PHOTO • Parth M.N.

ନାନୋ ନିଜ ପତ୍ନୀ ଏବଂ ନାତିଙ୍କ ଆଗରେ ସର୍ବନାଶର ବ୍ୟାଖ୍ୟା କରୁଛନ୍ତି

ଯେତେବେଳେ ୩୦ ବର୍ଷ ବୟସ୍କ ଦେଉ କୁମ୍ଭାର ଗତ ମାସରେ ଗୋଟିଏ ରାତିରେ ତାଙ୍କ ଦାଦାଙ୍କ କ୍ଷେତ ଜଗିବାର ପ୍ରସ୍ତାବ ଦେଲେ। ତାହା ସେମାନଙ୍କର ଶେଷ ସାକ୍ଷାତ ହୋଇଥାନ୍ତା। ମହାରାଷ୍ଟ୍ରର ସବୁଜିମା ଭରା ଉପକୂଳବର୍ତ୍ତୀ ସିନ୍ଧୁଦୁର୍ଗ ଜିଲ୍ଲାର ଦୋଦାମାର୍ଗ ତାଲୁକାର ଏକ ଶାନ୍ତ ଗ୍ରାମ ବାବରଓ୍ୱାଡିର ନିବାସୀ ସେମାନେ। ଏହି ଗାଁର କୃଷକମାନେ ଅଧିକାଂଶ ସମୟରେ ଅନିମନ୍ତ୍ରିତ ବିନାଶକାରୀ ଅତିଥିମାନଙ୍କୁ ସାମ୍ନା କରନ୍ତି। ଦେଓ ଦୁଇ ଏକର ଜମିରେ ଥିବା ଏକ ମଞ୍ଚା ଉପରେ ଶୋଇଥିବା ସମୟରେ ରାତି ପ୍ରାୟ ୨.୩୦ ସମୟରେ କିଛି ଶବ୍ଦ ଶୁଣି ଉଠିବସିଲେ।

କିଟିକିଟି ଅନ୍ଧାର କ୍ଷେତ ମଧ୍ୟରେ, ସେ ଜିଜ୍ଞାସାର ସହ ଫୋନ୍‌ର ଲାଇଟ୍‌କୁ ଅନ୍‌ କରିଦେଲେ, ଦେଖିଲେ ଏକ ବିଶାଳ ବଣୁଆ ହାତୀ ତାଙ୍କ ଆଡ଼କୁ ମାଡ଼ି ଆସୁଛି। ଦେଉ ତୁରନ୍ତ ଲାଇଟ୍‌ ବନ୍ଦ କରିଦେଲେ ଏବଂ ହାତୀଟି ତାଙ୍କ ବଦଳରେ କ୍ଷେତରେ ଲଗାଯାଇଥିବା ପାଳଭୂତକୁ କଚାଡ଼ି ଦଳି ଦେଲା।

 ଦେଉଙ୍କ ଦାଦା ନାନୋ କୁହନ୍ତି, ‘‘ବଣୁଆ ହାତୀମାନେ ନିୟମିତ ଭାବରେ ରାତିରେ ଆସନ୍ତି। ଯଦି ଆମେ ଭାଗ୍ୟବାନ ତା’ହେଲେ ଆମେ କେବଳ ଅସହ୍ୟ ଆର୍ଥିକ କ୍ଷତିର ଯନ୍ତ୍ରଣା ଭୋଗୁ।’’ ପରଦିନ ୩୦ କ୍ୱିଣ୍ଟାଲ ଧାନର ଅଧାରୁ ଅଧିକ କ୍ଷେତଯାକ ବିଛେଇ ହୋଇ ପଡିଥିଲା। ୨୫ଟି କଦଳୀ ଗଛ ଉପୁଡ଼ି ଯାଇଥିଲା। ଲଙ୍କା ଗଛଗୁଡ଼ିକ ମଇ ତଳେ ଥିବା ବେଙ୍ଗପରି ଦେଖାଯାଉଥିଲା। ଚାଷ କ୍ଷେତ ଅଳିଆ ଗଦା ପରି ମନେ ହେଉଥିଲା। ଯେତେବେଳେ ପଚରାଗଲା ଯେ ଏଗୁଡ଼ିକ କାହିଁକି ସଫା କରାଯାଇନାହିଁ, ନାନୋ କହିଲେ, ‘‘ଜଙ୍ଗଲ ବିଭାଗ ଅଧିକାରୀମାନେ ଆସି କ୍ଷୟକ୍ଷତି ଆକଳନ ନ କରିବା ପର୍ଯ୍ୟନ୍ତ ଯଦି ଆମେ କିଛି କରିବୁ ତାହା ହେଲେ ଆମକୁ କ୍ଷତିପୂରଣ ବିଷୟରେ ଭୁଲି ଯିବାକୁ ହେବ।

ତିଲାରି ଜଳଭଣ୍ଡାର ନିକଟରେ ଥିବା ବାବରଓ୍ୱାଡି ଦୋଦାମାର ତାଲୁକାର ସବୁଠାରୁ ଅଗମ୍ୟ ଗ୍ରାମଗୁଡ଼ିକ ମଧ୍ୟରୁ ଗୋଟିଏ। ଅନିୟନ୍ତ୍ରିତ ଭାବରେ ବିଦ୍ୟୁତ ଏବଂ ଟେଲିଫୋନ ଲାଇନ ମଧ୍ୟରେ ଅଙ୍କାବଙ୍କା ରାସ୍ତା ଯାଇଥିବା ଏହି ଗାଁ ବିଭିନ୍ନ ପ୍ରକାର ସବୁଜିମାରେ ଭରପୂର। ଆବୁଡ଼ାଖାବୁଡ଼ା କଂକ୍ରିଟ୍‌ ଏବଂ ଖସଡ଼ା ନାଲି କାଦୁଅର ରାସ୍ତା ମଧ୍ୟରେ ସେଠାରେ ପହଞ୍ଚିବା କଷ୍ଟକର କାର୍ଯ୍ୟ। ପରିଣାମ ସ୍ୱରୂପ ଜଙ୍ଗଲ ଅଧୀକାରୀମାନେ କ୍ଷୟକ୍ଷତି ଯାଞ୍ଚ କରିବା ପାଇଁ ସବୁବେଳେ ସେଠାରେ ତୁରନ୍ତ ପହଞ୍ଚି ଯାଆନ୍ତି ନାହିଁ। ନାନୋ କୁହନ୍ତି, ‘‘ଆମେ ନଷ୍ଟ ହୋଇଥିବା ଫସଲ ମଧ୍ୟରୁ ଭଲ ଥିବା ଫସଲ ଅଲଗା କରି ଏହାକୁ ରଖିପାରିବୁ ଏବଂ କ୍ଷତିପୂରଣ ହରାଇବୁ ନଚେତ୍‌ ଆମକୁ ଅଧିକାରୀମାନେ ଆସିବା ପର୍ଯ୍ୟନ୍ତ ଏବଂ ହାତୀମାନେ ପୁଣି ଥରେ ଆସି ବଳକା ଫସଲ ନଷ୍ଟ କରିବାର ବିପଦକୁ ଅପେକ୍ଷା କରିବାକୁ ହେବ। ଏହା ଏକ କର ବା ମର ପରିସ୍ଥିତି।

ଏକ କ୍ୱିଣ୍ଟାଲ ଧାନର ଦାମ ପ୍ରାୟ ଟ.୧୫୦୦ ହୋଇଥିବା ବେଳେ ହାତୀ ଜମିରେ ମାତ୍ର କେଇ ମିନିଟ୍‌ ରହି ଟ.୩୦,୦୦୦ ମୂଲ୍ୟର ଫସଲ ନଷ୍ଟ କରିଦେଲା। ଏଥିରେ ଖର୍ଚ୍ଚ ହୋଇଥିବା ପ୍ରାୟ ଟ. ୨୫,୦୦୦ ଏବଂ ଗତ ପାଞ୍ଚମାସର ପରିଶ୍ରମ ମଧ୍ୟ ସବୁ ନଷ୍ଟ ହୋଇଗଲା। ଏ ମଧ୍ୟରେ କଦଳୀ ଏବଂ ଲଙ୍କା ବି ରହିଛି। ଗୋଟିଏ ରାତିରେ ନାନୋ ପ୍ରାୟ ଟ.୭୦,୦୦୦ ହରାଇଲେ। ସେ କୁହନ୍ତି, ‘‘କିନ୍ତୁ କ୍ଷତିପୂରଣ କେବେ ବି ଏତେ ହେବ ନାହିଁ।’’

PHOTO • Parth M.N.

ହତାଶ ନାନୋ ଗତ ରାତିର ଘଟଣା ମନେ ପକାଉଛନ୍ତି

୨୦୦୨ ମସିହା ପର୍ଯ୍ୟନ୍ତ ସିନ୍ଧୁଦୁର୍ଗରେ ହାତୀମାନଙ୍କୁ କେବଳ ଟିଭିରେ ଦେଖି ହେଉଥିଲା। ତେବେ ୧୯୪୪ରୁ ୧୯୯୦ ମସିହା ମଧ୍ୟରେ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଛଅଟି ଜଳଭଣ୍ଡାର ନିର୍ମିତ ହୋଇଥିଲା। ଯାହାକି ରାଜ୍ୟର ଜଙ୍ଗଲଜମିକୁ ସଙ୍କୁଚିତ କରିଦେଲା। ହାତୀ ବ୍ୟବହାର ବିଶେଷଜ୍ଞ ଆନନ୍ଦ ଶିନ୍ଧେ କହିଥିଲେ, ‘‘ହାତୀମାନଙ୍କର ସ୍ମୃତି ଆନୁବଂଶିକ। ହାତୀମାନଙ୍କର ରାସ୍ତା ସ୍ଥିର ଯଦି ଜବରଦଖଲ କାରଣରୁ ଏଥିରେ ପରିବର୍ତ୍ତନ ହୁଏ, ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି ଏବଂ ଗାଁ ଭିତରକୁ ପଶି ଆସନ୍ତି’’।

ଏହାର ପରିଣାମ ସ୍ୱରୂପ ୨୦୦୪ ମସିହାରେ ୨୨ଟି ବଣୁଆ ହାତୀ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଏବଂ କୋଲାପୁର ଜିଲ୍ଲା ଭିତରକୁ ପଶି ଆସିଥିଲେ।  ଯେଉଁଠାରେ କଠିନ ପରିଶ୍ରମରେ କରାଯାଇଥିବା ଧାନ, ନଡ଼ିଆ, କାଜୁ, କଦଳୀ, ଗହମ ଏବଂ ସେହିଭଳି ଅନ୍ୟ ଫସଲ ସେମାନଙ୍କ ପାଇଁ ଆକର୍ଷଣୀୟ ଭୋଜି ପାଲଟି ଯାଇଥିଲା। ଏ ମଧ୍ୟରେ ସେମାନେ ୧୩ଜଣଙ୍କୁ ମାରିଛନ୍ତି, ୨୧ଜଣଙ୍କୁ ଆହତ କରିଛନ୍ତି ଏବଂ ଏହି ଦୁଇ ଜିଲ୍ଲାରେ ଫସଲ ନଷ୍ଟର ୧୧,୦୦୦ ଘଟଣା ଘଟିଛି। ଏଥିପାଇଁ ଜଙ୍ଗଲ ବିଭାଗ ୧୦.୫ କୋଟି ଟଙ୍କା କ୍ଷୟକ୍ଷତି ଏବଂ ମୃତାହତଙ୍କ ପାଇଁ କ୍ଷତିପୂରଣ ଭାବରେ ପ୍ରଦାନ କରିଛି ବୋଲି ଅଧିକାରୀଙ୍କ ରେକର୍ଡରୁ ଜଣାପଡ଼ିଛି। ଏ ମଧ୍ୟରେ ରାଜ୍ୟରେ ୧୧ଟି ହାତୀକୁ ହତ୍ୟା କରାଯାଇଛି। ଏହା ସେଠାରେ ପ୍ରଥମ ମଣିଷ-ହାତୀ ସଂଘର୍ଷ।

୨୦୦୪ ମସିହାରେ ବଣୁଆ ହାତୀମାନଙ୍କୁ ମହାରାଷ୍ଟ୍ରରୁ ସେମାନଙ୍କ ମୂଳ ବାସସ୍ଥାନକୁ ଫେରାଇ ନେବା ନିମନ୍ତେ ଅଭିଯାନ ଆରମ୍ଭ କରାଗଲା। କିନ୍ତୁ ଏହା ବିଫଳ ହେଲା କାରଣ ମୌଳିକ ବାସସ୍ଥାନଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ଏବଂ ବଣୁଆ ହାତୀମାନଙ୍କ ପାଇଁ ଯଥେଷ୍ଟ ହେଉନଥିଲା। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଚାହିଦା ପୂରଣ ନାମରେ ଦିନକୁ ଦିନ ଜଙ୍ଗଲ ଜମି କମ୍‌ ହେବାରେ ଲାଗିଲା।  ଶିନ୍ଧେ କୁହନ୍ତୁ, ‘‘ଜଙ୍ଗଲ ସଂକୁଚିତ ହେବାରୁ ହାତୀମାନେ ମାତିଲେ। ’’

ଦୋଦାମାର୍ଗଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ସିନ୍ଧୁଦୁର୍ଗର କୁଦାଲ ତାଲୁକାରେ ବର୍ଷ ପରେ ବର୍ଷ ଉତ୍ପାତ ଏତେ ବଢ଼ିଲା ଯେ କେନ୍ଦ୍ର ସରକାର ଚଳିତବର୍ଷ ଫେବୃଆରୀ ମାସରେ ତିନୋଟି ବଣୁଆ ହାତୀଙ୍କୁ ଧରିବା ପାଇଁ ଟ.୬୯ ଲକ୍ଷ ଅଭିଯାନକୁ ଅନୁମୋଦନ ପ୍ରଦାନ କଲେ। ଏହି ତିନି ହାତୀ ମନଗାଓଁ ଉପତ୍ୟକାର କୁଦଲର ୧୬ଟି ଗାଁକୁ ଆତଙ୍କିତ କରି ରଖିଥିଲେ। କର୍ଣ୍ଣାଟକରୁ ୪ଟି ତାଲିମପ୍ରାପ୍ତ ହାତୀଙ୍କୁ ଅଣାଗଲା। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ୨୦୪ ଜଙ୍ଗଲ ଅଧିକାରୀ ଏହି ଅଭିଯାନର ଅଂଶ ପାଲଟିଲେ। କୁଦଲର ଜଙ୍ଗଲ ରେଞ୍ଜ ଅଫିସ୍‌ର ସଞ୍ଜୟ କଦମ କହିଥିଲେ, ‘‘ଏହି ଅଭିଯାନ ୫ଦିନ ଚାଲିଲା। ଏହା ଖୁବ୍‌ ଆନନ୍ଦଦାୟକ ଥିଲା’’।

ଏହି ଅଭିଯାନ ଫେବୃଆରୀ ୧୦ ତାରିଖରେ ଆରମ୍ଭ ହେଲା। ପ୍ରଥମ ଅପରାହ୍ନ ଚାଲିଗଲା ହାତୀମାନେ ଥିବା ସ୍ଥାନ ଚିହ୍ନଟ କରିବାର ଚେଷ୍ଟାରେ। ଓ୍ୱାକି-ଟକିର ଅନୁପସ୍ଥିତି ଯୋଗୁଁ ଯେଉଁମାନେ ହାତୀମାନଙ୍କର କ୍ଷେତ୍ର ବିଷୟରେ ଜାଣିଥିଲେ ସେମାନଙ୍କୁ ଖୋଜାଗଲା। ସନ୍ଧ୍ୟାରେ ୩ଟି ଜଙ୍ଗଲି ହାତୀ ମଧ୍ୟରୁ ଦୁଇଟିର ସ୍ଥାନ ଚିହ୍ନଟ କରାଗଲା।  ଗୋଟିଏ ଖସି ପଳାଇଲା ଅନ୍ୟଟି ଧରାପଡ଼ିଲା। ପଶୁ ଡାକ୍ତର ତୁରନ୍ତ ଟ୍ରାଙ୍କ୍ୟୁଲାଇଜର ଦେଲେ। ଏହା ପରେ ଜଙ୍ଗଲୀ ହାତୀମାନେ ଯେଉଁ ଗତିରେ ଦୌଡ଼ନ୍ତି ତାହା ମଣିଷର ସୀମା ବାହାରେ। ଗୋଟିଏ ତାଲିମପ୍ରାପ୍ତ ହାତୀ ତାକୁ ଗୋଡ଼ାଇଲା। ଏହି ଦଳ ଟ୍ରାଙ୍କ୍ୟୁଲାଇଜର ଦିଆଯାଇଥିବା ହାତୀ ଗୋଟିଏ ଗୋଡ଼କୁ ଦଉଡିର ଗୋଟିଏ ମୁଣ୍ଡରେ ବାନ୍ଧିଲେ ଅନ୍ୟଟି ତାଲିମପ୍ରାପ୍ତ ହାତୀର ଗୋଡ଼ରେ ବନ୍ଧାଗଲା ଏବଂ ତାକୁ ମନଗାଁଓ ଠାରୁ ତିନି କିଲୋମିଟର ଦୂରରେ ଅମ୍ବାରୀରେ ଥିବା ଏକ ଖୁଆଡ଼ ବା କ୍ରଲ୍‌କୁ ଅଣାଗଲା। ଅନ୍ୟ ଦୁଇ ହାତୀଙ୍କୁ ମଧ୍ୟ ସେମିତି ଭାବରେ ପରବର୍ତ୍ତୀ ୫ଦିନରେ ଧରାଗଲା।

ପର୍ଯ୍ୟଟକମାନେ ହାତୀମାନଙ୍କୁ ଦେଖିବା ପାଇଁ ଅମ୍ବାରୀର ଏହି ଛୋଟ ପଡ଼ିଆକୁ ଆସିଲେ।  ଏହା କୁଦଲରେ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ଥିଲା, ଯାହା ପୂର୍ବରୁ କେବଳ ସେମାନଙ୍କ ଚିନ୍ତାରେ ବରଡ଼ାପତ୍ର ପରି ଥରୁଥିଲା। ସୁଭାଷ ବାନ୍ଧେକର କୁହନ୍ତି, ‘‘ଆମ ପିଲାମାନେ ରାତି ୭ଟା ପରେ ଆମ ନିଜ ଘର ପଛପଟକୁ ମଧ୍ୟ ଯାଆନ୍ତି ନାହିଁ। ଆମେ ରାତିରେ ଭଲ ନିଦ କ’ଣ ଭୁଲି ଯାଇଥିଲୁ’’। ତାଙ୍କ କ୍ଷେତ ତିନିଥର ଉଜୁଡିଥିଲା।

ବାନ୍ଧେକରଙ୍କ ବଗିଚାର ୩ଟି ହାତୀ ୫୦ଟି ନଡ଼ିଆଗଛ ଉପାଡି ଦେଲେ। ବାନ୍ଧେକର କୁହନ୍ତି, ‘‘କୋଠରୀ ଭିତରେ ଥିବା ଧାନ ବସ୍ତା ନେବା ପାଇଁ ସେମାନେ ଝରକା ଓ ପଛ କବାଟ ଭାଙ୍ଗିଦେଲେ। ସେ ସମୟରେ ଆମେ କୌଣସି ମତେ ନିଜକୁ ଅନ୍ୟ ଏକ କୋଠରୀରେ ବନ୍ଦ କରି ରଖିଲୁ। ଆମେ କିଛି ବାଣ ଫୁଠାଇଲୁ ଏବଂ ସେମାନେ ଚାଲିଗଲେ’’।

ମନଗାଓଁର ଘାନଭାଲେ ଗାଁର ବିଜୟା ଯାଦବ କିନ୍ତୁ କମ୍‌ ଭାଗ୍ୟଶାଳୀ। ତାଙ୍କ ପିଲାମାନଙ୍କ ଆଗରେ ଗୋଟିଏ ହାତୀ ତାଙ୍କୁ ଉଠାଇଲା, ଦଳିଦେଲା ଏବଂ ତଳେ କଚାଡ଼ି ଦେଲା। ସେ ଏପର୍ଯ୍ୟନ୍ତ ଅଚଳ ଅବସ୍ଥାରେ ଅଛନ୍ତି।  

PHOTO • Parth M.N.

ଧରାଯାଇଥିବା ହାତୀକୁ ସାହାଯ୍ୟ କରିବା ପାଇଁ ଅନ୍ୟ ବଣୁଆ ହାତୀଟି ଏହି ଐତିହାସିକ ଉଦ୍ୟମରେ ସାହାଯ୍ୟ କରୁଥିବା ଜଣେ ସ୍ଥାନୀୟ କର୍ମଚାରୀଙ୍କ ଆଡ଼କୁ ମାଡ଼ି ଆସିଲା ଯେ କି ପରେ ମେ ମାସରେ ପ୍ରାଣ ହରାଇଲେ। ଜଙ୍ଗଲ କର୍ମଚାରୀମାନେ ଫଟୋଗ୍ରାଫରମାନଙ୍କୁ ଦୂରେଇ ଦେଇଥିଲେ

କୁଦଲର ବାତାବରଣରେ ଥିବା ଭୟର ମେଘ ଅପସରି ଗଲା। କିନ୍ତୁ ଦୂରଦୃଷ୍ଟି ଅଭାବ କାରଣରୁ ଜଙ୍ଗଲ ବିଭାଗ ତଦନ୍ତ ଭିତରକୁ ଆସିଗଲା। ଧରାଯାଇଥିବା ତିନୋଟି ବଣୁଆ ହାତୀଙ୍କ ମଧ୍ୟରୁ ଗୋଟିଏ ସେମାନଙ୍କର ତାଲିମ ସମୟରେ ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରାଣ ହରାଇଲା। ତା’ର ବୟସ ୪୦ ଥିଲା। ଯେତେବେଳେ କି ହାତୀମାନଙ୍କର ହାରାହାରି ବୟସ ୮୦। କଦମ କୁହନ୍ତି, ‘‘ଏହା ଏକ ପ୍ରାକୃତିକ ମୃତ୍ୟୁ ଥିଲା, ଆମେ ତାକୁ ଅନ୍ୟ ଦୁହିଁଙ୍କଠାରୁ ଭିନ୍ନ ବ୍ୟବହାର ଦେଇନଥିଲୁ।’’ ତେବେ ସ୍ଥାନୀୟ ସାମ୍ବାଦିକ ଚନ୍ଦୁ ଶେଯେ କୁହନ୍ତି, ‘‘ଅଞ୍ଚଳରେ ହାତୀମାନଙ୍କ ସ୍ୱାସ୍ଥ୍ୟରେ ବିଶେଷ ଅଭିଜ୍ଞତା ଥିବା ଡାକ୍ତର ନାହାଁନ୍ତି। ଯେତେବେଳେ ଡକାଯାଏ ସେତେବେଳେ ଜଣେ ଡାକ୍ତର ମହୀଶୂରରୁ ଆସନ୍ତି।

ହାତୀକୁ ଲୁପ୍ତପ୍ରାୟ ଶ୍ରେଣୀରେ ରଖାଯାଇଥିବା ବେଳେ ଏହାର ସଂରକ୍ଷଣ କ୍ରମଶଃ ଅଧିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଗୋଟିଏ ହାତୀ ଦୈନିକ ନଡ଼ା, କୁଟା, ଗଛଲତା ସହ ୩୦ କିଲୋ ପରିମାଣର ଖାଦ୍ୟ ଏବଂ ସମାନ ପରିମାଣର ପାଣି ଆବଶ୍ୟକ କରିଥାଏ। ଏହାଛଡ଼ା କାଦୁଅ ମଧ୍ୟ ହାତୀଙ୍କର ପ୍ରିୟ। ସେମାନଙ୍କ ସ୍ୱେଦଗ୍ରନ୍ଥି ନ ଥିବାରୁ ସେମାନେ ଅଧିକାଂଶ ସମୟରେ କାଦୁଅରେ ବୁଡ଼ି ଖରାରେ ନିଜ ଶରୀରର ତାପ କମ୍‌ କରନ୍ତି। ଶିନ୍ଧେ କୁହନ୍ତି, ‘‘ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିବା ସମୟରେ ଗୋଟିଏ ଖୁଆଡ଼ରେ ଆବଶ୍ୟକ ପରିମାଣର କାଦୁଅ ଯୋଗାଡ଼ କରିବା କୌଣସି ମତେ ସମ୍ଭବ ନୁହେଁ। ଆମେ ନିଜକୁ ପଚାରିବା ଉଚିତ୍‌ ହାତୀମାନଙ୍କୁ ପାଳିବା ପାଇଁ ଆମର କ୍ଷମତା ଅଛି କି? ମୋ ମତରେ ଆମର ମଣିଷ ବଳ ମଧ୍ୟ ନାହିଁ’’।

ପୁନେର ଜଙ୍ଗଲ ଅଧୀକାରୀ ସୁନିଲ ଲିମାୟେ ଏହି ହାତୀର ମୃତ୍ୟୁରେ ଅନୁତାପ  ପ୍ରକାଶ କରି କହିଲେ, ‘‘ଆମେ ଏଥିରୁ ଶିକ୍ଷା ପାଇଲୁ ଏବଂ ଭବିଷ୍ୟତରେ ଗୋଟିଏ ହାତୀ ଆବଶ୍ୟକ କରୁଥିବା ସବୁକିଛି ଯୋଗାଇ ଦେବା ସୁନିଶ୍ଚିତ କରିବୁ’’।

କିନ୍ତୁ ଏହା ପରେ ନିକଟରେ ଏକ ଶନିବାର ଅପରାହ୍ନରେ ଅମ୍ବେରୀ ନିଜର ସ୍ନିଗ୍ଧତା ହରାଇଲା। ଏଠାରେ ଥିବା ବଳକା ଦୁଇ ହାତୀଙ୍କ ମଧ୍ୟରୁ ଗୋଟିଏ ଅସୁସ୍ଥ ହୋଇପଡିଲା। ଏହା ତାପମାତ୍ରା ସହ୍ୟ କରି ନପାରିବା ପରି ମନେ ହେଉଥିଲା ଏବଂ ହଠାତ୍‌ ତଳେ ପଡ଼ିଗଲା। ତା’ର ଆଖି ଲାଲ୍‌ ହୋଇଗଲା। ୭-୮ଜଣ ଲୋକ ତାକୁ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ଖୁବ୍‌ ଉଦ୍ୟମ କଲେ। ଏହି ଦୃଶ୍ୟ ଖୁବ୍‌ କରୁଣ ଥିଲା।  ଏହି ବିଶାଳ ହାତୀ ଏତେ ଦୁର୍ବଳ ହୋଇ ପଡିଥିଲା ଯେ ନିଜ ଓଜନ ସହ୍ୟ କରିପାରୁନଥିଲା। ଲୋକମାନେ ତାକୁ ଗୋଟିଏ ଦଉଡିରେ ବାନ୍ଧି ଉଠାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ଅଧା ପର୍ଯ୍ୟନ୍ତ ଉଠି ପୁଣି ପଡ଼ି ଯାଉଥିଲା। କେତୋଟି ଅସଫଳ ଉଦ୍ୟମ ପରେ ସେ ସ୍ଥିର ଭାବରେ ପଡ଼ିଗଲା। ମନେ ହେଉଥିଲା ସେ ଯେମିତି ଏକ ଦୁର୍ବଳ ଯୋଦ୍ଧା ଯେ କି ସବୁକିଛି ହରାଇ ସାରିଛି।

ପରିବେଶ କ୍ରମଶଃ ଉତ୍ତେଜନାମୟ ହୋଇଗଲା। ସ୍ଥାନୀୟ ପଶୁ ଡାକ୍ତରଙ୍କୁ ଡକାଗଲା ଏବଂ ସେମାନେ ସାଲାଇନ ଦେଲେ। ଅନ୍ୟମାନେ ତାକୁ କଦଳୀ ଗଛ ଖୁଆଇଲେ। କେତେଜଣ ଗୋଟିଏ ପାଇପ୍‌ ଯୋଗାଡ଼ କରି ତା’ ଉପରେ ପାଣି ପକାଇଲେ। ପରେ ବରଫଖଣ୍ଡ ମଧ୍ୟ ଦିଆଗଲା। ସେ ସାରାଦିନ ଉଠିଲା ନାହଁ, ଅନ୍ୟ ହାତୀଟି ଅସହାୟ ଭାବରେ ଦେଖୁଥିଲା। ପରଦିନ ସେ ନିଜ ଗୋଡ଼ରେ ଛିଡ଼ା ହେଲା। କିନ୍ତୁ ଏହା ଏକ ଅସ୍ଥାୟୀ ଆଶ୍ୱସ୍ତି ଥିଲା।  କାରଣ ଏହା ଗୋଟିଏ ମାସ ମଧ୍ୟରେ ମଇ ୨୯ ତାରିଖରେ ମୃତ୍ୟୁବରଣ କଲା।

ଶିନ୍ଧେ କୁହନ୍ତି, ‘‘ସେମାନେ କୁଦଲରେ ଜଣେ ପୂର୍ଣ୍ଣକାଳୀନ ହାତୀ ବିଷାରଦଙ୍କୁ ନିଯୁକ୍ତି ଦେବା ଉଚିତ୍‌ ଥିଲା।’’ କଦମ କୁହନ୍ତି, ‘‘ମହାରାଷ୍ଟ୍ର ଏବେ ବି ବଣୁଆ ହାତୀମାନଙ୍କୁ ପରିଚାଳନା କରିବା ପାଇଁ ଏକ ଉପାୟ ଖୋଜୁଛି।  ସେ କୁହନ୍ତି, ‘‘କର୍ଣ୍ଣାଟକରେ ଶହ ଶହ ବର୍ଷ ଧରି ସେମାନେ ଅଛନ୍ତି। ୨୦୦୪ ପୂର୍ବରୁ ମହାରାଷ୍ଟ୍ରରେ କେହି କେବେ ଏମିତି ଏକ ସଂଘର୍ଷ ବିଷୟରେ ଚିନ୍ତା କରିନଥିଲେ’’।

ହାତୀମାନେ ଯେଉଁଭଳି ଭାବରେ ତାଲିମ ପାଉଛନ୍ତି ତାହାକୁ ନେଇ ମଧ୍ୟ ଏକ ଆପତ୍ତି ଉଠିଥିଲା। ଅଞ୍ଚଳ ଆଖପାଖରେ ଥିବା ସାକ୍ଷୀମାନେ କୁହନ୍ତି ହାତୀମାନଙ୍କୁ ତାଲିମ ସମୟରେ ପିଟାଯାଏ ଏବଂ ନିର୍ଯାତନା ଦିଆଯାଏ। ଶିନ୍ଧେ କୁହନ୍ତି, ‘‘ଏହା ଏକ ପୁରୁଣାକାଳିଆ ପଦ୍ଧତି। ହାତୀ ପରି ଏକ ସମ୍ବେଦନଶୀଳ ଜୀବର ପ୍ରଥମେ ବିଶ୍ୱାସ ଜନ୍ମାଇବା ଏବଂ ଏହା ପରେ ତାଲିମ ଦେବା ଆବଶ୍ୟକ।’’ ବିଶେଷଜ୍ଞମାନଙ୍କର ବିଶ୍ୱାସ ଏହି ପୁରୁଣାକାଳିଆ ପଦ୍ଧତି ଦୁଇ ହାତୀଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁର କାରଣ ହୋଇଥାଇପାରେ। ଶିନ୍ଧେ କୁହନ୍ତି, ‘‘ଗୋଟିଏ ଜଙ୍ଗଲୀ ହାତୀ ସାରା ଜୀବନ ନିଜ ଶୈଳୀରେ ବଞ୍ଚେ। ହଠାତ୍‌ ତାକୁ ଜବତ କରି ଖୁଆଡ଼ ଭିତରେ ରଖିଲେ ତା’ର ମାନସିକତା ବିଚଳିତ ହୁଏ ଏବଂ ସେହି କାରଣରୁ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ। ହାତୀମାନଙ୍କୁ ସେମାନଙ୍କ ସ୍ୱାଭାବିକ ପ୍ରବୃତି ଅନୁସରଣ କରିବାକୁ ଛାଡ଼ି ଦେବା ଉଚିତ୍‌। ଯଦି ଆମେ ଏକ ସୂଚିତ ଅଭୟାରଣ୍ୟରେ ଉପଯୁକ୍ତ ବାସସ୍ଥଳୀ ଯୋଗାଇ ଦେବା ସେମାନେ ଗାଁ ଭିତରକୁ ପଶି ଆସିବେ ନାହିଁ। ଚାଷୀମାନେ ବିନା ଭୟରେ ବଞ୍ଚିବେ ଏବଂ ଆମର ଏକ ସଂରକ୍ଷିତ ଜଙ୍ଗଲ ମଧ୍ୟ ରହିବ’’।

ଲିମାୟେ କୁହନ୍ତି, ‘‘ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସୀମାରେ ଦାଣ୍ଡେଲି-ତିଲାରୀ ହାତୀ ସଂରକ୍ଷିତ ଜଙ୍ଗଲ ଏହି ସଂଘର୍ଷ ପାଇଁ ଏକ ଦୀର୍ଘକାଳୀନ ସମାଧାନ ହେବ। ଏହା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରମାନଙ୍କର ଏକ ମିଳିତ ପଦକ୍ଷେପ ହୋଇପାରିବ। ’’ ଏଥିସହ ସେ ମତ ଦିଅନ୍ତି ଯେ, ଏକ ତୁରନ୍ତ ଲକ୍ଷ୍ୟ ହେଉଛି କୃଷକମାନଙ୍କୁ ଶିକ୍ଷିତ କରିବା ଏବଂ ସଚେତନତା ସୃଷ୍ଟି କରିବା। କାରଣ ଭୟଭୀତ ହେବାର ଆଚରଣ ବଣୁଆ ହାତୀଙ୍କଠାରେ କ୍ରୋଧ ସୃଷ୍ଟି କରେ ଏବଂ ସେମାନେ ମୃତ୍ୟୁର କାରଣ ହୁଅନ୍ତି। ଲିମାୟେ ଏକଥା ମଧ୍ୟ ବିଶ୍ୱାସ କରନ୍ତି ଯେ, ‘‘କ୍ଷତିପୂରଣ ପଦ୍ଧତି ଦ୍ରୁତ ହେବା ଆବଶ୍ୟକ’’।

ଭାରତୀୟ ବନ୍ୟଜୀବ ଟ୍ରଷ୍ଟର ମୁଖ୍ୟ ସଂରକ୍ଷକ ଡକ୍ଟର ଏନ୍‌.ଭି.କେ ଅସରଫ୍‌ଙ୍କର କୃଷକମାନଙ୍କ ପାଇଁ ଏକ ଭିନ୍ନ ପ୍ରକାରର ପରାମର୍ଶ ରହିଛି। ସେ କୁହନ୍ତି, ‘‘ଯେଉଁ ଫସଲ ହାତୀମାନଙ୍କୁ ଆକୃଷ୍ଟ କରେ, ତାହାକୁ କ୍ଷେତ ଭିତରକୁ ରଖନ୍ତୁ। ହାତୀମାନେ ଲେମ୍ବୁ, ଲଙ୍କା ଏବଂ ମହୁ ଫେଣାକୁ ଘୃଣା କରନ୍ତି। ସେଗୁଡ଼ିକୁ କ୍ଷେତର ବାହାର ସୀମାରେ ରଖନ୍ତୁ’’।

ପରାମର୍ଶ ମାନିବା ଯୋଗ୍ୟ କିନ୍ତୁ ବଣୁଆ ହାତୀଙ୍କ ପାଇଁ ସ୍ଥାନ ସଂକୁଚିତ ହେଉଛି ଏବଂ ମନୁଷ୍ୟର ଅତିକ୍ରମଣ ବଢ଼ୁଛି। ତେଣୁ ସମାଧାନ ଖୁବ୍‌ କମ୍‌।  ଉଭୟ ଗୋଷ୍ଠୀ ଭୟ ମଧ୍ୟରେ ବଞ୍ଚୁଛନ୍ତି ଏବଂ ସ୍ୱାଧୀନତା ଏବଂ ଅନେକ କିଛି ହରାଉଛନ୍ତି।

ଏ ମଧ୍ୟରେ ସୂର୍ଯ୍ୟ ଆକାଶରୁ ତଳକୁ ଓହ୍ଲାଇବା ଆରମ୍ଭ କରିଥିଲେ। ନାନୋଙ୍କ ପତ୍ନୀ ସବୁ ଝରକା ଏବଂ କବାଟ ଠିକ୍‌ ଭାବରେ ବନ୍ଦ ହୋଇଥିବା ସୁନିଶ୍ଚିତ କଲେ।  ସେ ତାଙ୍କ ନାତିନାତୁଣୀ, ପୁଅ-ବୋହୂମାନଙ୍କୁ ଘରକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଲେ। ନାନୋ ଗୋଟିଏ ଠେଙ୍ଗା ଏବଂ ଟର୍ଚ୍ଚ ସହ କ୍ଷେତର ମଞ୍ଚା ଉପରେ ରାତି କଟାଇବା ପାଇଁ ପ୍ରସ୍ତୁତ ହେଉଥିଲେ। ଆଜି ତାଙ୍କର ପାଳି।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.