ଗଛଟିକୁ ତାଙ୍କର ଜେଜେବାପା ଲଗାଇଥିଲେ। ଗଛ ଛାଇରେ ବସି ମହାଦେବ କାମ୍ବଲେ କହିଲେ, “ଏହାର ବୟସ ମୋ’ ଠାରୁ ଅଧିକ ।’’ ଏବେ ଟାଙ୍ଗରା ହୋଇପଡ଼ିଥିବା ତାଙ୍କର ୨ ଏକରର ଆମରାଇ (ଆମ୍ବ ବଗିଚାରେ)ରେ କେବଳ ଏହି ଗୋଟିଏ ମାତ୍ର ଗଛ ରହିଯାଇଛି ।

କାମ୍ବଲେ ଏବଂ ବାରଞ୍ଜ ମୋକସା ଗାଁର ଅନ୍ୟମାନେ କ’ଣ ପାଇଁ ଏପ୍ରିଲ ୧୧ ତାରିଖରେ ସାଂସଦ ହଂସରାଜ ଅହିରଙ୍କୁ କ୍ଷମତାଚ୍ୟୁତ କରିବେ ଏହି ଏକମାତ୍ର ଗଛଟି ତାହା ବର୍ଣ୍ଣନା କରୁଛି । ହଂସରାଜ ଅହିର ପୂର୍ବ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରୁ ୪ ଥର ଲୋକସଭାର ସାଂସଦ ରହିଛନ୍ତି । ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ସରକାରରେ ସେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି ।

ଏକ କୋଇଲା ଖଣି ପାଇଁ ତାଙ୍କର ଜମି ଅଧିଗ୍ରହଣ ସମୟରେ କାମ୍ବଲେଙ୍କ ବଗିଚାରେ ଥିବା ଅନ୍ୟ ସମସ୍ତ ଗଛଗୁଡ଼ିକୁ କାଟି ଦିଆଗଲା। ଗତ ୧୦ବର୍ଷ ମଧ୍ୟରେ ସେହି ଅଞ୍ଚଳରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏହି ପ୍ରକଳ୍ପ ଅନ୍ୟତମ ଯାହାକି ବାରଞ୍ଜ ମୋକସା (୨୦୧୧ ଜନଗଣନାରେ ବାରଙ୍ଗ ମୋକସା ଭାବେ ପଞ୍ଜିକୃତ)କୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଏହା ଦ୍ୱାରା  ଗାଁର ଲୋକମାନଙ୍କର ସମସ୍ତ ଜମି ଏବଂ ସମ୍ପତ୍ତି ଅଧିଗ୍ରହଣ ହେବା ସହିତ ଜୀବିକା ମଧ୍ୟ ଉଜୁଡ଼ିଯାଇଛି ।

ଏହା ମଧ୍ୟ ଗାଁର ପ୍ରାୟ ୧୮୦୦ ଲୋକଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ଯଦିଓ ପ୍ରକଳ୍ପ ପାଇଁ ବାରଞ୍ଜ ମୋକସାକୁ ଅଧିଗ୍ରହଣ କରାଯାଇଛି, ତେବେ ଲୋକମାନଙ୍କୁ ଥଇଥାନ କରାଯାଇନାହିଁ ।

Group of villagers assembled near a Temple.
PHOTO • Jaideep Hardikar
Three men sitting near a lamp post in a village.
PHOTO • Jaideep Hardikar
Men assembled near a temple.
PHOTO • Jaideep Hardikar

କୋଇଲା ଖଣି ପାଇଁ ବାରଞ୍ଜ ମୋକସା ପ୍ରାୟ ୫୦୦ ହେକ୍ଟରରୁ ଅଧିକ ଜମି ହରାଇଲା । କିଛି କାମ ନ ପାଇବା ଯୋଗୁ ଅନେକ ଲୋକ ଏବେ ବାହାରେ ସମୟ ଅତିବାହିତ କରୁଛନ୍ତି ।

୨୦୦୩ରେ ରାଜ୍ୟ ସରକାରଙ୍କ ଏକ ଉଦ୍ୟୋଗ କର୍ଣ୍ଣାଟକ ପାୱାର କର୍ପୋରେସନ୍ ଲିମିଟେଡ୍ (କେପିସିଏଲ) ବାରଞ୍ଜ କୋଇଲା ଖଣିର କ୍ୟାପ୍ଟିଭ୍ ବ୍ୟବହାର ପାଇଁ ଲିଜ୍ ହାସଲ କଲା। ଅର୍ଥାତ୍ ସେଥିରୁ ଉତ୍ତୋଳିତ ହେବାକୁ ଥିବା କୋଇଲାକୁ କେବଳ ତାର ନିଜସ୍ୱ କାର୍ଯ୍ୟ ପାଇଁ ବ୍ୟବହାର କରିହେବ। ଏହି କ୍ଷେତ୍ରରେ କର୍ଣ୍ଣାଟକରେ ଶକ୍ତି ଉତ୍ପାଦନ କରିବା ପାଇଁ। କେପିସିଏଲ୍ ଭାରତର ବୃହତ ଘରୋଇ କୋଇଲା ଖଣି କଂପାନି ମଧ୍ୟରୁ ଅନ୍ୟତମ ଇଷ୍ଟର୍ଣ୍ଣ ମାଇନିଙ୍ଗ ଆଣ୍ଡ ଟେଡ୍ରିଂ ଏଜେନ୍ସି (ଇଏମ୍‌ଟିଏ)କୁ ଖଣିର ଅପରେସନାଲ୍ ଲିଜ୍ ପ୍ରଦାନ କଲା। ଏଥିପାଇଁ ଏକ ଯୌଥ ଉଦ୍ୟୋଗ ଦ କର୍ଣ୍ଣାଟକ- ଇଏମ୍‌ଟିଏ କଂପାନି ଲିମିଟେଡ୍ (କେଇସିଏଲ୍) ଗଠିତ ହେଲା ।

୨୦୦୮ ସୁଦ୍ଧା କେଇସିଏଲ ବାରଞ୍ଜ ମୋକସା, ନିକଟବର୍ତ୍ତୀ ଚେକ୍ ବାରଞ୍ଜକୁ ମିଶାଇ ୭ଟି ଗାଁରେ ପରିବ୍ୟାପ୍ତ ୧୪୫୭.୨ ହେକ୍ଟର ଜମି ଅଧିଗ୍ରହଣ କଲା । ବାରଞ୍ଜ ମୋକସାର ପ୍ରାୟ ୫୫୦ ହେକ୍ଟର ଜମି ଅଧିକୃତ ହେଲା । ସେଥିମଧ୍ୟରୁ ୫୦୦ ହେକ୍ଟର ହେଉଛି କୋଇଲା ଖଣି ଏବଂ ବଳକା ଜମିକୁ ରାସ୍ତା, ଅଳିଆ ପକାଇବା ସ୍ଥାନ, ଅଫିସ୍ ଏବଂ ଅନ୍ୟ କାମ ପାଇଁ ଅଧିଗ୍ରହଣ କରାଗଲା । ଏହି ଖଣିଗୁଡ଼ିକରେ ପ୍ରାୟ ୬୮ ନିୟୁତ ମେଟ୍ରିକ୍ ଟନ୍ ରିଜର୍ଭ ରହିଛି। କିମ୍ବା ପ୍ରତି ବର୍ଷ ଏଥିରୁ ୨.୫ ନିୟୁତ ଟନ୍ କୋଇଲା ଖନନ କରିହେବ ବୋଲି ଆକଳନ କରାଯାଇଛି ।

ନାଗପୁରସ୍ଥିତ ସେଣ୍ଟର ଫର ପିପୁଲ୍ସ କଲେକ୍ଟିଭର ପ୍ରବୀଣ ମୋଟେଙ୍କ ଦ୍ୱାରା ଏକ୍ରତିତ କରାଯାଇଥିବା ତଥ୍ୟ ଅନୁସାରେ ଗତ ୧୫ ବର୍ଷ ହେଲା ଏହିପରି ଚନ୍ଦ୍ରପୁର ଜିଲ୍ଲାର ପ୍ରାୟ ୫୦ ଟି ଗାଁର ମୋଟ ୭୫,୦୦୦-୧୦୦,୦୦୦ ଲୋକ ସରକାରୀ ଏବଂ ଘରୋଇ କ୍ଷେତ୍ରର ଖଣି ଯୋଗୁ ବିସ୍ଥାପିତ ହୋଇଛନ୍ତି ।

‘ଟଙ୍କା ବଣ୍ଟନ କରାଗଲା । ସେମାନେ ଆମର ଜମି ଓ ଘର ହାସଲ କରିବା ଲାଗି ଆମ ମଧ୍ୟରୁ କେତେଜଣଙ୍କୁ ଲାଞ୍ଚ ଦେଲେ। ଏହାଯୋଗୁ ସଂପର୍କୀୟ ଓ ପରିବାର ପରସ୍ପର ସହ ଲଢିଲେ । ଗାଁରେ ରକ୍ତପାତ ହେଲା ।’

ଭିଡିଓ ଦେଖନ୍ତୁ: ‘ଏଠାରେ ଗ୍ରାମବାସୀ ଏଥରକ ବିଜେପିକୁ ବିରୋଧ କରୁଛନ୍ତି ।’

ରାଜ୍ୟ ସରକାରଙ୍କ ମଧ୍ୟସ୍ଥତା ବିନା କେଇସିଏଲ୍ ସିଧାସଳଖ ଜମି କିଣିବା ଲାଗି ବାଛିଲା। ବାରଞ୍ଜ ମୋକସାରେ  ଗ୍ରାମବାସୀମାନେ ସେମାନଙ୍କର ପ୍ଲଟର ଅବସ୍ଥିତି ଏବଂ ଗୁଣବତ୍ତା ଅନୁସାରେ ଏକର ପିଛା ୪-୫ ଲକ୍ଷ ଟଙ୍କା, ୭୫୦ ବର୍ଗଫୁଟର ଘର ଏବଂ ଅନ୍ୟାନ୍ୟ ସମ୍ପତ୍ତି ପାଇଲେ ।

କିନ୍ତୁ ସେମାନେ ଏକ ଉଚିତ୍ ପୁନର୍ବାସ ପ୍ୟାକେଜ୍-ଜମିର ଅଧିକ ଦାମ୍, ଖଣିଠାରୁ ଦୂରରେ ଗୋଟିଏ ନୂଆ ଗାଁରେ ସେମାନଙ୍କୁ  ଥଇଥାନ କରାଯିବା, ବିସ୍ଥାପିତ ପରିବାରର ଅତି କମରେ ଜଣଙ୍କୁ ସ୍ଥାୟୀ ଚାକିରି ପ୍ରଦାନ କରାଯିବା ଦାବି କଲେ। ଯଦିଓ ଇଏମଟିଏ ଏକ ଘରୋଇ କଂପାନି, ତେବେ ଏହା ଏକ ରାଜ୍ୟ ସରକାରଙ୍କ ସହ ଏକ ଯୌଥ ଉଦ୍ୟୋଗ ଥିଲା ଏବଂ ସରକାର ଉଚିତ କ୍ଷତିପୂରଣ ପ୍ରଦାନ ଲାଗି ମଧ୍ୟସ୍ଥତା କରିପାରିଥାନ୍ତେ ।

ତେଣୁ ଗ୍ରାମବାସୀମାନେ ସେମାନଙ୍କର ସାଂସଦ ଅହିର ସେମାନଙ୍କର ଦାବିକୁ ସୁନିଶ୍ଚିତ କରିବେ ବୋଲି ଆଶା କରୁଥିଲେ। ନିଜର ପରିତ୍ୟକ୍ତ ଘରକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ରାସ୍ତାରେ ଯାଉଯାଉ ଜଣେ ଯୁବ ଦଳିତ ସାମାଜିକ କର୍ମୀ ସଚିନ ଚାଲଖୁରେ କହିଲେ, “କିନ୍ତୁ ଆମକୁ ନେଇ ବହୁତ ଦୂରରେ ଥିବା ଏକ ପୁନର୍ବାସ ସ୍ଥାନ ଦେଖାଇ ଦିଆଗଲା । ସେଠାରେ କୌଣସି ପ୍ରକାର ସୁବିଧା ନଥିଲା । ତେଣୁ ଆମେ ସେ ସ୍ଥାନକୁ ପ୍ରତ୍ୟାଖ୍ୟାନ କଲୁ।’’ ଚାଲଖୁରେ ଘରୋଇ ଏବଂ ସରକାରୀ ଖଣି ଦ୍ୱାରା ପ୍ରଭାବିତ ହୋଇଥିବା ନିଜ ଗାଁ ଏବଂ ଏହି ଅଞ୍ଚଳର ଅନ୍ୟ ଗାଁ ଲାଗି ପୁନର୍ବାସ ପ୍ରଦାନ ଦାବିରେ ହେଉଥିବା ଆନ୍ଦୋଳନର ପୁରୋଧା ରହିଆସିଛନ୍ତି ।

ଅନେକଗୁଡ଼ିଏ ବୈଠକ କରାଗଲା । ଅନେକ ବିକ୍ଷୋଭ ଆୟୋଜିତ ହେଲା । କିନ୍ତୁ ଲୋକମାନେ ବିଭକ୍ତ ହୋଇରହିଲେ । ଦୁଇ ଜଣ ବଡ଼ ଜମିଦାର ପ୍ରଥମେ ସେମାନଙ୍କର ଜମି ବିକ୍ରି କଲେ । ସେହି ଦୁଇଜଣଙ୍କର ଦେହାନ୍ତ ହୋଇସାରିଛି ଏବଂ ସେମାନଙ୍କ ପରିବାର ଲୋକେ ଗାଁ ଛାଡ଼ି ସାରିଛନ୍ତି । ପୂର୍ବତନ ସରପଞ୍ଚ ବାବା ମହାକୁଲକାର କହିଲେ, “ସ୍ୱର୍ଗତ ରାମକୃଷ୍ଣ ପାରକର ଏବଂ ସ୍ୱର୍ଗତ ନାରାୟଣ କାଲେ ପ୍ରଥମ ଜମିଦାର ଥିଲେ ଯେଉଁମାନେ କି ସେମାନଙ୍କର ଜମିକୁ ଇଏମଟିଏକୁ ବିକ୍ରି କରିଥିଲେ ।’’

Vinod Meshram, the village development officer, sitting in the modest gram panchayat office of Baranj Mokasa.
PHOTO • Jaideep Hardikar
Sachin Chalkhure, a young Dalit activist, standing near his abandoned house.
PHOTO • Jaideep Hardikar

ବିନୋଦ ମେଶରାମ (ବାମ) କହିଲେ, ‘ଏଠାକାର ପ୍ରତି ଇଞ୍ଚ (ଏବେ) ହେଉଛି କଂପାନିର।’ ସଚିନ୍ ଚାଲଖୁରେ(ଡାହାଣ) କହିଲେ, ‘ଏଠାରେ ଶ୍ରମିକମାନଙ୍କର ବହୁଳତା, କାମର ସଙ୍କଟ ସୃଷ୍ଟି ହୋଇଛି ।’

ଚାଲଖୁରେ ଯୋଗ କଲେ, “ଟଙ୍କା ବଣ୍ଟନ କରାଗଲା ।’’  “ସେମାନେ ଆମର ଜମି ଓ ଘର ପାଇବା ପାଇଁ ଆମ ମଧ୍ୟରୁ କିଛି ଜଣଙ୍କୁ ଲାଞ୍ଚ ଦେଲେ ।  ସଂପର୍କୀୟ ଓ ପରିବାର ଲୋକେ ପରସ୍ପର ସହ ଲଢେଇ କଲେ । ଗାଁରେ ରକ୍ତପାତ ହେଲା । ଏହାଛଡ଼ା କୋଇଲା ଖଣିରେ ଚାକିରି ପାଇବେ ବୋଲି ଆଶା କରି କିଛି ଲୋକ ପ୍ରାଥମିକ ଭାବେ ସ୍ୱେଚ୍ଛାକୃତ ଭାବେ ଜମି ଦାନ କଲେ ।’’

ଥରେ ଖଣି କାମ ଆରମ୍ଭ ହୋଇଯିବା ପରେ - ପ୍ରଥମେ ଏକ ଛୋଟ ପ୍ଲଟରୁ ଆରମ୍ଭ ହୋଇ ବଡ଼ ଅଞ୍ଚଳକୁ ପରିବ୍ୟାପ୍ତ ହେଲା। ଯେଉଁମାନେ ଜମି ଦେଇନଥିଲେ ସେମାନଙ୍କ ନିକଟରେ ସେମାନଙ୍କର ଜମିକୁ ଦେବା ବ୍ୟତୀତ ଅନ୍ୟ ବିକଳ୍ପ ଉପାୟ ନଥିଲା । ଗାଁ ବିକାଶ ଅଧିକାରୀ ବିନୋଦ ମେସରାମ ବରାଞ୍ଜ ମୋକାସାର ଗ୍ରାମ ପଞ୍ଚାୟତ ଅଫିସରେ ବସି କହିଲେ, “ଏଠାରେ ପ୍ରତି ଇଞ୍ଚ (ଏବେ) କୋଇଲା ଉତ୍ତୋଳନ କରୁଥିବା କଂପାନିର ।’’ ‘‘ଏହି ଅଫିସ୍ ମଧ୍ୟ ।’’

ଏହି ପ୍ରକ୍ରିୟାରେ, ଗ୍ରାମର ଲୋକମାନେ ସେମାନଙ୍କର ମୁଖ୍ୟ ବେଉସା ଚାଷକୁ ହରାଇଲେ । ଭୂମିହୀନମାନେ କିଛି ପାଇଲେ ନାହିଁ ଏବଂ ସେମାନଙ୍କର କାମର ମୁଖ୍ୟ ଉତ୍ସ-କୃଷିକ୍ଷେତରେ କାମ କରିବାକୁ ହରାଇଲେ। ଚାଲଖୁରେ କହିଲେ “ଖଣି ଯୋଗୁଁ କିଛି ଲୋକ ଚାକିରି ପାଇଲେ, କିନ୍ତୁ ଯେତେବେଳେ ଏହାର କାମ ବନ୍ଦ ହୋଇଗଲା ଚାକିରି କମିଗଲା ।’’

ଖଣିରେ ପୂର୍ବରୁ କିରାଣୀ ଭାବେ କାମ କରୁଥିବା ରମା ମାଟ୍ଟେ କହିଲେ, କିଛି ଦିନ ଧରି ଖଣି ଯୋଗୁଁ  ପ୍ରାୟ ୪୫୦ ଲୋକ ଚାକିରି ପାଇଲେ। ସେମାନଙ୍କ ମଧ୍ୟରୁ ବରାଞ୍ଜ ମୋକସାର ୧୨୨ ଜଣ ଥିଲେ। ସେମାନେ କିରାଣୀ, ଗାର୍ଡ ବା ମୂଲିଆ ଭାବେ କାମ ପାଇଲେ ।  ନିଜ ଚାକିରି ହରାଇବା ପରେ ମାଟ୍ଟେ ଜଣେ ମିସ୍ତ୍ରୀ ଭାବେ ୩ ବର୍ଷ ଧରି କାମ କଲେ। ଗତ ବର୍ଷ ସେ ତାଙ୍କ ଗାଁଠାରୁ ପ୍ରାୟ ୪ କିମି ଦୂର ନାଗପୁର-ଚନ୍ଦ୍ରପୁର ରୋଡ୍‌ରେ ଥିବା ଭଦ୍ରାବତୀ ସହରରେ ଏକ ‘ସେତୁ’ ସେବା କେନ୍ଦ୍ର (ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କେନ୍ଦ୍ର, ଯେଉଁଠାରେ ସରକାରୀ ଫର୍ମ ମିଳିଥାଏ, ୭/୧୨ ଏକ୍ସ୍ରାକ୍ଟ ଏବଂ ଅନ୍ୟ କାଗଜପତ୍ର ମିଳିଥାଏ) ତାକୁ ଖୋଲିଛନ୍ତି । ତାଙ୍କ ପରି ଅନ୍ୟ ବହୁ ଜଣ ଯେଉଁମାନେ ଖଣିରେ ନିଜର ଚାକିରି କରାଇଛନ୍ତି ଏବେ ସେମାନେ ଦିନ ମଜୁରିଆ ବା ମିସ୍ତ୍ରୀ ଭାବେ କାମ କରୁଛନ୍ତି । ମାଟ୍ଟେ ମନେ ପକାଇଲେ, “ଆମର ଜମି ଜଳସେଚିତ ଥିଲା, ବର୍ଷକୁ ସେଠାରେ ୩ ପ୍ରକାର ଫସଲ ହେଉଥିଲା ।’’

PHOTO • Jaideep Hardikar
An abandoned coal mine
PHOTO • Jaideep Hardikar

ଖଣିର ପ୍ରଦୂଷଣ ଏବଂ ବିସ୍ଫୋରଣ ମଧ୍ୟରେ ଅନେକ ପରିବାର ସେଠାରେ ରହିଲେ । ଏବେ ଗାଁ ଚାରିପଟେ ୪ଟି ନିରବ ଖଣି ବେଢି ରହିଛି, ମେସିନ୍ ଗୁଡ଼ିକରେ କଳଙ୍କି ଲାଗୁଛି ।

ଖଣି କାମ ପ୍ରାୟ ୪-୫ ବର୍ଷ ଧରି ଜାରି ରହିଲା । ଅଗଷ୍ଟ ୨୦୧୪ରେ, ସୁପ୍ରିମକୋର୍ଟ ସାରା ଦେଶରେ ଘରୋଇ କ୍ୟାପ୍ଟିଭ୍ ଖଣି ଆବଣ୍ଟନକୁ ବାତିଲ କରିଦେଲେ । ଏହା ସହ ସେପର୍ଯ୍ୟନ୍ତ ଉତ୍ତୋଳିତ ହୋଇଥିବା କୋଇଲା ଉପରେ ଜରିମାନା ଲଗାଇଲେ । ପରେ କେପିସିଏଲ୍ ପୁଣି ଥରେ ସେହି ନିଲାମୀ ଜିତିଲା, କିନ୍ତୁ ଜରିମାନା କିଏ ଦେବ ସେ ନେଇ ଇଏମଟିଏ ବିରୋଧରେ ରୁଜୁ ହୋଇଥିବା ଏକ କୋର୍ଟ ମାମଲା ପଡ଼ିରହିଛି। କେପିସିଏଲ୍ ନୂଆ ପରିଚାଳନାକାରୀ ନ ପାଇବା ଯୋଗୁଁ ବାରଞ୍ଜ ମୋକସା ଖଣି କାମ ବନ୍ଦ ହୋଇ ପଡ଼ିରହିଛି । ପୂର୍ବତନ ସରପଞ୍ଚ ମହାକୁଲକାର କହିଲେ, ‘ଆମର ଜମି କଂପାନିର ଏବଂ କଂପାନି ଚାଲୁନାହିଁ।’’ ‘‘ଯଦି ଏବଂ ଯେତେବେଳେ କୋର୍ଟରେ ବିଚରାଧୀନ ଥିବା ମାମଲାର ଫଇସଲା ହୋଇଯିବ ଏବଂ ଲିଜଧାରୀ ପୁଣି କାମ ଆରମ୍ଭ କରିବେ, ଆମକୁ ଏଠାରୁ ବାହାରି ଯିବାକୁ ପଡ଼ିବ ।’’

ଶବ୍ଦ, ପ୍ରଦୂଷଣ ଏବଂ ଖଣି ଚାଲୁଥିବା ବେଳେ ସେଥିରେ ହେଉଥିବା ବିସ୍ଫୋରଣ ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଗାଁରେ ରହୁଛନ୍ତି ।  ଅବଶ୍ୟ ଗାଁ ଏବେ କାମ ହରାଇଥିବା ଏବଂ ନିରବ କ୍ଷେତର ଏକ ପରିତ୍ୟକ୍ତ ଭୂମି ହୋଇ ରହିଛି । ଯେବେଠାରୁ ଏହାକୁ ଅଧିଗ୍ରହଣ କରାଗଲାଣି, ଲୋକମାନେ ସରକାରୀ ସୁବିଧା ପାଉନାହାନ୍ତି। ଘରଗୁଡ଼ିକର କିଛି ଉନ୍ନତି ହେଉନାହିଁ। ରାସ୍ତାର ପୁନଃନିର୍ମାଣ ହୋଇପାରୁନାହିଁ ।

ଏହି ଗାଁର ବର୍ତ୍ତମାନର ସରପଞ୍ଚମାୟାତାଇ ମହାକୁଲକାର କହିଲେ, “ଆମେ ଆଗରୁ କରିଥିବା ଭୁଲ୍‌ର ମୂଲ୍ୟ ପରିଶୋଧ କରୁଛୁ।’’ ‘‘ଆମେ ଏବେ ଖୁବ୍ ଖରାପ ସ୍ଥିତିରେ ଅଛୁ। ବୃଦ୍ଧବୃଦ୍ଧାମାନେ ଏକ ଜଟିଳ ସମୟ ଦେଇ ଗତି କରୁଛନ୍ତି।’’ ଭୂମିହୀନମାନେ ଏହାଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନେ କୃଷିକ୍ଷେତ୍ରରେ ସେମାନଙ୍କର କାମ ହରାଇଛନ୍ତି ଏବଂ ସେମାନଙ୍କୁ କୌଣସି କ୍ଷତିପୂରଣ ବା ଚାକିରି ମିଳିନାହିଁ ବୋଲି ସେ କହିଲେ । କ୍ଷତିପୂରଣ ଟଙ୍କା ପାଇବା ପରେ କିଛି ଚାଷୀ ଦୂରରେ ଥିବା ଗାଁରେ ଜମି କିଣିଛନ୍ତି । “ବରାଞ୍ଜଠାରୁ ପ୍ରାୟ ୨୦ କିମି ଦୂରରେ ଥିବା ଏକ ଗାଁରେ ମୁଁ ୧୦ ଏକର ଜମି କିଣିଛି । ସେଠାକୁ ମୁଁ ସବୁଦିନ ଯାଉଛି...। ଏହା ବିକାଶ ନୁହେଁ ।’’

ଗାଁ ଚାରିପଟେ ଚାରିଟି ବଡ଼  ଖାଦାନ ରହିଛି । ଏବେ ଖାଲି ପଡ଼ିଥିବା ଜମିର ପଛପଟେ ଏହା ଖୁବ୍ ଖରାପ ଦେଖାଯାଉଛି । ସବୁଠୁ ପୁରୁଣା ଖାଦାନରେ ବଳକା ବର୍ଷାପାଣି ଭର୍ତ୍ତି ହୋଇ ରହିଛି । ପାହାଡ଼ ଉପରେ ମେସିନ୍ ସବୁ ପଡ଼ି ଖତ ଖାଉଛି । ଖଣି କଂପାନି ଦ୍ୱାରା ସେଗୁଡ଼ିକ ପରିତ୍ୟକ୍ତ ହୋଇପଡ଼ିଛି। ଏକଦା ନିଜର ବଡ଼ ଆମ୍ବ ବଗିଚା ଥିବା ସ୍ଥାନରେ ବସି ୮୦ ବର୍ଷୀୟ ମହାଦେବ କାମ୍ବଲେ କହିଲେ, “ବରାଞ୍ଜ ମୋକସା ତାର ଆତ୍ମା ହରାଇ ସାରିଛି ।’’ “ଯାହା କିଛି ରହିଯାଇଛି ତାହା ଏବେ ଅବକ୍ଷୟମୁଖୀ ।’’

Rama Matte at his office desk working.
PHOTO • Jaideep Hardikar

ରାମ ମାଟ୍ଟେ ଖଣିରେ କିରାଣୀ ଭାବେ କାମ କରିଥିଲେ, ପରେ ସେହି ଚାକିରି ହରାଇଲେ ।

ବେରୋଜଗାର ଯୁବଗୋଷ୍ଠୀ କାମର ସନ୍ଧାନରେ ସେମାନଙ୍କର ଘର ଛାଡ଼ି ସାରିଛନ୍ତି । ଅନେକ ଲୋକ ସେମାନଙ୍କ ଘରେ ତାଲା ପକାଇ ଭଦ୍ରାବତୀ ସହରକୁ ପଳାଇଛନ୍ତି । ସେମାନଙ୍କ ମଧ୍ୟରେ ବିନୋଦ ମେସରାମଙ୍କର ୩ଟି ପୁଅ ଅଛନ୍ତି । ୨୦୦୫ରେ ସେହି ପରିବାର ସେମାନଙ୍କର ୧୧ ଏକର ଚାଷଜମିକୁ ଛାଡ଼ି ଦେବା ପରେ ତାଙ୍କ ପୁଅମାନେ ଭଦ୍ରାବତୀ ସହରକୁ ପଳାଇ ଯାଇଛନ୍ତି । ଗ୍ରାମ ବିକାଶ ଅଧିକାରୀ କେବଳ ବରାଞ୍ଜ ମୋକସା ନୁହେଁ, ଅନେକଗୁଡ଼ିଏ ଗାଁ ପାଇଁ ରହିଥିବାରୁ ମେସରାମ ରାଜ୍ୟ ସରକାରଙ୍କଠାରୁ ତାଙ୍କର ଦରମା  ପାଉଛନ୍ତି ।

କିଛି ଲୋକ ପ୍ରତି ଦିନର କାମ ପାଇଁ ଭଦ୍ରାବତୀ ଯାଇଥାନ୍ତି । ସେମାନଙ୍କ ଅନୁସାରେ ଏପରି କରିବା ଖୁବ୍ କଷ୍ଟକର। ସଚିନ ଚାଲଖୁରେ କହନ୍ତି, “ଏହି ତହସିଲ ସାରା ବିସ୍ଥାପିତ ହୋଇଥିବା ଅନେକ ଗାଁର ଲୋକମାନେ ଏହି ସହରକୁ କାମ ପାଇଁ ଆସିଥାନ୍ତି।” “ଏହାରେ ଅନେକ ଶ୍ରମିକ ମିଳୁଛନ୍ତି, କିନ୍ତୁ କାମର ଅଭାବ ରହିଛି।’’ ସଚିନ ନିଜେ ମଧ୍ୟ ଭଦ୍ରାବତୀରେ ରହିଥାନ୍ତି ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ପାଇଁ କାମ କରନ୍ତି ।

ସଚିନଙ୍କର ଜେଜେମା’ ଅହିୟାବାଇ ପାଟିଲ ଯିଏକି ନିଜେ ଗାଁରେ ରହୁଛନ୍ତି ସେ କହିଲେ, “ଆମେ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହୋଇନାହୁଁ ।’’ ‘‘ଅଧିକାଂଶ ଯୁବକ କାମ ପାଇଁ ବାହାରକୁ ବାହାରି ଯାଇଛନ୍ତି; ଆମେ ଗାଁରେ ରହିଯାଇଛୁ ।’’

ପଞ୍ଚଫୁଲାବାଇ ଭେଲେକାରଙ୍କ ଦୁଇ ପୁଅଙ୍କୁ ମଧ୍ୟ ଗାଁ ଛାଡ଼ିବାକୁ ପଡ଼ିଲା । ତାଙ୍କ  ପରିବାର ଖଣି ପାଇଁ ସେମାନଙ୍କର ୨ ଏକର ଜମି ହରାଇଲେ । ସେ କହିଲେ, “ଆମେ ଏଠାରେ ରହୁଛୁ । ମୋର ପୁଅ ଏବଂ ସେମାନଙ୍କ ପରିବାର ଭଦ୍ରାବତୀରେ ରହୁଛନ୍ତି ।’’

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଶ୍ରୁତି ମିଳିବା ସତ୍ତ୍ୱେ ଉଚିତ ପୁନର୍ବାସ ପାଇଁ ବରାଞ୍ଜ ମୋକସାର ଦାବି ଏବେ ମଧ୍ୟ ପୂରଣ ହୋଇନାହିଁ। ତେଣୁ ଏଥରକ ଗ୍ରାମବାସୀମାନେ ସେମାନଙ୍କର ସାଂସଦ ହଂସରାଜ ଅହିରଙ୍କ ବିରୋଧରେ ଭୋଟ କରିବେ ବୋଲି କହିଛନ୍ତି ।

ଅହିର ପ୍ରଥମେ ୧୯୯୬ ମସିହାରେ ଲୋକସଭା ନିର୍ବାଚନ ଲଢିଥିଲେ। ପରେ ୧୯୯୮ ଏବଂ ୧୯୯୯ରେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ନିର୍ବାଚନ ହାରିଥିଲେ। ଏହାପରେ ୨୦୦୪ ମସିହାଠାରୁ ଲଗାତର ୩ ଥର ବରାଞ୍ଜ ମୋକସାର ବାସିନ୍ଦାମାନେ ବିଭିନ୍ନ କଂଗ୍ରେସ ପ୍ରାର୍ଥୀଙ୍କ ବଦଳରେ ଅହିରଙ୍କୁ ବାଛିଛନ୍ତି ।

ଚନ୍ଦ୍ରପୁର ଲୋକସଭା ଆସନ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପରିବ୍ୟାପ୍ତ ହୋଇଥିବା ବେଳେ ପ୍ରାୟ ୧୯ ଲକ୍ଷ ଭୋଟର ଅଛନ୍ତି । ସେଥିମଧ୍ୟରୁ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଚନ୍ଦ୍ରପୁର ଜିଲ୍ଲାରେ ଥିବାବେଳେ ପଡ଼ୋଶୀ ୟବତମାଲ ଜିଲ୍ଲାରେ ୨ଟି ନିର୍ବାଚନମଣ୍ଡଳୀ ରହିଛି ।

Ahilyabai Patil sitting outside her house
PHOTO • Jaideep Hardikar
Panchfulabai Velekar standing outside her house
PHOTO • Jaideep Hardikar

ଅହିଲ୍ୟାବାଇ ପାଟିଲ (ବାମ) କହିଲେ, “ଆମେ ଏହି ପ୍ରକଳ୍ପରୁ କିଛି ଲାଭ ପାଇଲୁ ନାହିଁ ।’’ ପଞ୍ଚଫୁଲାବାଇ ଭେଲେକର (ଡାହାଣ)ଙ୍କର ପୁଅମାନେ କାମ ପାଇଁ ଭଦ୍ରାବତୀ ସହରକୁ ଯିବାକୁ ବାଧ୍ୟ ହୋଇଛନ୍ତି ।

କଂଗ୍ରେସ ପକ୍ଷରୁ କୁନ୍ୱି ଜାତିର ସୁରେଶ (ବାଲୁ) ଧାନୋକରଙ୍କୁ ୱାରୋରା (ଭଦ୍ରାବତୀ) ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ସେ ଜଣେ ବିଧାୟକ ମଧ୍ୟ। ଧାନୋକର କଂଗ୍ରେସରେ ଯୋଗ ଦେବା ଲାଗି ମାର୍ଚ୍ଚ ୨୦୧୯ରେ ଶିବସେନା ଛାଡ଼ିଛନ୍ତି। ବାରଞ୍ଜ ମୋକସାରେ ଓବସି ସଂପ୍ରଦାୟର କୁନବି ଜାତିର ଲୋକଙ୍କର ଦବଦବା ରହିଛି । ଅହିର ଯାଦବ ସଂପ୍ରଦାୟର ହୋଇଥିବା ବେଳେ ସେ ମଧ୍ୟ ଓବିସି ବର୍ଗରେ ଆସୁଛନ୍ତି । କିନ୍ତୁ ସେ ଜାତି ନିର୍ବିଶେଷରେ ସମସ୍ତଙ୍କର ପସନ୍ଦର ପ୍ରାର୍ଥୀ ହୋଇ ରହିଆସିଛନ୍ତି ।

ସେଠାରେ ଆଉ କେହି ତୃତୀୟ ବଡ଼ ନେତା ନାହାନ୍ତି । ପୂର୍ବର ୩ଟି ନିର୍ବାଚନରେ ଶେତକାରୀ କାମଗର ପାକ୍ସାର ଜଣେ ପୂର୍ବତନ ବିଧାୟକ ୱାମନରାଓ ଚତାପ୍ ଏହାକୁ ଏକ ତ୍ରିକୋଣୀୟ ମୁକାବିଲାରେ ପରିଣତ କରିଥିଲେ । ଏହାଯୋଗୁଁ ଭୋଟ୍ ବିଭାଜନ ହେଲା ଯାହାକି ଅହିରଙ୍କୁ ସୁହାଇଲା ।

ଚାଲଖୁରେ କହିଲେ, “ଖଣି ଦ୍ୱାରା ପ୍ରଭାବିତ (ଗ୍ରାମବାସୀ)ମାନେ ଅହିରଙ୍କୁ ପୁଣି ଥରେ ଭୋଟ ଦେବାର କିଛି ମାନେ ନାହିଁ ।’’ ସେ ଏବଂ ତାଙ୍କର ଅନେକ ସହକର୍ମୀ ପୂର୍ବ ଲୋକସଭା ନିର୍ବାଚନରେ ଅହିରଙ୍କୁ ଭୋଟ ଦେଇଥିଲେ। ଅହିର ସେମାନଙ୍କୁ ଅଧିକ କ୍ଷତିପୂରଣ ଏବଂ ଉନ୍ନତ ଥଇଥାନ ପ୍ରଦାନ ପାଇଁ ଲଢେଇ କରିବେ ବୋଲି ସେମାନେ ଆଶା କରିଥିଲେ । ସେ ଆହୁରି କହିଲେ, “ଆମକୁ ଲାଗୁଛି ଆମେ ଠକିଯାଇଛୁ’’ । ‘‘ନିର୍ବାଚନରେ ଏହି ସବୁ ଗାଁରେ ପୁଞ୍ଜିଭୂତ ଥିବା ରାଗ ବାହାରକୁ ଆସିବ’’ ।

ନିଜ ବଗିଚାରେ ଥିବା ଏକମାତ୍ର ଗଛ ତଳେ ବସି କାମ୍ବଲେ ମଧ୍ୟ ଦୋହରାଇଲେ, “ଯାହା ହେଉ ପଛେ ଆମେ ଅହିରଙ୍କୁ ଭୋଟ ଦେବୁନି । ସେ ଆମକୁ ଧୋକ୍କା ଦେଇଛନ୍ତି ।’’ ସେହି ଅନାଥ ଗାଁରେ ଲୋକମାନେ ଏହି ସଂକଳ୍ପ କରିବା ଭଳି ଲାଗୁଥିଲା: ‘‘ସେହି ନେତାଙ୍କୁ ଗାଦିଚ୍ୟୁତ କର, ଯିଏ ଆମକୁ ଧୋକ୍କା ଦେଇଛନ୍ତି ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar