ସନ୍ଧ୍ୟା ଛ’ଟା। ଗାଈମାନଙ୍କର ଘର ଲେଉଟାଣି ବେଳ। କିନ୍ତୁ ମସାଇୱାଡ଼ିର ଗାଈମାନେ ଛଅ ମାସ ପାଇଁ ଘରକୁ ଫେରିବେ ନାହିଁ। ନା ଗାଈଙ୍କ ବେକର ଘଣ୍ଟି ଶବ୍ଦ, ନା ହମ୍ବାରଡ଼ି, ନା କ୍ଷୀର ସଂଗ୍ରହ ପାଇଁ ଆସୁଥିବା ଗାଡ଼ିଗୁଡ଼ିକର ଧାଁଧପଡ଼ ଶବ୍ଦ, ନା ତାଜା ଗୋବରର ଗନ୍ଧ। ପ୍ରାୟ ୩୧୫ ପରିବାର ବିଶିଷ୍ଟ ମହାରାଷ୍ଟ୍ର ସତାରା ଜିଲ୍ଲାର ମାନ୍ବ୍ଲକ୍ଅନ୍ତର୍ଗତ ଏହି ଗାଁ ଆଜି ସଂପୂର୍ଣ୍ଣ ନିରବ । ପାଖାପାଖି ପାଞ୍ଚ କିଲୋମିଟର ଦୂର ମାସୱାଡ଼ ସହର ନିକଟରେ ଥିବା ଏକ ଗୋଖାଦ୍ୟ ଶିବିରକୁ ଯାଇଛନ୍ତି ଗାଁର ଅଧାଅଧି ଲୋକ ଏବଂ ପ୍ରାୟ ସବୁ ଗୃହପାଳିତ ପଶୁ । ଶିବିରଟି ସତାରାଠାରୁ ୧୦୦ କିଲୋମିଟରରୁ ଅଧିକ ଦୂରରେ ।

ଜାନୁଆରୀରୁ ସେଠାରେ ଡେରା ପକାଇଛନ୍ତି ୪୦ ବର୍ଷୀୟା ସଙ୍ଗୀତା ବିରକର। ସାଙ୍ଗରେ ଆଣିଛନ୍ତି ନିଜର ଦୁଇଟି ମଇଁଷି ଓ ଦୁଇଟି ଜର୍ସି ଗାଈ ଏବଂ ତାଙ୍କ ବୃଦ୍ଧ ଓ ରୋଗଣା ବାପାଙ୍କର ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ । ୧୦ମ ଶ୍ରେଣୀ ପରୀକ୍ଷା ଦେଉଥିବା ୧୫ ବର୍ଷର ଝିଅ କୋମଲ ଏବଂ ୭ମ ଶ୍ରେଣୀରେ ପଢୁଥିବା ପୁଅ ବିଶାଲ ସହିତ ଗାଁରେ ଅଛନ୍ତି ତାଙ୍କର ୪୪ ବର୍ଷୀୟ ସ୍ଵାମୀ ନନ୍ଦୁ । ସବା ବଡ଼ ଝିଅ ବାହା ହୋଇଯାଇଛି । ଘରେ ତିନିଟି ଛେଳି, ଗୋଟିଏ ବିଲେଇ ଏବଂ ଗୋଟିଏ କୁକୁର ବି ଅଛନ୍ତି ।

 “ଘରେ ପିଲାମାନେ ଏବଂ ଶିବିରରେ ଗୃହପାଳିତ ପଶୁ । ମତେ ଉଭୟଙ୍କର ଦେଖାରଖା (ସମାନ ଭାବରେ) କରିବାକୁ ପଡୁଛି ।” ଏକ ଯାଯାବର ଉପଜାତି ଅନ୍ତର୍ଗତ ଧନଗର ସଂପ୍ରଦାୟର ସଙ୍ଗୀତା କହନ୍ତି, “ଏ ବର୍ଷ ଆମେ ଅସରାଏ ବର୍ଷା ବି ପାଇନାହୁଁ । ଆମର ୧୨ ଏକର ଜମିକୁ ମୋ ସ୍ଵାମୀ ଏବଂ ତାଙ୍କ ଦୁଇ ଭାଇ ମିଶି ଚାଷ କରନ୍ତି । ସାଧାରଣତଃ (ଖରିଫ ଋତୁରେ) ଆମକୁ ୨୦-୨୫ କୁଇଣ୍ଟାଲ ଯଅ-ବାଜରା ମିଳିଥାଏ । କିନ୍ତୁ ଏ ବର୍ଷ ଆମକୁ କିଛି ହେଲେ ମିଳିନି । ପୂରା ଫସଲ ଉଜୁଡ଼ି ଯାଇଛି । ବର୍ଷା ନାହିଁ ମାନେ ଗୋଖାଦ୍ୟ ବି ନାହିଁ । ରବି ଋତୁରେ ବୁଣାବୁଣି ପ୍ରାୟ ନାହିଁ କହିଲେ ଚଳେ”। ଆଦରରେ ଗାଈକୁ ଥାପୁଡ଼େଇ ଦେଇ ସେ ପଚାରନ୍ତି,“ଆମେ ପୋଷିଥିବା ପ୍ରାଣୀମାନଙ୍କୁ କେମିତି ବା ଖାଇବାକୁ ଦେବୁ ?"

PHOTO • Binaifer Bharucha

ମାସୱାଡ଼ ସହର ନିକଟ ଗୃହପାଳିତ ପଶୁ ଶିବିରରେ ସମଗ୍ର ମାନ୍ଦେଶ ଅଞ୍ଚଳରେ ଥିବା ୭୦ଟି ଗାଁର ପ୍ରାୟ ୮,୦୦୦ ଗୃହପାଳିତ ପଶୁ ଆଶ୍ରୟ ନେଇଛନ୍ତି

ଚାରି ବର୍ଷ ତଳେ ଗୋଟିକୁ ୬୦,୦୦୦ ଟଙ୍କା ଦରରେ ତାଙ୍କ ଜର୍ସି ଗାଈଗୁଡ଼ିକ କିଣାହୋଇଥିଲା। ପ୍ରତିଟି ଗାଈ ପାଇଁ ଦିନକୁ ୨୦ କିଲୋ ଗୋଖାଦ୍ୟ ଏବଂ ୫୦-୬୦ ଲିଟର ପାଣି ଦରକାର । କିନ୍ତୁ ୨୦୧୮ ନଭେମ୍ବରରୁ ସପ୍ତାହକୁ ଥରୁଟିଏ ଆସୁଥିବା ଗୋଟିଏ  ପାଣି ଟ୍ୟାଙ୍କର ଉପରେ ହିଁ ନିର୍ଭର କରି ଚଳୁଛି ମସାଇୱାଡ଼ି । ମୁଣ୍ଡ ପିଛା ଠିକ୍୪୦ ଲିଟର ପାଣି ମିଳୁଛି । ମାସୱାଡ଼ ପୌର ପରିଷଦ ପକ୍ଷରୁ ଗାଁକୁ ଚାରି ଦିନରେ ଥରେ ପାଣି ଯୋଗାଣ ବ୍ୟବସ୍ଥା ପ୍ରାୟତଃ ବନ୍ଦ ହେବା ଉପରେ । ଗାଁର କୂଅଗୁଡ଼ିକ ବି ଶୁଖି ଗଲାଣି । ଗୃହପାଳିତ ପଶୁଙ୍କୁ ଦେବା ପାଇଁ ପାଣି ନାହିଁ । ମାର୍ଚ୍ଚରୁ ତାପମାନ ବଢ଼ିବା ସହିତ ପାଣିର ଆବଶ୍ୟକତା ବି ବଢ଼ିବାରେ ଲାଗିବ ।

ନନ୍ଦୁ କହନ୍ତି, “ଗାଁରେ ଆଦୌ ଗୋଖାଦ୍ୟ କି ପାଣି ନ ଥିଲା’’ । “ତେଣୁ ଆମର ଏକମାତ୍ର ଷଣ୍ଢକୁ ଆମେ ବିକି ଦେଲୁ ।୧୦୦ଟି ଗୋଛାର ଗୋଟିଏ ବିଡାନଡ଼ା ୨,୫୦୦ (ଟଙ୍କା) ପଡୁଛି । ଯାହାକି ଗୋଟିଏ ମାସ ଯିବ । ଆଖୁ ଗୋଛା ୫,୦୦୦ ପଡୁଛି ଏବଂ ପ୍ରାୟ ଦୁଇ ମାସ ଯାଉଛି । ତା ସାଙ୍ଗକୁ ପାଣି (ପଶୁମାନଙ୍କ ପାଇଁ) ପାଇଁ ସଂଘର୍ଷ ଆଉ ଏକ କାମ । ଏବେ ଆମକୁ କିଛି କିଛି ଆଖୁ ମିଳିଯାଉଛି । କିନ୍ତୁ ମାର୍ଚ୍ଚ ପରେ ଆମେ ଆଉ କୌଣସି ପ୍ରକାର ସବୁଜ ଗୋଖାଦ୍ୟ ଦେଖିବାକୁ ପାଇବୁନି ।୨୦୦୬ରେ ୩୦,୦୦୦ ଟଙ୍କା ଦେଇ ଷଣ୍ଢଟିଏ କିଣିଥିଲୁ । ଖୁବ ଭଲ ଭାବେ ଯତ୍ନ ନେଇତାକୁ ବଡ଼ କଲୁ... ଏବଂ ୧୨ ବର୍ଷ ପରେ ତାକୁ ୨୫,୦୦୦ଟଙ୍କାରେ ବିକି ଦେଲୁ । ଆଉ ଗୋଟିଏ ମୁଁ ଯେ କେବେ କିଣିପାରିବି ବୋଲି ଭାବି ପାରୁନି.... ।” ତାଙ୍କ ଆଖିର ଲୁହ ଲୁଚାଇବାକୁ ଚେଷ୍ଟା କରନ୍ତି ନନ୍ଦୁ । 

ମାନଦେଶ ଅଞ୍ଚଳ ଭାବେ ପରିଚିତ ଅଞ୍ଚଳରେ ରହିଛି ସତାରା ଜିଲ୍ଲାର ମାନ୍ଏବଂ ଖଟାବ ତାଲୁକା, ସାଙ୍ଗଲି ଜିଲ୍ଲାର ଜତ୍, ଅଟପଡ଼ି ଏବଂ କବଠେମହାଙ୍କାଳ ତାଲୁକା ଏବଂ ସୋଲାପୁରର ସାଙ୍ଗୋଲ ଏବଂ ମାଲଶିରସ । ଏହା ଏକ ବୃଷ୍ଟିଛାୟା ଅଞ୍ଚଳ । ଉତ୍କଟ ଜଳାଭାବ ଏବଂ କ୍ରମାଗତ ମରୁଡ଼ି ପ୍ରବଣ ଅଞ୍ଚଳ । ଫଳରେ ପଶୁଧନ ଉପରେ ଏଠାକାର କୃଷକ ଓ କୃଷି ଶ୍ରମିକମାନଙ୍କର ନିର୍ଭରଶୀଳତା ବଢ଼ିବାରେ ଲାଗିଛି । ଆଉ ଯେତେବେଳେ ମରୁଡ଼ି ଯୋଗୁଁ ପୂରା ଫସଲ ନଷ୍ଟ ହୋଇଯାଏ ଏବଂ ପାଣି ଓ ପଶୁଖାଦ୍ୟର ଅଭାବ ଉପୁଜେ, ଗାଁ ଯାକର ଲୋକେ ଅନ୍ୟ ସ୍ଥାନକୁ ପଳାଇ ଯିବାକୁ ବାଧ୍ୟ ହୁଅନ୍ତି ।

Quadriptych
PHOTO • Binaifer Bharucha

ଶିବିରରେ ପଶୁମାନଙ୍କ ପାଇଁ ଥିବା ଏକ ଶେଡ୍ପାଖ ପତଳା ତମ୍ବୁରେ ରହୁଥିବା ସଙ୍ଗୀତା ବିରକର କହନ୍ତି, “ଏଠି ଗୋଟିଏ ପରେ ଗୋଟିଏ (କାମ) ଲାଗି ରହିଥାଏ”

ଗୃହପାଳିତ ପଶୁ ଶିବିରରେ ଜୀବନଧାରା

୨୦୧୮ଅକ୍ଟୋବର ୩୧ ତାରିଖ ଦିନ ମହାରାଷ୍ଟ୍ରର ୨୬ଟି ଜିଲ୍ଲାର ୧୫୧ଟି ବ୍ଲକ୍କୁ ମରୁଡ଼ି ପ୍ରପୀଡ଼ିତ ରୂପେ ଘୋଷଣା କରାଗଲା। ଯେଉଁଥିରୁ ୧୧୨ଟି ବ୍ଲକ୍ଗୁରୁତର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ସତାରାର ମାନ୍ଦହିୱାଡ଼ି ଏହି ତାଲିକାରେ ରହିଥିଲା। ସମ୍ଭାବିତ ଜଳାଭାବ- ୨୦୧୮-୧୯ ଶୀର୍ଷକ ଜଳ ଓ ପରିମଳ ବିଭାଗର ଏକ ରିପୋର୍ଟ ଅନୁସାରେ ୨୦୧୮ ଅକ୍ଟୋବର ଶେଷ ସୁଦ୍ଧା ମାନ୍ରେ ୧୯୩ ମି.ମି. ବର୍ଷା – ଅର୍ଥାତ୍ଏହି ଅଞ୍ଚଳରେ ହାରାହାରି ବୃଷ୍ଟିପାତ ପରିମାଣର ପ୍ରାୟ ୪୮ ପ୍ରତିଶତ ବର୍ଷା ହୋଇଥିଲା । କିନ୍ତୁ ଏହା ଥିଲା ହାରାହାରି ବର୍ଷାର ପରିମାଣ । କେତେକ ଗାଁରେ ୩ ମି.ମି.ରୁ ମଧ୍ୟ କମ୍ବର୍ଷା ହୋଇଥିଲା । ଏହି ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ ବ୍ଲକ୍ର ୮୧ଟି ଗାଁରେ ଭୂତଳ ଜଳସ୍ତର ଏକ ମିଟରରୁ ଅଧିକ ଏବଂ ୪୮ଟି ଗାଁରେ ୩ ମିଟରରୁ ଅଧିକ ଖସିଯାଇଥିଲା ।

ମାସୱାଡ଼ ଗୃହପାଳିତ ପଶୁ ଶିବିରରେ ୭୦ଟି ଗାଁର ପ୍ରାୟ ୧୬୦୦ ଲୋକ ଏବଂ ୭,୭୬୯ଟି ପଶୁ ରହୁଛନ୍ତି । ମାସୱାଡ଼ର ମାନ୍ଦେଶୀ ଫାଉଣ୍ଡେସନ୍ଦ୍ଵାରା ୨୦୧୯ ଜାନୁଆରୀ ୧ ତାରିଖ ଦିନ ଏହି ଶିବିର ଆରମ୍ଭ ହୋଇଥିଲା। ଅର୍ଥଲଗାଣ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଏହି ଫାଉଣ୍ଡେସନ୍ମାନ୍ଦେଶୀ ମହିଳା ସହକାରୀ ବ୍ୟାଙ୍କ୍କୁ ସହଯୋଗ କରୁଛି। ସଂପ୍ରତି ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଗାଁ ଲୋକଙ୍କ ପାଇଁ ଏହା ସର୍ବପ୍ରଥମ ଏବଂ ଏକ ବଡ଼ ଗୃହପାଳିତ ପଶୁ ଶିବିର।

ସକାଳ ପ୍ରାୟ ୬.୩୦ରେ ଆମେ ଯେତେବେଳେ ସେଠାରେ ପହଞ୍ଚୁ, ନଜରରେ ପଡ଼େ ବହୁସଂଖ୍ୟକ ଗୃହପାଳିତ ପଶୁ ଓ ସେମାନଙ୍କ ପାଇଁ ଥିବା ସେଡ୍। ମହିଳାମାନେ ସେଡ୍ଗୁଡ଼ିକୁ ସଫା କରୁଛନ୍ତି, କ୍ଷୀର ଦୁହୁଁଛନ୍ତି, ଚା’ କରୁଛନ୍ତି । କେତେକ ପରିବାର ସେମାନଙ୍କ ଛୋଟ ପିଲାମାନଙ୍କୁ ଏଠାକୁ ନେଇ ଆସିଥିଲେ। ସେମାନେ ଏ ପର୍ଯ୍ୟନ୍ତ ଶୋଇ ରହିଛନ୍ତି । ମଝିରେ ନିଆଁ ଜାଳି ଦଳ ଦଳ ପୁରୁଷ ବସିଛନ୍ତି । ଡାକବାଜି ଯନ୍ତ୍ରରୁ ଭାସି ଆସୁଛି ଭକ୍ତି ଗୀତ ।

PHOTO • Binaifer Bharucha
PHOTO • Binaifer Bharucha

ବାମ: ସଙ୍ଗୀତାଙ୍କ ସ୍ଵାମୀ ନନ୍ଦୁ ଝିଅ କୋମଲ ଓ ପୁଅ ବିଶାଲ ସହ ଗାଁରେ ରହିଯାଇଛନ୍ତି । ଡାହାଣ: ନାଗୁଆନ୍ନା ମଧ୍ୟ ତାଙ୍କ ବାପାଙ୍କ ଦେଖାରଖା ପାଇଁ ମସାଇୱାଡ଼ିରେ ରହିଯାଇଛନ୍ତି; ତାଙ୍କ ସ୍ତ୍ରୀ ବିଳାସୀ ଶିବିରରେ ଅଛନ୍ତି। ଏଭଳି ବନ୍ଦୋବସ୍ତ ସଂପର୍କରେ ସେ କହନ୍ତି, “ଏଇଟା ଏମିତି... ସତେ ଯେମିତି ଆମର ଛାଡ଼ପତ୍ର ଦିଆନିଆ ହୋଇଯାଇଛି”

 “ଏଠି ଭୋର୍ହେଲା ଆଗରୁ ଆମର ଦିନ ଆରମ୍ଭ ହୁଏ”। ୨ୟ ଶ୍ରେଣୀରେ ପଢୁଥିବା ବେଳେ ମିଳିମିଳାରେ ଗୋଟିଏ ଆଖି ହରାଇ ସ୍କୁଲ ଛାଡ଼ିଥିବା ସଙ୍ଗୀତା କହନ୍ତି । “ଆମେ ଉଠିଲା ବେଳକୁ ଆହୁରି ଅନ୍ଧାର ଥାଏ । ଚୁଲିରେ ଅଳ୍ପ ପାଣି ଗରମ କରୁ ଏବଂ ଗାଧୋଇ ନେଉ (କାଠ ଖୁଣ୍ଟିରେ ବନ୍ଧା ଚିରା ଶାଢ଼ି ଅଢୁଆଳରେ)। ତା ପରେ ଆମେ ଗୋବର ଗୋଟାଉ ଏବଂ ସେଡ୍ରେ ଝାଡୁ ମାରୁ, ପଶୁମାନଙ୍କୁ ପାଣି ଦେଉ, ସେମାନଙ୍କୁ ପିଡ଼ିଆ ଖାଇବାକୁ ଦେଇ କ୍ଷୀର ଦୁହିଁଥାଉ। ସେତେବେଳକୁ ଭୋର୍ହୋଇଯାଏ। ଟ୍ରାକ୍ଟର ଗୋବର (ଖତ କରିବା ପାଇଁ) ନେଇଯାଏ। ଆମେ ସକାଳ ଭୋଜନ ପାଇଁ ଖାଦ୍ୟ ରାନ୍ଧୁ। ତା ପରେ ଆମେ ସବୁଜ ଗୋଖାଦ୍ୟ ପାଇଁ ଆମ ପାଳି ପଡ଼ିବାକୁ ଅପେକ୍ଷା କରୁ, ଡିପୋକୁ (ଶିବିର ଭିତରେ) ଯାଉ, ଗୋଖାଦ୍ୟ ଓଜନ କରୁ (ବଡ଼ ପଶୁମାନଙ୍କ ପାଇଁ ୧୫ କିଲୋ ଏବଂ ବାଛୁରୀମାନଙ୍କ ପାଇଁ ୭ କିଲୋ ହିସାବରେ) ଏବଂ ତାକୁ ଏଠାକୁ ଆଣୁ। ମତେ ଥରକରେ ୭୦  କିଲୋ (ଅତି କମ୍ରେ) ଆଖୁ ବୋହିବାକୁ ପଡ଼େ । ତା ପରେ ଆମେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟୁ। ଏହି ପଶୁମାନେ ଅତି କମ୍ରେ ତିନି ଥର ପାଣି ପିଇବା ଦରକାର। ଏଠି କାମର ତାଲିକା ସରେନି।” ବାସନକୁସନ ମାଜୁଥିବା ବେଳେ କଥା କହି କହି ସେ କହନ୍ତି ।

ଶିବିରର ଆୟୋଜକମାନେ ପଶୁଖାଦ୍ୟ, ପାଣି ଏବଂ ପଶୁଧନ ପାଇଁ ପ୍ରାଣୀ ଡାକ୍ତରଙ୍କ ସେବା ସହିତ ଲୋକମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଅନ୍ତି । ଉଦାହରଣ ସ୍ୱରୂପ, ଶିବିରର ପ୍ରତି ‘ୱାର୍ଡ’ରେ ପାଣି ବ୍ୟାରେଲ୍ରଖାଯାଇଛି (ଦୁଇ ବା ତିନି ଦିନରେ ଥରେ ଗୋଟିଏ ଟ୍ୟାଙ୍କର ପାଣି ଆଣି ଦିଏ), ଏବଂ ପିଇବା ପାଣି ପାଇଁ ଗୋଟିଏ ଟାଙ୍କି ରହିଛି। ଫାଉଣ୍ଡେସନ୍ପକ୍ଷରୁ ଯୋଗାଇ ଦିଆଯାଇଥିବା କାଠ ଖୁଣ୍ଟି ଏବଂ ଉପରେ ପଡ଼ିବା ପାଇଁ ଏକ ସବୁଜ ରଙ୍ଗର ଜାଲରେ ଲୋକମାନେ ଗୃହପାଳିତ ପଶୁମାନଙ୍କ ପାଇଁ ସେଡ୍ତିଆରି କରିଛନ୍ତି । ସେଡ୍ପାଖରେ କେରପାଲ ବା ଶାଢ଼ିରେ ତିଆରି ପତଳା କୁଡ଼ିଆଗୁଡ଼ିକରେ ମହିଳାମାନେ ରହନ୍ତି।

ବିଳାସୀ ବିରକରଙ୍କର ଗୃହପାଳିତ ପଶୁ ସେଡ୍ପାଖରେ ହିଁ ସଙ୍ଗୀତାଙ୍କ ସେଡ୍ରହିଛି। ସେ ବି ଧନଗର ସଂପ୍ରଦାୟରୁ ଆସିଛନ୍ତି। ବିଳାସୀଙ୍କ ସହ ଅଛନ୍ତି ତାଙ୍କ ପରିବାରର ଦୁଇଟି ମଇଁଷି, ଗୋଟିଏ ଜର୍ସି ଗାଈ, ଗୋଟିଏ ଖିଲାର ଗାଈ ଏବଂ ଦୁଇଟି ବାଛୁରୀ। ବିଳାସୀଙ୍କ ଜନ୍ମ ୧୯୭୨ ମସିହାରେ, ମହାରାଷ୍ଟ୍ରର ଅନ୍ୟତମ ସର୍ବାଧିକ ମରୁଡ଼ିଗ୍ରସ୍ତ ବର୍ଷରେ। ଉଦାସ କଣ୍ଠରେ ସେ କହନ୍ତି, “ମରୁଡ଼ିରେ ଜନ୍ମ, ତେଣୁ ସାରା ଜୀବନ ମରୁଡ଼ି ସହିବାକୁ ପଡୁଛି।” ମସାଇୱାଡ଼ିରେ ରହିଯାଇଛନ୍ତି ତାଙ୍କ ସ୍ଵାମୀ ନାଗୁ ଏବଂ ବୃଦ୍ଧ ଶ୍ୱଶୁର। ଘରେ ଥିବା ଛେଳିମାନଙ୍କର ଦେଖାଶୁଣା କରିବାକୁ ପଡ଼ିବ। ବିଳାସୀଙ୍କ ଝିଅ ଓ ବଡ଼ପୁଅ କଲେଜରୁ ଡିଗ୍ରୀ ହାସଲ କରିଛନ୍ତି ଏବଂ ମୁମ୍ବାଇରେ କାମ କରୁଛନ୍ତି। ସେଇଠି ତାଙ୍କ ସାନପୁଅ ବି ବିକମ୍ଡିଗ୍ରୀ ପାଇଁ ପଢୁଛି । ତେଣୁ ବିଳାସୀଙ୍କୁ ହିଁ ପଶୁଧନ ସହିତ ଶିବିରକୁ ଆସିବାକୁ ପଡ଼ିଛି।

PHOTO • Binaifer Bharucha
PHOTO • Binaifer Bharucha

ବାମ:ମସାଇୱାଡ଼ିର ରଞ୍ଜନାବାଇ ବିର୍କର ତାଙ୍କ ଗୃହପାଳିତ ପଶୁମାନଙ୍କ ପାଇଁ ମେସିନ୍ରେ ଆଖୁପତ୍ର କାଟୁଛନ୍ତି। ଡାହାଣ: ମରୁଡ଼ିରେ ତାଙ୍କ ପଶୁମାନଙ୍କୁ ଜୀବିତ ରଖିବାକୁ ଆଶା ବାନ୍ଧିଛନ୍ତି ଲୀଲାବାଇ ବିର୍କର

ସେ ଏବଂ ଅନ୍ୟ ମହିଳାମାନେ ଘରୁ ଶିବିରକୁ ଚୁଲି (କେତେକ ସ୍ଥଳରେ କେବଳ ତିନିଟି ପଥର ଖଣ୍ଡ ଏବଂ ଜାଳେଣି ଭାବେ କାଠି କିମ୍ବା ଆଖୁପତ୍ର) କିମ୍ବା ଗ୍ୟାସ୍ଷ୍ଟୋଭ୍ଏବଂ ଅଳ୍ପ ବାସନକୁସନ ନେଇ ଆସିଛନ୍ତି। ସେମାନଙ୍କ ପରିବାର ଲୋକେ ମାସୱାଡ଼ରେ ପ୍ରତି ବୁଧବାର ବସୁଥିବା ସାପ୍ତାହିକ ହାଟରୁ ତେଜରାତି ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଶିବିରକୁ ଆଣନ୍ତି। ବିଳାସୀ ତାଙ୍କ ପାଇଁ ଏବଂ ଘର ପାଇଁ ରୋଷେଇ କରନ୍ତି। ସାଧାରଣତଃ, ବାଇଗଣ, ଆଳୁ ଏବଂ ଛୁଇଁ ସହିତ ବାଜରାର ରୁଟି ରାନ୍ଧି, ପ୍ୟାକ୍କରି ଗାଁକୁ ଫେରୁଥିବା କୌଣସି ବ୍ୟକ୍ତିଙ୍କ ହାତରେ ପଠାଇ ଦିଅନ୍ତି । ସେ କହନ୍ତି, “ଘରେ ରାନ୍ଧିବାକୁ କେହି ନାହାନ୍ତି । ତେଣୁ ସେମାନେ ଟିଫିନ୍ବାକ୍ସରୁ ହିଁ ବାହାର କରି ଖାଆନ୍ତି । ଏମିତି ଆଉ ୬-୮ ମାସ ଯାଏଁ ଚାଲିବ ।”

ବିଳାସୀ, ସଙ୍ଗୀତା ଏବଂ ଅନ୍ୟ ଅନେକ ମହିଳା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଶିବିରରେ ରହନ୍ତି ଏବଂ ସପ୍ତାହାନ୍ତରେ ସେମାନଙ୍କ ଘରକୁ ଯାଆନ୍ତି। ସେମାନେ ଗାଁକୁ ଯାଇଥିବା ବେଳେ ସେମାନଙ୍କ ସ୍ଵାମୀମାନେ ଓ ବଡ଼ ପିଲାମାନେ କିମ୍ବା ସଂପର୍କୀୟମାନେ ଶିବିରରେ ରହନ୍ତି। ଗାଁରୁ ଶିବିରକୁ ଯିବାଆସିବା ଲାଗି ରହିଥିବାରୁ ଏକା ଗାଁ ବା ପଡ଼ାର ଲୋକେ ଏକାଠି ହୋଇ ଶିବିରକୁ ଆସନ୍ତି ଏବଂ ଜଣେ ଅନ୍ୟ ଜଣଙ୍କର ସହାୟତା କରନ୍ତି ।

ମହିଳାମାନେ ସପ୍ତାହର ଶେଷ ଦିନଗୁଡ଼ିକୁ ସେମାନଙ୍କ ଘର ସଫା କରିବା, ଝାଡୁ ମାରିବା, ଲୁଗାପଟା ସଫା କରିବା, ଖାଦ୍ୟଶସ୍ୟ ଚୂନା କରିବା , ଘଷି ପାରିବା ଏବଂ ଅନ୍ୟାନ୍ୟ କାମ କରିବାରେ କାଟନ୍ତି । ତା ପରେ ସେମାନେ ଶିବିରକୁ ଫେରିଆସନ୍ତି । ବିଳାସୀ କହନ୍ତି, “ଘରେ ଥିଲେ ଆମେ କ୍ଷେତକୁ କିମ୍ବା ମୂଲ ଲାଗିବାକୁ ଯାଇଥାନ୍ତୁ । ଏଠାରେ ଆମକୁ ତାହା କରିବାକୁ ପଡେ଼ନି । ସେତକରୁ ଯାହା ମୁକ୍ତି ମିଳେ”।

ମସାଇୱାଡ଼ିରେ ଆଉ ଶୁଭୁନାହିଁ ହମ୍ବାରଡ଼ି

ମସାଇୱାଡ଼ିରେ ଆମେ ତାଙ୍କ ସ୍ଵାମୀ, ୫୨ ବର୍ଷୀୟ ନାଗୁଆନ୍ନାଙ୍କୁ ଭେଟିଥିଲୁ । ସେ କହନ୍ତି  “ଏହା ଅଲଗା ଅଲଗା ଘରେ ରହିବା ଭଳି, ସତେ ଯେମିତି ଆମର ବିବାହ ବିଚ୍ଛେଦ ହୋଇଯାଇଛି.... ”। ବିଳାସୀ ଶିବିରରେ ରହୁଥିବା ବେଳେ ତାଙ୍କୁ ଘରର କେତେକ କାମ କରିବାକୁ ପଡ଼େ । ଟ୍ୟାଙ୍କର ଆସିଲେ ପାଣି ରଖିବାକୁ ପଡ଼େ, ମାସୱାଡ଼ ଯାଇ ତେଜରାତି ଜିନିଷ କିଣି ଆଣିବାକୁ ପଡ଼େ ଏବଂ ତାଙ୍କ ବାପାଙ୍କ ଯତ୍ନ ନେବାକୁ ପଡ଼େ। “ଏଥର ଅସରାଏ ବି ଭଲ ବର୍ଷା ହୋଇନାହିଁ । ସାଧାରଣତଃ ଫାଲଗୁନ ମାସ (ଚନ୍ଦ୍ର ବର୍ଷର ଶେଷ ମାସ, ଯାହା କି ସାଧାରଣତଃ ମାର୍ଚ୍ଚ) ପର୍ଯ୍ୟନ୍ତ ଆମର ପର୍ଯ୍ୟାପ୍ତ ପାଣି ଥାଏ। କିନ୍ତୁ ଏଥର ଦୀପାବଳିରୁ ହିଁ ପାଣି ମିଳିବା କଷ୍ଟକର ହୋଇ ରହିଛି । ଥରଟିଏ ଯାହା ଝିପିଝିପି ବର୍ଷା ହୋଇଥିଲା.... ”

Two women sitting under a makeshift tent
PHOTO • Binaifer Bharucha

ସଙ୍ଗୀତା ବିର୍କର ଏବଂ ବିଳାସୀ ବିର୍କରଙ୍କ ପରିବାର ପାଖରେ ୧୦-୧୨ ଏକର ଜମି ରହିଛି । କିନ୍ତୁ ସେମାନେ କହନ୍ତି, ‘ଆମକୁ ଫସଲରୁ କିଛି ମିଳି ନଥିଲା, ତେଣୁ କୌଣସି ଖାଦ୍ୟଶସ୍ୟ ନାହିଁ’

 “ଆମକୁ ଫସଲରୁ କିଛି ମିଳି ନଥିଲା, ତେଣୁ କୌଣସି ଖାଦ୍ୟଶସ୍ୟ ନାହିଁ” ବିଳାସୀ କହନ୍ତି । ତାଙ୍କ ପରିବାର ପାଖରେ ୧୦-୧୨ ଏକର ଜମି ରହିଛି, ଯାହାକୁ ଦୁଇ ଭାଇ ମିଳିତ ଭାବେ ଚାଷ କରନ୍ତି। “କ୍ଷେତରେ ଦିନ ମଜୁରିଆ କାମ କରିବାକୁ ବି ନାହିଁ (ମହିଳାମାନେ ୧୫୦ ଟଙ୍କା ଏବଂ ପୁରୁଷମାନେ ୨୫୦ ଟଙ୍କା ହିସାବରେ ମଜୁରି ପାଆନ୍ତି)। ସରକାର କୌଣସି କାମ ଆରମ୍ଭ କରୁନାହାନ୍ତି।  କହନ୍ତୁ ତ, ଆମେ କେମିତି ବଞ୍ଚିବୁ ?”

ନିକଟରେ ସଙ୍ଗୀତାଙ୍କ ଘର । ତାଙ୍କ ସ୍ଵାମୀ ନନ୍ଦୁ କହନ୍ତି, “ଦିନକୁ ୨୫୦ ଟଙ୍କା ମଜୁରିରେ ମୁଁ ଗୋଟିଏ ଇଟାଭାଟିରେ କାମ କରୁଛି, କିନ୍ତୁ ଏ କାମ ସପ୍ତାହକରୁ ଅଧିକ ଚାଲିବ ନାହିଁ । ତା ପରେ, ମୁଁ ଜାଣିନି, ମତେ କେଉଁଠି କାମ ମିଳିବ। କ୍ଷେତରେ ଆଦୌ କାମ ନାହିଁ। ଆମେ ଆମ ଫସଲ ହରାଇ ସାରିଛୁ। ବହୁ ଥର ବ୍ୟାଙ୍କକୁ ଯାଇ ବି କୌଣସି ଫସଲ ବୀମା ରାଶି ମିଳିନାହିଁ। ଲିଟର ପିଛା୨୦ ଟଙ୍କା ଦରରେ କ୍ଷୀର ବିକି ଆମେ ଯାହା କିଛି ଟଙ୍କା ପାଉ। ଗାଈ ମଇଁଷିଙ୍କୁ ଭଲ ଭାବେ ଖାଇବାକୁ ଦେଲେ ହିଁ ଆମକୁ ଦିନକୁ ୪-୫ ଲିଟର କ୍ଷୀର ମିଳେ। କିନ୍ତୁ ଆମ ଘରେ ଏବେ କୌଣସି ଦୁହାଁଳିଆ ଗାଈ କି ମଇଁଷି ନାହାନ୍ତି। ମୋ ଶ୍ୱଶୁର ତାଙ୍କ ଗାଈକୁ ପଠାଇ ଦେଇଛନ୍ତି । ତେଣୁ ଆମେ ଏବେ୨-୩ ଲିଟର କ୍ଷୀର ପାଉଛୁ ।”

ଦୁଇ ବର୍ଷ ତଳୁ ତାଙ୍କ ପରିବାର କିଛି ଖାଦ୍ୟଶସ୍ୟ ସାଇତି ରଖିଥିଲା ବୋଲି ସେ କହନ୍ତି। “ଏବେ ତାହା ସରିଗଲାଣି। ଯେତେବେଳେ ଜଣେ ଚାଷୀ ଯଅ ବିକିବାକୁ ଚାହେଁ ସେ କୁଇଣ୍ଟାଲ ପିଛା ୧,୨୦୦ ଟଙ୍କା ପାଏ, ହେଲେ ବଜାରରୁ କିଣିଲା ବେଳେ ଆମକୁ କୁଇଣ୍ଟାଲ ପିଛା ୨,୫୦୦ ଟଙ୍କା ଦେବାକୁ ପଡ଼େ। ମତେ କହନ୍ତୁ ତ, ଆମେ କେମିତି ଚଳିବୁ? ଆମ ପାଖରେ ଅରେଞ୍ଜ (ଏପିଏଲ୍ବା ‘ଦାରିଦ୍ର୍ୟ ସୀମାରେଖା ଉପରେ’) ରେସନ୍କାର୍ଡ ଅଛି । ତେଣୁ କେବଳ ତିନି ଲିଟର କିରୋସିନ୍କୁ ବାଦ ଦେଲେ ଆମକୁ ଆଉ କିଛି ମିଳେନି । ନା ଶସ୍ୟ ମିଳେ, ନା ଚିନି ।”

ମସାଇୱାଡ଼ି ଏବଂ ଅନ୍ୟାନ୍ୟ ଗାଁରେ, ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ କାମ ଆରମ୍ଭ ହୋଇନି । ସରକାରୀ ସହାୟତାରେ ବେସରକାରୀ ସଂସ୍ଥା ବା ଅନ୍ୟ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କ ଦ୍ଵାରା ପରିଚାଳିତ ପଶୁଖାଦ୍ୟ ଶିବିର ମଧ୍ୟ ଆରମ୍ଭ ହୋଇନାହିଁ। ୯ ଜାନୁଆରୀ, ୨୦୧୯ ତାରିଖର ଏକ ସରକାରୀ ସଂକଳ୍ପ (ଜିଆର୍)ବଳରେ ଔରଙ୍ଗାବାଦ, ବୀଡ୍, ଜାଲ୍ନା, ଓସ୍ମାନାବାଦ ଏବଂ ପରଭଣି (ମହାରାଷ୍ଟ୍ରର ମରୁଡ଼ି ପ୍ରବଣ ଅଞ୍ଚଳ)ରେ ପଶୁଖାଦ୍ୟ ଶିବିର ଆରମ୍ଭ କରିବା ସକାଶେ ପାଞ୍ଚଟି ଗୋଶାଳା ଖୋଲିବା ପାଇଁ ଅର୍ଥ ମଞ୍ଜୁର ହୋଇଛି। ପ୍ରତି ଶିବିରରେ ୫୦୦ରୁ ସର୍ବାଧିକ ୩,୦୦୦ ପର୍ଯ୍ୟନ୍ତ ଗୃହପାଳିତ ପଶୁ ରଖାଯାଇପାରିବ ।

PHOTO • Binaifer Bharucha
PHOTO • Binaifer Bharucha

ବାମ:ଶିବିରରେ ଏବଂ ଘରେ ବିଭିନ୍ନ କାମର ଦାୟିତ୍ୱ ନିର୍ବାହ କରନ୍ତି ସଙ୍ଗୀତା (ତାଙ୍କ ସହ ଅଛନ୍ତି ଲୀଲାବାଇ ବିର୍କର) ଡାହାଣ: ଟ୍ରକ୍ଓ ଟେମ୍ପୋଗୁଡ଼ିକ ଶିବିରରୁ ବାହାରକୁ ଗୋବର ଓ କ୍ଷୀର ନେଇ ଯାଆନ୍ତି

ଏହି ସରକାରୀ ସଂକଳ୍ପରେ ସାଙ୍ଗଲି, ସତାରା ଓ ସୋଲାପୁର ସ୍ଥାନ ପାଇନାହାନ୍ତି । କିନ୍ତୁ ୨୫ ଜାନୁଆରୀର ଅନ୍ୟ ଏକ ସଂକଳ୍ପରେ ଉଲ୍ଲେଖ କରାଯାଇଛି ଯେ ସମସ୍ତ ୧୫୧ଟି ମରୁଡ଼ି ପ୍ରପୀଡ଼ିତ ବ୍ଲକ୍ଏବଂ ମରୁଡ଼ି ଭଳି ସ୍ଥିତିର ସମ୍ମୁଖୀନ ହୋଇଥିବା ୨୬୮ଟି ରାଜସ୍ୱ ମଣ୍ଡଳରେ ପଶୁଖାଦ୍ୟ ଶିବିର ଖୋଲାଯାଇ ପାରିବ । ପ୍ରତିଟି ବୟସ୍କ ଗୃହପାଳିତ ପଶୁ ପିଛା ୭୦ଟଙ୍କା ଏବଂ ବାଛୁରୀ ପିଛା ୩୫ ଟଙ୍କା ହିସାବରେ ସରକାରୀ ସହାୟତା ପ୍ରଦାନ କରାଯିବ ଏବଂ ପ୍ରତି ତିନି ଦିନରେ ଥରେ ୧୫ କିଲୋ ସବୁଜ ପଶୁଖାଦ୍ୟ ଏବଂ ୬ କିଲୋ ଶୁଖିଲା ପଶୁଖାଦ୍ୟ ଦିଆଯିବ । କିନ୍ତୁ ପରିବାର ପିଛା କେବଳ ପାଞ୍ଚଟି ଗୃହପାଳିତ ପଶୁଙ୍କୁ ଶିବିରରେ ତାଲିକାଭୁକ୍ତ କରାଯିବ। ଅନ୍ୟ ଗୃହପାଳିତ ପଶୁମାନଙ୍କ ପାଇଁ କ’ଣ କରାଯିବ ସେ ସଂପର୍କିତ ନିର୍ଦ୍ଦେଶାବଳି ସେଥିରେ ଦିଆଯାଇନାହିଁ। ଆଉ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଶିବିର ଖୋଲିନାହିଁ, ଆଜି ଯାଏ କେବଳ ପ୍ରସ୍ତାବଗୁଡ଼ିକର ବିଚାର କରାଯାଉଛି ବୋଲି କହନ୍ତି ସାଙ୍ଗୋଲାର ଡକ୍ଟର ଆମ୍ବେଦକର ଶେତି ବିକାଶ ବା ସଂଶୋଧନ ସଂସ୍ଥାର ଲଳିତ ବାବର ।

ମାନ୍ଦେଶୀ ଫାଉଣ୍ଡେସନ୍ର ସଚିନ ମେନ୍କୁଡ଼ାଲେ କହନ୍ତି “ମୁଁ ଜାଣିନି କେବେ ସରକାର ପଶୁଖାଦ୍ୟ ଶିବିର ଖୋଲିବେ।” ଆସନ୍ତା୬-୮ ମାସ ପାଇଁ ଫାଉଣ୍ଡେସନର ଶିବିର କାମ କରିବ ବୋଲି କହନ୍ତି ଏହାର ଅନ୍ୟତମ ମୁଖ୍ୟ ସଂଯୋଜକ ରବୀନ୍ଦ୍ର ବିର୍କର ।

ଏହି ସବୁ ମାସରେ ତାଙ୍କ ଗୃହପାଳିତ ପଶୁଗୁଡ଼ିକୁ ବଞ୍ଚାଇ ରଖିବେ ବୋଲି ଆଶା ବାନ୍ଧିଛନ୍ତି ମସାଇୱାଡ଼ିର ୬୦ ବର୍ଷୀୟା ବିଧବା ଲୀଲାବାଇ ବିର୍କର। ସେ କହନ୍ତି, “ଯେମିତି ମରୁଡ଼ି ପଡ଼େ, ଗୃହପାଳିତ ପଶୁ ବେପାରୀମାନେ ଗାଁରେ ଘୂରି ବୁଲନ୍ତି। ଆମେ ଆମ ପଶୁମାନଙ୍କୁ ବିକି ଦେବା ଯାଏ ଅପେକ୍ଷା କରନ୍ତି।’’ ‘‘ଯେଉଁ ପଶୁଗୁଡ଼ିକର ମୂଲ୍ୟ ୬୦-୭୦,୦୦୦ ଟଙ୍କା ସେଗୁଡ଼ିକୁ ମାତ୍ର ୫-୬,୦୦୦ ଟଙ୍କାରେ ବିକି ଦିଆଯାଏ । ଆମେ ଆମ ଗୃହପାଳିତ ପଶୁମାନଙ୍କୁ କେବେ ବି କଂସେଇକୁ ବିକ୍ରି କରୁନାହିଁ। କିନ୍ତୁ ଯଦି ସରକାର ପଶୁଖାଦ୍ୟ ଶିବିର ଖୋଲିବାରେ ବିଫଳ ହୁଅନ୍ତି, ତେବେ ଆମର ଅଧା ଗୃହପାଳିତ ପଶୁ କଂସେଇଖାନାରେ ହିଁ ପହଞ୍ଚି ଯିବେ ।”

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

Other stories by Medha Kale