୦୦ ଲୋକ ସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ଏହି ଛୋଟ ଗାଁର ଅଧିକାଂଶ ଘର ଶୀତ ଦିନ ପାଇଁ ବନ୍ଦ ଥିଲା। ବିଯୁକ୍ତ ୧୩ ଡିଗ୍ରୀ ତଳକୁ ତାପମାତ୍ରା ଖସି ଆସୁଥିବାରୁ ଲୋକେ ଚଣ୍ଡିଗଡ, ଜମ୍ମୁ, ଦିଲ୍ଲୀ କିମ୍ବା ଏପରିକି ଲେହର ଉଷ୍ମ ଅଞ୍ଚଳକୁ ପରିବାର ଲୋକଙ୍କୁ ଧରି ପଳାଇଯିବାକୁ ପସନ୍ଦ କରନ୍ତି। ଟିସେରିଙ୍ଗ କହିଲେ, ‘‘ମୋ ଭଳି କିଛି ଲୋକ ଗାଈଗୋରୁଙ୍କ ସହ ରହି ଯାଇଛନ୍ତି।’’ ତାଙ୍କ ସ୍ତ୍ରୀ ଏବଂ ତିନି ଜଣ ଛୁଆ ବାହାରେ ରହୁଥିବା ବେଳେ ଗୃହପାଳିତ ପଶୁ - ମୁଖ୍ୟତଃ ଗାଈ ଏବଂ ଡିଜୋସ (ଏକ ପ୍ରକାର ହାଇବ୍ରିଡ ପ୍ରଜାତିର ଗାଈ ଏବଂ ଚମରି ଗାଈ)ଙ୍କୁ ଧରି ସେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ରହୁଛନ୍ତି। 

ଭିଡିଓ ଦେଖନ୍ତୁ :  ଟିସେରିଙ୍ଗ ଅଙ୍ଗଚୁକ୍ ବର୍ଣ୍ଣନା କରୁଛନ୍ତି କିଭଳି ତାଙ୍କ ତନ୍ତରେ ବିଭିନ୍ନ ପ୍ରକାର ବୁଣାଯାଇ ପାରୁଛି। 

ଟିସେରିଙ୍ଗ କିଛି ଗରମ ଲଦାଖ ଚା (ଗୁର୍-ଗୁର୍ ଚା) ମୋ ପାଇଁ ଢାଳିଲେ, ଏବଂ ଏକ କାଠ ବେଲାରେ ତାଙ୍କ ପାଇଁ କିଛି ଚାଙ୍ଗ (ବାର୍ଲିରୁ ତିଆରି ଦେଶୀ ବିଅର) ଢାଳିଲେ; ସେ ବସିବା ମାତ୍ରେ କିଛି ଛୋଟଛୋଟ ବିଲେଇ ତାଙ୍କ କୋଳକୁ ଡେଇଁଲେ। ସେ ଶୀତଦିନେ ଏକାକି ରହିବା ବେଳେ ଏହାକୁ ଉପଭୋଗ କରନ୍ତି। ଯାହାକୁ ସେ ଭଲ ପାଆନ୍ତି କେବଳ ଏହି ସମୟରେ ହିଁ ତା ଉପରେ ସେ ଏକାଗ୍ରତା ରଖିପାରନ୍ତି - ତାହା ହେଉଛି ବୁଣାବୁଣି। 

PHOTO • Stanzin Saldon

ଲଦାଖର ସ୍ନିମୋ ଗାଁରେ ସିରେରିଙ୍ଗ ତାଙ୍କ ଘର ବାହାରେ ତନ୍ତ ବସାଇଛନ୍ତି।

ମୋତେ ପିଲା ବେଳ କଥା ମନେ ପକାଇ ଦେଇଛି ଲଦାଖର ଶୀତ। ସ୍ନିମୋ ଗାଁରେ ବରଫ ଭିତରେ ପିଲାଦିନର ଛୁଟି କଟେ। ସ୍ନିମୋ ସହରରେ ମୋ ମାଆଙ୍କ ବାପ ଘର। ଏହି ସମୟରେ ଆମ ପରିବାର ଏକାଠି ହୁଅନ୍ତି। ଆଇମା ବୁଖାରୀ (ନିଆଁ ଜଳୁଥିବା ଏକ ଧାତବ ପାତ୍ର) ପାଖରେ ବସି ଶୋଇବା ବେଳେ ଗପ କହନ୍ତି। ସେଦିନ ପାଗ ବେଶ୍ ପରିସ୍କାର ଥିଲା। ୭ ବର୍ଷ ପରେ ପାହାଡ଼ ଉପରେ ଚଢି ମୁଁ ଦେଖିପାରିଲି ଲଦାଖର ଗାଁଗୁଡ଼ିକରେ କ’ଣ ସବୁ ପରିବର୍ତ୍ତନ ହୋଇଛି। ଏକଦା ଯେଉଁ ରାସ୍ତା, ସମତଳ ଅଞ୍ଚଳରେ ଗହଳିଆ ବୁଦା ଥିଲା ସେ ସବୁ ଏବେ ପୁରା ଫାଙ୍କା। ଗାଁଗୁଡ଼ିକ ମରୁଭୂମି ଭଳି ଲାଗୁଥିଲା। କେବଳ ଶୀତ ଦିନେ ନୁହେଁ, ଲୋକେ ସ୍ଥାୟୀ ଭାବେ ଲେହ ଏବଂ ଅନ୍ୟ ସହରକୁ ପଳାଇଛନ୍ତି। ପାହାଡ଼ ଉପରେ ଚଢିବା ପରେ ଦୃଶ୍ୟମାନ ଅଞ୍ଚଳ ଲାଗୁଥିଲା ସତେ ଯେମିତି ଏହା ଭିତରେ ଆଉ ଜୀବନ ନାହିଁ ଏବଂ ନିଷ୍ଫଳା ପାଲଟି ଯାଇଛି।    

ଟିସେରିଙ୍ଗ ଓ ତାଙ୍କ ସ୍ତ୍ରୀ ଚଷୀ। ଅଧିକାଂଶ ଖରା ମାସରେ ସେସମାନେ କ୍ଷେତରେ ସମୟ କାଟନ୍ତି। ଲଦାଖର ପ୍ରିୟ ଖାଦ୍ୟ ବାର୍ଲି ଚାଷ କରନ୍ତି, ଆଉ ଗାଈ ଚରାନ୍ତି। 

PHOTO • Stanzin Saldon

ବାମ : ତନ୍ତର ମୁଖ୍ୟ ଅଂଶରେ ସେ ପ୍ୟାଡେଲ ଲଗାଇଛନ୍ତି। ଦକ୍ଷିଣ : ସେଗୁଡିକ ଯୋଖିବା ପାଇଁ ଯେଉଁ ବୋତାମ ଏବଂ ରଶି ବ୍ୟବହାର ହୁଏ, ସେଗୁଡ଼ିକୁ ସେ ଦେଖାଉଛନ୍ତି। 

PHOTO • Stanzin Saldon

ତନ୍ତର ମୁଖ୍ୟ ଭାଗରେ କାଠ ପ୍ୟାଡେଲଗୁଡିକ ଶକ୍ତ ଭାବେ ଖଂଜା ଯାଇଛି। 

ଯେତେବେଳେ ସେ ଚାଷ କରନ୍ତିନି, ସେତେବେଳେ ଟିସେରିଙ୍ଗ ବୁଣାବୁଣି କରନ୍ତି - ସେ ଜଣେ ଦକ୍ଷ ଏବଂ ପ୍ରସିଦ୍ଧ ବୁଣାକାର। ତାଙ୍କ ନିଜ ଡିଜାଇନ୍ର ଉଲ ପୋଷାକ, ସ୍ନାମ୍ବୋ ବୁଣିବାକୁ ସେ ବିଭିନ୍ନ ଗାଁକୁ ନିମନ୍ତ୍ରିତ ହୋଇ ଯାଆନ୍ତି। ପାରମ୍ପରିକ ପୋଷାକ ଗୋଞ୍ଚା ବୁଣିବାକୁ ଗୋଟିଏ ରୋଲ ସୂତା ଆବଶ୍ୟକ ହୁଏ। ସେ କହନ୍ତି ଏହା ତାଙ୍କ ପରିବାରର କୌଳିକ ବୃତ୍ତି। ‘‘ମୋର ମନେ ଅଛି, ଯେତେବେଳେ ବାପା ବୁଣା ଶିଖୋଉଥିଲେ, ସେତେବେଳେ ସେ ଭାରି କଠୋର ଥିଲେ। ତନ୍ତରେ କଷ୍ଟ ସହି ଯେତେବେଳେ ଉଲ ସୂତାରେ ଗଣ୍ଠି ପକାଇବା ବେଳେ ଶୁଣୁଥିଲି ପିଲାମାନେ ବାହାରେ ବରଫରେ ଖେଳୁଛନ୍ତି ବୋଲି, ସେତେବେଳେ ଲୁହରେ ମୋ ଚିବୁକ ଭିଜି ଯାଉଥିଲା। ବେଳେବେଳେ ଆଙ୍ଗୁଠି ରକ୍ତାକ୍ତ ହୁଏ। ଏବେ ମୁଁ ବୁଝୁଛି ତାଙ୍କ ପରିବାରର ଦକ୍ଷତାର ମୂଲ୍ୟ କଣ। ଏହା ଆମ ପରିବାରକୁ ଭଲ ଦି ପଇସା ରୋଜଗାର ଦେଉଥିଲା।’’ 

ଟିସେରିଙ୍ଗ ତାଙ୍କ ପୁଅକୁ ଶିଖାଇବା ପାଇଁ ବହୁ ଚେଷ୍ଟା କରିଛନ୍ତି, ସେ ଏବେ ପ୍ରାୟ ୩୦ ବର୍ଷର। ତାଙ୍କ ପୁଅ ବେଳେ ବେଳେ ବୁଣାବୁଣି କରନ୍ତି, ସେ ଏବେ ବେଶ ପାରଂଗମ । ଟିସେରିଙ୍ଗ କହନ୍ତି, ‘‘ଆପଣ ଏବେ ପିଲାଙ୍କ ପ୍ରତି ବେଶି କଠୋର ହୋଇ ପାରିବେନି।’’ ‘‘ଫୋନ୍ ଖଣ୍ଡିକ ଧରି ଲେହ ବଜାରରେ ଲକ୍ଷ୍ୟହୀନ ଭାବେ ଘୂରି ବୁଲିବାକୁ ସେମାନେ ଏବେ ପସନ୍ଦ କରୁଛନ୍ତି।’’ 

ଭିଡିଓ ଦେଖନ୍ତୁ: ଟିସେରିଙ୍ଗ ଅଙ୍ଗଚୁକ କହନ୍ତି, ‘ଯଦି ଉପରକୁ ଯାଉଥିବା ଗୋଟିଏ ସୂତା- ମୋଟ ଉପରେ ୩୮୪ଟି - ଛିଣ୍ଡେ, ତାହାଲେ ତୁମକୁ ନଜର ରଖିବାକୁ ପଡ଼ିବ ଯେ କେଉଁଠି ଆଉ କେତେବେଳେ ହେଲା’   

ଟି ସେରିଙ୍ଗଙ୍କ ବାପା ୨୦ ବା ୩୦ ଟଙ୍କା ପାଇଁ ଗୋଟିଏ ୪୦- ଥୁ ରୋଲ ବୁଣନ୍ତି; ଏବେ ୪୦-ଥୁ ଦୈର୍ଘ୍ୟ ପାଇଁ ଟି ସେରିଙ୍ଗ ୮୦୦-୧୦୦୦ ଟଙ୍କା ନେଉଛନ୍ତି। ‘‘ମୁଁ ମୋ ପୁଅକୁ କହିଲି ଆଗାମୀ ଦିନରେ ତା ପିଲାମାନଙ୍କ ପାଇଁ ସୌଭାଗ୍ୟ ଅର୍ଜନ କରିବାକୁ ଯାଉଛି। ‘ସଂସ୍କୃତିର ସଂରକ୍ଷଣ’ ଆଜିକାଲି ଏକ ଫେସନ ହୋଇଗଲାଣି। ଏଥିରେ କୌଣସି ସଂଦେହ ନାହିଁ ଯେ ଜଣଙ୍କ ବିକାଶରେ ଶିକ୍ଷା ଏବଂ ସ୍କୁଲ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବଞ୍ଚିବା ପାଇଁ ଭଲ ରୋଜଗାର ଏବଂ ନିଜର ପରିଚୟ ତିଆରି କରିବାକୁ ଦକ୍ଷତା ଆବଶ୍ୟକ। ’’    

ସେ ମୋତେ ତାଙ୍କ ପାରମ୍ପରିକ ତନ୍ତ ଦେଖାଇଲେ, ଏଥିରେ ଲାଗିଥିବା ସବୁ ଯନ୍ତ୍ରପାତି ଦେଶୀ ଥିଲା। ଲଦାଖରେ ରହୁଥିବା ବଢେଇମାନେ ତିଆରି କରିଛନ୍ତି। କାଠ, ପୁରୁଣା ଆର୍ମୀ ଜାକେଟ୍ର ବୋତାମରେ ତିଆରି ହୋଇଛି। ଏହା ସହ ରହିଛି ପୁଲିରେ ପରିବର୍ତ୍ତିତ ହୋଇଥିବା ସିଲିଣ୍ଡର ଆକୃତିର ଅରଟ। 

PHOTO • Stanzin Saldon

କାଠର ପୁରୁଣା ଜିନିଷକୁ ବ୍ୟବହାର କରି ତନ୍ତଟି ସଂପୂର୍ଣ୍ଣ ତିଆରି ହୋଇଛି

PHOTO • Stanzin Saldon

ସୂତା ଗୁଡ଼ା ଯାଇଥିବା ଏକ ରଡ଼ ସହ ଯୋଖା ଯାଇଥିବା ବୋଟ୍ ଆକୃତିର ରମ୍ବୁ ଏବଂ (ଦକ୍ଷିଣ) ମେଞ୍ଚାଏ ହଲୋ ପୁରି ତନ୍ତ ପାଖରେ ଚଟାଣରେ ପଡ଼ିଛି 

ଟିସେରିଙ୍ଗ ବର୍ଣ୍ଣନା କଲେ, ‘‘ତନ୍ତ (ଥାଗ୍ସା)ର ଫ୍ରେମ୍ (ଥିସା) ପାଇଁ, ଏବଂ ଲୁଗା ବୁଣିବା ବେଳେ ସମାନ୍ତରାଳ ଭାବେ ସୂତାକୁ ଚଳାଉଥିବା ତକଲି ପାଇଁ ଡଙ୍ଗା ଆକୃତିର ହୋଲଡର (ରୁମ୍ବୁ) ତିଆରିରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କାଠ ବ୍ୟବହାର ହୋଇଥାଏ। ଏପରିକି ଛୋଟ ବାଉଁଶ ପରି ନଳଥିବା ଏକ ପ୍ରକାର ଘାସ ମଧ୍ୟ ବ୍ୟବହାର ହୋଇଥାଏ। ଏହି ଘାସ ନଦୀ କୂଳରେ ପ୍ରଚୁର ପରିମାଣରେ ମିଳିଥାଏ। ’’ 

ଦୁଇ ପ୍ରକାର ବୁଣାଯାଏ। ‘‘ସରଳ ବୁଣାଟି ହେଉଛି ଗୋଟିଏ ଦକ୍ଷିଣ ଓ ଗୋଟିଏ ବାମ ସମତଳ, ଏବଂ ଜଟିଳ ପଦ୍ଧତିକୁ ଗ୍ୟାଲଗ କୁହନ୍ତି, ଏଥିରେ ଉଭୟ ପାଖ ବୁଣିବାକୁ ହୁଏ।’’  

PHOTO • Stanzin Saldon

ଟିସେରିଙ୍ଗ ନିଜେ ବୁଣିଥିବା କପଡ଼ା ଦେଖାଉଛନ୍ତି ଏବଂ ସେଇ ଅଂଶକୁ ଚିହ୍ନିତ କରୁଛନ୍ତି ଯାହା ସିଲେଇ ହୋଇ ପୋଷାକର ରୂପ ନେବା ପରେ ବାହାର ପଟକୁ ରହିବ 

ବୁଣାଯାଇଥିବା ଏହି ଜିନିଷର ମୋଟ ଦୈର୍ଘ୍ୟ ହେଉଛି ୪୦ ଥୁ (ଗୋଟିଏ ଥୁ ହେଉଛି କହୁଣିରୁ ମଝି ଆଙ୍ଗୁଠିର ଅଗ୍ରଭାଗ ପର୍ଯ୍ୟନ୍ତ ଲମ୍ବା, ପ୍ରାୟ ଏକଫୁଟ), ଏବଂ ଓସାର ( ସୋର୍ ରେ ମପାଯାଏ, ଏହା ମଧ୍ୟ ହାତମାପ) ପ୍ରାୟ ଏକ ଫୁଟ, ରଂଗ ଦେବା ପରେ ଏହାର ଓସାର ସାମାନ୍ୟ କମିବ। 

ଟି ସେରିଙ୍ଗ କହନ୍ତି, ‘‘ମୁଁ ଗୋଟିଏ ଦିନରେ ୪୦-ଥୁ ରୋଲ୍ ବୁଣିପାରେ ଯଦି ମଝିରେ ଅନ୍ୟ କାମରେ ନଉଠେ, କିନ୍ତୁ ଏହା ତିନି ଚାରି ଦିନ ନିଏ, ମୁଁ କେତେ ଘଣ୍ଟା କାମ କରୁଛି ଏବଂ କେଉଁ ସମୟ ସୁଦ୍ଧା ସାରିବାକୁ ପଡ଼ିବ ତାହା ଉପରେ ନିର୍ଭର କରେ।’’ ଖରାଦିନ ଅପେକ୍ଷା ଶୀତଦିନେ ସେ ବୁଣାବୁଣିରୁ ଅଧିକ ରୋଜଗାର କରନ୍ତି। ଖରାଦିନେ ସେ କୃଷି କାର୍ଯ୍ୟରେ ବେଶୀ ସମୟ ଓ ଶକ୍ତି ଦିଅନ୍ତି। ମାସିକ ୩,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରନ୍ତି। କିନ୍ତୁ ବର୍ଷର ଭିନ୍ନ ଭିନ୍ନ ସମୟରେ ତାଙ୍କ ଆୟ ଅଲଗା ହୁଏ। 

PHOTO • Stanzin Saldon

ପିଲାଙ୍କ ବାଇସାଇକେଲର ଏକ ପୁରୁଣା ଚକ ବ୍ୟବହାର କରି ସେ ଚରଖା ତିଆରି କରିଛନ୍ତି 

ଏକ ଶୁଖିଲା ୱିଲୋ ଡାଳ ଉପରେ ପଡ଼ିଥିବା ଏକ ଝୋଟ ଅଖା ଉପରେ ଟି ସେରିଙ୍ଗ ବସିଛନ୍ତି, ପିଠି ଡେରିବା ପାଇଁ ମାଟିର ଇଟା ରହିଛି। ‘‘ମୋ ତନ୍ତରେ କାମ କଲାବେଳେ ସବୁଠୁ ବଡ଼ ଆହ୍ୱାନଟି କଣ ଜାଣିଛନ୍ତି ? ଯେତେବେଳେ ଲମ୍ବରେ ଯାଉଥିବା ସୂତା -ଏକା ବେଳେ ୩୮୪ଟି - ଛିଣ୍ଡିଯାଏ, ତୁମକୁ ଲକ୍ଷ୍ୟ ରଖିବାକୁ ହେବ କେଉଁ ଜାଗାରେ ଏବଂ କେତେବେଳେ ଛିଣ୍ଡିଲା ଏବଂ ଏହାକୁ କିପରି ଯୋଡ଼ା ଯିବ। ଲୁଗା ବୁଣିବା ବେଳେ ନିଖୁଣ ଭାବେ ଗଣ୍ଠି ପକାଇବା କଳାରେ ମାଷ୍ଟର ହେବା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। 

PHOTO • Stanzin Saldon

ଫୁଟଲୁଜ୍ ତନ୍ତ : ତାଙ୍କ ଛୋଟ ତନ୍ତକୁ ନେଇ ବୁଲିବାକୁ ପସନ୍ଦ କରନ୍ତି 

ଟିସେରିଙ୍ଗ ଯୁଆଡ଼େ ଗଲେ ବି ତନ୍ତକୁ ପିଠିରେ ପକାଇ ଯାଆନ୍ତି। ‘‘ଏହା ତାଙ୍କ ଭ୍ରମଣକୁ ଅର୍ଥପୂର୍ଣ୍ଣ କରେ। ଅଧିକ ସାମାଜିକ ହେବାକୁ ମୁଁ ସାଙ୍ଗ, ସଂପର୍କୀୟ ଏବଂ ଅଜଣା ଲୋକଙ୍କ ଘରକୁ ଯାଏ ଏବଂ ସେହି ସମୟରେ ରୋଜଗାର ମଧ୍ୟ କରେ। ମୁଁ ଦେଖିଛି ଲୋକେ ଆଧୁନିକ ଏବଂ ଅଧିକ ଜଟିଳ ତନ୍ତରେ କାମ କରୁଛନ୍ତି, ଖୁବ୍ ସୁନ୍ଦର ଡିଜାଇନ୍ ବି କରୁଛନ୍ତି, କିନ୍ତୁ ମୁଁ ମୋ ଛୋଟ ତନ୍ତକୁ ନେଇ ବେଶ୍ ଖୁସି, ଅଧିକ ସମୟ କେଉଁଠି ବସିଲେ ମୁଁ ବୋର ହୁଏ। ବୁଣିବା ମୋର ନିଶା ଏବଂ ଏହି ତନ୍ତ ହେଉଛି ମୋ ପ୍ରେମ। ବୁଣିବା ମୋ ଜୀବନକୁ ଅର୍ଥପୂର୍ଣ୍ଣ କରିଛି। ଏହା ବଂଶଗତ ଯାହା ମୋ ପୂର୍ବପୁରୁଷଙ୍କଠାରୁ ପାଇଛି ଏବଂ ଆଗାମୀ ପିଢି ପାଇଁ ବି ପୈତୃକ ସଂପତ୍ତି।’’

ଏହି ସରଳ ବ୍ୟକ୍ତିଜଣକ ଯାହାର ଜୀବନ ଦର୍ଶନ ଅତ୍ୟନ୍ତ ବଳିଷ୍ଠ, ଏହି ପାହାଡ ପର୍ବତ ଭିତରେ ଜୀବନର ଅର୍ଥ ଖୋଜୁଛନ୍ତି। ମୁଁ ଫେରିଲା ବେଳେ ଭାବୁଥିଲି ଏକ ଜୀବନଧାରା ଧୀରେ ଧୀରେ ଅଦୃଶ୍ୟ ହେବାକୁ ଯାଉଛି।

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Stanzin Saldon

ଲେଖକଙ୍କ ସମ୍ପର୍କରେ: ଷ୍ଟାନଜି ସାଲଡନ ହେଉଛନ୍ତି ଲେହ ଲଦାଖ ଅଞ୍ଚଳର ୨୦୧୭ ପରିର ବ୍ୟକ୍ତିବିଶେଷ। ପିରାମାଲ ଫାଉଣ୍ଡେସନ୍ ଫର ଏଜୁକେସନ୍ ଲିଡରସିପ୍, ଷ୍ଟେଟ୍ ଏଜୁକେସନାଲ ଟ୍ରାନ୍ସଫର୍ମେସନ ପ୍ରକଳ୍ପର କ୍ୱାଲିଟି ଇମ୍ପ୍ରୁଭମେଣ୍ଟ ମ୍ୟାନେଜର। ସେ ମଧ୍ୟ ଆମେରିକୀୟ ଭାରତ ପ୍ରତିଷ୍ଠାନ ଡବ୍ଲୁ.ଜେ. କ୍ଲିଣ୍ଟନ (୨୦୧୫-୧୬)ର ସହଯୋଗୀ।

Other stories by Stanzin Saldon