ସିକନ୍ଦର ଗୁଲାମ ନବୀ ଶେଖ୍ କହିଲେ, “ଭାରତର ରାଷ୍ଟ୍ରପତି ମଧ୍ୟ ଖାଇବାକୁ ଖାଦ୍ୟ ଆବଶ୍ୟକ କରନ୍ତି । ତୁମ ପାଖରେ କେତେ ଟଙ୍କା ଅଛି ତାହା କିଛି ମାନେ ରଖେନା । ତୁମେ ଟଙ୍କାକୁ ଖାଇପାରିବ ନାହିଁ। ତୁମକୁ ଖାଦ୍ୟର ଆବଶ୍ୟକତା ରହିଛି ।’’ ସେ ପଚାରିଲେ, “ତୁମକୁ କିଏ ଖାଇବା ଦେଉଛି?’’

୩୬ ବର୍ଷୀୟ ଶେଖ୍ ଡୋମ୍ବିଭିଲିର ଜଣେ ଅଟୋରିକ୍ସା ଡ୍ରାଇଭର । ଭାରତର ଚାଷୀମାନଙ୍କ ପାଇଁ ସହରୀ ଲୋକଙ୍କ ସମର୍ଥନ ହାସଲ କରିବାକୁ ଏକ ପିଟିସନ୍ ଅଭିଯାନରେ ରବିବାର ନଭେମ୍ବର ୨୫, ୨୦୧୮ରେ ସେ  କଲ୍ୟାଣ-ଡୋମ୍ବିଭିଲି ଟ୍ୱିନ ସିଟିଜ୍‌ର (ସେଣ୍ଟ୍ରାଲ ମୁମ୍ବାଇରେ ଥିବା ଦାଦର ଠାରୁ ପ୍ରାୟ ୪୫ କିମି ଦୂର) ନିଜର ସହକର୍ମୀମାନଙ୍କ ସହିତ ସାମିଲ ହେଲେ ।

ଡ୍ରାଇଭରମାନେ ଡୋମ୍ବିଭିଲି (ପୂର୍ବ) ଷ୍ଟେସନ୍ ବାହାରେ ରାମନଗର ରିକ୍ସା ଷ୍ଟାଣ୍ଡରେ ସକାଳ ୧୦ଟାରୁ ୨ଟା ଯାଏ ଏକତ୍ରିତ ହେଲେ ଏବଂ ମୁଖ୍ୟ ରିକ୍ସା ଷ୍ଟାଣ୍ଡରେ ଅପରାହ୍ନ ୪ଟାରୁ ୯ଟା ପର୍ଯ୍ୟନ୍ତ ଏକତ୍ରିତ ହେଲେ । ୭-୮ ଜଣ ରିକ୍ସା ଡ୍ରାଇଭରମାନଙ୍କର ଏକ ଟିମ୍, ସେମାନଙ୍କର ବନ୍ଧୁ ଏବଂ ସଂଘ କର୍ମକର୍ତ୍ତାମାନେ ମାଟିରେ ‘ନେସନ୍ ଫର ଫାର୍ମସ’ ହୋର୍ଡିଂ ଲଗାଇଲେ ଯେଉଁଥିରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରାଯାଇଥିଲା । ଅନ୍ୟମାନେ ପାମ୍ପଲେଟ, ପିଟିସନ୍‌ର ହିନ୍ଦୀ, ଇଂରାଜୀ ଏବଂ ମରାଠୀ କପି ଧରି ଏକ ଟେବୁଲରେ ବସିଥିଲେ। ପିଟିସନ୍ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ବେଳେ ଦେଶର ଜାରି ରହିଥିବା କୃଷକଙ୍କ ସମସ୍ୟା ଏବଂ ତା ସହ ଅନ୍ୟ ଶ୍ରମିକ ଦଳଗୁଡ଼ିକର ବର୍ଧିଷ୍ଣୁ ସମସ୍ୟା ସଂପର୍କରେ ଚର୍ଚ୍ଚା ପାଇଁ  ସେଥିରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ପାଇଁ  ଦାବି କରାଯାଇଥିଲା ।

ଡୋମ୍ବିଭିଲି ଷ୍ଟେସନ୍ ମୁମ୍ବାଇ ସୁବୁରବନ୍ ରେଲୱେ ନେଟୱର୍କର ସେଣ୍ଟ୍ରାଲ ଲାଇନ୍‌ରେ ରହିଛି । ପ୍ରତିଦିନ ଷ୍ଟେସନ୍‌ରେ ହଜାର ହଜାର ଯାତ୍ରୀ ତରବର ହୋଇ ଯିବାଆସିବା କରିଥାନ୍ତି, ସେମାନେ ମୁମ୍ବାଇ ମହାନଗରୀର ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ୍ ଧରିଥାନ୍ତି । ସୁବରବନ ଷ୍ଟେସନ୍ ପରି ଡୋମ୍ବିଭିଲି ଇଷ୍ଟ ଷ୍ଟେସନ୍ ବାହାରେ ମଧ୍ୟ କପଡ଼ା, ଗହଣା, ଷ୍ଟେସନାରୀ ଏବଂ ଅନ୍ୟ ଜିନିଷପତ୍ର ବିକ୍ରି ହେଉଥିବା ଦୋକାନ ରହିଛି । ସେଠାରେ ବ୍ୟାଙ୍କ, ଏଟିଏମ୍, ପ୍ରିଣ୍ଟିଂ ସେବା ଉପଲବ୍ଧ । ପଥଚାରୀମାନଙ୍କ ପାଇଁ ଥିବା ରାସ୍ତାରେ ବୁଲାବିକାଳୀମାନେ ମୋବାଇଲ ଫୋନ୍ କଭର, ଫଳ, ପନିପରିବା ଏବଂ ଅନ୍ୟ ବହୁ ଜିନିଷ ବିକ୍ରି କରୁଛନ୍ତି । ସେଠାରେ ଚା’ ଦୋକାନ ଓ କୋଚିଂ କ୍ଲାସ ରହିଛି ।

ଏଠାରେ କୋଳାହଳ ଏବଂ ଭିଡ଼ ମଧ୍ୟରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ଆପଣଙ୍କୁ ସେହିଭଳି କିଛି କହିବାକୁ ହେବ।

PHOTO • Siddharth Adelkar
PHOTO • Siddharth Adelkar

ରିକ୍ସା ଡ୍ରାଇଭରମାନ ଓ ସ୍ୱେଚ୍ଛାସେବୀମାନଙ୍କର ଏକ ଟିମ୍ ମାଟିରେ ‘ନେସନ୍ ଫର ଫାର୍ମର୍ସ’ ହୋର୍ଡିଂ ଲଗାଇଛନ୍ତି; ଅନ୍ୟମାନେ ପିଟିସନର କପି ଧରି ଏକ ଟେବୁଲରେ ବସିଛନ୍ତି ।

ଯେତେବେଳେ ଶେଖ୍ ଏବଂ ତାଙ୍କର ବନ୍ଧୁମାନେ ଏକ ମେଗାଫୋନ୍‌ରେ ଚାଷୀମାନଙ୍କର ସମସ୍ୟା କଥା କହିଲେ, ଲୋକମାନେ ଅଟକିଗଲେ ଏବଂ ସେମାନଙ୍କ କଥା ଶୁଣିଲେ । ସେମାନେ ତରବରରେ ଥିବାବେଳେ ଟିକେ ଅଟକି ଗଲେ ଏବଂ ହୋର୍ଡିଂରେ କ’ଣ ଲେଖାଯାଇଛି ତାହା ପଢିଲେ। ଅନ୍ୟମାନଙ୍କ ନିକଟରେ ଡେସ୍କରେ ବସିଥିବା ସ୍ୱେଚ୍ଛାସେବୀମାନଙ୍କ ପାଇଁ ପ୍ରଶ୍ନ ଥିଲା । ଏବଂ ଅନେକ ଡେସ୍କ ପାଖକୁ ଯାଇ ପଚାରିଲେ, “ମୁଁ କେଉଁଠି ଦସ୍ତଖତ କରିବି?’’

ଅଟୋରିକ୍ସା ଡ୍ରାଇଭରମାନେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ସହ ଅନୁବନ୍ଧିତ ହୋଇଥିବା ଲାଲ ବାଭ୍ରା ଅଟୋରିକ୍ସା ସଂଘ ମାଧ୍ୟମରେ ଏକତ୍ରିତ ହୋଇଥିଲେ । ସେଥିରେ ଡୋମ୍ବିଭିଲିର ପ୍ରାୟ ୧୦୦୦ ସଦସ୍ୟ ଥିଲେ । ରେଲୱେ ଷ୍ଟେସନ୍‌ରେ ଅଭିଯାନ ଚଳାଇବାର ସପ୍ତାହକ ପୂର୍ବରୁ ନଭେମ୍ବର ୧୭ ତାରିଖରେ ନେସନ୍ ଫର ଫାର୍ମର୍ସର ଡୋମ୍ବିଭିଲି ଶାଖା ତିଲକ ଚୌକରେ ଥିବା ସଂଘର ଅଫିସ୍‌ରେ ପ୍ରତିଷ୍ଠିତ ହୋଇଥିଲା । ତାହା ଷ୍ଟେସନ୍ ଠାରୁ ପ୍ରାୟ ୧ କିମି ଦୂରରେ ଅବସ୍ଥିତ ।

ଭି.ଦେବନ୍ କହିଲେ, “ଜାତୀୟ ରାଜନୀତିରେ କୃଷକଙ୍କ ଦୀର୍ଘ ଯାତ୍ରା ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି । ଯେତେବେଳେ ଏହା ପଛର ବିନ୍ଧାଣୀମାନେ ଏହାକୁ ସହରମାନଙ୍କରେ କରିବାକୁ ନିବେଦନ କଲେ ମୁଁ ଏହାକୁ ଏକ କର୍ତ୍ତବ୍ୟ (ଭାଗ ନେବାକୁ)ବୋଲି ମନେ କଲି ।’’

ମାର୍ଚ୍ଚ ୨୦୧୮ରେ ଯେତେବେଳେ ପ୍ରାୟ ୪୦ ହଜାର ଚାଷୀ ନାସିକରୁ ମୁମ୍ବାଇ ଯାଏ ୧୮୦ କିମି ପଦଯାତ୍ରା କଲେ ସେତେବେଳେ ମୁମ୍ବାଇ ଓ ଥାନେର ମଧ୍ୟବିତ୍ତ ବର୍ଗର  ଲୋକମାନେ ସେମାନଙ୍କୁ ଖୁବ୍ ସମର୍ଥନ କରିଥିଲେ। ତାହା ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ ଥିଲା ଏବଂ ଗତ କିଛି ସପ୍ତାହ ହେଲା ‘ନେସନ୍ ଫର ଫାର୍ମର୍ସ(ଏନ୍ଏଫଏଫ) ଗ୍ରୁପ ଅନେକ ସହର ଓ ଟାଉନ୍‌ରେ ପ୍ରତିଷ୍ଠିତ ହୋଇଛି। ସେଥିମଧ୍ୟରେ ଔରଙ୍ଗାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ନାଗପୁର ଏବଂ ପୁନେ ସାମିଲ। ଡୋମ୍ବିଭିଲିର ଏନ୍ଏଫଏଫ ଗ୍ରୁପ୍ ଭଳି ଏହି ଗ୍ରୁପ୍ ମଧ୍ୟ ଲୋକମାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପିଟିସନ୍‌ରେ ଦସ୍ତଖତ କରିବାକୁ ନିବେଦନ କରୁଛନ୍ତି ।

ଏହି ସବୁ ଉଦ୍ୟମ ସର୍ବ ଭାରତୀୟ କିଷାନ୍ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନର ଏକ ଅଂଶବିଶେଷ । ଯାହାକୁ କି ନଭେମ୍ବର ୨୯-୩୦ ତାରିଖରେ ଦିଲ୍ଲୀରେ ସଂସଦ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରା ପାଇଁ  ପ୍ରାୟ ୨୦୦ କୃଷକ ସଂଗଠନ ଓ ଅନ୍ୟ ସଂଗଠନ ସମର୍ଥନ କରୁଛନ୍ତି ।

ଦେବନ୍ ଏକ ଛୋଟ ଯନ୍ତ୍ରଯାତି ବ୍ୟବସାୟ ଚଳାଉଥିବା ବେଳେ ସେ ମୂଳତଃ କେରଳର ତ୍ରିଶୁର ଜିଲ୍ଲାର ଇରିଞ୍ଜଲାକୁଡ଼ା ସହରର ବାସିନ୍ଦା । ଡୋମ୍ବିଭିଲିରେ ସେ  ୩୮ ବର୍ଷ ହେଲା ରହିଆସୁଛନ୍ତି । ଡୋମ୍ବିଭିଲିର ଏନଏଫଏଫ୍ ଗ୍ରୁପ୍ ପରିଚାଳିତ ହେବା ପାଇଁ ସେ ଅଟୋରିକ୍ସା ସଂଘର ସଭାପତି କାଲୁ କୋମାସକରଙ୍କ ସହ ମିଶି ବନ୍ଧୁ, ସହଯୋଗୀ ଏବଂ କିଛି ସ୍ୱେଚ୍ଛାସେବୀଙ୍କୁ ଏକ ପ୍ରସ୍ତୁତି ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ।

ଦେବନଙ୍କ ନିମନ୍ତ୍ରଣ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥିବା ଜଣେ ଶିକ୍ଷକ ସୁଜାତ କୁମାର ଭାବପ୍ରବଣ ହୋଇ କହିଲେ “ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଥିବା ଜଣେ ଚାଷୀଙ୍କର କାହାଣୀ ମୁଁ ଟିଭିରେ ଦେଖିଲି। ତାଙ୍କ ପରିବାର ଲୋକଙ୍କ ମୁହଁ ଦେଖି ମୁଁ କାନ୍ଦି ପକାଇଲି।’’ “ଯଦି ଆମ ମଧ୍ୟରେ ଚାଷୀଙ୍କ ଯତ୍ନ ନେବାପାଇଁ ମନୋଭାବ ନାହିଁ, ତା’ ହେଲେ ଅତି କମ୍‌ରେ ତାଙ୍କ ପରିବାର ଲୋକଙ୍କ କଥା ଟିକେ ଚିନ୍ତା କରିବା ।’’

president of the autorickshaw union,
PHOTO • Himanshu Chutia Saikia
PHOTO • Siddharth Adelkar

ବାମ: ଅଟୋରିକ୍ସା ସଂଘର ସଭାପତି କାଲୁ କୋମାସକର ତାଙ୍କର ବନ୍ଧୁ, ସହଯୋଗୀ ଏବଂ ସାମାଜିକକର୍ମୀମାନଙ୍କୁ ଏକ ପ୍ରସ୍ତୁତି ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି । ଡାହାଣ: ଡୋମ୍ବିଭିଲିରେ ନେସନ୍ ଫର ଫାର୍ମର୍ସକୁ ଆରମ୍ଭ କରିଥିବା ଭି.ଦେବନ୍ ଡେସ୍କରେ ସୁଜାତ ଖୈମାର ଓ ତାଙ୍କର ଟିମ୍‌ର ସଦସ୍ୟମାନେ ଡୋମ୍ବିଭିଲିର ନାଗରିକମାନଙ୍କୁ ପିଟିସନ୍‌ରେ ଦସ୍ତଖତ କରିବାରେ ସହାୟତା କରୁଥିବାର ଦେଖୁଛନ୍ତି

ଏହି ବୈଠକରେ କୋମାସକର ପରାମର୍ଶ ଦେଲେ ଯେ ଅନେକ ସଂଖ୍ୟକ ସହରୀ ଯାତ୍ରୀମାନଙ୍କ ସହ ସଂପର୍କରେ ଆସୁଥିବା ଅଟୋରିକ୍ସା ଡ୍ରାଇଭରମାନେ ଚାଷୀଙ୍କ ପାଇଁ ମଧ୍ୟବିତ୍ତ ବର୍ଗଙ୍କ ସମର୍ଥନ ହାସଲ କରିପାରିବେ । ନଭେମ୍ବର ୨୩ ତାରିଖରେ କୋମାସକର ଏବଂ ଏନଏଫଏଫର ଏକ ଛୋଟ ଟିମ୍ ବିଭିନ୍ନ ଷ୍ଟାଣ୍ଡରେ କୃଷି ସମସ୍ୟା ସଂପର୍କରେ ଅଟୋରିକ୍ସା ଡ୍ରାଇଭରମାନଙ୍କ ସହିତ କଥା ହେଲେ । ଅନେକ ଅଟୋରିକ୍ସା ଡ୍ରାଇଭର ନିଜେ ଚାଷୀ ପରିବାରରୁ ଆସିଥିଲେ ଏବଂ ସଙ୍ଗେ ସଙ୍ଗେ ଏହି ଅଭିଯାନ ପ୍ରତି ସହାନୁଭୂତିଶୀଳ ହେଲେ ।

ଉଦାହରଣ ସ୍ୱରୂପ ୫୨ ବର୍ଷୀୟ ଡ୍ରାଇଭର ଜାଲିନ୍ଦର ଭୋର କହିଲେ, “ମୁଁ ଜଣେ ଚାଷୀଙ୍କର ପୁଅ । ଆମ ନିକଟରେ ଡୋମ୍ବିଭିଲିର ଗ୍ରାମୀଣ ଅଞ୍ଚଳରେ ଏବେ ମଧ୍ୟ ଖଣ୍ଡେ ଛୋଟ ଜମି ଅଛି ଯେଉଁଠାରେ ଆମେ ଧାନ ଚାଷ କରିଥାଉ । ଏବେ ମୋର ସହଯୋଗୀ ଚାଷୀ, ମୋର ‘ବାଲି ରାଜା’(ପୁରାଣବର୍ଣ୍ଣିତ ଚାଷୀଙ୍କ ରାଜା) ସଙ୍କଟରେ ଅଛନ୍ତି । ଚାଷୀ ଆତ୍ମହତ୍ୟାର ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଭୁଲ୍ ନୀତି ଯୋଗୁ ଏପରି ହୋଇଛି । ମୁଁ ମୋର ସବୁ ଯାତ୍ରୀଙ୍କୁ ଏହି ସମସ୍ୟା ସଂପର୍କରେ ଜଣାଇବି । ମୁଁ ମୋର ହୃଦୟ ଏବଂ ସଂପୂର୍ଣ୍ଣ ନିଷ୍ଠାର ସହିତ ଏହି କାମ କରିବି। ଏହା ମୋର କର୍ତ୍ତବ୍ୟ । ମୁଁ ଜାଣିଛି ଯେ ଡୋମ୍ବିଭିଲିର ଲୋକମାନେ ଏହା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବେ ।’’

ତେଣୁ ନଭେମ୍ବର ୨୫ ତାରିଖ ରବିବାର ଦିନ ଅଟୋରିକ୍ସା ସଂଘର ନେତୃତ୍ୱରେ ଏନଏଫଏଫର ଟିମ୍ ଡୋମ୍ବିଭିଲି ଷ୍ଟେସନ୍ ସମ୍ମୁଖରେ ଥିବା ଦୁଇଟି ବଡ଼ ରିକ୍ସା ଷ୍ଟାଣ୍ଡ ସମ୍ମୁଖରେ ଏକତ୍ରିତ ହେଲା । ସେମାନେ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ପିଟିସନ୍‌ରେ ଦସ୍ତଖତ କରିବାକୁ ନିମନ୍ତ୍ରଣ କଲେ ।

ଏବଂ ଭୋରଙ୍କ ଆକଳନ ଅନୁସାରେ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କଲେ । ଅଭିଯାନର ପ୍ରଥମ ଦିନରେ ପ୍ରାୟ ୧୦୦୦ ଜଣ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପିଟିସନ୍‌ରେ ଦସ୍ତଖତ କଲେ । ସୋମବାର ମଧ୍ୟ ସେତିକି ସଂଖ୍ୟକ ଦସ୍ତଖତ ସଂଗୃହୀତ ହେଲା ।

ଦସ୍ତଖତ କରିଥିବା ଲୋକଙ୍କ ମଧ୍ୟରେ ସାମିଲ ୪୮ ବର୍ଷୀୟ ବ୍ୟବସାୟୀ ଦୀପକ ଗୁପ୍ତା କହିଲେ, “ଚାଷୀମାନେ ଋଣଭାରରେ ବୁଡ଼ିରହିଛନ୍ତି ଏବଂ କଷ୍ଟ ଭୋଗୁଛନ୍ତି । ସେମାନଙ୍କ ପରିଶ୍ରମ ଯୋଗୁ ହିଁ ଏହି ସବୁ କିଛି ଚାଲୁଛି ।’’ ନିକଟରେ ଥିବା ବୋର୍ଡ, ରେସ୍ତୋରାଁ ଓ ଦୋକାନକୁ ଦେଖାଇ ସେ ଏହା କହିଲେ । “ସେମାନଙ୍କୁ ସେମାନଙ୍କ ଉତ୍ପାଦର ଠିକ୍ ମୂଲ୍ୟ ମିଳିବା ଆବଶ୍ୟକ ।’’

“ମୁଁ ମୋର ସବୁ ଯାତ୍ରୀଙ୍କୁ ଏହି ସମସ୍ୟା ସଂପର୍କରେ ସଚେତନ କରିବି । ମୁଁ ମୋର ହୃଦୟ ଦେଇ ଓ ନିଷ୍ଠାର ସହ ଏହି କାମ କରିବି। ଏହା ମୋର କର୍ତ୍ତବ୍ୟ । ମୁଁ ଜାଣିଛି ଯେ ଡୋମ୍ବିଭିଲିର ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରିବେ ।’’

ଭିଡିଓ ଦେଖନ୍ତୁ: ‘ଚାଷରେ ସମସ୍ୟା ହେଉଛି ବର୍ତ୍ତମାନ ଆମର ବଡ଼ ପ୍ରସଙ୍ଗ’

ଷ୍ଟେସନ୍‌ରେ ସେଦିନ ସନ୍ଧ୍ୟାରେ ଏକତ୍ରିତ ହୋଇଥିବା ଲୋକଙ୍କ ମଧ୍ୟରେ ୮୦ ବର୍ଷୀୟ ଶାନ୍ତାବାଇ ବାଘରି ମଧ୍ୟ ଥିଲେ ଯିଏକି ଡୋମ୍ବିଭିଲିର ରାସ୍ତାରେ ୬୦ ବର୍ଷ ହେଲା ପନିପରିବା ଓ ଫୁଲ ବିକ୍ରି କରିଆସୁଛନ୍ତି । “ଆମର ପିଢି ଏହି ସହରରେ କାମ କରିଆସୁଛି । ସରକାର ଚାଷୀ, ଶ୍ରମିକ କିମ୍ବା ଦରମା ପାଉଥିବା ଲୋକଙ୍କ ସହ ସହଯୋଗ କରୁନାହାନ୍ତି । ମୁଁ ସରକାରଙ୍କୁ ଚାଷୀଙ୍କୁ ସହାୟତା କରିବାକୁ ନିବେଦନ କରୁଛି । ସେମାନଙ୍କୁ ପାଣି ଦିଆଯାଉ, ବିହନ, ଚାଷ ଓ ଫସଲ ଅମଳରେ ସହାୟତା କରାଯାଉ। ଭଲ ନାଗରିକମାନଙ୍କ ପାଇଁ ଭଲ କାମ କରାଯାଉ ।’’

ପିଟିସନ୍‌ରେ ଦସ୍ତଖତ କରିଥିବା ଲୋକଙ୍କ ମଧ୍ୟରୁ ଅନେକ ଚାଷୀ ପରିବାରରୁ ଆସିଛନ୍ତି କିମ୍ବା ସେମାନଙ୍କର ବାପା-ମା’ ଏକଦା ଚାଷୀ ଥିଲେ, ଯେପରିକି କଲ୍ୟାଣର ଦୀପାଲି ଭାରେ(୨୫)। ଭାରେ ଡୋମ୍ବିଭିଲିର ଆନନ୍ଦପ୍ରେମ କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କାମ କରନ୍ତି । ସେ କହିଲେ, “ମୋ ପରିବାର ପୁନେର ଭୋର ଜିଲ୍ଲାରେ ଧାନ ଚାଷୀ ଥିଲେ । ଚାଷୀମାନଙ୍କୁ ମୋର ପୂର୍ଣ୍ଣ ସମର୍ଥନ ।’’

ତାଙ୍କର ସହଯୋଗୀ ୨୧ ବର୍ଷୀୟ ସ୍ୱାତୀ ମୋରେ କହିଲେ, “ଆମେ ଚାଷୀମାନଙ୍କ ସମସ୍ୟା ସଂପର୍କରେ ଶୁଣିଆସୁଛୁ । କାମରୁ ଘରକୁ ଫେରିବା ସମୟରେ ଆମେ ଏହି ବୋର୍ଡକୁ ଦେଖିଲୁ ଏବଂ ଏ ବିଷୟରେ ଆମେ ଜାଣିବା ଦରକାର ବୋଲି ମନେ କଲୁ ।’’

ସାଙ୍ଗଲି ଜିଲ୍ଲାର କିର୍ଲୋସ୍କରବାଡ଼ିରୁ ଆସିଥିବା ସୀମା ରଞ୍ଜନ ଯୋଶୀ କହିଲେ, “ଆମେ ଆମର ଜମି ହରାଇଛୁ .…’’ ଚାଷୀମାନଙ୍କ ସହିତ ମିଶି ମୁଁ ଗର୍ବ ଓ ଆନନ୍ଦ ଅନୁଭବ କଲି । “ଚାଷୀମାନଙ୍କୁ ଉତ୍ପାଦର ଠିକ୍ ମୂଲ୍ୟ କିମ୍ବା ଋଣରେ ଆଶ୍ୱସ୍ତି ମିଳିବା ଆବଶ୍ୟକ । ଯୋଶୀ ଗତ ୩୦ ବର୍ଷ ହେଲା ଡୋମ୍ବିଭିଲିରେ ରହୁଛନ୍ତି ଏବଂ ସେ ଜଣେ ରୋଷେୟା ଭାବେ କାମ କରନ୍ତି ।’’

PHOTO • Siddharth Adelkar
a labourer
PHOTO • Siddharth Adelkar

ଜଲ୍ନା ଜିଲ୍ଲାର ନନ୍ଦକିଶୋର ଆରଗଡ଼େ (ବାମ)କହିଲେ, “ଜଣେ ଚାଷୀ କିଭଳି ଅବସ୍ଥା ଦେଇ ଯାଇଥାଏ ତା’ କେବଳ ସେ ଜାଣେ।’’ ଆରଗଡ଼େ ଏକ ଚାକିରି ସନ୍ଧାନ କରୁଛନ୍ତି । ଔରଙ୍ଗାବାଦ ଜିଲ୍ଲାର ଜଣେ ଶ୍ରମିକ ଅଶୋକ ଗାରୁଦ (ଡାହାଣ)କହିଲେ, “ମୁଁ ଚାଷୀଙ୍କ ସହିତ ଦିଲ୍ଲୀ ଯିବାକୁ ଚାହେଁ, କିନ୍ତୁ ମୋର ପରିବାରକୁ ଟଙ୍କା ଆବଶ୍ୟକ। ମୋତେ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ ।’’

ପିଟିସନ୍‌କାରୀଙ୍କ ମଧ୍ୟରୁ ଅନ୍ୟତମ ନନ୍ଦକିଶୋର ଆରଗଡ଼େ,(୨୮) ଜାଲ୍ନା ଜିଲ୍ଲାରେ ଆମ୍ବାଦ ତାଲୁକାରେ ଥିବା ତାଙ୍କର ୫ ଏକର ଜମିରେ କପା ଚାଷ କରନ୍ତି । “ଜଣେ ଚାଷୀ କିଭଳି ଅବସ୍ଥା ଦେଇ ଯାଇଥାଏ ତାହା କେବଳ ସେ ଜାଣେ । ସେଠାରେ ପାଣି ନାହିଁ । ୪ ବର୍ଷ ହେଲା ବର୍ଷା ହୋଇନି । ଆମର ୧.୫ ଲକ୍ଷର ଋଣ ଅଛି । ଆମେ ଆବେଦନ କରିଥିଲେ ମଧ୍ୟ ଋଣରେ କୌଣସି ଛାଡ଼ ମିଳିନାହିଁ କିମ୍ବା ସହାୟତା ମିଳିନି ।’’ ନନ୍ଦକିଶୋର ଏବେ ଏକ ଚାକିରି ସନ୍ଧାନରେ ସହରରେ ବୁଲୁଛନ୍ତି । ସେ କହିଲେ, “ମୋର ଆସନ୍ତାକାଲି ଏକ ସାକ୍ଷାତକାର ଅଛି କିନ୍ତୁ କେଉଁଠାରେ ରହିବି ସେଥିଲାଗି କିଛି ସ୍ଥାନ ନାହିଁ । ଆଜି ରାତିରେ ମୁଁ ମୁମ୍ବାଇର ସିଏସଟି ଷ୍ଟେସନରେ ଶୋଇବି ।’’

ଔରଙ୍ଗାବାଦ ଜିଲ୍ଲାର ଖୁଲଦାବାଦ୍ ତାଲୁକାର ଧମାଗାଓଁ ଗାଁର ଅଶୋକ ଗାରୁଦଙ୍କୁ ଜଣେ କଣ୍ଟ୍ରାକ୍ଟର ରେଲୱେ ଷ୍ଟେସନ୍‌ରେ ଟିଣ ଛପର କରିବା ଲାଗି ଆଣିଥିଲେ। ସେ ତାଙ୍କ ଗାଁରେ ଥିବା ୫ ଏକର ଜମିରେ ବାଜରା ଓ କପା ଚାଷ କରନ୍ତି । ଏଥରକ ପିଙ୍କ ବଲୱର୍ମ (ଏକ ପ୍ରକାର ପୋକ) ଯୋଗୁ କପା ଫସଲ ନଷ୍ଟ ହୋଇଗଲା ବୋଲି ସେ କହିଲେ । ଏକ ସମବାୟ ବ୍ୟାଙ୍କ୍ ଏବଂ ଜଣେ ଘରୋଇ ମହାଜନଙ୍କଠାରୁ ତାଙ୍କର ୭୦ ହଜାର ଟଙ୍କାର ଋଣ ରହିଛି । ଗତ ଏକ ସପ୍ତାହ ହେଲା ସେ ଷ୍ଟେସନ୍‌ରେ କାମ କରିଆସୁଛନ୍ତି । ସେ କହିଲେ, “ଚାଷୀମାନଙ୍କ ସହିତ ମୁଁ ଦିଲ୍ଲୀ ଯିବାକୁ ଚାହୁଁଛି, କିନ୍ତୁ ମୋର ପରିବାରକୁ ଟଙ୍କା ଆବଶ୍ୟକ । ମୋତେ ଏବେଯାଏ ଟଙ୍କା ମିଳିନାହିଁ । ମୋତେ କାମ କରିବାକୁ ପଡ଼ିବ ।’’

କାଲୁ କୋମାସକର କହିଲେ, “ଡୋମ୍ବିଭିଲିର ନାଗରିକମାନଙ୍କୁ ନିୟୋଜିତ କରି ରଖିବା ଲାଗି ପିଟିସନ୍ ଅଭିଯାନ ପ୍ରଥମ ପଦକ୍ଷେପ ଥିଲା । ଆମେ ଏହାକୁ ଆଗକୁ ନେବୁ । ଆମର ସବୁ ଡ୍ରାଇଭର ସେମାନଙ୍କର ନିୟମିତ ଯାତ୍ରୀମାନଙ୍କୁ ଏହି ପିଟିସନ୍ ହସ୍ତାନ୍ତର କରିବେ । ଚାଷ ସମସ୍ୟା ସଂପର୍କରେ ସେମାନେ କଥାବାର୍ତ୍ତା କରିବେ ଏବଂ ଦସ୍ତଖତ କରିଥିବା ପିଟିସନ୍‌କୁ ସିଧାସଳଖ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାକୁ ସେମାନେ ଲୋକଙ୍କୁ ନିବେଦନ କରିବେ ।’’

କିନ୍ତୁ ଦସ୍ତଖତ ହୋଇଥିବା ହଜାର ହଜାର ପିଟିସନ୍‌ର କ’ଣ ହେବ? ଦେବନ୍ କହିଲେ, “ଓଜନ ଅଧିକ ହୋଇଥିବାରୁ ସେଗୁଡ଼ିକ ପୋଷ୍ଟ କରିବା ଖୁବ୍ କଷ୍ଟକର। ନଭେମ୍ବର ୨୯-୩୦ ତାରିଖରେ ଚାଷୀଙ୍କ ସହିତ ଆମେ ଦିଲ୍ଲୀ ଯାତ୍ରା କରିବା ସମୟରେ ହୁଏତ ବ୍ୟକ୍ତିଗତ ଭାବେ ଭାରତର ରାଷ୍ଟ୍ରପତିଙ୍କୁ ତାହା ସମର୍ପଣ କରିବୁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Siddharth Adelkar

ଲେଖକ ପରିଚୟ: ସିଦ୍ଧାର୍ଥ ଆଦେଲକର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‍ ଇଣ୍ଡିଆର ଟେକ୍‌ ଏଡିଟର

Other stories by Siddharth Adelkar