ମୋ କାକୀ-ମୋ ବାପାଙ୍କ ଭାଇଙ୍କ ପତ୍ନୀ- ଜୟଶ୍ରୀ ପାରେଦ୍‌ ମୋତେ କହୁଥିଲେ, ‘‘ଏ ବର୍ଷ ଖୁବ୍‌ ଅଧିକ ବର୍ଷା ହୋଇଥିଲା। ତେଣୁ ମୁଁ ଭାବିଲି ଝରଣାରୁ ପାଣି ଅଧିକ ଦିନ ରହିବ। ମୁଁ ମୋ ସ୍ୱାମୀଙ୍କୁ କହିଲି ଗାଁ’ରେ ରହିଯିବା ପାଇଁ। ଆମେ ଆଉ କିଛି ଅଧିକା ପନି ପରିବା ଚାଷ କରିପାରିବା। କାମ ପାଇଁ ବାହାରକୁ ଯିବାଠାରୁ ଆମେ ନିଜ ଜମିରେ କାମ କରିବା ଅଧିକ ଭଲ। କିନ୍ତୁ ଦେଖ, କ’ଣ ହୋଇଗଲା।’’ ସେ ମେଘୁଆ ଆକାଶ ଆଡ଼କୁ ଅନାଇ କହୁଥିଲେ। ଏହା ୨୦୧୯ ନଭେମ୍ବର ଥିଲା ‘‘ଶୀତ ଆସିଯାଇଥିଲା କିନ୍ତୁ ବାୟୁମଣ୍ଡଳରେ କୌଣସି ଥଣ୍ଡା ନଥିଲା। ମୌସୁମୀ ଶେଷ ହୋଇଯାଇଥିଲା କିନ୍ତୁ ଆକାଶ ଏ ପର୍ଯ୍ୟନ୍ତ ପରିଷ୍କାର ହୋଇନଥିଲା ଏବଂ ମୋ ମେଥି ମରିବା ଉପରେ ଥିଲା, ପାଳଙ୍ଗ ମଧ୍ୟ। ସୋରିଷ ଗତକାଲି ପର୍ଯ୍ୟନ୍ତ ଭଲ ଥିଲା। କିନ୍ତୁ ଆଜି ସେଥିରେ ପୋକ ହୋଇଯାଇଛନ୍ତି। ଆମେ କ’ଣ କରିବୁ ?’’ କାକୀ ମୋ ସହ କଥା ହେବା ବେଳେ ସଂକ୍ରମିତ ଗଛଗୁଡ଼ିକ ଉପାଡ଼ିବାରେ ବ୍ୟସ୍ତ ଥିଲେ।

ସେ ମୋ ମୁଣ୍ଡ ଟୁଙ୍ଗାରିବା ଆଡ଼େ ଅନାଇ କହିଲେ, ‘‘ପାଣିପାଗ ବଦଳିଗଲାଣି। ଅଧିକ ଦିନ ଖରା ହେଉନାହିଁ। ତାହା ଏସବୁର କାରଣ ହୋଇଛି [ଏହି ସଂକ୍ରମଣ]। ଏହି କେମିକାଲ [କୀଟନାଶକ] ବିକ୍ରି କରୁଥିବା ଦୋକାନୀ ଏହା କହିଥିଲେ। ମୁଁ ନିଶ୍ଚିତ ଯେ ସେ ଏ ବିଷୟରେ ଅନେକ କିଛି ଜାଣିଛି।’’ ସେ ବ୍ୟସ୍ତ ହେଉଥିଲେ ଯେ, ଏହି ପତ୍ରପୋଡ଼ା ତାଙ୍କର ସମୁଦାୟ ଜମିରେ ବ୍ୟାପିଯିବ ଏବଂ ପନିପରିବାଗୁଡ଼ିକ ଶୁଖିଯିବ। କାକୀ କହିବା ଜାରି ରଖିଥିଲେ, ‘‘ମୁଁ ଏହି କାଦୁଆ କିଆରିରୁ ପରିବା ବିକି ଟ. ୨୦୦-୨୫୦ ଆୟ କରିପାରିଥାନ୍ତି। କିନ୍ତୁ ଏ ମଧ୍ୟରୁ ଅଧିକାଂଶ ଗଜା ହେବା ଅବସ୍ଥାରେ ମରିଗଲା। ଯାହା ବଢ଼ିଥିଲା ତାହା ମଧ୍ୟ ମରିଗଲା। ମୋର ବହୁ ଚିନ୍ତା ରହିଛି କାରଣ ମୁଁ କହିପାରୁନି ମୁଁ ଏଥିରୁ କେତେ ଆୟ କରିପାରିବି। ଶିମ୍ବ ଏବଂ ଗୁଆଁରରେ ଫୁଲ ଧରିଥିଲା କିନ୍ତୁ ସେତେବେଳେ ସବୁ ଫୁଲ ଶୁଖିଗଲା ଓ ଖସିପଡ଼ିଲା। ବିନ୍‌ ଗୁଡ଼ିକରେ ମଧ୍ୟ ପୋକ ଲାଗିଗଲା।’’

ସେ ତାଙ୍କ ପରିବାକୁ ଝୁଡ଼ିରେ ମୁଣ୍ଡରେ ବୋହି ଦୁଇକିଲୋମିଟର ଦୂରରେ ଥିବା ଗଣେଶପୁରିରେ ରାସ୍ତାକଡ଼ରେ ବସି ବିକ୍ରି କରନ୍ତି କିମ୍ବା ବେଳେ ବେଳେ ଗୋଟିଏ ବସ୍‌ରେ ବାସାଇରେ ଥିବା ହାଟକୁ ନିଅନ୍ତି; ଏହା ମୋ କାକା ଏବଂ କାକୀକୁ ଅତି ବେଶୀରେ ସପ୍ତାହକୁ ଟ. ୧୦୦୦ ଦେଇଥାଏ। ଏହା ହିଁ ସେମାନଙ୍କ ଆୟର ଏକମାତ୍ର ସ୍ରୋତ।

Jayashree and Ramchandra Pared grow vegetables and paddy on their one acre; with the land title they received under the FRA, they no longer have to migrate to the brick kilns
PHOTO • Mamata Pared

ଜୟଶ୍ରୀ ଏବଂ ରାମଚନ୍ଦ୍ର ପରେଦ୍‌ ଧାନ ଓ ପନିପରିବା ଚାଷ କରନ୍ତି: ଏଫଆର୍‌ଏ ଅଧୀନରେ ସେମାନେ ଯେଉଁ ଅଳ୍ପ କିଛି ଜମି ପାଇଛନ୍ତି ତାହା ଦ୍ୱାରା ସେମାନଙ୍କୁ ଆଉ ଇଟାଭାଟିରେ କାମ କରିବାକୁ ଯିବାକୁ ହେଉନି

କାକୀଙ୍କ ବୟସ ୪୦ ବର୍ଷ ଏବଂ ମୋ କକା ରାମଚନ୍ଦ୍ରଙ୍କ ବୟସ ୪୩। ସେମାନେ ନିମ୍ବାଭାଲି ଗାଁ’ରେ ଗାରେଲପଡ଼ା ନିକଟରେ ଗୋଟିଏ ପାହାଡ଼ ଗଡ଼ାଣିରେ ଗୋଟିଏ ଏକର ଜମି ପାଇଛନ୍ତି। ମହାରାଷ୍ଟ୍ରର ପଲଘର ଜିଲ୍ଲାର ବଡ଼ା ତାଲୁକା (ଓ୍ୱାଡା ଭାବରେ ତାଲିକାଭୁକ୍ତ)ରେ ଥିବା ଏହି ବସ୍ତିରେ ପ୍ରାୟ ୮୫ଟି ପରିବାର  ବାସ କରନ୍ତି ଏବଂ ମୋ କାକା-କାକୀଙ୍କ ପରି ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ। ସେମାନେ ଓର୍ଲି ସମୂହର। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିକଟସ୍ଥ ଇଟାଭାଟି, ନିର୍ମାଣ କ୍ଷେତ୍ର କିମ୍ବା ବସାଇ ଓ ଭିଓ୍ୱାଣ୍ଡିର କାରଖାନାମାନଙ୍କରେ କାମ କରନ୍ତି ଏବଂ ଛୋଟ ଛୋଟ ଜମି ଚାଷ କରନ୍ତି।

ଆମର ମଧ୍ୟ ପାହାଡ଼ରେ ଗୋଟିଏ ଏକର ଜମି ଅଛି। ମୌସୁମୀ ଋତୁରେ ଆମ ପରିବାର ଏକାଠି ଧାନଚାଷ କରେ। ଏହା ଆମେ ବଜାରରେ ବିକ୍ରି କରୁନି; ଏହା ଆମର ନିଜ ଖାଇବା ପାଇଁ; ଆମେ ମଧ୍ୟ କାକୁଡ଼ି, ପାଣିକଖାରୁ, ଦେଶିଆଳୁ, ଲମ୍ବା ବିନ୍‌, ଯଅ, ରାଶି, ରାମତିଳ ଏବଂ ସାରୁ ଚାଷ କରୁ। ପାହାଡ଼ରେ ବିଭିନ୍ନ ପ୍ରକାର ଗଛ ଅଛି, ସେଗୁଡ଼ିକ ମଧ୍ୟରେ ରହିଛି ଜାମ୍ମୁ, ଧୌରାଞ୍ଜନ, କୋଶିମ୍ବ ଏବଂ ବଉଳ, ଯାହା ଫଳ ଓ କୋଳି ଧାରଣ କରେ। ବର୍ଷା ସମୟରେ ଏଠାରେ ନାନା ପ୍ରକାରର ବଣୁଆ ପନିପରିବା ମଧ୍ୟ ହୋଇଥାଏ।

ଆମ ଜମି ଗୋଟିଏ ଝରଣା ଦେଇ ଯାଇଛି। ଥରେ ମୌସୁମୀ ସରିଯିବା ପରେ କାକା ଓ କାକୀ ଝରଣାର ଗୋଟିଏ ଅଂଶରେ ଥିବା ଏକ ବଡ଼ ନାଳରେ ଜମା ହୋଇଥିବା ପାଣିରେ ପନିପରିବା ଚାଷ କରନ୍ତି। ଯେତେବେଳେ ତାହା ଶୁଖିଯାଏ, ସେମାନେ କୋଦାଳ ଓ କାଙ୍କ ବ୍ୟବହାର କରି ଏହାକୁ ୫ରୁ ୬ଫୁଟ ଖୋଳି ଦିଅନ୍ତି। ଏଥିପାଇଁ ସେମାନେ ୪ଦିନ ପର୍ଯ୍ୟନ୍ତ ସବୁଦିନ କେଇ ଘଣ୍ଟା କାମ କରନ୍ତି। ଗୋଟିଏ ଗାତ ଖୋଳିବା ପାଇଁ ଏବଂ କିଛି ପାଣି ସଂଗ୍ରହ କରିବା ପାଇଁ।

Left: 'We have not even got permission to construct a house on the plot'. Right: The plot is uphill, near their old house; a paddle machine that lifts water eases their labour
PHOTO • Mamata Pared
Left: 'We have not even got permission to construct a house on the plot'. Right: The plot is uphill, near their old house; a paddle machine that lifts water eases their labour
PHOTO • Mamata Pared

ବାମ: ‘ଆମେ ଏହି ଜମିରେ ଗୋଟିଏ ଘର ତିଆରି ପାଇଁ ଏ ପର୍ଯ୍ୟନ୍ତ ଅନୁମତି ପାଇନାହୁଁ।’ ଡାହାଣ: ଏହି ଜମି ସେମାନଙ୍କ ପୁରୁଣା ଘର  ନିକଟରେ ପାହାଡ଼ ଉପରେ ରହିଛି ତେଣୁ ପାଣି ଉଠାଉଥିବା ଗୋଟିଏ ପାଡେଲ ମେସିନ ସେମାନଙ୍କ ପରିବେଶ ଲାଘବ କରୁଛି

କାକା କୁହନ୍ତି, ‘‘ଆମେ ଗୋଟିଏ ଜେସିବି [ମେସିନ ଦୁଇଘଣ୍ଟା ଚାଲିବା ପାଇଁ ଟ. ୧୮୦୦ରେ] ଭଡ଼ା ଆଣି ବଡ଼ ନାଳ ଖୋଳିବାକୁ ଚାହୁଁ। କିନ୍ତୁ ଜଙ୍ଗଲ ବିଭାଗ ଏଥିପାଇଁ ଅନୁମତି ଦେଉନାହିଁ। ସେମାନେ କୁହନ୍ତି, ଏହି ଜମି କେବଳ ଚାଷ ପାଇଁ ବ୍ୟବହାର ହୋଇପାରିବ, କୂଅ ଖୋଳିବା ପାଇଁ କିମ୍ବା ଘର ତିଆରି ପାଇଁ ନୁହେଁ। ଆମେ ଦୁଇଥର ସ୍ଥାନୀୟ ଜଙ୍ଗଲ ବିଭାଗ କାର୍ଯ୍ୟାଳୟକୁ ଯାଇଛୁ ଏବଂ ମୁଖ୍ୟ ଅଧିକାରୀଙ୍କୁ ଭେଟିପାରିଲୁ ନାହିଁ। ଆମେ ଆଉ ଜଣେ ଅଧିକାରୀକୁ ଭେଟିଲୁ, ଯିଏ ଆମକୁ ହାତରେ ଖୋଳିବା ଜାରି ରଖିବାକୁ କହିଲେ। ଏହା ଦୀର୍ଘ ସମୟ ନେବ। ଆମକୁ ଜମିର ଅନ୍ୟ କାମ ମଧ୍ୟ କରିବାକୁ ହେବ।

ସେ ଏବଂ କାକୀ ପ୍ଲାଷ୍ଟିକ ବସ୍ତାରେ ମାଟି ଭର୍ତ୍ତି କରି ଗୋଟିଏ ବନ୍ଧ ତିଆରି କରି ଜଳର ପ୍ରବାହକୁ ଅଟକାଇବାକୁ ଚେଷ୍ଟା କରିଛନ୍ତି। କାକା କୁହନ୍ତି, ଯେତେବେଳେ ଅକ୍ଟୋବର ମାସରେ ଆମେ ଝରଣାରେ ଏହା ତିଆରି କଲୁ। ସେତେବେଳେ ଆମେ ଭାବିଲୁ ପାଣି ଅଧିକ ଦିନ ରହିବ। କିନ୍ତୁ ଦେଖ ଏହା ବର୍ତ୍ତମାନ ପ୍ରାୟ ଶେଷ ହୋଇଗଲାଣି। ପୂର୍ବେ-କାକା-କାକୀ ପାହାଡ଼ ଗଡ଼ାଣିରେ ଥିବା ସେମାନଙ୍କ ଜମିକୁ ବିଭିନ୍ନ ପାତ୍ରରେ ପାଣି ବୋହୁଥିଲେ; କେଇମାସ ତଳେ ଗୋଟିଏ ସ୍ଥାନୀୟ ଏନ୍‌ଜିଓ ସେମାନଙ୍କୁ ଗୋଟିଏ ପାଦରେ ପ୍ୟାଡେଲ ଦ୍ୱାରା ପରିଚାଳିତ ଏକ ମେସିନ ଦେଇଥିଲେ ଯାହା ପାହାଡ଼ ଉପରକୁ ପାଣି ଉଠାଉଛି। ଏହା ସେମାନଙ୍କର ପରିମାଣ କିଛି ପରିମାଣରେ ସହଜ କରିଛି। କିନ୍ତୁ ପାଣି ଏ ପର୍ଯ୍ୟନ୍ତ  ନିଅଣ୍ଟ ଅଛି।

କାକା କହିବା ଜାରି ରଖିଲେ, ‘‘ଆମେ ଏ ପର୍ଯ୍ୟନ୍ତ ଏହି ଜମିରେ ଘର ତିଆରି କରିବା ପାଇଁ ଅନୁମତି ପାଇନାହୁଁ। ଖୁବ୍‌ଶୀଘ୍ର ଆମ ଗାଁ ଦେଇ ଗୋଟିଏ ରାଜପଥ  [ମୁମ୍ବାଇ, ବଦୋଦରା ଏକ୍ସପ୍ରେସ ହାଇଓ୍ୱେ] ଗୋଟିଏ ରାଜପଥ ଯିବ। ଏବଂ ଆମ ଘର ଭଙ୍ଗା ଯିବ। [୨୦୧୮ରେ ପଡ଼ାର ସମସ୍ତ ପରିବାରକୁ ଖାଲି କରିବା ନୋଟିସ ପଠାଯାଇଛି।]। ଆମେ ସ୍ଥାନାନ୍ତରିତ ହେବୁ। କିନ୍ତୁ ଆମେ ଜାଣୁନି କେଉଁଠିକୁ। ଆମର ଯାହା ଅଛି ଏଠାରେ ଅଛି। ତେଣୁ ମୁଁ ଏଠାରେ ମୋ ଘର ପୁନଃନିର୍ମାଣ କରିବାକୁ ଚାହେଁ। ମୁଁ ଅଧିକାରୀଙ୍କୁ ଅନୁରୋଧ କଲି କିନ୍ତୁ ସେ ମନା କରିଦେଲେ। ସେ କହିଲେ ରହିବା ପାଇଁ କୁଡ଼ିଆଟିଏ ତିଆରି କର।

କାକା ଏବଂ କାକୀ ଚାଷ ପାଇଁ ଏକ ନିରନ୍ତର ଜଳସ୍ରୋତ ଆବଶ୍ୟକ କରନ୍ତି। ଯଦି ସେମାନେ ପାଣି ପାଇବେ ଏବଂ ନିଅଣ୍ଟ କମ୍‌ ହେବ, ସେମାନଙ୍କୁ ଆଉଥରେ ବାହାରକୁ ଯିବା ପାଇଁ ବାଧ୍ୟ ହେବାକୁ ପଡ଼ିବ ନାହିଁ।

ଭିଡ଼ିଓ ଦେଖନ୍ତୁ: ‘ଆମେ କେମିତି ବଞ୍ଚିବୁ’

ଯଦିଓ କାକା୨୦୧୧ରେ ଜଙ୍ଗଲ ଅଧିକାର ଆଇନ, ଅଧୀନରେ ଗୋଟିଏ ଏକର ଜମିର ପଟ୍ଟା ପାଇଲେ, ସେ ଏବଂ ତାଙ୍କ ପରିବାର ଏହି ଆଇନରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଜଙ୍ଗଲ ଜମିରେ ବାସ କରିବାର ଅଧିକାରରୁ ବଞ୍ଚିତ ହୋଇଛନ୍ତି ଏବଂ ସେ ଓ କାକୀ ଚାଷ କରିବା ପାଇଁ ଏକ ନିରନ୍ତର ଜଳସ୍ରୋତ ଆବଶ୍ୟକ କରନ୍ତି। ଯଦି ସେମାନେ ତାହା ପାଇପାରିବେ, ଯଦି ଜଳାଭାବ ବଢ଼ିବ ନାହିଁ, ସେମାନେ ଆଉ ଥରେ ବାହାରକୁ ଯିବାକୁ ବାଧ୍ୟ ହେବେ ନାହିଁ।

କାମରେ ବ୍ୟସ୍ତ ଥିବା ସମୟରେ କାକା ମୋତେ ଆମ ଗାଁ’ ନିକଟରେ ଇଟାଭାଟିଗୁଡ଼ିକରେ ସେ ଅନେକ ବର୍ଷ କରିଥିବା ପରିଶ୍ରମ ବିଷୟରେ କହିଥିଲେ। କାକୀ କେବେ ବି ସ୍କୁଲ ଯାଇନଥିଲେ। ତାଙ୍କ ଶିକ୍ଷା ଶୂନ୍ୟ ଥିଲା। କାକା ଦଶମ ଶ୍ରେଣୀ ଅତିକ୍ରମ କରିପାରିନଥିଲେ। ଏହା ଏଥିପାଇଁ ହୋଇଥିଲା ଯେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କାକାଙ୍କୁ ଗୋଟିଏ ବଳଦ ବିନ୍ଧି ଦେଇଥିଲା। ସେ ଅନେକ ଦିନ ପର୍ଯ୍ୟନ୍ତ ବିଛଣାରେ ପଡ଼ିରହିଲେ ସେ ବସିପାରୁନଥିଲେ କିମ୍ବା ନିଜ ପାଦରେ ଛିଡ଼ା ହୋଇପାରିନଥଲେ। ତେଣୁ ସେ ବୋର୍ଡ ପରୀକ୍ଷା ଦେଇପାରିନଥିଲେ। ଶିକ୍ଷା ପାଇବା ପାଇଁ ତାଙ୍କର ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା।

କିଛି ଦିନ ପରେ କାକା ୨୨ ବର୍ଷ ବୟସରେ ବିବାହ କଲେ – କାକୀଙ୍କୁ ୧୯ ବର୍ଷ ହୋଇଥିଲା ଏବଂ ସେ ବାସାଇ ତାଲୁକାର ଥାଲ୍ୟାଚାପଡ଼ାରୁ ଆସିଥିଲେ – ସେମାନଙ୍କର ପ୍ରଥମ ସନ୍ତାନ, ଅର୍ଚ୍ଚନା, ଖୁବ୍‌ ଅସୁସ୍ଥ ହୋଇ ପଡ଼ିଲା । ସେମାନେ ଜାଣନ୍ତି ନାହିଁ ରୋଗ କ’ଣ ଥିଲା ଏବଂ ସବୁ ପ୍ରକାର ଔଷଧ ଚେଷ୍ଟା କରିଥିଲେ , କିନ୍ତୁ କିଛି କାମ କଲାନି । ଶେଷରେ ସେମାନେ ଜଣେ ଭଗତ(ଜଣେ ସ୍ଥାନୀୟ ଗୁଣିଆ)ଙ୍କ ପରାମର୍ଶ ନେଲେ । ସେମାନେ ମୋତେ କହିଲେ ଯେ ସେ ହିଁ ଭଲ କରିଦେଇ ପାରିଲା । ଭଗତ ତାଙ୍କୁ ଗୋଟିଏ ଛେଳି ବଳି ଦେବାକୁ କହିଲା । କିନ୍ତୁ ଅର୍ଥ କେଉଁଠି ଅଛି ? କାକା କହିଲେ ସେମାନେ ଏହା ବିଷୟରେ ଦିନ ରାତି ଭାବିଲେ । ଶେଷରେ ସେମାନେ ଜଣେ ସମ୍ପର୍କୀୟଙ୍କୁ କହିଲେ । ସେ ବଳି ପାଇଁ ତାଙ୍କୁ ଟ ୧୨୦୦ ଦେଲେ । ଯେତେବେଳେ ପରିଶୋଧର ସମୟ ଆସିଲା ସେତେବେଳ ସେ ମାଗିବା ଆରମ୍ଭ କଲେ । କାକା-କାକୀ ଭାବିଲେ ଏହି ଋଣ କିପରି ପରିଶୋଧ କରାଯିବ, ସେମାନଙ୍କ ପାଖରେ ସେଥିପାଇଁ ଅର୍ଥ ନଥିଲା । ସେତେବେଳେ ହିଁ ସେମାନେ ଇଟା ଭାଟି ମାଲିକଙ୍କଠାରୁ ଏକ ଅଗ୍ରୀମ ନେଲେ, ସମ୍ପର୍କୀୟ ଜଣଙ୍କୁ ପରିଶୋଧ କଲେ ଏବଂ ଇଟାଭାଟିଗୁଡ଼ିକୁ ଗଲେ ।

Top row: The stream that flows by their land has a trench at one end to store water. It is created by a bund made from sacks. Bottom row: Methi and palak are some of the vegetables that the Pared family cultivates
PHOTO • Mamata Pared

ଉପର ଧାଡ଼ି: ସେମାନଙ୍କ ଜମି ଦେଇ ବହି ଯାଉଥିବା ଝରଣାର ଗୋଟିଏ ମୁଣ୍ଡରେ ପାଣି ସଂରକ୍ଷଣ କରିବା ପାଇଁ ଏକ କୁଣ୍ଡ ଅଛି । ଏହା ଅଖାରେ ତିଆରି ହୋଇଥିବା ବନ୍ଧରେ ତିଆରି । ତଳ ଧାଡ଼ି: ମେଥି ଏବଂ ପାଳଙ୍ଗ ପରେଦ୍‌ ପରିବାର ଚାଷ କରୁଥିବା ପରିବା ମଧ୍ୟରୁ ଅନ୍ୟତମ ।

କାକୀ କୁହନ୍ତି, ‘‘ମୋ ଜୀବନରେ ଏହା ପ୍ରଥମ ଥର ଥିଲା ଯେବେ ମୁଁ ଗୋଟିଏ ଇଟା ଭାଟିକୁ ଯାଇଥିଲି, ଏ ସବୁ ପରିସ୍ଥିତି କାରଣରୁ।’’ ଏହା ୨୦୦୧ ମସିହା ଥିଲା । ‘‘ ଅନେକ ବର୍ଷ ପର୍ଯ୍ୟନ୍ତ ମୁଁ ଇଟା ଭାଟିରେ କାମ କରୁଥିଲି । କିନ୍ତୁ ମୁଁ ଏବେ ତାହା ସହ୍ୟ କରିପାରିବି ନାହିଁ । ମୋ ପିଠିରେ ଯନ୍ତ୍ରଣା ହେଉଛି । ମୋ ତଳ ପିଠି ଖୁବ୍‌ ଯନ୍ତ୍ରଣାଦାୟକ । ମୁଁ ଭାବି ପାରୁନି, ମୁଁ ସେହି କାମ ଆଉ କରିପାରିବି ।’’

କାକା-କାକୀଙ୍କର ତିନୋଟି ସନ୍ତାନ । ବଡ଼ ଝିଅ, ୨୦ ବର୍ଷ ବୟସ୍କା ଅର୍ଚ୍ଚନା ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ଏବଂ ବର୍ତ୍ତମାନ ସିଲେଇ-ଟେଲରିଂ ଶିଖୁଛି । ୧୮ ବର୍ଷ ବୟସ୍କା ଯୋଗିତା ବର୍ତ୍ତମାନ ୧୨ଶ ଶ୍ରେଣୀରେ ଅଛି ଏବଂ ସେମାନଙ୍କର ପୁଅ, ୧୬ ବର୍ଷର ରୋହିତ୍‌ ଏବେ ୧୦ମ ଶ୍ରେଣୀରେ ପଢ଼ୁଛି । ସେ ଦୁହେଁ ଆଶମଶାଲା (ହଷ୍ଟେଲ୍‌)ରେ ରହୁଛନ୍ତି । କାକା ଏବଂ କାକୀ ସେମାନଙ୍କ ଜମିରେ କାମ କରି ପରିବାର ପୋଷନ୍ତି । ସେମାନେ ଖୁବ୍‌ କଷ୍ଟକର ଜୀବନ କଟାଇଛନ୍ତି –ଏବଂ ସେମାନଙ୍କର ପିଲାମାନେ ସେମାନଙ୍କର ଦିନ ସେଭଳି କଟାଇବା ଉଚିତ୍‌ ନୁହେଁ । ଏହା ସେମାନଙ୍କର ସ୍ୱପ୍ନ ।

ଅଧିକ ଶିକ୍ଷା ଅଭାବରେ, କାକା କଠିନ ପରିଶ୍ରମ ବ୍ୟତୀତ ଅନ୍ୟ କିଛି କାମ ପାଉ ନଥିଲେ। ତାଙ୍କର ଅନ୍ୟ କୌଣସି ଦକ୍ଷତା ମଧ୍ୟ ନାହିଁ, ଯାହା ତାଙ୍କୁ ରୋଜଗାର ଦେବ। କେବଳ ଏଫ୍‌ଆର୍‌ଏ ଅଧୀନରେ ସେ ପାଇଥିବା ଜମିଟି ହିଁ ତାଙ୍କ ପରିବାର ପାଖରେ ଅଛି। ନିରନ୍ତର ଜଳ ଯୋଗାଣ ସହ ସେମାନେ ବୋଧହୁଏ ସେମାନଙ୍କର ଜମିକୁ ଉପଯୋଗୀ କରିପାରିଥାନ୍ତେ ଏବଂ ଯଥେଷ୍ଟ କାର୍ଯ୍ୟ ଓ ଆୟ ସହ ଏକ ପରିତୃପ୍ତ ଜୀବନ ଜିଇଁପାରିଥାନ୍ତେ। ଏହା ହିଁ ସେମାନେ ଆଶା କରୁଛନ୍ତି।

ମେଧା କାଲେଙ୍କ ଦ୍ୱାରା ମରାଠୀରୁ ଅନୁବାଦିତ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Mamata Pared

ମମତା ପ୍ୟାରେଡ ହେଉଛନ୍ତି 2018ର ଜଣେ ପରୀ ଶିକ୍ଷା ନବୀସ; ସେ ପୁନେର ଆବାସାହେବ୍ ଗରୱାରେ ମହାବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ସ୍ନାତକୋତ୍ତର ଅଧ୍ୟୟନ କରୁଛନ୍ତି।

Other stories by Mamata Pared