ସେଦିନ ଟାଣଖରାରେ ୩୯ ବର୍ଷୀୟା ସୁନୀତା ରାଣୀ ପାଖାପାଖି ୩୦ଜଣ ମହିଳା ଥିବା ଏକ ଦଳ ସହିତ କଥା ହେଉଛନ୍ତି, ସେମାନଙ୍କୁ ବହୁ ସଂଖ୍ୟାରେ ଆଗେଇ ଆସିବା ଏବଂ ନିଜ ଅଧିକାର ପୂରଣ କରିବା ଲାଗି ଆମରଣ ଅନଶନ କରିବା ଲାଗି ଆହ୍ୱାନ କରୁଛନ୍ତି । “କାମ ଅଧିକ, ଦରମା କମ୍”, ସୁନୀତା ଖୁବ ଜୋରରେ କହୁଛନ୍ତି। “ଚଳିବ ନାହିଁ ଚଳିବ ନାହିଁ”, ଅନ୍ୟ ମହିଳାମାନେ ଏକାଠି ସ୍ଲୋଗାନ ଦେଉଛନ୍ତି।

ଦିଲ୍ଲୀ-ହରିୟାଣା ଜାତୀୟ ରାଜପଥ କଡ଼ରେ ଥିବା ସୋନିପତ ସହରର ସିଭିଲ ହସ୍ପିଟାଲ ବାହାରେ ଏକ ଘାସ ପଡ଼ିଆରେ ହାଲକା ନାଲି ରଙ୍ଗର ୟୁନିଫର୍ମ ପିନ୍ଧିଥିବା ଏହି ମହିଳାମାନେ ଏକ ପାଲ ଉପରେ ବସି ସୁନୀତାଙ୍କ କଥା ଶୁଣୁଛନ୍ତି। ସେମାନେ ଭୋଗୁଥିବା ସମସ୍ୟାର ତାଲିକା ସୁନୀତା ସେମାନଙ୍କୁ ଦେଉଛନ୍ତି ।

ଏ ମହିଳାମାନେ ହେଉଛନ୍ତି, ଆଶା-ମାନ୍ୟତାପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟକର୍ମୀ, ଯେଉଁମାନେ ଜାତୀୟ ଗ୍ରାମୀଣ ସ୍ଵାସ୍ଥ୍ୟ ମିଶନ (ଏନଆରଏଚଏମ) ପଦାତିକ ସେନାନୀ। ଏମାନଙ୍କ ମାଧ୍ୟମରେ ଦେଶର ଜନ ସ୍ଵାସ୍ଥ୍ୟ ବ୍ୟବସ୍ଥା ସହିତ ଗ୍ରାମାଞ୍ଚଳର ଲୋକମାନେ ଯୋଡ଼ି ହୋଇଥାନ୍ତି। ସାରା ଦେଶରେ ଦଶ ଲକ୍ଷରୁ ଅଧିକ ଆଶା କର୍ମୀ ରହିଛନ୍ତି। ଏମାନେ ଯେକୌଣସି ପ୍ରକାରର ସ୍ଵାସ୍ଥ୍ୟ ଆବଶ୍ୟକତା ଓ ଜରୁରିକାଳୀନ ସ୍ଥିତିରେ ପ୍ରଥମ ସ୍ଵାସ୍ଥ୍ୟକର୍ମୀ ଭାବେ ଉପସ୍ଥିତ ଥାଆନ୍ତି।

ଏମାନଙ୍କୁ ୧୨ଟି ପ୍ରମୁଖ କାର୍ଯ୍ୟଭାର ଏବଂ ୬୦ଟି ଉପ-କାର୍ଯ୍ୟଭାର ଦିଆଯାଇଛି। ଏଥିରେ ପୁଷ୍ଟିସାଧନ, ସ୍ଵଚ୍ଛତା ସଂକ୍ରାମକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଠାରୁ ଆରମ୍ଭ କରି ଯକ୍ଷ୍ମା ରୋଗୀଙ୍କୁ ଠାବ କରି ଚିକିତ୍ସା ସୁବିଧା ଯୋଗାଇ ଦେବା ଏବଂ ସ୍ଵାସ୍ଥ୍ୟ ସୂଚକାଙ୍କର ରେକର୍ଡ ରଖିବା ପର୍ଯ୍ୟନ୍ତ କାର୍ଯ୍ୟ ସାମିଲ ରହିଛି।

ସେମାନେ ଏସବୁ ଏବଂ ଆହୁରି ଅନେକ କାର୍ଯ୍ୟ କରନ୍ତି। କିନ୍ତୁ ସୁନୀତା କୁହନ୍ତି, “ଆମକୁ ପ୍ରକୃତରେ ଯେଉଁ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦିଆଯାଇଛି-ମାତୃ ଓ ନବଜାତ ଶିଶୁ ସ୍ଵାସ୍ଥ୍ୟରେ ସୁଧାର କାର୍ଯ୍ୟ ଆମେ କରିପାରୁନାହୁଁ। ସୋନିପତ ଜିଲ୍ଲାର ନାଥୁପୁର ଗ୍ରାମରେ ସୁନୀତା କାମ କରନ୍ତି। ସେଠାରେ ୨୯୫୩ ଜନସଂଖ୍ୟା ପାଇଁ ତାଙ୍କ ସହିତ ଆଉ ଦୁଇ ଜଣ ଆଶା କର୍ମୀ ରହିଛନ୍ତି।

ASHA workers from Sonipat district on an indefinite strike in March; they demanded job security, better pay and a lighter workload
PHOTO • Pallavi Prasad

ମାର୍ଚ୍ଚରେ ସୋନିପତ ଜିଲ୍ଲାର ଆଶାକର୍ମୀମାନେ ଆମରଣ ଅନଶନ କରୁଛନ୍ତି; ସେମାନେ ଚାକିରି ସୁରକ୍ଷା, ଅଧିକ ଦରମା ଏବଂ କମ୍ କାର୍ଯ୍ୟଭାର ପାଇଁ ଦାବି କରୁଛନ୍ତି।

ଗର୍ଭାବସ୍ଥା ଏବଂ ପ୍ରସବ ପରବର୍ତ୍ତୀ ଯତ୍ନ ସମେତ ଆଶା କର୍ମୀମାନେ ସରକାରଙ୍କ ପରିବାର ଯୋଜନା ନୀତି, ଗର୍ଭନିରୋଧକ ଏବଂ ଗର୍ଭଧାରଣର ବ୍ୟବଧାନର ଆବଶ୍ୟକତା ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରିଥାନ୍ତି। ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ମଧ୍ୟ ଆଶାକର୍ମୀମାନଙ୍କର ପ୍ରମୁଖ ଭୂମିକା ରହିଛି। ୨୦୦୬ରେ ଦେଶରେ ଶିଶୁ ମୃତ୍ୟୁ ହାର ପ୍ରତି ୧ ହଜାର ଜନସଂଖ୍ୟାରେ ୫୭ ଥିବା ବେଳେ ୨୦୧୭ରେ ଏଥିରେ ସୁଧାର ଆସି ପ୍ରତି ୧ହଜାର ଜନସଂଖ୍ୟାରେ ୩୩ରେ ପହଞ୍ଚିଥିଲା। ୨୦୦୫-୨୦୦୬ ଏବଂ ୨୦୧୫-୨୦୧୬ ପ୍ରସବ ପୂର୍ବ ଯତ୍ନ ପାଇଁ ୪ କିମ୍ବା ତତୋଧିକ ଥର ଆଶାକର୍ମୀଙ୍କ ଗସ୍ତ ୩୭ରୁ ୫୧ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଡାକ୍ତରଖାନାରେ ସନ୍ତାନ ପ୍ରସବ ହାର ୩୯ରୁ ୭୯ପ୍ରତିଶତକୁ ବୃଦ୍ଧି ପାଇଛି। 

“ଏତେ ଭଲ କାମ ଆମେ କରୁଥିବା ଏବଂ କରିପାରିବା ସତ୍ତ୍ୱେ ଶେଷରେ ଆମକୁ ସର୍ବେକ୍ଷଣ ପରେ ସର୍ବେକ୍ଷଣ ପୂରଣ କରିବାକୁ ପଡ଼ୁଛି,” ସୁନୀତା କୁହନ୍ତି।

“ପ୍ରତିଦିନ ଆମକୁ ଏକ ନୂଆ ରିପୋର୍ଟ ଦାଖଲ କରିବାକୁ ପଡ଼ୁଛି”, ଜାଖାଉଲି ଗ୍ରାମରେ କାର୍ଯ୍ୟ କରୁଥିବା ଜଣେ ୪୨ବର୍ଷୀୟ ଆଶାକର୍ମୀ ନୀତୁ (ଛଦ୍ମନାମ) କୁହନ୍ତି । “ଦିନେ ଆମକୁ ପ୍ରସବପୂର୍ବ ଯତ୍ନ ନେବାକୁ ଏଏନଏମ (ସହାୟକ ନର୍ସ ଧାତ୍ରୀ, ଯାହାଙ୍କୁ ଆଶା କର୍ମୀମାନେ ରିପୋର୍ଟ ଦେଇଥାନ୍ତି) କୁହନ୍ତି, ପରଦିନ ଆମକୁ ଡାକ୍ତରଖାନାରେ ସନ୍ତାନ ପ୍ରସବ କରିଥିବା ମହିଳାଙ୍କ ତାଲିକା ପ୍ରସ୍ତୁତ କରିବାକୁ ହୋଇଥାଏ, ପରଦିନ ଆମକୁ ପ୍ରତ୍ୟେକ ରକ୍ତଚାପ ରେକର୍ଡ ରଖିବାକୁ ପଡ଼ିଥାଏ (କର୍କଟ, ମଧୁମେହ ଓ ହୃଦରୋଗ ନିୟନ୍ତ୍ରଣ ପାଇଁ ଜାତୀୟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ) । ପୁଣି କେଉଁଦିନ ଆମକୁ ନିର୍ବାଚନ ଆୟୋଗଙ୍କ ପାଇଁ ବୁଥସ୍ତରୀୟ ଅଧିକାରୀ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥାଏ। ଏସବୁ କେବେ ସରେ ନାହିଁ” ।. 

ନୀତୁ ଅନୁମାନ କରି କୁହନ୍ତି ଯେ, ୨୦୦୬ରେ ସେ କାର୍ଯ୍ୟରେ ଯୋଗ ଦେବା ପରଠାରୁ ୭୦୦ ସପ୍ତାହ କାର୍ଯ୍ୟ କରିଛନ୍ତି, ତାଙ୍କୁ କେବଳ ଅସୁସ୍ଥତା ଓ ପର୍ବପର୍ବାଣୀ ସମୟରେ ଛୁଟି ମିଳିଛି । ତାଙ୍କ ଗାଁରେ ୮,୨୫୯ ଲୋକଙ୍କ ପାଇଁ ୯ ଜଣ ଆଶା କର୍ମୀ ଥିବା ସତ୍ତ୍ୱେ ସେ କାର୍ଯ୍ୟଚାପରେ କ୍ଳାନ୍ତ ହୋଇପଡ଼ିଥିବା ଦେଖାଯାଏ। ରକ୍ତହୀନତା ସଚେତନତା କାର୍ଯ୍ୟକ୍ରମ ସାରିବା ପରେ ସେ ଧାରଣାସ୍ଥଳରେ ଗୋଟିଏ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଘରକୁ ଘର ବୁଲି ସର୍ବେକ୍ଷଣ କରିବା ଲାଗି ଆଶା କର୍ମୀମାନଙ୍କୁ ଯେଉଁ କାର୍ଯ୍ୟ ଦିଆଯାଇଥାଏ ସେଥିରେ ପକ୍କା ଘର ଗଣିବାଠାରୁ ଆରମ୍ଭ କରି ଗୋଟିଏ ସମୁଦାୟରେ କେତେ ଗାଈ ଓ ମଇଁଷି ଅଛନ୍ତି ତାହା ଗଣିବା ପର୍ଯ୍ୟନ୍ତ ହୋଇଥାଏ।

“ମାତ୍ର ତିନି ବର୍ଷରେ, ୨୦୧୭ରେ ମୁଁ ଆଶା କର୍ମୀ ହେବା ପରଠାରୁ ମୋର କାର୍ଯ୍ୟ ତିନିଗୁଣା ବୃଦ୍ଧି ପାଇଛି-ଏବଂ ଅଧିକାଂଶ କାର୍ଯ୍ୟ କାଗଜପତ୍ରରେ କରିବାକୁ ପଡ଼ୁଛି,” ୩୯ ବର୍ଷୀୟା ଆଶା କର୍ମୀ ଛବି କାଶ୍ୟପ କୁହନ୍ତି, ଯିଏକି ସିଭିଲ ହସ୍ପିଟାଲଠାରୁ ୮ କିମି ଦୂର ତାଙ୍କ ଗ୍ରାମ ବାହାଲଗଡ଼ରୁ ଧାରଣାସ୍ଥଳରେ ଆସି ପହଞ୍ଚିଛନ୍ତି। “ଆମକୁ ସରକାର ଦେଉଥିବା ସମସ୍ତ ନୂଆ ସର୍ବେକ୍ଷଣ କାର୍ଯ୍ୟ ସାରିବା ପରେ ଆମକୁ ଆମର ପ୍ରକୃତ କାମ ଆରମ୍ଭ କରିବାକୁ ପଡ଼ିଥାଏ”।

'We don’t even have time to sit on a hartal,' says Sunita Rani; at meetings, she notes down (right) the problems faced by co-workers
PHOTO • Pallavi Prasad
'We don’t even have time to sit on a hartal,' says Sunita Rani; at meetings, she notes down (right) the problems faced by co-workers
PHOTO • Pallavi Prasad

‘ଆମକୁ ହରତାଳରେ ବସିବା ଲାଗି ମଧ୍ୟ ସମୟ ନାହିଁ,’ ସୁନୀତା ରାଣୀ କୁହନ୍ତି; ବୈଠକସ୍ଥଳରେ (ଡାହାଣ) ନିଜ ସହକର୍ମୀମାନେ ଭୋଗୁଥିବା ସମସ୍ୟା କଥା କହୁଛନ୍ତି ।

ବାହା ହେବାର ୧୫ ବର୍ଷ ପର୍ଯ୍ୟନ୍ତ, ଛବି କେବେ ବି ଏକୁଟିଆ ତାଙ୍କ ଘରୁ ବାହାରିନଥିଲେ, ଏମିତି ଡାକ୍ତରଖାନାକୁ ମଧ୍ୟ ନୁହେଁ। ୨୦୧୬ରେ ଯେତେବେଳେ ତାଙ୍କ ଗ୍ରାମକୁ ଆଶା ସୁବିଧାପ୍ରଦାନକାରୀ ଆସିଲେ ଏବଂ ଆଶାକର୍ମୀମାନଙ୍କୁ କ’ଣ କରିବାକୁ ହେବ ସେ ସମ୍ପର୍କରେ ତାଲିକା ଦେଲେ, ଛବି ନିଜକୁ ତାଲିକାଭୁକ୍ତ କରିବାକୁ ଚାହିଁଲେ। ଏସବୁ କର୍ମଶାଳା ଶେଷ ହେବା ପରେ, ସୁବିଧା ପ୍ରଦାନକାରୀ ତିନି ଜଣ ବିବାହିତା ମହିଳାମାନଙ୍କର ନାମ ଚୟନ କରିଥିଲେ, ଯେଉଁମାନଙ୍କର ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ ଥିଲା, ଯେଉଁମାନେ ଅତିକମ୍‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଭାବେ କାମ କରିବା ଲାଗି ଆଗ୍ରହୀ ଥିବେ।

ଛବି ଏଥିପାଇଁ ଆଗ୍ରହୀ ଏବଂ ଯୋଗ୍ୟ ଥିଲେ, କିନ୍ତୁ ତାଙ୍କ ପତି ଏଥିପାଇଁ ମନା କଲେ । ସେ ବାହାଲଗଡ଼ର ଇନ୍ଦିରା କଲୋନୀରେ ଥିବା ଏକ ଘରୋଇ ଡାକ୍ତରଖାନାରେ ନର୍ସିଂ ଷ୍ଟାଫ ଦଳରେ କାମ କରୁଛନ୍ତି ଏବଂ ସପ୍ତାହକୁ ଦୁଇ ଦିନ ରାତି ସିଫ୍ଟରେ କାମ କରିଥାନ୍ତି। “ଆମର ଦୁଇ ପୁଅ ଅଛନ୍ତି। ମୋ ପତି ବ୍ୟସ୍ତ ହେଉଛନ୍ତି ଯେ ଯଦି ଆମ ଦୁଇ ଜଣଙ୍କୁ ଯଦି କାମ କରିବା ଲାଗି ବାହାରକୁ ଯିବା ପଡ଼େ ତା’ହେଲେ ଏମାନଙ୍କର ଯତ୍ନ କିଏ ନେବ”, ଛବି କୁହନ୍ତି। କିଛି ମାସ ପରେ ଯେତେବେଳେ ଅର୍ଥାଭାବ ଦେଖାଦେଲା ସେ ତାଙ୍କୁ ଆଶା କର୍ମୀ ଭାବେ ଯୋଗ ଦେବାକୁ କହିଲେ। ଆଶା ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟାରେ ଆବେଦନ କଲେ ଏବଂ ଗ୍ରାମ ସଭାର ଅନୁମୋଦନ କ୍ରମେ ଛବି ୪,୧୯୬ ଜନସଂଖ୍ୟା ବିଶିଷ୍ଟ ବାହାଲଗଡ଼ ଗ୍ରାମରେ ଥିବା ୫ ଜଣ ଆଶାକର୍ମୀଙ୍କ ମଧ୍ୟରୁ ଜଣେ ଭାବେ କାମ କରିବା ଆରମ୍ଭ କଲେ।

“ଆମ ଦମ୍ପତିଙ୍କ ପାଇଁ ଗୋଟିଏ ନିୟମ ଥିଲା। ଯଦି ସେ ରାତି ସିଫ୍ଟରେ ଡ୍ୟୁଟି କରୁଥାନ୍ତି, ଏବଂ ମୋତେ ଫୋନ କଲ ମିଳୁଛି ଯେ ଜଣେ ଗର୍ଭବତୀଙ୍କୁ ପ୍ରସବ ବେଦନା ହେଉଛି ଓ ତାଙ୍କୁ ଡାକ୍ତରଖାନା ନେବାର ଅଛି, ତା’ହେଲେ ପିଲାମାନଙ୍କୁ ଛାଡ଼ି ମୁଁ ଯାଇପାରିବି ନାହିଁ, ମୁଁ ଆମ୍ବୁଲାନ୍ସ ଡାକିବି କିମ୍ବା ଅନ୍ୟ ଜଣେ ଆଶାଙ୍କୁ ଏହି କାର୍ଯ୍ୟ କରିବା ପାଇଁ କହିବି,” ଛବି କୁହନ୍ତି। 

ପ୍ରସବ ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀଙ୍କୁ ଡାକ୍ତରଖାନା ନେଇକି ଯିବା ଆଶା କର୍ମୀଙ୍କ ଏକାଧିକ କାର୍ଯ୍ୟ ମଧ୍ୟରୁ ଗୋଟିଏ ଥିଲା। “ଗତ ସପ୍ତାହରେ ମୁଁ ଜଣେ ଗର୍ଭବତୀଙ୍କ ଫୋନ କଲ ପାଇଲି, ସେ ପ୍ରସବ ଯନ୍ତ୍ରଣା ଭୋଗୁଥିଲେ ଏବଂ ମୁଁ ତାଙ୍କୁ ଡାକ୍ତରଖାନା ନେଇଯାଏ ବୋଲି ସେ ଚାହିଁଲେ। କିନ୍ତୁ ମୁଁ ଯାଇପାରିନଥିଲି”, ସୋନିପତ ଜିଲ୍ଲାର ରାଏ ତହସିଲ ଅନ୍ତର୍ଗତ ବଢ଼ ଖାଲସା ଗ୍ରାମର ଆଶା କର୍ମୀ ଶୀତଲ (ଛଦ୍ମନାମ) କୁହନ୍ତି। “ସେହି ସପ୍ତାହରେ, ମୋତେ ଆୟୁଷ୍ମାନ କ୍ୟାମ୍ପ ଆୟୋଜନ କରିବା ଲାଗି କୁହାଯାଇଥିଲା,” ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଉଲ୍ଲେଖ କରି ୩୨ ବର୍ଷୀୟା ଶୀତଲ କୁହନ୍ତି । ସେ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା ପାଇଁ ଯୋଗ୍ୟ ତାଙ୍କ ଗ୍ରାମର ସବୁ ଲୋକଙ୍କ ଫର୍ମ ଏବଂ ରେକର୍ଡ ଧରି କ୍ୟାମ୍ପରେ ଅଟକି ଯାଇଥିଲେ, ତାଙ୍କୁ ଏଏନଏମ ନିର୍ଦ୍ଦେଶ ଦେଇଥିଲେ ଯେ ସବୁ କାମ ଛାଡ଼ି ତାଙ୍କୁ ପ୍ରାଥମିକତାର ସହିତ ଆୟୁଷ୍ମାନ ଯୋଜନା କାର୍ଯ୍ୟ କରିବାକୁ ପଡ଼ିବ।

“ଏ ମହିଳା (ଗର୍ଭବତୀ) ଙ୍କ ବିଶ୍ୱାସ ଜିତିବା ଲାଗି ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଦୁଇ ବର୍ଷ ପୂର୍ବରୁ ସେ ବାହା ହୋଇ ଗାଁକୁ ଆସିବା ପୂର୍ବରୁ ମୁଁ ତାଙ୍କ ସହିତ ବାରମ୍ବାର ଯୋଗାଯୋଗ କରିଥିଲି। ତାଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ମୋତେ ତାଙ୍କ ଶାଶୁଙ୍କୁ ରାଜି କରାଇବାକୁ ପଡ଼ିଥିଲା। ତାଙ୍କୁ ଓ ତାଙ୍କ ପତିଙ୍କୁ ପରିବାର ନିୟୋଜନ ବିଷୟରେ ପରାମର୍ଶ ଦେବା ସହ ସନ୍ତାନ ପ୍ରାପ୍ତି ନିମନ୍ତେ ଅତିକମରେ ୨ବର୍ଷ ଯାଏ ଅପେକ୍ଷା କରିବାକୁ  ସହମତ କରାଇଥିଲି। ତାଙ୍କ ଗର୍ଭାବସ୍ଥାରେ ମୁଁ ତାଙ୍କ ସହିତ ଥିଲି । ମୋତେ ତାଙ୍କ ପାଖରେ ରହିବାର ଥିଲା,” ଶୀତଲ ଆହୁରି କୁହନ୍ତି।

ଖାଲି ସେତିକି ନୁହେଁ ଡାକ୍ତରଙ୍କ ପାଖକୁ ତାଙ୍କୁ ଛାଡ଼ୁନଥିବା ଅବୁଝା ପରିବାରକୁ ମଧ୍ୟ ତାଙ୍କୁ ଅଧଘଣ୍ଟା ବୁଝାଇବାକୁ ପଡ଼ିଥିଲା । ଶେଷରେ ସେ ବୁଝି ଦେଇଥିବା ଆମ୍ବୁଲାନ୍ସରେ ସେମାନେ ଡାକ୍ତରଖାନା ଯାଇଥିଲେ। “ଆମେ ଯେଉଁ ବିଶ୍ୱାସ ଜନ୍ମାଉଛୁ ତାହା ବାଧାପ୍ରାପ୍ତ ହେଉଛି”, ସୁନୀତା ରାଣୀ କୁହନ୍ତି ।

'In just three years, since I became an ASHA in 2017, my work has increased three-fold', says Chhavi Kashyap
PHOTO • Pallavi Prasad

 ‘ମାତ୍ର ତିନି ବର୍ଷରେ, ମୁଁ ୨୦୧୭ରେ ଆଶା କର୍ମୀ ହେବା ପରଠାରୁ ମୋର କାମ ଦୁଇ ଗୁଣା ବୃଦ୍ଧି ପାଇଛି’, କୁହନ୍ତି ଛବି କାଶ୍ୟପ

ଯେତେବେଳେ ଆଶାକର୍ମୀମାନେ ସେମାନଙ୍କ କାର୍ଯ୍ୟ କରିବାକୁ ଯାଇଥାନ୍ତି, ସେମାନଙ୍କ ଗୋଟିଏ ହାତ ପ୍ରାୟତଃ ବାନ୍ଧି ହୋଇଥିବା ଅବସ୍ଥାରେ ଥାଏ। ଔଷଧ ପ୍ରାୟତଃ ଉପଲବ୍ଧ ନଥାଏ, ଏହାଛଡ଼ା ଜରୁରି ଚିକିତ୍ସା ସରଞ୍ଜାମ ଯେପରିକି ପାରାସିଟାମଲ ଟାବଲେଟ, ଗର୍ଭବତୀଙ୍କ ପାଇଁ ଆଇରନ ଏବଂ କ୍ୟାଲସିୟମ ଟାବଲେଟ, ଓଆରଏସ, କଣ୍ଡୋମ, ଗର୍ଭନିରୋଧକ ବଟିକା ଏବଂ ଗର୍ଭଧାରଣ କିଟ ମଧ୍ୟ ଉପଲବ୍ଧ ନଥାଏ । “ଆମକୁ କିଛି ମିଳେ ନାହିଁ, ଏମିତିକି ମୁଣ୍ଡବିନ୍ଧା ଔଷଧ ମଧ୍ୟ ନୁହେଁ । ଆମେ ପ୍ରତ୍ୟେକ ଘର ବୁଲି ସେମାନଙ୍କ ଆବଶ୍ୟକତା ବୁଝିଥାଉ, ଗର୍ଭନିରୋଧ ପାଇଁ ସେମାନେ କେଉଁ ପଦ୍ଧତି ଅବଲମ୍ବନ କରୁଛନ୍ତି ତାହା ମଧ୍ୟ ପଚାରିଥାଉ ଏବଂ ଏହାପରେ ଏଗୁଡ଼ିକୁ ଆମକୁ ଦେବା ଲାଗି ଏଏନଏମଙ୍କୁ ଅନୁରୋଧ କରିଥାଉ,” ସୁନୀତା କୁହନ୍ତି । ଅନଲାଇନରେ ଥିବା ସରକାରୀ ରେକର୍ଡରେ ଅଛି- ସୋନିପତ ଜିଲ୍ଲାର ୧,୦୪୫ ଆଶା କର୍ମୀମାନଙ୍କୁ ମାତ୍ର ୪୮୫ ଔଷଧ କିଟ ଯୋଗାଇ ଦିଆଯାଇଛି।

ଅଧିକାଂଶ ସମୟରେ ଆଶାକର୍ମୀମାନଙ୍କୁ ଖାଲି ହାତରେ ସେମାନଙ୍କ ଗୋଷ୍ଠୀ ସଦସ୍ୟମାନଙ୍କ ନିକଟକୁ ଯିବାକୁ ପଡ଼ିଥାଏ । “ଅନେକ ସମୟରେ ସେମାନେ ଆମକୁ ଆଇରନ ବଟିକା ଦେଇଥାନ୍ତି କିନ୍ତୁ କ୍ୟାଲସିୟମ ନୁହେଁ, ଏ ଦୁଇଟିକୁ ଏକସଙ୍ଗେ ଖାଇଲେ ହିଁ ଗର୍ଭବତୀ ମହିଳାଙ୍କ ପାଇଁ ଲାଭପ୍ରଦ ହେବ। ବେଳେବେଳେ ସେମାନେ ଆମକୁ ଜଣେ ଗର୍ଭବତୀ ମହିଳାଙ୍କ ପ୍ରତି ୧୦ଟି ବଟିକା ଦେଇଥାନ୍ତି, ଯାହା ମାତ୍ର ୧୦ ଦିନରେ ସରିଯାଏ। ଯେତେବେଳେ ମହିଳାମାନେ ଆମ ନିକଟକୁ ଆସିଥାନ୍ତି, ତାଙ୍କୁ ଦେବା ପାଇଁ ଆମ ପାଖରେ କିଛି ନଥାଏ,” ଛବି କୁହନ୍ତି ।

ଅନେକ ସମୟରେ ସେମାନେ ଆମକୁ ନିମ୍ନମାନର ସାମଗ୍ରୀ ଦେଇଥାନ୍ତି । “ମାସ ମାସ ଧରି କୌଣସି ସାମଗ୍ରୀ ନଆସିବା ପରେ ଆମକୁ ପୂରା ବାକ୍ସ ମାଲା-ଏନ ହରମୋନ (ଗର୍ଭନିରୋଧକ ବଟିକାର ମିଶ୍ରଣ) ବଟିକା ଏକ୍ସପାଏରୀ ଡେଟର ମାସକ ପୂର୍ବରୁ ଦିଆଯାଇଥାଏ ଏବଂ ଯଥାଶୀଘ୍ର ସେଗୁଡ଼ିକୁ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ,” ସୁନୀତା କୁହନ୍ତି । ମାଲା-ଏନ ବ୍ୟବହାର କରୁଥିବା ମହିଳାଙ୍କ ଠାରୁ ମତାମତ ସଂଗ୍ରହ ରେକର୍ଡ ରଖିବା କାମ ଆଶା କର୍ମୀମାନେ ଅନେକ ସମୟରେ କରିପାରିନଥାନ୍ତି । 

ଧାରଣା ପ୍ରଦର୍ଶନ ଦିନ ଅପରାହ୍ଣ ସୁଦ୍ଧା ୫୦ ଜଣ ଆଶାକର୍ମୀ ବିକ୍ଷୋଭସ୍ଥଳରେ ଏକତ୍ର ହୋଇସାରିଥିଲେ। ହସ୍ପିଟାଲର ବହିର୍ବିଭାଗ ନିକଟରେ ଥିବା ଏକ ଦୋକାନରୁ ଚା’ ପାଇଁ ଅର୍ଡର ଦିଆଯାଇଥିଲା । ଏଥିପାଇଁ ଟଙ୍କା କିଏ ଦେବ ବୋଲି ପଚାରିବାରୁ, ମଜାଳିଆ ଢଙ୍ଗରେ ନୀତୁ କୁହନ୍ତି, ସେ ଦେଇପାରିବେ ନାହିଁ କାରଣ ତାଙ୍କୁ ୬ ମାସ ହେବ ଦରମା ମିଳିନାହିଁ । ଏନଆରଏଚଏମର ୨୦୦୫ ନୀତି ଅନୁଯାୟୀ ଆଶା କର୍ମୀମାନେ ହେଉଛନ୍ତି ‘ସ୍ୱେଚ୍ଛାସେବୀ’ । ତେଣୁ ସେମାନେ ପୂରଣ କରୁଥିବା କାର୍ଯ୍ୟ ଅନୁଯାୟୀ ସେମାନଙ୍କୁ ପାରିଶ୍ରମିକ ଦିଆଯିବ । ସଂଖ୍ୟାଧିକ କାର୍ଯ୍ୟମଧ୍ୟରୁ ମାତ୍ର ୫ଟି କାର୍ଯ୍ୟକୁ ‘ନିୟମିତ ଓ ବାରମ୍ବାର’ କରାଯାଉଥିବା କାର୍ଯ୍ୟ ଭାବେ ଗଣାହୁଏ। ଏଥିପାଇଁ, କେନ୍ଦ୍ର ସରକାର ମୋଟ ମାସିକ ପାରିଶ୍ରମିକ ୨୦୦୦ ଟଙ୍କା ଦେବାକୁ ଅକ୍ଟୋବର ୨୦୧୮ରେ ରାଜି ହୋଇଥିଲେ-କିନ୍ତୁ ଠିକ ସମୟରେ ପାରିଶ୍ରମିକ ମିଳିବା ଅତି ବିରଳ ।

ଏହାଛଡ଼ା, ଆଶା ପ୍ରତ୍ୟେକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ଆଶାକର୍ମୀମାନଙ୍କୁ ଟଙ୍କା ମିଳିଥାଏ । ୬ରୁ ୯ମାସର ଅବଧି ମଧ୍ୟରେ ଯକ୍ଷ୍ମା ରୋଗୀମାନଙ୍କୁ ଔଷଧଠାରୁ ଆରମ୍ଭ କରି ରୋଗପ୍ରତିରୋଧ ଯୋଗାଣ ନିମନ୍ତେ ସେମାନଙ୍କୁ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳିଥାଏ, କିମ୍ବା ଗୋଟିଏ ଓଆରଏସ ପ୍ୟାକେଟ ବାଣ୍ଟିବା ଲାଗି ମାତ୍ର ୧ ଟଙ୍କା ମିଳିଥାଏ । ମହିଳାମାନଙ୍କୁ ଗର୍ଭଧାରଣ ମଧ୍ୟରେ ବ୍ୟବଧାନ ରଖିବା ନିମନ୍ତେ ବୁଝାଇବା ମାମଲାକୁ ଧ୍ୟାନରେ ରଖି ପରିବାର ନିୟୋଜନ ପାଇଁ ପାରିଶ୍ରମିକ ମିଳିଥାଏ। ମହିଳା ଓ ପୁରୁଷଙ୍କୁ ଜନ୍ମ ନିୟନ୍ତ୍ରଣ ସୁବିଧା ପ୍ରଦାନ କରିବା ଲାଗି ଆଶାକର୍ମୀମାନଙ୍କୁ ମାତ୍ର ୨୦୦ରୁ ୩୦୦ ଟଙ୍କା ମିଳିଥାଏ, ଅପରପକ୍ଷରେ ଗୋଟିଏ ପ୍ୟାକେଟ କଣ୍ଡୋମ କିମ୍ବା ଗର୍ଭନିରୋଧକ ବଟିକା ଏବଂ ଜରୁରିକାଳୀନ ଗର୍ଭନିରୋଧକ ବଟିକା ବାଣ୍ଟିବା ଲାଗି ସେମାନଙ୍କୁ ମାତ୍ର ୧ଟଙ୍କା ଦିଆଯାଏ। ସାଧାରଣ ପରିବାର ନିୟୋଜନ ପରାମର୍ଶ ପାଇଁ କୌଣସି ପାରିଶ୍ରମିକ ମିଳେ ନାହିଁ, ଯାହାକି ଅତ୍ୟନ୍ତ ଜରୁରି ଓ ଆଶାକର୍ମୀଙ୍କ ପାଇଁ ଅତ୍ୟନ୍ତ ସମୟସାପେକ୍ଷ ତଥା ପରିଶ୍ରମର କାର୍ଯ୍ୟ ।

Sunita Rani (centre) with other ASHA facilitators.'The government should recognise us officially as employees', she says
PHOTO • Pallavi Prasad

ସୁନୀତା ରାଣୀ (ମଝି) ଅନ୍ୟ ଆଶାକର୍ମୀଙ୍କ ସହିତ। ‘ସରକାର ଆମକୁ ନିୟମିତ କର୍ମଚାରୀ ଭାବେ ବିବେଚନା କରିବା ଆବଶ୍ୟକ’, ସେ କୁହନ୍ତି ।

ଏକାଧିକ ଜାତୀୟ ଏବଂ ଆଞ୍ଚଳିକସ୍ତରର ଆନ୍ଦୋଳନ ପରେ ବିଭିନ୍ନ ରାଜ୍ୟ ସେମାନଙ୍କ ଆଶାକର୍ମୀମାନଙ୍କୁ ଧାର୍ଯ୍ୟ ମାସିକ ପାଉଣା ଦେବା ଆରମ୍ଭ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଏହି ପରିମାଣ ଭିନ୍ନ ଭିନ୍ନ ରହିଛି, କର୍ଣ୍ଣାଟକରେ ମାତ୍ର ୪ ହଜାର ଟଙ୍କା ଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ହଜାର ଟଙ୍କା ରହିଛି । ଜାନୁଆରୀ ୨୦୧୮ଠାରୁ ହରିୟାଣାରେ ଆଶାକର୍ମୀଙ୍କୁ ରାଜ୍ୟ ସରକାରଙ୍କ ଠାରୁ ୪ହଜାର ଟଙ୍କା ପାରିଶ୍ରମିକ ମିଳୁଛି ।

“ଏନଆରଏଚଏମ ନୀତି ଅନୁଯାୟୀ, ଆଶାକର୍ମୀମାନେ ଦିନକୁ ୩ରୁ ୪ ଘଣ୍ଟା, ସପ୍ତାହକୁ ୪ରୁ ୫ ଦିନ କାମ କରିପାରିବେ । କିନ୍ତୁ ଶେଷଥର ପାଇଁ କେବେ ଛୁଟି ନେଇଥିଲେ ଏଠି କାହାର ମନେ ନାହିଁ । ଏବଂ ଆମକୁ କିଭଳି ଆର୍ଥିକ ସହଯୋଗ ମିଳୁଛି?” ସଭାରେ ପ୍ରସଙ୍ଗ ଉଠାଇ ସୁନୀତା ଖୁବ ବଡ଼ପାଟିରେ ପ୍ରଶ୍ନ କରୁଛନ୍ତି। କେତେକ ମହିଳା ଖୋଲାଖୋଲି କହୁଛନ୍ତି। ସେପ୍ଟେମ୍ବର ୨୦୧୯ ପରଠାରୁ କିଛି କର୍ମୀଙ୍କୁ ରାଜ୍ୟ ସରକାର ସେମାନଙ୍କ ପାରିଶ୍ରମିକ ଦେଇନାହାନ୍ତି, ଅନ୍ୟମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରିତ ପାରିଶ୍ରମିକ ୮ ମାସ ହେବ ମିଳିନାହିଁ ।

ତାଙ୍କୁ କେତେ ଅର୍ଥ ମିଳିବ ସେ ସମ୍ପର୍କରେ ଅନେକ ସନ୍ଦିହାନ ହୋଇପଡ଼ିଲେଣି । “ଦୁଇଟି ଉତ୍ସରୁ ଟଙ୍କା ଆସୁଛି-ରାଜ୍ୟ ସରକାର ଓ କେନ୍ଦ୍ର ସରକାର- ପୃଥକ ପୃଥକ ଭାବେ ଭିନ୍ନ ଭିନ୍ନ ସମୟରେ ମିଳୁଛି। କେଉଁ ପାଉଣା କେତେବେଳେ ମିଳୁଛି, କେହି ଜାଣିପାରୁନାହାନ୍ତି”, ନୀତୁ କୁହନ୍ତି । ବିଳମ୍ବିତ ଓ ଅସ୍ଥିର ଭାବେ ପାରିଶ୍ରମିକ ମିଳିବା କାରଣରୁ ଏହାର ବ୍ୟକ୍ତିଗତ ପ୍ରଭାବ ମଧ୍ୟ ପଡ଼ୁଛି । ଦୀର୍ଘସମୟ ପର୍ଯ୍ୟନ୍ତ ବାହାରେ କାମ କରିବା ସତ୍ତ୍ୱେ ଯଥେଷ୍ଟ ପାରିଶ୍ରମିକ ମିଳୁନଥିବା କାରଣରୁ ଅନେକଙ୍କୁ ପାରିବାରିକ ଉପହାସର ସମ୍ମୁଖୀନ ହେବାକୁ ପଡ଼ୁଛି; ପରିବାର ଚାପରେ ଅନେକ କାମ ମଧ୍ୟ ଛାଡ଼ିଦେଲେଣି ।

ଏହାବ୍ୟତୀତ, ଆଶାକର୍ମୀଙ୍କୁ ବାଟଖର୍ଚ୍ଚ ପାଇଁ ନିଜ ହାତରୁ ୧୦୦ରୁ ୨୫୦ଟଙ୍କା ପର୍ଯ୍ୟନ୍ତ ଦୈନିକ ଖର୍ଚ୍ଚ କରିବାକୁ ପଡ଼ୁଛି, ତାହା ତଥ୍ୟ ସଂଗ୍ରହ ପାଇଁ ବିଭିନ୍ନ ଉପକେନ୍ଦ୍ରକୁ ଯିବା ହେଉ କିମ୍ବା ରୋଗୀଙ୍କୁ ଡାକ୍ତରଖାନା ନେଇ ଯିବାକୁ ହେଉ। “ଆମେ ଯେତେବେଳେ ପରିବାର ନିୟୋଜନ କାର୍ଯ୍ୟକ୍ରମ ପାଇଁ ଗାଁଗୁଡ଼ିକୁ ଯାଇଥାଉ, ଅଧିକାଂଶ ସମୟରେ ପ୍ରବଳ ଖରା ଓ ଗରମ ହୋଇଥାଏ । କିଛି ଥଣ୍ଡା ପାନୀୟ କିମ୍ବା ଖାଦ୍ୟର ବ୍ୟବସ୍ଥା କରିବା ଲାଗି ସେମାନେ ଆମକୁ କହିଥାନ୍ତି । ତେଣୁ ଆମେ ଆମ ଭିତରେ ୪୦୦ରୁ ୫୦୦ ଟଙ୍କା ଖର୍ଚ୍ଚ କରି ସେମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରିଥାଉ । ଯଦି ଆମେ ଏପରି କରିବୁ ନାହିଁ, ମହିଳାମାନେ ଆସିବେ ନାହିଁ,” ଶୀତଲ କୁହନ୍ତି ।

ଅଢ଼େଇ ଘଣ୍ଟାର ସେମାନଙ୍କ ଆନ୍ଦୋଳନରେ, ସେମାନଙ୍କ ଦାବି ସ୍ପଷ୍ଟ: ଆଶା କର୍ମୀ ଏବଂ ସେମାନଙ୍କ ପରିବାରକୁ ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପାଇଁ ଏକ ସ୍ୱାସ୍ଥ୍ୟକାର୍ଡ; ସେମାନଙ୍କ ପାଇଁ ପେନସନ, ଛୋଟ ଧାଡ଼ି ଥିବା ଏକ ଦୁଇ ପୃଷ୍ଠାର ଛୋଟିଆ ଖାତା ବଦଳରେ ସେମାନଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଅଲଗା ପ୍ରୋଫର୍ମା, ଉପକେନ୍ଦ୍ରରେ ସେମାନଙ୍କ ପାଇଁ ଏକ ଥାକ, ଯେଉଁଥିରେ ସେମାନେ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ସେମାନଙ୍କ ଘରେ ନରଖି ସେଠାରେ ରଖିପାରିବେ। ହୋଲିର ତିନି ଦିନ ପୂର୍ବରୁ ନୀତୁଙ୍କ ପୁଅ ତାଙ୍କୁ ଘରେ ରଖିଥିବା କଣ୍ଡୋମକୁ ଦେଖାଇ ବେଲୁନ ଦେବା ଲାଗି କହିଥିଲା ।

ଏବଂ ମୁଖ୍ୟତଃ, ଆଶା କର୍ମୀମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ କାର୍ଯ୍ୟକୁ ସମ୍ମାନ ଓ ମାନ୍ୟତା ମିଳୁ ।


Many ASHAs have lost track of how much they are owed. Anita (second from left), from Kakroi village, is still waiting for her dues
PHOTO • Pallavi Prasad

ସେମାନଙ୍କର ପାରିଶ୍ରମିକ କେତେ ତାହା ଅଧିକାଂଶ ଆଶାକର୍ମୀଙ୍କର ମନେ ନାହିଁ । କାକ୍ରୋଇ ଗ୍ରାମର ଅନୀତା (ବାମରୁ ଦ୍ୱିତୀୟ), ଏବେବି ନିଜ ପାରିଶ୍ରମିକ ପାଇବାକୁ ଅପେକ୍ଷା କରି ରହିଛନ୍ତି ।

“ଜିଲ୍ଲାର ଅଧିକାଂଶ ଡାକ୍ତରଖାନାର ପ୍ରସବ କୋଠାରି ବାହାରେ ଏକ ଲେଖା ଦେଖିବାକୁ ମିଳିଥାଏ, ‘ଆଶା କର୍ମୀଙ୍କ ପ୍ରବେଶ ନିଷେଧ’,” ଛବି କୁହନ୍ତି। “ଆମେ ରାତି ଅଧରେ ମହିଳାମାନଙ୍କୁ ସନ୍ତାନ ପ୍ରସବ ପାଇଁ ଡାକ୍ତରଖାନା ନେଇ ଯାଇଥାଉ, କିନ୍ତୁ ଆମକୁ ବାହାରେ ଛିଡ଼ା ହେବାକୁ କୁହାଯାଇଥାଏ, କାରଣ ସେମାନେ ଆମକୁ ବିଶ୍ୱାସ କରନ୍ତିନାହିଁ । ଆମକୁ ଭିତରକୁ ଯିବାକୁ ଅନୁମତି ମିଳେ ନାହିଁ । ଏ ଡାକ୍ତରଖାନାର କର୍ମଚାରୀମାନେ କୁହନ୍ତି, ‘ଚାଲ ଏଠୁ ବାହାର’। କର୍ମଚାରୀମାନେ ଆମକୁ ଏଭଳି ବ୍ୟବହାର କରନ୍ତି, ଯେମିତି ଆମେ ସେମାନଙ୍କ ଠାରୁ ନ୍ୟୁନ,” ଛବି କହିଛନ୍ତି । ଆଶା କର୍ମୀଙ୍କ ପାଇଁ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌରସି ପ୍ରତୀକ୍ଷାଳୟ ନଥାଏ । ଏହା ସତ୍ତ୍ୱେ ସେମାନଙ୍କୁ ସାରା ରାତି ପ୍ରସୂତୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ରହିବାକୁ ପଡ଼ିଥାଏ ।

ଆନ୍ଦୋଳନ ସ୍ଥଳରେ ପାଖାପାଖି ଦ୍ୱିପ୍ରହର ୩ଟା ହେଲାଣି ଏବଂ ମହିଳାମାନେ ଅଧୈର୍ଯ୍ୟ ହୋଇପଡ଼ିଲେଣି । ସେମାନଙ୍କୁ କାମକୁ ଫେରିଯିବାକୁ ହେବ । ସୁନୀତା ଶୀଘ୍ର ଶୀଘ୍ର ସାରିବାକୁ ଚେଷ୍ଟା କରୁଛନ୍ତି: “ସରକାର ଆମକୁ ସ୍ୱେଚ୍ଛାସେବୀ ନୁହେଁ, ବରଂ କର୍ମଚାରୀ ଭାବେ ବିବେଚନା କରିବା ଉଚିତ । ଆମକୁ ସର୍ବେକ୍ଷଣର ବୋଝରୁ ମୁକ୍ତ କରାଯାଉ, ଯାହାଦ୍ୱାରା ଆମେ ଆମ କାମ କରିପାରିବୁ । ଯାହା ଆମର ପ୍ରାପ୍ୟ ଆମକୁ ଦେବା ଉଚିତ ।”

ଇତିମଧ୍ୟରେ କିଛି ଆଶା କର୍ମୀ ଉଠି ଚାଲିଯିବାକୁ ବାହାରିଲେଣି । “କାମ ଅଧିକ, ଦରମା କମ୍”, ସୁନୀତା ଶେଷ ଥର ପାଇଁ ପାଟି କରି କହୁଛନ୍ତି । “ଚଳିବ ନାହିଁ, ଚଳିବ ନାହିଁ,” ସେ ପୁଣିଥରେ କହୁଛନ୍ତି, ପୂର୍ବାପେକ୍ଷା ଖୁବ ବଡ଼ପାଟିରେ କହୁଛନ୍ତି । “ଆମ ଅଧିକାର ପାଇଁ ହରତାଳ କରିବା ଲାଗି ଆମ ପାଖରେ ସମୟ ନାହିଁ, କ୍ୟାମ୍ପ ଓ ସର୍ବେକ୍ଷଣ ଭିତରେ ଆମକୁ ଆମ ହକ୍ ପାଇଁ ଆନ୍ଦୋଳନ କରିବାକୁ ହେବ!”, ଆନ୍ଦୋଳନସ୍ଥଳୀରୁ ମୁଣ୍ଡରେ କପଡ଼ା ଗୁଡ଼ାଇ ତୁରନ୍ତ ନିଜ ଦୈନିକ ଗୃହ ଗସ୍ତ ପାଇଁ ପ୍ରସ୍ତୁତ ହେବା ବେଳେ ହସି ହସି ଶୀତଲ କୁହନ୍ତି ।

ପ୍ରଚ୍ଛଦ ଅଳଙ୍କରଣ: ପ୍ରିୟଙ୍କା ବୋରାର ଜଣେ ନ୍ୟୁ ମିଡିଆ ଆର୍ଟିଷ୍ଟ ସେ ପ୍ରଯୁକ୍ତି ଏବଂ ଅର୍ଥ ଓ ଅଭିବ୍ୟକ୍ତିର ନୂଆ ରୂପ ଆବିଷ୍କାର କରିବା କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି । ସେ ଇଣ୍ଟରଆକ୍ଟିଭ ମିଡିଆ ଓ ଡିଜାଇନକୁ ନେଇ ନୂଆ ନୂଆ ପରୀକ୍ଷା କରିଥାନ୍ତି ଏବଂ ତାଙ୍କାର ପାରମ୍ପରିକ କଲମ ଓ କାଗଜରେ କଳାକୃତି କରିବାର ଅଭ୍ୟାସ ମଧ୍ୟ ରହିଛି ।

ସାଧାରଣ ଲୋକଙ୍କ ଅଭିଜ୍ଞତା ଓ ଅନୁଭୂତି ଶୁଣିବା ଜରିଆରେ, ସମାଜର ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ବର୍ଗର ଲୋକମାନଙ୍କ ସ୍ଥିତି ଲୋକଲୋଚନକୁ ଆଣିବା ଲାଗି ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆର ଏକ ଅଂଶବିଶେଷ ସ୍ୱରୂପ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ଗ୍ରାମୀଣ ଭାରତର କିଶୋରୀ ଓ ଯୁବତୀଙ୍କ ଉପରେ ଏକ ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ କାର୍ଯ୍ୟକାରୀ କରୁଛି ।

ଏହି ସ୍ତମ୍ଭକୁ ପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected], [email protected] ରେ ଯୋଗାଯୋଗ କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Pallavi Prasad

Pallavi Prasad is a Mumbai-based independent journalist, a Young India Fellow and a graduate in English Literature from Lady Shri Ram College. She writes on gender, culture and health.

Other stories by Pallavi Prasad

Anubha Bhonsle is a 2015 PARI fellow, an independent journalist, an ICFJ Knight Fellow, and the author of 'Mother, Where’s My Country?', a book about the troubled history of Manipur and the impact of the Armed Forces Special Powers Act.

Other stories by Anubha Bhonsle