ଗତ ଦୁଇ ମାସ ଧରି ଭିଠଲ ଚୌହାନ ଫୋନ କଲ୍‌ ଅପେକ୍ଷାରେ ରହିଥିଲେ। ଫେବୃଆରୀ ୨୮ ତାରିଖରେ ସେ ଓସମାନାବାଦର କଲମ୍ବ ତାଲୁକାରେ ଥିବା ନାଫେଡ କେନ୍ଦ୍ରରେ ସେ ନିଜ ନାମ ପଞ୍ଜିକରଣ କରିଥିଲେ। ଫଳରେ ସେ ରଖିଥିବା ୯ କ୍ଵିଣ୍ଟାଲ ହରଡ଼ ସରକାର ତାଙ୍କଠାରୁ କିଣିବେ। କିନ୍ତୁ ସେଠାରେ ଥିବା ଅଧିକାରୀମାନେ କେବଳ ତାଙ୍କର ନାଁ ଓ ନମ୍ବର ଖାତାରେ ଟିପି ରଖିଥିଲେ ଓ କହିଥିଲେ, “ତୁମକୁ ଫୋନ କଲ୍‌ ଯିବ” ।

“ମୁଁ ତାଙ୍କୁ ଦିନେ ଛାଡ଼ି ଦିନେ ଫୋନ କଲି, ଫେବୃଆରୀ ୨୮ ତାରିଖ ପରଠାରୁ କେନ୍ଦ୍ରକୁ ୪-୫ ଥର ଆସିଥିଲି,” ବୋଲି ମେ ମାସ ପ୍ରଥମ ସପ୍ତାହର ଏକ ଗରମ ସକାଳେ ଅଫିସରଙ୍କ ଟେବୁଲ ପାଖରେ ବସି ସେ କୁହନ୍ତି। ଭିଠଲଙ୍କର ପଣଗାଓଁରେ ୯ ଏକର ଜମି ଅଛି, ସେ ୨୫ କିମି ଯାତ୍ରା କରି କଲମ୍ବରେ ପହଁଚିଛନ୍ତି, କେବଳ ଏତିକି ପଚାରିବାକୁ ଯେ ତାଙ୍କର ହରଡ଼ ଡାଲି କିଣାହେବ କି ନାହିଁ। ଆଉ କିଛି ଚାଷୀଙ୍କର ମଧ୍ୟ ସମାନ ଅବସ୍ଥା। “ସେମାନେ ଲଗାତାର କହୁଛନ୍ତି ଯେ ପଣ୍ୟାଗାର ପୂରଣ ହୋଇସାରିଛି କିମ୍ବା ଆବଶ୍ୟକ ଝୋଟ ଅଖା ନାହିଁ। ବର୍ତ୍ତମାନ ଧାର୍ଯ୍ୟ ସମୟ ବିତିସାରିଲାଣି ଏବଂ ମୁଁ ପଞ୍ଜିକରଣ କରିଥିବାର କୌଣସି ପ୍ରମାଣ ନାହିଁ ।”

ଗତବର୍ଷ ପ୍ରଚୁର ପରିମାଣରେ ହରଡ଼ ଡାଲି ଉତ୍ପାଦନ ହୋଇଥିଲା। ବ୍ୟବସାୟୀମାନେ ଅଧିକ ଡାଲି କମ୍‌ ଦରରେ କିଣିଲେ ଚାଷୀଙ୍କ କ୍ଷତି ହେବାର ଆଶଙ୍କା ଥିବାରୁ ଡିସେମ୍ବର ୨୦୧୬ର ଆଖପାଖରେ ମହାରାଷ୍ଟ୍ର ସରକାର ନ୍ୟାସନାଲ ଏଗ୍ରିକଲଚରାଲ କୋଅପରେଟିଭ ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ (ନାଫେଡ) କେନ୍ଦ୍ରମାନ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ତାଲୁକାରେ ପ୍ରତିଷ୍ଠା କରିଥିଲେ, ଉଦ୍ଦେଶ୍ୟ ଥିଲା ଉପଯୁକ୍ତ ମୂଲ୍ୟରେ ଡାଲି କିଣାଯିବ।

କିନ୍ତୁ ନାଫେଡ କେନ୍ଦ୍ରରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। କଲମ୍ବ କେନ୍ଦ୍ରରେ ଅଧିକାରୀମାନେ ଏହାକୁ ଅସ୍ୱୀକାର ମଧ୍ୟ କରୁନାହାନ୍ତି। ସେ କଲମ୍ବରେ ଥିବା କୃଷି ଉତ୍ପାଦ ବଜାର ସମିତିର ସଚିବ ଏସ.ସି. ଚୌହାନଙ୍କ ସହିତ ଆଲୋଚନା କରୁଛନ୍ତି। “ଆମେ ଏକ ରିପୋର୍ଟ ପ୍ରସ୍ତୁତ କରୁଛୁ ଏବଂ ଏହାକୁ ସରକାରଙ୍କ ନିକଟକୁ ପଠାଉଛୁ”, ବୋଲି ଚୌହାନ କୁହନ୍ତି। “ଧାର୍ଯ୍ୟ ତାରିଖ ପୂର୍ବରୁ ବହୁ ଚାଷୀ ସେମାନଙ୍କ ହରଡ଼ ଡାଲି ଆଣିଛନ୍ତି, କିନ୍ତୁ କେତେକ ସମସ୍ୟା ଯୋଗୁ ଆମେ ସେଗୁଡ଼ିକୁ କିଣିପାରୁନାହୁଁ। ସରକାରଙ୍କ ପାଖରୁ ନିର୍ଦ୍ଦେଶ ଆସିଲେ ଆମେ ସେହି ଅନୁଯାୟୀ କାମ କରିବୁ” ।

ସେମାନେ ଲଗାତାର କହୁଛନ୍ତି ଯେ ପଣ୍ୟାଗାର ପୂରଣ ହୋଇସାରିଛି କିମ୍ବା ଆବଶ୍ୟକ ଝୋଟ ଅଖା ନାହିଁ। ବର୍ତ୍ତମାନ ଧାର୍ଯ୍ୟ ସମୟ ବିତିସାରିଲାଣି ଏବଂ ମୁଁ ପଞ୍ଜିକରଣ କରିଥିବାର କୌଣସି ପ୍ରମାଣ ନାହିଁ

ଭିଡିଓ ଦେଖନ୍ତୁ : “... ସେମାନେ ଯଦି ଖାତାଟିକୁ ହଜେଇ ଦେଇଥିବେ କିମ୍ବା ଚିରି ଦେଇଥିବେ?” ବିବ୍ରତ ଭିଠଲ ଚୌହାନ ନାଫେଡରେ ନିଜ ନାମ ପଞ୍ଜିକରଣ ପରେ କୁହନ୍ତି

ରାଜ୍ୟ ସରକାର ସବୁ ହରଡ଼ ଡାଲି କିଣିବେ ବୋଲି କ୍ୟାବିନେଟ ମନ୍ତ୍ରୀ (ସମବାୟ, ବୟନ ଓ ବିପଣନ) ମନ୍ତ୍ରୀ ସୁଭାଷ ଦେଶମୁଖ ପ୍ରତିଶ୍ରୁତି ଦେବା ପରେ ନାଫେଡ କେନ୍ଦ୍ରରେ ଡାଲି କ୍ରୟ ପାଇଁ ଧାର୍ଯ୍ୟ ତାରିଖ ମାର୍ଚ୍ଚ ୧୫, ମାର୍ଚ୍ଚ ୩୧ ଓ ଏପ୍ରିଲ ୨୨ ତାରିଖକୁ ବୃଦ୍ଧି କରାଯାଇଥିଲା। ଏହା ସେହି ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଥିଲା, ଯେଉଁମାନେ ସେମାନଙ୍କ ଘରେ ଡାଲି ମହଜୁଦ କରି ରଖିଥିଲେ ଏବଂ ଏହାକୁ ବିକ୍ରି କରିବା ଲାଗି ପଞ୍ଜିକରଣ କରିବାକୁ ଚାହୁଁଥିଲେ ।

କିନ୍ତୁ ଏପ୍ରିଲ ୨୨ ତାରିଖ ପରେ ମହାରାଷ୍ଟ୍ର ସରକାର ଚାଷୀଙ୍କ ଠାରୁ ହରଡ଼ ଡାଲି କିଣିବାକୁ ମନା କରି ଦେଇଥିଲେ ଏବଂ କହିଥିଲେ ଯେ କ୍ରୟ ତାରିଖ ଆଉ ବୃଦ୍ଧି କରାଯିବ ନାହିଁ। କେବଳ ଏପ୍ରିଲ ୨୨ ତାରିଖ ପୂର୍ବରୁ କେନ୍ଦ୍ରରେ ବିଧିବଦ୍ଧ ଭାବେ ପଞ୍ଜିକରଣ କରିବା ପରେ ଚାଷୀମାନେ ରଖିଥିବା ଡାଲି ହିଁ ସରକାର କିଣିବେ।

ଭିଠଲ ଚୌହାନଙ୍କ ଡାଲି ଏହି ମହଜୁଦ ତାଲିକାରେ ନଥିଲା, ଯଦିଓ ସେ ଆହୁରି କିଛି ଚାଷୀଙ୍କ ସହିତ ଧାର୍ଯ୍ୟ ତାରିଖର ଯଥେଷ୍ଟ ପୂର୍ବରୁ କେନ୍ଦ୍ରକୁ ନିଜର ହରଡ଼ ଡାଲି ନେଇ ଆସିଥିଲେ। କିନ୍ତୁ ଅଧିକାରୀମାନେ ତାଙ୍କ ନାମ ଉପରଠାଉରିଆ ଭାବେ ପଞ୍ଜିକରଣ କରିଥିଲେ, ଏହି କାରଣରୁ ପଞ୍ଜିକରଣର କୌଣସି ପ୍ରମାଣ ତାଙ୍କ ପାଖରେ ନଥିଲା। “ମୁଁ କେମିତି ସେମାନଙ୍କୁ ବିଶ୍ୱାସ କରିବି?” ସେ ସନ୍ଦେହର ସହ ପ୍ରଶ୍ନ କରନ୍ତି। “ଯଦି ସେମାନେ ମୋ ନାଁ ଲେଖିଥିବା କାଗଜକୁ ଚିରି ଦେଇଥିବେ? ମୋ ଘରେ ପଡ଼ିଥିବା ଡାଲି ଦାମ ୪୫,୦୦୦ ଟଙ୍କା ହେବ। ଯଦି ସେମାନେ ଏହାକୁ କିଣିବେ ନାହିଁ, ତା’ହେଲେ ମୁଁ ଶାଗମାଛ ଦରରେ (କ୍ୱିଂଟାଲ ପ୍ରତି ୧ହଜାର ଟଙ୍କାରୁ କମରେ) ବିକ୍ରି କରିବି। ବର୍ଷା ଋତୁ ଆରମ୍ଭ ହେଲେ ହରଡ଼ ନଷ୍ଟ ହୋଇଯିବାର ଆଶଙ୍କା ରହିଛି।’’

ଗତବର୍ଷ, ମରାଠାୱାଡାର ଚାଷୀମାନେ ଅଧିକ ପାଣି ଆବଶ୍ୟକ କରୁଥିବା ଆଖୁ ବଦଳରେ ପାରମ୍ପରିକ ହରଡ଼ ଚାଷ କରିଥିଲେ। ପୂର୍ବ ବର୍ଷ ତୁଳନାରେ ୨୦୧୬ରେ ଅଧିକ ମରୁଡ଼ି ହୋଇଥିବା କାରଣରୁ ସେମାନେ ହରଡ଼ ଚାଷ କରିବାକୁ ବାଧ୍ୟ ହୋଇଥିଲେ। ଏ ବର୍ଷ ଫସଲ ଭଲ ମଧ୍ୟ ହୋଇଥିଲା। ୨୦୧୫ରେ ୪.୪ ଲକ୍ଷ ମେଟ୍ରିକ ଟନ ତୁଳନାରେ ସାରା ରାଜ୍ୟରେ ୨୦୧୬ରେ ୨୦ ଲକ୍ଷ ମେଟ୍ରିକ ଟନ ଡାଲି ଉତ୍ପାଦିତ ହୋଇଥିଲା।

ଆଖୁ ବଦଳରେ ଏକ ସ୍ଥାୟୀ ଫସଲ ଉତ୍ପାଦନ କରିବା ଫଳରେ ଜଳ ସଂରକ୍ଷଣରେ ସହାୟତା ମିଳିପାରିଥିଲା । କିନ୍ତୁ ସରକାରଙ୍କ ଅବହେଳା କାରଣରୁ ପାଖାପାଖି ଗୋଟିଏ ବର୍ଷ ପାଇଁ ବଜାରରେ ହରଡ଼ର ମୂଲ୍ୟ ହ୍ରାସ ଘଟିଲା ।

Farmers gathered outside NAFED centre in Kalamb
PHOTO • Parth M.N.
Vitthal Chavan at the NAFED centre in Kalamb
PHOTO • Parth M.N.

କଲମ୍ବର ନାଫେଡ କେନ୍ଦ୍ର ଆଗରେ ଅପେକ୍ଷାରତ ଚାଷୀ: ସରକାର ପ୍ରତ୍ୟେକ ହରଡ଼ ଡାଲିକୁ ଉପଯୁକ୍ତ ଦରରେ କିଣିବାର ପ୍ରତିଶ୍ରୁତି ପାଳନ କରିବେ ବୋଲି ଆଶାବାଦୀ ।ଭିଠଲ ଚୌହାନ, ପଣଗାଓଁର ଜଣେ କୃଷକ: ନାଫେଡ କେନ୍ଦ୍ରରୁ ଏକ ଫୋନ କଲ୍‌ ଅପେକ୍ଷାରେ ରହିଛନ୍ତି

୨୦୧୪-୧୫ କୃଷି ଋତୁରେ ମହାରାଷ୍ଟ୍ରରେ ହରଡ଼ର ବଜାର ଦର କ୍ଵିଣ୍ଟାଲ ପ୍ରତି ୧୦ ହଜାର ଟଙ୍କା ଥିଲା, ଯାହା ଭଲ ଫସଲ ହେବା ଅନୁମାନ କାରଣରୁ ହ୍ରାସ ପାଇଲା। ଚାଷୀଙ୍କୁ ସହାୟତା କରିବା ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଧାର୍ଯ୍ୟ କରି ନାଫେଡ କେନ୍ଦ୍ର ଜରିଆରେ କ୍ଵିଣ୍ଟାଲ ପ୍ରତି ୫,୦୫୦ ଟଙ୍କାରେ ହରଡ଼ କିଣିବା ଲାଗି ସ୍ଥିର କଲେ। କିନ୍ତୁ ଅଧିକ ଫସଲ କାରଣରୁ ବଜାରରେ ହରଡ଼ ଡାଲିର ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩ହଜାର ଟଙ୍କାରୁ ମଧ୍ୟ କମିଗଲା।

ଆହୁରି, ଯେତେବେଳେ ଏତେ ଅଧିକ ପରିମାଣରେ ଡାଲି ଯେତେବେଳେ ଉତ୍ପାଦିତ ହେଲା ଭାରତ ସରକାର ବିଭିନ୍ନ ଦେଶର କ୍ୱିଂଟାଲ ପ୍ରତି ୧୦,୧୧୪ ଟଙ୍କା ଦରରେ ୫୭ ଲକ୍ଷ ଟନ ଡାଲି ଆମଦାନୀ କରିବା ସ୍ଥିତିକୁ ଆହୁରି ବିଗାଡି ଦେଲା-ଡାଲି ଉତ୍ପାଦନ ପରିମାଣ ଯାହା ହେଉ ପଛେ ଭାରତ ସରକାର ପ୍ରତିବର୍ଷ ଏପରି ଆମଦାନୀ କରିଥାନ୍ତି ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି (ଜିଆର)ରେ କୁହାଗଲା ଯେ ମହାରାଷ୍ଟ୍ରର ଚାଷୀଙ୍କଠାରୁ ନାଫେଡର ଧାର୍ଯ୍ୟ ପରିମାଣ ୨୫%ରୁ ଅଧିକ ଡାଲି କିଣାଯାଇଛି। ଏପ୍ରିଲ ସୁଦ୍ଧା ୪ ଲକ୍ଷ ମେଟ୍ରିକ ଟନ ହରଡ଼ କିଣାସରିଛି ଓ ଅତିରିକ୍ତ ୧ ଲକ୍ଷ ମେଟ୍ରିକ ଟନ କିଣିବା ଲାଗି ପଞ୍ଜିକରଣ ହୋଇସାରିଛି ବୋଲି ଦେଶମୁଖ କୁହନ୍ତି । “ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ଲାଗି ଆମେ ନିର୍ଦ୍ଧାରିତ ପ୍ରକ୍ରିୟାର ଅବଲମ୍ବନ କରିଛୁ,” ବୋଲି ସେ କୁହନ୍ତି ।

କିନ୍ତୁ ସରକାରୀ ଭାବେ ଡାଲି ଉତ୍ପାଦନର ତଥ୍ୟ ୨୦ ଲକ୍ଷ ମେଟ୍ରିକ ଟନ ସଠିକ ନୁହେଁ। ହରଡ଼କୁ ଏକ ଅନ୍ତରୀଣ ଫସଲ ଭାବେ ବୁଣାଯାଇଥାଏ-କାରଣ ଏହା ଆଖୁ କିମ୍ବା ଅନ୍ୟ ଫସଲ ହୋଇଥିବା ଚାଷ ଜମି ମଝିରେ ଚାଷ ହୋଇଥାଏ। ଏଥିପାଇଁ ଅଧିକ ପାଣି ଦରକାର ହୋଇନଥାଏ, ୪ ମାସ ମଧ୍ୟରେ ଉତ୍ପାଦନ ହୋଇଥାଏ ଏବଂ ଏହା ଚାଷୀଙ୍କ ପାଇଁ ଏକ ବୋନସ ଭାବେ ବିବେଚିତ ହୋଇଥାଏ। ଏହି କାରଣରୁ ଅଧିକାଂଶ ଚାଷୀ ସେମାନଙ୍କ ଜମି କାଗଜପତ୍ରରେ ମୁଖ୍ୟ ଫସଲ ବିଷୟରେ ଉଲ୍ଲେଖ କରିଥାନ୍ତି। ତେଣୁ ଯେଉଁ ଚାଷୀମାନେ ସେମାନଙ୍କ ଜମି କାଗଜପତ୍ରରେ ହରଡ଼ ବିଷୟରେ ଉଲ୍ଲେଖ କରିଥାନ୍ତି, ସରକାର କେବଳ ସେମାନଙ୍କ ଉତ୍ପାଦିତ ଡାଲି ହିଁ ହିସାବ କରିଥାନ୍ତି। ଯେତିକି ପଞ୍ଜିକରଣ ହୋଇଛି ତା’ଠାରୁ ତିନିଗୁଣ ଅଧିକ ପରିମାଣର ଡାଲି ଚାଷୀଙ୍କ ପାଖରେ ପଡ଼ି ରହିଛି।

ଏକାଧିକ ବାର ନାଫେଡ କେନ୍ଦ୍ରକୁ ଯିବା ସତ୍ୱେ ଓସମାନାବାଦ ଧାନୋରା ଗ୍ରାମର ଚାଷୀ ମେଘନାଥ ଶେଲକେ, ୫୮, ନିଜର ୬ କ୍ଵିଣ୍ଟାଲ ହରଡ଼ ବିକ୍ରି ପାଇଁ ପଞ୍ଜିକରଣ ପାଇଁ ବିଫଳ ହୋଇଛନ୍ତି। “ଓଜନ ମେସିନ ନଥିବାରୁ ଥରେ ସେମାନେ ମୋତେ ଫେରାଇ ଦେଲେ, ଆଉ ଥରେ ସେମାନେ କହିଲେ ଯେ ଯଦି ମୁଁ ମୋର ଫସଲ ଏଠି ଛାଡ଼ି ଯାଏ ତା’ହେଲେ କେହି ଚୋରାଇ ନେବାର ଆଶଙ୍କା ରହିଛି ଓ ଏଥିପାଇଁ କେନ୍ଦ୍ର ଦାୟୀ ହେବ ନାହିଁ”, ବୋଲି ସେ କୁହନ୍ତି। ତେଣୁ ସେ ୬ ବସ୍ତା ହରଡ଼ ନିଜ ଘରେ ପକାଇ ରଖିଛନ୍ତି। “ପାଖାପାଖି ୧ ମାସ ଧରି, କେନ୍ଦ୍ର ବନ୍ଦ ଥିଲା। ଏହା ନିୟମିତ ଖୋଲେ ନାହିଁ” ।

ସବୁ ହରଡ଼ ଡାଲି କିଣିବା ଲାଗି ସରକାର ପ୍ରତିଶ୍ରୁତି ଦେଇଛନ୍ତି, ଆମେ ଖରିଫ ଋତୁ ପାଇଁ ପ୍ରସ୍ତୁତ କରୁଥିବାରୁ ସରକାର ଯଦି ଏସବୁ ନକିଣନ୍ତି ତା’ହେଲେ ଆମ ପାଇଁ ଏକ ଧକ୍କା ସଦୃଶ ହେବ

ଭିଡିଓ ଦେଖନ୍ତୁ: ମେଘନାଦ ଶେଲକେ କୁହନ୍ତି, ଯେତେ ପଇସା  ମିଳୁ ପଛେ ସେ ସେହି ଦରରେ ସେ ଖୁବଶୀଘ୍ର ସେ ଡାଲି ବିକ୍ରି କରିବେ

ହରଡ଼ ଛଡ଼ା, ଶେଲକେ ନିଜ ୮ ଏକର ଜମିରେ ସୋୟାବିନ ଓ କପା ଚାଷ କରିଥାନ୍ତି। ପ୍ରତିଥର ତାଙ୍କୁ କେନ୍ଦ୍ରରୁ ଫେରାଇ ଦିଆଗଲେ, ସେ ୬ କ୍ଵିଣ୍ଟାଲ ଡାଲି ଧରି ୧୦ କିମି ଦୂର ଘରକୁ ଫେରିବା ଲାଗି ବାଧ୍ୟ ହୋଇଥାନ୍ତି। “ମୋତେ ଟେମ୍ପୋରେ ହରଡ଼ ବୋହି ଆଣିବା ଲାଗି ଶହ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ”, ବୋଲି ସେ କୁହନ୍ତି। “ସବୁ ହରଡ଼ ଡାଲି କିଣିବା ଲାଗି ସରକାର ପ୍ରତିଶ୍ରୁତି ଦେଇଛନ୍ତି, ଆମେ ଖରିଫ ଋତୁ ପାଇଁ ପ୍ରସ୍ତୁତ କରୁଥିବାରୁ ସରକାର ଯଦି ଏସବୁ ନକିଣନ୍ତି ତା’ହେଲେ ଆମ ପାଇଁ ଏକ ଧକ୍କା ସଦୃଶ ହେବ।”

ଭିଠଲ, ଇତିମଧ୍ୟରେ, ନିରାଶ ହୋଇସାରିଛନ୍ତି ଏବଂ ସନ୍ଧ୍ୟାରେ ପଣଗାଓଁଙ୍କୁ ଫେରିଯିବା ଲାଗି ନିଷ୍ପତ୍ତି ନେଇଛନ୍ତି। “ଭଲ ଫସଲ ଅମଳ ନହେଲେ ଆମେ ମରିବୁ। ଫସଲ ଭଲ ହେଲେ ମଧ୍ୟ ମରିବୁ,” ବୋଲି ସେ କୁହନ୍ତି। ଋଣ ବୋଝରେ ବୁଡ଼ି ରହିଥିବା ଚାଷୀ ଆଗକୁ ଫସଲ ଋତୁ ଆସୁଥିବାରୁ ହରଡ଼ ସଂକଟ ମହାରାଷ୍ଟ୍ରର ଚାଷୀଙ୍କ ପାଇଁ ଆହୁରି ସଂକଟ ଆଣିଛି।

ଅଧାଦିନ ନାଫେଡ କେନ୍ଦ୍ରରେ ବିତାଇବା ପରେ ଭିଠଲ ଏବେ ସୁଦ୍ଧା ଜାଣିନାହାନ୍ତି ଯେ ତାଙ୍କର ହରଡ଼ ବିକ୍ରି ହେବ କି ନାହିଁ। ସେ କେନ୍ଦ୍ରରୁ ଯିବା ସମୟରେ ତଥାପି ପଚାରୁଛନ୍ତି, ସେ ପୁଣି କେବେ ଆସିବେ। “ତୁମକୁ ଫୋନ କରାଯିବ”, ସେମାନେ ତାଙ୍କୁ କହିଛନ୍ତି ।

ଉପସଂହାର : ଏହି ପ୍ରକାଶନୀ ସମୟରେ, ମହାରାଷ୍ଟ୍ର ସରକାର ଡାଲି କ୍ରୟର ଧାର୍ଯ୍ୟ ତାରିଖ ୩୧ ମେ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଏହା ଚାଷୀଙ୍କ କଷ୍ଟ କମାଇବ ନାହିଁ କିମ୍ବା ସେମାନଙ୍କ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ କରିବ ନାହିଁ ।

କଲମ୍ବର ନାଫେଡ କେନ୍ଦ୍ର ବର୍ତ୍ତମାନ ବନ୍ଦ ହୋଇଗଲା ଏବଂ ତାଙ୍କର ହରଡ଼ ବିକ୍ରି ହେଲାନାହିଁ ବୋଲି ଭିଠଲ ଚୌହାନ କହିଥିଲେ। ଚୌହାନ ଯେତେବେଳେ ଅଧିକାରୀଙ୍କୁ ଫୋନ କଲେ ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ମିଳିନଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.