କିଶୋରାବସ୍ଥାରେ ପିଲା ଜନ୍ମ ନକରିବାକୁ ନୁସ୍‌ରତ୍‌ ବାନୋ ମହିଳାମାନଙ୍କୁ ହୃଦ୍‌ବୋଧ କରାଇ ପାରିଛନ୍ତି; ସେମାନେ ଗର୍ଭନିରୋଧ ପନ୍ଥା ଆପଣାଇବାକୁ ଅନୁମତି ଦେବା ପାଇଁ ସେ ସେମାନଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ଲଢେଇ କରିଛନ୍ତି; ଏବଂ ସେ ସେମାନଙ୍କର ଶିଶୁମାନଙ୍କୁ ପ୍ରସବ କରିବା ପାଇଁ ମହିଳାମାନଙ୍କୁ ଡାକ୍ତରଖାନା ନେଇଛନ୍ତି। କିନ୍ତୁ ବିହାରର ଅରାରିଆ ଜିଲ୍ଲାର ରାମପୁର ଗ୍ରାମର ଏହି ୩୫ ବର୍ଷୀୟ ଅଧିସ୍ୱୀକୃତ ସ୍ୱାସ୍ଥ୍ୟ କର୍ମୀ (ଆଶା)ଙ୍କ ବିଶ୍ୱାସ ଯେ ତାଙ୍କ କାମର ସବୁଠାରୁ କଷ୍ଟଦାୟକ ଅଂଶ ହେଉଛି ପୁରୁଷମାନଙ୍କୁ ପୁଂ ବନ୍ଧ୍ୟାକରଣ ପାଇଁ ରାଜି କରାଇବା ।

“ଗତ ବର୍ଷ [୨୦୧୮]ରେ ଫୋର୍ବସ୍‌ଗଂଜ ବ୍ଲକ୍‌ ଅନ୍ତର୍ଗତ ପ୍ରାୟ ୩୪୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ କେବଳ ଜଣେ ପୁରୁଷ ଏଥିପାଇଁ ରାଜି ହୋଇଥିଲେ,” ବୋଲି ସେ ଆମକୁ କହିଲେ । “ଏବଂ ସେ ଏପରି କରି ସାରିବା ପରେ’’, ତାଙ୍କ ସ୍ତ୍ରୀ ତାଙ୍କୁ ଚପଲରେ ବାଡେଇବାକୁ ଆସିଥିଲେ” ବୋଲି ଚାରିଜଣ ସନ୍ତାନଙ୍କ ଏହି ମା ହସି ହସି କୁହନ୍ତି ।

ରାମପୁରର ଏହି ବିମୁଖତା ବିହାରର ଅନ୍ୟ ଗ୍ରାମଗୁଡିକରେ ମଧ୍ୟ ପ୍ରତିଫଳିତ ହୋଇଥାଏ । “ସେମାନେ ଏତେ ପରିମାଣରେ ଭୟଭୀତ ହେବାର କାରଣ ଏହା ଯେ ଅନ୍ୟ ପୁରୁଷମାନେ ସେମାନଙ୍କୁ ବିଦ୍ରୁପ କରିବେ ଓ ସେମାନଙ୍କ ଉପରେ ହସିବେ,” ବୋଲି ଗତ ବର୍ଷ ବିନୟ କୁମାର୍‌ ନଭେମ୍ବରରେ ହେବାକୁ ଥିବା ପୁଂ ବନ୍ଧ୍ୟାକରଣ ସପ୍ତାହ ପାଇଁ ଦ୍ୱିତୀୟ ଥର ପ୍ରଚାର ଆରମ୍ଭ କରିବା ପୂର୍ବରୁ ମୋତେ ଜଣାଇଥିଲେ। ସେମାନେ ଏହା ମଧ୍ୟ ଭାବନ୍ତି ଯେ ଏହାଦ୍ୱାରା ସେମାନେ ଦୁର୍ବଳ ହୋଇଯିବେ ଓ ସହବାସ କରିବା ପାଇଁ ସମର୍ଥ ହେବେନାହିଁ , ଯାହା ଏକ ମିଥ୍ୟା ଧାରଣା ଅଟେ । ପ୍ରତିବର୍ଷ ନଭେମ୍ବର ମାସରେ ବିହାର ସରକାର ସମଗ୍ର ରାଜ୍ୟରେ ଏହି ସପ୍ତାହ ଆୟୋଜନ କରୁଛନ୍ତି ।

କୁମାର, ୩୮, ଗତ ବର୍ଷ ସରାକରଙ୍କ ଦ୍ୱାରା ବିକାଶ ମିତ୍ର ଭାବେ ଜେହାନାବାଦ୍‌ର ମଖଦୁମ୍‌ପୁର ବ୍ଲକ୍‌ ଅନ୍ତର୍ଗତ ୩୪୦୦ ଜନସଂଖ୍ୟା ବିଶିଷ୍ଟ ବିରା ଗ୍ରାମରେ ନିୟୋଜିତ ହୋଇ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍‌ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଓ ସେଗୁଡିକୁ କାର୍ଯ୍ୟକାରୀ କରିବା ତାଙ୍କର କାମ ଅନ୍ତର୍ଭୁକ୍ତ ଥିଲା । ପୁରୁଷମାନଙ୍କୁ ବନ୍ଧ୍ୟାକରଣ ପାଇଁ ରାଜି କରାଇବା – ପୁଂ ବନ୍ଧ୍ୟାକରଣ କରାଇବା ଯେଉଁ ପ୍ରକ୍ରିୟାରେ ଏକ ସାଧାରଣ ଅସ୍ତ୍ରୋପଚାର କରାଯାଇ ପୁରୁଷଙ୍କ ଶୁକ୍ର ବାହିକା ଦ୍ୱୟକୁ ବାନ୍ଧି ଦିଆଯାଏ ବା ସିଲ୍‌ କରିଦିଆଯାଏ (କ୍ଷୁଦ୍ର ଶୁକ୍ରାଣୁ ବହନ କରୁଥିବା ଟ୍ୟୁବ୍) - ଭଳି ଅବାଞ୍ଛନୀୟ କାମ ମଧ୍ୟ ତାଙ୍କ ଟାସ୍କ ଅନ୍ତର୍ଭୁକ୍ତ ଅଟେ ।

ଏହା ଏପରି ଏକ ରାଜ୍ୟ ଯେଉଁଠାରେ ପୁରୁଷ ବନ୍ଧ୍ୟାକରଣ ହାର ଏନ୍‌ଏଫ୍‌ଏଚ୍‌ଏସ୍‌-୩ (୨୦୦୫ – ୦୬) ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୪ (୨୦୧୫ – ୧୬) ମଧ୍ୟରେ ନଗଣ୍ୟ ୦.୬ ପ୍ରତିଶତରୁ ଖସି ଶୂନ୍ୟ ପ୍ରତିଶତରେ ପହଞ୍ଚିଛି, ସେଠାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଏହି ସମୟ ଅବଧିରେ ବିହାରରେ ମହିଳା ବନ୍ଧ୍ୟାକରଣ ହାର ମଧ୍ୟ ହ୍ରାସ ପାଇଥିବା ଜଣାପଡିଛି – ଯାହା ବର୍ତ୍ତମାନ ସମୟରେ ୧୫-୪୯ ବର୍ଷ ମଧ୍ୟରେ ବିବାହିତ ମହିଳାଙ୍କ କ୍ଷେତ୍ରରେ ୨୩.୮ରୁ ହ୍ରାସ ପାଇ ୨୦.୭ ପ୍ରତିଶତରେ ପହଞ୍ଚି ଯାଇଛି- କିନ୍ତୁ ଏହି ହାର ପୁଂ ବନ୍ଧ୍ୟାକରଣ ତୁଳନାରେ ଯଥେଷ୍ଟ ଅଧିକ ।

ବିହାରର ଏହି ସଂଖ୍ୟା ଜାତୀୟ ସ୍ତରରେ ପୁରୁଷମାନଙ୍କ ପୁଂ ବନ୍ଧ୍ୟାକରଣ ପ୍ରତି ରହିଥିବା ବିମୁଖତାକୁ ପ୍ରତିଫଳିତ କରୁଛି । ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ବର୍ତ୍ତମାନ ସମୟରେ ବିବାହିତ ମହିଳାଙ୍କ ମଧ୍ୟରୁ (୧୫-୪୯ ବୟସ ବର୍ଗ ମଧ୍ୟରେ) ୩୬ ପ୍ରତିଶତ ମହିଳା ବନ୍ଧ୍ୟାକରଣ କରାଇଥିବା ବେଳେ କେବଳ ୦.୩ ପ୍ରତିଶତ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି ।

ଦେଶରେ କଣ୍ଡୋମ୍‌ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅତି ନଗଣ୍ୟ –  ୧୫-୪୯ ବର୍ଷ ମଧ୍ୟରେ ବର୍ତ୍ତମାନ ବିବାହ କରିଥିବା ମହିଳାଙ୍କ ମଧ୍ୟରେ ମାତ୍ର ୫.୬ ପ୍ରତିଶତ ଗର୍ଭନିରୋଧ ଉପାୟ ଭାବେ କଣ୍ଡୋମ ବ୍ୟବହାର କରୁଛନ୍ତି ।

'As women, we can’t be seen talking to men about sterilisation' say ASHA workers in Rampur village of Bihar's Araria district: Nusrat Banno (left), Nikhat Naaz (middle) and Zubeida Begum (right)
PHOTO • Amruta Byatnal

‘ମହିଳା ଭାବେ ଆମେ ପୁରୁଷଙ୍କ ସହିତ ବନ୍ଧ୍ୟାକରଣ ବିଷୟରେ କଥା ହେଉଥିବା ନଜରକୁ ଆସିବା ଉଚିତ ନୁହେଁ’ ବୋଲି ବିହାରର ଅରାରିଆ ଜିଲ୍ଲାର ରାମପୁର ଗ୍ରାମର ଆଶା କର୍ମୀମାନେ କୁହନ୍ତି : ନୁସ୍‌ରତ୍‌ ବାନୋ (ବାମ), ନିଖାତ୍‌ ନାଜ୍‌ (ମଝି) ଓ ଜୁବେଦା ବେଗମ୍‌ (ଡାହାଣ)

ଏହି ଅସନ୍ତୁଳନତାକୁ ଦୂର କରିବା ପାଇଁ ବିହାରରେ ୨୦୧୮ରେ ବିକାଶ ମିତ୍ରମାନଙ୍କୁ ନିଯୁକ୍ତ କରାଯାଇଛି (‘ବିକାଶ ସହାୟକ’ ବା ‘ପ୍ରଗତି ବନ୍ଧୁ’, ଯେଉଁମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଅଟେ)। ପୁଂ ବନ୍ଧ୍ୟାକରଣ ସଂଖ୍ୟା ବୃଦ୍ଧି କରିବା ପାଇଁ ଓ ଗର୍ଭନିରୋଧ ପ୍ରକ୍ରିୟାରେ ପୁରୁଷମାନଙ୍କୁ ସାମିଲ କରିବା ପାଇଁ ସମଗ୍ର ରାଜ୍ୟରେ ୯,୧୪୯ଜଣଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଜେହେନାବାଦ୍‌ ଜିଲ୍ଲାରେ ୧୨୩ ଜଣ ଓ ଅରାରିଆ ଜିଲ୍ଲାରେ ୨୨୭ ଜଣଙ୍କୁ ନିଯୁକ୍ତ କରାଯାଇଥିବା ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆରୁ ଉପଲବ୍ଧ ତଥ୍ୟରୁ ଜଣାପଡିଛି ।

ଜଣେ ବିକାଶ ମିତ୍ର ଭାବେ ବିନୟ କୁମାର ଶୌଚାଳୟ ନିର୍ମାଣ ହେବା, ଋଣ ପାଇଁ ଆବଶ୍ୟକ ଯାଞ୍ଚ କରିବା ଓ ତାହା ବଣ୍ଟନ କରିବା ଓ ଜଳ ଯୋଗାଣ ଆଦି ବିଷୟ ନିଶ୍ଚିତ କରିବା ସହିତ ଏହି ଦାୟିତ୍ୱ ମଧ୍ୟ ବହନ କରିଛନ୍ତି। ଏପରି ଏକ ରାଜ୍ୟ ଯେଉଁଠାରେ ମରୁଡି ଓ ବନ୍ୟା ପୁନଃ ପୁନଃ ସଂଗଠିତ ହୋଇଥାଏ ସେଠାରେ ତାଙ୍କୁ ମରୁଡି ସହାୟତା ପାଇଁ ପ୍ରତିପୂରଣ ନିଶ୍ଚିତ କରିବା ଓ ବନ୍ୟା ସହାୟତା ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯାଞ୍ଚ କରିବାକୁ ପଡିଥାଏ ।

ବିକାଶ ମିତ୍ରମାନଙ୍କୁ ବିହାର ମହାଦଳିତ ବିକାଶ ମିସନ୍‌ ତରଫରୁ ମାସକୁ ୧୦,୦୦୦ ଟଙ୍କା ବେତନ ଦିଆଯାଉଛି ଓ ସେମାନେ ରାଜ୍ୟର ମହାଦଳିତ ବା ସର୍ବାଧିକ ଅବହେଳିତ ତାଲିକାଭୁକ୍ତ ୨୧ ଅନୁସୂଚୀତ ଜାତିର ବିଭିନ୍ନ ଗୋଷ୍ଠୀ ଉପରେ ନଜର ରଖିବେ ବୋଲି ଆଶା କରାଯାଏ । ସେମାନେ ଜିଲ୍ଲା ସରକାରଙ୍କ ତାଲିକାଭୁକ୍ତ ଅଟନ୍ତି ଓ ବ୍ଲକ୍‌ କଲ୍ୟାଣ ଅଧିକାରୀଙ୍କଠାରେ ରିପୋର୍ଟ କରିଥାନ୍ତି । ଜଣେ ପୁରୁଷକୁ ପୁଂ ବନ୍ଧ୍ୟାକରଣ ପାଇଁ ରାଜି କରାଇପାରିଲେ, ଜଣେ ବିକାଶ ମିତ୍ରକୁ ତାଲିକାଭୁକ୍ତ ହୋଇଥିବା ବ୍ୟକ୍ତି ପ୍ରତି ଅତିରିକ୍ତ ୪୦୦ଟଙ୍କା ମିଳିଥାଏ ।

ପୁରୁଷ ବନ୍ଧ୍ୟାକରଣକୁ ପ୍ରୋତ୍ସାହିତ କରିବା ପାଇଁ ବିହାରରେ ପ୍ରତିବର୍ଷ ସପ୍ତାହେ ବ୍ୟାପି ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମ, ଯେଉଁଥିପାଇଁ ମୁଁ ବିନୟ କୁମାରଙ୍କୁ ସାକ୍ଷାତ କରିବା ବେଳେ ସେ ବ୍ୟସ୍ତ ଥିଲେ, ତାହା ହେଉଛି ‘ପୁରୁଷଙ୍କୁ ସାମିଲ୍‌ କରିବାର ଏପରି ଏକ ପ୍ରୟାସ - ଯାହା ପରିବାର ନିୟୋଜନ ପରିପ୍ରେକ୍ଷୀରେ ଏକ ସୁପ୍ରଚଳିତ ଶବ୍ଦ ଅଟେ । ଭାରତରେ ପରିବାର ନିୟୋଜନ ଦୃଷ୍ଟିରୁ ଅଧିକ ଧ୍ୟାନ ଦିଆଯାଉଥିବା ରାଜ୍ୟମାନଙ୍କ ମଧ୍ୟରୁ ବିହାର ହେଉଛି ଗୋଟିଏ –୧୫-୪୯ ବୟସ ବର୍ଗରେ ଏହାର ୩.୪୧ପ୍ରଜନନ ହାର (ଟିଏଫ୍‌ଆର୍‌) ଭାରତରେ ସର୍ବାଧିକ (ଓ ଅରାରିଆ ସମେତ ରାଜ୍ୟର ଅନ୍ୟ କେତେକ ଜିଲ୍ଲାର ପ୍ରଜନନ ହାର ଆହୁରି ଅଧିକ ଯାହା ୩. ୯୩) ଅଟେ । ଜାତୀୟ ସ୍ତରରେ ହାରାହାରି ଟିଏଫ୍‌ଆର୍‌ ହେଉଛି ୨.୧୮ (ଏନ୍‌ଏଫ୍‌ଏଚ୍‌ଏସ୍‌-୪)

ବିକାଶ ମିତ୍ରମାନେ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ କିଛି ଦଶନ୍ଧି ପୂର୍ବରୁ ଯଦିଓ ‘ପୁରୁଷମାନଙ୍କୁ ସାମିଲ’ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି (ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ବିଭାଗର କର୍ମୀମାନଙ୍କ ମଧ୍ୟରେ)- ୧୯୮୧ରୁ କେନ୍ଦ୍ର ସରକାର ବନ୍ଧ୍ୟାକରଣ ପାଇଁ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିଛନ୍ତି ଓ ବର୍ତ୍ତମାନ ପୁଂ ବନ୍ଧ୍ୟାକରଣ କରାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୩୦୦୦ଟଙ୍କା ମିଳୁଛି ।

Vasectomy week pamphlets in Araria district: Bihar's annual week-long focus on male sterilisation is one of several attempts at 'male engagement'
PHOTO • Amruta Byatnal
Vasectomy week pamphlets in Araria district: Bihar's annual week-long focus on male sterilisation is one of several attempts at 'male engagement'
PHOTO • Amruta Byatnal

ଅରାରିଆ ଜିଲ୍ଲାରେ ପୁଂ ବନ୍ଧ୍ୟାକରଣ ସମ୍ବନ୍ଧୀୟ କ୍ଷୁଦ୍ର ପୁସ୍ତିକା: ବିହାରରେ ପୁରୁଷ ବନ୍ଧ୍ୟାକରଣ ଉପରେ ସପ୍ତାହେ ବ୍ୟାପୀ ଧ୍ୟାନ କେନ୍ଦ୍ରିତ କରୁଥିବା କାର୍ଯ୍ୟକ୍ରମ ହେଉଛି ‘ପୁରୁଷଙ୍କୁ ସାମିଲ୍‌’ କରିବା ପାଇଁ କରାଯାଉଥିବା ବିଭିନ୍ନ ପ୍ରୟାସ ମଧ୍ୟରୁ ଗୋଟିଏ

ଏସବୁ ସତ୍ତ୍ୱେ ଗର୍ଭନିରୋଧ ପ୍ରକ୍ରିୟା ଆପଣେଇବାରେ ଲିଙ୍ଗଗତ ସମାନତା ହାସଲ କରିବା ଦିଗରେ ବିକାଶ ହାର ଅତି ମନ୍ଥର ଅଟେ । ସମଗ୍ର ଭାରତରେ ମୁଖ୍ୟତଃ ମହିଳାମାନେ ଏହି ଦାୟିତ୍ୱ ବହନ କରି ଆସୁଛନ୍ତି ଓ ସେମାନେ ଦୁଇଟି ସନ୍ତାନ ମଧ୍ୟରେ ଅନ୍ତର ରଖିବା ଓ ଅନିଚ୍ଛାକୃତ ଗର୍ଭଧାରଣ ଏଡେଇବା ଆଦି ନିଶ୍ଚିତ କରିଥାନ୍ତି। ବନ୍ଧ୍ୟାକରଣ ସହିତ ବର୍ତ୍ତମାନର ବିବାହିତ ମହିଳାଙ୍କ ମଧ୍ୟରୁ (୧୫ -୪୯ ମଧ୍ୟରେ) ଗର୍ଭାଶୟାଭ୍ୟନ୍ତର ଉପକରଣ, ବଟିକା ଓ ଅନ୍ତଃକ୍ଷେପଣ ଯୋଗ୍ୟ ଭଳି ପ୍ରକ୍ରିୟା ବ୍ୟବହାର କରିଥାନ୍ତି । (ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଅଧିନରେ ‘ଗର୍ଭନିରୋଧର ଆଧୁନିକ ପ୍ରଣାଳୀ’ ଅନ୍ତର୍ଭୁକ୍ତ) । ଏହା ମଧ୍ୟରୁ, ସ୍ତ୍ରୀ ବନ୍ଧ୍ୟାକରଣ (ଟ୍ୟୁବାଲ୍‌ ଲିଗେସନ୍‌) ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଗର୍ଭନିରୋଧ ପ୍ରଣାଳୀ ।

ଗର୍ଭନିରୋଧ ବଟିକା, କଣ୍ଡୋମ ଓ ଆଇୟୁଡି ଭଳି ଏକାଧିକ ଗର୍ଭନିରୋଧ ପ୍ରଣାଳୀ ଯାହାକୁ ବନ୍ଦ କରିଦେଲେ ପୁନଃ ସ୍ୱାଭାବିକ ସ୍ଥିତିକୁ ଆସିବା ସମ୍ଭବ ହୋଇଥାଏ, ସେ ଭଳି ପ୍ରଣାଳୀ ନଆପଣାଇ ଭାରତରେ ଏହିପରି ସ୍ଥାୟୀ ପ୍ରଣାଳୀ ଉପରେ ଅତ୍ୟଧିକ ଧ୍ୟାନ କେନ୍ଦ୍ରିତ କରାଯିବାକୁ ବହୁଳଭାବେ ସମାଲୋଚନା କରାଯାଉଛି । “ମହିଳା ବନ୍ଧ୍ୟାକରଣ ଭାରତରେ ବହୁଳ ଭାବେ ପ୍ରଚଳିତ ହେବା କାରଣ ଏହା ଯେ ଏହା ହେଉଛି ଏକ ସହଜ ସରଳ ଉପାୟ [ପରିବାର ନିୟୋଜନ ପାଇଁ], ଯେହେତୁ ଏଠାରେ ମହିଳାମାନଙ୍କ ପାଖରେ କାର୍ଯ୍ୟ ସାଧନ ପାଇଁ ବିଶେଷ ସୁବିଧା ବା ସ୍ୱାଧିନତା ନାହିଁ,” ବୋଲି ଅବ୍‌ଜର୍ଭର୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ର ମୁଖ୍ୟ ହେଲ୍‌ଥ ଇନିସିଏଟିଭ୍‌ ଓ ସିନିୟର୍‌ ଫେଲୋ ଉମେନ୍‌ ସି. କୁରିଆନ୍‌ କୁହନ୍ତି ।

ରାଜ୍ୟ ପରିବାର ନିୟୋଜନ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସଚେତନ କରିବାକୁ ଓ ସେମାନଙ୍କୁ ସେମାନଙ୍କ ପ୍ରଜନନ  ଅଧିକାର ଯେପରିକି ଜନ୍ମ ନିୟନ୍ତ୍ରଣ କରିବା ଅଧିକାର, ଗର୍ଭପାତ ପାଇଁ ଆଇନ୍‌ଗତ ଅଧିକାର ଓ ପ୍ରଜନନ ସ୍ୱସ୍ଥ୍ୟ ଯତ୍ନ ଉପଲବ୍ଧ କରିବା ଅଧିକାର ଆଦି । ଏହା ମଧ୍ୟରୁ ଅନେକ ପ୍ରୟାସ ଆଗଧାଡିର ଗୋଷ୍ଠୀ ସ୍ୱସ୍ଥ୍ୟ କର୍ମୀ ନୁସ୍‌ରତ୍‌ ବାନ୍ନୋଙ୍କ ଭଳି ଆଶା କର୍ମୀଙ୍କ ଜରିଆରେ ମହିଳାମାନେ ଆପଣାଇଛନ୍ତି, ଯେଉଁମାନେ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରିଥାନ୍ତି ଓ ଏହାକୁ ଆଗକୁ ନେଇଥାନ୍ତି । ଜଣେ ମହିଳାଙ୍କୁ ବନ୍ଧ୍ୟାକରଣ ପାଇଁ ତାଲିକାଭୁକ୍ତ କଲେ ଜଣେ ଆଶା କର୍ମୀଙ୍କୁ ୫୦୦ଟଙ୍କାର ପ୍ରତ୍ସୋହନ ରାଶି ମିଳିଥାଏ ଓ ଡିମ୍ବନଳୀ ବନ୍ଧନ କରାଉଥିବା ମହିଳାଙ୍କୁ ୩୦୦୦ଟଙ୍କା ଦିଆଯାଏ ।

ସେ ଯାହାହେଉ, ବନ୍ଧ୍ୟାକରଣ ପ୍ରକ୍ରିୟା ପରେ ପୁରୁଷମାନଙ୍କୁ ସୁସ୍ଥ ହେବା ପାଇଁ ଏକ ସପ୍ତାହ ସମୟ ଲାଗୁଥିବା ବେଳେ ମହିଳାମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ବେଳେବେଳେ ଦୁଇରୁ ତିନି ମାସ ସମୟ ଲାଗିଥାଏ । ପ୍ରକ୍ରିୟା ଶେଷ ହେବା ପରେ ପୁରୁଷମାନଙ୍କୁ ସଙ୍ଗେସଙ୍ଗେ ଡିସ୍‌ଚାର୍ଜ କରିଦିଆଯାଏ କିନ୍ତୁ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଅତି କମ୍‌ରେ ଗୋଟିଏ ରାତି ରହିବାକୁ ପଡିଥାଏ ।

ଏହା ସତ୍ତ୍ୱେ, ଅନେକ ମହିଳା ଭୟ କରନ୍ତି ଯେ ଯଦି ସେମାନେ ବନ୍ଧ୍ୟାକରଣ କରିବେ ନାହିଁ ତେବେ ସେମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ବାଧ୍ୟ କରାଯିବ । ଅନେକ ସମୟରେ ସେମାନେ ନିଜ ସ୍ୱାମୀ ବା ଶାଶୁ ଶ୍ୱଶୁରଙ୍କ ଏ ବିଷୟରେ ଜଣାନ୍ତିନି ମଧ୍ୟ- ଯେପରି ବିନୟ କୁମାରଙ୍କ ସ୍ତ୍ରୀ କରିଥିଲେ ।

Vikas Mitras Vinay Kumar and Ajit Kumar Manjhi work in Jehanabad district: for convincing men to undergo vasectomies, they earn Rs. 400 per person enlisted
PHOTO • Amruta Byatnal
Vikas Mitras Vinay Kumar and Ajit Kumar Manjhi work in Jehanabad district: for convincing men to undergo vasectomies, they earn Rs. 400 per person enlisted
PHOTO • Amruta Byatnal

ବିକାଶ ମିତ୍ର ବିନୟ କୁମାର ଓ ଅଜିତ କୁମାର ମଞ୍ଛି ଜେହନାବାଦ ଜିଲ୍ଲାରେ କାମ କରନ୍ତି : ପୁଂ ବନ୍ଧ୍ୟାକରଣ ପାଇଁ ରାଜି କରାଇପାରିଲେ, ସେମାନେ ତାଲିକାଭୁକ୍ତ ପ୍ରତ୍ୟେକ ବ୍ୟକ୍ତି ପାଇଁ ୪୦୦ଟଙ୍କା ଉପାର୍ଜନ କରିଥାନ୍ତି

ସେ ଯେଉଁ ସବୁ ବ୍ୟକ୍ତିଙ୍କୁ ବୁଝାଇଥାନ୍ତି, ସେମାନଙ୍କ ଭଳି କୁମାରଙ୍କ ମନରେ ମଧ୍ୟ ପୁଂ ବନ୍ଧ୍ୟାକରଣ ନେଇ ଭୟ ଓ ମିଥ୍ୟା ଧାରଣା ରହିଛି – ଓ ଏହି ପ୍ରକ୍ରିୟା ପରେ ସେ ଅଧିକ ଦୁର୍ବଳ ହୋଇଯିବେ ବୋଲି ଭୟ କରୁଥିବା ବିଷୟରେ କୁହନ୍ତି । “କାହା ସହିତ କଥା ହେବାକୁ ହେବ ତାହା ମୋତେ ଜଣା ନଥିଲା,’’ ବୋଲି ସେ କୁହନ୍ତି । ଦୁଇଟି ସନ୍ତାନ ଜନ୍ମ ହେବାପରେ ଡିମ୍ବନଳୀ ବନ୍ଧନ ପାଇଁ ତାଙ୍କ ସ୍ତ୍ରୀ ନିଷ୍ପତି ଗ୍ରହଣ କଲେ ଓ ନିଜେ ନିଜେ ଏହାକୁ କାର୍ଯ୍ୟକାରୀ କଲେ । ଏଥିପାଇଁ ସେ ତାଙ୍କ ସ୍ୱାମୀଙ୍କ ସହିତ କୌଣସି ପରାମର୍ଶ କରିନାହାନ୍ତି ବା ତାଙ୍କୁ ସୂଚୀତ ମଧ୍ୟ କରିନଥିଲେ ।

କୁମାର ଓ ଅନ୍ୟ ବିକାଶ ମିତ୍ରମାନେ ସାଧାରଣତଃ ସେମାନଙ୍କ ଦଳିତ ଓ ମହାଦଳିତ ଗୋଷ୍ଠୀ ଭିତରେ କାମ କରୁଥିବା ବେଳେ, ବେଳେବେଳେ ସେମାନେ ଉଚ୍ଚ ଜାତିର ପୁରୁଷମାନଙ୍କୁ ମଧ୍ୟ ବନ୍ଧ୍ୟାକରଣ ପାଇଁ କହିଥାନ୍ତି । ହେଲେ, ଏଥିରେ ଅନେକ ଅସୁବିଧା ସମ୍ମୁଖୀନ ହେବାକୁ ହୋଇଥାଏ ।

“ଉଚ୍ଚ ଜାତିର ପୁରୁଷମାନେ କାଳେ ଆମକୁ ଏହି ପ୍ରକ୍ରିୟା ବିଷୟରେ ଏପରି ପ୍ରଶ୍ନ ପଚାରିବେ ଯାହାର ଉତ୍ତର ଆମେ ଦେଇପାରିବୁ ନାହିଁ, ସେଥିପାଇଁ ଆମେ ଭୟ କରୁ, ଏଣୁ ଆମେ ଆମ ଗୋଷ୍ଠୀର ଲୋକମାନଙ୍କ ମଧ୍ୟରେ ଆମ କାମକୁ ସିମୀତ ରଖିଛୁ,” ବୋଲି ଜେହାନାବାଦ୍‌ ଜିଲ୍ଲାର ମଖଦମ୍‌ପୁର ବ୍ଲକ୍‌ର କଲାନୌର ଗ୍ରାମରେ ବିକାଶ ମିତ୍ର ଭାବେ କାମ କରୁଥିବା ଅଜିତ୍‌ କୁମାର ମାଞ୍ଝି, ୪୨, କୁହନ୍ତି । ମାଞ୍ଝିଙ୍କର ତିନୋଟି ପୁଅ ଓ ଗୋଟିଏ ଝିଅ ।

ବେଳେବେଳେ ଜଣକୁ ଦେଖି ଅନ୍ୟ ଜଣେ ମଧ୍ୟ କରିବାକୁ ଆଗେଇ ଆସିବା ଦେଖାଯାଏ । ୨୦୧୮ରେ ମାଞ୍ଝି ଦୁଇଜଣ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରିଥିଲେ । “ମୁଁ ଜଣେ ବ୍ୟକ୍ତିଙ୍କ ସହିତ କଥା ହୋଇଥିଲି, ହେଲେ ସେ ଏକୁଟିଆ ଯିବେନାହିଁ ବୋଲି କହିଲେ । ସମସ୍ତେ ମୋ ଉପରେ ହସିବେ ବୋଲି କହିଲେ । ଏଣୁ ମୁଁ ତାଙ୍କ ପଡୋଶୀକୁ ରାଜି କଲି । ଏହିପରି ଭାବେ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇଥାଏ’’।

ହେଲେ, ପୁଂ ବନ୍ଧ୍ୟାକରଣ କରିବାର ୧୩ ମାସ ପରେ ମଧ୍ୟ ଏହି ବ୍ୟକ୍ତିମାନଙ୍କୁ ସେମାନଙ୍କ ୩୦୦୦ଟଙ୍କାର ପ୍ରୋତ୍ସାହନ ରାଶି ମିଳିନି । ଏପରି ପ୍ରାୟ ହୋଇଥାଏ, ଯେଉଁ କାରଣରୁ ଲୋକମାନଙ୍କୁ ରାଜି କରାଇବା କଷ୍ଟକର ହୋଇଯାଏ ବୋଲି ମାଞ୍ଝି କୁହନ୍ତି । ଏହି ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯାଏ କିନ୍ତୁ ଗ୍ରାମରେ ସବୁ ପୁରୁଷଙ୍କ ଆକାଉଣ୍ଟ ନାହିଁ । ଏହାଯୋଗୁ ବିକାଶ ମିତ୍ରଙ୍କ ଦାୟିତ୍ୱର ଲମ୍ବା ତାଲିକାରେ ଆହୁରି ଏକ ଦାୟିତ୍ୱ ଯୋଡି ହୋଇଯାଏ । “ଯଦି କାହା ପାଖରେ ବ୍ୟାଙ୍କ ଆକାଉଣ୍ଟ ନାହିଁ, ତେବେ ମୁଁ ସେମାନଙ୍କ ପାଇଁ ଗୋଟିଏ ଖୋଲିଦିଏ,” ବୋଲି ବିନୟ କୁମାର କୁହନ୍ତି । ମୁଁ ଯେତେଜଣ ବିକାଶ ମିତ୍ରଙ୍କ ସହିତ କଥା ହୋଇଛି, ସେମାନଙ୍କ ମଧ୍ୟରୁ କେହି ମଧ୍ୟ ୨୦୧୯ରେ ତିନି ଚାରି ଜଣ ପୁରୁଷଙ୍କଠାରୁ ଅଧିକ ପୁରୁଷଙ୍କୁ ପୁଂ ବନ୍ଧ୍ୟାକରଣ ପାଇଁ ରାଜି କରାଇବାକୁ ସମର୍ଥ ହୋଇପାରିନାହାନ୍ତି ।

Vikas Mitra Malati Kumar and Nandkishore Manjhi: 'We work as a team. I talk to the women, he talks to their husbands', she says
PHOTO • Amruta Byatnal

ବିକାଶ ମିତ୍ର ମାଳତି କୁମାର ଓ ନନ୍ଦକିଶୋର ମାଞ୍ଝି: ‘ ଆମେ ଦଳଗତ ଭାବେ କାମ କରୁ । ମୁଁ ମହିଳାଙ୍କ ସହିତ କଥା ହୁଏ, ସେ ସେମାନଙ୍କ ସ୍ୱାମୀମାନଙ୍କ ସହିତ, ବୋଲି ସେ କୁହନ୍ତି

ପୁରୁଷମାନଙ୍କୁ ବନ୍ଧ୍ୟାକରଣ ପାଇଁ ରାଜି କରାଇବାକୁ ହେଲେ ସେମାନଙ୍କ ସ୍ତ୍ରୀଙ୍କୁ ମଧ୍ୟ ବୁଝେଇବାକୁ ହୋଇଥାଏ । ମାଳତି କୁମାର ମଖଦମ୍‌ପୁର୍‌ ବ୍ଲକ୍‌ରେ ବିକାଶ ମିତ୍ର ଭାବେ କାର୍ଯ୍ୟ କରନ୍ତି କିନ୍ତୁ ସେ ସେମାନଙ୍କ ସ୍ୱାମୀଙ୍କ ସହିତ କଥା ହେବା ପାଇଁ ତାଙ୍କ ସ୍ୱାମୀ ନନ୍ଦକିଶୋର ମାଞ୍ଝିଙ୍କ ଉପରେ ନିର୍ଭର କରିଥାନ୍ତି । “ମେ ଦଳଗତ ଭାବେ କାମ କରିଥାଉ । ମୁଁ ମହିଳାଙ୍କ ସହିତ କଥା ହୁଏ, ସେ ସେମାନଙ୍କ ସ୍ୱାମୀଙ୍କ ସହିତ,” ବୋଲି ସେ କୁହନ୍ତି ।

“ଆଉ ଅଧିକ ପିଲା ହେଲେ ତୁମେ ଏହି ସମସ୍ତଙ୍କ ଯତ୍ନ ନେବାକୁ କିପରି ସମର୍ଥ ହୋଇପାରିବ-ମୁଁ ସେମାନଙ୍କୁ ପ୍ରଶ୍ନ କରେ ବୋଲି” ନନ୍ଦକିଶୋର ମାଞ୍ଝି କୁହନ୍ତି। ହେଲେ ପ୍ରାୟ ସମୟରେ ତାଙ୍କ ଉପଦେଶକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ ।

ଆଶା କର୍ମୀ ଭାବେ କାମ କରୁଥିବା ମହିଳାମାନେ ମଧ୍ୟ ସେମାନଙ୍କ ସ୍ୱାମୀମାନଙ୍କୁ ସେମାନଙ୍କ ସହାୟତା କରିବା ପାଇଁ କହିଥାନ୍ତି। “ମହିଳା ହୋଇଥିବାରୁ ଆମେମାନେ ପୁରୁଷମାନଙ୍କ ସହିତ ବନ୍ଧ୍ୟାକରଣ ବିଷୟରେ କଥା ହୋଇ ପାରୁବୁନାହିଁ। ସେମାନେ କୁହନ୍ତି, ‘ତୁମେ କାହିଁକି ଆମକୁ ଏ ବିଷୟରେ କହୁଛ? ଆମ ସ୍ତ୍ରୀଙ୍କ ସହିତ କଥା ହୁଅ ।’ ଏଣୁ ପୁରୁଷମାନଙ୍କୁ ରାଜି କରିବା ପାଇଁ ମୁଁ ମୋର ସ୍ୱାମୀଙ୍କୁ କୁହେ, ବୋଲି ନୁସ୍‌ରତ୍‌ ବାନ୍ନୋ କୁହନ୍ତି ।

ମହିଳାମାନଙ୍କ ବର୍ଣ୍ଣନାରୁ ଏହା ସ୍ପଷ୍ଟ ଯେ ପରିବାର ନିୟୋଜନ କାର୍ଯ୍ୟରେ ‘ପୁରୁଷମାନଙ୍କୁ ସାମିଲ କରିବା’ କେବଳ ପୁରୁଷମାନଙ୍କୁ ବନ୍ଧ୍ୟାକରଣ ତାଲିକାଭୁକ୍ତ କରିବା ପର୍ଯ୍ୟନ୍ତ ସିମୀତ ନୁହେଁ । ବରଂ ଏଥିପାଇଁ କଥାବାର୍ତ୍ତା ଆରମ୍ଭ କରିବାକୁ ହୋଇଥାଏ, ସେମାନଙ୍କୁ ଏହା କହିବାକୁ ପଡେ ଯେ ତାଙ୍କ ସ୍ତ୍ରୀ କେତୋଟି ଚାହୁଁଛନ୍ତି ଓ ସେ କେଉଁ ପ୍ରକାରର ଗର୍ଭନିରୋଧକ ଚୟନ କରିବେ, ସେ ବିଷୟରେ ନିଜର ମତ ରଖିବା ପାଇଁ ସେମାନଙ୍କ ସମାନ ଅଧିକାର ରହିଛି । “ଏଥିପାଇଁ ସମୟ ଆବଶ୍ୟକ ହୋଇଥାଏ ଓ ପ୍ରତ୍ୟେକ ପ୍ରକ୍ରିୟାର ଭଲ ଓ ମନ୍ଦ ଦିଗ ବିଷରେ ସେମାନଙ୍କୁ ବୁଝାଇବାକୁ ପଡିଥାଏ,” ବୋଲି କଖତ୍‌ ନାଜ୍‌. ଅରାରିଆ ଜିଲ୍ଲାର ରାମପୁର ଗ୍ରାମର ଜଣେ ୪୧ବର୍ଷ ବୟସ୍କ ଆଶା କର୍ମୀ ଓ ତିନୋଟି ସନ୍ତାନର ମା କୁହନ୍ତି ।

ମହିଳାମାନେ ଏହା କୁହନ୍ତି ଯେ ସେମାନଙ୍କୁ ସେ ସମସ୍ତ ସାମାଜିକ ନିହିତାର୍ଥ ବିଷୟରେ ଭାବିବାକୁ ହୋଇଥାଏ ଯାହା ବନ୍ଧ୍ୟାକରଣ ପରେ ସେମାନଙ୍କ ବୈବାହିକ ଜୀବନକୁ ସମାନା କରିବାକୁ ହେବ । ଥରେ ଜଣେ ଜଣେ ପୁରୁଷଙ୍କ ସ୍ତ୍ରୀ ତାଙ୍କୁ ଚପଲ୍‌ରେ ମାରିବାକୁ ପ୍ରୟାସ କରିଥିବା କଥା ମନେ ପକାଇ ନୁସ୍‌ରତ୍‌ କୁହନ୍ତି ଯେ, “ ଏହି ପ୍ରକ୍ରିୟା ପରେ ତାଙ୍କ ସ୍ୱାମୀ ମଧ୍ୟ ନଂପୁସକ ହେବା ଓ ଗ୍ରାମରେ ତାଙ୍କୁ ଉପହାସ କରାଯିବା ସମ୍ଭାବନା ରହିଛି ଓ ଏପରି ହେଲେ ସେ ତାଙ୍କ ସହିତ ହିଂସ୍ର ବ୍ୟବହାର କରିବେ, ଏ କଥା ଭାବି ସେ ମଧ୍ୟ ଭୟଭୀତ ହୋଇଯାଇଥିଲେ ।

ତାପରେ ସେ ପୁଣି ପଚାରିଲେ ଯେ, “ମହିଳାମାନେ ସେମାନଙ୍କ ଜୀବନ ପାଇଁ ଭୟ କରନ୍ତି, କିନ୍ତୁ ପୁରୁଷମାନେ କାଳେ ସେମାନଙ୍କୁ କିଏ ଉପହାସ କରିବ ସେଥିପାଇଁ ଭୟ କରନ୍ତି?

କଭର୍‌ ଇଲୁଷ୍ଟ୍ରେସନ୍‌ : ପ୍ରିୟଙ୍କା ବୋରାର୍‌ ହେଉଛନ୍ତି ଜଣେ ନିଉ ମିଡିଆ କଳାକାର ଯିଏ ବିଭିନ୍ନ କୌଶଳ ମାଧ୍ୟମରେ ଅର୍ଥ ଓ ଭାବ ପ୍ରକାଶର ନୂଆ ରୂପ ଆବିଷ୍କାର କରିବାକୁ ବିଭିନ୍ନ ପ୍ରୟୋଗ କରୁଛନ୍ତି । ସେ ଶିଖିବା ପାଇଁ ଓ ଖେଳିବା ପାଇଁ ବିଭିନ୍ନ ଅନୁଭୂତିକୁ ରୂପରେଖ ପ୍ରଦାନ କରନ୍ତି, ଇଣ୍ଟର୍‌ଆକ୍ଟିଭ୍‌ ମିଡିଆରେ କାମ କରନ୍ତି ଓ ପାରମ୍ପରିକ ଧାରାରେ ପେନ୍‌ ଓ ପେପର୍‌ରେ ମଧ୍ୟ ଖୂବ୍‌ ସହଜରେ କାମ କରିପାରନ୍ତି ।

ପରୀ ଓ କାଉଣ୍ଟର୍‌ ମିଡିଆ ଟ୍ରଷ୍ଟର ଗ୍ରାମୀଣ ଭାରତର କିଶୋରୀ ଓ ଯୁବତୀଙ୍କ ଉପରେ ଆଧାରିତ ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ଭାରତର ପପୁଲେସନ୍‌ ଫାଉଣ୍ଡେସନ୍‌ ଇଣ୍ଡିଆର ସହାୟତାରେ ସାଧାରଣ ଲୋକଙ୍କ ସ୍ୱର ଓ ଅଙ୍ଗେନିଭାଇଥିବା ଅନୁଭୂତି ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ଅଥଚ ଅଦରକାରୀ ହୋଇପଡିଥିବା ଦଳ ବିଷୟରେ ଅଧିକ ଜାଣିବା ପାଇଁ ଆରମ୍ଭ ହୋଇଥିବା ଏକ କାର୍ଯ୍ୟକ୍ରମ ।

ଏହି ଆଲେଖର ପୁନଃ ପ୍ରକାଶନ ଚାହୁଁଚନ୍ତି? ଦୟାକରି [email protected]ରେ ଏସିସି କରିବା ସହିତ [email protected]କୁ ଲେଖନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Amruta Byatnal

ଅମୃତ ବୟତ୍‌ନାଲ୍‌ ହେଉଛନ୍ତ ଦିଲ୍ଲୀର ଜଣେ ସ୍ୱାଧୀନ ସମ୍ବାଦଦାତା । ତାଙ୍କର କାମ ମୁଖ୍ୟତଃ ସ୍ୱାସ୍ଥ୍ୟ, ଲିଙ୍ଗ ଓ ନାଗରିକତା ଉପରେ କେନ୍ଦ୍ରୀତ ।

Other stories by Amruta Byatnal