ଉମା ପାଟିଲ୍‌ଙ୍କ ଦୁଇ ବଖୁରିଆ ଘରର ଗୋଟିଏ କୋଣରେ ଥିବା ଗୋଟିଏ ଲୁହା ଆଲମିରାରେ ଗୋଟିଏ ଦଶକର ହାତଲେଖା ରେକର୍ଡ ଅଛି- ବଡ଼ ରେଜିଷ୍ଟରରେ, ନୋଟ୍‌ ବୁକ୍‌ରେ, ଡାଏରୀରେ ଏବଂ ସର୍ଭେ ଫର୍ମଗୁଡ଼ିକର ଫଟୋ କପି ମଧ୍ୟ ରଖାଯାଇଛି। ସବୁଗୁଡ଼ିକ ଗୋଟିକ ପରେ ଗୋଟିଏ ମୋଟା ପଲିଥିନ ବ୍ୟାଗରେ ରଖାଯାଇଛି। ଏହି କ୍ରମାଗତ ବର୍ଦ୍ଧିଷ୍ଣୁ ଥାକରେ ଗ୍ରାମୀଣ ମହାରାଷ୍ଟ୍ରର ସ୍ୱାସ୍ଥ୍ୟର ହିସାବ ଅଧିସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟକର୍ମୀ (ଆଶା)ମାନଙ୍କ ଦ୍ୱାରା ରଖାଯାଇଛି- ଶିଶୁ ଜନ୍ମ, ଟିକାକରଣ, କୈଶୋରାବସ୍ଥା ପୋଷକ ଖାଦ୍ୟ, ଗର୍ଭନିରୋଧ, ଯକ୍ଷ୍ମା ଏବଂ ଆହୁରି ଅନେକ ବିଷୟରେ ରେକର୍ଡ ରଖାଯାଇଛି। ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲାର ମିରାଜ୍‌ ତାଲୁକାର ଅରଗ୍‌ ଗାଁର ଲୋକମାନଙ୍କ ପାଇଁ ଉମା ୨୦୦୯ ମସିହାରୁ ଏହି ମୋଟା ମୋଟା ଖାତା ସାଇତି ରଖିଛନ୍ତି। ସେ ସ୍ୱାସ୍ଥ୍ୟ ପ୍ରସଙ୍ଗ ନେଇ ତାଙ୍କ ଗାଁର ଲୋକମାନଙ୍କୁ ସୂଚିତ କରାଇବା ସହ ମାର୍ଗଦର୍ଶନ ମଧ୍ୟ କରାଇବାକୁ ଚେଷ୍ଟା କରୁଛନ୍ତି।

୪୫ବର୍ଷୀୟ ଉମାଙ୍କ ପରି ସମୁଦାୟ ଗ୍ରାମୀଣ ମହାରାଷ୍ଟ୍ରରେ ୫୫,୦୦୦ ଆଶାକର୍ମୀ ସେମାନଙ୍କ ଗ୍ରାମମାନଙ୍କରେ ମୌଳିକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଇବା ପାଇଁ ପ୍ରତିଦିନ ଦୀର୍ଘ ଘଣ୍ଟା ବ୍ୟୟ କରନ୍ତି। ୨୦୦୫ ମସିହାରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ(ଏନ୍‌ଆର୍‌ଏଚ୍‌ଏମ୍‌)ର ଅଂଶ ଭାବରେ ଏହି କର୍ମବାହିନୀ ସୃଷ୍ଟି କରାଯାଇଥିଲା। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀମାନେ ୨୩ ଦିନର ତାଲିମ ପରେ ନିଯୁକ୍ତି ପାଆନ୍ତି। ଏମାନେ ସମସ୍ତେ ମହିଳା। ଏନ୍‌ଆର୍‌ଏଚ୍‌ଏମ୍‌ର ନୀତି ଅନୁଯାୟୀ ଆଦିବାସୀ ଗ୍ରାମଗୁଡ଼ିକରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଆଶା କର୍ମୀ (ଅତି କମ୍‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା) ଏବଂ ଅଣ ଆଦିବାସୀ ଗ୍ରାମମାନଙ୍କରେ ୧୫୦୦ ଜନସଂଖ୍ୟା ପାଇଁ ଜଣେ ଆଶା କର୍ମୀ (ଅତି କମ୍‌ରେ ୧୦ମ ଶ୍ରେଣୀ ପାସ୍‌ କରିଥିବା) ନିଯୁକ୍ତ ହୁଅନ୍ତି।

ଅରଗ୍‌ ଏକ ବଡ଼ ଗ୍ରାମ, ଜନସଂଖ୍ୟା ପ୍ରାୟ ୧୫,୬୦୦। ଏଠାରେ ଉମାଙ୍କ ସହ ଅନ୍ୟ ୧୫ଜଣ ଆଶା କର୍ମୀ ସକାଳ ୧୦ଟାରୁ ଘୁରି ବୁଲନ୍ତି। ମିରାଜ୍‌ ତାଲୁକାର ବେଦାଗ, ଲିଙ୍ଗନୁର୍‌, ଖତାବ, ସିନ୍ଦେୱାଡ଼ି ଏବଂ ଲକ୍ଷ୍ମୀୱାଡ଼ି ଗ୍ରାମଗୁଡ଼ିକ ପାଇଁ ଅରଗ୍‌ ମୁଖ୍ୟ ପିଏଚ୍‌ସି (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)-ଏଠାରେ ପ୍ରାୟ ୪୭୦୦୦ ଜନସଂଖ୍ୟା ପାଇଁ ୪୧ଜଣ ଆଶାକର୍ମୀ ଅଛନ୍ତି। ପ୍ରତ୍ୟେକ ଆଶା କର୍ମୀ ସମୟ ମଧ୍ୟରେ ସେମାନଙ୍କୁ ଆବଣ୍ଟିତ ହୋଇଥିବା ସମସ୍ତ ଘରକୁ ଯାଆନ୍ତି। ସେମାନଙ୍କ କର୍ମନିର୍ଘଣ୍ଟ ଦିନକୁ ୫ଘଣ୍ଟା ହୋଇଥିଲେ ବି ସେମାନେ ଏହାଠାରୁ ଅଧିକ ସମୟ କାମ କରନ୍ତି। ଉମା କୁହନ୍ତି, ‘‘ଯଦି ଘରଗୁଡ଼ିକ ଗାଁ ଭିତରେ ହୋଇଥାଏ, ତେବେ ୨ଘଣ୍ଟାରେ ୧୦-୧୫ଟି ଘରକୁ ଯାଇହୁଏ। କିନ୍ତୁ କେତେଜଣ ଗାଁ ବାହାରେ କିମ୍ବା ଚାଷ ଜମିରେ ରୁହନ୍ତି, ତେଣୁ ଏହା ବେଳେବେଳେ ୪ଟି ଘରକୁ ଯିବା ପାଇଁ ୫ଘଣ୍ଟାରୁ ଅଧିକ ସମୟ ନେଇଯାଏ ଏବଂ ଆମକୁ କେଇ କିଲୋମିଟର ପର୍ଯ୍ୟନ୍ତ କାଦୁଅ ରାସ୍ତା, ଗଛ ବୁଦା ଏବଂ ଜମି ଦେଇ ଚାଲିକରି ଯିବାକୁ ହୁଏ। ମୌସୁମୀ ଋତୁରେ ଏହା ଆହୁରି କଦର୍ଯ୍ୟ ହୋଇଯାଏ।
Uma handling her record books
PHOTO • Jyoti Shinoli
Uma filling in her record books
PHOTO • Jyoti Shinoli

କାଗଜ କାମ ଜଣେ ଆଶା କର୍ମୀର ଦାୟିତ୍ୱର ଏକ ଅଂଶ ଏବଂ ଏପରିକି ସେମାନେ ଷ୍ଟେସନାରୀ ଏବଂ ଫଟୋ କପିର ଖର୍ଚ୍ଚ ସେମାନେ ବହନ କରନ୍ତି ବୋଲି ଅରଗ ଗାଁର ଉମା ପାଟିଲ୍‌ କୁହନ୍ତି। 

ଗୋଟିଏ ଘରକୁ ଗସ୍ତ କରିବା ମଧ୍ୟରେ ରହିଛି- ସେମାନଙ୍କ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପରିବାର ସହ ଆଲୋଚନା କରିବା, ଛୋଟ ଛୋଟ ସମସ୍ୟା ଯଥା କାଶ ଏବଂ ଜ୍ୱର ପାଇଁ ଔଷଧ ଦେବା, ଗର୍ଭବତୀ ମହିଳାମାନଙ୍କୁ ସେମାନଙ୍କ ପ୍ରସବ, ସ୍ତନ୍ୟପାନ ପାଇଁ ପ୍ରସ୍ତୁତ କରିବା, ନବଜାତକ (ବିଶେଷକରି କମ୍‌ ଓଜନ ଏବଂ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କୁ) ନିରୀକ୍ଷଣ କରିବା, ଝାଡ଼ାବାନ୍ତି, ରଙ୍ଗହୀନତା, ଅପପୁଷ୍ଟିର ଶିକାର ପିଲାମାନଙ୍କୁ ଚିହ୍ନଟ କରିବା, ପିଲାମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରିବା, ଯକ୍ଷ୍ମା ଏବଂ ମ୍ୟାଲେରିଆ ପରି ରୋଗ ପ୍ରତିଷେଧକ ଏବଂ ନିବାରଣ ପାଇଁ ଉଦ୍ୟମ କରିବା।

 

ଏହା ସେମାନଙ୍କ ଦାୟିତ୍ୱର ମୋଟାମୋଟି ତାଲିକା। ଉମା କୁହନ୍ତି, ‘‘ଆମେ ସୁନିଶ୍ଚିତ କରୁ ଯେ କୌଣସି ଗୋଟିଏ ଘର ବି କୌଣସି (ସ୍ୱାସ୍ଥ୍ୟ) ସର୍ବେକ୍ଷଣ କିମ୍ବା ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ନରହୁ। ଏପରିକି କୌଣସି ଋତୁକାଳୀନ ପ୍ରବାସୀ କିମ୍ବା ସେମାନଙ୍କ ପରିବାର ମଧ୍ୟ।’’ ସେ ତାଙ୍କ ସ୍ୱାମୀ ଅଶୋକଙ୍କ ସହ ସେମାନଙ୍କ ଏକ ଏକର ଚାଷ ଜମିରେ ମକା ଚାଷ କରନ୍ତି।

ପ୍ରତିବଦଳରେ ଜଣେ ଆଶା କର୍ମୀଙ୍କର ମାସିକ ଆୟ- ସରକାରଙ୍କ ଦ୍ୱାରା ଭତ୍ତା ବା ପାରିଶ୍ରମିକ କୁହାଯାଉଥିବା – ମହାରାଷ୍ଟ୍ରରେ ସେମାନଙ୍କ କାର୍ଯ୍ୟ ଉପରେ ନିର୍ଭର କରି ମାତ୍ର ୨୦୦୦ରୁ ୩୦୦୦ ଟଙ୍କା। ଉଦାହରଣ ସ୍ୱରୂପ କଣ୍ଡୋମ କିମ୍ବା ଓରାଲ୍‌ ପିଲ୍‌ର ପ୍ରତ୍ୟେକ ପ୍ୟାକେଟ ବଣ୍ଟନ ପାଇଁ ୧ଟଙ୍କା ଲେଖାଏଁ, ସେ ସୁନିଶ୍ଚିତ କରାଉଥିବା ପ୍ରତ୍ୟେକ ଆନୁଷ୍ଠାନିକ ପ୍ରସବ ପାଇଁ ୩୦୦ ଟଙ୍କା ଲେଖାଏଁ ଏବଂ ନବଜାତକଙ୍କ ଯାଞ୍ଚ ପାଇଁ ଗସ୍ତ କରୁଥିବା ୪୨ଟି ଗୃହ ପାଇଁ ୨୫୦ଟଙ୍କା ଲେଖାଏଁ।
Paper works
PHOTO • Jyoti Shinoli
Paper Work
PHOTO • Jyoti Shinoli
Paper Work
PHOTO • Jyoti Shinoli

ଏହି କାଗଜ କାମ ଅସୀମ ଏବଂ ବିଶାଳ: ଏଗୁଡ଼ିକ ଆଶାମାନଙ୍କ ଦ୍ୱାରା ଶୃଙ୍ଖଳିତ ଭାବରେ ପରିଚାଳନା ହେଉଥିବା ବିଭିନ୍ନ ନୋଟ୍‌ ବୁକ୍‌, ରେଜିଷ୍ଟର ଏବଂ ସର୍ଭେ ଫର୍ମ

କ୍ରମାଗତ ଭାବରେ ବଢ଼ିଚାଲିଥିବା ଏସବୁ ନୋଟ୍‌ ବୁକ୍‌ ସହ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସେମାନଙ୍କର ଗସ୍ତ, ନିରୀକ୍ଷଣ ଏବଂ ସର୍ବେକ୍ଷଣର ତଥ୍ୟ ମଧ୍ୟ ରଖିବାକୁ ହୋଇଥାଏ। ଉମା କୁହନ୍ତି, ‘‘ମୁଁ ମାସକୁ ୨୦୦୦ ଟଙ୍କା ରୋଜଗାର କରେ। ପ୍ରାୟ ୮୦୦ ଟଙ୍କା ଖାତା, ଜେରକ୍ସ, ଯିବା ଆସିବା ଏବଂ ମୋବାଇଲ୍‌ ରିଚାର୍ଜରେ ଖର୍ଚ୍ଚ କରେ। ଆମକୁ ପ୍ରତ୍ୟେକ ଅରିଜିନାଲ୍‌ ଫର୍ମର ଦୁଇଟି ଫଟୋ କପି କରିବାକୁ ହୁଏ। ଆମେ ଗୋଟିଏ ଫାସିଲିଟେଟର୍‌ଙ୍କ ପାଖରେ ଜମା କରୁ ଏବଂ ଅନ୍ୟଟି ଆମ ପାଖରେ ରଖୁ। ପ୍ରତ୍ୟେକ ଫର୍ମର ଉଭୟ ପାର୍ଶ୍ୱ ଫଟୋ କପି କରିବା ପାଇଁ ଦୁଇଟଙ୍କା ଲାଗେ।

ଏସବୁ ଫର୍ମଗୁଡ଼ିକ ମଧ୍ୟ ବିବିଧ ପ୍ରକାରର- ଗୃହ ଆଧାରିତ ନବଜାତକ ଯତ୍ନ ଫର୍ମ, ଗର୍ଭବତୀ ମହିଳାମାନଙ୍କ ପାଇଁ ଜନନୀ ସୁରକ୍ଷା ଯୋଜନା ଫର୍ମ, ଶୌଚାଳୟ ଏବଂ ପାନୀୟଜଳ ଉତ୍ସ ପାଇଁ ପରିବାର ସର୍ବେକ୍ଷଣ, କୁଷ୍ଠରୋଗ ସମ୍ପର୍କିତ ତଥ୍ୟ- ଏମିତି ଆହୁରି ଅନେକ ଏବଂ ଏହାପରେ ଗ୍ରାମ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ଦିବସ ସର୍ଭେ, ଯାହା ମଧ୍ୟରେ ଉଲ୍ଲେଖ କରାଯାଏ କେତେଜଣ ଏହି ମାସିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି, ହିମୋଗ୍ଲୋବିନ୍‌ ଯାଞ୍ଚର ସ୍ତର, ଶିଶୁମାନଙ୍କ ଟିକାକରଣ, ଅପପୁଷ୍ଟି- ଏହା ସମୁଦାୟ ୪୦ ପ୍ରକାର ତଥ୍ୟର ବିବରଣୀ ରଖିଥାଏ। ପ୍ରତିମାସ ଶେଷରେ ଉମା ଏବଂ ଅନ୍ୟ ଆଶାମାନଙ୍କ ଦ୍ୱାରା ସଂଗୃହୀତ ହୋଇଥିବା ବିଶାଳ ତଥ୍ୟ ରାଜ୍ୟ ସରକାରଙ୍କ ଏନ୍ଆର୍‌ଏଚ୍‌ଏମ୍‌ ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଏ। ଅରଗ୍‌ ପିଏଚ୍‌ସିର ୨୮ବର୍ଷୀୟା ଫାସିଲିଟେଟର୍ ପ୍ରିୟଙ୍କା ପୂଜାରୀ ଏହି ସାଇଟ୍‌କୁ ଅପ୍‌ଡେଟ୍‌ କରିବାକୁ ଖୁବ୍‌ କଷ୍ଟ କରୁଥିଲେ, ଯେତେବେଳେ ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନୋଟି ୧ମହଲା ଘର ରହିଛି, ଯେଉଁଥିରେ କମ୍ପ୍ୟୁଟର, ଜଣେ ଡାକ୍ତରଙ୍କ କ୍ୟାବିନ୍‌ ଏବଂ ଆଗନ୍ତୁକମାନଙ୍କ ପାଇଁ ବସିବା ସ୍ଥାନ, ରକ୍ତ ପରୀକ୍ଷା ପାଇଁ ଏକ ଲାବୋରେଟୋରୀ ଏବଂ ଔଷଧ ପାଇଁ ଏକ ଭଣ୍ଡାର ଘର ରହିଛି। ସାଧାରଣତଃ ଜଣେ ‘ଫାସିଲିଟେଟର’ ୧୦ଜଣ ଆଶାଙ୍କ କାମ ତଦାରଖ କରନ୍ତି ଏବଂ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପିଏଚ୍‌ସିରେ କାମ କରନ୍ତି। ଏହି ପିଏଚ୍‌ସିର ଜଣେ ନର୍ସ, ଜଣେ ଡାକ୍ତର ଏବଂ ଡାକ୍ତରୀ ଟେକ୍ନିସିଆନ୍‌ (ଅତି କମ୍‌ରେ କାଗଜକଲମରେ) ଅଛନ୍ତି। 
Priyanka Pujari filling the data on ASHA website
PHOTO • Jyoti Shinoli
Reviewing some paper works
PHOTO • Jyoti Shinoli

ପିଏଚ୍‌ସିରେ ରେକର୍ଡଗୁଡ଼ିକ ଅରଗରେ ପ୍ରିୟଙ୍କା ପୂଜାରୀ (ବାମ) ଏବଂ ଅନ୍ୟ ଫାସିଲିଟେଟରଙ୍କ ଦ୍ୱାରା ଅନ୍‌ଲାଇନ୍‌ ଅପଲୋଡ୍‌ ହୁଏ। ଆଶାମାନଙ୍କୁ ତଦାରଖ କରିବା ଏବଂ ସଭାର ଆୟୋଜନ କରିବା ମଧ୍ୟ ଏମାନଙ୍କର ଦାୟିତ୍ୱ। 

ପ୍ରିୟଙ୍କା କୁହନ୍ତି, ‘‘ଆଶା ସାଇଟ୍‌ ଏପ୍ରିଲ୍‌ ମାସରୁ ବନ୍ଦ ଥିଲା। ମୁଁ ନଭେମ୍ବରରୁ ପୁଣି ଆରମ୍ଭ କଲି। ଚଳିତ ମାସର ତଥ୍ୟ ସହ ପୁରୁଣା ମାସଗୁଡ଼ିକର ତଥ୍ୟ ମଧ୍ୟ ମୁଁ ଅପ୍‌ଲୋଡ୍‌ କରୁଛି। ସାଧାରଣତଃ ବିଦ୍ୟୁତ୍‌କାଟ  ଏବଂ ଦୁର୍ବଳ ଇଣ୍ଟରନେଟ୍‌ ସଂଯୋଗ ଯୋଗୁ କାମ ବନ୍ଦ ହୋଇଯାଏ। ପ୍ରିୟଙ୍କା ବିଏ ପାସ୍‌ କରିବା ପରେ ଏଜୁକେସନରେ ଡିପ୍ଲୋମା କରି ଗତ ତିନିବର୍ଷ ହେବ ଫାସିଲିଟେଟର ଭାବେ କାମ କରୁଛନ୍ତି। ସେ ୭କିଲୋମିଟର ଦୂରରେ ଥିବା ନିଜ ଗାଁ ଲିଙ୍ଗନୁରରୁ ସ୍କୁଟିରେ କିମ୍ବା ରାଜ୍ୟ ପରିବହନ ବସ୍‌ରେ ପିଏଚ୍‌ସିକୁ ଆସନ୍ତି। ତାଙ୍କର ଭୂମିକା ମଧ୍ୟରେ ରହିଛି ଆଶାମାନଙ୍କର କାମ ତଦାରଖ କରିବା, ମାସିକ ସଭା ଆୟୋଜନ କରିବା ଏବଂ ପିଏଚ୍‌ସିକୁ ଆସୁଥିବା ଲୋକମାନଙ୍କ ସହ ଯୋଗାଯୋଗ ରକ୍ଷା କରିବା।

ପ୍ରିୟଙ୍କା ମାସକୁ ୭୩୭୫ ଟଙ୍କା ରୋଜଗାର କରନ୍ତି- କିନ୍ତୁ ଯଦି ସେ ନବଜାତକ ଏବଂ ଜନ୍ମ ପରବର୍ତ୍ତୀ ଯାଞ୍ଚ ପାଇଁ ଅତିକମ୍‌ରେ ୨୦ଟି ଘର ଗସ୍ତ କରିଥାଆନ୍ତି ଏବଂ ଆଶା ସାଇଟ୍‌ ଅପ୍‌ଡେଟ୍‌ କରିବାରେ ୫ଦିନ ବିତାଇଥାନ୍ତି। ସେ କୁହନ୍ତି, ‘‘ଯଦି ଆମେ ମାସରେ ୨୫ଦିନ ପୂରଣ କରିବାରେ ଅସଫଳ ହେଉ, ତା’ହେଲେ ଆମ ଦେୟ କଟାଯାଏ। ଉଭୟ ଆଶା ଓ ଫାସିଲିଟେଟରମାନଙ୍କୁ ପାରିଶ୍ରମିକ ପାଇବା ପାଇଁ ସେମାନଙ୍କର କାମ ବ୍ଲକ୍‌ କମ୍ୟୁନିଟି ମୋବିଲାଇଜର୍‌ (ଏହି ସୂଚୀର ଉଚ୍ଚରେ ସ୍ୱାସ୍ଥ୍ୟ ଅଧିକାରୀ)ମାନଙ୍କ ନିକଟରେ ଉପସ୍ଥାପନ କରିବାକୁ ହୁଏ।’’

ପିଏଚ୍‌ସିରେ ମାସିକ ବୈଠକ ସମୟରେ ପ୍ରିୟଙ୍କା ମଧ୍ୟ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସାମୂହିକ ଚିନ୍ତା ସମ୍ପର୍କରେ ସ୍ୱର ଉତ୍ତୋଳନ କରିଥିଲେ। ସେ କୁହନ୍ତି, ‘‘କିନ୍ତୁ କିଛି ହେଲାନି। ନିକଟରେ ଆମେ ମାତ୍ର ଏହି ୫୦ପୃଷ୍ଠା ଲେଖାଏଁ ଥିବା ୫ଟି ଖାଦ୍ୟ, ୧୦ଟି ପେନ୍‌, ଗୋଟିଏ ପେନ୍‌ସିଲ୍‌, ଗୋଟିଏ ୫ମିଲି ଅଠା ବୋତଲ ଏବଂ ଗୋଟିଏ ରୁଲର୍‌ ଷ୍ଟେସନାରୀ କିଟ୍‌ରେ ପାଇଲୁ। କିନ୍ତୁ ଏଗୁଡ଼ିକ କେତେଦିନ ଯିବ?’’

ଡାକ୍ତରୀ ଯୋଗାଣରେ ଅଭାବ ମଧ୍ୟ ଅନ୍ୟ ଏକ ନିୟମିତ ସମସ୍ୟା। ୪୨ବର୍ଷ ବୟସ୍କା ଛାୟା ଚଭନ କୁହନ୍ତି, ‘‘ତିନିମାସ ତଳେ ଆମକୁ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକାର ବାକ୍ସ ଦିଆଯାଇଥିଲା। ଯଦି ରାତିରେ କେହି ଆମ ପାଖକୁ ଜ୍ୱର, ମୁଣ୍ଡବିନ୍ଧା ଏବଂ ଅଣ୍ଟାବିନ୍ଧା ପାଇଁ ଆସନ୍ତି ତେବେ ଆମ ପାଖରେ ତାହା ନାହିଁ।’’ ସେ ମାସକୁ ପାରିଶ୍ରମିକ ଭାବରେ ହାରାହାରି ୨୦୦୦ ଟଙ୍କା ପାଆନ୍ତି। ତାଙ୍କ ସ୍ୱାମୀ ରାମଦାସ ଏକ ନିକଟସ୍ଥ ଚିନି କଳରେ ଗାର୍ଡ ଭାବରେ କାମ କରି ମାସକୁ ୭୦୦୦ ଟଙ୍କା ରୋଜଗାର କରନ୍ତି। 
Shirmabai Kore sitting on her bed
PHOTO • Jyoti Shinoli
Chandrakant Naik with his daughter
PHOTO • Jyoti Shinoli

ଯଦିଓ ସରକାର ଆଶା କର୍ମୀମାନଙ୍କୁ ଅଣଦେଖା କରନ୍ତି, ଶୀର୍ମାବାଈ କୋରେ (ବାମ) ଏବଂ ଚନ୍ଦ୍ରକାନ୍ତ ନାୟକ (ଡାହାଣ)ଙ୍କ ପରି ଅନେକ ଗ୍ରାମବାସୀ ସେମାନଙ୍କ ଉଦ୍ୟମକୁ ଚିହ୍ନନ୍ତି। 

ଏମାନେ ହେଉଛନ୍ତି କ୍ଷେତ୍ର କର୍ମୀ, ଯେଉଁମାନଙ୍କ ଉପରେ ଗ୍ରାମୀଣ ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା ନିର୍ଭର କରେ। ଦେଶର ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ପାଇଁ ସେମାନେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରନ୍ତି। ଉଦାହରଣ ସ୍ୱରୂପ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ର ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ଶିଶୁ ମୃତ୍ୟୁହାର ୨୦୧୫-୧୬ରେ ୨୪କୁ ଖସିଆସିଛି, ୨୦୦୫-୦୬ରେ ପ୍ରତି ୧୦୦୦ ଜନ୍ମରେ ଏହି ସଂଖ୍ୟା ଥିଲା ୩୮ ଏବଂ ଆନୁଷ୍ଠାନିକ ପ୍ରସବ ହାର ୨୧୦୫-୧୬ରେ ୯୦.୩ ପ୍ରତିଶତକୁ ହ୍ରାସ ପାଇଛି ଯାହା ୨୦୦୫-୦୬ରେ ୬୪.୬ ପ୍ରତିଶତ ଥିଲା।

ମୁମ୍ବାଇର ଲୋକମାନ୍ୟ ତିଲକ ମ୍ୟୁନିସିପାଲିଟି ସାଧାରଣ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିରଞ୍ଜନ ଚଭନ କୁହନ୍ତି, ‘‘ଆଶାକର୍ମୀମାନେ ଜନସମୂହ ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ଏକ ସଂଯୋଗକାରୀ ସେତୁ ଭାବରେ କାମ କରନ୍ତି। ମା’ ଏବଂ ନବଜାତ ଶିଶୁର ସ୍ୱାସ୍ଥ୍ୟର ଉନ୍ନତିରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ନିୟମିତ ଗୃହ ଗସ୍ତ ଏବଂ ଲୋମମାନଙ୍କ ଅସୁସ୍ଥତା ସମ୍ପର୍କରେ ନିୟମିତ ଯୋଗାଯୋଗ ଏକ ପ୍ରତିଷେଧକ ବ୍ୟବସ୍ଥା ଭାବରେ କାର୍ଯ୍ୟ କରେ।’’

ଅଧିକାଂଶ ସମୟରେ ଆଶାକର୍ମୀମାନେ ହିଁ ଯେ କୌଣସି ସ୍ୱାସ୍ଥ୍ୟ ସମ୍ପର୍କିତ ପରିସ୍ଥିତର ପ୍ରଥମ ଯୋଦ୍ଧା। ଉମା କୁହନ୍ତି, ‘‘ଛଅ ମାସ ତଳେ ଲକ୍ଷ୍ମୀୱାଡ଼ି [ତିନି କିଲୋମିଟର ଦୂରରେ ଥିବା] ଜଣେ ବ୍ୟକ୍ତି ସ୍ୱାଇନ୍‌ ଫ୍ଲୁ ଥିବା ଚିହ୍ନଟ ହୋଇଥିଲା। ସେହି ଗ୍ରାମର ଆଶା କର୍ମୀ ତୁରନ୍ତ ଅରଗ୍‌ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ପଠାଇଲେ। ଡାକ୍ତର ଏବଂ ସୁପରଭାଇଜରଙ୍କ ଏକ ଟିମ୍‌ ସେଠାରେ ପହଞ୍ଚି ଗୋଟିଏ ଦିନରେ ଗାଁର ସମୁଦାୟ ୩୧୮ଟି ଯାକ ଘର ସର୍ଭେ କଲେ। ସାଦୃଶ ଲକ୍ଷଣ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ରକ୍ତ ନମୁନା ନେଲେ। ସେଠାରେ ଆଉ ଗୋଟିଏ ବି ସ୍ୱାଇନ୍‌ ଫ୍ଲୁ ଘଟଣା ଘଟିନଥିଲା।’’

ଗ୍ରାମବାସୀମାନେ ମଧ୍ୟ  ଆଶାକର୍ମୀମାନଙ୍କ ଦ୍ୱାରା ଯେଉଁ ପରିବର୍ତ୍ତନ ହୋଇଛି ତାହା ସ୍ୱୀକାର କରୁଛନ୍ତି। ଶିର୍ମାବାଈ କୋରେ ନାମକ ଜଣେ ବୟସ୍କ ମହିଳା କୁହନ୍ତି, ‘‘ଦୁଇବର୍ଷ ପୂର୍ବ ପର୍ଯ୍ୟନ୍ତ କେବେ ମୁଁ ଡାକ୍ତରଖାନା ଦେଖିନଥିଲି। କିନ୍ତୁ ଉମା ଆମକୁ ରାସ୍ତା ଦେଖାଇଲା। ମୋତିଆବିନ୍ଦୁ ଅସ୍ତ୍ରୋପଚାର କଲି। ସେ ମଧ୍ୟ ମୋ ବୋହୂ ଶାନ୍ତାବାଈକୁ ଦୁଇବର୍ଷ ପର୍ଯ୍ୟନ୍ତ [୨୦୧୧-୧୨ରେ] ଦେଖାଶୁଣା କରୁଥିଲା। ଯେତେବେଳେ ସେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲା। ଏହି ଯୁବ ମହିଳାମାନେ [ଆଶାମାନେ] ମୋ ଭଳି ବୟସ୍କ ଲୋକ, ଯୁବପିଢ଼ି ଏବଂ ଛୋଟ ପିଲାଙ୍କର ସ୍ୱାସ୍ଥ୍ୟ ସୁନିଶ୍ଚିତ କରାଉଛନ୍ତି। ମୋ ସମୟରେ ଏମିତି ନଥିଲା। ସେତେବେଳେ ଆମକୁ କିଏ ରାସ୍ତା ଦେଖାଉଥିଲା?’’

Yashodha (left), and her daughter, with Chandrakala
PHOTO • Jyoti Shinoli
Chandrakala checking a baby at primary health centre
PHOTO • Jyoti Shinoli
Chandrakala Gangurde
PHOTO • Jyoti Shinoli

ନାସିକ୍‌ ଜିଲ୍ଲାର ଚନ୍ଦ୍ରକଳା ଗାଙ୍ଗୁର୍ଦ୍ଦେ ଯଶୋଦାଙ୍କ (ବାମ) ସନ୍ତାନ ପ୍ରସବରେ ସାହାଯ୍ୟ କରିଥିଲେ। ଜଣେ ଆଶାକର୍ମୀ ଭାବରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ମଝିରେ)ରେ ନୂଆ ମାମାନଙ୍କର ତଦାରଖ କରିବା ମଧ୍ୟ ତାଙ୍କର ଅନେକ ଦାୟିତ୍ୱ ମଧ୍ୟରୁ ଅନ୍ୟତମ। କିନ୍ତୁ ସେ (ଡାହାଣ) କାନ୍ଦକାନ୍ଦ ହୋଇ କୁହନ୍ତି, ତାଙ୍କ ନିଜ ଜୀବନ ଗୋଟିଏ ସଂଗ୍ରାମ ହୋଇ ରହିଯାଇଛି। 

ଅରଗ୍‌ର ୪୦ବର୍ଷ ବୟସ୍କ ଚନ୍ଦ୍ରକାନ୍ତ ନାୟକ ସେମିତି ସମାନ ଏକ ଅନୁଭବର କଥା କୁହନ୍ତି, ‘‘ତିନିବର୍ଷ ତଳେ ଯେତେବେଳେ ମୋ ୪ବର୍ଷିଆ ଝିଆରି ଭୀଷଣ ପେଟ କାମୁଡ଼ିଲା ଏବଂ ବାନ୍ତି ହେଲା, ଆମେ ଜାଣିପାରିଲୁନି କ’ଣ କରିବୁ। ମୁଁ ଉମାଙ୍କ ଘରକୁ ସାହାଯ୍ୟ ପାଇଁ ଦୌଡ଼ିଲି। ସେ ଗୋଟିଏ ଆମ୍ବୁଲାନ୍ସ ଡାକିଲେ, ଆମେ ତାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଗଲୁ…’’

ଆଶାକର୍ମୀମାନେ ଏହିପରି ଜରୁରିକାଳୀନ ପରିସ୍ଥିତି ସହ ଅଭ୍ୟସ୍ତ। ସାଧାରଣତଃ ତୁରନ୍ତ ଆବଶ୍ୟକ ହେଉଥିବା ଖର୍ଚ୍ଚ ସେମାନେ ନିଜ ଅର୍ଥରୁ ହିଁ କରିଦିଅନ୍ତି। ନାସିକ୍‌ ଜିଲ୍ଲାର ତ୍ରୈମ୍ବକେଶ୍ୱର ତାଲୁକାର ତଲୁଆଡ଼େ ତ୍ରିମ୍ବକ୍‌ ଗ୍ରାମର ୩୨ବର୍ଷ ବୟସ୍କା ଆଶାକର୍ମୀ ଚନ୍ଦ୍ରକଳା ଗାଙ୍ଗୁର୍ଦ୍ଦେ ୨୦୧୫ ମସିହାର ଏମିତି ଏକ ଘଟଣା ମନେପକାଇ

କୁହନ୍ତି: ‘‘ସେଦିନ ରାତି ପ୍ରାୟ ୮ଟା ବେଳକୁ ଯଶୋଦା ସୌରେଙ୍କର ପ୍ରସବ ବେଦନା ଆରମ୍ଭ ହେଲା। ଆମେ ଗୋଟିଏ ଆମ୍ବୁଲାନ୍ସ ପାଇଁ ପ୍ରାୟ ୪୫ ମିନିଟ୍‌ ଅପେକ୍ଷା କଲୁ। ଏହାପରେ ମୁଁ ପାଖ ବଙ୍ଗଳାର ମାଲିକଙ୍କ ଘରୋଇ ଗାଡ଼ି ଭଡ଼ା ନେଲି। ଆମେ  ତାଙ୍କୁ ନାସିକ୍‌ସ୍ଥିତ ସରକାରୀ ଡାକ୍ତରଖାନା [ପ୍ରାୟ ୨୬ କିଲୋମିଟର ଦୂର]କୁ ନେଇଗଲୁ। ସେଠାରେ ସେ କନ୍ୟା ସନ୍ତାନଟିଏ ଜନ୍ମଦେଲା। ଏବେ ସେ ତିନିବର୍ଷର ହୋଇଗଲାଣି।’’

୨୫ବର୍ଷ ବୟସ୍କା ଯଶୋଦା କୁହନ୍ତି, ‘‘ମୁଁ ଚନ୍ଦ୍ରକଳା ତାଈଙ୍କ ପାଖରେ କୃତଜ୍ଞ। ଡାକ୍ତରଖାନା ଓ ଡାକ୍ତରଙ୍କ ପାଖରେ ପହଞ୍ଚିବାର ସାଧ୍ୟ ଆମ ପାଖରେ ନଥିଲା। କିନ୍ତୁ ତାଈ ସାହାଯ୍ୟ କଲେ।’’ ଏହି ଆନୁଷ୍ଠାନିକ ପ୍ରସବ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଜନନୀ ସୁରକ୍ଷା ଯୋଜନା (ଯାହାର ଲକ୍ଷ୍ୟ ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା)ରେ ୩୦୦ଟଙ୍କା ଭତ୍ତା ଭାବରେ ପାଇଥାଆନ୍ତି। ସେ ଗାଡ଼ି ମାଲିକଙ୍କୁ ୨୫୦ ଟଙ୍କା ଦେଲେ ଏବଂ ୫୦ଟଙ୍କା ଚା’ ଓ ବିସ୍କୁଟରେ ଖର୍ଚ୍ଚ କଲେ।

ଏପରି ପରିସ୍ଥିତିରେ ଅଧିକାଂଶ ସମୟରେ ଆଶାକର୍ମୀମାନେ ରାତିରେ ହସ୍ପିଟାଲରେ ରହିବା ଆବଶ୍ୟକ ହୁଏ, ଯେମିତି ଚନ୍ଦ୍ରକଳା କରିଥିଲେ। ଏହାର ଅର୍ଥ ଖାଇବା ନାହିଁ କିମ୍ବା ବିଶ୍ରାମ ପାଇଁ ସ୍ଥାନ ନାହିଁ। ଚନ୍ଦ୍ରକଳା କୁହନ୍ତି, ‘‘ଜରୁରୀ ସମୟରେ କାହାପାଖରେ ଖାଦ୍ୟ ସଜାଡ଼ିବା ପାଇଁ ସମୟ ଥାଏ? ଆମେ ଆମ ପିଲା ଏବଂ ପରିବାରକୁ ଛାଡ଼ି ଦୌଡ଼ିବାକୁ ବାଧ୍ୟ ହେଉ। ସେଦିନ ମୁଁ ସାରାରାତି ଶୋଇନଥିଲି। ଶଯ୍ୟା ପାଖରେ ଚଟାଣରେ ମୁଁ କେବଳ ଟିକେ ଗଡ଼ିଥିଲି।’’ ଚନ୍ଦ୍ରକଳା ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ନିଜର ଏକରେ ଜମିରେ ଧାନ କିମ୍ବା ଗହମ ଚାଷ କରନ୍ତି। ସେ କୁହନ୍ତି, ‘‘ଆମ ପାଇଁ ରବିବାର ଭଳି କିଛି ଜିନିଷ ନାହିଁ। ଆମକୁ ସବୁବେଳେ ସତର୍କ ରହିବାକୁ ହୁଏ। କେତେବେଳେ କେହି ବି ମୋତେ ସାହାଯ୍ୟ ପାଇଁ  ଡାକିପାରେ।’’

Protest

ନିଜର ପାରିଶ୍ରମିକ ବୃଦ୍ଧି ପାଇଁ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବି କରି ଆଶା ୟୁନିଅନ ଏବଂ ସଂଗଠନଗୁଡ଼ିକ ପକ୍ଷରୁ ଅନେକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭଟି ୨୦୧୮ ଅଗଷ୍ଟ ମାସରେ ସାଙ୍ଗଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ କରାଯାଇଥିଲା।  

ଆମ୍ବୋଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୦ଜଣ ଆଶାଙ୍କ ମଧ୍ୟରେ ଚନ୍ଦ୍ରକଳା ଅନ୍ୟତମ। ଏଠାକୁ ସେ ତ୍ରୈମ୍ବକେଶ୍ୱର ତାଲୁକାର ଅନ୍ୟ ଗ୍ରାମରୁ ଆସିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ମାସକୁ ଦୁଇଥର ଯାଆନ୍ତି। ଲୋତକପୂର୍ଣ୍ଣ ଆଖିରେ ଚନ୍ଦ୍ରକଳା କୁହନ୍ତି, ‘‘ସେମାନେ ସମସ୍ତେ ସାଦୃଶ ଅଭିଜ୍ଞତା ବର୍ଣ୍ଣନା କରନ୍ତି। ଅଧିକାଂଶ ସମୟରେ ଆଶାକର୍ମୀମାନେ ଗରିବ ପରିବାରର ହୋଇଥାନ୍ତି। ଆର୍ଥିକ ଦୃଷ୍ଟିରୁ ସେମାନେ ସଂଘର୍ଷ କରୁଥାନ୍ତି, କିନ୍ତୁ ଗ୍ରାମର ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ କଠିନ ପରିଶ୍ରମ କରନ୍ତି।

 ଅନ୍ୟ ଆଶାକର୍ମୀମାନଙ୍କ ପରି ସେ ମଧ୍ୟ ତାଙ୍କୁ ଅଧିକ ପରିମାଣର ଅର୍ଥ ପ୍ରଦାନ କରାଯିବ ବୋଲି ଚାହାନ୍ତି। ସେ କୁହନ୍ତି, ‘‘ଏହା ଏକ ବଡ଼ ଦାବି ନୁହେଁ। ପାରିଶ୍ରମିକ ଦୁଇଗୁଣ ହେବା ଆବଶ୍ୟକ। ଯିବା ଆସିବା ଏବଂ ଅନ୍ୟ ଖର୍ଚ୍ଚଗୁଡ଼ିକ ମଧ୍ୟ ପ୍ରଦାନ କରାଯିବା ଉଚିତ୍‌। ସାରା ଜୀବନ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପାଇଁ କାମ କରି ଆମେ ଏତିକି ମାତ୍ର ଦାବି କରିପାରିବୁ।’’ ତାଙ୍କ କଣ୍ଠସ୍ୱର ରୁଦ୍ଧ ହୋଇଯାଉଥିଲା।

୨୦୧୮ ସେପ୍ଟେମ୍ବର ମାସରେ ସେମାନଙ୍କ ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ଆଶା ୟୁନିଅନ୍‌ ଏବଂ ଅନୁଷ୍ଠାନଗୁଡ଼ିକ ଅନେକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାରିଶ୍ରମିକ ବା ଭତ୍ତା ବୃଦ୍ଧି କଲେ। କେତେକ ପୁନଃପୌନିକ କାର୍ଯ୍ୟକଳାପ ପାଇଁ ଉଦାହରଣ ସ୍ୱରୂପ ଗ୍ରାମର ସ୍ୱାସ୍ଥ୍ୟ ରେଜିଷ୍ଟର ରଖିବା ପାଇଁ ୧୦୦ଟଙ୍କା ବଦଳରେ ୩୦୦ ଟଙ୍କା ଦିଆଗଲା।

କିନ୍ତୁ ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାମାନେ ଏହି ପ୍ରସ୍ତାବକୁ ସମାଲୋଚନା କଲେ। ମହାରାଷ୍ଟ୍ରର ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଅନୁଷ୍ଠାନ ସଂଗଠନର ଅଧ୍ୟକ୍ଷ ସାଙ୍ଗଲିର ଶଙ୍କର ପୂଜାରୀ କୁହନ୍ତି, ‘‘ବାରମ୍ବାର ଆମେ ଏକ ସ୍ଥିର [ସର୍ବନିମ୍ନ] ମାସିକ ୧୮ହଜାର ଟଙ୍କା ଦରମା ଦାବି କରୁଛୁ। ଏଥିସହ ବୀମା ସୁରକ୍ଷା, ପେନସନ ଏବଂ ଆଶାକର୍ମୀମାନଙ୍କୁ ସ୍ଥାୟୀ କର୍ମଚାରୀ [ସୁବିଧା ସହିତ] ଭାବରେ ନିଯୁକ୍ତି। ନିୟମିତ ଭତ୍ତା ବୃଦ୍ଧି ସମସ୍ୟାର ସମାଧାନ କରିବ ନାହିଁ। ଏ ମଧ୍ୟରେ ଅରଗ୍‌ ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉମା ଏବଂ ଅନ୍ୟାନ୍ୟ ଆଶା କର୍ମୀମାନେ ଜାନୁଆରୀ ମାସରେ ମୁମ୍ବାଇରେ ଏକ ବିକ୍ଷୋଭ ସମ୍ପର୍କରେ ଆଲୋଚନା କରୁଥିଲେ। ଦୀର୍ଘ ଶ୍ୱାସ ନେଇ ଉମା କହିଲେ, ‘‘ପୁଣି ଆଉ ଏକ ପ୍ରତିବାଦ, କ’ଣ କରାଯିବ? ଆଶାମାନେ [ଆଶାମାନେ ହିଁ ଆଶା] କେବଳ ଆଶାରେ ହିଁ ବଞ୍ଚନ୍ତି।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସିନୋଲି ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ରୁରାଲ୍ଇଣ୍ଡିଆର ବିଷୟବସ୍ତୁ ସଂଯୋଜକ। ସେ ପୂର୍ବରୁ ‘ମି ମରାଠି’ ଏବଂ ‘ମହାରାଷ୍ଟ୍ର-୧’ ପରି ନ୍ୟୁଜ୍ଚ୍ୟାନେଲ୍ରେ କାମ କରିଛନ୍ତି।

Other stories by Jyoti Shinoli