ଦେବାଶିଷ ମଣ୍ଡଳ ତାଙ୍କ ଘରର ଭଙ୍ଗା କାନ୍ଥକୁ ଶୂନ୍ୟ ଭାବରେ ଅନାଇ ରୁହନ୍ତି । ସେ ଯେଉଁ ଘରେ ୩୫ବର୍ଷ ତଳେ ଜନ୍ମ ହୋଇଥିଲେ ତାହାର କେବଳ ଯାହା ବାକି ରହିଛି ଭଙ୍ଗା ଇଟା, ସିମେଣ୍ଟ ଗଦା ଏବଂ ଭାଙ୍ଗି ଯାଇଥିବା ଛାତ ହିଁ ରହିଛି

ଉତ୍ତର କୋଲକାତାର ତଲାହ ବ୍ରିଜ ତଳେ ଯେଉଁ କଲୋନୀରେ ସେମାନେ ରହୁଥିଲେ, ସେଠାରେ ପ୍ରାୟ ୬୦ଟି ପରିବାର ବାସ କରୁଥିଲେ, ନଭେମ୍ବର ୧୧ ତାରିଖରେ ତାହା ମାଟିରେ ମିଶିଗଲା। ସ୍ଥାନୀୟ ନଗରପାଳିକା କର୍ତ୍ତୃପକ୍ଷ ଏବଂ ଲୋକ ନିର୍ମାଣ ବିଭାଗ (ପିଡବ୍ଲୁଡି)ର ବ୍ୟକ୍ତିବିଶେଷ, ସେହିଦିନ ସକାଳେ ପ୍ରାୟ ୧୦ଟା ୩୦ ବେଳକୁ ପୋଲିସମାନଙ୍କ ଦଳ ସହ ଆସିଲେ। ସେମାନେ ଭାଙ୍ଗିବା ପାଇଁ ଶ୍ରମିକ ନେଇ ଆସିଥିଲେ ଏବଂ ଦୁଇଦିନ ପରେ କେତେକ ସିମେଣ୍ଟ ନିର୍ମାଣ ପାଇଁ ବୁଲଡୋଜର ମଧ୍ୟ ଡକାଗଲା। ବସ୍ତିକୁ ଭାଙ୍ଗିବାକୁ ପ୍ରାୟ ଏକ ସପ୍ତାହ ଲାଗିଥିଲା। ଦୁଇଟି ଅଧାଭଙ୍ଗା ଘର ଏବେ ବି ଛିଡ଼ା ହୋଇଛି, ଦିନ ମଜୁରିଆମାନେ ଭୂମିକୁ ସମାନ କରିବା, ଏବଂ ଭଗ୍ନାବଶେଷ ସଫା କରିବା (ଡିସେମ୍ବରରେ) ଜାରି ରଖିଛନ୍ତି।

ତଲାହ ବ୍ରିଜ ବିଟି ରୋଡର ନଜରୁଲ ପାଲି ଗଳିରେ ଅବସ୍ଥିତ। ବସ୍ତିର ଅଧିବାସୀମାନେ ଆକଳନ କରନ୍ତି ଯେ ସେମାନଙ୍କ କଲୋନୀ-ପିଡବ୍ଲୁଡି ଅଧୀନରେ ଥିବା ଏହି ଜମି ଉପରେ ନିର୍ମିତ ୭୦ବର୍ଷରୁ ଅଧିକ ପୁରୁଣା।

ମାସିକ ଟ. ୯୦୦୦ ଟଙ୍କା ଆୟ କରୁଥିବା ଆମ୍ବୁଲାନ୍ସ ଡ୍ରାଇଭର ଦେବାଶିଷ କୁହନ୍ତି, ‘‘ଏହା ଚଡ଼କ ପଡ଼ିବା [ପରି] ଥିଲା। ଯେଉଁ ଚାଳଘରେ ତାଙ୍କ ବାପା ଜନ୍ମ ହୋଇଥିଲେ ତାହାକୁ ସେହି ସ୍ଥାନରେ ପକ୍କା ଘର ତିଆରି ପାଇଁ ସେ ସ୍ଥାନୀୟ ସାହୁକାର ଏବଂ ସାଙ୍ଗସାଥୀଙ୍କଠାରୁ ପ୍ରାୟ ଟ. ୧.୫ ଲକ୍ଷ ଧାର ଆଣିଥିଲେ। ତାଙ୍କର ଜେଜେବାପା, ଜେଜେମାଆ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ୨ ବ୍ଲକ୍‌ରେ ଥିବା ଦାଉଦପୁର ଗ୍ରାମ-ସୁନ୍ଦରବନର ଏକ ଅଂଶ-ରୁ କେଇ ଦଶକ ତଳେ କାମର ସନ୍ଧାନରେ ଆସିଥିଲେ।

ଦେବାଶିଷ ନିର୍ମାଣ କରିଥିବା ଘର ଭାଙ୍ଗି ଦିଆଯାଇଛି । କିନ୍ତୁ ସେ ଉଚ୍ଚ ସୁଧ ହାରରେ ଆଣିଥିବା ଋଣର ଅଧିକାଂଶ ଭାଗ ବାକି ଅଛି।

ଯେତେବେଳେ ପିଡବ୍ଲୁଡି ଏବଂ ମହାନଗର ନିଗମ କର୍ତ୍ତୃପକ୍ଷ ସେମାନଙ୍କୁ ମୌଖିକ ଭାବରେ ସୂଚିତ କଲେ ଯେ ଏହି ପୋଲ ମରାମତି ହେବ, ସେତେବେଳେ ଅର୍ଥାତ୍‌ ସେପ୍ଟେମ୍ବର ୨୪ ତାରିଖରେ ତଲାହ କଲୋନୀର ବାସିନ୍ଦାଙ୍କ ପାଇଁ ସମସ୍ୟା ଆରମ୍ଭ ହୋଇଗଲା। ସେମାନଙ୍କୁ ଅଳ୍ପ କେଇଟି ଜିନିଷ ସହ ଏହି ସ୍ଥାନ ଛାଡ଼ିବାକୁ ହେବ ଏବଂ ଯେତେବେଳେ ମରାମତି ସରିବ, ସେତେବେଳେ ଫେରିବାକୁ ହେବ। ସେପ୍ଟେମ୍ବର ୨୫ ସନ୍ଧ୍ୟାରେ ଏଠାରେ ବାସ କରୁଥିବା ୬୦ଟି ପରିବାର ଦୁଇଟି ନିକଟସ୍ଥ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ ହେଲେ। ଏ ମଧ୍ୟରୁ ଗୋଟିଏ ରେଳବାଇ ଜମି ଉପରେ ରହିଛି ଅନ୍ୟଟି ରାଜ୍ୟ ଜଳସେଚନ ବିଭାଗ ମାଲିକାନାରେ ଥିବା ଗୋଟିଏ ଜମି ଉପରେ କେନାଲ କୂଳରେ ରହିଛି ।

PHOTO • Smita Khator

ଧ୍ୱଂସାବଶେଷ ପାଲଟିବା: ଭଙ୍ଗା ଯାଇଥିବା ତଲାହ ବ୍ରିଜ ବସ୍ତି ଏବଂ ଦେବାଶିଷ ମଣ୍ଡଳ (ଉପର ଡାହାଣ) ସେ ସଞ୍ଚୟ ଓ ଧାର କରି ତିଆରି କରିଥିବା ଭଙ୍ଗା ଘରେ

ତଲାହ ବସ୍ତିର ବାହାରେ ଗୋଟିଏ ସ୍ଥାନରେ ଅଣ ଓସାରିଆ ସ୍ଥାନର ବିପରୀତରେ ପ୍ରାୟ ୧୦ଟି ପରିବାର ବାସ କରନ୍ତି, ଯେଉଁମାନେ କି ସ୍ଥାନାନ୍ତରଣକୁ ଅପେକ୍ଷା କରିଛନ୍ତି। ଏହି ୧୦ଟି ପରିବାର ମଧ୍ୟରେ ଅଛନ୍ତି ପାରୁଲ କରନଙ୍କ ପରିବାର। ସେ ଜଣେ ପୂର୍ବତନ ଘରୋଇ ସହାୟିକା, ବର୍ତ୍ତମାନ ବୟସ ପ୍ରାୟ ୭୦ବର୍ଷ। ସେ ବ୍ରିଜ ଆଡ଼କୁ ଦେଖାନ୍ତି ଏବଂ କୁହନ୍ତି, ‘‘ଏହା ପ୍ରଥମେ କାଠରେ ତିଆରି ହୋଇଥିଲା। କେଇବର୍ଷ ପୂର୍ବେ ଗୋଟିଏ ଦୁଇମହଲା ବସ୍‌ ସେଠାରୁ ଖସିପଡ଼ିଲା। ଏହା ପରେ କାଠ ବ୍ରିଜକୁ କଂକ୍ରିଟ କରାଗଲା, କାହାକୁ ବାହାର କରାଯାଇନଥିଲା।’’ ପାରୁଲ ଜଣେ ବିଧବା ଓ ମଧୁମେହ ରୋଗୀ; ତାଙ୍କ ଝିଅ ଜଣେ ଘରୋଇ ସହାୟିକା ଭାବରେ କାମ କରି ସେହି ଆୟରେ ତାଙ୍କୁ ଚଳାନ୍ତି।

କରନଙ୍କ ପରିବାର ମଧ୍ୟ ଦାଉଦପୁର ଗ୍ରାମରୁ ପ୍ରାୟ ୫୦ବର୍ଷ ତଳେ କୋଲକାତା ଆସିଥିଲେ ବୋଲି ସେ ମନେପକାନ୍ତି। ‘‘ସେ କୁହନ୍ତି ସୁନ୍ଦରବନରେ କାଦୁଅ, ପାଣି ସହ ସାପ ଓ ବେଙ୍ଗଙ୍କ ସହ ବଞ୍ଚିବା ସହଜ ନଥିଲା। ଆମେ ଯେତେବେଳେ ଗାଁ’ରୁ ଆସିଲୁ ଏହି ସ୍ଥାନ ଗଛ ବୁଦା ଏବଂ ଅନାବନାରେ ଭର୍ତ୍ତି ହୋଇଥିଲା। ଗୁଣ୍ଡା ଓ ବଦମାସ ନିୟମିତ ଭାବରେ ଆସୁଥିଲେ। ଆମେମାନେ ବାବୁଙ୍କ ଘରେ କାମ କରି ଅପରାହ୍ନ ସୁଦ୍ଧା ଘରକୁ ଫେରିଆସିବାକୁ ହେଉଥିଲା।’’

ପାରୁଲଙ୍କ ପଡ଼ୋଶୀମାନେ ଯେଉଁ ଅସ୍ଥାୟୀ ଶିବିରକୁ ଯାଇଛନ୍ତି ସେଗୁଡ଼ିକ ବାଉଁଶ ଘେରା ହୋଇଥିବା ସ୍ଥାନ, ଯାହା ଉପରେ କଳା, ତାର୍ପୋଲିନ ପଡ଼ିଛି। ମହାନଗର ନିଗମ ଏହା ତିଆରି କରିଛି। ପ୍ରତ୍ୟେକ ନିର୍ମାଣ ୧୦୦ବର୍ଗଫୁଟର କୋଠରୀରେ ବିଭକ୍ତ ହୋଇଛି। ବିଦ୍ୟୁତ ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେଉଛି। ଦିନବେଳେ କଳା ତାର୍ପୋଲିନ କାରଣରୁ କୋଠରି ଭିତରଗୁଡ଼ିକ ଅନ୍ଧାର। ଏହି କ୍ୟାମ୍ପ ରେଳବାଇ ଅଞ୍ଚଳରେ ଗୋଟିଏ ତଳୁଆ ସ୍ଥାନରେ ଅଛି। ଯାହା ନଭେମ୍ବର ୯ ତାରିଖରେ ହୋଇଥିବା ସାମୁଦ୍ରିକ ତୋଫାନ ବୁଲବୁଲ ସମୟରେ ବନ୍ୟାରେ ବୁଡ଼ିଯାଇଥିଲା।

‘‘ଯେଉଁଦିନ ବାତ୍ୟା ଆସିଲା, ସେଦିନ ଏହି ସ୍ଥାନ ସମ୍ପୂର୍ଣ୍ଣ ଭାବରେ ପାଣିରେ ଭର୍ତ୍ତି ହୋଇଗଲା’’, ଏକଥା କୁହନ୍ତି ୧୦ବର୍ଷ ବୟସ୍କା ଶ୍ରେୟା ମଣ୍ଡଲ, ଯିଏକି ନିକଟସ୍ଥ ସରକାରୀ ସ୍କୁଲରେ ୫ମ ଶ୍ରେଣୀରେ ପାଠପଢୁଛନ୍ତି। ଯେତେବେଳେ ମୁଁ ଶିବିରକୁ ଯାଇଥିଲି, ସେତେବେଳେ ସେ ଏବଂ ବସ୍ତିର ଆଉ କେତେଜଣ ପିଲା ରେଳବାଇ ୟାର୍ଡ ସହ ସଂଲଗ୍ନ ଗୋଟିଏ ପଡ଼ିଆରେ ଖେଳୁଥିଲେ। ‘‘ଆମ କୋଠାରୀଗୁଡ଼ିକରେ ଆଣ୍ଠୁଏ ପର୍ଯ୍ୟନ୍ତ ପାଣିଥିଲା। ଖୁବ୍‌ କଷ୍ଟରେ ଆମେ ଆମ ବହିଗୁଡ଼ିକୁ ରକ୍ଷାକଲୁ। ଉଚ୍ଛେଦ ସମୟରେ ଆମେ ଆମର କେତେ ଖେଳଣା, ସ୍କିପିଂ ଦୌଡି ଏବଂ କଣ୍ଢେଇ ହରେଇଲୁ…’’

PHOTO • Smita Khator

ଉପର ବାମ : ପାରୁଲ କରନ, ପାରୁଲ ମଣ୍ଡଲ (ମଝିରେ) ଏବଂ ତାଙ୍କର ଭାଉଜ କୁହନ୍ତି, ସେମାନେ ବ୍ରିଜ ତଳେ ୫୦ ବର୍ଷରୁ ଅଧିକ ସମୟ ତଳେ ଆସି ରହିଥିଲେ। ଉପର ଡାହାଣ : କରନ ତାଙ୍କ ଝିଅ ସହିତ, ଯିଏ କି ଏପର୍ଯ୍ୟନ୍ତ ଅନ୍ୟ ସ୍ଥାନକୁ ଯାଇନାହାନ୍ତି, ସେମାନଙ୍କର ବିଦ୍ୟୁତ ବିଲ୍‌ ଦେଖାଉଛନ୍ତି, ଏହି ଆଶାରେ ଯେ, ଏହା ପ୍ରମାଣ କରିବ ସେମାନେ ବୈଧ ବାସିନ୍ଦା। ତଳଧାଡ଼ି: ରେଳବାଇ ୟାର୍ଡରେ ‘ଅସ୍ଥାୟୀ ଶିବିର’ (ବାମ) ଏବଂ ଚିତପୁର କେନାଲ ନିକଟରେ (ଡାହାଣ)

ଉଭୟ ଶିବିରରେ ଥିବା ଲୋକମାନେ ଏବେ ମଧ୍ୟ ବ୍ରିଜ ବସ୍ତିରେ ସେମାନେ ତିଆରି କରିଥିବା ଶୌଚାଳୟ (ଏବେ ବି ରହିଛି) ବ୍ୟବହାର କରୁଛନ୍ତି। କେନାଲ ନିକଟରେ ଥିବା ଅସ୍ଥାୟୀ ଶିବିରର ବାସିନ୍ଦାମାନେ-ଯାହାକି ତଲାହ ବ୍ରିଜଠାରୁ ରେଳବାଇ ୟାର୍ଡ ଶିବିର ତୁଳନାରେ ଅଧିକ ଦୂରତା ଅଛି, ଏକ ସାର୍ବଜନୀନ ଦେୟଯୁକ୍ତ ଶୌଚାଳୟ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏହି ଶୌଚାଳୟ ରାତି ୮ଟା ସୁଦ୍ଧା ବନ୍ଦ ହୋଇଯାଏ। ଏହା ପରେ ସେମାନଙ୍କୁ ଭଙ୍ଗା ଯାଇଥିବା ବସ୍ତି ଅଞ୍ଚଳରେ ଥିବା ଶୌଚାଳୟକୁ ଚାଲିକରି ଯିବାକୁ ହୁଏ-ଏବଂ ମହିଳାମାନେ ଅଭିଯୋଗ କରନ୍ତି ଯେ ରାତିରେ ଏହା ନିରାପଦ ନୁହେଁ।

କେନାଲ ନିକଟରେ, ମୁଁ ୩୨ବର୍ଷ ନିଲମ ମେହେଟାଙ୍କୁ ଭେଟିଲି। ତାଙ୍କ ସ୍ୱାମୀ ବିହାରର ଜାମୁଇ ଜିଲ୍ଲାର ଏକ ଗାଁ’ରୁ କୋଲକାତାକୁ ଆସିଥିଲେ। ସେ ଜଣେ ବୁଲା ବିକାଳି ଯିଏ କି ସତୁ (ବୁଟଡାଲି ଅଟା) ବିକ୍ରୟ କରନ୍ତି। ନିଲମ ଜଣେ ଘରୋଇ ସହାୟିକା। ସେ ପଚାରନ୍ତି, ‘‘ଆମେ କୁଆଡ଼େ ଯିବୁ?’’ “ଆମେ କୌଣସି ମତେ ବଞ୍ଚୁଥିଲୁ। ଆମେ ବହୁବର୍ଷ ଧରି ଏଠାରେ ଅଛୁ। ମୁଁ ମୋର ଝିଅ ପାଇଁ ଭଲ ଭବିଷ୍ୟତ ଚାହେଁ। ମୁଁ ଚାହେଁନି ତାକୁ ଲୋକମାନଙ୍କ ଘରେ କାମ କରିବାକୁ ପଡୁ। ମୋ ପୁଅ ମଧ୍ୟ ପଢ଼ୁଛି। ମୋତେ କୁହନ୍ତି ଏଭଳି ପରିସ୍ଥିତିରେ ଆମେ କିପରି ତିଷ୍ଠିପାରିବୁ ?’’

ସେ କୁହନ୍ତି କେନାଲ ଶିବିର ନିକଟରେ ଏକ ଶୌଚାଳୟ ନିର୍ମାଣ ହେବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ସେ ପର୍ଯ୍ୟନ୍ତ ତାଙ୍କୁ ଏବଂ ଅନ୍ୟମାନଙ୍କୁ ସାର୍ବଜନୀନ ଶୌଚାଳୟକୁ ଥରେ ଯିବା ପାଇଁ ଟ. ୨ ଖର୍ଚ୍ଚ କରିବାକୁ ପଡ଼ିବ। ‘‘ଆମେ ଶୌଚାଳୟ ପାଇଁ ଅର୍ଥ ଦେଇପାରିବୁ? ମହିଳା ଓ ଛୋଟ ଝିଅମାନେ ରାତିରେ କେଉଁଠିକି ଯିବେ? ଯଦି କିଛି ହୋଇଯାଏ ତାହାର ଦାୟିତ୍ୱ କିଏ ନେବ ?’’ ଏକଥା ସେ ପଚାରନ୍ତି

ତାଙ୍କ ୧୫ବର୍ଷର ଝିଅ ନେହା ତାଙ୍କ ମାଆ ପାଖରେ ସେମାନଙ୍କ ଅସ୍ଥାୟୀ ଶିବିରର କୋଠରୀ ଚଟାଣରେ ବସି ପଢ଼ୁଛି। ସେ କୁହେ, ‘‘ଏମିତି ପଢ଼ିବା ଖୁବ୍‌ କଷ୍ଟକର’’। “ସାରାଦିନ ବିଦ୍ୟୁତ ନାହିଁ, ଆମେ କେମିତି ପାଠ ପଢ଼ା ସାରିବୁ?’’

Left: 'Where will we go?' asks Neelam Mehta, while her daughter Neha struggles to study. Right: Dhiren Mondo asks, 'Tell me, where should we go?'
PHOTO • Smita Khator
Left: 'Where will we go?' asks Neelam Mehta, while her daughter Neha struggles to study. Right: Dhiren Mondo asks, 'Tell me, where should we go?'
PHOTO • Smita Khator

ବାମ: ‘ଆମେ କୁଆଡ଼େ ଯିବୁ?’ ପଚାରନ୍ତି ନିଲମ ମେହେଟ୍ଟା, ଯେତେବେଳେ ତାଙ୍କ ଝିଅ ନେହା ପାଠପଢ଼ିବା ପାଇଁ ସଂଘର୍ଷ କରୁଛି। ଡାହାଣ: ଧୀରେନ ମଣ୍ଡଳ କୁହନ୍ତି, ‘ମୋତେ କୁହନ୍ତୁ, ଆମେ କୁଆଡ଼େ ଯିବା ଉଚିତ?’

ଶିବିରକୁ ଯିବା ବାଟରେ ଏକ ଦେବୀ ଦୁର୍ଗାଙ୍କ ମନ୍ଦିର ରହିଛି। ଏଠାରେ ସନ୍ଧ୍ୟାପୂଜା ୮୦ବର୍ଷ ବୟସ୍କ ଧୀରେନ ମଣ୍ଡଳଙ୍କ ଦ୍ୱାରା କରାଯାଏ। ଯିଏକି ବର୍ତ୍ତମାନ ରେଳବାଇ ୟାର୍ଡ ଅସ୍ଥାୟୀ ଶିବିରରେ ଏକ କୋଠରୀରେ ରହୁଛନ୍ତି। ସେ କୁହନ୍ତି, ‘‘ମୁଁ ଏଠାରେ ୫୦ବର୍ଷରୁ ଅଧିକ କାଳ ରହିଛି”। “ମୁଁ ସୁନ୍ଦରବନର ସନ୍ଦେଶଖାଲି ଅଞ୍ଚଳରୁ ଆସିଛି। ଆମକୁ ଏଠାରେ କାମ ପାଇବା ପାଇଁ ସବୁକିଛି ଛାଡ଼ିବାକୁ ହୋଇଥିଲା। ଆମ ଗାଁ’କୁ ନଈ ଗିଳି ଦେଇଛି’’। ଦିନରେ ହାତ ଟଣା ଶଗଡ଼ି ଟାଣି ମଣ୍ଡଳ ତଲାହ ବସ୍ତିରେ ବାଉଁଶ ତିଆରି ଗୋଟିଏ ଘରେ ତିନି ପିଲାଙ୍କୁ ବଡ଼ କରିଥିଲେ। ଯାହାକୁ କି ତାଙ୍କ ପରିବାର ପରେ ଗୋଟିଏ କଂକ୍ରିଟ ଘରକୁ ବଦଳାଇଥିଲା।

ସେ କୁହନ୍ତି, ‘‘କାଉନସିଲର [ମ୍ୟୁନିସିପାଲିଟି] ପଚାରିଲେ ଆମେ ଆମ ଘର ତିଆରି ପାଇଁ ତାଙ୍କ ଅନୁମତି ନେଇଥିଲୁ କି?’’ ମୁଁ ତାଙ୍କୁ କହିଲି ଆମେ ଏଠାରେ ୫୦ବର୍ଷରୁ ଅଧିକ ସମୟ ହେବ ରହୁଛୁ, ଗୋଟିଏ ଉପଯୁକ୍ତ ବ୍ୟବସ୍ଥା ନ କରି ସେ କିପରି ଆମକୁ ଛାଡ଼ିବାକୁ କହିପାରିଲେ। ‘‘ସେ କିପରି ଲୋକମାନଙ୍କୁ ଏପରି ବାହାର କରିପାରିବେ? ମୋତେ କୁହନ୍ତୁ ଆମେ କୁଆଡ଼େ ଯିବା ଉଚିତ୍‌?

ସେପ୍ଟେମ୍ବର ୨୫ ସନ୍ଧ୍ୟାରେ ପୋଲିସମାନେ ଆସିଲେ ଏବଂ ବାସିନ୍ଦାମାନଙ୍କୁ ଚାଲିଯିବାକୁ କହିଲେ। ୨୨ ବର୍ଷିୟା ଟୁମ୍ପା ମଣ୍ଡଲ କୁହନ୍ତି, ‘‘ସେମାନେ ମୋ ଶାଶୁଙ୍କୁ ଖରାପ ଭାଷାରେ ଗାଳିଦେବା ଆରମ୍ଭ କଲେ। ସେମାନେ ମୋ ଦିଅରଙ୍କର କଲର ଘୋଷାଡି ଶିବିରକୁ ନେଲେ। ଯେତେବେଳେ ମୁଁ ସେମାନଙ୍କୁ ଅଟକାଇବା ପାଇଁ ଗଲି ସେମାନେ ମୋତେ ଠେଲିଦେଲେ ଏବଂ ଧକ୍କା ମାରିଲେ। ମୁଁ ଗର୍ଭବତୀ କିନ୍ତୁ ସେମାନେ ଖାତିର କଲେ ନାହିଁ। ସେମାନେ ମହିଳାମାନଙ୍କୁ ଚୁଟି ଧରି ଘୋଷାଡ଼ିଲେ। ଜଣେ ବି ମହିଳା ପୋଲିସ ନଥିଲେ। ସେମାନେ ଖରାପ ଭାଷା ବ୍ୟବହାର କରୁଥିଲେ।’’

(କିନ୍ତୁ ଏହି ସମ୍ବାଦଦାତାଙ୍କ ସହ ତଲାହ ବସ୍ତିଠାରୁ ପ୍ରାୟ ୨.୫ କିଲୋମିଟର ଦୂରରେ ଥିବା ଚିତପୁର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ଆୟାନ ଗୋସ୍ୱାମୀ କୌଣସି ରୁକ୍ଷ ବ୍ୟବହାର କିମ୍ବା ଜବରଦସ୍ତିକୁ ଅସ୍ୱୀକାର କରିଥିଲେ। ସେ କହିଥିଲେ, ମୁଁ ପରିବାରଗୁଡ଼ିକ ପାଇଁ ସମ୍ବେଦନଶୀଳ ଥିଲି। କିନ୍ତୁ ଉଚ୍ଛେଦ ଏଡାଇବା ସମ୍ଭବ ନଥିଲା। କାରଣ ଶିକ୍ଷିତ ସ୍ଥପତିମାନଙ୍କ ଦ୍ୱାରା ଏହି ପୋଲ ବିପଜ୍ଜନକ ବୋଲି ଘୋଷଣା କରାଯାଇଥିଲା। ସେ କହିଥିଲେ, ଯଦି ପୋଲର କୌଣସି ଭାଗ ଭାଙ୍ଗିଥାନ୍ତା ତେବେ ବସ୍ତିବାସିନ୍ଦମାନେ ହିଁ ପ୍ରଥମେ ଆହତ ହୋଇଥାନ୍ତେ।)

PHOTO • Smita Khator

ସୁଲେଖା ମଣ୍ଡଳ ଭଙ୍ଗା ଯାଇଥିବା ତଲାହ କଲୋନୀର ଗୋଟିଏ ଚାଳ ତଳେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଛନ୍ତି। ଉପର ଡାହାଣ: ଲେଖି ଦାସ କୁହନ୍ତି ‘ଗରିବ ଲୋକେ ସବୁବେଳେ ସରକାରୀ ଜାଗାରେ ହିଁ ରହି ଆସୁଥିଲେ। ନହେଲେ ସେମାନେ କେଉଁଠି ରହିବେ?’ ତଳଧାଡ଼ି : ଅସ୍ଥାୟୀ ଶିବିରରେ ରହୁଥିବା ମହିଳାମାନଙ୍କ ପାଇଁ ସେମାନଙ୍କ ପୁରୁଣା ବସ୍ତିରେ ଥିବା ଶୌଚାଳୟଗୁଡ଼ିକ ବ୍ୟବହାର କରିବା ପାଇଁ ଏତେ ଦୂର ଚାଲିବା କଷ୍ଟକର ହେଉଛି।

ତୃଣମୂଳ କଂଗ୍ରେସର ସ୍ଥାନୀୟ କାଉନସିଲର ତରୁଣ ଶାହା ମୋତେ ଫୋନରେ କହିଥିଲେ, ‘‘ସେମାନେ ଜବରଦଖଲକାରୀ। ସେମାନଙ୍କର ସେଠାରେ ରହିବା ପାଇଁ କୌଣସି ଆଇନଗତ ଅଧିକାର ନାହିଁ। ସେମାନେ ଝୁମ୍ପୁଡ଼ିଗୁଡ଼ିକରେ ରହୁଥିଲେ। ଆମେ ମାନବିକତା ଦୃଷ୍ଟିରୁ ସେମାନଙ୍କୁ ପାଣି ଏବଂ ପରିମଳ ଯୋଗାଉଥିଲୁ [ତଲାହ ବସ୍ତି ପାଇଁ]। କ୍ରମେ ସେମାନେ ଝୁମ୍ପୁଡିଘରକୁ ପକ୍କା ଘର କରିଦେଲେ’’। ଏଥିସହ ସେ କହିଥିଲେ, ଏହି ବସ୍ତି ଏକ ବିପଜ୍ଜନକ ଅବସ୍ଥାରେ ଅଛି। ‘‘ଏହା ଜରୁରୀକାଳୀନ ଭିତ୍ତିରେ ପୁନଃ ନିର୍ମାଣ ହେବା ଆବଶ୍ୟକ। ଯଦି ଏହା ମରାମତି ନ ହୁଏ ତେବେ କେହି ମୃତାହତ ହୋଇପାରନ୍ତି, ସେମାନଙ୍କୁ ବାହାର କରିବାକୁ ହେବ।’’

ଶାହା କୁହନ୍ତି, ସରକାର ଏ ପର୍ଯ୍ୟନ୍ତ ତଲାହ ପରିବାରଗୁଡ଼ିକ ନିମନ୍ତେ ସ୍ଥାୟୀ ଥଇଥାନ ନିଷ୍ପତ୍ତି ନେଇନାହାନ୍ତି। ସେ କୁହନ୍ତି, ‘‘ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟରେ ରହିବାକୁ ଦେଉଛି। ଭବିଷ୍ୟତରେ ଏହି ଆଶ୍ରୟ ଶିବିରଗୁଡ଼ିକର ଟିଣ ଛାତ କରିବା ପାଇଁ ବ୍ୟବସ୍ଥା ହୋଇପାରେ। କିନ୍ତୁ ଆମେ କୌଣସି କଂକ୍ରିଟ ନିର୍ମାଣକୁ ଅନୁମତି ଦେବୁନାହିଁ।’’ ସେମାନଙ୍କ ଗ୍ରାମଗୁଡ଼ିକୁ ଏବଂ କେତେକ ପରିବାର ଦୂର ଅଞ୍ଚଳରେ କିଣିଥିବା ଜାଗାକୁ ସୂଚିତ କରି ସେ କହିଥିଲେ, ‘‘ସେମାନଙ୍କର ଅନ୍ୟ ସ୍ଥାନରେ ଘର ଅଛି। ସେମାନେ ନିଜ କାମ ପାଇଁ ଏହି ସ୍ଥାନ ଜବରଦଖଲ କରିଥିଲେ। ସେମାନେ ଅନେକ ସମୟ ଧରି ଏଠାରେ ଅଛନ୍ତି। ସେମାନେ କ୍ରମଶଃ ନିଜ ନିଜ ପରିବାରକୁ ଆଣିଲେ। ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଅନେକ ଭଲ ଅବସ୍ଥାରେ ଅଛନ୍ତି।’’

୨୩ ବର୍ଷ ବୟସ୍କା ଲଖି ଦାସ ଜଣେ ଗୃହିଣୀ ପଚାରନ୍ତି, ‘‘ଗରିବ ଲୋକମାନେ ସବୁବେଳେ ସରକାରୀ ଜାଗାରେ ରୁହନ୍ତି, ନହେଲେ ସେମାନେ କେଉଁଠି ରହିବେ’’ ତାଙ୍କ ସ୍ୱାମୀ ଜଣେ ଅଫିସ ସହକାରୀ ଭାବରେ କାର୍ଯ୍ୟ କରନ୍ତି। ତାଙ୍କର ଦୁଇଝିଅଙ୍କ ସହ ସେମାନଙ୍କୁ ମଧ୍ୟ ତଲାହ ବସ୍ତିରୁ ବାହାର କରିଦିଆଯାଇଛି। ଲଖି  ଆହୁରି କୁହନ୍ତି “ଆମେ ଗରିବ। ଆମେ ଆମର କାମ ଦ୍ୱାରା ରୋଜଗାର କରୁ’’। ମୁଁ କେବଳ ମୋ ଝିଅମାନଙ୍କ ପାଇଁ ସବୁପ୍ରକାର ଅସୁବିଧାକୁ ସାମ୍ନା କରୁଛି।’’

ଭଙ୍ଗା ଯାଇଥିବା ବସ୍ତିର ବାସିନ୍ଦାମାନେ କାଉନସିଲରଙ୍କଠାରୁ ଲିଖିତ ଆଶ୍ୱାସନା ଚାହାଁନ୍ତି ଯେ, ବ୍ରିଜ ମରାମତି ହେବା ପରେ ସେମାନଙ୍କ ଫେରିବା ପାଇଁ ଅନୁମତି ଦିଆଯିବ। ଏ ପର୍ଯ୍ୟନ୍ତ ଏପରି କୌଣସି ଆଶ୍ୱାସନା ଦିଆଯାଇନାହିଁ।

Left: The eviction notice, pasted on November 6. A poster calling for a meeting on November 18 to demand proper and permanent rehabilitation of evicted families. Right: The Tallah basti residents at a protest march on November 11
PHOTO • Soumya
Left: The eviction notice, pasted on November 6. A poster calling for a meeting on November 18 to demand proper and permanent rehabilitation of evicted families. Right: The Tallah basti residents at a protest march on November 11
PHOTO • Smita Khator
Left: The eviction notice, pasted on November 6. A poster calling for a meeting on November 18 to demand proper and permanent rehabilitation of evicted families. Right: The Tallah basti residents at a protest march on November 11
PHOTO • Soumya

ବାମ: ନଭେମ୍ବର ୬ ତାରିଖରେ ଲଗାଯାଇଥିବା ବସ୍ତି ଛାଡ଼ିବା ନୋଟିସ। ବାହାର କରିଦିଆଯାଇଥିବା ପରିବାରଗୁଡ଼ିକ ପାଇଁ ଉପଯୁକ୍ତ ଏବଂ ସ୍ଥାୟୀ ଥଇଥାନ ଦାବି କରିବା ନିମନ୍ତେ ନଭେମ୍ବର ୧୮ରେ ଏକ ବୈଠକ ଆହ୍ୱାନ କରୁଥିବା ଏକ ପୋଷ୍ଟର। ଡାହାଣ: ନଭେମ୍ବର ୧୧ରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ତଲାହ ବସ୍ତିର ବାସିନ୍ଦାମାନେ

ସେମାନେ ଛୋଟ ଛୋଟ ପ୍ରତିବାଦ କରିଛନ୍ତି- ସେପ୍ଟେମ୍ବର ୨୫ ତାରିଖରେ ଯେତେବେଳେ ସେମାନଙ୍କୁ ସେମାନଙ୍କର ଘର ଛାଡ଼ିବାକୁ ପଡ଼ିଲା, ତଲାହ ବସ୍ତିର ବାସିନ୍ଦାମାନେ ରାତି ୧୦ଟା ସମୟରେ ପ୍ରାୟ ଗୋଟିଏ ଘଣ୍ଟା ପାଇଁ ପୋଲଟିକୁ ବନ୍ଦ କରିଥିଲେ। ନଭେମ୍ବର ୧୧ ତାରିଖରେ ସେମାନେ ଗୋଟିଏ ଶୋଭାଯାତ୍ରା ବାହାର କରିଥିଲେ। ନଭେମ୍ବର ୧୮ ତାରିଖରେ ସେମାନେ ସେମାନଙ୍କର ଦାବି ଜଣାଇବା ପାଇଁ ଏକ ସାର୍ବଜନୀନ ବୈଠକ ଅନୁଷ୍ଠିତ କରାଇଥିଲେ। ବସ୍ତିବାସୀ ଶ୍ରମଜୀବୀ ଅଧିକାର ରକ୍ଷା କମିଟି ଭାବରେ ଏକତ୍ର ହୋଇ ସେମାନେ ଶୌଚାଳୟ ଏବଂ ନିୟମିତ ବିଦ୍ୟୁତ ପାଇଁ ଉଦ୍ୟମ କରୁଛନ୍ତି ଏବଂ ଏକ ସାମୁହିକ ରନ୍ଧନଶାଳା ନିର୍ମାଣ ପାଇଁ ଯୋଜନା କରୁଛନ୍ତି, ଯାହାକି ପ୍ରତ୍ୟେକ ପରିବାରର ଖର୍ଚ୍ଚ କମ୍‌ କରିବ।

ନଭେମ୍ବର ୨୫ ତାରିଖରେ ଜଣେ ବୁଲାବିକାଳି ରାଜା ହାଜରା, ଯାହାଙ୍କ ପରିବାର ମଧ୍ୟ ସେଠାରୁ ନିଷ୍କାସିତ ହୋଇଛନ୍ତି, ବହିଷ୍କୃତ ହୋଇଥିବା ବସ୍ତି ପରିବାରଗୁଡ଼ିକ ପକ୍ଷରୁ କୋଲକାତା ଉଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାୟର କରିଛନ୍ତି। ସେମାନଙ୍କର ମୁଖ୍ୟ ଦାବି ଉପଯୁକ୍ତ ଥଇଥାନ, ରହିବା ପାଇଁ ଏକ ସ୍ଥାନ, ଯେଉଁଠାରୁ ସେମାନଙ୍କୁ ବାହାରି ଯିବାକୁ ହେବ ନାହିଁ, ଏହା ସେମାନଙ୍କ ଭଙ୍ଗା ଯାଇଥିବା ବସ୍ତିଠାରୁ ବେଶୀ ଦୂରରେ ହୋଇନଥିବ। (ଯାହାକି ସେମାନଙ୍କର କାର୍ଯ୍ୟସ୍ଥଳ ଏବଂ ସ୍କୁଲଗୁଡ଼ିକ ନିକଟରେ ଥିଲା) ଏବଂ ବିଦ୍ୟୁତ, ପାଣି ଏବଂ ପରିମଳ ପରି ମୌଳିକ ସେବା।

ସେପଟେ ଅସ୍ଥାୟୀ ଶିବିରରେ ସୁଲେଖା ମଣ୍ଡଳ ମାଟି ଚୁଲି ଲଗାଇଛନ୍ତି। ଅପରାହ୍ନ ପ୍ରାୟ ୨.୩୦, ସେ ଏହି ମାତ୍ର ନିକଟସ୍ଥ ଘରଗୁଡ଼ିକରେ କାମ ସାରି ଫେରିଛନ୍ତି- ତାଙ୍କୁ ସନ୍ଧ୍ୟାରେ ପୁଣି ଥରେ ସେସବୁ ଘରକୁ କାମ କରିବାକୁ ଯିବାକୁ ହେବ। ଗୋଟିଏ କରେଇରେ ବାଇଗଣ, ଆଳୁ ଏବଂ ଫୁଲକୋବି ଭାଜିବା ବେଳେ ସେ କୁହନ୍ତି, ‘‘କାଉନସିଲର ଆମକୁ କହିଲେ ଗାଁ’କୁ ଫେରିଯିବାକୁ! ଚାରି ପିଢ଼ି ତଳେ ଆମେ ଦାଉଦପୁର ଛାଡ଼ିଥିଲୁ। ଏବେ ଆମକୁ ଫେରିବା ପାଇଁ କୁହାଯାଉଛି। ସମସ୍ତେ ସୁନ୍ଦରବନର ଅବସ୍ଥା ଜାଣନ୍ତି। ଲୋକମାନଙ୍କର ଯାହା ଟିକେ ଥିଲା ତାହା ଆଲିଆ[ବାତ୍ୟା]ରେ ଧ୍ୱଂସ ହୋଇଗଲା। ଆମେ କାହାର କ୍ଷତି ଚାହୁଁ ନାହୁଁ। ଆମେ ମଧ୍ୟ ଚାହୁଁ ପୋଲ ମରାମତି ହେଉ, କିନ୍ତୁ ସରକାର ଆମକୁ ନିଶ୍ଚୟ ଥଇଥାନ କରିବା ଉଚିତ୍‌।’’

ଏହି ସମ୍ବାଦଦାତା ସୌମ୍ୟା ରାୟ ଏବଂ ଅର୍କୋଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଦେବାକୁ ଚାହାଁନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Smita Khator

ମିତା ଖାତୁରଙ୍କ ଘର କୋଲକାତାରେ। ପରୀ ଅନୁବାଦର ସଂଯୋଜକ ଏବଂ ଜଣେ ବେଙ୍ଗଲୀ ଅନୁବାଦକ

Other stories by Smita Khator