PHOTO • p. sainath

ନିଜ ଭୂଇଁରୁ ବେଦଖଲ ହୋଇଥିବା ରାମ୍ପାର କୋୟା ଆଦିବାସୀ। ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଭୂମି ପ୍ରସଙ୍ଗ ବିସ୍ଫୋରିତ ହେଉଛି ଏବଂ ପୂର୍ବ ଭାଗରେ ତେଜୁଛି। 

ଆମେ ଜିପ୍‌ରୁ ଓହ୍ଲାଇବା ମାତ୍ରେ, କଡା ସୁରକ୍ଷା ବଳୟରେ ଥିବା ରାଜାଭୋମାଙ୍ଗି ପୋଲିସ୍  ଷ୍ଟେସନର  କନେଷ୍ଟବଳମାନେ ନିଜ ନିଜ ସ୍ଥାନରେ ଭୟଭୀତ ହୋଇଉଠିଲେ। ଷ୍ଟେସନ ହିଁ ପୋଲିସ୍ ସୁରକ୍ଷା ବଳୟରେ ଥିଲା। ତା’ ଚାରିପଟେ ଘେରି ରହିଥିଲେ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ୍ ବାହିନୀ। ମାତ୍ର ଗୋଟିଏ କ୍ୟାମେରା ସହ ଯାଇଥିବା ଆମେ ଉତ୍ତେଜନା କମ୍ କରିବାରେ କିଛି ସହାୟକ ହେଲୁନାହିଁ। ପୂର୍ବ ଗୋଦାବରୀର ଏହି ଅଂଶରେ ପୋଲିସ୍ ଷ୍ଟେସନର ଫଟୋ ଉଠାଇବା ନିଷେଧ।

ଭିତର କରିଡରର ସୁରକ୍ଷା ବଳୟରେ ଥିବା ହେଡ୍ କନେଷ୍ଟବଳ ଆମେ କିଏ ବୋଲି ଜାଣିବାକୁ ଚାହିଁଲେ। ସାମ୍ବାଦିକ? ସ୍ଥିତି ଟିକିଏ ସହଜ ହେଲା। “ଆପଣ କିଛି ବିଳମ୍ବରେ ପ୍ରତିକ୍ରିୟା କଲେ ନାହିଁ”, ମୁଁ ପଚାରିଲି। “୭୫ ବର୍ଷ ତଳେ ତୁମ ପୋଲିସ୍ ଷ୍ଟେସନ ଉପରେ ଆକ୍ରମଣ ହୋଇଥିଲା”।

"କିଏ ଜାଣେ", ସେ ଦାର୍ଶନିକସୁଲଭ ଢଙ୍ଗରେ କହିଲେ। "ଆଜି ଅପରାହ୍ନରେ ବି ତାହା ଘଟିପାରେ"।

ଆନ୍ଧ୍ରପ୍ରଦେଶର ଏହି ଆଦିବାସୀବହୁଳ ଅଞ୍ଚଳ (ଏଜେନ୍ସି) ଅଞ୍ଚଳ ଭାବେ ପରିଚିତ। ଅଗଷ୍ଟ ୧୯୨୨ରେ ସେମାନେ ବିଦ୍ରୋହ କରିଥିଲେ। ପ୍ରାଥମିକ ଭାବେ ଯାହା ସ୍ଥାନୀୟ ଲୋକଙ୍କ ଆକ୍ରୋଶର ପ୍ରତିଫଳନ ବୋଲି ଲାଗୁଥିଲା ପରେ ତାହା ବ୍ୟାପକ ରାଜନୈତିକ ଅର୍ଥ ନେଇଥିଲା। ଜଣେ ଅଣଆଦିବାସୀ ଆଲୁରି ରାମଚନ୍ଦ୍ରରାଜୁ (ସୀତାରାମ ରାଜୁ ଭାବେ ଅଧିକ ଜଣାଶୁଣା) ମାନ୍ୟମ ବିଦ୍ରୋହରେ ଏହି ପାହାଡ଼ିଆ ଜାତିର ଲୋକଙ୍କ ନେତୃତ୍ୱ ନେଲେ। ଏଠାରେ, ଲୋକମାନେ କେବଳ ଅଭିଯୋଗର ଶୁଣାଣି ପାଇଁ ଦାବି କରୁନଥିଲେ। ୧୯୨୨ ସୁଦ୍ଧା ସେମାନେ ବ୍ରିଟିଶ ରାଜକୁ ହଟାଇବାକୁ ସଂଘର୍ଷ କରୁଥିଲେ। ଏଜେନ୍ସି ଅଞ୍ଚଳରେ ବହୁ ପୁଲିସ ଷ୍ଟେସନ୍ ଉପରେ ଆକ୍ରମଣ କରି ବିଦ୍ରୋହୀମାନେ ସେମାନଙ୍କର ଲକ୍ଷ୍ୟ ସଂପର୍କରେ ଘୋଷଣା କରିଦେଲେ। ସେଥିମଧ୍ୟରେ ରାଜାଭୋମାଙ୍ଗି ପୁଲିସ ଷ୍ଟେସନ୍ ବି ସାମିଲ ଥିଲା।

୭୫ ବର୍ଷ ତଳେ ବ୍ରିଟିଶମାନଙ୍କ ବିରୋଧରେ ଯେଉଁ ସମସ୍ୟା ପାଇଁ ଲଢେ଼ଇ କରାଯାଇଥିଲା, ତାହା ବର୍ତ୍ତମାନ ମଧ୍ୟ ରହିଛି।
PHOTO • p. sainath

ପୂର୍ବ ଗୋଦାବରୀରେ ସୀତାରାମ ରାଜୁଙ୍କର ପ୍ରତିମୂର୍ତ୍ତି

ରାଜୁଙ୍କର ବାହିନୀ ଏକ ପୂର୍ଣ୍ଣକାଳୀନ ଗରିଲା ଯୁଦ୍ଧ ମାଧ୍ୟମରେ ବ୍ରିଟିଶମାନଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିଲେ। ଏହାକୁ ପ୍ରତିହତ କରିବାକୁ ଅସମର୍ଥ ହେବାରୁ ବିଦ୍ରୋହକୁ ଦମନ କରିବା ଲାଗି ବ୍ରିଟିଶମାନେ ମାଲାବାର ସ୍ପେଶାଲ ଫୋର୍ସଙ୍କୁ ଆଣିଲେ। ସେମାନେ ଜଙ୍ଗଲରେ ଲଢ଼ିବା ପାଇଁ ତାଲିମପ୍ରାପ୍ତ ହୋଇଥିବାବେଳେ ସେମାନଙ୍କ ନିକଟରେ ୱାରଲେସ୍ ସେଟ୍ ରହିଥିଲା। ୧୯୨୪ରେ ରାଜୁଙ୍କ ମୃତ୍ୟୁ ସହିତ ଏହି ବିଦ୍ରୋହର ଅନ୍ତ ହେଲା। ଐତିହାସିକ ଏମ୍ ଭେଙ୍କଟରଙ୍ଗାୟା ଲେଖିଛନ୍ତି: “ତଥାପି, ବ୍ରିଟିଶମାନଙ୍କ ପାଇଁ ଏହା ଅସହଯୋଗ ଆନେ୍ଦାଳନଠାରୁ ଅଧିକ ମୁଣ୍ଡବ୍ୟଥା ସୃଷ୍ଟି କରିଥିଲା।”

ଚଳିତବର୍ଷ ହେଉଛି ସୀତାରାମ ରାଜୁଙ୍କର ଜନ୍ମଶତବାର୍ଷିକୀ ଯିଏକି ହତ୍ୟା କରାଯିବା ସମୟରେ ମାତ୍ର୨୭ ବର୍ଷର ହୋଇଥିଲେ।”
PHOTO • p. sainath

କ୍ରିଷ୍ଣାଦେବୀପେଟରେ ଥିବା ସୀତାରାମ ରାଜୁଙ୍କ ସମାଧି।

ଉପନିବେଶବାଦୀ ଶାସନ ଆଦିବାସୀଜାତିଙ୍କୁ ବିଧ୍ୱସ୍ତ କରିଦେଇଥିଲା। ୧୮୭୦ ଏବଂ ୧୯୦୦ ମଧ୍ୟରେ ବ୍ରିଟିଶ ଶାସନ କାଳରେ ବହୁ ଜଙ୍ଗଲକୁ ସଂରକ୍ଷିତ ଭାବେ ଘୋଷଣା କରାଯାଇଥିଲା ଏବଂ ପୋଡୁ ଚାଷକୁ ନିଶିଦ୍ଧ କରାଯାଇଥିଲା। ଖୁବ୍ ଶୀଘ୍ର ଏହା ଲଘୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ନେଇ ଆଦିବାସୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କଲା। ସେହି ଅଧିକାର ଜଙ୍ଗଲ ବିଭାଗ ଏବଂ ଏହାର କଣ୍ଟ୍ରାକ୍ଟରମାନଙ୍କ ହାତକୁ ଚାଲିଗଲା। ପରେ ସେମାନେ ବଳପ୍ରୟୋଗ କରି ଏହାକୁ ହାସଲ କଲେ ଏବଂ ଅଧିକାଂଶ ସମୟରେ ଆଦିବାସୀଜାତିର ମଜୁରିଆମାନଙ୍କୁ ଟଙ୍କା ଦେଲେନାହିଁ। ସେହି ଅଞ୍ଚଳ ଅଣ-ଆଦିବାସୀମାନଙ୍କ ଅକ୍ତିଆରକୁ ଚାଲିଗଲା। ଅଧିକାଂଶ ସମୟରେ ଦଣ୍ଡସ୍ୱରୂପ ଆଦିବାସୀମାନଙ୍କର ଜମିକୁ ହଡ଼ପ କରି ନିଆଯାଉଥିଲା। ଏହି ସବୁ ପଦକ୍ଷେପ ଯୋଗୁ ଅଞ୍ଚଳର ଅର୍ଥନୀତି ଭୁଶୁଡ଼ି ପଡ଼ିଲା।

ରାମ୍ପାର କୋୟା ଆଦିବାସୀ ରମାୟମ୍ମା କହନ୍ତି, “ଭୂମିହୀନମାନେ ଏବେ ଖୁବ୍ ଅସୁବିଧା ଭୋଗୁଛନ୍ତି।“ “୫୦ ବର୍ଷ ତଳର କଥା ମୁଁ ଜାଣେ ନାହିଁ।”

ରାଜୁଙ୍କ ପାଇଁ ରାମ୍ପା ଏକ ବିଦ୍ରୋହର କ୍ଷେତ୍ର ଥିଲା। ୧୫୦ଟି ପରିବାର ଥିବା ଏହି ଛୋଟିଆ ଗାଁରେ ରମାୟମ୍ମାଙ୍କୁ ମିଶାଇ ପ୍ରାୟ ୬୦ଟି ପରିବାର ଭୂମିହୀନ ଥିଲେ।

ରମ୍ପାୟମ୍ମା କହନ୍ତି, “ସବୁବେଳେ ଏପରି ନଥିଲା। ଆମର ବାପା-ମା’ ପ୍ରାୟ ୧୦ ଟଙ୍କାର ଋଣ ନେଇ ସେମାନଙ୍କର ଜମି ହରାଇଥିଲେ। ଆହୁରି ମଧ୍ୟ ଆଦିବାସୀ ଭାବେ ପରିଚୟ ଦେଇ ବାହାରୁ ଲୋକମାନେ ଆସୁଛନ୍ତି ଏବଂ ଆମର ଜମିକୁ ହଡ଼ପ କରିନେଉଛନ୍ତି। “ଏଠାରେ ସବୁଠୁ ଅଧିକ ଜମିର ମାଲିକ ହେଉଛନ୍ତି ରେକର୍ଡ ଅଫିସରେ କାମ କରୁଥିବା ଜଣେ ଲୋକ ଯିଏକି ବାହାରୁ ଆସିଥିଲେ। ଏହାଯୋଗୁ ତାଙ୍କୁ ଅଞ୍ଚଳର ଜମିରେ ହେରଫେର କରିବାକୁ ସୁଯୋଗ ମିଳିଥିଲା ଏବଂ ସେ ଏପରି କରିଥିବା କଥା ଲୋକେ ବିଶ୍ୱାସ କରନ୍ତି। ତାଙ୍କର ପରିବାର ଏବେ ଚାଷ ସମୟରେ ଦୈନିକ ପ୍ରାୟ ୩୦ ଜଣ ଶ୍ରମିକଙ୍କୁ ନିଯୁକ୍ତି ଦେଉଛନ୍ତି। ଯେତେବେଳେ କି ଏହି ଗାଁରେ ଗ୍ରାମବାସୀଙ୍କର ମୋଟ ଜମିର ପରିମାଣ ପ୍ରାୟ ତିନି ଏକର ବା କମ୍।

ପଶ୍ଚିମ ଗୋଦାବରୀ ଜିଲ୍ଳାରେ ଭୂମି ପ୍ରସଙ୍ଗ ବିସ୍ଫୋରିତ ହେଉଛି ଏବଂ ପୂର୍ବ ଭାଗରେ ତେଜୁଛି। ଜଣେ ଆଦିବାସୀ ବିକାଶ ଏଜେନ୍ସିର ଅଧିକାରୀଙ୍କ ଅନୁସାରେ, ସ୍ୱାଧୀନତା ପରେ ଅଧିକାଂଶ ଆଦିବାସୀ ସେମାନଙ୍କର ଜମି ହରାଇଥିଲେ ଯେତେବେଳେ କି ସେମାନଙ୍କର ଅଧିକାରକୁ ସୁରକ୍ଷିତ କରିବାର ଥିଲା। ୧୯୫୯-୧୯୭୦ ମଧ୍ୟରେ ଏହି ଅଞ୍ଚଳର ୩୦ ପ୍ରତିଶତ ଜମି ଉଚ୍ଛେଦ ହୋଇଯାଇଥିଲା। ଆହୁରି ମଧ୍ୟ ଆନ୍ଧ୍ରପ୍ରଦେଶ ରାଜ୍ୟ ଭୂମି ପରିବର୍ତ୍ତନ ନିୟାମକ ଆଇନ ୧୯୫୯ ପାରିତ ହେବା ଏହି ଟ୍ରେଣ୍ଡକୁ ଅଟକାଇବା ପାଇଁ ସହାୟକ ହୋଇପାରିନଥିଲା। ରେଗୁଲେସନ୍ ୧/୭୦ ଭାବେ ପରିଚିତ ସେହି ଆଇନ ଏହାକୁ ଅଟକାଇବା ପାଇଁ ପ୍ରଣୀତ ହୋଇଥିଲା। ବର୍ତ୍ତମାନ ସେହି ଆଇନକୁ ହିଁ ଉଚ୍ଛେଦ ପାଇଁ ଯୋଜନା କରାଯାଉଛି। 

PHOTO • p. sainath

ରାମ୍ପାର ଆଉ ଜଣେ ଭୂମିହୀନ ପି. କ୍ରିଷ୍ଣାମ୍ମା ତାଙ୍କ ପରିବାରର ବର୍ତ୍ତମାନର ସଂଘର୍ଷ କଥା କହନ୍ତି

ଆଦିବାସୀ ଏବଂ ଅଣ-ଆଦିବାସୀମାନଙ୍କ ମଧ୍ୟରେ ସଂଘର୍ଷ ଖୁବ୍ ଜଟିଳ। ଏଠାରେ ଅଣଆଦିବାସୀ ଗରିବ ଲୋକ ବି ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ୟା ସତ୍ତ୍ୱେ ସେମାନେ ଆଦିବାସୀମାନଙ୍କର କ୍ଷୋଭର ଟାର୍ଗେଟରେ ନାହାନ୍ତି। ଏହା କିଛି ମାତ୍ରାରେ ଇତିହାସକୁ ପ୍ରତିଫଳିତ କରୁଛି। ବିଦ୍ରୋହ ସମୟରେ ରାଜୁଙ୍କର ନିୟମ ଥିଲା ଯେ କେବଳ ବ୍ରିଟିଶ ଓ ସରକାରୀ ସଂସ୍ଥାକୁ ଟାର୍ଗେଟ ଆକ୍ରମଣ କରାଯିବ। ରାମ୍ପାର ବିଦ୍ରୋହୀମାନେ ସେମାନଙ୍କର ଯୁଦ୍ଧ ବ୍ରିଟିଶମାନଙ୍କ ବିରୋଧରେ ବୋଲି ମନେ କରୁଥିଲେ।

ଏବେ ଅଣ-ଆଦିବାସୀମାନେ ଉଭୟ ଆଦିବାସୀ ଓ ସେମାନଙ୍କର ଗରିବଲୋକଙ୍କୁ ଶୋଷଣ କରୁଛନ୍ତି। ଏଠାରେ ତଳିଆ ପ୍ରଶାସନ ପ୍ରାୟତଃ ଅଣଆଦିବାସୀ। ରେଗୁଲେସନ୍ ୧/୭୦ଅନୁସାରେ କିଛି ଗଳାବାଟ ବି ରହିଛି। କୋଣ୍ଡାପାଲ୍ଲି ଗାଁର ଭୂମିହୀନ କୋୟା ଆଦିବାସୀ ପୋଟ୍ଟଭ କାମରାଜ କହନ୍ତି,“ଏଠାରେ ଲିଜ୍ ବହୁଳ ପ୍ରଚଳିତ।” ଲିଜ୍ ଦିଆଯାଉଥିବା ଜମି କ୍ୱଚିତ୍ ମାଲିକଙ୍କ ନିକଟକୁ ଫେରିଥାଏ। ଏପରିକି ବାହାରର କିଛି ଲୋକ ଆଦିବାସୀ ଜମି ହାତେଇବା ପାଇଁ ଆଦିବାସୀ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥାନ୍ତି। କୋଣ୍ଡାପାଲ୍ଲି ସୀତାରାମ ରାଜୁଙ୍କର କର୍ମକ୍ଷେତ୍ର ମଧ୍ୟରେ ଆସୁଥିଲା। ଏଠାରୁ ବ୍ରିଟିଶମାନେ ବିଦ୍ରୋହକୁ ଦମନ କରି ବିଦ୍ରୋହୀମାନଙ୍କୁ ଆଣ୍ଡାମାନ ପଠାଉଥିଲେ।

ସେହି ସମୟର ଲୋକପ୍ରିୟ ସ୍ମୃତି ଏବେ ବିକ୍ଷିପ୍ତ। କିନ୍ତୁ ରାଜୁଙ୍କ ନାଁ ବର୍ତ୍ତମାନ ବି ମ୍ୟାଜିକ୍ ସୃଷ୍ଟି କରୁଛି ଏବଂ ସମସ୍ୟା ଏବେ ବି ରହିଛି। ଭାଇଜାଗ ଜିଲ୍ଳାର ମାମ୍ପା ଗାଁର କାମରାଜୁ ସୋମୁଲୁ ହସି କହନ୍ତି, “ଲଘୁ ବନ୍ୟଜାତ ଦ୍ରବ୍ୟ ଏକ ସମସ୍ୟା ନୁହେଁ। ଆଉ ମାତ୍ର କିଛି ଜଙ୍ଗଲ ରହିଯାଇଛି।” ରମାୟମ୍ମା କହନ୍ତି, “ଏହାର ଅର୍ଥ ଗରିବ ଲୋକେ ଥିବା ସ୍ଥାନରେ ଅଧିକ ସମସ୍ୟା ରହିଛି। ଅଧିକାଂଶ ସମୟରେ ପେଟ ପୂରାଇବା ପାଇଁ କେବଳ କାଞ୍ଜିପାଣି ପିଇବାକୁ ପଡ଼ୁଛି।” ପୂର୍ବ ଗୋଦାବରୀ ଦେଶର ଧନୀ ଗ୍ରାମୀଣ ଜିଲ୍ଲା ମଧ୍ୟରେ ଅନ୍ୟତମ ହୋଇଥିବାବେଳେ ଏଠାକାର ଲୋକଙ୍କ ତାହା ସାହାଯ୍ୟ କରିପାରୁନାହିଁ।
PHOTO • p. sainath

ରମ୍ପାର ଜଣେ ଭୂମିହୀନ କୋୟା ଆଦିବାସୀ ରମାୟମ୍ମା(ବାମ) କହିଛନ୍ତି, “ଗରିବ ଲୋକେ ଅଧିକାଂଶ ସମୟରେ କାଞ୍ଜିପାଣିକୁ ଖାଦ୍ୟ ପାଇଁ ବ୍ୟବହାର କରିଥାନ୍ତି କୋଣ୍ଡାପାଲ୍ଲି ଗାଁର ଭୂମିହୀନ କୋୟା ଆଦିବାସୀ ପୋଟ୍ଟଭ କାମରାଜ କହନ୍ତି, “ଧନୀମାନେ ସବୁ ସମୟରେ ଏକତ୍ରିତ ହୋଇଥାନ୍ତି

ଆଦିବାସୀମାନଙ୍କ ମଧ୍ୟରେ ବି ଶ୍ରେଣୀ ସୃଷ୍ଟି ହୋଇଛି। “ଧନୀ କୋୟାମାନେ ସେମାନଙ୍କର ଜମିକୁ ବାହାରୁ ଆସିଥିବା ନାଇଡୁମାନଙ୍କୁ ଲିଜରେ ଦେଇଥାନ୍ତି, ଗାଁ ଭିତରେ ଆମମାନଙ୍କୁ ନୁହେଁ”, କୋଣ୍ଡାପାଲ୍ଲିର ପୋଟ୍ଟଭ କାମରାଜ କହନ୍ତି। “ଧନୀମାନେ ଅଧିକାଂଶ ସମୟରେ ଏକତ୍ରିତ ହୋଇଥାନ୍ତି।”  କିଛି ଆଦିବାସୀ ସରକାରୀ ଚାକିରି ପାଆନ୍ତି ଏବଂ ଏହି ଅଞ୍ଚଳର ଭୂମିହୀନ ଶ୍ରମିକମାନେ ବର୍ଷର ବହୁତ ମାସ ଧରି କାମ ପାଆନ୍ତି ନାହିଁ।

ପଶ୍ଚିମ ଗୋଦାବରୀରେ ସୃଷ୍ଟି ହୋଇଥିବା ମଜୁରୀ ସଂଘର୍ଷ ପୂର୍ବ ଗୋଦାବରୀକୁ ମଧ୍ୟ ବ୍ୟାପିପାରେ। ଏହାଛଡ଼ା ଧନୀ ଅଣ-ଆଦିବାସୀମାନେ କିଛି ଆଦିବାସୀ ମୁଖ୍ୟଙ୍କୁ ସହଯୋଗ କରୁଛନ୍ତି। ସୋମୁଲୁ କହନ୍ତି,“ମାମ୍ପାରେ ପଞ୍ଚାୟତର ସଭାପତି ଥିବା ଜଣେ ଆଦିବାସୀ ଏବେ ବଡ଼ ଭୂମିମାଲିକ। ତାଙ୍କ ପରିବାରର ୧୦୦ ଏକର ଜମି ରହିଛି। ସେ ବାହାରୁ ଆସୁଥିବା ଲୋକଙ୍କୁ ସଂପୂର୍ଣ୍ଣ ସମର୍ଥନ କରୁଛନ୍ତି।”

ଆଲୁରି ସୀତାରାମରାଜୁଙ୍କୁ ତାଙ୍କ ଜୀବନକାଳ ମଧ୍ୟରେ ପ୍ରଲୁବ୍ଧ କରିବାରେ ବ୍ରିଟିଶ ସରକାର ବିଫଳ ହୋଇଥିଲା। ତାଙ୍କୁ ୫୦ ଏକର ଉର୍ବର ଜମି ଦେବା କିଛି ଫଳପ୍ରଦ ହୋଇନଥିଲା। କୌଣସି ବ୍ୟକ୍ତିଗତ ଲାଳସା ନଥାଇ ଜଣେ ଲୋକ କିଭଳି ଆଦିବାସୀମାନଙ୍କଠାରୁ ବିଚ୍ଛିନ୍ନ ହୋଇପାରିବ ନାହିଁ ବ୍ରିଟିଶମାନେ ତାହା ଜାଣିପାରୁନଥିଲେ। ଏପରିକି ଏକ ବ୍ରିଟିଶ ରିପୋର୍ଟରେ କୁହାଯାଇଥିଲା ଯେ, “ସେ କୋଲକାତାର ସିକ୍ରେଟ ସୋସାଇଟିର ସଦସ୍ୟ ଥିଲେ।” ବ୍ରିଟିଶ ଶାସକମାନଙ୍କ ଛଡ଼ା ପ୍ରମୁଖ କଂଗ୍ରେସ ନେତାଙ୍କ ସମେତ ଅନ୍ୟ କିଛି ନେତା ତାଙ୍କୁ ବିରୋଧ କରୁଥିଲେ। ୧୯୨୨-୨୪ ମଧ୍ୟରେ ଅନେକ ତାଙ୍କର ବିଦ୍ରୋହକୁ ଦମନ କରିବାକୁ ଉଦ୍ୟମ କରିଥିଲେ। ମାଡ୍ରାସ ବିଧାନ ପରିଷଦରେ ସି.ଆର ରେଡ୍ଡିଙ୍କ ଭଳି ନେତା ତାଙ୍କୁ ବିରୋଧ କରିବା ସହିତ ବିଦ୍ରୋହ ଦମନ ନ ହେବା ପର୍ଯ୍ୟନ୍ତ ଏହାର କାରଣ ସଂପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଐତିହାସିକ ମୁରାଲି ଅଟଲୁରି କହନ୍ତି, ଏପରିକି ଜାତୀୟତାବାଦୀ ପ୍ରେସ ମଧ୍ୟ ଏହି ବିଦ୍ରୋହକୁ ସମର୍ଥନ କରୁନଥିଲା। ତେଲଗୁ ଜର୍ଣ୍ଣାଲ ‘ଦ କଂଗ୍ରେସ’ କହିଥିଲା, ବିଦ୍ରୋହ ଦମନ ହୋଇଗଲେ ଭଲ। ଆନ୍ଧ୍ରପତ୍ରିକା ମଧ୍ୟ ବିଦ୍ରୋହକୁ ଟାର୍ଗେଟ୍ କରିଥିଲା।
PHOTO • p. sainath

ସୀତାରାମରାଜଙ୍କ ବିଧ୍ୱସ୍ତ ସମାଧି

ଅଟଲୁରିଙ୍କ ଅନୁସାରେ ମୃତୁ୍ୟ ପରେ ରାଙ୍କୁ ପ୍ରଲୁବ୍ଧ କରାଯାଇଥିଲା। ତାଙ୍କ ମୃତୁ୍ୟ ପରେ ଆନ୍ଧ୍ରପତ୍ରିକା ରାଜୁଙ୍କୁ ପ୍ରଶଂସା କରିଥିଲା। “ଦ ସତ୍ୟାଗ୍ରହୀ” ତାଙ୍କୁ ଜର୍ଜ ୱାଶିଂଟନଙ୍କ ସହିତ ତୁଳନା କରିଥିଲା। କଂଗ୍ରେସ ତାଙ୍କୁ ସହିଦ ଭାବେ ଗ୍ରହଣ କରିଥିଲା। ତାଙ୍କର ସାମ୍ରାଜ୍ୟକୁ ଅଧିଗ୍ରହଣ କରିବାକୁ ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଚଳିତ ବର୍ଷ ବେଶ୍ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବେ। ତା’ ମଧ୍ୟରେ କିଛି ରେଗୁଲେସନ୍ ୧/୭୦କୁ ଉଚ୍ଛେଦ କରିବାକୁ ଦାବି କରିବେ ଯାହାକି ଆଦିବାସୀମାନଙ୍କୁ ଆହୁରି ସମସ୍ୟାରେ ପକାଇବ।

କ୍ରିଷ୍ଣାଦେବୀପେଟରେ ରାଜୁଙ୍କ ସମାଧି ନିକଟରେ ମୁତୟନ ହୋଇଥିବା ବୟୋଜ୍ୟୋଷ୍ଠ କେୟାରଟେକର ଗଜାଲା ପେଦ୍ଧାପନ କହନ୍ତି, ତାଙ୍କୁ ତିନି ବର୍ଷ ହେଲା ଦରମା ଦିଆଯାଇନାହିଁ। ପ୍ରତିଦିନ ଏହି ଅଞ୍ଚଳରେ ଅସାମାଜିକ ଲୋକଙ୍କ ଦୌରାତ୍ମ  ବୃଦ୍ଧି ପାଉଛି। ଭାଇଜାଗ୍-ପୂର୍ବ ଗୋଦାବରୀ ସୀମା ନିକଟରେ ବାମପନ୍ଥୀ ଓ ନକ୍ସଲଙ୍କ ପ୍ରଭାବ ବୃଦ୍ଧି ପାଉଛି।

କୋଣ୍ଡାପାଲ୍ଳିରେ ପୋଟ୍ଟଭ କାମରାଜ କହନ୍ତି, “ଆମର ଜେଜେବାପା-ମା’ ଆମକୁ ସୀତାରାମ ରାଜୁ କିପରି ଆଦିବାସୀମାନଙ୍କ ପାଇଁ ଲଢିଥିଲେ ତାହା କହିଛନ୍ତି। “କାମରାଜ କେବେ ତାଙ୍କର ଜମି ଫେରି ପାଇବାକୁ ଏବେ ଲଢ଼ିବେ କି?” “ହଁ, ପୁଲିସ ସବୁବେଳେ ନାଇଡୁ ଓ ଧନୀମାନଙ୍କୁ ସହାୟତା କରିଥାଏ। କିନ୍ତୁ ଆମ ନିକଟରେ ସାମର୍ଥ ହୋଇଗଲେ ଦିନେ ଆମେ ଲଢ଼ିବୁ।”
PHOTO • p. sainath

ସୀତାରାମ ରାଜୁଙ୍କର ସମାଧି

ପୁଲିସ ଷ୍ଟେସନ୍ ଉପରେ ଆକ୍ରମଣ ପାଇଁ ହେଡ କନଷ୍ଟେବଳଙ୍କ ଭୟ ହୁଏତ ଠିକ୍ ହୋଇପାରେ।

ଏହା ଆଜି ଅପରାହ୍ନରେ ହୋଇପାରେ।

ଫଟୋ: ପି.ସାଇନାଥ

ଏହି କାହାଣୀ ମୂଳତଃ ଦ ଟାଇମ୍ସ ଅଫ୍ ଇଣ୍ଡିଆରେ ଅଗଷ୍ଟ ୨୬, ୧୯୯୭ରେ ପ୍ରକାଶିତ ହୋଇଥିଲା। 


When Salihan took on the Raj

Panimara's foot soldiers of freedom - 1

Panimara's foot soldiers of freedom - 2

The last battle of Laxmi Panda

Nine decades of non-violence 

Sherpur: big sacrifice, short memory

Sonakhan: when Veer Narayan Singh died twice

Kalliasseri: in search of Sumukan

Kalliasseri: still fighting at 50

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath