ଚାରୁବାଲା କାଳିନ୍ଦୀଙ୍କ ହାତରେ ରଂଗୀନ କପଡ଼ା ଖଣ୍ଡକ ଉଜ୍ଜ୍ୱଳ ଦିଶୁଥିଲା, ମୁହୂର୍ତ୍ତଟିଏ ପାଇଁ ବିଜୁଳି ଝଟକିବା ଭଳି। ଲାଲ୍‌ ଏବଂ ବ୍ଲୁ ରଂଗର ଘାଗରା ଝୁମର ଗୀତର ତାଳରେ ଘୁରୁଥିଲା। ନୃତ୍ୟ ସଂଗୀତର ପ୍ରଦର୍ଶନ ଆରମ୍ଭ ପାଇଁ ବାଦ୍ୟକାରମାନେ ଏକାଠି ହୋଇଥିଲେ। 

ପଶ୍ଚିମବଙ୍ଗ ଆର୍ଶା ତାଲୁକର ସେନାବଣ ଗାଁରେ ଚାଲିଛି ପ୍ରଦର୍ଶନ - ଦେଖଣାହାରି ୮୦-୯୦ ଜଣ ଲୋକ - ବୃଦ୍ଧ ଓ ଯୁବକ, ପୁରୁଷ, ମହିଳା ଏବଂ ଛୋଟପିଲା। ଯଦିଓ ଚାରୁବାଲାଙ୍କ ବୟସ ୬୫, ତଥାପି ତାଙ୍କ ନୃତ୍ୟରେ ବେଶ୍ ଚମକ ଥିଲା। 

କୁହାଯାଏ ନୃତ୍ୟ ଶିଳ୍ପୀ ପିନ୍ଧିଥିବା ଘୁଙ୍ଗୁର ସ୍ୱରରୁ ‘ଝୁମର’ ଶବ୍ଦ ଆସିଛି। ଏ ପ୍ରକାର ନୃତ୍ୟ ବିଶେଷକରି ପଶ୍ଚିମବଙ୍ଗର ଦକ୍ଷିଣ-ପଶ୍ଚିମ ଭାଗରେ ଏବଂ ଏହି ଅଞ୍ଚଳକୁ ଲାଗି ରହିଥିବା ଝାଡ଼ଖଣ୍ଡର କିଛି ଅଞ୍ଚଳରେ ବେଶ ଲୋକପ୍ରିୟ (ଆସାମରେ ଏହାର ଅନ୍ୟ ଏକ ସଂସ୍କରଣ ଦେଖିବାକୁ ମିଳେ)। ପାରମ୍ପରିକ ଝୁମର ଗୀତ ଲେଖିଥିବା ଅନେକ କବି ଦଳିତ ଜାତିର, ସେମାନଙ୍କର କିଛି ସଂଗୀତରେ ସାମାଜିକ ପ୍ରସଙ୍ଗ ଏବଂ ମରୁଡ଼ି, ବନ୍ୟା, ରାଜନୀତି ସହ ଅନ୍ୟାନ୍ୟ ସାମାଜିକ ବ୍ୟାଧି ସ୍ଥାନ ପାଇଥାଏ। ରାଧା-କୃଷ୍ଣଙ୍କ ପ୍ରେମ ଓ ପ୍ରତୀକ୍ଷା ଝୁମର ସଂଗୀତର ଆଉ ଏକ ପ୍ରଚଳିତ ବିଷୟବସ୍ତୁ। 

ଏଥିରୁ ଅନେକ ବିଷୟ ଚାରୁବାଲାଙ୍କ ନିଜ ଜୀବନରେ ପ୍ରତିଫଳିତ ହୋଇଛି। ଏକଦା ସେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ପୁରୁଲିଆ (ଜନଗଣନାରେ ପୁରୁଲିୟା) ଦ୍ୱିତୀୟ ତାଲୁକର ବେଲମା ଗାଁରେ ରହୁଥିଲେ। ତାଙ୍କୁ ଯେତେବେଳେ ୧୬-୧୭ ବର୍ଷ ହୋଇଥିଲା, ତାଙ୍କ ବାପା ମୋହନ କାଳିନ୍ଦୀ ତାଙ୍କୁ ପାଖ ଦୁମଦୁମି ଗାଁର ଶଙ୍କର କାଳିନ୍ଦୀଙ୍କ ସହ ବିବାହ କରାଇ ଦେଇଥିଲେ। ତାଙ୍କ ପରିବାର କାଳିନ୍ଦୀ ସଂପ୍ରଦାୟର। ପଶ୍ଚିମବଙ୍ଗରେ ଏହି ସଂପ୍ରଦାୟ ଅନୁସୂଚିତ ଜାତି ବର୍ଗରେ ତାଲିକାଭୁକ୍ତ ହୋଇଛି। ଏମାନେ ସାଧାରଣତଃ କୃଷି ଶ୍ରମିକ ଏବଂ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି।

ଶଙ୍କରଙ୍କୁ ସେତେବେଳେ ୨୦ ବର୍ଷ, ସେ ମଧ୍ୟ ଯେତେବେଳେ ଯାହା ମିଳୁଥିଲା ମୂଲ ମଜୁରୀ କରୁଥିଲେ। ତେବେ ସେ ତାଙ୍କୁ ଶାରୀରିକ ନିର୍ଯାତନା ଦେଲେ। ମାଡ଼ ସହି ନପାରି ଚାରୁବାଲା ତାଙ୍କୁ ଛାଡ଼ି ବାପ ଘରକୁ ଚାଲି ଆସିଲେ। କିନ୍ତୁ ମୋହନ ତାଙ୍କୁ ଘରେ ରଖିବାକୁ ମନା କରିଦେଲେ। ସେ ଏତେ ଗରିବ ଯେ, ତାଙ୍କୁ ରଖିବା ପାଇଁ ସମ୍ବଳ ନଥିବା କହିଲେ। ଫଳରେ ଚାରୁବାଲା କିଛି ଦିନ ପାଇଁ ବେଘର ହୋଇ ରାସ୍ତା ଉପରେ ଜୀବନ କାଟିଲେ।

A Man helping dancer getting ready before her performance
PHOTO • Abhijit Chakraborty

ପ୍ରଦର୍ଶନ ପୂର୍ବରୁ ବେଶ ହେବାରେ ଚାରୁବାଲାଙ୍କୁ ଶ୍ରବଣ ସହାୟତା କରୁଛନ୍ତି

ଏହା ହେଉଛି ସେହି ସ୍ଥାନ, ଯେଉଁଠି ସେ ଶ୍ରବଣ କାଳିନ୍ଦୀଙ୍କୁ ଭେଟିଥିଲେ (ଉଭୟଙ୍କ ମଧ୍ୟରୁ କେହି ବର୍ଷ ମନେ ରଖି ନାହାନ୍ତି)। ଝୁମର କଳାକାର ଶ୍ରବଣ ତାଙ୍କୁ ସାଙ୍ଗରେ ଆଣିଥିଲେ। ନାଚୁଣୀ ହେବାକୁ ସେ ଚାରୁବାଲାଙ୍କୁ ତାଲିମ ଦେଇଥିଲେ। ଏଥିପାଇଁ ପଡ଼ୋଶୀ ଗାଁରେ ଥିବା ଅନ୍ୟ ଜଣେ ନାଚୁଣୀ ବିମଳା ସର୍ଦ୍ଦାରଙ୍କ ସହାୟତା ନେଇଥିଲେ। ୭୫ ବର୍ଷୀୟ ଶ୍ରବଣ ଏବେ ଚାରୁବାଲାଙ୍କ ରସିକ - ତାଙ୍କ ପରିଚାଳକ, ଗୁମାସ୍ତା ଏବଂ ନୃତ୍ୟ ସଂଯୋଜକ। ସେ ମଧ୍ୟ ବାଉଲ, ଭଦୁ, ଛଉ, କରମ କୀର୍ତ୍ତନ, ଟୁସୁ, କୀର୍ତ୍ତନ ଏବଂ ଅନ୍ୟାନ୍ୟ କଳା ସଂଗଠନ ସହ ସଂପୃକ୍ତ। ଏହା ସହ ସେ ବେଳେବେଳେ କୃଷି ଶ୍ରମିକ ଭାବେ ମଧ୍ୟ କାମ କରନ୍ତି। 

ଜଣେ ରସିକଙ୍କୁ କବିତା ଏବଂ ସଂଗୀତ ବିଶେଷଜ୍ଞ ଭାବେ ବିବେଚନା କରାଯାଏ। ନାଚୁଣୀଙ୍କ ସହ ତାଙ୍କର ଶାରୀରିକ ସଂପର୍କ ଥାଏ, ଯାହା ବେଳେବେଳେ ମହିଳାଙ୍କ ପାଇଁ ପ୍ରତାରଣା ପାଲଟିଥାଏ। ଅନ୍ୟ ରସିକମାନଙ୍କ ପରି ଶ୍ରବଣ ମଧ୍ୟ ବିବାହିତ। ତାଙ୍କର ବଡ଼ ପରିବାର। ସ୍ତ୍ରୀ ସରଳା, ପୁଅ, ଝିଅ, ବୋହୂ ଏବଂ ନାତି ନାତୁଣୀ ଅଛନ୍ତି। ତେବେ ତାଙ୍କ ଔରସରୁ ଚାରୁବାଲା ଗୋଟିଏ ଝିଅ ଜନ୍ମ କରିଛନ୍ତି। ତାଙ୍କ ନାଁ କମଳା। ୨୪-ବର୍ଷୀୟ କମଳା ବିବାହିତା ଏବଂ ଉତ୍ତର ପ୍ରଦେଶ ପଳାଇଛନ୍ତି। 

ବଡ଼ ପରିବାର ପାଇଁ ରୋଜଗାରର ଚାପ ଯୋଗୁଁ ଏ ବୟସରେ ମଧ୍ୟ ଚାରୁବାଲା ନାଚୁଛନ୍ତି। କିନ୍ତୁ ଶ୍ରବଣଙ୍କ ସ୍ତ୍ରୀ ହେବାର ସମ୍ମାନ ହାସଲ କରିପାରିନାହାନ୍ତି। ଏବେ ବି ଶ୍ରବଣଙ୍କ ସ୍ତ୍ରୀ ସରଳା ତାଙ୍କୁ ଗ୍ରହଣ କରିବାକୁ ରାଜି ନୁହନ୍ତି। 

ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପ୍ରତି ଶୋ’ରେ ଚାରୁବାଲା ୧,୦୦୦ ଟଙ୍କା ରୋଜଗାର କରନ୍ତି; ଏହି ଶୋ’ ଗୁଡ଼ିକ ୧ ଘଣ୍ଟାରୁ ୧.୫ ଘଣ୍ଟା ପର୍ଯ୍ୟନ୍ତ ଚାଲେ। ଏ ବୟସରେ ଚାରୁବାଲା ମାସରେ ଗୋଟିଏ କିମ୍ବା ଦୁଇଟି ଶୋ କରିପାରନ୍ତି। ସେହିପରି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମାସକୁ ୧,୦୦୦ ଟଙ୍କା ଲୋକ କଳାକାର ଭାବେ ଭତ୍ତା ପାଆନ୍ତି। 

ପ୍ରାୟ ଅକ୍ଟୋବରରୁ ମେ ମାସ ପର୍ଯ୍ୟନ୍ତ ଝୁମର ସମୟରେ ପୂଜା କମିଟି ଏବଂ କ୍ଳବ୍ ଗୁଡ଼ିକ ଶୋ’ ଆୟୋଜନ କରିଥାନ୍ତି। ଏହି ଶୋ’ ଗୁଡ଼ିକ ରାତି ତମାମ ଚାଲେ। ଏହି ସମୟରେ ଜଣେ ନାଚୁଣୀଙ୍କୁ ଅତି କମ୍‌ରେ ପାଞ୍ଚ ଘଣ୍ଟା ପାଇଁ ନୃତ୍ୟ ଗୀତ ପ୍ରଦର୍ଶନ କରିବାକୁ ପଡ଼େ। ଏଥିପାଇଁ ୫ ରୁ ୬ ଜଣିଆ ଦଳ ୬,୦୦୦ ରୁ ୮,୦୦୦ ଟଙ୍କା ନେଇଥାନ୍ତି। ସେମାନଙ୍କ ଭିତରେ ଏହି ଟଙ୍କା ବଣ୍ଟା ଯାଇଥାଏ। ସହଯୋଗୀ ବାଦ୍ୟକାରମାନେ ଢୋଲ (ଦୁଇ ପାର୍ଶ୍ୱ ଥିବା ଡ୍ରମ୍), ଗୋଟିଏ ମାଦଳ (ପୋଲା କାଠ ଗଣ୍ଡିରେ ତିଆରି ଦୁଇ ପାର୍ଶ୍ୱର ଏକ ଛୋଟ ଡ୍ରମ୍), ଗୋଟିଏ ଧାମ୍‌ସା (ଏକ କେଟିଲ୍‌ ଡ୍ରମ୍), ଗୋଟିଏ ମରକସ୍ (ଶୁଖିଲା ବିନ୍ ଭର୍ତ୍ତି ହୋଇଥିବା ଏକ ଲାଉ ତୁମ୍ବା ବା ଲାଉ ଆକୃତିର ଖୋଳ) ଏବଂ ଶାହାନାଇ। 

ଏହି କାମକୁ ଚାରୁବାଲା ତାଙ୍କ ଲକ୍ଷ୍ୟସ୍ଥଳ ଭାବେ ଗ୍ରହଣ କରି ନେଇଛନ୍ତି। ଶୁଖିଲା ହସଟିଏ ହସି ଚାରୁବାଲା କହିଲେ, ‘‘ଆଉ କଣ ଅଧିକ କରାଯାଇ ପାରିଥାନ୍ତା? ଯଦି ନାଚୁଣୀ ହେବା ପାଇଁ ଭଗବାନ ମୋ ଭାଗ୍ୟରେ ଲେଖିଛନ୍ତି, ତାକୁ ବଦଳାଇ ଦେବାକୁ ମୁଁ କିଏ? ଏଇ ବେଉ​‌ଷା ଛାଡ଼ିଲେ ମୁଁ କଣ ଖାଇବି?’’ 

A man helping performer to get ready for the performer
PHOTO • Abhijit Chakraborty

୭୫ ବର୍ଷୀୟ ଶ୍ରବଣ, ଚାରୁବାଲାଙ୍କ ପ୍ରଦର୍ଶନର ପରିଚାଳକ, ଗୁମାସ୍ତା ଏବଂ ସଂଯୋଜକ। ସେ ମଧ୍ୟ ଜଣେ ରସିକ। କବିତା ଏବଂ ସଂଗୀତ ବିଷାରଦ ଭାବେ ଏମାନଙ୍କୁ ବିବେଚନା କରାଯଏ। ଜଣେ ନାଚୁଣୀ ଓ ଜଣେ ରସିକଙ୍କ ମଧ୍ୟରେ ସାଧାରଣତଃ ଶାରୀରିକ ସଂପର୍କ ଥାଏ।

Photo one - Charubala’s rasik Shravan Kalindi at their home.
Photo two - Shravan helps Charubala dress for her performance
photo three - Charubala chatting with dholak player 
photo four - A performer getting ready
PHOTO • Abhijit Chakraborty

ଉପର ଧାଡ଼ି: ଶ୍ରବଣ କାଳିନ୍ଦୀ ଓ ଚାରୁବାଲା ଶୋ’ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତଳ ବାମପାର୍ଶ୍ୱ: ତାଙ୍କ ଦଳରେ ଲମ୍ବା ସମୟ ଧରି ରହିଥିବା ଢୋଲକ ବାଦକ ତଥା ତାଙ୍କ ପଡୋଶୀ ୬୦ ବର୍ଷୀୟ ଚେପୁ କାଳିନ୍ଦୀ ଓ ତାଙ୍କ ପତ୍ନୀ ପଦ୍ମାଙ୍କ ସହ ତାଙ୍କ ସେନାବଣ ସ୍ଥିତ ଘରେ ଚାରୁବାଲା କଥା ହେଉଛନ୍ତି। ଝୁମର ସମୟକୁ ଛାଡିଦେଲେ ଅନ୍ୟବେଳେ କୃଷି ଶ୍ରମିକ ଓ ନିର୍ମାଣ ଶ୍ରମିକ ଭାବେ ଚେପୁ କାମ କରନ୍ତି। ଡାହଣ ପାର୍ଶ୍ୱ ତଳ: ସୁରୁଲିଆ ଗାଁରେ ପ୍ରଦର୍ଶନ ପୂର୍ବରୁ ଚେପୁ ବେଶ ହେଉଛନ୍ତି; ଆର୍ଥିକ ସ୍ଥିତି ଭଲ ନଥିବା ସତ୍ତ୍ୱେ ସେ ସୌଖିନ ସ୍ୱଭାବର। ସେ ଅନ୍ୟ ଦଳଙ୍କ ସହ ମଧ୍ୟ ପ୍ରଦର୍ଶନ କରନ୍ତି। 

A boy applies makeup to his face
PHOTO • Abhijit Chakraborty
A boy plays with the dholak drum
PHOTO • Abhijit Chakraborty

ବାମ: ଚାରୁବାଲାଙ୍କ ୧୨- ବର୍ଷର ନାତି ମହେଶ୍ୱର କାଳିନ୍ଦୀ ମଧ୍ୟ ଶୋ’ ପାଇଁ ଯତ୍ କିଞ୍ଚିତ ପୋଷାକ ପିନ୍ଧିଛନ୍ତି, ଯଦିଓ ଛୋଟ ପିଲାମାନେ ଝୁମର ପରିବେଷଣ କରନ୍ତି ନାହିଁ। ଡାହଣ: କିନ୍ତୁ ଝୁମର ପରିବେଷଣ କରୁଥିବା ଅଧିକାଂଶ ପରିବାରର ପିଲାମାନେ ଛୋଟ ବେଳରୁ ସଂଗୀତ ଶିଖିବା ଆରମ୍ଭ କରନ୍ତି। ଏଠାରେ, ଦଳର ସଦସ୍ୟ ଶାନ୍ତିରାମଙ୍କ ପୁଅ ମଙ୍ଗଳ, ଖାଦୁ କାଳିନ୍ଦୀଙ୍କ ଘରେ ଢୋଲକ ବଜାଉଛନ୍ତି। ଖାଦୁ ଚାରୁବାଲାଙ୍କ ଦଳର ସଦସ୍ୟ ଓ ତାଙ୍କ ପଡ଼ୋଶୀ ମଧ୍ୟ।

Charubala walks to the open space
PHOTO • Abhijit Chakraborty

ବେଶ ସରିଛି, ଏବେ ଶୋ ସମୟ: ଚାରୁବାଲା ସେନାବଣ ଗାଁରେ ପ୍ରଦର୍ଶନ ପାଇଁ  ଖୋଲା ସ୍ଥାନକୁ ଯାଉଛନ୍ତି - ବୈଶାଳ ବା ନାଚୁଣୀଶାଳ ବା ଆଖଡ଼ା କୁହନ୍ତି 

A performer taking his entry into the performance arena
PHOTO • Abhijit Chakraborty

ଏବଂ ଶ୍ରବଣ କାଳିନ୍ଦୀଙ୍କ ପାଇଁ ମଧ୍ୟ ଏହା ପରିବେଷଣ ସ୍ଥଳକୁ ଯିବାର ସମୟ

Charubala performing in the public
PHOTO • Abhijit Chakraborty

ପରିବେଷଶ ପୂର୍ବରୁ ଚାରୁବାଲା ବିଧି ପୂର୍ବକ ଭଗବାନ ଓ ଗୁରୁଙ୍କୁ ପ୍ରାର୍ଥନା କରୁଛନ୍ତି। ତାଙ୍କ ସହ ଅଛନ୍ତି (ବାମରୁ ଡାହଣ) ଭଜନ କାଳିନ୍ଦୀ, ଖାଡ଼ୁ କାଳିନ୍ଦୀ (ଆଂଶିକ ଦେଖାଯାଉଛନ୍ତି) ଓ ଚରଣ ମହାତୋ। ଭଜନ ଓ ଚରଣ ଏହି ଦଳର ନିୟମିତ ସଭ୍ୟ ନୁହନ୍ତି, ସେମାନେ ଆସନ୍ତି, ଯାଆନ୍ତି। 

Chepu and Amrito plying drums together
PHOTO • Abhijit Chakraborty

ପୁରୁଲିଆ ଗ୍ରାମବାସୀମାନେ ଚାରୁବାଲାଙ୍କ ନୃତ୍ୟ ଦେଖୁଛନ୍ତି, ଚେପୁ କାଳିନ୍ଦୀ ଢୋଲକ ବଜାଉଛନ୍ତି ଓ ଅମୃତ ମହାତୋ ଧାମ୍‌ସା ବଜାଉଛନ୍ତି। 

Chepu and Amrito playing drum together
PHOTO • Abhijit Chakraborty

ଚେପୁ ଓ ଅମୃତ ପ୍ରଦର୍ଶନରେ ମଜ୍ଜି ଯାଇଛନ୍ତି। ଝୁମର ସମୟରେ ବାଦ୍ୟକାରମାନେ ଶୋ’ ପିଛା ୩୦୦-୪୦୦ ଟଙ୍କା ରୋଜଗାର କରନ୍ତି। ତେବେ​‌ ଚାରୁବାଲା ଓ ଶ୍ରବଣ ପ୍ରତ୍ୟେକେ ୧,୦୦୦ ରୁ ୧,୫୦୦ ଟଙ୍କା ପାଆନ୍ତି। 

An artist is playing drum
PHOTO • Abhijit Chakraborty

୬୦ ବର୍ଷରେ ମଧ୍ୟ ବେଶ ସ୍ଫୁର୍ତ୍ତି ଥିବା ଚେପୁ କାଳିନ୍ଦୀ ଲୟରେ ବିଭୋର ଅଛନ୍ତି

A women in blue saree is performing
PHOTO • Abhijit Chakraborty
Charubala performing in public
PHOTO • Abhijit Chakraborty

ବାମ: ଚାରୁବାଲା କାଳିନ୍ଦୀ ନୋଟ୍ ଧରି ନୃତ୍ୟ କରୁଛନ୍ତି- ୧୦ ଟଙ୍କିଆ ଏପରିକି ବେଳେବେଳେ ୧୦୦ ଟଙ୍କିଆ - ଦର୍ଶକମାନେ ତାଙ୍କ ଶାଢୀରେ ଗୁନ୍ଥି ଦେଇଥାନ୍ତି। ପ୍ରେମ, ଭକ୍ତି, ପ୍ରତିକ୍ଷା ଏବଂ ଆକାଂକ୍ଷା ଆଦି ବିଷୟବସ୍ତୁକୁ ଜଣେ ନାଚୁଣୀଙ୍କ ପରିବେଷଣ ସ୍ପର୍ଶ କରିଥାଏ। ପ୍ରଥମେ ଏକ ଉପକ୍ରମରୁ ପ୍ରଦର୍ଶନ ଆରମ୍ଭ ହୁଏ, ଏହା ପରେ ଭକ୍ତି ସଂଗୀତ। ଧୀରେ ଧୀରେ ସଂଗୀତ ଆଗକୁ ଯିବା ସହ ଲୟ ଜୋରଦାର ହୁଏ ଏବଂ ଅଧିକ ବିଷୟାସକ୍ତ ହୁଏ। ଡାହାଣ: ଝୁମର ଗୀତରେ ମୁଖ୍ୟତଃ ରାଧା ଓ କୃଷ୍ଣଙ୍କ ପ୍ରେମ କେନ୍ଦ୍ରିତ ହୋଇଥାଏ। ରସିକ ସାଧାରଣତଃ କୃଷ୍ଣ ଭୂମିକା ଏବଂ ନାଚୁଣୀ ରାଧା ଭୂମିକାରେ ଅଭିନୟ କରନ୍ତି। ଏଠାରେ ଚେପୁ କୃଷ୍ଣ ଭୂମିକାରେ ଅଛନ୍ତି। 

A group of women are smiling
PHOTO • Abhijit Chakraborty

ଅଭିଯୋଗ ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ନାଚୁଣୀ, ରସିକ ଓ ବାଦ୍ୟକାରମାନେ ସାଂଗଠନିକ ବୈଠକରେ ଏକାଠି ହୋଇଛନ୍ତି। ମନଭୂମ ଲୋକ ସଂସ୍କୃତି ଓ ନାଚନୀ ଉନ୍ନୟନ ସମିତିର ଅଂଶ ଭାବେ ଏକାଠି ହୋଇଛନ୍ତି। କୋଲକାତା ସ୍ଥିତ ଦରବାର ମହିଳା ସମନ୍ୱୟ କମିଟିର ଏହା ଏକ ସଂଗଠନ। ଏହି କମିଟି ମହିଳା ପୁରୁଷ ଓ ସମଲିଙ୍ଗୀ ଯୌନ କର୍ମୀଙ୍କ ପାଇଁ କାର୍ଯ୍ୟ କରେ। ସମିତର ସଂପାଦକ କୁହନ୍ତି, ସଂଗଠନରେ ୫୫ ଜଣ ନାଚୁଣୀ ଓ ରସିକ, ଏବଂ ପ୍ରାୟ ୪,୫୦୦ ଜଣ ବାଦ୍ୟକାର ଅଛନ୍ତି। ଏହି ଏନଜିଓ ସେନାବଣରେ ଏକ ସ୍କୁଲ ଚଳାଉଛି, ଏଠାରେ ଝୁମର ସହ ସଂଶ୍ଳିଷ୍ଟ ଥିବା ଲୋକଙ୍କ ପିଲାମାନେ ପଢନ୍ତି। ଚାରୁବାଲା ଏହି ସ୍କୁଲର ସ୍ୱେଚ୍ଛାସେବୀ। ସ୍କୁଲର ପାଣ୍ଠି ବୃଦ୍ଧି ପାଇଁ ସେ କାମ କରିବା ସହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି। 

A women is dancing
PHOTO • Abhijit Chakraborty

ବାମ: ସାଥୀ ନାଚୁଣୀ ଆରତୀ ମହାତୋ ଓ ମଞ୍ଜୁରା ହାଜରାଙ୍କ ସହ ଚାରୁବାଲା କାଳିନ୍ଦୀ ନାଚୁଛନ୍ତି। ଏମାନେ ତାଙ୍କ ପଡ଼ୋଶୀ ଗାଁର। ଏହା ସୌହାର୍ଦ୍ଦ୍ୟପୂର୍ଣ୍ଣ। ଏଠାରେ ଦର୍ଶକ ନାହାନ୍ତି କି ତାଳି ନାହିଁ 

ଏହି ଫଟୋ କାହାଣୀର ଏକ ଭିନ୍ନ ସଂସ୍କରଣ ଶାହାପେଡ଼ିଆରେ ଅକ୍ଟୋବର ୨୫, ୨୦୧୮ରେ ପ୍ରକାଶ ପାଇଥିଲା।  

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Abhijit Chakraborty

ଅଭିଜିତ୍ ଚକ୍ରବର୍ତ୍ତୀ କୋଲକାତା ଅଞ୍ଚଳର ଜଣେ ଫଟୋଗ୍ରାଫର। ତାଙ୍କର ସଂସ୍କୃତି ଓ ପରଂପରାରେ ରୁଚି ରହିଛି। ସେ ବେଳେବେଳେ ଲେଖାଲେଖି କରନ୍ତି। ସେ ଜଣେ ଗୀତିକାର ମଧ୍ୟ।

Other stories by Abhijit Chakraborty