ରାତି ୧୦:୩୦ ବେଳକୁ ଚିକନପଦାରେ ଜାଗରଣ ଆରମ୍ଭ ହୋଇଗଲା । ପଲ୍ଲୀ ଗାଁଟିର ଅନ୍ୟମାନେ ଶୋଇଥିବା ବେଳେ ସନଦ ପରିବାରରେ ଗୀତ ଓ ମନ୍ତ୍ର ଗୁଞ୍ଜରି ଉଠିଲା ।

ପ୍ଲାଷ୍ଟିକ୍‌ ବସ୍ତାରେ ତିଆରି ଏକ ଆସନ ଉପରେ ବସିଥିଲେ କାଲୁ ଜଙ୍ଗଲି । ଏହି ପୂଜା ଅନୁଷ୍ଠାନ କରିବା ଲାଗି ପଡ଼ୋଶୀ ପାଙ୍ଗରି ପଲ୍ଲୀରୁ ସେ ଆସିଥିଲେ । ଇଟା ଓ କାଦୁଅରେ ଗଢ଼ା ସାମନା ପଟ କୋଠରିରେ, ଚଟାଣରେ କିମ୍ବା ପ୍ଲାଷ୍ଟିକ୍‌ ଚଉକିରେ ବସିଥିଲେ କା ଠାକୁର ଆଦିବାସୀ ସଂପ୍ରଦାୟର ବହୁ ଅତିଥି । ସେମାନେ ଜାଗରଣରେ ଭାଗ ନେବାକୁ ଆସିଥିଲେ, ଯାହା କି ଭକ୍ତି ଗୀତ ଗାଇ ବାଣୀ ଦେବୀଙ୍କ ଉଦ୍ଦେଶ୍ୟରେ ସାରା ରାତି ପ୍ରାର୍ଥନା କରିବାର ଏକ କାର୍ଯ୍ୟକ୍ରମ।

ପୂଜାରେ ପୌରୋହିତ୍ୟ କରୁଥିଲେ ୫୦ ବର୍ଷ ବୟସ୍କ କାଲୁ। ପୂଜା ପାଇଁ କୋଠରି ମଝିରେ ଥିବା ସାମଗ୍ରୀ ଭିତରେ ଥିଲା ଚାଉଳ, ତମ୍ବା ପାତ୍ର ଉପରେ ନାଲି କନା (ସ୍ଥାନୀୟ ଭାଷାରେ ଅର୍‌ମାଲ) ଢଙ୍କା ହୋଇଥିବା ଏକ ନଡ଼ିଆ ଏବଂ କେତେକ ଧୂପକାଠି।

କାଲୁଙ୍କ ସହ ଆସିଥିବା ଚିକନପଦାର ଜଣେ ପାରମ୍ପରିକ ଚିକିତ୍ସକ ବା ଭଗତ, ଜୈତ୍ୟ ଦୀଘା କହନ୍ତି, “ରୋଗୀ ଶରୀରରେଭଗତଙ୍କ ଔଷଧ କାମ କରିବା ଆରମ୍ଭ କଲେ ଖରାପ ନଜରକୁ ଦୂରେଇ ରଖିବା ପାଇଁ ଶେଷ ପର୍ଯ୍ୟାୟରେ ଏହି ପୂଜା ଅନୁଷ୍ଠାନ କରାଯାଏ ।”

Kalu Jangali (left, in a white vest)  had confirmed the diagnosis – Nirmala (centre) had jaundice. But, he said, 'She was also heavily under the spell of an external entity', which he was warding off along with fellow bhagat Jaitya Digha during the jagran ceremony in Chikanpada hamlet
PHOTO • Shraddha Ghatge
Kalu Jangali (left, in a white vest)  had confirmed the diagnosis – Nirmala (centre) had jaundice. But, he said, 'She was also heavily under the spell of an external entity', which he was warding off along with fellow bhagat Jaitya Digha during the jagran ceremony in Chikanpada hamlet
PHOTO • Shraddha Ghatge

କାଲୁ ଜଙ୍ଗଲି (ବାମରେ ଧଳା ଗଞ୍ଜି ପିନ୍ଧିଥିବା) ରୋଗ ଚିହ୍ନଟ କରିସାରିଛନ୍ତି- ନିର୍ମଳା (କେନ୍ଦ୍ର) କାମଳ ରୋଗରେ ପୀଡ଼ିତା । କିନ୍ତୁ, ସେ କହିଲେ, ‘ତାଙ୍କ ଉପରେ ଏକ ବାହ୍ୟ ଶକ୍ତିର ଗଭୀର ପ୍ରଭାବ ପଡ଼ିଛି’, ଯାହାକୁ ସେ ଓ ତାଙ୍କ ସାଥୀ  ଭଗତ ଜୈତ୍ୟ ଦୀଘା ଚିକନପଦା ପଲ୍ଲୀରେ ଜାଗରଣ ଅନୁଷ୍ଠାନ କରି ଦୂରେଇ ଦେଉଛନ୍ତି 

ଗୋଟିଏ ପୁରୁଣା ନୀଳ ରଙ୍ଗର ମାକ୍‌ସି ପିନ୍ଧି ଓ ଶାଲ ପକାଇ ଚଟାଣରେ ବସିଥିବା ୧୮ ବର୍ଷ ବୟସ୍କା କ୍ଷୀଣକାୟ ନିର୍ମଳା ଶାନ୍ତ ଭାବରେ ମୁଣ୍ଡ ଟୁଙ୍ଗାରି କାଲୁଙ୍କ ନିର୍ଦ୍ଦେଶକୁ ଅନୁସରଣ କରୁଥିଲେ । ଯେତେବେଳେ କୁହାଯାଉଥିଲା, ସେ ଠିଆ ହୋଇଯାଉଥିଲେ । ଷ୍ଟିଲ୍‌ ପ୍ଲେଟ୍‌ରେ ଥିବା ଚାଉଳ ଦାନାଗୁଡ଼ିକୁ ଜୈତ୍ୟ ପରୀକ୍ଷା କରି ଦେଖୁଥିଲେ, “ଏଣିକି ଆଗକୁ କୌଣସି ଅନିଷ୍ଟକାରୀ ଶକ୍ତି ନିର୍ମଳାଙ୍କୁ ଆଉ ଅସୁବିଧାରେ ପକାଇବ କି ନାହିଁ ବୋଲି ଜାଣିବା ପାଇଁ ପୂର୍ବଜଙ୍କ ନିକଟରୁ ଉତ୍ତର ଚାହୁଁଥିଲେ ।”

ନିର୍ମଳାଙ୍କ ବାପା ଶତ୍ରୁ ସନଦ ଜଣେ ଧାନଚାଷୀ ଯାହାଙ୍କର ନିଜର ବୋଲି ଗୋଟିଏ ଏକରରୁ କମ୍‌ ଜମି ରହିଛି । ସେ କହିଲେ, “ତାକୁ ଭୀଷଣ ଜ୍ଵର ହେଉଥିଲା, ଭୋକ ମରିଯାଇଥିଲା, ଦେହମୁଣ୍ଡ ପ୍ରବଳ ବିନ୍ଧୁଥିଲା”। “ଆମେ ତାକୁ ମୋଖଦା ଗ୍ରାମ୍ୟ ହାସପାତାଳକୁ (ସେପ୍ଟେମ୍ବର ମାସ ଆରମ୍ଭରେ) ନେଇଯାଇଥିଲୁ । କାମଳ ରୋଗ ବୋଲି ଜଣାପଡ଼ିଲା । କିନ୍ତୁ ସେମାନେ ଦେଇଥିବା ଔଷଧ କାମ କରିଲା ନାହିଁ । ତା’ର ଅବସ୍ଥା ବିଗିଡ଼ିବାରେ ଲାଗିଲା । ତା’ର ଓଜନ ଖୁବ୍‌ କମିଗଲା, ଭଲ ନିଦ ହେଲାନି ଏବଂ ସେ ଡରିଯାଇଥିଲା, ସବୁବେଳେ ହାଲିଆ ଓ ଛେଚିକୁଟି ହେଲା ଭଳି ଲାଗୁଥିଲା । ତାକୁ କେହି ଗୁଣି କରିଛି ବୋଲି ଆମେ ଡରିଗଲୁ । ସେଇ ବେଳରେ ଆମେ ତାକୁ କାଳୁ ପାଖକୁ ନେଇଗଲୁ ।”

ଶତ୍ରୁ ଆହୁରି କହନ୍ତି ଯେ, ଭଗତ ତାକୁ ସୁଗନ୍ଧିତ ପାଉଁଶ ଭର୍ତ୍ତି ଗୋଟିଏ ଟେଟ୍‌ (ରୁପା ଡେଉଁରିଆ) ଏବଂ ଔଷଧୀୟ ଚେରମୂଳି ଗୁଣ୍ଡ ଦେଲେ, ଯାହାକୁ ସେ କିଛି ଦିନ ହେଲା ଖାଇଆସୁଛି । “ସେଇଟା କାମ କଲା ଏବଂ ଖରାପ ଦୃଷ୍ଟିକୁ ସଂପୂର୍ଣ୍ଣ ଭାବରେ ଦୂରେଇ ଦେବା ପାଇଁ ଆମେ ଏହି ଜାଗରଣ  ଆୟୋଜନ କଲୁ ।”

କାଲୁ ବି ରୋଗ ଚିହ୍ନଟ ସହିତ ଏକମତ ହୋଇଥିଲେ- ହଁ, ନିର୍ମଳାର କାମଳ ରୋଗ ଥିଲା । କିନ୍ତୁ, ସେ କହିଲେ, “ତାକୁ ଏକ ବାହ୍ୟ ଶକ୍ତି ଗଭୀର ଭାବେ ଆଚ୍ଛନ୍ନ କରି ରଖିଥିଲା ।” କାଲୁ ଅର୍‌ମାଲ ଚାରିପଟେ ହାତ ବୁଲେଇଲେ ଏବଂ ‘ନକାରାତ୍ମକ ଶକ୍ତି’କୁ ବାହାରକୁ ଆଣିବା ଲାଗି ଏକ ଦଉଡ଼ିକୁ ତାଳୁରୁ ତଳିପା ଯାଏ ଏବଂ ଆଗପଛ କରି ହଲାଇବାରେ ଲାଗିଲେ ।

ପୂଜାପଦ୍ଧତି ତୁଳନାରେ ଭଗତମାନେ ଔଷଧୀୟ ଚେରମୂଳି ଉପରେ ଅଧିକ ନିର୍ଭର କରନ୍ତି ଏବଂ କହନ୍ତି, ‘ଯଦି କିଛି ଆମ ନିୟନ୍ତ୍ରଣ ବାହାରେ ଥାଏ ତେବେ ଆମେ ସେମାନଙ୍କୁ ଡାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ କହିଦେଉ’

ଭିଡିଓ ଦେଖନ୍ତୁ: ଚିକନପଦାରେ ଭଗତ, ବିଶ୍ଵାସ ଓ ଉଦ୍‌ବେଗ

ତାଙ୍କର ଏହି ପୂଜାବିଧି ଏବଂ ଭଗତମାନଙ୍କୁ ସନଦ ପରିବାରର ଆମନ୍ତ୍ରଣ । କେନ୍ଦ୍ରୀୟ ମୁମ୍ବାଇଠାରୁ ପ୍ରାୟ ୧୮୦ କିଲୋମିଟର ଦୂର ପାଲଘରର ମୋଖଦା ତାଲୁକା ଅନ୍ତର୍ଗତ ଚାସ୍‌ ଗ୍ରାମ ପଞ୍ଚାୟତର ଏହି ପାଞ୍ଚଟି ପଡ଼ା (ପଲ୍ଲୀ ଗାଁ) ପାଇଁ ଏ ସବୁ ଆଦୌ ଅସ୍ଵାଭାବିକ ନୁହେଁ ।

ଚାସ୍‌ ଗାଁର କମଲାକର ୱାରଘଡ଼େ କହନ୍ତି, “କେବଳ ଚାସ୍‌ରେ ନୁହେଁ, ବରଂ ମୋଖଦା ତାଲୁକାର ଅଧିକାଂଶ ଗାଁରେ ବହୁ ଲୋକଙ୍କର ଦୃଢ଼ ବିଶ୍ଵାସ ରହିଛି ଯେ, କୌଣସି ଦୁଷ୍ଟ ଶକ୍ତି, ଈର୍ଷାପୂର୍ଣ୍ଣ ନଜର କିମ୍ବା ଗୁଣିଗାରେଡ଼ିର ପ୍ରଭାବ ଆପଣଙ୍କ ପ୍ରଗତିରେ ବାଧକ ସାଜିପାରେ ।” ଏଠାକାର ଏଭଳି ବିଶ୍ଵାସଧାରା ଉପରେ ତାଙ୍କର ସନ୍ଦେହ ରହିଛି ସତ, କିନ୍ତୁ ସହାନୁଭୂତି ବି ରହିଛି । ସନଦ ପରିବାର ଭଳି ସେ ମଧ୍ୟ କା ଠାକୁର ଆଦିବାସୀ ସଂପ୍ରଦାୟର ଏବଂ ଏକ ବ୍ୟାଣ୍ଡ୍‌ ପାର୍ଟିରେ ଯାଇ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମାରୋହରେ ସେ ବାଦ୍ୟଯନ୍ତ୍ର, ହାର୍‌ମୋନିୟମ୍‌ ଏବଂ କୀ ବୋର୍ଡ ବଜାନ୍ତି । “ସାଧାରଣତଃ, ଜଣେ ଲୋକ ରୋଗରେ ପଡ଼େ କିମ୍ବା କୌଣସି ଯୋଜନା କିମ୍ବା କାର୍ଯ୍ୟସାଧନରେ ବାଧାବିଘ୍ନ ଦେଖାଦିଏ । ଯେତେବେଳେ ଡାକ୍ତରମାନେ ସମସ୍ୟାର କାରଣ ଖୋଜିବାରେ ଅକ୍ଷମ ହୁଅନ୍ତି, ପରିବାର ଲୋକେ ଭଗତଙ୍କ ପାଖକୁ ଯାଆନ୍ତି ।”

ମୋଖଦାରେ ସାଧାରଣ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଭରସା ନଥିବା କାରଣରୁସ୍ଥାନୀୟ ଚିକିତ୍ସକମାନଙ୍କ ଉପରେ ଲୋକେ ନିର୍ଭର କରନ୍ତି । ପାଞ୍ଚଟି ପଡ଼ା ଗାଁ ଲାଗି ନିକଟତମ ସ୍ଵାସ୍ଥ୍ୟସେବା କେନ୍ଦ୍ର ହେଉଛି ଚିକନପଦାରୁ ପ୍ରାୟ ଦୁଇ କିଲୋମିଟର ଦୂର ଚାସ୍‌ ଗାଁରେ ଥିବା ଏକ ସରକାରୀ ସ୍ଵାସ୍ଥ୍ୟସେବା ଉପକେନ୍ଦ୍ର ।

ୱାରଘଡ଼େ କହନ୍ତି, “ମଙ୍ଗଳବାର ଦିନ ଡାକ୍ତର ଆସନ୍ତି ସତ, ହେଲେ ଆମେ ତାଙ୍କୁ କେତେବେଳେ ଦେଖା କରିପାରିବୁ, ତାହା କେବେ ବି ନିଶ୍ଚିତ ନୁହେଁ” । “ପ୍ରତିଦିନ ଜଣେ ସିଷ୍ଟର (ନର୍ସ) ଆସନ୍ତି, କିନ୍ତୁ ସେ କେବଳ ଜ୍ଵର, କାଶ କି ଥଣ୍ଡା ପାଇଁ ଔଷଧ ଦେଇପାରିବେ । ଠିକ୍‌ରେ ଔଷଧପତ୍ର ଯୋଗାଇ ଦିଆଯାଏନି, ଇଞ୍ଜେକ୍‌ସନ ନାହିଁ, କେବଳ ବଟିକା ଅଛି । ଆଶା (ଅଧିକୃତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ) କର୍ମୀମାନେ ଘରଘର ବୁଲନ୍ତି, କିନ୍ତୁ ରୋଗୀ ଅବସ୍ଥା ଗୁରୁତର ହୋଇଥିଲେ ସେମାନେ ଆମକୁ ମୋଖଦା (ହାସ୍‌ପାତାଳ) ଯିବାକୁ କହନ୍ତି ।”

Left: Nirmala's mother Indu, on the night of the the jagran, says she is relieved. Right: Kamlakar Warghade (here with his daughter Priyanka) of Chas village is sceptical but also sympathetic about the local belief systems
PHOTO • Shraddha Ghatge
Left: Nirmala's mother Indu, on the night of the the jagran, says she is relieved. Right: Kamlakar Warghade (here with his daughter Priyanka) of Chas village is sceptical but also sympathetic about the local belief systems
PHOTO • Shraddha Ghatge

ବାମ: ନିର୍ମଳାଙ୍କ ମାଆ ଇନ୍ଦୁ, ଜାଗରଣ ରାତିରେ କହନ୍ତି ଯେ ଏବେ ସେ ଆଶ୍ଵସ୍ତ । ଡାହାଣ: ଚାସ୍‌ ଗାଁର କମଲାକର ୱାରଘଡ଼େ (ଏଠାରେ ତାଙ୍କ ଝିଅ ପ୍ରିୟଙ୍କା ସହିତ) ଏଠାକାର ବିଶ୍ଵାସଧାରା ସଂପର୍କରେ ସନ୍ଦିହାନ କିନ୍ତୁ ସହାନୁଭୂତିଶୀଳ

ତେଣୁ, ନିମୋନିଆ, କାମଳ, ହାଡ଼ ଭାଙ୍ଗିଗଲେ, ଦୁର୍ଘଟଣା ଘଟିଲେ କି ଜରୁରୀକାଳୀନ ପ୍ରସବ ସମେତ ଗୁରୁତର ରୋଗର ଚିକିତ୍ସା ପାଇଁ ଚାସ୍‌ ଗାଁ ଓ ଏହାର ପଡ଼ା ଗାଁଗୁଡ଼ିକର ୨,୬୦୯ଲୋକ ପ୍ରାୟ ୧୫ କିଲୋମିଟର ଦୂର ମୋଖଦା ଗ୍ରାମ୍ୟ ହାସପାତାଳକୁ ଯାଆନ୍ତି ।

ଏଥିପାଇଁ ଚାସ୍‌ ଗାଁରୁ ଚାଲି ଚାଲି ତିନି କିଲୋମିଟରରୁ ଅଧିକ ଦୂରରେ ଥିବା ନିକଟତମ ବସ୍‌ ଷ୍ଟାଣ୍ଡକୁ ଯିବାକୁ ହୁଏ (ଅନ୍ୟ ପଲ୍ଲୀରୁ ଏହା ଆହୁରି ଦୂର) । କିମ୍ବା ପରିବାର ପାଇଁ ଜୀପ୍‌ ଭଡ଼ାରେ ନେଲେ ଯିବାଆସିବାରେ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ବେଳେବେଳେ ଲୋକେ ଭଡ଼ା ଭାଗ କରି ଯିବା ଲାଗି ଏଠାରେ ଯା’ଆସ କରୁଥିବା ବୋଲେରୋ ଖୋଜନ୍ତି । ଏଥିରେ ଚିକନପଦାରୁ ମୋଖଦା ଯିବା ପାଇଁ ସିଟ୍‌ ପିଛା ୧୦ ଟଙ୍କା କିମ୍ବା୨୦ ଟଙ୍କା ଦେବାକୁ ହୁଏ । କିନ୍ତୁ ମଝିରେ ମଝିରେ ଚାଲୁଥିବା ଏହି ଗାଡ଼ି ସଂଖ୍ୟା ବହୁତ କମ୍‌ ।

କମଲାକର କହନ୍ତି, “ଏଠାକାର ଅଧିକାଂଶ ଗ୍ରାମବାସୀ କ୍ଷୁଦ୍ର ଚାଷୀ ଏବଂ କୃଷି ଶ୍ରମିକ, ଯେଉଁମାନେ କି ଦିନକୁ ୨୫୦ ଟଙ୍କା ଯାଏ ରୋଜଗାର କରନ୍ତି । ଡାକ୍ତରଖାନାର ଅନ୍ୟାନ୍ୟ ଖର୍ଚ୍ଚକୁ ବାଦ ଦେଇ କେବଳ ଗାଡ଼ି ଭଡ଼ା ବାବଦରେ ୫୦୦ ଟଙ୍କା ଦେବା ସେମାନଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟଦାୟକ ।”

ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଥିବା ଏହି ଶୂନ୍ୟସ୍ଥାନକୁ ଭଗତମାନେ ପୂରଣ କରନ୍ତି ଏବଂ ଦୀର୍ଘ ବର୍ଷ ଧରି ଲୋକେ ସେମାନଙ୍କୁ ବିଶ୍ଵସନୀୟ ପାରମ୍ପରିକ ଚିକିତ୍ସକ ଭାବେ ଜାଣନ୍ତି । ତେଣୁ, ଜ୍ଵର ବା ପେଟବଥା ଭଳି ଅପେକ୍ଷାକୃତ ଛୋଟମୋଟ ରୋଗ ପାଇଁ ଆଦିବାସୀ ବହୁଳ ଚାସ୍‌ ଗାଁର କା ଠାକୁର, ମା ଠାକୁର, କୋଲି ମହାଦେବ, ୱର୍ଲି ଏବଂ କଟକରି ଭଳି ସଂପ୍ରଦାୟର ଲୋକେ ଭଗତମାନଙ୍କ ପାଖକୁ ଯାଆନ୍ତି । ଏବଂ ଅନେକ କ୍ଷେତ୍ରରେ ସେମାନେ ‘ଅଶୁଭ ଦୃଷ୍ଟି’ରୁ ସୁରକ୍ଷା ପାଇବା ଲାଗି ସେମାନଙ୍କ ଉପରେ ନିର୍ଭର କରନ୍ତି ।

Chas village (left): the Sanad family’s invitation to the bhagats is not unusual in the five padas (hamlets) of Chas gram panchayat. The local PHCs are barely equipped, and Mokhada Rural Hospital (right) is around 15 kilometres away
PHOTO • Shraddha Ghatge
Chas village (left): the Sanad family’s invitation to the bhagats is not unusual in the five padas (hamlets) of Chas gram panchayat. The local PHCs are barely equipped, and Mokhada Rural Hospital (right) is around 15 kilometres away
PHOTO • Shraddha Ghatge

ଚାସ୍‌ ଗାଁ (ବାମ): ସନଦ ପରିବାର ଦ୍ଵାରା ଭଗତଙ୍କୁ ଆମନ୍ତ୍ରଣ କରିବା ଚାସ୍‌ ଗ୍ରାମ ପଞ୍ଚାୟତର ପାଞ୍ଚଟି  ପଡ଼ା (ପଲ୍ଲୀ) ଗାଁରେ ଅସ୍ଵାଭାବିକ ନୁହେଁ । ସ୍ଥାନୀୟ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସରଞ୍ଜାମ ନଥାଏ ଏବଂ ମୋଖଦା ଗ୍ରାମ୍ୟ ହାସପାତାଳ (ଡାହାଣ) ଏଠାରୁ ପ୍ରାୟ ୧୫ କିଲୋମିଟର ଦୂର

ଅଧିକାଂଶ ଭଗତ ସ୍ଥାନୀୟ ଲୋକ (ସମସ୍ତେ ପୁରୁଷ) ଏବଂ ସେମାନଙ୍କ ସହାୟତା ଲୋଡୁଥିବା ପରିବାର ସହିତ ଭଲ ଭାବେ ପରିଚିତ । ନିର୍ମଳାଙ୍କ ଉପଚାର କରୁଥିବା କାଲୁ ଜଙ୍ଗଲି ମଧ୍ୟ କା ଠାକୁର ଆଦିବାସୀ ସଂପ୍ରଦାୟର । ଗାଁର ଚିକିତ୍ସକ ଭାବେ ସେ ୩୦ ବର୍ଷ ହେଲା କାର୍ଯ୍ୟରତ । ଜାଗରଣ ରାତିରେ ସେ ମୋତେ କହିଲେ, “ଏସବୁ ପୂଜାପାଠ ଆମ ଆଦିବାସୀ ସଂସ୍କୃତିର ଏକ ଅନ୍ତର୍ନିହିତ ଅଂଶ” । “ନିର୍ମଳା କ୍ଷେତ୍ରରେ ଆମେ ଜାଗରଣ ପରଦିନ ସକାଳେ ଗୋଟିଏ କୁକୁଡ଼ା ବଳି ଦେବୁ ଏବଂ ସେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରୁ ବୋଲି ପ୍ରାର୍ଥନା କରିବୁ । କେବଳ ସେତେବେଳେ ଏହି ବିଧି ସଂପାଦିତ ହୁଏ, ଯେତେବେଳେ ରୋଗୀକୁ ଏକ ଅନିଷ୍ଟକାରୀ ଶକ୍ତି ଘେରି ରହିଥାଏ ବୋଲି ଆମେ ଜାଣିବାକୁ ପାଉ । ଆମେ ଏମିତି ବହୁ ମନ୍ତ୍ର ଜାଣିଛୁ ଯାହା ବଳରେ ଅନିଷ୍ଟକାରୀ ଶକ୍ତିକୁ ଦୂରେଇ ଦେଇ ହେବ ।”

ହେଲେ, ଅଧିକାଂଶ ପୂଜାବିଧିରେ ଭଗତମାନେ ଔଷଧୀୟ ଗୁଣଯୁକ୍ତ ଚେରମୂଳି ବ୍ୟବହାର କରନ୍ତି । କାଲୁ ଆହୁରି କହନ୍ତି, “ଉପଯୁକ୍ତ ଫୁଲ, ପତ୍ର ଏବଂ ଘାସ ଏବଂ ଗଛ ଛାଲିର କେତେକ ଅଂଶ ଛଡ଼ାଇ ଆଣିବା ପାଇଁ ଆମେ ଜଙ୍ଗଲକୁ ଯାଉ” । ପରେ ଆମେ ଏକ ପାଚନ ପ୍ରସ୍ତୁତ କରୁ କିମ୍ବା ବେଳେବେଳେ ଚେରମୂଳି ପୋଡ଼ି ରୋଗୀକୁ ଭସ୍ମ ଖାଇବାକୁ ଦେଉ । ସାଧାରଣତଃ ସେହି ବ୍ୟକ୍ତିଙ୍କୁ ଘେରି କୌଣସି ଅନିଷ୍ଟକାରୀ ଶକ୍ତି ନ ଥିଲେ ଏହା କାମ କରେ । କିନ୍ତୁ ଯଦି ଆମ ନିୟନ୍ତ୍ରଣ ବାହାରେ କିଛି ଥାଏ ତେବେ ଡାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ ଆମେ ସେମାନଙ୍କୁ କହୁ।”

କାଲୁ ଯେପରି ସ୍ଵାସ୍ଥ୍ୟସେବା କେନ୍ଦ୍ରର ଭୂମିକାକୁ ସ୍ଵୀକାର କରନ୍ତି, ଠିକ୍‌ ସେହିପରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର (PHC) ଏବଂ ଡାକ୍ତରମାନେ ପାରମ୍ପରିକ ଚିକିତ୍ସକମାନଙ୍କ ଭୂମିକାକୁ ସଂପୂର୍ଣ୍ଣ ଖାରଜ କରି ଦେଲା ଭଳି ମନେ ହୁଏନାହିଁ । ଚାସ୍‌ରୁ ୨୦ କିଲୋମିଟର ଦୂର ୱାଶାଲା ଗାଁରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ପୁଷ୍ପା ଗୱାରି କହନ୍ତି, “ଯଦି ଆମ ଚିକିତ୍ସା ସେମାନଙ୍କ (ଆମ ରୋଗୀମାନଙ୍କ) ମନକୁ ନ ପାଏ ଆମେ ସେମାନଙ୍କୁ ଭଗତଙ୍କ ପରାମର୍ଶ ନେବାକୁ କହିଥାଉ । ଯଦି ଆଦିବାସୀମାନେ ଭଗତଙ୍କ ଚିକିତ୍ସାରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ସେମାନେ ପୁଣି ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତି ।” ସ୍ଥାନୀୟ ସଂପ୍ରଦାୟର ପ୍ରତିକୂଳ ମନୋଭାବକୁ ପ୍ରତିହତ କରିବାରେ ଏହା ଡାକ୍ତରଙ୍କୁ ସାହାଯ୍ୟ କରେ । “ଡାକ୍ତରଖାନା ଏବଂ ଡାକ୍ତରଙ୍କ ଉପରେ ଲୋକଙ୍କ ବିଶ୍ଵାସ ଜନ୍ମାଇବା ଗୁରୁତ୍ଵପୂର୍ଣ୍ଣ ।”

ୱାଶାଲା ଗାଁର ୫୮ ବର୍ଷୀୟ ଭଗତ କାଶୀନାଥ କଦମ କହନ୍ତି, “କେତେକ କ୍ଷେତ୍ରରେ, ସେମାନେ (ଡାକ୍ତରମାନେ) ଆମର ସହାୟତା ଲୋଡ଼ନ୍ତି, ଯାହାକୁ ସେମାନେ ବୁଝାଇ ପାରନ୍ତିନି”। “ଉଦାହରଣ ସ୍ଵରୂପ, କିଛି ମାସ ତଳେ ଜଣେ ମହିଳା କୌଣସି କାରଣ ନ ଥାଇ ଉନ୍ମତ୍ତ ହୋଇଗଲେ । ତାଙ୍କୁ କୌଣସି ଶକ୍ତି ଗ୍ରାସ କରିବା ଭଳି ଲାଗୁଥିଲା । ମୁଁ ମନ୍ତ୍ର ଉଚ୍ଚାରଣ କରି ତାଙ୍କୁ ଜୋର୍‌ରେ ଚାପୁଡ଼ା ମାରିଲି । ମୁଁ ତାଙ୍କୁ ଶାନ୍ତ କରିବାରେ ସକ୍ଷମ ହେଲି । ପରେ ତାଙ୍କୁ ଡାକ୍ତରମାନେ ଔଷଧ ଦେଇ ଶୁଆଇ ଦେଲେ।”

PHOTO • Shraddha Ghatge
Left: Bhagat Kalu Jangali at his home in Pangri village in Mokhada taluka. Right: Bhagat Subhash Katkari with several of his clients on a Sunday at his home in Deharje village of Vikramgad taluka in Palghar district
PHOTO • Shraddha Ghatge

ବାମ:ମୋଖଦା ତାଲୁକାର ପାଙ୍ଗରି ଗାଁରେ ତାଙ୍କ ଘରେ ଭଗତ କାଲୁ ଜଙ୍ଗଲି । ଡାହାଣ:ଗୋଟିଏ ରବିବାର ଦିନପାଲଘର ଜିଲ୍ଲା ବିକ୍ରମଗଡ଼ ତାଲୁକାର ଦେହାର୍ଜେ ଗାଁର ତାଙ୍କ ଘରେ କେତେକ ରୋଗୀଙ୍କ ସହିତ ଭଗତ ସୁଭାଷ କାଟକରି

ଅନ୍ୟ ଭଗତମାନଙ୍କ ଭଳି କଦମ ତାଙ୍କ ‘ରୋଗୀମାନଙ୍କୁ’ ପାଉଣା ଦେବାକୁ କହନ୍ତି ନାହିଁ । ତିନି ଏକର ଜମିରେ ଧାନ ଓ ଡାଲି ଚାଷ କରି ସେ ତାଙ୍କ ରୋଜଗାର କରନ୍ତି । ଯେତେ ଜଣ ସ୍ଥାନୀୟ ଚିକିତ୍ସକମାନଙ୍କ ସହିତ ମୁଁ କଥାବାର୍ତ୍ତା କଲି, ସମସ୍ତେ କହିଲେ ଯେ, ତାଙ୍କ ପାଖକୁ ଆସୁଥିବା ଲୋକେ, ୨୦ଟଙ୍କାରୁ ଆରମ୍ଭ କରି- ଯାହା ଦେଇପାରିବେ ବା ଦେବାକୁ ଇଚ୍ଛା କରିବେ ଦିଅନ୍ତି । କେହି କେହି ଅର୍ପଣ କରିବା ଲାଗି ନଡ଼ିଆ ଓ ମଦ ଆଣନ୍ତି । ଏବଂ ଯଦି ଉପଚାର ଲୋଡ଼ିବାକୁ ଆସିଥିବା ପରିବାର ବିଶ୍ଵାସ କରନ୍ତି ଯେ ଭଗତଙ୍କ ଚିକିତ୍ସା ଦ୍ଵାରା ରୋଗୀ ସୁସ୍ଥ ହେଲେ, ତେବେ ଗୋଟିଏ ଭୋଜି (ଜାଗରଣ ଭଳି) ଦେବେ ବୋଲି ଆଶା କରାଯାଏ ।

ଅନ୍ୟ ପାରମ୍ପରିକ ଚିକିତ୍ସକଙ୍କ ଭଳି ସେ ବ୍ୟବହାର କରୁଥିବା ଚେରମୂଳି ଔଷଧ ସଂପର୍କରେ ବିସ୍ତୃତ ଭାବେ କହିବାକୁ କାଶୀନାଥ ମନା କରନ୍ତି । ସେ କହନ୍ତି, “କୌଣସି ଭଗତ ଆପଣଙ୍କୁ ତାହା କହିବେ ନାହିଁ” । “ଆମେ ଆମ ଜ୍ଞାନ ସଂପର୍କରେ କାହାରିକୁ କହିଲେ ଆମ ଔଷଧର ଶକ୍ତି କମିଯିବ । ତା ବ୍ୟତୀତ, ପ୍ରତି ରୋଗୀଙ୍କ ପାଇଁ ଅଲଗା ଅଲଗା ଔଷଧ ରହିଛି । କିଡ୍‌ନି ଷ୍ଟୋନ୍‌, ଆପେଣ୍ଡିସାଇଟିସ୍‌, କାମଳ ରୋଗ, ଦାନ୍ତବିନ୍ଧା, ମୁଣ୍ଡବିନ୍ଧା, ପେଟବଥା, ଫ୍ଲୁ, ପୁରୁଷ ଓ ମହିଳାଙ୍କର ପ୍ରଜନନ ଶକ୍ତିହୀନତା, ଗର୍ଭପାତ ଏବଂ ଗର୍ଭଧାରଣରେ ଜଟିଳତା ଭଳି ରୋଗରେ ଆମେ ଶୁଖିଲା ଚେରମୂଳିରୁ ତିଆରି ପାଚନ ଓ ମିଶ୍ରଣ ଉପଯୋଗ କରୁ । ଏହା ସହିତ ଅଶୁଭ ଦୃଷ୍ଟିକୁ ଦୂରେଇ ଦେବା, ଏକ ନିର୍ଦ୍ଦିଷ୍ଟ ଦିଗରେ ଜଣଙ୍କର ବ୍ୟବହାରକୁ ନେବା ଏବଂ ଟେଟ୍‌ରେ (ଡେଉଁରିଆରେ) ପ୍ରତିହତକାରୀ ମନ୍ତ୍ର ଦେବା ପାଇଁ ମଧ୍ୟ ଆମେ ଏହାର ଉପଯୋଗ କରୁ ।”

ଆଉ ଦୁଇ ପାଦ ଆଗକୁ ବଢ଼ନ୍ତି ମୋଖଦା ଅନ୍ତର୍ଗତ ଓସାଭିରା ଗାଁର ପଡ଼ା ଗାଁ ପାସୋଦିପଦାର ଭଗତ କେଶବ ମାହାଲେ । ସେ କହନ୍ତି, “ଯେ କୌଣସି ପ୍ରକାର ରୋଗର ଉପଚାର ପାଇଁ ଆମେ ତୁଳସୀ, କଞ୍ଚା ଅଦା, ଘିକୁଆଁରୀ, ପୋଦିନା ଏବଂ ଅନ୍ୟାନ୍ୟ ଔଷଧୀୟ ଗଛପତ୍ର ବ୍ୟବହାର କରୁ । ଏହା ଆମେ ସେହି ସମୟରୁ କରିଆସୁଛୁ ଯେଉଁ ସମୟରେ ଜଙ୍ଗଲରେ ରହୁଥିବା ପ୍ରତିଟି ଲୋକଙ୍କ ପାଇଁ ଆମେ ହିଁ ଥିଲୁ ‘ଡାକ୍ତର’ ଏବଂ ସମସ୍ତେ ଆମ ପରାମର୍ଶ ନେଉଥିଲେ” । “ଆଜିକାଲି ଆଧୁନିକ ଔଷଧର ବିକାଶ ସହିତ ଲୋକେ ଡାକ୍ତରଙ୍କ ପାଖକୁ ଯିବା ସ୍ଵାଭାବିକ କଥା । କିନ୍ତୁ ଯେତେବେଳେ ଡାକ୍ତରୀ ଔଷଧ କାମ କରେନି ସେମାନେ ଆମ ପାଖକୁ ଆସନ୍ତି । ଏକାଠି ରହିବାରେ କିଛିକ୍ଷତି ନାହିଁ ।” କେଶବଙ୍କର ଦୁଇ ଏକର ଜମି ଅଛି ଯେଉଁଥିରେ ସେ ଧାନଚାଷ କରନ୍ତି ।


Keshav and Savita Mahale (left) in Pasodipada hamlet: 'With advances in medicine, people prefer doctors. But they come to us when medicines fail them. There is no harm in co-existing'. Bhagat Kashinath Kadam (right) with his wife Jijabai in Washala village: 'The doctors often seek our help in cases which they can’t explain'
PHOTO • Shraddha Ghatge
Keshav and Savita Mahale (left) in Pasodipada hamlet: 'With advances in medicine, people prefer doctors. But they come to us when medicines fail them. There is no harm in co-existing'. Bhagat Kashinath Kadam (right) with his wife Jijabai in Washala village: 'The doctors often seek our help in cases which they can’t explain'
PHOTO • Shraddha Ghatge

ପାସୋଦିପଦା ପଲ୍ଲୀରେ କେଶବ ଏବଂ ସବିତା ମାହାଲେ (ବାମ): ‘ଆଧୁନିକ ଔଷଧର ବିକାଶ ସହିତ ଲୋକେ ଡାକ୍ତରଙ୍କ ପାଖକୁ ଯିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଡାକ୍ତରୀ ଔଷଧ କାମ ନ କଲେ ସେମାନେ ଆମ ପାଖକୁ ଆସନ୍ତି । ଏକାଠି ରହିବାରେ କିଛି କ୍ଷତି ନାହିଁ’ । ୱାଶାଲା ଗାଁରେ ତାଙ୍କ ସ୍ତ୍ରୀ ଜିଜାବାଇଙ୍କ ସହିତ ଭଗତ କାଶୀନାଥ କଦମ (ଡାହାଣ): ‘କେତେକ କ୍ଷେତ୍ରରେ ଡାକ୍ତରମାନେ ପ୍ରାୟତଃ ଆମର ସହାୟତା ଲୋଡ଼ନ୍ତି, ଯାହାକି ସେମାନେ ବୁଝାଇ ପାରନ୍ତିନି’

ଗର୍ଭଧାରଣରେ ଅସମର୍ଥ କିମ୍ବା ଗର୍ଭଧାରଣ କାଳରେ ସମସ୍ୟା ଭୋଗୁଥିବା ମହିଳାମାନଙ୍କ ପାଇଁ ତାଙ୍କ ଚିକିତ୍ସା ଉପାୟ ସଂପର୍କରେ କିଛିଟା ‘ପ୍ରକାଶ’ କରନ୍ତି ପାଲଘରର ବିକ୍ରମଗଡ଼ ତାଲୁକା ଅନ୍ତର୍ଗତ ଦେହାର୍ଜେ ଗାଁ କଟକରିପଦାର ଜଣାଶୁଣା ଭଗତ ସୁଭାଷ କଟକରି । “ଏଥିରେ ସମଗ୍ର ଗର୍ଭଧାରଣ କାଳରେ ନିର୍ଦ୍ଦିଷ୍ଟ ଖାଦ୍ୟପେୟ ଗ୍ରହଣ ଓ କଟକଣା ମାନିବା ଆବଶ୍ୟକ । ଆମ ଔଷଧ ବ୍ୟବହାର କରି ଜଣେ ମହିଳା ଥରେ ଗର୍ଭବତୀ ହେବା ପରେ ସେ ରାନ୍ଧିବା ସମୟରେ ତେଲ ବ୍ୟବହାର କରିବେ ନାହିଁ । ସେ ଆଦୌ ଲୁଣ, ହଳଦି, କୁକୁଡ଼ା ମାଂସ, ଅଣ୍ଡା, ମାଂସ, ରସୁଣ ଓ ଲଙ୍କା ଖାଇବେ ନାହିଁ । ପାଣି କାଢ଼ିବା ସମେତ ସେ ନିଜେ ଘରର ସବୁ କାମ କରିବା ଉଚିତ ଏବଂ ଗର୍ଭଧାରଣର ଶେଷ ତିନି ମାସ ପର୍ଯ୍ୟନ୍ତ ଭଗତ ଦେଇଥିବା ଔଷଧ ବ୍ୟତୀତ ଅନ୍ୟ କୌଣସି ଔଷଧ ଖାଇବା ଉଚିତ ନୁହେଁ । ଆମେ ସେହି ମହିଳାଙ୍କୁ ଏବଂ ପରେ ତାଙ୍କ ଶିଶୁକୁ ଏକ ଟେଟ୍‌ ଦେଇଥାଉ, ଯାହା ଦ୍ଵାରା ଦୁହେଁ ଅନିଷ୍ଟକାରୀ ଶକ୍ତି ପ୍ରଭାବରୁ ସୁରକ୍ଷିତ ରହିପାରିବେ ।”

ମୋଖଦା ଗ୍ରାମ୍ୟ ହାସପାତାଳର ମେଡିକାଲ ଅଫିସର ଡାକ୍ତର ଦତ୍ତରାୟ ଶିନ୍ଦେ କହନ୍ତି, “ଦୁର୍ଭାଗ୍ୟବଶତଃ”, “ଏହା (ଖାଦ୍ୟପେୟରେ ଓ ଅନ୍ୟ କଟକଣା) ଯୋଗୁଁ ଏଠାକାର ଗର୍ଭବତୀ ଆଦିବାସୀ ମହିଳାମାନେ ପୁଷ୍ଟିହୀନତାର ଶିକାର ହୁଅନ୍ତି ଏବଂ ପରେ କମ୍‌ ଓଜନର ଶିଶୁ ପ୍ରସବ କରନ୍ତି । ମୋଖଦାରେ ମୁଁ ଏଭଳି ଘଟଣା ଦେଖିଛି । ଅନ୍ଧବିଶ୍ଵାସ ଏବେ ବି ରହିଛି ଏବଂ ଭଗତମାନଙ୍କ ଉପରେ ଦୃଢ଼ ବିଶ୍ଵାସ ରଖିଥିବା ଲୋକଙ୍କୁ ବୁଝାଇବା ଖୁବ୍‌ କଷ୍ଟକର ।” (ବାସ୍ତବରେ, ପୁଷ୍ଟିହୀନତା ଜନିତ ଶିଶୁମୃତ୍ୟୁକୁ ନେଇ ଦୀର୍ଘ ସମୟ ହେଲା ଖବରରେ ରହିଆସିଛି ପାଲଘର ଜିଲ୍ଲା, ଯାହାର ଲୋକସଂଖ୍ୟାର ୩୭ ପ୍ରତିଶତ ତଫସିଲଭୁକ୍ତ ଜନଜାତି । ହେଲେ ତାହା ଏକ ଭିନ୍ନ କଥା ।)

ଚିକନପଦାକୁ ଫେରିବା । ଜାଗରଣ ରାତିରେ ଆଶ୍ଵସ୍ତ ହେଲେ ନିର୍ମଳାଙ୍କ ୪୦ ବର୍ଷୀୟା ମାଆ ଇନ୍ଦୁ । ସେ କହନ୍ତି, “ଏବେ କାଲୁ ଓ ଜୈତ୍ୟ ମୋ ଝିଅ ଶରୀରରୁ ଅନିଷ୍ଟକାରୀ ଶକ୍ତିକୁ ବାହାର କରିଦେଇଛନ୍ତି । ସେ ଖୁବ୍‌ ଶୀଘ୍ର ଭଲ ହୋଇଯିବ ବୋଲି ମୁଁ ନିଶ୍ଚିତ ।”

ଏହି ଲେଖା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଠକର ଫାଉଣ୍ଡେସନ୍‌ ପକ୍ଷରୁ ପ୍ରଦତ୍ତ ଅନୁଦାନରେ ଇନ୍‌ଭେଷ୍ଟିଗେଟିଭ୍‌ ରିପୋର୍ଟିଂ ଇନ୍‌ ପବ୍ଲିକ୍‌ ହେଲ୍‌ଥ-୨୦୧୯ ଅଧୀନରେ ରିପୋର୍ଟର କାମ କରିଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Shraddha Ghatge

ଶ୍ରଦ୍ଧା ଘଟଗେ ମୁମ୍ବାଇର ଜଣେ ସ୍ଵାଧୀନ ସାମ୍ବାଦିକ ଏବଂ ଗବେଷକ

Other stories by Shraddha Ghatge