ଦୀର୍ଘଶ୍ୱାସ ଛାଡ଼ି ଡଲି ବାଦା କୁହନ୍ତି, ‘‘ସକାଳୁ ଏହା ତୃତୀୟ ଥର ମୋ ଗଧ ପାହାଡ଼ ଉପରକୁ ପାଣି ବୋହିଲାଣି’’। “ସେ ହାଲିଆ ହୋଇଯାଉଛି ଏବଂ ଆମ ପାଖରେ ତାକୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ ମଧ୍ୟ ନାହିଁ।’’

ଯେତେବେଳେ ମୁଁ ୫୩ବର୍ଷ ବୟସ୍କା ଡଲି ବାଦାଙ୍କ ଘରେ ପହଞ୍ଚିଲି, ସେ ଗଧଟିକୁ ବଳକା ହରଡ଼ଡାଲି ଏବଂ ଘାସ ଖୁଆଉଥିଲେ। ତାଙ୍କ ସ୍ୱାମୀ ବାଦାଜୀ ଆକାଶକୁ ଚାହିଁଥିଲେ- ଏହା ଜୁନ୍‌ର ମଝି ସମୟ ଥିଲା। ସେ ବାଗ୍ରି ରାଜସ୍ଥାନୀ ଭାଷାରେ କହିଲେ, ‘‘ମୁଁ ଭାବୁଛି ବର୍ଷା ହେବ’’, ମୌସୁମୀ ସମୟରେ ପାଣି ଖୁବ୍‌ ମଇଳା ହୋଇଯାଏ ଏବଂ ମୋ ସ୍ତ୍ରୀକୁ ଆମ ଗଧ ସହ ବର୍ଷାରେ ମଇଳା ପାଣି ଆଣିବାକୁ ଯିବାକୁ ହୁଏ ।

ରାଜସ୍ଥାନ ଉଦୟପୁର ଜିଲ୍ଲାର ରିଷଭଦେଓ ତହସିଲର ପ୍ରାୟ ୧,୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ପାଚା ପଦଲା, ଯାହାକି ଉଦୟପୁର ସହରଠାରୁ ପ୍ରାୟ ୭୦କିଲୋମିଟର ଦୂରରେ ଅଛି। ଏଠି ମଣିଷ ଏବଂ ଜୀବଜନ୍ତୁ ଗୋଟିଏ ବର୍ଷାଦିନିଆ ଝରଣାରୁ ପାଣି ପିଅନ୍ତି। ଯେତେବେଳେ ସେଗୁଡ଼ିକ ଶୁଖିଯାଏ ଲୋକମାନେ ଭୂଇଁରେ ଗାତ ଖୋଳନ୍ତି ପାଣି ଉଠାଇବା ପାଇଁ। ଯେତେବେଳେ ବର୍ଷାହୁଏ ସେତେବେଳେ ଏହି ବଡ଼ ବଡ଼ ଗାତ ସବୁ ବର୍ଜ୍ୟ ସାମଗ୍ରୀରେ ଭରିଯାଏ। ପଦଲାର ଲୋକମାନେ ସଫା ପାଣି ଆସିବା ଆଶାରେ ଆଉ କିଛି ଗାତ ଖୋଳନ୍ତି ଏବଂ ଅନେକ ପରିବାର ପାହାଡ଼ ଉପରକୁ ପିଇବା ପାଣି ନେବା ପାଇଁ ସେମାନଙ୍କର ପୋଷା ଗଧମାନଙ୍କ ଉପଯୋଗ କରନ୍ତି- ଅନ୍ୟ ଗାଁ’ର ଲୋକମାନେ ପଦଲାକୁ ଗଧ ପାଣି ବୋହୁଥିବା ଗାଁ ଭାବରେ ସୂଚିତ କରନ୍ତି।

ଗଧମାନେ ବୋହୁଥିବା ପାଣି ଅନ୍ୟ ଘରୋଇ କାମ ପାଇଁ ବ୍ୟବହାର କରାଯାଏ। ଯଦିଓ ଅଧିକାଂଶ ସମୟରେ ମହିଳାମାନେ ସେହି ଗାତ କିମ୍ବା ଝରଣା ନିକଟକୁ ବାସନ ଓ କପଡ଼ା ସଫା କରିବାକୁ ନେବାକୁ ଚେଷ୍ଟା କରନ୍ତି। ଏଠାରେ ଲୋକମାନେ କୁହନ୍ତି ଗଧ ହେଉଛି ଏକ ନିବେଶ ଯାହା ବର୍ଷବର୍ଷ ଧରି ସବୁମାସରେ ବିନା କ୍ଳାନ୍ତିରେ ପାହାଡ଼ ଉପରକୁ ପାଣି ବୁହେ ।

In Pacha Padla village, many families (including Dali Bada and her husband Badaji, centre image) use donkeys to carry drinking water uphill
PHOTO • Sramana Sabnam
In Pacha Padla village, many families (including Dali Bada and her husband Badaji, centre image) use donkeys to carry drinking water uphill
PHOTO • Sramana Sabnam
In Pacha Padla village, many families (including Dali Bada and her husband Badaji, centre image) use donkeys to carry drinking water uphill
PHOTO • Sramana Sabnam

ପାଚା ପଦଲା ଗାଁ’ରେ ଅନେକ ପରିବାର (ଡଲି ବାଦା ଏବଂ ତାଙ୍କ ସ୍ୱାମୀ ବାଦାଜୀଙ୍କ ସମେତ, ମଝି ଫଟୋ) ପାହାଡ଼ ଉପରକୁ ପିଇବା ପାଣି ଆଣିବା ପାଇଁ ଗଧମାନଙ୍କୁ ବ୍ୟବହାର କରନ୍ତି

ଡଲି ଏବଂ ବାଦାଜୀ ଜଣେ ସ୍ଥାନୀୟ ଠିକାଦାର ପାଖରେ ଦିନମଜୁରିଆ ଭାବରେ କାମ କରନ୍ତି। ଯେତେବେଳେ କାମ ଉପଲବ୍ଧ ହୁଏ ସେମାନେ ପ୍ରତ୍ୟେକ ଦିନକୁ ପ୍ରାୟ ଟ. ୨୦୦ ଆୟ କରନ୍ତି । ଏଥିସହ ବାଦାଜୀ ହରଡ଼, ବୁଟ, ମକା, ଏବଂ ପନିପରିବା ଏକ ଏକରରୁ କମ୍‌ ସରକାରୀ ପଟ୍ଟା ଜମିରେ ଚାଷ କରନ୍ତି।

ସେମାନେ ୨୦୧୭ ମସିହାରେ ଆଉ ଏକ ପରିବାରଠାରୁ ଟ. ୨,୫୦୦ରେ ଗୋଟିଏ ଅଣ୍ଡିରା ଗଧ କିଣିଲେ – ଯିଏ ପାଣି ବୋହିଥାଏ। ସେମାନେ କୁହନ୍ତି, ‘‘ଏହି ଅର୍ଥ ସଞ୍ଚୟ କରିବା ପାଇଁ ସେମାନଙ୍କୁ ୧୮ମାସ ସମୟ ଲାଗିଯାଇଥିଲା। ସେମାନଙ୍କ ପରିବାର ଅହରି ଆଦିବାସୀ ସମୂହର-ସେମାନଙ୍କର ଗୋଟିଏ ମାଈ ଗଧ ଏବଂ ଅଣ୍ଡିରା ଗଧ ଛୁଆ ଏବଂ ଗୋଟିଏ ଛେଳି ଏବଂ ଗୋଟିଏ ଗାଈ ଅଛନ୍ତି ।

ଡଲି ବାଦା ସକାଳ ୫ଟାରୁ ତାଙ୍କର ପାଣିକାମ ଆରମ୍ଭ କରନ୍ତି। ପ୍ରତ୍ୟେକ ଥର ପାହାଡ଼ତଳକୁ ଓହ୍ଲାଇବାକୁ ୩୦ମିନିଟ୍‌ ସମୟ ଲାଗେ ଓ ଉପରକୁ ଚଢ଼ିବାକୁ ଏକ ଘଣ୍ଟା। ସେ ଗୋଟିଏ ଥର ଯାଆନ୍ତି ଏହାପରେ କିଛି ଘରକାମ କରନ୍ତି, ଏହାପରେ ପୁଣି ଥରେ ଗଧ ସହ ପାହାଡ଼ ତଳକୁ ଓହ୍ଲାନ୍ତି- ଏମିତି ଦିନ ୧୦ଟା ପର୍ଯ୍ୟନ୍ତ ଚାଲେ, ସେତେବେଳେ ସେ ମଜୁରୀ କାମ ପାଇଁ ଯାଆନ୍ତି। ସେ ବ୍ୟାଗ୍‌ ଭିତରେ ଭର୍ତ୍ତି ହୋଇଥିବା ପ୍ଲାଷ୍ଟିକ୍‌ର ଜେରିକ୍ୟାନରେ ପାଣିଭରନ୍ତି, ଯାହାକି ଗଧର ଉଭୟ କଡ଼ରେ ଓହଳିଥାଏ- ପ୍ରତ୍ୟେକ କ୍ୟାନ୍‌ରେ ପ୍ରାୟ ୧୨-୧୫ଲିଟର ପାଣି ଧରେ ଏବଂ ସେ ମଧ୍ୟ ନିଜ ମୁଣ୍ଡରେ ଗୋଟିଏ ମାଠିଆ ନିଅନ୍ତି। ଉଭୟ ଡଲି ଏବଂ ତାଙ୍କ ଗଧ ହାଲିଆ ହୋଇଯାଆନ୍ତି ଏବଂ ପାହାଡ଼ ଚଢ଼ିବା ବେଳେ ମଝିରେ ମଝିରେ କିଛି ସମୟ ବିଶ୍ରାମ ନିଅନ୍ତି।

ସେମାନଙ୍କ ଘରକୁ ମୋର ଗସ୍ତ ସମୟରେ ଡାଲି, ତାଙ୍କ ଗଧ ଏବଂ ମୁଁ ପାଣି ଆଣିବା ପାଇଁ ଗୋଟିଏ ତୀଖ ଗଡ଼ାଣିରେ ପାହାଡ଼ରୁ ଓହ୍ଲାଇଲୁ। ୨୦ମିନିଟ୍‌ ପରେ ଗୋଟିଏ ସଫା ବାଲି ଗରଡ଼ା ଓ ପଥର ଥିବା ସ୍ଥାନରେ ପହଞ୍ଚିଲୁ। ଡଲି ବାଦା କହିଲେ ମୌସୁମୀ ଋତୁରେ ଏହି ସ୍ଥାନ ଭିନ୍ନ ପ୍ରକାର ଦେଖାଯାଉଥିଲା-ଏହା ଏକ ଶୁଖିଯାଇଥିବା ଝରଣା ଥିଲା। ସ୍ଥାନୀୟ ଲୋକେ ଏହାକୁ ଜାବୁନାଲା କୁହନ୍ତି, ଏହା ଦେଇ ଆମେ ଚାଲୁଥିଲୁ।

Dali Bada, who makes multiple trips downhill and uphill over several hours every morning with her donkey, to fill water from a stream or pits dug by villagers, says: "... at times I feel that there's no god; if there was one, why would women like me die filling pots with water?'
PHOTO • Sramana Sabnam

ଡଲି ବାଦା, ଯିଏକି ପ୍ରତିଦିନ ସକାଳେ କେଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଗଧ ସହ ଗୋଟିଏ ଝରଣା କିମ୍ବା ଗ୍ରାମବାସୀଙ୍କ ଦ୍ୱାରା ଖୋଳାଯାଇଥିବା ଗୋଟିଏ ଗାତରୁ ପାଣି ଭରିବାକୁ ପାହାଡ଼ ଚଢ଼ନ୍ତି ଏବଂ ଓହ୍ଲାନ୍ତି, କୁହନ୍ତି: ‘‘…ବେଳେ ବେଳେ ମୁଁ ଅନୁଭବ କରେ ଭଗବାନ ନାହାଁନ୍ତି; ଯଦି ଭଗବାନ ଥାଆନ୍ତେ ତା’ହେଲେ ମୋ ଭଳି ସ୍ତ୍ରୀଲୋକମାନେ କାହିଁକି ପାଣି ମାଠିଆ ଭରି ମରୁଥାନ୍ତେ ?’’

ଗଧ ଅଟକିବା ପର୍ଯ୍ୟନ୍ତ ଆମେ ଚାଲିବାରେ ଲାଗିଲୁ; ସେ ତାହାର ଲକ୍ଷ୍ୟସ୍ଥଳ ଜାଣିଥିଲା। ଡଲି ବାଦା ଗୋଟିଏ ରଶି କାଢ଼ିଲେ ଏହାକୁ ଗୋଟିଏ ଷ୍ଟିଲ ଗରା (ପାତ୍ର) ରେ ବାନ୍ଧିଲେ ଏବଂ ଗାତ ଉପରେ ପଡିଥିବା ଗୋଟିଏ କାଠ ଉପରେ ଛିଡ଼ା ହେଲେ। ପାଣି ପ୍ରାୟ ୨୦ଫୁଟ ତଳେ ଥିଲା । ସେ ସେ ରଶିକୁ ଉପରକୁ ଭିଡ଼ିଲେ ଏବଂ ଖୁସିରେ ସେ ଭରିଥିବା ପାଣି ମୋତେ ଦେଖାଇଲେ। ତାଙ୍କ ଚେହେରାରେ ବିଜୟ ଲାଭ କରିବାର ଚମକ ଥିଲା।

ରାଜସ୍ଥାନର ନିଆଁ ଭଳି ଜଳୁଥିବା ଗ୍ରୀଷ୍ମ ଋତୁରେ ଜଳସ୍ତର କମିଯାଏ। ଡଲି ବାଦା କୁହନ୍ତି ଯେ ଏହି ଗ୍ରୀଷ୍ମ ଋତୁ ଭଗବାନଙ୍କର ଲୋକଙ୍କୁ ପରୀକ୍ଷା କରିବାର ଉପାୟ। ‘‘କିନ୍ତୁ ବେଳେ ବେଳେ ମୁଁ ଅନୁଭବ କରେ ଯେ ଭଗବାନ ନାହାଁନ୍ତି, ଯଦି ଥାଆନ୍ତେ ତା’ହେଲେ ମୋ ଭଳି ସ୍ତ୍ରୀ ଲୋକମାନେ କାହିଁକି ମାଠିଆରେ ପାଣି ଭରି ଭରି ମରୁଥାନ୍ତେ? ’’

ଘରେ ବାଦାଜୀ ଗଧ ଉପରୁ ପାଣି କାଢ଼ିଲେ । ସେ କହିଲେ, ‘‘କୌଣସି ମତେ ଏହି ପାଣି ନଷ୍ଟ କରିହେବ ନାହିଁ।’’ ଡଲି ବାଦା ବିଶ୍ରାମ ନେଲେ ନାହିଁ, ସେ ଆଉ କିଛି ଖାଲି ପାତ୍ର ପାଣି ଭରିବାକୁ ଖୋଜିବାକୁ ଗଲେ। ସେମାନଙ୍କ ୩୪ବର୍ଷର ପୁଅ କୁଲଦୀପ ଅହରି ମକା ପେଷିବା ପାଇଁ ରାତ୍ରିରେ କାମ କରିବା ପରେ ଶୋଇଥିଲେ। ଏହି ନୀରବ ଘରେ ଏକମାତ୍ର ଶବ୍ଦ ଥିଲା ବାଦାଜୀ ଗୋଟିଏ ପୂର୍ଣ୍ଣ ହୋଇଥିବା ଷ୍ଟିଲ୍‌ ଲୋଟା ରୁ ପାଣି ପିଇବାର।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sramana Sabnam

ଶ୍ରମନା ସବନମ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆର ଜେଣ୍ଡର ଷ୍ଟଡିଜ୍‌ର ଜଣେ ଉପାଧ୍ୟୁତ୍ତର ଛାତ୍ରୀ, ସେ ପଶ୍ଚିମବଙ୍ଗର ବର୍ଦ୍ଧମାନ ସହରର ବାସିନ୍ଦା ଏବଂ ସେ କାହାଣୀ ସନ୍ଧାନରେ ଭ୍ରମଣ କରିବାକୁ ପସନ୍ଦ କରନ୍ତି ।

Other stories by Sramana Sabnam