“ଆମେ ବାହାରି ଯିବାକୁ ଚାହୁଁ ନ ଥିଲୁ । ପ୍ରଥମେ ଆମେ ସେମାନଙ୍କୁ ଅଣଦେଖା କଲୁ । ତା’ପରେ ଯେତେବେଳେ ବି ବନ ବିଭାଗ ଅଧିକାରୀମାନେ ଆସୁଥିଲେ, ଆମେ ଲୁଚି ଯାଉଥିଲୁ... ଏମିତି ଏମିତି ଆମେ ଅନେକ ଦିନ କାଟିଦେଲୁ ।” ପୁରୁଣା କଥା ମନେ ପକାଇ ଏହା କହନ୍ତି ବାବୁଲାଲ କୁଆନ୍ଧର, ଯିଏ କି ପୂର୍ବରୁ ତାଲଗାଓଁ ଗାଁରେ ରହୁଥିଲେ । “ମୁଁ ଭାବୁଛି, ପାଖାପାଖି ୨୦୦୮ରେ ଏହି ନିଷ୍ପତ୍ତି ନିଆଯାଇଥିଲା । ବନ ବିଭାଗ ଅଧିକାରୀମାନେ ଆମକୁ କହିଲେ ଯେ, ଜଙ୍ଗଲରେ ବାଘଙ୍କ ସଂଖ୍ୟା ବଢ଼ି ଯାଇଛି ଏବଂ ଆମକୁ ତୁରନ୍ତ ବାହାରି ଯିବାକୁ ପଡ଼ିବ ।”

ଚାରି ବର୍ଷ ଧରି ସ୍ଥାନ ଛାଡ଼ି ଯିବାକୁ ମନା କରିବା ପରେ, ୨୦୧୨ରେ ତାଲଗାଓଁର ଆଦିବାସୀମାନଙ୍କୁ ସେମାନଙ୍କ ପୈତୃକ ଗାଁ ଛାଡ଼ି ପ୍ରାୟ ୧୬ କିଲୋମିଟର ଦୂର ଶରତପୁରା ପଲ୍ଲୀରେ ବସବାସ କରିବାକୁ ବାଧ୍ୟ କରାଗଲା । ସ୍ଥାନୀୟ ଭାଷାରେ ତାରା-ଟେକ୍‌ କୁହାଯାଉଥିବା ଏହି ପଲ୍ଲୀଟି ପାନ୍ନା ଜିଲ୍ଲାର ଅମନଗଞ୍ଜ ତହସିଲ୍‌କୁ ଯାଇଥିବା ରାଜପଥ ନିକଟରେ ରହିଛି ।

୨୦୦୮-୨୦୦୯ରେ, ଯେତେବେଳେ ମଧ୍ୟ ପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସବୁ ବାଘ ଲୋପ ପାଇଗଲେ, ଗୁରୁତ୍ୱପୂର୍ଣ୍ଣ ବ୍ୟାଘ୍ର ନିବାସସ୍ଥଳୀରେ ବାଘମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ସୃଷ୍ଟି କରିବାକୁ ୧୨ଟି ଗାଁକୁ ସ୍ଥାନାନ୍ତର କରାଗଲା । ସେଥିରୁ ଗୋଟିଏ ହେଲା ତାଲଗାଓଁ । ୨୦୧୧ର ଏକ ରିପୋର୍ଟ ଅନୁସାରେ ସଂରକ୍ଷିତ ଅଞ୍ଚଳର କେନ୍ଦ୍ରସ୍ଥଳରେ ୧୬ଟି ଗାଁ ରହିଥିଲା (୧୧ଟି ପାନ୍ନା ଜିଲ୍ଲାରେ ଏବଂ ପାଞ୍ଚଟି ଛତରପୁର ଜିଲ୍ଲାରେ; ସେ ସମୟରେ ସ୍ଥାନାନ୍ତରିତ ହୋଇ ନଥିବା ଚାରିଟି ଗାଁର ବର୍ତ୍ତମାନ ସ୍ଥିତି ଯାଞ୍ଚ କରାଯାଇପାରିନାହିଁ) ।

୨୦୧୧ ଜନଗଣନାରେ, ସେତେବେଳେ ତାଲଗାଓଁରେ ୧୭୧ଟି ପରିବାର ରହୁଥିବା ରେକର୍ଡ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍‌ ଗୋଣ୍ଡ ଆଦିବାସୀ ସଂପ୍ରଦାୟର । ସେମାନଙ୍କ ମଧ୍ୟରୁ ମାତ୍ର ୩୭ଟି ପରିବାର ଶରତପୁରାରେ ରହୁଛନ୍ତି । ଅନ୍ୟମାନେ ସତ୍‌ନା, କଟ୍‌ନି ଏବଂ ଅଜୟଗଡ଼ ଭଳି ସହରକୁ ଚାଲିଯାଇଛନ୍ତି ।

ସେ ଯାହା ହେଉନା କାହିଁକି, ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ଅନେକ ସରକାରୀ ମାପଦଣ୍ଡ ଏବଂ ଆଇନଗତ ବ୍ୟବସ୍ଥାକୁ ଅଣଦେଖା କରାଯାଇଛି। ପରିବେଶ ଓ ବନ ମନ୍ତ୍ରାଳୟ ତଦାରଖ କରୁଥିବା ପ୍ରୋଜେକ୍‌ଟ ଟାଇଗର ର ଧାରା ୪.୯ ଅନୁସାରେ ସ୍ଥାନାନ୍ତରଣ ପ୍ୟାକେଜ୍‌ରେ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି: କ୍ଷତିପୂରଣ ରୂପେ ୧୦ ଲକ୍ଷ ଟଙ୍କା ଗ୍ରହଣ କରି ଗୋଟିଏ ପରିବାର ନିଜେ ନିଜର ସ୍ଥାନାନ୍ତର ଓ ବସବାସ ବ୍ୟବସ୍ଥା କରିବ, କିମ୍ବା ବନ ବିଭାଗ ଓ ଜିଲ୍ଲାପାଳ ଥଇଥାନ ପ୍ରକ୍ରିୟାର ଦାୟିତ୍ୱ ନିଶ୍ଚିତ ତୁଲାଇବେ ।

Babulal Kuandhar’s house   Sarathpura Hamlet, Tara Village, Amanganj tehsil, Panna District
PHOTO • Saurav Verma
Shoba Rani Kuandhar’s house in Sarathpura Hamlet, Tara Village, Amanganj tehsil, Panna District
PHOTO • Saurav Verma

ବାମ : ଶରତପୁରା ପଲ୍ଲୀରେ ବାବୁଲାଲ କୁଆନ୍ଧରଙ୍କ ଘର ; ଆମେ ବାହାରି ଯିବାକୁ ଚାହୁଁ ନଥିଲୁ ଡାହାଣ : ଶୋଭା ରାଣୀଙ୍କ ଘର ; ଯଦି ପୁଣି ସେମାନେ ଆମକୁ ବାସଚ୍ୟୁତ କରନ୍ତି ଆମେ କୁଆଡ଼େ ଯିବୁ ?

ଯଦିଚ ସେମାନେ କହନ୍ତି ଯେ, ସେମାନଙ୍କ ପାଖରେ ଜମିର ସ୍ୱତ୍ୱ ଅଛି ଏବଂ ସେମାନେ ସେହି ଗାଁରେ ପିଢ଼ି ପିଢ଼ି ଧରି ରହି ଆସୁଛନ୍ତି, ତଥାପି ତାଲଗାଓଁର ଲୋକମାନଙ୍କୁ ଦ୍ୱିତୀୟ ବିକଳ୍ପ ଦିଆଯାଇ ନଥିଲା । ନିଜେ ନିଜେ ସେମାନେ ପୁନର୍ବାସ ପାଇଁ ଅନ୍ୟ ଏକ ସ୍ଥାନ ଚିହ୍ନଟ କରିଥିଲେ। ଏବେ ଶରତପୁରାର ନୂଆ ଘରେ ରହୁଥିବା ଗାଁ ଲୋକଙ୍କ ପାଖରେ ଜମିର ମାଲିକାନା ନାହିଁ ଏବଂ ବାସଚ୍ୟୁତ ହେବାର ଚିନ୍ତା ଘାରୁଛି ।

ବାବୁଲାଲଙ୍କ ମା’ ଶୋଭା ରାଣୀ କୁଆନ୍ଧର ପଚାରନ୍ତି, “ଆମେ ଅଧା (କ୍ଷତିପୂରଣ) ଟଙ୍କା ଘର ତୋଳିବାରେ ଖର୍ଚ୍ଚ କରିଦେଲୁ । ଛ’ ମାସ କାଳ ଆମେ ଅସ୍ଥାୟୀ ଘରେ ରହିଲୁ । ଏବେ ଆମ ପାଖରେ ଏହି ଜମିର ପଟ୍ଟା (ସ୍ୱତ୍ୱ) ନାହିଁ । ଯଦି ପୁଣି ସେମାନେ ଆମକୁ ବାସଚ୍ୟୁତ କରନ୍ତି ଆମେ କୁଆଡ଼େ ଯିବୁ ?”

ତାଲଗାଓଁର ଅଧିକାଂଶ ପରିବାର ସଂପୂର୍ଣ୍ଣ କ୍ଷତିପୂରଣ ରାଶି ମଧ୍ୟ ପାଇନାହାନ୍ତି । ବାବୁଲାଲ କହନ୍ତି, “ଆରମ୍ଭରୁ କେତେ ଜଣ (୧୦ ଲକ୍ଷ ଟଙ୍କାର) ପ୍ରସ୍ତାବ ଗ୍ରହଣ କରି ସହର ଓ ନଗରକୁ ପଳାଇଲେ । କିନ୍ତୁ ବିନା ଜମିରେ, ଜଙ୍ଗଲ ବାହାରେ ଜୀବନ କାଟିବା ପାଇଁ ଟଙ୍କା ବା ଆମର କେଉଁ କାମରେ ଲାଗିବ ? ତେଣୁ, ଆମ ଭିତରୁ କେତେ ଜଣ ମନା କରିଦେଲେ।” ଶରତପୁରାରେ ରହୁଥିବା ୩୭ଟି ପରିବାର ଭଳି, ଯେଉଁ ସବୁ ପରିବାର ବିରୋଧ କଲେ, ଶେଷରେ ସେମାନେ ପରିବାର ପିଛା ୮ ଲକ୍ଷ ଟଙ୍କା ଲେଖାଏଁ ଗ୍ରହଣ କଲେ । ଏହି ଟଙ୍କାର ପରିମାଣ କାହିଁକି କମ୍‌ କରାଗଲା ତାହା ସ୍ପଷ୍ଟ ହୋଇନାହିଁ । ପ୍ରତିବଦଳରେ ସେମାନେ ତାଲଗାଓଁରେ ଥିବା ସେମାନଙ୍କର ପକ୍କା ଘର ଏବଂ ଚାଷଜମି ଓ ଘରଡ଼ିହ ସମେତ ପରିବାର ପିଛା ହାରାହାରି ଛ’ ଏକର ଲେଖାଏଁ ଜମି ଛାଡ଼ି ଆସିଲେ ।

ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା ୩୮ (ଭି) ଅନୁସାରେ ଯେ କୌଣସି ପୁନର୍ବାସ ଯୋଜନା ପୂର୍ବରୁ ଗ୍ରାମବାସୀଙ୍କୁ ସୂଚନା ଦେବା ଏବଂ ସେମାନଙ୍କର ସମ୍ମତି ନେବା ଅନିବାର୍ଯ୍ୟ। ତାଲଗାଓଁରେ ଏହାକୁ ମଧ୍ୟ ଉପେକ୍ଷା କରାଗଲା। ବାବୁଲାଲଙ୍କ ପଡ଼ୋଶୀ ଏବଂ ଦିନ ମଜୁରିଆ ଦୀଲାନ କୁଆନ୍ଧର କହନ୍ତି, “ସେମାନେ (ବନ ବିଭାଗ) ଆମକୁ ସବୁଦିନ ହଇରାଣ କଲେ। କେବେ କେବେ ସେମାନେ ପୁରୁଣା ବାଘ ଚମଡ଼ା ନେଇ ଆସନ୍ତି ଏବଂ ବାଘ ଶିକାର କରିବା ଅଭିଯୋଗରେ ଆମ ବିରୋଧରେ ଏକ ମିଥ୍ୟା ମାମଲା ଦାୟର କରିବେ ବୋଲି ଧମକ ଦିଅନ୍ତି । ଥରେ ମୁଁ ବି କିଛି ଦିନ ପାଇଁ ଜେଲ୍‌ରେ ଥିଲି, କାରଣ ସେମାନେ କହିଲେ ମୁଁ କୁଆଡ଼େ ଗୋଟିଏ ସମ୍ବର ହରିଣ ମାରିଥିଲି । ଦିନେ ସେମାନେ ଆମ ଘର ଭାଙ୍ଗିବାକୁ ସାଙ୍ଗରେ ହାତୀ ନେଇ ଆସିଲେ । ତା’ ପରେ ଆମେ ଆଉ କ’ଣ ବା କରିପାରିଥାଆନ୍ତୁ ?”

Deelan Kuandhar in his house in Sarathpura Hamlet, Tara Village, Amanganj tehsil, Panna District
PHOTO • Maithreyi Kamalanathan
Sarathpura Hamlet, Tara Village, Amanganj tehsil, Panna District
PHOTO • Maithreyi Kamalanathan

ଦୀଲାନ କୁଆନ୍ଧର (ବାମ) କହନ୍ତି ଦିନେ ସେମାନେ ଆମ ଘର ଭାଙ୍ଗିବାକୁ ସାଙ୍ଗରେ ହାତୀ ନେଇ ଆସିଲେ । ତା ପରେ ଆମେ ଆଉ କ ଣ ବା କରିପାରିଥାଆନ୍ତୁ? ’; ସେ ବି ଏବେ ଶରତପୁରା(ଡାହାଣ)ରେ ରହୁଛନ୍ତି

ଶରତପୁରାର ଆଉ ଜଣେ ବାସିନ୍ଦା, ଭରତ କୁଆନ୍ଧର ସେତେବେଳର କଥା ମନେ ପକାନ୍ତି, ଯେତେବେଳେ ତାଙ୍କ କୌଶଳ ବାଘ ସଂରକ୍ଷଣ ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲା । “ପଳାଇ ଯାଇଥିବା ବାଘମାନଙ୍କୁ ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳକୁ ଫେରାଇ ଆଣିବା ଏବଂ ସେମାନଙ୍କ ରେଡିଓ କଲାର୍‌ ଲଗାଇବାରେ ମୁଁ ବନ ବିଭାଗକୁ ସାହାଯ୍ୟ କରୁଥିଲି । ଜଙ୍ଗଲରେ ରହୁଥିବା ଲୋକେ ବାଘକୁ ଭୟ କରନ୍ତି ନାହିଁ, ଆମେ ବାଘ ସହ ସାଙ୍ଗ ହୋଇ ବାଟ ଚାଲୁ ।

ଏହି ସହାବସ୍ଥାନକୁ ସୁରକ୍ଷା ଦିଏ ଜଙ୍ଗଲ ଅଧିକାର ଆଇନ,୨୦୦୬ । ଏହି ଆଇନର ଧାରା ୪(୨) ଏବଂ ୪(୨)(ଗ) ଅନୁସାରେ, ଜଙ୍ଗଲ ଅଧିବାସୀମାନଙ୍କ ଉପସ୍ଥିତି ହିଁ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀଙ୍କ ପର୍ଯ୍ୟାପ୍ତ କ୍ଷତିର କାରଣ ବୋଲି ପ୍ରତିପାଦନ କରିବା, ଏବଂ ସହ-ଅବସ୍ଥିତିର ଅନ୍ୟ ବିକଳ୍ପ ଉପଲବ୍‌ଧ ନୁହେଁ ବୋଲି ପ୍ରମାଣିତ କରିବା ହିଁ ଗୁରୁତ୍ୱପୂର୍ଣ୍ଣ ।

ସ୍ଥାନଚ୍ୟୁତ କରିବା ପୂର୍ବରୁ ଏଭଳି ବିକଳ୍ପଗୁଡ଼ିକୁ ପରୀକ୍ଷା କରି ଦେଖାଯାଇଥିଲା କି ନାହିଁ ତାହା ଅସ୍ପଷ୍ଟ । ଯେତେବେଳେ ମୁଁ ବନ ବିଭାଗ ସହ ଯୋଗାଯୋଗ କଲି,  ମୋତେ କୁହାଯାଇଥିଲା  ଯେ ସମସ୍ତ ତଥ୍ୟ ବିଭାଗର ୱେବ୍‌ସାଇଟ୍‌ରେ ଉପଲବ୍‌ଧ । କିନ୍ତୁ ତାଲଗାଓଁ କିମ୍ବା ପ୍ରକଳ୍ପ ସଂଲଗ୍ନ ଓ କେନ୍ଦ୍ରସ୍ଥଳରେ ଥିବା ଅନ୍ୟ କୌଣସି ଗାଁ ଲୋକଙ୍କ ପୁନର୍ବାସ ପ୍ରକ୍ରିୟା ସଂପର୍କରେ କୌଣସି ତଥ୍ୟ ୱେବ୍‌ସାଇଟ୍‌ରେ ନାହିଁ ।

ବନ୍ୟପ୍ରାଣୀ (ସୁରକ୍ଷା) ଆଇନର ଧାରା ୩୮ (ଭି)ରେ ଏହା ମଧ୍ୟ କୁହାଯାଇଛି ଯେ “ରାଜ୍ୟ ସରକାର ଏକ ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ସମୟରେ, ବାଘ ରହୁଥିବା ଜଙ୍ଗଲ କିମ୍ବା ଏକ ବାଘ ସଂରକ୍ଷଣ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ କୃଷି, ଜୀବିକା, ଉନ୍ନୟନ ସଂପର୍କିତ ଏବଂ ଅନ୍ୟାନ୍ୟ ସ୍ୱାର୍ଥ ନିଶ୍ଚିତ ରୂପେ ବଜାୟ ରଖିବେ ।”

One of the two handpumps present within Sarathpura Hamlet, Tara Village, Amanganj tehsil, Panna District. The handpumps dry up in summers and the women have to use the one present in the main village, which takes almost 2-3 hours of their day in summer.
PHOTO • Saurav Verma
Sarathpura Hamlet, Tara Village, Amanganj tehsil, Panna District
PHOTO • Saurav Verma

କାମ, ଖାଉଟି ସାମଗ୍ରୀ ଏବଂ ସ୍କୁଲ୍‌ ଭଳି ପାଣି ମଧ୍ୟ ଏହି ନୂଆ ବସତିର ଏକ ସମସ୍ୟା ; ଖରାଦିନେ ଦୁଇଟି ଯାକ ହ୍ୟା ଣ୍ଡ୍ ପମ୍ପ୍‌ ଶୁଖିଯାଏ ଏବଂ ପାଖରେ ଥିବା ତାରା ଗାଁରୁ ପାଣି ଆଣିବା ପାଇଁ ମହିଳାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଚାଲିବାକୁ ପଡ଼େ

ଏହି ଦିଗକୁ ମଧ୍ୟ ଅଣଦେଖା କରାଯାଇଛି। ଶରତପୁରାକୁ ସ୍ଥାନାନ୍ତର ଯୋଗୁଁ ଜଙ୍ଗଲର ପାରିସ୍ଥିତିକ ତନ୍ତ୍ର ସହ ଯୋଡ଼ି ହୋଇ ରହିଥିବା ଆଦିବାସୀମାନଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଲା। ତାଲଗାଓଁରେ ବାବୁଲାଲଙ୍କ ପରିବାର ପ୍ରାୟ ପାଞ୍ଚ ଏକର ଜମିରେ ବିରି ଓ ମକା ଚାଷ କରିଥିଲେ। ଅନ୍ୟ ପରିବାର ଭଳି ସେମାନେ ଗ୍ରୀଷ୍ମ ଋତୁରେ ମହୁଲି ଫୁଲ (ସ୍ଥାନୀୟ ଏକ ନିଶାଯୁକ୍ତ ପାନୀୟ ପାଇଁ), କେନ୍ଦୁ ପତ୍ର (ବିଡ଼ି ତିଆରିରେ ବ୍ୟବହୃତ) ଏବଂ ଚହଁର ମଞ୍ଜି (ସାଧାରଣତଃ ଖିରିରେ ବ୍ୟବହୃତ ହୁଏ) ସଂଗ୍ରହ କରି ବିକୁଥିଲେ । ପାନରେ ବ୍ୟବହୃତ ଏକ ମୁଖ୍ୟ ଉପାଦାନ ଖଇର ଗଛର ବକଳ ସଂଗ୍ରହ କରି ବିକିବା ଥିଲା କୁଆନ୍ଧର ସଂପ୍ରଦାୟର ପାରମ୍ପରିକ ଜୀବିକା ।

ପୁନର୍ବାସ ଏହି ସବୁ ପାରମ୍ପରିକ ଜୀବିକାକୁ ଛିନ୍ନଭିନ୍ନ କରିଦେଲା। ଆଜିକାଲି, ଯେତେବେଳେ କାମ ମିଳେ, ବାବୁଲାଲ କୁଆନ୍ଧର ପାଖ ତାରା ଗାଁରେ କୃଷି ଶ୍ରମିକ ଭାବେ ଦିନକୁ ୨୦୦-୨୫୦ ଟଙ୍କା ରୋଜଗାର କରନ୍ତି କିମ୍ବା ଅମନଗଞ୍ଜ ତହସିଲରେ ଥିବା ବିଭିନ୍ନ ନିର୍ମାଣସ୍ଥଳୀରେ ଠିକାଦାରଙ୍କ ସହ ମୂଲଚାଲ କରି ଦିନ ମଜୁରିଆ ଭାବେ କାମ କରନ୍ତି ।

ବାବୁଲାଲଙ୍କ ମା’ ଶୋଭା କହନ୍ତି, “ଆଗରୁ ଜଙ୍ଗଲରେ ଆମର ସବୁକିଛି ଥିଲା- କେନ୍ଦୁ, ମହୁଲ, ଚହଁର, ସବୁ ସେଠି ଥିଲା । ଖରାଦିନେ ଆମେ ସେସବୁ ସଂଗ୍ରହ କରି ବିକୁଥିଲୁ । କିନ୍ତୁ ଏବେ ଜାଳେଣି କାଠ ସଂଗ୍ରହ ପାଇଁ ବି ରେଞ୍ଜରମାନେ ଆମକୁ ଜଙ୍ଗଲ ଭିତରକୁ ଛାଡୁନାହାନ୍ତି ।”

ତାଲଗାଓଁରେ ସେମାନଙ୍କ ଚାଷଜମି ହରାଇବା ପରେ, ଭରତ କୁଆନ୍ଧର ଏବଂ ତାଙ୍କର ଦୁଇ ଭାଇ ଶରତପୁରାରେ ମଧ୍ୟ ପାଞ୍ଚ ଏକର ଜମି ଲିଜ୍‌ରେ ନେଇ ବିରି, ଗହମ ଏବଂ ମକା ଚାଷ କରୁଛନ୍ତି। ଭରତ ଚାଷଜମିର ଦେଖାରଖା କରନ୍ତି ଏବଂ ଯେତେବେଳେ କାମ ମିଳେ, ଅମନଗଞ୍ଜ ଓ ପାନ୍ନା ସହରର ବିଭିନ୍ନ ନିର୍ମାଣସ୍ଥଳୀରେ କାମ କରନ୍ତି। ତାଙ୍କ ଭାଇମାନେ ପ୍ରବାସୀ ଶ୍ରମିକ ଭାବେ ଦିଲ୍ଲୀ ଓ ସୋନିପତ ଭଳି ନଗରର ବିଭିନ୍ନ ନିର୍ମାଣସ୍ଥଳୀରେ କାମ କରନ୍ତି। ସେମାନଙ୍କ ଭଳି ତାଲଗାଓଁର ଅନେକ ଲୋକ, ସେପ୍ଟେମ୍ବରରେ ଅମଳ ସରିବା ପରେ, ଦିନ ମଜୁରିଆ କାମ ଖୋଜିବାକୁ ଅନ୍ୟ ରାଜ୍ୟକୁ ପଳାଇ ଯାଆନ୍ତି।

Anganwadi of Tara Village, Amanganj tehsil, Panna District
PHOTO • Maithreyi Kamalanathan
The old ration card of Shoba Rani issued in 2009
PHOTO • Maithreyi Kamalanathan

ବାମ : ଶରତପୁରାର ଛୋଟ ଛୋଟ ପିଲାଙ୍କ ଲାଗି ତାରା ଗାଁରେ ଥିବା ଅଙ୍ଗନବାଡ଼ି ଖୁବ୍‌ ଦୂର । ଡାହାଣ : ଶୋଭା ରାଣୀଙ୍କ ପରିବାରର ପୁରୁଣା ଖାଉଟି କାର୍ଡ ; ସେ ନୂଆ କାର୍ଡ ଯୋଗାଡ଼ କରିପାରିନାହାନ୍ତି

ଶରତପୁରା ଲୋକଙ୍କର ଆଉ ଏକ ବଡ଼ ସମସ୍ୟା ହେଲା ଯେ ଏହି ପଡ଼ା ଗାଁଟି କୌଣସି ପଞ୍ଚାୟତ ଅଧୀନରେ ରହିନାହିଁ, କିନ୍ତୁ ପୁନର୍ବାସର ଠିକ୍‌ ପରେ ଏହା ତାରା ଗାଁର ପଞ୍ଚାୟତ ସଂଲଗ୍ନ ହୋଇଯିବା କଥା । ତେଣୁ ସେମାନେ ଖାଉଟି ସାମଗ୍ରୀ ପାଇବା ଭଳି ମୌଳିକ ଅଧିକାରରୁ ବଞ୍ଚିତ । ଶୋଭା ରାଣୀଙ୍କ ପାଖରେ ୨୦୦୯ରେ ଦିଆଯାଇଥିବା ତାଙ୍କ ପରିବାରର ପୁରୁଣା ଖାଉଟି କାର୍ଡ ଅଛି । ସେ କହନ୍ତି, “ନଅ ବର୍ଷ ହେଲା ଆମେ ସରକାରଙ୍କ ପାଖରୁ କେବେ ବି କୌଣସି ଖାଉଟି ଜିନିଷ ପାଇନାହୁଁ ।’’ ଅନ୍ୟାନ୍ୟ ଜିନିଷ ସହିତ ସେମାନଙ୍କୁ ସବୁ ମାସରେ ମୁଣ୍ଡପିଛା ପାଞ୍ଚ କିଲୋ ଗହମ ଏବଂ ଚାଉଳ ମିଳିବା ଉଚିତ । କିନ୍ତୁ ଏଠାକାର ସବୁ ପରିବାର ଅମନଗଞ୍ଜ ବଜାରରୁ ଖାଉଟି ଜିନିଷ କିଣନ୍ତି, ଯାହାକି ସେମାନଙ୍କ ସ୍ୱଳ୍ପ ଉପାର୍ଜନ ଉପରେ ଗୁରୁତର ପ୍ରଭାବ ପକାଏ ।” ଶୋଭା ରାଣୀ ଆହୁରି କହନ୍ତି, “ଅନେକ ଥର ମୁଁ ଫର୍ମ (ଖାଉଟି କାର୍ଡ ପାଇଁ) ପୂରଣ କରିଛି, କିନ୍ତୁ ତାହା କାମରେ ଲାଗିନି । କିଛି ହୁଏନାହିଁ ।”

କୌଣସି ପଞ୍ଚାୟତ ଅନ୍ତର୍ଭୁକ୍ତ ହୋଇ ନଥିବାରୁ ଶରତପୁରାକୁ ଅଙ୍ଗନବାଡ଼ିରୁ କୌଣସି ପଞ୍ଜିରି (୦ରୁ ୫ ବର୍ଷ ବୟସର ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ପରିପୂରକ ଖାଦ୍ୟ ପ୍ୟାକେଟ୍‌) ମିଳେନାହିଁ । ତାରାର ସରପଞ୍ଚ ଗୀତା ଆଦିବାସୀ (ତାଙ୍କ ସାଙ୍ଗିଆକୁ ସେ ଏମିତି ଉପଯୋଗ କରିବାକୁ ପସନ୍ଦ କରନ୍ତି) କହନ୍ତି, “ଏ ପର୍ଯ୍ୟନ୍ତ ତାଲଗାଓଁର ଶିଶୁମାନଙ୍କ ଲାଗି ବଜେଟ୍‌ରେ କୌଣସି ବ୍ୟୟବରାଦ ହୋଇନାହିଁ । କେବେ କେମିତି, ଯଦି ବଳକା ପଞ୍ଜିରି ଉପଲବ୍‌ଧ ହୁଏ, ଆମେ ସେମାନଙ୍କୁ ଦେଇଦେଉ । ତା ନହେଲେ ଆମ ପାଖରେ ଦେବାକୁ କିଛିନାହିଁ ।”

ଦୂର ହୋଇଥିବାରୁ ଶରତପୁରାର ଅଧିକାଂଶ ଶିଶୁ ଅଙ୍ଗନବାଡ଼ିକୁ ଯାଆନ୍ତି ନାହିଁ । ଏହା ପ୍ରାୟ ୧. ୫ କିଲୋମିଟର ଦୂର ତାରା ଗାଁରେ ରହିଛି । ଅଳ୍ପ କେତେକ ବଡ଼ ପିଲା କୌଣସି ମତେ ସେଠାକାର ସ୍କୁଲ୍‌କୁ ଯାଆନ୍ତି । ହେଲେ ଶିକ୍ଷା ଉପରେ ଯେମିତି ଚଡ଼କ ପଡ଼ିଛି ।

ଭରତଙ୍କ ମାଆ ୫୦ ବର୍ଷୀୟା ପ୍ୟାରୀ ବାଇ କୁଆନ୍ଧର (ସବା ଉପର ଆବରଣ ଚିତ୍ରରେ, ଶରତପୁରାରେ ତାଙ୍କ ଘର ବାହାରେ ନାତିନାତୁଣୀଙ୍କ ସହ) ତାଙ୍କ ବସ୍ତିର ଶେଷଭାଗରେ ଖାଲି ପଡ଼ିଥିବା ପ୍ଲଟ୍‌କୁ ଦେଖାଇ କହନ୍ତି, “ଦିନେ ମୁଁ ଯଦି ଏ ଗାଁର ସରପଞ୍ଚ ହୁଏ, ଏଇଠି ହିଁ ଏକ ଅଙ୍ଗନବାଡ଼ି ଗଢ଼ିବି ।”

ଇତିମଧ୍ୟରେ, ଶରତପୁରା ବାସିନ୍ଦାଙ୍କ ନିତିଦିନିଆ ଜୀବନ ଉପରେ ଉଚ୍ଛେଦର କଳାବାଦଲ ଘୋଟି ରହିଥାଏ, ଠିକ୍‌ ସେମିତି ଜଙ୍ଗଲରେ ସେମାନଙ୍କ ପୈତୃକ ଗାଁର ସ୍ମୃତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Maithreyi Kamalanathan

Maithreyi Kamalanathan is the communication head of Project Koshika, Bundelkhand Action Lab, Panna, Madhya Pradesh.

Other stories by Maithreyi Kamalanathan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE