ମହମ୍ମଦ ଗ୍ୟାସୁଇଦ୍ଦିନ୍‌ ଆଜିମ୍‌ଙ୍କ ଦୋକାନରେ ଲମ୍ବିଥିବା ଏକ ତାରରେ ରଙ୍ଗୀନ୍‌ କାଗଜ, ବିବାହ ପତ୍ର ଓ ପୋଷ୍ଟର୍‌ ଆଦି ପିନ୍‌ ସହାୟତାରେ ଝୁଲାଇ ରଖାଯାଇଛି । ସେ ଶୁଖିଲା ନଳ ଘାସରୁ ତିଆରି ହୋଇଥିବା ଏକ କଲମ୍‌ (ପେନ୍‌) ସହାୟତାରେ ଏକ ଧଳା ଫର୍ଦ୍ଦର ଉପର ଭାଗରେ ଆଲ୍ଲାହ ବୋଲି ଲେଖିଥାନ୍ତି। ଅନ୍ୟ କୌଣସି କାମ କରିବା ପୂର୍ବରୁ ସେ ଏହା କରିଥାନ୍ତି । “ମୁଁ ଗତ ୨୮ବର୍ଷ ହେବ ଲିପିକାର କାମ କରିଆସୁଛି । ମୁଁ ଯେତେବେଳେ ସାଉଦି ଆରବରେ କାମ କରୁଥିଲି, ସେତେବେଳେ ଏହି କଳାରେ ନିପୁଣତା ହାସଲ କରିଥିଲି । ୧୯୯୬ରେ ମୁଁ ଭାରତ ଫେରିବା ପରେ, ଏହି ଦୋକାନ ଖୋଲିଥିଲି.” ବୋଲି ସେ କୁହନ୍ତି ।

ଆଜିମ୍‌, ୪୪, ହାଇଦ୍ରାବାଦ ସହରର କେନ୍ଦ୍ରସ୍ଥଳରେ ରୁହନ୍ତି ଓ ତାଙ୍କର ଦୋକାନ ଜମାଲ୍‌ ବଜାରରେ ଅଛି, ଯାହା ଚାର୍‌ମୀନାର୍‌ ନିକଟସ୍ଥ ଛତ୍ତା ବଜାରରେ ଥିବା ଏକ ତିନି-ମହଲା ବିଶିଷ୍ଟ କୋଠା ଅଟେ । ଏହା ହେଉଛି ସହରର ଅନ୍ୟତମ ପୁରାତନ ବଜାର, ମୁଦ୍ରଣ ଦୋକାନର କେନ୍ଦ୍ରସ୍ଥଳି, ଯାହା ଏଠାରେ ହେଉଥିବା ସ୍ୱତନ୍ତ୍ର ଶହ ଶହ ବର୍ଷ ପୁରୂଣା ଖତ୍ତାତୀ, (ଉର୍ଦ୍ଦୁ ଓ ଆରବି ହସ୍ତଲିପି ଲିଖନ) ପାଇଁ ପ୍ରସିଦ୍ଧ ।  

ଖତ୍ତାତୀ, ଡେକାନ୍‌ ଅଞ୍ଚଳରେ କୁତବ୍‌ ସାହି ରାଜାମାନଙ୍କ ସମୟ (୧୫୧୮-୧୬୮୭)ରେ ଆରମ୍ଭ ହୋଇଥିବା ଜଣାଯାଏ । ଇତିହାସ ଅନୁସାରେ, ଏହାର ବିଶାରଦମାନେ (ଯେଉଁମାନଙ୍କୁ ଖତ୍ତାତ୍‌ ବା କାଟିବ୍‌ସ କୁହାଯାଏ) ଆରବି ଓ ଉର୍ଦ୍ଦୁରେ କୋରାନ୍‌ ଖୋଦେଇ କରି ଲେଖିଥିବା କଥା କୁହାଯାଏ । ଏଥିରୁ କିଛି କୋରାନ୍‌ ଆଜି ମଧ୍ୟ ହାଇଦ୍ରାବାଦ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସଂଗ୍ରହାଳୟମାନଙ୍କରେ ରହିଛି । ଖତ୍ତାତୀ, ସହରରେ କୁତବ୍‌ ସାହି ରାଜବଂଶର ରାଜତ୍ୱ କାଳରେ ନିର୍ମିତ ହୋଇଥିବା ସ୍ଥାପତ୍ୟଗୁଡିକରେ ମଧ୍ୟ ଦେଖିବାକୁ ମିଳେ । ବର୍ତ୍ତମାନ ଲୋକମାନେ ଉର୍ଦ୍ଦୁ ହସ୍ତଲିପି ବା ଖୁସ୍‌ ଖାତ୍‌ (ଭଲ ହସ୍ତଲିପି) ମୁଖ୍ୟତଃ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମୟରେ ଖୋଜନ୍ତି ଓ ଲିପିକାରଙ୍କ ଅନୁସନ୍ଧାନରେ ଛତ୍ତା ବଜାର ଆସିଥାନ୍ତି । ଉର୍ଦ୍ଦୁ ବିଦ୍ୟାଳୟ ଓ ମଦ୍ରାସାଗୁଡିକ ସେମାନଙ୍କ ଲୋଗୋ ତିଆରି କରିବା ପାଇଁ ମଧ୍ୟ ବେଳେବେଳେ ଏଠାକୁ ଆସିଥାନ୍ତି ।

ଆଜିମ୍‌ଙ୍କ ଚାରିପାଖରେ ବିଭିନ୍ନ ଗତିବିଧି ହେଉଥିଲେ ମଧ୍ୟ- ଶ୍ରମିକମାନେ କାଗଜଗୁଡିକ ଫେଣ୍ଟିବା, ଗ୍ରାହକମାନେ ଚିତ୍କାର କରିବା, ମୁଦ୍ରଣ ପ୍ରେସ୍‌ର ଅବିରତ ଗୁଣୁଗୁଣୁ ଶଦ୍ଦ- ମଧ୍ୟରେ ସେ ନୀରବରେ କାମ କରୁଥାନ୍ତି । “ମୁଁ ନିଜକୁ ଏହି କଳାର ଜଣେ ସାଧକ ବୋଲି ଭାବେ, ଯଦିଓ ଲୋକମାନେ ମୋତେ ଲିପିକାର ଭାବନ୍ତି” ସେ କୁହନ୍ତି । "ଖତ୍ତାତୀ,  ଆଉ କିଛି ନୁହେଁ, ବରଂ ଏକ ବ୍ୟାକରଣ ଅଟେ। ପ୍ରତ୍ୟେକ ଅକ୍ଷରର ପ୍ରକାର, ପ୍ରତ୍ୟେକ ଅକ୍ଷର ପାଇଁ ସ୍ୱତନ୍ତ୍ର ବ୍ୟାକରଣ ରହିଛି – ଉଚ୍ଚତା, ଓସାର, ଗଭୀରତା ଓ ପ୍ରତ୍ୟେକ ବିନ୍ଦୁ ମଧ୍ୟରେ ଦୂରତା, ସବୁ ମହତ୍ତ୍ୱପୂର୍ଣ୍ଣ । ବ୍ୟାକରଣର ଅକ୍ଷୁର୍ଣ୍ଣତା ରକ୍ଷା କରିବା ସହ ତୁମେ କିଭଳି ଭାବେ ନିଜ କଲମ୍‌କୁ ନିପୂଣତା ସହିତ ଘୂରେଇ ପାରୁଛ, କେବଳ ତାହା ଉପରେ ଅକ୍ଷରଗୁଡିକର ସୌନ୍ଦର୍ଯ୍ୟ ନିର୍ଭର କରିଥାଏ । ଏହା ହେଉଛି କେବଳ ସୂକ୍ଷ୍ମ, ନିପୁଣ ହାତର ଗତିର ଯାଦୁ ।'' 

Calligraphy pens lying on the table
PHOTO • Sreelakshmi Prakash
Mohammed Ghouseuddin Azeem doing calligraphy
PHOTO • Sreelakshmi Prakash

ମହମ୍ମଦ ଗ୍ୟାସୁଇଦ୍ଦିନ୍‌ ଆଜିମ୍‌ କାମ କରୁଥିବା ବେଳେ : '‘ପ୍ରତ୍ୟେକ ଅକ୍ଷରର ପ୍ରକାର, ଅକ୍ଷର ପଛରେ କିଛି ବ୍ୟାକରଣ ଅଛି…’

ଆଜିମ୍‌, ଛତ୍ତା ବଜାରର ଅନ୍ୟ କାତିବ୍‌ମାନଙ୍କ  ଭଳି, ଦିନକୁ ୮ଘଣ୍ଟା, ସପ୍ତାହରେ ଛଅ ଦିନ କାମ କରନ୍ତି । “ଆରବି ଭାଷାରେ ପ୍ରାୟ ୨୧୩ଟି ଖତ୍ତାତୀ ଅକ୍ଷର ପ୍ରକାର ରହିଛି । ସେହି ସମସ୍ତ ପ୍ରକାର ଶିଖିବା ପାଇଁ ପ୍ରାୟ ୩୦ବର୍ଷ ସମୟ ଲାଗିବ ଓ ଏଥିରେ ନିପୁଣ ହେବା ପାଇଁ ଗୋଟିଏ ଜୀବନସାରା ଜଣଙ୍କୁ ଅଭ୍ୟାସ କରିବାକୁ ହେବ” ବୋଲି ସେ କୁହନ୍ତି । “ଏପରିକି ଯଦି ଆପଣ ଏହି କଳା ଶିଖିବା ପାଇଁ ସମଗ୍ର ଜୀବନ ଉତ୍ସର୍ଗ କରିଦେବେ, ତେବେ ତାହା ମଧ୍ୟ କମ୍‌ ହୋଇଯିବ ।’’

ଲିପିକାରମାନେ ବିବାହ ନିମନ୍ତ୍ରଣ ପତ୍ରରେ ଗୋଟିଏ ପୃଷ୍ଠା ଡିଜାଇନ୍‌ କରିବା ପାଇଁ ସାଧାରଣତଃ ୨୦୦-୩୦୦ ଟଙ୍କା ନେଇଥାନ୍ତି, ଯାହା ସେମାନେ ଦ୍ରୁତ ଗତିରେ ପ୍ରାୟ ୪୫ମିନିଟ୍‌ ସମୟରେ ସମାପ୍ତ କରିଦିଅନ୍ତି । ତାପରେ ଗ୍ରାହକମାନେ ଏହି ନିକଟରେ ଥିବା ମୁଦ୍ରଣ ପ୍ରେସ୍‌କୁ ଯାଇ ପ୍ରସ୍ତୁତ ହୋଇଥିବା ଡିଜାଇନ୍‌ର ନକଲ ପ୍ରସ୍ତୁତ କରିପାରିବେ। ବର୍ତ୍ତମାନ ପୂରୁଣା ସହରରେ କେବଳ ୧୦ଜଣ କାତିବ୍‌ ରହିଥିବା ବେଳେ (ସେମାନଙ୍କ ନିଜ ଆକଳନ ମୁତାବକ), ବ୍ୟସ୍ତ ଦିନଗୁଡିକରେ, ପ୍ରତ୍ୟେକଙ୍କୁ ଦୈନିକ ସର୍ବନିମ୍ନ ୧୦ଟି ଡିଜାଇନ୍‌ କାମ କରିବାକୁ ହୋଇଥାଏ ।

ଆଫ୍‌ଜଲ୍‌ ମହମ୍ମଦ ଖାନ୍‌, ୫୩,ଙ୍କ ପରି ଅନେକ, ଯେଉଁମାନେ ଚାର୍‌ମୀନାର୍‌ ନିକଟସ୍ଥ ଘାଞ୍ଜି ବଜାରରେ ବସବାସ କରନ୍ତି, ସେମାନେ ୧୯୯୦ରେ ଏହି କାମ କରିବା ବନ୍ଦ କରିଦେଇଥିଲେ । “ମୋ ବାପା ଘାଉସ୍‌ ମହମ୍ମଦ୍‌ ଖାନ୍‌ ତାଙ୍କ ସମୟର ଜଣେ ଉଚ୍ଚକୋଟୀର ହସ୍ତଲିପି ବିଦ୍ୟା ବିଶାରଦ ଥିଲେ,” ବୋଲି ସେ କୁହନ୍ତି । “ସେ ଇଦାରା-ଏ-ଅଦାବିୟତ୍‌-ଇ—ଉର୍ଦ୍ଦୁ (ହାଇଦ୍ରାବାଦର ପାଞ୍ଜାଗୁଟ୍ଟାଠାରେ ଥିବା ଏକ ହସ୍ତଲିପି ଲିଖନ ପ୍ରଶିକ୍ଷଣ କେନ୍ଦ୍ର)ଠାରେ ଶହ ଶହ ଶିକ୍ଷାର୍ଥୀଙ୍କୁ ହସ୍ତଲିପି ଲେଖିବା ଶିଖାଉଥିଲେ । ଆମେ ଦୁଇଜଣ ମିଶି ସିଆସତ୍‌ରେ (ଏକ ଦୈନିକ ଉର୍ଦ୍ଦୁ ଖବରକାଗଜ) କାମ କରୁଥିଲୁ । କିନ୍ତୁ ଯେତେବେଳେ କମ୍ପ୍ୟୁଟର୍‌ ଆସିଲା, ମୁ ମୋ ବୃତ୍ତି ହରାଇଲି ଓ ତାପରେ ବିଜ୍ଞାପନରେ କାମ କରିବାକୁ ଆରମ୍ଭ କଲି । ଏହି କଳା ଆସନ୍ତା କିଛି ବର୍ଷରେ ଲୋପ ପାଇଯିବ । ଆମେମାନେ ହେଉଛୁ ଶେଷ ଗୋଷ୍ଠୀ (ଏହାର ସାଧକମାନେ), ସେ ଏକ ନିଷ୍ପ୍ରଭ ଚାହାଣୀ ସହିତ କୁହନ୍ତି ।

A completed calligraphy artwork
PHOTO • Sreelakshmi Prakash
Muhammad Abdul Khaleel Abid talking to customers
PHOTO • Sreelakshmi Prakash
Muhammad Faheem with his brother Zainul Abedin  in their shop in Jamal market
PHOTO • Sreelakshmi Prakash

ବାମ: ଛତ୍ତାବଜାର୍‌ରେ ସୁନ୍ଦର ହସ୍ତଲିପିର ଏକ ଡ୍ରାଫ୍ଟ : ମହମ୍ମଦ ଅବ୍‌ଦୁଲ୍‌ ଖଲିଲ୍‌ ଅବିଦ୍‌, ୬୩ ଦୈନିକ ସିଆସତ୍‌ରେ ୧୯୯୨ ମସିହାରେ ବୃତ୍ତି ହରାଇବା ପରେ, ନିଜ ଦୋକାନ ୱେଲ୍‌କମ୍‌ ପ୍ରିଣ୍ଟର୍ସ ଆରମ୍ଭ କରିଥିଲେ । ଡାହାଣ : ମହମ୍ମଦ ଫାହିମ୍‌ ଓ ଜାଇନୁଲ୍‌ ଆବେଦିନ୍‌, ହସ୍ତଲିପି ଲେଖିବା କଳା ସେମାନଙ୍କ ବାପାଙ୍କ ଠାରୁ ଶିଖିଛନ୍ତି

୧୯୯୦ ମସିହାର ମଧ୍ୟ ଭାଗରେ, ଉର୍ଦ୍ଦୁ ଅକ୍ଷର ପ୍ରକାରଗୁଡିକ କମ୍ପ୍ୟୁଟର୍‌ରେ ସ୍ଥାନିତ ହୋଇଗଲା ଓ ଗ୍ରାହକମାନେ ଡିଜିଟାଲ୍‌ ପ୍ରିଣ୍ଟିଂ ଆଡକୁ ମୁହାଁଇବାକୁ ଆରମ୍ଭ କଲେ । ଯାହା ଫଳରେ ଲିପିକାରଙ୍କ ଚାହିଦା ଅତି ଦ୍ରୁତ ଗତିରେ କମିବାକୁ ଲାଗିଲା । ସିଆସତ୍‌ ପରି କେତେକ ଦୈନିକ ମଧ୍ୟ ଡିଜିଟାଲ୍‌ ହୋଇଗଲା ଓ କେବଳ ମୁଖ୍ୟଧାଡିଗୁଡିକ ଲେଖିବା ପାଇଁ ସେମାନେ ଜଣେ ବା ଦୁଇଜଣ ଲିପିକାର ରଖିଲେ । ଅନ୍ୟମାନଙ୍କୁ ସେମାନଙ୍କ ବୃତ୍ତି ହରାଇବାକୁ ପଡିଲା, ଓ ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ଛତ୍ତା ବଜାର୍‌ରେ ଦୋକାନଗୁଡିକ ଖୋଲିଲେ ଓ ବିବାହ ନିମନ୍ତ୍ରଣ ପତ୍ର, ଲୋଗୋ, ପୋଷ୍ଟର୍‌ ଓ ପରିଚୟ ଫଳକ ଆଦିରେ ସୁନ୍ଦର ହସ୍ତଲିପିରେ ଲେଖିବାକୁ ଆରମ୍ଭ କଲେ । 

ଲିପିକାରଙ୍କ ମତରେ, ଏହି କଳାକୁ ସଂରକ୍ଷଣ କରିବା ପାଇଁ ସରକାରଙ୍କଠାରୁ ମିଳୁଥିବା ସହାୟତା ନଗଣ୍ୟ ହୋଇଥିବାରୁ, ଖତ୍ତାତୀର ଅବସ୍ଥା ଆଜି ଅତି ଶୋଚନୀୟ ହୋଇପଡିଛି ଓ ଏହା ଲୋପ ପାଇଯିବାର ବିପଦ ମଧ୍ୟ ରହିଛି । ଅଧିକନ୍ତୁ, ଅଧିକାଂଶ ଯୁବଗୋଷ୍ଠୀ ଏଥିରେ ରୁଚି ଦେଖଉନାହାନ୍ତି – ଅଳ୍ପ କେତେଜଣ ଯେଉଁମାନେ ଏହାର ଅଧ୍ୟୟନ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଏଥିପାଇଁ ଆବଶ୍ୟକ କଠିନ ପରିଶ୍ରମ କରିନପାରି ଏହାକୁ ଛାଡି ଦେଉଥିବା ବେଳେ ଅନ୍ୟମାନେ ଏହାକୁ ଅଯଥା ସମୟ ଅପଚୟ ବୋଲି ଭାବିବା ସହିତ ଏଥିରେ ନିଜ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡନ୍ତି । 

କିନ୍ତୁ ମହମ୍ମଦ ଫାହୀମ୍‌ ଓ ଜୈନୁଲ୍‌ ଆବେଦିନ୍‌, ଉଭୟଙ୍କ ବୟସ ୪୦ ପାଖାପାଖି ହେବ, ବ୍ୟତିକ୍ରମ ଅଟନ୍ତି । ସେମାନଙ୍କ ବାପା ମହମ୍ମଦ ନୟୀମ୍‌ ସାବେରୀ, ୨୦୧୮ ମସିହାରେ ଯାହାର ଦେହାନ୍ତ ହୋଇଯାଇଥିଲା, ସେ ଜଣେ ଦକ୍ଷ ଲିପିକାର ଥିଲେ ଓ ସେ ସର୍ବପ୍ରଥମେ ଉର୍ଦ୍ଦୁ ଓ ଆରବି ହସ୍ତଲିପିରେ ଏକାଧିକ ରଙ୍ଗର ପ୍ରୟୋଗ କରିଥିଲେ, ବୋଲି ତାଙ୍କ ପୁଅମାନେ ଓ ଛତ୍ତା ବଜାରରେ ଅନ୍ୟମାନେ ମୋତେ ଜଣାଇଥିଲେ । ସେ ଯେଉଁ ଦୋକାନ ଆରମ୍ଭ କରିଥିଲେ, ତାହା ବର୍ତ୍ତମାନ ତାଙ୍କ ପୁଅମାନେ ଚଲାଉଛନ୍ତି – ଓ ବର୍ତ୍ତମାନ ଉର୍ଦ୍ଦୁ ଓ ଆରବି ସହିତ, ସେମାନେ ଇଂରାଜି ହସ୍ତଲିପି ଲିଖନରେ ମଧ୍ୟ ପାରଦର୍ଶି ହୋଇପାରିଛନ୍ତି। ଏହି ଦୁଇଭାଇଙ୍କ କ୍ଲାଏଣ୍ଟ ଦେଶ ବାହାରେ ମଧ୍ୟ ଅଛନ୍ତି, କୁଏତ୍‌, ସାଉଦି ଆରବ ଓ ଅନ୍ୟ ଦେଶଗୁଡିକରେ, ଯେଉଁମାନଙ୍କ ପାଇଁ ସେମାନେ ଉର୍ଦ୍ଦୁ ହସ୍ତଲିପିରେ ସ୍ୱତନ୍ତ୍ର ଅବସରଗୁଡିକରେ ବଡ ବଡ ଫ୍ରେମ୍‌ ପ୍ରସ୍ତୁତ କରିଥାନ୍ତି ।

କାର୍ଯ୍ୟ ଦିବସ ସମାପ୍ତ ହେବା ସମୟ ପାଖେଇ ଆସିଲେ, ଲିପିକାରମାନେ ସେମାନଙ୍କ କଲମ (ପେନ୍‌ଗୁଡିକ)ଗୁଡିକୁ ଶୃଙ୍ଖଳିତ ଭାବେ ସଜାଇ ରଖନ୍ତି, କାଳି ବକ୍ସକୁ ଦୂରରେ ଓ ଘରକୁ ଯିବାକୁ ପୂର୍ବରୁ ନମାଜ  ପାଠ କରନ୍ତି । ମୁଁ ଯେତେବେଳେ ଆଜିମ୍‌ଙ୍କୁ ପଚାରିଲି ଯେ, କଣ ଏହି କଳା ଅତିଶୀଘ୍ର ନିଶ୍ଚିହ୍ନ ହେବାକୁ ଯାଉଛି, ସେ ବିପଦର ସଙ୍କେତ ଦେବା ସହିତ ପ୍ରତିକ୍ରିୟା ରଖିଲେ । “ଏପରି କୁହନ୍ତୁ ନାହିଁ ! ଆମର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆମେ ସଂଘର୍ଷ କରିବୁ କିନ୍ତୁ ଆମେ ଏହାକୁ ବଞ୍ଚେଇ ରଖିବୁ । “ତାଙ୍କ ଦୋକାନର କାନ୍ଥରେ ଏକ ଇଂରାଜୀ ଖବରକାଗଜର ଏକ କଟା ଅଂଶ ପେଷ୍ଟ ହୋଇଥିଲା, ଯେଉଁଥିରେ ତାଙ୍କ ଉପରେ ଏକ ଆଲେଖ୍ୟ ରହିଥିଲା, ଯାହା ଘଷରା ହୋଇଯାଇଛି ଓ ଝାପ୍‌ସା ଦେଖା ଯାଉଛି, ଠିକ୍‌ ତାଙ୍କ କଳା ପରି । 

ଏହି ଆଲେଖ୍ୟର ଏକ ସଂସ୍କରଣ ‘UOH ଡିସ୍‌ପାଚ୍‌’, ଏ ୟୁନିଭର୍ସିଟି ଅଫ୍‌ ହାଇଦ୍ରାବାଦ୍‌ ଜର୍ନାଲ୍‌ରେ ଏପ୍ରିଲ୍‌ ୨୦୧୯ରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sreelakshmi Prakash

Sreelakshmi Prakash is studying for a master’s degree in Communication at the University of Hyderabad. She enjoys walking around the city and listening to people’s stories.

Other stories by Sreelakshmi Prakash