“ମୋ ପିଠି ତାତିରେ ପୋଡ଼ି ଯାଉଛି,” ଗାଜୁଭାସ ଗ୍ରାମ ବାହାରେ ଥିବା ଶମୀ ଗଛର ଅଳ୍ପ ଛାଇରେ ବସିଥିବା ବଜରଙ୍ଗ ଗୋସ୍ଵାମୀ କହିଥିଲେ। ଅମଳ ହୋଇସାରିଥିବା ବାଜରା କ୍ଷେତ ଆଡ଼କୁ ଚାହିଁ ସେ କୁହନ୍ତି, “ତାତି ବଢ଼ିଯାଛି ଓ ଫସଲ ଅମଳ ହ୍ରାସ ପାଇଛି”। ରାଜସ୍ଥାନର ଚୁରୁ ଜିଲ୍ଲାର ତାରାନଗର ତହସିଲ ଅନ୍ତର୍ଗତ ଏହି ଗ୍ରାମରେ ଭାଗ ଚାଷୀ ଭାବେ ବଜରଙ୍ଗ ଓ ତାଙ୍କ ପତ୍ନୀ ରାଜ କୌର ଚାଷ କରିଥିବା ୨୨ ବିଘା ଜମି ନିକଟରେ ଛିଡ଼ା ହୋଇ ଓଟଟିଏ ଘାସ ଖାଉଛି ।

ତାରାନଗରର ଦକ୍ଷିଣରେ ଥିବା ସୁଜନଗଡ଼ ତହସିଲର ଗୀତାଦେବୀ ନାୟକ କୁହନ୍ତି, “ମୁଣ୍ଡ ଉପରେ ଟାଣ ଖରା, ତତଲା ବାଲିରେ ପାଦ ପୋଡ଼ିଯାଉଛି”। ଭୂମିହୀନ ବିଧବା, ଗୀତା ଦେବୀ କୃଷି ଶ୍ରମିକ ଭାବେ ଭଗବାନୀ ଦେବୀ ଚୌଧୁରୀଙ୍କ ପରିବାର ମାଲିକାନାରେ ଥିବା ଜମିରେ କାମ କରନ୍ତି। ଦୁହେଁ ଦିନକର କାମ ପାଖାପାଖି ଅପରାହ୍ଣ ୫ଟାରେ ଶେଷ କରିଛନ୍ତି । “ଏବେ ଅଧିକରୁ ଅଧିକ ଗରମ ହେଉଛି”, ବୋଲି କୁହନ୍ତି ଭଗବାନୀ ଦେବୀ।

ଉତ୍ତର ରାଜସ୍ଥାନର ଚୁରୁ ଜିଲ୍ଲାରେ ବାଲିଆ ଭୂମି ଖୁବ ତାତି ଯାଇଥାଏ ଏବଂ ମେ ଓ ଜୁନ ମାସରେ ଗରମ ପବନ ଚିମନୀରୁ ବାହାରୁଥିବା ଗରମ ଧୂଆଁ ଭଳି ଅନୁଭୂତ ହୋଇଥାଏ। ଏଠାକାର ଅସହ୍ୟ ଗରମ ଏବଂ ଏହା ଦିନକୁ ଦିନ କିଭଳି ବୃଦ୍ଧି ପାଉଛି ତା’କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ସେହି ମାସଗୁଡ଼ିକରେ ତାପମାତ୍ରା ଖୁବ ସାଧାରଣ ଭାବେ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଯାଇଥାଏ। ମେ ୨୬ ତାରିଖରେ ପ୍ରକାଶିତ ଖବର ଅନୁଯାୟୀ, ଗତ ମାସ, ମେ ୨୦୨୦ରେ ଏଠାକାର ତାପମାତ୍ରା ବିଶ୍ୱରେ ସର୍ବାଧିକ ୫୦ ଡିଗ୍ରୀ ସେଲସିୟସକୁ ଛୁଇଁଥିଲା।

ଗତବର୍ଷ ମଧ୍ୟ, ଜୁନ ୨୦୧୯ ପ୍ରାରମ୍ଭରେ ପାରଦ ୫୧ ଡିଗ୍ରୀ ସେଲସିୟସ ଟପିଥିଲା। ପାଣି ଫୁଟିବା ପାଇଁ ଆବଶ୍ୟକ ଗରମର ଅଧାଭାଗ ପର୍ଯ୍ୟନ୍ତ ଛୁଇଁଥିବା ତାପମାତ୍ରା ଅନେକଙ୍କ ପାଇଁ ବିରଳ ଥିଲା। ଗାଜୁଭାସ ଗ୍ରାମରେ ନିଜର ବଡ଼ ଘରେ ଏକ ଖଟ ଉପରେ ବସିଥିବା ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ତଥା ଜମିମାଲିକ ୭୫ ବର୍ଷୀୟ ହରଦୟାଲଜୀ ସିଂ କୁହନ୍ତି, “ମୋର ମନେ ପଡ଼ୁଛି ୩୦ ବର୍ଷ ପୂର୍ବେ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ପହଞ୍ଚିଥିଲା”।

ଏହାର ୬ ମାସ ପରେ, ବର୍ଷର ଡିସେମ୍ବର-ଜାନୁଆରୀ ମାସରେ ଚୁରୁରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ମଧ୍ୟ ଖସିଯାଇଥାଏ। ଫେବୃଆରୀ ୨୦୨୦ରେ ଭାରତୀୟ ସମତଳ ଭୂମି ଅଞ୍ଚଳଗୁଡ଼ିକ ମଧ୍ୟରେ ସର୍ବନିମ୍ନ ହାରାହାରୀ ତାପମାତ୍ରା ତୁଳନାରେ ସବୁଠୁ କମ୍ ୪.୧ ଡିଗ୍ରୀ ସେଲସିୟସ ତାପମାତ୍ରା ଚୁରୁରେ ରହିଥିବା ଭାରତୀୟ ପାଣିପାଗ ବିଭାଗ ରେକର୍ଡ କରିଥିଲା।

Geeta Devi and Bhagwani Devi of of Sujangarh tehsil, Churu: ' Garmi hee garmi pade aaj kal' ('It’s heat and more heat nowadays')
PHOTO • Sharmila Joshi

ଚୁରୁ ସୁଜନଗଡ଼ ତହସିଲର ଗୀତା ଦେବୀ ଏବଂ ଭଗବାନ ଦେବୀ : “ଏବେ ଗରମ ଅଧିକରୁ ଅଧିକ ଗରମ ହେଉଛି”

ଏଠାରେ ତାପମାତ୍ରା ବିଯୁକ୍ତ ୧ରୁ ୫୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଉତ୍ଥାନପତନ ହେଉଥିବା ବେଳେ  ଲୋକମାନେ ଗରମ ଦିଗକୁ ନେଇ ବେଶୀ ଚିନ୍ତିତ ଥାଆନ୍ତି । ଜୁନ ୨୦୧୯ରେ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରା ହେଉ କିମ୍ବା ଗତ ମାସର ୫୦ ଡିଗ୍ରୀ, ଯାହା ଲୋକମାନଙ୍କୁ ବେଶୀ ସମସ୍ୟାରେ ପକାଇଥାଏ ତାହା ହେଉଛି ଅନ୍ୟ ଋତୁକୁ ଗିଳି ଦେଉଥିବା ଗ୍ରୀଷ୍ମ ଋତୁର ଲମ୍ବା ଅବଧି।

ନିକଟସ୍ଥ ସିକର ଜିଲ୍ଲାରେ ଥିବା ଏସ.କେ ସରକାରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଚୁରୁ ସହର ବାସିନ୍ଦା ପ୍ରଫେସର ଏଚ.ଆର ଇସ୍ରାନଙ୍କୁ ସ୍ଥାନୀୟ ଲୋକମାନେ ମାର୍ଗଦର୍ଶକ ଭାବେ ବିବେଚନା କରିଥାନ୍ତି। ତାଙ୍କ କହିବା ଅନୁଯାୟୀ, “ଅତୀତରେ ଅତ୍ୟଧିକ ତାପମାତ୍ରାର ପ୍ରକୋପ ଦିନେ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ରହୁଥିଲା। ଏବେ ଏପରି ତାପମାତ୍ରା ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହୁଛି। ସମ୍ପୂର୍ଣ୍ଣ ଗ୍ରୀଷ୍ମ ଋତୁର ଅବଧି ବଢ଼ିଗଲାଣି”।

ଜୁନ ୨୦୧୯ କଥା ମନେ ପକାଇ ଅମ୍ରିତା ଚୌଧୁରୀ କୁହନ୍ତି, “ମଧ୍ୟାହ୍ନରେ ଆମେ ରାସ୍ତାରେ ଚାଲିପାରିନଥିଲୁ, ଆମ ଚପଲ ଭୂମିରେ ଲାଖିଯାଉଥିଲା।’’ ତଥାପି ଅନ୍ୟମାନଙ୍କ ପରି ଚୌଧୁରୀ ସୁଜନଗଡ଼ ସହରରେ ପୋଷାକ ସିଲେଇ ଏବଂ ଇସ୍ତ୍ରୀ ସେବା ଦେଉଥିବା ଏକ ସଂସ୍ଥା ଦିଶା ଶେଖାୱତୀ ପରିଚାଳନା କରିଥାନ୍ତି, ସେ ଲମ୍ବା ଖରାଦିନକୁ ନେଇ ଅଧିକ ଚିନ୍ତିତ। “ଏହି ଗ୍ରୀଷ୍ମପ୍ରବଣ ଅଞ୍ଚଳରେ ଋତୁ ଆରମ୍ଭରୁ ତାପମାତ୍ରା ଅଧିକ ରହୁଛି”, ସେ କହନ୍ତି। 

ଗୁଦାୱାରୀ ଗ୍ରାମର ଭଗବାନୀ ଦେବୀ ଅନୁମାନ କରି କୁହନ୍ତି, “ଗ୍ରୀଷ୍ମ ଋତୁ ପାଖାପାଖି ଦେଢ଼ ମାସ ଅଧିକ ବଢ଼ିଯାଇଛି’’।  ତାଙ୍କ ଭଳି ଚୁରୁ ଜିଲ୍ଲାର ଅଧିକାଂଶ ଲୋକ ମତ ଦିଅନ୍ତି ଯେ ଗ୍ରୀଷ୍ମ ଋତୁର ପ୍ରକୋପ ଶୀତ ଋତୁ ଏପରିକି ମୌସୁମୀର କେତେକ ମାସକୁ ମଧ୍ୟ ଗ୍ରାସ କରି ନେଲାଣି। ବର୍ଷର ୧୨ ମାସରେ ପାଣିପାଗରେ ଏପରି ଅନିଶ୍ଚିତତା ଦେଖିବାକୁ ମିଳୁଛି।

ଜଳବାୟୁରେ ଏପରି ଅପ୍ରତ୍ୟାଶିତ ପରିବର୍ତ୍ତନ, ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ୫୧ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା କିମ୍ବା ଗତ ମାସରେ କିଛିଦିନ ପର୍ଯ୍ୟନ୍ତ ତାପମାତ୍ରା ୫୦ ଡିଗ୍ରୀ ଛୁଇଁବା ସେମାନଙ୍କୁ ଅଧିକ ଚିନ୍ତିତ କରିଥାଏ।

*****

୨୦୧୯ ଜୁନ ୧ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଚୁରୁରେ ୩୬୯ ମିମି ବର୍ଷା ହୋଇଥିଲା। ଏହା ସାଧାରଣ ହାରାହାରି ବର୍ଷା ପରିମାଣ ୩୧୪ ମିମି ଠାରୁ ସାମାନ୍ୟ ଅଧିକ ଥିଲା। ସମଗ୍ର ରାଜସ୍ଥାନ ହେଉଛି ଭାରତର ସବୁଠୁ ବଡ ଏବଂ ଶୁଷ୍କତମ ରାଜ୍ୟ ଯାହାକି ଦେଶର ମୋଟ ଭୂଭାଗର ୧୦.୪ ପ୍ରତିଶତ ଅକ୍ତିଆର କରିଛି । ସରକାରୀ ତଥ୍ୟ ଅନୁଯାୟୀ, ମୁଖ୍ୟତଃ ଶୁଷ୍କ ଏବଂ ଅର୍ଦ୍ଧ ଶୁଷ୍କ  ସ୍ଥିତିରେ ଥିବା ଏହି ରାଜ୍ୟରେ ବାର୍ଷିକ ହାରାହାରୀ ୫୭୪ ମିମି ବର୍ଷା ହୋଇଥାଏ । 

In the fields that Bajrang Goswami and his wife Raj Kaur cultivate as sharecroppers outside Gajuvas village in Taranagar tehsil
PHOTO • Sharmila Joshi
In the fields that Bajrang Goswami and his wife Raj Kaur cultivate as sharecroppers outside Gajuvas village in Taranagar tehsil
PHOTO • Sharmila Joshi
In the fields that Bajrang Goswami and his wife Raj Kaur cultivate as sharecroppers outside Gajuvas village in Taranagar tehsil
PHOTO • Sharmila Joshi

ତାରାନଗର ତହସିଲ ଅନ୍ତର୍ଗତ ଗାଜୁଭାସ ଗ୍ରାମ ବାହାରେ ଥିବା ଜମିରେ ଭାଗଚାଷୀ ବଜରଙ୍ଗ ଗୋସ୍ଵାମୀ ଓ ତାଙ୍କର ପତ୍ନୀ ରାଜ କୌର

ରାଜସ୍ଥାନର ପାଖାପାଖି ୭କୋଟି ଜନସଂଖ୍ୟା ମଧ୍ୟରୁ ୭୫ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହିଥାନ୍ତି, କୃଷି ଏବଂ ପଶୁପାଳନ ସେମାନଙ୍କର ମୁଖ୍ୟ ଜୀବିକା। ଚୁରୁ ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ଲୋକ ରହିଥାନ୍ତି, ସେମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଗ୍ରାମାଞ୍ଚଳରେ ରୁହନ୍ତି। ସେମାନଙ୍କ ମୁଖ୍ୟ ବେଉସା ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ କୃଷି ଆଧାରିତ।

ସମୟକ୍ରମେ, କିଛି ଲୋକ ବର୍ଷା ଉପରେ ଏହି ନିର୍ଭରଶୀଳତାକୁ ହ୍ରାସ କରିବା ନିମନ୍ତେ ପ୍ରୟାସ କରିଛନ୍ତି। ପ୍ରଫେସର ଇସ୍ରାନ କୁହନ୍ତି, “୧୯୯୦ ପରଠାରୁ ଏଠାକାର ଅଧିକାଂଶ ଲୋକ (୫୦୦ରୁ ୬୦୦ ଫୁଟ ଗଭୀର ନଳକୂପ), ଖୋଳିବା ଲାଗି ପ୍ରୟାସ କରିଆସିଛନ୍ତି, ମାତ୍ର (ଭୂତଳ ଜଳ) ଅଭାବ କାରଣରୁ ଏହା ସମ୍ଭବ ହୋଇପାରିନାହିଁ ’’। କିଛି ଚାଷୀ କିଛିଦିନ ପର୍ଯ୍ୟନ୍ତ ଜିଲ୍ଲାର ୬ଟି ତହସିଲର ୮୯୯ଟି ଗ୍ରାମରେ (ଗଭୀର ନଳକୂପର ଜଳ ଉପଯୋଗ) କରି ଚିନାବାଦାମ ଚାଷ ଆରମ୍ଭ କରିଥିଲେ। “ମାତ୍ର ଜମି ଅଧିକ ଶୁଷ୍କ ହୋଇଯିବା କାରଣରୁ କେତେକ ଗ୍ରାମକୁ ଛାଡ଼ି ଅଧିକାଂଶ ନଳକୂପ ବନ୍ଦ ହୋଇଗଲା”।

ରାଜସ୍ଥାନ ଷ୍ଟେଟ ଆକ୍ସନ ପ୍ଲାନ ଫର କ୍ଲାଇମେଟ ଚେଞ୍ଜ (ଆରଏସଏପିସିସି, ୨୦୧୦)ର ତଥ୍ୟ ଅନୁଯାୟୀ ରାଜସ୍ଥାନର ମୋଟ କୃଷି କ୍ଷେତ୍ର ମଧ୍ୟରୁ ପାଖାପାଖି ୩୮ପ୍ରତିଶତ (ବା ୬୨,୯୪,୦୦୦ ହେକ୍ଟର) ଜମି ଜଳସେଚିତ ହୋଇଥାଏ। ଚୁରୁରେ, ମାତ୍ର ୮ ପ୍ରତିଶତ ଜମି ଜଳସେଚିତ ହୋଇଥାଏ। ବର୍ତ୍ତମାନସୁଦ୍ଧା ସମ୍ପୂର୍ଣ୍ଣ ହୋଇନଥିବା ଚୌଧୁରୀ କୁମ୍ଭରମ ଉଠାଜଳସେଚନ କେନାଲ ଜିଲ୍ଲାର କେତେକ ଗ୍ରାମ ଓ ଚାଷ ଜମିକୁ ପାଣି ଯୋଗାଇ ଥାଏ, ଚୁରୁର କୃଷି ଏବଂ ଏହାର ୪ଟି ମୁଖ୍ୟ ଖରିଫ ଫସଲ-ବାଜରା, ମୁଗ, ମୋଠ ଓ  ଗାବାର ବିନ୍ସ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରିଥାଏ। 

କିନ୍ତୁ ଏହି ୨୦ ବର୍ଷ ମଧ୍ୟରେ ବୃଷ୍ଟିପାତ ଢାଞ୍ଚା ବଦଳିଯାଇଛି । ଚୁରୁର ଲୋକମାନେ ମୁଖ୍ୟତଃ ଦୁଇଟି ପରିବର୍ତ୍ତନ ବିଷୟରେ କହିଥାନ୍ତି : ମୌସୁମୀ ଋତୁ ଚାଲିଯାଇଛି, ବର୍ଷା ଖୁବ ଅନିଶ୍ଚିତ ହୋଇଯାଇଛି - କେତେକ ସ୍ଥାନରେ ଖୁବ ଜୋର ବର୍ଷା ଓ ଆଉ କେତେକ ସ୍ଥାନରେ ଅଭାବୀ ବର୍ଷା ହେଉଛି ।

ଗାଜୁଭାସ ଗ୍ରାମର ଚାଷୀ ଗୋବର୍ଦ୍ଧନ ସାହାରନ (୫୯) ଜାଟ ସମୁଦାୟର ଜଣେ କୃଷକ। ତାଙ୍କର ଯୌଥ ପରିବାର ମାଲିକାନାରେ ପାଖାପାଖି ୧୮୦ ବିଘା (୧୨୦ ଏକର) ଜମି ରହିଛି। ଚୁରୁରେ କୃଷକ ସମୁଦାୟଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଜାଟ ଓ ଚୌଧରୀ, ଏମାନେ ଓବିସି ବର୍ଗର। ସାହାରନଙ୍କ ଭଳି ବୟସ୍କ କୃଷକମାନେ ଅତୀତ କଥା ମନେ ପକାଇ କୁହନ୍ତି, “ଆଷାଢ଼ ମାସ (ଜୁନ-ଜୁଲାଇ)ରେ ଆମେ ବଜ୍ରପାତ ଦେଖୁଥିଲୁ, (ବର୍ଷା ଆସିବା ଜାଣି ଆମେ ଆମ କୁଡ଼ିଆ ଭିତରକୁ ପ୍ରବେଶ କରିବା ପୂର୍ବରୁ) କ୍ଷେତରେ ଶୀଘ୍ର ଶୀଘ୍ର ରୁଟି ତିଆରି କରୁଥିଲୁ।’’ “କିନ୍ତୁ ଏବେ ଖାଲି ବଜ୍ରପାତ ହେଉଛି, ବର୍ଷାର ଦେଖା ମିଳୁନାହିଁ”।

Bajrang Goswami and Raj Kaur (left) say their 'back has burnt with the heat', while older farmers like Govardhan Saharan (right) speak of the first rains of a different past
PHOTO • Sharmila Joshi
Bajrang Goswami and Raj Kaur (left) say their 'back has burnt with the heat', while older farmers like Govardhan Saharan (right) speak of the first rains of a different past
PHOTO • Sharmila Joshi

ଭାଗଚାଷୀ ବଜରଙ୍ଗ ଗୋସ୍ଵାମୀ ଓ ତାଙ୍କର ପତ୍ନୀ ରାଜ କୌର (ବାମ) କୁହନ୍ତି, ‘ସେମାନଙ୍କ ପିଠି ଗରମରେ ପୋଡ଼ିଯାଉଛି’, ଗୋବର୍ଦ୍ଧନ ସାହାରନ (ଡାହାଣ)ଙ୍କ ଭଳି ବୟସ୍କ କୃଷକମାନେ ଅତୀତର ପ୍ରାରମ୍ଭିକ ବର୍ଷା ବିଷୟରେ କୁହନ୍ତି

ପଡ଼ୋଶୀ ସିକାର ଜିଲ୍ଲାର ସାଦିନସାର ଗ୍ରାମର ୮୦ ବର୍ଷୀୟ ନାରାୟଣ ପ୍ରସାଦ କୁହନ୍ତି, “ମୁଁ ସ୍କୁଲରେ ଥିବା ବେଳେ ଉତ୍ତର ଦିଗରୁ କଳାମେଘ ଘୋଟି ଆସୁଥିଲା, ଆମେ କହିପାରୁଥିଲୁ ଯେ ବର୍ଷା ଆସିବ ଏବଂ ଅଧଘଣ୍ଟା ମଧ୍ୟରେ ବର୍ଷା ଆସୁଥିଲା”। “ନିଜ ଜମିରେ ଥିବା ଏକ ଖଟ ଉପରେ ବସି ସେ କୁହନ୍ତି, ଏବେ ଆକାଶରେ ମେଘ ଘୋଟି ଆସୁଛି କିନ୍ତୁ ଚାଲିଯାଉଛି, ବର୍ଷା ହେଉନାହିଁ’’। ପ୍ରସାଦ ନିଜର ୧୩ ବିଘା ଚାଷ ଜମି (ପାଖାପାଖି ୮ଏକର)ରେ ବର୍ଷା ଜଳ ସଂରକ୍ଷଣ ପାଇଁ ଏକ ବିଶାଳ ଟାଙ୍କି ନିର୍ମାଣ କରିଛନ୍ତି। (ନଭେମ୍ବର ୨୦୧୯ରେ ମୁଁ ଯେତେବେଳେ ତାଙ୍କୁ ଭେଟିଲି ଏହା ସମ୍ପୂର୍ଣ୍ଣ ଶୁଖିଯାଇଥିଲା)

ବର୍ତ୍ତମାନ, ବାଜରା ବୁଣିବା ସମୟ ଅର୍ଥାତ ଜୁନ ଶେଷରେ ପ୍ରଥମ ବର୍ଷା ହେବା ବଦଳରେ ନିୟମିତ ବର୍ଷା ଏହାର କିଛି ସପ୍ତାହ ପରେ ଏବଂ ବେଳେ ବେଳେ ଗୋଟିଏ ମାସ ପରେ ଅଗଷ୍ଟ ଶେଷ ବେଳକୁ ହେଉଛି ବୋଲି ଏଠାକାର କୃଷକମାନେ କୁହନ୍ତି।

ଏହା ଫସଲ ବୁଣିବା ଯୋଜନା ଏବଂ କୃଷି ଋତୁର କାର୍ଯ୍ୟସୂଚୀକୁ ବିଗାଡ଼ି ଦେଉଛି। “ମୋ ଅଜା’ଙ୍କ ସମୟରେ, ସେମାନେ ପବନ, ନକ୍ଷତ୍ରର ସ୍ଥିତି, ପକ୍ଷୀଙ୍କ କାକଳି ବିଷୟରେ ଜାଣୁଥିଲେ ଏବଂ ଏହାକୁ ଆଧାର କରି ଚାଷ ସମ୍ପର୍କରେ ନିଷ୍ପତ୍ତି ନେଉଥିଲେ”, କୁହନ୍ତି ଅମ୍ରିତା ଚୌଧରୀ।

“ବର୍ତ୍ତମାନ ସମ୍ପୂର୍ଣ୍ଣ ବ୍ୟବସ୍ଥା ଭାଙ୍ଗିଯାଇଛି”, ବୋଲି ମୋଟାମୋଟି ଭାବେ ଆକଳନ କରି ସହଜରେ କୁହନ୍ତି ଲେଖକ ତଥା କୃଷି ଦୁଲାରାମ ସାହାରନ। ତାରାନଗର ବ୍ଲକର ଭାରଙ୍ଗ ଗ୍ରାମରେ ପାଖାପାଖି ୨୦୦ ବିଘା ଜମିରେ ସାହାରନଙ୍କ ଯୌଥ ପରିବାର ଚାଷ କରିଥାନ୍ତି।

ମୌସୁମୀ ବିଳମ୍ବରେ ଆସି ଶୀଘ୍ର ଚାଲିଯିବା ବ୍ୟତୀତ, ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଇଛି, ଏପରିକି ବାର୍ଷିକ ହାରାହାରି ମଧ୍ୟ ମନ୍ଥର ହୋଇଯାଇଛି । “ଏବେ ବର୍ଷାର ପରିମାଣ କମ୍ ହେଉଛି”, ଗାଜୁଭାସରେ ୧୨ ବିଘା ଜମି ଚାଷ କରୁଥିବା ଧର୍ମପାଲ ସାହାରନ କୁହନ୍ତି। “ଏହା ଆସିବ କିମ୍ବା ନଆସିବ, କେହି ଜାଣନ୍ତି ନାହିଁ”, ସେ କୁହନ୍ତି । ଏବଂ ବୃଷ୍ଟିପାତ ମଧ୍ୟ ଅନିଶ୍ଚିତ ହୋଇଯାଇଛି। “ଏପରିକି ଜମିର ଗୋଟିଏ ଭାଗରେ ବର୍ଷା ହେଉଥିବା ବେଳେ ଅନ୍ୟ ଭାଗରେ ବର୍ଷା ହେଉନଥିବା ଦେଖିବିାକୁ ମିଳିଥାଏ”, ବୋଲି ଅମ୍ରିତା କୁହନ୍ତି।

Left: Dharampal Saharan of Gajuvas village says, 'I am not sowing chana because there is no rain after September'. Right: Farmers in Sadinsar village speak of the changing weather – Raghubir Bagadiya (also a retired army captain), Narain Prasad (former high school lecturer) and Shishupal Narsara (retired school principal)
PHOTO • Sharmila Joshi
Left: Dharampal Saharan of Gajuvas village says, 'I am not sowing chana because there is no rain after September'. Right: Farmers in Sadinsar village speak of the changing weather – Raghubir Bagadiya (also a retired army captain), Narain Prasad (former high school lecturer) and Shishupal Narsara (retired school principal)
PHOTO • Sharmila Joshi

ବାମ : ଗାଜୁଭାସ ଗ୍ରାମର ଧର୍ମପାଲ ସାହାରନ କୁହନ୍ତି, “ସେପ୍ଟେମ୍ବର ପରେ କୌଣସି ବର୍ଷା ହେଉନଥିବାରୁ ମୁଁ ଚଣା ବୁଣୁନାହିଁ”। ଡାହାଣ : ସାଦିନସାର ଗ୍ରାମର ଚାଷୀ ରଘୁବୀର ବାଗଦିୟା (ଜଣେ ଅବସରପ୍ରାପ୍ତ ସେନା କ୍ୟାପ୍ଟେନ), ନାରାୟଣ ପ୍ରସାଦ (ପୂର୍ବତନ ହାଇସ୍କୁଲ ଶିକ୍ଷକ), ଶିଶୁପାଳ ନର୍ସରା (ଅବସରପ୍ରାପ୍ତ ସ୍କୁଲ ଅଧ୍ୟକ୍ଷ) ବଦଳୁଥିବା ପାଣିପାଗ ବିଷୟରେ କୁହନ୍ତି 

ଆରଏସଏପିସିସି ତଥ୍ୟରୁ ୧୯୫୧ରୁ ୨୦୦୭ ପର୍ଯ୍ୟନ୍ତ ଅତ୍ୟଧିକ ବର୍ଷା ବିଷୟରେ ଜଣାପଡ଼ିଥାଏ। କିନ୍ତୁ, ଅଧ୍ୟୟନରୁ ଜଣାଯାଇଛି, ଯେ ହାରାହାରି ବୃଷ୍ଟିପାତ ରାଜ୍ୟରେ ହ୍ରାସ ପାଇବ ଏବଂ “ଜଳବାୟୁ ପରିବର୍ତ୍ତନ କାରଣରୁ ବାଷ୍ପୀକରଣ ବୃଦ୍ଧି ପାଇଛି’’।

ଚୁରୁର କୃଷକମାନେ ଦୀର୍ଘଦିନ ଧରି ଅକ୍ଟୋବର ଏବଂ ଜାନୁଆରୀ-ଫେବୃଆରୀ ମୌସୁମୀ ପରବର୍ତ୍ତୀ ବର୍ଷା ଉପରେ ନିର୍ଭର କରିଥାନ୍ତି, ଯାହାକି ଚିନାବାଦାମ ଓ ବାର୍ଲି ଭଳି ରବି ଫସଲ ପାଇଁ ସହାୟକ ହୋଇଥାଏ। ହରଦୟାଲଜୀ କୁହନ୍ତି, ଏହି ଝିପ ଝିପ ବର୍ଷା – “ଚକ୍ରବାତ ବର୍ଷା ଯାହା ୟୁରୋପ ଏବଂ ଆମେରିକାର ସମୁଦ୍ରରୁ, ପାକିସ୍ତାନ ଉପର ଦେଇ ସୀମା ଟପି ଆସିଥାଏ”- ଏ ବର୍ଷା ଏବେ ପ୍ରାୟତଃ ଉଭାନ ହୋଇଯାଇଛି।

ଦୁଲାରାମ କୁହନ୍ତି, ଏହି ବର୍ଷା ଚଣା ଫସଲ ପାଇଁ ସହାୟକ ହେଉଥିଲା। ତାରାନଗର ଦେଶର ଦେଶର ‘ଚଣା ପାତ୍ର’ ଭାବେ ପରିଚିତ, ଯାହାକି ଏଠାକାର କୃଷକମାନଙ୍କ ପାଇଁ ଗର୍ବର ବିଷୟ।  ଧର୍ମପାଲ କୁହନ୍ତି, “ପୂର୍ବରୁ ଖୁବ ଅଧିକ ପରିମାଣରେ ଚଣା ଉତ୍ପାଦନ ହେଉଥିଲା। ଘର ଅଗଣାରେ ଚଣା ଗଦା ହୋଇ ରହୁଥିଲା।’’ କିନ୍ତୁ ଚଣା ପାତ୍ର ଏବେ ଖାଲି ହୋଇଯାଇଛି। “ପ୍ରାୟ ୨୦୦୭ ପରଠାରୁ ମୁଁ ଆଉ ଚଣା ଚାଷ କରୁନାହିଁ, କାରଣ ସେପ୍ଟେମ୍ବର ପରେ ଆଉ ବର୍ଷା ହେଉନାହିଁ।’’

ନଭେମ୍ବର ବେଳକୁ ଶୀତ ପଡ଼ିଲେ ଚୁରୁର ଚଣା ଫସଲ ଭଲ ଭାବେ ଅଙ୍କୁରିତ ହୋଇଥାଏ। କିନ୍ତୁ କିଛି ବର୍ଷ ହେବ ଶୀତ ୠତୁ ବଦଳିଯାଇଛି ।

*****

ଆରଏସଏପିସିସିର ରିପୋର୍ଟ ଅନୁଯାୟୀ, ଭାରତରେ ଜମ୍ମୁ ଓ କଶ୍ମୀର ପରେ  ରାଜସ୍ଥାନରେ ହିଁ ସର୍ବାଧିକ ସଂଖ୍ୟକ ଶୀତ ଲହରୀ ଦେଖିବାକୁ ମିଳୁଥିଲା। ୧୯୦୧ରୁ ୧୯୯୯ ପାଖାପାଖି ଗୋଟିଏ ଶତାବ୍ଦୀ ଧରି ୧୯୫ ଥର ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା, କିନ୍ତୁ ୧୯୯୯ ପରେ ଏହା ଆଉ ଦେଖିବାକୁ ମିଳୁନାହିଁ। ଏଥିରେ ଉଲ୍ଲେଖ କରାଯାଇଛି ଯେ ରାଜସ୍ଥାନରେ ସର୍ବାଧିକ ତାପମାତ୍ରା ଏବଂ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଉଛି। ଯେପରିକି ଚୁରୁରେ ଭାରତୀୟ ସମତଳ ଭୂମି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ ଫେବୃଆରୀ ୨୦୨୦ରେ ରେକର୍ଡ କରାଯାଇଥିଲା।

ତଥାପି ଚୁରୁର ଅଧିକାଂଶ ଲୋକମାନଙ୍କ ପାଇଁ ଶୀତ ଋତୁ ଆଉ ଆଗ ଭଳି ହୋଇ ରହିନାହିଁ। “ମୋ ପିଲା ଦିନେ (ପ୍ରାୟ ୫୦ ବର୍ଷ ପୂର୍ବେ), ନଭେମ୍ବର ପ୍ରାରମ୍ଭରୁ ଆମେ ରଜାଇ ଘୋଡ଼େଇ ହେଉଥିଲୁ। ଭୋର ୪ଟାରେ କୃଷି କ୍ଷେତ୍ରକୁ ଆସିବା ବେଳେ ମୁଁ କମ୍ବଳ ଘୋଡ଼େଇ ହେଉଥିଲି”, ବୋଲି କୁହନ୍ତି ଗାଜୁଭାସ ଗ୍ରାମର ଗୋବର୍ଦ୍ଧନ ସାହାରନ। ବର୍ତ୍ତମାନ ସେ କୁହନ୍ତି, ସେ ନିଜର ବାଜରା ଜମି ନିକଟରେ ଥିବା ଶମୀ ଗଛ ମୂଳେ ବସିବା ସମୟରେ କେବଳ ମାତ୍ର “ଗୋଟିଏ ଗଞ୍ଜି ପିନ୍ଧିଛନ୍ତି - ବର୍ଷର ୧୧ତମ ମାସରେ ସୁଦ୍ଧା ଗରମ ହେଉଛି।’’

Prof. Isran (left) of Churu town says: 'The entire summer has expanded'. Amrita Choudhary (right) of the Disha Shekhawati organisation in Sujangarh says, 'Even in this hot region, the heat is increasing'
PHOTO • Sharmila Joshi
Prof. Isran (left) of Churu town says: 'The entire summer has expanded'. Amrita Choudhary (right) of the Disha Shekhawati organisation in Sujangarh says, 'Even in this hot region, the heat is increasing'
PHOTO • Sharmila Joshi

ଚୁରୁ ସହରର ପ୍ରଫେସର ଇସ୍ରାନ (ବାମ) କୁହନ୍ତି: ‘ସମ୍ପୂର୍ଣ୍ଣ ଗ୍ରୀଷ୍ମ ଋତୁର ଅବଧି ବଢ଼ିଯାଇଛି’। ସୁଜନଗଡ଼ର ଦିଶା  ଶେଖାୱତୀ ସଂଗଠନର ଅମ୍ରିତା ଚୌଧରୀ (ଡାହାଣ) କୁହନ୍ତି, “ଏପରିକି ଏହି ଗରମ କ୍ଷେତ୍ରରେ,ତାପମାତ୍ରା ବୃଦ୍ଧି ପାଉଛି’

ଅମ୍ରିତା ଚୌଧରୀ କୁହନ୍ତି, “ଅତୀତରେ ମୋ ସଂଗଠନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ସମୟରେ ଆମେ ଶୀତବସ୍ତ୍ର ପିନ୍ଧୁଥିଲୁ । କିନ୍ତୁ ଏବେ ଆମର ପଙ୍ଖା ଦରକାର ହେଉଛି। କିନ୍ତୁ ବର୍ଷକୁ ବର୍ଷ ଏହା ଅଧିକ ଅନିଶ୍ଚିତ ହୋଇପଡ଼ୁଛି।”

ସୁଜନଗଡ଼ ସହରର ଅଙ୍ଗନବାଡ଼ି କର୍ମୀ ସୁଶୀଲା ପୁରୋହିତ ୩-୫ ବର୍ଷ ମଧ୍ୟରେ ପିଲାଙ୍କୁ ନେଇ ଏକ ଛୋଟିଆ ଦଳ ଆଡ଼କୁ ଆଙ୍ଗୁଳି ଦେଖାଇ କୁହନ୍ତି, “ସେମାନଙ୍କୁ ଶୀତ ପୋଷାକ ପିନ୍ଧିବାକୁ ଦିଆଯାଉଛି। କିନ୍ତୁ ଏବେ ବି ନଭେମ୍ବରରେ ଶୀତ ହେଉଛି। ଆମେ ତାଙ୍କୁ କ’ଣ ପିନ୍ଧିବାକୁ କହିବୁ ସେ ନେଇ ନିଶ୍ଚିତ ହୋଇପାରୁନାହୁଁ।’’

ଚୁରୁର ଜଣାଶୁଣା ସ୍ତମ୍ଭକାର ଓ ଲେଖକ ୮୩ ବର୍ଷୀୟ ମାଧବ ଶର୍ମା କୁହନ୍ତି : “କମ୍ବଳ ଓ କୋଟ୍‌ର ଦିନ (ନଭେମ୍ବରରେ) ଯାଇଛି”।

*****

ଗ୍ରୀଷ୍ମ ଋତୁର ଅବଧି ବଢ଼ିବା କାରଣରୁ କମ୍ବଳ ଓ କୋଟ୍ ପିନ୍ଧିବାର ଦିନ ସରିଯାଇଛି। “ଅତୀତରେ, (ବସନ୍ତ ସମେତ) ଆମେ ୪ଟି ପ୍ରମୁଖ ଋତୁ ଅନୁଭବ କରୁଥିଲୁ,” କୁହନ୍ତି ମାଧବଜୀ। “ବର୍ତ୍ତମାନ କେବଳ ବର୍ଷା-ଆଠ ମାସ ପର୍ଯ୍ୟନ୍ତ ରହୁଥିବା ଗ୍ରୀଷ୍ମ ଋତୁ ଅନୁଭୂତ ହେଉଛି। ଏହା ଏକ ଦୀର୍ଘ ଅବଧିର ପରିବର୍ତ୍ତନ’’।

“ଅତୀତରେ, ମାର୍ଚ୍ଚ ମାସରେ ମଧ୍ୟ ଶୀତ ଅନୁଭୂତ ହେଉଥିଲା,” କୁହନ୍ତି ତାରା ନଗରର ଜଣେ କୃଷିକର୍ମୀ ନିର୍ମଳ ପ୍ରଜାପତି। “ବର୍ତ୍ତମାନ ଏପରିକି ଫେବୃଆରୀ ଶେଷ ବେଳକୁ ମଧ୍ୟ ଗରମ ଚାଲିଆସୁଛି ଏବଂ ଏହା ଅଗଷ୍ଟ ମାସ ସାରା ଅଧିକ ରହୁଥିବା ବେଳେ ଅକ୍ଟୋବର ମାସ ପର୍ଯ୍ୟନ୍ତ ଲମ୍ବି ଯାଉଛି”।

ପ୍ରଜାପତି କୁହନ୍ତି, ଚୁରୁର ଚାଷ ଜମିରେ ଏବେ କାର୍ଯ୍ୟ ସମୟରେ ପରିବର୍ତ୍ତନ ହୋଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଚାଷୀମାନେ ବିକଳ୍ପ ସମୟ ବାଛିଛନ୍ତି। ସେମାନେ ସକାଳେ ଓ ବିଳମ୍ବିତ ଅପରାହ୍ଣରେ ଥଣ୍ଡା ଥିବା ସମୟରେ କାମ କରୁଛନ୍ତି।

ଏହାଛଡ଼ା, ସମ୍ପ୍ରସାରିତ ଗ୍ରୀଷ୍ମ ଋତୁ ବେଶ ନିର୍ଦ୍ଦୟ ହୋଇପଡ଼ିଛି। ଅତୀତରେ ଏପରି ସମୟ ଥିଲା ଯେତେବେଳେ ବାଲୁକା ଝଡ଼ ପ୍ରତି ସପ୍ତାହରେ ଆସୁଥିଲା ଏବଂ ଗାଁର ଚାରିଆଡ଼େ ବାଲି ଚର ହୋଇଯାଉଥିଲା। ରେଳ ଧାରଣା ବାଲିରେ ପୋତି ହୋଇଯାଉଥିଲା,  ବାଲିଗଦା ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଉଥିଲା, ଅଗଣାରେ ଶୋଇଥିବା ଚାଷୀ ମଧ୍ୟ ବାଲିରେ ଘୋଡ଼େଇ ହୋଇ ପଡ଼ୁଥିଲା। “ପଶ୍ଚିମା ପବନ ବାଲିଝଡ଼ ନେଇ ଆସୁଥିଲା” ବୋଲି ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ହରଦୟାଲ ଜୀ କୁହନ୍ତି। “ବାଲିଝଡ଼ ଆମ ଚଟାଣକୁ ସୁଦ୍ଧା ଘୋଡ଼ାଇ ଦେଉଥିଲା। ବର୍ତ୍ତମାନ ଏଭଳି ବାଲି ଝଡ଼ ଆଉ ଦେଖିବାକୁ ମିଳୁନାହିଁ।’’

Left: The Chakravat drizzles have mostly disappeared, says Hardayalji Singh, retired teacher and landowner. Centre: Sushila Purohit, anganwadi worker in Sujangarh, says 'It is still hot in November. Right: Nirmal Prajapati, farm activist in Taranagar, says work hours have altered to adapt to the magnifying summer
PHOTO • Sharmila Joshi
Left: The Chakravat drizzles have mostly disappeared, says Hardayalji Singh, retired teacher and landowner. Centre: Sushila Purohit, anganwadi worker in Sujangarh, says 'It is still hot in November. Right: Nirmal Prajapati, farm activist in Taranagar, says work hours have altered to adapt to the magnifying summer
PHOTO • Sharmila Joshi
Left: The Chakravat drizzles have mostly disappeared, says Hardayalji Singh, retired teacher and landowner. Centre: Sushila Purohit, anganwadi worker in Sujangarh, says 'It is still hot in November. Right: Nirmal Prajapati, farm activist in Taranagar, says work hours have altered to adapt to the magnifying summer
PHOTO • Sharmila Joshi

ବାମ : ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ହରଦୟାଲଜୀ ସିଂ କୁହନ୍ତି, ଏବେ ଚକ୍ରବାତ ବର୍ଷା ପ୍ରାୟତଃ ଉଭେଇ ଯାଇଛି। କେନ୍ଦ୍ର: ସୁଜନଗଡ଼ର ଅଙ୍ଗନବାଡ଼ି କର୍ମୀ ସୁଶୀଲା ପୁରୋହିତ କୁହନ୍ତି, ‘ନଭେମ୍ବରରେ ସୁଦ୍ଧା ଗରମ ଅନୁଭୂତ ହେଉଛି’। ଡାହାଣ : ତାରାନଗରର କୃଷି କର୍ମୀ ନିର୍ମଳ ପ୍ରଜାପତି କୁହନ୍ତି, ଟାଣ ଖରାରେ କାମ କରିବାର ସମୟ ମଧ୍ୟ ବଦଳିଯାଇଛି

ବାଲି ଝଡ଼ ମଝିରେ ମଝିରେ ଲୁ- ଶୁଖିଲା, ଗରମ ଏବଂ ଖୁବ ଜୋରରେ ବୋହୁଥିବା ପବନ- ହେଉଥିଲା। ଖରାଦିନ ମଝିରେ ମେ ଓ ଜୁନ ମାସରେ ଏଭଳି ପବନ ଦେଖିବାକୁ ମିଳୁଥିଲା ଯାହା ଘଣ୍ଟା ଘଣ୍ଟା ଧରି ଲାଗି ରହୁଥିଲା। ନିର୍ମଳ କୁହନ୍ତି, ଉଭୟ ଲୁ ଏବଂ ବାଲିଝଡ଼ ୩୦ ବର୍ଷ ପୂର୍ବେ ନିୟମିତ ଭାବେ ହେଉଥିଲା। ଏହା ତାପମାତ୍ରା ହ୍ରାସରେ ସହାୟକ ହେଉଥିଲା। “ଏହାଛଡ଼ା ବାଲି ଝଡ଼ ଆସିବା ଫଳରେ ଉଡ଼ି ଆସୁଥିବା ଧୂଳି ମାଟିର ଉର୍ବରତା ବଢ଼ାଉଥିଲା”। ବର୍ତ୍ତମାନ ଗରମ ଲାଗି ରହୁଛି ଏବଂ ପାରଦ ସବୁବେଳେ ୪୦ ଡିଗ୍ରୀ ଉପରେ ରହୁଛି। “୨୦୧୯ରେ ୫-୭ ବର୍ଷ ପରେ ବାଲିଝଡ଼ ଦେଖିବାକୁ ମିଳିଥିଲା,” ସେ ମନେ ପକାଇ କୁହନ୍ତି।

ଖରା ଦିନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ରହିବା କାରଣରୁ ଏହା ଅଧିକ କଷ୍ଟଦାୟକ ହୋଇପଡ଼ିଛି। “ରାଜସ୍ଥାନରେ ଆମେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବଞ୍ଚିବା ଶିଖିଛୁ’’ ବୋଲି କୁହନ୍ତି ତାରାନଗରର କୃଷି କର୍ମୀ ଏବଂ ହରଦୟାଲଜୀଙ୍କ ପୁଅ ଉମରାଓ ସିଂ। “କିନ୍ତୁ ପ୍ରଥମ ଥର ପାଇଁ ଚାଷୀମାନେ ଗରମକୁ ଦେଖି ଡରୁଛନ୍ତି”।

****

ପ୍ରଥମ ଥର ପାଇଁ ଜୁନ ୨୦୧୯ରେ ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇନଥିଲା। ୧୯୯୩ ଜୁନରେ ଚୁରୁରେ ଗ୍ରୀଷ୍ମ ଦିନ ତାପମାତ୍ରା ୪୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ବୋଲି ଜୟପୁର ପାଣିପାଗ କେନ୍ଦ୍ର ରିପୋର୍ଟରୁ ଜଣାଯାଇଛି। ବାରମେରରେ ମେ ୧୯୯୫ରେ ତାପମାତ୍ରା ଏହାଠାରୁ ୦.୧ ଡିଗ୍ରୀ ଅଧିକ ରହିଥିଲା। ଏହାର ବହୁପୂର୍ବରୁ ଗଙ୍ଗାନଗରରେ ଜୁନ ୧୯୩୪ରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଯାଇଥିଲା ବେଳେ ୧୯୬ ମେ ରେ ଅଲୱାରରେ ତାପମାତ୍ରା ୫୦.୬ ଡିଗ୍ରୀ ଛୁଇଁଥିଲା। 

କେତେକ ସମ୍ବାଦପତ୍ରରେ ଦର୍ଶାଯାଇଥିଲା ଯେ ସାରା ଦୁନିଆରେ ଚୁରୁ ସବୁଠୁ ଉତ୍ତପ୍ତ ସ୍ଥାନ ଭାବେ ୫୦ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଥିଲା। କିନ୍ତୁ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ରିପୋର୍ଟ ଅନୁଯାୟୀ କେତେକ ଆରବ ଦେଶରେ ମଧ୍ୟ ତାପମାତ୍ରା ୫୦ଡିଗ୍ରୀ ଛୁଇଁ ଯାଇଥିଲା। ବିଶ୍ୱ ତାପନର ପଦ୍ଧତି କିଭଳି ପରିବର୍ତ୍ତିତ ହେଉଛି ସେ ସଂକ୍ରାନ୍ତରେ ପ୍ରକାଶିତ ରିପୋର୍ଟ ‘ଉତ୍ତପ୍ତ ଗ୍ରହରେ କାର୍ଯ୍ୟ କରିବା’ରୁ ଜଣାଯାଏ ଯେ ଭାରତରେ ହାରାହାରୀ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିବା ବେଳେ ଏହା ୨୦୨୫ରୁ ୨୦୮୫ ମଧ୍ୟରେ ୩ ଡିଗ୍ରୀ ସେଲସିୟସ ବଢ଼ିବାର ଆଶଙ୍କା କରାଯାଉଛି।

ସମଗ୍ର ପଶ୍ଚିମ ରାଜସ୍ଥାନ (୧୯.୬୧ ନିୟୁତ ହେକ୍ଟର)ର ମରୁଭୂମି ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ ଉତ୍ସକୁ ନେଇ ଏକ ଆନ୍ତଃ ସରକାରୀ ପ୍ୟାନେଲ ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଏକବିଂଶ ଶତାବ୍ଦୀ ଶେଷବେଳକୁ ଏଠାରେ ଆହୁରି ଗରମ ଦିନ ଏବଂ ଗରମ ରାତି ସହିତ ବୃଷ୍ଟିପାତ ହ୍ରାସ ପାଇବ।

ଡାକ୍ତର ସୁନୀଲ ଯଣ୍ଡୁ କୁହନ୍ତି, “ଅଧିକ ଗରମ ସହିତ ଅଭ୍ୟସ୍ତ ହୋଇଥିଲେ ସୁଦ୍ଧା ୪୮ ଡିଗ୍ରୀ ଠାରୁ ଅତ୍ୟଧିକ ତାପମାତ୍ରା ଲୋକମାନଙ୍କ ପାଇଁ କ୍ଷତିକାରକ ହୋଇପାରେ’’ । ୪୮ ଡିଗ୍ରୀ ପରେ ଗୋଟିଏ ଡିଗ୍ରୀ ତାପମାତ୍ରା ବୃଦ୍ଧିର କୁପ୍ରଭାବ ମଣିଷ ଶରୀର ଉପରେ ପଡ଼ିଥାଏ। ଏହାର ପ୍ରଭାବରେ ଅଣନିଃଶ୍ୱାସୀ ହୋଇପଡ଼ିବା, ଡିହାଇଡ୍ରେସନ, କିଡନୀ ଷ୍ଟୋନ (ଦୀର୍ଘ ଦିନ ଧରି ଡିହାଇଡ୍ରେସନ କାରଣରୁ) ଭଳି  ସମସ୍ୟା ଦେଖାଦେଇପାରେ ଏବଂ ଏପରିକି ଅଂଶୁଘାତ, ବାନ୍ତି, ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେଇପାରେ ।” ତେବେ ଜିଲ୍ଲା ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାମ କରୁଥିବା ଡାକ୍ତର ଯଣ୍ଡୁ କୁହନ୍ତି, ମେ-ଜୁନ ୨୦୧୯ରେ ଏପରି କୌଣସି ସମସ୍ୟା ବଢ଼ିବା ଦେଖାଦେଇନାହିଁ । ସେହି ସମୟରେ ଚୁରୁରେ ଗରମ କାରଣରୁ କୌଣସି ମୃତ୍ୟୁ ଘଟିଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିନାହିଁ ।

ଅତ୍ୟଧିକ ଗରମର ବିପଦ ବିଷୟରେ ଆଇଏଲଓ  ରିପୋର୍ଟରେ ମଧ୍ୟ କୁହାଯାଇଛି : “ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱ ତାପମାତ୍ରାରେ ବୃଦ୍ଧି କାରଣରୁ …ଗରମ ଜନିତ ଚାପକୁ ସାଧାରଣ କରିଦେଇଛି… ଅତ୍ୟଧିକ ଗରମ ସହିବା କାରଣରୁ ମଣିଷ ଶରୀରରେ କୌଣସି ସମସ୍ୟା ଦେଖିବାକୁ ମିଳୁନାହିଁ ଯାହାର ଅର୍ଥ ଶରୀର ତାପମାତ୍ରା ସହିତ ଅଭ୍ୟସ୍ତ ହୋଇଯାଇଛି… ତେବେ ଅତ୍ୟଧିକ ଗରମ ଅନୁଭବ ହେବା କାରଣରୁ ଅଂଶୁଘାତ ଏବଂ ବେଳେବେଳେ ମୃତ୍ୟୁ ମଧ୍ୟ ଆସିପାରେ’’।

Writer-farmer Dularam saharan (left) of Bharang village at the house of well-known veteran columnist Madhavji Sharma, in Churu town: 'Kambal and coat ka jamaana chala gaya'
PHOTO • Sharmila Joshi

ଭାରଙ୍ଗ ଗ୍ରାମର ଲେଖକ-କୃଷକ ଦୁଲାରାମ ସାହାରନ (ବାମ) ଚୁରୁ ସହରର ଜଣାଶୁଣା ବରିଷ୍ଠ ସ୍ତମ୍ଭକାର ମାଧବଜୀ ଶର୍ମାଙ୍କ ଘରେ : “କମ୍ବଳ ଓ କୋଟର ଦିନ ଚାଲିଯାଇଛି” 

ରିପୋର୍ଟରେ କୁହାଯାଇଛି ଯେ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧିର କୁପ୍ରଭାବ ଦକ୍ଷିଣ ଏସିଆ ଉପରେ ବିଶେଷ ଭାବେ ପଡ଼ିବ ବୋଲି ଆଶଙ୍କା କରାଯାଉଛି, ତାପମାତ୍ରା ଚାପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଷ୍ଟ୍ରରେ ଅଧିକ ଦାରିଦ୍ର୍ୟ ହାର, ଅନୌପଚାରିକ ନିଯୁକ୍ତି ଏବଂ କୃଷିକ୍ଷେତ୍ରରେ ଅନିଶ୍ଚିତତା ଦେଖାଦେବ ।

ତେବେ ସମସ୍ତ କ୍ଷତିକାରକ ପ୍ରଭାବ ଏତେ ସହଜରେ ଶୀଘ୍ର ଦେଖିବାକୁ ମିଳିବ ନାହିଁ କିମ୍ବା ଡାକ୍ତରଖାନାରେ ମଧ୍ୟ ଭିଡ଼ ହେବ ନାହିଁ ।

ଅନ୍ୟ ସମସ୍ୟା ସହ ମିଶାଇ ଆଇଏଲଓ ରିପୋର୍ଟରେ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧିର ପ୍ରଭାବ କାରଣରୁ “ଅଧିକସଂଖ୍ୟକ ଚାଷୀମାନେ ଚାଷକାର୍ଯ୍ୟ ଛାଡ଼ି ଗ୍ରାମାଞ୍ଚଳରୁ ପ୍ରବାସ କରିପାରନ୍ତି … (ଏବଂ) ୨୦୦୫ରୁ ୨୦୧୫ ମଧ୍ୟରେ ଦେଖିବାକୁ ମିଳିଛି ଅଧିକ ସଂଖ୍ୟକ କୃଷି ଶ୍ରମିକ ଚାଷ କାର୍ଯ୍ୟ ଛାଡ଼ି ବାହାରକୁ କାମ କରିବା ଲାଗି ଚାଲିଯାଉଛନ୍ତି । ଏହାର ପୂର୍ବ ଦଶନ୍ଧିରେ ଏପରି ଦେଖିବାକୁ ମିଳିନଥିଲା । ଏହା ମଧ୍ୟ ଆଉ ଏକ ସଙ୍କେତ ଯେ ଅଧିକାଂଶ ପରିବାର ଜଳବାୟୁ ପରିବର୍ତ୍ତନର ପ୍ରଭାବ କାରଣରୁ ବାହାରକୁ କାମ କରିବା ଲାଗି ଚାଲିଯାଉଛନ୍ତି [ଗୁରୁତ୍ୱ ଦିଆଯାଇଛି]।”

ଚୁରୁରେ ମଧ୍ୟ ଆଂଶିକ ଭାବେ ଅନିଶ୍ଚିତ ମୌସୁମି ପ୍ରବାହ କାରଣରୁ ଫସଲ ଓ ଆୟ ଉଭୟ ହ୍ରାସ ପାଇଛି । ଫଳରେ ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏ ସମ୍ପର୍କରେ ଦୁଲାରାମ ସାହାରନ କୁହନ୍ତି, “ଅତୀତରେ ଆମେ ୧୦୦ ମାନ୍ନ (୪୦୦ କିଗ୍ରା) ବାଜରା ଆମ କ୍ଷେତରୁ ଉତ୍ପାଦନ କରୁଥିଲୁ । ବର୍ତ୍ତମାନ ୨୦-୩୦ ମାନ୍ନ ଉତ୍ପାଦିତ ହେଉଛି । ମୋ ଗାଁ ଭାରଙ୍ଗରେ ମାତ୍ର ୫୦ ପ୍ରତିଶତ ଲୋକ କୃଷି କାର୍ଯ୍ୟ କରୁଛନ୍ତି, ବାକି ସମସ୍ତେ ଚାଷ ଛାଡ଼ି ବାହାରକୁ କାମ କରିବା ଲାଗି ଚାଲିଗଲେଣି ।”

ଗାଜୁଭାସ ଗ୍ରାମର ଧରମପାଲ ସାହାରନ କୁହନ୍ତି, ତାଙ୍କର ଫସଲ ମଧ୍ୟ ବ୍ୟାପକ ଭାବେ ହ୍ରାସ ପାଇଛି । ତେଣୁ ସେ ଟେମ୍ପୋ ଡ୍ରାଇଭର ଭାବେ କାମ କରିବା ଲାଗି ଜୟପୁର କିମ୍ବା ଗୁଜରାଟର ଅନ୍ୟ କୌଣସି ସହରକୁ ବର୍ଷରେ ୩-୪ ମାସ ଚାଲିଯାଉଛନ୍ତି ।

ପ୍ରଫେସର ଇସ୍ରାନ ମଧ୍ୟ ଉଲ୍ଲେଖ କରନ୍ତି ଯେ ଚୁରୁରେ ଚାଷ କାର୍ଯ୍ୟରୁ ହେଉଥିବା କ୍ଷତିକୁ ଭରଣା କରିବା ଲାଗି ଅଧିକାଂଶ ଲୋକ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ପଞ୍ଜାବର ବିଭିନ୍ନ ସହର କିମ୍ବା ଉପସାଗରୀୟ ଦେଶକୁ କାରଖାନାରେ କାମ କରିବା ଲାଗି ଚାଲିଯାଉଛନ୍ତି । (ସରକାରଙ୍କ ନୀତି ଯୋଗୁ ଗୋରୁ ବ୍ୟବସାୟ ମଧ୍ୟ ପ୍ରଭାବିତ ହେବା ମଧ୍ୟ ଏହାର ଆଉ ଗୋଟିଏ କାରଣ-କିନ୍ତୁ ତାହା ଆଉ ଏକ କାହାଣୀ)

ଆଇଏଲଓ ରିପୋର୍ଟରେ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧି ଫଳରେ ଆଗାମୀ ଦଶବର୍ଷ ମଧ୍ୟରେ ବିଶ୍ୱରେ ଉତ୍ପାଦକତା ହ୍ରାସ ଦେଖିବାକୁ ମିଳିବ ବା ୮୦ ନିୟୁତ ଲୋକ ସମ୍ପୂର୍ଣ୍ଣ ରୋଜଗାର ହରାଇବେ। ବର୍ତ୍ତମାନର ଆକଳନ ଅନୁଯାୟୀ ଏକବିଂଶ ଶତାବ୍ଦୀର ଶେଷ ଆଡ଼କୁ ଯଦି ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ତା’ହେଲେ ଏପରି ସ୍ଥିତି ଦେଖିବାକୁ ମିଳିବ ।

*****

ଚୁରୁରେ ଜଳବାୟୁ ପରିବର୍ତ୍ତନ ହେଉଛି କାହିଁକି?

ପ୍ରଫେସର ଇସ୍ରାନ ଓ ମାଧବ ଶର୍ମା କୁହନ୍ତି, ଏହାର କାରଣ ପରିବେଶ ପ୍ରଦୂଷଣ । ଏହା ଗରମ ବଢ଼ାଇବା ସହିତ, ପାଣିପାଗର ଢାଞ୍ଚାକୁ ବଦଳାଇ ଦେଉଛି । ବିଶ୍ୱ ତାପନ ଏବଂ କଂକ୍ରିଟକରଣ ବୃଦ୍ଧି ଯୋଗୁଁ ଏହି ତାପମାତ୍ରା ବଢ଼ୁଛି । ଜଙ୍ଗଲ ନଷ୍ଟ ହେଉଛି ଏବଂ ଗାଡ଼ିମୋଟର ବଢ଼ୁଛି ବୋଲି କୁହନ୍ତି ତାରାନଗର ତହସିଲ ଭାଲେରି ଗ୍ରାମର ପୂର୍ବତନ ସ୍କୁଲ ପ୍ରଧାନ ଶିକ୍ଷକ ତଥା ଚାଷୀ ରାମସ୍ୱରୂପ ସାହାରନ ।

'After around 48 degrees Celsius,” says Dr. Sunil Jandu (left) in Churu town, even to people used to very high heat, 'every rise by a degree matters a lot'. Ramswaroop Saharan of Bhaleri village attributes the growing heat to global warming
PHOTO • Sharmila Joshi
'After around 48 degrees Celsius,” says Dr. Sunil Jandu (left) in Churu town, even to people used to very high heat, 'every rise by a degree matters a lot'. Ramswaroop Saharan of Bhaleri village attributes the growing heat to global warming
PHOTO • Sharmila Joshi

 ଚୁରୁ ସହରର ଡକ୍ଟର ସୁନୀଲ ଜାଣ୍ଡୁ (ବାମ) କୁହନ୍ତି, “ପ୍ରାୟ ୪୮ ଡିଗ୍ରୀ ସେଲସିୟସ୍ ପରେ’’, ଅତ୍ୟଧିକ ଉତ୍ତାପରେ ମଧ୍ୟ ବ୍ୟବହାର କରାଯାଉଥିବା ଲୋକମାନଙ୍କ ପାଇଁ, 'ପ୍ରତ୍ୟେକ ଡିଗ୍ରୀ ବୃଦ୍ଧି ହେବା ବହୁତ ଗୁରୁତ୍ୱପୂର୍ଣ୍ଣ' । ଭାଲେରୀ ଗାଁର ରାମସ୍ୱରୋପ ସାହାରା  ବଢ଼ୁଥିବା ଉତ୍ତାପକୁ ବିଶ୍ୱ ତାପମାତ୍ରା ସହିତ ଦର୍ଶାଏ

ଜୟପୁରର ବରିଷ୍ଠ ସାମ୍ବାଦିକ ନାରାୟଣ ବାରେଥ କୁହନ୍ତି, “ଶିଳ୍ପ ବଢ଼ୁଛି, ଏସି ବ୍ୟବହାର ବଢ଼ୁଛି, କାର ସଂଖ୍ୟା ବଢ଼ୁଛି। ପରିବେଶ ପ୍ରଦୂଷିତ ହୋଇସାରିଛି । ଏସବୁ ବିଶ୍ୱର ତାପମାତ୍ରା ବୃଦ୍ଧିର କାରଣ ପାଲଟିଛି” ।

ଚୁରୁକୁ ‘ଥର ମରୁଭୂମିର ପ୍ରବେଶ ଦ୍ୱାର’ କୁହାଯାଏ । ଏହା ବିଶ୍ୱତାପନର ବୈଶ୍ୱିକ ଶୃଙ୍ଖଳର ମାତ୍ର ଗୋଟିଏ ଲିଙ୍କ । ୧୯୭୦ ପରେ ବିଶ୍ୱସ୍ତରରେ ଗ୍ରୀନହାଉସ ଗ୍ୟାସ ନିର୍ଗମନ ବୃଦ୍ଧି ପାଇଛି ବୋଲି ରାଜସ୍ଥାନ ଷ୍ଟେଟ ଆକ୍ସନ ପ୍ଲାନ ଅନ କ୍ଲାଇମେଟ ଚେଞ୍ଜ ପକ୍ଷରୁ କୁହାଯାଇଛି । ଖାଲି ରାଜସ୍ଥାନ ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ କାରଣରୁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ବୃଦ୍ଧି ପାଇଛି । ଶକ୍ତି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକଳାପ ବୃଦ୍ଧି, ଜୀବାଶ୍ମ ଇନ୍ଧନର ବର୍ଦ୍ଧିତ ଉପଯୋଗ, କୃଷି କ୍ଷେତ୍ରରୁ ହେଉଥିବା ନିର୍ଗମନ, ବର୍ଦ୍ଧିତ ଶିଳ୍ପ ପ୍ରକ୍ରିୟା ଏବଂ ‘ଜମିର ବ୍ୟବହାର, ଜମିର ବ୍ୟବହାର ପରିବର୍ତ୍ତନ ଏବଂ ବନୀକରଣ ହ୍ରାସ’ କାରଣରୁ ମଧ୍ୟ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ବୃଦ୍ଧି ପାଇଛି । ଜଳବାୟୁ ପରିବର୍ତ୍ତନର ଜଟିଳ ଦୁନିଆରେ ଏସବୁ ପରିବର୍ତ୍ତିତ ସଂଯୋଗର ଭୂମିକା ରହିଛି ।

ଚୁରୁ ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ହୁଏତ ଗ୍ରୀନ ହାଉସ ଗ୍ୟାସ ବିଷୟରେ ଜାଣିନଥାଇ ପାରନ୍ତି, କିନ୍ତୁ ସେମାନେ ଏହାର ପ୍ରଭାବ ଅନୁଭବ କରୁଛନ୍ତି । “ଅତୀତରେ  ଫ୍ୟାନ ଓ କୁଲର ବିନା ଆମେ ଗରମକୁ ସମ୍ଭାଳି ପାରୁଥିଲୁ । କିନ୍ତୁ ବର୍ତ୍ତମାନ ଆମେ ଏଗୁଡ଼ିକ ବିନା ରହିପାରୁନାହୁଁ ବୋଲି ହରଦୟାଲଜୀ କୁହନ୍ତି ।”

ଅମ୍ରିତା କୁହନ୍ତି, “ଗରିବ ପରିବାର ନିକଟରେ ଫ୍ୟାନ କିମ୍ବା କୁଲର କିଣିବା ଲାଗି ଟଙ୍କା ନାହିଁ । ଅସହ୍ୟ ତାତି କାରଣରୁ ଡାଇରିଆ ଓ ବାନ୍ତି (ଅନ୍ୟ କୁପ୍ରଭାବ ବ୍ୟତୀତ) ହେଉଛି । ସେମାନଙ୍କ ପାଇଁ ଡାକ୍ତରଙ୍କ ପାଖକୁ ଯିବା ଖର୍ଚ୍ଚ ବଢ଼ିଯାଇଛି’’।

ଘରକୁ ଯିବା ଲାଗି ସୁଜନଗଡ଼ ବସ୍ ଧରିବା ପୂର୍ବରୁ ଭଗବାନ ଦେବୀ କହିଥିଲେ, “ଗରମରେ କାମ କରିବା କଷ୍ଟକର ହେଉଛି । ଆମେ ଅଣନିଃଶ୍ୱାସୀ ଓ ମୁଣ୍ଡ ଘୂରାଇବା ଭଳି ଅନୁଭବ କରୁଛୁ। ତେଣୁ ଆମେ କିଛି ସମୟ ଗଛ ଛାଇରେ ବସୁଛୁ, ଟିକେ ଲେମ୍ବୁ ପାଣି ପିଉଛୁ ଏବଂ ପୁଣିଥରେ କାମ କରିବାକୁ ଯାଉଛୁ ।”

ସହାୟତା ଓ ମାର୍ଗଦର୍ଶନ ପାଇଁ ଧନ୍ୟବାଦ : ଜୟପୁରର ନାରାୟଣ ବାରେଥ, ତାରାନଗରର ନିର୍ମଳ ପ୍ରଜାପତି ଏବଂ ଉମରାଓ ସିଂ, ସୁଜନଗଡ଼ର ଅମ୍ରିତା ଚୌଧରୀ ଏବଂ ଚୁରୁ ସହରର ଦଲିପ ସାରୱାଗ ।

ୟୁଏନଡିପିର ସହାୟତାକ୍ରମେ ଆରମ୍ଭ କରାଯାଇଥିବା ଏକ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପରୀ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଦେଶବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ କରାଯାଉଛି ଯେଉଁଥରେ ସାଧାରଣ ଲୋକଙ୍କ ଅନୁଭୂତି ଏବଂ ମତାମତ ଜାଣିବାର ପ୍ରୟାସ କରାଯାଉଛି ।

ଏହି ସ୍ତମ୍ଭକୁ ପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected]  ଏବଂ [email protected]  ଇ ମେଲ ଠିକଣାରେ ଯୋଗାଯୋଗ କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sharmila Joshi

ଲେଖକ ପରିଚୟ: ଶର୍ମିଲା ଜୋଶୀ ପରୀରେ ସମ୍ପାଦନା ମଣ୍ଡଳିର ମୁଖ୍ୟ। ଏହା ସହିତ ସେ ଜଣେ ଲେଖକ, ଗବେଷକ ଓ ଅତିଥି ଅଧ୍ୟାପକ।

Other stories by Sharmila Joshi