ଫାତିମା ବିବିଙ୍କ ନବଜାତ ଶିଶୁର ମୃତ୍ୟୁ ପରେ ହିଁ ସେ ଗୋଷ୍ଠୀ ପ୍ରସୂତି କେନ୍ଦ୍ରକୁ ତାଙ୍କର ପଞ୍ଚମ ପ୍ରସବ ପାଇଁ ଆସିଲେ । ତାଙ୍କର ସବୁ ଶିଶୁ- ତିନିଟି ଝିଅ ଓ ଗୋଟିଏ ପୁଅ, ଘରେ ଜନ୍ମ ନେଇଥିଲେ । ତାଙ୍କ ମାଆ ଜାମିଲା କହନ୍ତି, “ପୁଅଟି ଅକ୍‌ସିଜେନ୍‌ ଅଭାବରୁ ମରିଗଲା । “ତେଣୁ ଆମେ ଏଥର ହାସପାତାଳକୁ ଆସିଲୁ ।”

ସେମାନଙ୍କ ଗାଁ ରାମପୁରରୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାୟେମାରି ଗାଁ ପର୍ଯ୍ୟନ୍ତ ମାତ୍ର ୩୦ ମିନିଟ୍‌ର ବାଟ ଯିବା ପାଇଁ ତାଙ୍କ ପରିବାର ୭୦୦ ଟଙ୍କାରେ ଗୋଟିଏ ଭ୍ୟାନ୍‌ ଭଡ଼ାରେ ନେଲେ । ଫାତିମା କହନ୍ତି, “ଗାଁର ଗରିବ ମହିଳାମାନେ ଡଙ୍ଗାରେ ହାସପାତାଳ ଯାଏ ଯାଆନ୍ତି’’। “ଜୁଆର ଥିବା ବେଳେ ଏହା ଖୁବ୍‌ ବିପଜ୍ଜନକ। ଜୁଆର ଯୋଗୁଁ ଗତ ବର୍ଷ ଅତ୍ୟଧିକ ବୋଝେଇ ହୋଇଥିବା ଏକ ଡଙ୍ଗା କଥଖଲି ନିକଟରେ ବୁଡ଼ି ଯାଇଥିଲା। କେତେକ ଲୋକ ମଧ୍ୟ ପ୍ରାଣ ହରାଇଥିଲେ ।”

ଫାତିମାଙ୍କ ସଂଘର୍ଷ ହିଁ ସୁନ୍ଦରବନର ଗର୍ଭବତୀ ମହିଳାମାନେ ବାରମ୍ବାର ସମ୍ମୁଖୀନ ହେଉଥିବା ଦୁଃଖକଷ୍ଟକୁ ବୟାନ କରେ । ଏବଂ ସବୁ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଏହା ହିଁ ସତ । ଏହି ସବୁ ଦ୍ଵୀପରେ ରହୁଥିବା ଅଧିକାଂଶ ଲୋକଙ୍କ ପାଇଁ ଡାକ୍ତରୀ ସହାୟତା ପାଇବା ଏକ କଷ୍ଟଦାୟକ ଅଭିଯାନ ।

ସୁନ୍ଦରବନ ଅଞ୍ଚଳ ସାରା ଅଳ୍ପ କେତେକ ଚିକିତ୍ସା ଉପ-କେନ୍ଦ୍ର ରହିଛି । ଏହା ହିଁ ସରକାରଙ୍କ ପ୍ରାଥମିକ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥା ସହ ଏଠାକାର ଲୋକଙ୍କ ପାଇଁ ପ୍ରଥମ ଯୋଗାଯୋଗ ସ୍ଥଳ। ପ୍ରତିଟି ଉପକେନ୍ଦ୍ର ୫୦୦୦ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଥିବା ପଶ୍ଚିମ ଶ୍ରୀପତିନଗର ଏବଂ ପୂର୍ବ ଶ୍ରୀପତିନଗର ଗାଁର ଲୋକସଂଖ୍ୟା ପ୍ରାୟ ୯୫୦୦ (୨୦୧୧ ଜନଗଣନା ଅନୁସାରେ)। ଏହା ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଥିବାରୁ ୧୦,୦୦୦ରୁ ଅଧିକ ଲୋକ, ସେମାନଙ୍କ ସ୍ଵାସ୍ଥ୍ୟସେବା ଆବଶ୍ୟକତା ପୂରଣ ନିମନ୍ତେ, ପର୍ଯ୍ୟାପ୍ତ ଡାକ୍ତରୀ ଉପକରଣ ନ ଥିବା ଦୁଇଟି ଉପ-କେନ୍ଦ୍ର ଏବଂ କେତେକ ଆତ୍ମଘୋଷିତ ସ୍ଥାନୀୟ ‘ଡାକ୍ତର’ଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରନ୍ତି ।

ଏହା ହିଁ ସୁନ୍ଦରବନ ଅଞ୍ଚଳର ଦୂରବର୍ତ୍ତୀ ଭାଗରେ ଥିବା ପଶ୍ଚିମ ଶ୍ରୀପତିନଗର ଭଳି ଗାଁଗୁଡ଼ିକର ଲୋକମାନଙ୍କୁ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରଗୁଡ଼ିକର ସେବା ଉପରେ ନିର୍ଭର କରିବାକୁ ବାଧ୍ୟ କରେ । ଏଥିରୁ କେତେକ କେନ୍ଦ୍ର ଏଠାକାର ପାଣିରେ ଯାତାୟାତ କରୁଥିବା ଡଙ୍ଗାରେ ଚାଲେ । ଆମେ ଯାଇଥିବା ଦିନ, ଅଳ୍ପ କେଇ ଜଣ ଅସୁସ୍ଥ ଏବଂ ରୋଗାକ୍ରାନ୍ତ ଲୋକ ଗୋଟିଏ ଖାଲି କୋଠରି ବାହାରେ ରୁଣ୍ଡ ହୋଇଥିଲେ । ସେହି କୋଠରି ହିଁ ଗୋଟିଏ ଦିନ ପାଇଁ ଚିକିତ୍ସା କେନ୍ଦ୍ରର ରୂପ ନେବ । ଦୁଇ ଘଣ୍ଟାର ଯାତ୍ରା ପରେ ଶିବୁଆ ନଦୀ ଆରପଟରୁ ଆସି ଠିକ୍‌ ସେହି ସମୟରେ ଗୋଟିଏ ଡାକ୍ତରୀ ଦଳ ପହଞ୍ଚିଲେ । ଆଜି ମଙ୍ଗଳବାର, ଡାକ୍ତରୀ ଦଳ ଏହି ଗାଁକୁ ଆସିବା ପାଇଁ ନିର୍ଦ୍ଧାରିତ ବାର।

PHOTO • Urvashi Sarkar

ଜାତୀୟ ସ୍ଵାସ୍ଥ୍ୟମିଶନର ଅଂଶ ରୂପେ ଚାଲିଥିବା ଏକ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ସୁନ୍ଦରବନର ପାଣିରେ ଯାତାୟାତ କରେ

ଏହି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରଟି ଜାତୀୟ ସ୍ଵାସ୍ଥ୍ୟ ମିଶନର ଏକ ଅଂଶ । ପଶ୍ଚିମ ଶ୍ରୀପତିନଗର ଏବଂ ପୂର୍ବ ଶ୍ରୀପତିନଗରରେ ଥିବା ଦୁଇଟି ସରକାରୀ ଉପକେନ୍ଦ୍ରର କାର୍ଯ୍ୟ ପରିସରରୁ ବାଦ୍‌ ପଡ଼ିଯାଉଥିବା ଅଞ୍ଚଳ ଏବଂ ସୁନ୍ଦରବନର ଅନ୍ୟାନ୍ୟ କେତେକ ଭାଗରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦକ୍ଷିଣୀ ସ୍ୱାସ୍ଥ୍ୟ ଉନ୍ନତି ସମିତି (SHIS) ଏବଂ ଅନ୍ୟ କେତେକ ବେସରକାରୀ ସଂଗଠନ ଏହି ସବୁ କେନ୍ଦ୍ର ସଂଚାଳନ କରନ୍ତି ।

ଏଭଳି ୧୦ଟିରୁ କମ୍‌ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ସୁନ୍ଦରବନ ଅଞ୍ଚଳରେ ଚାଲେ ଏବଂ ଏହି ଦ୍ଵୀପଗୁଡ଼ିକର ମୋଟ ଲୋକସଂଖ୍ୟା ୪୪ ଲକ୍ଷ । କିନ୍ତୁ ଅଧିକ ସଂଖ୍ୟକ ଗାଁ ଲୋକେ ଏହି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ଆସିଥାଆନ୍ତି । କାରଣ, ଉପକେନ୍ଦ୍ରଗୁଡ଼ିକୁ ଯିବା ଅର୍ଥ ଦୁର୍ଗମ ଅଞ୍ଚଳ ଦେଇ ଯାତ୍ରା କରିବା ଏବଂ ଅନେକ ସମୟରେ ଯୋଗ୍ୟତାପ୍ରାପ୍ତ ଡାକ୍ତରଙ୍କ ଅଭାବ ଅନୁଭବ କରିବା ହୋଇପାରେ ।

ପଶ୍ଚିମ ଶ୍ରୀପତିନଗରର ଏକ ବଖୁରିଆ ଏହି ସାପ୍ତାହିକ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ଲାଗି ଆଶା ଦାସ ତାଙ୍କ ଘରୁ ଚାଲି ଚାଲି ଆସିଛନ୍ତି । ଅସୁସ୍ଥ ଅବସ୍ଥାରେ, ପ୍ରଖର ସୂର୍ଯ୍ୟତାପ ସହି ଅଧାଗଢ଼ା ଇଟାରେ ତିଆରି ରାସ୍ତା ଉପରେ ଚାଲିବା ସହଜ ନୁହେଁ । ଚିକିତ୍ସା ଲୋଡ଼ିବା ପାଇଁ ସେ ଭୋଗିଥିବା ଅସୁବିଧାର କଥା କହନ୍ତି: “SHIS ଭଳି ସଂଗଠନ ସପ୍ତାହରେ ଦିନେ କି ଦୁଇ ଦିନ ଚିକିତ୍ସା କେନ୍ଦ୍ର ଚଳାନ୍ତି । ଅନ୍ୟ ସବୁ ଦିନରେ ଆମେ ଉପ-କେନ୍ଦ୍ର ଉପରେ କିମ୍ବା ନକଲି ଡାକ୍ତରଙ୍କ ଉପରେ ନିର୍ଭର କରୁ । ପାଥରପ୍ରତିମାରେ ଥିବା (ସର୍ବସାଧାରଣ) ଡାକ୍ତରଖାନା ପ୍ରାୟ ତିନି ଘଣ୍ଟାର ବାଟ ଦୂରରେ ଏବଂ ସେଠାରେ ପହଞ୍ଚିବାକୁ ହେଲେ ଅତି କମ୍‌ରେ ୧୦୦ ଟଙ୍କା ଲାଗେ। ଅତି କମ୍‌ରେ ଦୁଇଟି ଡଙ୍ଗା ଏବଂ ଭ୍ୟାନ୍‌ ବଦଳାଇବାକୁ ପଡ଼େ। ଜରୁରୀକାଳୀନ ସ୍ଥିତିରେ ଆମେ ପ୍ରକୃତରେ ଫସିଯାଉ।”

PHOTO • Urvashi Sarkar

ଭ୍ରାମ୍ୟମାଣ SHIS ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ନର୍ସ ବୁଲୁ ସାମନ୍ତ ଏବଂ ଫାର୍ମାସିଷ୍ଟ ପରେଶ ଚନ୍ଦ୍ର ଜାନା  

SHIS ଚିକିତ୍ସା କେନ୍ଦ୍ରର ଦେବଜିତ ମାଇତି କହନ୍ତି, ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ରକୁ ଆସୁଥିବା ଅଧିକାଂଶ ଲୋକ ସାଧାରଣତଃ ଗଣ୍ଠିବାତ, ଆଣ୍ଠୁଗଣ୍ଠି ବାତ, ସ୍ପଣ୍ଡିଲାଇଟିସ୍‌, ପ୍ରଦର, କୁଣ୍ଡିଆ, ଏକ୍‌ଜିମା ଏବଂ ବଥର ଚିକିତ୍ସା ପାଇଁ ଆସନ୍ତି । SHIS ଚିକିତ୍ସା କେନ୍ଦ୍ରରେ ରୋଗୀଙ୍କୁ ଦେଖୁଥିବା ଡାକ୍ତର ପ୍ରଶାନ୍ତ ରାୟଚୌଧୁରୀ କହନ୍ତି ଯେ ପାଣିରେ ଅଧିକ ଲବଣ ମାତ୍ରା ହିଁ ସାରା ସୁନ୍ଦରବନ ଅଞ୍ଚଳରେ ଅନେକ ରୋଗର ମୂଳ କାରଣ ।

PHOTO • Urvashi Sarkar

ସୁନ୍ଦରବନର ପାଣିରେ ଅଧିକ ଲବଣ ମାତ୍ରା ଅନେକ ରୋଗର କାରଣ ହୋଇପାରେ

ସୁନ୍ଦରବନ ଅଞ୍ଚଳରେ ସ୍ଵାସ୍ଥ୍ୟସେବା ପାଇବାରେ ରହିଥିବା ସମସ୍ୟା ସଂପର୍କରେ ମଧ୍ୟ ସେ କହନ୍ତି: “ଡାକ୍ତରମାନେ ଏଠାକୁ ଆସିବାକୁ ଚାହାଁନ୍ତିନି, ଏଠାରେ ଖୁବ୍‌ କମ୍‌ ପଇସା ଏବଂ ଜୀବନଯାପନ ବି କଷ୍ଟକର । କେତେକ ଅଞ୍ଚଳରେ ସରକାର ମଧ୍ୟ ସେମାନଙ୍କୁ ରୋଗୀ ଦେଖିବା ପାଇଁ ସ୍ଥାନ ଦିଅନ୍ତି ନାହିଁ । କାହିଁକି ବା ସେମାନେ ଆସିବେ ? ତେଣୁ ସ୍ଥାନୀୟ ନକଲି ଡାକ୍ତରମାନେ ଲୋକଙ୍କୁ ଅନୁଚିତ ଉପାୟରେ ଔଷଧପତ୍ର ଦିଅନ୍ତି ଏବଂ ବେଳେବେଳେ ସେମାନଙ୍କୁ ଲୁଟି ନିଅନ୍ତି ।”

ଗର୍ଭବତୀ ମହିଳାଙ୍କ ପାଇଁ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଥିବା ଏହି ସବୁ ପ୍ରତିବନ୍ଧକ ବେଶ ବଡ଼ ଆକାର ନେଇଥାଏ। SHIS ଚିକିତ୍ସା କେନ୍ଦ୍ରଠାରୁ ଅଳ୍ପ ଦୂରରେ ପଶ୍ଚିମ ଶ୍ରୀପତିନଗରରେ ଥିବା ସରକାରୀ ଉପ-କେନ୍ଦ୍ର ଅବସ୍ଥିତ। ଭିତରେ, ଡେସ୍କ ପାଖରେ ବସିଥାଆନ୍ତି ଦୁଇ ଜଣ ଏଏନ୍‌ଏମ୍‌ (ସହାୟକ ସେବିକା ତଥା ଧାଈ) ମହିମା ମଣ୍ଡଳ ଏବଂ ଲୋଖି ବୋର ମଣ୍ଡଳ। କେନ୍ଦ୍ରରେ ରୋଗୀମାନଙ୍କୁ ପରୀକ୍ଷା କରିବା ପାଇଁ ଦୁଇଟି ଟେବୁଲ ଅଛି, ଶଯ୍ୟା ନାହିଁ କି ବିଦ୍ୟୁତ୍‌ ସଂଯୋଗ ନାହିଁ । ସେଦିନ ଭ୍ରାମ୍ୟମାଣ SHIS ଚିକିତ୍ସା କେନ୍ଦ୍ର ଥିବାରୁ ଅପରାହ୍‌ଣରେ ଏଠାକୁ ଜଣେ ହେଲେ ରୋଗୀ ଆସି ନଥିଲେ । ଏଏନ୍‌ଏମ୍‌ମାନେ କହନ୍ତି, “ଯେତେବେଳେ ସେମାନେ ଦ୍ଵୀପକୁ ଆସନ୍ତି, SHISର ଡାକ୍ତରଙ୍କ ଭଳି ଜଣେ ଯୋଗ୍ୟତାପ୍ରାପ୍ତ ଡାକ୍ତରଙ୍କୁ ଦେଖା କରିବା ପାଇଁ ଆମେ ନିଜେ ହିଁ ଲୋକଙ୍କୁ କହିଥାଉ।”

ଉପ-କେନ୍ଦ୍ରରେ ପ୍ରାଥମିକ ରୋଗ ପାଇଁ ଚିକିତ୍ସା ସୁବିଧା ଏବଂ ଗର୍ଭବତୀ ମହିଳାଙ୍କର ପ୍ରସବ ପୂର୍ବବର୍ତ୍ତୀ ଏବଂ ପ୍ରସବ ପରବର୍ତ୍ତୀ ସେବା ମିଳେ। ଏଏନ୍‌ଏମ୍‌ମାନେ, କେତେକ ଆଶା (ମାନ୍ୟତାପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ) କର୍ମୀ ଏବଂ ଜଣେ ପୁରୁଷ ନର୍ସ ଏହି ସେବା ଯୋଗାଇ ଦିଅନ୍ତି । ହେଲେ ସେଠାରେ ପ୍ରସବ କରିବାକୁ ଦିଆଯାଏ ନାହିଁ । ଲୋଖିବୋର ମଣ୍ଡଳ କହନ୍ତି, “ହାସପାତାଳରେ ପ୍ରସବ କରିବା ପାଇଁ ଆମକୁ ମହିଳାମାନଙ୍କୁ ରାଜି କରାଇବାକୁ ପଡ଼େ (କାରଣ ଦୂରତା ଏବଂ ମୂଲ୍ୟ ହିଁ ବାସ୍ତବ ପ୍ରତିବନ୍ଧକ ସାଜିଥାଏ)। ଏପରିକି, କେବଳ ହାସପାତାଳରେ ପ୍ରସବ କଲେ ହିଁ ମହିଳାମାନଙ୍କୁ ଜନ୍ମ ପ୍ରମାଣପତ୍ର ଏବଂ ଖାଉଟି କାର୍ଡ ମିଳିବ ବୋଲି କହି ପଞ୍ଚାୟତକୁ ମଧ୍ୟ କୌଶଳ ପ୍ରୟୋଗ କରିବାକୁ ପଡ଼େ।”

ବାଲିଅରା ଗାଁର ଉପ-କେନ୍ଦ୍ରରେ ଜଣେ ‘ଧାଈମା’ (ପାରମ୍ପରିକ ପ୍ରସବ ସହାୟିକା) ଭାବେ କାର୍ଯ୍ୟରତ ହାମିଦୋଁ ବିବିଙ୍କ ବୟସ ୫୦ ଟପିଲାଣି । ୧୪ ବର୍ଷ ତଳେ ସେ ଯେତେବେଳେ କାମ ଆରମ୍ଭ କଲେ ତାଙ୍କ ମାସିକ ଦରମା ଥିଲା ୨୫ ଟଙ୍କା । ଏବେ ଏହା ୫୫୦ ଟଙ୍କା । ତାଙ୍କ କାମ ହେଲା ଗର୍ଭବତୀ ମହିଳାମାନଙ୍କୁ ଶିଶୁ ପ୍ରସବ କରିବାରେ ସହାୟତା କରିବା । ସେ କହନ୍ତି, “ଏଏନ୍‌ଏମ୍‌ ଏବଂ ଆଶା କର୍ମୀଙ୍କ ଭଳି ମୋତେ କାହିଁକି ରଙ୍ଗିନ ଶାଢ଼ି ମିଳିବନି ? ମୁଁ ଏତେ କାମ କରେ, କିନ୍ତୁ କୌଣସି ସ୍ଵୀକୃତି ପାଏ ନାହିଁ । ଏମିତି କି ମୋତେ ମଧ୍ୟାହ୍ନ ଭୋଜନ କିମ୍ବା ଖାଇବାକୁ ପଇସା ବି ମିଳେନି ।”

PHOTO • Urvashi Sarkar

ମୌସୁନି ଦ୍ଵୀପର ଜଣେ ‘ଧାଈମା’ ହାମିଦୋଁ ବିବି ଏବଂ ତାଙ୍କ ନାତୁଣୀ ହୋସ୍‌ନାରା ଖାତୁନ୍‌

ତିନି ମାସ ତଳେ ନିକଟବର୍ତ୍ତୀ ଲକ୍ଷ୍ମୀପୁର ଗାଁରେ ଏକ ଗୋଷ୍ଠୀ ପ୍ରସବ କେନ୍ଦ୍ର (CDC) ସ୍ଥାପନ ହେବା ପରେ ପରିସ୍ଥିତି କିଛିଟା ସୁଧୁରିଛି । ବେସରକାରୀ ସଂଗଠନ ଦ୍ଵାରା ପରିଚାଳିତ ଅନେକ ସିଡିସି ସଂସ୍ଥାଗତ ପ୍ରସବକୁ ପ୍ରୋତ୍ସାହନ ଦେଉଛନ୍ତି । ସରକାରୀ ହାସପାତାଳ ସହିତ ମିଶି ସେମାନେ ଅଧିକରୁ ଅଧିକ ମହିଳାଙ୍କ ପାଇଁ ଏଭଳି ପ୍ରସବ ଦିଗରେ ସୁଯୋଗ ସୃଷ୍ଟି କରୁଛନ୍ତି । କିନ୍ତୁ କୋଲକାତାର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ମ୍ୟାନେଜ୍‌ମେଣ୍ଟ୍‌ ରିସର୍ଚ୍ଚ ପକ୍ଷରୁ ୨୦୧୪ରେ କରାଯାଇଥିବା ଏକ ଅନୁଧ୍ୟାନ  ଅନୁସାରେଏବେ ବି ସୁନ୍ଦରବନ ଅଞ୍ଚଳର ୫୫ ପ୍ରତିଶତ ଶିଶୁ ଘରେ ଜନ୍ମ ନେଇଥାଆନ୍ତି ।

କେତେକ ସମୟରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନକୁ କେତେକାଂଶରେ ପୂରଣ କରିବା ଲାଗି କୌଣସି ଏକ ବେସରକାରୀ ସଂଗଠନ ପକ୍ଷରୁ ଚିକିତ୍ସା ଶିବିରଟିଏ ଖୋଲାଯାଏ । ନାମଖାନା ବ୍ଲକ୍‌ର ମୌସୁନି ଦ୍ଵୀପରେ ଭଗ୍ନାବସ୍ଥାରେ ଥିବା ଏକ ସ୍କୁଲ୍‌ର ଶ୍ରେଣୀଗୃହରେ ସମାଜ ଉନ୍ନୟନ କେନ୍ଦ୍ର ଦ୍ଵାରା ଆୟୋଜିତ ଏଭଳି ଏକ ଶିବିର ସ୍ଥାପନ ଦିଗରେ ଗାଁର ଫରିଦା ବେଗ୍‌ ସହଯୋଗ କରୁଛନ୍ତି । ଏହି ବେସରକାରୀ ସଂଗଠନ ଏକ ଦୈନିକ ଡାକ୍ତରୀ ସେବା କେନ୍ଦ୍ର (ଜାତୀୟ ସ୍ଵାସ୍ଥ୍ୟ ମିଶନର ଅଂଶ ନୁହେଁ) ଆରମ୍ଭ କରିଥିଲେ, କିନ୍ତୁ ୨୦୧୫ରେ ଏଥିପାଇଁ ପାଣ୍ଠିଯୋଗାଣ ବନ୍ଦ ହୋଇଯାଇଥିଲା । ଆଜିକାଲି ଏହି ସଂଗଠନ ସାମୟିକ ଭାବେ ସ୍ଵାସ୍ଥ୍ୟ ଶିବିର ଚଳାଉଛି ଏବଂ ଏ ବର୍ଷ ମେ ମାସରେ ଦ୍ଵୀପରେ ଏକ ଚକ୍ଷୁ ଶିବିରର ଆୟୋଜନ କରିଥିଲା ।

PHOTO • Urvashi Sarkar

ମୌସୁନି ଦ୍ଵୀପରେ ଏକ ଚକ୍ଷୁ ଶିବିରର ପ୍ରସ୍ତୁତି

ଫରିଦା କହନ୍ତି, “ପଞ୍ଚାୟତ ପକ୍ଷରୁ ମାଇକ୍‌ରେ ପ୍ରଚାର କରାଯାଇଥିବାରୁ ଗାଁ ଲୋକେ ଶିବିର ସଂପର୍କରେ ଜାଣନ୍ତି’’। “ଆମେ ଅସୁସ୍ଥ ହୋଇପଡ଼ିଲେ, ଆମକୁ ପ୍ରାୟ ୧୫ କିଲୋମିଟର ଦୂର ଦାରିକାନଗର ସର୍ବସାଧାରଣ ହାସପାତାଳକୁ ପଠାଇ ଦିଆଯାଏ। କିନ୍ତୁ ସବୁବେଳେ ଡଙ୍ଗା ମିଳେ ନାହିଁ । ବେଳେବେଳେ ହାସପାତାଳରେ ଡାକ୍ତର ନ ଥାଆନ୍ତି କିମ୍ବା ଅକ୍‌ସିଜେନ୍‌ ନ ଥାଏ କିମ୍ବା ସିଜାରିଆନ୍‌ (ପ୍ରସବ) କରାଯାଏ ନାହିଁ । ସେତେବେଳେ ସେମାନେ ଆମକୁ ଆଉ ୩୫ କିଲୋମିଟର ଦୂର କାକଦ୍ଵୀପ ହାସପାତାଳକୁ ପଠାଇ ଦିଅନ୍ତି । ଗର୍ଭବତୀ ମହିଳାମାନେ କାକଦ୍ଵୀପକୁ ଯିବା ପାଇଁ ନାମକୁ ମାତ୍ର ଥିବା ରାସ୍ତା ଏବଂ ଜୁଆରର ମୁକାବିଲା କରନ୍ତି ।”

ଆଉ ଯେତେବେଳେ ଏଥିରୁ କୌଣସି ଗୋଟିଏ ହେଲେ ହାସପାତାଳରେ ଚିକିତ୍ସା ସମ୍ଭବ ହୁଏନାହିଁ, ଦ୍ଵୀପାଞ୍ଚଳବାସୀମାନେ ଡାଏମଣ୍ଡ ହାର୍ବର ଏବଂ କୋଲକାତାରେ ଥିବା ବଡ଼ ହାସପାତାଳକୁ ଯାଆନ୍ତି, ଯେଉଁଥିରେ ୫-୬ ଘଣ୍ଟାର ଯାତ୍ରା ସମୟ ଏବଂ ବହୁତ ଖର୍ଚ୍ଚ ଲାଗେ ।

SHISର ସ୍ଵାସ୍ଥ୍ୟସେବା କାର୍ଯ୍ୟକ୍ରମ ସଂଯୋଜକ ଅନୱର ଆଲାମଙ୍କୁ ଲାଗେ ଯେ ସବୁଠୁଁ ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ । ଘାଟକପୁକୁରରେ ଥିବା ତାଙ୍କ ଅଫିସ୍‌ରେ ମୋ ସହିତ କଥାବାର୍ତ୍ତା କରିବା ବେଳେ ସେ କହନ୍ତି, “କେତେ ଦୂରରେ ସେମାନେ ପହଞ୍ଚି ପାରିବେ ? ପାଣ୍ଠି ଅଭାବରୁ ସେମାନେ ବି ହାତବାନ୍ଧି ବସନ୍ତି। ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ହେଉ କି ଗୋଷ୍ଠୀପ୍ରସବ କେନ୍ଦ୍ର, ଏଗୁଡ଼ିକରୁ ଅଧିକାଂଶ ସରକାରୀ-ବେସରକାରୀ ଭାଗିଦାରି ଢାଞ୍ଚାରେ ଚାଲେ । ସ୍ଵାସ୍ଥ୍ୟ ସେବା ଯୋଗାଇ ପାରୁଥିବା ବେସରକାରୀ ସଂଗଠନଗୁଡ଼ିକ ଉପରେ ସରକାର ବହୁତବେଶୀ ନିର୍ଭର କରନ୍ତି ।”

କଥା ଯୋଡ଼ି ଦେବଜିତ ମାଇତି କହନ୍ତି, “ସରକାରୀ-ବେସରକାରୀ ଭାଗିଦାରି ଢାଞ୍ଚା ସତ୍ତ୍ଵେ ଦକ୍ଷିଣ୨୪ ପ୍ରଗଣା ଜିଲ୍ଲାରେ ଥିବା ସୁନ୍ଦରବନର ଅଧିକାଂଶ ଅଞ୍ଚଳରେ ନାମକୁ ମାତ୍ର ସ୍ଵାସ୍ଥ୍ୟ ସେବା ଉପଲବ୍‌ଧ ହୁଏ। ଉଦାହରଣତଃ, ନାମଖାନା, କୁଲତାଇ, ପାଥରପ୍ରତିମା, ରାଇଦିଘି, ଗୋସାବା ଏବଂ ବାସନ୍ତୀର କେତେକ ଅଂଶ ଏବଂ ସଂଲଗ୍ନ ଉତ୍ତର ୨୪ ପ୍ରଗଣା ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ।”

କିନ୍ତୁ ବାୟେମାରି ଗୋଷ୍ଠୀ ପ୍ରସବ କେନ୍ଦ୍ରର ଡାକ୍ତର ନୀଳମାଧବ ଭଟ୍ଟାଚାର୍ଯ୍ୟଙ୍କ ମତ ଭିନ୍ନ: ସେ ପଚାରନ୍ତି, “କେତେ ଦିନ ଯାଏ ଆଉ ଭଙ୍ଗା ରାସ୍ତା ଆଉ ନଦୀର ଉଗ୍ର ରୂପକୁ ଦୋଷ ଦେବେ ? ଏଭଳି ସ୍ଥିତି କେବଳ ସୁନ୍ଦରବନରେ ନୁହେଁ । ଏଗୁଡ଼ିକ ଖାଲି ବାହାନା । ଗ୍ରାମାଞ୍ଚଳ ଡାକ୍ତରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମେତ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥାର ପ୍ରତିଟି ସ୍ତରରେ ଅନେକ ସମସ୍ୟା ରହିଛି, ଯେଉଁଗୁଡ଼ିକର ସମାଧାନ ଲୋଡ଼ା ।”

PHOTO • Urvashi Sarkar

ମୌସୁନି ଦ୍ଵୀପରେ ଡାକ୍ତରଙ୍କୁ ଦେଖା କରିବାକୁ ପାଳି ପଡ଼ିବା ଅପେକ୍ଷାରେ ରୋଗୀମାନେ

ଇତ୍ୟବସରରେ, ସେମାନଙ୍କ ଜୀବନ ଓ ସ୍ଵାସ୍ଥ୍ୟ ପାଇଁ ଅକସ୍ମାତ୍‌ ସୁଯୋଗକୁ ଅପେକ୍ଷା କରନ୍ତି ସୁନ୍ଦରବନର ଲୋକେ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Other stories by Urvashi Sarkar