ସକାଳେ ତାଙ୍କ ସ୍ୱାମୀ କାମକୁ ଯିବା ପୂର୍ବରୁ  ୨୪ ବର୍ଷ ବୟସ୍କା ନେହା ତୋମାର (ତାଙ୍କ ପ୍ରକୃତ ନାମ ନୁହେଁ) ତାଙ୍କ ପାଦ ଛୁଇଁଲେ। ଏହା ଦୈନିକ ଘଟଣା ନଥିଲା, କିନ୍ତୁ ଯେତେବେଳେ ସେ କିଛି ଉଲ୍ଲେଖନୀୟ କାମ କରିବା ପାଇଁ ଘର ବାହାରକୁ ଯିବା ଆବଶ୍ୟକ କରନ୍ତି, ସେହିସବୁ ଦିନ ପାଇଁ ସଂରକ୍ଷିତ ଥିଲା। ଭେତୁଆ ବ୍ଲକ୍‌ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ର ପରିସର ମଧ୍ୟରେ ବସିଥିବା ନେହା କୁହନ୍ତି, ‘‘ଯେମିତିକି ମୁଁ ଯେତେବେଳେ ମୋ ବାପାମାଆଙ୍କ ଘରକୁ ଯାଏ’’।

ନେହା ଆମେଥି ତହସିଲରେ ଥିବା ଏହି ସିଏଚ୍‌ସିକୁ ତାଙ୍କ ଶାଶୂଙ୍କ ସହ ଆସିଛନ୍ତି, ଯିଏକି ନେହାଙ୍କ ଚତୁର୍ଥ ସନ୍ତାନ, ଏକ ୩ମାସର ଶିଶୁପୁତ୍ରକୁ ଧରିଛନ୍ତି ଯାହାର ନାମ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ। ସେମାନେ ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ଭେତୁଆ ଗ୍ରାମରୁ ଆସିଛନ୍ତି। ନେହା ଏବଂ କୃଷି ଶ୍ରମିକ ଭାବରେ କାମ କରୁଥିବା ତାଙ୍କ ସ୍ୱାମୀ ଆକାଶ (ତାଙ୍କ ପ୍ରକୃତ ନାମ ନୁହେଁ) ଶେଷରେ ସେମାନେ ଆଉ ଅଧିକ ସନ୍ତାନ ନ କରିବା ନିମନ୍ତେ ନିଷ୍ପତ୍ତି ନେଲେ। ଲଗାତାର ୪ଟି ସନ୍ତାନ ପରେ ଏହି ଦମ୍ପତ୍ତି ଗୋଟିଏ ବିକଳ୍ପ ପାଇଁ ହକଦାର, ଏହା ଉପରେ ଗୁରୁତ୍ୱ ଦେଇ ନେହା କହିଲେ, ‘‘ଇତ୍‌ନି ତୋ ହମାରି ମର୍ଜି ହୋନି ଚାହିଏ’’। ଏହି ସନ୍ତାନ ପୂର୍ବରୁ ତାଙ୍କର ୫ ଓ ୪ବର୍ଷ ବୟସର ଦୁଇଟି ଝିଅ ଏବଂ ଦେଢ଼ ବର୍ଷର ଗୋଟିଏ ପୁଅ ଅଛନ୍ତି। ଜେଜେମା’ଙ୍କ ବାହୁରେ ଶୋଇଥିବା ଶିଶୁପୁତ୍ରଟିକୁ ଦେଖାଇ ସେ କହିଥିଲେ, ‘‘ଏଥିପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ।’'

The camp approach to sterilisation gave way to 'fixed-day services' at CHCs
PHOTO • Anubha Bhonsle

ସିଏଚ୍‌ସିଗୁଡ଼ିକରେ ‘ସ୍ଥିର ଦିବସ ସେବା’ ବନ୍ଧ୍ୟାକରଣ ଶିବିର ଆଭିମୁଖ୍ୟ ପାଇଁ ରାସ୍ତା ଦେଖାଇଥିଲା

ତାଙ୍କର ଛଅ ବର୍ଷର ବିବାହ ମଧ୍ୟରେ କେବେ ବି ଗର୍ଭନିରୋଧ ବା ପିଲାମାନଙ୍କ ମଧ୍ୟରେ ବ୍ୟବଧାନ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିଲା। ସେ କୁହନ୍ତି, ‘‘ମୁଁ ଯେତେବେଳେ ବିବାହ କଲି ସେତେବେଳେ ମୋତେ କେହି କିଛି କହିନଥିଲେ, କେବଳ ଏତିକି ଯେ ମୋତେ ସ୍ୱାମୀ ଏବଂ ତାଙ୍କ ପରିବାର କଥା ଶୁଣିବାକୁ ହେବ’’। କେବଳ ପ୍ରଥମ ଦୁଇଟି ଗର୍ଭଧାରଣ ପରେ ସେ ଜାଣିବାକୁ ପାଇଲେ ଯେ ଯଦି ସେ ସେହି ବିପଦ ଦିନଗୁଡ଼ିକ (ଓଭ୍ୟୁଲେସନ ସମୟ)ରେ,ଋତୁସ୍ରାବ ଆରମ୍ଭ ହେବାର ଦୁଇ ସପ୍ତାହ ପର୍ଯ୍ୟନ୍ତ, ଶାରୀରିକ ସମ୍ପର୍କ ଏଡାଇଥାନ୍ତେ ତେବେ ସେ ଅନ୍ୟ ଏକ ଗର୍ଭଧାରଣର ସମ୍ଭାବନାକୁ ସର୍ବନିମ୍ନ କରିପାରିଥାନ୍ତେ। ନେହା କହିଲେ, ‘‘ମୁଁ ପେଟ ବ୍ୟଥା ହେଉଥିବାର ବାହାନା କରିପାରିଥାନ୍ତି କିମ୍ବା ରାତିର କାମ ଶେଷ କରିବାକୁ ଅଧିକ ସମୟ ନେଇଥାନ୍ତି, କିନ୍ତୁ ମୋ ଶାଶୂ ଖୁବ୍‌ ଶୀଘ୍ର ଜାଣିପାରିଲେ ମୁଁ କ’ଣ କରୁଛି’’।

ଗର୍ଭନିରୋଧର ପାରମ୍ପରିକ ପଦ୍ଧତି ଯେପରିକି ପ୍ରତ୍ୟାହାର, ସମୟ ଅନୁଯାୟୀ ସଂଯମତା ଏବଂ ଡିମ୍ବାଣୁ ସକ୍ରିୟତା ପ୍ରତି ସଚେତନତା କିମ୍ବା ନିରାପଦ-ସମୟ ଠାବ, ଆଦି ଯେମିତି ନେହା କରିଥିଲେ, ତାହା ଭାରତର ଅନ୍ୟାନ୍ୟ ଅଂଶ ଅପେକ୍ଷା ୟୁପିରେ ଅଧିକ ପ୍ରଚଳିତ ଥିଲା । ଜାତୀୟ ପଦ୍ଧତି ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍ଏଚ୍‌ଏସ୍‌-୪, ୨୦୧୫-୧୬)ରୁ ଉଦ୍ଧୃତ ତଥ୍ୟ ଅନୁଯାୟୀ ପ୍ରଜନନ ସ୍ୱାସ୍ଥ୍ୟ ଜର୍ଣ୍ଣାଲ୍‌ରେ ୨୦୧୯ ଗବେଷଣା ରିପୋର୍ଟରୁ ଜଣାଯାଇଛି ରାଜ୍ୟରେ ଥିବା ସମସ୍ତ ଗର୍ଭନିରୋଧର ଏହା ୨୨ ପ୍ରତିଶତ ଥିଲା, କିନ୍ତୁ ଜାତୀୟ ସ୍ତରରେ ଏହା ଥିଲା ୯ ପ୍ରତିଶତ । ବାସ୍ତବରେ, ୟୁପିରେ ବର୍ତ୍ତମାନ ବିବାହିତ ମହିଳାଙ୍କ ମଧ୍ୟରୁ ୫୦ ପ୍ରତିଶତ ପରିବାର ନିୟୋଜନର ଆଧୁନିକ ପଦ୍ଧତି ଯେପରିକି କଣ୍ଡୋମ, ବଟିକା ଏବଂ ବନ୍ଧ୍ୟାକରଣ ବ୍ୟବହାର କରନ୍ତି ; ସର୍ବେକ୍ଷଣ ଅନୁଯାୟୀ ଜାତୀୟ ସ୍ତରରେ ଏହାର ଉପଯୋଗ ହାରାହାରି ୭୨ ପ୍ରତିଶତ ।

କିନ୍ତୁ ଯେତେବେଳେ ଗୋଟିଏ ଦୁର୍ଘଟଣାରେ ଆକାଶଙ୍କର ଗୋଡ଼ ଭାଙ୍ଗିଲା, ସେ କାମ କରିବାକୁ ଏବଂ ରୋଜଗାର କରିବାକୁ ଅସମର୍ଥ ହେଲେ। ସେତେବେଳେ ନେହା ଗୋଟିଏ ‘ଅସ୍ତ୍ରୋପଚାର’ କରାଇବା ସମ୍ପର୍କରେ ତାଙ୍କ ସ୍ୱାମୀକୁ କହିବାକୁ ସାହାସ ଯୋଗାଡ଼ କରିପାରିଲେ। ଏହା ଏକ ମହିଳା ବନ୍ଧ୍ୟାକରଣ ପଦ୍ଧତି, ଯାହା ଜଣେ ମହିଳାଙ୍କ ଫେଲୋପିୟନ ଟ୍ୟୁବ୍‌କୁ ବନ୍ଦ କରି ତାଙ୍କୁ ଗର୍ଭବତୀ ହେବାରୁ ଅଟକାଇଥାଏ । ଡିମ୍ବ ପ୍ରଣାଳୀ ଅବରୋଧ କରିବା ନିମନ୍ତେ ଏକ ସର୍ବବ୍ୟାପୀ ଶବ୍ଦ। ତଥାପି ଏହାକୁ ଭରସା କରିପାରିନଥିବା ଶାଶୁ ନେହାଙ୍କ ସହିତ ଡାକ୍ତରଖାନା ଯାଇଥିଲେ, କିନ୍ତୁ ସେ ଆଶା ଛାଡ଼ି ନଥିଲେ। ସେ ନିଜକୁ ନିଜେ କିମ୍ବା ନେହା ଓ ସିଏଚ୍‌ସିଠାରେ ଏକତ୍ର ହୋଇଥିବା ନିକଟସ୍ଥ ଗ୍ରାମ ଯେମିତିକି ବନ୍ଦୋୟା, ନୌଗିରଓ୍ୱା, ସନାହା ଏବଂ ତିକ୍ରିରୁ ଆସିଥିବା ଅନ୍ୟ ୨୨ଜଣଙ୍କୁ କହୁଥିଲେ, ‘‘ଭଗବାନ ଔର ବଚୋଁ କେ ବିଚ୍‌ ମେ କଭି ନେଇ ଆନା ଚାହିଏ [କେହି ଭଗବାନଙ୍କ ଇଚ୍ଛା ଏବଂ ଗର୍ଭଧାରଣ ମଧ୍ୟରେ ଆସିବା ଉଚିତ ନୁହେଁ]’’।

ଏହା ନଭେମ୍ବର ମାସର ମାତ୍ର ସକାଳ ୧୦ଟା ହୋଇଥିଲା। ଅଧିକାଂଶ ମହିଳା ସକାଳ ୯ଟା ସୁଦ୍ଧା ପହଞ୍ଚି ଯାଇଥିଲେ। ଦିନ ଆଗକୁ ବଢ଼ିଲେ ଅଧିକ ଆସି ପାରନ୍ତି। ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ମହିଳା ନସବନ୍ଦୀ (ମହିଳା ବନ୍ଧ୍ୟାକରଣ) ଦିବସରେ ହାରାହାରି ୩୦-୪୦ଜଣ ଆସନ୍ତି। ସେମାନେ ଏହି ସମୟରେ ଅସ୍ତ୍ରୋପଚାର କରାଇବାକୁ ପସନ୍ଦ କରନ୍ତି। ଥଣ୍ଡା ଥିବାରୁ ସିଲେଇ ଶୀଘ୍ର ଶୁଖିଯାଏ। ଭେତୁଆ ସିଏଚ୍‌ସିର କାର୍ଯ୍ୟନିର୍ବାହୀ  ଚିକିତ୍ସା ଅଧିକାରୀ ଡକ୍ଟର ଅଭିମନ୍ୟୁ ବର୍ମା କୁହନ୍ତି, ‘‘ଟାଙ୍କେ ପକ୍‌ତେ ନେହି ହେଁ [ସଂକ୍ରମଣ ହେବାର କମ୍‌ ସମ୍ଭାବନା ଥାଏ]’’।

'About 30-40 come in on on mahila nasbandi day'
PHOTO • Anubha Bhonsle

'ପ୍ରାୟ ୩୦-୪୦ ଜଣ ମହିଳା ନସବନ୍ଦି ଦିନ ଆସିଥା’ନ୍ତି'

ନଭେମ୍ବର ୮,୨୦୧୪ ରେ ଛତିଶଗଡର ବିଳାସପୁର ଜିଲ୍ଲାର ତାଖତପୁର ବ୍ଲକରେ ଦୁଃଖଦ ଘଟଣା ପରେ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା 'ଶିବିର' ଆଭିମୁଖ୍ୟ ପ୍ରତି ବ୍ୟାପକ ଅସନ୍ତୋଷ ଦେଖାଦେଇଥିଲା। ଏହି ଶିବିରରେ ୧୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ

ନଭେମ୍ବର ୮,୨୦୧୪ ରେ ଛତିଶଗଡର ବିଳାସପୁର ଜିଲ୍ଲାର ତାଖତପୁର ବ୍ଲକରେ ଦୁଃଖଦ ଘଟଣା ପରେ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା 'ଶିବିର' ଆଭିମୁଖ୍ୟ ପ୍ରତି ବ୍ୟାପକ ଅସନ୍ତୋଷ ଦେଖାଦେଇଥିଲା। ଏହି ଶିବିରରେ ଜିଲ୍ଲା ଡାକ୍ତରଖାନାରୁ ଜଣେ ସର୍ଜନ ଏକ ପରିତ୍ୟକ୍ତ, ଅବିଶୋଧିତ ଅଟ୍ଟାଳିକାରେ ୯୦ ମିନିଟ୍‌ ମଧ୍ୟରେ ୮୩ ଟି ଆସେମ୍ବ୍ଲି– ଲାଇନ୍‌ ଟ୍ୟୁବେକ୍ଟୋମି  କରିବା ପରେ ୧୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସର୍ଜନ ଜଣକ ଗୋଟିଏ ଲାପାରୋସ୍କୋପ୍ ବ୍ୟବହାର କରିଥିଲେ ଏବଂ ସଂକ୍ରମଣନିରୋଧ ପାଇଁ କୌଣସି ସତର୍କତା ଗ୍ରହଣ କରି ନଥିଲେ ।

ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇ ନଥିବା ଏହା ପ୍ରଥମ ଗଣ ଅସ୍ତ୍ରୋପଚାର ଶିବିର ନୁହେଁ। ଜାନୁଆରୀ ୭, ୨୦୧୨ରେ, ବିହାରର ଆରାରିଆ ଜିଲ୍ଲାର କୁର୍ସାକାଣ୍ଟା ବ୍ଲକର କାପାରଫୋରା ପଡ଼ାରେ ୫୩ ଜଣ ମହିଳାଙ୍କର ଏକ ବିଦ୍ୟାଳୟ ଭବନରେ ବନ୍ଧ୍ୟାକରଣ କରାଯାଇଥିଲା - ଟର୍ଚ୍ଚ ଲାଇଟ୍ ଏବଂ ସମାନ ଅପରିଷ୍କାର ଅବସ୍ଥାରେ ।

ଆରାରିଆ ଘଟଣା ପରେ ସ୍ୱାସ୍ଥ୍ୟ ଅଧିକାର କର୍ମୀ ଦେବିକା ବିଶ୍ୱାସଙ୍କ ଦ୍ୱାରା ୨୦୧୨ ରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା, ସେପ୍ଟେମ୍ବର ୧୪,୨୦୧୬ ରେ ଶେଷ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତିନି ବର୍ଷ ମଧ୍ୟରେ ଶିବିର ଆଧାରିତ ସମସ୍ତ ଗଣ ବନ୍ଧ୍ୟାକରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହା ପରିବର୍ତ୍ତେ ସ୍ୱାସ୍ଥ୍ୟ ସୁବିଧାକୁ ମଜବୁତ କରିବା ଏବଂ ପରିବାର ଯୋଜନା କାର୍ଯ୍ୟକ୍ରମ ଅଧୀନରେ ସେବାଗୁଡିକର ଅଭିଗମ୍ୟତାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ୟୁପି, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟରୁ ବନ୍ଧ୍ୟାକରଣ ଶିବିର ସମୟରେ ନିମ୍ନମାନର ସେବାର ପ୍ରମାଣ ପ୍ରକାଶ ପାଇଥିଲା।

ଏହା ପରେ, ବନ୍ଧ୍ୟାକରଣ ନିମନ୍ତେ ଶିବିର ଆଭିମୁଖ୍ୟ  'ସ୍ଥିର-ଦିବସ ସେବା' ପାଇଁ ରାସ୍ତା ଉନ୍ମୁକ୍ତ କରିଥିଲା, ଯାହାର ଅର୍ଥ ହେଉଛି କୌଣସି ମହିଳା ଏବଂ ପୁରୁଷ ବନ୍ଧ୍ୟାକରଣ କରିବାକୁ ଚାହାଁନ୍ତି ତେବେ ସେମାନେ ମାସର ଏକ ନିର୍ଦ୍ଦିଷ୍ଟ ଦିନ ଏକ ବିଶେଷ ସିଏଚ୍‌ସିକୁ ଆସିପାରନ୍ତି । ଆଶା ଥିଲା ଯେ ଏହି ବ୍ୟବସ୍ଥା ଉନ୍ନତ ନିରୀକ୍ଷଣ ଏବଂ ପରିସ୍ଥିତିର ନିୟନ୍ତ୍ରଣକୁ ଅନୁମତି ଦେବ । ନିର୍ଦ୍ଦିଷ୍ଟ ଦିନଟି ଏକ ବ୍ୟାପକ ନସବନ୍ଦି ଦିନ ହେବାର ଥିଲା, ପୁରୁଷମାନେ କ୍ୱଚିତ୍ ଭାସେକ୍ଟୋମି ପାଇଁ ଆସୁଥିଲେ, ଏବଂ ଏହା ଦ୍ୱାରା ଅନୌପଚାରିକ ଭାବରେ ଏହି ଦିନଟି ମହିଳା ନସବନ୍ଦି ଦିନ ଭାବରେ ଜଣାଶୁଣା ହେଲା ।

ଏବଂ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ, ବନ୍ଧ୍ୟାକରଣରେ ଗର୍ଭନିରୋଧ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି - ମୁଖ୍ୟତ ମହିଳା ବନ୍ଧ୍ୟାକରଣ ଉପରେ |

Medical supplies on a table in a CHC waiting room. The operating room had been prepared and was ready since earlier that morning
PHOTO • Anubha Bhonsle

କ ସିଏଚ୍‌ସି ପ୍ରତୀକ୍ଷା କକ୍ଷରେ ଏକ ଟେବୁଲ ଉପରେ ଚିକିତ୍ସା ସାମଗ୍ରୀ । ସେହି ଦିନ ସକାଳୁ ଅସ୍ତ୍ରୋପଚାର କୋଠରୀ ପ୍ରସ୍ତୁତ ହୋଇସାରିଥିଲା

ଜାତୀୟ ସ୍ୱାସ୍ଥ୍ୟ ମିଶନର ୨୦୧୭ ୧୧ତମ ସାଧାରଣ ସମୀକ୍ଷା ଅଭିଯାନ ରିପୋର୍ଟରେ ଦର୍ଶାଯାଇଛି ଯେ ସମଗ୍ର ଭାରତରେ କରାଯାଇଥିବା ବନ୍ଧ୍ୟାକରଣ ପଦ୍ଧତି ମଧ୍ୟରୁ ୯୩.୧ ପ୍ରତିଶତ ମହିଳାଙ୍କ ଉପରେ କରାଯାଇଥିଲା। ଏପରିକି ୨୦୧୬-୧୭ରେ, ଭାରତ ଏହାର ପରିବାର ନିୟୋଜନ ପାଣ୍ଠିରୁ ମହିଳା ବନ୍ଧ୍ୟାକରଣରେ ୮୫ ପ୍ରତିଶତ ଖର୍ଚ୍ଚ କରିଛି। ଏବଂ ଯଦିଓ ୟୁପିରେ ଏହି ପଦ୍ଧତିର ବ୍ୟବହାର ହ୍ରାସ ପାଇଥିଲା, (୧୯୯୮-୯୯ ତୁଳନାରେ), ତଥାପି ଏହା ପ୍ରାଥମିକ ପଦ୍ଧତି ହୋଇ ରହିଥିଲା, ଉଚ୍ଚ ପ୍ରଜନନ ହାର ଥିବା ଜିଲ୍ଲାଗୁଡ଼ିକରେ ୩୩ ପ୍ରତିଶତ ଗର୍ଭନିରୋଧକ ବ୍ୟବହାରକାରୀ ଏବଂ ନିମ୍ନ ପ୍ରଜନନ ହାର ଥିବା ଜିଲ୍ଲାରେ ୪୧ ପ୍ରତିଶତ ବ୍ୟବହାରକାରୀ ମହିଳା ନସବନ୍ଦି ପସନ୍ଦ କରନ୍ତି ବୋଲି  ପ୍ରଜନନ ସ୍ୱାସ୍ଥ୍ୟରେ ୨୦୧୯ ଗବେଷଣା ପତ୍ର ସୂଚିତ କରିଛି।

ସୁଲତାନପୁର ଜିଲ୍ଲାରେ, ବନ୍ଧ୍ୟାକରଣ ପ୍ରକ୍ରିୟା ପରିଚାଳନା କରିବାର ସମ୍ପୂର୍ଣ୍ଣ ଭାର ଦୁଇରୁ ତିନି ଜଣ ଡାକ୍ତରଙ୍କ ଉପରେ ପଡିଥିଲା। ସେମାନେ ତହସିଲ କିମ୍ବା ଜିଲ୍ଲାସ୍ତରରେ ପରିବାର ନିୟୋଜନ ସଂଯୋଜକଙ୍କ ଦ୍ୱାରା ପ୍ରସ୍ତୁତ ଏକ ରୋଷ୍ଟର ଅନୁଯାୟୀ କାମ  କରିବେ ଏବଂ ୧୨ ରୁ ୧୫ ବ୍ଲକରେ ଥିବା ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରିବେ। ପ୍ରତ୍ୟେକ ସିଏଚ୍‌ସି ମାସରେ ମୋଟାମୋଟି ଥରେ ନସବନ୍ଦୀ ଦିନ ରଖିବାକୁ ସକ୍ଷମ ହେବେ । ଯେଉଁଠାରେ ପୁରୁଷ ଏବଂ ମହିଳା ଏହି ପ୍ରକ୍ରିୟା ଦେଇ ଯାଇପାରିବେ।

ଭେତୁଆ ସିଏଚ୍‌ସିରେ ଏମିତି ଏକ ଦିନରେ ଏହା ସ୍ପଷ୍ଟ ହୋଇଥିଲା ଯେ ମହିଳାଙ୍କ ବନ୍ଧ୍ୟାକରଣ ପାଇଁ ନିର୍ଦ୍ଧାରିତ ସୀମିତ ଦିନ ଏହି ପଦ୍ଧତିର ଚାହିଦା ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ। ଅପରାହ୍ନ ୪ଟା ବେଳକୁ, ଯେତେବେଳେ ରୋଷ୍ଟରରେ ଥିବା ସର୍ଜନ ଶେଷରେ ପହଞ୍ଚିଥିଲେ, ସେ ଯୋଗ ଦେବାକୁ ଥିବା ଏକ ସରକାରୀ ସ୍ୱାସ୍ଥ୍ୟମେଳାରେ ଅଟକି ଯାଇଥିଲେ, ସେତେବେଳକୁ ରୋଗୀ ସଂଖ୍ୟା ୩୦ରେ ପହଞ୍ଚି ଯାଇଥିଲା।  ଦୁଇଜଣ ମହିଳାଙ୍କୁ ପ୍ରାରମ୍ଭିକ ଯାଞ୍ଚ ପରେ ଫେରିଯିବାକୁ କୁହାଯାଇଥିଲା କାରଣ ସେମାନେ ଗର୍ଭବତୀ ଥିବା ଜଣାପଡ଼ିଥିଲା।

ସାରା ଅପରାହ୍ନ ବିଲ୍ଡିଂର ଅପର ପ୍ରାନ୍ତରେ ଥିବା ଏକ କୋଠରୀ, ଏକ ଅପରେସନ୍ ଥିଏଟର ପ୍ରସ୍ତୁତ ହୋଇ ରହିଥିଲା। ଏକ ବଡ଼ ଝରକାରେ ଥିବା ପତଳା ପରଦା ଦେଇ ସୂର୍ଯ୍ୟ ଭିତରକୁ ଆସୁଥିଲେ, କିନ୍ତୁ ଥଣ୍ଡା ଅନୁଭୂତ ହେଉଥିଲା। କୋଠରୀର ମଝିରେ ତିନୋଟି 'ଅସ୍ତ୍ରୋପଚାର ଟେବୁଲ୍' ଧାଡ଼ି କରି ରଖାଯାଇଥିଲା।  ଅସ୍ତ୍ରୋପଚାର ସମୟରେ ସର୍ଜନମାନଙ୍କ କାମକୁ ସହଜ କରିବା ପାଇଁ ଗୋଟିଏ ପାର୍ଶ୍ୱରେ ଇଟା ସାହାଯ୍ୟରେ ଟେବୁଲର ଗୋଟିଏ ଅଂଶ ଉଚ୍ଚା କରାଯାଇଥିଲା।

An 'operation theatre' at a CHC where the sterilisation procedures will take place, with 'operating tables' tilted at an angle with the support of bricks to help surgeons get easier access during surgery
PHOTO • Anubha Bhonsle

ଏକ ସିଏଚ୍‌ସିରେ ଏକ 'ଅପରେସନ୍ ଥିଏଟର' ଯେଉଁଠାରେ ବନ୍ଧ୍ୟାକରଣ ପଦ୍ଧତି କାର୍ଯ୍ୟକାରି ହେବ, ଯେଉଁଠାରେ 'ଅସ୍ତ୍ରୋପଚାର ଟେବୁଲ୍' ଇଟା ସାହାଯ୍ୟରେ ଏକ କୋଣରେ ଅଣେଇ ହୋଇ ରହିଛି, ଅସ୍ତ୍ରୋପଚାର ସମୟରେ ସର୍ଜନମାନଙ୍କ କାମକୁ ସହଜ କରିବାରେ ସାହାଯ୍ୟ କରିବା ପାଇଁ

“ଡାକ୍ତରୀ ବିଦ୍ୟାଳୟରେ ଆମେ ଟ୍ରେଣ୍ଡେଲେନବର୍ଗ ସୁବିଧା ଥିବା ଅସ୍ତ୍ରୋପଚାର ଟେବୁଲ ବିଷୟରେ ଶିଖିଥିଲୁ | ସେଗୁଡିକ ଅଣେଇ ହୋଇପାରେ। ମୁଁ ଏଠାରେ ମୋର ପାଞ୍ଚ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଏହା ଦେଖିବାକୁ ପାଇନାହିଁ, ତେଣୁ ଆମେ ଏହା କରୁଛୁ’’ ବୋଲି ଡକ୍ଟର ରାହୁଲ ଗୋସ୍ୱାମୀ (ତାଙ୍କର ପ୍ରକୃତ ନାମ ନୁହେଁ) ଇଟାକୁ ଦେଖାଇ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ‘‘ଅସ୍ତ୍ରୋପଚାର ସମୟରେ ଭୁଲ ସ୍ଥିତିରୁ ମଧ୍ୟ ଜଟିଳତା ସୃଷ୍ଟି ହେବା ଦେଖାଦେଇପାରେ।’’

ଅସ୍ତ୍ରୋପଚାର ପାଇଁ କୋଠରୀକୁ ଅଣାଯାଇଥିବା ପ୍ରଥମ ତିନିଜଣ ମହିଳାଙ୍କ ମଧ୍ୟରେ ନେହା ଥିଲେ। ତାଙ୍କ ଶାଶୁଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହି ତିନିଜଣ ମହିଳାଙ୍କ ମଧ୍ୟରୁ କେହି ମଧ୍ୟ ଗର୍ଭନିରୋଧର କୌଣସି ଆଧୁନିକ ପଦ୍ଧତି କେବେ ବ୍ୟବହାର କରିନଥିଲେ। ନେହା ଅନ୍ତତଃ ପକ୍ଷେ ସେଗୁଡ଼ିକ ସମ୍ପର୍କରେ ଅବଗତ ଥିଲେ, କିନ୍ତୁ ସେଗୁଡିକ ବ୍ୟବହାର କରିବାକୁ ସାହାସ କରିନଥିଲେ। ସେ ଇଣ୍ଟ୍ରାୟୁଟେରାଇନ୍ ଡିଭାଇସ୍ (ଆଇୟୁଡି) ପ୍ରତି ସୂଚିତ କରି କହିଥିଲେ, “ମୁଁ ସେଗୁଡ଼ିକ ବିଷୟରେ ଜାଣେ, କିନ୍ତୁ ବଟିକା ବାନ୍ତି ଲାଗେ ଏବଂ କପର-ଟି ପ୍ରତି ଭୟ ଲାଗେ। ଏହା ଏକ ଲମ୍ବା ବାଡ଼ି ।’’

ଅନ୍ୟ ଦୁଇଜଣ ମହିଳାଙ୍କୁ ନେଇ ଆସିଥିବା ଅଧିସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା), ଦୀପଲତା ଯାଦବ ଏଥିପ୍ରତି ସ୍ମିତହାସ୍ୟ ପ୍ରକାଶ କରିଥିଲେ। ଯାଦବ କହିଲେ “ଯେତେବେଳେ ତୁମେ ସେମାନଙ୍କୁ କପର ଆଇୟୁଡି ବିଷୟରେ କହିବ, ସେମାନଙ୍କଠାରୁ ଏହା ଶୁଣିବା ସବୁଠାରୁ ସାଧାରଣ କଥା। ଯଦିଓ ଭିତରର ଉପକରଣ ଏତେ ଛୋଟ ଏବଂ ଟି ଆକୃତିର, ପ୍ୟାକେଜିଂ ଲମ୍ବା, ତେଣୁ ସେମାନେ ଭାବନ୍ତି ସମ୍ପୂର୍ଣ୍ଣ ଜିନିଷ ଭର୍ତ୍ତି କରାଯିବ।’’ ଏଠାରେ ତାଙ୍କର ଗୋଟିଏ ଦିନର କାମ ଶେଷ ହୋଇଯାଇଛି ଏବଂ ଏହି ପଦ୍ଧତି ପାଇଁ ସେ ଆଣିଥିବା ପ୍ରତ୍ୟେକ ମହିଳାଙ୍କ ନିମନ୍ତେ ତାଙ୍କୁ ଟ ୨୦୦ ପ୍ରୋତ୍ସାହନ ରାଶି ମିଳିବ। କିନ୍ତୁ ଯାଦବ ଅଧିକ ସମୟ ରହିଲେ, ସେ ଦୁଇ ମହିଳାଙ୍କୁ ଶଯ୍ୟା ଉପରକୁ ଚଢ଼ିବା ପାଇଁ ଏବଂ ନିଶ୍ଚେତକର ପ୍ରଭାବ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ |

ଥରେ ଅସ୍ତ୍ରୋପଚାର ଟେବୁଲକୁ ଯିବା ପରେ ଆପଣ ଜଣେ ମହିଳାଙ୍କୁ ଅନ୍ୟ ଜଣେ ମହିଳାଙ୍କଠାରୁ ଭିନ୍ନ କହିପାରିବେ ନାହିଁ। ଡାକ୍ତର ଗୋଟିଏ ଟେବୁଲରୁ ଅନ୍ୟ ଟେବୁଲକୁ ଯିବା ସମୟରେ ସେମାନଙ୍କର ମୁଣ୍ଡ ଭୟ ଏବଂ ବ୍ୟସ୍ତତାରେ ବୁଲାଉଥିଲା। ଏହି ପଦ୍ଧତି ସେମାନଙ୍କୁ ଅତ୍ୟନ୍ତ ଏକାନ୍ତ ଅବସ୍ଥାରେ ଗୋଟିଏ କୋଠରୀରେ ରହିବାକୁ ବାଧ୍ୟ କରିଥିଲା। କିନ୍ତୁ ଏ ବିଷୟରେ ଚିନ୍ତା କରିବା ପାଇଁ କୌଣସି ସମୟ ନଥିଲା। ଅସ୍ତ୍ରୋପଚାର କୋଠରୀର ଦ୍ୱାର ଏହି ପଦ୍ଧତି ଚାଲିଥିବା ସମୟରେ ମଧ୍ୟ ଅନେକ ଥର ଖୋଲା ଏବଂ ବନ୍ଦ ହେଉଥିଲା। ଯାହାକି ମହିଳାମାନଙ୍କୁ କୌଣସି ଏକାନ୍ତତା ପ୍ରଦାନ କରିପାରୁନଥିଲା।

କୋଠରୀରେ କେବଳ ତାଙ୍କର ନିଶ୍ୱାସର ଶବ୍ଦ ଓ ଉପକରଣର ଠନ୍ ଠନ୍ ଶବ୍ଦ ଶୁଭୁଥିଲା। ଜଣେ ସହାୟକ ସେମାନଙ୍କର ସ୍ଥିତି ଯାଞ୍ଚ କଲେ ଏବଂ ସେମାନଙ୍କର ଶାଢ଼ୀଗୁଡ଼ିକ ସଜାଡ଼ିଲେ ଯେପରିକି ଡାକ୍ତର ଜଣକ ଠିକ୍ ଭାବରେ ଦେଖି ଅସ୍ତ୍ରୋପଚାର କରିପାରିବେ।

The women who have undergone the procedure rest here for 60 to 90 minutes before an ambulance drops them to their homes
PHOTO • Anubha Bhonsle

ଏହି ପଦ୍ଧତି ଦେଇ ଯାଉଥିବା ମହିଳାମାନେ ଗୋଟିଏ ଆମ୍ବୁଲାନ୍ସ ସେମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପୂର୍ବରୁ ଏଠାରେ ୬୦ରୁ ୯୦ ମିନିଟ୍‌ ବିଶ୍ରାମ ନିଅନ୍ତି

ଗୋସ୍ୱାମୀ କୁହନ୍ତି, ‘‘ବନ୍ଧ୍ୟାକରଣ ପ୍ରକ୍ରିୟାର ସମସ୍ତ ତିନୋଟିଯାକ ପର୍ଯ୍ୟାୟ, ପ୍ରଥମେ ତ୍ୱଚାକୁ କାଟିବା, ଏହାକୁ ବନ୍ଦ କରିବା ଏବଂ ଫେଲୋପିଆନ ଟ୍ୟୁବ୍‌ ବା ଡିମ୍ବବାହିକାରେ ଲାପାରୋସ୍କୋପିକ୍‌ ଉପକରଣରେ କାମ କରିବା ଆଦି ପାଇଁ ଉପଯୁକ୍ତ ଆଲୋକୀକରଣ ଆବଶ୍ୟକ ହୋଇଥାଏ।’’ ଉଜ୍ଜ୍ୱଳ ଅପରାହ୍ନର ଆଲୋକ ସ୍ତିମିତ ହୋଇ ଗୋଧୂଳି ସମୟ ଆସୁଥିଲା। କୋଠରୀରେ ଥିବା ଆଲୋକ ଅପର୍ଯ୍ୟାପ୍ତ ମନେ ହେଉଥିଲା, କିନ୍ତୁ କେହି ରଖାଯାଇଥିବା ଏକ ଏମର୍ଜେନ୍ସି ଲାଇଟ୍‌ର ସୁଇଚ ଦେଇନଥିଲେ।

ପାଞ୍ଚ ମିନିଟରୁ କମ୍ ସମୟ ମଧ୍ୟରେ ଗୋଟିଏ ପଦ୍ଧତି ଶେଷ ହେଲା ଏବଂ ଡାକ୍ତର ପରବର୍ତ୍ତୀ ଟେବୁଲକୁ ଚାଲିଗଲେ। ସହାୟକ ଏବଂ ଆଶା କର୍ମୀଙ୍କୁ ମହିଳା ଜଣଙ୍କୁ ଟେବୁଲରୁ ଓହ୍ଲାଇବାରେ ସାହାଯ୍ୟ କରିବା ପାଇଁ ଏବଂ ପରବର୍ତ୍ତୀ ଗୋଷ୍ଠୀକୁ ପ୍ରସ୍ତୁତ କରିବା ପାଇଁ ସେ ସଂକେତ ଦେଇ କହିଲେ “ହୋ ଗୟା, ସରିଗଲା!”।

ଏକ ସଂଲଗ୍ନ କୋଠରୀରେ ଗଦି ବିଛା ଯାଇଥିଲା। ହଳଦିଆ କାନ୍ଥରେ ପାଣି ଜକେଇବା ଏବଂ ଶିଉଳିର ଦାଗ ଥିଲା। ପାଖରେ ଥିବା ଶୌଚାଳୟରୁ ଏକ ଉତ୍କଟ ଗନ୍ଧ ବାହାରିଲା। ପ୍ରକ୍ରିୟାଟି ଶେଷ ହେବା ପରେ ଏବଂ ଆମ୍ବୁଲାନ୍ସ ତାଙ୍କୁ ଏବଂ ଅନ୍ୟମାନଙ୍କୁ ଘରେ ଛାଡ଼ିବା ପୂର୍ବରୁ  ନେହାଙ୍କୁ ଶୋଇବାକୁ ଏବଂ ଆରୋଗ୍ୟ ଲାଭ କରିବା ପାଇଁ ଭିତରକୁ ଅଣାଗଲା । ଅଧ ଘଣ୍ଟା ପରେ ସେ ଆମ୍ବୁଲାନ୍ସ ଉପରକୁ ଚଢ଼ିବା ସମୟରେ ମଧ୍ୟ ବିବ୍ରତ ଥିଲେ। ଏହା ହେବାର ଗୋଟିଏ କାରଣ ଥିଲା ସବୁକିଛି ଏତେ ଶୀଘ୍ର ହେଲା ଏବଂ ଅନ୍ୟ କାରଣ ଥିଲା ଯେ ତାଙ୍କୁ ସମ୍ପୂର୍ଣ୍ଣ ନିଶ୍ଚେତକ ଦିଆଯାଇନଥିଲା।

ଯେତେବେଳେ ତାଙ୍କ ଶାଶୁ ତାଙ୍କୁ ଧରି ଘରେ ପହଞ୍ଚିଲେ, ଆକାଶ ସେମାନଙ୍କୁ ଅପେକ୍ଷା କରିଥିଲେ। ଶାଶୁ ପ୍ରତିକ୍ରିୟା ପ୍ରକାଶ କରି କହିଲେ, “ପୁରୁଷମାନେ ଆଶା କରନ୍ତି ଯେ ସେମାନଙ୍କର ମା, ସେମାନଙ୍କ ପତ୍ନୀ, ସେମାନଙ୍କର ପିଲାମାନେ, ସେମାନଙ୍କର କୁକୁର, ସେମାନେ ଯେତେବେଳେ ଘରେ ପହଞ୍ଚିବେ, ସେତେବେଳେ ଅପେକ୍ଷା କରିଥିବେ, ଓଲଟା ଦିଗରୁ ନୁହେଁ।’’ ଏବଂ ସେ ନେହାଙ୍କ ପାଇଁ କିଛି ଚା’ କରିବାକୁ ସିଧା ଘରର ଏକ ଛୋଟ କୋଣକୁ ଚାଲିଗଲେ ଯାହା ରୋଷେଇ ଘର ଥିଲା |

ତାଙ୍କ ପେଟରେ ଚିରା ଯାଇଥିବା ସ୍ଥାନକୁ ଘୋଡ଼େଇ ରଖିଥିବା ଏକ ବର୍ଗାକାର ବ୍ୟାଣ୍ଡେଜ୍‌କୁ ଧରି ସେ କହିଲେ, ‘‘ଇଞ୍ଜେକ୍ସନ ନେବା ପରେ ମଧ୍ୟ ଯନ୍ତ୍ରଣା ହେଉଛି।’’

ଦୁଇ ଦିନ ପରେ, ନେହା ରୋଷେଇ ଘରକୁ ଫେରିଲେ, ତଳେ ବସି ରୋଷେଇ କରୁଥିଲେ। ବ୍ୟାଣ୍ଡେଜଟି ଏବେ ବି ସେଠାରେ ଥିଲା, ମୁହଁରେ ଅସ୍ୱସ୍ତି ସ୍ପଷ୍ଟ ହେଉଥିଲା ଏବଂ ସିଲେଇଗୁଡ଼ିକ ଏପର୍ଯ୍ୟନ୍ତ ଉପଶମ ହେବା ବାକିଥିଲା । ସେ କହିଲେ, “ପର୍ ଝଞ୍ଜଟ ଖତମ୍ [ସମସ୍ୟାର ସମାଧାନ ହୋଇଗଲା]।’’

ପ୍ରଚ୍ଛଦ ଚିତ୍ର: ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନୂତନ ଗଣମାଧ୍ୟମ କଳାକାର, ଯିଏକି ନୂତନ ଅର୍ଥ ଏବଂ ଅଭିବ୍ୟକ୍ତିର ନୂତନ ସୂରୁପ ଆବିଷ୍କାର ପାଇଁ ଟେକ୍ନୋଲୋଜି ସହ ପରୀକ୍ଷାନିରୀକ୍ଷା କରୁଛନ୍ତି । ସେ ଶିଖିବା ଏବଂ ଖେଳିବା ପାଇଁ ଅଭିଜ୍ଞତା ପ୍ରସ୍ତୁତ କରନ୍ତି ଡିଜାଇନ୍ କରନ୍ତି, ସମ୍ବାଦତ୍ମକ ମାଧ୍ୟମ ମଧ୍ୟରେ କାର୍ଯ୍ୟ କରନ୍ତି ଏବଂ ପାରମ୍ପରିକ କାଗଜ ଓ କଲମ ସହ ମଧ୍ୟ ସହଜ ମଧ୍ୟ ଅନୁଭବ କରନ୍ତି।

ସାଧାରଣ ଲୋକଙ୍କ ସ୍ୱର ଏବଂ ଜୀବନ୍ତ ଅଭିଜ୍ଞତା ଜରିଆରେ ପପୁଲେସନ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ-ସମର୍ଥିତ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ଗ୍ରାମାଞ୍ଚଳର କିଶୋରୀ ଏବଂ କମ୍‌ ବୟସର ମହିଳା, ଏହା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ନାମମାତ୍ର ଗୋଷ୍ଠୀର ପରିସ୍ଥିତି ଅନ୍ୱେଷଣ କରିବାର ଉପକ୍ରମ ଉପରେ ରିପୋର୍ଟିଂ ପ୍ରୋଜେକ୍ଟର ଏକ ଅଂଶ।

ଏହି ପ୍ରବନ୍ଧଟିକୁ ପୁନଃ ପ୍ରକାଶ କରିବାକୁ ଚାହୁଁଛନ୍ତି? ଦୟାକରି [email protected] କୁ ଏକ ସିସି ସହ [email protected] କୁ ଲେଖନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Anubha Bhonsle is a 2015 PARI fellow, an independent journalist, an ICFJ Knight Fellow, and the author of “Mother, Where’s My Country?', a book about the troubled history of Manipur and the impact of the Armed Forces Special Powers Act.

Other stories by Anubha Bhonsle