ଘୁଷୁରିମାନଙ୍କୁ ଘଉଡ଼ାଇବାରେ ଯଶୋଦାବାଇ ଜୋରୱରଙ୍କର ସନ୍ଧ୍ୟା ସମୟ ଅତିବାହିତ ହୋଇଥାଏ। ସେ କହନ୍ତି, “ଘୁଷୁରିମାନେ ଚାଷଜମି ଭିତରକୁ ପଶି ଆସି ଦୌଡ଼ିଥାନ୍ତି। ଏହି ଜମି ଆମର ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ। କିନ୍ତୁ ନିଜକୁ ବ୍ୟସ୍ତ ରଖିବା ପାଇଁ ମୋତେ କିଛି କରିବାକୁ ପଡ଼ିବ।”

୭୦ରୁ ଅଧିକ ବର୍ଷରେ ଉପନୀତ ଜୋରୱର ମହାରାଷ୍ଟ୍ରର ବିଡ୍ ଜିଳ୍ଲାର ହଟକରୱାଡ଼ି ଗାଁରେ ଥିବା ନିଜ ଘରେ ଗତ କିଛି ମାସ ହେଲା ଏକୁଟିଆ ରହୁଛନ୍ତି। ସେ କହନ୍ତି, “ମୋର ଦୁଇ ପୁଅ ଏବଂ ସେମାନଙ୍କର ପତ୍ନୀ ବାରମତୀ (ପ୍ରାୟ ୧୫୦ କିମି ଦୂର ପଶ୍ଚିମ ମହାରାଷ୍ଟ୍ର)ରେ ସେମାନଙ୍କର ପାଞ୍ଚ ଜଣ ପିଲାଙ୍କ ସହିତ ରହୁଛନ୍ତି। ସେମାନେ ଆଖୁ କାଟିବା ପାଇଁ ଅକ୍ଟୋବର ମାସର ଶେଷରେ ଯାଇଛନ୍ତି ଏବଂ ମାର୍ଚ୍ଚ ଶେଷ ସୁଦ୍ଧା ପଳାଇ ଆସିବେ।”

ପ୍ରତିବର୍ଷ ମରାଠାୱାଡ଼ା ବିଶେଷ କରି ବିଡ୍ ଜିଲ୍ଲାର ଚାଷୀମାନେ ଋତୁ ଅନୁସାରେ ଆଖୁକ୍ଷେତରେ ଶ୍ରମିକ ଭାବେ କାମ କରିବାକୁ ପଳାଇ ଯାଆନ୍ତି। କାରଣ ଚାଷରୁ ରୋଜଗାର ହେଉଥିବା ଟଙ୍କା ଘରଖର୍ଚ୍ଚ ତୁଲାଇବାକୁ ଯଥେଷ୍ଟ ହୁଏନାହିଁ। ଶ୍ରମିକ ଭାବେ କାମ କଲେ ଏକ ଦମ୍ପତ୍ତି ଆଖୁ କାଟିବା ପାଇଁ ଟନ୍ ପିଛା ୨୨୮ ଟଙ୍କା ବା ପାଞ୍ଚ ମାସରେ ୬୦,୦୦୦ ଟଙ୍କା ପାଇଥାନ୍ତି।।  ପ୍ରତିବର୍ଷ ଅନେକଗୁଡ଼ିଏ ପରିବାର ପାଇଁ ଏହାହିଁ ରୋଜଗାରର ନିର୍ଦ୍ଧିଷ୍ଟ ସ୍ରୋତ।

ଚଷମା ପିନ୍ଧିଥିବା ଜୋରୱର କହନ୍ତି, ‘ ଆମର ଦୁଇ ଏକର ଜମିରୁ ବର୍ଷକୁ ୧୦,୦୦୦ ଟଙ୍କା ବି ମିଳେନାହିଁ। ଏପରିକି କୃଷିଋତୁ ସମୟରେ ମଧ୍ୟ ଆମେ ଶ୍ରମିକ ଭାବେ କାମ କରିବା ଉପରେ ନିର୍ଭର କରୁ। ’ ଏହି ପାହାଡ଼ିଆ ଅଞ୍ଚଳରେ ପାଣି ମଧ୍ୟ ସହଜରେ ମିଳେନାହିଁ। ବର୍ଷର ଯେଉଁ ୬-୭ ମାସ ତାଙ୍କର ପୁଅ ଏବଂ ପରିବାର ଲୋକେ ହଟକରୱାଡ଼ିରେ ରହିଥାନ୍ତି ସେମାନେ ଘରେ ଖାଇବା ପାଇଁ ଯଅ, ବାଜରା, ଚଣାଡାଲି ପ୍ରଭୃତି ଚାଷ କରନ୍ତି। ଏକୁଟିଆ ଥିବାବେଳେ ଜୋରୱର ସେହି ଖାଦ୍ୟ ଉପରେ ନିର୍ଭର କରନ୍ତି।
A deserted street in Hatkarwadi village in Beed district of Maharashtra
PHOTO • Parth M.N.
An open doorway made of stone leading into a long passage. There is an empty chair and a pile of stones at the end of the passage
PHOTO • Parth M.N.

ଏକ ଆକଳନ ଅନୁସାରେ ହଟକରୱାଡ଼ି ପରି ଗାଁକୁ ଜନଶୂନ୍ୟ କରି ପ୍ରତିବର୍ଷ ୬ ୦୦,୦୦୦ ଲୋକ ମରାଠାୱାଡ଼ାରୁ ପଶ୍ଚିମ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକକୁ ସ୍ଥାନାନ୍ତର ହୋଇଥାନ୍ତି

କିଛି ଲୋକ ଆଖୁକ୍ଷେତରେ ଶ୍ରମିକ ଭାବେ କାମ କରିଥାନ୍ତି। ଜଣପିଛା ମଜୁରୀ ଅଧିକ ହୋଇଯିବା କାରଣରୁ ମୁଖ୍ୟତଃ କେବଳ ଦମ୍ପତ୍ତିଙ୍କୁ କଣ୍ଟ୍ରାକ୍ଟରମାନେ ଆଖୁକଟାଳୀ ଭାବେ ନେଇଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମରାଠାୱାଡ଼ାରୁ ଶତାଧିକ କିମି ଦୂରରେ ଥିବା ପଶ୍ଚିମ ମହାରାଷ୍ଟ୍ରର ସତାରା, ସାଙ୍ଗଲି, କୋହ୍ଲାପୁର କିମ୍ବା କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାକୁ ଯାଇଥାନ୍ତି। (ଦେଖନ୍ତୁ ଆଖୁକ୍ଷେତକୁ ଲମ୍ବା ରାସ୍ତା) ଅଧିକାଂଶ ସାବାଳକ ପଳାଉଥିବାରୁ ସେମାନଙ୍କର ନିଜ ଗାଁ ପରିତ୍ୟକ୍ତ ଏବଂ ଜନଶୂନ୍ୟ ହୋଇଯାଏ। ବହୁ କ୍ଷେତ୍ରରେ ବୟସ୍କମାନେ ହିଁ ଘରେ ରହିଥାନ୍ତି। କିଛି କ୍ଷେତ୍ରରେ ଯଦି କେହି ଘରେ ଦେଖାଶୁଣା କରିବାକୁ ଥାନ୍ତି ତା’ ହେଲେ ପିଲାମାନଙ୍କୁ ଛାଡ଼ି ଦିଆଯାଏ।

ପାରଭାନି ଜିଲ୍ଲାର ବାସିନ୍ଦା କୃଷି ଅଧିକାର କର୍ମୀ ଏବଂ ସିପିଆଇ ନେତା ରାଜନ କ୍ଷୀରସାଗର କହନ୍ତି, ‘ମରାଠାୱାଡ଼ାରେ ଯେଉଁ ୬୦୦,୦୦୦ ଚାଷୀ  ଓ ଶ୍ରମିକ ଆଖୁ କାଟିବା କଥା ଆକଳନ କରାଯାଉଛି ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ବିଡ୍ରୁ ଆସିଥିବା ସ୍ଥାନାନ୍ତରୀ ଲୋକ। ମହାରାଷ୍ଟ୍ରରେ ୧୫୦ ଦିନିଆ ଆଖୁ କାଟିବା ଋତୁରେ କେତେଜଣ ଛାତ୍ରଛାତ୍ରୀ ସ୍କୁଲରେ ଅନୁପସ୍ଥିତ ରହିଲେ, ହାରାହାରି ଭାବେ ଦିନକୁ କେତେ ଶ୍ରମିକ ଆବଶ୍ୟକ ହୁଅନ୍ତି ତାକୁ ଦୃଷ୍ଟିରେ ରଖି ବେପାରୀ ସଂଘଗୁଡ଼ିକ ଏହି ଆକଳନ କରିଛନ୍ତି। ’

କ୍ଷୀରସାଗର କହନ୍ତି, “ମହାରାଷ୍ଟ୍ରର ଚାରିଟି ଜୋନରେ ଏହି ସମସ୍ୟା ଉତ୍କଟ”। ତାହା ହେଲା ନଦୁରବାର ଜିଲ୍ଲାରେ ଥିବା ଶାହାଦେ ତାଲୁକ ଓ ସୋଲାପୁର ଜିଲ୍ଲାର ସାଙ୍ଗୋଲେ ତାଲୁକ ମଧ୍ୟରେ ଥିବା ରାନଶାଡୋ ଜୋନ୍, ଜଲଗାଓଁରେ ଥିବା ଚାଲିଶଗାଓଁ ତାଲୁକରୁ ନାନ୍ଦେଦ କିନୱତ ତାଲୁକ ମଧ୍ୟରେ ଥିବା ଅଞ୍ଚଳ, ସାତପୁଡ଼ା ରେଞ୍ଜ ଏବଂ ବାଲାଘାଟ ରେଞ୍ଜ।

ବାଲାଘାଟ ଅଞ୍ଚଳ ଅହମ୍ମଦନଗରର ପଥର୍ଡିରୁ ନାନେ୍ଦଦ୍ର କାନ୍ଧାର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହା ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାବେଳେ ଟାଙ୍ଗରା ଭୂଇଁ ଓ ବର୍ଷା ଖୁବ୍ କମ୍ ହୋଇଥାଏ। ଏହାର ଅଧିକାଂଶ ଅଞ୍ଚଳ ବିଡ୍ଠାରୁ ୩୦୦ କିମି ମଧ୍ୟରେ ରହିଛି ଯେଉଁଠାରେ ହାରାହାରି ବୃଷ୍ଟିପାତ ହେଉଛି ୬୭୪ ଏମଏମ୍, ଯାହାକି ମରାଠାୱାଡ଼ାରେ ହେଉଥିବା ହାରାହାରି ବୃଷ୍ଟିପାତ (୭୦୦ ଏମଏମ୍)ଠାରୁ ବି କମ୍। ବିଡ୍ର ଶ୍ରୀରୁର ତାଲୁକରେ ହାରାହାରି ବୃଷ୍ଟିପାତ ହେଉଛି ମାତ୍ର ୫୭୪ ମିଲିମିଟର। ବର୍ଷାର ଅଭାବ, ଜଳସେଚନର ଅସୁବିଧା ସମେତ ଅନ୍ୟ କାରଣ ଯୋଗୁ ଋତୁକାଳୀନ କାମର ସନ୍ଧାନରେ ଚାଷୀମାନେ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି।
Padlocked doors in Hatkarwadi village in Beed district of Maharashtra
PHOTO • Parth M.N.
Torn posters on a yellow wall school wall in Marathi at Hatkarwadi village in Beed district of Maharashtra. It says, “Every kid will go to school, nobody will be at home”.
PHOTO • Parth M.N.

ହଟକରୱାଡ଼ି (ଡାହାଣ)ର ଏକ କାନ୍ଥରେ ଲେଖାଯାଇଛି , ‘ ସବୁ ପିଲା ସ୍କୁଲ ଯିବେ , କେହି ଘରେ ରହିବେ ନାହିଁ କିନ୍ତୁ ପିଲାମାନେ ବହୁଦୂରରେ ଆଖୁକ୍ଷେତରେ ଅଛନ୍ତି

ଜଳସଙ୍କଟ ସହିତ ଫସଲ ଉତ୍ପାଦନର ଖର୍ଚ୍ଚ ବୃଦ୍ଧି, ଉଚିତ ଦାମ୍‌ରେ ଫସଲ ବିକ୍ରି କରିବାରେ ଅସୁବିଧା ଏବଂ ରାଜ୍ୟ ସରକାରଙ୍କର ପ୍ରୋତ୍ସାହନର ଅଭାବ ପରି ବିଭିନ୍ନ ସମସ୍ୟା ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା କପା, ସୋୟାବିନ୍, ଚଣା ଏବଂ ବାଜରା ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀମାନଙ୍କର ଫସଲ ଉତ୍ପାଦନର ଖର୍ଚ୍ଚ ସହିତ ମେଳ ଖାଉନାହିଁ, ବାଧ୍ୟ ହୋଇ ସେମାନେ ଶ୍ରମିକ ଭାବେ କାମ କରୁଛନ୍ତି। ଉଦାହରଣ ସ୍ୱରୂପ ଯଅ ଭଳି ଖାଦ୍ୟଶସ୍ୟ କ୍ୱିଣ୍ଟାଲ ପିଛା ୧,୭୦୦ ଟଙ୍କାରେ ବିକ୍ରି ହେଉଛି। ଯେତେବେଳେକି ତାର ଉତ୍ପାଦନ ପାଇଁ ୨,୦୮୯ ଟଙ୍କା ଖର୍ଚ୍ଚ ହେଉଛି। କମିଶନ ଫର ଏଗ୍ରିକଲଚରାଲ କଷ୍ଟ ଆଣ୍ଡ ପ୍ରାଇସେସର ଖରିଫ ଚାଷ ପାଇଁ ମୂଲ୍ୟ ନୀତି ରିପୋର୍ଟ (୨୦୧୭-୧୮)ରେ ଏହା କୁହାଯାଇଛି। ଏପରିକି କପା ଭଳି ଅର୍ଥକାରୀ ଫସଲ ମଧ୍ୟ ଏବେ ଆଉ ଚାଷୀଙ୍କ ପାଇଁ କିଛି ସହାୟକ ହୋଇପାରୁନାହିଁ। କାରଣ ଉତ୍ପାଦନ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରାୟ ସେତିକି ହୋଇଯାଉଛି। ତେଣୁ ଭଲ ବର୍ଷା ହେଲେ ମଧ୍ୟ ଲାଭର ସେମିତି କିଛି ସମ୍ଭାବନା ରହୁନାହିଁ।

ପାଞ୍ଚ ମାସ ଧରି ଆଖୁ କାଟିବା ସମୟରେ ବାଗପତ ରେଞ୍ଜର ଧାରୁର, ୱାଡୱାନି, ପାଲି, ଶିରୁର, ପାଟୋଡା ଏବଂ ଅସ୍ତି ପରି ତାଲୁକର ଗାଁ ଗୁଡ଼ିକ ଭୟଙ୍କର ଭାବେ ନିରବ ଥାଏ। ୧,୨୫୦ ଜନସଂଖ୍ୟା ବିଶିଷ୍ଟ ହଟକରୱାଡ଼ି ଏଥିମଧ୍ୟରୁ ଅନ୍ୟତମ। ସରୁ ପାହାଡ଼ିଆ ରାସ୍ତାରେ ସେଠାକୁ ଗାଡ଼ି ଚଳାଇ ଯିବାବେଳେ କେବଳ ମାତ୍ର କାର୍ ଇଞ୍ଜିନର ଶଦ୍ଧ ହିଁ ଶୁଭିଥାଏ। ଆମେ ଗାଁରେ ପହଞ୍ଚିବାବେଳକୁ ମଧ୍ୟ ସେହି ନିରବତା ପରିବ୍ୟାପ୍ତ ଥିଲା, କେବଳ ଯାହା ଚଢେ଼ଇମାନଙ୍କର କିଚିରିମିଚିରି ଶଦ୍ଧ ଏବଂ ପବନରେ ଗଛର ପତ୍ର ହଲିବାର ଶଦ୍ଧ ଶୁଣାଯାଉଥିଲା। ଏପରିସ୍ଥଳେ ଆମର ପାଦ ଶଦ୍ଧ ଖୁବ୍ ଜୋର ଶୁଣାଗଲା।

ସାମାନ୍ୟ ହସି ଜୋରୱର କୁହନ୍ତି, “ଯଦି କେହି ଆମ ଗାଁରେ ମରିଯାଏ, ତାହେଲେ ଅନ୍ୟମାନେ ତାହା ଜାଣିବା ପାଇଁ କିଛି ଦିନ ଲାଗିଯିବ।” ଯଦି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ଖରାପ ହୋଇଯାଏ ତା ହେଲେ ତାଙ୍କୁ ନଅ କିମି ଦୂରରେ ରାଇମୋହା ଗାଁରେ ଥିବା ସରକାରୀ ହସ୍ପିଟାଲକୁ ନେଇଯିବା ଲାଗି ଆମ୍ବୁଲାନ୍ସକୁ ଫୋନ କରିବାକୁ ପଡ଼ିବ। ଜୋରୱର ଏବଂ ତାଙ୍କ ପରି ଅନ୍ୟମାନେ ସାହାଯ୍ୟର ଆବଶ୍ୟକତା ପଡ଼ିଲେ ସେମାନଙ୍କ ଗାଁ ଏବଂ ପଡେ଼ାଶୀ ଗାଁରେ ଏବେ ବି ରହିଯାଇଥିବା କିଛି ପିଲାଙ୍କ ଉପରେ ନିର୍ଭର କରନ୍ତି। ସେମାନଙ୍କ ମଧ୍ୟରୁ କିଛି ହାଇସ୍କୁଲରେ ପଢ଼ୁଥିବାବେଳେ ଅନ୍ୟମାନେ ଛୋଟମୋଟ କାମ କରୁଛନ୍ତି। କିଛି କ୍ଷେତ୍ରରେ ସ୍ଥାନାନ୍ତର ହୋଇଯାଉଥିବା ସେମାନଙ୍କର ପିଲାମାନେ ମଧ୍ୟ କିଛି ଟଙ୍କା ଛାଡ଼ିଯାଇଥାନ୍ତି ଯାହାକି ସେମାନଙ୍କର ବୃଦ୍ଧପିତାମାତାଙ୍କୁ ଏହି ଜନଶୂନ୍ୟ ମାସରେ କିଛି ନିରାପତ୍ତା ଦେଇଥାଏ।
A woman sitting outside a tin hut in Hatkarwadi village in Beed district of Maharashtra
PHOTO • Parth M.N.

୭୦ ବର୍ଷରୁ ଅଧିକ ହୋଇଥିବା ଯଶୋଦାବାଇ ଜୋରୱର ଅକ୍ଟୋବରରୁ ମାର୍ଚ୍ଚ ଯାଏ ଆଖୁ କାଟିବା ଋତୁରେ ଏକୁଟିଆ ରହନ୍ତି।

ଜୋରୱର କହନ୍ତି, “ଏହି ପୂରା ଗାଁର ପ୍ରାୟ ସମସ୍ତେ ଛାଡ଼ି ପଳାଇଛନ୍ତି। ଏପରିକି ମୁଁ ମଧ୍ୟ ମୋ ସ୍ୱାମୀଙ୍କ ସହିତ ଆଖୁ କାଟୁଥିଲି। ସେ କିଛି ବର୍ଷ ତଳେ ମରିଗଲେ। ଅବଶ୍ୟ ପ୍ରାୟ ୧୦ ବର୍ଷ ହେଲା ଆମେ ଆଖୁ କାଟିବା ପାଇଁ ଯିବା ଛାଡ଼ି ଦେଇଥିଲୁ। କାମ କ୍ଷେତ୍ରରେ ବୁଢା ଲୋକଙ୍କର କିଛି ଆବଶ୍ୟକତା ନଥାଏ।”

ପିଠିରେ କୁଜ ଧରି ଚାଲୁଥିବା ଜୋରୱର ଦିନବେଳା ପାଣି ଆଣିବା ଏବଂ ନିଜ ପାଇଁ ଖାଦ୍ୟ ରୋଷେଇ କରିବାରେ କଟାନ୍ତି। ସେ କହନ୍ତି, “ଗାଁର ହ୍ୟାଣ୍ଡପମ୍ପ ଅଧିକାଂଶ ସମୟରେ ଶୁଖିଯାଏ। ତେଣୁ ମୋତେ ଗାଁ କୂଅରୁ ପାଣି ଆଣିବା ଲାଗି ପ୍ରାୟ ଦୁଇ କିମି ଚାଲିବାକୁ ହୁଏ”। ଆମେ ତାଙ୍କର ଏକବଖୁରିଆ ଘର ସାମ୍ନାରେ ଏକ ଚଟାଣ ଉପରେ ବସି କଥା ହେଉଥିବାବେଳେ ବାବୁରାଓ ସାଦ୍‌ଗର ଆମ ପାଟିର ଶଦ୍ଧ ଶୁଣିପାରି ନିକଟବର୍ତ୍ତୀ ଘରୁ ଆସିଲେ। ତାଙ୍କୁ ୭୦ ବର୍ଷ ହୋଇଥିବାବେଳେ ସେ ଏକ ବାଡ଼ି ଧରି ଚାଲିଥାନ୍ତି। ସେ କହିଲେ, “ମୁଁ ଲୋକମାନଙ୍କୁ କଥା ହେଉଥିବାର ଶୁଣିଲି ତେଣୁ କ’ଣ ହେଉଛି ତାହା ଜାଣିବାକୁ ଚାଲିଆସିଲି। ବର୍ଷର ଏହି ସମୟରେ କଥାବାର୍ତ୍ତା ଶୁଣିବା ବିରଳ।”

ସାଦ୍‌ଗର ମଧ୍ୟ ତାଙ୍କ ପତ୍ନୀ ଚନ୍ଦ୍ରବାଇଙ୍କ ସହିତ ଗାଁରେ ରହିଯାଇଛନ୍ତି। ଯେତେବେଳେକି ତାଙ୍କର ଦୁଇ ପୁଅ ଆଖୁକ୍ଷେତରେ କାମ କରିବାକୁ ପଳାଇଛନ୍ତି। ସେମାନେ କେଉଁଠାକୁ କାମ କରିବାକୁ ଯାଇଛନ୍ତି ସାଦ୍ଗର ତାହା ଠିକ୍ ଭାବେ ଜାଣନ୍ତି ନାହିଁ। ସେ କହନ୍ତି,“ମୋର ସାତ ଜଣ ନାତିନାତୁଣୀ ଅଛନ୍ତି। ମୋର ପତ୍ନୀ ଏବଂ ମୁଁ ଖୁବ୍ ବୁଢ଼ାବୁଢ଼ୀ ହୋଇଗଲୁଣି। ଆମେ ନିଜର ଦେଖାଶୁଣା କରିବାକୁ ସକ୍ଷମ ହେଉନାହୁଁ, ତେଣୁ ମୋର ପୁଅମାନେ ସେମାନଙ୍କର ପିଲାମାନଙ୍କୁ ଛାଡ଼ି ଯାଇନାହାନ୍ତି। ଆମର ନାତିନାତୁଣୀଙ୍କର ଯତ୍ନ ନେବା ଆମ ପକ୍ଷେ ଶାରିରୀକ ଭାବେ ଅସମ୍ଭବ।”

ସାଦ୍‌ଗରଙ୍କ ଦୁଇଜଣ ନାତିଙ୍କର ବୟସ ୨୦ ପାଖାପାଖି ହେବ ଏବଂ ସେମାନେ ନିଜ ନିଜର ପତ୍ନୀଙ୍କ ସହିତ ଆଖୁ କାଟିବା ପାଇଁ ଯାଇଛନ୍ତି। ଅନ୍ୟ ପାଞ୍ଚ ଜଣ ନାତିନାତୁଣୀଙ୍କର ବୟସ ୮ରୁ ୧୬ ମଧ୍ୟରେ ହୋଇଥିବାବେଳେ ସେମାନେ ସେମାନଙ୍କର ବାପା-ମା’ଙ୍କ ସହିତ ପାଞ୍ଚ ମାସ ଧରି ଅନ୍ୟତ୍ର ସ୍ଥାନାନ୍ତର ହେଉଥିବାରୁ ପାଠପଢ଼ିପାରୁନାହାନ୍ତି। ସେହିଭଳି ଜୋରୱରଙ୍କର ମଧ୍ୟ ୫ରୁ ୧୩ ବର୍ଷ ବୟସର ପାଞ୍ଚ ଜଣ ନାତିନାତୁଣୀ ଅଛନ୍ତି। (ଦେଖନ୍ତୁ ୨,୦୦୦ ଘଣ୍ଟା ଧରି ଆଖୁ କାଟିବା) । ସେମାନେ ଯେତେବେଳେ ଫେରନ୍ତି ଅଧାରୁ ଛାଡ଼ିଯାଇଥିବା ପାଠକୁ ପୁଣି ଧରିବାରେ ସମସ୍ୟା ହୋଇଥାଏ କିମ୍ବା ନିରନ୍ତର ଶିକ୍ଷା ପାଇବାରୁ ସେମାନେ ବଞ୍ଚିତ ହୋଇଥାନ୍ତି।

ସ୍ଥାନାନ୍ତର ହେଉଥିବା ମାସଗୁଡ଼ିକରେ ଅଧିକାଂଶ ବାପାମା’ ସେମାନଙ୍କର ପିଲାମାନଙ୍କୁ ସାଙ୍ଗରେ ନେଇ ଯାଉଥିବାରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଥିବା ହଟକରୱାଡ଼ିର ପ୍ରାଥମିକ ସ୍କୁଲରେ  ମାତ୍ର କିଛି ଜଣ ଛାତ୍ରଛାତ୍ରୀ ରହିଯାନ୍ତି। ଆଠ ବର୍ଷୀୟ କୁନାଲ ସାଦ୍ଗର ଆମକୁ ଧୂଳିଆ ରାସ୍ତାରେ  ସ୍କୁଲ ପର୍ଯ୍ୟନ୍ତ ନେଇଯାଉଥିବାବେଳେ ରାସ୍ତାର ଦୁଇପଟେ ଥିବା ଘରେ ତାଲା ପଡ଼ିଥିଲା। ଚାରି ବର୍ଷ ତଳେ କୁନାଲର ବାପା ମରିଯାଇଥିବାରୁ ସେ ତା’ ମା’ଙ୍କ ସହିତ ରହିଯାଇଥିଲା। ଯେହେତୁ କଣ୍ଟ୍ରାକ୍ଟରମାନେ କେବଳ ଦମ୍ପତ୍ତିଙ୍କୁ ନେଇଥାନ୍ତି, ତେଣୁ ତାର ମା’ ଏବେ ନିକଟବର୍ତ୍ତୀ ଗାଁରେ କୃଷିକ୍ଷେତରେ କାମ କରିଥାନ୍ତି।
A young boy running up the ramp in the school at Hatkarwadi village in Beed district of Maharashtra
PHOTO • Parth M.N.
A woman and her son sit crosslegged outside a house
PHOTO • Parth M.N.

କୁନାଲ ସାଦ୍‌ଗର (ବାମ) ପ୍ରାୟ ଏକ ଖାଲି ସ୍କୁଲକୁ ଯାଇଥାନ୍ତି। ତାଙ୍କ ବାପା କିଛି ତଳେ ମରିଯାଇଛନ୍ତି, ତେଣୁ ତାଙ୍କର ମା’ (ଡାହାଣ) ଏବେ ନିକଟବର୍ତ୍ତୀ ଗାଁରେ କାମ କରୁଛନ୍ତି

ଆମେ ସ୍କୁଲରେ ପହଞ୍ଚିବାବେଳକୁ ଶିକ୍ଷକ ସୀତାରାମ କୋକାତେ (୩୧) ପହଞ୍ଚିଲେ। ସେ କହନ୍ତି, ‘ ଆମେ କେବଳ ନଅ ବର୍ଷଯାଏ ପିଲାଙ୍କର ନାମ ଲେଖାଇଥାଉ। କିନ୍ତୁ ଏହି ବୟସର ପିଲାମାନେ ସାଧାରଣତଃ ସେମାନଙ୍କର ମା’ଙ୍କ ସହିତ ଯିବାପାଇଁ ଜିଦ୍ କରିଥାନ୍ତି। ଏହା ସେମାନଙ୍କର ଶିକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତାଙ୍କର ବାପାମା’ ଆଖୁ କାଟିବାରେ ବ୍ୟସ୍ତ ଥିବାବେଳେ ସେମାନଙ୍କର ପାଠପଢ଼ାକୁ ଦେଖିବାକୁ ପ୍ରାୟତଃ କେହିନଥାନ୍ତି। ’

ଏପରିକି ବାପା-ମା’ ମାନେ ସ୍ଥାନାନ୍ତର ହେବା ସମୟରେ ମଧ୍ୟ ପିଲାମାନଙ୍କୁ ସ୍କୁଲରେ ପଢ଼ାଇବା ଲାଗି ବିଡ୍ ଜିଲ୍ଲାରେ କିଛି ଉଦ୍ୟମ ହୋଇଛି। ହଟକରୱାଡ଼ିଠାରୁ ଛଅ କିମି ଦୂରରେ ଥିବା ୧,୩୫୦ ଜନସଂଖ୍ୟା ବିଶିଷ୍ଟ ଧଙ୍ଗରୱାଡ଼ି ଗାଁରେ ହେଡମାଷ୍ଟର ଭାରତ ଧାକନେ ଏ କ୍ଷେତ୍ରରେ କିଛି ସଫଳତା ପାଇଛନ୍ତି। ସେ କହନ୍ତି, “ଚାରି ବର୍ଷ ତଳେ ଏହି ସ୍କୁଲରେ କେହି ଜଣେ ବି ଛାତ୍ରକୁ ଆପଣ ଦେଖିବାକୁ ପାଇନଥାନ୍ତେ। ଏବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୯୧ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ୮୦ ଜଣ ଉପସ୍ଥିତ ଅଛନ୍ତି।”

ଭିଡିଓ ଦେଖନ୍ତୁ: ଅଶୋକ ଗାଡଭେ (୧୬) ଧଙ୍ଗରୱାଡ଼ି ଗାଁରେ ରହିଗଲେ କାରଣ ସେ ସ୍କୁଲ ଯିବାକୁ ଚାହାନ୍ତି।

ଅଶୋକ କହେ, ‘ମୁଁ ଚାଷଜମିରେ ଯାହା ଅଛି ତାକୁ ନେଇ ନିଜର ଖାଦ୍ୟ ରୋଷେଇ କରେ। ମୁଁ ଆଖୁ କାଟିବାକୁ ଚାହେଁନାହିଁ। ମୁଁ ଫାର୍ମାସିଷ୍ଟ ହେବାକୁ ଚାହୁଁଛି।’

ଧାକନେ କହନ୍ତି ଯେ ସେ ଅଣସରକାରୀ ସଂସ୍ଥା ସହାୟତାରେ ଟଙ୍କା ସଂଗ୍ରହ କଲେ ଏବଂ ଗାଁରେ ଥିବା ହଷ୍ଟେଲକୁ ପୁନରୁଦ୍ଧାର କଲେ ଯାହାକୁ କି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ସ୍କୁଲ କମିଟି ପରିଚାଳନା କରୁଥିଲା। ତା’ ପରେ ସେ ବାପା ମା’ଙ୍କୁ ବୁଝାଇବାକୁ ଉଦ୍ୟମ କଲେ। ସେ କହନ୍ତି, “ସରକାର ଆମକୁ ଆଖୁ କ୍ଷେତରେ କାମ କରିବାକୁ ଯାଉଥିବା ଅଭିଭାବକମାନଙ୍କର ପିଲାଙ୍କ ପିଛା ହଙ୍ଗାମି ବଷ୍ଟିଗୃହ ଯୋଜନା (ଋତୁକାଳୀନ ହଷ୍ଟେଲ ଯୋଜନା) ଅଧୀନରେ ମାସକୁ ୧,୪୧୬ ଟଙ୍କା ଦେଇଥାନ୍ତି। ସେତିକି ଅର୍ଥ ଯଥେଷ୍ଟ ନୁହେଁ।  କିନ୍ତୁ ହଷ୍ଟେଲର ପୁନରୁଦ୍ଧାର ହୋଇଗଲା ପରେ ଆମେ ଘରଘର ବୁଲି ପିଲାମାନେ ପାଠପଢ଼ିବା କେତେ ଜରୁରୀ ତାହା ବୁଝାଇଲୁ। ବାପାମା’ଙ୍କ ସହିତ ସ୍ଥାନାନ୍ତର ହେଉଥିବା ଅଧିକାଂଶ ଛାତ୍ରଛାତ୍ରୀ ସର୍ବନିମ୍ନ ଗଣିତ କରିବାକୁ ଅସୁବିଧା ଭୋଗିଥାନ୍ତି। ସେମାନେ କିପରି ବାହାରେ ଚାକିରି ପାଇପାରିବେବୋଲି ଆମେ ପ୍ରଶ୍ନକଲୁ।”

ଧାକନେ କହନ୍ତି, “ବାପା-ମା’ଙ୍କୁ ଏକଥା ବୁଝିବାକୁ ସମୟ ଲାଗିଲା। କିଛି ଜଣ ପ୍ରଥମ ବର୍ଷରେ ବୁଝିଗଲେ। ସେମାନେ ଅନ୍ୟମାନଙ୍କୁ ବୁଝାଇବାରେ ଆମକୁ ସାହାଯ୍ୟ କଲେ। ଧୀରେ ଧୀରେ ଆମେ ସମସ୍ତଙ୍କୁ ବୁଝାଇବାରେ ସଫଳ ହେଲୁ।”

ଏପରିକି ହଷ୍ଟେଲ ପୁନରୁଦ୍ଧାର ହୋଇନଥିବାବେଳେ ମଧ୍ୟ ଅଶୋକ ଗାଡଭେ (୧୬) ତାଙ୍କର ବଡ଼ଭାଇଙ୍କ ସହିତ ରହିଥିଲେ। ଏବେ ତାଙ୍କ ବଡ଼ ଭାଇଙ୍କୁ ୨୦ ବର୍ଷ। ସେ କହନ୍ତି, “ମୋ ଜନ୍ମ ସମୟରୁ ମୋ ବାପା-ମା’ ଆଖୁ କାଟି ଆସୁଛନ୍ତି। ମୁଁ କେବେହେଲେ ସେମାନଙ୍କ ସହିତ ଯାଇନାହିଁ।” ଅଶୋକ ଏବେ ରାଇମୋହାର ଏକ ହାଇସ୍କୁଲରେ ବିଜ୍ଞାନ ପଢ଼ୁଛନ୍ତି। ସ୍ଥାନାନ୍ତର ଋତୁରେ ସେ ଘରେ ଏକୁଟିଆ ରହୁଛନ୍ତି। ସେ କହନ୍ତି, “ମୋ ଭାଇ ମଧ୍ୟ ଜଣେ ଶ୍ରମିକ ଭାବେ କାମ କରୁଛନ୍ତି। ତେଣୁ ମୁଁ ଚାଷଜମିରୁ ଯାହାକିଛି ଆସେ ସେଥିରେ ନିଜ ପାଇଁ ରୋଷେଇ କରେ। ମୁଁ ଆଖୁ କାଟିବାକୁ ଚାହୁଁନାହିଁ। ମୁଁ ଜଣେ ଫାର୍ମାସିଷ୍ଟ ହେବାକୁ ଚାହୁଁଛି।”

ହଟକରଗଡ଼ିକୁ ଫେରିବାବେଳକୁ ଜୋରୱର ଏବଂ ଅନ୍ୟମାନେ ନିସଙ୍ଗ ସମୟକୁ ବିତାଇବାକୁ ଉଦ୍ୟମ କରୁଥିଲେ। ସେ କହିଲେ, “ଅପରାହ୍ନରେ କିଛି ବୟସ୍କ ଲୋକ ମନ୍ଦିର ପାଖରେ ଏକତ୍ରିତ ହୋଇଥାନ୍ତି ଏବଂ ଗପସପ କରନ୍ତି। ସନ୍ଧ୍ୟାରେ ଆମେ ଆମର ଚାଷଜମି ଆଡକୁ ଯାଉ (ଘୁଷୁରିମାନଙ୍କୁ ଘଉଡ଼ାଇବା ପାଇଁ)। ଆମ ପାଖରେ ବହୁତ ସମୟ ଅଛି।”

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE