“ରାମ ସ୍ଵରୂପ ଆମ ଭିତରେ ସବୁଠାରୁ ଧନୀ। ତା’ର କିଛି ଜମି ଅଛି”। ସମସ୍ତେ ତାକୁ ଚିଡାଉଥିଲେ ଓ ହସୁଥିଲେ। କୃଷି ଶ୍ରମିକମାନଙ୍କର ଏହି ଦଳରେ ରାମ ସ୍ଵରୂପ ଏକମାତ୍ର ବ୍ୟକ୍ତି ଯାହାର ଏକରେ ଜମି ଅଛି । ତାଙ୍କ ବାପାଙ୍କର ଦୁଇ ଏକର ଜମି ଥିଲା। ଏହା ସେ ଓ ତାଙ୍କ ଦୁଇ ଭାଇଙ୍କ ମଧ୍ୟରେ ଭାଗ ହୋଇଛି। ଏହା ତାଙ୍କୁ କୃଷି ଶ୍ରମିକମାନଙ୍କ ମଧ୍ୟରେ ଜମି ମାଲିକର ସମ୍ମାନ ଦେଇଛି।

ଏହି ଦଳରେ ପ୍ରାୟ ୧୫୦ ଜଣ ଶ୍ରମିକ ଅଛନ୍ତି। ଗୁରଗାଁଓରେ ସହର ବାହାରେ ଥିବା ଏକ ଜମି ପ୍ରୋଜେକ୍ଟରେ କାମ କରିବା ପାଇଁ ଜଣେ ଠିକାଦାର ହରିଆଣାର ଫତେହାବାଦ୍ ଜିଲ୍ଲାର ବିଭିନ୍ନ ଗାଁରୁ ଏମାନଙ୍କୁ ନେଉଛନ୍ତି। ସେହି ପ୍ରୋଜେକ୍ଟକୁ ଯିବା ସମୟରେ ବଜୀର୍ କହନ୍ତି, “ଏ ଲୋକମାନେ ଫତେହାବାଦର, ମୋ ଜିଲ୍ଲାର। ସେଥିପାଇଁ ସେମାନଙ୍କୁ ଚିହ୍ନିଛି। ଏକଦା ମୋ ଅବସ୍ଥା ସେମାନଙ୍କ ପରି ଥିଲା। ୨୦ ବର୍ଷ ତଳେ ମୁଁ ବି ମୋ ଗାଁ ଭାଟ୍ଟୁରୁ ସହରକୁ କାମ କରିବାକୁ ଆସିଥିଲି”।  ପ୍ରୋଜେକ୍ଟ ସ୍ଥାନରେ ପହଞ୍ଚିବା ଆଗରୁ ଦୁଇଜଣ ମହିଳା ଶ୍ରମିକ ନଜରକୁ ଆସିଲେ। ଆମେ ସେହି ମହିଳାମାନଙ୍କ ସହ କଥାବାର୍ତ୍ତା କରିବାକୁ ଅଟକି ଗଲୁ। ସେମାନେ କୁଆଡ଼େ ଯାଉଛନ୍ତି ?

PHOTO • Namita Waikar

“ଆମେ ନିର୍ମାଣ କ୍ଷେତ୍ରରେ କାମ କରୁ, ମୁଣ୍ଡରେ ଇଟା କିମ୍ବା ବାଲି ବୋହୁ। ଦୁଇମାସ ହେବ ମୁଁ ଗୁରଗାଁଓରେ କାମ କରୁଛି। ମୋ ଘର ରାଜସ୍ଥାନର ଦୌସାରେ , ମୋ ପରିବାର ସେଠି ଅଛନ୍ତି। ମୁଁ ତିନି ମାସ ପରେ ଏଠୁ ଯିବି, ଦିଓ୍ୱାଲି ବେଳକୁ। କିନ୍ତୁ ଏବେ ମୁଁ ଯାଉଛି , କାମ ଡେରି ହେବ”, ଏକଥା କହି ସୀତା ଦେବୀ ତରବରିଆ ଭାବରେ ନିର୍ମାଣ ସ୍ଥଳକୁ ଚାଲିଲେ।

ବଜୀର୍ ଏବେ ଗୁରଗାଁଓରେ ଜଣେ କାର୍ ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି। ସେ ଉକ୍ତ ନିର୍ମାଣ କ୍ଷେତ୍ରରୁ ୩ କିଲୋମିଟର ଦୂର ଘଟଗାଁଓକୁ ଆମକୁ ଗାଡିରେ ନେଇଥିଲେ। ରାଜପଥ ଉପରେ ଆମକୁ ଅନେକ ଟ୍ରାକ୍ଟର ଅତିକ୍ରମ କରୁଥିଲା। ଏସବୁରେ ମହିଳା, ପୁରୁଷ ଓ ଛୋଟପିଲା ଭର୍ତ୍ତି ହୋଇ ଯାଉଥାନ୍ତି। ଏମାନେ ସମସ୍ତେ ଉକ୍ତ ନିର୍ମାଣ କ୍ଷେତକୁ ଯାଉଛନ୍ତି। ଘାଟ ଗାଁଓର ଆର୍ଦ୍ର ଓ ଉତ୍ତପ୍ତ ସକାଳ କ୍ରମେ ଚଳଚଞ୍ଚଳ ହୋଇଉଠୁଥାଏ। ଏହାର ସରୁ ଗଳି ଗୁଡିକରେ ଏକମହଲା ବା ଦୁଇମହଲା ଘର ସବୁ ଭର୍ତ୍ତି ହୋଇ ରହିଛି। ସେଠି କେତେଗୁଡିଏ ତିନିମହଲା ଘର ମଧ୍ୟ ଅଛି। ଏହା ସୀତା ଦେବୀଙ୍କ  ପରି ପରିଶ୍ରମୀ ଶ୍ରମିକମାନଙ୍କର କଠିନ ପରିଶ୍ରମର ଫଳ।

PHOTO • Namita Waikar

ବଜିର୍ କୁହନ୍ତି, “ଏସବୁ ଘର ସ୍ଥାନୀୟ ଲୋକଙ୍କର”। ସେମାନେ ଭୂ-ବିକାଶ ଓ ଭୂ- ନିବେଶ ପ୍ରୋଜେକ୍ଟ ନିମନ୍ତେ ରାଜ୍ୟ ସରକାରଙ୍କୁ ଜମି ବିକ୍ରି କରିଦେଇଛନ୍ତି। ଏଥିରୁ ମିଳିଥିବା ଅର୍ଥରେ ସେମାନେ ଏସବୁ ଘର ତିଆରି କରିଛନ୍ତି। ଏ ମଧ୍ୟରୁ କିଛି ସେମାନେ ବାହାର ଲୋକଙ୍କ ଭଡ଼ା ଦେଉଛନ୍ତି। ଉପର ମହଲାର ଘର ହେଉ କିମ୍ବା ସେସବୁ ଘରର ବାହାରେ ତିଆରି କରିଥିବା ବସ୍ତି ପରି ଘର ସେମାନେ ଭଡ଼ାରେ ଦେଉଛନ୍ତି। ତା’ ହେଲେ ଏସବୁ ଘରେ ରହୁଛି କିଏ?

“ରାଜସ୍ଥାନ ଓ ହରିଆଣାରୁ ଆସିଥିବା ପ୍ରବାସୀ ଶ୍ରମିକମାନେ ଏଠାରେ ରୁହନ୍ତି। ସେମାନେ ଏଠି ସବୁପ୍ରକାର ଛୋଟ ମୋଟ କାମ କରନ୍ତି  ଘର ଓଳା, ଘରକାମ ଓ ନିର୍ମାଣ କାର୍ଯ୍ୟ ସବୁ କରନ୍ତି”। ଘରଭଡ଼ା ଦେବା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ।

ଦୂରରୁ ଜଣେ ମହିଳା ମୁଣ୍ଡରେ ବଡ଼ ଘାସ ବୋଝ ଥୋଇ ଆସୁଥିବାର ଦେଖାଗଲା। ଘାସ ବୋଝ ପଡ଼ି ନଯିବା ପାଇଁ ସେ ହାଲୁକା ଭାବରେ ଏହା ଉପରେ ହାତ ରଖିଥିଲେ। ଆମେ ତାଙ୍କ ସହ କଥା ହେବାକୁ ଅଟକିଗଲୁ। ତାଙ୍କ ମଥାରେ ଥିବା ଓଢ଼ଣୀ ତଳୁ କହରା କେଶ କିଛି ବାହାରକୁ ବାହାରି ପଡ଼ିଥିଲା। ସେ ପୁରୁଷମାନେ ପିନ୍ଧୁଥିବା ବ୍ୟାନିଅନ୍ ପରି ଏକ ଟ୍ୟୁନିକ୍ ପିନ୍ଧିଥିଲେ। ଝାଳ ଏହି ଟ୍ୟୁନିକ ଦେଇ ତଳକୁ ବୋହିଯାଉଥିଲା  ।

ଗିଲୌଦି ଗୁଜ୍ଜର ଘଟ ଗାଁଓରେ ନୂଆ ତିଆରି ହୋଇଥିବା ଗୋଟିଏ ଘରେ ରୁହନ୍ତି। “ମୋ ପରିବାର ମତେ କାମ ନକରିବା ପାଇଁ କହୁଛି। ମାତ୍ର ମୁଁ ପିଲାଦିନରୁ କାମ କରିଛି। ଏ ଅଭ୍ୟାସ ଅତୁଟ ରଖିବାକୁ ଚାହୁଁଛି। ଆମେ ଆମ ଜମି ବିକି ଦେଇଛୁ। ତେଣୁ ଚାଷକାମ ନାହିଁ। ମୁଁ ସକାଳେ ଘାସ ଆଣେ ମୋର ଦୁଇ ଗାଈଙ୍କୁ ଖାଇବାକୁ ଦେବାପାଇଁ। ସେମାନେ ଆମକୁ ଯଥେଷ୍ଟ ଦୁଗ୍ଧ ଦିଇନ୍ତି। ଆମକୁ ବଜାରରୁ ଦୁଗ୍ଧ କିଣିବାକୁ ପଡ଼େନି”।

PHOTO • Namita Waikar

ବଜୀର୍ ତାଙ୍କ ମୁଣ୍ଡରୁ ଘାସ ବିଡ଼ାଟି ଉଠାଇ ମାଟି ରାସ୍ତା କଡ଼ରେ ଥିବା ପଥର ପାଚେରି ଉପରେ ରଖିଦେଲେ।  ସେ ଫଟୋ ଉଠାଇବାକୁ ରାଜିହେଲେ। କିନ୍ତୁ ଅଜଣା ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ନଥିଲେ। ବଜୀର୍ ତାଙ୍କୁ କହିଲେ ଯେ ସେମାନେ ସରକାରୀ ଅଧିକାରୀ ନୁହନ୍ତି। ଏହାପରେ ତାଙ୍କର ଚିନ୍ତା ଦୂର ହୋଇଗଲା ଓ ସେ କଥା ହେବାକୁ ରାଜି ହେଲେ।

PHOTO • Namita Waikar

ଏହାଠାରୁ ଟିକେ ଆଗରେ ଭୂ-ବିକାଶ ଅଞ୍ଚଳ  କଣ୍ଟା ତାରରେ ବାଡ ଦିଆଯାଇଛି। ଏକ ନୀଳ ରଙ୍ଗର ବୋର୍ଡରେ ଲେଖାଯାଇଛି - MCG BLOCK-F , MAINTAIN BY AE( HORT ), MCGର ଅର୍ଥ ମ୍ୟୁନିସିପାଲଟି କର୍ପୋରେସନ୍ ଗୁରଗାଁଓ। ଭୂ-ବିକାଶ ପରେ ଏହାକୁ ଛୋଟ ଛୋଟ ପ୍ଲଟରେ ବିଭକ୍ତ କରି ବିକ୍ରି କରାଯିବ। ଅଞ୍ଚଳସାରା ପ୍ରାୟ ଦେଢ଼ଶହ ଶ୍ରମିକ ଏକା ଧରଣର କାମରେ ଲାଗିଛନ୍ତି। ମହିଳାମାନେ କଥା ହେଉଛନ୍ତି, ପୁରୁଷମାନେ ଶୁଣୁଛନ୍ତି,  କେହି କେହି ଠିଆହୋଇଛନ୍ତି କିମ୍ବା ବିଡ଼ି/ସିଗାରେଟ୍ ଟାଣୁଛନ୍ତି। ଏ ମଧ୍ୟରୁ ଅକ୍କାଭଲି ଗ୍ରାମର ଧର୍ମାବାଈ କହିଲେ, “ଆମେ ମାଟି ଖୋଳି ଅନାବଶ୍ୟକ ଗଛବୁଦା ଆଦି ଉପାଡ଼ିଲୁ, ମାଟିକୁ ସମାନ କରି ଏଠାରେ ଗଛ ଲଗାଇଛୁ। ଏବେ ଦିନରେ ଦୁଇଓଳି ପାଣି ଦେଉଛୁ”।

PHOTO • Namita Waikar

ଦୁଇ ବର୍ଷର କ୍ରିସ୍ ଏ ଦଳର ଏକମାତ୍ର ଶିଶୁ। ତା’ର ମା’ ଜ୍ୟୋତି କିଶୋରାବସ୍ଥା ଅତିକ୍ରମ କରିଥିବା ପରି ଜଣାଯାଉନି। ଯେତେବେଳେ ସେମାନେ କାମରୁ ଛୋଟ ବିରତି ନେଉଥିଲେ। କ୍ରିସ୍ ଫଟୋ ଉଠାଇବା ପାଇଁ କରୁଥିବା ବିଭିନ୍ନ ଭାବଭଙ୍ଗୀକୁ ଦେଖି ହସୁଥିଲେ। ଏ ମଧ୍ୟରେ ଜଣେ ମହିଳା ସେମାନଙ୍କ ହସ ବନ୍ଦ କରାଇ କହିଲେ, “ଆମେ କାମ କରିବା ସମୟରେ ତମେ ଫଟୋ ନେବା କଥା”। ସେ ହେଉଛନ୍ତି ବାବଲି ବାଈ, କ୍ରିସର ଯୁବା ଜେଜେମା’।

PHOTO • Namita Waikar

ଅନ୍ୟ ଜଣେ ମହିଳା କହିଥିଲେ ଯେ ଗାଁରେ ଛାଡ଼ି ଆସିଥିବା ନିଜ ପିଲା ଦୁହିଁଙ୍କୁ ଖୁବ୍ ମନେ ପକାଉଛନ୍ତି। “ମୋ ଶାଶୁ, ଶ୍ୱଶୁର ସେଠାରେ ସେମାନଙ୍କ କଥା ବୁଝୁଛନ୍ତି”, ସେ ଆମକୁ କହିଥିଲେ। ଗାଁରେ ବି କାମ ଅଛି, କିନ୍ତୁ ପରିବାରର ସମସ୍ତଙ୍କ ପାଇଁ କାମ ନାହିଁ। ତେଣୁ ସବୁ ପରିବାରରୁ କେଇ ଜଣ ଗାଁରେ ରୁହନ୍ତି ଓ ଅନ୍ୟମାନେ ବିକାଶଶୀଳ ସହରାଞ୍ଚଳକୁ କାମ ପାଇଁ ଆସନ୍ତି।

PHOTO • Namita Waikar

“ଯାହାହେଲେ ବି ଏଠି କାମ ଅଛି”, କହିଲେ ଲଚ୍ଛୋବାଈ, ଅନ୍ୟ ବୟସ୍କ ମହିଳାଙ୍କ ପରି ସେ ନିଜ ବଢ଼ନ୍ତା ପୁଅଙ୍କୁ ଗାଁରେ ଛାଡି ଆସିଛନ୍ତି। “ସେମାନେ ସେଠି କାମ କରନ୍ତି, ଆମେ ଏଠି କାମ କରୁ। ଆମେ କାମ ବିନା ବଞ୍ଚିପାରିବୁ ନାହିଁ”।

ସେମାନେ କେଉଁଠି ରହୁଛନ୍ତି? ଲଚ୍ଛୋବାଈ ପ୍ଲାଷ୍ଟିକ୍ ଘୋଡ଼େଇ ହୋଇଥିବା ବାଉଁଶ ଘେରା ଘରଗୁଡିକୁ ଦେଖାଇଲେ। କିନ୍ତୁ ଏଠି ରୋଷେଇ କରାହୁଏନି। “ଠିକାଦାର ଆମକୁ ଦୁଇଓଳି ଖାଇବାକୁ ଦିଅନ୍ତି - ଭାତ, ଡାଲି ଓ ତରକାରି”, କହିଲେ ସେ। ବୋଧହୁଏ ସେମାନେ ଅଧିକ ସମୟ କାମରେ ଲାଗିବା ପାଇଁ କିମ୍ବା ସହର ନିକଟରେ ସେମାନଙ୍କ ଏହି ବାଉଁଶ ଘରକୁ ସ୍ଥାୟୀ ଘରରେ ପରିବର୍ତ୍ତନ କରି ସ୍ଥାୟୀ ଭାବରେ ନ ରହିଯିବା ପାଇଁ ଏ ବ୍ୟବସ୍ଥା।

PHOTO • Namita Waikar

ସେମାନଙ୍କ ଛୋଟ ବିରତି ଶେଷ ହେଲା। ମହିଳାମାନେ ଗୋଟିଏ ଗୋଲାକାର ସିମେଣ୍ଟ କୁଣ୍ଡରୁ ନିଜ ନିଜର ସବୁଜ ପ୍ଲାଷ୍ଟିକ୍ ପାଣି କ୍ୟାନ୍ ଭରିବା ପାଇଁ ଧାଡ଼ିରେ ଛିଡ଼ା ହେଲେ। ଏହି ପାଣି ଜୋହର ବା ପୋଖରୀରୁ ପାଣି ଟ୍ୟାଙ୍କରରେ ଏଠାକୁ ଆସିଛି। ନଳକୂପରୁ ପାଣି ଉଠାଯାଇ ଏହି ଜୋହର ଭର୍ତ୍ତି କରାଯାଏ। ଏହି ପୋଖରୀ ମୁଖ୍ୟତଃ ଗାଁର ଗୃହପାଳିତ ପଶୁମାନଙ୍କର ଜଳ ଆବଶ୍ୟକତା ମେଣ୍ଟାଏ।

PHOTO • Namita Waikar

ଏ ସମସ୍ତ ପୁରୁଷ ଓ ମହିଳା ଅନ୍ୟ ସ୍ଥାନରୁ ଆସିଛନ୍ତି । ପ୍ରାୟ ସମସ୍ତେ  ଭୂମିହୀନ କୃଷି ଶ୍ରମିକ। ଫତେହାବାଦ୍ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଅଣାଯାଇଛି ଏମାନଙ୍କୁ। ଅନ୍ୟ କେତେ ଜଣ ଦୋହାନା ତହସି୍ଲର ଆକାବଲୀ ଓ ଭାଟୁ ଗ୍ରାମର। ରଟିୟା ତହସିଲର ଜାଲ୍ଲୋପୁର ଗାଁରୁ କେଇ ଜଣ ମଧ୍ୟ ସେମାନଙ୍କ ସହ ଅଛନ୍ତି।

PHOTO • Namita Waikar

ସେମାନେ ସମସ୍ତେ ଯେତେବେଳେ କାମ କରନ୍ତି ସେତେବେଳେ ସେମାନଙ୍କ ଠିକାଦାର ଏକ ବାଉଁଶ ପଟି ଉପରେ ସୂତା ବେଡସିଟ୍ ପକାଇ ବସେ। ତା’ ପାଖରେ ପିତଳର ହୁକ୍କା ଥୁଆ ହୋଇଥାଏ  ଯାହା ସୂର୍ଯ୍ୟକିରଣରେ ଚକଚକ୍ କରୁଥାଏ। ଏହି ଠିକାଦାର ହେଉଛନ୍ତି ହିସାର ଜିଲ୍ଲାର ବାର୍ବାଲା ତହସିଲର ଖାର୍କାଦା ଗ୍ରାମର ନନ୍ଦ କିଶୋର।

ଅଧିକାଂଶ ଶ୍ରମିକ ରାଜପୁତ୍। ସେମାନେ ଏକ ରାଜସ୍ଥାନୀ ଭାଷା ରାଜପୁତାନାରେ କଥାବାର୍ତ୍ତା କରନ୍ତି। ଭାରତ-ପାକ୍ ବିଭାଜନ ସମୟରେ ବିକାନୀର ଜିଲ୍ଲାରୁ ସେମାନଙ୍କ ପରିବାର ହରିଆଣାର ଫତେହାବାଦ୍ ଜିଲ୍ଲାକୁ ଆସି ଯାଇଥିଲେ। ସେବେଠୁ ସେମାନେ ସେଠାରେ ଅଛନ୍ତି। ବର୍ତ୍ତମାନ ସେମାନେ ଗୁରଗାଁଓ ସହରତଳିର ଘଟଗାଁଓରେ ରୋଷେଇ ସୁବିଧା ଓ କବାଟ ନଥିବା ଛୋଟ ଛୋଟ ଘରେ ରହୁଛନ୍ତି। ସେମାନେ ସେଠାରେ ମାଟି ସମାନ କରୁଛନ୍ତି, ଉଚ୍ଚ ଅଟ୍ଟାଳିକା ଗଢ଼ୁଛନ୍ତି। ସେମାନଙ୍କୁ ଆସନ୍ତାକାଲି ବିଷୟରେ ପଚାରନ୍ତୁ। ସେମାନେ ଏ ନେଇ ଅନିଶ୍ଚିତ। ସେମାନେ କହନ୍ତି, “ଆମେ ଗାଁକୁ ଫେରିଯାଇପାରୁ , ଏଠାରୁ ଅନ୍ୟ କୌଣସି ନିର୍ମାଣ କ୍ଷେତ୍ରରେ କାମ ପାଇପାରୁ କିମ୍ବା ଘରୋଇ ସହାୟିକା ଭାବରେ କାମ କରିପାରୁ”।

ଠିକ୍‌ ଭାବେ କେହି ଜାଣନ୍ତିନି।

PHOTO • Namita Waikar

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ନମିତା ଓ୍ୱାକର ଜଣେ ଲେଖକ, ଅନୁବାଦକ ଏବଂ PARIର ପରିଚାଳନା ସଂପାଦକ। କେମିସଃତଈ ଡାଟବେସ୍ଫା ର୍ମର ସେ ଜଣେ ଅଂଶୀଦାର। ସେ ଜୈବ ରସାୟନବିତ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଜଣେ ସଫ୍ଟଓ୍ୱାର ପ୍ରକଳ୍ପ ପରିଚାଳକ।

Other stories by Namita Waikar