ଭୋର ୪ଟା ୪୫ ବେଳକୁ ଗୁଞ୍ଜି ଗାଁର ସବୁ ଘରର ସୁଶୋଭିତ କାଠ କବାଟ ଗୋଟିଏ ପରେ ଗୋଟିଏ ଖୋଲିଯାଏ। ପାଣି ବୋତଲ ଧରି ଲୋକେ ବାହାରକୁ ବାହାରନ୍ତି। କିଛି ବର୍ଷ ତଳେ ହାତରେ ଟିଣ କିମ୍ବା ଷ୍ଟିଲ ଡବା ଧରି ଲୋକେ ବାହାରକୁ ବାହାରୁଥିଲେ। କିନ୍ତୁ ନିତ୍ୟକର୍ମ ପାଇଁ ଏବେ ପ୍ଲାଷ୍ଟିକ ବୋତଲ ସୁବିଧା ହେଉଛି।

ସେମାନେ ସ୍ମିତ ହସି ପରସ୍ପରକୁ ଶୁଭେଛା ଜଣାନ୍ତି ଆଉ ଭିନ୍ନ ଭିନ୍ନ ଦିଗରେ ଚାଷ ଜମି ଆଡ଼କୁ ମୁହଁ କରନ୍ତି। ଚାଷ ଜମିରୁ ଅଧିକାଂଶ ନିଷ୍ଫଳା। କାରଣ ଜମିର ମାଲିକମାନେ ବାହାରକୁ ପଳାଇଛନ୍ତି। ସେଇ ଭୋର ସମୟରେ ବି ସଅଳ ଉଠିଥିବା କିଛି ଲୋକ ଖାଲି ବୋତଲ ଧରି ଫେରୁଥାନ୍ତି।  

ସବୁଠାରୁ ଭଲ ଜାଗା ହେଉଛି ଘଞ୍ଚ ଆଉ ଡେଙ୍ଗାଳିଆ ବୁଦାର ପଛପାଖ। ୩,୨୦୦ ମିଟର ଉଚ୍ଚରେ ସ୍ଥାନେ ସ୍ଥାନେ ଏମିତି ବୁଦା ଦେଖାଯାଏ। ଯେଉଁମାନେ ଭୋରୁ ଉଠନ୍ତି, ସେମାନଙ୍କୁ ଏମିତି ଦୁର୍ଲଭ ଜାଗା ମିଳିଯାଏ। ବରଫରେ ଆଛାଦିତ ଆପି ପର୍ବତମାଳା କମଳା ରଂଗ ଧାରଣ କରିବା ପୂର୍ବରୁ ଏବଂ ସୂର୍ଯ୍ୟକିରଣ ପଡ଼ିବା ଆଗରୁ ଗୁଞ୍ଜି ଗାଁର ଲୋକେ ତାଙ୍କ ଶୌଚ କାମ ସାରିଦିଅନ୍ତି।

ପାଖରେ କୁଟୀ-ୟଂକ୍ତି ନଦୀ ଗର୍ଜନ କରେ। ପଥୁରିଆ ଚଟାଣରେ ଘୋଡ଼ାମାନଙ୍କ ପାଦଶବ୍ଦର କର୍କଷ ସଂଗୀତ  ଶୁଣାଯାଏ। ଘୋଡ଼ାର ମାଲିକ କିମ୍ବା ତତ୍ତ୍ୱାବଧାରକମାନେ ଘୋଡ଼ାମାନଙ୍କୁ ଗର୍ବାଧର ନେଇ ଯାଆନ୍ତି। ଗର୍ବାଧର ଏଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହା ଭାରତ-ଚୀନର ସୀମାନ୍ତ ଅଞ୍ଚଳ। ସେଠାରୁ ଚୀନ ସୀମା ମାତ୍ର ୨୨ କିଲୋମିଟର। ଏଠାରେ ସୀମା ପାର ରପ୍ତାନୀ ପାଇଁ ଘୋଡ଼ାମାନଙ୍କୁ ବ୍ୟବହାର କରାଯାଏ।

The new make-shift toilets stand out among the two-hundred year houses of Gunji village
PHOTO • Arpita Chakrabarty
More make-shift toilets at the entrance of the village Gunji
PHOTO • Arpita Chakrabarty

ଗୁଞ୍ଜି ଗାଁର ପ୍ରବେଶ ପଥରେ ମହିଳା ଓ ପୁରୁଷମାନଙ୍କ ପାଇଁ ୩ଟି ଶୌଚାଳୟ ରହିଛି। ସେଗୁଡ଼ିକରେ କିନ୍ତୁ ତାଲା ପଡ଼ିଛି। ଆଉ ୬ଟି ମଧ୍ୟ ନିର୍ମାଣ ହୋଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଯେତେବେଳେ ତାଙ୍କ ଏହି ନିଜଗାଁକୁ ବୁଲି ଆସନ୍ତି, ସେତେବେଳେ ମଧ୍ୟ ଏଗୁଡ଼ିକ ବନ୍ଦ ଥାଏ।

ଗୁଞ୍ଜି ଗାଁର ପ୍ରବେଶ ପଥରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ୩ଟି ପାଇଖାନା ରହିଛି। ସେଗୁଡ଼ିକରେ ତାଲା ଝୁଲୁଛି। ଏହି ଗାଁରେ ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ ଘର। ଥରେ ସେ ଘରକୁ ଆସିବାବେଳେ ଗାଁରେ ଆଉ ୬ଟି ଅସ୍ଥାୟୀ ପାଇଖାନା ନିର୍ମାଣ ହୋଇଥିଲା। ସେଗୁଡ଼ିକ ମଧ୍ୟ ବନ୍ଦ ରହିଛି। ୨୦୦ ବର୍ଷର ପୁରୁଣା ପଥର ଛାତର ଘର ମଝିରେ ଏସବୁ ଛିଡା ହୋଇଛନ୍ତି।  ଗୁଞ୍ଜିର ଗାଁ ମୁଖିଆଙ୍କ ଘରେ ଏ ସବୁ ପାଇଖାନାର ଚାବି। କିନ୍ତୁ ଅଧିକାଂଶ ସମୟ ସେ ଧାରଚୁଲାରେ ରହନ୍ତି, ଏଠାରୁ ୭୦ କିଲୋମିଟର ଦୂର। ଉତ୍ତରାଖଣ୍ଡ ପିଥୋରଗଡ଼ ଜିଲ୍ଲାର ଧାରଚୁଲା ବ୍ଳକର ଉପର ହିମାଳୟରେ ଥିବା ୨୧ଟି ଗାଁ ଭିତରୁ ଗୁଞ୍ଜି ଗାଁ ଗୋଟିଏ। ଏଠାରେ ସାମୟିକ ଭାବେ ଲୋକେ ବାହାରକୁ ଚାଲିଯାଆନ୍ତି।

ନଭେମ୍ବର ମାସରେ ଶୀତ ସମୟରେ ଗୃହପାଳିତ ପଶୁଙ୍କୁ ନେଇ ଲୋକେ ଧାରଚୁଲା ଚାଲି ଯାଆନ୍ତି । ମେ ମାସ ଆରମ୍ଭରେ ଯେତେବେଳେ ବରଫ ତରଳେ, ଲୋକେ ପୁଣି ଗୁଞ୍ଜିକୁ ଫେରି ଆସନ୍ତି। ପ୍ରାୟ ୬୦-୭୦ କିଲୋମିଟର ଚଢିବାକୁ ପଡ଼େ। ପାଖାପାଖି ୪ ଦିନ ସମୟ ଲାଗେ।

ଏଠି ପହଞ୍ଚିବା ପରେ ଲୋକେ ପୁଣି ତାଙ୍କ ଚାଷ କାମ ଆରମ୍ଭ କରନ୍ତି। ଯେତେବେଳେ ଭଲ ବର୍ଷା ହୁଏ (ଦୁଇ ବର୍ଷ ସ୍ୱଳ୍ପ ବୃଷ୍ଟି ହୋଇଥିଲା) ବକହ୍ଵେଟ୍, ରାଜମା, ମଟର ଆଦି ଚାଷ କରନ୍ତି। ଅକଟୋବରରେ ଅମଳ ସାରି ପୁଣି ନଭେମ୍ବରରେ ପଶୁଙ୍କୁ ଧରି ସେମାନେ ଶୀତ ବାସସ୍ଥଳୀକୁ ଚାଲି ଯାଆନ୍ତି।

Another entrance of the village Gunji
PHOTO • Arpita Chakrabarty

ଗୁଞ୍ଜି ଏକ ଅଜଣା ସ୍ଥାନ ନୁହେଁ - ଭାରତ-ଚୀନ ସୀମାନ୍ତରେ ଥିବା କେତୋଟି ବଡ଼ ଗାଁ ଭିତରୁ ଗୋଟିଏ।  

ତେବେ ବିଳାସ ପାଇଁ ସବୁ ଲୋକଙ୍କର ଦୁଇଟି ଅଲଗା ଅଲଗା ଜାଗାରେ ଘର ନାହିଁ। ଦୁଇ ଡଜନରୁ କିଛି ଅଧିକ ଲୋକ ହାଡ଼ଭଙ୍ଗା ଶୀତରେ ବି ଗୁଞ୍ଜିରେ ରହିବାକୁ ବାଧ୍ୟ ହୁଅନ୍ତି, ଯେତେବେଳେ ଏଠାରେ ବିଯୁକ୍ତ ୨୦ ଡିଗ୍ରୀ ସେଲସିଅସ ତଳକୁ ପାରଦ ଖସିଯାଏ। ଗ୍ରୀଷ୍ମ ଋତୁରେ ଏଠାକାର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲସିୟସ ରହେ।

ଗୁଞ୍ଜି ଏକ ଅଜ୍ଞାତ ଗାଁ ନୁହେଁ। ଭାରତ-ଚୀନ ସୀମାରେ ଥିବା କେତେକ ବଡ଼ ଗାଁ ଭିତରୁ ଗୋଟିଏ। ଏଠାରେ ଏକ ଇଣ୍ଡୋ-ତୀବ୍ବତାନ ପୋଲିସ କ୍ୟାମ୍ପ, ସଶସ୍ତ୍ର ସୀମା ବଳ କ୍ୟାମ୍ପ ଏବଂ ସୀମା ଶୁଳ୍କ କାର୍ଯ୍ୟାଳୟ ରହିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅସ୍ଥାୟୀ ଶାଖା ଏବଂ ଅସ୍ଥାୟୀ ଡାକଘର ମଧ୍ୟ ଅଛି। ଏ ଦୁଇଟି ବର୍ଷରେ ୬ ମାସ ଖୋଲା ରହେ।

୧୯୪ଟି ପରିବାର (ଜନଗଣନା ୨୦୧୧) ରହୁଥିବା ଏହି ଗାଁରେ ମାତ୍ର ଗୋଟିଏ କାର୍ଯ୍ୟକ୍ଷମ ପାଇଖାନା ଅଛି। ଏହା ବି ଗୁଇନ୍ଦା ବିଭାଗ (ଆଇବି) କାର୍ଯ୍ୟାଳୟର। ଏହି ଗାଁ ଆନ୍ତର୍ଜାତିକ ସୀମାରେ ଅବସ୍ଥିତ ଥିବାରୁ ଏଠାରେ ବେଆଇନ୍ କାରବାରର ସୁଯୋଗ ରହିଛି। ସେହିଭଳି ଗୁଞ୍ଜି ଗାଁ ଦେଇ କୈଳାସ ମାନସରୋବର ଯାତ୍ରା ଅତିକ୍ରମ କରେ। ସେଥିପାଇଁ ଏଠାରେ ଗୁଇନ୍ଦା ବିଭାଗ କାର୍ଯ୍ୟାଳୟ ରହିଛି।

ତେବେ ଆଇବି କାର୍ଯ୍ୟାଳୟରେ ଥିବା ପାଇଖାନାରେ ବି ପାଇପ୍ ପାଣି ସଂଯୋଗ ହୋଇନାହିଁ। ପାଇଖାନା ଯିବାକୁ ହେଲେ ପ୍ରତିଥର ବାଲତିଏ ପାଣି ନେଇ ଯିବାକୁ ହୁଏ। ଗାଁରେ ଗୋଟିଏ ମାତ୍ର ଟ୍ୟାପ୍ ଅଛି। ପାଖରେ ବହି ଯାଉଥିବା କୁଟୀ-ୟଂକ୍ତି ନଦୀ ସହ ଏହା ସଂଯୋଗ ହୋଇଛି। ପିଇବା, ଗାଧୋଇବା ଏବଂ ଲୁଗା ସଫା କରିବା ପାଇଁ ଲୋକେ ଏହି ଟ୍ୟାପ୍ ବ୍ୟବହାର କରନ୍ତି।

ଶୀତଦିନେ ଯେତେବେଳେ ଗୁଞ୍ଜି ଏବଂ ଚାରିପାଖରେ ଥିବା ପାହାଡ଼କୁ ବରଫ ଢାଙ୍କି ଦିଏ, ସେତେବେଳେ ପାଇପ୍ ଭିତର ପାଣି ବରଫ ହୋଇଯାଏ। ଏହି ସମୟରେ ମାନିଲାରେ ଥିବା ଜେନେରାଲ ରିଜର୍ଭ ଇଂଜିନିୟର ଫୋର୍ସ (ଜିଆରଇଏଫ୍) ଗୁଞ୍ଜି ଗାଁ ଲୋକଙ୍କୁ ପିଇବା ପାଣି ଯୋଗାଏ। ମାନିଲା ଏଠାରୁ ଦେଢ କିଲୋମିଟର ଦୂର।

ଏପରିକି ଗୁଞ୍ଜିରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋର ପାଇଖାନାରେ ମଧ୍ୟ ପାଇପ ପାଣି ସଂଯୋଗ ନାହିଁ; ପ୍ରତିଥର ପାଇଖାନା ଯିବାବେଳେ ବାଲତିଏ ପାଣି ଢାଳିବାକୁ ହୁଏ।

ଭିଡିଓ ଦେଖନ୍ତୁ : ‘ଆମେ ପାଣି ସମସ୍ୟାରେ ଘାଣ୍ଟି ହେଉଛୁ’ : କୁସୁମ ଦେବୀ

ମଙ୍ଗଲ ଗୁଞ୍ଜିୱାଲ କହିଲେ, ‘‘ଶୀତ ଋତୁରେ ବେଳେବେଳେ ଜିଆରଇଏଫ୍ ଆମକୁ ପାଣି ଯୋଗାଇଥାଏ, କିନ୍ତୁ ବାକି ସମୟରେ ଆମେ ନିଜେ ନିଜ ପାଇଁ ବ୍ୟବସ୍ଥା କରୁ।’’ ହିମପାତ ସମୟରେ ବି ସେ ପରିବାର ସହ ଗୁଞ୍ଜିରେ ରହନ୍ତି। ସେ କହନ୍ତି, ‘‘ବର୍ଷ ତମାମ ଆମ ଗାଁରେ ଜଳ ସଂକଟ ଲାଗି ରହିଛି, ବିଶେଷ କରି ଶୀତ ସମୟରେ ଏହା ଉତ୍କଟ ହୁଏ। ଯେତେବେଳେ ପର୍ବତରୁ କାଲୁଆ ପବନ ବହେ, ସେତେବେଳେ ପାଣି ଟୋପେ ପାଇବା ଖୁବ୍ କଷ୍ଟ ସାଧ୍ୟ ହୁଏ। ଅଧିକାଂଶ ସମୟରେ ପାଣି ପାଇପ୍ ଭଙ୍ଗା ପଡ଼ିଥାଏ; ବରଫ କିମ୍ବା ପଥର ଯୋଗୁ। ଆମକୁ କୁଟୀ-ୟଂକ୍ତି ନଦୀରୁ ପାଣି ଆଣିବାକୁ ପଡ଼େ [ଥରକୁ ଥର ଯାଇ ବାଲତିରେ ଆଣିବାକୁ ହୁଏ], ନଦୀ ମଧ୍ୟ ବେଳେବେଳେ ବରଫ ହୋଇଯାଏ। ପିଇବା ପାଣି ଏବଂ ଚା କରିବାକୁ ଆମକୁ ବରଫ ତରଳାଇବାକୁ ପଡ଼େ।’’

Phal Singh Gunjiyal of village Gunji
PHOTO • Arpita Chakrabarty

ଫାଲ ସିଂ ଗୁଞ୍ଜିୱାଲ କହିଲେ, ‘ଆମର ଏଠି ପାଇଖାନା ନାହିଁ, କାରଣ ପାଣି ନାହିଁ। ଫାଲ ସିଂ ଗୁଞ୍ଜିୱାଲ ପୂରା ଶୀତ ସମୟରେ ଗୁଞ୍ଜିରେ ରହନ୍ତି ।

ପାନୀୟ ଜଳ ଏବଂ ପରିମଳ ମନ୍ତ୍ରାଳୟ ପକ୍ଷରୁ ୨୦୧୭ ଏପ୍ରିଲ ୧୫ ତାରିଖରେ ପିଥୋରଗଡ଼ ଜିଲ୍ଲାକୁ ବାହ୍ୟମଳମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଏହି ବର୍ଷ ଜୁନ୍ ୨୩ରେ ଗ୍ରାମୀଣ ଉତ୍ତରାଖଣ୍ଡକୁ ଚତୁର୍ଥ (ସିକିମ, ହିମାଚଳ ପ୍ରଦେଶ ଏବଂ କେରଳ ପରେ) ବାହ୍ୟ ମଳମୁକ୍ତ ରାଜ୍ୟ ଭାବେ ସ୍ୱଛ ଭାରତ ମିଶନ (ଗ୍ରାମୀଣ) (ଏସବିଏମ୍, ରୁରାଲ) ଅଧିନରେ ଘୋଷଣା କରାଯାଇଛି। ଉତ୍ତରାଖଣ୍ଡର ସମସ୍ତ ୧୫,୭୫୧ଟି ଗାଁରେ କୌଣସି ଲୋକ ବାହାରେ ମଳତ୍ୟାଗ କରୁନାହାନ୍ତି ବୋଲି ଏହି ଅଭିଯାନ ପକ୍ଷରୁ ଦାବି କରାଯାଇଛି।  

ଧାରଚୁଲା ବ୍ଳକ୍ କାର୍ଯ୍ୟାଳୟରେ ଏସବିଏମ୍‌ର କାଗଜପତ୍ର ଅନୁସାରେ ଗୁଞ୍ଜିର ସମସ୍ତ ପରିବାର କାଲୀ ନଦୀ ତଟରେ ଅବସ୍ଥିତ ଧାରଚୁଲାରେ ଥିବା ଶୀତ ବାସସ୍ଥଳୀରେ ପାଇଖାନା ବ୍ୟବହାର କରୁଛନ୍ତି। କିନ୍ତୁ ଗାଁ ଲୋକ କହନ୍ତି, ପାଣି ଅଭାବ ଯୋଗୁଁ ସେମାନେ ସମସ୍ତେ ବାହାରେ ମଳତ୍ୟାଗ କରନ୍ତି। ଏପରିକି ଧାରଚୁଲାର ଶୀତ ବାସସ୍ଥଳୀରେ ମଧ୍ୟ।  

ଫାଲ୍ ସିଂ ଗୁଞ୍ଜିୱାଲ କହନ୍ତି, ‘‘ଆମର ପାଣି ନାହିଁ, ସେଥିପାଇଁ ପାଇଖାନା ନାହିଁ। ଖରା ଦିନେ ଆମକୁ ପାଇପ୍ ପାଣି ମିଳେ। କିନ୍ତୁ ସେତେବେଳେ ଧାରଚୂଲାରୁ ସମସ୍ତେ ଗୁଞ୍ଜିକୁ ଚାଲି ଆସନ୍ତି। ତେଣୁ ଆବଶ୍ୟକ ମୁତାବକ ପାଣି ମିଳେ ନାହିଁ। ’’ ​‌ସେ ମଧ୍ୟ ପୂରା ଶୀତ ଋତୁରେ ଗୁଞ୍ଜିରେ ରହନ୍ତି।

The permanent toilets in Gunji villag are also locked
PHOTO • Arpita Chakrabarty

ଗୁଞ୍ଜି ଗାଁର ମୁଖିଆ ନୂଆ କରି ନିର୍ମିତ ହୋଇଥିବା ପାଇଖାନାକୁ ଚାବି ପକାଇ ରଖିଛନ୍ତି। କାରଣ ବିନା ପାଣିରେ ଗାଁ ଲୋକ ପାଇଖାନାକୁ ଅପରିସ୍କାର କରିଦେବେ।

ଏସବିଏମ୍ ର ପ୍ରକଳ୍ପ ପରିଚାଳକ ତଥା ଜିଲ୍ଲା ସଂଯୋଜକ ଦୀପ ଚନ୍ଦ୍ର ପୁନେଥା କହନ୍ତି, ‘‘ଉପର ହିମାଳୟ ଗାଁ ଗୁଡ଼ିକରେ ମନରେଗା ଭଳି ବିଭିନ୍ନ ଯୋଜନା ଅଧିନରେ ଗୋଷ୍ଠୀ ପାଇଖାନା ନିର୍ମିତ ହୋଇଛି। ଉଚ୍ଚରେ ଥିବା ଧାରଚୂଲାର ୨୧ଟି ଗାଁରେ ଜାଗା ଅଭାବରୁ ଗୋଷ୍ଠୀ ପାଇଖାନା ନିର୍ମିତ ହୋଇଛି।’’

କିନ୍ତୁ ପାଣି ସୁବିଧା ନକରି ପାଇଖାନାଗୁଡ଼ିକ କେମିତି ନିର୍ମାଣ ହୋଇଛି? ନୂଆ କରି ତିଆରି ହୋଇଥିବା ପାଇଖାନାଗୁଡ଼ିକ କାହିଁକି ଚାବି ପଡ଼ିଛି? ଗୁଞ୍ଜି ଗାଁର ମୁଖିଆ ଅର୍ଚ୍ଚନା ଏହାର ଏକ ମଜାଦାର କାରଣ କହନ୍ତି: ‘‘ଏ ସବୁ ନୂଆ ପାଇଖାନା। ବିନା ପାଣିରେ ଗାଁ ଲୋକ ଏସବୁ ଅପରିସ୍କାର କରିଦେବେ। ’’ କେବେ ପାଇପ ପାଣି ସଂଯୋଗ ହେବ ? ସେ କହିଲେ, ‘‘ସମୟ ଲାଗିବ। ଆମକୁ ଅଧିକ ପାଇପ୍ ସଂଯୋଗ କରିବାକୁ ପଡ଼ିବ; ସେପର୍ଯ୍ୟନ୍ତ ଆମେ ଏ ସବୁ ପାଇଖାନା ବ୍ୟବହାର କରିପାରିବୁ ନାହିଁ।’’

Sukhmati Devi of village Kuti
PHOTO • Arpita Chakrabarty

ସୁଖମତି ଦେବୀ କହିଲେ, ‘ଆମ ପୂର୍ବଜମାନେ ଏମିତି ଚଳୁଥିଲେ। ଆମେ କେମିତି ଏହାକୁ ବନ୍ଦ କରିପାରିବୁ?’

ସରକାରୀ ରେକର୍ଡ ଅନୁସାରେ ଗାଁ ଲୋକ ପାଇଖାନା ବ୍ୟବହାର କରୁଛନ୍ତି। କିନ୍ତୁ ପ୍ରକୃତରେ ଲୋକେ ବାହାରେ ମଳତ୍ୟାଗ କରିବା ଜାରି ରଖିଛନ୍ତି। ଏସବିଏମ୍‌ର ଏମିତି ଅନେକ ସଫଳ କାହାଣୀ ଭିତରୁ ଗୁଞ୍ଜି ଗୋଟିଏ। ଗୁଞ୍ଜି ଗାଁଠାରୁ ପ୍ରାୟ ୧୯ କିମି ଦୂରରେ କୁଟି ଗାଁ । ୪.୫୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଗାଁରେ ୩୬୩ ଟି ପରିବାର ବସବାସ କରନ୍ତି। ଗାଁରେ ଅଛି ୪ଟି ପାଇଖାନା। ଦୁଇଟି ମହିଳାଙ୍କ ପାଇଁ ଏବଂ ଦୁଇଟି ପୁରୁଷଙ୍କ ପାଇଁ। ଏଥିରୁ ଦୁଇଟିର ଜରାଜୀର୍ଣ୍ଣ ଅବସ୍ଥା। ଅନ୍ୟ ଦୁଇଟି ଅପରିଛନ୍ନ। ସଫା କରିବାକୁ କିନ୍ତୁ ପାଇପ୍ ସଂଯୋଗ ନାହିଁ। ଯଦିଓ ପାଖରେ ଦୁଇଟି ପାଣି ପାଇପ୍ ଯାଇଛି କିନ୍ତୁ ଏଠି ଟ୍ୟାପ୍ ନାହିଁ। କୁଟୀ ଗାଁର ପାର୍ବତୀ ଦେବୀ କହିଲେ, ‘‘ ମଳତ୍ୟାଗ ପାଇଁ ଆମେ ପାଇଖାନା ବ୍ୟବହାର କରୁ। ବାହାରେ ପରିସ୍ରା କରୁ। ଅନ୍ଧାର ରାତି ହୋଇଥିଲେ ଘର ପାଖରେ ପରିସ୍ରା କରୁ।’’ ଇଣ୍ଡୋ ତିବ୍ବତାନ ବର୍ଡର ପୋଲିସର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପତ୍ନୀ ହେଉଛନ୍ତି ପାର୍ବତୀ ଦେବୀ।

କେତେକ କ୍ଷେତ୍ରରେ ପରିବର୍ତ୍ତନକୁ ମଧ୍ୟ ଲୋକଙ୍କ ବିରୋଧ ରହିଛି। କୁଟି ଗାଁର ଜଣେ ବୟସ୍କ ଚାଷୀ ସୁଖମତି ଦେବୀ କହିଲେ, ‘‘ଏମିତି ଢଙ୍ଗରେ ଆମ ପୂର୍ବ ପୁରୁଷମାନେ ଚଳୁଥିଲେ, ଆମେ ବି ବର୍ଷବର୍ଷ ଧରି ଚଳିଆସିଛୁ। ଜଣେ ବାହାର ଲୋକର କଥାରେ ଆମେ ହଠାତ୍ କେମିତି ପରିବର୍ତ୍ତନ ହେବୁ?’’

ଅକଟୋବର ୨୦୧୯ ସୁଦ୍ଧା ସ୍ୱଛ ଭାରତ ଲକ୍ଷ୍ୟ ହାସଲ ହେବ ବୋଲି ଏସବିଏମ୍ ଅଭିଯାନ ଦାବି କରୁଛି। କିନ୍ତୁ ପାଣି ବ୍ୟବସ୍ଥା ନକରି ଅଧିକରୁ ଅଧିକ ପାଇଖାନା ନିର୍ମାଣ କରାଯାଉଛି। ଫଳରେ ପାଇଖାନା ପ୍ରତି ଲୋକେ ବିମୁଖ ହେଉଛନ୍ତି ଆଉ ଏହି ବିରାଟ ଯୋଜନାରୁ ଦୁର୍ଗନ୍ଧ ବାହାରୁଛି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Other stories by Arpita Chakrabarty