ଯେତେବେଳେ ଭୱଁରି ଦେବୀଙ୍କର ୧୩ ବର୍ଷର ଝିଅକୁ ବାଜରା କ୍ଷେତରେ ଉଚ୍ଚ ଜାତିର ଜଣେ ଯୁବକ ବଳାକ୍ରାର କରିଥିବା କଥା ଜଣାପଡ଼ିଲା, ସେ ଏକ ଲାଠି ଧରି ନିଜେ ବଳାକ୍ରାରୀ ପଛରେ ଦଉଡ଼ିଲେ। ପୁଲିସ ଏବଂ କୋର୍ଟ ଉପରେ ତାଙ୍କର ବିଶ୍ୱାସ ନଥିଲା। ଏପରିକି ତାଙ୍କୁ ରାମପୁରାର ପ୍ରଭାବଶାଳୀ ଉଚ୍ଚ ଜାତିର ଅହିରୋନମାନଙ୍କ ଦ୍ୱାରା ଅଭିଯୋଗ କରିବାରୁ ଅଟକାଗଲା। ସେ କହନ୍ତି, ‘ଗାଁର ଜାତି ପଞ୍ଚାୟତ ମୋତେ ନ୍ୟାୟ ପାଇଁ ପ୍ରତିଶ୍ରୁତି ଦେଇଥିଲା। ତା’ ବଦଳରେ ସେମାନେ ମୋତେ ଏବଂ ମୋ ପରିବାରକୁ ରାମପୁରାରୁ ବାହାର କରିଦେଲେ।’  ସେହି ବଳାତ୍କାର ଘଟଣାର ପ୍ରାୟ ଏକ ଦଶନ୍ଧି ପରେ ଆଜମୀର ଜିଲ୍ଲା ସ୍ଥିତ ଏହି ଗାଁର କାହାରିକୁ ବି ଦଣ୍ଡବିଧାନ କରାଯାଇନାହିଁ। 

ରାଜସ୍ଥାନରେ ଏହା କିଛି ଅଧିକ ଅର୍ଥ ରଖେନାହିଁ। ହାରାହାରି ଭାବେ ଦେଖିବାକୁ ଗଲେ ଏଠାରେ ପ୍ରତି ୬୦ ଘଣ୍ଟାରେ ଜଣେ ଦଳିତ ମହିଳା ବଳାତ୍କାରର ଶିକାର ହୋଇଥାନ୍ତି। 

ଅନୁସୂଚୀତ ଜାତି/ଜନଜାତିଙ୍କ ପାଇଁ ଉଦ୍ଧିଷ୍ଟ ଜାତୀୟ ଆୟୋଗର ରିପୋର୍ଟ ଉପରେ ଆଧାରିତ ତଥ୍ୟରୁ ଜଣାପଡେ଼ ଯେ ୧୯୯୧-୧୯୯୬ ମଧ୍ୟରେ ଅନୁସୂଚିତ ଜାତିର ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବାର ପ୍ରାୟ ୯୦୦ଟି ଘଟଣା ପୁଲିସ ନିକଟରେ ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ବର୍ଷକୁ ପ୍ରାୟ ୧୫୦ଟି ବା ପ୍ରତି ୬୦ ଘଣ୍ଟାରେ ଗୋଟିଏ ଘଟଣା ଘଟିଥିଲା। ( କିଛି ମାସର ରାଷ୍ଟ୍ରପତି ଶାସନକୁ ଛାଡ଼ିଦେଲେ ରାଜ୍ୟ ଏହି ସମୟ ମଧ୍ୟରେ ସଂପୂର୍ଣ୍ଣ ଭାବେ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣରେ ଥିଲା। ) ଏହି ସଂଖ୍ୟା ପ୍ରକୃତ ସତ୍ୟକୁ ବୟାନ କରୁନାହିଁ। ଏହି ରାଜ୍ୟରେ ଏଭଳି ଅପରାଧ ସଂପର୍କରେ ରିପୋର୍ଟ କରିବାର ମାତ୍ରା ବୋଧହୁଏ ଦେଶରେ ସବୁଠୁ ଖରାପ। 

ଢୋଲପୁର ଜିଲ୍ଳାର ନାକସୋଡା ଗାଁରେ ସବୁଠୁ ଅଧିକ ନିର୍ମମ ଅତ୍ୟାଚାରର ଶିକାର ହୋଇଥିବା ଜଣେ ପୀଡ଼ିତ ଗାଁ ଛାଡ଼ି ପଳାଇଛନ୍ତି। ଏପ୍ରିଲ ୧୯୯୮ ମସିହାରେ ରାମେଶ୍ୱର ଯାତବ ନାମକ ଜଣେ ଦଳିତ ଜଣେ ଉଚ୍ଚଜାତିର ଗୁଜ୍ଜର ଲୋକଙ୍କୁ ଦେଇଥିବା ୧୫୦ ଟଙ୍କାର ଋଣ ଫେରସ୍ତ ମାଗିଲେ। ଏପରି କରି ସେ ସମସ୍ୟାକୁ ଡାକୁଥିଲେ। ତାଙ୍କର ଏଭଳି ଗର୍ବକୁ ଦେଖି କିଛି ଗୁଜ୍ଜର ମିଶି ତାଙ୍କ ନାକରେ କଣା କରି ଝୋଟରେ ତିଆରି ଗୋଟିଏ ମିଟର ଲମ୍ବା ଏବଂ ୨ ମିଲିମିଟର ମୋଟା ଏକ ଦଉଡ଼ି ପୂରାଇଦେଲେ। ସେମାନେ ତାଙ୍କୁ ସେହି ଦଉଡି ଧରି ଗାଁ ସାରା  ବୁଲାଇଲେ। 

ଏହି ଘଟଣା ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚିତ ହେବା ସହ ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଏ ସମ୍ପର୍କରେ ବିଦେଶରେ ଉଭୟ ସମ୍ବାଦପତ୍ର ଓ ଟେଲିଭିଜନରେ ମଧ୍ୟ ବହୁଳ ଭାବେ ପ୍ରସାରିତ ହୋଇଥିଲା। କିନ୍ତୁ ନ୍ୟାୟ ପ୍ରଦାନ ପାଇଁ ଏ ସବୁ ପ୍ରଚାରର କୌଣସି ପ୍ରଭାବ ନ ଥିଲା। ଏଥିରେ ଗାଁ ଭିତରେ ଆତଙ୍କ ଏବଂ ତୃଣମୂଳ ସ୍ତରରେ ଏକ ସ୍ଥାଣୁ ପ୍ରଶାସନକୁ ଦେଖାଯାଉଥିଲା। ଏବଂ କିଛି ଦିନ ଭିତରେ ଗଣମାଧ୍ୟମ ମଧ୍ୟ ଏ ମାମଲାରେ ଆଗ୍ରହ ଦେଖାଇଲା ନାହିଁ। ମାନବାଧିକାର ସଂଗଠନ ଗୁଡିକର ବ୍ୟବହାର ବି ସମାନ ଥିଲା।   ପୀଡିତ ଗଣମାଧ୍ୟମର ପରବର୍ତୀ ପ୍ରଭାବକୁ ମଧ୍ୟ ସାମ୍ନା କଲେ। କୋର୍ଟରେ ରାମେଶ୍ୱର ସମ୍ପୂର୍ଣ ଭାବେ ବୟାନ ବଦଳାଇଦେଲେ। ହଁ ଅତ୍ୟାଚାର ହୋଇଥିଲା, କିନ୍ତୁ ଅଭିଯୋଗରେ ଦର୍ଶାଯାଇଥିବା ଛଅ ଜଣ ଲୋକ ଏମିତି କରିନଥିଲେ। ସେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିଲେ ନାହିଁ। 

ଯେଉଁ ବରିଷ୍ଠ ଅଧିକାରୀ ତାଙ୍କର କ୍ଷତ ବାବଦରେ ରେକର୍ଡ କରିଥିଲେ, ଏବେ ସେ ସେ କଥା ଭୁଲିଯାଇଥିବା କହିଲେ। ହଁ ରାମେଶ୍ୱର କ୍ଷତାକ୍ତ ଅବସ୍ଥାରେ ତାଙ୍କ ପାଖକୁ ଆସିଥିଲେ। ତେବେ କେମିତି ପୀଡିତ ଏମିତି ଗଭୀର ଭାବେ କ୍ଷତାକ୍ତ ହେଲା ସେ ବାବଦରେ ତାଙ୍କୁ କହିଥିଲେ କି ନାହିଁ ତାହା ତାଙ୍କର ମନେ  ନାହିଁ।  

Mangi Lai Jatav and his wife in Naksoda village in Dholupur district. A man and a woman standing outside a hut
PHOTO • P. Sainath

ନାକସୋଡା ଗାଁରେ ଥିବା ତାଙ୍କ ଘରେ ରାମେଶ୍ୱର ଜାତବଙ୍କ ବାପା ମା, ଯେଉଁଠାରେ ଜାତବଙ୍କୁ ନାକରେ ଝୋଟ ଦଉଡି ଭର୍ତ୍ତି କରି ଗାଁଲେ ଚଲାଯାଇଥିଲା। “ଆମେ ଏଠାରେ ଆତଙ୍କରେ ରହୁଛୁ।”

ଋାମେଶ୍ୱରଙ୍କ ବାପା ମଙ୍ଗି ଲାଲ ବି ସାକ୍ଷୀ ଭାବେ ବୟାନ ବଦଳାଇଦେଲେ। ସେ ନାକସୋଡାରେ ମୋତେ କହିଲେ, “ଆମେ କଣ କରିବା କଥା ବୋଲି ଆପଣ ଭାବୁଛନ୍ତି। ଆମେ ଏଠି ଆତଙ୍କରେ ରହୁଛୁ। ଅଧିକାରୀମାନେ ସମ୍ପୂର୍ଣ ଭାବେ ଆମ ବିରୋଧରେ ଥିଲେ। ଗୁଜ୍ଜରମାନେ ଯେ କୌଣସି ସମୟରେ ଆପଣକୁ ନିପାତ କରିଦେଇପାରିବେ। ବିଭିନ୍ନ କ୍ଷମତାଶାଳୀ ଲୋକ ଏବଂ କେତେକ ପୋଲିସ୍ ଅଧିକାରୀ ଏମିତି କରିବାକୁ ଆମକୁ ବାଧ୍ୟ କଲେ।” ରାମେଶ୍ୱର ଗାଁ ଛାଡି ଚାଲିଯାଇଛନ୍ତି। ଏ ଯାଏଁ କୋର୍ଟରେ ମାମଲା  ଲଢିବା ପାଇଁ ମଙ୍ଗିଲାଲ୍ ବି ତାଙ୍କର ଥିବା ମାତ୍ର ତିନି ବିଘା ଜମି ମଧ୍ୟରୁ ଗୋଟିଏ ବିଘା ବିକ୍ରି କରିଦେଇଛନ୍ତି। 

ଦୁନିଆ ପାଇଁ ଏହା ଏକ ନିର୍ମମ କାଣ୍ଡ। କିନ୍ତୁ ରାଜସ୍ଥାନ ପାଇଁ ଏହା ସେହି ସବୁ ଅନ୍ୟ ହଜାର ହଜାର ଆଇପିସି(ଇଣ୍ଡିଆନ୍ ପେନାଲ୍ କୋଡ୍) ମାମଲା ଭଳି। ଏହାର ଅର୍ଥ ହତ୍ୟା ଭିନ୍ନ ଦୁଷ୍କର୍ମ, ହିଂସାକାଣ୍ଡ ବା ଗୁରୁତର ଭାବେ ଆହତ କରିବା ଭଳି ମାମଲା। ୧୯୯୧-୧୯୯୬ ମଧ୍ୟରେ ସେଠାରେ ପ୍ରତି ଚାରିଘଣ୍ଟାରେ ଗୋଟିଏ ଏମିତି ମାମଲା ରୁଜ୍ଜୁ ହେଉଥିଲା। 

ଭରତପୁର ଜିଲ୍ଲାର ସୈନ୍ଥ୍ରୀ ଗାଁରେ ଲୋକେ କହନ୍ତି, ଯେ ସେଠାରେ ସାତ ବର୍ଷ ହେଲା କୌଣସି ବିବାହ ଉତ୍ସବ ହୋଇନାହିଁ, ଜଣେ ବି ପୁରୁଷଙ୍କର ନୁହେଁ। ଜୁନ୍ ୧୯୯୨ରେ ଏମିତି ହୋଇଥିଲା, ଯେତେବେଳେ ସୈନ୍ଥ୍ରୀରେ ଆତଙ୍କ ଖେଳାଇଥିଲେ ଉଚ୍ଚଜାତିର ଗୋଟିଏ ଗୋଷ୍ଠୀ। ଛଅ ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା, ଏବଂ ବହୁ ଘର ନଷ୍ଟ କରାଯାଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କୁ  ଜୀବନ୍ତ ଜଳାଇ ଦିଆଯାଇଥିଲା, ଯେତେବେଳେ ସେମାନେ ଲୁଚିଥିବା ବିତ୍ତୋରା (ଘସି ଓ ଜାଳ ରଖାଯାଇଥିବା ଘର)ରେ ଜାଣି ଶୁଣି ନିଆଁ ଲଗାଯାଇଥିଲା। 

A pile of dung cakes
PHOTO • P. Sainath
A pile of dung cakes
PHOTO • P. Sainath

ସୈନ୍ଥ୍ରୀ ଗାଁରେ ଘସି ଓ ଜାଳେଣି ରଖାଯାଇଥିବା ଗୋଟିଏ ଘର ଉପରେ ଆକ୍ରମଣ କରିଥିଲେ ଉଚ୍ଚ ଜାତିର ଲୋକେ, ଯେଉଁଥିରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। 

ଭଗବାନ ଦେବୀ କହନ୍ତି, “ସୈନ୍ଥ୍ରୀ ଗାଁର ମହିଳାମାନେ ବିବାହ କରିବାରେ ସମର୍ଥ ହୋଇଛନ୍ତି, କାରଣ ବିବାହ ପରେ ସେମାନେ ଗାଁରୁ ଚାଲିଯାଆନ୍ତି। କିନ୍ତୁ ପୁରୁଷମାନେ ଏମିତି କରିପାରନ୍ତି ନାହିଁ। କିଛି ଲୋକ ବିବାହ କରିବା ପାଇଁ ଏହି ଗାଁ ଛାଡି ପଳାଇଛନ୍ତି। ଲୋକେ ଏହି ଗାଁରେ ସେମାନଙ୍କ ଝିଅକୁ ବାହା ଦେବାକୁ ଚାହାନ୍ତି ନାହିଁ। ସେମାନେ ଜାଣିଛନ୍ତି ଯଦି ଆମ ଉପରେ ପୁଣି ଆକ୍ରମଣ ହୁଏ, ତେବେ ନା ପୋଲିସ୍ ନା କୋର୍ଟ କେହି ବି ଆମକୁ ସାହାଯ୍ୟ କରିବେ ନାହିଁ।”

ତାଙ୍କର ଏଭଳି କ୍ଷୋଭରେ ସତ୍ୟତା ଅଛି। ହତ୍ୟା ଘଟଣାର ସାତ ବର୍ଷ ପରେ ବି ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇନାହିଁ। 

ଏହା ମଧ୍ୟ କିଛି ଅଧିକ ମାନେ ରଖେନାହିଁ। ଏହି ରାଜ୍ୟରେ ପ୍ରତି ନଅ ଦିନରେ ଜଣେ ଦଳିତକୁ ହତ୍ୟା କରାଯାଏ। 

ସେହି ଗାଁରେ ରହନ୍ତି ତାନ ସିଂ, ଯିଏ କି ବିତ୍ତୋରା ଅଗ୍ନିକାଣ୍ଡ ଘଟଣାରୁ ବର୍ତ୍ତି ଯାଇଥିଲେ(ଫଟୋ ଦେଖନ୍ତୁ)। ମେଡିକାଲ୍ ରେକର୍ଡ ଅନୁସାରେ ସେହି ଘଟଣାରେ ତାଙ୍କ ଶରୀରର ୩୫ ଭାଗ ପୋଡିଯାଇଥିଲା। ତାଙ୍କର କାନ ପ୍ରାୟ ସମ୍ପୂର୍ଣ ଭାବେ ପୋଡିଯାଇଥିଲା। ଯେହେତୁ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ଭିତରେ ତାଙ୍କ ଭାଇ ଥିଲା, ସେ ଅଳ୍ପ କିଛି କ୍ଷତିପୂରଣ ପାଇଥିଲେ, ତାହା ବି ବହୁ ପୂର୍ବରୁ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଥିଲା। ହତୋତ୍ସାହିତ ହୋଇପଡିଥିବା ଏ ଯୁବକ କହିଲେ “ଖର୍ଚ୍ଚ ତୁଲାଇବା ପାଇଁ ମୋତେ ମୋର ଛୋଟିଆ ଜମିକୁ ବିକ୍ରି କରିବାକୁ ହେଲା। ସେ ଖର୍ଚ୍ଚ ମଧ୍ୟରୁ ଅଧିକାଂଶ ହୋଇଥିଲା ଜୟପୁରକୁ ବାରମ୍ବାର ଯିବାପାଇଁ।”

ତାନସିଂ ଯେମିତି ସ୍ଥାଣୁ ପାଲଟିଯାଇଛନ୍ତି। ଏହି ରାଜ୍ୟରେ ପ୍ରତି ୬୫ ଘଣ୍ଟାରେ ଜଣେ ଦଳିତ ଗୁରୁତର ଭାବେ ଆହତ ହୁଅନ୍ତି। 

ତୋଙ୍କ ଜିଲ୍ଲାର ରାହୋଲିରେ, ସ୍ଥାନୀୟ ସ୍କୁଲ ଶିକ୍ଷକଙ୍କ ପ୍ରରୋଚନାରେ ଦଳିତଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଅନେକ ଗୁଡିଏ ହିଂସାକାଣ୍ଡ ହୋଇଥିଲା। ଅଞ୍ଜୁ ଫୁଲବାରିଆ କହନ୍ତି, “ସେହି କ୍ଷତି ଖୁବ୍ ଯନ୍ତ୍ରଣାଦାୟକ ଥିଲା। ସେ ଦଳିତ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି, କିନ୍ତୁ ସେ କହନ୍ତି, ମୋତେ ମିଥ୍ୟା ଅଭିଯୋଗରେ ପଦରୁ ନିଲମ୍ବନ କରାଯାଇଥିଲା। ”ଏହି ଘଟଣା ପାଇଁ କେହି ଦଣ୍ଡିତ ନ ହେବାରେ ସେ ଆଶ୍ଚର୍ଯ୍ୟ ନୁହନ୍ତି। 

ରାଜସ୍ଥାନରେ ହାରାହାରି ପ୍ରତି ଦିନରେ ଜଣେ ଦଳିତଙ୍କ ଘର ବା ସମ୍ପତ୍ତି ହିଂସାତ୍ମକ ଆକ୍ରମଣର ଶିକାର ହୋଇଥାଏ। ପ୍ରତ୍ୟେକ ମାମଲାରେ ଦୋଷୀ ଦଣ୍ଡ ପାଇବାର ସମ୍ଭାବନା ଖୁବ୍ କ୍ଷୀଣ। 

ରାଜସ୍ଥାନ ସରକାରଙ୍କର ମୁଖ୍ୟ ସଚିବ ଅରୁଣ କୁମାର ଦଳିତଙ୍କ ବିରୋଧରେ ଥିବା ପାତରଅନ୍ତର କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ “ଏ ସଂଖ୍ୟା ରାଜ୍ୟର ଏମିତି ମାମଲା ପଞ୍ଜୀକୃତ କରିବା ନେଇ ପ୍ରତିବଦ୍ଧତାର ପ୍ରମାଣ ଦେଉଛି। ଏହି ରାଜ୍ୟ ଏମିତି କେତେକ ରାଜ୍ୟ ମଧ୍ୟରୁ ଗୋଟିଏ  ଯେଉଁଠି ପ୍ରାୟ ସବୁ ଅଭିଯୋଗ  ପଞ୍ଜୀକୃତ ହୁଏ। ଆମେ ଏହାକୁ ଗୁରୁତ୍ୱର ସହ ନେଉଛୁ, ଅଧିକ ମାମଲା ପଞ୍ଜୀକୃତ ହେଉଛି, ଏଥିପାଇଁ ଅପରାଧ ପରିସଂଖ୍ୟାନରେ ଅଧିକ ସଂଖ୍ୟା ଦେଖାଯାଉଛି। ତାଙ୍କ କହିବା କଥା ଦେଶର ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ରାଜସ୍ଥାନରେ ଦଣ୍ଡବିଧାନ ହାର ଉନ୍ନତ।” 

Anju Phulwaria, the persecuted sarpanch
PHOTO • P. Sainath

ଅଞ୍ଜୁ ଫୁଲବାରିଆ ରାହୋଲିର ନିର୍ବାଚିତ ଦଳିତ ସରପଞ୍ଚ, କିନ୍ତୁ ସେ କହନ୍ତି, “ମୁଁ ମିଛ ମାମଲାରେ ପଦରୁ ନିଲମ୍ବିତ ହୋଇଥିଲି।”

ସଂଖ୍ୟା କ’ଣ କହୁଛି ? ୯୦ ଦଶକର ପ୍ରଥମାର୍ଦ୍ଧରେ ଦଳିତମାନଙ୍କ ବିରୋଧରେ ହୋଇଥିବା ଅପରାଧ ବାବଦରେ ତଦନ୍ତ କରୁଥିବା ଗୋଟିଏ କମିଟିର ସଦସ୍ୟ ଥିଲେ ପୂର୍ବତନ ଜନତା ଦଳର ଲୋକସଭା ସଦସ୍ୟ ତାନ ସିଂ। ତାଙ୍କର ଜୟପୁର ବାସଭବନରେ ସେ ମୋତେ କହିଲେ “ଦଣ୍ଡବିଧାନ ହାର ପ୍ରାୟ ୩ ପ୍ରତିଶତ।”

ଢୋଲପୁର ଜିଲ୍ଲାରେ, ଯେଉଁଠିକାର କୋର୍ଟକୁ ମୁଁ ଯାଇଥିଲି, ମୁଁ ଏହାକୁ ତାଠାରୁ ବି କମ୍ ପାଇଲି। ୧୯୯୬ରୁ ୧୯୯୮ ମଧ୍ୟରେ ସେସନ୍ କୋର୍ଟକୁ ମୋଟ ୩୫୯ଟି ମାମଲା ଆସିଥିଲା। କେତେକ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏଠାରେ ଦଣ୍ଡବିଧାନ ହାର ୨.୫ ପ୍ରତିଶତରୁ କମ୍। 

ଢୋଲପୁରରେ ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ ମୋତେ କହିଲେ, “ମୋର ଏକମାତ୍ର ଦୁଃଖ ହେଲା କୋର୍ଟଗୁଡିକ ଅନେକ ଗୁଡିଏ ମିଛ ମାମଲାରେ ଭାରାକ୍ରାନ୍ତ ହୋଇପଡୁଛନ୍ତି। ୫୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି/ଜନଜାତିର ମାମଲା ଗୁଡିକ ମିଛ। ଏଭଳି ମାମଲା ଦ୍ୱାରା ଲୋକେ ଅନାବଶ୍ୟକ ଲଜ୍ଜାର ଶିକାର ହେଉଛନ୍ତି।”

ରାଜସ୍ଥାନର ଉଚ୍ଚ ଜାତିର ପୋଲିସ୍ ଅଫିସରଙ୍କ ଭିତରେ ତାଙ୍କର ଗୋଟିଏ ଭିନ୍ନ ଚିନ୍ତାଧାରା ରହିଛି। (ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ ଫୋର୍ସକୁ ସିଆରପି-ଚରଙ୍ଗ ରାଜପୁତ ପୋଲିସ୍ ବୋଲି କହିଲେ। ଏହି ଦୁଇ କ୍ଷମତାଶାଳୀ ଜାତି ୯୦ ଦଶକ ଯାଏଁ ଫୋର୍ସରେ ପ୍ରଭାବ ବିସ୍ତାର କରିଥିଲେ। 

ପୋଲିସ ମନରେ ଗୋଟିଏ ଚିନ୍ତାଧାର ଗଭୀର ଭାବେ ରହିଛି, ଯେ ସାଧାରଣ ଲୋକେ, ନିର୍ଦିଷ୍ଟ ଭାବେ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନେ ମିଛୁଆ। ସମସ୍ତ ସମ୍ପ୍ରଦାୟରୁ ଦୁଷ୍କର୍ମ ମାମଲା ଦେଖିଲେ, ତଦନ୍ତ ପରେ ମିଛ ପ୍ରମାଣିତ ହେଉଥିବା ଏଭଳି ମାମଲାର ଜାତୀୟ ହାର ପ୍ରାୟ ପାଞ୍ଚ ପ୍ରତିଶତ। ରାଜସ୍ଥାନରେ, ମିଛ ପ୍ରମାଣିତ ହେଉଥିବା ଦୁଷ୍କର୍ମ ମାମଲାର ହାର ପ୍ରାୟ ୨୭ ପ୍ରତିଶତା

ଏହାର ଅର୍ଥ ଏହା କହିବାକୁ ହେବ ଯେ ଏହି ରାଜ୍ୟର ମହିଳାମାନେ ଦେଶର ବାକି ଅଂଶର ମହିଳାମାନଙ୍କଠାରୁ ପାଞ୍ଚ ଗୁଣ ଅଧିକ ମିଛ କୁହନ୍ତି। ଏ ନେଇ ଅଧିକ ସମ୍ଭାବ୍ୟ କାରଣ ହେଲା, ବ୍ୟବସ୍ଥାରେ ମହିଳାମାନଙ୍କ ବିରୋଧରେ ଗଭୀର ଭାବେ ଏକ ଭୁଲ ଚିନ୍ତାଧାରା ରହିଛି। ମିଛ ଦୁଷ୍କର୍ମ ତଥ୍ୟ ସବୁ ସମ୍ପ୍ରଦାୟ ବାବଦରେ।  କିନ୍ତୁ ଗୋଟିଏ ସବିଶେଷ ସର୍ବେକ୍ଷଣ ଦର୍ଶାଇବ  ଯେ ଦଳିତ ଓ ଆଦିବାସୀମାନେ ସେହି ମିଛ ଚିନ୍ତାଧାରର ସବୁଠାରୁ ଅଧିକ ଶିକାର। ସାଧାରଣଭାବେ ଦେଖିଲେ, ସେମାନେ ଶିକାର ହେଉଥିବା ଅତ୍ୟାଚାରର ସ୍ତର ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ଅନେକ ଗୁଣରେ ଅଧିକ। 

ମୁଁ ରାଜସ୍ଥାନର ଯେଉଁ ସ୍ଥାନକୁ ବି ଗଲି, ସେଠାରେ ମୋତେ ଏମିତି ଗୋଟିଏ ଚିତ୍ର ଦେଖାଇଦିଆଗଲା ଯେ ଦଳିତ ମାନେ ସାଧାରଣତଃ ଆଇନର ଏବଂ ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରୋଧୀ) ଆଇନ, ୧୯୮୯ର ଅପବ୍ୟବହାର କରୁଛନ୍ତି। ଗୁରୁତ୍ୱପୂର୍ଣ କଥା ହେଲା ସବୁଠାରୁ ଅଧିକ ଭୟ ସୃଷ୍ଟି କରିଥିବା ଏହି ଆଇନର ଧାରା ୩, ଯାହା ଅନୁସାରେ ଦଳିତ ଓ ଆଦିବାସୀଙ୍କ ବିରୋଧରେ ଜାତିଆଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ୫ ବର୍ଷ ଯାଏଁ ଜେଲ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ଅଛି। 

ପ୍ରକୃତରେ ମୁଁ ଗୋଟିଏ ବି ଏମିତି ମାମଲା ପାଇଲିନାହିଁ ଯେଉଁଥିରେ ଦୋଷୀଙ୍କୁ ଏଭଳି ଗୁରୁତର ଦଣ୍ଡ ବିଧାନ ହୋଇଛି। 

ଢୋଲପୁରରେ ବି ଦଳିତଙ୍କ ବିରୋଧରେ ଅପରାଧ ପାଇଁ ଦିଆଯାଇଥିବା କେତୋଟି ଦଣ୍ଡ ମଧ୍ୟରୁ ଦୋଷୀଙ୍କ ଉପରେ କିଛି ପ୍ରଭାବ ପକାଇ ନଥିଲା। ସେଗୁଡିକ ଥିଲା ୧୦୦ ଟଙ୍କାରୁ ୨୫୦ ଟଙ୍କା ବା ୫୦୦ ଟଙ୍କାର ଜରିମାନା ବା ଗୋଟିଏ ମାସର ସାଧାରଣ ଜେଲ୍ ଦଣ୍ଡ। ମୁଁ ଜାଣିବାକୁ ପାଇଥିବା ସବୁଠାରୁ କଠିନ ଦଣ୍ଡ ହେଲା ଛଅ ମାସର ସାଧାରଣ ଜେଲ୍ ଦଣ୍ଡ। ଗୋଟିଏ ମାମଲାରେ ଦୋଷୀକୁ ବେଲ୍ ଓ ପ୍ରୋବେସନ୍ ବି ମିଳିଥିଲା। ଏହିଭଳି ମାମଲାରେ ଅନ୍ୟ କେଉଁଠି ପ୍ରୋବେସନ୍ ଥିବା ଏହି ସାମ୍ବାଦିକ କେବେ ବି ଜାଣିନାହିଁ। 

ଢୋଲପୁର କେବଳ ଗୋଟିଏ ଉଦାହରଣ ନୁହେଁ, ତୋଙ୍କ ଜିଲ୍ଲା ମୁଖ୍ୟାଳୟରେ ଥିବା ଅନୁସୂଚିତ ଜାତି/ଜନଜାତି ସ୍ୱତନ୍ତ୍ର କୋର୍ଟରୁ ଆମେ ଜାଣିବାକୁ ପାଇଲୁ ଯେ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ମାତ୍ରା ୨ ପ୍ରତିଶତରୁ କମ୍। 

ସଂଖ୍ୟାରୁ ଭିନ୍ନ...ଜଣେ ଦଳିତ କୋର୍ଟକୁ ଯିବା ପାଇଁ ଯେଉଁ ପ୍ରକ୍ରିୟା, ପ୍ରତିବନ୍ଧକର ସାମ୍ନା କରିଥାଏ, ତାହା ଏକ ଭିନ୍ନ କାହାଣୀ... 

ଦୁଇ ଭାଗରେ ବିଭକ୍ତ ହୋଇଥିବା ଏହି କାହାଣୀ ୧୯୯୯ ମସିହା ଜୁନ୍ ୧୩ ତାରିଖରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା। ଏହା ୨୦୦୦ ମସିହାରେ ଆରମ୍ଭ ହୋଇଥିବା ମାନବାଧିକାର ସାମ୍ବାଦିକତା ପାଇଁ ପ୍ରଥମ ଆମେନେଷ୍ଟି ଇଣ୍ଟରନ୍ୟାସନାଲ୍ ଗ୍ଲୋବାଲ୍ ପୁରସ୍କାର ପାଇଥିଲା। 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath